Join Us To Make A Difference

The Drops💧

ଆଇନ ସେବା ପ୍ରାଧିକରଣ ପକ୍ଷରୁ 'ଜାତୀୟ ଆଇନ ସେବା ଦିବସ’ପାଳନ

ଆଇନ ସେବା ପ୍ରାଧିକରଣ ପକ୍ଷରୁ 'ଜାତୀୟ ଆଇନ ସେବା ଦିବସ’ପାଳନ
Published by:Jyotshna Kumari
#city

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ତତ୍ୱାବଧାନରେ ଆଇନ ସେବା ପ୍ରାଧିକରଣ ସଚିବଙ୍କ ପରିଚାଳନାରେ ରବିବାର ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ 'ଜାତୀୟ ଆଇନ ସେବା ଦିବସ’ ପାଳନ ହୋଇଯାଇଛି l ଏହି ଅବସରରେ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରୁ ଏକ ରାଲି ବାହାରି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରୋଡ଼ ଏବଂ ପୁଣି ଜିଲ୍ଲା କୋର୍ଟ ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା, ଯେଉଁଥିରେ ଜିଲ୍ଲାର ବହୁ ବିଚାରପତି, ପେନେଲ ଓକିଲ, ପାରଲିଗଲ ସ୍ବେଛାସେବୀ,ପିଏଲଏ ପିୟୁଏସ ସଦସ୍ୟ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ, କୋର୍ଟର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l


ଉଲ୍ଲେଖଯୋଗ୍ୟ, ୧୯୯୫ ମସିହା ନଭେମ୍ବର ୯ ତାରିଖରେ ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଗୃହୀତ ହୋଇଥିଲା। ସେହି ଦିବସକୁ ସ୍ମରଣୀୟ କରିବା ସହ ଦେଶବାସୀଙ୍କ ମଧ୍ୟରେ ଆଇନ ସଚେତନତାର ପ୍ରସାର ପାଇଁ ପ୍ରତି ବର୍ଷ ଏ ଦିବସ ପାଳିତ ହୋଇଆସୁଛି। ଦେଶର କିଛି ନିର୍ଦ୍ଧିଷ୍ଟ ବର୍ଗର ନାଗରିକ, ତାଙ୍କର ପରିଚୟ ଯାହା ହେଉ ନା କାହିଁକି, ପ୍ରତ୍ୟେକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ଏହି ଦିବସ ସମସ୍ତଙ୍କୁ ମନେ ପକାଇ ଦେଇଥାଏ। ବିଶେଷ କରି ଦଳିତ, ମହିଳା, ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପରି ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଠାରେ ଅନେକ ସମୟରେ ଆଇନଗତ ସଚେତନତା ନଥିବା ଦେଖିବାକୁ ମିଳିଥାଏ। ତେଣୁ ସେମାନଙ୍କୁ ସେମାନଙ୍କ ଅଧିକାର ଓ ମାଗଣା ଆଇନ ସେବା ସମ୍ପର୍କରେ ଅବଗତ କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ l

Comments

Leave a Comment

Comments

No comments yet.

Shree Jagannath

ଆଜି ପ୍ରଥମାଷ୍ଟମୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ l ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା'ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ 'ପଢୁଆଁ ହେବା' କହିଥାନ୍ତି I 'ପଢୁଆଁ' ଶବ୍ଦଟି 'ପ୍ରଥମା'ର ଅପଭ୍ରଂଶ । ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି । ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ)ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି । ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।

Education

ଫାଷ୍ଟକ୍ରାଏ ଇଣ୍ଟେଲି ଟୋଟସ ପ୍ରୀ ସ୍କୁଲ ଡେ କେୟାରର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଖେଳ ପଡ଼ିଆରେ ଫାଷ୍ଟ କ୍ରାଏ ଏଣ୍ଟେଲି ଟୋଟସ ପ୍ରି ସ୍କୁଲ ଡେ କେୟାର ର ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଆୟୋଜିତ ହୋଇଯାଇଛି । ନିର୍ଦ୍ଦେଶିକା ଡ.ମିତ୍ରବିନ୍ଦା ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କ୍ରିଡ଼ା ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ୱାଦିକ ଦେବହରି ବେହେରା ଓ କ୍ରୀଡା ପ୍ରଶିକ୍ଷକ ବିଶ୍ଵ ବନ୍ଧୁ ପାଢ଼ୀ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତି ପ୍ରତି ଯୋଗିତାର କୃତି ଶିଶୁ ପ୍ରତି ଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହି ପରୀ ଅଭିଭାବକ ମାନଙ୍କ ମଧ୍ୟରେ ଆୟୋଜିତ କ୍ରୀଡା ର ପୁରସ୍କାର ପ୍ରଦାନ କରାଯାଇଥିଲା ।ସ୍କୁଲ ର ବିଜନେସ ପାର୍ଟନର ଡ଼ା ସ୍ଵାତୀ ଦାସ ଏହି ଅବସରରେ ସ୍କୁଲ ବିଷୟରେ ସୂଚନା ଦେଇଥିଲେ । ସେଣ୍ଟର୍ ହେଡ ସରସ୍ଵତୀ ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ଯୋଗ କରିଥିଲେ । କାହୁଁ ରାଉତ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।

Politics

କାହାର ହେବ ନୂଆପଡ଼ା

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆ ନେତା ପ୍ରତୀକ୍ଷାରେ ନୂଆପଡ଼ା । ଦିନକ ପରେ ଇଭିଏମରୁ ଆସିବ ରାୟ । ୧୪ ତାରିଖ ଗଣନାକୁ ଏବେ ସମସ୍ତଙ୍କ ପ୍ରତୀକ୍ଷା । ଇଭିଏମରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଗଣତନ୍ତ୍ରର ଏହି ପର୍ବରେ ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ୮୧.୯୪ ପ୍ରତିଶତ ଭୋଟିଂ ହୋଇ ଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଥିବା ବେଳେ ଏବେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ । ଜଗି ରହିଛନ୍ତି ପୋଲିସ ଫୋର୍ସ । ଦିନକ ପରେ ଗଣନା ହେବ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି । ତିନି ଦଳ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି । ଜୟ ଢୋଲକିଆ, ସ୍ନେହାଙ୍ଗିନୀ ଛୁରିଆ ଓ ଘାସିରାମ ମାଝୀ ନିଜର ବିଜୟ ନେଇ ଆଶା ବାନ୍ଧିଛନ୍ତି ।

State

ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର SP

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡିଶା ହାଇକୋର୍ଟରେ ବ୍ରହ୍ମପୁର ନିର୍ବାଚନୀ ମାମଲାର ଆଜି ହୋଇଛି ଶୁଣାଣି, ଯେଉଁଥିରେ ଉପସ୍ଥିତ ରହି କ୍ଷମା ମାଗିଛନ୍ତି ବ୍ରହ୍ମପୁର ଏସପି । ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ବ୍ୟକ୍ତିଗତ ହlଜର ଓ ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତା ଅବମାନନା ନଚଲାଇବାକୁ କହିଛନ୍ତି ହାଇକୋର୍ଟ । ମାମଲା ବିଚାରଧୀନ ଥିବାବେଳେ ଏଭଳି ମନ୍ତବ୍ୟ ନଦେବାକୁ ଏସପିଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । ଏହାସହ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଡିଜିପିଙ୍କୁ ଅବଗତ କରାଇବାକୁ କୁହାଯାଇଛି ।

Crime

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ତାଙ୍କ ମାଆଙ୍କ ସହ DNA ଟେଷ୍ଟ ପରେ ସ୍ପଷ୍ଟ ହୋଇଛି । ପୁଲୱାମା କୋଇଲ ଗାଁର ମାଷ୍ଟରମାଇଣ୍ଡ ଡାକ୍ତର ଉମର ନବୀ ବିସ୍ଫୋରଣରେ ସାମିଲ ଥିଲା ।ବିସ୍ଫୋରଣ ହୋଇଥିବା ଗାଡିର ଖଣ୍ଡବିଖଣ୍ଡିତ ଅଂଶ, ଗୋଟିଏ କଟା ହାତ, ହାଡ ଓ ଦାନ୍ତ ଉଦ୍ଧାର କରିଥିଲେ ଫୋରେନସିକ୍ ଟିମ୍। ପରେ ନବୀଙ୍କ ମା ସମିମା ବାନୋଙ୍କ ଠାରୁ ସଂଗୃହିତ DNA ନମୁନା ସହ ମେଳ କରାଯାଇଥିଲା । ଯାହା ୧୦୦ ପ୍ରତିଶତ ମେଳ କରିଛି । ପରେ ବିସ୍ଫୋରଣ ଘଟାଇଥିବା ଗାଡିର ଚାଳକ ଉମର ନବୀ ଥିଲେ ବୋଲି ସ୍ପଷ୍ଟ ହୋଇଛି । ଗୁଲାମ ନବୀ ଭଟ୍ଟଙ୍କ ପୁଅ ଡାକ୍ତର ନବୀ ହରିୟାଣାର ଫରିଦାବାଦରେ ଥିବା ଅଲ-ଫାଲହ ମେଡିକାଲ କଲେଜରେ ମେଡିସିନ୍ ର ଜଣେ ସହକାରୀ ପ୍ରଫେସର ଥିଲେ । ସେ ଜୈଶ୍-ଏ-ମହମ୍ମଦ ସମର୍ଥିତ ଆତଙ୍କୀ ନେଟୱର୍କର ମୁଖ୍ୟ ସଦସ୍ୟ ଥିଲେ ।

Accident

ମାର୍ଲବା ଘାଟିରେ ଦୁର୍ଘଟଣା

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧିନ ମାର୍ଲବା ଘାଟିରେ ଏକ ହିଟାଚି ବୋଝଇ ଟ୍ରକ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି l ଦୁର୍ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତରଙ୍କୁ ଖଜୁରୀପଦା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଆର. ଉଦୟଗିରି ପଟରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ହିଟାଚି ବୋଝେଇ ଟ୍ରକ ମାର୍ଲବା ଘାଟିରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାହାଡ଼କୁ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା l ଫଳରେ ଟ୍ରକ୍ ଉପରେ ଲଦା ହୋଇଥିବା ହିଟାଚି ଡ୍ରାଇଭର କ୍ୟାବିନ ଉପରକୁ ମାଡ଼ିଯାଇ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା l ଟ୍ରକରେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା l ଘଟଣାସ୍ଥଳରେ ରାୟଗଡ଼ ପୁଲିସ, ରାୟଗଡ଼ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି l