Join Us To Make A Difference

The Drops💧

ମନ୍ଦିରରେ ଦଳାଚକଟା, ୧୧ ମୃତ

ମନ୍ଦିରରେ ଦଳାଚକଟା, ୧୧ ମୃତ
Published by:Jyotshna Kumari
#shree jagannath

ଦ କୁଇଭର ବ୍ୟୁରୋ : ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ହୋଇଛି । ଏଥିର ୧୧ଜଣଙ୍କର ଜୀବନ ଗଲାଣି । ଆହୁରି ଅନେକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାଶୀବୁଗା ସ୍ଥିତ ଏହି ମନ୍ଦିରରେ ଅଘଟଣ ପୁଣି ଥରେ ଦେଉଳରେ ଦିଅଁ ଦର୍ଶନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଏତେ ଲୋକଙ୍କ ଜୀବନ ଯିବା ପରେ ସରକାର ବା ରାଜନେତାମାନେ କେବଳ ଦୁଃଖ ପ୍ରକାଶ କରି ରହିଯାଉଛନ୍ତି । ହେଲେ ସ୍ଥିତିର ସୁଧାର ଆସୁନାହିଁ । ଏହି ଦଳାଚକଟା ପରେ ପୁରୀ ପ୍ରଶାସନ ତତ୍ପର ହୋଇ ପଡ଼ିଛି । ପଞ୍ଚୁକରେ ପ୍ରବଳ ଭିଡ଼ ହେଉଥିବାରୁ ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଓ ଭିଡ଼ରେ ଭକ୍ତମାନଙ୍କ ଗହଳିକୁ କମାଇବା ପାଇଁ ଲାଗି ପଡ଼ିଛନ୍ତି ।


ଏବେ ଆସିବା ପ୍ରସଙ୍ଗକୁ । ଆନ୍ଧ୍ର ଶ୍ରୀକାକୁଲମରେ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ଏକାଦଶୀ ଥିବାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ହେଲେ ଏତେ ସଂଖ୍ୟକ ଭକ୍ତଙ୍କୁ ଶୃଙ୍ଖଳାର ସହ ଦର୍ଶନ କରାଇବା ପାଇଁ ସେପରି କୌଣସି ବ୍ୟବସ୍ଥା ନଥିଲା । ଅଳ୍ପ କିଛି ସୁରକ୍ଷା କର୍ମୀ ଥିବା ବେଳେ ଭକ୍ତଙ୍କ ଭିଡ଼ ଆଗରେ ସେମାନେ ଅଶହାୟ ହୋଇ ପଡ଼ିଥିଲେ । ଦର୍ଶନ ପାଇଁ ଲାଗିଯାଇଥିଲା ଠେଲାପେଲା । ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କି ସୁରକ୍ଷା କର୍ମୀ ନଥିବାରୁ ମନଇଚ୍ଛା ପ୍ରବେଶ ଓ ପ୍ରସ୍ଥାନ ହେଉଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଗଲା ।


ମହିଳା, ପୁରୁଷ, ଛୋଟ ପିଲାମାନେ ଠେଲାପେଲା ଭିତରେ ଚାପି ହୋଇଗଲେ । ସେହି ଭିଡ଼ ଭିତରୁ ବାହାରିବାକୁ ସମସ୍ତେ ଲାଗି ପଡ଼ିଲେ । ଆଗକୁ ଭିଡ଼ ଯାଉ ନଥିଲା ଓ ପଛରୁ ଲୋକେ ପଶୁଥିଲେ । ମଝିରେ ଅଣନିଶ୍ୱାସୀ ହୋଇଯାଇଥିବା ଭକ୍ତ ଠେଲାପେଲା କରି ବାହାରିବାକୁ ଉଦ୍ୟମ କରିଥିଲେ । ଏଥିଯୋଗୁ ସେଠାରେ ଜୋରସୋର ଲାଗିଗଲା ଧକ୍କା ମୁକି । ପ୍ରଥମେ ୬/୭ଜଣ ଭକ୍ତ ତଳେ ପଡ଼ିଗଲେ । ଏହାପରେ ଶତାଧିକ ଭକ୍ତ ଠେଲାପେଲାରେ ତଳେ ପଡ଼ିଗଲେ । ତାଙ୍କ ଉପରେ ଅନ୍ୟ ଭକ୍ତମାନେ ଚଢ଼ି ପଳାଇବାକୁ ଉଦ୍ୟମ କରିବାରୁ ସ୍ଥିତି ଭୟଙ୍କର ହେଲା । ଦଳାଚକଟା ଭୀଷଣ ରୂପ ନେଇଗଲା ।


ସ୍ଥିତି ନିୟନ୍ତ୍ରଣ ପାଇଁ କିଛି ନଥିଲା । ଖବର ପାଇ ପୋଲିସ ପହଞ୍ଚିବା ବେଳକୁ ମନ୍ଦିର ଭିତରେ ୯ଜଣଙ୍କର ଜୀବନ ଯାଇ ସାରିଥିଲା । ଆହତ ଓ ଅସୁସ୍ଥ ମାନଙ୍କୁ ତତ୍କାଳ ହସ୍ପିଟାଲ ନିଆଗଲା । ବାଟରେ ଆଉ ଦୁଇଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ସ୍ଥିତିକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡ଼ୁ ଶୋକ ପ୍ରକଟ କରିଛନ୍ତି ।


ଅନ୍ୟପକ୍ଷରେ ଆନ୍ଧ୍ରର ଦଳାଚକଟା ପରେ ପୁରୀରେ ତତ୍ପର ହୋଇଛି ପ୍ରଶାସନ । ପଞ୍ଚୁକ ୫ ଦିନରେ ପ୍ରବଳ ଭିଡ଼ ହେବ । ସେଥିପାଇଁ ସତର୍କ ନଜର ଦିଆଯାଇଛି । ୨୦୦୬ରେ କାର୍ତ୍ତୀକ ପୂର୍ଣ୍ଣମୀ ପୂର୍ବଦିନ ଦେଉଳ ଭିତରେ ଦଳାଚକଟା ଲାଗିଗଲା । ଦୀପ ନିଆଁରେ ପୋଡ଼ି ହୋଇ ୫ଜଣଙ୍କ ଜୀବନ ଯାଇଥିଲା । ଏହାପରେ କିଛିଟା ସଂସ୍କାର ଆସିଛି, ମାତ୍ର ଶୃଙ୍ଖଳା ନାମରେ ପଡ଼ିଥିବା ବ୍ୟାରିକେଡ ଓ ଟଙ୍କା ନେଇ ଦର୍ଶନ କରାଇବାର ପରମ୍ପରା ଅଘଟଣକୁ ଡାକୁଛି । ଏହାକୁ ବନ୍ଦ କରି ସହଜ ଦର୍ଶନ ପାଇଁ ପ୍ରଶାସନ ଲାଗିଛି । ଦେଖାଯାଉ ପୁରୀ ମନ୍ଦିରର ସ୍ଥିତି ଭଲ ରହୁଛି ନା କିଛି ବ୍ୟତିକ୍ରମ ହେଉଛି ?



Comments

Leave a Comment

Comments

No comments yet.

Weather,State

ପୁଣି ଆସୁଛି ଆଉ ଏକ ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ :- ବାତ୍ୟା 'ମୋନ୍ଥା' ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବିହାର ସଂଲଗ୍ନ ଝାଡ଼ଖଣ୍ଡରୁ ଉତ୍ତର-ଉତ୍ତରପୂର୍ବ ଦେଇ ଉପ-ହିମାଳୟ ପଶ୍ଚିମବଙ୍ଗ ଓ ସିକ୍କିମ ଏବଂ ଆସାମ ଆଡକୁ ଗତି କରି କିଛି ଘଣ୍ଟା ମଧ୍ୟରେ ଶକ୍ତିହୀନ ହୋଇଯିବ । ଓଡ଼ିଶାରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆହୁରି କିଛି ଦିନ ବର୍ଷା ସହ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉପକୂଳ ଓଡ଼଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ବର୍ତ୍ତମାନ ଥାଇଲାଣ୍ଡର ଗଲ୍ଫ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଜି କିଛି ଜିଲ୍ଲରେ ବର୍ଷା ସହ ପ୍ରବଳ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏହା ସାଙ୍ଗକୁ ଝଟକା ପବନ ବହିବ । ଯାହାକୁ ନେଇ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

