ଭୁବନେଶ୍ୱର(ଦ କୁଇଭର): ହରିଆଣାରେ କଂଗ୍ରେସର ସମ୍ଭାବ୍ୟ ବିଜୟକୁ ନେଇ ବେଶ ଉତ୍ସାହୀ ହୋଇପଡ଼ିଥିବା ବିଜେଡି ଓ ଆପ୍କୁ ଝଟକା ଲାଗିଛି । କଂଗ୍ରେସ ଆଡ଼କୁ ଆଉଜୁଥିବା ବିଜେଡିର ଥିବା ବଡ଼ ଆଶା ମଉଳି ଯାଇଛି । ହରିଆଣାରେ ବିଜେପି ସବୁ ଗଣିତକୁ ଭୁଲ କରିଦେବା ପରେ ଏବେ ବିଜେଡି ସମେତ ବିଜେପିର ସମସ୍ତ ବିରୋଧୀ ଦଳ ଚିନ୍ତାରେ ପଡ଼ିଛନ୍ତି । ଏବେ ପୁଣି ଥରେ ରାହୁଲଙ୍କ ପ୍ରତି ଆସ୍ଥା ଆସୁନଥିବା କଥାକୁ ବି ସ୍ପଷ୍ଟ କରୁଛି । ରାହୁଲଙ୍କ ପ୍ରତି ଆସ୍ଥା ଦେଖାଉଥିବା ବିଭିନ୍ନ ଆଞ୍ଚିଳକ ଦଳ ଗୁଡ଼ିକ ବି ଏବେ ତାଙ୍କ ସ୍ଥିତିକୁ ନେଇ ସମୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି ।
ହରିଆଣା ଓ ଜମ୍ମୁ ଓ କାଶ୍ମୀର ଭୋଟ ପରେ ଏକଜିଟ ପୋଲ ଆସିଥିଲା । ସମସ୍ତ ଏକଜିଟ ପୋଲରେ ଉଭୟ ରାଜ୍ୟରେ କଂଗ୍ରେସ ବା କଂଗ୍ରେସ ସମର୍ଥନରେ ସରକାର ହେବ ବୋଲି କୁହାଗଲା । ଏହାକୁ ନେଇ କେବଳ କଂଗ୍ରେସ ଉତ୍ସାହୀ ନଥିଲା, ବରଂ ବିଜେପି ବିରୋଧରେ ଥିବା ବିଜେଡି, ଆପ, ତୃଣମୂଳ କଂଗ୍ରେସ ସମେତ ବହୁ ଦଳ ବେଶ ତତ୍ପର ହୋଇ ପଡ଼ିଥିଲେ । ମୋଦିଙ୍କ ବିରୋଧରେ ରାହୁଲଙ୍କ ପ୍ରତି ଆସ୍ଥା ବଢ଼ାଇଥିଲେ । ରାହୁଲଙ୍କୁ ନେଇ ମୋଦି ବିରୋଧୀ ଆଭିମୁଖ୍ୟ ଚଳାଇବାକୁ ବି ଯୋଜନା ଚାଲିଥିଲା । ହେଲେ ଏବେ ସବୁ ଯୋଜନାକୁ ଧକ୍କା ଲାଗିଛି ।
ଓଡ଼ିଶା ସ୍ଥିତିକୁ ଦେଖିଲେ, ବିଜେଡିକୁ ବଡ଼ ଝଟକା ଲାଗିଛି । ବିଜେଡି ଲୋକସଭାରେ ଶୂନ ହୋଇଯାଇଛି । ରାଜ୍ୟସଭାରୁ ସଭ୍ୟମାନେ ଦଳ ଛାଡ଼ି ପଳାଉଛନ୍ତି । ବିଧାନସଭାରେ ଦଳ କେବଳ ବିରୋଧ କରୁଛି । ବିଜେଡି ସରକାରର ଦୁର୍ନୀତି ପଦାକୁ ଆସିବାରେ ଲାଗିଛି । ଏହାକୁ ନେଇ ବିଜେଡି ଚିନ୍ତାରେ ରହିଛି । ବିଜେଡିର ଦୁର୍ନୀତିକୁ ଯଦି ମୋଦି ଖୋଳିବା ଆରମ୍ଭ କରିବେ, ତେବେ ନବୀନଙ୍କ ସମତେ ବହୁ ନେତା ଭିତରକୁ ଚାଲିଯିବେ । ସେଥିପାଇଁ ବିଜେପି ଆକ୍ରୋଶରୁ ରକ୍ଷା ପାଇବା ପାଇଁ କେନ୍ଦ୍ରରେ ଶକ୍ତ ବିରୋଧୀ ଥିବା ଇଣ୍ଡି ମେଣ୍ଟ ଆଡ଼କୁ ହାତ ବଢ଼ାଉଥିଲା ବିଜେଡି । ଏକଥା ବିଜେଡିର ନେତାମାନେ ବି କହି ସାରିଛନ୍ତି । ହେଲେ ସବୁ ଗଣିତ ମାଡ଼ ଖାଇଗଲା । ହରିଆଣାରେ କଂଗ୍ରେସ ଆସିପାରିବ ନାହିଁ ବୋଲି ଧିରେ ଧିରେ ସ୍ପଷ୍ଟ ହେଉଛି । କେବଳ ସେତିକି ନୁହେଁ, ଜମ୍ମୁ ଓ କାଶ୍ମୀରରେ ଫାରୁକ ଅବଦୁଳ୍ଲାଙ୍କ ଦଳ ସରକାର ଗଠନ ଆଡ଼କୁ ଆଗଉଛି । ସେଠାରେ ବିଜେପି ଦୃଢ଼ ବିରୋଧୀ ଭାବେ ଛିଡ଼ା ହୋଇଛି । କୌଣସି ସ୍ଥିତିରେ ବିଜେପି ପଛକୁ ଗଲା ନାହିଁ ।
ବିଜେପି ହରିଆଣାକୁ ହାତରେ ରଖିବାରେ ସକ୍ଷମ ହୋଇଥିବା ବେଳେ ଜମ୍ମୁରେ ବିରୋଧୀ ଆସନରେ ବସିଲା । ଏହାଦ୍ୱାରା ଅନେକ ଅଭିବୃଦ୍ଧି କରିଛି ବିଜେପି । କଂଗ୍ରେସ ଦୁଇଟି ରାଜ୍ୟରେ ନିରାସ ହେବା ପରେ ଏବେ ରାହୁଲଙ୍କ ନେତୃତ୍ୱ ନେଇ ବି ପ୍ରଶ୍ନ ଉଠିଛି । ସବୁଠାରୁ ବଡ଼ କଥା ହେଉଛି ରାହୁଲଙ୍କ ଉପରେ ଭରସା କରୁଥିବା ବିଜେଡି ଭଳି ଆପ ଓ ଟିଏମସି ଭଳି ଦଳ ଗୁଡ଼ିକୁ ଝଟକା ଲାଗିଛି । ଦେଖାଯାଉ ଏପରି ଦଳ ତାଙ୍କର ଆଗାମୀ ଆଭିମୁଖ୍ୟକୁ କେଉଁ ଦିଗକୁ ନେଉଛନ୍ତି?
No comments yet.
Farming,State
ଦ କୁଇଭର ବ୍ୟୁରୋ :- ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ, ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ପଡ଼ି ସୁନାର ଫସଲ ବରବାଦ୍ ହୋଇଛି। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଆପଣ ଯୁଆଡ଼େ ଯାଆନ୍ତୁ ବିଲ ବାଡ଼ିରେ ବତୁରି ଯାଇଛି କଟା ହୋଇଥିବା ଧାନ। ୨ ଦିନର କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ଚାଷୀର ଭାତ ହାଣ୍ଡିକୁ ଉଜାଡ଼ି ଦେବା ପରେ ଏବେ ବୁଦ୍ଧିଶୂନ୍ୟ ହୋଇପଡ଼ିଛନ୍ତି ଚାଷୀକୂଳ। ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ,କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ,ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା। ପୂର୍ବ ଓଡ଼ିଶା ଭଳି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ଚାଷୀ ବି ସୁରକ୍ଷା ଦେଇ ପାରିନି ଫସଲକୁ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ହେଉ କିମ୍ବା ଗଜପତି ଜିଲ୍ଲା ମୋହନା। ସବୁଠି ଅମଳ ଧାନ କ୍ଷେତ ମଝିରେ ଗଜା ହେବା ସୁନିଶ୍ଚିତ।
State
ଦ କୁଇଭର ବ୍ୟୁରୋ :- କ୍ୟାଲେଣ୍ଡର ବର୍ଷ-୨୦୨୪ ସରିସରି ଆସୁଛି। ବର୍ଷ ଶେଷ ହେଉଥିବାରୁ ଯୁବପିଢ଼ି ଏକ ପ୍ରକାର ଉତ୍ସାହିତ ଲୟରେ ଦେଖାଯାଉଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। ବର୍ଷର ଅନ୍ତିମ ସପ୍ତାହରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଅଧିକ ଭିଡ଼ ରହିପାରେ। ମନ୍ଦିର, ପାହାଡ଼ ନିକଟରେ ଥିବା ଜଳପ୍ରପାତ, ବେଳାଭୂମି ନିକଟ ଝାଉଁବଣ, ନଦୀ-ନାଳକୂଳରେ ଭୋଜିର ଆସର ଅଧିକ ଜମିବ। ସବୁଠାରୁ ବର୍ଷର ଶେଷ ରାତିରେ ଓ ନୂଆବର୍ଷର ପ୍ରଥମ ରାତିରେ ଜୋରଦାର ଉତ୍ସବ ପାଳନ ହେବ। ଜିରୋ ନାଇଟ୍ ଭାବେ ଅଧିକ ଜଣାଶୁଣା ଏହି ମୁହୂର୍ତ୍ତ ତଥା ୨୦୨୫ ଜାନୁଆରି ୧ ତାରିଖ ରାତି ୧୨ଟା ପରଠାରୁ ବିଳମ୍ବିତ ସମୟ ଯାଏଁ ଯୁବପିଢ଼ି ଅଧିକ ଉତ୍ସାହିତ ହେବେ। ଗ୍ରାମାଞ୍ଚଳ ତୁଳନାରେ ସହରିଆ ଲୋକେ ଅଧିକ ମଜାମସ୍ତି କରିବେ। ଆସନ୍ତା ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର ବୋଲି କୁହାଯାଇଛି। ଅବକାରୀ ବିଭାଗର ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବକାରୀ କମିସନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି।ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଏବେ ଠାରୁ ବଡ଼ବଡ଼ ହୋଟେଲ, ରେଷ୍ଟୁରାଣ୍ଟ, ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗନ୍ତୁକମାନଙ୍କ ପାଇଁ ହୋଟେଲଗୁଡ଼ିକରେ ପ୍ୟାକେଜ୍ ବ୍ୟବସ୍ଥା ହୋଇଛି। ଇଭେଣ୍ଟ୍ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ଜିରୋନାଇଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୂଆବର୍ଷରେ ନିଶା କାରବାର ଅଧିକ ହୋଇପାରେ। ତେବେ ଏସବୁକୁ ଦୃଷ୍ଟିରେ ରଖି ସରକାର କଟକଣା ଲଗାଇଛନ୍ତି। ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗ କଟକଣା ଲାଗୁ କରିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର ବୋଲି କୁହାଯାଇଛି। ଅବକାରୀ ବିଭାଗର ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବକାରୀ କମିସନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି।
Education,State,Shree Jagannath
ପୁରୀ( ଦ କୁଇଭର ):- ସ୍କୁଲରେ ପାଠ ପଢ଼ା ନୁହେଁ, ଚାଲିଛି ତାମସା । ଏହି ତାମସା କରୁଛନ୍ତି ବିଜେଡି ଓ ବିଜେପିର ସମର୍ଥକ ନେତା ମାନେ । ପାଠପଢ଼ା ପରିବେଶକୁ ଭାଙ୍ଗି, କିଏ ଅଖାଡା ଶାଳ କଲାଣି ତ, ଆଉ କିଏ ? ନିଜ ଜାଗୀର ଭାବି ସ୍କୁଲ ଭିତରେ ହସ୍ତକ୍ଷେପ କଲାଣି । ଏମିତିକି ସ୍କୁଲ ପିଲାଙ୍କ ଜୀବନ ସୁରକ୍ଷା ପାଇଁ ତିଆରି ହୋଇଥିବା ପାଚେରୀକୁ, ରାଜନୈତିକ ସମର୍ଥକ ମାନେ ଭାଙ୍ଗି ଗଦା କରିଦେଇଛନ୍ତି । ଏତେ ଅକ୍ରଶ ଯେ ଏମାନଙ୍କର ପିଲାମାନଙ୍କ ସୁରକ୍ଷା କଥା ଏମାନେ ଭୁଲି ଯାଇଛନ୍ତି ।
ଏବେଆସିବା ପ୍ରସଙ୍ଗକୁ, ପୁରୀ ଜିଲ୍ଲା କଣାସ ବ୍ଲକ ବଳଭଦ୍ରପୁର ପଞ୍ଚାୟତର ଗୌଡ଼ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର । ବିଦ୍ୟାଳୟ ପରିସରରେ ଅଙ୍ଗନୱାଡି କେନ୍ଦ୍ର ବି ଅଛି । ୩, ୪ ବର୍ଷର ପିଲାମାନେ ବି ସେଠାକୁ ଆସୁଛନ୍ତି । ସ୍କୁଲର ପଛପଟେ ଅଛି ମନ୍ଦାକିନି ନଦୀ, ସାମ୍ନାରେ ଅଛି ୩୦ ଫୁଟ ଗଭୀରରେ ଏକ ବଡ଼ ପୋଖରୀ ଆଉ ବିଦୁତ ଟ୍ରାନ୍ସଫର୍ମା । ଯାହା ପ୍ରତିମୁହୂର୍ତ୍ତରେ ପିଲାଙ୍କ ଜୀବନକୁ ବିପର୍ଣ୍ଣ କରୁଛି । ଏଭଳି ସ୍ଥିତିରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରୀ ବାବୁ ମାନେ ତ ଚିନ୍ତା କଲେନି, କୌଣସି ପ୍ରକାରେ ସ୍କୁଲ ପାଣ୍ଠିରୁ ପ୍ରଧାନ ଶିକ୍ଷକ ତିଆରି କରିଥିଲେ ଏକ ପାଚେରୀ । ହେଲେ ଏଠି ପିଲାଙ୍କ ସୁରକ୍ଷା ନୁହେଁ, ସ୍କୁଲର ପାଠପଢ଼ା ପରିବେଶ ନୁହେଁ, ଏହି ଅଞ୍ଚଳର ବିଜେଡି ଓ ବିଜେପି ସମର୍ଥକଙ୍କ ପାଇଁ ବଡ଼ ହେଲା ତାଙ୍କ ପତିଆରା ଦେଖାଇବା ।
କିଛି ଖଳ ପ୍ରକୃତିର ଲୋକ ମାନେ ଏହି ବିଦ୍ୟାଳୟ ପରିସରରେ ଆଖଡା ଶାଳ କରିବାପାଇଁ ଗତ ୧୫ ତାରିଖ ରାତିରେ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିଲେ । ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏବେଯାଏ fir କପି ଦିଆଯାଇନାହିଁ । fir କପି ନ ଦେଇ କିଛି ମିଛ କେସକୁ ରେଜିଷ୍ଟ୍ରର କରି ଏହି ପାଚେରୀ ଭଙ୍ଗା ଘଟଣାକୁ ଲୁଚାଇବାକୁ ପ୍ରୟାସ ଚାଲିଛି । ଏଠାରେ ପ୍ରଶ୍ନ ଉଠୁଛି କଣପାଇଁ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ ? ଦେଖାଯାଉ ସରକାର ହୀନ ରାଜନୀତିରୁ ଏ ସ୍କୁଲ କୁ ବଞ୍ଚାଉଛନ୍ତି ନା ପିଲାଙ୍କ ଜୀବନକୁ ବିପଦ ମୁହଁକୁ ଛାଡି ଦେଉଛନ୍ତି ।
State
ରମ୍ଭା( ଦ କୁଇଭର ):- ସିରିଜ ମନ୍ଦିର ଚୋରି ଘଟଣାରେ ରମ୍ଭା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ରମ୍ଭା ଥାନା ଅଞ୍ଚଳରେ ହୋଇଥିବା ସିରିଜ ମନ୍ଦିର ଚୋରି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୫ଟି ଆଇରନ ରୋଡ଼, ହାତୁଡ଼ି ,ନଗଦ ୧୨୫୦ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମ୍ଭା ଥାନା ଅଞ୍ଚଳର ବି ରାଜୁ ପ୍ରଧାନ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗ୍ରାମର ଏସ ବାବୁଲା ଓ ମଲାଡ଼ ଗୋଡିବନ୍ଧ ଗ୍ରାମର ଏ. ରାମଚନ୍ଦ୍ର । ଏହି ଅଭିଯୁକ୍ତମାନେ ୭ଟି ମନ୍ଦିର ଓ କିଛି କିରାଣୀ ଦୋକାନୀରୁ ଚୋରି କରିଥିବା ପୁଲିସ ତଦନ୍ତ ବେଳେ ଜଣାପଡିଛି ।
State
ଶିମିଳିପାଳ( ଦ କୁଇଭର ):- ରାଜ୍ୟ ସରକାରଙ୍କୁ ଘାରିଛି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଚିନ୍ତା । ଏକ କମ୍ପାନୀ ସଶସ୍ତ୍ର ପୋଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ଫୋର୍ସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ ।ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ । ଏଣିକି ସୁରକ୍ଷା ଦାୟିତ୍ବରେ ରହିବେ ୧୩୧ ଜଣିଆ ଆର୍ମଡ ପୋଲିସ ରିଜର୍ଭ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ AGଙ୍କୁ ଚିଠି ଲେଖିଛନ୍ତି । ମୟୂରଭଞ୍ଜର ଆରକ୍ଷୀ ଅଧିକ୍ଷକ ପ୍ରଶାସନିକ ଦାୟିତ୍ବରେ ରହିବେ । ଯାହାର ସମସ୍ତ ଖର୍ଚ୍ଚ ବହନ କରିବ ଜଙ୍ଗଲ ଓ ପରିବେଶ ବିଭାଗ ।ଏନେଇ ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ‘ଦେଶରେ ପ୍ରଥମ ଥର ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟରଣ୍ୟରେ ସଶସ୍ତ ପୋଲିସ ବାହିନୀ ଜଗିବାକୁ ଯାଉଛନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହେଇଛି । ଶିମିଳିପାଳରେ ହାତୀ, ବାଘ ବିଭିନ୍ନ ପ୍ରଜାପତି ଜୀବଜନ୍ତୁ ଅଛନ୍ତି । ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି ଅଭୟରଣ୍ୟକୁ । ସୁରକ୍ଷା ଦୃଷ୍ଟି କାରଣରୁ ୧୩୧ ଜଣିଆ ଏକ ଡେଡିକେଟେଡ଼ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ ଖୁବଶୀଘ୍ର ନିୟୋଜିତ ହେବେ । ଶିମିଳିପାଳ ଜଙ୍ଗଲ ସୁରକ୍ଷା ହେବା ସହିତ ଏହାର ଅଭିବୃଦ୍ଧି ହେବ । ପର୍ଯ୍ୟଟକଙ୍କ ସୁରକ୍ଷା, ଶିକାର ରୋକିବା, ଶିକାରୀଙ୍କୁ ଚେକ ଦେବା ଏହା ବେଶ ସହାୟକ ହେବ ।’
National
ନୂଆଦିଲ୍ଲୀ( ଦ କୁଇଭର ):- ରାଜଧାନୀ ଦିଲ୍ଲୀରେ ଅସମ୍ଭାଳ ହୋଇଛି ପ୍ରଦୂଷଣ ସ୍ଥିତି । ବୁଧବାର ଏକ୍ୟୁଆଇ ୪୪୫ ଥିବା ବେଳେ ଆଜି ଏହା ୪୫୦ ପାର କରିଛି । ଧୂଳି, ଧୂଆଁର ବହଳ ଆସ୍ତରଣରେ ଆକ୍ତାମାକ୍ତା ହୋଇପଡ଼ିଛନ୍ତି ଦିଲ୍ଲୀବାସୀ । ଦୃଶ୍ୟମାନ ଦୂରତା କମ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ସ୍ଥିତି ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ସହର ଭିତରେ ବିଏସ୍-୩ ପେଟ୍ରୋଲ ଏବଂ ବିଏସ୍-୪ ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସହର ଭିତରେ ଏହି ଗାଡ଼ି ଚଳାଇଲେ ଦେବାକୁ ପଡ଼ିବ ୨୦ ହଜାର ଟଙ୍କା ଜୋରିମାନା । ଦୁଇ ମାସ ଭିତରେ ଦ୍ବିତୀୟ ଥର ପାଇଁ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ସେପଟେ ପ୍ରତି ଛକରେ ଚେକ୍ ପୋଷ୍ଟ କରି ଗାଡ଼ି ଗୁଡ଼ିକର ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଞ୍ଚ କରୁଛି ପୋଲିସ । ପିୟୁସି ନଥିଲେ ୧୦ ହଜାର ଟଙ୍କାର ତଣ୍ଡ ଆଦାୟ କରାଯାଉଛି । ସେପଟେ ପ୍ରଦୂଷଣ ମୁକାବିଲାରେ ଦିଲ୍ଲୀ ସରକାର ଫେଲ୍ ମାରିଥିବା କହିଛନ୍ତି ସାଧାରଣ ଜନତା । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଧ୍ୟାନରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ହାଇବ୍ରିଡ୍ ମୋଡ୍ରେ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପରବର୍ତ୍ତି ଆଦେଶ ଆସିବା ଯାଏ ଏକାଦଶ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ସ୍କୁଲରେ ହାଇବ୍ରିଡ୍ ମୋଡ୍ରେ ପାଠପଢ଼ା ହେବ ।
