ଗଞ୍ଜାମ( ଦ କୁଇଭର):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ଦୁଇଜଣ ନକଲି ପୋଲିସକୁ ଗିରଫ କରିବାରେ ସଫଳ ହୋଇପାରିଛି । ଗିରଫ ହୋଇଥିବା ନକଲି ପୋଲିସ ଦୁଇଜଣ ସହରର ଚେକଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ଆରୋହୀଙ୍କ ଠାରୁ ଟଙ୍କା ଲୁଟ କରି ଚମ୍ପଟ ମାରିବା ସହ ଦିଲରାଜା ଛାଞ୍ଚଣଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ପାଇଁ ଉଦ୍ୟମ କରିଥିଲେ । ତେବେ ଦିଗପହଣ୍ଡି ପୋଲିସ ପ୍ରଶାସନ ଜାଣିପାରି ନକଲି ପୋଲିସକୁ ଧରିବାରେ ସଫଳ ହୋଇପାରିଛି । ଏଥିସହ ଲକ୍ଷାଧିକ ଟଙ୍କା ଉଦ୍ଧାର କରାଯାଇ ଦିଲରାଜା ଛାଞ୍ଚଣଙ୍କୁ ହସ୍ତାନ୍ତର କରାଯାଇଥିବା ଦିଗପହଣ୍ଡି ପୋଲିସ ପକ୍ଷରୁ ଅ।ଜି ସଂଧ୍ୟା 6 ଘଣ୍ଟ ସମୟରେ ସୂଚନା ପ୍ରଦାନ କରାଯାଇଛି ।
No comments yet.
State
ପାରଳାଖେମୁଣ୍ଡି ( ଦ କୁଇଭର):-: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଠିକାଦାରଙ୍କ ମନମାନି ଦେଖିବାକୁ ମିଳିଛି । ସହରରେ ଅପରାହ୍ନ ଠାରୁ ବର୍ଷା ଲାଗି ରହିଛି । ସେପଟେ ଲାବଣ୍ୟଗଡ ଠାରୁ ରାୟଗଡ ଜିଲ୍ଲା ସୀମାନ୍ତ ପର୍ଯ୍ୟନ୍ତ ରାସ୍ତାର କାମ ମଧ୍ୟ ଜାରି ରହିଛି । ତେବେ ପାରଳାଖେମୁଣ୍ଡି ସହରର ଫରେଷ୍ଟ ଗେଟ୍ ଛକରେ ବର୍ଷା ସମୟରେ ପିଚୁ ରାସ୍ତା କାମ ଚାଲୁ ରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମନା କରିଲା ପରେ ମଧ୍ୟ ଠିକାଦାର ନାଲି ଆଖି ଦେଖାଇ କାମ ଜାରୀ ରଖିଥିବାର ଜଣାପଡିଛି । ଏପରି ପରିସ୍ଥିତିରେ ରାସ୍ତା ନିର୍ମାଣ କରାଯାଉଥିବାରୁ ଏହି ରାସ୍ତାର ସ୍ଥାୟୀତ୍ବକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
State
ଦ କୁଇଭର ବ୍ୟୁରୋ:- ବର୍ଷାରୁ ମିଳିବ ଆସ୍ବସ୍ତି ,ଖୁବଶୀଘ୍ର ହେବ ପାଗରେ ପରିବର୍ତ୍ତନ । ରାଜ୍ୟରେ କମିବ ବର୍ଷାର ପରିମାଣ,ବଢିବ ତାପମାତ୍ରା । ଆସନ୍ତାକାଲି ଠାରୁ ଓଡ଼ିଶାରେ କୌଣସି ପାଣିପାଗ ସତର୍କତା ନାହିଁ । ଲଘୁଚାପ ପ୍ରଭାବ ହଟିବା ପରେ ଏଣିକି କମିବ ବର୍ଷା । ଆସନ୍ତା ୧ ତାରିଖରୁ ବର୍ଷାର ପରିମାଣ କମିବ । ଆଗାମୀ ଦୁଇ ଦିନ ପରଠୁ ବଢିବ ତାପମାତ୍ରା । ୨ ରୁ ୪ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସର୍ବାଧିକ ବଡଗଡରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,"ମୌସୁମୀ ଛୁଇଁବା ପରେ ରାଜ୍ୟରେ ବିଗତ ସାତ ଦିନଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଏବେ ଲଗାଣ ବର୍ଷାରେ ଲାଗିବ ବ୍ରେକ । ଏନେଇ ଆଗକୁ ସେଭଳି ବଡ଼ ଧରଣର ବର୍ଷା ସମ୍ଭାବନା ନଥିବା ବେଳେ ମୋସୁମୀ ଜନିତ ବର୍ଷା ପରିମାଣ ମଧ୍ୟ ସେଭଳି ଦେଖିବାକୁ ମିଳିବ ନାହିଁ । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଅଧିକ ବର୍ଷା ବରଗଡ଼ ୫୭ ମିମି ବର୍ଷା ରେକର୍ଡ କରଯାଇଛି । ସେପଟେ ଆସନ୍ତା ୨୪ ଘଣ୍ଟାରେ କାଁଭାଁ କିଛି ସ୍ଥାନରେ ଗୋଟିଏ ବା ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି । ୩୫ରୁ ୪୦ କିମି ବେଗରେ ଝଟକା ଝଟକା ପବନ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।"ସେ ଆହୁରି ମଧ୍ୟ କହିଛନ୍ତି, "ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗୀର, କେନ୍ଦୁଝର, ଦେବଗଡ, ଭଦ୍ରକ କେନ୍ଦ୍ରାପଡା, ଯାଜପୁର, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ନବରଙ୍ଗପୁର ଏବଂ ରାୟଗଡାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ସୁନ୍ଦରଗଡ଼ରେ ସର୍ବାଧିକ ୩୬.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାୟଗଡ଼ାରେ ୨୨.୬ଡିଗ୍ରୀ ସେଲସିୟସରୁ ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ ରୁ ୬ଡିଗ୍ରୀ ସେଲସିୟସ ହ୍ରାସ ପାଇଥିଲା । ଓଡିଶାର କିଛି ସ୍ଥାନରେ ସ୍ବାଭାବିକଠୁ ୫ରୁ ୬ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ରହିଥିବା ବେଳେ ଉପକୂଳ ଜିଲ୍ଲାମାନଙ୍କରେ ସ୍ବାଭାବିକଠାରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମ ରହିଥିଲା ।"
