କେନ୍ଦୁଝର ( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ କାଳୀମାଟି-ଦବୁନା ରାସ୍ତା ଦୀର୍ଘ ବର୍ଷ ଧରି ମରଣଯନ୍ତା ପାଲଟିଥିବା ବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହି ରାସ୍ତାର ଖରାପ ଅବସ୍ଥା ଯୋଗୁ ସ୍ଥାନୀୟ ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ପ୍ରଶାସନ କେବଳ ରାଜସ୍ବ ଗୋଟାଉଥିବା ବେଳେ ରାସ୍ତା କଥା ପଚାରେ କିଏ ? ଲୋକେ ନାନା ସୁବିଧା ସତ୍ତ୍ୱେ ଭାଗ୍ୟକୁ ଆଦରି ରହିଥିବା ବେଳେ ଏହି ରାସ୍ତାର ଖରାପ ଅବସ୍ଥା ଯୋଗୁ ସ୍ଵୟଂ ଜଗନ୍ନାଥ ମଧ୍ୟ କାନ୍ଦିଛନ୍ତି। ଶନିବାର ସର୍ବତ୍ର ବାହୁଡା଼ ଯାତ୍ରା ପାଳନ କରା ଯାଇଥିବା ବେଳେ ସ୍ଥାନୀୟ ଦୁବୁନା ଗ୍ରାମସ୍ଥିତ ମାଉସୀ ମା ମନ୍ଦିରରୁ ରଥାରୁଢ଼ ହୋଇ ଚତୁର୍ଦ୍ଧାମୂର୍ତ୍ତୀ ବଡକାଳୀମାଟି ଜଗନ୍ନାଥ ମନ୍ଦିର ଅଭିମୁଖେ ଫେରୁଥିଲେ । ମାତ୍ର ଖରାପ ରାସ୍ତା ଯୋଗୁ ରଥର ଚକ ଭାଙ୍ଗି ଯାଇଥିଲା । ଫଳରେ ଦୀର୍ଘ ସମୟ ଧରି ଠାକୁରଙ୍କ ସହ ରଥ ରାସ୍ତାରେ ଅଟକି ଯାଇଥିଲା। ପ୍ରବଳ ବର୍ଷା ଯୋଗୁ ରଥ ଚାଲିବା ଅସମ୍ଭବ ହେବାରୁ ଭକ୍ତମାନେ ଭିଜି ଭିଜି ଠାକୁରଙ୍କୁ ମୁଣ୍ଡରେ ବୋହି ମନ୍ଦିରକୁ ନେଇ ଆସିଥିଲେ। ଏଠାରେ ପ୍ରଶ୍ନ ଉଠେ ଏଥିପାଇଁ ଦାୟୀ କିଏ ? କେବଳ ରାଜସ୍ବ ଗୋଟାଉଥିବା ସରକାର ନା ଦୈନିକ କୋଟି କୋଟି ରୋଜଗାର କରୁଥିବା ସ୍ଥାନୀୟ ଖଣି କମ୍ପାନୀ ଯିଏ ରଥଯାତ୍ରା ପାଇଁ ମଧ୍ୟ ରାସ୍ତାକୁ ଟିକିଏ ମରାମତି କରାଇ ପାରିଲା ନାହିଁ ନା ସ୍ଵୟଂ ଜଗନ୍ନାଥ ? ଅନ୍ୟ ପକ୍ଷରେ ଆଜି ମଧ୍ୟ ରଥ ରାସ୍ତା ମଝିରେ ଅଟକି ରହିଥିବା ବେଳେ ରାସ୍ତା ତିଆରି ନ ହେବା ପର୍ଯ୍ୟନ୍ତ ରଥ ରାସ୍ତାରୁ ହଟିବ ନାହିଁ ବୋଲି ସ୍ଥାନୀୟ ଲୋକେ ଜିଦ୍ ଧରି ବସିଛନ୍ତି।