ଦ କୁଇଭର ବ୍ୟୁରୋ :- ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ପୁଲିସ ଏସ୍ଆଇ ଚାକିରି କେଳେଙ୍କାରୀ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ,ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଛି। ଏହି ଅବସରରେ ଶୁକ୍ରବାର ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ରାଜ୍ୟ ଛାତ୍ର ବିଜେଡି ସଭାପତି ଈପ୍ସିତା ସାହୁଙ୍କ ଆହ୍ବାନରେ ଗଞ୍ଜାମ ଜିଲ୍ଲା ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ବ୍ରହ୍ମପୁର ଠାରେ ପ୍ରତିବାଦ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ବ୍ରହ୍ମପୁର ସହର ସ୍ଥିତ ରାମଲିଙ୍ଗମ ପାର୍କରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି ଖଲ୍ଲିକୋଟ କଲେଜ ଛକରେ ପହଞ୍ଚିଥିଲା,ସେଠାରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ଏହି ଅବସରରେ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ପୁଲିସ ଏସ୍ଆଇ ଚାକିରି ଜାଲିଆତି ଘଟଣାରେ ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ୧୧୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଯଦିଓ ୫ଜଣ ଦଲାଲଙ୍କୁ ଗିରଫ କରାଯାଇଛି, କିନ୍ତୁ ଏହା ପଛରେ ଥିବା ମୁଖ୍ୟ ଅଭିଯୁକ୍ତମାନେ ଏବେ ବି ଖୁଲମଖୁଲା ବୁଲୁଛନ୍ତି। ମୁଖ୍ୟ ଅଭିଯୁକ୍ତ ଭାବେ ଫେରାର୍ ଥିବା ଶଙ୍କର ପୃଷ୍ଟିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି, ଯାହା ସ୍ପଷ୍ଟ କରୁଛି,ଯେ ବିଜେପି ସରକାର ଏହି ଜାଲିଆତି ଘଟଣାରେ ସମ୍ପୃକ୍ତ ରହିଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିକ୍ଷୋଭକାରୀମାନେ ରାଜରାସ୍ତାରେ ଗର୍ଜନ କରିବା ସହ ଦାବି କରିଥିଲେ । ଏପରି କରି ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦେଉଥିବା ଅଭିଯୋଗ କରି ଛାତ୍ର ଓ ଯୁବ ବିଜେଡି ନେତାମାନେ ଭୀଷଣ ବର୍ଷିଥିଲେ | ବିକ୍ଷୋଭ ବେଳେ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ସୁବାସ ବେହେରା, ପୂର୍ଣଚନ୍ଦ୍ର ସ୍ବାଇଁ, ମେୟର୍ ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ.ବିବେକ ରେଡ଼ୀ, ଦେବାନନ୍ଦ ମହାପାତ୍ର, ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ଛାତ୍ର ବିଜେଡି ଜୋନ୍ ସଭାପତି ଜ୍ୟୋତିରଞ୍ଜନ ସାହୁ, ଜିଲ୍ଲା ସୋସିଆଲ ମିଡିଆ କୋର୍ଡିନେଟର୍ ଦୁର୍ଗାପ୍ରସାଦ ପଣ୍ଡା, ଅଜୟ ମହାରଣା, ନଚିକେତା ସ୍ବାଇଁ, ଦୁର୍ଗା ନାୟକ, ଜିଲ୍ଲା ଯୁବ ସଭାପତି ଭବାନୀ ସାହୁ, ବ୍ରହ୍ମପୁର ଯୁବ ସଭାପତି ଅଜିତ ପଣ୍ଡା, ବ୍ରହ୍ମପୁର ଛାତ୍ର ସଭାପତି ଶୋଭନ ନାୟକଙ୍କ ସମେତ ବହୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ ଓ ନେତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l