ବ୍ରହ୍ମପୁର( ଦ କୁଇଭର ):- ରାଜ୍ୟରେ ଅହେତୁକ ବୃଦ୍ଧି ପାଇଥୁବା ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ଓ ଅପରାଧ ବିରୁଦ୍ଧରେ ତ୍ବରିତ ଉପଯୁକ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଆଜି ଅର୍ଥାତ ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତରଫରୁ ଗୋପାଳପୁର ଥାନା ଅଧିକାରୀଙ୍କ ମାଧ୍ୟମରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l
ସମ୍ପ୍ରତି ରାଜ୍ୟରେ ଛାତ୍ରୀ ଓ ନାରୀ ନିର୍ଯାତନା ଅହେତୁକ ବୃଦ୍ଧି ପାଇଥିବା ବେଳେ, ଆମେ ଛାତ୍ରଛାତ୍ରୀମାନେ, ଏହି ସ୍ମାରକପତ୍ର ମାଧ୍ୟମରେ ଆପଣଙ୍କ ସମ୍ମୁଖରେ ଗଭୀର ଚିନ୍ତା ଓ ନିରାଶା ବ୍ୟକ୍ତ କରୁଛୁ। ଗତ କିଛି ଦିନରେ ରାଜ୍ୟର ଛାତ୍ରୀ ଓ ନାରୀମାନେ ଯେପରି ନିର୍ଯାତନାର ଶିକାର ହେଉଛନ୍ତି, ତାହା ରାଜ୍ୟର ସମଗ୍ର ଆମ ଛାତ୍ର ସମାଜକୁ ସ୍ଥମ୍ବିଭୂତ କରିଛି। ଅସଦାଚରଣ, ଅପହରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଆଦି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ହେଉଛି। ନିୟମିତ ଭାବେ ଏହିଭଳି ହୃଦୟ ବିଦାରକ ଘଟଣାମାନ ଲୋକଲୋଚନକୁ ଆସୁଥିବାରୁ, ଏକ ଭୟର ବାତାବରଣ ସୃଷ୍ଟି ହୋଇଛି, ଯେଉଁ କାରଣରୁ ଛାତ୍ରୀ ଓ ମହିଳା ମାନେ ଏକୁଟିଆ ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି।
ଗୋପାଳପୁର ବିଚ୍ରେ ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଏହି ଘଟଣା ମାନବତା ଉପରେ ଏକ ଅତ୍ୟନ୍ତ ନିନ୍ଦନୀୟ ଆକ୍ରମଣର ଅତୁଟ ପ୍ରମାଣ ଦେଉଛି । ସେହିପରି ଏଫ୍ଏମ୍ କଲେଜ, ବାଲେଶ୍ଵରରେ ଏକ ଛାତ୍ରୀଙ୍କ ଆତ୍ମଦାହ କରିବା ଘଟଣା: ଛାତ୍ରୀ ଜଣକ କଲେଜର ଜଣେ ଅଧ୍ୟାପକଙ୍କ ଦ୍ଵାରା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ଆଣି ନ୍ୟାୟ ଭିକ୍ଷା କରିଥିଲେ। କଲେଜରୁ ତାଙ୍କୁ ନ୍ୟାୟ ମିଳିବ ନାହିଁ ବୋଲି ଅନୁମାନ କରି ସେ ସ୍ଥାନୀୟ ଥାନା, ସ୍ଥାନୀୟ ଏସପି, ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ । କିନ୍ତୁ, ନ୍ୟାୟ ପାଇବାରେ ବିଫଳ ହେବା ପରେ ସେ ଆତ୍ମଦାହ ଭଳି ଚରମ ନିଷ୍ପରି ନେଇଥିଲେ । ଏହି ଦୁଃଖଦ ଘଟଣା ସୂଚାଇ ଦେଉଛି ଯେ, ଏକ ଅଭିଯୋଗକୁ ଗମ୍ଭୀରତାର ସହ ନ ନେବା, ନ୍ୟାୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ ହେବା ଓ ଅନ୍ୟାୟକୁ ପ୍ରଶ୍ରୟ ଦେବାର ପରିଣାମ କେତେ ଭୟଙ୍କର ହୁଏ ।ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ ଳିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରାଯିବା: ଏହି ଅମାନବୀୟ କାର୍ଯ୍ୟ ସମାଜରେ ଭୟର ବାତାବରଣ ସୃଷ୍ଟି କରିଛି।
ବିଜେପି ସରକାରରେ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ପ୍ରମୁଖ ମହିଳା ଓ ଛାତ୍ରୀ ନିର୍ଯାତନା ଘଟଣାମାନ ହେଲା: (ସେପ୍ଟେମ୍ବର ୧୭, ୨୦୨୪)ରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, (ସେପ୍ଟେମ୍ବର ୨୨, ୨୦୨୪)ରେ ଭୁବନେଶ୍ଵର, ଭରତପୁର ପୋଲିସ୍ ଷ୍ଟେସନରେ ମହିଳାଙ୍କୁ ଦୁବ୍ୟବହାର, ଅକ୍ଟୋବର ୨୩, ୨୦୨୪ରେ କୁଚିଣ୍ଡାରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ, (ମେ' ୩, ୨୦୨୫)ରେ କୋରାପୁଟ ଲମତାପୁଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲରେ ନାବାଳିକାକୁ ଦୁଷ୍କର୍ମ, (ଜୁନ ୧୭, ୨୦୨୫)ରେ କେନ୍ଦୁଝର ତେନ୍ତଳାପଶିରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା, (ଜୁନ୍ ୨୪, ୨୦୨୫)ରେ ବ୍ରହ୍ମପୁରରେ ବିଜେପିର ଜଣେ ସକ୍ରିୟ ସଦସ୍ୟ ତଥା ହୋମିଓପାଥି ଡାକ୍ତରଙ୍କ ଦ୍ବାରା ନାବାଳିକା ଦୁଷ୍କର୍ମର ଶିକାର, (ଜୁଲାଇ ୨୨, ୨୦୨୫)ରେ ମାଲକାନଗିରିରେ ଗୋଟିଏ ଦିନରେ ଦଳିତ ନାବାଳିକାକୁ ପ୍ରଥମେ ୩ ଜଣ ଗଣଦୁଷ୍କର୍ମ କରିବା ପରେ ଦ୍ବିତୀୟ ଥର ଟ୍ରକ ଡ୍ରାଇଭର ଦ୍ବାରା ଦୁଷ୍କର୍ମର ଶିକାର। ଏହି ଘଟଣାଗୁଡ଼ିକ ବ୍ୟତୀତ (ଜୁଲାଇ ୧୮, ୨୦୨୫)ରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳର ଡୁକୁମ ଗ୍ରାମରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ, (ଜୁଲାଇ ୨୦, ୨୦୨୫)ରେ ମୟୂରଭଞ୍ଜ ବାଙ୍ଗିରିପୋଷିରେ ଓ କନ୍ଧମାଳ ତୁମୁଡ଼ିବନ୍ଧରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ, (ଜୁଲାଇ ୨୬, ୨୦୨୫)ରେ କନ୍ଧମାଳ ତୁମୁଡ଼ିବନ୍ଧରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ୨ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଏହିସବୁ ଘଟଣା କେବଳ ନାରୀଙ୍କ ସୁରକ୍ଷା ଉପରେ ନୁହେଁ, ବରଂ ସାମୁଦାୟିକ ବିଶ୍ଵାସ, ଶିକ୍ଷାସ୍ଥଳର ସୁରକ୍ଷା ଓ ଆଇନ ଏବଂ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।
ତେଣୁ ଆମେ ଦାବି କରୁଛୁ, ଉପରୋକ୍ତ ସମସ୍ତ ଘଟଣାର ନିରପେକ୍ଷ ଓ ତ୍ବରିତ ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ।ଦୋଷୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଶିକ୍ଷା ସ୍ଥଳଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ ସୁରକ୍ଷା ବୃଦ୍ଧି କରିବାକୁ ଦୃଢ଼ ପଦକ୍ଷେପ ନିଆଯାଉ । ନାରୀ ସୁରକ୍ଷା ପାଇଁ ଏକ ଅଧିକ କ୍ରିୟାଶୀଳ ଓ ପ୍ରଭାବଶାଳୀ ମେକାନିଜମ୍ ଗଠନ କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ l
No comments yet.
