ପୁରୀ( ଦ କୁଇଭର ):- ଆଜି ମହାବାହୁଙ୍କ ସୁନାବେଶ । ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଚତୁର୍ଦ୍ଧାମୂରତି । ଜଗତର ନାଥ, ଶ୍ରୀକ୍ଷେତ୍ରାଧିପତି ଶୃଙ୍ଗାର ପ୍ରିୟ ମହାପ୍ରଭୁଙ୍କ ଆଜି ଦୁର୍ଲ୍ଲଭ ସୁନାବେଶ । ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀଜିଉ । ଶ୍ରୀକ୍ଷେତ୍ରରେ ରଥ ଉପରେ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଉଛନ୍ତି ବିଶ୍ଵନିୟନ୍ତା । ଶ୍ରୀକ୍ଷେତ୍ରାଧିପତିଙ୍କ ଏହି ଦୁର୍ଲ୍ଲଭ ଅପୂର୍ବ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ହେଉଛନ୍ତି ଲକ୍ଷ ଲକ୍ଷ ଭକ୍ତ । ପ୍ରାୟ ୧୩୮ ପ୍ରକାର ରତ୍ନଖଚିତ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇଛି ମଣିମାଙ୍କ ଦେହରେ । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୂଷଣ ଲାଗି କରିଛନ୍ତି। ସନ୍ଧ୍ୟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଏହି ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଆଜି ଲୋକାରଣ୍ୟ ପାଲଟିଛି ବାଡଦାଣ୍ଡ । ବାହୁଡା ପରେ ବିଶ୍ଵନିୟନ୍ତାଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି ।