Join Us To Make A Difference

The Drops💧

ନୂଆ-ଓ’ ବନ୍ଦ : ଛାତ୍ରଛାତ୍ରୀଙ୍କୁ ଆଉ ମିଳିବନି ଟଙ୍କା

ନୂଆ-ଓ’ ବନ୍ଦ : ଛାତ୍ରଛାତ୍ରୀଙ୍କୁ ଆଉ ମିଳିବନି ଟଙ୍କା
Published by:Jyotshna Kumari
#education

ଦକୁଇଭର ବ୍ୟୁରୋ :-: ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଆଉ ୧୦ ହଜାର ଟଙ୍କା ମିଳିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ଲୋକପ୍ରିୟ ଯୋଜନା ‘ନୂଆ-ଓ’କୁ ବନ୍ଦ କରି ଦିଆଯାଇଛି। ଏହି ଯୋଜନା ପାଇଁ ଚଳିତବର୍ଷ ବଜେଟ୍‌ରେ କୌଣସି ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ। ବରଂ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ‘ଫାଇନାନ୍ସିଆଲ୍‌ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ୍‌ ପିଜି ଷ୍ଟୁଡେଣ୍ଟ’ ନାମକ ଏକ ଯୋଜନା ପ୍ରଣିତ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି ବୋଲି ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି।ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା। ଏହି ଯୋଜନାରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ମିଳିଥିଲା। ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିଥିଲା। ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ପାଲଟିଥିଲା। ଏଥିସହ ଛାତ୍ରଛାତ୍ରୀଙ୍କ ପାଇଁ ‘ନବୀନ ଓଡ଼ିଶା ମ୍ୟାଜିକ୍‌’ କାର୍ଡ ମଧ୍ୟ ଆରମ୍ଭ ହୋଇଥିଲା। ଯାହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢା, ଶୃଙ୍ଖଳା, ଭାଗୀଦାରିତା, କ୍ରୀଡ଼ା, ବ୍ୟକ୍ତିତ୍ବ ବିକାଶ, ପାରଦର୍ଶିତା ଓ ଅନ୍ୟାନ୍ୟ ଗଠନ ମୂଳକ କାର୍ଯ୍ୟ ଜରିଆରେ ପଏଣ୍ଟ ପାଇବା ସହ ସେହି ଅନୁସାରେ ସିଲଭର, ଗୋଲ୍ଡ, ପ୍ଲାଟିନମ୍ କାର୍ଡର ସ୍ତର ବଢ଼ିଥାନ୍ତା।


ମ୍ୟାଜିକ୍‌ କାର୍ଡ ଜରିଆରେ ଛାତ୍ରଛାତ୍ରୀ ଭଲ କମ୍ପାନିରେ ଚାକିରି, ଷ୍ଟାର୍ଟଅପ ଉଦ୍ୟୋଗ, ଋଣ, ବୃତ୍ତି ଓ ବିଭିନ୍ନ ପ୍ରକାର ସହାୟତା ଏହି କାର୍ଡ ମାଧ୍ୟମରେ ପାଇଥାଆନ୍ତେ। ବସ୍/ଟ୍ରେନ୍/ବିମାନରେ ଯିବା ସମୟରେ ରିହାତି ମିଳିଥାନ୍ତା। ମୋବାଇଲ୍ ରିଚାର୍ଜ ଓ ୱାଇଫାଇ ବ୍ୟବହାର, ଇ-ଲାଇବ୍ରେରି, ଅନ୍‌ଲାଇନ୍ ଏକାଡେମିକ କୋର୍ସ, ବ୍ୟକ୍ତିତ୍ବ ବିକାଶ କୋର୍ସ, କୋଚିଂ ସେଣ୍ଟର ଓ ଟ୍ୟୁସନ୍ କ୍ଲାସ, ଦକ୍ଷତା ବିକାଶ କୋର୍ସ, କ୍ୟାରିଅର କାଉନସେଲିଂ, ଓଡ଼ିଆ ଓ ଇଂରାଜୀ ଭାଷା ପାଠ୍ୟକ୍ରମ, ନିଯୁକ୍ତିରେ ସହାୟକ ହେଇଥାନ୍ତା। ସରକାରୀ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ସୁବିଧା ଉପଲବ୍ଧ କରାଯାଇଥିଲା। ଅଗଷ୍ଟ ୧୫ରୁ କାର୍ଡ ବଣ୍ଟନ କରାଯିବାକୁ ଯୋଜନା ହୋଇଥିଲେ ମଧ୍ୟ ତାହା ବନ୍ଦ ହୋଇଛି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ପରେ ବିଭିନ୍ନ ଛାତ୍ର ସଙ୍ଗଠନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ବାରା ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମାଧୋ ସିଂ ହାତଖର୍ଚ୍ଚ ଯୋଜନା‌ ଭଳି ଉଚ୍ଚଶିକ୍ଷା ବିଭାଗ ଅଧୀନରେ କୌଣସି ଯୋଜନା ନାହିଁ। ଉଚ୍ଚଶିକ୍ଷା ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଜନା ଦେବାକୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ନାମରେ ଏକ ସଙ୍ଗଠିତ ଯୋଜନା ପ୍ରଚଳିତ ହୋଇଛି। ଇ-ମେଧାବୃତ୍ତି ଯୋଜନାରେ ସ୍ନାତକ ମେଧାବୃତ୍ତି, ସ୍ନାତକୋତ୍ତର ମେଧାବୃତ୍ତି, ବୈଷୟିକ ଓ ବୃତ୍ତିଗତ ମେଧାବୃତ୍ତି ପ୍ରଦାନ କରାଯାଉଛି। ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି, ବିଭିନ୍ନ ପଛୁଆ ବର୍ଗର ଗରିବ ପରିବାର ଛାତ୍ରଛାତ୍ରୀଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟକ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କଳିଙ୍ଗ ଶିକ୍ଷା ସାଥୀ ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବାକୁ ରାଜ୍ୟ ସରକାର ୧୦୦% ସୁଧ ରିହାତି ବ୍ୟବସ୍ଥା କରିଛନ୍ତି।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

Crime

ଶୁଭମିତ୍ରା ହତ୍ୟାକାଣ୍ଡର ପ୍ରକୃତ ଘଟଣା

Blog Thumbnail

ଦ କୁଇଭର ବ୍ୟୁରୋ :- ମହିଳା ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ଆଜି କ୍ୟାପିଟାଲ୍‌ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ପୁଲିସ ସେବାଭବନ ଆକାଉଣ୍ଟସ୍‌ ସେକ୍ସନରେ କାମ କରୁଥିବା ପୂର୍ବତନ କନେଷ୍ଟବଳ ଦୀପକ ରାଉତ(୩୯)କୁ କୋର୍ଟ ଚାଲାଣ କରିଛି। ଏଥିସହିତ କିଛି ଟଙ୍କା ପାଇଁ ଲୋଭର ବଶବର୍ତ୍ତୀ ହୋଇ ଏକ ସଙ୍ଗିନ ହତ୍ୟା ମାମଲାକୁ ଚାପିଦେବା ଲାଗି ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗରେ ପୁଲିସ ଦୀପକର ମାଉସୀ ପୁଅ ଭାଇ ବିନୋଦ ଭୂୟାଁ ଓରଫ ପପୁ(୩୮) ଓ ଶମ୍ଭୁନାଥ ମହାନ୍ତ ଓରଫ ଜଟିଆ(୨୩)କୁ ମଧ୍ୟ କୋର୍ଟ ଚାଲାଣ କରିଛି। ପରେ ୩ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଆଜି ଡିସିପି ଜଗମୋହନ ମୀନା ଅଭିଯୁକ୍ତ କନେଷ୍ଟବଳ ଦୀପକକୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଦୀପକର ଘର ଯାଜପୁରଜିଲ୍ଲା ଟମକା ଥାନା ବାଙ୍ଗରପତାରେ, ମାଉସୀ ପୁଅ ପପୁର ଘର କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ କୁସୁନପୁରରେ ଏବଂ ଜଟିଆର ଘର କୁସୁନପୁର ନିକଟରେ। ଜେରା ବେଳେ ଦୀପକ କହିଛି ଯେ ୨୦୨୪ ଜୁଲାଇ ୨୩ ତାରିଖରେ ସେ ଓ ଶୁଭମିତ୍ରା କୋର୍ଟ ମ୍ୟାରେଜ୍‌ କରିଥିଲେ। ରାଜଧାନୀରେ ଏକ ଜମି ଓ ଫ୍ଲାଟ୍‌ କିଣିବା ପାଇଁ ସେମାନେ ଯୋଜନା କରିଥିଲେ। ଏଥିପାଇଁ ସେ ଶୁଭମିତ୍ରାଙ୍କଠାରୁ ଅଗଷ୍ଟ ମାସରେ ୧୩ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ଜମି କି ଘର ନ କିଣିବାରୁ ଶୁଭମିତ୍ରା, ଦୀପକକୁ ଟଙ୍କା ଫେରସ୍ତ ମାଗିଥିଲେ। ୧୩ ଲକ୍ଷ ଟଙ୍କା ସହ ବାହାଘର ପ୍ରସ୍ତୁତି ପାଇଁ ୭ ଲକ୍ଷ ଏମିତି ସେ ୨୦ଲକ୍ଷ ଟଙ୍କା ମାଗିଥିଲେ। ଅଗଷ୍ଟ ୨୬ ତାରିଖରେ ଦୀପକ ୧୦ଲକ୍ଷ ଟଙ୍କା ଫେରସ୍ତ କରିଥିଲା। ବାକି ୧୦ଲକ୍ଷ ଟଙ୍କା ସେପ୍ଟେମ୍ବର ୧ରେ ଫେରାଇବାକୁ କହିଥିଲା। ତେବେ ୧ ତାରିଖରେ ଟଙ୍କା ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା। ଦୀପକ ବି ଆଉ ଟଙ୍କା ‌ନ ଫେରାଇବାକୁ ସ୍ଥିର କରିବା ସହ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ତାଙ୍କ ନାଁରେ ଥିବା କୋଟିଏ ଟଙ୍କାର ବୀମା ଉପରେ ବି ଦୀପକ ନଜର ପକାଇଥିଲା। ଯୋଜନା ମୁତାବକ ଗତ ୬ ତାରିଖ ଦିନ ଉଭୟେ ସାଢ଼େ ୨ଟା ସମୟରେ ଖାଇବା ପାଇଁ ଏକାଠି ଅଫିସ୍‌ରୁ ବାହାରିଥି‌ଲେ। ବାଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଥିଲା। ଦୀପକ ରାଜଭବନ ଛକ ନିକଟ ରାସ୍ତାକଡ଼ରେ ଏକ ଜାମୁଗଛ ନିକଟରେ ଗାଡ଼ିକୁ ଅଟକାଇ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ କାର୍‌କୁ ନେଇ ମହତାବ ରୋଡ୍‌ରେ ଥିବା ଭାଇ ଭାଉଜଙ୍କ ଘର ନିକଟରେ ରଖି ଘୋଡ଼ାଇ ଦେଇଥିଲା ଏବଂ ପପୁକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲା। ଘଟଗାଁରେ ଶବକୁ ଲୁଚାଇବାରେ ସହଯୋଗ କଲେ କିଛି ଟଙ୍କା ଦେବାକୁ କହିଥିଲା। ଯୋଜନା ମୁତାବକ ପପୁ ଓ ଜଟ ଘଟଗାଁରେ ପାଇଖାନା ଟାଙ୍କି ଖୋଳିବାକୁ କହି ଏକ ଜେସିବି ଡକାଇଥିଲେ। ରାତିରେ ଟାଙ୍କି ଖୋଳା ହୋଇଥିଲା। ଭୋର ୫ଟାରେ ଦୀପକ କାର୍‌ରେ ଶବକୁ ନେଇ ସାଢ଼େ ୮ଟା ସମୟରେ ଘଟଗାଁର ପହଞ୍ଚିବା ପରେ ୩ଜଣ ମିଶି ଶବକୁ ପୋତିଥିଲେ।


ସେପଟେ ପଟିଆ ରେଳ ଷ୍ଟେସନ୍ ପ୍ଲାଟ୍‌ଫର୍ମ-୧ରେ ଟ୍ରେନ୍‌ରୁ ଓହ୍ଲାଇବା ବେଳେ ଅସାବଧାନତାରୁ ଏକ ଦମ୍ପତି ଭୟାନକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ପତ୍ନୀଙ୍କର ଜୀବନ ଚାଲିଯାଇଥିଲା ବେଳେ ସ୍ବାମୀ ଗୁରୁତର ଅଛନ୍ତି। ଏହି ଦମ୍ପତ୍ତି ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ସମ୍ପର୍କୀୟ। ଶୁଭମିତ୍ରାଙ୍କୁ ଶେଷ ଦର୍ଶନ କରି ଫେରିବା ବେଳେ ଏହି ଅଘଟଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ପୁରୀ-ଅନୁଗୁଳ ପାସେଞ୍ଜର ଟ୍ରେନ୍‌ ପଟିଆ ରେଳ ଷ୍ଟେସନରେ ଲାଗିଥିଲା। ଏଥିରୁ ପ୍ରଫୁଲ ପଟ୍ଟନାୟକ (୫୨) ଓ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପଟ୍ଟନାୟକ(୫୦) ପ୍ଲାଟ୍‌ଫର୍ମର ଓହ୍ଲାଇ ଥିଲେ। ତେବେ ଅସାବଧାନତା କାରଣରୁ ସେମାନେ ପ୍ଲାଟଫର୍ମର ଭୁଲ ଦିଗରେ ଓହ୍ଲାଇ ପଡ଼ିଥିଲେ। ଏହି ସମୟରେ କଟକ ଦିଗରୁ ଆସୁଥିବା ଖଡ଼ଗପୁର‌-ଭିଲିପୁରମ୍ ଏକ୍ସପ୍ରେସ୍ ସମ୍ମୁଖରେ ପଡ଼ିଯାଇଥିଲେ। ଏଥିରେ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀ ପ୍ରଫୁଲ୍ଲଙ୍କୁ ସଂକଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଆର୍‌ପି ଓ ଇନ୍‌ଫୋସିଟି ଥାନା ପୁଲିସ୍ ଚିକିତ୍ସାପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଆସନ୍ତାକାଲି କ୍ୟାପିଟାଲ୍‌ ହସପିଟାଲରେ ଅନ୍ନପୂର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ କରାଯିବ।


ପ୍ରଥମ ପତ୍ନୀଙ୍କ ମୃତ୍ୟୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି ଦୀପକର ପ୍ରଥମ ପତ୍ନୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବୀମା ଟଙ୍କା ହାତେଇବା ପାଇଁ ତାଙ୍କୁ ମଧ୍ୟ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୨୦୧୮ ଏପ୍ରିଲ୍‌ ୨୫ରେ ଦୀପକ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ପ୍ରେମବିବାହ କରିଥିଲା। ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ଭାବେ ଚାକିରି କରୁଥିଲେ। ୨୦୨୨ ମାର୍ଚ୍ଚ ୧୭ରେ ସଡ଼କ ଦୁର୍ଘଟଣାରେ ତା‌ଙ୍କ ମୃତ୍ୟୁ ଘଟିଥିବା ଦୀପକ କହିଥିଲା। ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ନେଇ ଦୀପକ ଏକ କାହାଣୀ ରଚିଥିଲା ବୋଲି ଏବେ ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ କରିଛନ୍ତି। ଓଡି-୦୨-ଏସ୍‌-୩୪୮୬ ନମ୍ବର ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଦୀପକ ଷଡ୍‌ଯନ୍ତ୍ର କରି ଅପର୍ଣ୍ଣାଙ୍କୁ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଅପର୍ଣ୍ଣାଙ୍କ ପରିବାର ଦାବି କରିଛନ୍ତି।

Sports

୨୧ ରନରେ ଜିତିଲା ଭାରତ, ଦମଦାର ଲଢିଲା ଓମାନ

Blog Thumbnail

ଦ କୁଇଭର ବ୍ୟୁରୋ :- ଚଳିତ ଏସିଆ କପର ଶେଷ ଲିଗ ମ୍ୟାଚରେ ଭାରତୀୟ ଟିମ ଓମାନ ବିପକ୍ଷ ମ୍ୟାଚକୁ 21 ରନରେ ଜିତିଛି । 189 ରନ ଟାର୍ଗେଟକୁ ପିଛା କରି ଓମାନ ଟିମ୍ 4 ଓ୍ବିକେଟ ହରାଇ 167 ରନ ସଂଗ୍ରହ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି 8 ଓ୍ବିକେଟ ବିନିମୟରେ 188 ରନ ସ୍କୋର କରିଥିଲା ।ଓମାନ 189 ରନ ବିଜୟ ଲକ୍ଷ୍ୟ ପିଛା କରି ଦମଦାର ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ଓ୍ବିକେଟ ପାଇଁ ଅଧିନାୟକ ଜିତେନ୍ଦର ସିଂ ଏବଂ ଅମିର କଲିମଙ୍କ ମଧ୍ୟରେ 56 ରନ ଭାଗିଦାରୀ ହୋଇଥିଲା । ପରେ ଦ୍ୱିତୀୟ ଓ୍ବିକେଟ ପାଇଁ କଲିମ ଏବଂ ହମିଦ ମିରଜାଙ୍କ ମଧ୍ୟରେ 93 ରନର ପାର୍ଟନରସିପ ହୋଇଥିଲା । ତେବେ ଓମାନ ପକ୍ଷରୁ ଜିତେନ୍ଦର 32 ରନ୍, କଲିମ 64 ରନ ଏବଂ ମିରଜା 51 ରନ ସ୍କୋର କରିଥିଲେ । ଭାରତ ପକ୍ଷରୁ 8 ଜଣ ବୋଲର ବୋଲିଂ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ, କୂଲଦୀପ ଏବଂ ହର୍ଷିତଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଛି ।

ଭାରତୀୟ ଦଳ 8 ଓ୍ବିକେଟ ହରାଇ 20 ଓଭରରେ 188 ରନ ସଂଗ୍ରହ କରିଛି । ଓମାନ ଦଳକୁ 189 ରନର ଟାର୍ଗେଟ ଦେଇଛି ଭାରତ । ଭାରତୀୟ ଦଳ ପକ୍ଷରୁ ସାମସନ ଏକମାତ୍ର ବ୍ୟାଟର ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ । ଗିଲ 5 ରନ, ଅଭିଷେକ 38 ରନ, ସାମସନ 56, ଅକ୍ଷର 26, ତିଲକ 29 , ହର୍ଷିତ ରାଣା 13 ରନ ସ୍କୋର କରିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରିବାକୁ ଆସିନଥିଲେ । ଏପଟେ ଦୁଇ ଅଲରାଉଣ୍ଡର ପାଣ୍ଡ୍ୟା 1 ରନ ଏବଂ ଦୁବେ 5 ରନ ସ୍କୋର କରିଥିଲେ ।


ପ୍ରଥମେ ବ୍ୟାଟିଂ କରୁଥିବା ଭାରତ 10 ଓଭର ବିନିମୟରେ 100 ସ୍କୋର କରିବା ସହିତ 3ଟି ଓ୍ବିକେଟ ହରାଇଛି । ସାମସନ 37 ରନ ସ୍କୋର କରି ଖେଳୁଥିବା ବେଳେ କ୍ରିଜରେ ଅପରାଜିତ ଅଛନ୍ତି ଅକ୍ଷର (10) । ତେବେ ଗିଲ 5 ରନ ସ୍କୋର କରି କ୍ଲିନ୍ ବୋଲ୍ଡ ଆଉଟ ହୋଇଥିବା ବେଳେ ଅଭିଷେକ 38 ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର 1 ରନ ସ୍କୋର କରି ରନ ଆଉଟ ହୋଇଥିଲେ ।ଏସିଆ କପ ଶେଷ ଲିଗ ମ୍ୟାଚରେ ଭାରତ ବନାମ ଓମାନ ଟକ୍କର । ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ଜାରି । 2 ପରିବର୍ତ୍ତନ ସହ ଓହ୍ଲାଇଲା ଭାରତୀୟ ଦଳ । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ବୁମରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ବିଶ୍ରାମ । ହର୍ଷିତ, ଅର୍ଶଦୀପ ସାମିଲ । ପୂର୍ବରୁ ଟପ୍-୪ରେ ପ୍ରବେଶ କରି ସାରିଛି ଭାରତ ।

Crime

କନ୍ଧମାଳ ସୀମାନ୍ତରେ ପୁଲିସ୍ - ମାଓବାଦୀ ଗୁଳି ବିନିମୟ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ଯରେ ଆଜି ଅପରାହ୍‌ଣରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଏସ୍‌‌ଓଜି ଯବାନ ଆହତ ହୋଇଛନ୍ତି। ଗୁରୁତର ଏସ୍‌‌ଓଜି ହେଲେ ପ୍ରେମସିଂହ ମାଝୀ ସୂଚନା ଅନୁସାରେ ଗଂଜାମ ଜିଲ୍ଲା ରଂଜନଗର ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିମ୍ବା ନେଇ ସୁରକ୍ଷା ବାହିନୀକୁ ଖବର ମିଳିଥିଲା।


ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାର ରେ ଏସ୍ୱ ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲୋ ତେବେ ମାଓବାଦୀମାନଙ୍କୁ ଦେଖ୍ ଯବାନମା ମାନେ ଗୁଳି ଚଳାଇଥିଲୋ ମାଓବାଦୀଙ୍କ ପାଲଟା ଗୁଳିଚୋଟ ଟେରେ ଯବାନ ପ୍ରେମସିଂହ ମାଝୀ ଗୁରୁତ ତର ହୋଇଥିଲୋ ପେଟରେ ଗୁଳିବାଜିଛି ତାଙ୍କର ବାମ ହାତ ଓ ପେଟ ପେଟରେ ଗୁଳି ରହିଛି ଗୁରୁତର ଭାବେ ବ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କନ୍ଧମାଳ ଜିଲ୍ଲା ଜିଲ୍ଲା ରାଇକିଆର ଇନ୍ଦ୍ରଗଡ଼ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ମଂଜନଗର ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଦରକାର ପଡ଼ିଲେ ଏଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରି ରିତ କରାଯାଇ ପାରେ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି

State

୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, କେନ୍ଦୁଝରର ୧୮ଟି, ଖୋର୍ଦ୍ଧାର ୬୧ଟି, କୋରାପୁଟର ୩୪ଟି, ମାଲକାନଗିରିର ୮ଟି, ମୟୂରଭଞ୍ଜର ୭ଟି, ନବରଙ୍ଗପୁରର ୨୬ଟି, ନୟାଗଡ଼ର ୫୬ଟି, ନୂଆପଡ଼ାର ୧୦ଟି, ପୁରୀର ୬୮ଟି, ରାୟଗଡ଼ାର ୧୮ଟି, ସମ୍ବଲପୁରର ୧୨ଟି, ସୁବର୍ଣ୍ଣପୁରର ୧୬ଟି ଓ ସୁନ୍ଦରଗଡ଼ର ୧୭ଟି ନୂଆ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି।

National,Politics

ଦ୍ବିତୀୟ ବାଣ ମାରିଲେ ରାହୁଲ, ଷଡ୍‌ଯନ୍ତ୍ର ପଛରେ ଇସି

Blog Thumbnail

ଦ କୁଇଭର ବ୍ୟୁରୋ - ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଦିଲ୍ଲୀରେ ତାଙ୍କ ଭୋଟ୍‌ ଚୋରି ଅଭିଯୋଗ ଉପରେ ଦ୍ୱିତୀୟ ବିସ୍ଫୋରକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ଏକ ବଡ଼ ଷଡ୍‌ଯନ୍ତ୍ରରେ ସାରା ଭାରତରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ହଟାଯିବା ପାଇଁ ଯୋଜନାବଦ୍ଧ ପ୍ରସ୍ତୁତି କରାଯାଇଛି। ଅନ୍ୟପକ୍ଷରେ ରାହୁଲ ହ‌ାଇଡ୍ରୋଜେନ୍‌ ବୋମା ସଂକ୍ରାନ୍ତରେ କହିଛନ୍ତି ଯେ ଦଳ ଏବେ ବି ସେହି ବୋମା ପକାଇବାକୁ ପ୍ରସ୍ତୁତ ହେଉଛି ଏବଂ ଏପର୍ଯ୍ୟନ୍ତ ଯେଉଁସବୁ ପ୍ରମାଣ ଦାଖଲ କରାଯାଇଛି ସେସବୁ ‘ଶତ ପ୍ରତିଶତ ବୁଲେଟ୍ ପ୍ରୁଫ୍ ’ବୋଲି ରାହୁଲ କହିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ଭୋଟରଙ୍କ ନାମ କାଟିବା ଅନିୟମିତ ନୁହେଁ, ବରଂ ବିଶେଷ ଭାବରେ ସେହି ବୁଥ୍‌ଗୁଡ଼ିକୁ ଟାର୍ଗେଟ୍ କରାଯାଇଛି; ଯେଉଁଠାରେ କଂଗ୍ରେସ ଆଗୁଆ ରହିଛି। ତାଙ୍କ ଦାବି ମୁତାବକ କର୍ଣ୍ଣାଟକର ଆଲନ୍ଦ ନିର୍ବାଚନମଣ୍ଡଳୀରେ ୬,୦୧୮ ଭୋଟରଙ୍କ ନାମ ହଟାଇବାକୁ ଚେଷ୍ଟା କରାଯାଇଥିଲା। ସେ ଗୋଦାବାଈ ନାମକ ଜଣେ ମହିଳାଙ୍କ ମାମଲା ଉପସ୍ଥାପନ କରିଥିଲେ, ଯାହାଙ୍କ ନାମ ତାଙ୍କ ଅଜାଣତରେ ୧୨ ଜଣ ଭୋଟରଙ୍କୁ ‘ଡିଲିଟ୍’ କରିବା ପାଇଁ ନକଲି ଲଗ୍‌ଇନ୍ ତିଆରି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା। ରାହୁଲ ଏହି ନାମ ହଟାଯିବା ପ୍ରକ୍ରିୟାରେ କର୍ଣ୍ଣାଟକ ବାହାରୁ ନକଲି ଲଗ୍‌ଇନ୍ ଏବଂ ମୋବାଇଲ୍ ନମ୍ବର ବ୍ୟବହାର ହୋଇଥିବା ଦାବି କରିଛନ୍ତି। ସେ ସୂର୍ଯ୍ୟକାନ୍ତ ନାମକ ଜଣେ ବ୍ୟକ୍ତିଙ୍କ କଥା ଉଲ୍ଲେଖ କରିଥିଲେ, ଯିଏ ୧୪ ମିନିଟରେ ୧୨ ଜଣ ଭୋଟରଙ୍କ ନାମ ହଟାଇ ଦେଇଥିଲେ। ଅନ୍ୟ ଏକ ଉଦାହରଣ ହେଉଛି ନାଗରାଜ ନାମକ ଜଣେ ବ୍ୟକ୍ତି ସକାଳ ୪:୦୭ ସମୟରେ ମାତ୍ର ୩୮ ସେକେଣ୍ଡରେ ଦୁଇଟି ‘ଡିଲିଟ୍‌’ ଫର୍ମ ପୂରଣ କରିଥିବା ଅଭିଯୋଗ ହୋଇଛି। ଯାହାକୁ ରାହୁଲ ‘ମଣିଷ ପକ୍ଷରେ ଅସମ୍ଭବ’ ବୋଲି କହିଛନ୍ତି। ଭୋଟରଙ୍କ ନାମ ହଟାଯିବା ପଛରେ ଏକ କେନ୍ଦ୍ରୀକୃତ ସଫ୍ଟୱେର୍ ଆଧାରିତ ଅପରେସନ୍‌ ଜଡ଼ିତ। ବିଭିନ୍ନ ରାଜ୍ୟରେ ଆବେଦନ ଦାଖଲ ପାଇଁ ସମାନ ମୋବାଇଲ୍ ନମ୍ବର ବ୍ୟବହାର ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ଦାୟୀ କରିଛନ୍ତି ରାହୁଲ। ଦୁର୍ନୀତି ପଛରେ ଥିବା ଲୋକଙ୍କୁ ସିଇସି ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କର୍ଣ୍ଣାଟକ ସିଆଇଡି ଭୋଟର ‘ଡିଲିଟ୍‌’ ସ୍କାମ୍ ସମ୍ପର୍କିତ ସୂଚନା ପାଇଁ ୧୮ ମାସ ମଧ୍ୟରେ ୧୮ଟି ଚିଠି ଲେଖିଥିଲା। କିନ୍ତୁ ନିର୍ବାଚନ କମିସନ କେବେ ବି ଅର୍ଥପୂର୍ଣ୍ଣ ଉତ୍ତର ଦେଇନାହାନ୍ତି। କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ରାହୁଲ କହିଛନ୍ତି, ଭାରତୀୟ ନିର୍ବାଚନ କମିସନ ଗୋଟିଏ ସପ୍ତାହ ମଧ୍ୟରେ ଦୁର୍ନୀତିରେ ବ୍ୟବହୃତ ମୋବାଇଲ୍ ନମ୍ବର ଏବଂ ଓଟିପି ତଥ୍ୟ ପ୍ରକାଶ କରନ୍ତୁ। ନଚେତ୍ ଏହା ପ୍ରମାଣିତ ହେବ ଯେ ସିଇସି ଭୋଟ୍ ଚୋରଙ୍କୁ ସୁରକ୍ଷା ଦେଉଛନ୍ତି। ତେବେ ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ପ୍ରତିକ୍ରିୟା ରଖି ଭୋଟର ‘ଡିଲିଟ୍‌’ ସ୍କାମ୍‌ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି। ରାହୁଲଙ୍କ ଦାବିକୁ ବିଭ୍ରାନ୍ତିକର ଦର୍ଶାଇ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଜନସାଧାରଣ ଅନ୍‌ଲାଇନରେ କୌଣସି ଭୋଟରଙ୍କୁ ‘ଡିଲିଟ୍’ କରିପାରିବେ ନାହିଁ। ପ୍ରଭାବିତ ବ୍ୟକ୍ତିଙ୍କୁ ଶୁଣାଣି କରିବାର ସୁଯୋଗ ନ ଦେଇ କୌଣସି ନାମ କଟାଯାଇପାରିବ ନାହିଁ। କର୍ଣ୍ଣାଟକର ଆଲନ୍ଦ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ହଟାଇବା ପାଇଁ କିଛି ବିଫଳ ପ୍ରୟାସ କରାଯାଇଥିଲା ଏବଂ ଏହି ଘଟଣାର ତଦନ୍ତ ପାଇଁ ନିର୍ବାଚନ ଆୟୋଗ ନିଜ ଆଡୁ ଏଫ୍ଆଇଆର୍ ଦାଖଲ କରିଥିଲେ ବୋଲି ସ୍ପଷ୍ଟ କରିଛନ୍ତି।

State,Shree Jagannath

ଆଜି ବିଶ୍ୱକର୍ମା ପୂଜା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୂରା ଦେଶରେ ବେଶ ଉତ୍ସବର ସହ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଆଜିର ଦିନେରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳ କାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି । ପୌରାଣିକ କଥା ଅନୁଯାୟୀ, ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ । ସବୁଠାରୁ ବଡ ଇଞ୍ଜିନିୟର ଭାବେ ବିଶ୍ୱକର୍ମା ଖ୍ୟାତ । ଶିଳ୍ପ ଜଗତ ପାଇଁ ବିଶ୍ୱକର୍ମାଙ୍କ ଦାନ ଅତୁଳନୀୟ । ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।


ପୌରାଣିକ କଥା ଅନୁସାରେ, ପୂରା ବିଶ୍ୱ ବ୍ରହ୍ମାଣ୍ଡର ରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ଏପିରିକି ଋକବେଦର ୧୦ମ ଅଧ୍ୟାୟର ୧୨୧ତମ ଭାଗରେ ଲେଖାଯାଇଛି ଯେ, ଭଗବାନ ବିଶ୍ୱକର୍ମା ଧରିତ୍ରୀ, ଆକାଶ ଓ ଜଳର ରଚନା କରିଥିଲେ । ବିଶ୍ୱକର୍ମା ପୂରାଣ ଅନୁଯାୟୀ, ସୃଷ୍ଟିର ରଚୟିତା ଆଦି ନାରାୟଣ ସର୍ବପ୍ରଥମେ ବ୍ରହ୍ମା ଓ ପରେ ବିଶ୍ୱକର୍ମାଙ୍କ ରଚନା କରିଥିଲେ ।

State,Crime

ମହିଳା ନକ୍ସଲ ସୁଜାତାଙ୍କ ଆତ୍ମସମର୍ପଣ

Blog Thumbnail

ମାଲକାନଗିରି,(ଦ କୁଇଭର୍):-ସୀମାନ୍ତ ଛତିଶଗଡ଼ ତେଲାଙ୍ଗାନା ଦଶନ୍ଧି ,ଦଶନ୍ଧି ଧରି ବସ୍ତରର ରକ୍ତାକ୍ତ କାହାଣୀର ମାଷ୍ଟରମାଇଣ୍ଡ ଏବଂ ଦକ୍ଷିଣ ଉପ ଜୋନାଲ ବ୍ୟୁରୋର ଇନଚାର୍ଜ, ମହିଳା ନକ୍ସଲ ସୁଜାତା ଶେଷରେ ତାଙ୍କ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ଫେରିଛନ୍ତି। ୧ କୋଟି ପୁରସ୍କାର ପାଇଥିବା ସୁଜାତାର ଆତ୍ମସମର୍ପଣକୁ ନକ୍ସଲ ସଂଗଠନ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି।

ଜାଣନ୍ତୁ ସୁଜାତାଙ୍କ ସମ୍ପର୍କରେ ସୁଜାତା - ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ସୁଜାତା ଅନେକ ବଡ଼ ହିଂସାକାଣ୍ଡ ପାଇ ଆକ୍ରମଣ ର ଷଡ଼ଯନ୍ତ୍ର କରିଥିଲେ। ଦୀର୍ଘ ସମୟ ଧରି ବସ୍ତରର ଜଙ୍ଗଲରୁ ରକ୍ତାକ୍ତ ଖେଳ ଖେଳିଥିବା ସୁଜାତା ଏବେ ଆତ୍ମସମର୍ପଣ କରିଛନ୍ତି।ସୁଜାତା ନିମ୍ନୋକ୍ତ ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ୨୦୦୭, ଏରାବୋର (ସୁକମା): CRPF ଏବଂ ଜିଲ୍ଲା ପୋଲିସ ଉପରେ ଆକ୍ରମଣ, ୨୩ ଯବାନ ସହିଦ୍ ।


୨୦୧୦, ତାଡମେଟଲା (ଦାନ୍ତେୱାଡା): ବିସ୍ଫୋରଣ, ୭୬ ଯବାନ ସହିଦ।୨୦୧୦, ଗାଦିରାସ: ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ, ୩୬ ଯବାନ ସହିଦ।୨୦୧୩, ଝିରମ ଉପତ୍ୟକା: କଂଗ୍ରେସ ନେତାଙ୍କ ସମେତ ୩୨ ଯବାନ ସହିଦ।୨୦୧୭, ଚିନ୍ତାଗୁଫା: ଆମ୍ବୁସ୍, ୨୫ ଯବାନ ସହିଦ।୨୦୨୦, କୋରଜାଗୁଡା (ସୁକମା): ଏନକାଉଣ୍ଟର, ୧୭ ଯବାନ ସହିଦ।


୨୦୨୧, ଟେକୁଲଗୁଡେମ (ବିଜାପୁର): ୨୧ ଯବାନ ସହିଦ। ମାଓ ଇତିହାସରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆତ୍ମସମର୍ପଣ ବୋଲି କୁହାଯାଉଛି।ଏପଟେ ମାର୍ଚ୍ଚ ୨୦୨୬ ରେ ସରକାରଙ୍କ ଦ୍ୱାରା ନକ୍ସଲବାଦର ଅନ୍ତ ଘୋଷଣା ପରେ, ସୁରକ୍ଷା ବାହିନୀର ବର୍ଦ୍ଧିତ ଚାପ ଯୋଗୁଁ ଅନେକ ବଡ଼ ନକ୍ସଲ ନେତା ନିହତ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରିଛନ୍ତି। ଏପରି ପରିସ୍ଥିତିରେ, ନକ୍ସଲ ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ନକ୍ସଲ ନେତା ସୁଜାତାଙ୍କ ଆତ୍ମସମର୍ପଣ ନକ୍ସଲ ମୋର୍ଚ୍ଚାରେ ସୁରକ୍ଷା ବାହିନୀର ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ବୋଲି ମଧ୍ୟ କୁହାଯାଉଛି।

Politics

କଂଗ୍ରେସର ଅନାସ୍ଥା,ଭାଙ୍ଗିବ କି ମୋହନ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠୁ ଆରମ୍ଭ ହୋଇଛି ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ । ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ । ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତା ଦାବି କରିଛନ୍ତି । ଅନ୍ୟପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନି । ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ, ଏବେ ଚର୍ଚ୍ଚା ହେଉଛି ଏହି ଅନାସ୍ଥା ଆଣିଲେ ସତରେ କଣ ମୋହନ ସରକାରକୁ ବିପଦ ହେବ? ସଂଖ୍ୟା ଗଣିତ ଦୃଷ୍ଟିରୁ ବିଧାନସଭାରେ ଏବେ ବି ବିଜେପି ସବୁଠୁ ବଡ଼ ଦଳ । ତେଣୁ କଂଗ୍ରେସର ଅନାସ୍ଥା ସରକାର ଉପରେ ସେତେଟା ପ୍ରଭାବ ପକାଇନପାରେ । ନୂଆପଡା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏବେ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୬ ରହିଛି । ଯାହା ଭିତରୁ ବିଜେପିର ହେଉଛନ୍ତି ୭୮ ବିଧାୟକ । ଏହାସହ ବିଜେଡିର ୫୦ ଏବଂ କଂଗ୍ରେସ ପାଖରେ ଅଛନ୍ତି ୧୪ ବିଧାୟକ । ବିଧାନସଭାରେ ଏବେ ସିପିଆଇ(ଏମ୍)ର ଜଣେ ବିଧାୟକ ଥିବାବେଳେ, ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ହେଉଛି ୩ ।


ଯଦି କଂଗ୍ରେସକୁ ନିଜର ୧୪ ବିଧାୟକଙ୍କ ସହିତ ସିପିଆଇ(ଏମ୍)ର ଜଣେ ବିଧାୟକ ସମର୍ଥନ କରିବେ ବୋଲି ଜୟପୁର ବିଧାୟକ ତାରା ବାହିନୀପତି କହିସାରିଛନ୍ତି । ଯାହାଫଳରେ ବର୍ତ୍ତମାନ ସମୟରେ ଅନାସ୍ଥା ପ୍ରସ୍ତାବକୁ ୧୫ ବିଧାୟକଙ୍କ ସମର୍ଥନ ରହିଛି । ଆଉ ବିଜେଡି ଯଦି କଂଗ୍ରେସକୁ ସମର୍ଥନ ଜଣାଏ, ତେବେ ବିଜେଡିର ୫୦ ବିଧାୟକଙ୍କୁ ମିଶାଇଲେ ଏହି ସଂଖ୍ୟା ୬୫କୁ ଛୁଇଁବ । ଯାହାକି ମ୍ୟାଜିକ୍ ନମ୍ବରଠାରୁ ବହୁତ ଦୂରରେ l ରାଜ୍ୟ ବିଧାନସଭାରେ ଏବେ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ଯେଉଁମାନେ କି ସରକାରକୁ ସମର୍ଥନ ଜଣାଇଛନ୍ତି । ତେଣୁ ଅନାସ୍ଥା ପ୍ରସ୍ତାବରେ ମଧ୍ୟ ସେମାନେ ବିଜେପି ସପକ୍ଷରେ ଯିବା ଏକପ୍ରକାର ପକ୍କା । ଅନାସ୍ଥା ପ୍ରସ୍ତାବ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୭୪ । ବର୍ତ୍ତମାନ ସମୟରେ କଂଗ୍ରେସ ପାଖରେ ୧୫ ବିଧାୟକଙ୍କ ସମର୍ଥନ ରହିଛି । ବିଜେଡିର ୫୦ ଜଣ ବିଧାୟକ କାହାକୁ ସମର୍ଥନ କରିବେ ସ୍ପଷ୍ଟ ହୋଇନି । ଅନ୍ୟପଟେ ବିଜେପି ପାଖରେ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ୮୧ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ଯଦି ଅନାସ୍ଥା ପ୍ରସ୍ତାବ ନେଇ ବିଧାନସଭାରେ ଭୋଟ୍ ହୁଏ, ତେବେ ରେଜଲ୍ଟ କଣ ହେବ ସ୍ପଷ୍ଟ ଜଣାପଡୁଛି l


ବିଧାନସଭାରେ ଆବଶ୍ୟକ ସଂଖ୍ୟା ନଥାଇ ଅନାସ୍ଥା ଆଣିବା କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସର ଏକ ଷ୍ଟଣ୍ଟ ବୋଲି ଲୋକେ କହୁଥିବା ସହ ୱାନ ଟେନ୍ ସଂଖ୍ୟା ଥାଇ ଅନାସ୍ଥା ଆଣିବା ଚାଇନା ସହ ଶ୍ରୀଲଙ୍କା ଏବଂ ଭାରତ ସହ ବାଂଲାଦେଶ ସହ ଯୁଦ୍ଧ ହେବା ଭଳି କଥା। ଅନାସ୍ଥା ପ୍ରସ୍ତାବ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ତାପରେ ବି ଯଦି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ତେବେ କେବଳ ନିଜେ ହିଁ ଲୋକ ହସା ହେବା ଛଡ଼ା ଆଉ କିଛି ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l


ଅନ୍ୟପଟେ ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ । ସୁରୁଖୁରୁରେ ଅଧିବେଶନ ଚଲାଇବାକୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ବିଧାନସଭା । ଚଳିତ ଅଧିବେଶନରେ 7ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନ ସମୟରେ କଡା ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା । ବୁଧବାର ପୋଲିସ କମିଶନର ଓ ଡିଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଠାରୁ ଦୂରେଇ ରହିବାକୁ ସମସ୍ତ ବ୍ୟବସ୍ଥା ହୋଇଛି । 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ଓ 150 ପୋଲିସ ଅଫିସର ରହିବେ । ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାର୍ଡ, ଷ୍ଟ୍ରାଇକିଂ ଫୋର୍ସ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହିବ । ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ 5ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲରୁମ୍‌ ଖୋଲାଯାଇଛି ।

Shree Jagannath

୧୯ରୁ ଆରମ୍ଭ ହବିଷିଆଳିଙ୍କ ପଞ୍ଜୀକରଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସୁଛି କାର୍ତ୍ତିକ l ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ l ଧର୍ମର ମାସ ମହା କାର୍ତିକରେ ମାସ ସାରା ହବିଶିଆଳିଙ୍କ ପୂଜା ଭଜନ ଜଣାଣ ଜପ ତପ ବିଭିନ୍ନ ଜାଗାରେ ଦେଖିବାକୁ ମିଳିବ l ପୂର୍ବରୁ ଅନେକ ହବିଶିଆଳି ମା ମାନେ ପୁରୀରେ ରହି ଶ୍ରୀଜଗନ୍ନାଥଙ୍କ ପାଖରେ ହବିଷ କରୁଥିଲେ କିନ୍ତୁ ଗତ କିଛି ବର୍ଷ ଧରି ଏହି ବ୍ୟବସ୍ଥାକୁ ପ୍ରଶାସନ ନିଜ ହାତକୁ ନେଇଛି l ତେଣୁ ବଡ଼ ଜୋର ସୋର ରେ ଚଳିତ ବର୍ଷ ମଧ୍ୟ ପୁରୀରେ ହବିଷିଆଳିଙ୍କ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପୁରୀ ଜିଲ୍ଲା ପ୍ରଶାସନ। ଏଥର ୨୫ ଶହ ହବିଷିଆଳିଙ୍କ ରହିବା ପାଇଁ ବ୍ୟବସ୍ଥା ହେଉଛି । ୪ଟି ସ୍ଥାନରେ ହେବ ହବିଷିଆଳି କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରଥମ କରି ଆବେଦନ କରିଥିବା ମାଆ ମାନଙ୍କୁ ବେଶି ପ୍ରାଧାନ୍ୟ ଦିଆଯିବ । ହବିଷିଆଳିଙ୍କ ରହଣି, ପ୍ରସାଦ ସେବନ ଓ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଆସନ୍ତା ସେପ୍ଟେମ୍ବର ୧୯ ତାରିଖ, ଶୁକ୍ରବାର ପୂର୍ବାହ୍ନ ୧୦ ଠାରୁ ହବିଷିଆଳିଙ୍କ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। https://edistrict.odisha.gov.inରେ ଆବେଦନ କରିପାରିବେ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିିତ ମହିଳା ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା'ମାନେ ହିଁ ହବିଷ୍ୟାଳି ଶିବିରରେ ଅନୁମତି ପାଇବେ । ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ।


ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ୱାଗତ କରି ବୃନ୍ଦାବତୀ ନିବାସ ,ବଗଲା ଧର୍ମଶାଳା , ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟ ସ୍ଥଳ ଠାରେ ହବିଷ୍ୟାଳୀ ମା’ ମାନଙ୍କର ରହଣିର ବ୍ୟବସ୍ଥା କରାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଅଧିକାରୀ ଏହାକୁ ଅନୁଧ୍ୟାନ କରିଛନ୍ତି ବୋଲି କହିଛନ୍ତି । ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମାଆମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରୁଛି ବୋଲି ସୂଚନା ଦେଇଛନ୍ତି l

City

ଜାଭିୟର୍ସ ହାଇ ସ୍କଲରେ ସାଂସଦ ଓ ବିଧାୟକଙ୍କ ଦ୍ଵାରା ବୃକ୍ଷ ରୋପଣ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ବୁଧବାର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଏକ ପେଡ ମାକେ ନାମ ମାଧ୍ୟମରେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ କେ. ଅନିଲ କୁମାର ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମା'ପ୍ରତି ସମ୍ମାନ ଓ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ସମସ୍ତେ ଗଛ ଲଗେଇ ବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ବରିଷ୍ଠ ବିଜେପି ନେତା ଟି.ଗୋପୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡାଙ୍କ ସମେତ ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା,ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ରଛାତ୍ରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯାଇଥିଲା । ସେହିପରି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।

Sports

୨୧ ସେପ୍ଟେମ୍ବରରେ ପୁଣି ଭାରତ-ପାକିସ୍ତାନ ଲଢ଼େଇ

Blog Thumbnail

ଦ କୁଇଭର ବ୍ୟୁରୋ :- ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ ‘ଏ’ ରୁ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା ହେବା ନିଶ୍ଚିତ ହୋଇଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାରରେ ଦୁବାଇରେ ଖେଳାଯିବ।ବୁଧବାର ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିବା ଏସିଆ କପର ଦଶମ ମ୍ୟାଚ୍‌ରେ ପାକିସ୍ତାନ ୪୧ ରନରେ ବିଜୟୀ ହୋଇଛି । ଏହି ବିଜୟ ସହିତ ପାକିସ୍ତାନ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆୟୋଜକ ୟୁଏଇର ଯାତ୍ରା ଶେଷ ହୋଇଛି ।ସେପ୍ଟେମ୍ବର ୧୪ ରବିବାର ଦିନ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଏକ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଖେଳିଥିଲେ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିଥିଲା ।

Entertainment,Health & lifestyle

ଭେଣ୍ଟିଲେଟର୍‌ରୁ ବାହାରିଲେ ମେଲୋଡି କିଙ୍ଗ୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ପାର୍ବଣ ପୂର୍ବରୁ ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସିର ଖବର । ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ । ଭେଣ୍ଟିଲେଟର୍‌ରୁ ବାହାରକୁ ଆସିଲେ ମେଲୋଡି କିଙ୍ଗ୍‌ ଅଭିଜିତ ମଜୁମଦାର । ଆଇସିୟୁ ବେଡ୍‌ରେ ଚାଲିଛି ଦାଦାଙ୍କ ଚିକିତ୍ସା । ପୂର୍ବରୁ ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଏବେ ସେଥିରେ ସୁଧାର ଆସିଛି । ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସୁଛି । ଏବେ ଡାକ୍ତରୀ ଚିକିତ୍ସାଠାରୁ ବି ଯଦି କିଛି ବେଶି ଜରୁରି ହୋଇପଡ଼ିଛି ତାହା ହେଉଛି ଶୁଭେଚ୍ଛୁଙ୍କ ‌ସ୍ନେହ ଓ ଭଲପାଇବା । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସାରା ଓଡ଼ିଶା ତାଙ୍କ ପାଇଁ ପ୍ରାର୍ଥନା କରୁଛି ।

National

ଏକ୍ସପ୍ରେସ ଟ୍ରେନରେ ବି ଯାତ୍ରୀ ପାଇ ପାରିବେ ନିଜ ମନପସନ୍ଦର ଖାଦ୍ୟ

Blog Thumbnail

ଦକୁଇଭର ବ୍ୟୁରୋ :- ଦିନକୁ ଦିନ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଟ୍ରେନ ଯାତ୍ରାକୁ ଆରାମଦାୟକ ଏବଂ ସୁବିଧାଜନକ କରିବା ଦିଗରେ ରେଳବାଇ ନିରନ୍ତର ତାର ପ୍ରୟାସ ଜାରି ରଖିଛି। ଏହି କାରଣରୁ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଦୂରଗାମୀ ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ତେଣୁ ଯାତ୍ରା କରିବା ପୂର୍ବରୁ ଖାଦ୍ୟକୁ ନେଇ ଯାତ୍ରୀମାନେ ଚିନ୍ତାରେ ପଡ଼ି ଯାଇଥାଆନ୍ତି। ବର୍ତ୍ତମାନ ଏହି ସମସ୍ୟା ଧୀରେ ଧୀରେ ହ୍ରାସ ପାଇବା ପରି ମନେ ହେଉଛି। ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଏପରି ଏକ ପଦକ୍ଷେପ ନେଇଛି ଯାହାଦ୍ବାରା ଯାତ୍ରାଙ୍କୁ ସହଜ ଏବଂ ସୁବିଧାଜନକ ଭାବେ ମନ ପସନ୍ଦର ଖାଦ୍ୟ ମିଳିପାରିବ।


ଏଣିକି ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଷ୍ଟେସନରେ ଓହ୍ଲାଇବାକୁ ପଡିବ ନାହିଁ କିମ୍ବା ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ରେଳବାଇର ନୂତନ ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନେ ନିଜ ସିଟରେ ହିଁ ତାଜା ଏବଂ ନିଜର ପସନ୍ଦର ଖାଦ୍ୟ ପାଇପାରିବେ। ଏଥିପାଇଁ ଯାତ୍ରୀମାନଙ୍କ ପାଖରେ ଖାଦ୍ୟ ଅର୍ଡର କରିବା ପାଇଁ ଅନେକ ବିକଳ୍ପ ରହିବ। ଯାତ୍ରୀମାନେ ଯାତ୍ରା ସମୟରେ https://www.ecatering.irctc.co.in/ କୁ ଯାଇ ଇ-କେଟରିଂ ସେବା ବ୍ୟବହାର କରିପାରିବେ କିମ୍ବା ଆପଣ ୧୩୨୩ କୁ କଲ୍ କରି ଖାଦ୍ୟ ଅର୍ଡର କରିପାରିବେ। ୱେବସାଇଟ୍ରୁ ଅର୍ଡର କରିବା ପାଇଁ, ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ପିଏନଆର ନମ୍ବର ଆବଶ୍ୟକ ହେବ। ମନ ପସନ୍ଦର ଖାଦ୍ୟ ଅର୍ଡର କରିବା ପରେ ଖାଦ୍ୟ ଆପଣଙ୍କ ସିଟ ନିକଟରେ ଆସି ପହଞ୍ଚିଯିବ।

State

ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ଟି ବନ୍ଧ ଓ ୪୪ଟି ବ୍ୟାରେଜ

Blog Thumbnail

ଦ କୁଇଭର ବ୍ୟୁରୋ :- ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ, ୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ । ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ ଦ୍ବାରା ନିର୍ମିତ ଜଳସେଚନ ପ୍ରକଳ୍ପ, ବିଭିନ୍ନ ଶିଳ୍ପ ଭିରିକ ବ୍ୟାରେଜ, ଆନିକଟ ଇତ୍ୟାଦି ନିର୍ମାଣ ହେବା ପରେ ଜଳସଂକଟର ମୁକାବିଲା ପାଇଁ ଓଡ଼ିଶା ସରକାର ନ୍ୟାୟିକ, ପ୍ରଶାସନିକ ଓ ରାଜନୈତିକ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି ।

City,Politics

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ରାଜ୍ୟରେ ଦିନକୁ ଦିନ ମହିଳାମାନଙ୍କ ବିରୋଧରେ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏହି ଅବସରରେ ବୁଧବାର ବ୍ରହ୍ମପୁର ପୁଲିସ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ମହିଳା ବିଜେଡି ଦଳ ।


ବାଲେଶ୍ବରରେ ଛାତ୍ରୀ ଆତ୍ମାହୂତୀ ଦେବା ଠାରୁ ଆରମ୍ଭ କରି ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଓଡ଼ିଶାକୁ ନିନ୍ଦିତ କରିଛି l ତଥ୍ୟ ଅନୁସାରେ ରାଜ୍ୟରେ ଦୈନିକ ୧୫ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି l ଏଣୁ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ତରଫରୁ ତୀବ୍ର ବିରୋଧ ସହ ଦାବି କରାଯାଇଛି। ତେବେ ଆଇଜି କିମ୍ବା ବ୍ରହ୍ମପୁର ଏସ୍.ପି. ଉପସ୍ଥିତ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ପରେ ଆଇଜି ନୀତି ଶେଖର ପହଞ୍ଚିବା ପରେ ସ୍ମାରକପତ୍ର ଗ୍ରହଣ କରିଥିଲେ l


ଏହି କାର୍ଯ୍ୟକ୍ରମର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ମେୟର ସଂଘମିତ୍ରା ଦଳେଇ ନେତୃତ୍ବ ନେଇଥିବା ବେଳେ ଅନୁଷ୍ଠିତ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ସଭାନେତ୍ରୀ ଅଞ୍ଜଳି ସ୍ବାଇଁ, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ମଞ୍ଜୁଳା ସ୍ବାଇଁ, ସୂର୍ଯ୍ୟମଣୀ ବୈଦ୍ୟ, ସୁବାସ ବେହେରା, ରଞ୍ଜିତା ସାହୁ, ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ମମତା କୁମାର ପାତ୍ର ପ୍ରମୁଖଙ୍କ ସହ ବହୁ ମହିଳା ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Entertainment

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। ସେ ଥଣ୍ଡା, ଜ୍ବରରେ ପୀଡ଼ିତ ହୋଇ କଟକର ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତି କେବଳ ଓଲିଉଡ୍‌ ନୁହେଁ‌; ବଲିଉଡ୍‌ରେ ବି ଏକ ଚିହ୍ନା ନାମ। ପ୍ରଥମେ ହିନ୍ଦୀ ଧାରାବାହିକରେ ଅବତୀର୍ଣ୍ଣ ହୋଇ ସମୟକ୍ରମେ ଓଲଉଡ୍‌କୁ ଆସିଥିଲେ ସେ। ଓଡ଼ିଆ ରିୟାଲିଟି ସୋ’ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପ୍ରିୟ ପାଲଟି ପାରିଛନ୍ତି ଏହି କଳାକାର। ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‌‘ପ୍ରେମ ରୋଗୀ’, ‘ପ‌ଗଳ କରିଛି ପାଉଁଜି ତୋର’ ଆଦି ମନଛୁଆଁ ଚଳଚ୍ଚିତ୍ରରେ ଅଭିନୟ କରି ସେ ପାଲଟି ଯାଇଛନ୍ତି ଓଲିଉଡ୍‌ର ମଉଡ଼ମଣି। ସେ ଆଜି ଅସୁସ୍ଥ ‌ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ।

Politics

ବିଧାନସଭା ଅଧିବେଶନର ଆଜି ଦ୍ବିତୀୟ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌ ଦେଇଛି । କଂଗ୍ରେସର ୧୪ ବିଧାୟକ ଓ ସିପିଆଇଏମ୍‌ର ଜଣେ ବିଧାୟକ ଏଥିରେ ଦସ୍ତଖତ କରିଛନ୍ତି । ସଂଖ୍ୟାର ହିସାବ ଦେଖିଲେ ପ୍ରସ୍ତାବ କାଟ୍‌ ଖାଇବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଅନାସ୍ଥା ନୋଟିସ୍‌ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଏହା ଅଡ଼ୁଆରେ ପକାଇଛି। କାରଣ ବିଜେଡି ଅନାସ୍ଥାକୁ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରିନାହିଁ । ସାର ପ୍ରସଙ୍ଗକୁ ନେଇ ବିଧାନସଭାରେରେ ସରକାରଙ୍କୁ ଘେରିବ ବିଜେଡି । ନାରୀ ନିର୍ଯ୍ୟାତନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ମଧ୍ୟ ଉଠାଇବ ବିରୋଧୀ ଦଳ । ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। କହିଛନ୍ତି, ରାଜ୍ୟରେ ସାର ବଣ୍ଟନରେ ବିଫଳ ହୋଇଛି ସରକାର। ସମବାୟ ସୂତ୍ରରେ ସାର ମିଳୁନାହିଁ ।


ଲମ୍ବା ଧାଡ଼ିରେ ରାତିରୁ ଆସି ଠିଆ ହେଉଛନ୍ତି ଚାଷୀ । ଓଡ଼ିଶାର ଜନସାଧାରଣ ଯନ୍ତ୍ରଣାରେ ପେଷି ହେଉଛନ୍ତି । କଳାବଜାରୀରେ ତିନି ଗୁଣ ଚାରି ଗୁଣ ଚଢ଼ା ଦରରେ ସାର ମିଳୁଛି। ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଠିକ ଭାବେ ହେଉନାହିଁ । ସରକାର କେବଳ ଘୋଷଣା କରିଛନ୍ତି କିଛି କରିନାହାନ୍ତି । ତେଣୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ମହିଳା ହିଂସା ବଢ଼ିବାରେ ଲାଗିଛି। ନାରୀମାନେ ରାସ୍ତାରେ ସୁରକ୍ଷିତ ନାହାନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ସରକାର ଆକ୍ରମଣ କରିବା ସହ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଙ୍କୁଚିତ କରିବାରେ ଲାଗିଛନ୍ତି। କ୍ଷମତା ବିକେନ୍ଦ୍ରୀକରଣ ନୀତି ବିରୁଦ୍ଧରେ ସରକାର ଯାହା କରୁଛନ୍ତି ସେହି ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ। ସେପଟେ ବିଧାନସଭା ଅଧିବେଶନ ନେଇ ବିଜେପି ବିଧାୟକ ଦଳର ବୈଠକ ବସିଛି । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଯାହା ବିରୋଧୀ ଦଳ ଆଣିବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ବୈଠକ ପରେ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ମହାଲିଙ୍ଗ କହିଛନ୍ତି, ସରକାର ମ୍ୟାଜିକ ନମ୍ୱର ରେ ଚାଲେ, ଆଉଟ ଅଫ ୧୪୭ ଲୋକ ବିଜେପିକୁ ସମର୍ଥନ କରିଛନ୍ତି, ବିଜେପି ସରକାରରେ ଲୋକ ପ୍ରଗତିପଥ ରେ ଯାଉଛନ୍ତି ତାହା ଓଡିଶାବାସୀ ଜାଣିଛନ୍ତି। ଅନାସ୍ତା ପ୍ରସଙ୍ଗ ଯେବେ ବିଧାନସଭାରେ ଆସିବ ତାର ଉତ୍ତର ଦିଆଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

Politics,State

ଆଜିଠୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ

Blog Thumbnail

ଭୂବନେଶ୍ୱର ( ଦ କୁଇଭର ):-ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ୨୫ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବାରୁ ଶୋକ ପ୍ରସ୍ତାବ ପରେ ତାଙ୍କ ସମ୍ମାନାର୍ଥେ ଗୃହ ମୁଲତବୀ କରାଯିବ।ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ବିରୋଧୀ ବିଜେଡି ମହିଳା ସୁରକ୍ଷା, ସାର ଅଭାବ, ପଞ୍ଚାୟତ୍ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଏବଂ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିବ। ଲୋକଙ୍କ ସ୍ଵର ସାଜି ବିଜେଡି, ସରକାରକୁ ଘେରିବାକୁ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି।


ସେହିପରି କଂଗ୍ରେସ ନାରୀ ନିର୍ଯାତନା, ସାର କଳାବଜାରୀ, ଛାତ୍ର ସଂସଦ ନିର୍ବାଚନ, ବେକାରୀ ଓ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ସରକାରଙ୍କୁ ଗୃହରେ ଘେରିବାକୁ ନିଷ୍ପତି ନେଇଛି। ଦେଢ଼ ବର୍ଷର ମୋହନ ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ଦର୍ଶାଇ ଗୃହରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛି। ଦୁଇ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ଜବାବ ଦେବା ପାଇଁ ସଜବାଜ ହୋଇଛି ଶାସକ ଦଳ। ଶାସକ ବିଜେପିର ବିଧାୟକ ଦଳ ବୈଠକରେ ରଣନୀତି ଚୁଡାନ୍ତ ହେବ। ୧୮ରୁ ୨୫ଯାଏ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ଛଅଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଛି।

ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ବେଶ ଉଷ୍ମ ହେବାକୁ ଯାଉଛି। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ଵଦଳୀୟ ବୈଠକରେ ବାଚସ୍ପତି ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି।

District,State

ବଶିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଶୁଭାରମ୍ଭ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏକ୍ସକର୍ଟ ଆଯ୍ୟୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଦ୍ୱିତୀୟ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ତୀର୍ଥ ଟ୍ରେନ ର ଉଦଘାଟନ କରିଥିଲେ l ସମସ୍ତ ତୀର୍ଥଯାତ୍ରୀ ଙ୍କୁ ମା ଅଧିଷ୍ଠାତ୍ରୀ ବୁଢ଼ୀ ଠାକୁରାଣୀ ପୀଠରୁ ବାହାରି ପବିତ୍ର ଗଙ୍ଗା ଘାଟ,ବାରାଣସୀର ଶୈବ ପୀଠ ,ଗଙ୍ଗା ଆଳତି ,କାଶୀ ବିଶ୍ଵନାଥ ପରିଦର୍ଶନ କରିବେ l ଶ୍ରୀ ରାମ ଲାଲ ଙ୍କ ସାନ୍ନିଧ୍ୟ ଲାଭ କରି ନିଜର ମନସ୍କାମନା ପୁରଣ କରି ଫେରିବେ ବୋଲି କହିଥିଲେ l ୫ ରାତି ଓ ଛଅ ଦିନ ଯାତ୍ରା ର ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥ ଙ୍କ ଠାରେ କାମନା କରିଥିଲେ l ସାଥିରେ ଯାଉଥିବା ଏକ୍ସକର୍ଟ ଅଧିକାରୀ ମାନଙ୍କୁ ତୀର୍ଥଯାତ୍ରୀଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ l


ବ୍ରହ୍ମପୁର ରେଳ ଷ୍ଟେସନ ରୁ ଏହାର ଶୁଭାରମ୍ଭ କରାଯାଇଥିଲା l ଗଞ୍ଜାମ,ଗଜପତି, ବୌଦ୍ଧ,ନୟାଗଡ଼ ଓ କନ୍ଧମାଳ ର ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି l ଗଜପତି ଜିଲ୍ଲାରୁ ୭୨ ,ନୟାଗଡ଼ ରୁ ୧୧୯, କନ୍ଧମାଳରୁ ୯୧ , ବୌଦ୍ଧ ରୁ ୫୫ ଓ ଗଞ୍ଜାମ ରୁ ୪୩୮ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି l ବ୍ରହ୍ମପୁର ରେ ଗୁରୁବାର ରାତ୍ରି ରେ ରେଳ ଷ୍ଟେସନ ନିକଟସ୍ଥ ଗୁରୁକୁଳ ସ୍କୁଲ ରେ ସ୍ବାଗତ କରି ସେମାନଙ୍କର ରହଣି, ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟ ପେୟ , ଭୋଜନ ସନ୍ଧ୍ୟା ଇତ୍ୟାଦି ସମସ୍ତ ସୁବିଧାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ ସ୍ବାଗତ ଭାଷଣ ରେ ତୀର୍ଥର ଆନନ୍ଦ ଉଠାଇ ମନ ଓ ଶରୀରକୁ ପ୍ରଫୁଲିତ ରଖିବାକୁ ପରାମର୍ଶ ଦେଇଥିଲେ ଏବଂ ଯାତ୍ରା ର ଶୁଭକାମନା କରିଥିଲେ l ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣ ବିବେକ ଏମ୍,ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ ,ପର୍ଯଟନ ବିଭାଗର ଅତିରିକ୍ତ ଶାସନ ସଚିବ ଡ଼ ରୁଦ୍ର ନାରାୟଣ ଦାସ,ଜିଲ୍ଲା ସଭାପତି ସରୋଜ ସାବତ ମଞ୍ଚାସୀନ ଥିଲେ l ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହାଂସଦା ଧନ୍ୟବାଦ୍ ଅର୍ପଣ କରିଥିଲେ l