ମାଲକାନଗିରି(ଦ କୁଇଭର):- ମାତ୍ର ୫ ହଜାର ଟଙ୍କା ପାଇଁ ଜଣେ ଠିକାଦାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଥିବା ପରି ସଂଗୀନ ଅଭିଯୋଗ ମୋଟୁ ଥାନାରେ ହୋଇଛି| ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଠିକାଦାର ଓ ତାଙ୍କର ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ଅନୁସନ୍ଧାନ ଆରମ୍ଭ କରିଥିବାର ସୂଚନା ମିଳିଛି|ମୋଟୁ ଥାନା ଅନ୍ତର୍ଗତ ଏମପିଭି ୮୧ ଗ୍ରାମର ଠିକାଦାର ଅନନ୍ତ ହାଲଦାର ଓ ସହ ଯୋଗୀ ସୁଜିତ ରାୟ ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଏମପିଭି -୧୦ ଗ୍ରାମକୁ ଆସି ବାପି ମଣ୍ଡଳ ନାମକ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଘରୁ ଜୋର ଜବରଦସ୍ତ ହାତ ବାନ୍ଧି ଏକ ବାଇକରେ ନିଜ ଘରକୁ ଅପହରଣ କରି ନେଇଯାଇଥିଲେ । ତେବେ ଶନିବାର ସକାଳୁ ବାପି ମରିଯାଇଛି ବୋଲି ଠିକାଦାର ଜଣଙ୍କ ଏମପି ଭି- ୧୦ ଗ୍ରାମର ଗାଁ ସଭାପତିଙ୍କୁ ଜଣାଇଥିଲେ |ଏହାପରେ ମୃତ ଯୁବକଙ୍କ ଅଜା ମୋଟୁ ଥାନାରେ ମୋ ନାତିକୁ ଠିକାଦାର ମାତ୍ର ୫ ହଜାର ଟଙ୍କା ପାଇଁ ଅପହରଣ କରି ହତ୍ୟା କରିଥିବାର ଅଭିଯୋଗ କରିଥିଲେ। ମୃତ ଯୁବକ ଜଣଙ୍କ ଠିକାଦାର ନିକଟରେ ରହି ଆନ୍ଧ୍ର ପ୍ରଦେଶରେ ଦାଦନ ଖଟୁଥିଲା| ମୃତ ଯୁବକ ଜଣଙ୍କ ୫ ହଜାର ଟଙ୍କା ଅଗ୍ରିମ ଆଣିଥିଲେ ମଧ୍ୟ ଆଉ ପରିଶୋଧ କରି ପାରି ନଥିଲା । ତେବେ ପୋଲିସ ଘଟଣାର ଛାନବିନ ଜାରି ରଖିଛି।
No comments yet.
State,Education
ଦ କୁଇଭର ବ୍ୟୁରୋ :- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ । ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଫିଡର ସ୍କୁଲ ଭାବରେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖା ଯାଇଛି ।ଯେଉଁ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବେ, ୨ ଏକରରୁ ଅଧିକ ଜମି ଉପଲବ୍ଧ ହେଉଥିବ, ଏବଂ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବ, ସେହି ସ୍କୁଲଗୁଡିକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ।ବୈଠକରେ ମୁଖ୍ୟମନ୍ତ୍ରୀ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ହେଡକ୍ୱାର୍ଟର୍ସରେ ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ନିର୍ମାଣ କରାଯିବ ଏବଂ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରେ ଜାତୀୟ ସ୍ତରୀୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ଏବଂ ଛାତ୍ରଛାତ୍ରୀଙ୍କ ଯିବା ଆସିବା ସୁବିଧା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଦୁର୍ଗମ ଓ ଦୂର ଅଂଚଳରେ ରହୁଥିବା ପିଲାଙ୍କ ଯିବା ଆସିବା ପାଇଁ ମାଗଣାରେ ପରିବହନ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।
ପର୍ଯ୍ୟାପ୍ତ ଜମି ଥିବା ସ୍କୁଲଗୁଡ଼ିକୁ ଚୟନ କରାଯାଇ, ଭବିଷ୍ୟତରେ ହାଇସ୍କୁଲ ସ୍ତରକୁ ଅପଗ୍ରେଡ୍ ପାଇଁ ଏହାକୁ ଉନ୍ନତିକରଣ କରାଯିବ, ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷା ଫଳାଫଳକୁ ଉନ୍ନତ କରିବା ଏବଂ ଶିକ୍ଷକ ଚୟନ ପ୍ରକ୍ରିୟାରେ ଉନ୍ନତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଭିତ୍ତିଭୂମିରେ ଉନ୍ନତି ଆଣିବା, ଆଧୁନିକ ଶିକ୍ଷାଦାନ ପଦ୍ଧତି ଗ୍ରହଣ କରିବା ଏବଂ ଅଭିଭାବକ, ପୂର୍ବତନ ଛାତ୍ର ଏବଂ ସ୍ଥାନୀୟ ଅଂଶୀଦାରଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ଜାତୀୟ ଶିକ୍ଷା ନୀତି ୨୦୨୦( NEΡ 2020 ) ସହିତ ସମନ୍ୱୟ ରଖି, ତୃତୀୟ ଶ୍ରେଣୀ ସୁଦ୍ଧା ମୌଳିକ ଶିକ୍ଷାଗତ ଦକ୍ଷତା ହାସଲ କରିବା ପାଇଁ ମୂଳଦୁଆ ସାକ୍ଷରତା ଏବଂ ସଂଖ୍ୟାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।ଏହି ବିଦ୍ୟାଳୟ ଗୁଡିକରେ STEM (Science, Technology, Engineering, and Mathematics) ପଦ୍ଧତିରେ ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷା ସହ ବୃତ୍ତିଗତ ଦକ୍ଷତା ଓ ଅଭିଜ୍ଞତାମୂଳକ ଶିକ୍ଷା ସମେତ ବହୁବିଧ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଛାତ୍ରଙ୍କ ସର୍ବାଙ୍ଗୀନ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ସୃଜନଶୀଳତା, ସମାଲୋଚନାମୂଳକ ଚିନ୍ତାଧାରା ଏବଂ ଜୀବନ କୌଶଳକୁ ଉତ୍ସାହିତ କରିବା ପାଇଁ ରାଜ୍ୟସରକାରଙ୍କ ପ୍ରୟାସ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା ।
ଉକ୍ତ ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ସ୍କୁଲ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ, ଶାଳିନୀ ପଣ୍ଡିତ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଯାମିନୀ ଷଡ଼ଙ୍ଗୀ, ଓସେପା ନିର୍ଦ୍ଦେଶିକା, ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
State,Health & lifestyle
ଦ କୁଇଭର ବ୍ୟୁରୋ :- ଅଗଷ୍ଟ ୧ ଠୁ ୭ ଯାଏଁ ପାଳିତ ହେଉଛି ବିଶ୍ବ ସ୍ତନ୍ୟପାନ ସପ୍ତାହ । ଶିଶୁ ପାଇଁ ସ୍ତନ୍ୟପାନ ସହଯୋଗକୁ ପ୍ରାଥମିକତା ଦେଇ ଓଡ଼ିଶା ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଏକ କର୍ମଶାଳା । ଚଳିତ ବର୍ଷର ଥିମ୍ ରହିଛି `ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ ତଥା ନିରନ୍ତର ସହାୟତା ପ୍ରଦାନର ବ୍ୟବସ୍ଥା କରନ୍ତୁ' ।
କୁହାଯାଏ ଯେ ମା’ କ୍ଷୀର ପିଲାମାନଙ୍କ ପାଇଁ ଅମୃତ ସଦୃଶ। ସ୍ତନ୍ୟପାନ ଶିଶୁ ପାଇଁ ପ୍ରଥମ ଟିକା ଭାବେ କାର୍ଯ୍ୟ କରିଥାଏ। ମା’ କ୍ଷୀର ଶିଶୁମାନଙ୍କ ପାଇଁ ଏକ ଆଦର୍ଶ ଖାଦ୍ୟ, କାରଣ ଏହା ଜୀବନର ପ୍ରଥମ ଛଅ ମାସରେ ଶିଶୁର ବୃଦ୍ଧି ଓ ବିକାଶ ପାଇଁ ସମସ୍ତ ଆବଶ୍ୟକ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ। ଏଥିରେ ଆଣ୍ଟିବଡି ଥାଏ ଯାହା ପାଚନ କ୍ରିୟାକୁ ବୃଦ୍ଧି କରିଥାଏ, ଅନେକ ମାରାତ୍ମକ ରୋଗରୁ ରକ୍ଷା କରେ। ଏହା ବ୍ୟତୀତ, ସ୍ତନ୍ୟପାନ ସଂକ୍ରମଣ, ଶ୍ୱାସକ୍ରିୟା ରୋଗ ଓ ଆଲର୍ଜି ପରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ମଧ୍ୟ ହ୍ରାସ କରିପାରିଥାଏ। ଏହି କାରଣରୁ, ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ, ଯାହାଦ୍ବାରା ଲୋକଙ୍କୁ ସ୍ତନ୍ୟପାନର ଗୁରୁତ୍ୱ ବିଷୟରେ ସଚେତନ କରାଯାଇପାରିବ। ଏହି ବିଶେଷ ସପ୍ତାହର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ କୁପୋଷଣରୁ ରକ୍ଷା କରିବା ଏବଂ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶକୁ ପ୍ରୋତ୍ସାହିତ କରିବା। ପରନ୍ତୁ ଆଜି ସାରା ବିଶ୍ୱରେ କେବଳ ୪୮ ପ୍ରତିଶତ ଶିଶୁ ଛଅ ମାସ ବୟସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ତନ୍ୟପାନ କରିପାରୁଛନ୍ତି। ଗତ ବାର ବର୍ଷ ମଧ୍ୟରେ ଏହି ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ରକ୍ଷା କରିଛି। ତଥାପି, ୨୦୨୫ ସୁଦ୍ଧା ୫୦ ପ୍ରତିଶତ ପିଲାଙ୍କୁ ସମ୍ପୂର୍ଣ୍ଣ ସ୍ତନ୍ୟପାନ ଯୋଗାଇବାର ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ପ୍ରୟାସ ଆବଶ୍ୟକ। ୟୁନିସେଫ୍ ତଥ୍ୟ ଅନୁଯାୟୀ, ସ୍ତନ୍ୟପାନ ହାରରେ ଉନ୍ନତି ଆଣି ପ୍ରତିବର୍ଷ ପ୍ରାୟ ୮.୨ ଲକ୍ଷ ପିଲାଙ୍କ ଜୀବନ ରକ୍ଷା କରାଯାଇପାରିବ। ଜରୁରିକାଳୀନ ପରିସ୍ଥିତିରେ ମଧ୍ୟ, ସ୍ତନ୍ୟପାନ ହେଉଛି ପିଲାମାନଙ୍କ ପାଇଁ ପୁଷ୍ଟିସାରର ସବୁଠାରୁ ନିରାପଦ ଓ ସୁଲଭ ଉତ୍ସ। ଏଥର ବିଶ୍ୱ ସ୍ତନ୍ୟପାନ ସପ୍ତାହର ମୂଳ ଲକ୍ଷ୍ୟ ହେଉଛି ‘ସ୍ତନ୍ୟପାନକୁ ପ୍ରାଥମିକତା’ ଦେବା। ଏହାର ଉଦ୍ଦେଶ୍ୟ ହେଉଛି ମା’ ଏବଂ ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା। ଏହି ବିଷୟବସ୍ତୁ ମା’ମାନଙ୍କୁ ସ୍ତନ୍ୟପାନ କରାଇବାକୁ ଉତ୍ସାହିତ କରିବା ସହିତ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରେ। ଡବ୍ଲୁ.ଏଚ୍.ଓ ଏବଂ ୟୁନିସେଫ୍ ଅନୁଯାୟୀ, ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ସ୍ତନ୍ୟପାନ ହେଉଛି ସର୍ବୋତ୍ତମ ଉପାୟ। ଏଥିରେ ଥିବା ପୁଷ୍ଟିକର ତତ୍ତ୍ୱ ପିଲାମାନଙ୍କୁ ଡାଇରିଆ ଓ ନିମୋନିଆ ଭଳି ରୋଗରୁ ରକ୍ଷା କରେ। ଏଥିସହିତ ମା’ମାନଙ୍କଠାରେ ସ୍ତନ କର୍କଟ, ଡିମ୍ବାଶୟ କର୍କଟ ଓ ମଧୁମେହର ଆଶଙ୍କା ମଧ୍ୟ ହ୍ରାସ କରେ।
Politics,State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ହେଲେ ଗଞ୍ଜାମ ଜିଲା ବିଜେଡ଼ି ସଭାପତି l ଏନେଇ ଵିଧି ବଦ୍ଧ ଭାବେ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l
Health & lifestyle
ଦ କୁଇଭର ବ୍ୟୁରୋ :- ବ୍ରହ୍ମପୁର mkcg ମେଡିକାଲ ରେ ଦେଖିବାକୁ ମିଳିଛି ପୁଣି ଅଭାବନୀୟ ଘଟଣା l ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଅକ୍ସିଜେନ୍ ପ୍ରଦାନ କରାଯାଉଛି। ଶିଶୁ ବିଭାଗ ଅଧୀନରେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ସୁପର ସ୍ପେସିଆଲୋଟି କୋଠାକୁ ଇକୋ ନିମନ୍ତେ ଅଣାଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ପୂର୍ବେ ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ଜଣ ଶିଶୁଙ୍କୁ ଅକ୍ସିଜେନ୍ ପ୍ରଦାନ କେତେ ଯୁକ୍ତିଯୁକ୍ତ ରହିଛି। ଶିଶୁ ବିଭାଗ ଡାକ୍ତରଙ୍କ ଏଭଳି ନିଷ୍ପତିରୁ ଉଭୟ ଶିଶୁ କେତେ ସୁରକ୍ଷିତ ?
State
କେନ୍ଦୁଝର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଜିଲ୍ଲା ପାଇଁ ବଡ ଘୋଷଣା କରିଛନ୍ତି । ଜିଲ୍ଲାରେ ପ୍ରସ୍ତାବିତ ମେଗା ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ଖୁବ୍ ଶୀଘ୍ର ଆରମ୍ଭ ହେବ । ଜିଲ୍ଲାର ସାମଗ୍ରିକ ବିକାଶ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିବା ସହ କେନ୍ଦୁଝର ସହରକୁ ଉନ୍ନତ ସହର ଯୋଜନା କରାଇବା ସହ ଟ୍ରାଫିକ ମୁକ୍ତ କରିବା ପାଇଁ ରିଙ୍ଗ୍ ରୋଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।ଜିଲ୍ଲାକୁ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ, ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିଥିଲେ। ପ୍ରମୁଖ ପଦକ୍ଷେପଗୁଡ଼ିକ ସମାପ୍ତ ହେବା ପରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି ।
ଜିଲ୍ଲାର ଆରାଧ୍ୟା ଦେବୀ ମାଁ ତାରିଣୀଙ୍କର ମନ୍ଦିରର ସୋନ୍ଦର୍ଯ୍ୟକରଣ କରିବା ପାଇଁ ୩୦୦କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ସହ ଜିଲ୍ଲାରେ ଅଧିକ ରୋଜଗାର ସୃଷ୍ଟି ପାଇଁ ବହୁ ପ୍ରତିକ୍ଷୀତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଦ୍ଵିତୀୟ ସୋପାନରେ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହାସହ ସହ ଜିଲ୍ଲାରେ ଆହୁରି ସାତୋଟି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଲୋଚନା ଚାଲିଥିବା ଜିଲ୍ଲା ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । କେନ୍ଦୁଝରରେ ଖୁବ୍ଶୀଘ୍ର ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ପ୍ରସ୍ତୁତି ଅଗ୍ରୀମ ପର୍ଯ୍ୟାୟରେ ଅଛି । ପ୍ରକ୍ରିୟା ଦୁଇ ପାଦ ଆଗକୁ ବଢ଼ିଛି ଏବଂ ସମ୍ପୃକ୍ତ କମ୍ପାନୀ ଆବଶ୍ୟକ ପାଣ୍ଠି ଜମା କରିଛି," ବୋଲି ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜମି ଅଧିଗ୍ରହଣ ଖୁବ୍ଶୀଘ୍ର ଆରମ୍ଭ ହେବ ଏବଂ ତା’ପରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । "କେଉଁଝର ଜିଲ୍ଲା ବହୁ ଦିନ ଧରି ଅବହେଳିତ ଥିଲା । ଭଗବାନ ଜଗନ୍ନାଥ, ଏବଂ ମା’ ତାରିଣୀ ଆମକୁ ଜିଲ୍ଲାକୁ ବିକାଶ ପଥରେ ଆଗକୁ ନେବା ପାଇଁ ଆଶୀର୍ବାଦ ଦେଇଛନ୍ତି । ଜିଲ୍ଲାର ବିକାଶ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ବିଧାୟକମାନଙ୍କ ଉପସ୍ଥିତିରେ ଆଜି ବିକାଶ କାର୍ଯ୍ୟ ଏବଂ ଭିତ୍ତିଭୂମି ନିର୍ମାଣ ସହିତ ଶିଳ୍ପାୟନ ଉପରେ ଆଲୋଚନା କରାଯାଇଥିଲା," ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
State,Business
ବ୍ରହ୍ମପୁର( ଦ କୁଇଭର ) :- ବ୍ରହ୍ମପୁର ଆସ୍କା ରୋଡ୍ ମୟୁରୀ ବିହାର ଚତୁର୍ଥ ଗଳିର ଅନୁରାଗ ମିଶ୍ର ସାଇବର କ୍ରାଇମ୍ ପୋଲିସ ଷ୍ଟେସନ୍ରେ ଗତ ୨ ତାରିଖରେ ରିପୋର୍ଟ କରିଛନ୍ତି ଯେ ସେ ବ୍ୟାଙ୍କିଂ ଚ୍ୟାନେଲ୍ ମାଧ୍ୟମରେ ଉଚ୍ଚ ରିଟର୍ଣ୍ଣ ଆଶା କରି ଆର୍ଥିକ ନିବେଶ ସହିତ ଜଡିତ ଏକ ଠକେଇର ଶିକାର ହୋଇଛନ୍ତି ଏବଂ ଏହି ଅପରାଧରେ ସେ ଅନିଲ କୁମାର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୯ କୋଟି ଟଙ୍କା ହରାଇଛନ୍ତି l ପ୍ରଥମେ ତାଙ୍କ ବିଶ୍ୱାସ ଜିତିବା ପାଇଁ ଛୋଟ ଲାଭକୁ ଅନୁମତି ଦେଖାଇ, ତାଙ୍କୁ ଏକ କୋଟିରୁ ଅଧିକ ନିବେଶ ପାଇଁ ଭଲ ରିଟର୍ଣ୍ଣ ପ୍ରଦାନ କରାଯାଇଥିଲା ଯାହା ଫଳରେ ଅଭିଯୋଗକାରୀ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଟ୍ରେଡିଂ ଆକାଉଣ୍ଟ୍ରେ ୯ କୋଟି ଟଙ୍କା ନିବେଶ କରିଥିଲେ।
ସୂଚନା ପ୍ରକାରେ,ଗତ ୨୯.୪.୨୦୨୪ ରେ ଅଭିଯୋଗକାରୀ ତାଙ୍କ ଆକାଉଣ୍ଟରୁ ଟଙ୍କା ସ୍ଥାନାନ୍ତର କରି ୨,୦୦,୦୦୦/- ଟଙ୍କା ନିବେଶ କରିଥିଲେ। ତୁରନ୍ତ ତିନୋଟି ଭିନ୍ନ କାରବାର ମାଧ୍ୟମରେ ଅଭିଯୋଗକାରୀଙ୍କ ଉକ୍ତ ଚଳନ୍ତି ଆକାଉଣ୍ଟରେ ୨,୨୬,୦୦୦/- ଟଙ୍କା ଜମା କରାଯାଇଥିଲା ଯାହା ତାଙ୍କୁ ଅନିଲ କୁମାର ମିଶ୍ରଙ୍କ ଯୋଜନା ଏବଂ ସଚ୍ଚୋଟତା ଉପରେ ବିଶ୍ୱାସ କରାଇଥିଲା। ଏହି ପ୍ରାରମ୍ଭିକ ସଫଳତା ଉପରେ ନିର୍ଭର କରି ସେ ନିବେଶ କରି ଚାଲିଥିଲେ ଏବଂ ଏହିପରି ଅଭିଯୋଗକାରୀଙ୍କ ଦ୍ୱାରା ମେ-୨୦୨୪ ରୁ ୧୧.୪.୨୦୨୫ ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ମାଧ୍ୟମରେ ବିଭିନ୍ନ ତାରିଖରେ ତାଙ୍କ ICICI ବ୍ୟାଙ୍କ ଆକାଉଣ୍ଟରୁ କେବଳ ବ୍ୟାଙ୍କ କାରବାର ମାଧ୍ୟମରେ ମୋଟ ୯,୭୧,୫୫,୦୭୩/- ଟଙ୍କା ନିବେଶ କରାଯାଇଥିଲା। ଯଦିଓ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ, ସେ ଅଭିଯୁକ୍ତ ବ୍ୟକ୍ତିଙ୍କଠାରୁ "ଫେରସ୍ତ" ଭାବରେ ପ୍ରାୟ ୩ କୋଟି ଟଙ୍କା ପାଇଥିଲେ, କିନ୍ତୁ ୧୧.୪.୨୦୨୫ ପରେ ପୀଡିତ ଅଭିଯୋଗକାରୀଙ୍କ ଠାରୁ କୌଣସି ଟଙ୍କା ପାଇ ନଥିଲେ। ସେ ଜାଣିପାରିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି ଏବଂ ବ୍ରହ୍ମପୁରର ସିସି ଏବଂ ଇଓ ପିଏସରେ ରିପୋର୍ଟ କରିଥିଲେ। ରିପୋର୍ଟକୁ ଆଧାର କରି ତଦନ୍ତ ସମୟରେ, ଜଣାପଡିଲା ଯେ ଅଭିଯୁକ୍ତ କେବଳ ବିଭିନ୍ନ ବାଣିଜ୍ୟିକ ଆପ୍ସରେ ଟଙ୍କା ବିନିଯୋଗ କରୁଥିଲେ ଏବଂ ତାଙ୍କର ଲାଭର କିଛି ଟଙ୍କା ଫେରସ୍ତ ଭାବରେ ଦେଉଥିଲେ। କିନ୍ତୁ ସେ ଟଙ୍କା ହରାଇଲେ ଏବଂ ଆଉ କିଛି ଫେରସ୍ତ କରିପାରିଲେ ନାହିଁ। ଅଭିଯୁକ୍ତଙ୍କ ବୟାନର ସତ୍ୟତା ଯାଞ୍ଚ କରିବା ପାଇଁ ତଦନ୍ତ ଚାଲିଥିବା ସୂଚନା ମିଳିଛି l ତେବେ ଅଭିଯୁକ୍ତ କୋଦଳା ଥାନା ଅଞ୍ଚଳର ହୋଇଥିବାବେଳେ ୪ଟି ମୋବାଇଲ୍ ସହ ୪ଟି ବ୍ୟାଙ୍କ ଖାତା ଜବତ କରାଯାଇଛି l
ତେବେ ବାରମ୍ବାର ସାମାଜିକ ଗଣମାଧ୍ୟମ ଏବଂ ମେସେଜିଂ ଆପ୍ସରେ ଅବାଞ୍ଛିତ ନିବେଶ ପ୍ରସ୍ତାବ ଏବଂ ଡିଜିଟାଲ୍ ଗିରଫଦାରୀ ବିରୁଦ୍ଧରେ ସତର୍କ ରହିବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଉଛି। ସାଇବର ଠକେଇର ଶିକାର ନହେବା ପାଇଁ ନିବେଶ କରିବା ପୂର୍ବରୁ ସର୍ବଦା ଏପରି ଯୋଜନାଗୁଡ଼ିକର ସତ୍ୟତା ଯାଞ୍ଚ କରନ୍ତୁ, କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କ୍ଷେତ୍ରରେ, ତୁରନ୍ତ 'ସାଇବର ହେଲ୍ପଲାଇନ୍ ୧୯୩୦' କୁ ରିପୋର୍ଟ କରନ୍ତୁ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନ ଯିବାପାଇଁ ପରାମର୍ଶ ଵା ସତର୍କ ବାଣୀ ଦିଆଯାଏ, ତଥାପି ବାରମ୍ବାର ଲୋଭର ଶିକାର ହୁଅନ୍ତି ଜନତା ତେଣୁ ଆଗକୁ ସତର୍କ ରହିବାକୁ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି l
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହରର କେନ୍ଦ୍ର ସ୍ଥଳି ପୁରୁଣା ବସଷ୍ଟାଣ୍ଡରେ ନିର୍ମିତ ଆହାର କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ବିଧାୟକ କେ.ଅନିଲ କୁମାର । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ, କମିଶନର ପ୍ରଥମେସ ଅରବିନ୍ଦ ରାଜସିର୍କେ ଉପସ୍ଥିତ ଥିଲେ। ପୁରୁଣା ବସଷ୍ଟାଣ୍ଡରେ ସାଧାରଣ ଯାତ୍ରୀଙ୍କ ପାଇଁ ପୂର୍ବରୁ ନିର୍ମିତ ହୋଇଥିବା ଆହାର କେନ୍ଦ୍ର ସ୍ଥାନରେ କାର ପାର୍କିଂ ପାଇଁ ମଲ୍ଟି ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ନିର୍ମାଣାଧୀନ ରହିଛି । ଫଳରେ ସେହି ସ୍ଥାନରେ ଥିବା ଅସ୍ଥାୟୀ ଭାବେ ଆହାର କେନ୍ଦ୍ରଟି ଚାଲୁ ରହିଥିଲା । ତେବେ ଲୋକଙ୍କ ଆହାର କେନ୍ଦ୍ରକୁ ଯିବା ଆସିବାରେ ଅସୁବିଧା ହେବା ଅଭିଯୋଗ ପରେ ପୁରାତନ ଆହାର କେନ୍ଦ୍ରକୁ ମଲ୍ଟି କାର ପାର୍କିଂ କମ୍ପ୍ଲେକ୍ସ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଆହାର କେନ୍ଦ୍ରଟି ରାସ୍ତା କଡ଼ରେ ନିର୍ମାଣ ହେବା ଫଳରେ ଅଧିକରୁ ଅଧିକ ଆହାର କେନ୍ଦ୍ରର ସୁବିଧା ପାଇପାରିବେ ବୋଲି ବିଧାୟକ କେ.ଅନିଲ କୁମାର ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ସାଂସଦଙ୍କ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାଙ୍କ ସମେତ ବହୁ କର୍ପୋରେଟର ଅଂଶ ଗ୍ରହଣ କରିଥିଲେ ।
State
ଦ କୁଇଭର ବ୍ୟୁରୋ :- ଶେଷଯାତ୍ରାରେ ବଳଙ୍ଗା ପୀଡ଼ିତା । ଆଜି ନିଜ ଗାଁରେ ହେବ ଶେଷକୃତ୍ୟ । ଦିଲ୍ଲୀରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୀଡ଼ିତାଙ୍କ ଗାଁ ବାୟାବରକୁ ମୃତଦେହ ନିଆଯାଇଛି । ସ୍ବତନ୍ତ୍ର କାରକେଡ ଜରିଆରେ କଡା ସୁରକ୍ଷାରେ ଭୁବନେଶ୍ବରୁ ବଳଙ୍ଗା ନିଆଯାଇଥିଲା । ଆଜି ସକାଳୁ ତାଙ୍କର ଶେଷକୃତ୍ୟ ହେବ ସହ ପୀଡ଼ିତାଙ୍କୁ କବର ଦିଆଯିବ । ହସ୍ପିଟାଲ ବେଡରେ ୧୫ଦିନ ଧରି ମୃତ୍ୟୁ ସହ ଲଢ଼େଇ କରି କରି ନାବାଳିକା ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମ ଦିନରୁ ତାଙ୍କୁ ତିନି ଜଣ ଜାଳି ଦେଇଥିବା ପୀଡ଼ିତା କହିଥିଲେ । ପୀଡ଼ିତାଙ୍କ ବୟାନ ଆଧାରରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ତିନି ଦୁବୃର୍ତ୍ତ ଝିଅର ମୁହଁରେ ରୁମାଲ ବାନ୍ଧି ଅଚେତ କରି କିରୋସିନ୍ ଢ଼ାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଦର୍ଶାଯାଇଥିଲା । ପୁଲିସ ସେହି ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଡିଜି ନିଜେ ଯାଇ ପରିବାର ଲୋକଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚୁରା କରିଥିଲେ । ଭୁବନେଶ୍ବର ଏମ୍ସରେ ମାଜିଷ୍ଟ୍ରେଟଙ୍କ ସାମନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ତାପରେ ଦିଲ୍ଲୀ ଏମ୍ସରେ ତଦନ୍ତକାରୀ ପୁଲିସ ଅଧିକାରୀ ବୟାନ ରେକର୍ଡ କରିଥିଲେ । କିନ୍ତୁ ଏବେ ପୁଲିସ କହିଛି ଏହି ଘଟଣାରେ କାହାର ସମ୍ପୃକ୍ତି ଥିବା ଜଣାପଡିନାହିଁ । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
State
ଦ କୁଇଭର ବ୍ୟୁରୋ :- ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ଶୈବପୀଠରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଷେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, କଟକର ଧବଳେଶ୍ବର, ନୀଳଗିରିର ପଞ୍ଚଲିଙ୍ଗେଶ୍ବର ଢେଙ୍କାନାଳର କପିଳାସ ମନ୍ଦିର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ । ସବୁ ଶିବାଳୟରେ ଏଥିପାଇଁ ଖାସ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କର ଭିଡ଼ ଜମିଛି । ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ । ସେହିପରି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ଼ ଲାଗିଛି । ଲିଙ୍ଗରାଜ ମନ୍ଦିର ବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ୱର, ମେଘେଶ୍ୱର, ବ୍ରହ୍ମେଶ୍ୱର ଭଳି ଶିବାଳୟରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି । ଢେଙ୍କାନାଳର କପିଳାସରେ ବି ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
State
ଦ କୁଇଭର ବ୍ୟୁରୋ :- ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୬୦.୮ ମିମି, ଖୋର୍ଧାରେ ୪୮ ମିମି, କେନ୍ଦ୍ରାପଡ଼ାରେ ୪୧.୮ ମିମି ଓ ରାଜଧାନୀ ଭୁବନେଶ୍ବରରେ ୨୫.୬ ମିମି ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ବି ଅଳ୍ପ ବହୁତ ବର୍ଷା ହୋଇଯାଇଛି। ମୌସୁମୀ ଟ୍ରଫ୍ ଏବେ ହାରାହାରି ସମୁଦ୍ର ପତ୍ତନରେ ଅମୃତସର, ଚଣ୍ଡିଗଡ଼, ଶାହାଜାହାନପୁର, ଲକ୍ଷ୍ନୌ, ବାଙ୍କୁରା ଦେଇ ଦକ୍ଷିଣ-ପୂର୍ବ ଦିଗରେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଅଞ୍ଚଳକୁ ଗତି କରୁଛି। ଫଳରେ ରାଜ୍ୟରେ ବର୍ଷା ଜାରି ରହିବା ସହ ଆସନ୍ତା ୭ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଓ ପ୍ରଭାବ ବଢ଼ିବ। ୭ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ।
State
ଦ କୁଇଭର ବ୍ୟୁରୋ:- ଲଗାଣ ବର୍ଷା ହେଉ କିମ୍ବା ଅଦିନିଆ ବର୍ଷା, ସ୍ୱଳ୍ପ ବର୍ଷା ମଧ୍ୟରେ ବେହାଲ ହୋଇଯାଏ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ସହର l ଅଳ୍ପ ବର୍ଷାରେ ଖୁଦ୍ର ବନ୍ୟା ସୃଷ୍ଟି ହୁଏ ବ୍ରହ୍ମପୁର ସହରରେ l ତଳଠୁ ତଳିପା ସବୁଠି ପାଣି l ଯେକୌଣସି କାର୍ଯ୍ୟାଳୟ ଗୃହ ହେଉ କିମ୍ବା ମେଡିକାଲ ଅଥବା ବିଏମସି କାର୍ଯ୍ୟାଳୟ ସବୁଠି, ସ୍ୱଳ୍ପ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ l ଲୋକଙ୍କ କାମ ହେବ କ'ଣ,କାଗଜ ପତ୍ର ପାଣିରେ ଭାସିବାରେ ଲାଗୁଛି l ରାସ୍ତାଘାଟ କଥା ତ ନ କହିବା ଭଲ l ଯେଉଁ ଆଡେ ଦେଖ ଆଣ୍ଠୁଏ ଆଣ୍ଠୁଏ ପାଣି l ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଛି, ବାଧାପ୍ରାପ୍ତ ହେଉଛି ଅନେକ କାର୍ଯ୍ୟଳୟ କାମ.. ଆଉ ସବୁଠୁ ଠପ ହୋଉଛି ମେଡିକାଲ ସ୍ଥାନ l ରୋଗୀ,ଡାକ୍ତର ଦେଖେଇବେ କ'ଣ,ବର୍ଷା ପାଣି ଦେଖି ଛାନିଆ ହୋଉଛନ୍ତି l ସହରରେ ଅନେକ ସାହିରେ ଥିବା ଘର ଗୁଡିକରେ ତ ବର୍ଷା ପାଣି ପଶି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l
ଏସବୁର ସମାଧାନ କେବେ ହେବ ? କେବେ ସହରର ଡ୍ରେନେଜ ସିଷ୍ଟମ ସୁଧୁରିବ ? କେବେ ସିଂହାସନ ହାତେଇଥିବା ବଡ଼ ବାବୁଙ୍କ ନିଦ ଭାଙ୍ଗିବ ? ଏମିତି ପ୍ରଶ୍ନ ଭିତରେ ଅଛନ୍ତି, ବ୍ରହ୍ମପୁର ବାସୀ, ଯେଉଁମାନେ ପ୍ରତିଦିନ ଏଭଳି ସମସ୍ୟା ଘେରାରେ ସମୟ କାଟୁଛନ୍ତି l ଦିନ ପରେ ଦିନ, ବର୍ଷେ ପରେ ବର୍ଷ ବିତିଚାଲିଛି l ୨୪ ବର୍ଷର ବିଜେଡି ସରକାର ଯାଇ ୧୩/୧୪ ମାସର ବିଜେପି ସରକାର ଆସିଲେଣି, ପୁରାତନ ପ୍ରଶାସନିକ ଅଧିକାରୀ ଯାଇ ନୂତନ ଅଧିକାରୀ ଆସିଲେଣି, କିନ୍ତୁ ମିଳୁଛି କେବଳ ପ୍ରତିଶୃତି, ଆଜି,ହେବ କାଲି କହି ବର୍ଷ ବର୍ଷ ଗଡି ଚାଲିଛି ସିନା କାର୍ଯ୍ୟ ଶୂନ l ଏବେ ମଧ୍ୟ ସହର ବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ,ସୁଧୀରିବ ତ ସହରର ଡ୍ରେନେଜ ସିଷ୍ଟମ ସମାଧାନ ହେବ ତ ଏ ଜଳ ବନ୍ଦୀ ସମସ୍ୟା ନା ଅଂଚଳବାସୀଙ୍କ ସ୍ବପ୍ନ ସ୍ୱପ୍ନରେ ରହିଯିବ,ମିଳିଥିବା ପ୍ରତିଶୃତି ପାଣିର ଗାର ହେଇଜିବନୀ ତ ! ଏସବୁ ସମସ୍ୟା ପ୍ରତି ପ୍ରଶାସନ ସଚେତନ ହେବା ପାଇଁ ଅନୁରୋଧ l
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣୀବନ୍ଧ ସାହି ନିକଟରେ ଥିବା ଶାସ୍ତ୍ରୀ ନଗରର ଏସ. ରୁନା ଅଚାରୀ ନାମଙ୍କ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତିମାନଙ୍କୁ ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ରୁନା ନିଜ ଘରେ ଥିବା ସମୟରେ କିଛି ବ୍ୟକ୍ତି ଘରେ ପଶି ତାଙ୍କୁ ଗୁଳିମାଡ଼ କରିଥିବା ଜଣାପଡିଛି। ମେଡିକାଲରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣ ବିବେକ ଏମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି l
State
ବ୍ରହ୍ମପୁର( ଦ କୁଇଭର ):- ଦିନକୁ ଦିନ ସୋସିଆଲ ମିଡ଼ିଆର କ୍ରେଜ ଯେଉଁ ମାତ୍ରାରେ ବଢ଼ି ଚାଲିଛି, ଲୋକମାନେ ମଧ୍ୟ ସେତିକି ମାତ୍ରାରେ ଅଧିକ ବୁଦ୍ଧି ଖଟେଇ ନିଜକୁ ଚତୁର ବୋଲି ଭାବିଦିଅନ୍ତି କିନ୍ତୁ ସେମାନେ ଭୁଲିଯାନ୍ତି,ଆଇନ - ନା କେଉଁ ଅଭିଯୁକ୍ତକୁ କାହାକୁ ଛାଡ଼ିଛି ନା ଆଗକୁ କାହାକୁ ଛାଡିବ l ଆମେ କହୁଛୁ ବ୍ରହ୍ମପୁର ଅଂଚଳରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା କଥା l ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଦ୍ୱାରା ଜଣେ ଯୁବକଙ୍କୁ ଗିରଫ କରାଯାଇଛି l ଜଣେ ମହିଳାଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ କରି ସମାଜରେ ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ସେହି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଶ୍ଳୀଳ ଏବଂ ଅଶ୍ଳୀଳ ବିଷୟବସ୍ତୁ ପୋଷ୍ଟ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ l ଗତ ୧ ଅଗଷ୍ଟ ତାରିଖରେ ଗୋପାଳପୁର ଅଞ୍ଚଳର ଜଣେ ୨୮ ବର୍ଷୀୟା ମହିଳା ଅଭିଯୋଗ କରିଥିଲେ ଯେ ତାଙ୍କ ନାମରେ କେହି ଜଣେ ନକଲି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ତିଆରି କରିଛନ୍ତି ଏବଂ ହ୍ୟାଣ୍ଡେଲ ମଣିଷ ଜଣକ ସେଥିରେ ବିଭିନ୍ନ ପ୍ରକାର ଆପତ୍ତିଜନକ ପୋଷ୍ଟ କରୁଛି ଯାହା ସମାଜରେ ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଛି। ତେବେ ମହିଳା ପୀଡ଼ିତାଙ୍କ ଅଭିଯୋଗ କୁ ଭିତ୍ତି କରି ମାମଲା ରୁଜୁ ହୋଇଥିଲା ଏବଂ ତଦନ୍ତ ସମୟରେ, ସାଇବର କ୍ରାଇମ୍ ପୋଲିସ ଦଳ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସଫଳ ହେବା ସହ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l
ଅଭିଯୁକ୍ତ ଜଣକ ବଣ୍ଟୁ ପରିଡା, ବୟସ ୨୮ ଏବଂ ସେ କବିସୂର୍ଯ୍ୟନଗର ନଗର ଥାନା ଅଧୀନ ନନ୍ଦିଆଗଡ଼ ଗ୍ରାମର ବୋଲି ଜଣାପଡିଛି l ଅଭିଯୁକ୍ତ ଏବଂ ପୀଡିତା ଉଭୟ ପୂର୍ବରୁ ବନ୍ଧୁ ଥିଲେ ଏବଂ ୨୦୧୫ ରୁ ପୀଡିତାଙ୍କୁ ପିଛା କରୁଥିଲେ କିନ୍ତୁ ପୀଡିତା ଏବଂ ପୀଡିତାଙ୍କ ପରିବାର ପୋଲିସକୁ ଖବର ଦେଇ ନଥିଲେ, ବର୍ତ୍ତମାନ ଯେତେବେଳେ ତାଙ୍କ ପ୍ରତିଷ୍ଠା ଉପରେ ପ୍ରଭାବ ପଡିଲା ସେ ବାଧ୍ୟ ହୋଈ ଆଇନର ଆଶ୍ରୟ ନେବା ଜଣାପଡିଛି l ତେବେ ଅଭିଯୁକ୍ତ ଗିରଫ ପରେ ଗୋଟିଏ poco x6 NEO ମୋବାଇଲ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦେଇଛି l
State
ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ । ଆସନ୍ତା ୧୧ ତାରିଖ ବେଳେକୁ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି। ଅନ୍ୟପଟେ ୮ ତାରିଖ ତାରିଖ ଯାଏଁ ଅଧା ଓଡ଼ିଶାକୁ ୱାର୍ଣ୍ଣିଂ।ଆଜି ଓ ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୬ ତାରିଖ ଦିନ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦-୪୦କିମି ବେଗରେ ଝଟକା ପବନ ନେଇ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୭ ତାରିଖ ଦିନ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନକେନ୍ଦ୍ର । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
State
ଦ କୁଇଭର ବ୍ୟୁରୋ :- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି । ୧୫ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ଶେଷରେ ଆରପାରିକୁ ଚାଲିଯାଇଛନ୍ତି ପୀଡ଼ିତା । ଆଜି ଦିଲ୍ଲୀରେ କରାଯିବ ଶବ ବ୍ୟବଚ୍ଛେଦ । ପୋଷ୍ଟମର୍ଟମ ପରେ ଓଡ଼ିଶା ଆସିବ ମରଶରୀର। ପୀଡ଼ିତାଙ୍କ ମୃତ୍ୟୁ ପରେ ଗାଁରେ ବଢ଼ାଯାଇଛି ସୁରକ୍ଷା ବ୍ୟବସ୍ଥା। ତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏକପ୍ରକାର ଜନଶୂନ୍ୟ ହୋଇଯାଇଛି ତାଙ୍କ ଗାଁ। ଆରପାରିକୁ ଚାଲିଗଲେ ବଳଙ୍ଗା ପୀଡ଼ିତା। ହେଲେ ୧୫ ଦିନ ପରେ ବି ଅଭିଯୁକ୍ତଙ୍କର ଟେର୍ ପାଇଲାନି କ୍ରାଇମବ୍ରାଞ୍ଚ କି ସ୍ପେଶାଲ ପୁଲିସ ଟିମ୍। ଭୁବନେଶ୍ବର ଏମ୍ସରେ ବୟାନ ରେକର୍ଡ କରାଯାଇଥିଲା। ଦିଲ୍ଲୀ ଯାଇ ମଧ୍ୟ ବୟାନ ରେକର୍ଡ କରିଥିଲେ ପୁଲିସ ଅଧିକାରୀ। ପୀଡ଼ିତାଙ୍କ ସାଙ୍ଗ ଓ ପଡ଼ୋଶୀଙ୍କ ସମେତ ୭୦ରୁ ଅଧିକଙ୍କୁ ପଚରାଉଚରା କରିଥିଲା ପୁଲିସ। ୩୦ରୁ ଅଧିକ ମୋବାଇଲ୍ ଟ୍ରାକ୍ କରାଯାଇଥିଲା। ନିଜେ ପୁରୀ ଏସପି ପିନାକ ମିଶ୍ର, କ୍ରାଇମବ୍ରାଞ୍ଚ ଟିମ୍ ବାରମ୍ବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ବଳଙ୍ଗା ବଜାରରେ ଥିବା ଗହଣା ଦୋକାନୀଙ୍କୁ ପଚରାଉଚରା କରିଥିଲା ପୁଲିସ । ତଥାପି ଆଜି ପର୍ଯ୍ୟନ୍ତ ପୁଲିସ ହାତ ଖାଲି ରହିଛି। ତେବେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଆଜି ଯାଏଁ ଘଟଣାର ୧୫ ଦିନ ପରେ ବି ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇନି ପୁଲିସ। ପୀଡ଼ିତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି।
State,Education
ଦ କୁଇଭର ବ୍ୟୁରୋ :- ଜେଲ୍ ଗଲେ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନିହାର ମହାନ୍ତି । କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ ଏବଂ ନିହାର ମହାନ୍ତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ପ୍ରଶ୍ନପତ୍ର କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି । ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ପାଇଁ ସେ ବଡ଼ ଧରଣର ଆର୍ଥିକ ଡିଲ କରିଥିଲେ । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ମାଧ୍ୟମରେ ୬ ଟି ଜିଲ୍ଲାରେ ପ୍ରଶ୍ନପତ୍ର ବିକ୍ରି କରିଥିଲେ । ୨୦୨୨ରେ ମାଲାକାନାଗିରିରେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଜିତନ ଏବଂ ଅନ୍ୟ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃକ୍ତି ଥିଲା । ଏନେଇ ବୋର୍ଡ ହାତରେ ବଳିଷ୍ଠ ପ୍ରମାଣ ଥିଲେ ମଧ୍ୟ ବୋର୍ଡ କତୃପକ୍ଷ ଏହାକୁ ଯୋଜନା ବଦ୍ଧ ଭାବେ ଚାପି ଦେଇଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ତଥ୍ୟପ୍ରମାଣ ଲାଗିଛି। ଉତ୍ତର ପିଛା ୫ ହଜାର ଟଙ୍କା ନେଇଥିବା ନେଇ ଅଭିଯୋଗ ମଧ୍ୟ ଆସିଥିଲା ।
State
ଦ କୁଇଭର ବ୍ୟୁରୋ :- ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର ଟାର୍ଗେଟ୍ କରୁଥିଲେ। ଟ୍ରେନ୍ରେ ଆସି କିଛିଦିନ ଡେରା ପକାଇ ଲୁଟ୍ ପାଇଁ ଯୋଜନା କରୁଥିଲେ। ଲୁଟିବା ପରେ ଫ୍ଲାଇଟ୍ରେ ଅନ୍ୟ ରାଜ୍ୟକୁ ଚାଲିଯାଉଥିଲେ। ଏଭଳି ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍କୁ ଭୁବନେଶ୍ବର କମିସନରେଟ୍ ପୁଲିସ ଠାବ କରିଛି। ତେବେ ଦିଲ୍ଲୀରୁ ଗ୍ୟାଙ୍ଗର ୨ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଦିଲ୍ଲୀ ସୁନ୍ଦରନଗରୀ ଅଞ୍ଚଳର ଖୁର୍ସିଦ ଖାନ୍ଓ ସୀମାପୁରୀ ଅଞ୍ଚଳର ମହମ୍ମଦ ଆରିଫ l ପୁଲିସ ସେମାନଙ୍କ ନିକଟରୁ ନଗଦ ୧୮ଲକ୍ଷ ଟଙ୍କା ଓ ଲୁଟ୍ରେ ବ୍ୟବହୃତ ଯନ୍ତ୍ରପାତି ଜବତ କରିଛି। ତେବେ ଏହି ଗ୍ୟାଙ୍ଗ୍ କେବେଠାରୁ ଭୁବନେଶ୍ବରରେ ସକ୍ରିୟ ଥିଲା ଓ ସେମାନେ କିଭଳି ଲୁଟ୍ପାଟ କରି ପୁଲିସକୁ ଚକ୍ମା ଦେଇ ଖସିଯାଉଥିଲେ, ସେ ରହସ୍ୟ ଉନ୍ମୋଚିତ ହୋଇଛି। ଆଜି ପୁଲିସ ସେବାଭବନରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଲୁଟେରା ଗ୍ୟାଙ୍ଗ୍ର ଗୁମର ଖୋଲିଛନ୍ତି।
State
ମାଲକାନଗିରି (ଦ କୁଇଭର):- ମାଲକାନଗିରି ଜିଲ୍ଲା ସଦରମହକୁମା ବାଲିମେଳା ଛକ ଠାରେ ଆଜି ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ କରକମଳରେ ଟ୍ରାଫିକ ନିୟନ୍ତ୍ରଣ ଲାଇଟ୍ ର ଶୁଭାରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଓଡ଼ିଶାର ସୀମା ବର୍ତ୍ତି ଜିଲ୍ଲା ହୋଇଥିବା କାରଣରୁ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଛି। ଯେଉଁଥିପାଇଁ ସଦାସର୍ବଦା ଏହି ରାଜ ରାସ୍ତାରେ ଭାରିଜାନ ଯାତାୟାତ କରିବା ସହିତ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଥାଏ। ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ। ଟ୍ରାଫିକ ସମସ୍ୟାକୁ ନଜିର ରଖି ବିଭିନ୍ନ ମହଲରୁ ବାରମ୍ବାର ଦାବି ହେବା ପରେ, ମାଲକାନଗିରି ପୈାରପରିଷଦ ପକ୍ଷରୁ ସାତ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟ ବରାଦ ରେ ଟ୍ରାଫିକ ଲାଇଟ୍ ଲଗାଇଛନ୍ତି। ଏହି ଲାଇଟ୍ ଲଗାଇବା ପାଇଁ ପୈାରପରିଷଦ ମାଲକାନଗିରି ପକ୍ଷରୁ ଜି.ଏମ ଟେଣ୍ଡରକୁ କାର୍ଯ୍ୟଭାର ପ୍ରଦାନ କରିଥିଲେ। ପୈାରପରିଷଦ ମାଲକାନଗିରି ପକ୍ଷରୁ ଏଥି ପୂର୍ବେ ଡିଏନକେ ଛକ ଠାରେ ଟ୍ରାଫିକ ଲାଇଟ୍ ଲଗାଇଥିଲେ। ତେବେ ଆଗକୁ ଛତିଶଗଡ଼ କୁ ସଂଯୋଗ କରିଥିବା କେନାଲ ଛକ ଏବଂ ମୁଖ୍ୟ ଚିକିତ୍ସାଳୟ ଛକ ଠାରେ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ ଲାଇଟ୍ ଲଗାଇବା ପାଇଁ ଲକ୍ଷ ରଖିଛି ପୈାରପରିଷଦ ମାଲକାନଗିରି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର,ପୈାରପରିଷଦ ଅଧ୍ୟକ୍ଷ ମନୋଜ୍ କୁମାର ବାରିକ୍, ଉପାଧ୍ୟକ୍ଷ କବିତା ମହନ୍ତ, ପୈାର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜିବ ଲୋଚନ ନାୟକ, ସମେତ ସମସ୍ତ ଓ୍ବର୍ଡ ର ସଭ୍ୟ ସଭ୍ୟ ଉପସ୍ଥିତ ଥିଲେ।
State
ଦ କୁଇଭର ବ୍ୟୁରୋ :- ସ୍ପେଶାଲ ଓଟିଇଟି ପରୀକ୍ଷା ପାଇଁ ଘୋଷଣା ହେଲା ନୂଆ ତାରିଖ। ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET। ଦୁଇଟି ସିଟିଂରେ ସ୍ପେଶାଲ୍ OTET ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୯ଟାରୁ ୧୧ଟା ୩୦ ଯାଏଁ ପେପର୍-୧ ଏବଂ ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍-୨ ପରୀକ୍ଷା ହେବ। ଅଗଷ୍ଟ ୨୨ରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ। ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଗତମାସ ୨୦ ତାରିଖରେ ପରୀକ୍ଷା ବାତିଲ ହୋଇଥିଲା। ଏହାକୁ ନେଇ ରାଜ୍ୟବ୍ୟାପି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାବେଳେ ପ୍ରଶ୍ନପତ୍ର ଲିକ୍ ମାମଲାର ତନାଘନା କରୁଛି କ୍ରାଇମବ୍ରାଞ୍ଚ।