State,Politics,National
ନୂଆଦିଲ୍ଲୀ(ଦ କୁଇଭର): ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂସଦରେ ଭାଷଣ ତାତି ସାରା ଦେଶରେ ଦେଖା ଦେଇଛି । କଂଗ୍ରେସ ଏହାକୁ ଗଣ୍ଠି କରି ଏବେ ସାରା ଦେଶରେ ଆନେ୍ଦାଳନ ଆରମ୍ଭ କରିଛି । କେବଳ ଦେଶରେ ନୁହେଁ, ସଂସଦରେ ମଧ୍ୟ ଶାହଙ୍କ ଭାଷଣ ବିରୋଧରେ ନାନା କଥା କହିବା ସହ ଗୃହ ଚଳାଇ ଦେଉ ନାହାନ୍ତି । ଶାହ ବାବା ସାହେବ ଆମ୍ବେଦକରଙ୍କୁ ନେଇ କହିଥିବା ଶବ୍ଦକୁ ଧରିଛି କଂଗ୍ରେସ । ଆମ୍ବେଦକରଙ୍କୁ ଅସମ୍ମାନ କରିଛନ୍ତି ଶାହ । ତେଣୁ କ୍ଷମା ମାଗନ୍ତୁ ବୋଲି ଦାବି କରି ଏପରି ହଙ୍ଗାମା ହେଉଛି । ଅନ୍ୟପକ୍ଷରେ କଂଗ୍ରେସ ଶାହଙ୍କ କଥାକୁ ବିକୃତ କରୁଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ସଂସଦ ପରିସରରେ ଧାରଣା ଦେଇଛନ୍ତି ।
କଂଗ୍ରେସର ଅଭିଯୋଗ, ସମ୍ବିଧାନ ଉପରେ ସଂସଦରେ ଚାଲିଥିଲା ଚର୍ଚ୍ଚା । ସମ୍ବିଧାନକୁ ୭୫ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟସଭାରେ ଏହି ଚର୍ଚ୍ଚା କାଳରେ ଗୃହ ମନ୍ତ୍ରୀ ଶାହ କହିଲେ, ଏହା ଏକ ଫେସନ ହୋଇଗଲାଣି । ଯେଉଁଠି ଶୁଣ ଆମ୍ବେଦକର... ଆମ୍ବେଦକର... । ଏତିକି ଥର ଯଦି ଭଗବାନଙ୍କ ନାମ ନିଅନ୍ତେ, ତେବେ ସାତ ଜନ୍ମ ପର୍ୟ୍ୟନ୍ତ ସ୍ୱର୍ଗ ମିଳି ଯାଇଥାନ୍ତା । ଆମ୍ବେଦକର କ’ଣ ଭଗବାନ ହୋଇ ଗଲେ କି? ଶାହଙ୍କ ଏହି କଥାକୁ ନେଇ ଏବେ ତାତିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ଶାହଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଦାବି ରଖିଛନ୍ତି ।
ଏହାପରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଶାହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଏହି ବିକ୍ଷୋଭ କାଳରେ ଶାହଙ୍କ କୁଶପୂତ୍ତଳିକା ଦାହ କରାଯାଉଛି । କେବଳ ସେତିକି ନୁହେଁ ଚାରିଆଡ଼େ ଶାହଙ୍କ ଇସ୍ତଫା ଦାବି କରାଯାଉଛି । ଏନେଇ କଂଗ୍ରେସ ଆନେ୍ଦାଳନକୁ ବ୍ୟାପକ କରୁଛି । ସଂସଦରେ ମଧ୍ୟ କଂଗ୍ରେସ ପୂରା ହଙ୍ଗାମା କରୁଛି । ଗୃହ ଚଳାଇ ଦେଉ ନାହିଁ । ଗୃହ ବୁଧବାର ଅଚଳ କରିଦେଇଥିଲା କଂଗ୍ରେସ । ଗୁରୁବାର ମଧ୍ୟ ସେହି ଆଭିମୁଖ୍ୟରେ ରହିଛି କଂଗ୍ରେସ ଦଳ ଓ ତାର ସହଯୋଗୀମାନେ । ବିଜେପି ଓ ସମର୍ଥକ ଦଳର ସାଂସଦମାନେ ଶାହଙ୍କ ସପକ୍ଷରେ ମତ ଦେଉଛନ୍ତି । କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଶାହଙ୍କ ସପକ୍ଷରେ କହିବାକୁ ଯାଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଲେଣି । ଗୁରୁବାର ବିଜେପି ସଦସ୍ୟମାନେ ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ କଂଗ୍ରେସ ବିରୋଧରେ ଧାରଣା ଦେଇଛନ୍ତି । ହେଲେ କୌଣସି ପ୍ରକାର ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଲାଗିଛି କଂଗ୍ରେସ । କଂଗ୍ରେସ ଏବେ ନୂଆ ଅଭିଯୋଗ ଆଣିଛି ଶାହଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବାରୁ କଂଗ୍ରେସ ଏମପି ମାନଙ୍କୁ ଏକ୍ସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି ।
ଏପରି ପ୍ରତିବାଦ ପରେ ଶାହ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସ ସବୁବେଳେ କଥାକୁ ବିକୃତ କରି ଉପସ୍ଥାପନ କରିବାରେ ଅଭ୍ୟସ୍ତ । ଅମ୍ବେଦକରଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଆଦର ରହିଛି । ମାତ୍ର କଂଗ୍ରେସ ଓ ଅନ୍ୟମାନେ ଯେପରି ଆମ୍ବେଦକରଙ୍କ ନାମକୁ ଅପବ୍ୟବହାର କରୁଛନ୍ତି ସେଭଳି ସ୍ଥିତି ନକରନ୍ତୁ ବୋଲି ମୁଁ କହିଥିଲି । ମୋର ମନ୍ତବ୍ୟକୁ କଂଗ୍ରେସ ଭାଙ୍ଗିଭୁଙ୍ଗି ଉପସ୍ଥାପନ କରି ଦେଶରେ ଅସନ୍ତୋଷ ସୃଷ୍ଟି କରୁଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଶାହ । ସେ ଯାହା ହେଉ ଏବେ ଶାହଙ୍କ ମନ୍ତବ୍ୟ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସଂସଦକୁ ପ୍ରଭାବିତ କଲାଣି । ଦେଖାଯାଉ ଶାହଙ୍କ କଥାକୁ କଂଗ୍ରେସ ଆଜି ଛାଡ଼ି ଦେଉଛି ନା ଆଗକୁ ଜାରି ରଖୁଛି?
Politics
ବ୍ରହ୍ମପୁର ( ଦ କୁଇଭର ):- ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। ବୈଠକରେ ଉଚ୍ଚବାଚ ବି ହୋଇଥିବା ସୂଚନା ରହିଛି। ଶଙ୍ଖ ଭବନରେ ସମାଧାନ ନହେବାରୁ ଶେଷରେ ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟି ଫେରାଦ ହେଲେ। ବ୍ରହ୍ମପୁର ମେୟର ଓ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ସହ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କର୍ପୋରେଟର ଗୋଷ୍ଠୀ ଭିତରେ କନ୍ଦଳ ତୀବ୍ର ରୂପ ଧାରଣ କରିଛି। ରାମ ଲିଙ୍ଗମ୍ ଉଦ୍ୟାନ କାମକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଛି। ଉଭୟ ପକ୍ଷ ନବୀନ ନିବାସ ଯାଇ ଫେରିବା ପରେ କହିଛନ୍ତି ଏକାଠି ହୋଇ ଏବେ ଗଞ୍ଜାମରେ କାମ କରିବୁ। ସୁପ୍ରିମୋ ଗୁରୁମନ୍ତ୍ର ଦେଇଛନ୍ତି। ମାତ୍ର ସତ କଣ ତାହା ଜଳ ଜଳ ହୋଇ ଦିଶୁଥିଲା।ଗଞ୍ଜାମ କଳି ନବୀନ ନିବାସ ଯାଏ ପହଞ୍ଚିଥିବା ବେଳେ ବିଜେପି କହିଛି, ବିଜେଡି ସଫା ହେଇଯିବ। ବିଜେଡି ଏହାକୁ ଅସ୍ବୀକାର କରିଥିବାବେଳେ କଂଗ୍ରେସ କିନ୍ତୁ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ।
State
ଭୁବନେଶ୍ୱର( ଦ କୁଇଭର ):- ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍ । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ଚାଲିଛି ED ପକ୍ଷରୁ ରେଡ୍ କରାଯାଉଛି । ଆଜି ସକାଳ ୭ଟାରୁ ED ପକ୍ଷରୁ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ରେଡ୍ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ED ରେଡ୍ କରୁଛି । ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍ କରିଥିବା ଜଣାପଡ଼ିଛି । ତେବେ କେଉଁ ଘଟଣାକୁ ନେଇ ରେଡ୍ ହେଉଛି ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେହିପରି ED ରେଡ୍ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।ସୂଚନା ଅନୁସାରେ ଆଜି ସକାଳ ୭ଟାରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ରେଡ୍ କରାଯାଉଛି । ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ ।
State
ଦ କୁଇଭର ବ୍ୟୁରୋ :- ଆଜି ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଜାରି ରହିବ । ସେପଟେ ଉପକୂଳ ଓଡ଼ିଶାର ୧ରୁ ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାପରେ ରାଜ୍ୟରେ ଆଉ ବିଶେଷ ବର୍ଷା ହେବନାହିଁ କିନ୍ତୁ ପାଗ କୋହଲା ରହିବ । ବର୍ଷା ଛାଡ଼ିଲା ପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବି ପାଗ ମେଘୁଆ ରହିପାରେ । ସମୁଦ୍ର ଭିତରେ ପବନ ରହିପାରେ ତେଣୁ ପୋର୍ଟ ୱାର୍ଣ୍ଣିଂ ରହିଛି । ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତା ଏଯାଏଁ ଦିଆଯାଇନାହିଁ । ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଆଜି ସନ୍ଧ୍ୟାରୁ ସତର୍କତା ଜାରି କରାଯିବ । ଏବେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିଛି । ୨ରୁ ୩ ଦିନ ପର୍ୟ୍ୟନ୍ତ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ୨ରୁ୪ ଡିଗ୍ରୀ ପର୍ୟ୍ୟନ୍ତ କମିବାର ସମ୍ଭାବନା ରହିଛି ।
State
ଆସିକା( ଦ କୁଇଭର ):- ଯୁବକ କୁ ସରକାରୀ ଚାକିରୀ କରିବା ନିଶା ମହାଙ୍ଗା ପଡିଲା l ଆସିକା ଥାନା ନଳବଣ୍ଟା ଗ୍ରାମର ଜଣେ ଯୁବକ ସରକାରୀ ଚାକିରୀ କରି ଦରମା ମିଳିବା ଆଶା ରେ ନିଜ ପରିବାର ର ସୁନା ଅଳଂକାର ଏବଂ ଜମି ବାଡ଼ି ବନ୍ଧକ ରଖି ନଗଦ ୦୮ ଲକ୍ଷ ଏବଂ ୫୨ ଲକ୍ଷ ଟଙ୍କା ଆକାଉଣ୍ଟ ରେ ନେଇଛନ୍ତି ଦୁଇ ଠକ ଯୁବକ l ଜାଲ ନିଯୁକ୍ତି ପତ୍ର ଦେଇ ଓଡିଶା ଏବଂ ଓଡିଶା ବାହାର ରେ ରେଲୱେ ରେ ସୁପରଭାଇଜର ଏବଂ ଅନ୍ୟ ସରକାରି କାର୍ଯ୍ୟାଳୟ ରେ ପିଅନ କରିବା କୁ କହି ବାରମ୍ବାର କିସ୍ତି କିସ୍ତି କରି ଠକି ନେଲେ ଦୁଇ ଯୁବକ l ଚାରିଆଡେ ଫେକ ନିଯୁକ୍ତି ପତ୍ର ଧରି ଚାକିରୀ ନକରି ନିରାଶ ରେ ଫେରି ଆଜି ପୋଲିସ ଥାନାରେ ଫେରାଦ ହେଲେ ଠକାମୀର ଶିକାର ହୋଇଥିବା ଯୁବକ ସନ୍ତୋଷ l
State,Farming
ଦ କୁଇଭର ବ୍ୟୁରୋ :- ରାଜ୍ୟ ମୁଣ୍ଡରେ ଏବେ ଗହମ ବୋଝ। ଉତ୍ତରପ୍ରଦେଶକୁ ହାଲୁକା କରିବା ପାଇଁ କେନ୍ଦ୍ର ଓଡ଼ିଶାକୁ ଜବରଦସ୍ତି ୧.୯୯ ଲକ୍ଷ କ୍ବିଣ୍ଟାଲ୍ ଗହମ ଆବଣ୍ଟନ କରିଛି। ଏଥିରୁ ୩୦ ହଜାର କ୍ବିଣ୍ଟାଲ୍ ଗହମ ରାଜ୍ୟ ଯୋଗାଣ ନିଗମ ଗୋଦାମରେ ରହିଛି। ଏହାକୁ ନେଇ ସରକାର ଚିନ୍ତାରେ। ଯଥାଶୀଘ୍ର ଏହି ଗହମ ଫେରାଇ ନେବାକୁ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ ଅନୁରୋଧ କରିବା ପରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ପ୍ରଥମ ପସନ୍ଦ ମଧ୍ୟ ଚାଉଳ। ଏହାକୁ ଦୃଷ୍ଟିରେ ରଖି ରାସନ୍ କାର୍ଡରେ ପୂର୍ବରୁ ନବୀନ ପଟ୍ଟନାୟକ ସରକାର କେବଳ ଚାଉଳ ଦେଉଥିଲେ। ନୂଆ ସରକାର ବି ଏହି ଧାରା ଭାଙ୍ଗିନାହାନ୍ତି। କିନ୍ତୁ ଅଚାନକ ସେପ୍ଟେମ୍ବର ମାସରେ କେନ୍ଦ୍ର ଓଡ଼ିଶାକୁ ଗହମ ଦେଇଥିଲା। ବାଧ୍ୟ ହୋଇ ଓଡ଼ିଶା ସରକାର ଘୋଷଣା କରିଥିଲେ ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହିତ ଗହମ ଦିଆଯିବ। ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଗହମର ମାତ୍ରାଧିକ ଉତ୍ପାଦନକୁ ଦୃଷ୍ଟିରେ ରଖି ସେଠାକାର ବଳକା ଗହମର ଚାପ ହ୍ରାସ ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଏହାକୁ ଯୋଗାଇ ଦିଆଯାଇ ଥିଲା।ଇତିମଧ୍ୟରେ ଓଡ଼ିଶାରେ ନଭେମ୍ବର ମାସରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ରବିରେ କଷ୍ଟମ୍ ମିଲିଂର ଚାଉଳ ରାଜ୍ୟ ଯୋଗାଣ ନିଗମ ଏବଂ ଏଫ୍ସିଆଇକୁ ପହଞ୍ଚୁଛି। ଏହି କ୍ରମରେ ରାଜ୍ୟ ପାଇଁ ବଡ଼ ସମସ୍ୟା ହେଲା, ସଂଗୃହୀତ ଧାନ ଏବଂ ଚାଉଳ ସଂରକ୍ଷଣ ପାଇଁ ଗୋଦାମର ଅଭାବ। ଯେଉଁ ଗୋଦାମରେ ଚାଉଳ ରଖାଯାଇପାରନ୍ତା ସେଠାରେ ଗହମ ଗଦା ହୋଇ ରହିଥିବାରୁ ସ୍ଥାନାଭାବ ରହିଛି। ଆହୁରି ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଦଳରେ ଗହମ ବାଣ୍ଟିଲେ ପ୍ରଥମତଃ ହିତାଧିକାରୀ ଏହାକୁ ନେବେ ନାହିଁ। ଦ୍ବିତୀୟତଃ ବଳକା ଚାଉଳ ପଡ଼ି ରହିବାର ଆଶଙ୍କା ରହିଥିଲା। ତେଣୁ ଓଡ଼ିଶା ସରକାର ପୂର୍ବପରି ଗହମ ବଦଳରେ ଚାଉଳ ବାଣ୍ଟିବାକୁ ନିଷ୍ପତ୍ତି ନେଇ କେନ୍ଦ୍ରକୁ ଜଣାଇଥିଲେ। ଏଥିସହ ରାଜ୍ୟର ପିଡିଏସ୍ କେନ୍ଦ୍ରରେ ଗହମ ଯୋଗାଣକୁ ବନ୍ଦ କରି ଦେଇଥିଲେ। ସେହି କୋଟାରେ ଚାଉଳ ପହଞ୍ଚିଥିଲା। ବର୍ତ୍ତମାନ ଏଫସିଆଇ ଏବଂ ଯୋଗାଣ ନିଗମ ଗୋଦାମରେ ସ୍ଥାନାଭାବ ଦୂର ପାଇଁ ଗହମ ଫେରାଇ ନେବାକୁ ଚିଠି ଲେଖାଯାଇଥିଲେ ହେଁ ସେମାନେ ନିରବ।
State
ମାଲକାନଗିରି ( ଦ କୁଇଭର ) :- ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ପାଇବେ । କେହିବି ଏଥିରୁ ବଞ୍ଚିତ ହେବେ ନାହିଁ । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଗସ୍ତ କରି ଏପରି କହି ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସାହାସ ବଢାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେହିପରି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇବା, ପଡେଇଗୁଡା ସ୍ଥିତ ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡର ବିକାଶ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ମାଲକାନଗିରି ପହଞ୍ଚିବା ପରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏଥି ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଣ୍ଡା ଜନଜାତିର ଅଳଙ୍କାର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭବାତୀ ପରିଡା କହିଛନ୍ତି, ''ବଣ୍ଡା ଘାଟିକେ ସୁଭଦ୍ରା ଯୋଜନା ପହଞ୍ଚି ପାରୁନି ଖବର ମିଳିଥିଲା । ବଣ୍ଡା ଲୋକଙ୍କର ଜୀବନଶୈଳୀ କଣ ତାହା ଦେଖିବାକୁ ମୁଁ ଆସିଥିଲି । ଏଠାରେ ପ୍ରତି ମହିଳାଙ୍କ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏଠାକାର ମହିଳାଙ୍କ ଦାବି ଯେ ତାଙ୍କ ଅଲଙ୍କାର ସେ ରାଜଧାନୀ ବଜାରରେ ଦେଖାଇବାକୁ ଚାହିଁଛନ୍ତି । ତେଣୁ ତାଙ୍କ ପାଇଁ ମିଶନଶକ୍ତି ବଜାରରେ ଷ୍ଟଲ ଦରକାର । ଏଥି ପାଇଁ ଚେଷ୍ଟା କରିବି । ''
State
ଦ କୁଇଭର ବ୍ୟୁରୋ :- ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତା ଯୋଗୁଁ ରାଜ୍ୟରେ ଏହାର ପ୍ରଭାବ ରହିବ । ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ଏହାର ପ୍ରଭାବରେ ବର୍ଷା ଦେଖିବାକୁ ମିଳିପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ଓ ଅନୁଗୁଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବାର ସମ୍ଭାବନା ରହିଛି ।ସେହିପରି ଆସନ୍ତାକାଲି(ଶୁକ୍ରବାର) ଉପକୂଳ ଓଡ଼ିଶାର କିଛି ଅଞ୍ଚଳମାନଙ୍କରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି କ୍ରମରେ ଡିସେମ୍ବର ୨୧ ତାରିଖରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱରରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ କୁହୁଡି କୌଣସି ଚେତାବନୀ ନଥିବା ବେଳେ ଆଗାମୀ ୪ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କହିଛି ପାଣିପାଗ ବିଭାଗ । ଅର୍ଥାତ ଶୀତର ପ୍ରକୋପ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଡିସେମ୍ବର ୨୨ରୁ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
State
ଦ କୁଇଭର ବ୍ୟୁରୋ :- ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ବର୍ଷା ରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଶନିବାର ପ୍ରାୟତଃ କମିଯିବ । ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା,ଜଗତସିଂପୁର,ଗଞ୍ଜାମ,ଗଜପତି, ରାୟଗଡ଼ା, ଯାଜପୁର, କଳାହାଣ୍ଡି,କନ୍ଧମାଳ ,ଢେଙ୍କାନାଳ,ଖୋର୍ଦ୍ଧା,କଟକ,ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରହିବ l ସେହିପରି ମାଲକାନଗିରି,ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର,ବରଗଡ଼, ସୋନପୁରରେ ଶନିବାର କମିଛି ବର୍ଷା। ଆଜିଠାରୁ ବହୁ ପରିମାଣରେ କମିବ ବର୍ଷା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଆଜି ଦକ୍ଷିଣ ଉପକୂଳ, ଉପକୂଳ ଓଡ଼ିଶା,ମାଲକାନଗିରି, କୋରାପୁଟ,ରାୟଗଡ଼ା, ଗଞ୍ଜାମ ,ଗଜପତିରେ ହାଲକା ବର୍ଷା। ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ରହିବ ଘନ କୁହୁଡ଼ି ପରିଲକ୍ଷିତ ହେବ। ସବୁ ବନ୍ଦର ପାଇଁ ସିଗ୍ନାଲ ୧ କରାଯାଇଛି। ପାଗ କୁହୁଡ଼ିଆ ସହ ମେଘୁଆ ରହିବ।ଦକ୍ଷିଣ ଓଡ଼ିଶା ଉପକୂଳକୁ ଯିବାକୁ ଶନିବାର ମତ୍ସ୍ୟଜୀବୀଙ୍କୁ ମନା ହୋଇଛି। ନୟାଗଡ଼ ସହ ୬ ଟି ଜାଗାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୪୮ ଘଣ୍ଟା ହେବ ଘନ କୁହୁଡ଼ି।ଦିନ ତାପମାତ୍ରା କମିଛି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ। କିନ୍ତୁ ରାତ୍ରି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିଛି। ଆଗାମୀ ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ରୁ ୪ ଡିଗ୍ରୀ କମିବା ରାତ୍ରି ତାପମାତ୍ରା ।
State,Farming,National
ଭୁବନେଶ୍ୱର(ଦ କୁଇଭର): ଆମ ମାଟି ମାଆ ଅସୁସ୍ଥ ହୋଇପଡ଼ିଲାଣି । ଖୋଲାଖୋଲି ଅତ୍ୟାଚାର କରୁଛନ୍ତି ସମସ୍ତେ । ଭୁଲି ଯାଉଛନ୍ତି ସେମାନଙ୍କ ଅକାର୍ଯ୍ୟ ହିଁ ମାଟିକୁ ମାରି ଦେଉଛି । ମାଟିର ଏହି ସ୍ଥିତି ହିଁ ଜୀବନ ବା ଜୀବଜଗତ ।ଇଁ ସତର୍କଘଣ୍ଟି ବଜାଇଛି । ଆମ ଖାଇବା ପ୍ଲେଟରେ ବିର୍ଯ୍ୟୟ ପହଞ୍ଚିଲାଣି । ଆମେ ଯାହା ବି ଖାଉଛେ ତାହା ବିଷ ଠୁ କମ ନୁହେଁ । ବିଷ ଖାଇଲେ, ଆମେ ସୁସ୍ଥ ହୋଇ ପାରିବା କି? ଆମ ଜୀବଜଗତ ତିଷ୍ଠି ପାରିବ କି? ମାଟିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ଦ ଡ୍ରପ୍ସ ଅନୁଷ୍ଠାନ । ଅନୁଷ୍ଠାନ ପକ୍ଷରୁ ଆରମ୍ଭ କରାଯାଇଛି ମିଶନ ବସୁଧା । ଏହି ମିଶନରେ ମାଟିର ସୁରକ୍ଷା ପାଇଁ କେବଳ ସଚେତନତା ନୁହେଁ, ବରଂ ସହଯୋଗର ହାତ ବଢ଼ାଇବ ଅନୁଷ୍ଠାନ । ଏନେଇ ଏକ ଜାତୀୟ ସ୍ତରର କର୍ମଶାଳାରେ ମିଶନ ବସୁଧାର ଲକ୍ଷ୍ୟ ଓ ମାଟିର ସୁରକ୍ଷା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ମିଶନ ଆବାହକ ତଥା ମିଶନର ଫେସ ପୁଷ୍ପିତା ଦ୍ୱିବେଦୀ ।
ସେ ଦେଖାଇଛନ୍ତି ମାଟିର ସ୍ଥିତି, ମାନବଜାତି ଓ ଜୀବଜଗତ ପ୍ରତି ବିପଦ ଆଉ ପ୍ରତିକାର । ଏପରିକି ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ କରାଯାଇଥିବା ସବୁଜ ବିପ୍ଳବକୁ ସେ ଅଭିଷା ବୋଲି ଦର୍ଶାଇଛନ୍ତି । ସବୁଜ ବିପ୍ଳବର ନକରାତ୍ମକ ଦିଗକୁ ଠିକ ଭାବେ ତର୍ଜମା କରାଯାଇ ନଥିବାରୁ ଆଜି ସେହି ବିପ୍ଳବ ଆମ ଉପରେ ବୋଝ ହୋଇଯାଇଛି । ଏବେ ଠୁ ଆମକୁ ପ୍ରତିକାର ପାଇଁ ଗୋଡ଼ କାଢ଼ିବାକୁ ପଡ଼ିବ ବୋଲି ସେ ଆହ୍ୱାନ ଦେଇଥିଲେ । ନହେଲେ ଖୁବଶୀଘ୍ର ଆମେ ଖାଦ୍ୟାଭାବର ଶୀକାର ହେବା ବୋଲି ସେ ଚେତାଇ ଦେଇଥିଲେ । ଏହାର ପ୍ରତିକାର ପାଇଁ ସଂସ୍ଥା ପକ୍ଷରୁ ବୈଜ୍ଞାନିକ ଜ୍ଞାନକୌଶଳରେ ନିର୍ମିତ ସହାୟତା ପ୍ରଦାନ କରାଯାଉଛି । ପ୍ରତିଟି ଲୋକ ପାଖରେ ଏହି ସହାୟତା କିପରି ପହଞ୍ଚିବ ଓ ଲୋକେ କିପରି ମାଟିକୁ ସୁସ୍ଥ କରି ଆମ ସମାଜକୁ ସୁସ୍ଥ ରଖିପାରିବେ ତାହା ଉପରେ ଶ୍ରୀମତୀ ଦ୍ୱିବେଦୀ ଗୁରୁତ୍ୱ ଦେଇଥିଲେ ।
ଏହି ଅବସରରେ ମିଶନ ବସୁଧାର ବ୍ରେନ ତଥା ଆଇଆଇଟି ଭୁବନେଶ୍ୱରର ବୈଜ୍ଞାନିକ ଡ. ବିଶ୍ୱରଞ୍ଜନ ପ୍ରଧାନ କହିଲେ, ମାଟି ଅସୁସ୍ଥ ହେବାର କାରଣ ଓ ଏହାର ନିରାକରଣ କିପରି କରାଯିବା ଆବଶ୍ୟକ । ନିରାକରଣ ନହେଲେ କି ସମସ୍ୟା ଆସିବ । ସବୁଜ ବିପ୍ଳବକୁ ବି ସେ ଆଜିର ବିର୍ଯ୍ୟୟ ପାଇଁ ଦାୟୀ କରିଥିଲେ । ଯଦି ସେତେବେଳେ ଏଦିଗରେ ଚିନ୍ତା କରାଯାଇଥାନ୍ତା, ତେବେ ଏ ସମସ୍ୟା ଆସି ନଥାନ୍ତା କି ଆମ ଭବିଷ୍ୟତ ନେଇ ଆମେ ଚିନ୍ତିତ ନଥାନ୍ତେ ବୋଲି ଡ. ପ୍ରଧାନ କହିଥିଲେ ।
ଇକୋସିଏଟ ସହଭାଗିତା ଓ ଜିଆଇଟି ଗୁଣୁପୁର ସହାୟତା ଆୟୋଜିତ ଏହି କର୍ମଶାଳାରେ ବିଶ୍ୱବ୍ୟାଙ୍କର ପୂର୍ବତନ ପରାମର୍ଶଦାତା କିର୍ତ୍ତୀ ପ୍ରସନ୍ନ ମିଶ୍ର କହିଲେ, ସତର୍କଘଣ୍ଟି ତ ବାଜିଗଲାଣି । ମାଟି ଅସୁସ୍ଥତାର ବଡ଼ ନମୂନା ପଞ୍ଜାବ । ଓଡ଼ିଶାରେ ସ୍ଥିତି ବି ଭଲ ନାହିଁ । ବସୁଧା ମିଶନ ମାଧ୍ୟମରେ ମାଟିର ସୁରକ୍ଷା ସହ ମାଟିକୁ ସୁସ୍ଥ କରିବାକୁ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ମାଟିର ବିର୍ଯ୍ୟୟ ହୋଇଥିବା ଞ୍ଜାବ ଭଳି ରାଜ୍ୟକୁ ପରିବ୍ୟାପ୍ତ କରାଯିବ । ସମଗ୍ର ଦେଶରେ ଏହି ଅଭିଯାନ ଚାଲିବ ବୋଲି ମିଶ୍ର କହିଥିଲେ । ଏହି ଅବସରରେ ଡ. ବିଶ୍ୱରଞ୍ଜନ ଭୋଳ, ଡ. ଚିତ୍ତରଞ୍ଜନ ସାହୁ ପ୍ରମୁଖ ସେମାନଙ୍କର ମତ ବ୍ୟକ୍ତ କରିଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶେଷଜ୍ଞ, ଏଫପିଓ,ସ୍ବେଛାସେବୀ ଅନୁଷ୍ଠାନ,ଷ୍ଟାର୍ଟପ ଏବଂ ଚାଷୀମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।
Shree Jagannath
ପୁରୀ( ଦ କୁଇଭର ):- ବଦଳିବ ପରିକ୍ରମା ପ୍ରକଳ୍ପର ଡିଜାଇନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ୍ ପରିବର୍ତ୍ତନ ନେଇ ଆଇନମନ୍ତ୍ରୀଙ୍କ ସୂଚନା । ପୁରୁଣା ଡିଜାଇନରେ କିଛି ଆଡ଼ କରାଯାଇ ନୂଆ ଡିଜାଇନ ପ୍ରସ୍ତୁତ କରାଯିବ । ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ଏନେଇ ବିଚାର ବିମର୍ଷ ଚାଲିଛି । ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ପାଇଁ ବି ବ୍ୟବସ୍ଥା ହେବ । ଏନେଇ ଆଲୋଚନା ଚାଲିଛି । ଖୁବ୍ ଶୀଘ୍ର ସଠିକ୍ ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ। ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
State
ଭୁବନେଶ୍ୱର( ଦ କୁଇଭର ):- ଜାନୁଆରୀରେ ମିଳିବ 'ସୁଭଦ୍ରା ଯୋଜନା' ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ଭେରିଫିକେସନ୍ ପ୍ରକ୍ରିୟା ଡିସେମ୍ବର ୩୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିବ । ଆମେ ପ୍ରସ୍ତୁତି ପଛରେ ଅଛୁ । ଆମେ ସମସ୍ତଙ୍କୁ ସୁଯୋଗ ଦେବୁ । ଘରେ ଘରେ ଅଙ୍ଗନବାଡ଼ି ଦିଦି, ଆରଆଇ ଯାଞ୍ଚ କରୁଛନ୍ତି । ଜାଗା ଜମି ପାଇଁ ଯାହା ସମସ୍ୟା ଅଛି ଏହାର ଯାଞ୍ଚ ପାଇଁ ୩୦ ତାରିଖ ଟାର୍ଗେଟ ରଖାଯାଇଛି । ବିଭିନ୍ନ ସମସ୍ୟା ପାଇଁ ଯାଞ୍ଚ ପ୍ରକ୍ରିୟାରେ ସମୟ ଲାଗୁଛି । ଯାଞ୍ଚ ସରିଗଲେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ମିଳିବ । ସୁଭଦ୍ରା ଯୋଜନା ୪ର୍ଥ ପର୍ଯ୍ୟାୟ ଟଙ୍କା ଦିଆ ସରିବା ପରେ କିଛି ଲୋକ ଯଦି ଭୁଲରେ ଟଙ୍କା ନେଇଯାଇଥିବେ ତେବେ ସେମାନଙ୍କ ଉପରେ କ'ଣ ବ୍ୟବସ୍ଥା କରାଯିବ ତାହା ଆଗକୁ ଦେଖାଯିବ l
State
ଦ କୁଇଭର ବ୍ୟୁରୋ :- ଅଲିଭ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ । ବ୍ୟାପକ ସଚେତନତା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସାଟେଲାଇଟ ଟେଲିମେଟ୍ରି ଜରିଆରେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ଜଣାପଡିଛି ।ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି । ଅଲିଭ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ । ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକ କଇଁଛଙ୍କର ଗତିବିଧି ଉପରେ ନଜର ରଖାଯିବ । ସମୂହ ଅଣ୍ଡାଦାନ ଋତୁରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ଓ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ । ସାମୁଦ୍ରିକ କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ଆମର ନୂଆ ପଦକ୍ଷେପ ସ୍ୱରୂପ ଅଣ୍ଡାଦାନ ଋତୁରେ ପାଣି ଭିତରେ ଭିଡ଼ିଓ ଗ୍ରାଫିକୁ ଗୁରୁତ୍ୱ ଦିଆଯାଉଛି । ସାଟେଲାଇଟ ଟେଲିମେଟ୍ରି ଅଧ୍ୟୟନ ଜରିଆରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରଖିବାକୁ ପଦକ୍ଷେପ ନିଆଯାଇଛି । ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ ତରଫରୁ ଆଧୁନିକ ଜ୍ଞାନ କୌଶଳର ଉପଯୋଗରେ ୩ ବର୍ଷିଆ ଅଧ୍ୟୟନ ପାଇଁ ଦିଆଯାଇଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଛି । ଏହା ଦ୍ୱାରା ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛଙ୍କର ସ୍ଥାନ ପରିବର୍ତ୍ତନ ଜନିତ ବ୍ୟବହାର, ସମୁଦ୍ର କୂଳରେ ଗତିବିଧି, ସମ୍ଭାବ୍ୟ ଅଣ୍ଡାଦାନ ସ୍ଥାନ, ଅନ୍ୟତ୍ର ଗତିବିଧି ସଂପର୍କିତ ପ୍ରବାସୀ ଆଚରଣ ସଂପର୍କରେ ନଜର ରହିବ । ଯାହା ଦ୍ୱାରା ଏହି ବିରଳ ସାମୁଦ୍ରିକ ଜୀବର ସୁରକ୍ଷା ଓ ସଂରକ୍ଷଣ ଦିଗରେ ପରିଚାଳନା ଅଧିକ ସହଜ ହୋଇପାରିବ ।ଦାୟିତ୍ୱ ଏବଂ କର୍ତ୍ତବ୍ୟ । ବିଗତ ବର୍ଷ ଗୁ଼ଡ଼ିକ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ଆବଶ୍ୟକ ସମସ୍ତ ସହଯୋଗ ଦିଆଯାଉଛି ।’