National,State
ବ୍ରହ୍ମପୁର( ଦ କୁଇଭର ):- ହିମାଞ୍ଚଳ ପ୍ରଦେଶରେ ଆୟୋଜିତ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଥିବା ସ୍ୱର୍ଣ୍ଣ ପଦକ ବିଜୟୀ ହର୍ଷବର୍ଦ୍ଧନ ସାହୁଙ୍କୁ ମଙ୍ଗଳବାର ବ୍ରହ୍ମପୁର ଷ୍ଟାଡିୟମ ରେ ସ୍ବାଗତ କରି ଏକ ସମ୍ବର୍ଦ୍ଧନା ସହ ବାଇକ ଶୋଭlଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ବାଇକ ଶୋଭାଯାତ୍ରା ବ୍ରହ୍ମପୁର ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଶଙ୍କରପୁର ସାହି ସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଶେଷ ହୋଇଥିଲା l ତେବେ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ନେତୃତ୍ବରେ , ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଏବଂ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।
Shree Jagannath
ଦ କୁଇଭର ବ୍ୟୁରୋ:- ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ ଗଡିବ ବସ । ରଥଯାତ୍ରା ସମୟରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଭକ୍ତଙ୍କ ଯାତାୟତକୁ ସୁବିଧା କରିବା ପାଇଁ ଆଗକୁ ଆସିଲେ ରାଜ୍ୟ ସରକାର । ପୁରୀକୁ ଗଡିବ ୧୦୦୦ ବସ । ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ଦେବେ ସରକାର । ଏହି ସମସ୍ତ ଗାଡ଼ିର ପାର୍କିଂ ବ୍ୟବସ୍ଥା ମାଳତୀ ପାଟପୁର ଠାରେ କରିଯିବ ।ସେଠାରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଗାଡ଼ି । ଆସୁଥିବା ଯାତ୍ରୀଙ୍କ ପାଇଁ ଏକ ମୂଲ୍ୟ ଧାର୍ଯ୍ୟ କରିବେ ସରକାର, ଧାର୍ଯ୍ୟ ମୂଲ୍ୟଠାରୁ କୌଣସି ବସ୍ ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ନିଷ୍ପତି ହୋଇଛି l ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ୍ ପାର୍କିଂ ବ୍ୟବସ୍ଥା । ଯାତ୍ରୀଙ୍କୁ ବସ୍ ରହଣି ସ୍ଥଳରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି । ସେପଟେ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ ।ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ତେବେ ଏହି ବୌଠକରେ ବିଶେଷକରି ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ,ସେ ନେଇ ଆଲୋଚନା କରାଯାଇଥିଲା । ତେବେ ତାଳବଣିଆ ବସ ଷ୍ଟାଣ୍ଟରେ ଯାତ୍ରୀଙ୍କୁ ଦିଆଯିବ 10 ଟଙ୍କାରେ ଖାଦ୍ୟ । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ 30ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ବେପରୁଆ ଗାଡି ଚାଳନା ଉପରେ କଡା ନଜର ରଖାଯିବ । ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି STA କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ସମସ୍ତଙ୍କ ସହଯୋଗ ପୁରୀକୁ ଯାତ୍ରୀ ପରିବହନ ସୁରୁଖୁରୁରେ ହେବ ବୋଲି ଆଶା ପ୍ରକଟ କରିଛନ୍ତି STA କମିଶନର । ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ,କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ ,ଏନଏଚଆଇ କର୍ତ୍ତୃପକ୍ଷ ସାମିଲ ହୋଇଥିଲ।
State
