ଦ କୁଇଭର ବ୍ୟୁରୋ :- ଚାକିରି କେଳେଙ୍କାରୀ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଠି ଗିରଫକୁ ନେଇ ଯେତିକି ଚର୍ଚ୍ଚା ତାଙ୍କର ବୟାନକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । କେଳେଙ୍କାରୀ ପଛରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ଶଙ୍କରଙ୍କ ବୟାନ ପରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା ଚଳାଇଛି। ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପଛର ମାଷ୍ଟରମାଇଣ୍ଡ କିଏ ? ଶଙ୍କର ପୃଷ୍ଟି ଭଳି ଜଣେ ଲୋକ ଓ ତାର ସହଯୋଗୀ କଣ ଏତେ ବଡ କେଳେଙ୍କାରୀ କରିପାରିବେ? ଏହାକୁ ନେଇ ସମସ୍ତଙ୍କ ଭିତରେ କୌତୁହଳ ଲାଗି ରହିଥିବାବେଳେ ସାଂଘାତିକ ବୟାନ ଦେଇଛି ଶଙ୍କର । ଶଙ୍କର ସିଧା ସଳଖ ପୂର୍ବ ସରକାରକୁ କାଠ ଗଡାକୁ ଟାଣିଛି। କେଉଁ ଚାକିରି ପାଇଁ କେତେ ଟଙ୍କା ଡିଲ୍ ହୋଇଥିଲା ତାହା ସ୍ପଷ୍ଟ କରିନଥିଲେ ବି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଶଙ୍କର ପୃଷ୍ଟିର ବୟାନ ପରେ ବହୁ ନେତା ଓ ବାବୁଙ୍କ ଛାତିରେ ଛନକା ପଶିଛି । ସିବିଆଇ କାହା କବାଟ କେତେବେଳେ ବାଡେଇବ ସେ ନେଇ ଚିନ୍ତାରେ ପଡିଲେଣି । ସେପଟେ ଶଙ୍କରକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଆଜି କୋର୍ଟରେ ହାଜର ହେବ ଶଙ୍କର ପୃଷ୍ଟି । ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଏଯାଏଁ ୩ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ତଦନ୍ତକାରୀ ସଂସ୍ଥା । ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀକୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।






