Join Us To Make A Difference

The Drops💧

ନିର୍ବାଚନ ପରେ ସରକାରୀ ଚାକିରୀ

ନିର୍ବାଚନ ପରେ ସରକାରୀ ଚାକିରୀ
Published by:Jyotshna Kumari
#national

ଦ କୁଇଭର ବ୍ୟୁରୋ:- ଏଠି ଚାକିରୀ କମ, ଆଶାୟୀ ବେଶି... ଇମାନ୍ଦରୀ କମ, ବେଈମାନ ବେଶି...ଏଠି ପାଠ ପଢି ଚାକିରୀ କରିବା ନୁହଁ, ମୋଟା ଅଙ୍କ ଦେଇ ଚାକିରୀ ହାତାଓ ନୀତି... କେତେବେଳେ ପ୍ରଶ୍ନପତ୍ର ଲିକ ତ ଆଉ କେତେବେଳେ ପଦବୀ ଉଭାନ...ସତେ ଯେମିତି ସରକାରୀ ଚାକିରୀ ସାତ ସପନ 


ଦର୍ଶକ ବନ୍ଧୁ,ଗ୍ରାଉଣ୍ଡ ଜିରୋ ଠୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି/ ଭ୍ରଷ୍ଟାଚାର/ ହିଂସା/ ଅରାଜକତା /ଅପରାଧ, ଏଠି ଅପରାଧୀକୁ ଧରି ଦଣ୍ଡ ଦେବା ପରିବର୍ତ୍ତେ ଫୁଲମାଳ ପକାଇ ବଡ଼ ବଡ଼ ଆସନ ଦିଆଯାଉଛି l ୨୪ ବର୍ଷର ବିଜେଡି ସରକାର ଯାଇ ୧୫ ମାସର ବିଜେପି ସରକାର ଆସିଲାଣି ତଥାପି ଉନ୍ନତି ସତେ ଯେମିତି ସାତ ଦରିଆ ପାରିରେ l ଲୋକଙ୍କ ପାଦ ଠୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରିଦେବେ , ଲମ୍ବା ଲମ୍ବା ପଏଣ୍ଟ ଇସ୍ତାହାରରେ ରଖି,ଭୋଟ ଦିଅନ୍ତୁ ଆଉ ଦେଖନ୍ତୁ ଏ ସରକାର ଆପଣଙ୍କ ପାଇଁ କ'ଣ କରୁଛି,ଏସବୁ ଫିଲ୍ମ ଡ୍ରାମା ଭଳି ଲାଗିଲେ ମଧ୍ୟ ନିରାଟ ସତ୍ୟ କଥା l ଏଠି କୁଜିନେତା ଠୁ ଆରମ୍ଭ କରି ବଡ଼ ବଡ଼ ନେତା ଓ ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ କେବଳ ଆଉ କେବଳ ବାହାସ୍ପଟ ମାରିବାରେ ବ୍ୟସ୍ତ କିନ୍ତୁ କାମ..... ଜିରୋ l


ଵିକାଶର ଆର ପାରିରେ ସତେ ଯେମିତି ଭାରତ ଆଉ ବିଶେଷ କରି ଓଡିଶା l ଦିନ କେଇଟାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ, ଯେପରିକି ବିହାରରେ ଏବଂ ଓଡିଶାର ନିମାପଡାରେ l 'ଭୋଟ ଚୋର, ଗଦି ଛୋଡ' ନାରା ଦେଉଥିବା କଂଗ୍ରେସ ବିହାରରେ ନିଜ କାୟା ବିସ୍ତାର କରିଥିବା ବେଳେ ବିଜେପି ମଧ୍ୟ ତୁହାକୁ ତୁହା ବିହାରକୁ ଆପଣଇବାପାଇଁ ସବୁ ରଣନୀତି,କଳ ବଳ କୌଶଳ ଲଗାଇବାରେ ଲାଗିଛି l


 ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ଲାଲୁ ନନ୍ଦନ ତେଜସ୍ୱୀ ଯାଦବ,ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ପ୍ରତି ଘରକୁ ଗୋଟିଏ ଲେଖାଏଁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ବିହାରର ପ୍ରତ୍ୟେକ ପରିବାର ଯାହାଙ୍କ ପାଖରେ ସରକାରୀ ଚାକିରି ନାହିଁ,ସେମାନଙ୍କୁ ସରକାରୀ ଚାକିରି ଯୋଗାଇବା ପାଇଁ ଏକ ନୂତନ ଆଇନ ପ୍ରଣୟନ କରାଯିବ ଏବଂ ୨୦ ମାସ ଭିତରେ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି l


ଏପରି ବଡ଼ ବଡ଼ ଇସ୍ତାହାର ପ୍ରତିଶୃତି ଓଡିଶା ସମେତ ସବୁ ରାଜ୍ୟ ଶୁଣିଛି ଆଉ ପରବର୍ତୀ ମୁହୂର୍ତ୍ତରେ କ'ଣ କ'ଣ ହେଉଛି, ଇତିହାସ ସାକ୍ଷୀ ଅଛି l ନିର୍ବାଚନ ସରିବା ପରେ ଯଦି ସରକାର ଗଢନ୍ତି ତାହେଲେ ମନେ ରଖିବେ ତ ନିଜ ପ୍ରତିଶୃତି ନା ପୂର୍ବର ସବୁକିଛି ଭଳି ପାଣିର ଗାର କରିଦେବେ,ନା ଖାଲି ନିର୍ବାଚନୀ ବୈତରଣୀ ପାର ହେବାକୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତେଜସ୍ୱୀ ଯାଦବ l ତେବେ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟ ରେ ଅନୁଷ୍ଠିତ ହେବ, ପ୍ରଥମ ପର୍ଯ୍ୟାୟ ନଭେମ୍ବର ୬ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧ ରେ ଅନୁଷ୍ଠିତ ହେବ,ଆଉ ଏହାର ଫଳାଫଳ ଘୋଷଣା ହେବ ଆସନ୍ତା ନଭେମ୍ବର ୧୪ ରେ, ପରେ ସବୁ ସ୍ପଷ୍ଟ ହୋଇଯିବ ଯେ ବିହାରରେ କାହାର ଚାଲୁଛି ଶାସନ l

Comments

Leave a Comment

Comments

No comments yet.

Crime

ଜିଲ୍ଲା କୋର୍ଟକୁ ଗଲା ବାଲେଶ୍ଵର ଏଫଏମଛାତ୍ରୀ ଆତ୍ମାହୁତି ଘଟଣା ବିଚାର

Blog Thumbnail

ବାଲେଶ୍ୱର( ଦ କୁଇଭର ):- କୋର୍ଟରେ ହାଜର ହେଲେ ଛାତ୍ରୀ ଆତ୍ମାହୁତି ଘଟଣାର ଅଭିଯୁକ୍ତ। ବାଲେଶ୍ଵର ଏଫଏମ ଅଟୋନୋମସ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ୪ ଅଭିଯୁକ୍ତଙ୍କୁ ବାଲେଶ୍ଵର ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇଛନ୍ତି। ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ଅଧ୍ୟାପକ ସମୀର ସାହୁ , ଛାତ୍ର ନେତା ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତି ପ୍ରକାଶ ବିଶ୍ଵାଳଙ୍କୁ କୋର୍ଟରେ ହାଜର କରାଯାଇଥିଲା।ଛାତ୍ରୀ ଆତ୍ମାହୁତି ଘଟଣାରେ ୪ ଜଣ ବିଚାର ବିଭାଗୀୟ ହାଜତରେ ବିଚାରାଧୀନ କଏଦୀ ଭାବରେ ରହିଛନ୍ତି। କେସକୁ ତ୍ବରାନ୍ବିତ କରିବାକୁ ଏସଡିଜେଏମ ତଳ କୋର୍ଟରୁ ଜିଲ୍ଲା ଜର୍ଜଙ୍କ କୋର୍ଟଙ୍କ ବିଚାର ପାଇଁ ସ୍ଥାନାନ୍ତର କରିଛନ୍ତି ।


ସୂଚନା ଅନୁସାରେ ଗତ କିଛି ମାସ ତଳେ ମଧ୍ୟାହ୍ନରେ ଏଫଏମ କଲେଜ ପରିସରରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା ।ଲାଇଫ ସପୋର୍ଟ ସିଷ୍ଟମରେ ରଖି ଚିକିତ୍ସା ଚାଲିଥିଲା । ୧୦ ଜଣିଆ ବିଶେଷଜ୍ଞ ଦଳ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଛାତ୍ରୀଙ୍କରଶ୍ବାସନଳୀ, ବୃକକ, ହୃତପିଣ୍ଡ ସମେତ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇପଡ଼ିଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଶେଷରେ ସେ ଜୀବନ ହାରିଥିଲେ ।

State

ଦିଲ୍ଲୀରୁ ଫେରିଲେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀରୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବ୍ୟକ୍ତିଗତ କାର୍ଯ୍ୟରେ ସେ ଗତ କିଛିଦିନ ଧରି ଦିଲ୍ଲୀରେ ରହିଥିଲେ । ନୂଆପଡ଼ା ଉପନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ଦଳର ଜନସମ୍ପର୍କ ପଦଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ନବୀନ ଦିଲ୍ଲୀରେ ଫେରିବା ପରେ ଏବେ ନୂଆପଡ଼ା ଉପନିର୍ବାଚନ ଓ ପଦଯାତ୍ରା କାର୍ଯ୍ୟକ୍ରମ ଆଗକୁ ସରଗରମ ହେବ l ପ୍ରାୟ ଦେଢ ମାସ ତଳେ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସ୍ ଅପରେସନରୁ ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ । କିଛି ଦିନ ଦଳୀୟ ନେତା ଓ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସେ କିଛି ଦିନ ପାଇଁ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ନିଜ ବନ୍ଧୁଙ୍କୁ ଭେଟିବା ସହ ପରିବାର ସହ ରହିଥିଲେ । ଦିଲ୍ଲୀରେ ଥିବା ସମୟରେ ସେ ବିକାନେର ହାଉସରେ ଆୟୋଜିତ ୱାଇଲ୍ଡ ଲାଇଫ ଚାରିଟି ଏକଜିବିସନ ବୁଲି ଦେଖିଥିଲେ । ଦିଲ୍ଲୀରୁ ସେ ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଦେବା ସହ ରାଜ୍ୟର ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ମଧ୍ୟ ମତ ରଖୁଥିଲେ ।

State

କୁଆଡେ ଗଲା ଶଙ୍କର ପୃଷ୍ଟି

Blog Thumbnail

ଦ କୁଇଭର ବ୍ୟୁରୋ :- ପୋଲିସ ଚାକିରି ବିକ୍ରି ଘଟଣାରେ ୧୧୪ ଆଶାୟୀଙ୍କୁ ବାନ୍ଧି ବାହାବା ନେଉଛନ୍ତି ପୋଲିସ ଓ କ୍ରାଇମବ୍ରାଞ୍ଚ । ତଦନ୍ତ କେବଳ ସିଲିକନ, ପଞ୍ଚସଫ୍ ଲିମିଟେଡ ଭିତରେ ଅଟକି ଯାଇଛି । ଧରାପଡ଼ିଛନ୍ତି ମାତ୍ର ୫ ଜଣ ଦଲାଲ । ଗୁଜରାଟର ITI ଲିମିଟେଡ ବେଆଇନ ଭାବେ ସବଲେଟିଂ କଲା । ସବୁ ଜାଣିଥିଲା ଓପିଆରବି । ହେଲେ ଏପର୍ଯ୍ୟନ୍ତ ନା ଆଇଟିଆଇ ଲିମିଟେଡର କୌଣସି ଅଧିକାରୀଙ୍କୁ ପଚାରିଲାଣି ନା ଓପିଆରବିର ମୁଖିଆ ଓ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଅଣାଗଲାଣି । ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ସିବିଆଇ ତଦନ୍ତ ନେଇ ବିରୋଧୀ ଦାବି କରି ଆସୁଛନ୍ତି । ସେପଟେ ସିବିଆଇ ତଦନ୍ତ ନେଇ ଆଦେଶ ଦେବାକୁ ହାଇକୋର୍ଟରେ ଦାଏର ହୋଇଛି ଜନସ୍ଵାର୍ଥ ମାମଲା । ତଥାପି ନିଘୋଡ଼ ନିଦରେ ସରକାର ।


୧୧ ଦିନ ବିତିଲା, ଧରାପଡ଼ିଲେନି SI କେଳେଙ୍କାରୀର ମାଷ୍ଟରମାଇଣ୍ଡ । କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟିଙ୍କ ଏବେ ସୁଦ୍ଧା ଟେର ପାଉନି। ସେପଟେ ସହଯୋଗୀ ମୁନା ମହାନ୍ତି ବି ଫେରାର। କ୍ରାଇମବ୍ରାଞ୍ଚ କେବଳ ଗୋଟିଏ ଦୁଇଟି ପ୍ରେସ ବିଜ୍ଞପ୍ତି ଜାରି କରି କାମ ସାରିଦେଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କ୍ରାଇମବ୍ରାଞ୍ଚର ତଦନ୍ତ କେବଳ ସିଲିକନ ଟେକ୍ ଲ୍ୟାବ ଓ ପଞ୍ଚସଫ୍ଟ ଲିମିଟେଡ ପାଖରେ ଅଟକି ଯାଇଛି । ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପାଇଁ ଗତ ଜାନୁଆରୀରୁ ହୋଇଥିଲା ଏକ ପ୍ରକାର ଷଡ଼ଯନ୍ତ୍ର । ଗୁଜୁରାଟର ଆଇଟିଆଇ ଲିମିଟେଡକୁ ପରୀକ୍ଷା ପରିଚାଳନା ପାଇଁ ଚୁକ୍ତି କରିଥିଲା ଓପିଆରବି । ଚୁକ୍ତିପତ୍ରରେ ସବଲେଟିଂ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନଥିଲା । କିନ୍ତୁ ଗୁଜରାଟର ଆଇଟିଆଇ ପାଖରୁ ରିଚ୍ ମାଇଣ୍ଡସ୍ ଓ ବେଆଇନ ଭାବେ ସିଲିକନ ଟେକ୍ ଲ୍ୟାବକୁ ପରିଚାଳନା ଦାୟିତ୍ଵ ଟେକି ଦେଲା । ଯାହାକୁ ନେଇ ସରକାର ଓ ଓପିଆରବି ମଧ୍ୟରେ ହୋଇଥିଲା ଆଭ୍ୟନ୍ତରୀଣ କନ୍ଦଳ । ଏଥିଲାଗି ଗତ ମାର୍ଚ୍ଚରେ ହେବାକୁ ଥିବା ପରୀକ୍ଷା ହୋଇପାରି ନଥିଲା । ଗହନ କଥା ହେଉଛି ଚାକିରି ବିକ୍ରି ଷଡ଼ଯନ୍ତ୍ର ନେଇ ଆଇଟିଆଇଠାରୁ ଠିକା ପାଇଥିବା ରିଚ୍ ମାଇଣ୍ଡସ୍ ଅଂଶୀଦାରଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ଜଣେ ଅଂଶୀଦାରଙ୍କ ଅଭିଯୋଗ ଆଧାରରେ ରିଚ୍ ମାଇଣ୍ଡସକୁ ପରୀକ୍ଷା ପରିଚାଳନା ଦାୟିତ୍ଵରୁ ବାଦ ଦିଆଯାଇଥିଲା । ଘଟଣାର ତଦନ୍ତ ପାଇଁ ଓପିଆରବି ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ । କିନ୍ତୁ କମିଟି କ’ଣ ରିପୋର୍ଟ ଦେଲା ତାହା ଆଜି ଯାଏଁ ସାର୍ବଜନୀନ ହେଲାନାହିଁ । ଅନ୍ୟପଟେ ଚାକିରି ବିକ୍ରି ଷଡ଼ଯନ୍ତ୍ର ସମ୍ପର୍କରେ ସୁରାକ ପାଇବା ପରେ ତତ୍କାଳୀନ ଓପିଆରବି ଅଧ୍ୟକ୍ଷ ସନ୍ତୋଷ କୁମାର ଉପାଧ୍ୟାୟ ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲେ । ଆଇଟିଆଇ କେନ୍ଦ୍ରୀୟ ପିଏସୟୁ ହୋଇଥିବାରୁ କ୍ରାଇମବ୍ରାଞ୍ଚ କ’ଣ ତା’ର ଅଧିକାରୀଙ୍କୁ ଜେରା କରିପାରୁନି କି ?ଗତ ମାର୍ଚ୍ଚ ୮ ଓ ୯ ତାରିଖରେ ଏସଆଇ ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିଲା । ହେଲେ ଆଡମିଟ୍ କାର୍ଡ ଜାରି କରାଯିବା ପୂର୍ବରୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନେକ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଅଭ୍ୟାସ ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ମାର୍ଚ୍ଚ ୩ ତାରିଖରୁ ଉଭାନ ହୋଇଯାଇଥିବା ପରୀକ୍ଷାର୍ଥୀଙ୍କ ସାଙ୍ଗ ସାଥିମାନେ ଏ ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିଥିଲେ ମଧ୍ୟ ତାକୁ ସେତେଟା ଗୁରୁତ୍ଵ ଦିଆଯାଇଥିଲା । ପ୍ରଶ୍ନପତ୍ର ଲିକ୍ କରି ଚାକିରି ବିକ୍ରି କରିବା ଯୋଜନାରେ ବହୁ ବରିଷ୍ଠ ଅଧିକାରୀ ସାମିଲ ବୋଲି ରିଚ୍ ମାଇଣ୍ଡ୍ କମ୍ପାନୀର ଜଣେ ଅଂଶୀଦାର ପ୍ରଥମେ ମୌଖିକ ଓ ପରେ ବିଧିବଦ୍ଧ ଅଭିଯୋଗ କରିବାରୁ ଯୋଜନା ପଣ୍ଡ ହୋଇଥିଲା । କମ୍ପାନୀ ସହ ଜଡ଼ିତ ଅନ୍ୟ ଜଣେ ବ୍ୟକ୍ତି ଓଡ଼ିଶାରେ ପରୀକ୍ଷା ପରିଚାଳନା କରୁଥିବା ନେଇ ଜଣାପଡିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କିଛି ପୋଲିସ ଅଧିକାରୀ ସାମିଲ ଥିବା ନେଇ ଅଂଶୀଦାର ମଧ୍ୟ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତଲବ କରାଯାଇଥିଲା । ହେଲେ ସେ ଅଧିକାରୀ ଜଣକ ଉତ୍ତର ରଖିଲେ କି ନାହିଁ ଆଜି ଯାଏଁ ଜଣାପଡିନାହିଁ ।ଏସଆଇ କେଳେଙ୍କାରୀରେ ଗତ ୨୯ ସେପ୍ଟେମ୍ବରରେ ଶ୍ରୀକାକୁଲମରୁ ଧରାପଡ଼ିଥିଲେ ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲ । କେବେ ଧରା ହେବେ ମାଷ୍ଟରମାଇଣ୍ଡ ଏବଂ କାହିଁକି ଚୁପ ପୋଲିସ ମୁଖିଆ ? ଏପର୍ଯ୍ୟନ୍ତ OPRBକୁ କ୍ରାଇମବ୍ରାଞ୍ଚ ଜେରା କରିନି । କେବେ ବଡ଼ ବଡ଼ ଅଧିକାରୀଙ୍କୁ ପାଖରେ କ୍ରାଇମବ୍ରାଞ୍ଚ ପହଞ୍ଚିପାରିବ ନା ସବୁକିଛି ପୁଣିଥରେ ନାଲି ଫିତା ତଳେ ଚାପି ହୋଇଯିବ ତାହା ଦେଖିବାକୁ ବାକି ରହିଛି ।

National

ଦୁର୍ଗାପୁର ପୀଡିତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଛାତ୍ରୀଙ୍କ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି(ସୋମବାର) ବିଳମ୍ବିତ ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦୁର୍ଗାପୁରର ପୀଡିତା ଓଡ଼ିଆ ଝିଅଙ୍କ ସହିତ କଥା ହୋଇଛନ୍ତି । ପୀଡ଼ିତାଙ୍କ ସୁସ୍ଥତା କାମନା କରିବା ସହିତ ତାଙ୍କ ଶିକ୍ଷାର ସୁବନ୍ଦୋବସ୍ତ ଏବଂ ଦୋଷୀକୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟେଲିଫୋନ ଯୋଗେ ପୀଡିତାଙ୍କ ମା' ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ଦୁର୍ଗାପୁରରେ ଗଣଦୁଷ୍କର୍ମର ପୀଡିତା ଓଡ଼ିଆ ଝିଅଙ୍କ ସହିତ କଥା ହୋଇଛନ୍ତି । ପ୍ରାୟ ୧୦ ମିନିଟ ଧରି ମୁଖ୍ୟମନ୍ତ୍ରୀ ପୀଡିତା ଡାକ୍ତର ଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ପୀଡିତା ଓଡ଼ିଆ ଝିଅଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି । ଧୀରେ ଧୀରେ ସ୍ୱାସ୍ଥ୍ୟର ଉନ୍ନତି ହେଉଥିବା ପୀଡିତା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଧର୍ଯ୍ୟ ଧରିବା ଲାଗି ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ପରାମର୍ଶ ଦେଇଛନ୍ତି । ଅସୀମ ସାହାସର ସହ ପୁଣି ଥରେ ସାମ୍ନାକୁ ଆସିବାକୁ କହି ପୀଡିତାଙ୍କର ମନୋବଳ ବଢ଼ାଇଛନ୍ତି । ଓଡ଼ିଶା ସରକାର ସମସ୍ତ ବ୍ୟବସ୍ଥା କରିବେ ବୋଲି ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ଯମନ୍ତ୍ରୀ ପୀଡିତାଙ୍କ ସହ କଥା ହୋଇ ତାଙ୍କ ମନୋବଳ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ବଢି ପାଠ ପଢିବାକୁ ପଡିବ । ସେଥିପାଇଁ ଓଡିଶା ସରକାର ବିକଳ୍ପ ବ୍ୟବସ୍ଥା କରିବେ । ସୁରକ୍ଷିତ ଭାବେ କିଭଳି ଆଗକୁ ପୀଡିତା ପାଠ ପଢିବେ ସରକାର ବିଚାର ବିମର୍ଷ କରୁଛନ୍ତି । ଯଦି ସୁବିଧା ହେବ ତେବେ ପୀଡିତାଙ୍କର ଭୁବନେଶ୍ୱରରେ ପାଠ ପଢିବା ଲାଗି ସରକାର ପଦକ୍ଷେପ ନେବେ ।ସେହିପରି ମୁଖ୍ୟମନ୍ତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଝିଅର ମା'ଙ୍କ ସହିତ କଥା ହୋଇଛନ୍ତି । ମା' ମଧ୍ୟ ଝିଅର ପାଠ ପଢିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି । ଯେହେତୁ ପୀଡିତା ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି, ତେଣୁ ସେ ବାବଦରେ ଅଧିକାରୀଙ୍କ ସହିତ ଆଲୋଚନା ଚାଲିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

City

ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଆନ୍ତର୍ଜାତୀୟ ବଧିର ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବଧିର ସଂଘର ସଭାପତି ଅନିଲ କୁମାରଙ୍କ ନେତୃତ୍ୱରେ ଓଡିଶା ଆଶ୍ସୋସିଏସନ ଅଫ ଦ ଡେଫ ଏବଂ ଡମ ସଂଘର ୬୮ ତମ ଅନ୍ତର୍ଜାତୀୟ ବଧିର ଦିବସ ଏବଂ ଗଞ୍ଜାମ ଜିଲ୍ଲା ବଧିର ସଂଘର ୪୦ ତମ ବାର୍ଷିକ ଉତ୍ସବ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର ବ୍ରହ୍ମପୁର ସହର ସ୍ଥିତ ଗଞ୍ଜାମ କଳା ପରିଷଦଠାରେ ଅନୁଷ୍ଠିତ ହୋଇଯାଇଛି। ବଧିର ସମ୍ପ୍ରଦାୟର ଅଧିକାର, କ୍ଷମତା ଏବଂ ଚ୍ୟାଲେଞ୍ଜ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଉତ୍ତମ ଯୋଗାଯୋଗ ତଥା ଅନ୍ତର୍ଭୁକ୍ତି ପାଇଁ ସାଙ୍କେତିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହାର ସଦସ୍ୟ ଏବଂ ସମର୍ଥକଙ୍କ ଅବଦାନକୁ ମଧ୍ୟ ସ୍ୱୀକୃତି ଦିଆଯାଉ,ଯେଉଁମାନେ ଶ୍ରବଣ ଅକ୍ଷମ ବ୍ୟକ୍ତିମାନଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି। ସମାଜରେ ବିଭିନ୍ନ ଅନୁଷ୍ଠାନରେ ବିଦ୍ୟାଳୟ, ମେଡିକାଲ ଭଳି ଅନୁଷ୍ଠାନରେ ଏହି ସଙ୍ଘର ପିଲାଙ୍କୁ ନିଯୁକ୍ତି ଦିଆଯାଉ, ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ଦାବି କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ କେ.ଆଦିତ୍ୟ କୁମାର,ଅଳକା ନନ୍ଦ ଯୋସୀଙ୍କ ସମେତ ବହୁ ସଂଘର ସଦସ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l

Weather

ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ଯାଏ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ବାଂଲାଦେଶ ନିକଟରେ ଥିବାବେଳେ ଧୀରେ ଧୀରେ ଓଡିଶା ନିକଟବର୍ତ୍ତୀ ହେଉଛି । ଏହାର ପ୍ରଭାବରେ 12 ତାରିଖ ଯାଏ ରାଜ୍ୟର ବିିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତା 3 ଦିନ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ଆଜି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।ଆଡକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହେବାର ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି, ଏହି ସମ. ବେଳକୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରି ଯାଇଥିବାର ସମ୍ଭାବନା ରହିଛି । ତେଣୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଶକ୍ତିଶାଳୀ ହେବା ଲାଗି ପାଗ ସୁହାଇବ ।