ଗଞ୍ଜାମ, ଭଞ୍ଜନଗର ( ଦ କୁଇଭର ):- ବେଆଇନ ବନ୍ଧୁକ ରଖିଥିବା ଅପରାଧୀଙ୍କୁ ଦମନ କରିବା ପାଇଁ ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅପରେସନରେ ଆଉ ଏକ ସଫଳତା ମିଳିଛି। ଭଞ୍ଜନଗର ପୁଲିସ ଆଜି ୯ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୫ଟି ବନ୍ଧୁକ, ଦୁଇଟି ଖେଳନା ପିସ୍ତଲ ସହ ବିଭିନ୍ନ ପ୍ରକାରର ୧୬ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିବା ସହ ଗୋଟିଏ ଲେଖାଏଁ କାନ୍ତି ଓ ଖଣ୍ଡା ସମେତ ୫ମୋବାଇଲ ଆଦି ଜବତ ହୋଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଭଞ୍ଜନଗର ପୁଲିସ ପକ୍ଷରୁ ଏଭଳି ବେଆଇନ ବନ୍ଧୁକ ଧରିବା ଦିଗରେ ସ୍ୱତନ୍ତ୍ର ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବା ବେଳେ ଜିଲୁଣ୍ଡି ତାରିଣୀ ମନ୍ଦିର ଭିତରେ ସନ୍ଦେହ ଜନକ ଭାବେ କିଛି ଲୋକ ବସିଥିବା ଖବର ପାଇଥିଲେ। ପୁଲିସ ସେଠାରେ ପହଁଚିବା ପରେ ସେମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ୱର ନୟାପଲ୍ଲୀର ସରୋଜ ଦାସ, ବେଲଗୁଣ୍ଠା ଥାନା ଅଞ୍ଚଳର ବ୍ରଜ ମୋହନ ସାହୁ,କଇଣ୍ଡି ଗ୍ରାମର ଅନୀଲ ବେହେରା, ଲାଲସିଙ୍ଗିର ସନାତନ ପ୍ରଧାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେମାନଙ୍କୁ ପଚରାଉଚରା କରିବା ବେଳେ ଆଉ ୫ଜଣ ଲଣ୍ଡେଇ ସାହିର ଏକ ଭଡ଼ା ଘରେ ରହିଥିବା ସେମାନେ କହିଥିଲେ।ଏହାପରେ ପୁଲିସ ଲଣ୍ଡେଇସାହି ସ୍ଥିତ ଭଡ଼ାଘରେ ଚଢ଼ଉ କରି ଅଗଝୋଳ ଗ୍ରାମର ଦିବ୍ୟାଙ୍ଗ ଆରୁଖ, ଜାମପଲିର ସୁନୀଲ ସାବତ, ଲଣ୍ଡେଇ ସାହିର ସଂଗ୍ରାମ କିଶୋର ଭୂୟାଁ, ଜିଲୁଣ୍ଡିର ବାଦଲ ସାହୁ ଓ ବିଂଝିଗିରୀର ଟୁକୁନା ପାତ୍ରକୁ ଗିରଫ କରିବା ସହ ସମସ୍ତ ଅଭିଯୁକ୍ତକୁ ଯାଞ୍ଚ କରିବା ସମୟରେ ବନ୍ଧୁକ ଗୁଳି ଓ ମାରଣାସ୍ତ୍ର ଆଦି ମିଳିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ। ଏଥିରେ ଅତିରିକ୍ତ ଏସପି ଶ୍ରୀ ଦେଙ୍କ ସମେତ ଏସଡିପିଓ ସୁଜିତ କୁମାର ନାୟକ, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି,ଲିପିନା ବିଶ୍ୱାଳ,ଏଏସଆଇ ସତ୍ୟ ନାରାୟଣ ମଳିକ, ଶରତ ଚନ୍ଦ୍ର ପଣ୍ଡାଙ୍କ ସମେତ ଥାନାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
National
ନୂଆଦିଲ୍ଲୀ( ଦ କୁଇଭର):- ଆଇଏନଏସ୍ ବିକ୍ରାନ୍ତରୁ ରାଜନାଥଙ୍କ ରଣହୁଙ୍କାର । ପ୍ରତିରକ୍ଷା ମନ୍ତ୍ରୀ କହିଲେ, ପଡ଼ୋଶୀ ଦେଶ ପୁଣିଥରେ ନିଜ ଭୁଲ ଦୋହରାଇଲେ ବଞ୍ଚିବାକୁ ଦେବୁନାହିଁ ସୁଯୋଗ। କେବଳ ଆତଙ୍କବାଦ ପ୍ରସଙ୍ଗରେ ହିଁ ଦୁଇ ଦେଶ ମଧ୍ୟରେ ହେବ ଆଲୋଚନା । ‘ଅପରେସନ ସିନ୍ଦୂର’ରେ ଟାର୍ଗେଟରେ ଥିଲା କରାଚୀ ବନ୍ଦର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଟାର୍ଗେଟ୍ କରି କହିଛନ୍ତି, ‘‘ଏଥର ଯଦି ପାକିସ୍ତାନ କିଛି ଭୁଲ କରେ, ତେବେ ଆମେ ଆତଙ୍କବାଦ ବିରୋଧରେ ଏପରି ପଦ୍ଧତି ବ୍ୟବହାର କରିବୁ ଯାହା ଶତ୍ରୁ ଦେଶ ଚିନ୍ତା ମଧ୍ୟ କରିପାରିବ ନାହିଁ । ଏଥର ଯଦି ପାକିସ୍ତାନ କୌଣସି ପଦକ୍ଷେପ ନିଏ, ତେବେ ଆମର ନୌସେନା ଏହାର ଉଦଘାଟନ କରିବ।’’ ଅପରେସନ୍ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଏହା କେବଳ ଏକ ବିରତି । ଯଦି ପାକିସ୍ତାନ ପୁଣିଥରେ ସମାନ ଭୁଲ କରେ, ତେବେ ଭାରତର ପ୍ରତିକ୍ରିୟା ଆହୁରି କଠୋର ହେବ ଏବଂ ଏଥର ନିଜକୁ ସୁଧାରିବା ପାଇଁ ସୁଯୋଗ ବି ଦିଆଯିବନି । ପାକିସ୍ତାନ ଏହା ମନେରଖୁ ଯେ ଯଦି ଗୋଟିଏ ପଟେ ଆମର ନୌସେନା ସମୁଦ୍ର ପରି ଶାନ୍ତ ହୋଇଥାଏ, ଅନ୍ୟପଟେ ଏହା ସମୁଦ୍ର ପରି ସୁନାମୀ ମଧ୍ୟ ଆଣିପାରେ।" ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଥରେ କଳ୍ପନା କରି ଦେଖନ୍ତୁ। ଯିଏ ଜଣେ ଚୁପ ରହିବି ଅନ୍ୟ ଦେଶର ସୈନ୍ୟଙ୍କୁ ବୋତଲରେ ବନ୍ଦି କରି ରଖିପାରେ, ସେ ଯଦି କେବେ ମୁହଁ ଖେଲିବ ତେବେ କଣ ହେବ? ପାକିସ୍ତାନ ଯଦି ନସୁଧୁରେ ତେବେ ଏଥର ନା ସ୍ଥଳ ସେନା ନା ବାୟୁସେନା, ଏଥର ଉଦଘାଟନ ଆମର ନୌସେନା କରିବ।"
State
