Join Us To Make A Difference

The Drops💧

ଆଜି ପ୍ରଥମାଷ୍ଟମୀ

ଆଜି ପ୍ରଥମାଷ୍ଟମୀ
Published by:Jyotshna Kumari
#shree jagannath

ଦ କୁଇଭର ବ୍ୟୁରୋ :- ଆଜି ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ l ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା'ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ 'ପଢୁଆଁ ହେବା' କହିଥାନ୍ତି I 'ପଢୁଆଁ' ଶବ୍ଦଟି 'ପ୍ରଥମା'ର ଅପଭ୍ରଂଶ । ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି । ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ)ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି । ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।

Comments

Leave a Comment

Comments

No comments yet.

Weather

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ

Blog Thumbnail

ଦ କୁଇଭର ବ୍ୟୁରୋ :- ଜାଡରେ ଥରୁଛି ଓଡ଼ିଶା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୧ ସହରରେ ୧୫ ଡିଗ୍ରୀ ତଳେ ରହିଛି ପାରଦ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମ ରହିଛି । ସେହିଭଳି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ ରହିଛି । ଦାରିଙ୍ଗବାଡିରେ ପାରଦ ତଳମୁହାଁ ହୋଇ ୮.୫ ଡିଗ୍ରୀରେ ପହଞ୍ଚିଛି । ସେହିଭଳି ଜି ଉଦୟଗିରି ରେ ୮.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।ଅନ୍ୟପଟେ ଭୁବନେଶ୍ୱରରେ ୧୫.୫ ଡିଗ୍ରୀ ସେଲସିୟସ ଓ କଟକ ରେ ୧୫.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆସନ୍ତା ୫ ଦିନ ମଧ୍ୟରେ ଉଭୟ ଦିନ ଓ ରାତ୍ରି ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେହିଭଳି ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଇଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ରାଜ୍ୟରେ ବର୍ତ୍ତମାନ ଶୁଷ୍କ ବାୟୁ ପ୍ରଭାବିତ ହେଉଥିବାରୁ ଦକ୍ଷିଣ ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଆହୁରି ୩ ରୁ ୪ ଡିଗ୍ରୀ ପାରଦ ଖସିବା ର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Shree Jagannath,Accident

ବଡଦାଣ୍ଡରେ ସଡ଼କ ଦୁର୍ଘଟଣା

Blog Thumbnail

ପୁରୀ ( ଦ କୁଇଭର ):-:ପୁରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ବୋଲେରୋ ଓ ସ୍କଟି ଧକ୍କାରେ ଜଣେ ନାବାଳକ ମୃତ୍ୟୁ ହୋଇଛି । ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।ସୂଚନା ଅନୁଯାୟୀ, ପୁରୀ ମେଡ଼ିକାଲ ଛକ ପଟୁ ଶ୍ରୀମନ୍ଦିର ଆଡ଼କୁ ବୋଲେରୋ ଗାଡ଼ି ଆସୁଥିବା ବେଳେ ଅନ୍ୟପଟେ ଏକ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାବାଳକ ନାତି ଓ ଅନ୍ୟ ଜଣେ ନାବାଳକ ଆସୁଥିଲେ । ଏହି ସମୟରେ ବଳଗଣ୍ଡି ଛକ ନିକଟରେ ସ୍କୁଟିକୁ ପଛଆଡ଼ୁ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟିରେ ଯାଉଥିବା ତିନି ଜଣ କିଛି ବାଟ ଘୋଷାଡି ହୋଇଯିବା ସହ ଆହତ ହୋଇଥିଲେ ।ଏହା ଦେଖି ଲୋକମାନେ ହୋହାଲ୍ଲା କରିବାରୁ ବୋଲେରୋ ଡ୍ରାଇଭର ଫେରାର ବେହାକୁ ଯାଉଥିବା ବେଳେ ଲୋକମାନେ ତାଙ୍କୁ କାବୁ କରିଥିଲେ । ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ପିଲାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ହେଲେ ପିଲାଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ନାବାଳକ ହେଲେ ଶ୍ରେୟାଂଶ ଦେ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣାରେ ଶିଶୁ ମୃତ୍ୟୁକୁ ନେଇ ପୁରୀ ବଳଗଣ୍ଡି ଛକରେ ରାସ୍ତାରୋକ କରାଯାଇଛି । ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ରହିଛି l


State

ଅଙ୍ଗନବାଡ଼ି କେନ୍ଦ୍ରରେ ନିର୍ମାଣ କରାଯିବ ଶୌଚାଳୟ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାଇତ୍ୱ ଗ୍ରହଣ ପରେ ପ୍ରଥମ ସଚିବସ୍ତରୀୟ ବୈଠକ ନେଇଛନ୍ତି ଅନୁ ଗର୍ଗ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତ ବିଭାଗର ସଚିବଙ୍କ ସହିତ ଆଲୋଚନା କରି କାର୍ଯ୍ୟାନ୍ବୟନ ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆଗାମୀ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ସୁବିଧା କରିବା ନେଇ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି। ଜାତୀୟସ୍ତର ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଗୋଟିଏ ଗୋଟିଏ ଖୁସିର କେନ୍ଦ୍ର ଭାବେ ବିକଶିତ କରିବା ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସଂପୃକ୍ତ ବିଭାଗ ସମନ୍ୱୟରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା କରାଯିବା ସହିତ ରକ୍ଷଣାବେକ୍ଷଣ ପାଇଁ ଗୁରୁତ୍ୱ ଦିଆଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ ପାଇଁ ସଚିବଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ, ଓଡ଼ିଶା ଭିଜନ ଲକ୍ଷ୍ୟ ୨୦୩୬ ଓ ୨୦୪୭ ହାସଲ ପାଇଁ ପ୍ରଥମେ ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା, ଅଭିିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟ, ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ । ପ୍ରଭାବଶାଳୀ ଓ ନିର୍ମଳ ଶାସନ ବ୍ୟବସ୍ଥା ପାଇଁ ଆପାରଗ ଓ ଅଯୋଗ୍ୟ କର୍ମଚାରୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

City,Sports

କୌଶିକ କପ-୨୦୨୫ରେ ମୀନାକ୍ଷୀ ନଗର୍ ଜାଭିୟର୍ସ ସ୍କୁଲ ଚାମ୍ପିଅନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ମହାତ୍ମାଗାନ୍ଧି ଷ୍ଟାଡିୟମ୍ ପରିସରରେ ଶ୍ରୀ କୌଶୀକ୍ କପ୍ -୨୦୨୫ ନାମରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣ! ମେଣ୍ଟ ଆୟୋଜିତ ହୋଇଯାଇଛି । ସେଣ୍ଟ ଜାଭିୟର୍ସ ହାଇସ୍କୁଲ ତରଫରୁ ଲିଡ୍ସ ସ୍ପୋଟିଙ୍ଗ କ୍ଲବ୍ ବ୍ରହ୍ମପୁର ସହଯୋଗରେ ଏପରି କ୍ରିକେଟ୍ ପ୍ରତିଯୋଗୀତା ସିଜନ୍-୨ ଆୟୋଜିତ ହୋଇଥିଲା । ଫାଇନାଲ ରେ ବାଳିକା ଦଳରେ ମୁଖ୍ୟ ଅତିଥିରୂପେ ଏମ୍‌କେସିଜି ମେଡ଼ିକାଲ୍ କଲେଜ୍‌ର ମାନସିକ ରୋଗ ଚିକିତ୍ସା ବିଭାଗ ର ଡ଼ା ସ୍ଵାତୀ ମିଶ୍ର ଓ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଯୋଗଦେଇ ଥିଲେ । ଆଂଚଳିକ ଶିକ୍ଷା ନିର୍ଦେଶକ କାହ୍ନୁ ଚରଣ ପଣ୍ଡା ନିର୍ଦେଶକ କୁନାଲ କୌଶିକ ପଣ୍ଡା, ଓ ରାହୁଲ ରାଜ୍ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଏହି କ୍ରିକେଟ୍ ଟୁର୍ଣ୍ଣ ମେଣ୍ଟ ଆୟୋଜିତ ହୋଇଥିଲା । ଲିଡ୍ସ କ୍ଲବର ସମ୍ପାଦକ ମନୋଜ ଦଣ୍ଡପାଟ,କ୍ରୀଡା ଶିକ୍ଷକ ବିଶ୍ୱବନ୍ଧୁ ପାଢ଼ୀ, ଦୀପକ ପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏଥିରେ ୧୧ଟି ବିଦ୍ୟାଳୟ ର ବାଳକ ଦଳ ଓ ୪ଟି ବାଳିକା ଦଳ ଯୋଗଦେଇଥିଲେ । ବାଳକ ଦଳ ଓ ବାଳିକା ଦଳରେରେ ମୀନାକ୍ଷୀ ନଗର୍ ସେଣ୍ଟ ଜାଭିଅର୍ସ ସ୍କୁଲ ଦଳ ଫାଇନାଲ ମ୍ୟାଚ୍ ରେ ଚମ୍ପିୟାନ ଦଳ ଭାବେ ପୁରସ୍କୃତ ହୋଇଥିଲେ । ସେହି ପରି ବାଳିକା ବିଭାଗ ରେ ଆମ୍ବପୂଆ ସେଣ୍ଟ ଜାଭିୟର୍ସ ସ୍କୁଲ ଓ ବାଳକ ବିଭାଗ ରେ ଡି ଏ ଭି ସ୍କୁଲ ରନସ୍ ଅପ ଦଳ ଭାବେ ପୁରସ୍କୃତ ହୋଇଥିଲେ । ଫାଇନାଲ ମ୍ୟାଚ୍ ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ର ପିଜି କାଉନସିଲ ଚେୟାରମେନ ଡ .ମନୋଜ କୁମାର ପଟ୍ଟନାୟକ ଓ ବିଶିଷ୍ଟ ବ୍ୟବସାୟୀ ପ୍ରିତମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ବର୍ଷ ମଧ୍ୟ ଏପରି କ୍ରିକେଟ ଖେଳ ଆୟୋଜିତ କରାଯିବ ବୋଲି ଏଠାରେ ସୂଚନା ଦିଆଯାଇଥିଲା। ଉଭୟ ବାଳକ ଓ ବାଳିକା ଦଳରେ ମୀନାକ୍ଷୀ ନଗର୍ ସ୍କୁଲ ଚମ୍ପିୟାନ ହୋଇଥିବାରୁ ସ୍କୁଲ ତରଫରୁ ଚେୟାରମେନ ଗୌରୀ ଶଙ୍କର ପଣ୍ଡା ,ସମ୍ପାଦିକା ପ୍ରିୟମ୍ବଦା ଦାସ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଓ ଶୁଭ କାମନା ଜଣାଇଛନ୍ତି ।

Entertainment

ରେନବୋ ମହାଧମାକାରେ ଝୁମିଲେ ଦର୍ଶକ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ଆଇଟିଆଇ ଅଡିଟରିଅମ୍ ଠାରେ ଆୟାନି ଡାନ୍ସ ଏକାଡେମୀ ତରଫରୁ ଆୟୋଜିତ ରେନବୋ ମହାଧମାକା ର ସାଂସ୍କୃତିକ ଉତ୍ସଵ ରେ ଝୁମିଲେ ଦର୍ଶକ । ଅନୁଷ୍ଠାନର ମୁଖ୍ୟ ପରିଚାଳିକା ଅସ୍ମିତା ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଧାୟକ କେ.ଅନିଲ କୁମାର ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ରୂପେ ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ମେୟର୍ ସଂଘମିତ୍ରା ଦଳାଇ, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ସାଂସଦ ପ୍ରତିନିଧି ତଥା ବିଜେପି ନାରୀନେତ୍ରୀ ମିନା ଦ୍ୟାନ୍ ସାମନ୍ତରାୟ, ମହାନସଂଘ ସଭାପତି ସୁଶାନ୍ତ ସାବତ, କର୍ପୋରେଟର ଡ ସୋନାଲି ଗନ୍ତାୟତ, ବ୍ରହ୍ମପୁର ଫିଜିକାଲ ଏକାଡେମୀ ର ମୁଖ୍ୟ ସିମାଞ୍ଚଳ ବାରିକ, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ, ନାଟ୍ୟ ସଂଘଠକ ଅନିଲ ପାତ୍ର, ସମାଜସେବୀ ବିକ୍ରମ ଜେନା,ନାଟ୍ୟକାର ଇଞ୍ଜିନିୟର ଯାମିନି କାନ୍ତ ଦାସ, ମଡେଲର ତଥା ବିଜ୍ଞାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର , ଶିଳ୍ପପତି ରାଜା ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।କ୍ଷୀର ସିନ୍ଧୁ ମହାନ୍ତି ଓ ମଧୁସ୍ମିତା ଦାସ କାଯ୍ୟ କ୍ରମରେ ସଂଯୋଜନା କରିଥିଲେ । ଏହି ଅବସରରେ ବହୁ ପ୍ରତିଭାଧରୀ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ। କରାଯାଇଥିଲା । ଶିଶୁ ମାନଙ୍କ ଠାରୁ ଯୁବକ ଓ ମହିଳା ମାନଙ୍କ ନୃତ୍ୟ ଓ ସଙ୍ଗୀତ ଦର୍ଶକ ମାନଙ୍କ ମାନଙ୍କୁ ଛୁଇଁଥିଲା। କିନ୍ନର ଲଭ୍ଲି ଙ୍କ ନେତୃତ୍ୱ ରେ ଆୟୋଜିତ ଫ୍ୟାସନ ଉଚ୍ଚ କୋଟୀର ହୋଇଥିଲା । ରେନ ବୋ ଶିକ୍ଷାନୁଷ୍ଠାନ ର ସମସ୍ତ ଶିକ୍ଷୟତ୍ରୀ ଓ ଆୟାନି ଡାନ୍ସ ଏକାଡେମୀ ର ବଣ୍ଟି ସାହୁ, ଦିଲେଶ୍ୱ ରାଓ, କିସମତ୍ କାପୁର୍, ଈଶ୍ୱର ପ୍ରସାଦ ସାହୁ, ଆର ଚନ୍ଦ୍ରମଣି ରାଓ, ପି. ହେମ ସୁନ୍ଦର ପ୍ରମୁଖ ସହଯୋଗ କରିଥିଲେ ।

