ଦ କୁଇଭର ବ୍ୟୁରୋ:- ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ତାରିଖ । ଆସନ୍ତା ଜୁନ୍ ୧୨ ତାରିଖ ନୁହଁ ବରଂ ଜୁନ୍ ୨୦ ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ମୋହନ ସରକାରକୁ ବର୍ଷେ ପୂରଣ ନେଇ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ହେବ ସାମିଲ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର । ବିଜେପି ସରକାରକୁ ବର୍ଷେ ପୂରଣ ଅବସରରେ ଜୁନ୍ ୨୦ରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହେବେ । କିନ୍ତୁ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଭୁବନେଶ୍ୱର ଜନତା ମଇଦାନ ନଚେତ ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହ । ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ରେ ଆସିବାର ଥିଲା, କିନ୍ତୁ ସେ ୨୦ ତାରିଖରେ ଆସିବେ । ସେହି ଦିନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ । କେଉଁ ସ୍ଥାନରେ ତାହା ହେବ ସେନେଇ ସ୍ଥିର ହୋଇନାହିଁ । ଲକ୍ଷାଧିକ ଲୋକେ ବିରାଟ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଜେପି ସରକାରରେ ଗୋଟିଏ ବର୍ଷ ପୂରଣ ହେବ । ସେହି କାର୍ଯ୍ୟକ୍ରମରେ ଆମେ ରିପୋର୍ଟକାର୍ଡ ଦେବୁ । " ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି," ୨୦ ତାରିଖରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ହେବ । ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସାମିଲ ହେବେ । କେଉଁ ସ୍ଥାନରେ ହେବ, କାର୍ଯ୍ୟକ୍ରମ କିପରି ହେବେ ସେନେଇ ବିସ୍ତୃତ ଭାବେ ଆଲୋଚନା ଚାଲିଛି । ୧୩ ତାରିଖରେ ମହିଳା ସମାବେଶ, ୧୮ ତାରିଖରେ ଜନଜାତି ଲୋକଙ୍କ ସମାବେଶ, ୧୯ ତାରିଖରେ କୃଷକ ମାନଙ୍କର ଓ ୨୧ ରେ ଯୁବକ ମାନଙ୍କର ଏକତା କରାଯିବ । ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଆସିବେ । ସେନେଇ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯିବ । "
No comments yet.
State
ପୁରୀ( ଦ କୁଇଭର ):- ମହାପ୍ରଭୁଙ୍କ ରଥଯାତ୍ରାକୁ ଚଳିତ ବର୍ଷ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କମିଟିରେ ଆଇନ, ସ୍ବାସ୍ଥ୍ୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପରିବହନ ମନ୍ତ୍ରୀ ସଦସ୍ୟ ରହିଛନ୍ତି। ସେହିପରି ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ କମିଟିର ଆବାହକ ଦାୟିତ୍ବ ଦିଆଯାଇଛି। ମହାପ୍ରଭୁଙ୍କ ୯ ଦିବସୀୟ ରଥଯାତ୍ରା ସମୟ ପାଖେଇ ଆସୁଛି। ଆଉ ମାତ୍ର ୨୦ ଦିନ ପରେ ରଥଯାତ୍ରାର ଆୟୋଜନ ହେବ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ସଂପର୍କିତ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ରଥଖଳାରେ ବିଭିନ୍ନ ସେବାୟତମାନେ ମଧ୍ୟ ରଥ ନିର୍ମାଣକୁ ତୀବ୍ର କରିଦେଇଛନ୍ତି। ଆଜି ଥିଲା ରଥ ନିର୍ମାଣର ୩୫ତମ ଦିବସ। ଆଜି ସୁଦ୍ଧା ତିନି ରଥର ଚକ ଅଖ ଥାକ ସହ ଦିଗ ନିର୍ଣ୍ଣୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ଦଣ୍ଡା ଫ୍ରେମ୍ର ବିଭିନ୍ନ ଅଂଶଗୁଡ଼ିକର ନମ୍ବର କରାଯାଇ କଳସା ପାଇଁ ମାପ ଚିହ୍ନ ଗାରିଆ ହୋଇସାରିଛି। ରଥଖଳାରେ ରଥର ବିଭିନ୍ନ ଅଂଶ ନିର୍ମାଣ ଜାରି ରହିଥିଲା। ଅପରାହ୍ଣରେ ତିନିରଥର ମୁଖ୍ୟ ମହାରଣା ଏବଂ ଭୋଇ ସେବକଙ୍କ ସହାୟତାରେ ଚକରେ ଅଖ ସଂଯୋଗ ପୂର୍ବକ ଚକ ଅଖ ଥାକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ନନ୍ଦିଘୋଷ ରଥ ଅଖଗୁଡ଼ିକର ସଂଶୋଧନ କରିବାକୁ ପଡ଼ିବାରୁ ଚକର ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇପାରିନାହିଁ। ତାଳଧ୍ୱଜ ରଥ ଓ ଦର୍ପଦଳନ ରଥର ଅଖଗୁଡ଼ିକର ସଂଶୋଧନ କାର୍ଯ୍ୟ ବିଶେଷ ନଥିବାରୁ ଚକ ଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇଛି। ଚକ ଆଗକୁ ଗଡ଼ି ନଯିବା ପାଇଁ ଚକ ଦୁଇ ପାର୍ଶ୍ୱରେ ବାନ୍ଧ ଲାଗି କରାଯାଇଛି।
State