ଦ କୁଇଭର ବ୍ୟୁରୋ:- ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅନୁଗୁଳସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନ ଓ ରାଜ୍ୟର ଅନ୍ୟ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ଅନୁଗୁଳ, ପୁରୀ, କଟକ ଓ ଢେ଼ଙ୍କାନାଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ମିଳିତ ଚଢ଼ଉ କରାଯାଉଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରୁ ଭିଜିଲାନ୍ସ ଟିମ୍ ନଗଦ ୨ କୋଟି ଟଙ୍କା ଜବତ କରିଛି। ତାଙ୍କ ଅନୁଗୁଳ ଘରୁ ୯୦ ଲକ୍ଷ ଓ ରାଜଧାନୀ ବାସଭବନରୁ ୧ କୋଟି ୧୦ ଲକ୍ଷ ଟଙ୍କା ନଗଦ ମିଳିଥିବା ଜଣାଯାଇଛି।ଭିଜିଲାନ୍ସ ଡିଏସପି ଅନୁଷ୍କା ସେନାପତିଙ୍କ ତତ୍ତ୍ଵାବଧାନରେ ଚଢ଼ଉ ଚାଲିଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଆଉ ଦୁଇ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
State
ଭୁବନେଶ୍ୱର( ଦ କୁଇଭର ):- ଆରମ୍ଭ ହୋଇଯାଇଛି 'ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫' । ଗୁରୁବାର 'ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫' ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ୨୫ଟି ରାଜ୍ୟର ଲକ୍ଷପତି ଦିଦି ସାମିଲ ହୋଇଛନ୍ତି । ସାରା ଭାରତରୁ ଲକ୍ଷପତି ଦିଦି ମାନେ ଏକତ୍ରିତ ହୋଇ ନିଜର ସଫଳତାର କାହାଣୀ ବଖାଣିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ସ୍ବୟଂ ସହାୟକ ସହାୟକ ଗୋଷ୍ଠୀର ମହିଳାମାନେ ଆର୍ଥିକ କାର୍ଯ୍ୟକଳାପ ଜରିଆରେ ବାର୍ଷିକ ଏକ ଲକ୍ଷ ଟଙ୍କା ବା ଅଧିକ ରୋଜଗାର କରି ପାରୁଛନ୍ତି, ତାହା ଉପରେ ଆଲୋଚନା ହୋଇଥିଲା । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ୩ କୋଟି ଲକ୍ଷପତି ଦିଦିଙ୍କୁ ସଶକ୍ତ କରିବା ଏବଂ ମହିଳାଙ୍କୁ ଅଗ୍ରାଧିକାର କରିବା ଆଜିର କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ତେବେ ଏହାକୁ ନେଇ ପ୍ରଭାତୀ ପରିଡ଼ା କହିଛନ୍ତି,"ଲକ୍ଷପତି ଦିଦି ଆଗକୁ କରୋଡ଼ପତି ଦିଦି ଭାବେ ଆଖ୍ୟା ପାଇବେ । ଶିଳ୍ପପତି ଭାବେ ଗଣା ହେବେ । ଓଡ଼ିଶା ବର୍ଷକ ମଧ୍ୟରେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ସୃଷ୍ଟି କରିଛି । ଯେଉଁଥିପାଇଁ ସମଗ୍ର ଭାରତ ବର୍ଷରେ ଏକ ନମ୍ବର ରାଜ୍ୟର ଆଖ୍ୟା ପାଇଛୁ । ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି । ଭାରତର ଅର୍ଥନୀତି ଶଶକ୍ତ କରିବାରେ ଲକ୍ଷ ପତି ଦିଦି ମାନଙ୍କର ବଡ଼ ଭୂମିକା ରହିଛି । ଲକ୍ଷ ପତିରୁ କରୋଡ଼ ପତି ଆଡ଼କୁ ସମସ୍ତେ ବଢ଼ନ୍ତୁ, ଆମ ସରକାର ସମସ୍ତଙ୍କ ସହ ଅଛନ୍ତି ।"
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ କହିଛନ୍ତି,"ମହିଳା ଶସକ୍ତିକରଣରେ ଓଡ଼ିଶା ମଡେଲ, ସାରା ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ୧ ନମ୍ବର । ଅନ୍ୟ ରାଜ୍ୟ ବି ଓଡ଼ିଶାକୁ ଅନୁସରଣ କରିବା ଉଚିତ୍ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଗସ୍ତ ସମୟରେ ମହିଳା ଶସକ୍ତିକରଣ ନେଇ ପ୍ରଧାନମନ୍ତ୍ରୀ ସହିତ ଆଲୋଚନା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବେଶ ପ୍ରଶଂସା କରିଛନ୍ତି । ଆଗକୁ ମହିଳାମାନେ କିପରି ଆଗକୁ ବଢ଼ିବେ ସେ ନେଇ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ର ମହିଳାଙ୍କ ସମ୍ମାନ ପ୍ରତି କେବେ ବି ଅଣଦେଖା କରି ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି,"ମହିଳା ଶସକ୍ତିକରଣ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା । ମହିଳା ମାନଙ୍କୁ ଲକ୍ଷପତି ଦିଦି ସହିତ ରାଜନୀତିକ କ୍ଷେତ୍ର ପାଇଁ ବି ପଦକ୍ଷେପ ନିଆଯାଉଛି । ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ନେଇ ବିଲ ପାରିତ ହୋଇଛି । ଏଠାରେ ଉପସ୍ଥିତ ଥିବା ଅନେକ ଲକ୍ଷପତି ଦିଦି ଆଗାମୀ ୨୦୨୯ ନିର୍ବାଚନରେ ବିଧାୟକ ସାଂସଦ ହୋଇ ଯାଇଥିବେ ବୋଲି ଅନୁଭବ ହେଉଛି । "
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ବଢ଼ୁଛି କୋଭିଡ ମାମଲା l ରାଜ୍ୟରେ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଡରନ୍ତୁ ନାହିଁ କିନ୍ତୁ ସତର୍କ ସହ ସଚେତନ ରୁହନ୍ତୁ,ସାମାଜିକ ଦୂରତା/ଗହଳି ସ୍ଥାନ/ଭୋଜି ଭାତ ଠୁ ଯେତେ ପାରିବେ ଦୁରେଇ ରୁହନ୍ତୁ l ଅନାବଶ୍ୟକ କାର୍ଯ୍ୟ କରନ୍ତୁ ନାହିଁ l ମାସ୍କ ପିନ୍ଧିବା ଆରମ୍ଭ କରିଦିଅନ୍ତୁ l ଶରୀର ର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାନ୍ତୁ l
Farming,State
ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀଙ୍କ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ସମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ପ୍ରସ୍ତାବକୁ ବୈଠକରେ ମଞ୍ଜୁର କରାଯାଇଛି। ଏଥି ସହିତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଚାଷୀମାନେ ନେଉଥିବା ଋଣ ଉପରେ ୧.୫ ପ୍ରତିଶତ ସୁଧ ରିହାତି ସ୍କିମ୍କୁ ୨୦୨୫-୨୬ରେ ମଧ୍ୟ ଜାରି ରଖିବାକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଉଭୟ ସାଧାରଣ ମାନର ଓ ‘ଏ’ ଗ୍ରେଡ୍ ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୬୯ ଟଙ୍କା ବଢ଼ିଛି। ଫଳରେ ସାଧାରଣ ମାନ ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୨୩୬୯ ଟଙ୍କା ହୋଇଛି। ‘ଏ’ ଗ୍ରେଡ୍ ଧାନର ଏମ୍ଏସ୍ପି ୨୩୮୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ହାଇବ୍ରିଡ୍ ଯଅର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୩୨୮ ଟଙ୍କା ବୃଦ୍ଧି ପାଇ ୩୬୯୯ ଟଙ୍କା ଏବଂ ମାଲଦାଣ୍ଡି ମାନର ଯଅ ମୂଲ୍ୟ ୩୭୪୯ ଟଙ୍କାକୁ ବୃଦ୍ଧି ପାଇଛି। ବାଜାରା ଏମ୍ଏସ୍ପି ୧୫୦ ଟଙ୍କା ବଢ଼ି ୨୭୭୫ ଟଙ୍କା, ମାଣ୍ଡିଆ ଦାମ୍ ୫୯୬ ଟଙ୍କା ବୃଦ୍ଧି ପାଇ ୪୮୮୬ ଟଙ୍କା ହୋଇଛି। ମକା ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୧୭୫ ଟଙ୍କା ବୃଦ୍ଧି ସହ ୨୪୦୦ ଟଙ୍କା ହୋଇଛି।
ଅନ୍ୟପଟେ ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂଶୋଧିତ ସୁଧ ରିହାତି ଯୋଜନାକୁ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। କିଷାନ କ୍ରେଡିଟ୍ କାର୍ଡ (କେସିସି)ରେ ଚାଷୀମାନେ ୭ ପ୍ରତିଶତ ସୁଧରେ ଓ ୧.୫ ପ୍ରତିଶତ ସୁଧ ରିହାତି ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଯେଉଁ ଚାଷୀମାନେ ତ୍ବରିତ ଋଣ ପରିଶୋଧ କରିବେ ସେମାନଙ୍କୁ ୩ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିବ। ଫଳରେ କେସିସି ଋଣରେ ସେମାନଙ୍କ ପାଇଁ ସୁଧ ୪ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ। ପଶୁପାଳନ ଓ ମତ୍ସ୍ୟଚାଷ ଉଦ୍ଦେଶ୍ୟରେ ନିଆଯାଉଥିବା ଋଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଲେ, ସେଥିରେ ସୁଧ ରିହାତି ଲାଗୁ ହେବ।
State
ଦ କୁଇଭର ବ୍ୟୁରୋ:- ଚଳିତ ଥର ଓଡ଼ିଶାକୁ ମଧ୍ୟ ମୌସୁମୀ ସଅଳ ସ୍ପର୍ଶ କରିବ। ଗୁରୁବାର ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳୁ ଓଡ଼ିଶା ଉପକୂଳସ୍ଥ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ମେଘୁଆ ପାଗ ଜାରି ରହିବା ସହ ଅଳ୍ପବହୁତ ବର୍ଷା ହୋଇଛି। ଲଘୁଚାପ କ୍ଷେତ୍ରଟି ଧୀରେଧୀରେ ଉତ୍ତର ଦିଗକୁ ଗତି କରିବ ଓ ଆସନ୍ତା ୪୮ ଘଣ୍ଟାରେ ଅଧିକ ସ୍ପଷ୍ଟ ରୂପ ନେବ। ଫଳରେ ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା, ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅନ୍ୟପକ୍ଷରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କେବଳ ସଅଳ ଅଗମନ ନାହିଁ ଏହା ପ୍ରଭାବରେ ଦେଶରେ ଜୁନ୍ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଫଳରେ ଦେଶରେ ସର୍ବୋଚ୍ଚ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସମ୍ମିଳନୀରେ ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍ ରବିଚନ୍ଦ୍ରନ ଓ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଥିବା ସୂଚନା ମୁତାବକ, ଆସନ୍ତା ଜୁନ୍ରେ ସାରା ଦେଶରେ ୧୬୬.୯ ମିମିରୁ ଅଧିକ ବର୍ଷା ହେବ ଯାହାକି ଦୀର୍ଘଅବଧି ହାରଠାରୁ ୧୦୮% ଅଧିକ। ଏହି ଆକଳନ ଅନୁଯାୟୀ, ପୂର୍ବ ଭାରତରେ ବି ଜୁନ୍ରେ ସ୍ବାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଥିବାରୁ ଓଡ଼ିଶାରେ ମଧ୍ୟ ଜୁନ୍ରେ ଅଧିକ ବର୍ଷିବ ବୋଲି ଆଶା କରାଯାଉଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନାର ଆଉ କିଛି ଅଂଶ,ଛତିଶଗଡ଼ ଓ ଓଡ଼ିଶାର କିଛି କିଛି ଅଂଶ, ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଅଧିକାଂଶ ଅଂଶ ଓ ଉତ୍ତର ବଙ୍ଗୋପସାଗରର କିଛି ଅଂଶକୁ ଅଗ୍ରସର ହେବ। ତେବେ ଆଜି ସୃଷ୍ଟ ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ ଅବପାତରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ‘ସେଣ୍ଟର ଫର ଏନ୍ଭାଇରନ୍ମେଣ୍ଟ୍ ଆଣ୍ଡ୍ କ୍ଲାଇମେଟ୍ (ସିଇସି)’ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବୃଷ୍ଟିପାତ ହୋଇପାରେ। ବିଶେଷ କରି ଉପକୂଳ ଅଞ୍ଚଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ସିଇସିର ବୁଲେଟିନ୍ରେ କୁହାଯାଇଛି। ବୁଲେଟିନ୍ ଅନୁଯାୟୀ, ମେ ୨୮ରୁ ୩୦ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଦେଓଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବୃଷ୍ଟିପାତ ହୋଇପାରେ। ଏହି ବୃଷ୍ଟିପାତ ବିଶେଷ କରି ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଅବବାହିକା ଅଞ୍ଚଳରେ ଅନୁଭୂତ ହେବ। ଏହା ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଏଥିରେ ପ୍ରକାଶ କରାଯାଇଛି। ଏହା ପରେ ଜୁନ ୧ ରୁ ୩ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଦିନର ଉତ୍ତାପ ବୃଦ୍ଧି ପାଇପାରେ, ମାତ୍ର ଏହାପରେ ବୃଷ୍ଟିପାତର ପରିମାଣ ବୃଦ୍ଧିପାଇବ।
National
ଦ କୁଇଭର ବ୍ୟୁରୋ:- ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ପ୍ରତିମାସ ଶେଷରେ ପାକିସ୍ତାନକୁ ଲାଗି ରାଜ୍ୟ ଗୁଡ଼ିକରେ ମକ୍ଡ୍ରିଲ୍ କରାଯିବ । ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ ସାଧାରଣ ନାଗରିକମାନେ କ’ଣ କରିବେ, କିପରି ସତର୍କ ରହିବେ, ନିଜକୁ କିପରି ସୁରକ୍ଷିତ ରଖିବେ, ଏନେଇ ଅଭ୍ୟାସ କରାଯିବ । ପାକ୍ ସୀମାକୁ ଲାଗିଥିବା ରାଜ୍ୟରେ ହେବ ଶତୃପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତି । ପଞ୍ଜାବ, ଗୁଜରାଟ, ରାଜସ୍ଥାନ ଓ ଜମ୍ମୁ- କାଶ୍ମୀରରେ ୩୧ ମେ’ରେ ଏହି ଅଭ୍ୟାସ କରାଯିବ । ଗୁରୁବାର ଏହି ୪ ରାଜ୍ୟରେ ମକ୍ଡ୍ରିଲ୍ ହେବାର ଥିଲା ହେଲେ ପ୍ରଶାସନିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି, ବଦଳରେ ଶନିବାର ଯୁଦ୍ଧାଭ୍ୟାସ ହେବ ।
ସୂଚନା ପ୍ରକାରେ,୭ ମେ’ରେ ସାରା ଦେଶରେ ଯୁଦ୍ଧାଭ୍ୟାସ କରାଯାଇଥିଲା । ଏହାପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଥିଲା ଭାରତୀୟ ବାୟୁସେନା । ପ୍ରଥମେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା । ଏହାପରେ ପାକିସ୍ତାନ ପଟୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହୋଇଥିଲା । ତେବେ ଭାରତର ଏୟାର ଡିଫେନ୍ସ ଏହାକୁ ବିଫଳ କରିଥିଲା । ତେବେ ପାକିସ୍ତାନର ଡ୍ରୋନ୍ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ । ପାକିସ୍ତାନର ୧୧ଟି ଏୟାରବେସ୍ ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରି ବ୍ୟାପକ କ୍ଷତି ଘଟାଇଥିଲା । ଏହାପରେ ଭୟରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ।
