Banner Ad

ଜନ୍ମାଷ୍ଟମୀ ପାଳନର ମହତ୍ତ୍ୱ

ଜନ୍ମାଷ୍ଟମୀ ପାଳନର ମହତ୍ତ୍ୱ
Published by : Jyotshna Kumari
#Shree Jagannath
Aug 26, 2024, 10:07 PM
ଦ କୁଇଭର ବ୍ୟୁରୋ :- କିମ୍ବଦନ୍ତୀ ଅନୁସାରେ କଂସ ସମେତ ଅନ୍ୟ ଦାନବମାନଙ୍କୁ ନିପାତ କରିବାଉଦ୍ଦେଶ୍ୟରେ ଦ୍ୱାପର ଯୁଗରେ ଭାଦ୍ରଵ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ମାନବ ରୂପରେ ମହାପ୍ରଭୁ ଅବତାରଣ କରିଥିଲେ ।ଦେବକୀଙ୍କ ଗର୍ଭରୁ ଜାତ ସନ୍ତାନ ହସ୍ତରେ କଂସ ନିଧନ ହେବନାରଦଙ୍କଠାରୁ ଶୁଣି ଦେବକୀଙ୍କ ଚୂଳକୁ ଧରିଲା କଂସାସୁର । ବସୁଦେବ ତା ‘ର ଦୁଇ ପଦକୁ ଧରିକହିଲେ, “ଦେବକୀ ତୁମର ଶତ୍ରୁ ନୁହେଁ “ଦେବକୀ ଗର୍ଭରୁ ଜାତ ହେବା ସନ୍ତାନ ହିଁ ତୁମର ଅନିଷ୍ଟକାରୀ ହେବ।ତେଣୁ ତାକୁ ଛାଡିଦିଅ, ତା ‘ର ଗର୍ଭରୁ ଯେତେ ସନ୍ତାନ ଜାତ ହେବେ ତୁମକୁ ଅର୍ପଣ କରିବି । କଂସ ଭିଣୋଇ ବସୁଦେବ ଓ ଭଗ୍ନୀ ଦେବକୀଙ୍କୁ ବନ୍ଦୀ ଶାଳରେ ରଖି ପିତା ଉଗ୍ରସେନଙ୍କୁ ଜଗୁଆଳ ରୂପେ ନିଯୁକ୍ତ କଲା । ଦେବକୀଙ୍କଠାରୁ ଜନ୍ମିତ ୬ ଗୋଟି ପୁତ୍ରକୁ ଦର୍ପଣ ଶିଳାରେ କଚାଡି ସେ ମୃତ୍ୟୁ ଦଣ୍ଡ ଦେଲା ।ସପ୍ତମ ସନ୍ତାନ ରୋହିଣୀଙ୍କ ଗର୍ଭରୁ ପ୍ରଭୁ ବଳରାମ ଅବତାରରେ ଜନ୍ମ ନେଲେ ।କଂସ ଶୁଣିବାକୁ ପାଇଲା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଯେଉଁ ପୁତ୍ର ଜନ୍ମ ହେବ ତାଙ୍କ ହସ୍ତରେ ସେ ନିହତ ହେବ ।ତେଣୁ କଡ଼ା ପ୍ରହରା ମଧ୍ୟରେ ସେ ଦୁଇ ଜଣଙ୍କୁ ରଖିଲା। କୃଷ୍ଣ ଅଷ୍ଟମ ଗର୍ଭରେ ଜନ୍ମ ହୋଇ ବସୁଦେବଙ୍କୁ କହିଲେ,”ମୋତେ ଗୋପପୁରରେ ନନ୍ଦଙ୍କ ଘରେ ଛାଡି ତାଙ୍କ ଶିଶୁ କନ୍ୟାକୁ ଆଣି ଏଠାରେ ରଖିଦିଅ।ଶ୍ରୀକୃଷ୍ଣଙ୍କୁ ମସ୍ତକରେ ରଖି ଝୁଡି ଘୋଡାଇ ରାତାରାତି ବସୁଦେବ
ଯିବାକୁ ଉଦ୍ୟତ ହୁଅନ୍ତେ ପାଦରୁ ଶିଙ୍କୁଳି ଏବଂ କବାଟ ଆପେଆପେ ଖୋଲିଗଲା । କୂଳ ଲଂଘନ କରି ଗର୍ଜୁ ଥିବା ଯମୁନା ଜଳରେ ବାଲି ବନ୍ଧରେ ପଥ ନିର୍ମାଣ କରି ନନ୍ଦଙ୍କ ଘରେ ପହଂଚି ତାହାହିଁ କଲେ । ଶିଶୁ କନ୍ୟାକୁ ଶିଳାରେ କଚାଡ଼ିବା ପାଇଁ କଂସ ଉପରକୁ ଉଠାଇବାରେ ସେହାତରୁ ଖସି ସେ ଅଦୃଶ୍ୟ ହୋଇଗଲେ। ଦୁର୍ଦ୍ଦଷ ନିଷ୍ଠୁର କଂସ ଭଉଣୀ,ଭିଣୋଇଙ୍କ ସହ ସମ୍ପର୍କକୁକଳଙ୍କିତ କରି ଭଣଜାମାନଙ୍କୁ ଯମପୁରକୁ ପଠାଇବାକୁ ଷଡଯନ୍ତ୍ର କରିବାରୁ ତା ‘ର ଗର୍ବ ଓ ଅହଂକାର ଚୁରମାର ହୋଇଗଲା ଓ କଲବଲ ହୋଇ ଶ୍ରୀକୃଷ୍ଣଙ୍କ ହାତରେ ଜୀବନ ହାରିଲା । ତେଣୁ ଆମେ କେବେ ପବିତ୍ର ସମ୍ପର୍କକୁ କଳୁଷିତ କରିବା ନାହିଁ ।

Leave a Comment

Comments

No comments yet.

Best Biofloc Fish Farming

ad
Read more

Politics,State

ଜଗନ୍ନାଥ ପ୍ରଧାନ ଗିରଫ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଚାରି ଦିନ ହେଲା ଚାଲିଥିବା ହାଇଡ୍ରାମାର ଅନ୍ତ ଘଟିଛି। ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ଉତ୍‌କ୍ଷିପ୍ତ ହୋଇଛନ୍ତି ଜଗନ୍ନାଥଙ୍କ ସମର୍ଥକ। ରାତି ପ୍ରାୟ ୧୦ଟା ବେଳେ ଭୁବନେଶ୍ବରର ଜନପଥ ଓ ଜାତୀୟ ରାଜପଥ ଅବରୋଧ କରିଥିଲେ। ଅଘଟଣ ଆଶଙ୍କାରେ ରାଜଧାନୀର ବିଭିନ୍ନ ଜାଗାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜଗନ୍ନାଥଙ୍କ ଗିରଫ ପରେ ଓଏଏସ୍‌ ସଂଘ ତା’ର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି। ଏହି ମାଡ଼ ଘଟଣାରେ ରାଜ୍ୟ ସରକାର ଓ ଓଏଏସ୍‌ ଅଧିକାରୀ ସଂଘ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ। ଜଗନ୍ନାଥ ପ୍ରଧାନ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ବୋଲି ସଂଘ ଅଭିଯୋଗ କରିବା ସହ ତାଙ୍କର ଗିରଫ ଦାବିରେ ଅଟଳ ରହିଥିଲା। ଫଳରେ ପ୍ରଶାସନିକ ଅଚଳାବସ୍ଥା ତୃତୀୟ ଦିନରେ ପହଞ୍ଚିଥିଲା। ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଲୋକମାନେ ହଇରାଣ ହୋଇଥିଲେ। ତେବେ ଗୁରୁବାର ସକାଳୁ ଜଗନ୍ନାଥଙ୍କୁ ଗିରଫ ନିଷ୍ପତ୍ତି ନେବା ମୁଡ୍‌ରେ ସରକାର ନ ଥିଲେ। ଓଏଏସ୍‌ ଅଧିକାରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ରାଜସ୍ବ ମନ୍ତ୍ରୀ ନିବେଦନ କରିଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଓଏଏସ୍‌ ସଂଘ ତା’ର ଜିଦ୍‌ରୁ ଓହରି ନଥିଲା। ଏହା ପରେ ବିଜେପି ଓ ସରକାରଙ୍କ ଶୀର୍ଷସ୍ତରରେ ବୈଠକ ବସି ଜଗନ୍ନାଥଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା।


ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଡିସିପିଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ପହଞ୍ଚିଥିଲେ। ଏହି ଖବର ଜଣାପଡ଼ିବା ପରେ ତାଙ୍କର ଶହ ଶହ ସମର୍ଥକ ସେଠାରେ ରୁଣ୍ଡ ହୋଇଥିଲେ। ବିଧାୟକ ବାବୁ ସିଂହଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତା ବି ସେଠାରେ ପହଞ୍ଚିଥିଲେ। ଡିସିପିଙ୍କ କାର୍ଯ୍ୟାଳୟ ଭିତରକୁ ଯିବା ପୂର୍ବରୁ ଗଣମାଧ୍ୟମକୁ ଜଗନ୍ନାଥ କହିଥିଲେ, ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟଣାରେ ମୋର ସଂପୃକ୍ତି ନାହିଁ। ମୁଁ ଏହି ଘଟଣାକୁ ନିନ୍ଦା କରିଛି। କିନ୍ତୁ ମୋତେ, ମୋ ଦଳ ଓ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା। ଓଏଏସ୍‌ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫ ଦାବି କରି ଆନ୍ଦୋଳନରେ ଅଛନ୍ତି। ଫଳରେ ବନ୍ୟା ଦୁର୍ଗତ ଅଞ୍ଚଳରେ ରିଲିଫ୍‌ କାର୍ଯ୍ୟ, କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଆବଣ୍ଟନ ପ୍ରଭାବିତ ହୋଇପାରେ। ବାହୁଡ଼ା ଯାତ୍ରା ଓ ମହାପ୍ରଭୁଙ୍କ ସୁନାବେଶ ମଧ୍ୟ ପ୍ରଭାବିତ ହୋଇପାରେ। ଯଦି ମୋର ଗିରଫଦାରୀ ଏହାର ସମାଧାନର ବାଟ, ତେବେ ସରକାରଙ୍କ ସମ୍ମାନ ଏବଂ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମୁଁ ତଦନ୍ତରେ ସହ‌ଯୋଗ କରିବାକୁ ଆସିଛି। ଡିସିପିଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ଥିଲା ବେଳେ ବାହାରେ ତାଙ୍କ ସମର୍ଥକମାନେ ହୋହଲ୍ଲା ଆ‌ରମ୍ଭ କରି ଦେଇଥିଲେ। ସେମାନେ ରାସ୍ତାରୋକ କରି ନିଜର ଅସନ୍ତୋଷ ଜଣାଇଥିଲେ। ପୁଲିସ ଓ ବିଜେପିର ବରିଷ୍ଠ ନେତାମାନେ ସମର୍ଥକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା। ରାତି ପ୍ରାୟ ୧୦ଟା ବେଳକୁ ଜଗନ୍ନାଥଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଥିଲା। ଗିରଫ ପରେ ତାଙ୍କୁ ମେଡିକାଲ୍‌ ଯାଞ୍ଚ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ରାତିରେ ଝାରପଡ଼ା ଜେଲ୍‌କୁ ପଠାଯାଇଥିଲା। ଜଗନ୍ନାଥଙ୍କ ଗିରଫ ପରିପ୍ରେକ୍ଷୀରେ ଡିସିପି କାର୍ଯ୍ୟାଳୟ, କ୍ୟାପିଟାଲ୍‌ ହସ୍ପିଟାଲ, ଭୁବନେଶ୍ବର କୋର୍ଟ ଓ ଝାରପଡ଼ା ଜେଲ୍‌ ନିକଟରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।

Shree Jagannath

ଆଜି ବାହୁଡ଼ାଯାତ୍ରା

Blog Thumbnail

ପୁରୀ ( ଦ କୁଇଭର ):- ଆଜିପବିତ୍ର ବାହୁଡା଼ ଯାତ୍ରା l ସରିଆସିଲାଣି ଶ୍ରୀଗୁଣ୍ଡିଚା ଲୀଳା। ଏବେ ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ଲେଉଟିବାର ବେଳ। ସେନାପଟା ଲାଗି ସାରିଲାଣି। ଆଡ଼ପମଣ୍ଡପରେ ଚାରବନ୍ଧା ସରିଲାଣି। ସଅଳ ପହଣ୍ଡି ହୋଇ ଚତୁର୍ଦ୍ଧାବିଗ୍ରହ ରଥ ଉପରେ ବିରାଜମାନ କରିବା ପାଇଁ ରଥରେ ମଧ୍ୟ ଚାରମାଳ ବନ୍ଧା ଶେଷ ହୋଇଛି। ବଡ଼ଦାଣ୍ଡକୁ ଧୋଇ ଶୋଧ କରିଦେଲାଣି ବର୍ଷା। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚିସାରିଲେଣି ଭକ୍ତ। ଶୀଘ୍ର ବାହୁଡ଼େଇ ନେବା ପାଇଁ ଆରମ୍ଭ ହୋଇଗଲାଣି ନୀତିକାନ୍ତି।ସନ୍ଧ୍ୟା ଦର୍ଶନ ସଅଳ ବନ୍ଦ କରି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ବାହୁଟ କଣ୍ଟ, ଚାରବନ୍ଧା ସହ କୁସୁମି ଲାଗି ଶେଷ ହୋଇସାରିଛି। ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଆଜି ମହାପ୍ରଭୁ ଘଣ୍ଟାଏ ପାଇଁ ଠିଆ ପହୁଡ଼ ଯିବେ। ଖଟ ଶେଜ ଲାଗିବ ନାହିଁ। ନୀତିକାନ୍ତି ସଅଳ ସମାପନ ହୋଇ ସମ୍ଭବତଃ ସକାଳ ୮ଟାରୁ ୯ଟା ମଧ୍ୟରେ ପହଣ୍ଡି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଯଦିଓ ନୀତି ନିର୍ଘଣ୍ଟ ପୁସ୍ତିକରେ ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ଆରମ୍ଭ ହେବା ନେଇ ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ସଅଳ କରିବା ଲକ୍ଷ୍ୟରେ ନୀତିକାନ୍ତି ଆଗେଇ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନର ନୀତିକାନ୍ତି ମୁତାବକ, ଠିଆ ପହୁଡ଼ ହୋଇଥିବାରୁ ୫ ତାରିଖ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବ।


ସକାଳ ୭ଟାରୁ ସେନାପଟା ଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ, ସାଢ଼େ ୨ଟା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବାହୁଡ଼ା ଯାତ୍ରାରେ ଶୃଙ୍ଖଳା ପାଇଁ ୨୦୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ନିୟୋଜିତ ହେବେ। ଭକ୍ତଙ୍କ ଯାତାୟ‌ାତ ପାଇଁ ସ୍ବତନ୍ତ୍ର ଟ୍ରାଫିକ ରୁଟ୍‌ ନିର୍ଦ୍ଧାରିତ ହୋଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଚାରିଚକିଆ ଓ ଦୁଇଚକିଆ ଯାନ ରଖିବା ପାଇଁ ସ୍ବତନ୍ତ୍ର ସ୍ଥାନ ସ୍ଥିରୀକୃତ ହୋଇଛି।

Politics,State

ରାଜନୈତିକ ଦଳର କର୍ମୀ ବୋଲି ପରିଚୟ ଦେଇ ତହସିଲଦାରଙ୍କୁ ହତ୍ୟା ଧମକ

Blog Thumbnail

ନୂଆପଡା( ଦ କୁଇଭର ):- ନୂଆପଡ଼ା ଜିଲା ଖଡ଼ିଆଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ନରସିଂହ ଗାଡ଼ବାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଡ଼ବା ଏ ନେଇ ଗୁରୁବାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଓଏଏସ୍‌ ସଂଘର ନିଷ୍ପତ୍ତି ଅନୁଯାୟୀ ସବୁ ଅଫିସରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଖଡ଼ିଆଳ ବ୍ଲକରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରାଯାଇଛି। ଏଣୁ ବିଭିନ୍ନ କାର୍ଯ୍ୟ ପ୍ରଭାବିତ ହୋଇଛି। ଏପରିସ୍ଥଳେ ବୁଧବାର ଗାଡ଼ବାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନକଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ ଏକ ରାଜନୈତିକ ଦଳର କର୍ମୀ ବୋଲି ପରିଚୟ ଦେଇ ତୁକଲାଠାରେ ନିର୍ମିତ ଆଡିଶନାଲ କ୍ଲାସରୁମର ଚେକ୍‌ ପାସ୍‌ କାହିଁକି କରୁନାହାନ୍ତି ବୋଲି ପଚାରିବା ସହ ଅଭଦ୍ର ଭାଷାରେ ଗାଳିକରି ମାରିଦେବାକୁ ଧମକ ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗଡ଼ବା ଦାବି କରିଛନ୍ତି। ଏ ନେଇ ଖଡ଼ିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରୁ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ଏବଂ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ।

State

କରଞ୍ଜିଆ ବନଖଣ୍ଡ ପକ୍ଷରୁ ୭୬ ତମ ବନମହୋତ୍ସବ ପାଳନ

Blog Thumbnail

କରଞ୍ଜିଆ( ଦ କୁଇଭର ):- ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ କରଞ୍ଜିଆ ବନଖଣ୍ଡ ସୌଜନ୍ୟରେ କରଞ୍ଜିଆ ବନାଞ୍ଚଳର ବିଭିନ୍ନ ସ୍ଥାନରେ ୭୬ ତମ ବନମହୋତ୍ସବ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ଅବସରରେ ଆଜି ଶନି ମନ୍ଦିର ନିକଟସ୍ଥ କରଞ୍ଜିଆ ସଂରକ୍ଷିତ ଜଙ୍ଗଲରେ ଏହା ପାଳନ ଅବସରରେ ଏକ ପେଡ ମା କେ ନାମ ୨-୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦାନ କରି ଶିମିଳିପାଳ ଉତ୍ତର ବନଖଣ୍ଡ ଅଧିକାରୀ ତଥା ଡେପୁଟି ଡାଇରେକ୍ଟର ବ୍ୟାଘ୍ର ଅଭୟାରଣ୍ୟ ଏଵଂ ଭାରପ୍ରାପ୍ତ କରଞ୍ଜିଆ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, କରଞ୍ଜିଆ ବନଖଣ୍ଡ ସହକାରୀ ବନ ସଂରକ୍ଷକ ମଦନମୋହନ ମହାନ୍ତ, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ତଥା ଅନ୍ୟାନ୍ୟ ବନ ବିଭାଗ ଅଧିକାରୀ , ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ମାନଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୋୖସୁମୀ ବର୍ଷାର ଅନିୟମିତତା, ବର୍ଷା ଦିନରେ ଅତ୍ୟଧିକ ଗରମ ଅନୁଭୂତ ହେବା,ଶୀତ ଋତୁରେ ଥଣ୍ଡା ହ୍ରାସ ହେବା, ତାପମାତ୍ରା ବୃଦ୍ଧି ଯୋଗୁଁ ସାମୁଦ୍ରିକ ବାତ୍ୟା ପରି ପରିବେଶରେ ବିଭିନ୍ନ ଅପ୍ରାକୃତିକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ବୃକ୍ଷ ରୋପଣ, ସଂରକ୍ଷଣ ଓ ଯତ୍ନ ଦ୍ବାରା ଏହି ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ଏବଂ ଆମ ପରିବେଶ ସୁରକ୍ଷିତ ରହିପାରିବ ଏବଂ ପରିବେଶ ସୁରକ୍ଷିତ ରହିଲେ ମଣିଷ ସମାଜ ସୁରକ୍ଷିତ ଓ ଜୀବ ଜଗତ ସୁରକ୍ଷିତ ରହିବ ବୋଲି ମନ୍ତ୍ରୀ ଉପସ୍ଥିତ ସର୍ବସାଧାରଣ ଲୋକ ଓ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ତାସହିତ ଏହା ଯେ କେବଳ ବନ ବିଭାଗର କାର୍ଯ୍ୟ ନଭାବି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ।



National,State

ତେଲେଙ୍ଗାନା ବିସ୍ଫୋରଣ : ମୁଖ୍ୟମନ୍ତ୍ରୀଙ୍କ ୧୦ ଲକ୍ଷର ସହାୟତା ରାଶି ଘୋଷଣା

Blog Thumbnail

ଦ କୁଇଭର ବ୍ୟୁରୋ:- ସୋମବାର ତେଲଙ୍ଗାନାର ଥିବା ଏକ ରାସାୟନିକ କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଓଡିଆ ମଧ୍ୟ ଥିଲେ । ଏନେଇ ଆଜି ମୃତ ଓଡିଆଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରାୟ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି l


ସୂଚନାନୁଯାୟୀ,ନିକଟରେ ସୋମବାର ଦିନ ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ସିଗାଚି ଇଣ୍ଡଷ୍ଟ୍ରିର ଫାର୍ମା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏହି ଫ୍ୟାକ୍ଟ୍ରିରେ ବିହାର, ଉତ୍ତରପ୍ରଦେଶ ଓ ଓଡ଼ିଶାର ପ୍ରବାସୀ ଶ୍ରମିକ କାର୍ଯ୍ୟ କରୁଥିଲେ । ଏହି ଦୁର୍ଘଟଣାରେ ୪୦ ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ ।

State,Politics

ଗିରଫ ପରେ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଜଗା ପ୍ରଧାନ

Blog Thumbnail

ଦ କୁଇଭର ବ୍ୟୁରୋ:- କମିସନରେଟ୍‌ ପୁଲିସ ହାତରେ ଆଜି ରାତିରେ ଗିରଫ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଭୁବନେଶ୍ବର କୋର୍ଟରେ ହାଜର ହେଲା ପରେ ଜାମିନ ନାମଞ୍ଜୁର ହେବାରୁ ଜଗନ୍ନାଥ ପ୍ରଧାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଜଗନ୍ନାଥ ପ୍ରଧାନ ଆଜି ରାତି ୯ଟା ୪୦ରେ ଡିସିପି କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେ ଗଣମାଧ୍ୟମ ଆଗରେ କହିଥିଲେ, ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାକୁ ମୁଁ ସବୁବେଳେ ନିନ୍ଦା କରିଆସୁଛି। ଏହି ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ଓଏଏସ୍‌ ସଂଘ ମୋର ଗିରଫ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନ କାରଣରୁ ଜନସାଧାରଣ ପ୍ରଭାବିତ ହୋଇପାରନ୍ତି। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ମୋହନ ଚରଣ ମାଝୀ ସରକାର ବଦନାମ ନହୁଅନ୍ତୁ ଏହା ମୁଁ ଚାହେଁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି। ଏହା କହିଲା ପରେ ଶ୍ରୀ ପ୍ରଧାନ ଡିସିପି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ସହ ଆତ୍ମସମର୍ପଣ କରିଥିଲେ।


ଅନ୍ୟପକ୍ଷରେ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ଡିସିପି କାର୍ଯ୍ୟାଳୟ ଓ ଝାରପଡ଼ା ଜେଲ୍‌ ସାମ୍ନାରେ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ବିରୋଧ ପ୍ରଦର୍ଶନ ସମୟରେ ଝାରପଡ଼ାରେ ଜଣେ ମହିଳା ସମର୍ଥକ ଅଚେତ ହୋଇଯାଇଥିଲେ। ଜଣେ ସମର୍ଥକମାନେ କହିଛନ୍ତି, ଯଦି ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି, ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର। ସମର୍ଥକମାନେ କହିଛନ୍ତି, ଜଗନ୍ନାଥ ପ୍ରଧାନଙ୍କ କୌଣସି ଭୁଲ ନାହିଁ। ଯଦି ଜଗନ୍ନାଥ ପ୍ରଧାନଙ୍କ ଭୁଲ ଥିଲା, ପୁଲିସ ଘଟଣାର ତଦନ୍ତ କରିବାର ଥିଲା। ତଦନ୍ତରେ ସେ ଯଦି ଅଭିଯୁକ୍ତ ପ୍ରମାଣିତ ହୋଇଥାନ୍ତେ ଗିରଫ କରିଥିଲେ କୌଣସି ଆପତ୍ତି ନଥିଲା।

Shree Jagannath

ଲୋକାରଣ୍ୟ ଶରଧାବାଲି : କାଲି ବାହୁଡ଼ିବେ ଚତୁର୍ଦ୍ଧାମୂରତୀ

Blog Thumbnail

ପୁରୀ( ଦ କୁଇଭର ):- ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହା ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ଥିଲା। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ ଥିଲା। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଥିଲା। ବ୍ୟବସ୍ଥାବଳୀ ମୁତାବକ, ଭକ୍ତମାନେ ଭୋର ୫ଟାରୁ କେବଳ ବାହାରକାଠ ନିକଟରେ ଦର୍ଶନ କରିଥିଲେ। ସନ୍ଧ୍ୟା ଦର୍ଶନ ପାଇଁ ଟିକେଟ୍‌ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବାକୁ ବାରଣ କରାଯାଇଥିଲା। ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଥିଲା। ଦର୍ଶନ ବନ୍ଦ ରହିଲେ ମଧ୍ୟ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ। ଏଣେ ଶରଧାବାଲି ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଦିନ ତିନି ରଥର ଦକ୍ଷିଣ ମୋଡ଼ ନୀତି ସରିଛି। ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି ଓ ଅନ୍ୟ ନୀତି ବଢ଼ିଥିଲା। ସକାଳ ୭ଟାରେ ବେଶ ଶେଷ ସହ ହେବ। ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ ସହ ଅନ୍ୟ ନୀତି ବଢ଼ିବ। ଅପରାହ୍ଣ ୨ଟାରୁ ସାଢ଼େ ୩ଟା ଦ୍ୱିତୀୟ ଭୋଗମଣ୍ଡପ, ୫ଟାରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ନୀତି ସହ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରେ ଭକ୍ତଙ୍କ ଦର୍ଶନ ବନ୍ଦ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ ହେବ। ଆସନ୍ତା ୫ ତାରିଖରେ ବାହୁଡ଼ା ନୀତି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା ପରେ ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧରନୀତି, ୮ ତାରିଖରେ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ।

Health & lifestyle,State,National

ହସପିଟାଲରୁ ଡିସଚାର୍ଜ ହେଲେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ:- ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି । ଜୁନ ୨୨ରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏବେ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ । ଡିସଚାର୍ଜ ପରେ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି ପୂର୍ବରୁ କହିଥିଲେ ଡାକ୍ତର ରମାକାନ୍ତ ପଣ୍ଡା।


ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀ ପାଇଁ ଜୁନ ୨୦ରେ ମୁମ୍ବାଇ ଗସ୍ତ କରିଥିଲେ ନବୀନ। ନବୀନଙ୍କ ଅପରେସନ ପାଇଁ ରାଜ୍ୟବ୍ୟାପୀ ଲୋକମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ବିଭିନ୍ନ ମନ୍ଦିର ଓ ଦେବାଳୟରେ ହୋଇଥିଲା ପୂଜାର୍ଚ୍ଚନା ଓ ଦୀପଦାନ। ୨୨ ତାରିଖରେ ହୋଇଥିଲା ଅପରେସନ। ସର୍ଜରୀ କରିଥିଲେ ପ୍ରସିଦ୍ଧ ସ୍ପାଇନ ସର୍ଜନ ଡାକ୍ତର ରାଜଶେଖର ଓ ଟିମ।ମୋଟ ୪ ଘଣ୍ଟାର ଅପରେସନ ଥିଲା । ମୁଖ୍ୟ ଅପରେସନ ୨ ଘଣ୍ଟାରୁ କମ୍ ଥିଲା । ଅପରେସନ ସଫଳ ହୋଇଥିବା କହିଥିଲେ ଡାକ୍ତର। ପରେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ କହିଥିଲେ। ଜୁନ ୨୫ରେ ଆଇସିୟୁରୁ ରୁମକୁ ସିଫଟ ହୋଇଥିଲେ ନବୀନ। ରଥଯାତ୍ରା ଦିନ ନବୀନ ଟିଭିରେ ରଥଯାତ୍ରା ଦେଖୁଥିବାର ଭିିଡିଓ ମଧ୍ୟ ଆସିଥିଲା ।ସର୍ଭାଇକାଲ ଆଥ୍ରାଇଟିସ ସାଧାରଣତଃ ଏକପ୍ରକାର ଅଷ୍ଟିଓଆର୍ଥ୍ରାଇଟିସ। ଏହା ଦ୍ବାରା ବେକର ମେରୁଦଣ୍ଡର ହାଡ଼ ଓ ଜଏଣ୍ଟ ଗୁଡିକ ପ୍ରଭାବିତ ହୋଇଥାଏ। ବେକର ଜଏଣ୍ଟରେ ଥିବା କାର୍ଟିଲେଜ ଧୀରେ ଧୀରେ କ୍ଷୟ ହୋଇଯାଏ। ଏହାପରେ ବେକରେ ଯନ୍ତ୍ରଣା ଓ ସମସ୍ୟା ସୃଷ୍ଟି ହୋଇଥାଏ । ଆଘାତ, ଅତ୍ୟଧିକ ଚାପ ବା ଜେନେଟିକ କାରଣରୁ ହୋଇଥାଏ ସର୍ଭାଇକାଲ ଆର୍ଥ୍ରାଇଟିସ । ଏହି ଯନ୍ତ୍ରଣାରୁ ଉପଶମ ପାଇଁ ସର୍ଜରୀର ଆବଶ୍ୟକତା ହୋଇଥାଏ। ସର୍ଜରୀ ଦ୍ବାରା ବେକ ଓ ମେରୁଦଣ୍ଡ ସଂଲଗ୍ନ କ୍ଷୟ ହୋଇଯାଇଥିବା କାର୍ଟିଲେଜକୁ ବାହାର କରିଦିଆଯାଇଥାଏ। ଏହା ସ୍ଥାନରେ ଆର୍ଟିଫିସିଆଲ ଡିସ୍କ ଖଞ୍ଜା ଯାଇଥାଏ। ଦିନେ ଦୁଇଦିନ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥାଏ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ୩ରୁ ୬ ସପ୍ତାହ ସମୟ ଲାଗିଥାଏ ।

State

ବ୍ରହ୍ମପୁରରେ ବନ ମହୋତ୍ସବ ପାଳନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ବିଜୁ ଜନତା ଦଳ ତରଫରୁ ବନ ମହୋତ୍ସବ ଅବସରରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧାନରେ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଆଙ୍କୁଳି ସ୍ଥିତ ଶ୍ରୀହରି ନଗର ସାହି ମାନଙ୍କରେ ଶ୍ରୀ ମହିଳା ସଂଘ ଶ୍ରୀ ହରି ନଗରଙ୍କ ସହଯୋଗରେ ବିଭିନ୍ନ କିସମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଅଞ୍ଚଳରେ ପ୍ରାୟ ୨୦୦ଟି ବୃକ୍ଷ ରୋପଣ କରାଯିବ ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡକ୍ଟର ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ବୃକ୍ଷ ରୋପଣ ଶୁଭାରମ୍ଭ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ବାଇଁ,କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ କର୍ପୋରେଟର ଶାନ୍ତି ଦାସ, ଭିଷ୍ମାଚାର୍ଯ୍ୟ ଚୌଧୁରୀ , ସମିତି ସଭ୍ୟ କାହ୍ନୁଚରଣ ପାତ୍ର, ଲକ୍ଷ୍ମଣ ଚୌଧୁରୀ, ସୁନ୍ୟଚନ୍ଦ୍ର ଦାସ, ମୁକୁନ୍ଦ ଗୌଡ଼, ବିନୋଦ ଚନ୍ଦ୍ର ମିଶ୍ର, ଅନିମା ମିଶ୍ର, ମାଳତୀ ମହାରଣା, ରିନା ନାୟକ, କେ ଏଙ୍କାଟି ରେଡ୍ଡୀ, ପ୍ରଭାକର ମହାନ୍ତି, କିଶୋର ଦଳେଇ, ଜୁଲି ସାହୁ, ସ୍ମିତା ରାଣୀ ଗୌଡ଼, ଗାୟତ୍ରୀ ଜେନା, ସିମାଞ୍ଚଳ ଭଞ୍ଜ, ନିରଞ୍ଜନ ସ୍ବାଇଁ, ସାହେବ ମହାରଣା, ଜନାର୍ଦ୍ଦନ ପାତ୍ର, ଡି ପ୍ରମୋଦ ପାତ୍ର, ପ୍ରସାଦ ପାତ୍ର, ମହେଶ୍ୱର ଦାସ, ପ୍ରଦୀପ ବେହେରା, ଶରତ କୁମାର ଜେନାଙ୍କ ସମେତ ବିଜୁ ପରିବାରର ବହୁ ସଦସ୍ୟ ସଦସ୍ୟା ଓ ଅଞ୍ଚଳ ବାଶୀ ବୃକ୍ଷ ରୋପଣରେ ସହଯୋଗ କରିଥିଲେ l

State

ଯୁବକ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୬ ଅଭିଯୁକ୍ତ ଗିରଫ

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ବାଇଗଣବାଡ଼ିଆ ନିକଟରେ ଯୁବକ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୬ ଅଭିଯୁକ୍ତ ଗିରଫ। ଉତ୍ତରାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ପୋଲିସର ସ୍ଵତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ କରି ସିସି ଟିଭି ଫୁଟେଜ୍ ଓ ସାଇଣ୍ଟିଫିକ ରିପୋର୍ଟ୍ ଆଧାରରେ ଛଅ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ।ସୂଚନାନୁସାରେ ଗତ ୨୩ ତାରିଖରେ ଜଣେ ଯୁବକ ମଦ ଦୋକାନର ୯ ଲକ୍ଷ ଟଙ୍କାର ବ୍ୟାଗ ନେଇ ବାରିପଦା ଆସୁଥିବା ସମୟରେ କିଛି ଦୁର୍ବୃତ ବାଇଗଣବାଡ଼ିଆ ନିକଟରେ ଯୁବକ ଉପରକୁ ଗୁଳି ଚଳାଇ ଟଙ୍କା ଲୁଟ ଉଦ୍ୟମ କରିଥିଲେ।ତେବେ ଯୁବକଙ୍କ ଜଙ୍ଘରେ ଗୁଳି ବାଜିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଚିକତ୍ସିତ ହେଉଥିଲେ।ତେବେ ପୋଲିସ ଦୃର୍ବୁତ୍ତ ମାନଙ୍କ ନିକଟରୁ ବନ୍ଧୁକ ସହ ଅଫୁଟା ଗୁଳି,ମୋବାଇଲ ଓ ସିମ କାର୍ଡ ଜବଦ କରିଥିବା ବେଳେ ଦୁଇଜଣ ଅଭିଯୁକ୍ତ ଗଞ୍ଜାମ ,ଦୁଇଜଣ ମୟୂରଭଞ୍ଜ ଏବଂ ଦୁଇଜଣ ବାଲେଶ୍ଵର ଅଂଚଳର ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ଏସ ପି ସୁଚନା ଦେଇଛନ୍ତି।



Business

ଖାତାରେ ଆଉ ରହିବନି ମିନିମମ୍ ବାଲାନ୍ସ : ବ୍ୟାଙ୍କ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଭାରଜ ମନ୍ଥଲୀ ବାଲାନ୍ସ ସେହି ମିନିମମ୍ ବାଲାନ୍ସ ଯାହାକୁ ଗ୍ରାହକଙ୍କୁ ନିଜ ବାଙ୍କ ଖାତାରେ ରଖିବା ଜରୁରୀ । ଯଦି ବାଙ୍କ ଖାତାରେ ମିନିମମ୍ ବାଲାନ୍ସ ଠାରୁ କମ୍ ରାଶି ରହିଥାଏ ତାହେଲେ ବାଙ୍କ ଆଭରେଜ୍ ମନ୍ଥଲୀ ବାଲାନ୍ସ ରଖିବା କାରଣରୁ ଜରିମାନା ଲଗାଇଥାଏ । ସେଭିଙ୍ଗ୍ ଆକାଉଣ୍ଟ ଆଧାରରେ ଜରିମାନା ବି ଅଲଗା ଅଲଗା ରହିଥାଏ । କିନ୍ତୁ ଏବେ ଦେଶର ଅନେକ ପ୍ରମୁଖ ବାଙ୍କ ତାର ଖାତାଧାରୀଙ୍କୁ ଆସ୍ବସ୍ତ ଦେଇ ନିଜର ମିନିମମ୍ ବାଲାନ୍ସ ପ୍ରକ୍ରୀୟାକୁ ବାଧ୍ୟତାମୂଳକରୁ ହଟାଇଦେବାର ଘୋଷଣା କରିଛି । ଏପରି ହେଲେ ସେହି ଗ୍ରାହକଙ୍କୁ ଫାଇଦା ହେବ ଯେଉଁମାନେ ମିନିମମ୍ ବାଲାନ୍ସ ରଖିବାରେ ଅସମର୍ଥ ଥିଲେ ଏବଂ ତାଙ୍କ ଉପରେ ଚାର୍ଜ ଲାଗୁଥିଲା । ବାଙ୍କର ଏହି ପରିବର୍ତ୍ତନ ବାଙ୍କିଙ୍ଗକୁ ଆହୁରି ଅଧିକ ସହଜ ଓ ସରଳ ଗତି ଆଡକୁ ନେଇଯିବ ନିଶ୍ଚିତ l ଇଣ୍ଡିଆନ୍ ବାଙ୍କ ନିକଟରେ ଘୋଷଣା କରିଛି ଯେ ୭ ଜୁଇାଇ, ୨୦୨୫ ଠାରୁ ତାର ସମସ୍ତ ଆକାଉଣ୍ଟରୁ ମିନିମମ୍ ବାଲାନ୍ସର ସର୍ତ୍ତକୁ ପୁରାପୁରୀ ଭାବେ ହଟାଇଦେବ । ଏପରି କରିବାର ମୂଳ ଉଦ୍ଦେଶ ହେଉଛି ଗ୍ରାହକଙ୍କ ଆର୍ଥିକ ବୋଝକୁ କମ୍ କରିବା ଏବଂ ବାକିଙ୍ଗ ସେବାକୁ ସମସ୍ତଙ୍କ ପାଇଁ ସୁଲଭ କରିବା । ଏହି ପଦକ୍ଷେପ ବିଶେଷ କରି ସେହି ଗ୍ରାହକଙ୍କ ପାଇଁ ଲାଭକାରୀ ହେବ ଯେଉଁମାନେ ଛୋଟମୋଟ ଟ୍ରାନଜାକସନ ପାଇଁ ନିଜ ଖାତାର ଉପଯୋଗ କରୁଛନ୍ତି । ସେହିପରି କାନାରା ବାଙ୍କ ମଧ୍ୟ ୨୦୨୫ରେ ନିଜର ସମସ୍ତ ପ୍ରକାରର ସେଭିଙ୍ଗ ଆକାଉଣ୍ଟରେ ଆଭରେଜ୍ ମନ୍ଥଲୀ ବାଲାନ୍ସର ସର୍ତ୍ତକୁ ହଟାଇବାକୁ ଘୋଷଣା କରିଛି । ଏପରି କରିବା ଦ୍ବାରା ବାଙ୍କର ଲୋକପ୍ରିୟତା ଆହୁରି ବଢ଼ିଯାଇଛି କାରଣ ଏବେ ଗ୍ରାହକଙ୍କୁ ଆଉ ମିନିମମ୍ ବାଲାନ୍ସ ରଖିବାର ଚିନ୍ତା ରହିବନାହିଁ । ସେହିପରି ପିଏନବି ବା ପଞ୍ଜାବ ନାସନାଲ ବାଙ୍କ ମଧ୍ୟ ତାର ସମସ୍ତ ସେଭିଙ୍ଗ ଆକାଉଣ୍ଟରୁ ଆଭରେଜ୍ ମନ୍ଥଲୀ ବାଲାନ୍ସର ସର୍ତ୍ତକୁ ହଟାଇଦେବାର ନିଷ୍ପତ୍ତି ନେଇଛି । ପୂର୍ବରୁ ପିଏନବି ମିନିମମ୍ ବାଲାନ୍ସ କମ୍ ରହିଲେ ଜରିମାନା ଲଗାଉଥିଲା । କିନ୍ତୁ ବର୍ତ୍ତମାନର ନିଷ୍ପତ୍ତି ପରେ ବ୍ୟାଙ୍କର ଗ୍ରାହକଙ୍କୁ ଆର୍ଥିକ ଭାବେ ଆସ୍ବସ୍ତ ନିହାତି ମିଳିବ ।

Politics,State

୮ରେ ବିଜେପି ରାଜ୍ୟ ସଭାପତି ଘୋଷଣା

Blog Thumbnail

ଦ କୁଇଭର ବ୍ୟୁରୋ:- ଜୁଲାଇ ୮ ରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ । ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୭ ତାରିଖରେ ହେବ ନାମାଙ୍କନ ପତ୍ର ଦାଖଲ । ୮ ତାରିଖରେ ଭୋଟ ଓ ଫଳାଫଳ ଘୋଷଣା ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ । ଜୁଲାଇ ୧ ତାରିଖରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବାର ଥିଲା । କିନ୍ତୁ ପୁରୀ ଦଳାଚକଟା ଘଟଣା ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ଏବେ ପୁଣି ଆରମ୍ଭ ହୋଇଛି ନିର୍ବାଚନ ପାଇଁ ପ୍ରକ୍ରିୟା ।

ପ୍ରତି ୩ବର୍ଷରେ ଥରେ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ । ୨୦୨୩ ମାର୍ଚ୍ଚ ୨୪ରୁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ମନମୋହନ ସାମଲ । ପୂର୍ବରୁ ମଧ୍ୟ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି । ଏବେ କିଏ ହେବ ପରବର୍ତ୍ତୀ ରାଜ୍ୟ ବିଜେପି ମୁଖିଆ ନା ରିପିଟ ହେବେ ମନମୋହନ ତା ଉପରେ ରହିଛି ସମସ୍ତଙ୍କ ନଜର ।

Shree Jagannath

କାଲି ବାହୁଡା ଯାତ୍ରା, ସନ୍ଧ୍ୟା ୬ରୁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

Blog Thumbnail

ପୁରୀ( ଦ କୁଇଭର ):- ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସରି ସରି ଆସୁଛି ଶ୍ରୀଜିଉଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ଆଡପ ମଣ୍ଡପରୁ ଧାଡି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ରଥ ଉପରକୁ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଅଭିମୁଖେ ବାହୁଡିବେ । ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ନବମୀ ତିଥିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶେଷ ଦର୍ଶନ କରୁଛନ୍ତି ଭକ୍ତ । ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଆଧାରରେ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ଦର୍ଶନ କରିପାରିବେ ଭକ୍ତ । ଭିଡ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ କୁ ମଧ୍ୟ ସଂପ୍ରସାରଣ କରାଯାଇଛି ।


ସେପଟେ ଆସନ୍ତାକାଲି ବାହୁଡାଯାତ୍ରାର ସମସ୍ତ ନୀତିକାନ୍ତିକୁ ସଅଳ କରିବା ପାଇଁ ସଂଧ୍ୟା ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ବିଳମ୍ବିତ ରାତିରେ ଦଇତାପତି ସେବାୟତଙ୍କ ଦ୍ବାରା ଶ୍ରୀମୁଖ ଖଣ୍ଡୁଆ,ବାହୁଟକଣ୍ଟ, କୁସୁମିଲାଗି କରାଯିବା ସହ କୋଠସୁଆଁସିଆ ସେବାୟତଙ୍କ ଦ୍ୱାରା ଚାରମାଳ ବନ୍ଧା ଯିବ ।

State

ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ କଣ୍ଟାବାଞ୍ଜି ଏଇଇ ଗିରଫ

Blog Thumbnail

ବଲାଙ୍ଗୀର( ଦ କୁଇଭର ):- ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଦିଲେଶ୍ୱର ମାଝୀଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗିରଫ କରିଛି।ଭିଜିଲାନ୍ସ ଦ୍ୱାରା ତାଙ୍କର ଅନେକ ସମ୍ପତ୍ତି ଥିବା ସ୍ଥାନରେ ହୋଇଥିବା ସର୍ଚ୍ଚ ଅଭିଯାନରେ ତାଙ୍କ ନିଜ ନାମରେ ଓ ଜଣେ ନିକଟତମ ଆତ୍ମୀୟ ନାମରେ ୪ଟି ଘର, ଗୋଟିଏ ବଜାର କମ୍ପ୍ଲେକ୍ସ, ୯ଟି ଉଚ୍ଚ ମୂଲ୍ୟର ଜମିପ୍ଲଟ, ୩୦୦ ଗ୍ରାମ ସୁନା, ୪୯.୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, ୬.୫୭ ଲକ୍ଷ ଟଙ୍କା ନଗଦ ଓ ଅନ୍ୟାନ୍ୟ ସମ୍ପତ୍ତି ମିଳିଛି।ସୂଚନାଯୋଗ୍ୟ, ଦିଲେଶ୍ୱର ମାଝୀ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୁଦ୍ଧରେ ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଅର୍ଜନ ଅଭିଯୋଗ ହୋଇଥିଲା। ଓଡିଶା ଭିଜିଲାନ୍ସର ୫ ଡିଏସଏସପି, ୮ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ କରିଥି‌ଲେ।ବଲାଙ୍ଗୀର ଭିଜିଲାନ୍ସ, ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ଦିଲେଶ୍ବରଙ୍କ ସମ୍ପତ୍ତି ସ୍ଥାନରେ ତଲାସୀ କରାଯାଇଥିଲା। ଏସମ୍ପର୍କରେ, ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ପିଏସ୍ ମାମଲା ନମ୍ବର ୧୩/୨୦୨୫ ରୁଜୁ କରାଯାଇଛି।

State

୬ରେ ବନ୍ୟାପାଣି ଛାଡ଼ିବ ହୀରାକୁଦ

Blog Thumbnail

ଦ କୁଇଭର ବ୍ୟୁରୋ:- ଆସନ୍ତା ୬ ତାରିଖ ରବିବାର ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ର ୪୬ଟି ଗେଟ୍‌ ଖୋଲି ଦେଇଛନ୍ତି। କଲ୍‌ମାର ୬୬ଟି ଗେଟ୍‌ ମଧ୍ୟରୁ ଗତକାଲି ପର୍ଯ୍ୟନ୍ତ ୧୦ଟି ଗେଟ୍‌ ଖୋଲା ରହିଥିଲା। ଗୁରୁବାର ଆହୁରି ୩୬ଟି ଗେଟ୍‌ ଖୋଲାଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି। ଗୁରୁବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୨୫ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରକୁ ଏହି ସମୟରେ ୧,୦୧,୩୪୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ମାତ୍ର ୩୪,୨୫୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ସୁଦ୍ଧା) ଉପର ମୁଣ୍ଡ‌ରେ ୩୦.୧୧ ମିମି ଓ ତଳମୁଣ୍ଡରେ ୩୭.୫୧ ମିମି ବର୍ଷା ରେକର୍ଡ କରାଯାଇଛି। ମହାନଦୀରେ ଜଳପ୍ରବାହ ବୃଦ୍ଧି ଯୋଗୁଁ ଆସନ୍ତା ୬ ତାରିଖରେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୦୮ ଫୁଟ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ରୁଲ୍‌କର୍ଭ ଅନୁସାରେ, ଏହି ସମୟରେ ଜଳସ୍ତର ୬୦୫ ଫୁଟ ମଧ୍ୟରେ ରହିବା କଥା। ବନ୍ୟା ନିୟନ୍ତ୍ରଣ ପାଇଁ ଚଳିତବର୍ଷ ଆଗୁଆ ବନ୍ୟାଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାର ଅଚଳ କ୍ଷମତା (ଡେଡ୍‌‌ ଷ୍ଟୋରେଜ) ଜଳସ୍ତର ୫୯୦ ଫୁଟ ହୋଇଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ। ବନ୍ୟା ନିୟନ୍ତ୍ରଣ ତଥା ବନ୍ଧର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ସେପଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖ ସୁଦ୍ଧା ଜଳସ୍ତର ଏହାର ସର୍ବୋଚ୍ଚ ସ୍ତରରେ ରଖାଯାଇଥାଏ। ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଆସନ୍ତା ରବିବାର ଦିନ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।

State

ଆସୁଛି ଆଉ ଏକ ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଗାମୀ 24 ଘଣ୍ଟା ମଧ୍ୟରେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନର ବର୍ଷା ରହିବ । ସେହିପରି କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କନାଳ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୱାର୍ଣ୍ଣିଂ ଜାରି ହୋଇଥିବା ସମସ୍ତ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ 30-40 କିମି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 7 ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ । ପ୍ରବଳ ବର୍ଷା ପାଇଁ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 8 ତାରିଖରେ ମଧ୍ୟ ପ୍ରବଳ ବର୍ଷା ପାଇଁ 3 ଜିଲ୍ଲା ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

State,Politics

ଡିସିପି କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟରେ ଆଜି ରାତି ୯ଟା ୪୦ରେ ପହଞ୍ଚିଛନ୍ତି। ପୁଲିସ ସହିତ କଥା ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଗନ୍ନାଥ ପ୍ରଧାନ କହିଛନ୍ତି, ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ନହେଉ। ସରକାର ବଦନାମ ନହୁଅନ୍ତୁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି। ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟରେ ପହଞ୍ଚିବା ନେଇ ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଡିସିପିଙ୍କ ଡାକରା କ୍ରମେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟକୁ ଆସିଛନ୍ତି। ଜଗନ୍ନାଥ ପ୍ରଧାନ ଗତକାଲି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଡାକିଥିଲେ। ସେଥି ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲି। ରାଜ୍ୟ ସଭାପତିଙ୍କ ସହିତ କଥା ହେଲି। ତାଙ୍କର ସହିତ ମୋର ଆଲୋଚନା ହୋଇଛି। ଯେମିତି ଗୋଟେ ପରିବାରରେ ଆଲୋଚନା ହୁଏ, ସେହିଭଳି ଆଲୋଚନା ହୋଇଛି।


ତେବେ ଶ୍ରୀ ପ୍ରଧାନ ଦଳୀୟ ନେତୃତ୍ବଙ୍କ ସହିତ କ’ଣ କଥା ହେଲେ ସେନେଇ ମୁହଁ ଖୋଲି ନଥିଲେ। ଶ୍ରୀ ସାମଲ କେବଳ କହିଥିଲେ, ବିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାର ସେବିଷୟରେ ଚନ୍ତା କରୁଛନ୍ତି। ଆମେ ଜଗନ୍ନାଥ ପ୍ରଧାନଙ୍କୁ ଆଲୋଚନା ପାଇଁ ଡାକିଥିଲୁ। ଦଳର ଆଭ୍ୟନ୍ତରୀଣ କଥା ଗଣମାଧ୍ୟମ ଆ‌ଗରେ କହିବା ଠିକ୍‌ ହେବ ନାହିଁ। ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ଜଗନ୍ନାଥ ପ୍ରଧାନ କଥା ହୋଇଛନ୍ତି। ଆମେ ବାହାରେ ବସିଥିଲୁ। ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟାକୁ ଆମେ ନିନ୍ଦା କରୁଛୁ।

ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଯାଇଥିଲେ। ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିଲେ। ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖିଥିଲେ। ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କର ସମର୍ଥକମାନେ ମଧ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ। ବିଜେପି କାର୍ଯ୍ୟାଳୟ ସାମ୍ନାରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ସେହିପରି ଖାରବେଳ ନଗର ଥାନାରେ ମଧ୍ୟ ପୁଲିସ ମୁତୟନ କରାଯାଇଛି।


ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଜଗନ୍ନାଥ ପ୍ରଧାନ ଆଜି ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ, ରାଜ୍ୟରେ ଦୁଇଦିନ ହେବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି।ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶଦ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।

State

ମାଆ ହେବ ବାଘୁଣୀ ଜୀନତ

Blog Thumbnail

ଦ କୁଇଭର ବ୍ୟୁରୋ:- ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରର ତଡ଼ବା ଅନ୍ଧେରି ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଥିଲା ୩ ବର୍ଷୀୟା ତରୁଣୀ ମରାଠୀ ବାଘୁଣୀ ଜୀନତ୍ । ପରବର୍ତ୍ତୀ ସମୟରେ ଏହା ଶିମିଳିପାଳରୁ ବାହାରି ଝାଡଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ ଜଙ୍ଗଲକୁ ପଲେଇଥିଲା । ପରେ ପଶ୍ଚିମବଙ୍ଗ ବନ ବିଭାଗର ସହଯୋଗରେ ଓଡ଼ିଶା ବନ ବିଭାଗ ଚଳିତ ବର୍ଷ ଜାନୁଆରୀ ପହିଲାରେ ଜୀନତକୁ ଉଦ୍ଧାର କରି ଶିମିଳିପାଳ ଆଣିଥିଲେ । ଏହା ପରଠାରୁ ଜୀନତକୁ ପ୍ରଥମେ ସଫ୍ଟ ଏନକ୍ଲୋଜର, ତାପରେ ବଡ଼ ଏନକ୍ଲୋଜରରେ ରଖାଯିବା ପରେ ମେ' ମାସରେ ପୁଣି ଥରେ ଜଙ୍ଗଲକୁ ଛଡାଯାଇଥିଲା । ଜୀନତ୍‌ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । ଆଉ ବାହାରକୁ ଯିବାର ସମ୍ଭାବନା ବହୁତ କାମ ରହିଛି ।


ତେବେ ମେ' ମାସ ଦ୍ୱିତୀୟ ସପ୍ତାହରେ କଳା ମହାବଳ T-12 ସହ ସହବାସ କରିଛି ମରାଠୀ ବାଘୁଣୀ ଜୀନତ୍ । ଯଦି ଜୀନତ୍ ଗର୍ଭବତୀ ହୋଇଥାଏ, ତେବେ ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେ ମାଆ ହେବ । କାରଣ ଗର୍ଭବତୀ ହେବାର ୧୦୫ ଭିତରେ ଶାବକ ଜନ୍ମ କରିଥାଏ ବାଘୁଣୀ । ଜୀନତ ୨ରୁ ୪ଟି ଛୁଆ ଜନ୍ମ କରିପାରେ । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି । ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୂଚନା ଅନୁସାରେ, ଏପ୍ରିଲ ମାସରେ ବଡ଼ ଏନକ୍ଲୋଜରରୁ ମୁକ୍ତ ହେବା ପରେ ଶିମିଳିପାଳ ଅଭୟାରଣ୍ୟର ଯମୁନାଗଡ଼ରୁ ଗୁଡୁଗୁଡ଼ିଆ ପର୍ଯ୍ୟନ୍ତ ଜଙ୍ଗଲକୁ ନିଜର ବାସସ୍ଥଳୀ ଭାବେ ବାଛିଥିଲା ଏହି ମରାଠୀ ବାଘୁଣୀ ଜୀନତ୍ । ଜଙ୍ଗଲକୁ ଯିବା ପରେ ମହାବଳ T-31 ସହ ସଂସ୍ପର୍ଶରେ ଆସିଥିଲା ଜୀନତ୍ । ହେଲେ ଜୀନତ୍ ତାକୁ ପ୍ରତ୍ୟାଖ୍ୟାନ କରିଥିଲା । ଗତ ମେ' ମାସରେ ଯମୁନାଗଡ଼ ଜଙ୍ଗଲରେ ଜୀନତ୍କୁ ଭେଟିଥିଲା କଳା ମହାବଳ T-12 । ଏହାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ସମ୍ପର୍କ । T-12 ମହାବଳ ସହ ସହବାସ କରିବାକୁ ଉଚିତ୍ ମନେ କରିଥିଲା ଜୀନତ୍ ।

Education

ପିଲା କମ୍‌ ଥିଲେ କଲେଜ ବନ୍ଦ : ଉଚ୍ଚଶିକ୍ଷା ବିଭାଗ

Blog Thumbnail

ଦ କୁଇଭର ବ୍ୟୁରୋ:- ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଡିଗ୍ରି କଲେଜଗୁଡ଼ିକ ବନ୍ଦ କରାଯିବ। ଅନୁଦାନପ୍ରାପ୍ତ, ଘରୋଇ, ପ୍ରଫେସନାଲ୍‌ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି କଲେଜରେ ଯଦି ନିୟମିତ ଭାବେ ପିଲା କମ୍‌ ରହୁଛନ୍ତି ତେବେ ସେଗୁଡ଼ିକରେ ସବୁଦିନ ପାଇଁ ତାଲା ପଡ଼ିବ। ଏଥିସହ ଲଗାତାର ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍‌ ଖାଲି ପଡ଼ିଲେ ସଂପୃକ୍ତ କଲେଜକୁ ମଧ୍ୟ ବନ୍ଦ କରି ଦିଆଯିବ। ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ପିସି)ରେ ଏଭଳି ନିଷ୍ପତ୍ତି ନିଆଯାଇଛି।କେବଳ ସେତିକି ନୁହେଁ, ଅନୁମତି ପ୍ରଦାନ ଦିଗରେ ମଧ୍ୟ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ। ସ୍ଥାୟୀ ଅନୁମୋଦନ ପାଇଁ ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷାବର୍ଷରେ ଆବେଦନ କରିଥିବା ରାଜ୍ୟର ୧୪୬ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରାଯିବ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ କମିଟି ଶିକ୍ଷାନୁଷ୍ଠାନକୁ ଗସ୍ତ କରି ଭିତ୍ତିଭୂମି, ପାଠ୍ୟକ୍ରମ, ଅଧ୍ୟାପକ-ଛାତ୍ରଛାତ୍ରୀଙ୍କ ଅନୁପାତ ପରି ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ ‌କରିବ। ସେହି କମିଟି ଯେଉଁ ରିପୋର୍ଟ ପ୍ରଦାନ କରିବ ତାହାରି ଆଧାରରେ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ। ଯେଉଁଥିରେ ୧୩ଟି ପ୍ରଫେସନାଲ୍‌ କଲେଜ ମଧ୍ୟ ରହିଛି। ଏହାବ୍ୟତୀତ ୧୩ଟି ପ୍ରଫେସନାଲ କଲେଜ ନୂତନ ପାଠ୍ୟକ୍ରମ ଖୋଲିବାକୁ କରିଥିବା ଆବେଦନକୁ ବିଭାଗ ବାତିଲ୍‌ କରିଛି।ଯୁଗ୍ମ କମିଟି ସଦସ୍ୟଙ୍କ ମିଳିତ ଯାଞ୍ଚ ପରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିବ। ସେହି ଅନୁଯାୟୀ ୨୦୨୨-୨୩ରୁ ୨୦୨୪-୨୫ ଶିକ୍ଷା‌ବର୍ଷ ମଧ୍ୟରେ ଯାଞ୍ଚ ହୋଇ ନଥିବା ପ୍ରସ୍ତାବଗୁଡ଼ିକୁ ଆସନ୍ତା ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ଯୁଗ୍ମ ଯାଞ୍ଚ କମିଟିକୁ ପଠାଯିବ। ସମ୍ପୃକ୍ତ କଲେଜଗୁଡ଼ିକୁ ସ୍ଥାୟୀ ଅନୁମୋଦନ ମିଳିବ କି ନାହିଁ ତାହା ଉପରେ କମିଟି ନିଷ୍ପତ୍ତି ନେବ। ଗତ ତିନିଟି ଶିକ୍ଷାବର୍ଷରେ ସ୍ଥାୟୀ ଅନୁମୋଦନ ପାଇଁ ଆସିଥିବା ୨୫ଟି ପ୍ରସ୍ତାବକୁ ଉଚ୍ଚସ୍ତରୀୟ କମିଟି ଅନୁମତି ଦେଇ ନାହିଁ। ଯେଉଁଥିରେ ଜୟପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ୨୦୨୧-୨୨ ଶିକ୍ଷାବର୍ଷରେ ୯ଟି, ୨୦୨୨-୨୩ରେ ଗୋଟିଏ, ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ୨୦୨୨-୨୩ ଶିକ୍ଷାବର୍ଷରେ ୫ଟି, ୨୦୨୩-୨୪ରେ ୬ଟି, ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ୨୦୨୨-୨୩ ଶିକ୍ଷାବର୍ଷରେ ଗୋଟିଏ, ୨୦୨୩-୨୪ ଶିକ୍ଷାବର୍ଷରେ ଦୁଇଟି, ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ୨୦୨୨-୨୩ ଓ ୨୦୨୩-୨୪ରେ ଆସିଥିବା ଗୋଟିଏ ଲେଖାଏଁ ପ୍ରସ୍ତାବକୁ ଅନୁମତି ଦିଆଯାଇ ନାହିଁ।

ତେବେ ୨୦୨୫-୨୬ ଶିକ୍ଷାବର୍ଷରେ ୧୩ଟି ଓ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଗୋଟିଏ ପ୍ରଫେସନାଲ୍‌ କଲେଜକୁ ଏଚ୍‌ପିସି ଅନୁମତି ଦେଇଛି। ୧୦ଟି କଲେଜକୁ ନୂତନ ପ୍ରଫେସନାଲ୍‌ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଛି। ଏଚ୍‌ପିଏ ଅନୁମତି ଦେବା କ୍ଷଣି ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ଅନୁମୋଦନ ମିଳିବ ବୋଲି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ଥିର ହୋଇଛି।