ଦ କୁଇଭର ବ୍ୟୁରୋ :- ଗୁଜରାଟରେ ଜଳପ୍ରଳୟ । ଭୟଙ୍କର ବନ୍ୟାସ୍ଥିତି ଭିତରେ ଏବେ ବାତ୍ୟା ଆଶଙ୍କା ଦେଖାଦେଇଛି । ଆରବ ସାଗରରେ ବାତ୍ୟା ଦାନା ବାନ୍ଧୁଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆଉ କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହେବାର ଆଶଙ୍କା ଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଏହା ଘୂର୍ଣ୍ଣିଝଡ଼ର ରୂପ ନେବାକୁ ଥିବାବେଳେ କଚ୍ଚ ଓ ସୌରାଷ୍ଟ୍ର ଅଞ୍ଚଳକୁ ସତର୍କ ସୂଚନା ଜାରି ହୋଇଛି ।ଗୋଟିଏ ପଟେ ସମୁଦ୍ର ଅଶାନ୍ତ ରହିଥିବାବେଳେ ଗୁଜୁରାଟରେ ଲାଗି ରହିଛି ଭୀଷଣ ବର୍ଷା । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।ଗୁଜୁରାଟରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିବାବେଳେ ଏବେବି ଅନେକ ଲୋକ ଫସି ରହିଥିବା କୁହାଯାଉଛି ।
ବାତ୍ୟାର ପ୍ରଭାବରେ ଓଡ଼ିଶା ଓ କେରଳରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଇଏମଡି । ଯାହାକୁ ନଜରରେ ରଖି ସ୍କୁଲ କଲେଜ ଛୁଟି ଘୋଷଣା ସହ ଆଲର୍ଟରେ ବିଭିନ୍ନ ଜିଲ୍ଲା ପ୍ରଶାସନ । ଗତକାଲି (ଗୁରୁବାର) ଦ୍ବାରକାରେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ହେଲିକପ୍ଟର ଯୋଗେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିଲା ବାୟୁସେନା । ଲଗାତାର ବର୍ଷା କାରଣରୁ ଭୀଷଣ ବନ୍ୟା ହୋଇଥିବାବେଳେ ୨୮ ଜଣଙ୍କ ଜୀବନ ଗଲାଣି। ଏହା ପୂର୍ବରୁ ଏଣ୍ଡିଆରଏଫ ପ୍ରାୟ ୯୫ ଜଣଙ୍କ ଜୀବନ ବଞ୍ଚାଇଛି । ଏବେବି ଅନେକ ଫସି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
No comments yet.
State
ଭୁବନେଶ୍ୱର(ଦ କୁଇଭର): ହାଇକୋର୍ଟଙ୍କ ବେଞ୍ଚ ପ୍ରତିଷ୍ଠା ନେଇ ବାରମ୍ବାର ଆନେ୍ଦାଳନ, ବିରୋଧ ହୋଇଛି । ସମ୍ବଲପୁର, ବଲାଙ୍ଗୀର, ରାଉରକେଲା, ବ୍ରହ୍ମପୁର ଭଳି ସହରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ରାଜନୀତି ଜୋର ହୋଇଛି । ବାଦ ବିବାଦ ବି ହୋଇଛି । ଆଇନଶୃଙ୍ଖଳା ସ୍ଥିତି ବି ହୋଇଛି । ବନ୍ଦ ଡାକରା ଦିଆଯାଇଛି । ଚକାଯାମ ବି ହୋଇଛି । ହେଲେ ଏବେ ଜଣାପଡ଼ିଲା କାହାର ଦାବି ରହିବ ନାହିଁ । କାରଣ ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ପ୍ରସ୍ତାବ କିଛି ନଥିବା ସ୍ପଷ୍ଟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବଲାଙ୍ଗୀରରେ ହାଇକୋର୍ଟ ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ବିଜେଡି ବିଧାୟକ କଲିକେଶ ନାରାୟଣ ସିଂହଦେଓ ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ଉତ୍ତର ଲୋଡ଼ିଥିଲେ । ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ହାଇକୋର୍ଟଙ୍କ ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ହାଇକୋର୍ଟଙ୍କ ରାୟ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ସର୍କିଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତର ପରେ ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ବିଭିନ୍ନ ସମୟରେ ଉଠୁଥିବା ଦାବି ଓ ବିବାଦ ଏକପ୍ରକାର ନିରର୍ଥକ ହୋଇଯାଇଛି । ଦେଖାଯାଉ ଏହାପରେ ଆଉ କୌଣସି ସ୍ଥାନରୁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଆସିବ ନା ବିରୋଧୀମାନେ ଚୁପ ହୋଇଯିବେ ।
Politics
ଭୁବନେଶ୍ୱର(ଦ କୁଇଭର): ବିଧାନସଭାରେ ଆଜି ବହିଛି ଛତୁଆ ଝଡ଼ । ଦୀର୍ଘବର୍ଷ ଧରି ଚାଲିଥିବା ପୋକା ଛତୁଆକୁ ନେଇ ଗୃହ କମ୍ପିଛି । ଛୋଟ ପିଲା, ଗର୍ଭବତୀ ମହିଳା ଓ କିଶୋରୀ ମାନେ ଅତି ନିମ୍ନମାନର ଛତୁଆ ଖାଉଛନ୍ତି । ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତିରେ ହେଉଥିଲା ରାଜନୀତି । ନେତାଙ୍କୁ ଚାନ୍ଦା ଦେଇ ଅତି ନିମ୍ନମାନର ଛତୁଆ ଯୋଗାଇ ଦିଆଯାଉଥିଲା । ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କିଛି ହେଉ ନଥିଲା । ସରକାର କେବେ ବି ଏହାର ନିରାକରଣ କରିପାରୁ ନଥିଲେ । ଚାନ୍ଦା ନେଉଥିବା ନେତା ଓ ଅଫିସର ଗର ଗର ସିନା ହୁଅନ୍ତି, ବାସ୍ତବରେ ଲାଙ୍ଗୁଡ଼ ଯାକନ୍ତି । ମାତ୍ର ଏବେ ସରକାର ବଦଳିଛି । କ୍ଷମତାରେ ବସିଛନ୍ତି ବିରୋଧୀ ।
ନିଜ ସରକାର ସମୟରେ ଛତୁଆ କେଳେଙ୍କାରୀକୁ ଜାଣିଥିଲେ, ତେଣୁ ଏବେ ସେହି କେଳେଙ୍କାରୀକୁ ଧରି ଗୃହକୁ ହୁଲୁସ୍ତୁଲ କଲେ । ଶୁଣ୍ଢି କୁ ସାକ୍ଷୀ ମାତାଲ ଭଳି କଂଗ୍ରେସ ବି ଏଥିରେ ସାମିଲ ହୋଇଗଲା । ଅବଶ୍ୟ ବିରୋଧୀ ଉଠାଇଥିଲେ ବାସ୍ତବ ସମସ୍ୟା । ସେହି ସମସ୍ୟାକୁ ନେଇ ଗୃହରେ କମ୍ପନ ସୃଷ୍ଟି କରିଥିଲେ ବିରୋଧୀ । ବହୁ ବାଦ ବିବାଦ ହୋ ହଲ୍ଲା ପରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହର ତଦନ୍ତ କରି ପଦକ୍ଷେପ ନେବାକୁ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଏହାପରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମ୍ନମାନର ଛତୁଆ ନେଇ ତଦନ୍ତ କରାଯିବ ବୋଲି ଗୃହକୁ ଜଣାଇଥିଲେ । ଯେଉଁମାନେ ନିମ୍ନମାନର ଛତୁଆ ପ୍ରସ୍ତୁତ କରୁଥିବେ, ସେମାନଙ୍କୁ କଳା ତାଲିକାଭୂକ୍ତ କରାଯିବା ସହ ଆବଶ୍ୟକ ହେଲେ ଜେଲ ଜରିମାନା ବି ଲାଗୁ କରାଯିବ । ହେଲେ ମନ୍ତ୍ରୀ ଜାଣି ନଥିବେ ଏପରି କଳା ବେପାରୀଙ୍କ ପଛରେ ଚତୁର ନେତା ଓ ଅଫିସର ରହିଛନ୍ତି । ଯେଉଁ କମ୍ପାନୀ ଧରାପଡ଼ିବ, ତାଙ୍କ ସମ୍ପର୍କୀୟଙ୍କ ନାମରେ ଆଉଏକ କମ୍ପାନୀ କରି ସେହି ଭିତ୍ତିଭୂମିରେ ପୁଣି ନିମ୍ନମାନର ଛତୁଆ ପ୍ରସ୍ତୁତ କରି ପ୍ରଦାନ କରିବେ । ଏହା ଏକ ବିରାଟ ର୍ୟାକେଟ ବୋଲି କୁହାଯାଉଛି । ଏଥିରେ ପ୍ରତିବର୍ଷ ୫୦୦କୋଟିର ଘୋଟାଲା କରାଯାଉଛି । ତେଣୁ ବଡ଼ ବଡ଼ ମୁଣ୍ଡ ଓ ଚତୁର ରାଜନେତା ଏବଂ ଅଫିସରମାନେ ସାମିଲ ରହିଛନ୍ତି । ତଦନ୍ତ ବାସ୍ତବବାଦୀ ନହେଲେ ପୁଣି ସେହି ପ୍ରହସନ ହେବ ଓ ମୋହନ ମାଝୀ ସରକାର ବଦନାମ ହେବେ । ଦେଖାଯାଉ ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ଛତୁଆ କଳାକାରନାମାକୁ ଧରି ପାରୁଛି ନା କଳାବେପାରୀମାନେ ସରକାରଙ୍କୁ ଭୂଆଁ ବୁଲାଇ ଦେଉଛନ୍ତି?
Shree Jagannath
ପୁରୀ( ଦ କୁଇଭର ):- ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥାଇପାରେ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର । ଏହାର ସନ୍ଧାନ ପାଇଁ ନନ୍-ପେନିଟ୍ରେଟିଂ ସର୍ଭେ କରିବାକୁ ଯୋଜନା ଅଛି। ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ASI ତାର ପ୍ରାଥମିକ ଅନୁସନ୍ଧାନ ସାରିଛି। ବର୍ତ୍ତମାନ ଯୋଡ଼ିଏ କାମ। ନନପେନିଟ୍ରେଟିଙ୍ଗ ସର୍ଭେ ଗୋଟେ କରିବା ପାଇଁ ଯୋଜନା ଅଛି।ଗଜପତି ମହରାଜ ବି କହିଛନ୍ତି, ବିଭିନ୍ନ ସମୟରେ ବର୍ଗୀୟ ମୋଗଲ ଆକ୍ରମଣ ବେଳେ, କାଳେ ସେ ସମୟର କିଛି ଜନିଷ କିଛି ଅଳଙ୍କାର ଚଟାଣ ତଳେ ଥିବ, ତାହା ଦେଖିବାର ଆବଶ୍ୟକତା ରହିଛି। କିଛି ପରିକଳ୍ପନା ଆସୁଛି, ସେଠାରେ ସୁଡ଼ଙ୍ଗ ଥାଇପାରେ, ନଥାଇପାରେ । ସେ ଦୃଷ୍ଟିରୁ ଜିପିଆର୍ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ଏସଆଇ ତାର ଦାୟିତ୍ବ ନେଇଛି। ଗୁପ୍ତ ରତ୍ନଭଣ୍ଡାରକୁ ନେଇ ମଧ୍ୟ ସ୍ପଷ୍ଟତା ଆସିନଥିବାରୁ ଜିପିଆର ସର୍ଭେ ଓ ଟେକ୍ନିକାଲି କାମ ହେବ। କୌଣସି ଯନ୍ତ୍ର ମାଟି ଭତିରକୁ ଭର୍ତ୍ତି ନକରି, କେବଳ ସର୍ଫେସ ସର୍ଭେ କରାଯିବ । ASI ଆଇଆଇଟି ସହ ସହବନ୍ଧିତ ହୋଇ ତେଲ ଖଣିରେ ସର୍ଭେ ଭଳି ଏଠାରେ ସର୍ଭେ କରିବାର ଯୋଜନା ଚାଲିଛି। ମରାମତି ଆରମ୍ଭ ପୁର୍ବରୁ ଏ କାମ କରିବା ପାଇଁ ଡିଜି ASIକୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।
State
ଦକୁଇଭର ବ୍ୟୁରୋ :- ସ୍ତନ୍ୟପାନ କରାଉଥିବା ମାଆ ଓ ଶିଶୁ ମାନଙ୍କ ପାଇଁ ମୋହନ ମାଝୀ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏଣିକି ଆଉ ମାଆ ମାନେ ତାଙ୍କ ଶିଶୁକୁ ସ୍ତନ୍ୟପାନ କରିବାରେ ସମସ୍ୟା ଭୋଗିବେ ନାହିଁ । ସେ ସରକାରୀ କାର୍ଯ୍ୟାଳୟ ହେଉ କି ଘରୋଇ ସଂସ୍ଥାଙ୍କ କାର୍ଯ୍ୟାଳୟ କିମ୍ବା ସର୍ବସାଧାରଣ ସ୍ଥାନ ସବୁଠି ସ୍ତନ୍ୟପାନ ପ୍ରକୋଷ୍ଠ ପ୍ରତିଷ୍ଠା କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ନିଷ୍ପତ୍ତି ନେଇଛି । ଏହି ବ୍ୟବସ୍ଥା ତତ୍କାଳ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ସ୍ୱତନ୍ତ୍ର ସଚିବ ସରକାରଙ୍କ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନେକ ସମୟରେ ସ୍ତନ୍ୟପାନ କରାଉଥିବା ମହିଳାମାନେ ନିଜ ଛୁଆଙ୍କୁ ସ୍ତନ୍ୟପାନ କରାଇବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ମହିଳା ଓ ଶିଶୁ ମାନେ ସମସ୍ୟାରେ ପଡ଼ନ୍ତି । ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ବଡ଼ ଆଉଟୁ ପାଉଟୁ ହୁଅନ୍ତି ମହିଳାମାନେ । ଡାକ୍ତରଖାନା, ବ୍ୟାଙ୍କ ଓ ବିଭିନ୍ନ କାର୍ଯ୍ୟାଳୟରେ ସମସ୍ୟାରେ ପଡ଼ନ୍ତି । ଏପରି ସମସ୍ୟାକୁ ନଜରରେ ରଖି ମୋହନ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି ।
ଏଣିକି ରାଜ୍ୟଠୁ ଜିଲ୍ଲା ପର୍ଯ୍ୟନ୍ତ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ତଥା ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଏପରି ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରିବାକୁ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ରୀନା ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ, ସର୍ବସାଧାରଣ ସ୍ଥାନ, ଯଥା ପ୍ରମୁଖ ଛକ ଏବଂ ବସଷ୍ଟାଣ୍ଡ, ରେଲୱେ ଷ୍ଟେଶନ, ବିମାନବନ୍ଦର ଭଳି ସ୍ଥାନରେ ଏହି ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଉଛି । ଯାହା ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ମହିଳା ସଂଗଠନ ଓ ସ୍ୱେଚ୍ଛାସେବୀ ସ୍ୱାଗତ କରିଛନ୍ତି ।
State
ବରସୁଆଁ ( ଦ କୁଇଭର ):- ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହ ପଥର ଖଣି ବାରସୁଆଁ ଭେଲି ଟେଲିଙ୍ଗଡ୍ୟାମ୍ ରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଲୌହ ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବାରସୁଆଁ ଖଣି ପକ୍ଷରୁ ଷ୍ଟାକ୍ ପ୍ରସ୍ତୁତ କରାଯାଇ ଥାଏ | ପରେ ସ୍ଥାନୀୟ କୋଇଡ଼ା ଖଣି ବିଭାଗ ଦ୍ଵାରା ଉକ୍ତ ଷ୍ଟାକ୍ ର ମାନ ନିରୂପଣ କରି ସେଲ୍ ପକ୍ଷରୁ ଉକ୍ତ ଷ୍ଟାକ୍ ବାବଦ ରାଜସ୍ୱ ପୈଠ କରାଯିବା ପରେ ଉକ୍ତ ଷ୍ଟାକ୍ କୁ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରାଯାଇ ଥାଏ। ତେବେ ଅନେକ ସମୟରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟାକ୍ କୁ ଉଚ୍ଚ ମାନର ଦର୍ଶାଯାଇଥିବା ବେଳେ ଉକ୍ତ ଷ୍ଟାକ୍ କୁ ନିମ୍ନ ମାନର ଲୌହ ପଥର ଦର୍ଶାଇ ସେଲ୍ ବରସୁଆଁ ଲୌହ ପଥର ଖଣିର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରିଚାଲିଥିଲେ।ଉକ୍ତ ବିଷୟ ସେଲ୍ ର ଭିଜିଲାନ୍ସ ବିଭାଗ ନଜରରେ ଆସିବା ଏବଂ ଏଥିରେ ଶହ ଶହ କୋଟି ଟଙ୍କାର ହେର୍ ଫେର ହୋଇଥିବାରୁ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସିବିଆଇକୁ କେଶ୍ ହସ୍ତାନ୍ତର କରାଯାଇଥିଲା ଯାହା ଫଳରେ ଏବେ ୩ ଦିନ ହେବ ସିବିଆଇ ପକ୍ଷରୁ ଉକ୍ତ ଘଟଣା ସମ୍ପର୍କରେ ବରସୁଆଁ ଲୌହ ଖଣି ଟେନସା ସ୍ଥିତ କାର୍ଯ୍ୟାଳୟରେ ସମସ୍ତ ଖୋଳତାଡ ଜାରିରହିଥିବା ବେଳେ ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ ଆଜି ସିବିଆଇ ପକ୍ଷରୁ ଡକା ଯାଇଛି।ଏଥିରେ ପୂର୍ବତନ ଇଡି ପି.କେ ରଥଙ୍କ ସମେତ ଖଣି ମ୍ୟାନେଜର ସୁନନ୍ଦ ପରିଡ଼ା, ବି ଆର୍ ମଣ୍ଡଲ ଓ ପି.ସି ବରୁଆଙ୍କୁ ଜେରାର ସମ୍ମୁଖୀନ ହେବେ ବୋଲି ଜଣା ପଡ଼ିଛି |
State
ବ୍ରହ୍ମପୁର( ଦ କୁଇଭର ):- - ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ର ମହିଳା ସମାଜମ ଗୃହରେ ତେଲୁଗୁ ଭାଷା ଦିବସ ପାଳିତ ହୋଇଯାଇଛି। ଆନ୍ଧ୍ର ମହିଳା ସମାଜମ ସଭାନେତ୍ରୀ ଏମ କାମେଶ୍ୱରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ କେ ପି କ୍ରିଷ୍ଣା ରାଓ, ଏମ ଚନ୍ଦ୍ରଶେଖର ଅତିଥି ରୂପେ ଯୋଗ ଦେଇଥିଲେ। ବ୍ରହ୍ମପୁର ରେ ଥିବା ତେଲୁଗୁ ଲୋକଙ୍କ ମଧ୍ୟରେ ଭାଷାର ବିକାଶ କିପରି ହେବ ସେ ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସମସ୍ତ ଅନୁଷ୍ଠାନ ମିଳିତ ଭାବେ ସହରରେ ଏକ ତେଲୁଗୁ ବାଡ଼ି (ତେଲୁଗୁ ସ୍କୁଲ) ଖୋଲିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ସେହି ସ୍ଥାନରେ ବିଭିନ୍ନ ଭାଷାରେ ପାଠ ପଢୁଥିବା ପିଲାଙ୍କୁ ତେଲୁଗୁ ଶିକ୍ଷା ପ୍ରଦାନ କରାଯିବ। ସେହିପରି ପରିବାର ରେ ଶିଶୁଙ୍କ ମଧ୍ୟରେ ତେଲୁଗୁ ଭାଷାରେ ଭାବ ବିନିମୟ କରିବେ ବୋଲି ସମସ୍ତେ ଶପଥ ନେଇଥିଲେ। କାର୍ଯ୍ୟକ୍ରମକୁ ଆର ଶ୍ରୀନିବାସ ସଂଯୋଜନା କରିଥିବା ବେଳେ ମହିଳା ସମାଜମ ର ଶତାଧିକ ସଦସ୍ୟା ଉପସ୍ଥିତ ଥିଲେ।
State
ଦକୁଇଭର ବ୍ୟୁରୋ :- ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା । ଅପରାହ୍ଣରୁ ଫର୍ମ ଦାଖଲ କରିପାରିବେ । ରାଜ୍ୟର ସମସ୍ତ ମୋ ସେବା, ଜନସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଚିହ୍ନଟ ହୋଇଥିବା ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା ବା ନିଶୁକ୍ଳ ରହିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ମୋ ସେବା, ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିପାରିବେ ହିତାଧିକାରୀ,ଜିଲ୍ଲାପାଳଙ୍କ ଅନୁସାରେ ଚିହ୍ନଟ ହୋଇଥିବା ସ୍ଥାନରେ କରିପାରିବେ ଫର୍ମ ଦାଖଲ ସମ୍ପୂର୍ଣ୍ଣ ମାଗଣା ସୁଭଦ୍ରା ପାଇଁ www.subhadra.odisha.gov.in ପୋର୍ଟାଲ ରହିଛି,କୌଣସି ଅସୁବିଧା ହେଲେ ଟୋଲ ଫ୍ରି ନମ୍ବର 14678ରେ ଯୋଗଯୋଗ କରିପାରିବେ,ଏହା ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ l
ସୁଭଦ୍ରା ଯୋଜନା ପାଇଁ କଣ ଆବଶ୍ୟକ ?
ଆଧାର କାର୍ଡ
ମୋବାଇଲ ନମ୍ବର
ବ୍ୟାଙ୍କ ଆକାଉଣ୍ଟ
ରାସନ କାର୍ଡ
କେଉଁମାନେ କରିପାରିବେ ଆବେଦନ:
ଆବେଦନକାରୀ ଓଡ଼ିଶା ବାସିନ୍ଦା ହୋଇଥିବା ଆବଶ୍ୟକ,ଆବେଦନକାରୀଙ୍କ ବୟସ 21 ବର୍ଷରୁ ଅଧିକ 60 ବର୍ଷରୁ କମ ହୋଇଥିବ,ଆବେଦନକାରୀଙ୍କ ପରିବାର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ,ପରିବାରର କୌଣସି ସଦସ୍ୟ ସାଂସଦ କିମ୍ବା ବିଧାୟକ ହୋଇନଥିବେ l
State
ବ୍ରହ୍ମପୁର( ଦ କୁଇଭର ):- ବୁଧବାର ବ୍ରହ୍ମପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ଠାରେ ଆଗାମୀ ଗଣେଷ ପୂଜାକୁ କିପରି ପରିବେଶ ଅନୁକୂଳ ଭାବେ ପାଳନ କରିବେ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ଗଣେଷ ପ୍ରତିମା ପ୍ଲାଷ୍ଟର ଅଫ ପ୍ୟାରିସ, ନଡା, କୃତିମ ରାସାୟନିକ ରଙ୍ଗର ବହୁଳ ବ୍ୟବହାର କରାଯାଉଛି ଯାହା ଦ୍ୱାରା ମୃତ୍ତିକା,ଜଳ ବିସର୍ଜିତ ପରେ ପ୍ରଦୂଷିତ ହେଉଛି, ଯେଉଁ ପ୍ରତିମାକୁ ପୂଜା କରୁଛେ ତାହା ପୂର୍ବ ଅବସ୍ଥାକୁ ନ ଫେରି ଭଗ୍ନ ଅବସ୍ଥାରେ ପଡି ରହୁଛି ଯାହା ଆମର ଧର୍ମୀୟ ଭାବନା କୁ କଷ୍ଟ ମଧ୍ୟ ଦେଉଛି l ସ୍ବେଛାସେବୀ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ପରିବେଶ ଅନୁକୂଳ ଗଣେଷର ବିଶେଷତା ଓ ପ୍ରକୃତି ପାଇଁ ଆବଶ୍ୟକତା ସମ୍ବଦ୍ଧିୟ ଚିତ୍ର ଦେଖାଯାଇଥିଲା ପରେ ଛାତ୍ରଛାତ୍ରୀ ମାନେ ମାଟି ଚକଟି ସେଥିରେ ଝୋଟ ମିଶାଇ ଗଣେଷ ପ୍ରତିମା ଗଢିଲେ ଏବଂ ତା ମଧ୍ୟରେ ସଜନା ମଞ୍ଜି ରୋପଣ ସହ ଧଳା, କଳା ଓ ନାଲି ବିନ୍ଦିରେ ଗଣେଷ ପ୍ରତିମାକୁ ରଙ୍ଗ କରିଲେ l ଆଗାମୀ ଗଣେଷ ପୂଜାରେ ଆଜି ନିର୍ମିତ ପ୍ରତିମା ପୂଜା ହେବ ଓ ବିସର୍ଜନ ଉତ୍ସବରେ ବିଦ୍ୟାଳୟ ପରିସରରେ କୁଣ୍ଡ ମଧ୍ୟରେ ବିର୍ସଜିତ ହେବେ ପରେ କିଛି ଦିନ ଅନ୍ତରାଳରେ ସଜନା ମଞ୍ଜିରୁ ବୀଜ ବାହାରି ଗଛ ରେ ପରିଣତ ହେବ ଏବଂ ବିଦ୍ୟାଳୟ ପରିସରରେ ରୋପଣ କରାଯିବ l
ଆଜିର କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ପଟ୍ଟନାୟକ ପରିଷଦର ସଭାପତି ସାଗର କୁମାର ପାତ୍ର, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ସ୍ବେଛାସେବୀ ନଳିନୀ କାନ୍ତ ପରିଡା,ରବୀନ୍ଦ୍ର ସାହାଣୀ,ଧର୍ମରାଜ ପାତ୍ର, ପୁରୁଷୋତ୍ତମ ସ୍ୱାଇଁ, ସାଗର ପ୍ରସାଦ ପାତ୍ର ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l
National
ଦକୁଇଭର ବ୍ୟୁରୋ :- ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଆରବ ସାଗରରେ ଦୁର୍ଘଟଣାର ଶିକାର ହୋଇଛି। ଗୁଜୁରାଟର ପୋରବନ୍ଦର ଉପକୂଳରୁ ଆରବ ସାଗରରେ ସାହାଯ୍ୟ ପାଇଁ ଯାଇଥିବା କୋଷ୍ଟଗାର୍ଡ ହେଲିକପ୍ଟର ସମୁଦ୍ରରେ ବୁଡ଼ି ଯାଇଛି, ଏହି କାରଣରୁ ଦୁଇ ପାଇଲଟଙ୍କ ସମେତ ତିନି ଜଣ ନିଖୋଜ ହୋଇଯାଇଛନ୍ତି। ହେଲିକପ୍ଟରରେ ଚାରି ଜଣ ଲୋକ ଥିଲେ, ଯେଉଁଥିରୁ ଜଣେ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ଆରବ ସାଗରରେ ହେଲିକପ୍ଟରର ଧ୍ୱଂସାବଶେଷ ମଧ୍ୟ ଦେଖିବାକୁ ମିଳିଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ରହିଛି।
କୋଷ୍ଟଗାର୍ଡ କହିଛି ଯେ, ଆରବ ସାଗରରେ ଫସି ରହିଥିବା ଜାହାଜରୁ ସାହାଯ୍ୟ ପାଇଁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଲୋକଙ୍କୁ ଜାହାଜରୁ ସ୍ଥାନାନ୍ତର କରିବାକୁ ପଡୁଥିଲା ଏବଂ ଏହି ସମୟରେ ହେଲିକପ୍ଟରଟି ତାଙ୍କ ନିକଟରେ ପହଞ୍ଚିବା ପରେ ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ବର୍ତ୍ତମାନ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସର୍ଚ୍ଚ ଅପରେସନ୍ ପାଇଁ କୋଷ୍ଟଗାର୍ଡ ଚାରୋଟି ଜାହାଜ ଏବଂ ଦୁଇଟି ବିମାନ ନିୟୋଜିତ କରିଛି। ଏହି ତିନି ଜଣ ଶୀଘ୍ର ମିଳିବେ ବୋଲି ଆଶା କରାଯାଉଛି।
State
ବ୍ରହ୍ମପୁର( ଦ କୁଇଭର ):-: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସ୍ଥାନୀୟ ଟାଟାବେଞ୍ଜ ଛକରେ ଥିବା ଓମ ଶ୍ରୀ ଜୁଏଲର୍ସରୁ ବଡ଼ ଧରଣର ଚୋରି ହୋଇଛି । ଦୁର୍ବୁତ୍ତମାନେ ଉକ୍ତ ଦୋକାନରେ କଳାକନା ବୁଲାଇ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ଜମୁଲା ଶ୍ରୀଧର । ଥାନାରେ ଅଭିଯୋଗ ହେବା ପରେ ଟାଉନ ଏସଡିପିଓ ଦେବୀ ଶଙ୍କର ପ୍ରତାପ, ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସନ୍ଧାନୀ କୁକୁର,ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ଘଟଣା ସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଏହାସହ କିଛି ସ୍ଥାନରୁ ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରିଛି ।
Sports
ଦକୁଇଭର ବ୍ୟୁରୋ :- ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ତୃତୀୟ ସ୍ବର୍ଣ୍ଣ । ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କଲେ ଜାଭେଲିନ ଫିଙ୍ଗାଳି ସୁମିତ ଆଣ୍ଟିଲ । ଲଗାତାର 2ଟି ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ସେ ଇତିହାସ ରଚିଛନ୍ତି । ସୋମବାର ରାତିରେ ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁମିତ 70.59 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହି ଗୋଲ୍ଡ ଜିତିଥିଲେ ।ଟୋକିଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ ସୁମିତ । ପ୍ୟାରିସରେ ମଧ୍ୟ ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ରେକର୍ଡ ବଜାୟ ରଖିଛନ୍ତି । ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଗତକାଲି ଖେଳାଯାଇଥିବା ଇଭେଣ୍ଟରେ ଭାରତକୁ ମୋଟ 8ଟି ପଦକ ମିଳିଛି । ଏହା ଥିଲା ଭାରତର ପାଇଁ ଐତିହାସିକ ଦିନ । ଗୋଟିଏ ଦିନରେ ଭାରତକୁ 2ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 3ଟି ବ୍ରୋଞ୍ଜ ପଦକ ମିଳିଛି । ବ୍ୟାଡମିଣ୍ଟନରେ ନିତେଶଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ , ସୁମିତଙ୍କୁ ଜଭେଲିନରେ ସ୍ବର୍ଣ୍ଣ ମିଳିଥିଲା । ପାରା ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ନିତ୍ୟା ଶ୍ରୀଙ୍କୁ ବ୍ରୋଞ୍ଜ, ପୁରୁଷ ଡିସକସ ଥ୍ରୋରେ ଯୋଗେଶଙ୍କୁ ରୌପ୍ୟ, ତୀରନ୍ଦାଜୀ ମିକ୍ସଡ ଟିମରେ ଶୀତଲ ଦେବୀ ଓ ରାକେଶ କୁମାର ଯୋଡିକୁ ବ୍ରୋଞ୍ଜ ପଦକ ମିଳିଥିଲା । ବ୍ୟାଡମିଣ୍ଟନ ପୁରୁଷ ଏସଏଲ4ରେ ଭାରତର ସୁବାସ ୟଥୀରାଜ ରୌପ୍ୟପଦକ ଜିତିଥିଲେ । ସେହିପରି ମହିଳା ବ୍ୟାଡମିଣ୍ଟନର ଏସୟୁ5 ବିଭାଗରେ ଭାରତର ମନୀଷୀ ରମଦାସ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହି ଇଭେଣ୍ଟରେ ତୁଳସୀମତି ମୁରୁଗେସାନ ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ଜିତିଥିଲେ ।
National
ଦକୁଇଭର ବ୍ୟୁରୋ :- ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦେଲେ ସୂଚନା l ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ୧୭ ସୁଦ୍ଧା ଚୟନ ଯୋଗ୍ୟ ହତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।
State
ଦକୁଇଭର ବ୍ୟୁରୋ :- ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସେପ୍ଟେମ୍ବର ୧ ତାରିଖରେ ମାନେ ଆଜି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨ ଓ ୩ ତାରିଖରେ ବର୍ଷା ରହିଲେ ମଧ୍ୟ ସେଭଳି କିଛି ସତର୍କ ସୂଚନା ଜାରି କରାଯାଇନାହିଁ ।
ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେଇଛି । କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଉପକୂଳ ଅତିକ୍ରମ କରିବ । ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳ ଅତିକ୍ରମ କରିବ । ବର୍ତ୍ତମାନ କଳିଙ୍ଗପାଟ୍ଟନମ ଠାରୁ ୮୦ କିମି, ଗୋପାଳପୁର ଠାରୁ ୧୮୦ କିମି ଦୂରରେ ରହିଛି ଅବପାତ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ୪ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ରହିବ । ସେହିପରି ୫ ଓ ୬ ତାରିଖରେ ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୨୪. ୯ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୯୦୬. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା ।
ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେପଟେ ଗତ ୨୪ ଘଣ୍ଟା ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ସର୍ବାଧିକ ୧୦୭.୦୦ ମିମି ବର୍ଷା ରେକର୍ଡ କରାଯାଇଛି ।
State
ଗଞ୍ଜାମ ( ଦ କୁଇଭର ):-:ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକରେ ଗତ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖ ବିଳମ୍ବିତ ରାତ୍ରରେ ଘଟିଥିବା ଚାରି ଭାଇକୁ ନିର୍ମମ ହତ୍ୟା ଘଟଣାର ସୋମବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି l ଆସିକା ଅତିରକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ୨୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି l ଅଭିଯୁକ୍ତ ମାନେ ହେଲେ ଚିତ୍ରସେନ ସେଠି, ସନ୍ତୋଷ ସ୍ୱାଇଁ, ବାହାନପତି ବେହେରା, ମିଲନ ସ୍ୱାଇଁ ଏବଂ ମୁଖ୍ୟ ଅଭିଯୁକ୍ତ ଅମୀୟ କୁମାର ସ୍ୱାଇଁ ଓରଫ ସାଧୁ । ପ୍ରକାଶ ଥାଉକି ଗତ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ତଥା ୫୯ ନଂ ଜାତୀୟ ରାଜପଥ ଉପରେ ଫାଷ୍ଟଫୁଡ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ରାଜା ସ୍ବାଇଁଙ୍କ ସମେତ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଧୁଙ୍କ ସହ କୈାଣସି କାରଣରୁ କଳିଗୋଳ ଆରମ୍ଭ ହୋଇଥିଲା । ଘଟଣାର କିଛି ସମୟପରେ ସାଧୁଙ୍କ ସହ କିଛି ସହଯୋଗୀ ରାଜାଙ୍କ ଫାଷ୍ଟଫୁଡ ଦୋକାନ ଭିତରେ ପଶି ମଙ୍ଗଳବାର ଅର୍ତକିତ ଆକ୍ରମଣ କରିଥିଲେ। ଦୁବୃର୍ତ୍ତଙ୍କ ଖଣ୍ଡା, ଲୁହାରଡ୍ ଓ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ଭାଇ ଓ ସର୍ମ୍ପକୀୟ ଜଣେ ଭାଇଙ୍କୁ ଅତି ବିଭତ୍ସ ହତ୍ୟା କରିଥିଲେ । ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ପ୍ରତିପକ୍ଷ ଗୋଷ୍ଠୀର ଜଣେ ଆକ୍ରମଣକାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ମୃତକ ମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା ସ୍ୱାଇଁ (୨୮), ଶମ୍ଭୁ ସ୍ୱାଇଁ (୨୫), ପାଣ୍ଡବ ସ୍ୱାଇଁ (୨୩) ଓ ଅନ୍ୟ ଜଣଙ୍କ ମଙ୍ଗୁଳୁଙ୍କ ନାବାଳକ ପୁତୁରା ପୁତୁରା ବଉଳଘାଇ ଗ୍ରାମର ଚନ୍ଦନ ସ୍ୱାଇଁ (୧୬) । ଗୁରୁତର ଆହତ ହେଲେ ପ୍ରତିପକ୍ଷ ଗୋଷ୍ଠୀର ଆକ୍ରମଣକାରୀ ଅମିୟ ସ୍ୱାଇର୍ ଓରଫ୍ ସାଧୁ (୩୫) । ମୃତକଙ୍କ ବାପା ମଙ୍ଗୁଳୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୧୪୧/୨୨ରେ ହିଞ୍ଜିଳି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଉତ୍ତ୍ୟକ୍ତ ଗ୍ରାମବାସୀ ଦୋଷୀଙ୍କୁ ଫାଶିଦଣ୍ଡ ଓ ସଂପୃକ୍ତ ଗ୍ରାମ ନିକଟରେ ଥିବା ୨ ମଦ ଦୋକାନ ଉଚ୍ଛେଦ ଦାବି କରି ଅଡି ବସିବା ସହ ୨୩ତାରିଖ ସକାଳ ୭ଟାରୁ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ l ପିତଳ ଛକରେ ଅବସ୍ଥାପିତ ୨ଟି ମଦ ଦୋକାନ ଉଛେଦ, ପୋଲିସ ଫାଣ୍ଡି ସ୍ଥାପନ ଓ ଦୋଷୀଙ୍କୁ ଫାଶିଦଣ୍ଡ ଦେବାକୁ ଦାବି କରି ପ୍ରାୟ ୧୫ ଘଣ୍ଟା ଧରି ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ, ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ଏସଡିପିଓ ଓ ୮ଟି ଥାନା ଆଇଆଇସିଙ୍କ ସମେତ ୬ ପ୍ଳାଟୁନ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକ ହଟିନଥିଲା । ପରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପିତଳ ଛକରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ସହ ମଦ ଦୋକାନ ଉଛେଦ ଓ ଦୋଷୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାତି ପ୍ରାୟ ୧୦ଟାରେ ରାସ୍ତାରୋକ ହଟିଥିଲା । ସଂପୃକ୍ତ ମାମଲାକୁ ସରକାର ଓକିଲ ତ୍ରିଲୋଚନ ପରିଡା ଏବଂ ପ୍ରତିପକ୍ଷ ଓକିଲ ସରତେନ୍ଦୁ ପଣ୍ଡା ମାମଲା ପରିଚାଳନା କରୁଥିଲେ ।
National
ଦକୁଇଭର ବ୍ୟୁରୋ :- ଉନ୍ମୋଚିତ ହେଲା"ସୁଭଦ୍ରା" ଯୋଜନାର ୱେବ ପୋର୍ଟାଲ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଏହି "ସୁଭଦ୍ରା" ଯୋଜନାର ୱେବ ପୋର୍ଟାଲ କୁ ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲ୍ ଟି www.subhadra.odisha.gov.in ଏହି ପୋର୍ଟାଲ୍ ଛଡା ଆଉ କୌଣସି fake ୱେବସାଇଟ ଦ୍ବାରା ଭ୍ରମିତ ହୁଅନ୍ତୁ ନାହିଁ ।ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି ।ଏହା ଦ୍ବାରା ଆପଣମାନେ ସହଜରେ, ସୁବିଧାରେ, ସବୁଠାରେ ସୁଭଦ୍ରା ବିଷୟରେ ପଢିପାରିବେ ଓ ବୁଝିପାରିବେ | ଏହାର ଉପାଦାନ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ପ୍ରଦତ୍ତ ଅଛି ।।ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ହାୟିତ୍ଵ ସହ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି।ସୁଭଦ୍ରା ସମ୍ବନ୍ଧୀୟ ଆପଣମାନଙ୍କ ମନରେ ଆସୁଥିବା ଯେକୌଣସି ପ୍ରଶ୍ନର ଉତ୍ତର ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ ।ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ଘୋଷଣା ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ ।ଆଉ କିଛି ଜାଣିବାକୁ ହେଲା ଆପଣ ଟୋଲ ପ୍ରୀ ନମ୍ବର -୧୪୬୭୮ ରେ କଲ କରିବେ ।ଏହି ଟୋଲ ଫ୍ରି ନମ୍ବର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ଫର୍ମ ସମ୍ପୂର୍ଣ ମାଗଣାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିବ । ପୂରଣ ହୋଇଥିବା ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାର ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟଳୟରେ ୪ ସେପ୍ଟେମ୍ବର ଅପରାହ୍ନରୁ ଫର୍ମ ଦାଖଲ ଆରମ୍ଭ କରାଯିବ ।ଏହି ଫର୍ମ ଦାଖଲ ସମ୍ପୂର୍ଣ ମାଗଣା ହେବ। ସରକାରଙ୍କ ଅନୁମୋଦନ କ୍ରମେ ଚଳିତ ବର୍ଷର ରାକ୍ଷୀ ପୁର୍ଣ୍ଣିମା କିସ୍ତି ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଦେବା ଆରମ୍ଭ କରାଯିବ । ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ।
Health & lifestyle
ଗଞ୍ଜାମ, ଚିକିଟି ( ଦ କୁଇଭର ):-ଗଞ୍ଜାମ ଜିଲ୍ଲାର ଚିକିଟି ମଦମୃତ୍ୟୁ ମାମଲାରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ଜୀବନ ଯାଇଛି । (ଶନିବାର) ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିଲା । ରବିବାର ପୁଣି ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର MKCG ମେଡିକାଲରେ ପ୍ରାଣ ହରାଇଛନ୍ତି । ଏହି ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଗରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିନାହାନ୍ତି ସରକାର । ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତାଳମେଳ ନାହିଁ । ଘଟଣାରେ ରାଜ୍ୟ ସରକାର ଗମ୍ଭୀର ବୋଲି ଜଣା ପଡୁନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଭୃଗୁ ବକ୍ସିପାତ୍ର ।ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୂର୍ବରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା l (ଶନିବାର)ବ୍ରହ୍ମପୁର MKCG ମେଡିକାଲରେ ଭେଣ୍ଟିଲେଟରରେ ରହିଥିବା ଲକ୍ଷ୍ମଣ ବେହେରା (୫୧)ଙ୍କ ପୂର୍ବରୁ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ରବିବାର ପୁଣି ଜଣେ ଅସୁସ୍ଥଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କରବାଲୁଆ ଗାଁର ବାୟା ସେଠୀ ବୋଲି ଜଣାପଡ଼ିଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ । ସେପଟେ ଅଦ୍ୟାବଧି ବିଷାକ୍ତ ଅପମିଶ୍ରିତ ମଦ୍ୟପାନ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୨ ଜଣ ବ୍ରହ୍ମପୁର MKCG ମେଡିକାଲର ICUରେ ଭେଣ୍ଟିଲେଟରରେ ରହିଥିବା ବେଳେ ଅନ୍ୟ ୨ ଜଣ ୱାର୍ଡରେ ରହିଥିଲେ । ଚିକିତ୍ସିତ ହେଉଥିବା ୪ ଜଣଙ୍କ ମଧ୍ୟରୁ ରବିବାର ବାୟା ସେଠୀଙ୍କ ମୃତ୍ୟୁ ହୋଇଛି ।
State
ଦକୁଇଭର ବ୍ୟୁରୋ :- ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା l ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବନା l ପ୍ରଭାବରେ ୬ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା l ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ.l ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ l ଗଜପତି, ଗଞ୍ଜାମ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ l
Politics
ଭୁବନେଶ୍ୱର(ଦ କୁଇଭର): ବିଜେପିରେ ବନ୍ଦ ଥିବା ଗୋଚ୍ଛିକଟା ଅଭିଯାନ ପୁଣି ଆରମ୍ଭ ହୋଇଯାଇଛି । ଏଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କର ଗୋଟି ପୂରା ଦମରେ ଚାଲିଛି । ତାଙ୍କରି ଇଙ୍ଗିତରେ କାଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଆଉ ସଂଗଠନ କାମ କରୁଛି । ଏ ଦୁହିଁଙ୍କୁ କାଳେ ଅପରାଜିତାଙ୍କ ଭୟ ରହିଚି । ତେଣୁ ନିର୍ବାଚନରେ କ୍ଷମତା ହାସଲ ପରେ ଏମପି ଅପରାଜିତା ଷଢ଼ଙ୍ଗୀଙ୍କ ପକ୍ଷ ଛେଦନ ଆରମ୍ଭ କରିଦେଇଛନ୍ତି । ଯେଉଁ ଅପରାଜିତା ବିଜେପିକୁ କ୍ଷମତାସୀନ କରିବା ପାଇଁ ଦିନରାତି ଏକ କରିଦେଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି, ସେହି ଅପରାଜିତାଙ୍କୁ ରାଜନୀତିରେ ହଜାଇ ଦେବାକୁ କାଳେ କସରତ ଆରମ୍ଭ କରିଛନ୍ତି ଏମାନଙ୍କ ଗୋଷ୍ଠୀ । ଶନିବାର ଅପରାଜିତାଙ୍କ ପିଏସଙ୍କ ସମେତ ୫ଜଣଙ୍କୁ ନିଲମ୍ବିତ କରିଛି ଦଳ । ଏପରିକି ଅପରାଜିତାଙ୍କ ଟିମରେ ଥିବା ବିଜେପିର ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଅପରାଜିତାଙ୍କ ସଂଗଠନକୁ ରାଜଧାନୀରେ ହଲଚଲ କରିବାକୁ ପୂରା ଯୋଜନା ପ୍ରସ୍ତୁତ ହୋଇଛି । ବିଜେଡିର ଏଜେଣ୍ଡାକୁ ବିଜେପି ଏବେ କାର୍ଯ୍ୟକାରୀ କରୁଥିବା ଚର୍ଚ୍ଚା ହେଉଛି ।
ଏବେ ଆସିବା ପ୍ରସଙ୍ଗକୁ । ବିଜେପି ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ଖୋଦ ବିଜେପି ମୁଖିଆ ମାନଙ୍କର ଆଶା ନଥିଲା । ସେଥିପାଇଁ ବିଜେଡି ସହ ମେଣ୍ଟ କରିବାକୁ ବସିଥିଲେ । ବିଜେଡିକୁ କୋଳରେ ପୂରାଇ ଫାଇଦା ନେଉଥିବା ବିଜେପିର ଏକ ଦୁର୍ବଳ ମେରୁଦଣ୍ଡ ଗୋଷ୍ଠୀ ନବୀନଙ୍କୁ ସାହାରା କରିବାକୁ ଲାଗିଥିଲେ । ମାତ୍ର ରାଜ୍ୟ ସଭାପତି ମନମୋହନ ସାମଲ ଓ ଅପରାଜିତାଙ୍କ ଜିଦ ଆଗରେ ଅମେରୁଦଣ୍ଡୀଙ୍କର କିଛି ଚାଲିଲା ନାହିଁ । ଶେଷରେ ରାଜ୍ୟରେ ସରକାର ହେଲା । ମାତ୍ର ଏବେ ପୁଣି ଥରେ ଅମେରୁଦଣ୍ଡୀ ସକ୍ରିୟ ହୋଇଛନ୍ତି । ବିଜେଡି ସହ ଚୋରାପିରତୀ ଥିବା ବିଜେପି ନେତାମାନେ ଦିଲ୍ଲୀ ସ୍ତରରୁ ବିଜେଡି ଏଜେଣ୍ଡାରେ କାମ କରିବା ଆରମ୍ଭ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ସ୍ୱାଧୀନ ବା ନିଜ ଇଚ୍ଛାରେ କାମ କାଳେ କରିପାରୁ ନାହାନ୍ତି । ତାଙ୍କୁ ଯାହା କୁହାଯାଉଛି ସେ କରୁଛନ୍ତି । ଦିଲ୍ଲୀ ଇଙ୍ଗିତରେ ପୂରା ତୃତୀୟ ମହଲା ଚାଲିଛି । କାଳେ ଏମପି ଅପରାଜିତା ରାଜଧାନୀରେ ରହି ସଂଗଠନ କରିବେ ଓ ଆଗକୁ ନେତୃତ୍ୱ ନେଇଯିବେ, ସେଥିପାଇଁ ତାଙ୍କ ଗୋଡ଼ରେ କୁରାଢ଼ୀ ମାରିବା ଆରମ୍ଭ କରିଥିବା କୁହାଯାଇଛି ।
ଅପରାଜିତାଙ୍କର ସାରା ରାଜ୍ୟରେ ଗ୍ରହଣୀୟତା ରହିଛି । ଏକଥା ବିଜେପିର କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି ସଂଗଠନ ପ୍ରମୁଖ ସମେସ୍ତ ଜାଣନ୍ତି । ତେଣୁ ଅପରାଜିତାଙ୍କୁ ଦୁର୍ବଳ ନକଲେ ଆଗକୁ ସେ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ପାଇଁ ବିପଦ ହୋଇ ପାରନ୍ତି । ପ୍ରଥମେ ଓଡ଼ିଶାରେ କିଛି ଦାୟିତ୍ୱ ମିଳିଲା ନାହିଁ । କେରଳର ସହପ୍ରଭାରୀ ହେଲେ । ଏବେ କାଳେ ସଂଗଠନରେ ହଲଚଲ କରିବେ, ତେଣୁ ତାଙ୍କୁ ଆଣ୍ଠୁ ମାଡ଼ି ବସାଇ ଦେବାକୁ କସରତ ଚାଲିଛି । ଅପରାଜିତାଙ୍କ ଉପରେ ଏତେ ରାଗ ଯେ, ଅପରାଜିତାଙ୍କ ପିଏସ ଧନେଶ୍ୱର ବାରିକଙ୍କୁ ନିଲମ୍ବିତ କରାଯାଇଛି । ହେଲେ ସେ ବିଜେପିର ପ୍ରାଥମିକ ସଦସ୍ୟ ଅଛନ୍ତି ତ? ନା ଅପରାଜିତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଦର୍ଶାଇବାକୁ ନିଲମ୍ବନ ତାଲିକାରେ ଧନେଶ୍ୱରଙ୍କ ନାମ ରଖାଯାଇଛି? ଏଥିସହ ଅପରାଜିତାଙ୍କ ସହ ରହୁଥିବା ସୁନିତୀ ମୁଣ୍ଡଙ୍କୁ ନିଲମ୍ବିତ କରାଯାଇଛି । ଯେଉଁ ନିକୁଞ୍ଜ ପଟ୍ଟନାୟକଙ୍କୁ ସଭାପତି କରାଯାଇଥିଲା, ତାଙ୍କୁ ନିଲମ୍ବିତ କରାଯାଇଛି । ସମପାଦକ ବିଦୁ୍ୟତ କାଣ୍ଡି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଏମାନେ ସମସ୍ତେ ଅପରାଜିତାଙ୍କ ଗୋଷ୍ଠୀ ବୋଲି ପରିଚୟ ରଖିଛନ୍ତି ।
କେବଳ ସେତିକି ନୁହେଁ, ସାରା ଦେଶରେ ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିଛି । ଏଥିପାଇଁ ସଦସ୍ୟତା ସଂଗ୍ରହ କମିଟି କରାଯାଇଛି । କାର୍ଯ୍ୟକ୍ରମ ମାଧ୍ୟମରେ ସଦସ୍ୟତା ସଂଗ୍ରହ କରାଯାଉଛି । ହେଲେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ହେଉଥିବା କାର୍ଯ୍ୟକ୍ରମରେ ଏମପି ଅପରାଜିତାଙ୍କୁ ବିଧିବଦ୍ଧ ଭାବେ ଡକାଯାଉନାହିଁ । ଅପରାଜିତାଙ୍କୁ କୋଣଠେସା କରାଯାଉଥିବାରୁ ତାଙ୍କ ସମର୍ଥକମାନେ ପ୍ରତିକ୍ରିୟା ପ୍ରକାଶ କଲେ ସେମାନଙ୍କୁ ଏବେ ନିଲମ୍ବନ କରି ଦଳରୁ ଦୂରେଇ ଦିଆଯାଉଛି । ଅପରାଜିତାଙ୍କୁ ଦଳରୁ ତଡ଼ି ଦେବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ଚାଲିଛି । ଏହା ପଛରେ କାଳେ ବିଜେପିର ଅଣଓଡ଼ିଆ ନେତାଙ୍କ ହାତ ଥିବା କୁହାଯାଉଛି । ନିର୍ବାଚନ ପୂର୍ବରୁ ପ୍ରତିଶୋଧନ ଏବେ ନେଉଥିବା ଚର୍ଚ୍ଚା ହେଉଛି । ଦେଖାଯାଉ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ଗୋଷ୍ଠୀ ଅପରାଜିତାଙ୍କୁ ଚାପି ପାରୁଛନ୍ତି ନା ଲୋକେ ଅପରାଜିତାଙ୍କୁ ପୁଣି ଆଗକୁ ଆଣୁଛନ୍ତି ।
State
ଦକୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ତଥା ପାଶ୍ୱର୍ବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ୫ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୫ରୁ ୭ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିଛି। ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ଲାଗିରହିଛି। ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ସୋମବାର ଯାଏଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ତିନି ଦିନ ଓଡ଼ିଶାରେ ସେଭଳି ବର୍ଷା ନ ଥିବା ବେଳେ ୫ ତାରିଖଠାରୁ ପୁଣି ବର୍ଷା ବଢ଼ିବ। ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।