State
ବ୍ରହ୍ମପୁର( ଦ କୁଇଭର):- ରାଜ୍ୟରେ ଦିନକୁ ଦିନ ଅପରାଧ ଆଉ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଚଳାଇଛି ଖୁଲମ ଖୁଲା ଅପରାଧ l ଏକ ପ୍ରକାର ପୋଲିସ ପ୍ରଶାସନର ନିଦ ହଜାଇଦେଇଥିବା ବେଳେ ଏ ନେଇ ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁର ସହର ରେ ଅପରାଧୀଙ୍କୁ ଖୋଜି ଠାବ କରିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ବ୍ରହ୍ମପୁର ପୋଲିସ ପାଇଁ କିନ୍ତୁ ଏହି ଚ୍ୟାଲେଞ୍ଜ କୁ ଗୁରୁତର ସହ ନେଇ ବ୍ରହ୍ମପୁର ଏସପି ଡ଼ା ଶ୍ରବଣl ବିବେକ ଏମ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରି ଅପରାଧୀମାନଙ୍କ ଚେର କୁ ଗୋଟେ ପରେ ଗୋଟେ କରି ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ ପ୍ରଶାସନ l
ବ୍ରହ୍ମପୁରରେ ଚାଲିଛି ଅପରାଧିଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ l ତେବେ ଏସପି ଙ୍କ ନିର୍ଦେଶ କ୍ରମେ ଗୋଶାଣୀନୂଆଗାଁ ଏବଂ ବୈଦ୍ୟନାଥ ପୁର ପୋଲିସ ର ମିଳିତ ଉଦ୍ୟମରେ ଶନିବାର ବ୍ରହ୍ମପୁର ସହରରେ ୭ ଜଣ କୁଖ୍ୟାତ ଅପରାଧୀ ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ ୫ଟି ପିସ୍ତଲ, ୪୦ରୁ ଅଧିକ ଜୀବନ୍ତ ଗୁଳି ସହ ନଗଦ ୧,୧୧,୫୦୦ ଟଙ୍କା,ଗୋଟିଏ ମହେନ୍ଦ୍ର ଟିୟୁଭି ୩୦୦ ଏବଂ ଅନେକ ବୋମା ଜବତ କରାଯାଇଛି l ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଗୋଶାଣୀନୂଆଗାଁ ଅଞ୍ଚଳରୁ ହୋଇଥିବା ବେଳେ ବଳକା ୨ ଜଣ ଅପରାଧୀ ବୈଦ୍ୟନାଥ ପୁର ଥାନା ଅଂଚଳର ବୋଲି ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି l
State
ଗଜପତି ( ଦ କୁଇଭର ):- ଗଜପତିରେ ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ସୁଲନ୍ତ ମିଶାଲଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ତେବେ ସୁଚନା ପ୍ରକାରେ,ଆଜି ସକାଳୁ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିଲୋମିଟର ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଦୈାଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
State
ପାଟଣାଗଡ଼( ଦ କୁଇଭର ):- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍। ମୃତ୍ୟୁ ଯାଏ ସେ ଜେଲରେ ରହିବେ ବୋଲି ସରକାରୀ ଓକିଲ କହିଛନ୍ତି। ଏହାଛଡ଼ା ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା ବି କରାଯାଇଛି। ସୂଚନା ଯୋଗ୍ୟ,୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା'ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ଫେବ୍ରୁଆରି ୨୩ ତାରିଖରେ ଦଫା ୩୦୨, ୩୦୭ ଏବ˚ ଏକ୍ସପ୍ଲୋସିଭ୍ ସବ୍ଷ୍ଟାନ୍ସ ଆକ୍ଟର ଧାରା ୩ ଓ ୪ରେ ମାମଲା ରୁଜୁ କରିଥିଲା। ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁସା କଲେଜର ଇ˚ରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।
State
ଦ କୁଇଭର ବ୍ୟୁରୋ:- ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ । ପାଗ ଅନୁକୂଳ ଥିବାରୁ ଆଜି ଓଡ଼ିଶା ଛୁଇଁଲା ମୌସୁମୀ । ମେ' ୨୪ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ । ଚଳିତବର୍ଷ ଆଗୁଆ ଅଗ୍ରସର ହୋଇଛି ମୌସୁମୀ । ଆଜି ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହିତ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସୂଚନା ପ୍ରଦାନ କରିଛି । ସୋସିଆଲ ମିଡିଆ 'ଏକ୍ସ'ରେ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଗୋଟିଏ ପଟେ ବଙ୍ଗୋପ ସାଗରରେ ଲଘୁଚାପ ବଳ ଗୋଟାଉଥିବା ବେଳେ ଓଡିଶାରେ ମୌସୁମୀ ପ୍ରବେଶ କରିଛି । ଲଘୁଚାପ ବପର୍ତ୍ତମାନ ଓ୍ୱେଲ ମାର୍କରେ ପରିଣତ ହୋଇଛି । ଜୁନ ମାସରେ ସାଧାରଣତଃ ମୌସୁମୀ ଆସୁଥିବା ବେଳେ ଚଳିତ ବର୍ଷ ଶୀଘ୍ର ଆସିଛି । ଦକ୍ଷିଣ ପଶ୍ଚିମ ମୋସୁମୀ ବାୟ ଦକ୍ଷିଣ ଓଡିଶାର କିଛି ଅଞ୍ଚଲରେ ପ୍ରବେଶ କରିଛି ।
ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି, "ଓଡିଶାକୁ ଛୁଇଁଛି ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ସମ୍ପୂର୍ଣ୍ଣ ମାଲକାନାଗିରି, କୋରାପୁଟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳକୁ ସ୍ପର୍ଶ କରିଛି ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ସମ୍ପୁର୍ଣ୍ଣ ଅନୁଗୁଳ ରହିଛି ।"ଏପଟେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପଟି ସକ୍ରିୟ ରହିଛି । ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇ ଉତ୍ତର ଆଡକୁ ଗତି କରିଛି।ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ଝଟକା ଝଟକା ପବନ ମଧ୍ୟ ବହିବା ସହ ବିଜୁଳି ଘଡଘଡି ସମ୍ଭାବନା ରହିଛି ।
State,Sports
ପାରଳାଖେମୁଣ୍ଡି ( ଦ କୁଇଭର ):- ଗୃହରକ୍ଷୀ ଚାକିରି ପାଇଁ ଶାରୀରିକ ପରୀକ୍ଷା ସମୟରେ ଦୁଇଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଗୁରୁବାର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାଲିଥିବା ଏହି ଯୋଗ୍ୟତା ପରୀକ୍ଷାରେ ୨ କିମି ଦୌଡ଼ ପ୍ରତିଯୋଗିତା ବେଳେ ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ (୨୭) ଓ ନାରାୟଣପୁର ଗ୍ରାମର ଦୀପକ ପଡ଼ାଲ (୨୮)। ଅସୁସ୍ଥଙ୍କ ମଧ୍ୟରେ ଘୁରୁଣି ଗ୍ରାମର ସଞ୍ଜୟ ଶବର, ବାଲକ୍ରିଷ୍ଣା ଲିମା, ଅପ୍ରୀତିକର ଲିମା ଓ ପି.ଶଙ୍କର ଅଛନ୍ତି। ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ତେବେ ସୂଚନା ପ୍ରକାରେ, ଗଜପତି ଜିଲ୍ଲା ନିମନ୍ତେ ୧୪୪ଟି ଗୃହରକ୍ଷୀ ପଦବି ପାଇଁ ମନୋନୟନ ପ୍ରକ୍ରିୟା ଜାରି ରହିଛି। ପର୍ଯ୍ୟାୟ କ୍ରମେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଯୋଗ୍ୟତା ଓ ଚୟନ ପାଇଁ ଗୁରୁବାର ୨ କିଲୋମିଟର ଦୌଡ଼ ପ୍ରତିଯୋଗିତା ରହିଥିଲା। ସକାଳ ପ୍ରାୟ ୬ଟା ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଠସ୍ଥିତ ଏସ୍ପି ଅଫିସ୍ଠାରୁ ପଦ୍ମପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୌଡ଼ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ୧୨ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ବ୍ୟାଚ୍ରେ ୨ କିଲୋମିଟର ରାସ୍ତାକୁ ୧୦ ମିନିଟ୍ ମଧ୍ୟରେ ଅତିକ୍ରମ କରି ଯୋଗ୍ୟତା ହାସଲ କରିଥିଲେ ସୁଲନ୍ତ। ହେଲେ ଦ୍ବିତୀୟ ପର୍ଯ୍ୟାୟକୁ ଯିବା ସମୟରେ ଘଟିଥିଲା ଅଘଟଣ। ହୃଦ୍ସ୍ପନ୍ଦନ ବଢ଼ିଯିବା କାରଣରୁ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସହିତ ଜଣେ ପରେ ଜଣେ ଦୌଡ଼ୁଥିବା ଏଭଳି ୬ ଜଣ ଅସୁସ୍ଥ ହୋଇ ଟ୍ରାକ୍ ଉପରେ ଖସି ପଡ଼ିଥିଲେ। ଯୋଗ୍ୟତା ପରୀକ୍ଷାରେ ଉପସ୍ଥିତ ଥିବା ଡାକ୍ତର ସୁଲନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଅସୁସ୍ଥ ହୋଇଥିବା ଦୀପକ ପଡ଼ାଲଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଯେଉଁ ୪ ଜଣ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।
ତେବେ ