ବ୍ରହ୍ମପୁର ( ଦ କୁଇଭର ):- ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀ ସହ ଝଗଡା କରି ନିଜ ବେକକୁ ଛୁରୀ ରେ କାଟିଛି ସ୍ୱାମୀ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁର ରେ, ଯେଉଁ ସହର ଏବେ ସବୁଠି ଚର୍ଚ୍ଚା l କେତେବେଳେ ଦୁଷ୍କର୍ମ ତ କେତେବେଳେ ହତ୍ୟା, ପୁଣି କେତେବେଳେ ପାରିବାରିକ ବିବାଦ ତ ପୁଣି କେତେବେଳେ ଗୋଷ୍ଠୀ ସଙ୍ଘର୍ଷ କୁ ନେଇ ଚର୍ଚ୍ଚା l ଘରୋଇ କଳିକୁ ନେଇ ନିଜ ବେକ କାଟିଲେ ଯୁବକ । ଖାରବେଳ ନଗରରେ ରହୁଥିବା ଅଶୋକ କୁମାର ପାଣିଗ୍ରାହୀ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସହ ଝଗଡା କରି ନିଜ ବେକ କାଟିଥିବା ସୂଚନା ରହିଛି । ପରେ ଅଶୋକ ବାଇକ ଚଳାଇ ନିଜେ ଏମକେସିଜି ମେଡ଼ିକାଲ ରେ ପହଂଚି ନିଜ ଚିକିତ୍ସା କରାଉଛନ୍ତି। ବର୍ତ୍ତମାନ ଏମକେସିଜି ମେଡ଼ିକାଲରେ ଅଶୋକଙ୍କ ଚିକିତ୍ସା ଜାରି ରହିଛି ।
No comments yet.
State
ଦ କୁଇଭର ବ୍ୟୁରୋ:- ସପ୍ତାହ ଶେଷରେ ପୁଣି ଲଘୁଚାପ। ଚଳିତ ସପ୍ତାହ ଶେଷ ବେଳକୁ ପଶ୍ଚିମବଙ୍ଗ ନିକଟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହି ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ। ତେବେ ଏହି ଲଘୁଚାପ ବେଶୀ ଘନୀଭୂତ ହେବ ନାହିଁ। ସେପଟେ ଓଡିଶା ଓ ଝାଡଖଣ୍ଡ ଉପରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହୋଇ ବୁଧବାର ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ଆଡକୁ ଗତି କରିଛି। ତେବେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି।
ଗୋଟିଏ ଲଘୁଚାପର ପ୍ରଭାବ ନକମୁଣୁ ସପ୍ତାହ ଶେଷରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ତେବେ ଓଡିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ସ୍ପଷ୍ଟ ହୋଇନାହିଁ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଉ ୪ ଦିନ ଯାଏଁ ବର୍ଷା ଲାଗି ରହିବ। ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ସୋନପୁର, ବରଗଡ଼ ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି। ସେହିପରି ଆଜି ୫ ଜିଲ୍ଲାକୁ ରହିଛି ୟେଲୋ ଆଲର୍ଟ।
Politics,State
ଭୁବନେଶ୍ୱର( ଦ କୁଇଭର ):- ଚାରି ଦିନ ହେଲା ଚାଲିଥିବା ହାଇଡ୍ରାମାର ଅନ୍ତ ଘଟିଛି। ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ଉତ୍କ୍ଷିପ୍ତ ହୋଇଛନ୍ତି ଜଗନ୍ନାଥଙ୍କ ସମର୍ଥକ। ରାତି ପ୍ରାୟ ୧୦ଟା ବେଳେ ଭୁବନେଶ୍ବରର ଜନପଥ ଓ ଜାତୀୟ ରାଜପଥ ଅବରୋଧ କରିଥିଲେ। ଅଘଟଣ ଆଶଙ୍କାରେ ରାଜଧାନୀର ବିଭିନ୍ନ ଜାଗାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜଗନ୍ନାଥଙ୍କ ଗିରଫ ପରେ ଓଏଏସ୍ ସଂଘ ତା’ର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି। ଏହି ମାଡ଼ ଘଟଣାରେ ରାଜ୍ୟ ସରକାର ଓ ଓଏଏସ୍ ଅଧିକାରୀ ସଂଘ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ। ଜଗନ୍ନାଥ ପ୍ରଧାନ ମୁଖ୍ୟ ଷଡ଼୍ଯନ୍ତ୍ରକାରୀ ବୋଲି ସଂଘ ଅଭିଯୋଗ କରିବା ସହ ତାଙ୍କର ଗିରଫ ଦାବିରେ ଅଟଳ ରହିଥିଲା। ଫଳରେ ପ୍ରଶାସନିକ ଅଚଳାବସ୍ଥା ତୃତୀୟ ଦିନରେ ପହଞ୍ଚିଥିଲା। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଲୋକମାନେ ହଇରାଣ ହୋଇଥିଲେ। ତେବେ ଗୁରୁବାର ସକାଳୁ ଜଗନ୍ନାଥଙ୍କୁ ଗିରଫ ନିଷ୍ପତ୍ତି ନେବା ମୁଡ୍ରେ ସରକାର ନ ଥିଲେ। ଓଏଏସ୍ ଅଧିକାରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ରାଜସ୍ବ ମନ୍ତ୍ରୀ ନିବେଦନ କରିଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଓଏଏସ୍ ସଂଘ ତା’ର ଜିଦ୍ରୁ ଓହରି ନଥିଲା। ଏହା ପରେ ବିଜେପି ଓ ସରକାରଙ୍କ ଶୀର୍ଷସ୍ତରରେ ବୈଠକ ବସି ଜଗନ୍ନାଥଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା।
ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଡିସିପିଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ପହଞ୍ଚିଥିଲେ। ଏହି ଖବର ଜଣାପଡ଼ିବା ପରେ ତାଙ୍କର ଶହ ଶହ ସମର୍ଥକ ସେଠାରେ ରୁଣ୍ଡ ହୋଇଥିଲେ। ବିଧାୟକ ବାବୁ ସିଂହଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତା ବି ସେଠାରେ ପହଞ୍ଚିଥିଲେ। ଡିସିପିଙ୍କ କାର୍ଯ୍ୟାଳୟ ଭିତରକୁ ଯିବା ପୂର୍ବରୁ ଗଣମାଧ୍ୟମକୁ ଜଗନ୍ନାଥ କହିଥିଲେ, ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟଣାରେ ମୋର ସଂପୃକ୍ତି ନାହିଁ। ମୁଁ ଏହି ଘଟଣାକୁ ନିନ୍ଦା କରିଛି। କିନ୍ତୁ ମୋତେ, ମୋ ଦଳ ଓ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା। ଓଏଏସ୍ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫ ଦାବି କରି ଆନ୍ଦୋଳନରେ ଅଛନ୍ତି। ଫଳରେ ବନ୍ୟା ଦୁର୍ଗତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ, କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଆବଣ୍ଟନ ପ୍ରଭାବିତ ହୋଇପାରେ। ବାହୁଡ଼ା ଯାତ୍ରା ଓ ମହାପ୍ରଭୁଙ୍କ ସୁନାବେଶ ମଧ୍ୟ ପ୍ରଭାବିତ ହୋଇପାରେ। ଯଦି ମୋର ଗିରଫଦାରୀ ଏହାର ସମାଧାନର ବାଟ, ତେବେ ସରକାରଙ୍କ ସମ୍ମାନ ଏବଂ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମୁଁ ତଦନ୍ତରେ ସହଯୋଗ କରିବାକୁ ଆସିଛି। ଡିସିପିଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ଥିଲା ବେଳେ ବାହାରେ ତାଙ୍କ ସମର୍ଥକମାନେ ହୋହଲ୍ଲା ଆରମ୍ଭ କରି ଦେଇଥିଲେ। ସେମାନେ ରାସ୍ତାରୋକ କରି ନିଜର ଅସନ୍ତୋଷ ଜଣାଇଥିଲେ। ପୁଲିସ ଓ ବିଜେପିର ବରିଷ୍ଠ ନେତାମାନେ ସମର୍ଥକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା। ରାତି ପ୍ରାୟ ୧୦ଟା ବେଳକୁ ଜଗନ୍ନାଥଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଥିଲା। ଗିରଫ ପରେ ତାଙ୍କୁ ମେଡିକାଲ୍ ଯାଞ୍ଚ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ସେଠାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ରାତିରେ ଝାରପଡ଼ା ଜେଲ୍କୁ ପଠାଯାଇଥିଲା। ଜଗନ୍ନାଥଙ୍କ ଗିରଫ ପରିପ୍ରେକ୍ଷୀରେ ଡିସିପି କାର୍ଯ୍ୟାଳୟ, କ୍ୟାପିଟାଲ୍ ହସ୍ପିଟାଲ, ଭୁବନେଶ୍ବର କୋର୍ଟ ଓ ଝାରପଡ଼ା ଜେଲ୍ ନିକଟରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।
State
ଦ କୁଇଭର ବ୍ୟୁରୋ:- ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବେ ରାଜ୍ୟ ସରକାର। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୪ ମାସ ମଧ୍ୟରେ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ।ପର୍ଯ୍ୟାୟକ୍ରମେ ଟଙ୍କା ଫେରସ୍ତ ହେବ । ପାଖପାଖି ୫ ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି ମନମୋହନ ସାମଲ କହିଛନ୍ତି । ୧୫ ବର୍ଷ ଭିତରେ ୧୭୪ ଚିଟଫଣ୍ଡ କମ୍ପାନୀ ଜମାକାରୀଙ୍କ ଅର୍ଥ ଲୁଟ୍ କରିଥିଲେ। ଜମାକାରୀଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା ବିଜେପି ।ଏବେ ବିଜେପି ସରକାର ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ମନମୋହନ। ଅନ୍ୟପଟେ ବିଜେଡି ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଏବେ ଲିଷ୍ଟ ହୋଇପାରିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।
Health & lifestyle,State
ବ୍ରହ୍ମପୁର ( ଦ କୁଇଭର ):- ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀ ସହ ଝଗଡା କରି ନିଜ ବେକକୁ ଛୁରୀ ରେ କାଟିଛି ସ୍ୱାମୀ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁର ରେ, ଯେଉଁ ସହର ଏବେ ସବୁଠି ଚର୍ଚ୍ଚା l କେତେବେଳେ ଦୁଷ୍କର୍ମ ତ କେତେବେଳେ ହତ୍ୟା, ପୁଣି କେତେବେଳେ ପାରିବାରିକ ବିବାଦ ତ ପୁଣି କେତେବେଳେ ଗୋଷ୍ଠୀ ସଙ୍ଘର୍ଷ କୁ ନେଇ ଚର୍ଚ୍ଚା l ଘରୋଇ କଳିକୁ ନେଇ ନିଜ ବେକ କାଟିଲେ ଯୁବକ । ଖାରବେଳ ନଗରରେ ରହୁଥିବା ଅଶୋକ କୁମାର ପାଣିଗ୍ରାହୀ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସହ ଝଗଡା କରି ନିଜ ବେକ କାଟିଥିବା ସୂଚନା ରହିଛି । ପରେ ଅଶୋକ ବାଇକ ଚଳାଇ ନିଜେ ଏମକେସିଜି ମେଡ଼ିକାଲ ରେ ପହଂଚି ନିଜ ଚିକିତ୍ସା କରାଉଛନ୍ତି। ବର୍ତ୍ତମାନ ଏମକେସିଜି ମେଡ଼ିକାଲରେ ଅଶୋକଙ୍କ ଚିକିତ୍ସା ଜାରି ରହିଛି ।
State
ଦ କୁଇଭର ବ୍ୟୁରୋ:- ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରର ତଡ଼ବା ଅନ୍ଧେରି ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଥିଲା ୩ ବର୍ଷୀୟା ତରୁଣୀ ମରାଠୀ ବାଘୁଣୀ ଜୀନତ୍ । ପରବର୍ତ୍ତୀ ସମୟରେ ଏହା ଶିମିଳିପାଳରୁ ବାହାରି ଝାଡଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ ଜଙ୍ଗଲକୁ ପଲେଇଥିଲା । ପରେ ପଶ୍ଚିମବଙ୍ଗ ବନ ବିଭାଗର ସହଯୋଗରେ ଓଡ଼ିଶା ବନ ବିଭାଗ ଚଳିତ ବର୍ଷ ଜାନୁଆରୀ ପହିଲାରେ ଜୀନତକୁ ଉଦ୍ଧାର କରି ଶିମିଳିପାଳ ଆଣିଥିଲେ । ଏହା ପରଠାରୁ ଜୀନତକୁ ପ୍ରଥମେ ସଫ୍ଟ ଏନକ୍ଲୋଜର, ତାପରେ ବଡ଼ ଏନକ୍ଲୋଜରରେ ରଖାଯିବା ପରେ ମେ' ମାସରେ ପୁଣି ଥରେ ଜଙ୍ଗଲକୁ ଛଡାଯାଇଥିଲା । ଜୀନତ୍ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । ଆଉ ବାହାରକୁ ଯିବାର ସମ୍ଭାବନା ବହୁତ କାମ ରହିଛି ।
ତେବେ ମେ' ମାସ ଦ୍ୱିତୀୟ ସପ୍ତାହରେ କଳା ମହାବଳ T-12 ସହ ସହବାସ କରିଛି ମରାଠୀ ବାଘୁଣୀ ଜୀନତ୍ । ଯଦି ଜୀନତ୍ ଗର୍ଭବତୀ ହୋଇଥାଏ, ତେବେ ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେ ମାଆ ହେବ । କାରଣ ଗର୍ଭବତୀ ହେବାର ୧୦୫ ଭିତରେ ଶାବକ ଜନ୍ମ କରିଥାଏ ବାଘୁଣୀ । ଜୀନତ ୨ରୁ ୪ଟି ଛୁଆ ଜନ୍ମ କରିପାରେ । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି । ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୂଚନା ଅନୁସାରେ, ଏପ୍ରିଲ ମାସରେ ବଡ଼ ଏନକ୍ଲୋଜରରୁ ମୁକ୍ତ ହେବା ପରେ ଶିମିଳିପାଳ ଅଭୟାରଣ୍ୟର ଯମୁନାଗଡ଼ରୁ ଗୁଡୁଗୁଡ଼ିଆ ପର୍ଯ୍ୟନ୍ତ ଜଙ୍ଗଲକୁ ନିଜର ବାସସ୍ଥଳୀ ଭାବେ ବାଛିଥିଲା ଏହି ମରାଠୀ ବାଘୁଣୀ ଜୀନତ୍ । ଜଙ୍ଗଲକୁ ଯିବା ପରେ ମହାବଳ T-31 ସହ ସଂସ୍ପର୍ଶରେ ଆସିଥିଲା ଜୀନତ୍ । ହେଲେ ଜୀନତ୍ ତାକୁ ପ୍ରତ୍ୟାଖ୍ୟାନ କରିଥିଲା । ଗତ ମେ' ମାସରେ ଯମୁନାଗଡ଼ ଜଙ୍ଗଲରେ ଜୀନତ୍କୁ ଭେଟିଥିଲା କଳା ମହାବଳ T-12 । ଏହାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ସମ୍ପର୍କ । T-12 ମହାବଳ ସହ ସହବାସ କରିବାକୁ ଉଚିତ୍ ମନେ କରିଥିଲା ଜୀନତ୍ ।
State,Shree Jagannath
ପୁରୀ( ଦ କୁଇଭର):- ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ ଘୋଷଣା କରିଛନ୍ତି। ଆଧ୍ୟାତ୍ମିକ ସହର ‘ପୁରୀ’କୁ ମହାନଗର ନିଗମରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ପୁରୀ ସହରକୁ ପ୍ରତିଦିନ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ଓ ଏଠାକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୁରୀରେ ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ଓ ଗବେଷଣା କେନ୍ଦ୍ର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ମହାନଗର ନିଗମ ସଂଖ୍ୟା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ପାଇଁ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମହାନଗର ଶାସନ ବ୍ୟବସ୍ଥା ଥିବା ବେଳେ ପୁରୀ ସହରକୁ ଏହି ତାଲିକାରେ ଯୋଡ଼ିଛନ୍ତି। ପୁରୀ ସହର ଏହି ତାଲିକାରେ ଯୋଡ଼ି ହୋଇଯିବା ପରେ ଏହାର ଆକାର ବୃଦ୍ଧି ପାଇବ। ଏଠାକାର ଜନତା ଏବଂ ପର୍ଯ୍ୟଟକମାନେ ଆହୁରି ଅନେକ ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀ ଆଉ ପୌରାଞ୍ଚଳରେ ସୀମିତ ରହିବ ନାହିଁ। ଏହାର କଳେବର ବୃଦ୍ଧି ପାଇବ। ଶ୍ରୀ ଜଗନ୍ନାଥ ସଂସ୍କୃତି, କିମ୍ବଦନ୍ତୀ ଓ ଇତିହାସର ପ୍ରଚାର ପ୍ରସାର ହେବ। ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ। ନାଗରିକମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସାଙ୍ଗକୁ, ବହୁବିଧ ସେବା, ପର୍ଯ୍ୟଟକଙ୍କ ଚର୍ଚ୍ଚା ଦ୍ୱାରା ଏକ ବିରାଟ ସକାରାତ୍ମକ ପରିବର୍ତ୍ତନ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି। ବାହୁଡ଼ା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି। ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି। ପୁରୀ ଜଗନ୍ନାଥ ଧାମ ସାରା ଭାରତର ସବୁ ଧର୍ମସ୍ଥଳୀ ଠାରୁ ଅନନ୍ୟ। ଏଠାରେ ଭକ୍ତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଯାଆନ୍ତି। ନବଦିନ ବ୍ୟାପ୍ତ ଏହି ପବିତ୍ର ଯାତ୍ରା ସମୟରେ ବଡଦାଣ୍ଡରେ ଚାଲୁଥିବା ସବୁ ଭକ୍ତ ଜଣେ ଜଣେ ଦାସିଆ। ମୁଁ ବି ଏହି ଅସଂଖ୍ଯ ଜଗନ୍ନାଥ ଭକ୍ତଙ୍କ ମଧ୍ୟରୁ ଜଣେ ସାଧାରଣ ଭକ୍ତ। ରାଜ୍ୟର ମୁଖ୍ୟ ସେବକ ଭାବେ ରାଜ୍ୟବାସୀ ଯେଉଁ ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରିଛନ୍ତି, ସେଥି ମଧ୍ୟରୁ, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପୁରୀବାସୀଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ କରିବା। ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛି ଯେ କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଏବଂ ସହରବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ଵାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡ଼ିବ। ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି। କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଆମ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାଯତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ଏହା ଦ୍ଵାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ, ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ। ଆସନ୍ତା କାଲି ଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ। ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ଗୋଳିବାକୁ ଆମ ସରକାର ବଦ୍ଧପରିକର। ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣର ଅବଶ୍ୟକତା ରହିଛି। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ। ଆଜିର ଏହି ଘୋଷଣା ସରକାରଙ୍କ ଏହି ଭିଜନର ଏକ ଅଂଶ ବିଶେଷ।
Shree Jagannath
ପୁରୀ ( ଦ କୁଇଭର ):- ଆଜିପବିତ୍ର ବାହୁଡା଼ ଯାତ୍ରା l ସରିଆସିଲାଣି ଶ୍ରୀଗୁଣ୍ଡିଚା ଲୀଳା। ଏବେ ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ଲେଉଟିବାର ବେଳ। ସେନାପଟା ଲାଗି ସାରିଲାଣି। ଆଡ଼ପମଣ୍ଡପରେ ଚାରବନ୍ଧା ସରିଲାଣି। ସଅଳ ପହଣ୍ଡି ହୋଇ ଚତୁର୍ଦ୍ଧାବିଗ୍ରହ ରଥ ଉପରେ ବିରାଜମାନ କରିବା ପାଇଁ ରଥରେ ମଧ୍ୟ ଚାରମାଳ ବନ୍ଧା ଶେଷ ହୋଇଛି। ବଡ଼ଦାଣ୍ଡକୁ ଧୋଇ ଶୋଧ କରିଦେଲାଣି ବର୍ଷା। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚିସାରିଲେଣି ଭକ୍ତ। ଶୀଘ୍ର ବାହୁଡ଼େଇ ନେବା ପାଇଁ ଆରମ୍ଭ ହୋଇଗଲାଣି ନୀତିକାନ୍ତି।ସନ୍ଧ୍ୟା ଦର୍ଶନ ସଅଳ ବନ୍ଦ କରି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ବାହୁଟ କଣ୍ଟ, ଚାରବନ୍ଧା ସହ କୁସୁମି ଲାଗି ଶେଷ ହୋଇସାରିଛି। ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଆଜି ମହାପ୍ରଭୁ ଘଣ୍ଟାଏ ପାଇଁ ଠିଆ ପହୁଡ଼ ଯିବେ। ଖଟ ଶେଜ ଲାଗିବ ନାହିଁ। ନୀତିକାନ୍ତି ସଅଳ ସମାପନ ହୋଇ ସମ୍ଭବତଃ ସକାଳ ୮ଟାରୁ ୯ଟା ମଧ୍ୟରେ ପହଣ୍ଡି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଯଦିଓ ନୀତି ନିର୍ଘଣ୍ଟ ପୁସ୍ତିକରେ ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ଆରମ୍ଭ ହେବା ନେଇ ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ସଅଳ କରିବା ଲକ୍ଷ୍ୟରେ ନୀତିକାନ୍ତି ଆଗେଇ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନର ନୀତିକାନ୍ତି ମୁତାବକ, ଠିଆ ପହୁଡ଼ ହୋଇଥିବାରୁ ୫ ତାରିଖ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବ।
ସକାଳ ୭ଟାରୁ ସେନାପଟା ଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ, ସାଢ଼େ ୨ଟା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବାହୁଡ଼ା ଯାତ୍ରାରେ ଶୃଙ୍ଖଳା ପାଇଁ ୨୦୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ ହେବେ। ଭକ୍ତଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ଟ୍ରାଫିକ ରୁଟ୍ ନିର୍ଦ୍ଧାରିତ ହୋଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଚାରିଚକିଆ ଓ ଦୁଇଚକିଆ ଯାନ ରଖିବା ପାଇଁ ସ୍ବତନ୍ତ୍ର ସ୍ଥାନ ସ୍ଥିରୀକୃତ ହୋଇଛି।
State
ଦ କୁଇଭର ବ୍ୟୁରୋ:- ଆସନ୍ତା ୬ ତାରିଖ ରବିବାର ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର କଲ୍ମା ବ୍ୟାରେଜ୍ର ୪୬ଟି ଗେଟ୍ ଖୋଲି ଦେଇଛନ୍ତି। କଲ୍ମାର ୬୬ଟି ଗେଟ୍ ମଧ୍ୟରୁ ଗତକାଲି ପର୍ଯ୍ୟନ୍ତ ୧୦ଟି ଗେଟ୍ ଖୋଲା ରହିଥିଲା। ଗୁରୁବାର ଆହୁରି ୩୬ଟି ଗେଟ୍ ଖୋଲାଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି। ଗୁରୁବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୨୫ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରକୁ ଏହି ସମୟରେ ୧,୦୧,୩୪୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ମାତ୍ର ୩୪,୨୫୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ସୁଦ୍ଧା) ଉପର ମୁଣ୍ଡରେ ୩୦.୧୧ ମିମି ଓ ତଳମୁଣ୍ଡରେ ୩୭.୫୧ ମିମି ବର୍ଷା ରେକର୍ଡ କରାଯାଇଛି। ମହାନଦୀରେ ଜଳପ୍ରବାହ ବୃଦ୍ଧି ଯୋଗୁଁ ଆସନ୍ତା ୬ ତାରିଖରେ ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୦୮ ଫୁଟ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ରୁଲ୍କର୍ଭ ଅନୁସାରେ, ଏହି ସମୟରେ ଜଳସ୍ତର ୬୦୫ ଫୁଟ ମଧ୍ୟରେ ରହିବା କଥା। ବନ୍ୟା ନିୟନ୍ତ୍ରଣ ପାଇଁ ଚଳିତବର୍ଷ ଆଗୁଆ ବନ୍ୟାଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାର ଅଚଳ କ୍ଷମତା (ଡେଡ୍ ଷ୍ଟୋରେଜ) ଜଳସ୍ତର ୫୯୦ ଫୁଟ ହୋଇଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ। ବନ୍ୟା ନିୟନ୍ତ୍ରଣ ତଥା ବନ୍ଧର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ସେପଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖ ସୁଦ୍ଧା ଜଳସ୍ତର ଏହାର ସର୍ବୋଚ୍ଚ ସ୍ତରରେ ରଖାଯାଇଥାଏ। ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଆସନ୍ତା ରବିବାର ଦିନ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।
State
ବଲାଙ୍ଗୀର( ଦ କୁଇଭର ):- ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଦିଲେଶ୍ୱର ମାଝୀଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗିରଫ କରିଛି।ଭିଜିଲାନ୍ସ ଦ୍ୱାରା ତାଙ୍କର ଅନେକ ସମ୍ପତ୍ତି ଥିବା ସ୍ଥାନରେ ହୋଇଥିବା ସର୍ଚ୍ଚ ଅଭିଯାନରେ ତାଙ୍କ ନିଜ ନାମରେ ଓ ଜଣେ ନିକଟତମ ଆତ୍ମୀୟ ନାମରେ ୪ଟି ଘର, ଗୋଟିଏ ବଜାର କମ୍ପ୍ଲେକ୍ସ, ୯ଟି ଉଚ୍ଚ ମୂଲ୍ୟର ଜମିପ୍ଲଟ, ୩୦୦ ଗ୍ରାମ ସୁନା, ୪୯.୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, ୬.୫୭ ଲକ୍ଷ ଟଙ୍କା ନଗଦ ଓ ଅନ୍ୟାନ୍ୟ ସମ୍ପତ୍ତି ମିଳିଛି।ସୂଚନାଯୋଗ୍ୟ, ଦିଲେଶ୍ୱର ମାଝୀ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୁଦ୍ଧରେ ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଅର୍ଜନ ଅଭିଯୋଗ ହୋଇଥିଲା। ଓଡିଶା ଭିଜିଲାନ୍ସର ୫ ଡିଏସଏସପି, ୮ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ କରିଥିଲେ।ବଲାଙ୍ଗୀର ଭିଜିଲାନ୍ସ, ସ୍ପେଶାଲ ଜଜ୍ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ଦିଲେଶ୍ବରଙ୍କ ସମ୍ପତ୍ତି ସ୍ଥାନରେ ତଲାସୀ କରାଯାଇଥିଲା। ଏସମ୍ପର୍କରେ, ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ପିଏସ୍ ମାମଲା ନମ୍ବର ୧୩/୨୦୨୫ ରୁଜୁ କରାଯାଇଛି।
State,Politics
ଦ କୁଇଭର ବ୍ୟୁରୋ:- କମିସନରେଟ୍ ପୁଲିସ ହାତରେ ଆଜି ରାତିରେ ଗିରଫ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଭୁବନେଶ୍ବର କୋର୍ଟରେ ହାଜର ହେଲା ପରେ ଜାମିନ ନାମଞ୍ଜୁର ହେବାରୁ ଜଗନ୍ନାଥ ପ୍ରଧାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଜଗନ୍ନାଥ ପ୍ରଧାନ ଆଜି ରାତି ୯ଟା ୪୦ରେ ଡିସିପି କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେ ଗଣମାଧ୍ୟମ ଆଗରେ କହିଥିଲେ, ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାକୁ ମୁଁ ସବୁବେଳେ ନିନ୍ଦା କରିଆସୁଛି। ଏହି ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ଓଏଏସ୍ ସଂଘ ମୋର ଗିରଫ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନ କାରଣରୁ ଜନସାଧାରଣ ପ୍ରଭାବିତ ହୋଇପାରନ୍ତି। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ମୋହନ ଚରଣ ମାଝୀ ସରକାର ବଦନାମ ନହୁଅନ୍ତୁ ଏହା ମୁଁ ଚାହେଁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି। ଏହା କହିଲା ପରେ ଶ୍ରୀ ପ୍ରଧାନ ଡିସିପି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ସହ ଆତ୍ମସମର୍ପଣ କରିଥିଲେ।
ଅନ୍ୟପକ୍ଷରେ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ଡିସିପି କାର୍ଯ୍ୟାଳୟ ଓ ଝାରପଡ଼ା ଜେଲ୍ ସାମ୍ନାରେ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ବିରୋଧ ପ୍ରଦର୍ଶନ ସମୟରେ ଝାରପଡ଼ାରେ ଜଣେ ମହିଳା ସମର୍ଥକ ଅଚେତ ହୋଇଯାଇଥିଲେ। ଜଣେ ସମର୍ଥକମାନେ କହିଛନ୍ତି, ଯଦି ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି, ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର। ସମର୍ଥକମାନେ କହିଛନ୍ତି, ଜଗନ୍ନାଥ ପ୍ରଧାନଙ୍କ କୌଣସି ଭୁଲ ନାହିଁ। ଯଦି ଜଗନ୍ନାଥ ପ୍ରଧାନଙ୍କ ଭୁଲ ଥିଲା, ପୁଲିସ ଘଟଣାର ତଦନ୍ତ କରିବାର ଥିଲା। ତଦନ୍ତରେ ସେ ଯଦି ଅଭିଯୁକ୍ତ ପ୍ରମାଣିତ ହୋଇଥାନ୍ତେ ଗିରଫ କରିଥିଲେ କୌଣସି ଆପତ୍ତି ନଥିଲା।
State
ଗଞ୍ଜାମ, ବ୍ରହ୍ମପୁର ( ଦ କୁଇଭର ):- କିଛି ଭୁଲ ବୁଝାମଣା ପାଇଁ ଭାଙ୍ଗିଯାଉଛି ଅନେକ ସଂସାର, ଶେଷ ହୋଇଯାଉଛି ଦୀର୍ଘଦିନ ଧରି ରହିଥିବା ପାରିବାରିକ ସମ୍ପର୍କ,ଦୁଇ ମନ ସହ ଦୁଇ ପରିବାର ଏବଂ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମସ୍ତ ସମ୍ପର୍କ ପରିସମାପ୍ତି ହୋଇଯାଉଛି l କେତେବେଳେ ବିବାହ ବିଛେଦ ତ ଆଉ କେତେବେଳେ ପାରିବାରିକ କଳହ, ଆଉ କେତେବେଳେ ନିରୀହ ଛୁଆମାନଙ୍କ ଭାଗବଣ୍ଟା ହୋଉ କିମ୍ବା ସମ୍ପତ୍ତି ବିଚାର ସବୁଥିର ଶେଷରେ ଦୁଃଖ ଆଉ କ୍ଷୋଭ ଥାଏ, ତା'ସହିତ ପଶ୍ଚାତାପ ମଧ୍ୟ l
କିନ୍ତୁ ମଧ୍ୟସ୍ଥତା କେନ୍ଦ୍ରର ବୁଝାମଣା ମାଧ୍ୟମରେ ଯେତେବେଳେ ଦୀର୍ଘ ବର୍ଷରୁ ଲାଗିରହିଥିବା କଳହ, ଅନେକ ଦିନରୁ ରହିଥିବା ସମ୍ପର୍କରେ ଫାଟ ଯଦି ଯୋଡି ହୋଇଯାଏ, ଏକ ହୋଇଯାନ୍ତି ବିବାଦ ଭିତରେ ଥିବା ଦୁଇ ପରିବାର, ଉଭୟ ପରିବାରଙ୍କ ଭଲପାଇବା ପାଇଥାନ୍ତି କୁନି କୁନି ଛୁଆ... ତାହେଲେ କେତେ ସୁନ୍ଦର ଲାଗେ ଏ ପରିବେଶ, ଭରିଯାଏ ସମସ୍ତଙ୍କ ଆଖିରେ ଖୁସିର ଲୁହ ଓ ଆନନ୍ଦ ଉଲ୍ଲାସ l
ଏପରି ଏକ ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିଛି ଗଞ୍ଜାମ ଜିଲ୍ଲାର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା, ତାହାପୁଣି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ଃ ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ, ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଦ୍ୱାରା l ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ହେଉଛି ଏକ ମାତ୍ର ବିକଳ୍ପ ଯେଉଁଠି ଅଳ୍ପ ସମୟ ମଧ୍ୟରେ ଦୀର୍ଘ ଦିନଠୁ ଲାଗିରହିଥିବା ବିବାଦର ହୋଇପାରିବ ସମାଧାନ l
ସୂଚନା ପ୍ରକାରେ, ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପଠାଯାଇଥିବା ଗୋଟିଏ ମାମଲାର ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ଗୋଟିଏ ଉଜାଡି ଯାଇଥିବା ପରିବାରକୁ ଯୋଡ଼ାଯାଇପାରିଲା l ଯଦ୍ୱାରା ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ତିନୋଟି ସନ୍ତାନ ଉପକାର ପାଇଲେ l ମତାନ୍ତର ମନାନ୍ତର ଯୋଗୁଁ ଦୀର୍ଘ ଦିନରୁ ବିବାହ ବିଛେଦ, ପାରିବାରିକ ବିବାଦ ,ଘରୋଇ ହିଂସା ଭଳି ଏକାଧିକ ମାମଲା ବିଭିନ୍ନ ଥାନା ଓ କୋର୍ଟ କଚେରୀରେ ରହିଥିଲା l କିନ୍ତୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଅନୁଯାୟୀ ଆଶୁ ସମାଧାନ, ଆପୋଷ ବୁଝାମଣା ମାଧ୍ୟମରେ ବୁଧବାର (୦୨. ୦୭. ୨୫) ଦିନ ସମାଧାନ ହୋଇପାରିଛି l ଦୁଇ ପରିବାର ପୁଣି ଏକ ହୋଇଛନ୍ତି, ଛୁଆ ମାନେ ଉଭୟ ବାପା ମା'ଙ୍କୁ ପାଖରେ ପାଇଛନ୍ତି.. ଏସବୁ କେବଳ ସମାଧାନ ହୋଇପାରିଛି ଉଭୟ ପକ୍ଷଙ୍କୁ ନେଇ ମଧ୍ୟସ୍ଥତା ଦ୍ୱାରା l
Shree Jagannath
ପୁରୀ ( ଦ କୁଇଭର ):- ଘୋଷଯାତ୍ରା ଚାଲିଥିବା ବେଳେ ପୁରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖୁବଶୀଘ୍ର ମହାନଗର ନିଗମ ହେବାକୁ ଯାଉଛି ପୁରୀ ପୌରପାଳିକା । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ପରେ ଷଷ୍ଠ ମହାନଗର ନିଗମ ହେବ ପୁରୀ । ପୁରୀକୁ ଦେଶର ସବୁଠାରୁ ସୁନ୍ଦର ଓ ବିକଶିତ ମହାନଗର ନିଗମ କରିବା ପାଇଁ ମିଶନ ମୋଡ଼ରେ କାର୍ଯ୍ୟ କରିବେ ମୋହନ ସରକାର । ଆସନ୍ତାକାଲି ଠାରୁ ଡିପିଆର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ପୁରୀରେ ଏକ ବିଶ୍ଵସ୍ତରୀୟ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି । ବାହୁଡା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି । ଯାତ୍ରାକୁ ସୂଚାରୁ ରୂପେ ଓ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି । ପୁରୀ ଜଗନ୍ନାଥ ଧାମ ସାରା ଭାରତର ସବୁ ଧର୍ମସ୍ଥଳୀ ଠାରୁ ଅନନ୍ୟ । ଏଠାରେ ଭକ୍ତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଯାଆନ୍ତି । ନବଦିନ ବ୍ୟାପ୍ତ ଏହି ପବିତ୍ର ଯାତ୍ରା ସମୟରେ ବଡଦାଣ୍ଡରେ ଚାଲୁଥିବା ସବୁ ଭକ୍ତ ଜଣେ ଜଣେ ଦାସିଆ । ମୁଁ ବି ଏହି ଅସଂଖ୍ଯ ଜଗନ୍ନାଥ ଭକ୍ତଙ୍କ ମଧ୍ୟରୁ ଜଣେ ସାଧାରଣ ଭକ୍ତ । ’ସେ ଆହୁରି ମଧ୍ୟ କହିଛନ୍ତି, ‘ରାଜ୍ୟର ମୁଖ୍ୟ ସେବକ ଭାବେ ରାଜ୍ୟବାସୀ ଯେଉଁ ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରିଛନ୍ତି, ସେଥି ମଧ୍ୟରୁ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପୁରୀବାସୀଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ କରିବା । ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛି ଯେ କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଏବଂ ସହରବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇନାହିଁ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ଵାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡିବ । ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷ ସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି ।’
ତେବେ ପୁରୀ ସହର ଏବଂ ଆଖପାଖରେ ଅବସ୍ଥିତ ଗ୍ରାମ ପଞ୍ଚାୟତର ଲୋକଙ୍କୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ । ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ୭ରୁ ୮ଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ । ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ । ଆଜି ଠାରୁ ଏହି ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ । ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବାକୁ ସରକାର ବଦ୍ଧପରିକର । ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣର ଅବଶ୍ୟକତା ରହିଛି । ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନନ୍ୟ । ନୟାଗଡର ଘଞ୍ଚ ଜଙ୍ଗଲର ଏକଦା ଅଧିଷ୍ଠିତ ପ୍ରଭୁ ନୀଳମାଧବଙ୍କ ନୀଳକନ୍ଦରକୁ ଯାତ୍ରା ହେଉଛି ଅବିସ୍ମରଣୀୟ । ଜଗନ୍ନାଥ ଧାମର ସ୍ଵର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଅଗଣିତ ଲୋକକଥା, ଅନେକ କାହାଣୀ ଏବଂ ଐତିହାସିକ ଘଟଣାବଳୀ ସମୃଦ୍ଧ କରିଛି । ଏହି ସଂସ୍କୃତି ସହିତ ଅନେକ ଧର୍ମୀୟ ମହାନୁଭବ, ଲେଖକ, କବି, ଗାୟକ, ନୃତ୍ୟଶିଳ୍ପୀ, କାରିଗର ନିଜ ନିଜର ଅବଦାନ ଦେଇ ଆହୁରି ପରିପୃଷ୍ଟ କରିଛନ୍ତି । କିନ୍ତୁ ଆଜିର ଯୁବ ସମାଜ ତଥା ପୁରୀକୁ ଆସୁଥିବା ଭକ୍ତଗଣ ଜଗନ୍ନାଥ ସଂସ୍କୃତିର ଧନିକ ଇତିହାସ ବିଷୟରେ ବେଶୀ କିଛି ଜାଣନ୍ତି ନାହିଁ । ଏହି ସଂସ୍କୃତି ଏବଂ ଇତିହାସକୁ ଜଣାଇବା ପାଇଁ ପୁରୀରେ କିଛି ବ୍ୟବସ୍ଥା ଗତ ସାଢେ ୭ ଦଶନ୍ଧିରେ କରାଯାଇପାରିଲା ନାହିଁ ।’ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ପୁରୀକୁ ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବା ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ । ଜଣେ ପର୍ଯ୍ୟଟକ ପୁରୀ ଆସିଲେ, ତା’ ପାଇଁ ମୁଖ୍ୟତଃ ଦୁଇଟି ଠିକଣା । ଜଗନ୍ନାଥ ମନ୍ଦିର ଏବଂ ବେଳାଭୂମି । ଏହାକୁ ଛାଡି ଦେଲେ ଅନ୍ୟ କୌଣସି ମନୋରଞ୍ଜନ କିମ୍ବା ପର୍ଯ୍ୟଟନ ଭିତ୍ତିଭୂମି ନାହିଁ । ଯେଉଁଠାରେ ସେ କିଛି ସମୟ ବ୍ଯତୀତ କରି ପାରିବ । କୌଣସି ପର୍ଯ୍ୟଟନ ସ୍ଥଳକୁ ବିକାଶ କରିବାକୁ ହେଲେ ଜଣେ ପର୍ଯ୍ୟଟକ ସେଠାରେ ଅଧିକରୁ ଅଧିକ ସମୟ ଅତିବାହିତ କରିବା । ଯାହା ଦ୍ୱାରା ସେ ଅଧିକ ଖର୍ଚ୍ଚ ବି କରିବ । କିନ୍ତୁ ପୁରୀରେ ସେମିତି କିଛି ବ୍ୟବସ୍ଥା ନାହିଁ । ତେଣୁ ଏହି ଦୁଇ ସମସ୍ଯାକୁ ସମାଧାନ କରିବା ପାଇଁ ସରକାର ପୁରୀରେ ଏକ ବିଶ୍ଵସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ପରିସରରେ ଏହା ନିର୍ମିତ ହେବ l
ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଯେପରିକି ଏହାର ପୌରାଣିକ ମହତ୍ତ୍ଵ, ନୀଳମାଧବଙ୍କ ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ । ଏହି ସବୁ ଘଟଣାବଳୀକୁ ବିଭିନ୍ନ ଚିତ୍ରକଳା, ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ଇତ୍ୟାଦି ମଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ । ସେହିପରି ଏହି ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ । ଏହି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ବି ରହିବ । ଏହି ପୁସ୍ତକାଗାରରେ ଇ-ଲାଇବ୍ରେରୀର ସୁବିଧା ପ୍ରଦାନ କରାଯିବ । ପାଠକମାନେ ଇ-ଲାଇବ୍ରେରୀ ମଧ୍ୟମରେ ସବୁ ପ୍ରକାର ପଠନ ସାମଗ୍ରୀ ପାଇପାରିବେ । ଜଗନ୍ନାଥ ସଂସ୍କୃତି ଏବଂ ସାହିତ୍ଯକୁ ଋଦ୍ଧିମନ୍ତ କରିବା ପାଇଁ ଏହା ନିଶ୍ଚିତ ଭାବେ ସାହାଯ୍ୟ କରିବ । ଏଥି ସହିତ ଏହି ପରିସରରେ ପ୍ରାୟ ୩୦୦ ଆସନ ବିଶିଷ୍ଟ ଏକ ପ୍ରେକ୍ଷାଳୟ ନିର୍ମାଣ କରାଯିବ । ଏହି ଅଡିଟରିଅମରେ ପ୍ରତି ଦିନ ଲାଇଟ ଓ ସାଉଣ୍ଡ ଶୋ’ ପ୍ରସ୍ତୁତ କରାଯିବ । ଜଗନ୍ନାଥ ମନ୍ଦିର ଏବଂ ଠାକୁରଙ୍କୁ ନେଇ ଅନେକ କାହାଣୀ, ଅନେକ ପ୍ରସଙ୍ଗ ରହିଛି । ଏହି ସବୁ ପ୍ରସଙ୍ଗକୁ ବିଭିନ୍ନ ଅଧ୍ୟାୟରେ ବିଭାଜନ କରି ଗୋଟିଏ ଗୋଟିଏ ଅଧ୍ୟାୟ ପ୍ରସ୍ତୁତ ହେବ । ବିଭିନ୍ନ ଭାଷା ଯେପରିକି ଓଡିଆ, ହିନ୍ଦୀ, ଇଂରେଜୀ ଏବଂ ବଙ୍ଗାଳୀ ଭାଷାରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯିବ ।ତା’ ଛଡା ଏହି ପରିସର ମଧ୍ୟରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ବି ନିର୍ମିତ ହେବ । ଯେଉଁଠି ରାଜ୍ୟର କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହି ପ୍ରକଳ୍ପ ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ସାହିତ୍ଯକୁ ସୁଦୃଢ ଏବଂ ପରିପୁଷ୍ଟ କରିବା ସହିତ ପୁରୀ ଜଗନ୍ନାଥ ଧାମକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ଉତ୍କୃଷ୍ଟ ସମୟ ବିତେଇବା ପାଇଁ ସୁଯୋଗ ପ୍ରଦାନ କରିବ । ଏହା ପୁରୀକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଦେବାରେ ସହାୟକ ହେବ ।
National
ଦ କୁଇଭର ବ୍ୟୁରୋ:- ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୋଟ୍ ୪୦ ମୃତକଙ୍କ ମଧ୍ୟରେ ୪ଜଣ ଓଡ଼ିଆ ଅଛନ୍ତି। ଏପରିକି ୩୩ରୁ ଅଧିକ ଆହତଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଛନ୍ତି। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଛି। ମୃତକମାନେ ହେଲେ, କଟକ ତିଗିରିଆର ଲଗ୍ନଜିତ ଦୁଆରି, ବାଲେଶ୍ୱରର ମନୋଜ ରାଉତ, ଯାଜପୁରର ଦୋଳଗୋବିନ୍ଦ ସାହୁ ଏବଂ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ। ଏପରିକି ଏହି ବିସ୍ଫୋରଣ ଘଟଣାରେ ଆଉ ୫ ଓଡ଼ିଆ ନିଖୋଜ ଥିବା ସ୍ପଷ୍ଟ କରିଛନ୍ତି, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ କୁମାର ପଣ୍ଡା। ଏସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୨ ଜଣ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ୨ଜଣ ଅଧିକାରୀ- ଡକ୍ଟର ଚନ୍ଦ୍ର ଶେଖର ହୋତା ଏବଂ ପ୍ରୀତିଶ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ନିଖୋଜ ରହିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ସନ୍ଧାନ ନିମନ୍ତେ ସଙ୍ଗାରେଡ୍ଡୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଛନ୍ତି। ଏଥିସହିତ ଅଧିକାରୀମାନେ ଆହତ ହୋଇଥିବା ଓଡ଼ିଆ ବ୍ୟକ୍ତିମାନଙ୍କୁ ଚିକତ୍ସାଳୟରେ ଭେଟିଛନ୍ତି। ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ମୃତ ଶରୀରକୁ ଓଡ଼ିଶାକୁ ଫେରେଇ ଆଣିବା ସହ ସେମାନଙ୍କ ପରିବାର ବର୍ଗକୁ ସାହାଯ୍ୟ କରିବା ନିମନ୍ତେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବୁଧବାର ସ୍ପଷ୍ଟ କରିଛି ଯେ, ଜୁନ୍ ୩୦ରେ ଏହାର ପଶାମିଲାରାମ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ ୪୦ ଜଣ ସଦସ୍ୟଙ୍କୁ ହରାଇଛି। ଏପରିକି ଏହି ଭୟଙ୍କର ଘଟଣାରେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି।
ସରକାରୀ ସଂଖ୍ୟା ଅନୁସାରେ, ବୁଧବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୪୦ ଛୁଇଁଛି। "ଦୁଃଖର ସହିତ ଆମେ ତେଲଙ୍ଗାନାର ପଶାମିଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ୍ ରେ ଘଟିଥିବା ଦୁର୍ଘଟଣାର ବିବରଣୀ ସେୟାର କରୁଛୁ। ଯାହା ଫଳରେ ୪୦ ଜଣ ମୂଲ୍ୟବାନ ଦଳର ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ୩୩ ରୁ ଅଧିକ ଆହତ ହୋଇଛନ୍ତି," ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।
ତେବେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଫାର୍ମାର ମ୍ୟାନେଜମେଣ୍ଟ ସହିତ ଯୋଗାଯୋଗ କରିବେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏପରିକି ଯେଉଁମାନେ ଆହତ ହୋଇଛନ୍ତି କିନ୍ତୁ କିଛି ସୁସ୍ଥ ହେବାପରେ ପୁଣି କାମ ଆରମ୍ଭ କରିପାରିବେ, ସେମାନଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।
Shree Jagannath
ପୁରୀ( ଦ କୁଇଭର ):- ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସରି ସରି ଆସୁଛି ଶ୍ରୀଜିଉଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ଆଡପ ମଣ୍ଡପରୁ ଧାଡି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ରଥ ଉପରକୁ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଅଭିମୁଖେ ବାହୁଡିବେ । ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ନବମୀ ତିଥିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶେଷ ଦର୍ଶନ କରୁଛନ୍ତି ଭକ୍ତ । ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଆଧାରରେ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ଦର୍ଶନ କରିପାରିବେ ଭକ୍ତ । ଭିଡ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ କୁ ମଧ୍ୟ ସଂପ୍ରସାରଣ କରାଯାଇଛି ।
ସେପଟେ ଆସନ୍ତାକାଲି ବାହୁଡାଯାତ୍ରାର ସମସ୍ତ ନୀତିକାନ୍ତିକୁ ସଅଳ କରିବା ପାଇଁ ସଂଧ୍ୟା ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ବିଳମ୍ବିତ ରାତିରେ ଦଇତାପତି ସେବାୟତଙ୍କ ଦ୍ବାରା ଶ୍ରୀମୁଖ ଖଣ୍ଡୁଆ,ବାହୁଟକଣ୍ଟ, କୁସୁମିଲାଗି କରାଯିବା ସହ କୋଠସୁଆଁସିଆ ସେବାୟତଙ୍କ ଦ୍ୱାରା ଚାରମାଳ ବନ୍ଧା ଯିବ ।
Politics,State
ଭୁବନେଶ୍ୱର( ଦ କୁଇଭର ):- ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟରେ ଆଜି ରାତି ୯ଟା ୪୦ରେ ପହଞ୍ଚିଛନ୍ତି। ପୁଲିସ ସହିତ କଥା ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଗନ୍ନାଥ ପ୍ରଧାନ କହିଛନ୍ତି, ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ନହେଉ। ସରକାର ବଦନାମ ନହୁଅନ୍ତୁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି। ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟରେ ପହଞ୍ଚିବା ନେଇ ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଡିସିପିଙ୍କ ଡାକରା କ୍ରମେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟକୁ ଆସିଛନ୍ତି। ଜଗନ୍ନାଥ ପ୍ରଧାନ ଗତକାଲି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଡାକିଥିଲେ। ସେଥି ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲି। ରାଜ୍ୟ ସଭାପତିଙ୍କ ସହିତ କଥା ହେଲି। ତାଙ୍କର ସହିତ ମୋର ଆଲୋଚନା ହୋଇଛି। ଯେମିତି ଗୋଟେ ପରିବାରରେ ଆଲୋଚନା ହୁଏ, ସେହିଭଳି ଆଲୋଚନା ହୋଇଛି।
ତେବେ ଶ୍ରୀ ପ୍ରଧାନ ଦଳୀୟ ନେତୃତ୍ବଙ୍କ ସହିତ କ’ଣ କଥା ହେଲେ ସେନେଇ ମୁହଁ ଖୋଲି ନଥିଲେ। ଶ୍ରୀ ସାମଲ କେବଳ କହିଥିଲେ, ବିଏମ୍ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାର ସେବିଷୟରେ ଚନ୍ତା କରୁଛନ୍ତି। ଆମେ ଜଗନ୍ନାଥ ପ୍ରଧାନଙ୍କୁ ଆଲୋଚନା ପାଇଁ ଡାକିଥିଲୁ। ଦଳର ଆଭ୍ୟନ୍ତରୀଣ କଥା ଗଣମାଧ୍ୟମ ଆଗରେ କହିବା ଠିକ୍ ହେବ ନାହିଁ। ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ଜଗନ୍ନାଥ ପ୍ରଧାନ କଥା ହୋଇଛନ୍ତି। ଆମେ ବାହାରେ ବସିଥିଲୁ। ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟାକୁ ଆମେ ନିନ୍ଦା କରୁଛୁ।
ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଯାଇଥିଲେ। ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିଲେ। ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖିଥିଲେ। ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ତାଙ୍କର ସମର୍ଥକମାନେ ମଧ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ। ବିଜେପି କାର୍ଯ୍ୟାଳୟ ସାମ୍ନାରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ସେହିପରି ଖାରବେଳ ନଗର ଥାନାରେ ମଧ୍ୟ ପୁଲିସ ମୁତୟନ କରାଯାଇଛି।
ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଜଗନ୍ନାଥ ପ୍ରଧାନ ଆଜି ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ, ରାଜ୍ୟରେ ଦୁଇଦିନ ହେବ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି।ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶଦ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।
Shree Jagannath
ପୁରୀ( ଦ କୁଇଭର ):- ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହା ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ଥିଲା। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ ଥିଲା। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଥିଲା। ବ୍ୟବସ୍ଥାବଳୀ ମୁତାବକ, ଭକ୍ତମାନେ ଭୋର ୫ଟାରୁ କେବଳ ବାହାରକାଠ ନିକଟରେ ଦର୍ଶନ କରିଥିଲେ। ସନ୍ଧ୍ୟା ଦର୍ଶନ ପାଇଁ ଟିକେଟ୍ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବାକୁ ବାରଣ କରାଯାଇଥିଲା। ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଥିଲା। ଦର୍ଶନ ବନ୍ଦ ରହିଲେ ମଧ୍ୟ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ। ଏଣେ ଶରଧାବାଲି ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଦିନ ତିନି ରଥର ଦକ୍ଷିଣ ମୋଡ଼ ନୀତି ସରିଛି। ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି ଓ ଅନ୍ୟ ନୀତି ବଢ଼ିଥିଲା। ସକାଳ ୭ଟାରେ ବେଶ ଶେଷ ସହ ହେବ। ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ ସହ ଅନ୍ୟ ନୀତି ବଢ଼ିବ। ଅପରାହ୍ଣ ୨ଟାରୁ ସାଢ଼େ ୩ଟା ଦ୍ୱିତୀୟ ଭୋଗମଣ୍ଡପ, ୫ଟାରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ନୀତି ସହ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରେ ଭକ୍ତଙ୍କ ଦର୍ଶନ ବନ୍ଦ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ ହେବ। ଆସନ୍ତା ୫ ତାରିଖରେ ବାହୁଡ଼ା ନୀତି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା ପରେ ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧରନୀତି, ୮ ତାରିଖରେ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ।
Shree Jagannath
ପୁରୀ( ଦ କୁଇଭର ):- ଦିନକ ପରେ ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ । ଆଉ ଚଳିତବର୍ଷ ପାଇଁ ଭକ୍ତ ପାଇବେ ଶେଷ ଆଡପ ଅବଢ଼ା । ଯଦି ନୀତିକାନ୍ତି ଶୃଙ୍ଖଳିତ ହୁଏ ଆସନ୍ତାକାଲି ଶୀଘ୍ର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ନବମୀ ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଗୁଣ୍ଡିଚା ମନ୍ଦିର ଆଗରେ ହୋଇଥିବା ବ୍ୟାରିକେଡ଼ ସମ୍ପ୍ରସାରଣ କରାଯାଇଛି । ଗହଳି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସେଡ୍ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନର ବ୍ୟବସ୍ଥା କରାଯିବ । ଆଜି ଉଭୟ ଜିଲ୍ଲାପାଳ ଓ ଏସପି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଭଳି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବ। ଆଉ ଦିନକ ପରେ ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ବାହୁଡ଼ାକୁ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ।
Shree Jagannath,State
ପୁରୀ( ଦ କୁଇଭର ):- ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ । ପୁରୀ ଶ୍ରୀମନ୍ଦିରରେ କରାଯାଇଥିବା କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହୋଇଯାଇଛି। ୬ଶହରୁ ଅଧିକ ପଥର ବଦଳା ଯାଇଛି। ଭିତର ଭଣ୍ଡାର ଘରରେ ଅନେକ ପଥର ବଦଳାଇ ଥିବା ବେଳେ ସମସ୍ତ ବିମ୍ କୁ ଶକ୍ତ କରଯାଇଛି ।ଭଣ୍ଡାରର ବାହାର ଓ ଭିତର ଅଂଶକୁ ରାସାୟନିକ ପ୍ରଲେପ ଦେଇ ସଂରକ୍ଷଣ କରାଯାଉଛି। ସମୁଦାୟ ୧୪ ଟି ଵିମ୍ ମରାମତି କରାଯାଇଅଛି । ପର୍ଯାୟକ୍ରମେ ରତ୍ନ ଭଣ୍ଡାର କାର୍ଯ୍ୟରେ ୮୦ରୁ ଅଧିକ କୁଶଳୀ କାରିଗର ମରାମତି କାମ କରିଛନ୍ତି। ଶ୍ରୀମନ୍ଦିରର ସମସ୍ତ ରୂପା ଦ୍ୱାରକୁ ପରିଷ୍କାର ସହ ବଳକା ଥିବା ଦ୍ୱାରକୁ ବର୍ମାଟିକ କାଠରେ ନୂଆ କବାଟ ଲଗାଯାଉଛି l ଗର୍ଭଗୃହର କାଠ ନିର୍ମିତ କନକ ମୁଣ୍ଡିକୁ ବଦଳାଯାଇ ଷ୍ଟେନଲେସ ଷ୍ଟିଲର କନକ ମୁଣ୍ଡି ଲଗାଯାଉଅଛି ।
Education,State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କ ଦ୍ୱାରା ସହର ସ୍ଥିତ ଷ୍ଟେଟ ବ୍ୟାଙ୍କ ରୋଡରେ ଥିବା ପବ୍ଲିକ ଲାଇବ୍ରେରୀ ଭିତରେ ୨୦ ଆସନ ବିଶିଷ୍ଟ ଇ-ଲାଇବ୍ରେରୀ ଉଦଘାଟନ କରାଯାଇଛି l ଏଥିରେ ବିଇଏମସି ର କମିଶନର, ଡେପୁଟି କମିଶନର, କର୍ପୋରେଟର ଏବଂ ବିଇଏମସିର ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ। ଲାଇବ୍ରେରୀ ଭିତରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ୱାଇଫାଇ ବ୍ୟବସ୍ଥା ମଧ୍ୟ କରାଯାଇଛି l