ଭୁବନେଶ୍ୱର(ଦ କୁଇଭର): ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୂଜାତା ଆର କାର୍ତ୍ତିକେୟନଙ୍କୁ କୈଫିୟତ ମାଗିବେ ସରକାର । ବିଜେଡି ସରକାର ସମୟରେ କରିଥିବା କାରନାମା ପାଇଁ ତାଙ୍କୁ କୈଫିୟତ ମଗାଯିବ । ସେଥିପାଇଁ ପ୍ରସ୍ତୁତି ଚାଲିଛି । ସୁଜାତାଙ୍କ ବିରୋଧରେ ଥିବା ଅଭିଯୋଗକୁ ସବୁ ଏବେ ଦରାଣ୍ଡୁଛି ସାଧାରଣ ପ୍ରଶାସନ ବିଭାଗ । କେଉଁ ଅଭିଯୋଗ ଉପରେ କି ପ୍ରକାର କୈଫିୟତ ମଗାଯିବ ସେହି ନୋଟ ପ୍ରସ୍ତୁତି ଚାଲିଲାଣି । ଖୁବଶୀଘ୍ର ସୁଜାତାଙ୍କ ପାଖରେ କାଳେ ପହଞ୍ଚିବ କୈଫିୟତ ଚିଠି । ଯଦି ଏହାର ସନ୍ତୋଷଜନକ ଉତ୍ତର ଦେଇ ନପାରିବେ, ତେବେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଛି ।
ସୁଜାତାଙ୍କ ବିରୋଧରେ ନିର୍ବାଚନ ପୂର୍ବରୁ ଆସିଥିଲା ସାଂଘାତିକ ଅଭିଯୋଗ । ମିଶନଶକ୍ତି ବିଭାଗର ସଚିବ ତଥା ଜଣେ ସରକାରୀ ଅଧିକାରୀ ହୋଇ ରାଜନୈତିକ ଦଳ ପାଇଁ କାମ କରୁଥିବା କୁହାଯାଇଥିଲା । ବିଜେଡି ପାଇଁ ଭୋଟ ବ୍ୟାଙ୍କ ସେ ସଜାଡ଼ୁଥିଲେ । ମହିଳା ଗୋଷ୍ଠୀଙ୍କୁ ପ୍ରଭାବିତ କରି ବିଜେଡିକୁ ଭୋଟ ଦେବା ପାଇଁ କାମ କରୁଥିଲେ । ମହିଳା ଗୋଷ୍ଠୀଙ୍କ ପାଣ୍ଠି ପରିଚାଳନା ଉପରେ ବି ସେ କାଳେ ନିୟନ୍ତ୍ରଣ ରଖିଥିବା ଭଳି ଗୁରୁତର ଅଭିଯୋଗ ହୋଇଥିଲା । ବିରୋଧୀ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ତକ୍ରାଳ ପଦକ୍ଷେପ ନିଆଯାଇଥିଲା । କମିଶନ କିଛି ପ୍ରମାଣ ପାଇବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ସୁଜାତାଙ୍କୁ କମିଶନଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟ ସରକାର ମିଶନଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଜନସାଧାରଣଙ୍କ ସହ ସମ୍ପର୍କ ଥିବା କୌଣସି ଦାୟିତ୍ୱ ତାଙ୍କ ଉପରେ ରଖା ନଯିବାକୁ କମିଶନ ବାରଣ କରିଥିଲେ । ଫଳରେ ତାଙ୍କୁ ସ୍ୱତନ୍ତ୍ର ସଚିବ ଭାବେ ବସାଯାଇଥିଲା । ଏହାପରେ ବିଜେଡି ହାରିଥିଲା । ବିଜେଡି ହାରିବା ପରେ ତକ୍ରାଳ ସୁଜାତା ଛୁଟିରେ ଚାଲିଯାଇଥିଲେ । ୬ମାସ ଛୁଟିରେ ରହିବା ପରେ ପୁଣି ଛୁଟି ବୃଦ୍ଧି କରିବାକୁ ଆବେଦନ କରିଥିଲେ । ମାତ୍ର ସରକାର ଅଗ୍ରାହ୍ୟ କରି କାର୍ଯ୍ୟରେ ଯୋଗଦେବାକୁ ନିଦେ୍ର୍ଦଶ ଦେଇଥିଲେ । ଏବେ ସେ ଅର୍ଥ ବିଭାଗରେ ଯୋଗ ଦେଇଛନ୍ତି ।
ନିର୍ବାଚନ ବେଳେ ବିବାଦୀୟ ହୋଇଥିବା ଅନେକ ଆଇଏଏସ ଓ ଆଇପିଏସଙ୍କୁ ବିଜେପି ସରକାର ବିଭିନ୍ନ ସ୍ଥାନକୁ ବଦଳି କରିଦେଇଛନ୍ତି । ଏପରିକି ନିର୍ବାଚନ କମିଶନଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନର ଶୀକାର ହୋଇଥିବା ଆଇପିଏସ ଅଫିସର ଡିଏସ କୁଟ୍ଟେ ଓ ଆଶୀଷ ସିଂଙ୍କୁ ମଧ୍ୟ ମୋହନ ସରକାର କାରଣ ଦର୍ଶାଅ ନୋଟିସ ଦେଇଛନ୍ତି । ଏହି ନୋଟିସର ଜବାବ ଉପରେ ସରକାର ଏପର୍ଯ୍ୟନ୍ତ କିଛି କରି ନାହାନ୍ତି । ସୁଜାତା ଛୁଟିରେ ଥିବାରୁ ତାଙ୍କ ଉପରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିନଥିଲେ । ଏବେ ସୁଜାତା ଆସିବା ପରେ ପ୍ରଥମେ ତାଙ୍କୁ କୈଫିୟତ ମଗାଯିବ ଓ ପରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇ ପାରେ ବୋଲି କୁହାଯାଉଛି । ଜିଏ ପକ୍ଷରୁ ଏନେଇ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଦେଖାଯାଉ ସରକାର ସୁଜାତାଙ୍କୁ କି କୈଫିୟତ ମାଗୁଛନ୍ତି ଓ କି ପଦକ୍ଷେପ ନେଉଛନ୍ତି?