ଦ କୁଇଭର ବ୍ୟୁରୋ:- ପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେବା ସହ ଦିନରେ ଗରମ, ଅପରାହ୍ଣରେ ବର୍ଷା ଦେଖିବାକୁ ମିଳୁଛି । ଦିନବେଳା ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ ହଠାତ ପାଗରେ ପରିବର୍ତ୍ତନ ଆସୁଛି । ପ୍ରଚଣ୍ଡ ଘଡ଼ଘଡ଼ି ପବନ ସହ ବର୍ଷା ହେଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅସହ୍ୟ ତାତିରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢିବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡ଼ିଗ୍ରୀ ବଢିବ ତାପମାତ୍ରା । ଅନେକ ସ୍ଥାନରେ ତାପମାତ୍ରା ୪୨ ଡ଼ିଗ୍ରୀ ଅତିକ୍ରମ କରିିବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମହିଳା ଥାନା ଏଏସଆଇ ଶ୍ରୀମତୀ ବବିତା ସୁନାଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି l ପୂର୍ବରୁ ପଞ୍ଜିକୃତ ଏକ ମାମଲାରେ ସମ୍ପୃକ୍ତଙ୍କୁ ସାହାଯ୍ୟ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ ଏବଂ ନେଉଥିଲେ,ଠିକ ସେହି ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଶ୍ରୀମତୀ ସୁନା l ଯେଉଁ ମାମଲାରେ ଶ୍ରୀମତୀ ସୁନା ତଦନ୍ତକାରୀ ଅଧିକାରୀ ଥିଲେ, ସେହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଧମକ ଦେଉଥିଲେ, ଯଦି ତାଙ୍କୁ ଦାବି କରାଯାଇଥିବା ୧୦,୦୦୦ ଟଙ୍କା ଲାଞ୍ଚ ନଦିଆଯାଏ ତେବେ ସେ ବାଧ୍ୟ ହୋଇ ଗିରଫ କରିବେ l ତେବେ ଅନ୍ୟ କୌଣସି ଉପାୟ ନପାଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ, ଯାହା ପରେ, ଭିଜିଲାନ୍ସ ଅଧିକାରୀମାନେ ଆଜି ଶ୍ରୀମତୀ ସୁନା, ASIଙ୍କ କମ୍ପଲ୍ଟରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛନ୍ତି l ଅଭିଯୁକ୍ତ ସୁନାଙ୍କ କବଜାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଥିବା ସୂଚନା ଦେଇଛି ଓଡିଶା ଭିଜିଲାନ୍ସ l ତେବେ ଏହା ସହିତ ASIଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରିରହିଛି ।ଏହି ସମ୍ପର୍କରେ, ବ୍ରହ୍ମପୁର ଭିଜିଲାନ୍ସ ପୋଲିସ ପକ୍ଷରୁ ଏକ କେସ,ମାମଲା ନମ୍ବର ୭/୨୦୨୫, U/S -୭ପିସି (ସଂଶୋଧନ) ଆଇନ, ୨୦୧୮ଅନୁଯାୟୀ ପଞ୍ଜିକୃତ ହୋଇଛି। ତେବେ ଅଭିଯୁକ୍ତ ଏଏସଆଇ ଶ୍ରୀମତୀ ସୁନାଙ୍କ ବିରୁଦ୍ଧରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ବ୍ରହ୍ମପୁର ଭିଜିଲାନ୍ସ ଟିମ l
ତେବେ ଯେଉଁଠି ଲୋକମାନେ ବା ବିଶେଷ କରି ମହିଳା ମାନେ ନ୍ୟାୟ ଭିକ୍ଷା ରେ ଯାଇଥାନ୍ତି ସେଠି ମଧ୍ୟ ଯଦି ଏପ୍ରକାର ବେଆଇନ ବା ଅନ୍ୟାୟ ଏବଂ ଶୋଷଣ ର ଶିକାର ହେବେ ତେବେ ଆଇନ କାନୁନ ଉପରେ ଭରଷା କେତେ ରହିବ....!
State,Shree Jagannath
ପୁରୀ( ଦ କୁଇଭର):- ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖୋଲାଯିବାକୁ ବାରଣ କରାଯାଇଛି। ତେଣେ ଏହି ପରିସର ଭିତରେ ମଦ ଓ ଆମିଷ ବିକ୍ରିକୁ ନିଷିଦ୍ଧ କରାଯାଇଛି। ସବୁ ଦିନ ଲାଗି ଏହି ନିୟମ ଲାଗୁ ରହିବ। ଆଜି ଏନେଇ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ପୁରୀ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ରଜାତି ୨୦୨୩ ଅଗଷ୍ଟରେ ଚିହ୍ନଟ ହୋଇଥିଲା। ଏହା ଓମିକ୍ରନ୍ର ଏକ ଉପପ୍ରଜାତି; ସେତେଟା ଘାତକ ନୁହେଁ। ଏଥିରେ ମଧ୍ୟମ ଧରଣର ଜ୍ବର, କାଶ ଓ ଥଣ୍ଡା ହୋଇଥାଏ। ତେବେ ବୟସ୍କ ଓ ଏକାଧିକ ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଘାତକ ହୋଇପାରେ। ତେଣୁ ଏହି ବର୍ଗର ଲୋକମାନେ କୋଭିଡ୍ ନିର୍ଦ୍ଦେଶାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି।
Shree Jagannath
ପୁରୀ ( ଦ କୁଇଭର )- ଶ୍ରୀମନ୍ଦିରରେ ଗରମ ଡାଲି ପଡି ୫ ଭକ୍ତ ଆହତ । ୩ ମହିଳାଙ୍କ ସମେତ ଦୁଇ ଯୁବତୀ ଆହତ । ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ପାଦରେ ଗରମ ଡାଲି ପଡ଼ିଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଫେରି ଯାଇଛନ୍ତି । ଗତକାଲି ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଥିଲା। ଭୋଗ ମଣ୍ଡପ ଉଠିବା ପରେ ଅପରାହ୍ଣ ସମୟରେ ବୋଝିଆ ସେବାୟତମାନେ ଗରମ ଡାଲି ନେଇ ଯାଉଥିବା ବେଳେ ଅବସାବଧାନତା କାରଣରୁ ଗରମ ଡାଲି ପଡ଼ି ଯାଇଥିଲା। ଏହି ଘଟଣାରେ ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି । ଆହତ ହୋଇଥିବା ଭକ୍ତମାନେ ନୟାଗଡ଼ର ବୋଲି କୁହାଯାଉଛି।
State
ଭୁବନେଶ୍ୱର( ଦ କୁଇଭର ):- ରାଜ୍ୟ କ୍ୟାବିନେଟନ୍ର ଗୁରତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଲା ଅନୁମୋଦନ ଦେଇଛନ୍ତି। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି l ମୁଖ୍ୟ ଶାସନ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ବିକଶିତ ଓଡ଼ିଶା@ ୨୦୩୬ ଲକ୍ଷ୍ୟ ସହିତ ସହରୀ ବିକାଶ ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ରାଜସ୍ବ ଅଭିବୃଦ୍ଧି କରାଯିବ। ଏହି ଯୋଜନା ଅଧୀନରେ ସାଧାରଣ ଏବଂ ରାଜସ୍ବ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ ଯେପରିକି କଲ୍ୟାଣମଣ୍ଡପ/ ବହୁମୁଖୀ ସଭା ଗୃହ, ଟାଉନ ହଲ୍, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ ପରିସର, ରାସ୍ତା, ଡ୍ରେନ୍, ପାର୍କ, ବହୁବ୍ୟବହାର୍ଯ୍ୟ ବାଣିଜ୍ୟିକପରିସ, ଭେଣ୍ଡିଂ ଜୋନ, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି।
ସେହିପରି ଛୋଟପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି ଏବଂ ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ଏବଂ ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ ସାମିଲ କରାଯାଇଛି। ନଦୀକୂଳ ଏବଂ ଜଳାଶୟଗୁଡ଼ିକର ନବୀକରଣ ଏବଂ ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରାଣୀ ସମୃଦ୍ଧି ପାଇଁ କାଞ୍ଜିଆ ହୁଦା, ଗୋଶାଳା ଏବଂ ପ୍ରାଣୀଯତ୍ନ କେନ୍ଦ୍ରର ବିକାଶ କରାଯିବ l ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଆଗାମୀ ୫ ବର୍ଷ ଅର୍ଥାତ ଆର୍ଥିକ ବର୍ଷ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ସର୍ବମୋଟ ୬୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଚଳିତ ଆର୍ଥିକ ବର୍ଷରେ ଏଥି ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟ ସରକାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିକାଶ ଯୋଜନାକୁ ମଂଜୁରୀ ଦେଇଛନ୍ତି। ଏଥି ପାଇଁ ଆଗାମୀ ୫ବର୍ଷରେ ୧୧୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ୍ ଓ ସ୍ପଲ ୱେ ନିର୍ମାଣ ପାଇଁ ୧୫୧ କୋଟି ମଞ୍ଜୁରୀ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୬୨୬୦ ଏକର ଜମି ଜଳସେଚନ ହୋଇପାରିବ। ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ଜମି ଛାଡ଼ ପାଇଁ ୨ ଲକ୍ଷ ୬୦ ହଜାର କୋଟି ମଂଜୁରୀ ହୋଇଛି।
State
ଧର୍ମଗଡ଼( ଦ କୁଇଭର):- ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା (ଆଇଏଏସ୍)ଙ୍କୁ ଭିଜିଲାନ୍ସ କାବୁ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଜୟପାଟଣା ବ୍ଲକ୍ ଆମଯୋର୍ ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରବିବାର ସନ୍ଧ୍ୟାରେ ଉପଜିଲ୍ଲାପାଳ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଅଭିଯୋଗକାରୀଙ୍କୁ ଉପଜିଲ୍ଲାପାଳ ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଡାକି ଲାଞ୍ଚ ରାଶି ଯାଞ୍ଚ କରିଥିଲେ ଏବଂ ତାଙ୍କ ବାସଭବନ ଅଫିସ ଟେବୁଲ୍ ଡ୍ରୟର ଭିତରେ ରଖିଥିଲେ। ଭିଜିଲାନ୍ସ ଚଢ଼ଉ କରି ଉପଜିଲ୍ଲାପାଳଙ୍କ ହାତ ଧୋଇବା ଏବଂ ଟେବୁଲ ଡ୍ରୟର ଧୋଇବାରୁ ଉଭୟ ସକାରାତ୍ମକ ରାସାୟନିକ ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି। ଏହା ପରେ ତାଙ୍କ ସରକାରୀ ବାସଭବନରେ ଯାଞ୍ଚ କରାଯିବା ବେଳେ ଆହୁରି ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏ ସମ୍ପର୍କରେ ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନମ୍ବର ୬/୨୦୨୫, ୭ପିସି ଆଇନ, ୧୯୮୮ ପିସି (ସଂଶୋଧନ) ଆଇନ, ୨୦୧୮ ଦ୍ୱାରା ପଞ୍ଜୀକୃତ ହୋଇଛି। ଘଟଣାର ଅଧିକ ତଦନ୍ତ ପାଇଁ ରାତିରେ ଶ୍ରୀ ଚକ୍ମାଙ୍କୁ ଭବାନୀପାଟଣା ଅଣାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ୨୦୨୧ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଶ୍ରୀ ଚକ୍ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ। ଅଗରତାଲା ଏନ୍ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ଶ୍ରୀ ଚକ୍ମା ୟୁପିଏସ୍ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
National,State
ଦ କୁଇଭର ବ୍ୟୁରୋ:- ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ତାରିଖ । ଆସନ୍ତା ଜୁନ୍ ୧୨ ତାରିଖ ନୁହଁ ବରଂ ଜୁନ୍ ୨୦ ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ମୋହନ ସରକାରକୁ ବର୍ଷେ ପୂରଣ ନେଇ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ହେବ ସାମିଲ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର । ବିଜେପି ସରକାରକୁ ବର୍ଷେ ପୂରଣ ଅବସରରେ ଜୁନ୍ ୨୦ରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହେବେ । କିନ୍ତୁ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଭୁବନେଶ୍ୱର ଜନତା ମଇଦାନ ନଚେତ ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହ । ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ରେ ଆସିବାର ଥିଲା, କିନ୍ତୁ ସେ ୨୦ ତାରିଖରେ ଆସିବେ । ସେହି ଦିନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ । କେଉଁ ସ୍ଥାନରେ ତାହା ହେବ ସେନେଇ ସ୍ଥିର ହୋଇନାହିଁ । ଲକ୍ଷାଧିକ ଲୋକେ ବିରାଟ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଜେପି ସରକାରରେ ଗୋଟିଏ ବର୍ଷ ପୂରଣ ହେବ । ସେହି କାର୍ଯ୍ୟକ୍ରମରେ ଆମେ ରିପୋର୍ଟକାର୍ଡ ଦେବୁ । " ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି," ୨୦ ତାରିଖରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ହେବ । ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସାମିଲ ହେବେ । କେଉଁ ସ୍ଥାନରେ ହେବ, କାର୍ଯ୍ୟକ୍ରମ କିପରି ହେବେ ସେନେଇ ବିସ୍ତୃତ ଭାବେ ଆଲୋଚନା ଚାଲିଛି । ୧୩ ତାରିଖରେ ମହିଳା ସମାବେଶ, ୧୮ ତାରିଖରେ ଜନଜାତି ଲୋକଙ୍କ ସମାବେଶ, ୧୯ ତାରିଖରେ କୃଷକ ମାନଙ୍କର ଓ ୨୧ ରେ ଯୁବକ ମାନଙ୍କର ଏକତା କରାଯିବ । ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଆସିବେ । ସେନେଇ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯିବ । "
State
ଦ କୁଇଭର ବ୍ୟୁରୋ:- ଆଜିଠୁ ଆହୁରି ବଢ଼ିବ ତାତି । ସାରା ରାଜ୍ୟରେ ଗରମ ଓ ଗୁଳୁଗୁଳି,ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୫ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିପରି ତାତି ଓ ଆର୍ଦ୍ରତା ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ସମେତ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର l
National
ଦ କୁଇଭର ବ୍ୟୁରୋ:- ଦେଶରେ କରୋନାର ମାତ୍ରା ବଢିଥିବା ବେଳେ ଆଜି ୫ ହଜାର ୩୬୪ରେ ପହଞ୍ଚିଛି ଆକ୍ଟିଭ କେସ୍ । ସୁସ୍ଥ ହୋଇ ଫେରିଛନ୍ତି ୪ ହଜାର ୭୨୪ ଜଣ । ଗତ ୨୪ ଘଣ୍ଟାରେ ଦେଶରେ ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୮ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ସର୍ବାଧିକ ୧୬୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଆଡଭାଇଜରୀ । ଜନଗହଳିପୂର୍ଣ୍ଣ ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଏୟାରପୋର୍ଟରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଏବଂ ଜଟିଳ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି ।ନିୟମିତ ହାତ ଧୋଇବା କିମ୍ବା ହ୍ୟାଣ୍ଡ ସାନିଟାଇଜ ବ୍ୟବହାର ପରାମର୍ଶ ଦିଆଯାଇଛି । ଜ୍ବର, ଥଣ୍ଡା, କାଶ , ଗଳା ଯନ୍ତ୍ରଣା କିମ୍ବା ଶ୍ବାସକ୍ରିୟା ସମସ୍ୟା ପରି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରନ୍ତୁ । ସମସ୍ତ ରାଜ୍ୟକୁ ପରିସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ ଅକ୍ସିଜେନ, ଆଇସୋଲେସନ ବେଡ଼, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l କେରଳ ପରେ ଗୁଜରାଟରେ ଦ୍ବିତୀୟ ସର୍ବାଧିକ ସଂକ୍ରମଣ । ୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ୫୦୦ରୁ ଅଧିକ କେସ୍ । କୋଭିଡ ସଂକ୍ରମଣ ବଢୁଥିବାରୁ ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଏଯାଏ ୩୮ଟି କୋଭିଡ କେସ ଚିହ୍ନଟ ହୋଇଛି । ୭୫୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ରାଜ୍ୟକୁ ପରିସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ ଅକ୍ସିଜେନ, ଆଇସୋଲେସନ ବେଡ଼, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
National
ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍ଘାଟନ କରିଛନ୍ତି। ଏହି ଇଞ୍ଜିନିୟରିଂ ଚମତ୍କାର ଉଧମପୁର-ଶ୍ରୀନଗର-ବାରମୁଳା ରେଳ ଲିଙ୍କ୍ (ୟୁଏସ୍ବିଆର୍ଏଲ୍) ପ୍ରକଳ୍ପର ଏକ ପ୍ରମୁଖ ଅଂଶ ଏବଂ ବର୍ତ୍ତମାନ କାଶ୍ମୀର ଉପତ୍ୟକାକୁ ରେଳ ମାଧ୍ୟମରେ ବାକି ଭାରତ ସହିତ ସଂଯୋଗ କରୁଛି। କାଶ୍ମୀରରେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍ ‘ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଏକ ଦୃଢ଼ ବାର୍ତ୍ତା ଦେଇଛି ଯେ ତାଙ୍କ ସରକାର ଏହି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦୀ କଟ୍ରାରେ ୪୬,୦୦୦ କୋଟି ଟଙ୍କାର ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଚେନାବ ସେତୁ ଉଦ୍ଘାଟନ କରିବାର କିଛି ମୁହୂର୍ତ୍ତ ପରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ହଲାଇ ସେତୁ ଉପରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ।
ଚେନାବ ସେତୁ ୨୭୨ କିଲୋମିଟର ଦୀର୍ଘ ୟୁଏସ୍ବିଆର୍ଏଲ୍ ପ୍ରକଳ୍ପର ଏକ ଅଂଶ, ଯାହାର ମୂଲ୍ୟ ପ୍ରାୟ ୪୩,୭୮୦ କୋଟି ଟଙ୍କା ଏବଂ ଏଥିରେ ୩୬ଟି ଟନେଲ୍ (୧୧୯ କିଲୋମିଟର) ଏବଂ ୯୪୩ଟି ପୋଲ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ଓ ଦେଶର ବାକି ଅଞ୍ଚଳ ମଧ୍ୟରେ ସର୍ବକାଳୀନ, ନିରବଚ୍ଛିନ୍ନ ରେଳ ଯୋଗାଯୋଗ ସ୍ଥାପନ କରିବ। ୧୪୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନାବ ରେଳ ସେତୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଓ ଇଞ୍ଜିନିୟରିଂର ଚମତ୍କାର। ନଦୀଠାରୁ ୩୫୯ ମିଟର ଉଚ୍ଚ, ପ୍ୟାରିସ୍ ଆଇଫିଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ ଏବଂ ଦିଲ୍ଲୀ କୁତବମିନାରଠାରୁ ପ୍ରାୟ ୫ ଗୁଣ ଉଚ୍ଚ ଏହି ପୋଲରେ ୨୮,୬୬୦ ମେଗାଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଯାହା ଉଭୟ ଶୂନ୍ୟ ତାପମାତ୍ରା ଓ ଅତ୍ୟଧିକ ଉତ୍ତାପକୁ ସହ୍ୟ କରିବାରେ ସକ୍ଷମ। ଶକ୍ତିଶାଳୀ ଭୂମିକମ୍ପକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ପୋଲରେ ଅତ୍ୟାଧୁନିକ ନିରାପତ୍ତା ବୈଶିଷ୍ଟ୍ୟ ରହିଛି। ପ୍ରଧାନମନ୍ତ୍ରୀ ଅଞ୍ଜି ନଦୀରେ ଭାରତର ପ୍ରଥମ କେବୁଲ ଷ୍ଟେଡ୍ ରେଳ ସେତୁ-ଅଞ୍ଜି ଖଡ଼ ସେତୁକୁ ଉଦ୍ଘାଟନ କରିଥିଲେ। ଅଞ୍ଜି ସେତୁ ନଦୀ ପତ୍ତନଠାରୁ ୩୩୧ ମିଟର ଉଚ୍ଚରେ ଥିବା ବେଳେ ଲମ୍ବ ୭୨୫ ମିଟର ରହିଛି। ଏଥିରେ ୯୬ଟି ହାଇ-ଟେନ୍ସିଲ (ଉଚ୍ଚ ତନ୍ୟତାଯୁକ୍ତ) କେବୁଲ ରହିଛି। ଏହି ପୋଲ ମାତ୍ର ୧୧ ମାସରେ ସମ୍ପୂର୍ଣ୍ଣ ହୋଇଥିଲା।
Health & lifestyle,State
କୋରାପୁଟ( ଦ କୁଇଭର ):- କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ବିରାଟ ବିଭ୍ରାଟ। ଇଞ୍ଜେକ୍ସନ ନେବାପରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ସୁଦ୍ଧା ୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏତେ ବଡ଼ ଘଟଣା ଘଟିବା ସତ୍ତ୍ବେ କେହି ମୁହଁ ଖୋଲୁନାହାନ୍ତି। ଚିକିତ୍ସା ତଥା ଇଞ୍ଜେକ୍ସନ ବିଷୟରେ ଆଦୌ କିଛି କହୁନାହାନ୍ତି। ଅନ୍ୟପଟେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ତଦନ୍ତ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ୫ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲାର ଫୁଲମତି ମାଝୀ କର୍କଟ, ସେମିଳିଗୁଡ଼ାର ସୁପ୍ରା ମାଝୀ ଏବଂ ଋକ୍ମିଣୀ ପେଣ୍ଠିଆ ଛୁରାମାଡ଼ ପରେ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ଆସିଥିଲେ। ସେହିପରି କୋଟପାଡ଼ର ଜଗନ୍ନାଥ ପୂଜାରୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ ସର୍ଜରି ବିଭାଗର ଆଇସିୟୁରେ ରଖାଯାଇଥିଲା।
ସାଧାରଣ ସର୍ଜରି ୱାର୍ଡରେ ଭଗବାନ ପରିଜା ଏବଂ ବଟି ଖରାଙ୍କ ଚିକିତ୍ସା ଚାଲିଥିଲା। ରାତି ୯ଟାରୁ ୧୦ଟା ମଧ୍ୟରେ ସମସ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା। ଇଞ୍ଜେକ୍ସନ ନେବାର ପ୍ରାୟ ଦୁଇ ଘଣ୍ଟା ପରେ ସୁପ୍ରା, ଋକ୍ମିଣୀ, ଫୁଲମତୀଙ୍କ ସହ ଭଗବାନ ଓ ବଟିଙ୍କ ମୃତ୍ୟୁ ହୋଇଥିଲା। ଆଜି ଭୋର ସମୟରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇଞ୍ଜେକ୍ସନ ନେବାର କିଛି ଘଣ୍ଟା ପରେ ସମସ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ସଂପର୍କୀୟ ପ୍ରବଳ ପାଟିତୁଣ୍ଡ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ତଥା ଭୁଲ୍ ଇଞ୍ଜେକ୍ସନ୍ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ଉତ୍ତେଜନା ବଢ଼ିବାରୁ ପୁଲିସ ପହଞ୍ଚି ୪ ରୋଗୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟ ଦୁଇ ରୋଗୀଙ୍କ ମୃତଦେହ ପରିବାର ଲୋକ ନେଇଯାଇଥିବା ସୂଚନା ମିଳିଛି। ମେଡିକାଲ ଅଧୀକ୍ଷକ ତଥା ଡିନ୍ ଡାକ୍ତର ସୁଶାନ୍ତ କୁମାର ସାହୁ ପ୍ରାଥମିକ ତଦନ୍ତ ପରେ ଡାକ୍ତର କିମ୍ବା ନର୍ସଙ୍କ ଦ୍ବାରା କୌଣସି ଅବହେଳା ହୋଇନଥିବା କହିଛନ୍ତି। ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରୋଟକଲ୍ ଅନୁସାରେ ହିଁ ଇଞ୍ଜେକ୍ସନ ଦିଆଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ଇଞ୍ଜେକ୍ସନକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଡିଏମ୍ଇଟି ତଦନ୍ତ ଲାଗି ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି। କଟକ ଏସ୍ସିବି ମେଡିକାଲ କଲେଜର ୨ଜଣ ସର୍ଜରି ପ୍ରଫେସର, ବ୍ରହ୍ମପୁର ମେଡିକାଲ କଲେଜର ଜଣେ ସର୍ଜରି, ଜଣେ ଭେଷଜ ଓ ଜଣେ ନିଶ୍ଚେତକ ବିଶେଷଜ୍ଞ ଏହି ଟିମ୍ରେ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ତଦନ୍ତ ଟିମ୍ ରିପୋର୍ଟ ଦାଖଲ କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ କରାଯିବ। ଡାକ୍ତର ଲେଖିଥିବା ଇଞ୍ଜେକ୍ସନ ହିଁ ରୋଗୀଙ୍କୁ ନର୍ସ ଦେଇଛନ୍ତି। ସମସ୍ତ ରୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି।
ତେବେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମଧ୍ୟ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଡିଓ ଦେବାଶିଷ ଗୌଡ଼, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ପିଡି ଡୁଡା ତପନ କୁମାର ନାୟକ ଓ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ପ୍ରମୁଖ ପହଞ୍ଚି ରେଡ୍କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ପୂର୍ବତନ ବିଧାୟକ ନିମାଇ ସରକାର ଓ କଂଗ୍ରେସ ସମ୍ପାଦକ ରୁପକ ତୁରୁକ ଡାକ୍ତରଖାନା ମୁଖ୍ୟ ଫାଟକ ନିକଟରେ କିଛି ସମୟ ଧାରଣାରେ ବସିଥିଲେ। ଅଧୀକ୍ଷକ ପହଞ୍ଚି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଂଜନ ସେଠୀ ଓ କାଉନ୍ସିଲର ଡିନ୍ଙ୍କ ସହ ଆଲୋଚନା କରିବା ପରେ ମୃତକଙ୍କ ପରିବାରକୁ ସାକ୍ଷାତ କରିଥିଲେ।
Sports
ଦ କୁଇଭର ବ୍ୟୁରୋ:- ଆଇପିଏଲ ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଏହି ଦଳାଚକଟା ହୋଇଛି । ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏବେସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ସୂଚନା ଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଷ୍ଟାଡିୟମରେ ବିଜୟ ଉତ୍ସବ ବେଳେ ବହୁତ ସଂଖ୍ୟାରେ କ୍ରିକେଟ୍ ଫ୍ୟାନ୍ ଭିଡ଼ ଜମାଇବାରୁ ଅଘଟଣ ଘଟିଛି । କାଲି IPLରେ ଦମଦାର ବିଜୟ ପରେ ଆଜି ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା ଆରସିବି ଟିମ୍ । ଆଇପିଏଲ ବିଜେତା RCB ଟିମ୍କୁ ସ୍ବାଗତ କରିବା ପାଇଁ ପ୍ରବଳ ଉତ୍ସାହ । ବେଙ୍ଗାଲୁରୁରେ ବିଧାନସୌଧ ଆଗରେ କ୍ରିକେଟ ପ୍ରେମୀ ମାନେ ଭିଡ଼ ଜମାଇଛନ୍ତି
ସୂଚନା ପ୍ରକାରେ ଆରସିବି ୧୮ ବର୍ଷ ପରେ IPL ଟ୍ରଫି ଜିତିବାର ଉତ୍ସବ ପାଳନ କରିବାକୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଭିଡ ଜମାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ବିଜୟ ସେଲିବ୍ରେସନ ବେଳେ ଷ୍ଟାଡିୟମ ବାହାରେ ଅଚାନକ ଭିଡ଼ ବେକାବୁ ହୋଇପଡିଥିଲା । ଯାହାଫଳରେ ଭୟଙ୍କର ଦଳାଚକଟା ଘଟି ବହୁସଂଖ୍ୟାକ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ମେଟ୍ରୋ ଷ୍ଟେସନ୍ ବନ୍ଦ କରାଯାଇଛି । ତେବେ ପ୍ରଥମ ଥର ଆଇପିଏଲରେ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇ ଦମଦାର ବିଜୟ ହାସଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।
State
ଦ କୁଇଭର ବ୍ୟୁରୋ:- ରାଜସ୍ବ ଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ତହସିଲ ସ୍ତରରେ ଅଭିଯୋଗର ସମାଧାନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏପରି ସମାଧାନ କର ଯେପରି କେହି ଭୁବନେଶ୍ବର ନ ଆସନ୍ତୁ । ଜମି ଜମା ସମସ୍ୟାର ସମାଧାନ ଅଫିସ୍ ହେଉଛି ତହସିଲ୍ । ତହସିଲ୍ସ୍ତରରେ ସମାଧାନ ହୋଇ ନ ପାରିବାରୁ ଅଦାଲତରେ ମାମଲା ବଢ଼ୁଛି । ତଳ ସ୍ତରରେ ଯଦି ସମାଧାନ ହୋଇଥାନ୍ତା, ତେବେ କେହି ଭୁବନେଶ୍ୱର ଆସୁନଥାନ୍ତେ । ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ସମୟ ଭିତରେ ସମାଧାନ କରନ୍ତୁ । " ଆଜି ଲୋକସେବା ଭବନରେ ଆୟୋଜିତ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ରାଜସ୍ୱ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଲୋକଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଅ । ତହସିଲ ଅଫିସକୁ ପିପୁଲ ଫ୍ରେଣ୍ଡଲି କର । ମ୍ୟାଚ୍ ନୁହେଁ, ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେବ । ବ୍ୟବହାରରେ ଲୋକଙ୍କୁ ଆପ୍ୟାୟିତ କର । ୫୧ ଟି ବିଭାଗର ମେରୁଦଣ୍ଡ ରାଜସ୍ୱ ବିଭାଗ । ଓଡ଼ିଶା ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବାକୁ ହେବ । କୌଣସି ତହସିଲରେ ଜଣେ ହେଲେ ଭୂମିହୀନ ରହିବେ ନାହିଁ । ଏବେବି ଜମି ଡିମାର୍କେସନ ପାଇଁ ମୋ ପାଖକୁ ମାଲକାନଗିରିରୁ ଲୋକ ଆସୁଛନ୍ତି । ଏବେ ସେବା ଆରମ୍ଭ ହେଲାଣି । ଯେବେ ଲୋକ ଆସିବା ବନ୍ଦ କରିଦେବେ ଜାଣିବି ରାଜସ୍ୱ ସେବା ଠିକ୍ ଭାବେ ଚାଲିଛି ।"
National,State
ବେଙ୍ଗାଲୁର( ଦ କୁଇଭର):- ବେଙ୍ଗାଳୁରୁ ଦଳଚକଟା ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଦଳାଚକଟା ଘଟଣାରେ ସହାୟତା ରାଶି ବୃଦ୍ଧି କରିଛନ୍ତି କର୍ଣ୍ଣାଟକ ସରକାର । ପୂର୍ବରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା ହୋଇଥିଲା । କିନ୍ତୁ ଘଟଣାକୁ ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ରାଶିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଭାବିତ ପରିବାରଙ୍କୁ ଖୁବଶୀଘ୍ର ଏହି ସହାୟତା ରାଶି ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଦ୍ଦରମୈୟା ।
ସୂଚନା ଅନୁସାରେ ଗତ ୩ ଜୁନ ୨୦୨୫ରେ ଆହମଦାବାଦରେ ଅନୁଷ୍ଠିତ ଆଇପିଏଲ ଫାଇନାଲରେ ଆରସିବି ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିଲା । ଏହି ବିଜୟର ଉତ୍ସବ ପାଇଁ ବେଙ୍ଗାଲୁରୁରେ ଏକ ବିଜୟ ପରେଡର ଆୟୋଜନ କରାଯାଇଥିଲା । କିନ୍ତୁ ଏହି ପରେଡ ସମୟରେ ଷ୍ଟାଡିୟମ ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଯାହା ଦଳାଚକଟାରେ ପରିଣତ ହୋଇଥିଲା । ଏହି ଘଟଣାରେ ଅନେକ ପ୍ରଶଂସକ ଆହତ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।ପୋଲିସ ସୂଚନା ଅନୁଯାୟୀ, ଏହି ଦଳାଚକଟା ଘଟଣାରେ ଆୟୋଜକଙ୍କ ସହ ବିରାଟ କୋହଲିଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଅଭିଯୋଗ ରହିଛି ଯେ ପରେଡର ଆୟୋଜନରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିଲା ଏବଂ କୋହଲିଙ୍କ ଉପସ୍ଥିତି ଯୋଗୁଁ ଅତ୍ୟଧିକ ଭିଡ଼ ହୋଇଥିଲା । ପୋଲିସ କହିଛି ଯେ ଏହି ମାମଲାର ତଦନ୍ତ ଚାଲିଛି ଏବଂ ସମସ୍ତ ଦିଗକୁ ତଦନ୍ତ କରାଯିବ । ତେବେ, କୋହଲିଙ୍କୁ ଗିରଫ କରାଯିବ କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
State
ନନ୍ଦନକାନନ( ଦ କୁଇଭର):- ଶନିବାର ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୮ ନମ୍ବର (ଖ) ଖୁଆଡ଼ ମଧ୍ୟରେ ଧଳା ବାଘୁଣୀ ‘ମୌସୁମୀ’ର ଦ୍ୱିତୀୟ ଗର୍ଭରୁ ଦୁଇ ଶାବକ ଜନ୍ମ ନେଇଛନ୍ତି। ନବଜାତ ଶାବକଙ୍କ ମଧ୍ୟରେ ଗୋଟିଏ ଧଳା ଓ ଗୋଟିଏ ସାଧାରଣ ନାଲି ରଙ୍ଗର ଅଛି। ମା’ ବାଘୁଣୀ ସେମାନଙ୍କୁ ଚାଟିବା ଓ କୋଳରେ ଧରି କ୍ଷୀର ପାନ କରାଇ ଯତ୍ନ ନେଉଥିବାର ଦୃଶ୍ୟ ସିସି କ୍ୟାମେରାରେ ଦେଖିବାକୁ ମିଳିଛି। ମୌସୁମୀ ଯଥାକ୍ରମେ ରାତି ୯ଟା ୧୫ ମିନିଟରେ ପ୍ରଥମ ଓ ୧୧ଟା ୩ ମିନିଟରେ ୨ୟ ଶାବକକୁ ଜନ୍ମ ଦେଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗତକାଲି ଶାବକ ଦୁଇଟି ଜନ୍ମ ନେବା ପରେ ନନ୍ଦନକାନନରେ ମୋଟ୍ ବାଘ ସଂଖ୍ୟା ୨୯କୁ ବୃଦ୍ଧିପାଇଛି। ଏଥିରେ ଲିଙ୍ଗ ଚିହ୍ନଟ ହୋଇନଥିବା ୨ ଶାବକ, ୧୭ ମହାବଳ ବାଘ ଓ ୧୦ ବାଘୁଣୀ ଅଛନ୍ତି। ଏହାର ମଧ୍ୟରେ ୬ଟି ଧଳାବାଘଙ୍କ ମଧ୍ୟରେ ୩ଟି ମହାବଳ,୨ଟିବାଘୁଣୀ ଓ ଗୋଟିଏ ଲିଙ୍ଗ ଚିହ୍ନଟ ହୋଇ ନଥିବା ଶାବକ ଅଛନ୍ତି। ଏଥି ସହିତ ୪ଟି ବିରଳ କଳା ରଙ୍ଗର ବାଘଙ୍କ ମଧ୍ୟରେ ୩ଟି ମହାବଳ ଓ ଗୋଟିଏ ବାଘୁଣୀ ଅଛନ୍ତି। ଧଳା ରଙ୍ଗର ମୌସୁମୀ ସହ ସାଧାରଣ ମହାବଳ ରାଜେଶ ମିଳନରୁ ଏହି ଶାବକ ଜନ୍ମ ନେଇଛନ୍ତି। ଗତ ଫେବ୍ରୁଆରି ୨୭ ଓ ୨୮ରେ ମୌସୁମୀର ରାଜେଶ ସହ ମିଳନ ହୋଇଥିଲା ଓ ଗର୍ଭଧାରଣର ୯୮ ଦିନରେ ଶାବକ ଜନ୍ମ ନେଇଥିବା ସୂଚନା ଦିଆଯାଇଛି। ଗତ ବର୍ଷ ଜାନୁଆରୀ ୮ ତାରିଖ ବ୍ୟାଘ୍ର ଦିବସରେ ମୌସୁମୀ ପ୍ରଥମ ଗର୍ଭରୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଅପରିପକ୍ବ ଶାବକ ୩ଟି ଜନ୍ମ କରିଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏଥର ଜନ୍ମିତ ଶାବକ ଦୁଇଟି ସୁରକ୍ଷିତ ଥିବା ଓ ବିଶେଷ କରି ଏହା ମଧ୍ୟରେ ଏକ ଧଳା ଶାବକ ଥିବାରୁ କର୍ତ୍ତୃପକ୍ଷ ଆଶ୍ୱସ୍ତ ହୋଇଛନ୍ତି। କାରଣ ଧଳା ଶାବକ ଜନ୍ମ ଦେଉଥିବା ଧଳାବାଘୁଣୀ ସ୍ନେହାର ଗତ ୨୦୨୪ ମସିହା ଏପ୍ରିଲ ୧୯ ତାରିଖରେ ମୃତ୍ୟୁ ହୋଇଛି। ଗତ ବର୍ଷ ନଭେମ୍ବର ୨ ତାରିଖରେ ରୂପା ଜନ୍ମ ଦେଇଥିବା ଧଳା ଶାବକର ଚଳିତ ବର୍ଷ ଜାନୁଆରି ୧୫ ତାରିଖରେ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଗତ ୨୦୨୩ ଜାନୁଆରି ୨ ତାରିଖରେ ଶିବା ଓ ୨୦୨୨ ମାର୍ଚ୍ଚ ୧୧ ତାରିଖରେ ହିମାଂଶୀ ଜନ୍ମ ଦେଇଥିବା ଧଳାବାଘ ଓ ବାଘୁଣୀ ଏବେ ନନ୍ଦନକାନନରେ ଅଛନ୍ତି। ବହୁଦିନର ବ୍ୟବଧାନରେ ଶାବକ ଜନ୍ମ ଓ ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁ କାରଣରୁ ଧଳା ବାଘ ସଂଖ୍ୟା କମିବାରେ ଲାଗିଥିଲା। ଫଳରେ ଅଦ୍ୟାବଧି ୧୬୫ ଧଳାବାଘ ଜନ୍ମ ହୋଇଥିବା ନନ୍ଦନକାନନ ପ୍ରାଣୀଉଦ୍ୟନରେ ଧଳାବାଘ ବଂଶ ବୃଦ୍ଧି ନେଇ ଆଶଙ୍କା ଦେଖାଦେଇଥିଲା। ଏତିକି ବେଳେ ଦୁଇବର୍ଷର ବ୍ୟବଧାନରେ ମୌସୁମୀ ଏକ ସୁସ୍ଥ ଧଳା ଶାବକ ଜନ୍ମ ଦେବା ଏକ ପ୍ରକାର ବଂଶ ବୃଦ୍ଧିର ଆଶା ସଂଚାର କରିଛି।
State,Health & lifestyle
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇସାରିଲେଣି। ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩। ଆଜି ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର। ବର୍ତ୍ତମାନ ସୁଦ୍ଧା କଟକ ଜିଲ୍ଲାରେ ୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଏମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲରେ ଥିବା ବେଳେ ବାକି ୧୭ ଜଣ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, କଟକରେ ଭୟାବହ ପରିସ୍ଥିତି ନାହିଁ । ଲକ୍ଷଣ ଥିଲେ ଘରେ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ଭିଡ଼ ଭିତରକୁ ଯାଆନ୍ତୁ ନାହିଁ, ଚିକିତ୍ସା କରାନ୍ତୁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା କହିଛନ୍ତି ।
ଏଣେ ଭାରତରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ମୁହାଁ ହୋଇଛି । ସକ୍ରିୟ ସଂକ୍ରମଣ ମାମଲା ୫ ହଜାର ୭୫୫ ରେ ପହଞ୍ଚିଛି।କେରଳରେ ସର୍ବାଧିକ ୧୮୦୬ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୭୧୭, ଦିଲ୍ଲୀରେ ୬୬୫ ଏବଂ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫୭୭ ରହିଛି । ସେହିପରି କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ଯଥାକ୍ରମେ ୪୪୪ ଏବଂ ୨୮୮ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୨୦୮ ଟି ମାମଲା ଚିହ୍ନଟ କରିଛି ସ୍ବାସ୍ଥ୍ୟ ବିଭାଗ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ମୁକାବିଲା ଲାଗି ରାଜ୍ୟମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଓ ଯଥେଷ୍ଟ ପରିମାଣର ଅକ୍ସିଜେନ୍ ସିଲିଣ୍ଡର ଗଚ୍ଛିତ ରଖିବାକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ହାତ ସାନିଟାଇଜ କରିବା, କାଶ କିମ୍ବା ଛିଙ୍କ ହେଲେ ରୁମାଲ ବା ମାସ୍କ ବ୍ୟବହାର କରିବା, ଶରୀର ଅସୁସ୍ଥ ଥିଲେ ଭିଡ଼ଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ମନ୍ତ୍ରାଳୟ। ସେହିପରି ଶ୍ବାସଜନିତ ସମସ୍ୟା କିମ୍ବା ଅସୁସ୍ଥ ଅନୁଭବ କଲେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଛି । ଅଯଥା ଗୁଜବକୁ ବିଶ୍ବାସ ନକରିବାକୁ କହିଛି ମନ୍ତ୍ରାଳୟ । ସେପଟେ ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ପରିମାଣର ଅକ୍ସିଜେନ ମହଜୁଦ ରଖିବା ସହ ମେଡ଼ିକାଲ ବେଡ, ଭେଣ୍ଟିଲେଟର, ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
State
ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁରର ଗୋଶାଣୀନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମ ଠାରେ ଜିଲ୍ଲା ଓ ଦ୍ରୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଗୁରୁବାର ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି l ସୁସ୍ଥ ଓ ସୁଖ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ l ପରିବେଶ ସୁରକ୍ଷା ଜୀବନ ରକ୍ଷା l ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ ତେଣୁ "ସବୁଦିନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରିସମାପ୍ତି କରିବା" ଲକ୍ଷ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l
ଏହି ଅବସରରେ "ବନ୍ୟ ଜନ୍ତୁ ସୁରକ୍ଷା ଆଇନ " ଏବଂ " ପରିବେଶ ସୁରକ୍ଷା ଆଇନ " ସମ୍ବଦ୍ଧରେ ସଚେତନତା ସହ ବୃକ୍ଷରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏସଡିଜେଏମ ଶ୍ରୀ କୁମାର ସ୍ପନ୍ଦନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ଶ୍ରୀମତୀ ସବିତା ସାହୁକାର,ଏସିଏଫ ବ୍ରହ୍ମପୁର ସଶ୍ମିତା ବିଶ୍ୱାଳ, ଫରେଷ୍ଟର ସୁମିତ୍ରା କୁମାରୀ ଭୂୟାଁ, ଉତ୍କଳ ବାଳାଶ୍ରମ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ରାଣୀ ପାଢ଼ୀଙ୍କ ସମେତ ଆଶ୍ରମ ର ସମସ୍ତ କର୍ମଚାରୀ ଏବଂ ଅନ୍ତେବାସିନୀ ପ୍ରମୁଖ ଉପସ୍ଥିତ ରହିଥିଲେ l