Banner Ad

ମେଡିକାଲ୍‌ ଅଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତ ଅଟକ

ମେଡିକାଲ୍‌ ଅଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତ ଅଟକ
Published by : Jyotshna Kumari
#State
Jul 29, 2025, 8:23 AM

ଦ କୁଇଭର ବ୍ୟୁରୋ :- ଗତକାଲି ବିଳମ୍ବିତ ରାତିରେ ଏମ୍‌ସ ଭୁବନେଶ୍ବରର ଅସ୍ଥିଶଲ୍ୟ ୱାର୍ଡରେ କାର୍ଯ୍ୟରତ ଜଣେ ମହିଳା ମେଡିକାଲ ଅଟେଣ୍ଡାଣ୍ଟକୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏମ୍‌ସର ଜଣେ ନର୍ସିଂ ଅଫିସର ପୀଡ଼ିତାଙ୍କୁ ଡାକ୍ତରଙ୍କ ଚ୍ୟାମ୍ବରରେ ଅସଦାଚରଣ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ତେବେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରି ଠିକା କର୍ମଚାରୀମାନେ ଆଜି ସନ୍ଧ୍ୟାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଏମ୍‌ସ ଫାଟକ ସମ୍ମୁଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଥିଲା। ନ୍ୟାୟ ନମିଳିଲେ ପୀଡ଼ିତା ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ୩ହଜାରରୁ ଅଧିକ ଠିକା କର୍ମଚାରୀ ସାମିଲ୍‌ ହୋଇଥିବାରୁ ଏମ୍‌ସ ପରିଚାଳନାରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଅଭିଯୋଗ ମୁତାବକ ଏହି ମହିଳା ମେଡିକାଲ ଅଟେଣ୍ଡାଣ୍ଟ ଜଣକ ଏମ୍‌ସରେ ଜଣେ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି। ଗତକାଲି ନାଇଟ୍‌ ସିଫ୍ଟ ଥିବାରୁ ସେ ୱାର୍ଡରେ ଥିଲେ। ରାତି ସାଢ଼େ ୧୨ଟା ସମୟରେ ଅଭିଯୁକ୍ତ ନର୍ସିଂ ଅଫିସର୍‌ ନାନୁରାମ ଚୌଧୁରୀ ତାଙ୍କୁ ଡାକ୍ତରଙ୍କ ଚ୍ୟାମ୍ବରକୁ ରୋଗୀଙ୍କ ଫାଇଲ୍‌ ଦେଖାଇବା ବାହାନାରେ ଡାକିଥିଲେ। ଅଟେଣ୍ଡାଣ୍ଟ ଚ୍ୟାମ୍ବରକୁ ଯିବା ପରେ ନାନୁରାମ ତାଙ୍କୁ ଅସଦାଚରଣ କରିଥିଲେ। ଚିତ୍କାର କରିବାରୁ ପୀଡ଼ିତାଙ୍କୁ ନାନୁରାମ ଧମକ ଦେଇଥିଲା। ଏନେଇ ପୀଡ଼ିତା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ନାନୁରାମ ପୀଡ଼ିତାଙ୍କୁ ଟଙ୍କା ଦେଇ ମାମଲାକୁ ଚପାଇ ଦେବାକୁ ଚାପ ପ୍ରୟୋଗ କରିଥିଲେ। ମାତ୍ର ପୀଡ଼ିତା ଏଥିରେ ରାଜି ହୋଇନଥିଲେ। ମେଡିକାଲ କର୍ତ୍ତୃପକ୍ଷ ନ‌ାନୁରାମକୁ ଫେରାର କରିବାରେ ସହଯୋଗ କରିଥିବା ପୀଡ଼ିତା କହିଛନ୍ତି। ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଠିକା କର୍ମଚାରୀମାନେ ଧାରଣା ଦେବେ ବୋଲି ଠିକା କର୍ମଚାରୀ ନେତା ଅଞ୍ଜନ ନାଥ କହିଛନ୍ତି। ପ୍ରତିଦିନ ଏମ୍‌ସ ଭୁବନେଶ୍ବରକୁ ହଜାର ହଜାର ଲୋକଙ୍କ ଆଗମନ ହେଉଥିବାରୁ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଗୁରୁବାର ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ହୋମିଓ ପାଥି ମେଡ଼ିକାଲ କଲେଜ ସମ୍ମିଳନୀ କକ୍ଷରେ 'ହରିଜନ ଓ ଆଦିବାସୀ ନିର୍ଯାତନା ମାମଲାର ନିରାକରଣ ତଥା ପ୍ରତିକାର' ସଂପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l


ଏହି ଶିବିରରେ ନିର୍ଯ୍ୟାତନା ଆଇନ ନେଇ ପ୍ରତିଷେଧକ ମୂଳକ ବ୍ୟବସ୍ତା ସମ୍ପର୍କରେ ଆଲୋଚନା ସହ ମହିଳାଙ୍କ କ୍ଷେତ୍ରରେ ଯୌନ ହିଂସା, ସୁରକ୍ଷା ଓ ଅନ୍ୟାନ୍ୟ ଆଇନ ସଂପର୍କରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମରେ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନସେବା ପ୍ରାଧିକରଣ ସଦସ୍ୟ ଟିକେ ରେଡ୍ଡୀ, ସଦସ୍ୟା ଡ଼ା ମିନାକ୍ଷୀ ଦେବି,ସବିତା ସାହୁକାରଙ୍କ ସମେତ କଲେଜ ଅଧ୍ଯକ୍ଷା ଗୀତାଞ୍ଜଳି ପଟ୍ଟନାୟକ, ବୈଜୟନ୍ତମାଳା ପାଢ଼ୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମହିଳାଙ୍କ କ୍ଷେତ୍ରରେ ଯୌନହିଂସା, ଆଦିବାସୀ ଓ ହରିଜନ ନିର୍ଯ୍ୟାତନା ସଂପର୍କିତ ପ୍ରତିଷେଧକ ମୂଳକ ଆଇନରେ ପୀଡ଼ିତାଙ୍କ ପ୍ରତି ରହିଥ‌ିବା ବିଭିନ୍ନ ଆଇନ, ସୁରକ୍ଷା କ୍ଷତି ପୂରଣ ଆଦି ସଂପର୍କ ରେ ଆଲୋକପାତ କରି ଥିଲେ I

State

ଢେଙ୍କାନାଳ ହିନ୍ଦୋଳରେ ଦୁଇ ବନ ବିଭାଗ କର୍ମଚାରୀ ନିଲମ୍ବିତ

Blog Thumbnail

ଢେଙ୍କାନାଳ( ଦ କୁଇଭର ):- ଢେଙ୍କାନାଳ ହିନ୍ଦୋଳ ହାତୀ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ନିଲମ୍ବନ କଲେ ଡିଏଫଓ । ରାସୋଳ ସେକ୍ସନ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ । ହାତୀ ଆକ୍ରମଣରେ ହୋଇଛି ୩ଜଣଙ୍କ ମୃତ୍ୟୁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହେବାରେ କଡ଼ା ପଦକ୍ଷେପ ନେଇଛନ୍ତି ଡିଏଫଓ । ଢେଙ୍କାନାଳ ହିନ୍ଦୋଳରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟ ହୋଇଥିଲା । ମୃତକ ହେଲେ ହିନ୍ଦୋଳ ବାଗଧରିଆ ଗାଁର କରୁଣାକର ଦେହୁରୀ ଏବଂ ଝୁଲଣ ଦେହୁରୀ । ସୂଚନା ଅନୁସାରେ, ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହିନ୍ଦୋଳ ସାତମାଇଲ ଛକରେ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଅଟକିଥିଲା ଶହ ଶହ ଗାଡ଼ି । କ୍ଷତିପୂରଣ ସହ ହାତୀ ଆତଙ୍କ ନେଇ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ରାସ୍ତାରୋକ କରାଯାଇଛି । ଫଳରେ କଟକ- ଅନୁଗୁଳ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଡିଏଫଓ ଆସି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

State,National,International

ଏସିଆନ କ୍ରୀଡାରେ ନୂତନ ରେକର୍ଡ ସୃଷ୍ଟି କଲେ ଓଡିଆ ଝିଅ ରଞ୍ଜିତା

Blog Thumbnail

ଦ କୁଇଭର ବ୍ୟୁରୋ :- ଜାପାନରେ ଆୟୋଜିତ ଏସିଆନ୍ କ୍ଲାସିକ୍ ପେସିଭିକ୍ ଆଫ୍ରିକାନ୍ ପାୱାରଲିଫ୍ଟିଙ୍ଗ୍ ଚାମ୍ପିଆନସିପ୍ କ୍ରୀଡା ପ୍ରତିଯୋଗିତାରେ ଚାରୋଟି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁରର ଓଡିଆ ଝିଅ ରଞ୍ଜିତା ମିଶ୍ର । ଶକ୍ତିଉତ୍ତୋଳନ କ୍ଷେତ୍ରରେ ରଞ୍ଜିତା ଜାପାନରେ ଏହି କ୍ରୀଡା କ୍ଷେତ୍ରରେ ରହିଥିବା ସ୍କେର୍ଟ (Squat) ରେ ୧୪୨.୫ କିଲୋ ଉଠାଇଥିବା ବେଳେ ବେଞ୍ଚରେ ୬୫ କିଲୋ ଏବଂ ଡେଡ୍ ଲିଫ୍ଟ (Deadlift) ରେ ୧୬୦ କିଲୋ ଉଠାଇଥବା ବେଳେ ସମୁଦାୟ ୩୬୭.୫ କିଲୋ ଗ୍ରାମ୍ ଉଠାଇ ଏକ ରେକର୍ଡ ସୃଷ୍ଟି କରିଥିଲେ । ରଞ୍ଜିତା ଏଭଳି ପ୍ରଦର୍ଶନୀ କରି ପୂର୍ବରୁ ରହିଥିବା ସମସ୍ତ ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ରଞ୍ଜିତା ଓଭରଅଲରେ ରୌପ୍ୟପଦକ ପାଇଥିଲେ । ତେବେ ୪ଟି ରେକର୍ଡ କରିଥିଲେ ରଞ୍ଜିତା । "ଚାରୋଟି ରେକର୍ଡ କରି ଜଣେ ଓଡିଆ ଝିଅ ତଥା ଭାରତୀୟ ଭାବରେ ବିଦେଶରେ ନିଜର କ୍ରୀଡା ପ୍ରଦର୍ଶନ ପାଇଁ ଗର୍ବିତ । ଏଥିପାଇଁ ବେଶ ଖୁସି ରହିଥିବା ବେଳେ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ," ପ୍ରଦାନ କରିଛନ୍ତି ରଞ୍ଜିତା ମିଶ୍ର । ଏସିଆନ୍ କ୍ରୀଡା ପ୍ରତିଯୋଗିତାରେ ରଞ୍ଜିତା ୫୦ ରୁ ୬୦ ବର୍ଷ ମଧ୍ୟରେ ରହିଥିବା ବୟସ ଗ୍ରୁପରେ ପ୍ରଦର୍ଶନ କରିଥିଲେ । ୮୪ କେଜି ବର୍ଗରେ ସେ ଭାଗ ନେଇଥିଲେ । ଏସିଆନ୍ କ୍ରୀଡାରେ ଓଡ଼ିଆ ଝିଅ ରଞ୍ଜିତାଙ୍କ ସଫଳତା ପାଇବା ପରେ ସେ ବର୍ତ୍ତମାନ କେରଳ ରାଜ୍ୟର କୁଜିକୋଟ ଠାରେ ଆୟୋଜିତ ହେଉଥିବା ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତା -୨୦୨୫ରେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଆସନ୍ତା ଅଗଷ୍ଟ ୪ ତାରିଖ ଠାରୁ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ସଫଳ ହେଲେ ରଞ୍ଜିତା ଚଳିତବର୍ଷ ଡିସେମ୍ୱରରେ ଆୟୋଜିତ ହେବାକୁ ରହିଥିବା ୱାଲର୍ଡ ଚାମ୍ପିଆନସିପ୍ ଓ ପୁଣି ଏସିଆନ୍ ଚାମ୍ପିଆନସିପରେ ଭାଗନେବା ପାଇଁ ଚୟନ ହୋଇପାରିବେ ବୋଲି କହିଛନ୍ତି ।

State

ନାବାଳିକାଙ୍କୁ ପିଛା କରିବା ଏବଂ ଅସଭ୍ୟ କଥା କହିବା ଅଭିଯୋଗରେ ଜଣେ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଗୋଶାଣୀ ନୂଆଗାଁ ସ୍ଥିତ ଆମ୍ବ ମାର୍କେଟ ଛକ ବାସିନ୍ଦା ଗୋଶାଣୀ ନୂଆଗାଁ ଥାନାରେ ବୁଧବାର ରାତି ପ୍ରାୟ ୯ ଟା ସମୟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପଡ଼ୋଶୀ ସନ୍ୟାସୀ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ୧୫ ବର୍ଷୀୟା ଝିଅକୁ ନୃତ୍ୟ କ୍ଲାସ ପାଇଁ ଯାଉଥିବା ସମୟରେ ପିଛା କରୁଛନ୍ତି,ପୂର୍ବରୁ ଝିଅର ସାଇକେଲ ରୁ ଟ୍ୟୁବର ଭଲଭ ଖୋଲି ପଞ୍ଚର କରିଥିଲା,ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରନ୍ତି,ଜୀବନରେ ମାରିଦେବା ଭଳି ସଂଗୀନ ଅଭିଯୋଗ କରି ଥାନାରେ ଏତେଲା ଦେଇଛନ୍ତି l ତେବେ ଅଭିଯୋଗକାରୀଙ୍କ ନାମ କୁ ଗୋପନ ରଖିଥିବା ସହ ମାମଲା ନଂ 259/25 ଆଧାରରେ U/S 296/78/351(2) BNS RW ସେକସନ 12 POCSO ଆକ୍ଟ ପଞ୍ଜିକୃତ କରି ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସନ୍ୟାସୀ ପ୍ରଧାନ @ ସାନିଆ (51) ପ୍ରେମନଗରରୁ ଗୁରୁବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଗୋଶାଣୀନୂଆଗାଁ ପୋଲିସ ଥାନା ପକ୍ଷରୁ ସୂଚନା ମିଳିଛି l

International

ଅଗଷ୍ଟ ପହିଲାରୁ ଭାରତ ଉପରେ 25% ଶୁଳ୍କ ଘୋଷଣା କଲେ ଟ୍ରମ୍ପ

Blog Thumbnail

ଦ କୁଇଭର ବ୍ୟୁରୋ :- ରୁଷିଆ ସହ ଭାରତର ବନ୍ଧୁତାକୁ ନେଇ ଟ୍ରମ୍ପ୍‌ ଖପ୍ପା । ଭାରତ ଉପରେ 25% ଟାରିଫ୍ ଲଗାଇଲେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା । ରୁଷିଆ ଠାରୁ ଭାରତ ଅଧିକ ପ୍ରତିରକ୍ଷା ସାମଗ୍ରୀ କିଣୁଥିବାରୁ ଖପ୍ପା । ଶକ୍ତି କ୍ଷେତ୍ରରେ ଭାରତ ରୁଷିଆ ଠାରୁ ଅଧିକ କ୍ରୟ କରୁଛି । ରୁଷିଆ ସହ ଭାରତ ବାଣିଜ୍ୟିକ ସମ୍ପର୍କ ପାଇଁ ଟାରିଫ୍ ବୋଲି ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ 25 ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ଅଗଷ୍ଟ ପହିଲାରୁ ଏହି ଟାରିଫ୍ ଲାଗୁ ହେବ । ଟ୍ରମ୍ପ ସୋସିଆଲ ମିଡିଆ ସାଇଟ୍ ଟ୍ରୁଥରେ ଏକ ପୋଷ୍ଟରେ କହିଛନ୍ତି, ଭାରତ ସବୁବେଳେ ରୁଷଠୁ ସାମରିକ ଉପକରଣର ଏକ ବଡ଼ ଅଂଶ କିଣୁଛି । ଏହାସହ ଭାରତ ସର୍ବାଧିକ ଶୁଳ୍କ ଲାଗୁ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ଟ୍ରମ୍ପ ପୁଣି କହିଛନ୍ତି ଯେ, ଭାରତ ଆମର ବନ୍ଧୁ, କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ କିଛି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଭିନ୍ନ ନୀତି ଗ୍ରହଣ କରିଆସୁଛି । "ମନେରଖ, ଭାରତ ଆମର ବନ୍ଧୁ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମେ ସେମାନଙ୍କ ସହିତ ତୁଳନାତ୍ମକ ଭାବରେ କମ୍ ବାଣିଜ୍ୟ କରିଛୁ, କାରଣ ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ ଏବଂ ସେମାନଙ୍କର ଯେକୌଣସି ଦେଶ ତୁଳନାରେ ସବୁଠାରୁ କଠିନ ଏବଂ ଅଣ-ଆର୍ଥିକ ବାଣିଜ୍ୟ ବାଧା ଅଛି," ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଆମେରିକା ରାଷ୍ଟ୍ରପତି କହିଛନ୍ତି, "ଭାରତ, ଋଷ ସହିତ ବାଣିଜ୍ୟ କରୁଛି । ଏହା ସହିତ ସାମରିକ ଏବଂ ଶକ୍ତି ସହଯୋଗ ରହିଛି । ଏହା ସହିତ, ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ସମୟରେ, ବିଶ୍ୱ ସ୍ତରରେ ମସ୍କୋକୁ ଅଲଗା କରିବା ପାଇଁ ଭାରତର ଦୃଷ୍ଟିକୋଣ ଭିନ୍ନ ରହିଛି ।"

State

ଏମକେସିଜିରେ ଅଚଳ ଲିଫ୍ଟ ବ୍ୟବସ୍ଥା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆସି ହିନସ୍ତା ହେଉଛନ୍ତି ରୋଗୀ । ଏଠାରେ ରହିଥିବା ଲିଫ୍ଟ ଗୁଡ଼ିକ କାମ କରୁନଥିବା ବେଳେ ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି । ଏମକେସିଜି ମେଡ଼ିକାଲରେ ୩୦ରୁ ଅଧିକ ବିଭାଗ ରହିଥିବା ବେଳେ ୧୦ରୁ ଅଧିକ ବଡ଼ କୋଠା ରହିଛି । ଆଉ ଏଥିରେ ମୋଟ ୨୯ଟି ଲିଫ୍ଟ ରହିଥିବା ବେଳେ ସେଥିମଧ୍ୟରୁ ୧୦ଟି ଲିଫ୍ଟ ଅଚଳ ହୋଇ ପଡ଼ିରହିଛି । ଯାହାଫଳରେ ଚାରି ମହଲା କୋଠାକୁ ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ସିଢ଼ି ଚଢ଼ି ଯାଉଛନ୍ତି । ସେପଟେ ଲୋକଙ୍କ ଅସାବଧାନତା ଓ ଭୁଲ ଯୋଗୁଁ ଲିଫ୍ଟ ଗୁଡ଼ିକ ଖରାପ ହୋଇଯାଉଛି । ଏନେଇ ବାରମ୍ବାର ମରାମତି କରାଗଲେ ମଧ୍ୟ ଖରାପ ହେଉଥିବା ବେଳେ ବର୍ତ୍ତମାନ ଅଚଳ ହୋଇ ପଡ଼ି ରହିଥିବା ଲିଫ୍ଟ ଗୁଡ଼ିକୁ ସଚଳ କରିବା ନିମନ୍ତେ କାର୍ଯ୍ୟ ଜାରୀ ରହିଥିବା କହିଛନ୍ତି ମେଡ଼ିକାଲର ଅଧିକ୍ଷକ ।



ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା । ଯାହାକୁ ନେଇ ନାନା ସମସ୍ୟାରେ ଘାଣ୍ଟି ହେଉଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ । ଏମକେସିଜି ମେଡ଼ିକାଲରେ ପ୍ରାୟ ୩୦ରୁ ଅଧିକ ବିଭାଗର ରହିଛି ୧୦ରୁ ଅଧିକ ବଡ଼ ବଡ଼ କୋଠା । ଆଉ ଏହି ୧୦ଟି କୋଠାରେ ଲାଗିଛି ମୋଟ ୨୯ଟି ଲିଫ୍ଟ । ଏହି ୨୯ଟି ଲିଫ୍ଟ ଗୁଡ଼ିକ ମଧ୍ୟରୁ ପ୍ରାୟ ୧୦ଟି ଲିଫ୍ଟ ଗତ କିଛି ମାସ ହେଲା ଅଚଳ ହୋଇ ପଡ଼ିରହିଛି । ୫ ମହଲା ବିଶିଷ୍ଟ ସର୍ଜରୀ ବିଭାଗ କୋଠାରେ ମୋଟ ୪ଟି ଲିଫ୍ଟ ରହିଥିବା ବେଳେ ଏଥିରୁ ୨ଟି ଲିଫ୍ଟ ବନ୍ଦ, ପିଏମଏସଏସଓ୍ବାଇ କୋଠାରେ ୫ଟି ଲିଫ୍ଟ ରହିଥିବା ବେଳେ ୩ଟି ଲିଫ୍ଟ ଅଚଳ, ନୂତନ କ୍ୟାବିନ ବ୍ଲକରେ ୨ଟି ଲିଫ୍ଟ ଖରାପ, ଆଇସିୟୁ କୋଠାରେ ୨ଟି ଲିଫ୍ଟ ମଧ୍ୟରୁ ଗୋଟିଏ ଲିଫ୍ଟ ଅଚଳ, ନିଶା ନିବାରଣ କେନ୍ଦ୍ରର ନୂତନ କୋଠାରେ ୨ଟି ଲିଫ୍ଟ ଅଚଳ, ୪ ମହଲା ବିଶିଷ୍ଟ ପିଏମଆର କୋଠାରେ ୨ଟି ଲିଫ୍ଟ ମଧ୍ୟରୁ ଗୋଟିଏ ଲିଫ୍ଟ ଅଚଳ ହୋଇପଡ଼ିଛି । ମାସ ମାସ ଧରି ଏଭଳି ଲିଫ୍ଟ ଗୁଡ଼ିକ ଅଚଳ ହୋଇ ପଡ଼ିରହିଥିବା ଯୋଗୁଁ ରୋଗୀଙ୍କୁ କେତେବେଳେ ସିଢ଼ିରେ ନିଆଯାଇଥାଏ ତ ଆଉ କେତେବେଳେ ରୋଗୀର ସମ୍ପର୍କୀୟ ମାନେ ଷ୍ଟ୍ରେଚରରେ ସୁଆଇ ରାମ୍ପରେ ନେବାକୁ ପଡ଼ିଥାଏ । ଲିଫ୍ଟ ଅଚଳ ହୋଇ ପଡ଼ିରହିଥିବା ଯୋଗୁଁ ନାନା ସମସ୍ୟା ଉପୁଜୁଥିବା ବେଳେ ତୁରନ୍ତ ଅଚଳ ହୋଇ ପଡ଼ିରହିଥିବା ଲିଫ୍ଟକୁ ସଚଳ କରିବା ନିମନ୍ତେ ଦାବି କରିଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ।




ଏମକେସିଜି ମେଡ଼ିକାଲକୁ ୧୦ଟି ଜିଲ୍ଲା ରୋଗୀ ସମେତ ପୋଡ଼ଶୀ ଆନ୍ଦ୍ରପ୍ରଦେଶର ମଧ୍ୟ ରୋଗୀ ମାନେ ଚିକିତ୍ସା ସେବା ପାଇଁ ଆସିଥାନ୍ତି । ଉତ୍ତମ ଚିକିତ୍ସା ସେବା ପାଇବା ଅପେକ୍ଷା ଏଠାରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହୋଇ ଯିବାକୁ ପଡ଼ୁଛି । ରୋଗୀ ଓ ରୋଗୀର ସମ୍ପର୍କୀୟ ମାନଙ୍କ ସୁବିଧା ନିମନ୍ତେ ମେଡ଼ିକାଲର ବିଭିନ୍ନ କୋଠାରେ ଲିଫ୍ଟ କରାଯାଇଥିବା ବେଳେ ଏହାର ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉନାହିଁ । ଏହାଛଡ଼ା ପରବର୍ତ୍ତୀ ସମୟରେ ଲିଫ୍ଟ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର ସୁବିଧା ନା ରୋଗୀ ପାଉଛନ୍ତି ନା ତାଙ୍କ ସମ୍ପର୍କୀୟ । ଲିଫ୍ଟ ମରାମତି ନିମନ୍ତେ ମଧ୍ୟ ସ୍ବତନ୍ତ୍ର ଭାବେ କର୍ମଚାରୀ ମଧ୍ୟ ରଖାଯାଇଥିବା ବେଳେ କେହି ମଧ୍ୟ ଏହାର ମରାମତି କରିବା ନିମନ୍ତେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଆଉ ଏହି ଲିଫ୍ଟ ମରାମତି ନେଇ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବଧିକାର କର୍ମଚୀ ରବୀନ୍ଦ୍ର ମିଶ୍ର । ସେପଟେ ମେଡ଼ିକାଲର କିଛି କୋଠାରେ ଲିଫ୍ଟ ଗୁଡ଼ିକ ଅଚଳ ହୋଇଥିବା ବେଳେ ଏହାକୁ ମରାମତି କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି । ଯଦିଓ କିଛି ଲିଫ୍ଟ ସ୍ଥାନୀୟ ଇଞ୍ଜିନିୟର ଦ୍ବାରା ମରାମତି ହୋଇପାରୁନାହିଁ ତେଣୁ କିଛି ବାହାରୁ ଇଞ୍ଜିନିୟରଙ୍କୁ ମଧ୍ୟ ଡ଼କାଯାଇଛି । ଯାହାଫଳରେ କିଛି ଲିଫ୍ଟକୁ ମରାମତି କରିବା ନିମନ୍ତେ ବିଳମ୍ବ ହେଉଛି । ଏହାଛଡ଼ା ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ଲିଫ୍ଟର ବ୍ୟବହାର ସଠିକ୍‌ ଭାବେ କରୁନଥିବା ଯୋଗୁଁ ମଧ୍ୟ ଅନେକ ଲିଫ୍ଟ ଖରାପ ହୋଇପଡ଼ୁଛି ବୋଲି କହିଛନ୍ତି ମେଡ଼ିକାଲର ଅଧିକ୍ଷକ।

ଲିଫ୍ଟ ଅଚଳ ହେବା ସମସ୍ୟା ଏମକେସିଜି ମେଡ଼ିକାଲରେ ମାସ ମାସ ଧରି ଲାଗି ରହିଥିବା ବେଳେ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେଉଛି ତାହାକୁ ହିଁ ଅପେକ୍ଷା କରିଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ।

State

ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ । ଦିଲ୍ଲୀ ଏମସରେ ସଫଦରଜଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ପାଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା କାହଁରୀଙ୍କୁ ପୀଡ଼ିତା ଦେଇଥିବା ବୟାନରେ ସମ୍ପୂର୍ଣ୍ଣ ତଥ୍ୟା ଜଣାପଡ଼ିଥିବା ସୂଚନା ।


ତେଣୁ ପୁଲିସକୁ ଗୁରୁତ୍ବପୂର୍ଣ ପ୍ରମାଣ ହସ୍ତଗତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ସପ୍ତାହରେ ପୁଲିସ ରହସ୍ୟର ଉନ୍ମୋଚନ କରିବ। ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ୩ ଜଣ ଉଠାଇ ନେଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କୁ ସ କହିନଥିବା ପୁଲିସ ଆଗରେ ବୟାନ ଦେଇଛନ୍ତି ଛାତ୍ରୀ Iଫଳରେ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ବି ପ୍ରଶ୍ନ ଉଠିବା ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତକାରୀ ଅଧିକାରୀ ତଥା ଡିଏସ୍ ପି କଳ୍ପନାଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଗସ୍ତରେ ଯାଇ ଅନ୍ୟ ପ୍ରମାଣ ସଂଗ୍ରହ ଲାଗି ପଚରାଉଚରା କରାଯାଇଛି । ଏବେ ସ୍ଥାନୀୟ ଲୋକ, ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।

State

କନିଷ୍ଠ ଯନ୍ତ୍ରୀଙ୍କୁ ପାଣି ବଦଳରେ ପିଅନ ଦେଲେ ପରିସ୍ରା

Blog Thumbnail


ମୋହନା( ଦ କୁଇଭର ):- କନିଷ୍ଠ ଯନ୍ତ୍ରୀଙ୍କ ପାଣି ବୋତଲରେ ପରିସ୍ରା l ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକର RWSS କାର୍ଯ୍ୟାଳୟରେ l ଅଭିଯୋଗ ପ୍ରକାରେ ଗତ 23 ତାରିଖ ରାତିରେ ଆର -ଉଦୟଗିରି ବ୍ଲକ RWSS ର କନିଷ୍ଠଯନ୍ତ୍ରୀ ସଚିନ କୁମାର ଗୌଡ଼ଙ୍କ ପାଇଁ ସେହି କାର୍ଯ୍ୟାଳୟ ର ପିଅନ ଶିବ ନାରାୟଣ ନାୟକ ପିଇବା ପାଇଁ ବୋତଲରେ ପାଣି ଆଣିଥିଲେ ହେଲେ ସେହି ପାଣି ବଦଳରେ ଥିଲା ପରିସ୍ରା ।ଆଉ ପରିସ୍ରା ପିଇବା ପରେ କନିଷ୍ଠଯନ୍ତ୍ରୀ ଜଣକ ଅସୁସ୍ଥ ଅନୁଭବ କରିଥିଲେ । ଏବଂ ପରବର୍ତୀ ମୁହୁର୍ତରେ ଅସୁସ୍ଥ ହୋଇ ବ୍ରହ୍ମପୁର ବଡମେଡିକାଲରେ ଭର୍ତି ହୋଇଥିଲେ l ତେବେ ଜାଣିବାକୁ ପାଇଲେ ଯେ ସେହି ବୋତଲରେ ପରିସ୍ରା ମିଶାଯାଇଥିଲା l ତେବେ ଏନେଇ ସମ୍ପୃକ୍ତ ପିଅନଙ୍କ ବିରୁଦ୍ଧରେ ଆର - ଉଦୟଗିରି ଥାନାରେ ଏତଲା ଦେଇଥିଲେ l ଏନେଇ ଆର. ଉଦୟଗିରି ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ସତ୍ୟାସତ୍ୟ ପଦାକୁ ଆସିବବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

National,State

ଆଜିଠୁ ନୂଆ UPI ନିୟମ

Blog Thumbnail

ଦ କୁଇଭର ବ୍ୟୁରୋ :- ଉପୋଭୋକ୍ତା ତେବେ ଏହି ଖବର ଆପଣଙ୍କ ପାଇଁ । ଆଜିଠାରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ନିୟମରେ ବଡ ପରିବର୍ତ୍ତନ । ୟୁପିଆଇ ଟ୍ରାଞ୍ଜକ୍ସନକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ କରିଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) । ନୂତନ ନିୟମରେ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବା, ଅଟୋ ପେମେଣ୍ଟ୍, ବ୍ୟାଙ୍କ ଆକାଉଣ୍ଟ୍ ସୂଚନା ପାଇବା ଏବଂ ପେମେଣ୍ଟ୍ ସ୍ଥିତି ଯାଞ୍ଚ କରିବା ଭଳି ସେବା ଉପରେ ନୂଆ ନିୟମ ହୋଇଛି । NPCI କହିଛି ଯେ, UPIର ସ୍ଥିରତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ନୂତନ ନିୟମ ଅଣାଯାଇଛି।


ଅଗଷ୍ଟ 1ରୁ, UPI ଉପଭୋକ୍ତା ପ୍ରତ୍ୟେକ UPI ଆପରେ ଦିନକୁ କେବଳ 50 ଥର ସେମାନଙ୍କର ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିପାରିବେ। ଏହି ପ୍ରତିବନ୍ଧକଗୁଡ଼ିକ NPCIକୁ ବ୍ୟସ୍ତବହୁଳ ସମୟରେ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API) ସିଷ୍ଟମ ଉପରେ ଚାପ କମ୍‌ କରିବାରେ ସାହାଯ୍ୟ କରିବ। ଯଦିଓ NPCI ବାଲାନ୍ସ ଅନୁରୋଧ ଉପରେ ପ୍ରୟାସ ସଂଖ୍ୟାକୁ ସୀମିତ କରିଛି, ତଥାପି ପ୍ରତ୍ୟେକ ସଫଳ UPI କାରବାର ପରେ ଉପଭୋକ୍ତାମାନେ ଉପଲବ୍ଧ ଆକାଉଣ୍ଟ ବାଲାନ୍ସ ଦେଖିପାରିବେ। ନୂତନ ନିୟମରେ ଦୈନିକ UPI କାରବାର ଉପରେ ବୋଝ କମ କରିବା ପାଇଁ ସ୍ଥିର ସମୟ ମଧ୍ୟରେ ନିର୍ଦ୍ଧାରିତ ବିଲ୍ ପେମେଣ୍ଟ ପ୍ରକ୍ରିୟାକରଣ ମଧ୍ୟ ଅନ୍ତର୍ଭୁକ୍ତ। ବ୍ୟବସାୟୀମାନଙ୍କୁ ଅଟୋ ପେମେଣ୍ଟ କିମ୍ବା OTT, EMI କିମ୍ବା ମ୍ୟୁଚୁଆଲ୍ ଫଣ୍ଡ ନିବେଶ ପାଇଁ ମାସିକ ନିର୍ଦ୍ଧାରିତ ସ୍ଥାନାନ୍ତର ସକାଳ 10ଟା ପୂର୍ବରୁ କିମ୍ବା ରାତି 9:30 ପରେ ଅଣ-ଟ୍ରାଫିକ୍ ଘଣ୍ଟା ମଧ୍ୟରେ ହେବ। ଆଜି ଠାରୁ UPI ଉପଭୋକ୍ତାମାନେ ଦିନକୁ 25 ଥର ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପାଇପାରିବେ । ଉପୋଭୋକ୍ତାଙ୍କ ଯଦି କୌଣସି କାରଣରୁ ପେମେଣ୍ଟ ଅଧାରେ ରହିଯାଏ, ତେବେ ଏହାର ଷ୍ଟାଟସ ଦେଖିବା ଉପରେ ମଧ୍ୟ ପ୍ରତିବନ୍ଧ ଲାଗିବ । ଆପଣ କେବଳ 3 ଥର ହିଁ ପେମେଣ୍ଟର ଷ୍ଟାଟସ୍ ଯାଞ୍ଚ କରିପାରିବେ । ପ୍ରତ ଷ୍ଟାଟସ ଯାଞ୍ଚ ପାଇଁ 90 ସେକେଣ୍ଡର ବ୍ୟବଧାନ ରଖିବାକୁ ହେବ ।

State,Education

ଅଗଷ୍ଟ ୧ ରୁ ୭ଯାଏଁ ‘ଆସ ଯିବା ଅଙ୍ଗନବାଡ଼ି’ ଅଭିଯାନ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନେଇ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଇନ୍‌ଫ୍ରା ଆପ୍‌ ‘ୱସମ୍‌’ (ଅଙ୍ଗନବାଡ଼ି ୱେଲଫେୟାର୍‌ ଆଣ୍ଡ୍‌ ସର୍ଭିସ୍‌ ଓଭର୍‌ସାଇଟ୍‌ ମନିଟରିଂ ଏଭ୍‌ରିହୋୟାର)କୁ ଲୋକାର୍ପଣ କରିଛନ୍ତି। ଅଙ୍ଗନବାଡ଼ି ପରିସରରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖକୁ ସେ ‘ଆସ ଯିବା ଅଙ୍ଗନବାଡ଼ି’ ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନରେ ଲୋକମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡ଼ିର ଭିତ୍ତିଭୂମି, ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ। ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ିର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ସିଡିପିଓ ଓ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ୍‌ କୋ-ଅପରେସନ୍‌ ଆଣ୍ଡ୍‌ ଚାଇଲ୍ଡ ଡେଭେଲପ୍‌ମେଣ୍ଟ (ଏନ୍‌ଆଇପିସିସିଡି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା ଓଡ଼ିଶାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟ ହେବ ବୋଲି ଏନ୍‌ଆଇପିସିସିଡିର ଅତିରିକ୍ତ ନିର୍ଦ୍ଦେଶକ ସଂଘମିତ୍ରା ବାରିକ ମତ ପ୍ରକାଶ କରିଛନ୍ତି। ପ୍ରଥମ ଅଧିବେଶନରେ ବିତ୍ତ ପରାମର୍ଶଦାତା ଓ ସ୍ୱତନ୍ତ୍ର ସଚିବ ଏଲୋରା ମହାନ୍ତି ସିଡିପିଓମାନଙ୍କ ଭୂମିକା ଓ ଡିଡିଓ ହିସାବରେ ସେମାନଙ୍କ ଦାୟିତ୍ୱ, ପ୍ରତିଷ୍ଠାନର କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ଇତିଶ୍ରୀ ଦାସ ପେନ୍‌ସନ୍‌ ରୁଲ୍‌, ଲିଭ୍ ରୁଲ୍‌ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟଶୈଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ତୃତୀୟ ଅଧିବେଶନରେ ଅତିରିକ୍ତ ସଚିବ ଜ୍ୟୋତିଶଙ୍କର ମହାପାତ୍ର ପୋଶ ଆଇନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ।

State

ମହିଳା ଥାନାରେ ହାଜର ହେଲେ OAS ବାବୁ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବର ମହିଳା ଥାନାରେ ହାଜର ହେଲେ OAS ବାବୁ । OSDMA ରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ର ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ହାଜର ହୋଇଛନ୍ତି ଓଏଏସ୍ ବାବୁ । ଅଭିଯୋଗ ବାବଦରେ ତାଙ୍କୁ ପଚରାଉଚରା ଚାଲିଛି । ତାଙ୍କ ନାଁରେ ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱହୀନତା, ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ପୁଅ ଜନ୍ମ ପରେ ହସ୍ପିଟାଲ ବେଡରେ ସେମାନଙ୍କୁ ଛାଡ଼ି ପଳାଇଥିବା ଅଭିଯୋଗ କରିଥିଲେ ପତ୍ନୀ । ଏନେଇ ସେ ଭୁବନେଶ୍ବର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।

Education,National

ସେପ୍ଟେମ୍ବର ୯ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ

Blog Thumbnail

ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ୨୧ ଅଗଷ୍ଟ ଯାଏ ନାମାଙ୍କନପତ୍ର ଦାଖଲ ହେବ । ୨୨ ଅଗଷ୍ଟରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୨୫ ଅଗଷ୍ଟ । ୯ ସେପ୍ଟମ୍ବର ସକାଳ୧୦ରୁ ଅପରାହ୍ଣ ୫ ଯାଏ ଭୋଟିଂ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ସଂଖ୍ୟା ୭୮୮ । ଇଲେକ୍ଟୋରାଲ କଲେଜରେ ଅଛନ୍ତି ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ ଓ ୧୨ ମନୋନିତ ସଦସ୍ୟ ଏବଂ ୫୪୩ ଲୋକସଭାର ନିର୍ବାଚିତ ସଦସ୍ୟ ।କିନ୍ତୁ ରାଜ୍ୟସଭାରେ ୫ ଓ ଲୋକସଭାରେ ଗୋଟିଏ ଆସନ ଖାଲି ପଡିଛି ତେଣୁ ଭୋଟ ଦେବେ ୭୮୨ ଜଣ । ୨୧ ତାରିଖରେ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ । ୨୨ ତାରିଖରେ ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିଥିଲେ । ଏହା ପରେ ଖାଲି ପଡିଛି ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ୯ ତାରିଖରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି ।

State

ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Blog Thumbnail

ଦ କୁଇଭର ବ୍ୟୁରୋ :- ସକ୍ରିୟ ଘୁର୍ଣ୍ଣିବଳୟକୁ ନେଇ ଆହୁରି ୨୪ଘଣ୍ଟା ରାଜ୍ୟରେ ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା। ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି। ସକ୍ରିୟ ଘୁର୍ଣ୍ଣିବଳୟ ସହ ବାୟୁମଣ୍ଡଳରେ ଥିବା ମାତ୍ରାଧିକ ଜଳୀୟବାଷ୍ପ ଯୋଗୁ ସକାଳ ଅପେକ୍ଷା ଅପରାହ୍ନରେ ଅଧିକ ବର୍ଷା ରହୁଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଏହି ବର୍ଷାରେ ଘଡଘଡି ବା ବଜ୍ରପାତର ସମ୍ଭାବନା ଅଧିକ ରହୁଛି । ତେବେ ଆସନ୍ତା ୨୪ଘଂଟାରେ କେନ୍ଦୁଝର ମୟୁରଭଞ୍ଜ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡିର ସତର୍କତା ଦେଇଛି ପାଣିପାଗ ବିଭାଗ I ଯାହାକୁ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା କାଲି ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହିତ ଘଣ୍ଟାପ୍ରତି ଝଟକାପବନ 30-40 କିଲୋମିଟର ବେଗରେ ବହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯେଉଥିପାଇଁ ଏହି ସବୁ ଜିଲ୍ଲା କୁ ଏଲୋ ଆଲର୍ଟ ଜାରି କରିଛି ବିଭାଗ I ପୁଣି ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକାପବନର ବେଗ 30-40 କିଲୋମିଟର ବେଗରେ ବ‌ହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି I


State

ଜିଲ୍ଲା ଓ ଦୌରା ଜର୍ଜ ପରିସରରେ ନବନିର୍ମିତ ବିଭିନ୍ନ ଗୃହର ଶୁଭ ଉଦଘାଟନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଜିଲ୍ଲା ଓ ଦୌରା ଜର୍ଜ ପରିସରରେ ନବନିର୍ମିତ ବିଭିନ୍ନ ଗୃହର ଶୁଭ ଉଦଘାଟନ ହୋଇଛି।ବୁଧବାର ମଧ୍ୟାହ୍ନ ସମୟରେ ଜିଲ୍ଲା ଓ ଦୌରା ଜର୍ଜ ଡ଼ା.ଭାଗ୍ୟଲକ୍ଷ୍ମୀ ରଥ ଶୁଭ ଉଦଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲା ଓକିଲ ସଂଘର ଦୁଇ ବରିଷ୍ଠ ଆଇନଜୀବି ଶିଶିର ପାଢ଼ୀ ଓ କିଶୋର ବିଷୋୟୀ ରିବନ୍ କାଟିଥିଲେ।କୋର୍ଟ ପରିସରକୁ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ତିନୋଟି ବର୍ଗଙ୍କ ପାଇଁ ଶୌଚାଳୟ, ମାଆ- ଶିଶୁ କକ୍ଷର ଶୁଭ ଉଦଘାଟନ ହୋଇଛି। ଏହାଦ୍ଵାରା କୋର୍ଟ ପରିସରର ପରିମଳ ପରିଚ୍ଛନ୍ନତା ରହିବା ସହ ସମସ୍ତେ ଉପକୃତ ହୋଇପାରିବେ ବୋଲି ଆଇନଜିବୀ ମାନେ କହିଛନ୍ତି। ଶୁଭ ଉଦଘାଟନରେ କୋର୍ଟର ସମସ୍ତ ଜର୍ଜଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହାସହ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ସଭାପତି ମନୋଜ କୁମାର ପଟ୍ଟନାୟକ, ସଂପାଦକ ଟି. ଭେଙ୍କଟ ରାଓ, ଉପ ସଭାପତି ଟି.କେ ରେଡ୍ଡୀ, ସହ ସଂପାଦକ ଅସିତ କୁମାର ସାବତଓ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ସଞ୍ଜୀବ ପାଣିଗ୍ରାହିଙ୍କ ସମେତ ବହୁ ଆଇନଜିବୀ ଉପସ୍ଥିତ ରହି ସହଯୋଗ କରିଛନ୍ତି।

Health & lifestyle

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି

Blog Thumbnail

ଦ କୁଇଭର ବ୍ୟୁରୋ :- ଗୁଜୁରାତି ଏକ ଛୋଟ ସବୁଜ ରଙ୍ଗର ମସଲା,ଯେଉଁଥିରେ ଛୋଟ କଳା ମଞ୍ଜି ରହିଥାଏ l ବିଭିନ୍ନ ଖାଦ୍ୟରେ ସୁଗନ୍ଧ ଏବଂ ସ୍ୱାଦ ମିଶାଇବା ପାଇଁ ଗୁଜୁରାତି ବ୍ୟବହାର କରାଯାଏ l ଗୁଜୁରାତି ଏକ ଔଷଧୀୟ ଉଦ୍ଭିଦ ଭାବରେ ମଧ୍ୟ ଜଣାଶୁଣା, ଯାହାକୁ ଅନେକ ପ୍ରକାରର ରୋଗରେ ଶରୀର ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ | ଗୁଜୁରାତି ଭାରତରେ ମସଲାର ରାଣୀ ଭାବରେ ମଧ୍ୟ ଜଣାଶୁଣା | ପ୍ରାୟ ସମସ୍ତଙ୍କ ଘରେ ଗୁଜୁରାତିର ବ୍ୟବହାର କରାଯାଉଥିବା ଦେଖାଯାଏ । କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କୁ ଜଣା ନ ଥାଏ । କାର୍ବୋହାଇଡ୍ରେଟ୍‌, ଫାଇବର୍‌, କ୍ୟାଲସିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଲୌହ, ଫସଫସରସ୍ ତତ୍ତ୍ୱ ଥିବା ଏଇ ଗୁଜୁରାତି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ l ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଶରୀରରେ କୋଲେଷ୍ଟରଲ ସ୍ତର କମ୍ କରିଥାଏ ବୋଲି କୁହାଯାଏ । ଏହା ସିଷ୍ଟୋଲିକ ଓ ଡାଇଷ୍ଟୋଲିକ୍ କମ୍ କରିବାରେ ସହାୟକ ହୋଇଥାଏ ।ବ୍ଲଡ ପ୍ରେସରରେ ଏହାର ପ୍ରଭାବ ବି ରହିଛି । ଏହାର ପାଉଡର ଖାଇଲେ ଏହା ଶରୀରର ଚର୍ବି ଅଂଶ କମ୍ କରିଥାଏ । ନିୟମିତ ଗୁଜୁରାତି ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ନୁହେଁ ବୋଲି ଏକ ଗବେଷଣାରୁ ଜଣାପଡିଛି l ଗୁଜୁରାତି ତେଲର ବାମ୍ଫ ନେଲେ ସର୍ଦ୍ଦି, କାଶ ଓ ହୃଦ ସମସ୍ୟା ଦେଖାଦେଇ ନ ଥାଏ । ନିୟମିତ ଗୁଜୁରାତି ଚା’ରେ ବ୍ୟବହାର କଲେ ହୃଦରୋଗ ଓ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ । ଖାଇବା ପରେ ନିୟମିତ ଗୁଜୁରାତି ଚୋବାଇ ଖାଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ । ହଜମ ସମସ୍ୟା ଥିଲେ ପ୍ରତିଦିନ ସକାଳେ ଗୁଜୁରାତି ଚା’ ପିଇଲେ ଉପକାର ମିଳିଥାଏ । ଯେଉଁ ମାନଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଥାଏ ସେମାନେ ନିୟମିତ ଗୁଜୁରାତି ଖାଇଲେ ଭଲ । ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଗୁଜୁରାତି ପାଣି ପିଇବା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ବେଶ୍ ସହଜ ତଥା ସରଳ ଉପାୟରେ ଏହି ଗୁଜୁରାତି ପାଣିକୁ ପ୍ରସ୍ତୁତ କରିହେବ । ଗୋଟେ ଲିଟର ପାଣିରେ ୫ଟି ଗୁଜୁରାତିକୁ ପକାଇ ରାତିସାରା ରଖନ୍ତୁ । ସକାଳୁ ଏହି ପାଣିକୁ ଗରମ କରି ପିଅନ୍ତୁ । ଦିନ ଭିତରେ ୨-୩ଥର ଏହି ଗୁଜୁରାତି ପାଣି ପିଇବା ଅଭ୍ୟାସ କରନ୍ତୁ ।


ଫାଇବର ତତ୍ତ୍ୱ ମହଜୁଦ୍ ଥିବାରୁ ଗୁଜୁରାତି ଆମ ଶରୀରରେ କୋଲେଷ୍ଟରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ l ଗୁଜୁରାତି ପାଣି ପିଇଲେ ଉଚ୍ଚରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ । ବିଶେଷଜ୍ଞଙ୍କ ମତରେ ଗୁଜୁରାତି ରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ ତତ୍ତ୍ୱ ରକ୍ତଚାପ କମ୍ କରିବାରେ ରକ୍ତଚାପ ସାହାଯ୍ୟ କରେ । ଏପରିକି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଏକ ଔଷଧ ଭଳି କାମ କରିଥାଏ । ଖାଦ୍ୟକୁ ଭଲଭାବେ ହଜମ କରିବା ପାଇଁ ନିୟମିତ ଭାବେ ଗୁଜୁରାତି ପାଣି ସକାଳ ବେଳା ପିଇଲେ ତାହା କାମ କରେ । କେତେଜଣଙ୍କ ପେଟ ଜ୍ୱାଳାପଡା ହୁଏ , ସେମାନେ ଏହି ଗୁଜୁରାତି ପାଣି ପିଇଲେ ଉପଷମ ମିଳେ । ବର୍ତ୍ତମାନ ସମୟରେ ହୃଦଘାତ ବା ହୃଦଜନିତ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ତେଣୁ ହୃଦଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଦୁଇଟି ଗୁଜୁରାତି ଖାଇବା ଜରୁରୀ । ଗୁଜୁରାତିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଭରପୁର ଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରର ପୋଟାସିୟମ୍ ମାତ୍ରା ସନ୍ତୁଳିତ ରହିଥାଏ । ଗୁଜୁରାତି ଖାଇବା ଦ୍ୱାରା ଫୁସଫୁସରେ ରକ୍ତ ସଂଚାଳନ ସଠିକ୍‌ ଭାବରେ ହୋଇଥାଏ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରରୁ ଥଣ୍ଡା ମଧ୍ୟ କମ୍ ହୋଇଥାଏ । ଗୁଜୁରାତିକୁ ମାଉଥ୍ ଫ୍ରେସନର୍ ମଧ୍ୟ କୁହାଯାଏ । ଏହାକୁ ଖାଇବା ଦ୍ୱାରା ମୁହଁ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ । ଯଦି କୌଣସି ଯାତ୍ରା କରିବା ବେଳେ ଆପଣଙ୍କୁ ବାନ୍ତି ଲାଗୁଥାଏ ତେବେ ପାଟିରେ ଗୁଜୁରାତି ପକାଇ ରଖନ୍ତୁ । ସେହି ପରି ଯଦି ଭାବୁଛନ୍ତି ଯାତ୍ରାର ପୁରା ସମୟ ବାନ୍ତି ହେବ ତେବେ ପୁରା ରାସ୍ତା ପାଟିରେ ଗୁଜୁରାତି ପକାଇ ରଖନ୍ତୁ ।


ଗୁଜୁରାତି ଖାଇବା ଦ୍ୱାରା ଏଥିରେ ଥିବା ଗୁଣ ବିବାହ ପରେ ଯୌନ ଜୀବନକୁ ସୁଖମୟ ରଖିଥାଏ । ଏହା ସହ ନଂପୁସକତା ଦୂର ଲାଗି ଏହା ଲାଭଦାୟକ ହୋଇଥାଏ ।ଦାନ୍ତ ଘଷିବା ପରେ ମଧ୍ୟ କିଛି ଲୋକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ । ଏହାକୁ ଦୂର କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ମାଉଥ୍‌ ଫ୍ରେସନର ବ୍ୟବହାର କରିଥାନ୍ତି । କିନ୍ତୁ ସେଥିରୁ ମଧ୍ୟ କୌଣସି ଲାଭ ମିଳି ନ ଥାଏ । ଏତେ ସବୁ କରିବା ଅପେକ୍ଷା ଗୋଟିଏ ଗୁଜୁରାତି ଖାଇ ନିଅନ୍ତୁ । ଯାହାର ଫାଇଦା ଆପଣମାନେ ଜାଣି ପାରିବେ । ଆଜିକାଲି ଲୋକ ମାନଙ୍କର ପାଖରେ ପାଚକତନ୍ତ୍ରର ସମସ୍ୟା ସାଧାରଣ ହୋଇଗଲାଣି । ଏଭଳି ସମସ୍ୟା ଥିଲେ ପ୍ରତିଦିନ ଗୁଜୁରାତି ସେବନ କରନ୍ତୁ । ଏହା ଦ୍ୱାରା ପାଚକତନ୍ତ୍ର ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ଗଳା ଦରଜ ହେଉଥିଲେ ବା କାଶ ହେଉଥିଲେ ଗରମ ପାଣି ସହିତ ଗୋଟିଏ ଗୁଜୁରାତି, ଖଣ୍ଡେ ଅଦା,ଗୋଟିଏ ଲବଙ୍ଗ ଏବଂ ୩-୪ଟି ତୁଳସୀ ପତ୍ର ଖାଆନ୍ତୁ । ଏପରି କଲେ ଗଳାର ସମସ୍ୟା ଦୂର ହୋଇଥାଏ l

State

ସାଂସଦ ଓ ବିଧାୟକଙ୍କ ଶିକ୍ଷକ ବଦଳି ସୁପାରିସ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ

Blog Thumbnail

କଟକ( ଦ କୁଇଭର ):- ସାଂସଦ ଓ ବିଧାୟକଙ୍କ ଶିକ୍ଷକ ବଦଳି ସୁପାରିସ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ ପାରିବେ ବୋଲି ସରକାର ଘୋଷଣା କରିଥିଲେ । ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି । ସରକାରଙ୍କ ଏପରି ନୀତି ଦ୍ବାରା ଶିକ୍ଷକଙ୍କ ବଦଳି ପ୍ରସଂଗ ପ୍ରଭାବିତ ହୋଇଥିବା ଅଭିଯୋଗ କରି କଳାହାଣ୍ଡିର ଜିଲ୍ଲାର ଦୁଇ ଜଣ ଶିକ୍ଷକ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ।ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଏକତ୍ର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥି ସହିତ ଆବେଦନକାରୀ ଶିକ୍ଷକଙ୍କ ବଦଳି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।ଚାରି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସରକାରୀ ନିଷ୍ପତ୍ତି ଦ୍ବାରା ଆବେଦନକାରୀ ଶିକ୍ଷକ ପ୍ରଭାବିତ ହୋଇଥିବା ଦର୍ଶାଯାଇଥିଲା। ଏଭଳି ନୀତିଗତ ନିଷ୍ପତ୍ତି ନେବା ପାଇଁ ସରକାରଙ୍କ କ୍ଷମତା ନାହିଁ। ଏପରି ନିଷ୍ପତ୍ତି ମଧ୍ୟ ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନରେ ଦର୍ଶଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ପକ୍ଷରୁ ମେ’ ୧୩ରେ ପତ୍ର ମାଧ୍ୟମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏପରି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା।ସାଂସଦ ଓ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାର ଘୋଷଣା କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ମେ’ ୧୩ରେ ଏ ସଂକ୍ରାନ୍ତରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଜାରି କରାଯାଇଥିଲା। ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ବିଧାୟକ ଓ ସାଂସଦଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ବଦଳି ପ୍ରସ୍ତାବ ଦିଆଯିବା ପରେ ଜିଲ୍ଲାସ୍ତରୀୟ କମିଟି ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

Farming,State

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ଅନୁଧ୍ୟାନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଚଳିତ ବନ୍ୟାରେ ୩ ଜିଲ୍ଲାର ୮ଟି ବ୍ଲକ, ୮୧ଟି ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ବନ୍ୟାଞ୍ଚଳରେ ଫସି ରହିଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିପାଇଁ ୩ଟି ଜିଲ୍ଲାରେ ୨୯ଟି ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି । ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮୧ ଗାଁ'ର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାର ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।"

State

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

Blog Thumbnail

ଦ କୁଇଭର ବ୍ୟୁରୋ :- ତିନି ମାସ ବନ୍ଦ ରହିବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପକ୍ଷୀଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ମାସ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ଅନ୍ୟପଟେ ଶ୍ରାବଣ ମାସର ଦ୍ବିତୀୟାର୍ଦ୍ଧରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ କିଚିରି ମିଚିରି ଶବ୍ଦ ଚଳିତଥର ପର୍ଯ୍ୟଟକଙ୍କ ପାଇଁ ଆନନ୍ଦ ଆଣିଦେବ ବୋଲି ଆଶା କରାଯାଉଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କନିକା ରେଞ୍ଜ ଅଧିନରେ ମଠ ଆଡ଼ିଆ,ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆର ଅରଣ୍ୟ ଏବଂ ବୃକ୍ଷଲତାରେ ପର୍ଯ୍ୟାପ୍ତ ପରିମାଣର ଦେଶୀୟ ପକ୍ଷୀ (Country Bird) ବାସ କରନ୍ତି। ଗେଣ୍ଡାଳିଆ,ବଗ,ଦା ବେଣ୍ଟିଆ, କାପରଖାଇ, ଅଞ୍ଜନା ପ୍ରଭୃତି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ବାସ କରିଥାନ୍ତି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ କିଟ ପତଙ୍ଗ ସମେତ ଉଦ୍ୟାନକୁ ଲାଗିଥିବା ଚାଷ ଜମି ଏବଂ ଚିଙ୍ଗୁଡ଼ି ଘେରି ଗୁଡିକରୁ ଏମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି । ଯେଉଁଥିପାଇଁ ଏହି ପକ୍ଷୀ ଗୁଡିକ ଅନ୍ୟ କୌଣସି ସ୍ଥାନକୁ ନଯାଇ ଜାତୀୟ ଉଦ୍ୟାନକୁ ନିଜର ବାସସ୍ଥାନ ଭାବେ ବାଛି ନେଇଛନ୍ତି। ୨୦୨୪ ମସିହାରେ ଦେଶୀୟ ପକ୍ଷୀ ମାନଙ୍କ ପାଇଁ ଏକ ନୂତନ ସ୍ଥାନ ବାଲିଡ଼ିଆ ଠାବ କରାଯାଇ ମୋଟ ୧,୩୦,୧୨୩ଟି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ଚିହ୍ନଟ ହୋଇଥିବା ବେଳେ ୨୦୨୩ ସେପ୍ଟେମ୍ବର ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ଦେଶୀୟ ପକ୍ଷୀ ଗଣନା ଅନୁଯାୟୀ,ଜାତୀୟ ଉଦ୍ୟାନ ମଧ୍ୟସ୍ଥ ବିଭିନ୍ନ ସ୍ଥାନରୁ ୨୬,୧୧୮ଟି ବସା ଚିହ୍ନଟ ହୋଇଥିଲା । ସେଥିମଧ୍ୟରେ ମୋଟ ୧,୨୩,୮୬୭ ଟି ଦେଶୀୟ ପକ୍ଷୀଙ୍କୁ ଗଣନା କରାଯାଇଥିଲା ଯାହାକି ୨୦୨୨ ମସିହା ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଠାରୁ ୭୭୯୭ଟି ଅଧିକ ଥିଲେ। ୨୦୨୨ ଦେଶୀୟ ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ,୨୪୬୬୪ ଟି ବସାରୁ ମୋଟ ୧,୧୬,୦୭୦ଟି ପକ୍ଷୀଙ୍କୁ ଗଣନା କରାଯାଇଥିଲା।

International,National

ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ NISAR

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଆମେରିକୀୟ ସ୍ପେଶ ଏଜେନ୍ସି (NASA) ସଫଳତାର ସହିତ ଐତିହାସିକ ଲଞ୍ଚ ଭାବେ ଆଜି NASA-ISRO ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ଉପଗ୍ରହକୁ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଇସ୍ରୋର ଜିଓସିଙ୍କ୍ରୋନିସ୍‌ ସାଟେଲାଇଟ୍‌ ଲଞ୍ଚ ଯାନ (GSLV-F16) ସାହାଯ୍ୟରେ ଆଜି ସନ୍ଧ୍ୟା 5.40ଟାରେ ଲଞ୍ଚ କରାଯାଇଛି । ଲଞ୍ଚ ହେବାର ପ୍ରାୟ 20 ମିନିଟ୍‌ ମଧ୍ୟରେ ଏହା ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି । ଏହି ଉପଗ୍ରହଟି 743 କିଲୋମିଟର ଉପରେ ରହି ପୃଥିବୀ ଉପରେ ତୀକ୍ଷ୍ଣ ନଜର ରଖିବ । ଦୁଇଟି ମହାକାଶ ସଂସ୍ଥା ଦ୍ବାରା ମିଳିତ ଭାବରେ ବିକଶିତ, ଏହି ଅନନ୍ୟ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ 98.40 ଢଳାଇବା ସହିତ 743 କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥ (SSO)ରେ ପ୍ରବେଶ କରାଯିବ । ଏହି ଉପଗ୍ରହଟି ଦିନକୁ 14 ଥର ପୃଥିବୀ ପରିକ୍ରମା କରିବ ଏବଂ ପ୍ରତି 12 ଦିନରେ ଦୁଇଥର ପ୍ରାୟ ସମସ୍ତ ଗ୍ରହର ଭୂମି ଏବଂ ବରଫ ପୃଷ୍ଠକୁ ସ୍କାନ କରିବ ।