Join Us To Make A Difference

The Drops💧

ନୂଆପଡା ଉପନିର୍ବାଚନ; କିଏ ଜିତିବ ବାଜି

ନୂଆପଡା ଉପନିର୍ବାଚନ; କିଏ ଜିତିବ ବାଜି
Published by:Jyotshna Kumari
#politics

ଦ କୁଇଭର ବ୍ୟୁରୋ :- ବାଜିସାରିଛି ନୂଆପଡା ଉପନିର୍ବାଚନ ବିଗୁଲ । ଜନତାଙ୍କ ଆସ୍ଥାଭାଜନ ହେବାକୁ ପାଗଭିଡା ଆରମ୍ଭ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ନୂଆପଡା ଆସନ ଜିତିବା ହେବ ଅଗ୍ନିପରୀକ୍ଷା ସଦୃଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସଙ୍କ ମଧ୍ୟରେ ହେବ ତ୍ରିକୋଣୀୟ ମୁକାବିଲା । ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଶାସକ ବିଜେପିର ଗ୍ରହଣୀୟତାର ଉତ୍ତର ଦେବ । ସେହିପରି ବିରୋଧୀ ନବୀନଙ୍କ ଲୋକପ୍ରିୟତା ଓ ଭକ୍ତ ଦାସଙ୍କ ଗ୍ରହଣୀୟତାର ପ୍ରମାଣ ସାଜିବ ନୂଆପଡା ଦଙ୍ଗଲ । ଯାହା 3 ପ୍ରମୁଖ ଦଳ ପାଇଁ ବର୍ତ୍ତମାନର ସବୁଠୁ ବଡ଼ ଆହ୍ୱାନ ।ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜ୍ୟ ରାଜନୀତିର ପାରଦ ଏବେ ଉପରମୁଁହା । ତିନି ପ୍ରମୁଖ ରାଜନୈତିକ ଦଳର ନେତୃତ୍ୱ ଏବେ ଭୋଟରଙ୍କ ମୁଡକୁ ସାମ୍ନା କରିବେ । ନୂଆପଡା ଉପନିର୍ବାଚନ ପ୍ରମୁଖ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହାର ଫଳାଫଳ ଦଳର ଲୋକପ୍ରିୟତା ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ଏହା ଭୋଟରଙ୍କୁ ଅଧିକ ଆକର୍ଷିତ କରିପାରିବ ବୋଲି ତିନି ରାଜନୈତିକ ଦଳ ମତ ରଖିଛନ୍ତି । ବିଶେଷକରି ଲୋକପ୍ରିୟତା ଆଧାରରେ ବିଜେଡି ଏଠି ଭୋଟ ହାତେଇ ଜିତିବାକୁ ଆଗ୍ରହ ରଖିଥିବା ବେଳେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢି ଲୋକଙ୍କୁ ଅନେକ ଭେଟି ଦେଇଛି ଯାହା ନୂଆପଡା ଭୋଟରଙ୍କୁ ଆକର୍ଷିତ କରିବ ବୋଲି କୁହାଯାଇପାରେ । ଏସବୁ ଭିତରେ କଂଗ୍ରେସ ମଧ୍ୟ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଏହି ଅଂଚଳରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଦବଦବା ଥିବା ଯୋଗୁ କଂଗ୍ରେସ ଲୋକଙ୍କ ଆସ୍ଥା ଜିତିବ ବୋଲି କୁହାଯାଉଛି । ସେପଟେ ଏହି ଉପନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ଶକ୍ତି ପରୀକ୍ଷାର ସମୟ ଆସିଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ତେବେ ନୂଆପଡା ବ୍ୟାଟେଲ ଉପରେ ରହିଛି ସାରା ରାଜ୍ୟବାସୀଙ୍କ ନଜର ।


ବିଜେପି, ବିଜେଡି ଏବଂ କଂଗ୍ରେସ ଭିତରେ ନୂଆପଡା ଉପନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି । ସୋମବାର ଏନେଇ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ପରେ ରାଜନୀତି ସରଗରମ ହେବାରେ ଲାଗିଛି । ତେବେ ଆଗକୁ କେଉଁ ଦୃଷ୍ଟିରୁ କେଉଁ ଦଳର ଗୁରୁତ୍ୱ ବଢିବ ଏବଂ ଜନମତ କାହା ସପକ୍ଷରେ ଯିବ ସେନେଇ ରାଜନୈତିକ ଦଳମାନଙ୍କ ଭିତରେ କଥା କଟାକଟି ଏବଂ ବିତର୍କ ଆରମ୍ଭ ହୋଇଯାଇଛି । ଦୀର୍ଘ 24 ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଦଳର ଗତଥର ନୂଆପଡା ବିଜୟୀ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଲୋକଙ୍କ ଆଶୀର୍ବାଦ ପାଇ କ୍ରମଗତ ଭାବେ ଦୁଇ ଥର (2019, 2024) ଜିତିଥିଲେ । ଯେତେବେଳେ ରାଜ୍ୟର ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡି ଅଳ୍ପକେ ବର୍ତିଥିଲା କିନ୍ତୁ ନିଜ ସ୍ଥାନ ସୁରକ୍ଷିତ ରଖିଥିଲେ ଢୋଲକିଆ । ତେବେ ଢୋଲକିଆଙ୍କ ମୃତ୍ୟୁ ପରେ ଏବେ କଂଗ୍ରେସର ଆଖି ଏହି ସିଟ ଉପରେ । କାରଣ ଉପନିର୍ବାଚନରେ ଫଳାଫଳ କମାଲ ହେବ ବୋଲି କହିଛି କଂଗ୍ରେସ ଦଳ । ସେପଟେ ଗତ ନିର୍ବାଚନରେ ଏଠାରେ 3ୟ ସ୍ଥାନରେ ଥିବା ବିଜେପି ଲୋକପ୍ରିୟ ସରକାର ଅଧାରରେ ଏହି ନିର୍ବାଚନ ବୈତରଣୀ ପାର ପାଇଁ ଲକ୍ଷ୍ୟ ରଖିଛି ।

Comments

Leave a Comment

Comments

No comments yet.

State

ବାଜି ରାଉତଙ୍କ ନାଁ'ରେ ଯୋଜନା

Blog Thumbnail

ଦ କୁଇଭର ବ୍ୟୁରୋ :- ବାଜି ରାଉତଙ୍କ ଜୀବନ ସ୍ୱଳ୍ପ । କିନ୍ତୁ ତାଙ୍କ ବୀରଗାଥା ଚିରଦିନ ପାଇଁ ପ୍ରେରଣାଦାୟୀ । ବାଜି ରାଉତଙ୍କ ସାହସ ଆମପାଇଁ ପ୍ରେରଣା ହେଉ । ବାଜି ରାଉତଙ୍କ ନାମରେ ହେବ ଯୋଜନା । ଭୁବନେଶ୍ୱରରେ ଏକ ରାସ୍ତା ନାମିତ ହେବ । ଢେଙ୍କାନାଳ ନୀଳକଣ୍ଠପୁରରେ ଅନୁଷ୍ଠିତ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୨୦ କୋଟି ଟଙ୍କାରେ ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୦ ହଜାର କୋଟିର ଶିଳ୍ପ ତଥା ୩୦ ହଜାର କୋଟିର ସୌର ଶିଳ୍ପରେ ଢେଙ୍କାନାଳ ସମୃଦ୍ଧ ହେବ ବୋଲି ସେ କହିଛନ୍ତି । ଢେଙ୍କାନାଳ ଭୁବନରେ ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁରରେ ଆୟୋଜିତ ହୋଇଛି ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହ । କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଭାରତର ଗୌରବ, ଓଡ଼ିଶାର ଗର୍ବ ସହିଦ ବାଜି ରାଉତଙ୍କ ସାହସ ଓ ତ୍ୟାଗ ଓଡ଼ିଆ ଜାତିର ବୀରତ୍ବ ବଖାଣେ । ମାତ୍ର ୧୨ ବର୍ଷ ବୟସରେ ସେ ବ୍ରିଟିଶ ଗୁଳି ଆଗରେ ଛାତି ପତେଇ ଦେଇଥିଲେ । ବାଜି ରାଉତଙ୍କ ସାହସ ଦେଶର ଯୁବଗର୍ବଙ୍କ ଆଦର୍ଶ । ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନରେ ବାଜି ରାଉତଙ୍କ ପଥ ଅନୁସରଣୀୟ । ବାଜି ରାଉତଙ୍କ ଆଦର୍ଶକୁ ଉଜ୍ଜିବିତ ରଖିବାକୁ ଭୁବନେଶ୍ବରରେ ଏକ ରାସ୍ତାକୁ ବାଜି ରାଉତଙ୍କ ନାଁ'ରେ ନାମିତ କରାଯିବ । ଏହା ସହ ବାଜି ରାଉତଙ୍କ ନାଁ'ରେ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ।ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, "୧୨ ବର୍ଷର ବାଳକର ବୀରତ୍ବ, ସାହସ ଏ ଓଡ଼ିଆ ଜାତିକୁ ଗୌରବାନ୍ବିତ କରିଛି । ପ୍ରଜାମଣ୍ଡଳ ଆନ୍ଦୋଳନ ଢେଙ୍କାନାଳର ବୀରତ୍ବ ବଖାଣେ । ଦେଶର ସ୍ବାଧୀନତା ସଂଗ୍ରାମରେ ସର୍ବାଧିକ ସଂଗ୍ରାମୀ ଓ ଯୋଗଦାନ ରହିଥିବା ରାଜ୍ୟ ଓଡ଼ିଶା । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ପ୍ରାରମ୍ଭିକ ସୂଚନା ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ଧନ୍ୟବାଦ ଦେଇଛନ୍ତି ।

National

ଏଣିକି ରୋପୱେରେ ପହଁଚିବେ ନିଜ ଗନ୍ତବ୍ୟ ସ୍ଥଳେ

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରତିଦିନ ଟ୍ରାଫିକ ସମସ୍ୟା ଭୋଗୁଛନ୍ତି କି ? ଘଣ୍ଟା ଘଣ୍ଟା ସମୟ ଟ୍ରାଫିକ ପାଇଁ ବିଳମ୍ବ ହେଉଛି କି ? ତା'ହେଲେ ଏଥର ଆଉ ଚିନ୍ତା କରନ୍ତୁନି, ଏଣିକି ଆସିଯାଇଛି ନୂଆ ସଲ୍ୟୁସନ୍..


ଏଣିକି ରୋପୱେରେ ଆପଣମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚିପାରିବେ l ପ୍ରତିଦିନ ପ୍ରାୟ ଏକ ଲକ୍ଷ ଯାତ୍ରୀ ଯା,ଆସ କରିପାରିବେ,ଆଉ ଏହା ସାରା ସହରରେ ସଂଯୋଗୀକରଣକୁ ବୃଦ୍ଧି କରିବ ବୋଲି ଏଭଳି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର l ହେଲେ ଏହା ପ୍ରାରମ୍ଭିକ ଭାବେ ଉତ୍ତରପ୍ରଦେଶର ବାରଣାସୀରୁ ଆରମ୍ଭ ହୋଇଛି l ପ୍ରାୟ ୮୧୫ କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହେବ,ପାଖାପାଖି କିଲୋମିଟର କରିଡରରେ ପାଞ୍ଚଟି ଷ୍ଟେସନ ଏବଂ ୧୪୮ ଗୋଣ୍ଡୋଲା ରହିବ l ରୋପ୍ୱେଟି ନ୍ୟାସନାଲ୍ ହାଇୱେ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ଲିମିଟେଡ୍ ଦ୍ୱାରା ବିକଶିତ ହେଉଛି, ଏହି ରୋପୱେ ପ୍ରକଳ୍ପ ବାରାଣସୀର ସହରାଞ୍ଚଳ ପରିବହନରେ ଉଲ୍ଲେଖନୀୟ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି l ପୂର୍ବରୁ, ୨୦୨୩-୨୪ ପାଇଁ ଉତ୍ତର ପ୍ରଦେଶ ବଜେଟର ରାଜ୍ୟରେ ରେଳ ଏବଂ ରୋପ୍ୱେ ସଂଯୋଗୀକରଣ ବୃଦ୍ଧି ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା l ବାରାଣସୀରେ ସାର୍ବଜନୀନ ପରିବହନ ପାଇଁ ଭାରତର ପ୍ରଥମ ରୋପୱେ ପ୍ରକଳ୍ପକୁ ବିଶେଷ ପ୍ରାଥମିକତା ଦିଆଯାଇଥିଲା,ଏବେ ଏହାର ଟ୍ରାଏଲ ରନ୍ ଚାଲିଛି l

Crime,National

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ଗିରଫ

Blog Thumbnail

ଦ କୁଇଭର ବ୍ୟୁରୋ :- ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ 4 ଅଭିଯୁକ୍ତ ଗିରଫ । ପଶ୍ଚିମ ବର୍ଦ୍ଧମାନ ପୋଲିସ ଏନେଇ ସୂଚନା ଦେଇଛି । 4 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣକୁ ଅଟକ ରଖାଯାଇଛି । ଅନ୍ୟପଟେ ଗଣଦୁଷ୍କର୍ମର ଶିକାର ହୋଇଥିବା ହୋଇଥିବା ପୀଡିତାଙ୍କ ବାପାଙ୍କ ସହିତ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାରେ 4 ଅଭିଯୁକ୍ତ ଗିରଫ । ଏନେଇ ସୂଚନା ଦେଇଛି ପଶ୍ଚିମ ବର୍ଦ୍ଧମାନ ପୋଲିସ । ପୋଲିସ କହିଛି, ‘ଏହି ଘଟଣାରେ ଆମେ 4 ଜଣଙ୍କୁ ଗିରଫ କରିଛୁ ଆଉ ଜଣଙ୍କୁ ଅଟକ ରଖିଛୁ । ସେମାନଙ୍କୁ ପଚରାଉଚରା କରାଯିବ । ଏହାଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏ ସମ୍ପର୍କରେ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ।ଗତ ଶୁକ୍ରବାର ପଶ୍ଚିମବଙ୍ଗ ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ବାଲେଶ୍ବର ଅଞ୍ଚଳର ଝିଅ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ବିଳମ୍ବିତ ରାତିରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ବାପାଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି । ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସଂପୃକ୍ତ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି, ‘ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ' । ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ପରିସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରିପାରୁଛି । ଏ ଘଡିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ।’

State

ଦିଲ୍ଲୀରୁ ଫେରିଲେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀରୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବ୍ୟକ୍ତିଗତ କାର୍ଯ୍ୟରେ ସେ ଗତ କିଛିଦିନ ଧରି ଦିଲ୍ଲୀରେ ରହିଥିଲେ । ନୂଆପଡ଼ା ଉପନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ଦଳର ଜନସମ୍ପର୍କ ପଦଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ନବୀନ ଦିଲ୍ଲୀରେ ଫେରିବା ପରେ ଏବେ ନୂଆପଡ଼ା ଉପନିର୍ବାଚନ ଓ ପଦଯାତ୍ରା କାର୍ଯ୍ୟକ୍ରମ ଆଗକୁ ସରଗରମ ହେବ l ପ୍ରାୟ ଦେଢ ମାସ ତଳେ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସ୍ ଅପରେସନରୁ ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ । କିଛି ଦିନ ଦଳୀୟ ନେତା ଓ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସେ କିଛି ଦିନ ପାଇଁ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ନିଜ ବନ୍ଧୁଙ୍କୁ ଭେଟିବା ସହ ପରିବାର ସହ ରହିଥିଲେ । ଦିଲ୍ଲୀରେ ଥିବା ସମୟରେ ସେ ବିକାନେର ହାଉସରେ ଆୟୋଜିତ ୱାଇଲ୍ଡ ଲାଇଫ ଚାରିଟି ଏକଜିବିସନ ବୁଲି ଦେଖିଥିଲେ । ଦିଲ୍ଲୀରୁ ସେ ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଦେବା ସହ ରାଜ୍ୟର ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ମଧ୍ୟ ମତ ରଖୁଥିଲେ ।

Crime

ପୀତବାସ ହତ୍ୟାକାଣ୍ଡ : ଓକିଲ ସଙ୍ଘର କ୍ୟାଣ୍ଡେଲ ଶୋଭାଯାତ୍ରା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ବୁଧବାର ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ସାରା ରାଜ୍ୟରେ ଆଇନଜୀବୀ ମାନେ ଗୋଟିଏ ଦିନ କଲମ ଛାଡ ଆନ୍ଦୋଳନ କରିଥିବା ବେଳେ ବ୍ରହ୍ମପୁରରେ ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ଏନେଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସାକ୍ଷାତ ସହିତ ସନ୍ଧ୍ୟା ସମୟରେ ସହରର ଗାନ୍ଧିନଗର ଛକରେ କ୍ୟାଣ୍ଡେଲ ଜାଳି ନୀରବ ପ୍ରତିବାଦ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ଏହାସହିତ ମୃତକ ପୀତବାସ ପଣ୍ଡାଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀଙ୍କୁ ଯଥାଶୀଘ୍ର ଧରିବାକୁ ମଧ୍ୟ ଦାବି କରାଯାଇଥିଲା । ସେପଟେ ଘଟଣାରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ନେଇ ଆଇନଜୀବୀଙ୍କୁ ଆଲୋଚନା ସମୟରେ କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ।


ବ୍ରହ୍ମପୁର ସହରରେ ଯେଉଁପରି ଭାବରେ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ଅତି ନିକଟରୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କଲେ ସେହି ଘଟଣାରେ ସଂପୃକ୍ତ ରହିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବୁଧବାର ସାରା ରାଜ୍ୟରେ ଗୋଟିଏ ଦିନ କଲମ ଛାଡ ଆନ୍ଦୋଳନକୁ ଓଲ୍ଲାଇଥିଲେ ଆଇନଜୀବୀମାନେ । ଏଭଳି ସମୟରେ ବ୍ରହ୍ମପୁର ସହରରେ ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହିତ କ୍ଷୋଭ ପ୍ରକାଶ କରି ଏକ ଶୋକସଭା କରାଯିବା ପରେ ସମସ୍ତ ଆଇନଜୀବୀ ଶୋଭାଯାତ୍ରାରେ ଯାଇ ଦକ୍ଷିଣାଞ୍ଚଳ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଇଜି ନିତି ଶେଖରଙ୍କୁ ସାକ୍ଷାତ କରିବା ସହିତ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।


ଅନ୍ୟପଟେ ବୁଧବାର ସନ୍ଧ୍ୟାରେ ଆଇନଜୀବୀମାନେ ସହରର ଗାନ୍ଧୀନଗର ଛକ ଠାରେ ସ୍ୱର୍ଗତ ବରିଷ୍ଠ ଆଇନଜୀବୀଙ୍କ ବିୟୋଗର ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଆତ୍ମର ସଦଗତି ପାଇଁ କାମନା କରିବା ସହିତ ଏହି ଘଟଣାରେ ଦୋଷୀଙ୍କୁ ଗିରଫ କରି ଦଣ୍ଡିତ କରିବା ସହିତ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କରିଥିଲେ । ଏହା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯାଇଥିଲା ।

State

କାର୍ତ୍ତିକ ଆରମ୍ଭରୁ ଆକାଶ ଛୁଆଁ ପରିବା ଦର

Blog Thumbnail

ଦ କୁଇଭର ବ୍ୟୁରୋ :- କାର୍ତ୍ତିକ ମାସ ଆରମ୍ଭରୁ ଚିନ୍ତା ବଢାଇଲାଣି ପରିବା ଦର । କାର୍ତ୍ତିକ ମାସରେ ବିଭିନ୍ନ କଞ୍ଚା ପନିପରିବାର ବେଶ୍ ଚାହିଦା ରହିଥିବା ବେଳେ ଦର ଏବେ ଆକାଶ ଛୁଆଁ ହୋଇଛି । ଧାର୍ମିକ ମାସ କାର୍ତ୍ତିକରେ ସାଧା ଖାଇବାର ପରମ୍ପରା ରହିଥିବା ବେଳେ ବର୍ଦ୍ଧିତ ପରିବା ଦର ଖାଉଟିଙ୍କ ମାସିକ ବଜେଟକୁ ବେଶ୍ ପ୍ରଭାବିତ କରିଛି । ଯେଉଁ ପରିବା ଦର ଗତକିଛି ଦିନ ପୂର୍ବରୁ ସ୍ୱାଭାବିକ ଥିଲା, ତାହା ଏବେ ବହୁ ମାତ୍ରାରେ ବୃଦ୍ଧି ପାଇଛି । ସ୍ଥିତି ଏପରି ହୋଇଛି କି ଜଣେ ସାଧାରଣ ଲୋକ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇପଡିଛି । କଟକ ଏବଂ ଭୁବନେଶ୍ବରରେ ଗତ ସପ୍ତାହ ପୂର୍ବରୁ ଯେଉଁ ପରିବା ଦର ଯେତିକି ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ କିଲୋ ପ୍ରତି 20ରୁ 30 ଟଙ୍କା ବୃଦ୍ଧି ଘଟିଛି । ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି ।ଯେଉଁ ପରିବା କିଛି ଦିନ ପୂର୍ବରୁ ସ୍ୱାଭାବିକ ଦରରେ ବିକ୍ରୟ ହେଉଥିଲା, ତାହା ଏବେ ବୃଦ୍ଧି ଘଟିଥିବାରୁ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି । ଯାହାକି ସାଧାରଣ ଲୋକର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । ପୂର୍ବରୁ ଶହେ ଦୁଇ ଶହ ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଉଥିବା ବେଳେ ଏବେ 1000ରୁ ଅଧିକ ଲାଗୁଛି । ତେବେ ସରକାର ଏହି ଉପରେ ନିୟନ୍ତ୍ରଣ ଆଣିବାକୁ ସାଧାରଣ ଖାଉଟି ଅନୁରୋଧ କରିଛନ୍ତି ।