Education,State
ବାଲେଶ୍ୱର( ଦ କୁଇଭର ):- ସତ ଖୋଲିବେ ସିକ୍ୟୁରିଟି ଗାର୍ଡ । କ୍ରାଇମବ୍ରାଞ୍ଚ ର ତଦନ୍ତର ସମ୍ମୁଖୀନ ହେଲେ ଏଫ୍ ଏମ କଲେଜର ସିକ୍ୟୁରିଟି ଗାର୍ଡ । କଲେଜ୍ ଫାଷ୍ଟ ଗେଟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଝାଳ ବୁହା ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ । ଘଟଣା ଦିନ କେତେବେଳେ କାର୍ଯ୍ୟରେ ଯୋଗ ଦେଇଥିଲେ ସିକ୍ୟୁରିଟି ଗାର୍ଡ ।ଛାତ୍ରୀ ଜଣକ କେଉଁ ସମୟରେ କଲେଜ୍ କ୍ୟାମ୍ପସ କୁ ପଶିଲେ । ଛାତ୍ରୀ ଙ୍କ ସାଙ୍ଗରେ କିଏ କିଏ ଥିଲେ । କେଉଁ ଛାତ୍ର ମାନେ ଛାତ୍ରୀଙ୍କ ସହ ଥିଲେ । କେତେ ଜଣ ଅଣଛାତ୍ର ଘଟଣା ଦିନ କ୍ୟାମ୍ପସ ମଧ୍ୟରେ ଥିଲେ । ସବୁ ଛାତ୍ର ମାନେ ୟୁନିଫର୍ମ ରେ ଥିଲେ ନା ନର୍ମାଲ ଡ୍ରେସ୍ ରେ ଥିଲେ ।ଏସବୁ ବିଷୟକୁ ନେଇ ବହୁ ସମୟଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । ମେଇନ ଗେଟ୍ ସହ , ପ୍ରିଂସିପାଲ୍ ଚ୍ୟମ୍ବର ଓ କ୍ୟାମ୍ପସ ରେ ଡ୍ୟୁଟି କରୁଥିବା ୩ ଜଣ ସିକ୍ୟୁରିଟି ଗାର୍ଡ ଆଜି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଛନ୍ତି ।
State
ଦ କୁଇଭର ବ୍ୟୁରୋ : ଏଫ୍ଏମ କଲେଜ ଛାତ୍ରୀ ଜୀବନ ହାରିବା ଘଟଣା । ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ । ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନିଲମ୍ବିତ ତଥା ଗିରଫ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ଆଜି ଜାମିନ ଆବେଦନ ଶୁଣାଣି ଖାରଜ ହୋଇଛି । ଏହି ଆବେଦନକୁ ଏସ୍ ଡି ଜେ ଏମ୍ କୋର୍ଟ ଖାରଛ କରିଛନ୍ତି । ତାଙ୍କର ଏହା ଦ୍ବିତୀୟ ଥର ପାଇଁ ୧୪ ଦିନ ଅବଧି ଖାରଜ ହୋଇଛି । ତାଙ୍କର ବେଲ୍ କୁ ଏସ୍ ଡି ଜେ ଏମ୍ କିଶୋର କୁମାର ନାଥ ଖାରଜ କରିଛନ୍ତି ।
ସୂଚନା ଅନୁସାରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ବିଏଡ୍ ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ନ୍ୟାୟ ନପାଇ ଘଟଣା ସବୁଠି ଚର୍ଚ୍ଚା ସୃଷ୍ଟି କରିଥିଲା । ଛାତ୍ରୀ ନ୍ଯାୟ ନପାଇବାରୁ ଜୁଲାଇ ମାସ ୧୨ ତାରିଖରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜକୁ ନିଆଁ ଲଗାଇ ଜୀବନ ହରିବାକୁ ଉଦ୍ୟମ କରିଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ ମୃତ୍ୟ ବରଣ କରିଥିଲେ। ତେବେ ଏହି ଘଟଣା ଘଟିବା ଦିନ ହେଚୋଡି ସମୀର ସାହୁଙ୍କୁ ଗିରଫ କରାଯାଇ ନିଲମ୍ବନ କରାଯାଇଥିଲା । ପରେ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବନ ସହ ଗିରଫ କରାଯାଇଥିଲା । ଗିରଫ ଅଧ୍ୟକ୍ଷଙ୍କ ଦୁଇ ଥର ଜାମିନ ଖାରଜ କରାଯାଇଛି । ଅନ୍ୟପଟେ ଆଜି ସମୀରଙ୍କ ଦ୍ବିତୀୟ ଥର ପାଇଁ ଜାମିନ ଆବେଦନ ଶୁଣାଣି ରହିଛି ବୋଲି ଜଣାପଡିଛି
Education,Sports,State
ବ୍ରହ୍ମପୁର ( ଦ କୁଇଭର ):- ଖେଲୋ ଇଣ୍ଡିଆ ଦ୍ବାରା ଭଦ୍ରକ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ତାଇକୋଣ୍ଡ ପ୍ରତି ଯୋଗିତାରେ ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ର ଛାତ୍ରୀ ମାନେ ସଫଳତା ଅର୍ଜନ କରିଛନ୍ତି । ଏଥିଲାଗି ସମସ୍ତ ଛାତ୍ରୀ ମାନଙ୍କୁ ସ୍କୁଲ ଚେୟାରମାନ ଅଧ୍ୟକ୍ଷ କେ. ସି.ପଣ୍ଡା , ନିର୍ଦ୍ଦେଶକ କୁନାଲ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା ଓ ଆମ୍ବପୁଆ ସ୍କୁଲ ଅଧ୍ୟକ୍ଷା ଉଷା ପଟ୍ଟନାୟକ ଶୁଭକାମନା ସହ ଶୁଭେଛା ଜଣାଇଛନ୍ତି । ଏହି ପ୍ରତି ଯୋଗିତାରେ ଜାଭିୟର୍ସ ସ୍କୁଲ ର ୧୧ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରୀ ୮ଟି କାଂସ୍ୟ ପଦକ ହାସଲ କରି ସ୍କୁଲ ର ଗୌରବ ବୃଦ୍ଧି କରିଛନ୍ତି । ତେଜଲ୍ ପାଣିଗ୍ରାହୀ ୨ଟି କାଂସ୍ୟ, ସୁଧାମୟୀ ପାଢ଼ୀ ୨ଟି କାଂସ୍ୟ, ସିମ୍ରନ୍ ଗୌଡ଼ , ଡି. ଅଖିଳ, ସସ୍ମିତା, ସମିତା ପ୍ରମୁଖ ଗୋଟିଏ ଗୋଟିଏ କାଂସ୍ୟ ପଦକ ହାସଲ କରି ଏପରି ସଫଳତା ହାସଲ କରିଛନ୍ତି । କୋଚ କିରଣ ନାୟକ ଛାତ୍ରୀ ମାନଙ୍କୁ ତାଲିମ୍ ଦେଇଥିଲେ। ଛାତ୍ରୀ ମାନଙ୍କ ସଫଳତା ଲାଗି ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖୁସି ଅନୁଭବ କରିବା ସହ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣୀବନ୍ଧ ସାହି ନିକଟରେ ଥିବା ଶାସ୍ତ୍ରୀ ନଗରର ଏସ. ରୁନା ଅଚାରୀ ନାମଙ୍କ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତିମାନଙ୍କୁ ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ରୁନା ନିଜ ଘରେ ଥିବା ସମୟରେ କିଛି ବ୍ୟକ୍ତି ଘରେ ପଶି ତାଙ୍କୁ ଗୁଳିମାଡ଼ କରିଥିବା ଜଣାପଡିଛି। ମେଡିକାଲରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣ ବିବେକ ଏମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି l