State,City

ଏକାମ୍ର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସୁଦୀପ ସାହୁ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଏକାମ୍ର ପ୍ରତିଭା ସମ୍ମାନ ସମାରୋହ ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ,ଗାୟକ,ସମାଜସେବୀ ତଥା ଆଇନଜୀବି ସୁଦୀପ କୁମାର ସାହୁ ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସୁବାସ ଚନ୍ଦ୍ର ବୋଷ ରକ୍ତବୀର ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ରୂପେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ପୀତବାସ ମିଶ୍ର, ଡ ମୀନକେତନ ଦାଶ, ଲୋକନାଥ ମିଶ୍ର, କାନନ ବାଳା ନାୟକ, କୁଞ୍ଜବିହାରୀ ରାଉତ, , ସନ୍ଧ୍ୟାରାଣି ପ୍ରଧାନ ଓ ରାଜ୍ୟ ମୁଖ୍ୟ ଶଶଧର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ସ୍ବର୍ଗତ ହ୍ୟୁମାନ ସାଗର , ଶଙ୍କର ପରିଡା, ପଣ୍ତିତ ନୀଳକଣ୍ଠ ରାଉତଙ୍କ ବିୟୋଗ ରେ ସ୍ମୁତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସାମ୍ବାଦିକ ସୁଦୀପ ହ୍ୟୁମାନ ଙ୍କ ଏକ ସଙ୍ଗୀତ ଗାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ସାମ୍ୱାଦିକ ସୁଦୀପ ଙ୍କୁ ଏହା ପୂର୍ବରୁ ମଧ୍ୟପ୍ରଦେଶ, ନୂଆଦିଲ୍ଲୀ, ହାଇଦ୍ରାବାଦ, କଲିକତା, କଟକ,ପୁରୀ, ଭୁବନେଶ୍ଵର, ପାରାଦୀପ ସମେତ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ରୁ ପ୍ରାୟ ୭୦୦ରୁ ଉର୍ଦ୍ଧ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ପୁଣି ଥରେ ଜାତୀୟ ସ୍ତରରେ ସେ ସମ୍ମାନିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସୁଦୀପ ଅବସରପ୍ରାପ୍ତ ଭୂତତ୍ବ ବିଭାଗ ପ୍ରଫେସର ଡ ମାୟାଧର ସାହୁ ଓ ପ୍ରେମଲତା ସାହୁ ଙ୍କ କନିଷ୍ଟ ପୁତ୍ର ଅଟନ୍ତି ।ଏହି ସମାରୋହରେ ବ୍ରହ୍ମପୁର ର ବରିଷ୍ଠ ଡ଼ାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓ ସ୍ଵସ୍ତିକ ଟିଭି ର ମୁଖ୍ୟ ପରିଚାଳିକା ଅନୁଜାନନ୍ଦ ବିଶ୍ଵାଳଙ୍କୁ ଡ .ଅବଦୁଲ କଲାମ ପ୍ରୋଫେସନ୍ୟାଲ ଆଚିଭର୍ସ ସମ୍ମାନ,କିନ୍ନର ସ୍ବିଟି ସାହୁ ଙ୍କୁ ବିବେକାନନ୍ଦ ସ୍ମୃତି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଦେଶ ବିଦେଶ ର ବହୁ ପ୍ରତିଭାଧାରୀ ମାନ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଦୀର୍ଘ ୧୩ବର୍ଷ ଧରି ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆ ସମାଜସେବା, ସଂସ୍କୃତି, ମାନବତା, ଓ ଏକତାର ମନୋଭାବକୁ ନିରନ୍ତର ଭାବେ ଆଗେଇ ନେଉଥିବା ଏଠାରେ କହିଥିଲେ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା । ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ । ରାଜ୍ୟ ପ୍ରତିନିଧି ପଦ୍ମ ଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।