Join Us To Make A Difference

The Drops💧

କାଲି ନୂଆପଡାରେ ଭୋଟ

କାଲି ନୂଆପଡାରେ ଭୋଟ
Published by:Jyotshna Kumari
#politics

ଦ କୁଇଭର ବ୍ୟୁରୋ :- ସରିଲା ନୂଆପଡ଼ା ଉପନିର୍ବାଚନର ପ୍ରଚାର। ଦିନକ ପରେ ଭୋଟ୍ ଦେବେ ନୂଆପଡ଼ାବାସୀ । ବାଛିବେ ନିଜର ନୂଆ ବିଧାୟକ । ଏହି ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଘମାଘୋଟ ପ୍ରଚାର ହୋଇଥିଲା । ଗୋଟିଏ ଉପନିର୍ବାଚନରେ ଏପରି ପ୍ରଚାର ଓ ପ୍ରତିଯୋଗିତା ଗତ ୧୦ ବର୍ଷ ମଧ୍ୟରେ ଦେଖିବାକୁ ମିଳିନି କହିଲେ ଭୁଲ ହେବ ନାହିଁ।ଅକ୍ଟୋବର ୬ରେ ନିର୍ବାଚନ ତାରିଖ ଘୋଷଣା ହେଲା। ନୂଆପଡ଼ାର ବିକାଶ କଥା କହି, ବିଜେପି ପାଇଁ ପ୍ରଚାର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କିନ୍ତୁ ନଭେମ୍ବର ୩ରେ ବିଜେଡି ପାଇଁ ବିରୋଧୀ ଦଳ ନେତା ନବୀନଙ୍କ ପ୍ରଚାର ପରେ ନୂଆପଡ଼ା ବ୍ୟାଟଲରେ ଘନେଇଲା ବେଇମାନ ବିବାଦ। ନିର୍ବାଚନ ତାରିଖ ଘୋଷଣା ପରଠୁ, ପ୍ରଚାର ଶେଷ ମଧ୍ୟରେ ନୂଆପଡ଼ରେ ଚାଲିଲା ବିଜେପି ଓ ବିଜେଡି ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ । ଏବେ ସ୍ଥିତି ଏମିତି ଯେ କିଏ ଆଗରେ କିଏ ପଛରେ ସହଜରେ ଆକଳନ କରି ହେଉ ନାହିଁ ।ଯେଉଁଦିନ ତାରିଖ ଘୋଷଣା ହେଲା ସେହିଦିନ ନୂଆପଡ଼ା ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାରିଖ ଘୋଷଣାର ଠିକ୍ ପୂର୍ବରୁ ନୂଆପଡ଼ା ପାଇଁ ୧୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ବିକଶିତ ନୂଆପଡ଼ାରୁ ଆରମ୍ଭ ହୋଇଯାଇଥିଲା ବିଜେପିର କ୍ୟାମ୍ପେନ୍।ତାରିଖ ଘୋଷଣା ପରେ ପ୍ରାର୍ଥୀ ଘୋଷଣାରେ ଆଗରେ ଥିଲା କଂଗ୍ରେସ। ମାଟିର ପୁଅ, ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କଲା ଦଳ। ୨୦୧୯ ଓ ୨୦୨୪ରେ ଲଢି ଦ୍ବିତୀୟ ସ୍ଥାନରେ ରହିଥିଲେ ଘାସିରାମ। ୨୦୨୪ରେ ଘାସିରାମ ସ୍ବାଧୀନ ଭାବେ ଲଢ଼ି ପ୍ରାୟ ୫୦ ହଜାର ଭୋଟ୍ ପାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ପାଇଥିଲେ ମାତ୍ର ୧୫ ହଜାର ଭୋଟ୍। ତେଣୁ କଂଗ୍ରେସ ସହଜରେ ୬୦ ହଜାର ଭୋଟ୍ ପାଇବ ଏବଂ କଂଗ୍ରେସ ନିଶ୍ଚୟ ଜିତିବ ବୋଲି ଦଳ ଦୃଢ଼ୋକ୍ତି ପ୍ରକାଶ କଲା।


ଅକ୍ଟୋବର ୧୧ରେ ଆସିଲା ପ୍ରଥମ ବଡ଼ ରୋଚକ ମୋଡ଼। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେବାର ଥିଲା। କିନ୍ତୁ ନୂଆ ଚାଲ୍ ଚଳାଇଲେ ଜୟ ଢୋଲକିଆ। ପଦ୍ମ ଧରି ବିଜେପି ପ୍ରାର୍ଥୀ ହେଲେ। ଏହାପରେ ବିଜେଡ଼ିକୁ ପ୍ରାର୍ଥୀ ଖୋଜିବା ପାଇଁ କସରତ କରିବାକୁ ପଡିଲା। ଅତାବିରାର ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କା ପ୍ରାର୍ଥୀ କଲା ବିଜେଡି।ନଭେମ୍ବର ୩। ନୂଆପଡ଼ା ନିର୍ବାଚନ ପ୍ରଚାରରେ ଆସିଲା ବଡ଼ ପରିବର୍ତ୍ତନ। କୋମନାରେ ପ୍ରଚାର କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେପି ସରକାରରେ ବିକାଶ କାମ ଠପ୍ ହୋଇଛି କହିଲେ। ଏହାସହ ଭୋଟ୍ ଚୋରି ଓ ପ୍ରାର୍ଥୀ ଚୋରି କଥା ଉଠାଇଲେ ନବୀନ। ଜୟ ଢୋଲକିଆଙ୍କୁ ଆକ୍ଷେପ କରି ବିଜେଡି ଓ ମୋ ପ୍ରତି ବେଇମାନୀ ହୋଇଥିବା କହିଲେ। ଲୋକେ ନଭେମ୍ବର ୧୧ରେ ବିଶ୍ୱାସଘାତର ଜବାବ ଦେବେ ବୋଲି କହିଥିଲେ ନବୀନ l ତାଙ୍କ ଏହି ଭାଷଣ, ନୂଆପଡ଼ା ଉପନିର୍ବାଚନ ପ୍ରଚାର ଗଣିତର ସମୀକରଣ ଓଲଟ ପାଲଟ ହୋଇଗଲା। ନଭେମ୍ୱର ୬ରେ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋହନ କହିଥିଲେ, ଜୟ ଢୋଲକିଆ ବିଜେପିରେ ମିଶିବାକୁ ନେଇ ନବୀନଙ୍କ ମୁହଁରେ ବେଇମାନୀ ଶବ୍ଦ ଶୋଭା ପାଏ ନାହିଁ। ଏହାସହ ପୂର୍ବ ବର୍ଷ ଗୁଡିକରେ ବିଜେଡି ବିରୋଧୀ ପାର୍ଟିର ନେତାଙ୍କୁ ଆଣି ଦଳରେ ମିଶାଇଥିବା କଥା ମନେ ପକାଇ ଦେଲେ ମୋହନ ମାଝୀ। ବିଜେପୁର, କାକଟପୁର ଓ ନର୍ଲାର ଉଦାହରଣ ଦେଇଥିଲେ ମୋହନ।ନଭେମ୍ୱର ୭ରେ ଖରିଆର ରୋଡ୍ ଓ ନୂଆପଡ଼ାରେ ରୋଡ୍ ଶୋ କଲେ ନବୀନ। ପାରକୋଡ ଜନସଭାରୁ ପୁଣି ଉଠାଇଲେ ବେଇମାନ ପ୍ରସଙ୍ଗ। ବିଜେଡି ସହ ଓ ତାଙ୍କ ସହ କିଭଳି ବେଇମାନୀ କରାଗଲା ତାକୁ ନେଇ ପୁଣି କଡ଼ା ଆକ୍ଷେପ କରିଥିଲେ। ନଭେମ୍ବର ୮ରେ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡ଼ାରୁ ଖରିଆର ରୋଡ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ। ପ୍ରଚାର ଶେଷ ବେଳକୁ ନବୀନ ଭିଡିଓ ବାର୍ତ୍ତାରେ ବିଜେପିକୁ ବିକାଶ ବିରୋଧୀ କହି, ବିଜେପିର ପରାଜୟ ନୂଆପଡ଼ାରୁ ଆରମ୍ଭ ହେବ ବୋଲି କହିଥିଲେ।

Comments

Leave a Comment

Comments

No comments yet.

Politics

ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍‌ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଙ୍ଗ ହଲକୁ ଅଣାଯିବ । ଭୋଟ ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ଭୋଟ ପାଇଁ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି l ପ୍ରଥମେ ପୋଷ୍ଟାଲ ବାଲାଟ ସକାଳ ୮ଟା ସମୟରେ ଗଣାଯିବ । ଏହାପରେ ୮ଟା ୩୦ରେ ଇଭିଏମ ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡରେ ସମାପ୍ତ ହେବ l ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ l ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍‌ଗୁଡ଼ିକ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ।

District

ଦାଦନ ଶ୍ରମିକ ମାନଙ୍କ ସମସ୍ୟା ଏବଂ ସମାଧାନ ପାଇଁ କାର୍ଯ୍ୟକ୍ରମ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସେମାନଙ୍କ ସମାଧାନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିର୍ଧାରଣ ପାଇଁ ଜିଲ୍ଲାରେ ସକ୍ରିୟ ଥିବା ସାମାଜିକ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ରବିବାର ଅରୁଣା NGO ଦ୍ୱାରା ଏକ ପରିଚାଳିତ ସଭା ଖୋଡାସିଙ୍ଗି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଜେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣକାରୀ ଅନୁଷ୍ଠାନମାନଙ୍କର ସଦସ୍ୟ ଏବଂ ସଦସ୍ୟା ବୃନ୍ଦଙ୍କ ଉପସ୍ଥିତି ଦେଖିବାକୁ ମିଳିଛି l

State

ହ୍ୟୁମାନ ସାଗର ଗୁରୁତର

Blog Thumbnail

ଦ କୁଇଭର ବ୍ୟୁରୋ:- ଏବେବି ସଙ୍କଟାପନ୍ନ ରହିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା । ହାଇ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା କରାଯାଉଛି । ଏମ୍ସ ପକ୍ଷରୁ ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ଜାରି କରାଯାଇଛି । ଅନ୍ୟପଟେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଭେଟିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଗତକାଲି (ଶନିବାର) ରାତିରେ ଭୁବନେଶ୍ବର AIIMS ଯାଇ ଚିକିତ୍ସାଧିନ ଅବସ୍ଥାରେ ଥିବା ହ୍ୟୁମାନଙ୍କୁ ଭେଟିଛନ୍ତି ଅନୁଭବ । ତାଙ୍କୁ ଦେଖିବା ସହ ହ୍ୟୁମାନ କିଛି କଥାର ରେସ୍‌ପନ୍ସ କରୁଥିବା ଅନୁଭବ କହିଛନ୍ତି । ହ୍ୟୁମାନ ଶୀଘ୍ର ସୁସ୍ଥ ହୋଇ ଘରକୁ ଆସିବେ ବୋଲି ଅନୁଭବ ଆଶା ପ୍ରକଟ କରିଛନ୍ତି । ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗଟାପନ୍ନ ରହିଥିବା ବେଳେ ବର୍ତ୍ତମାନ ସେ ଭୁବନେଶ୍ବର AIIMSରେ ସେ ଚିକିତ୍ସାତି ହେଉଛନ୍ତି । ତାଙ୍କ ଲିଭର ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଯାଇଛି । ଯଦି ସ୍ବାସ୍ଥ୍ୟ ଅଧିକ ଗୁରୁତର ହୁଏ ତେବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରିବାକୁ ଯୋଜନା ରହିଥିବା କହିଛନ୍ତି ଡାକ୍ତର । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ତାକୁ ନେଇ AIIMS ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Entertainment

ଅସୁସ୍ଥ ଗୋବିନ୍ଦା

Blog Thumbnail

ଦ କୁଇଭର ବ୍ୟୁରୋ :- ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଗତକାଲି ରାତିରେ ଘରେ ବେହୋସ ହେବା ପରେ ପୂର୍ବତନ ସାଂସଦ ଗୋବିନ୍ଦଙ୍କୁ ହସ୍ପିଟାଲରେ ନିଆଯାଇଥିଲା । ୬୧ ବର୍ଷୀୟ ମୁମ୍ବାଇର ବଲିଉଡ ଷ୍ଟାରଙ୍କୁ ମୁମ୍ବାଇ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ମେଡିକାଲ ଅବଜରଭେସନରେ ରଖାଯାଇଛି ।ରିପୋର୍ଟ ଅନୁସାରେ ଅଚେତ ହେବାରୁ ତାଙ୍କ ଅବସ୍ଥା ବିଗିଡିଛି। ଗତକାଲି ସକାଳେ ସବୁ କିଛି ଠିକ ଥିଲା । ତେବେ ରାତିରେ ସେ ହଠାତ ବେହୋସ ହୋଇଥିଲେ । ରାତି ୧ଟାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ଡାକ୍ତରୀ ଟେଷ୍ଟ ହୋଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏ ନେଇ ଗୋବିନ୍ଦାଙ୍କ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ ସୂଚନା ଦେଇଛନ୍ତି ।

Politics

କାହାର ହେବ ନୂଆପଡ଼ା

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆ ନେତା ପ୍ରତୀକ୍ଷାରେ ନୂଆପଡ଼ା । ଦିନକ ପରେ ଇଭିଏମରୁ ଆସିବ ରାୟ । ୧୪ ତାରିଖ ଗଣନାକୁ ଏବେ ସମସ୍ତଙ୍କ ପ୍ରତୀକ୍ଷା । ଇଭିଏମରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଗଣତନ୍ତ୍ରର ଏହି ପର୍ବରେ ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ୮୧.୯୪ ପ୍ରତିଶତ ଭୋଟିଂ ହୋଇ ଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଥିବା ବେଳେ ଏବେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ । ଜଗି ରହିଛନ୍ତି ପୋଲିସ ଫୋର୍ସ । ଦିନକ ପରେ ଗଣନା ହେବ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି । ତିନି ଦଳ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି । ଜୟ ଢୋଲକିଆ, ସ୍ନେହାଙ୍ଗିନୀ ଛୁରିଆ ଓ ଘାସିରାମ ମାଝୀ ନିଜର ବିଜୟ ନେଇ ଆଶା ବାନ୍ଧିଛନ୍ତି ।

Weather

୧୫ଡିଗ୍ରି ତଳେ ୯ ସହର

Blog Thumbnail

ଦ କୁଇଭର ବ୍ୟୁରୋ :- ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଶୀତଲହରି ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସହରର ପାରଦ ତଳମୁହାଁ ହେଉଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହେଉଛି। ଜଳୀୟବାଷ୍ପର ଦୃଷ୍ଟାନ୍ତମୂଳକ ହ୍ରାସ ସହ ରାଜ୍ୟରେ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ଯୋଗୁ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ଘଟିଛି। ଓଡ଼ିଶାର କାଶ୍ମିରୀ ଦାରିଙ୍ଗବାଡ଼ି ତାପମାତ୍ରା ୧୧ ଡିଗ୍ରିକୁ ଖସି ଆସିଥିବା ବେଳେ ଝାରସୁଗୁଡ଼ା, ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ପରି ସହରରେ ପାରଦ ୧୫ ଡିଗ୍ରି ତଳକୁ ଆସିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ପାରଦ ଆହୁରି ଖସିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆହୁରି କୁହାଯାଇଛି ଯେ ଆସନ୍ତା ୧୪ ତାରିଖ ବେଳକୁ ଓଡ଼ିଶାର କେତେକ ସ୍ଥାନରେ ପାରଦ ୧୦ ଡିଗ୍ରି ପାଖାପାଖି ଖସିଆସିବ। କଟକ ଓ ଭୁବନେଶ୍ବର ତାପମାତ୍ରା ୧୫ ଡିଗ୍ରି ତଳକୁ ଆସିପାରେ। ଝାରସୁଗୁଡ଼ା ତାପମାତ୍ରା ବହୁ ପରିମାଣରେ ହ୍ରାସ ପାଇ ୧୧.୭ ଡିଗ୍ରିରେ ପହଞ୍ଚିଛି, ଯାହାକି ସ୍ବାଭାବିକଠାରୁ ୬.୨ ଡିଗ୍ରି କମ୍‌। ଅନୁଗୁଳ ଓ ଭଦ୍ରକର ତାପମାତ୍ରା ୧୫ ଡିଗ୍ରି ତଳକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଉତ୍ତର ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଛି। ଆଗକୁ ଆହୁରି କମିବାର ସମ୍ଭାବନା ରହିଛି।ଗତକାଲି ରାତିରେ ରାଜ୍ୟର ୧୦ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ବ୍ୟତୀତ ଝାରସୁଗୁଡ଼ାରେ ୧୧.୭, ଫୁଲବାଣୀରେ ୧୨, ରାଉରକେଲାରେ ୧୩.୨, ଭଦ୍ରକରେ ୧୪, ସୁନ୍ଦରଗଡ଼ରେ ୧୪.୨, କୋରାପୁଟ, ଅନୁଗୁଳ ଓ କେନ୍ଦୁଝରରେ ୧୪.୬ ଡିଗ୍ରି ରେକର୍ଡ ହୋଇଛି। ଭବାନୀପାଟଣାରେ ବି ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଥିଲା। ଭୁବନେଶ୍ବରର ତାପମାତ୍ରା ୧୭.୪ ଡିଗ୍ରି ରହିବା ସହ ହାଲୁକା ଶୀତ ପଡ଼ିଥିଲା। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ରାତି ତାପମାତ୍ରା ୧୭ ଡିଗ୍ରି ପାଖାପାଖି ରହିବ। ସକାଳୁ ହାଲୁକା କୁହୁଡ଼ିଆ ପାଗ ରହିବ। ଦିନରେ ଆକାଶ ନିର୍ମଳ ରହିବା ସହ ତାପମାତ୍ରା ୩୧ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।