State

ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

Blog Thumbnail

ଦ କୁଇଭର ବ୍ୟୁରୋ :- ଦର୍ଶକ ବନ୍ଧୁ, ବହୁ ଦିନ ପରେ, ପୁଣି ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି l ରାଜ୍ୟ ସରକାରଙ୍କ ବୃହତ୍‌ ଆକାଂକ୍ଷୀ ଯୋଜନା ‘ସୁଭଦ୍ରା ଯୋଜନା’ରେ ସାମିଲ ହେବା ପାଇଁ ପୁଣି ଥରେ ସୁବର୍ଣ୍ଣ ସୁଯୋଗ ଆସିଛି। ଦୀର୍ଘ ଦିନରୁ ସ୍ଥଗିତ ଥିବା ଏହି ସୁଭଦ୍ରା ପୋର୍ଟାଲ ଆସନ୍ତାକାଲି ଅର୍ଥାତ ୧ ନଭେମ୍ବର ଠାରୁ ଖୋଲିବାକୁ ଯାଉଛି। ବୟସ କମ୍‌ ହୋଇଥିବା କାରଣରୁ ଗତ ଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆସନ୍ତାକାଲି ଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିଲେ ସେହି ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ।


ସୁଭଦ୍ରା ପାଇଁ ଆପଣ ଯୋଗ୍ୟ ବୋଲି କେମିତି ଜାଣିବେ:ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀ ନିମ୍ନଲିଖିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ:

-ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ।

-ଆବେଦନକାରୀ NFSA/SFSS ଅନ୍ତର୍ଭୁକ୍ତ ହୋଇଥିବେ। NFSA/SFSSରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରି ପାରିବେ। ଯଦି ତାଙ୍କ ପରିବାରର ବାର୍ଷିକ ଆୟ ଟ.୨.୫୦ ଲକ୍ଷରୁ (କେବଳ ଦୁଇ ଲକ୍ଷ ଏବଂ ପଚାଶ ହଜାର ଟଙ୍କା) ଅଧିକ ହୋଇନଥିବ।

-ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ, ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ ୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଉଚିତ୍। ଆଧାରକାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ।

-ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ତା. ୦୧.୦୪.୨୦୨୫ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ, ଆବେଦନକାରୀଙ୍କ ଜନ୍ମ ତାରିଖ ୦୨.୦୪.୧୯୬୫ ଠାରୁ ୦୧.୦୪.୨୦୦୪ ପର୍ଯ୍ୟନ୍ତ ହେବା ଉଚିତ୍

-୨୦୨୫-୨୬ ପାଇଁ ଯଦି ଜଣେ ମହିଳାଙ୍କୁ ୦୧.୦୪.୨୦୨୫ ରେ ୨୧ ବର୍ଷ ବୟସ ହେବ, ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ମିଳିବ। ସେହିପରି ଯେଉଁ ମହିଳା ୩୧.୦୩.୨୦୨୫ ରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ।

Crime

ପୀତବାସଙ୍କ ମୁଖ୍ୟ ହତ୍ୟାକାରୀଙ୍କୁ ରିମାଣ୍ଡରେ ନେଲା ପୋଲିସ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଚାରି ଜଣଙ୍କୁ ରିମାଣ୍ଡରେ ନେଲା ବୈଦ୍ୟନାଥପୁର ଥାନା ପୋଲିସ । ଚାରି ଜଣଙ୍କ ମଧ୍ୟରେ ଅଛନ୍ତି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ । ଚାରି ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ ।ଗତକାଲି ପୋଲିସ ଜେଏମଏଫସିଙ୍କ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା । ଆଜି ଅଭିଯୁକ୍ତ ମାନଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିପାରେ ପୋଲିସ l ଗତକାଲି ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ମାଷ୍ଟର ମାଇଣ୍ଡ ଉମା ବିଷୋୟୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।

State

ପୁଣି ବଢ଼ିଲା ରାସନ କାର୍ଡ e-KYC ଅପଡେଟ୍ ଅବଧି

Blog Thumbnail

ଦ କୁଇଭର ବ୍ୟୁରୋ :- ରାସନ କାର୍ଡ ହିତାଧିତାରୀଙ୍କ ପାଇଁ ଖୁସି ଖବର, ପୁଣି ବଢିଲା e-KYC ଅବଧି । ଏହାକୁ ଡିସେମ୍ବର ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଥିବା ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଆଧାର ଭିତ୍ତିକ e-KYC ପ୍ରକ୍ରିୟା ଜାରି ରହିଛି । ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି । ଏହାସହ ଅଦ୍ୟାବଧି e-KYC କରାଇ ନ ପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି । କୌଣସି ଯୋଗ୍ୟ ହିତାଧିକାରୀଙ୍କୁ e-KYC ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ । ଯଦି ଏ ପର୍ଯ୍ୟନ୍ତ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ e-KYC କରିନାହାନ୍ତି, ତାହାଲେ ସେମାନେ ଡିସେମ୍ବର ୩୧ ତାରିଖ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ e-KYC କରାଇପାରିବେ । ଯାହାକୁ ନେଇ ଗତ କିଛି ଦିନ ହେଲା ଦ୍ୱନ୍ଦ୍ବରେ ଥିଲେ ହିତାଧିକାରୀ l ଗତ ୧୪ ତାରିଖ ସୁଦ୍ଧା ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ହିତାଧିକାରୀ e-KYCରୁ ବଞ୍ଚିତ ଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଗତ ୧୫ ଦିନ ଭିତରେ ମାତ୍ର ୭୩ ହଜାର ୧୦୬ ଜଣଙ୍କ e-KYC କରିଛନ୍ତି ।

State,Crime

ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍

Blog Thumbnail

ଦ କୁଇଭର ବ୍ୟୁରୋ :- ଅଡ଼ୁଆରେ ବ୍ରହ୍ମପୁର ଏସପି । ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସ୍ ପିଙ୍କୁ ଜବାବ ମାଗିଲେ ହାଇକୋର୍ଟ । ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସ୍ ପି ଦେଇଥିବା ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅଦାଲତ । ନିର୍ବାଚନୀ ମାମଲା ବିଚାରାଧୀନ ଥିବା ବେଳେ SPଙ୍କ ବୟାନକୁ କୋର୍ଟ କଡ଼ା ନିନ୍ଦା କରିଛନ୍ତି । ଏସପିଙ୍କ ବିବୃତି କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୭ ତାରିଖ ସୁଦ୍ଧା ଲିଖିତ ଜବାବ ମାଗିଛନ୍ତି ହାଇକୋର୍ଟ । ବିଚାରପତି ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।


ଆବେଦନକାରୀ ମନୋଜ ପଣ୍ଡା ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇଥିଲେ ଯେ, ଗତ ଅକ୍ଟୋବର ୨୨ରେ ରେଳ ଷ୍ଟେସନରୁ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ପୋଲିସ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲା । ବ୍ରହ୍ମପୁର ନିର୍ବାଚିତ ବିଧାୟକଙ୍କ ବିରୋଧରେ ସେ କେମିତି ମାମଲା କଲେ ବୋଲି ତାଙ୍କୁ ପଚରାଯାଇଥିଲା । ଅନ୍ୟପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି କହିଥିଲେ, ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ରହିଛି । ଏହି ନିର୍ବାଚନ ମାମଲା ଶିବଶଙ୍କର ଦାସ ନାମରେ ଦାଖଲ ହୋଇଥିଲା । କିନ୍ତୁ ତାହାକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆର୍ଥିକ ସହାୟତା ଦେଇଥିଲେ । ଅଦାଲତ କହିଛନ୍ତି, ନ୍ୟାୟିକ ମାମଲା ବିଚାରାଧୀନ ଥିବାବେଳେ ପୋଲିସ ଅଧିକାରୀଙ୍କ ସାର୍ବଜନୀନ ଟିପ୍ପଣୀ ଗ୍ରହଣୀୟ ନୁହେଁ ।

State

ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

Blog Thumbnail

ଦ କୁଇଭର ବ୍ୟୁରୋ :- ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି। ବୟସ କମ୍‌ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆଜିଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ। ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ୍‌ ଖୋଲିବ ନାହିଁ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ୨୦୨୫ ଏପ୍ରିଲ ପହିଲା ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଏପ୍ରିଲ ୧୯୬୫ଠାରୁ ଏପ୍ରିଲ ପହିଲା ୨୦୦୪ ମଧ୍ୟରେ ହୋଇଥିବା ଉଚିତ।