ବ୍ରଜରାଜନଗର(ଦ କୁଇଭର): ବେଦାନ୍ତର ଫ୍ଲାଏ ଆସ ଯନ୍ତ୍ରଣା କମିବ କ’ଣ ଦିନକୁ ଦିନ ବଢ଼ୁଛି । ମନ୍ତ୍ରୀ ବେଦାନ୍ତ ଠାରୁ ଟଙ୍କା ଗିଳିଦେଇ ପାର । ଏପଟେ ଲୋକେ ଖାଉଛନ୍ତି ବେଦାନ୍ତ ପାଉଁଶର ବିଷ । ଚାଷ ଠୁ ପାଣି ଉତ୍ସ, ଗଛ ଠୁ ପନିପରିବା, ସବୁଠି ଫ୍ଲାଏ ଆସ ବୁଡ଼ି ଯାଉଛି । ପ୍ରତି ମୁହୂର୍ତ୍ତରେ ବିଷ ପିଉଛନ୍ତି ଲୋକେ । ହେଲେ ସରକାରଙ୍କର ନିଘା ନାହିଁ । ରାଜସ୍ୱମନ୍ତ୍ରୀଙ୍କ ବିରୋଧରେ ବେଦାନ୍ତ ପାଉଁଶ ପାଇଁ ୧୦୦ କୋଟିର ଡିଲ ନେଇ ଅଭିଯୋଗ ହେବା ପରେ ବେଶ ତୁମ୍ବି ତୁଫାନ ହେଲା । ବୈଠକ ହେଲା । ମାତ୍ର ସ୍ଥିତି ବଦଳିବ କ’ଣ, ଏବେ ବେଦାନ୍ତ ଯେଉଁଠି ଇଚ୍ଛା ସେଠି ପକାଉଛି ପାଉଁଶ । ଲୋକେ ତ୍ରାହି ତ୍ରାହି ଡାକିଲେଣି ।
କୁଇଭର ଟିମ ପହଞ୍ଚିଥିଲା ବେଦାନ୍ତ ଆସପଣ୍ଡ ନିକଟସ୍ଥ ଅଞ୍ଚଳରେ । ବେଦାନ୍ତର ଆସପଣ୍ଡ ନଂ-୨କୁ ଲାଗି ରହିଥିବା କୁରିଇବାଗା ଗାଁରେ ପହଞ୍ଚି ଗ୍ରାଉଣ୍ଡ ଜିରୋ ସ୍ଥିତି ତଦାରଖ କରିଥିଲା । ନିକଟରେ ଫ୍ଲାଏ ଆସ ନିୟନ୍ତ୍ରଣ କରିବାକୁ ରାଜ୍ୟର କାଢ଼ୁଆ ମନ୍ତ୍ରୀ ସୁରେଶ ପୂଜାରୀ ଆରଡିସି ସ୍ତରରେ ବୈଠକ କରି ନିଦେ୍ର୍ଦଶ ଦେଇଥିଲେ । ମାତ୍ର କେହି ବି ଶୁଣୁ ନହାନ୍ତି । ଝାରସୁଗୁଡ଼ା ଜିଲ୍ଲାପାଳ ତ ନୀରବ ବସିଛନ୍ତି । କାରଣ ବେଦାନ୍ତ ସହ କାଳେ ମନ୍ତ୍ରୀ ସୁରେଶଙ୍କର ବଡ଼ ଡିଲ ହୋଇଛି । ଆସନ୍ତା ୫ବର୍ଷ ପାଇଁ ମନଇଚ୍ଛା ଫ୍ଲାଏ ଆସ ପକାଇବାକୁ ଶହେ କୋଟିର ମୂଲଚାଲ ଛିଣ୍ଡି ଅଗ୍ରୀମ ବି କାରବାର ହୋଇଛି । ଏହାପରେ ସୁରେଶଙ୍କ ବନ୍ଧୁ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ଦ୍ୱାରା ପରିଚାଳିତ କଲ୍ୟାଣୀ ଟ୍ରାନ୍ସପୋର୍ଟ ଜରିଆରେ ପାଉଁଶ ଫିଙ୍ଗା ଚାଲିଛି ।
ପାଉଁଶ ଆସପଣ୍ଡ ବ୍ୟତୀତ ଅନ୍ୟ କୌଣସି ଠାରେ ପଡ଼ିବ ନାହିଁ ଯଦି ପଡ଼ିବ, ପ୍ରଶାସନ କଡ଼ା ପଦକ୍ଷେପ ନେବ ବୋଲି କହିଥିଲେ ମନ୍ତ୍ରୀ ମହାଶୟ । ହେଲେ କାହିଁ? ବୈଠକ ପରେ ସମସ୍ତେ ନୀରବ । ହେଲେ ବେଦାନ୍ତ ତାର ପାଉଁଶ ଫିଙ୍ଗା ବନ୍ଦ କରୁନାହିଁ । ଏବେ ଆସପଣ୍ଡ ବାହାରେ ପ୍ରତିଦିନ ଶହଶହ ଟନ ପାଉଁଶ ଫିଙ୍ଗା ଯାଉଛି । ଯାହାକୁ ନେଇ ଲୋକେ କିଲବିଲ ହେଲେଣି । ପ୍ରତିକ୍ରିୟା ବି ପ୍ରକାଶ କଲେଣି ।
ଶୁଣୁଛନ୍ତି ଓ ଦେଖୁଛନ୍ତି ତ ଫ୍ଲାଏ ଆସ କିପରି ଭୟଙ୍କର ସ୍ଥିତି କରିଛି । ହେଲେ ଏଥିପ୍ରତି ଆଦୌ ନିଘା ନାହିଁ ମନ୍ତ୍ରୀ ଏବଂ ବିଧାୟକ ମାନଙ୍କର । ବିଧାନସଭା ନାମରେ ରାଜଧାନୀର ଏସି କୋଠରୀରେ ବସିଛନ୍ତି ନେତାମାନେ । ସେପଟେ ମରୁଛନ୍ତି ଗାଁ ଗଣ୍ଡାର ଲୋକେ । ଯାହାକୁ ନେଇ ବଢ଼ୁଛି ଅସନ୍ତୋଷ । ଦେଖାଯାଉ ମୋହନ ସରକାର ଏପରି ପାଉଁଶ ଦୁର୍ନୀତିକୁ ଧରି ପାରୁଛନ୍ତି ନା ସୁରେଶଙ୍କ ଚାପରେ ପ୍ରଦୂଷଣକୁ ଘୋର ବିରୋଧ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚୁପ ରହୁଛନ୍ତି?