State
ଦ କୁଇଭର ବ୍ୟୁରୋ :- ଗୁରୁବାର ରାତିରେ ଚିକିଟି ଧାନଘର ରୋଡ଼ ସ୍ଥିତ ଏକ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚିକିଟିଫାଣ୍ଡି ପୁଲିସ ଚଢାଉ କରି ୭ଜଣ ଜୁଆଡ଼ିଙ୍କୁ କାବୁ କରିଥିବା ସୂଚନା । ଜୁଆ ଆଡ୍ଡାରୁ ପୁଲିସ ୬୧ ହଜାର ୨୭୦ ଟଙ୍କା ସହ ତାସ କାଟା ଜବତ କରିଥିବା ଜଣାପଡ଼ିଛି । ଫାଣ୍ଡି ଅଧିକାରୀ ଗୌତମ ସାହୁ ଦାୟିତ୍ଵ ଗ୍ରହଣ କରିବା ପରେ ଅଞ୍ଚଳରେ କଡାକଡି ପେଟ୍ରୋଲିଂ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।
State
ଛତ୍ରପୁର( ଦ କୁଇଭର ):- ଛତ୍ରପୁର ଜାତୀୟ ରାଜପଥ ନିକଟରେ ଟ୍ରକରେ ଲାଗିଲା ନିଆଁ l ଟ୍ରକରେ ଥିବା ୩୦ରୁ ଉର୍ଦ୍ଧ୍ବ ବ୍ୟାଟେରୀ ସ୍କୁଟି ଜଳିଯାଇଥିବା ସୂଚନା । ଗାଡିରେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ସମପେଣ୍ଡାକୁ ଗାଡି ନିଆଯାଉଥିବା ସୂଚନା।
ପ୍ରାୟ ଏକ ଘଣ୍ଟା ପରେ ନିଆଁକୁ ଆୟତ କଲେ ଦମକଳ ବାହିନୀ।ଛତ୍ରପୁର ଜାତୀୟ ରାଜପଥ ନିକଟରେ OLA ମୋଟର ସାଇକେଲ ବୋଝେଇ ଟ୍ରକ ରେ ଲାଗିଲା ନିଆଁ ଏହି OLA ମୋଟର ସାଇକେଲ ରୁ ନିଆଁ ବାହାରି ସମ୍ପୁର୍ଣ୍ଣ ଟ୍ରକ ଟି ଜଳିଯାଇଥିବା ଦେଖିବାକୁ ମିଳିଛି l
State
ଦ କୁଇଭର ବ୍ୟୁରୋ :- ଏଣିକି ରାଜ୍ୟରେ ଆଉ ହୋଇପାରିବନି ଗୋହତ୍ୟା । ଲୁଚା ଚୋରା ଯାହା ସବୁ ଚାଲିଥିଲା ସେସବୁ ମଧ୍ୟ ସମ୍ପୂର୍ଣ ବନ୍ଦ ହେବ l ରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ିଚାଲିଥିଲା । ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ୁଥିଲା । ଆଉ କେଉଁଠି କେଉଁଠି ତ ଗୋମାଂସ ଚୋରା ଚାଲାଣ ବେଳେ ଗାଡ଼ି ଧରାପଡ଼ିଥିବାର ନଜିର ରହିଛି । ଏହି ସବୁକୁ ରୋକିବା ପାଇଁ ଅନେକ ସମାଜସେବୀ ଏବଂ ସାଧାରଣ ଲୋକ ନିବେଦନ କରିଆସୁଥିଲେ, କିନ୍ତୁ ସରକାର ଏହା ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନଥିଲେ । ଆଜି ଏହି ହାଇକୋର୍ଟ ଏ ସବୁକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଉ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସବୁଠି ସ୍ବାଗତ କରାଯାଇଛି l
Business,State
ବ୍ରହ୍ମପୁର( ଦ କୁଇଭର ) :- ବ୍ରହ୍ମପୁର ଆସ୍କା ରୋଡ୍ ମୟୁରୀ ବିହାର ଚତୁର୍ଥ ଗଳିର ଅନୁରାଗ ମିଶ୍ର ସାଇବର କ୍ରାଇମ୍ ପୋଲିସ ଷ୍ଟେସନ୍ରେ ଗତ ୨ ତାରିଖରେ ରିପୋର୍ଟ କରିଛନ୍ତି ଯେ ସେ ବ୍ୟାଙ୍କିଂ ଚ୍ୟାନେଲ୍ ମାଧ୍ୟମରେ ଉଚ୍ଚ ରିଟର୍ଣ୍ଣ ଆଶା କରି ଆର୍ଥିକ ନିବେଶ ସହିତ ଜଡିତ ଏକ ଠକେଇର ଶିକାର ହୋଇଛନ୍ତି ଏବଂ ଏହି ଅପରାଧରେ ସେ ଅନିଲ କୁମାର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୯ କୋଟି ଟଙ୍କା ହରାଇଛନ୍ତି l ପ୍ରଥମେ ତାଙ୍କ ବିଶ୍ୱାସ ଜିତିବା ପାଇଁ ଛୋଟ ଲାଭକୁ ଅନୁମତି ଦେଖାଇ, ତାଙ୍କୁ ଏକ କୋଟିରୁ ଅଧିକ ନିବେଶ ପାଇଁ ଭଲ ରିଟର୍ଣ୍ଣ ପ୍ରଦାନ କରାଯାଇଥିଲା ଯାହା ଫଳରେ ଅଭିଯୋଗକାରୀ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଟ୍ରେଡିଂ ଆକାଉଣ୍ଟ୍ରେ ୯ କୋଟି ଟଙ୍କା ନିବେଶ କରିଥିଲେ।
ସୂଚନା ପ୍ରକାରେ,ଗତ ୨୯.୪.୨୦୨୪ ରେ ଅଭିଯୋଗକାରୀ ତାଙ୍କ ଆକାଉଣ୍ଟରୁ ଟଙ୍କା ସ୍ଥାନାନ୍ତର କରି ୨,୦୦,୦୦୦/- ଟଙ୍କା ନିବେଶ କରିଥିଲେ। ତୁରନ୍ତ ତିନୋଟି ଭିନ୍ନ କାରବାର ମାଧ୍ୟମରେ ଅଭିଯୋଗକାରୀଙ୍କ ଉକ୍ତ ଚଳନ୍ତି ଆକାଉଣ୍ଟରେ ୨,୨୬,୦୦୦/- ଟଙ୍କା ଜମା କରାଯାଇଥିଲା ଯାହା ତାଙ୍କୁ ଅନିଲ କୁମାର ମିଶ୍ରଙ୍କ ଯୋଜନା ଏବଂ ସଚ୍ଚୋଟତା ଉପରେ ବିଶ୍ୱାସ କରାଇଥିଲା। ଏହି ପ୍ରାରମ୍ଭିକ ସଫଳତା ଉପରେ ନିର୍ଭର କରି ସେ ନିବେଶ କରି ଚାଲିଥିଲେ ଏବଂ ଏହିପରି ଅଭିଯୋଗକାରୀଙ୍କ ଦ୍ୱାରା ମେ-୨୦୨୪ ରୁ ୧୧.୪.୨୦୨୫ ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ମାଧ୍ୟମରେ ବିଭିନ୍ନ ତାରିଖରେ ତାଙ୍କ ICICI ବ୍ୟାଙ୍କ ଆକାଉଣ୍ଟରୁ କେବଳ ବ୍ୟାଙ୍କ କାରବାର ମାଧ୍ୟମରେ ମୋଟ ୯,୭୧,୫୫,୦୭୩/- ଟଙ୍କା ନିବେଶ କରାଯାଇଥିଲା। ଯଦିଓ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ, ସେ ଅଭିଯୁକ୍ତ ବ୍ୟକ୍ତିଙ୍କଠାରୁ "ଫେରସ୍ତ" ଭାବରେ ପ୍ରାୟ ୩ କୋଟି ଟଙ୍କା ପାଇଥିଲେ, କିନ୍ତୁ ୧୧.୪.୨୦୨୫ ପରେ ପୀଡିତ ଅଭିଯୋଗକାରୀଙ୍କ ଠାରୁ କୌଣସି ଟଙ୍କା ପାଇ ନଥିଲେ। ସେ ଜାଣିପାରିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି ଏବଂ ବ୍ରହ୍ମପୁରର ସିସି ଏବଂ ଇଓ ପିଏସରେ ରିପୋର୍ଟ କରିଥିଲେ। ରିପୋର୍ଟକୁ ଆଧାର କରି ତଦନ୍ତ ସମୟରେ, ଜଣାପଡିଲା ଯେ ଅଭିଯୁକ୍ତ କେବଳ ବିଭିନ୍ନ ବାଣିଜ୍ୟିକ ଆପ୍ସରେ ଟଙ୍କା ବିନିଯୋଗ କରୁଥିଲେ ଏବଂ ତାଙ୍କର ଲାଭର କିଛି ଟଙ୍କା ଫେରସ୍ତ ଭାବରେ ଦେଉଥିଲେ। କିନ୍ତୁ ସେ ଟଙ୍କା ହରାଇଲେ ଏବଂ ଆଉ କିଛି ଫେରସ୍ତ କରିପାରିଲେ ନାହିଁ। ଅଭିଯୁକ୍ତଙ୍କ ବୟାନର ସତ୍ୟତା ଯାଞ୍ଚ କରିବା ପାଇଁ ତଦନ୍ତ ଚାଲିଥିବା ସୂଚନା ମିଳିଛି l ତେବେ ଅଭିଯୁକ୍ତ କୋଦଳା ଥାନା ଅଞ୍ଚଳର ହୋଇଥିବାବେଳେ ୪ଟି ମୋବାଇଲ୍ ସହ ୪ଟି ବ୍ୟାଙ୍କ ଖାତା ଜବତ କରାଯାଇଛି l
ତେବେ ବାରମ୍ବାର ସାମାଜିକ ଗଣମାଧ୍ୟମ ଏବଂ ମେସେଜିଂ ଆପ୍ସରେ ଅବାଞ୍ଛିତ ନିବେଶ ପ୍ରସ୍ତାବ ଏବଂ ଡିଜିଟାଲ୍ ଗିରଫଦାରୀ ବିରୁଦ୍ଧରେ ସତର୍କ ରହିବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଉଛି। ସାଇବର ଠକେଇର ଶିକାର ନହେବା ପାଇଁ ନିବେଶ କରିବା ପୂର୍ବରୁ ସର୍ବଦା ଏପରି ଯୋଜନାଗୁଡ଼ିକର ସତ୍ୟତା ଯାଞ୍ଚ କରନ୍ତୁ, କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କ୍ଷେତ୍ରରେ, ତୁରନ୍ତ 'ସାଇବର ହେଲ୍ପଲାଇନ୍ ୧୯୩୦' କୁ ରିପୋର୍ଟ କରନ୍ତୁ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନ ଯିବାପାଇଁ ପରାମର୍ଶ ଵା ସତର୍କ ବାଣୀ ଦିଆଯାଏ, ତଥାପି ବାରମ୍ବାର ଲୋଭର ଶିକାର ହୁଅନ୍ତି ଜନତା ତେଣୁ ଆଗକୁ ସତର୍କ ରହିବାକୁ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି l
State
ଦ କୁଇଭର ବ୍ୟୁରୋ :- ନିବେଶ ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି ମୋହନ ସରକାର । ଏହି କ୍ରମରେ ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ଟି ବିଭାଗର ଗ୍ରୁପ ସି'ର ଏହି ପଦବୀ ପୂରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଓଡିଶା ସରକାରରେ ପ୍ରାୟ ୪ ଲକ୍ଷ ମଞ୍ଜୁରୀ ପ୍ରାପ୍ତ ପଦ ରହିଛି । ସେଥିରୁ ପ୍ରାୟ ଲକ୍ଷେ ପଦ ବିଭିନ୍ନ ବିଭାଗରେ ଫାଙ୍କା ପଡ଼ିଛି । ଫାଙ୍କା ରହିଥିବା ପଦ ପୂରଣ କରିବା ପାଇଁ ମୋହନ ସରକାର ଅଣ୍ଟା ଭିଡ଼ିଛନ୍ତି । ୨ ବର୍ଷ ମଧ୍ୟରେ ୬୫ ହଜାର ପଦ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ସେଥିମଧ୍ୟରୁ ବିଭିନ୍ନ ବିଭାଗରେ ୨୮୩୯୨ ପଦରେ ସିଧାସଳଖ ନିଯୁକ୍ତି ଜୁନ ମାସ ସୁଦ୍ଧା ହୋଇଛି । ରାଜ୍ୟ ସରକାରଙ୍କ କ୍ଷମତା ସଂପନ୍ନ କମିଟି ଫାଙ୍କା ଥିବା ଗ୍ରୁପ 'ସି' ୨୫୯୫୩ ପଦ ପୂରଣ ପାଇଁ ଅନୁମୋଦନ ଦେଇଛନ୍ତି । ଅନୁମୋଦିତ ଗ୍ରୁପ 'ସି' ୨୫୯୫୩ ପଦ ମଧ୍ୟରୁ ୧୦ ବିଭାଗରେ ୨୨ ହଜାର ୮୯୬ ପଦବୀ ଫାଙ୍କା ଅଛି । ଚଳିତ ମାସ ଶେଷ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୧୦ ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗରେ ସର୍ବାଧିକ ୮ ହଜାର ୩୫୮ ପଦବୀ ପୂରଣ କରିବା ପାଇଁ ଅନୁମତି ମିଳିଛି । ଦ୍ଵିତୀୟରେ ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ରହିଛି । ଏହି ବିଭାଗରେ ୪ ହଜାର ୪୨ ପଦବୀ ପୂରଣ ହେବ । ସ୍ୱାସ୍ଥ୍ୟ ବିଭାଗର ୩ ହଜାର ୬୭୭ ପଦବୀ ପୂରଣ ହେବ । କୃଷି ବିଭାଗରେ ୧୪୬୯ ପଦବୀ ପୂରଣ କରାଯିବ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୧୩୭୧, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗରେ ୧୧୯୩, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗରେ ୮୮୮, ଉଚ୍ଚଶିକ୍ଷା ବିଭାଗରେ ୮୬୭, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗରେ ୫୨୬ ଓ ଗୃହ ବିଭାଗରେ ୫୦୫ ପଦବୀ ପୂରଣ କରାଯିବ ।
State
କେନ୍ଦ୍ରାପଡ଼ା( ଦ କୁଇଭର ):- ଘର ଭିତରେ ଜଳିଗଲେ ଯୁବତୀ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇଠାରେ ଘଟିଛି । ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀ ଜଣଙ୍କ ଜୀବନ ହାରିଛନ୍ତି । ତେବେ ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ ବୋଲି ଜଣା ପଡିଛି ।ସେ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ଜୀବନ ହାରିବା ପାଇଁ କହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ । କେହି ଜଣେ ତାଙ୍କୁ ବ୍ଲାକ୍ମେଲିଂ କରୁଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି । ଘରେ କେହି ନଥିବା ସମୟରେ ଏହି ଘଟଣା ହୋଇଛି । ପ୍ରେମିକ ଜଣଙ୍କ ଛାତ୍ରୀଙ୍କ ଅଶ୍ଳୀଳ ଫୋଟ ଭାଇରାଲ କରିଥିବା ନେଇ ଅଭିଯୋଗ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏ ନେଇ ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଘଟଣା ଜଣାପଡିବା ପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।
National,State
ବ୍ରହ୍ମପୁର( ଦ କୁଇଭର ):- ଦୁଷ୍କର୍ମର ଶୀକାର ହୋଇଥିବା ନାବାଳିକା ଜଣକ ନିଜ ପରିବାର ସହ ଦୀର୍ଘ ୧୪ ବର୍ଷ ଧରି ମୁମ୍ୱାଇରେ ରହିଆସୁଛନ୍ତି । ଗତ ମାର୍ଚ୍ଚ ମାସରେ ଯୁବକ ଜଣକ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମକାରୀ ଯୁବକ ଜଣକ ନାବାଳିକାକୁ ଧମକ ଦେବା ସହ ଘଟଣା ପ୍ରଘଟ କଲେ ହତ୍ୟା ଧମକ ଦେଉଥିଲା । ଏନେଇ ନାବାଳିକା ଜଣକ ଚୁପ ହୋଇ ରହିଥିଲେ । ପରେ ଗର୍ଭବତୀ ହେବା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରିଥିଲେ ନାବାଳିକ । ସେପଟେ ନାବାଳିକର ପରିବାର ଲୋକେ ସଂପୃକ୍ତ ଯୁବକର ପରିବାର ଲୋକଙ୍କୁ ପଚାରିବାରୁ ପୁଣି ଧମକ ମିଳଥିଲା । ଏପରିକି ନାବାଳିକାର ଗର୍ଭପାତ କରିବା ଲାଗି ବିଭିନ୍ନ ଔଷଧ ମଧ୍ୟ ଦେଇଥିଲେ । ତାଙ୍କ ନିଜ ଘର ଗଞ୍ଜାମ ହୋଇଥିବାରୁ ପରିବାର ଲୋକେ ନାବାଳିକାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଆଣି ଗର୍ଭପାତ କରିବା ଲାଗି ଭର୍ତ୍ତି କରିଥିଲେ ।
ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି ହୋଇଥିବା ବେଳେ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ମେଡିକାଲ ପକ୍ଷରୁ ଏମଏଲସି (ମେଡିକୋ ଲିଗାଲ କପ୍ଲେନ) ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ କରାଯାଇଥିଲା । ଏହି ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ମେଡିକାଲରେ ପହଞ୍ଚି ତଦନ୍ତ କରିବା ସହ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଏନେଇ ବୈଦ୍ୟନାଥପୁର ଥାନା ପୋଲିସ ଏଫଆଇଆର ରୁଜୁ କରିଥିଲା । ମାମଲା ରୁଜୁ କରି ମହାରାଷ୍ଟ୍ରର ପାର୍କ ସାଇଟ ଥାନାକୁ ସ୍ଥାନାନ୍ତର କରିଥିଲା । ଫଳରେ ଦୁଷ୍କର୍ମକାରୀ ଯୁବକ ପ୍ରଥମେଶ ସଞ୍ଜୟ ଥୋରାଟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ନାବାଳିକା ଜଣଙ୍କୁ ବ୍ରହ୍ମପୁର ଶିଶୁ ସୁରକ୍ଷା କମିଟିକୁ ପଠାଇବା ସହ ତାର ଥଇଥାନ ସହ ଆର୍ଥିକ ସହାୟତା ଓ ପ୍ରତ୍ୟେକ ମେଡିକାଲ ଚେକ ଅପ୍ କରିବା ଲାଗି କୁହାଯାଇଛି ।
State
ଦ କୁଇଭର ବ୍ୟୁରୋ :- ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ । ଆଜି ଠାରୁ ବର୍ଷାର ପରିମାଣ ବଢ଼ିବ । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବ । ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ବାୟୁ ମଣ୍ଡଳରେ ଥିବା ଜଳୀୟବାଷ୍ପର ପରିମାଣକୁ ନେଇ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ଆଜି ବର୍ଷା ସହ ପ୍ରବଳ ବଜ୍ରପାତ ପାଇଁ ୨୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଜିଲ୍ଲାଗୁଡ଼ିକ ହେଉଛି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନିଗିରି, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବାର ସମ୍ଭାବନା ରହିଛି ।
State
ଦ କୁଇଭର ବ୍ୟୁରୋ:- ଗୋଳନ୍ଥରା ଥାନା ଅନ୍ତର୍ଗତ ଭୈରବୀ ରାସ୍ତାରେ ଆଇନଜୀବୀ ଭାନୁମୂର୍ତ୍ତିଙ୍କ ପରିବାରଙ୍କୁ ସଂଘବଧ ଆକ୍ରମଣ ମାମଲାରେ ସମ୍ପୃକ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ବୁଧବାର ଏସପିଙ୍କୁ ଭେଟିଲା ଗଞ୍ଜାମ ଓକିଲ ସଂଘ । ବର୍ତ୍ତମାନ ଏହି ଘଟଣାରେ ୪ଜଣ ଗିରଫ ହୋଇଥିବା ବେଳେ ମନ୍ତ୍ରୀଙ୍କ ପୁତୁରା ଦୀପକ ଜେନାଙ୍କ ସମେତ ଏକାଧିକ ଅଭିଯୁକ୍ତ ଏଯାବତ ଫେରାର ରହିଛନ୍ତି ।ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଲା ଗଞ୍ଜାମ ଓକିଲ ସଂଘ ।
National,Business,International
ଦ କୁଇଭର ବ୍ୟୁରୋ :- ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡବଲ ମାଡ଼ ବାଜିଛି । ଟ୍ରମ୍ପ ଭାରତ ଉପରେ ଆମେରିକାର ରପ୍ତାନୀ ଶୁଳ୍କକୁ ୫୦ ପ୍ରତିଶତ ବଢ଼ାଇ ଦେଇଛନ୍ତି । ଋଷ ସହ ବେପାର ବନ୍ଦ ନକରିବା ଯାଏ ଆମେରିକା ସେମିତି କଠୋର ହେବ ବୋଲି କହିଛନ୍ତି ଟ୍ରମ୍ପ । ପୂର୍ବରୁ ଏହି ଶୁଳ୍କକୁ ୨୫ ପ୍ରତିଶତ କରିଥିଲେ । ମାତ୍ର ଏବେ ଏହାକୁ ୫୦ ପ୍ରତିଶତ କରିଛନ୍ତି । ଆହୁରି ବଢ଼ିବ ବୋଲି ବି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଋଷ ସହ ସମ୍ପର୍କ ରଖିଥିବା ଅନେକ ଦେଶ ଉପରେ ଆମେରିକା ତାର ଶୁଳ୍କ ମାଡ଼ ଜାରି ରଖିଛି । ବ୍ରାଜିଲ ଉପରେ ମଧ୍ୟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି ।
ଆମେରିକାର ଏହି ତାରିଫ ମାଡ଼ ଫଳରେ ଆଜି ସେୟାର ବଜାରରେ ବେଶ ପ୍ରଭାବ ପଡ଼ିଛି । ସେୟାର ବଜାରରେ ପ୍ରାୟ ୨୪୩ ପଏଣ୍ଟ ହ୍ରାସ ହୋଇଛି । କେବଳ ସେତିକି ନୁହେଁ, ବଜାର ଉପରେ ଏହାର ପ୍ରଭାବ ପଡ଼ୁଛି । ଆମେରିକାକୁ ଯିବାକୁ ଥିବା ଅନେକ ସାମଗ୍ରୀ ଏବେ ପଡ଼ି ରହିଛି । ଏଭଳି ସ୍ଥିତି ପୂରା ଦେଶକୁ ଚିନ୍ତାରେ ପକାଇ ଦେଇଛି । ଦେଶର ବେପାର ବଜାର ଉପରେ ବଡ଼ ପ୍ରଭାବ ପଡ଼ିଛି ।
ଆମେରିକା ଭାରତ ଉପରେ କଡ଼ା ପଦକ୍ଷେପ ନେଉଛି । ବାରମ୍ବାର ତାରିଫ ବଢ଼ାଉଛି । ଅପରେସନ ସିନ୍ଦୁର ପର ଠାରୁ ଭାରତ ଉପରେ ଆମେରିକା ଦାଉ ସାଧୁଛି । ପ୍ରତି କ୍ଷେତ୍ରରେ ଭାରତର ଶତ୍ରୁ ମାନଙ୍କୁ ସହାୟତା କରୁଛି ଓ ଭାରତ ଉପରେ କଟକଣା ଲଗାଉଛି । ଆପଲକୁ ଭାରତକୁ ନଆସିବା ପାଇଁ କହିଥିଲେ ଟ୍ରମ୍ପ । ଭାରତକୁ ଋଷରୁ ତେଲ କିଣା ବନ୍ଦ କରିବାକୁ କହିଥିଲେ । ମାତ୍ର ଭାରତ ତାହାକୁ ଗ୍ରହଣ ନକରିବାରୁ ଏବେ ତାରିଫ ମାଡ଼ ଆରମ୍ଭ କରିଛନ୍ତି । ଦୁଇଟି କିସ୍ତିରେ ତାରିଫକୁ ୫୦ପ୍ରତିଶତ ବଢ଼ାଇଛନ୍ତି ଟ୍ରମ୍ପ ।
ଆମେରିକା ଯଦି ତାର ତାରିଫକୁ ଏହି ପରି ବୃଦ୍ଧି କରି ରଖିବ, ତେବେ ଭାରତର ଜିଡିପି(ଗ୍ରସ ଡୋମେଷ୍ଟିକ ପ୍ରଡକ୍ଟ)ଉପରେ ୦.୪ ପ୍ରତିଶତ ପ୍ରଭାବ ପକାଇବ । ଯାହା ଅର୍ଥନୀତି ଉପରେ ମଧ୍ୟ ମାଡ଼ ହେବ ବୋଲି ଅର୍ଥନୈତିକ ବିଷାରଦମାନେ କହିଲେଣି । ଆମେରିକାର ଏପରି ଆଭିମୁଖ୍ୟକୁ ବିରୋଧୀ କଂଗ୍ରେସ ବି ଘୋର ନିନ୍ଦା କରିଛି । ଟ୍ରମ୍ପଙ୍କୁ ସିଧା ସଳଖ ସମାଲୋଚନା କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଏହା ଟ୍ରମ୍ପଙ୍କ ସ୍ୱେଚ୍ଛାଚାରିତା । ବିଶ୍ୱ ବାଣିଜ୍ୟ ନିୟମର ଖୋଲା ଉଲ୍ଲଙ୍ଘନ । ରାହୁଲଙ୍କ ବ୍ୟତୀତ କଂଗ୍ରେସ ଏମପି ଶଶୀ ଥରୁର ବି ଏହାକୁ କଡ଼ା ସମାଲୋଚନା କରି ଆମେରିକାକୁ ନିନ୍ଦା କରିଛନ୍ତି ।
ଏଭଳି ବାଦ ବିବାଦ ମଧ୍ୟରେ ଭାରତ ରପ୍ତାନୀ ଶିଳ୍ପ ପ୍ରଭାବିତ ହେବାକୁ ଯାଉଛି । ବିଶେଷ କରି ଆମେରିକା ନେଉଥିବା ସାମଗ୍ରୀ ଗୁଡ଼ିକ ଏବେ ଅନ୍ୟ ଦେଶକୁ ପଠାଯିବ । ହେଲେ ଏଥିପାଇଁ ସମୟ ଲାଗିବ । ସେହି ସମୟ ମଧ୍ୟରେ ଭାରତର ଅନେକ ଉତ୍ପାଦ ପ୍ରଭାବିତ ହେବ । ଦେଖାଯାଉ ବାଣିଜ୍ୟ ବଜାରରେ ଏପରି ସ୍ଥିତିକୁ ମୋଦି କେତେଶୀଘ୍ର ନିୟନ୍ତ୍ରଣକୁ ନେଇ ପାରୁଛନ୍ତି ଓ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରି ପାରୁଛନ୍ତି ?
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଠାରେ ଗାଡି ଦୁର୍ଘଟଣା ଜଣେ ୮ବର୍ଷର ଶିଶୁ ବାଳକ ଗୁରୁତର ହୋଇଛି ! ଗୁରୁତର ଅବସ୍ଥାରେ ବ୍ରହ୍ମପୁର mkcg ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ! ସୂଚନା ଅନୁସାରେ ଆଜି ଦିନ ପାଖା ପାଖି ୧୧ ଘଣ୍ଟା ସମୟରେ ଘରୁ ବାହାରି ଦୋକାନକୁ ଯିବା ସମୟରେ ଏହିଭଳି ଏକ ସଡ଼କ ଦୁର୍ଘଟଣା ଘଟିଥିଲା ଯାହାଫଳରେ ୮ବର୍ଷର ଶିଶୁ ପୁତ୍ର ଗୁରୁତର ହୋଇଛନ୍ତି ! ଅନ୍ୟ ପଟେ ଗୁରୁତର ଶିଶୁର ମା ବ୍ରହ୍ମପୁର mkcg ମେଡିକାଲରେ ନିଜ ଶିଶୁକୁ ବଞ୍ଚାଇ ଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି !
ଘଟଣା ଘଟିବା ପରେ ଜାତୀୟ ରଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ! ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କୁ ବୁଝା ସୁଝା କରୁଛନ୍ତି ହେଲେ ସ୍ଥାନୀୟ ଲୋକେ ବୁଝିବାକୁ ନାରାଜ ଅଛନ୍ତି ! ଅନ୍ୟ ପଟେ ଯେଉଁ ଗାଡିଟି ଧକ୍କା ଦେଇଛି ସେହି ଗାଡିଟି ପୁଲିସ ଗାଡି ବୋଲି ସୂଚନା ମିଳୁଛି ! ଦୁର୍ଘଟଣା ଘଟାଇ ଗାଡିଟି ଦୃତ ଗତିରେ ଚାଲିଯାଇଥିବା ଖବର ମିଳୁଛି ! ଯେହେତୁ ସେହି ଜାତୀୟ ରାଜପଥରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ! ଅନ୍ୟ ପଟେ ଗାଡି ଚାଳକଙ୍କ ବେପରୁଆ ଗାଡି ଚଳାଇବା ହେତୁ ଏହିଭଳି ଦୁର୍ଘଟଣା ଘଟୁଛି ଏବଂ ସାଧାରଣ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି ! ଅନ୍ୟ ପଟେ ଖବର ପାଇ ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ ବ୍ରହ୍ମପୁର mkcg ଆଶୁ ଚିକିତ୍ସା ରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ! ଏବଂ ପରିବାର ଲୋକଙ୍କ ସହ ଆଲୋଚନା କରୁଛନ୍ତି !
State
ଦ କୁଇଭର ବ୍ୟୁରୋ :- ସତ ଖୋଲିବେ ସିକ୍ୟୁରିଟି ଗାର୍ଡ । କ୍ରାଇମବ୍ରାଞ୍ଚ ର ତଦନ୍ତର ସମ୍ମୁଖୀନ ହେଲେ ଏଫ୍ ଏମ କଲେଜର ସିକ୍ୟୁରିଟି ଗାର୍ଡ । କଲେଜ୍ ଫାଷ୍ଟ ଗେଟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଝାଳ ବୁହା ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ । ଘଟଣା ଦିନ କେତେବେଳେ କାର୍ଯ୍ୟରେ ଯୋଗ ଦେଇଥିଲେ ସିକ୍ୟୁରିଟି ଗାର୍ଡ ।ଛାତ୍ରୀ ଜଣକ କେଉଁ ସମୟରେ କଲେଜ୍ କ୍ୟାମ୍ପସ କୁ ପଶିଲେ । ଛାତ୍ରୀ ଙ୍କ ସାଙ୍ଗରେ କିଏ କିଏ ଥିଲେ । କେଉଁ ଛାତ୍ର ମାନେ ଛାତ୍ରୀଙ୍କ ସହ ଥିଲେ । କେତେ ଜଣ ଅଣଛାତ୍ର ଘଟଣା ଦିନ କ୍ୟାମ୍ପସ ମଧ୍ୟରେ ଥିଲେ । ସବୁ ଛାତ୍ର ମାନେ ୟୁନିଫର୍ମ ରେ ଥିଲେ ନା ନର୍ମାଲ ଡ୍ରେସ୍ ରେ ଥିଲେ ।ଏସବୁ ବିଷୟକୁ ନେଇ ବହୁ ସମୟଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । ମେଇନ ଗେଟ୍ ସହ , ପ୍ରିଂସିପାଲ୍ ଚ୍ୟମ୍ବର ଓ କ୍ୟାମ୍ପସ ରେ ଡ୍ୟୁଟି କରୁଥିବା ୩ ଜଣ ସିକ୍ୟୁରିଟି ଗାର୍ଡ ଆଜି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଛନ୍ତି ।
Business,International,National
ଦ କୁଇଭର ବ୍ୟୁରୋ :- ଆମେରିକାର ତାରିଫ ଧମକ ପରେ ଏବେ ଭାରତ, ଋଷ ଓ ଚୀନ ଏକଜୁଟ ହୋଇଛନ୍ତି । ଏମାନଙ୍କ ଏକତା ଦେଖି ଟ୍ରମ୍ପଙ୍କ ପିଳେହି ପାଣି । ପୁଟିନଙ୍କ ସହ ଶାନ୍ତି ଆଲୋଚନା କରିବା ପାଇଁ ଦୂତ ପଠାଇଲେଣି । ମାତ୍ର ତିନି ଦିନ ଭିତରେ ଟ୍ରମ୍ପଙ୍କ ଅବସ୍ଥା ଢିଲା କରିଦେଲେ ଭାରତ, ଋଷ ଓ ଚୀନ ।
ଋଷ ସହ ବେପାର କରୁଥିବା ଦେଶକୁ ଟ୍ରମ୍ପ ଦେଇଥିଲେ ଧମକ । ଟ୍ରମ୍ପ ତାରିଫ ବା ଶୁଳ୍କକୁ ୧୦୦ ପ୍ରତିଶତ କରିଦେଲେ । ଏହା ପରେ ଏକଜୁଟ ହେଲେ ଅନେକ ଦେଶ । ଭାରତ ବିରୁଦ୍ଧରେ ଟ୍ରମ୍ପଙ୍କ ନକରାତ୍ମକ ଆଭିମୁଖ୍ୟ ଭାରତ, ଋଷ ଓ ଚୀନକୁ ଏକତ୍ରିତ କରିଦେଲା । ୨୦୨୦ ପରେ ଚୀନ ଗସ୍ତକୁ ରଦ୍ଦ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଚୀନ ଗସ୍ତରେ ବାହାରିଲେଣି । ଚୀନ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଏ ଗସ୍ତ । ସେହି ଭଳି ଋଷ ସହ ମଧ୍ୟ ସମ୍ପର୍କକୁ ନିବିଡ଼ କରାଯାଇଛି । ଭାରତ, ଋଷ ଓ ଚୀନ ଏହି ତିନି ଦେଶ ମିଶି ବିଶ୍ୱରେ ସ୍ୱତନ୍ତ୍ର ବ୍ୟବସାୟୀକ ନେଟୱର୍କ ତିଆରି କରିବାକୁ ଯୋଜନା କରିଛନ୍ତି ।
ଏହି ତିନି ଦେଶ ଏକାଠି ହେଲେ ଆମେରିକାର ବ୍ୟବସାୟ ପୁରା ଠପ ହୋଇଯିବ । ଏକଥା ଜାଣିବା ପରେ ଟ୍ରମ୍ପ ଏବେ ଭୟଭୀତ ହୋଇଗଲେଣି । ଟ୍ରମ୍ପ ପୁଟିନଙ୍କ ସହ କଥା ହେବା ପାଇଁ ଦୂତ ପଠାଇଛନ୍ତି । ଶାନ୍ତିର ଦୂତ । ଆମେରିକା ଏବେ ତାର ପରମାଣୁ ଜଳ ଜାହାଜକୁ ଫେରାଇଲାଣି । ଆମେରିକା ଋଷକୁ ଏକଘରିଆ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛି ତାହା ବି ରଦ୍ଦ କରିବ । କିନ୍ତୁ କିଛିଟା ସର୍ତ ଆମେରିକା ରଖୁଛି । ଯାହାକୁ ଋଷ ମାନିବାକୁ ପ୍ରସ୍ତୁତ ନୁହେଁ । ଭାରତ, ଋଷ ଓ ଚୀନ ଏକ ହେବା ପରେ ଆମେରିକା ତାର ଔକାତ ଜାଣିପାରିଛି । ଏବେ ପ୍ରଶ୍ନ ଆସୁଛି ଟ୍ରମ୍ପ ତାଙ୍କ ତାରିଫ ଧମକ ପ୍ରତ୍ୟାହାର କରିବେ ନା ଏହି ତିନି ଦେଶ ବିଶ୍ୱରେ ନୂଆ ନେଟୱର୍କ ତିଆରି କରି ନେତୃତ୍ୱ ନେବା ପାଇଁ ଆଗେଇବେ ?
State
ଗଞ୍ଜାମ( ଦ କୁଇଭର ):- ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ଭାସନ ବ୍ରହ୍ମପୁର ମହାନଗର ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିଛନ୍ତି l ଓ ପି ଟି ସି ଏଲ୍ ଆସ୍କା ରୋଡ଼ ଠାରେ ପ୍ରସ୍ତାବିତ ଅସ୍ଥାୟୀ ବସ ଷ୍ଟାଣ୍ଡ , ବ୍ରହ୍ମପୁର କର୍ପୋରେସନ ରୋଡ ର ଗଞ୍ଜାମ ହାଟ, ପୁରୁଣା ବସଷ୍ଟାଣ୍ଡ ବହୁ ସ୍ତରୀୟ କାର୍ ପାର୍କିଂ, ଆମ୍ବପୁଆ ର ରୋକ୍ ଗାର୍ଡେନ , ବିବେକ ବିହାର ବିବାହ ମଣ୍ଡପ ସ୍ଥଳ ନିରୀକ୍ଷଣ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ଏହି ପରିଦର୍ଶନ ସମୟରେ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଅରବିନ୍ଦ ପ୍ରଥମେଶ ରାଜସିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ପ୍ରୋବେସନ୍ ଆଇ ଏ ଏସ ମ୍ରିନାଲୀକା ରାଠୋର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
State,Politics
ବ୍ରହ୍ମପୁର ( ଦ କୁଇଭର ):- ଗତ କିଛି ଦିନ ଜିଲ୍ଲା ତଥା ରାଜ୍ୟରେ ଯେଉଁ ପ୍ରକାର ଘଟଣା, ଦୁର୍ଘଟଣା ମାନ ଘଟିଚାଲିଛି, ସେଥିପାଇଁ ବିଜେଡି ଭାରତୀୟ ଜନତା ପାର୍ଟିର ସରକାର ତଥା କର୍ମୀମାନଙ୍କୁ ଦୋଷାରୋପ କରୁଥିଲେ ଯାହାର ଉତ୍ତରରେ ଆଜି ଏକ "ସାମ୍ବାଦିକ ସମ୍ମିଳନୀ" ବ୍ରହ୍ମପୁର ହିଲପାଟଣା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି "ସାମ୍ବାଦିକ ସମ୍ମିଳନୀରେ" ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ବିଜେପି ନେତା ତଥା ବରିଷ୍ଠ ଆଇନଜିବୀ ପୀତବାସ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ତେବେ ଗତ ୨୯ ତାରିଖ ଦିନ ଗୋଳନ୍ଥରା ଚଟି ଛକ ନିକଟରେ ଘଟିଥିବା ଏକ ଦୁର୍ଘଟଣାକୁ ବିଜୁ ଜନତା ଦଳର ନେତା ଭୃଗୁ ବକ୍ସିପାତ୍ର ଓ ଲେଲିନ ମହାନ୍ତି ଯେଉଁପରି ଭାବରେ ତାକୁ ଅତି ରଞ୍ଜିତ କରି ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡ଼ିଛି, ମନ୍ତ୍ରୀଙ୍କୁ ଏହି ଘଟଣାରେ ଟାଣି ଓଟାରି ସଂପୃକ୍ତ କରିବା ଓ ଦୁଇ ଯୁବ ଆଇନଜୀବୀଙ୍କୁ ଦୁର୍ବୁତ୍ତ ବୋଲି ଗତକାଲିର "ସାମ୍ବାଦିକ ସମ୍ମିଳନୀରେ" କହିବା ବିଜୁ ଜନତା ଦଳର ରାଜନୈତିକ ଦେବାଳିଆ ପଣକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଗତ ଜୁଲାଇ ୨୯ ତାରିଖ ଅପରାହ୍ନ ୪ ଘଣ୍ଟ ସମୟରେ ଏକ କାର୍ ଅତି ଦୃତ ଗତିରେ ଆଇନଜୀବୀ ଅଜିତ୍ କରଙ୍କ ମାଁ, ଯିଏ କି ନିଜ ଘର ସମ୍ମୁଖରେ ଛିଡ଼ା ହୋଇଥିଲେ ତାଙ୍କ ଉପରକୁ ମାଡ଼ି ଆସିବାରୁ ସେ ଉକ୍ତ କାର୍ ଧକ୍କାରେ ଛିଟିକି ପଡିଗଲେ । ଏହି ଘଟଣାକୁ ନେଇ ଆଇନଜୀବୀ ଅଜିତ୍ କର ଓ ତାଙ୍କ ମାଁ ନନ୍ଦିନୀ କର ପ୍ରତିବାଦ କରିବାରୁ କାର୍ ରେ ବସିଥିବା ଚାରି ଜଣ ବ୍ୟକ୍ତି ଓ ପଛରେ ଅନ୍ୟ ଏକ କାର୍ ରେ ବସିଥିବା ଛଅ ଜଣ ମହିଳା ମିଶି ଆଇନଜୀବି ଅଜିତ୍ କର ଓ ତାଙ୍କ ମାଁଙ୍କୁ ଆକ୍ରମଣ କରିଥିଲେ, ଯାହାକି ସ୍ଥାନୀୟ ଗୋଳନ୍ଥରା ଥାନାରେ ଏତଲା ମଧ୍ୟ ହୋଇଛି । ଘଟଣାର ପରବର୍ତି ପର୍ଯ୍ୟାୟରେ ସ୍ଥାନୀୟ ଓ ରାସ୍ତାରେ ଯାଉ ଥିବା ଲୋକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଥିଲେ । ଯାହା ଫଳରେ ଜଣେ ଯୁବକ ଆହତ ହୋଇଥିବା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଅପରାଧୀଙ୍କୁ ଗତ ଚବିଶ ବର୍ଷ ଧରି ଯେଉଁ ମାନେ ସୁରକ୍ଷା ଦେଇଥିଲେ, ଗତ ନିର୍ବାଚନ ସମୟରେ ରକ୍ତମୁଖା ହୋଇ ବିଜେପି କର୍ମୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଜିଲ୍ଲାବାସୀ ଭୁଲି ନାହାଁନ୍ତି । ଲୋଚାପଡ଼ା, ହୁଗୁଳାପଟା, କନିସି, ଗୋଳନ୍ଥରା ଗାଁ ମାନଙ୍କରେ ସଶସ୍ତ୍ର ବିଜେଡ଼ି ନେତା ଓ କର୍ମୀ ମାନଙ୍କର ଆକ୍ରମଣ ଘଟଣା ଗୋପାଳପୁରବାସୀ ତଥା ଜିଲ୍ଲାବାସୀ ମନେ ରଖିଛନ୍ତି । ଏହି ପରୀପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀଙ୍କ ଉପରେ ଯେଉଁ କଟୁ ମନ୍ତବ୍ୟ ବିଜେଡ଼ି ନେତା ମାନେ ଦେଇଛନ୍ତି ତାକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ସୂର୍ଯ୍ୟ ଯେପରି ସ୍ବଚ୍ଚ ଓ ନିର୍ମଳ, ମାନ୍ୟବର ମନ୍ତ୍ରୀ ସେହିପରି ସ୍ବଚ୍ଚ ନିର୍ମଳ । ରାଜ୍ୟରେ ମୋହନ ମାଝୀ ସରକାରଙ୍କ ଜନମୁଖି କାର୍ଯ୍ୟକୁ ସହ୍ୟ ନ କରି ପାରି ଓ ଗତ ନିର୍ବାଚନରେ ପରାଜୟର ଗ୍ଲାନିକୁ ଭୁଲି ନ ପାରି ବିଜୁ ଜନତା ଦଳର ନେତା ମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ବରିଷ୍ଠ ନେତା ପୀତବାସ ପଣ୍ଡା କହିଛନ୍ତି । ଏହା ସହ କିଛି ଘଟଣାକୁ ଅତିରଞ୍ଜିତ କରି ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇବାକୁ ବିଜେଡ଼ି ନେତା ଚେଷ୍ଟା କରୁଛନ୍ତି, ସେମାନେ ଏଥିରେ କେବେ ହେଲେ ସଫଳ ହେବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ନିକଟରେ ଗଣ୍ଡଗୋଳ ହୋଇଥିବା ଘଟଣା ମଧ୍ଯ ସମ୍ପୂର୍ଣ୍ଣ ମିଥ୍ୟା ଅଟେ ଏବଂ ଗଞ୍ଜାମ ଓକିଲ ସଂଘ ଅଭିଯୁକ୍ତ ମାନଙ୍କ ପାଇଁ ନ ଲଢ଼ିବା କଥା ଯେଉଁ ବିଜୁ ଜନତା ଦଳ ପକ୍ଷରୁ ପ୍ରେସ୍ ନୋଟରେ କୁହା ଯାଇଛି ସେଥିରେ ମଧ୍ୟ କୌଣସି ସତ୍ୟତା ନାହିଁ ବରଂ ଏହି ଘଟଣାରେ ଦୁଇ ଜଣ ଯୁବ ଆଇନଜୀବୀଙ୍କୁ ମିଥ୍ୟାରେ ସଂପୃକ୍ତି କରାଯାଇଛି । ବିଜୁ ଜନତା ଦଳ ତାଙ୍କ ନିଜର ଅନ୍ତର୍କଦଳ ଲୁଚାଇବାକୁ ଯାଇ ଏଭଳି ମିଥ୍ୟା ଆରୋପ କରୁଛି । ଏଣୁ ବିଜୁ ଜନତା ଦଳର ନେତା ମାନେ ସତ୍ୟକୁ କେତେ ବିଦ୍ରୁପ କଲେ ମଧ୍ୟ ଏଥିରେ ସଫଳ ହୋଇପାରିବେ ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି କହିଛନ୍ତି । ଆଜିର ଏହି "ସାମ୍ବାଦିକ ସମ୍ମିଳନୀକୁ' ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।