ଭୁବନେଶ୍ୱର(ଦ କୁଇଭର): ସବୁ ଥାଇ ବି ଓଡ଼ିଶା ଗରିବ । ଆଉ ଏହି ସ୍ଥିତିକୁ ଆହୁରି ବିଦ୍ରୁପ କରୁଛନ୍ତି ଆମ ସରକାର । ନବୀନ କରୁଥିଲେ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି କରୁଛନ୍ତି । ଦେଖାଇ ଦେଉଛନ୍ତି ସମ୍ପଦ ଭରା ଓଡ଼ିଶାର ଅପାରଗ ନେତୃତ୍ୱ । ଚାରିଆଡ଼େ ବୁଲି ବୁଲି ଶିଳ୍ପ ପାଇଁ ଭିକ ମାଗୁଛନ୍ତି । ଶିଳ୍ପ ପ୍ରତିଷ୍ଠା ଓ ପରିଚାଳନା ଦିଗରେ ସୁଯୋଗ ସୃଷ୍ଟି କରିପାରୁ ନଥିବାରୁ ନବୀନ ବି ଫେଲ ମାରିଥିଲେ ଅ୍ଧମ ଏବେ ମୋହନ ବି ଦେଖାଇ ପାରୁ ନାହାନ୍ତି ପାରିବା ପଣିଆ । ତଥାପି ପାରିବା ପଣିଆ ଦେଖାଇବାକୁ ଦରାଣ୍ଡି ହେଉଛନ୍ତି । ଘରେ ବ୍ୟବସ୍ଥା ନକରି କେବଳ ଅତିଥିଙ୍କୁ ଡାକିବା ହିଁ ଓଡ଼ିଶାକୁ ବିଶ୍ୱ ଦରବାରରେ ସମାଲୋଚିତ କରୁଛି ।
ଏକଥା ଆମେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରୀ ଟିମର ଶିଳ୍ପପତିଙ୍କୁ ଡାକିବା କାର୍ଯ୍ୟକ୍ରମକୁ ନେଇ କହୁଛୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି । ସେଠାରେ ନିବେଶକ ସମ୍ମିଳନୀ କରିବେ । ବଡ଼ ବଡ଼ ଶିଳ୍ପପତି ମାନଙ୍କ ସହ ଭେଟି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଦେବେ । ସେମାନଙ୍କୁ ସବୁ ପ୍ରତିଶୃତି ଦେବେ । ସହଯୋଗର ଲମ୍ବା ଚିଠା ବି ଦେଖାଇବେ । ଆଉ ସେଠାରୁ ଫେରି ଆମେ ଏତେ ଲକ୍ଷ କୋଟିର ପୁଞ୍ଜି ଆଣିବାକୁ ବ୍ୟବସ୍ଥା କଲୁ ବୋଲି ବି କହିବେ ।
ଏପରି ସମ୍ମିଳନୀ ନୂଆ ନୁହେଁ କି ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀ ପରିଷଦର ଭାଷଣବାଜି ନୂଆ ନୁହେଁ । ହେଲେ ମୁଖ୍ୟମନ୍ତ୍ରୀ ବା ରାଜ୍ୟ ସରକାର କେବେ ସମୀକ୍ଷା କରିଛନ୍ତି କି, ବାରମ୍ବାର ନିମୟନ୍ତ୍ରଣ ପରେ ଶିଳ୍ପସଂସ୍ଥା କାହିଁକି ଆସୁନାହାନ୍ତି? ଯିଏ ଆସୁଛନ୍ତି କିଛିଦିନ ପରେ ପଳାଇ ଯାଉଛନ୍ତି କାହିଁକି? ଏକଥାକୁ ତର୍ଜମା ନକରି କେବଳ ନିବେଶକ ଓ ଶିଳ୍ପପତି ସମ୍ମିଳନୀ କରିବା ରାଜ୍ୟକୁ ବିଶ୍ୱ ଦରବାରରେ ଲୋକହସା କରାଇବା ସହ ନିଜକୁ ଅପାରଗ ଦେଖାଇବା ନୁହେଁ କି?
ଏପରି ଶଳ୍ପପତି ବା ନିବେଶକ ସମ୍ମିଳନୀ ବହୁ ବର୍ଷରୁ ଚାଲି ଆସିଛି । ମୋହନ କେବଳ ନୁହନ୍ତି, ପୂର୍ବରୁ ନବୀନ ପଟ୍ଟନାୟକ ବି ଅନେକ ସ୍ଥାନ ବୁଲିଛନ୍ତି । ୨୦୨୩ ଏପ୍ରିଲରେ ସିଙ୍ଗାପୁର ଯାଇ ସମ୍ମିଳନୀ କରିଥିଲେ ନବୀନ । ସେଠାରୁ ଫେରିବା ପରେ ପୁଞ୍ଜି ନିବେଶର ଲମ୍ବା ତାଲିକା ଦେଇଥିଲେ । ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ବିମାନ ସଂଯୋଗ ପାଇଁ ବି ପଦକ୍ଷେପ ନେଇଥିଲେ । ହେଲେ ଆସିଲେ କି ଗୋଟିଏ ହେଲେ ଶିଳ୍ପ? କେବଳ ସେତିକି ନୁହେଁ, ନବୀନ ସରକାର ରାଜ୍ୟ ଭିତରେ ଓଡ଼ିଶା କନକ୍ଲେଭ କଲେ । ଭାରତ ଓ ଭାରତ ବାହାରେ ଅନେକ ନିବେଶକ ସମ୍ମିଳନୀ ଓ ଶିଳ୍ପ ମୁଖ୍ୟମାନଙ୍କ ସହ ବୈଠକ କଲେ । ରୋଡ଼ ସୋ ବି କଲେ । ହେଲେ ଫଳ?
ନବୀନଙ୍କ ପରେ ୬ମାସର ସରକାର ୭ଥର ଏପରି ସମ୍ମିଳନୀ କରିସାରିଲେଣି । ଅନେକ ଶିଳ୍ପପତିଙ୍କ ସହ ୱାନ ଟୁ ୱାନ କଥା ହୋଇଛନ୍ତି । ଏହାପରେ ରାଜ୍ୟକୁ ଶିଳ୍ପ ଆସିବ କ’ଣ ନିପୁନ, ଜେଏସଡବ୍ଲୁ୍ୟ ଭଳି ସଂସ୍ଥା ରାଜ୍ୟ ଛାଡ଼ି ପଳାଇବାକୁ ବସିଲେଣି । ପୂର୍ବରୁ ପୋସ୍କୋ, ମିତଲ ଭଳି ସଂସ୍ଥା ଆସି ଫେରି ଯାଇଛନ୍ତି । ଅନେକ ଶିଳ୍ପସଂସ୍ଥା ଶିଳ୍ପ ପ୍ରତିଷ୍ଠା କରିବାକୁ ଆସିଛନ୍ତି ଓ ଚୁକ୍ତି ବି କରିଛନ୍ତି, ହେଲେ ସୁଯୋଗ ନମିଳିବାରୁ ଛାଡ଼ି ଚାଲିଯାଇଛନ୍ତି । ରାଜ୍ୟରେ ଭିତ୍ତିଭୂମି ପ୍ରସ୍ତୁତ ନକରି ମୁଖ୍ୟମନ୍ତ୍ରୀ ଓ ସରକାରୀ ବାବୁମାନେ ଶିଳ୍ପପତି ସମ୍ମିଳନୀ କରିବା କେତେଦୂର ଯଥାର୍ଥ? ଏ ପ୍ରଶ୍ନ ଆଗକୁ ବଢ଼ିବ । ଦେଖାଯାଉ ମୋହନଙ୍କ ଏଥର ସିଙ୍ଗାପୁର ଗସ୍ତ କି ଫଳ ଦେଉଛି ।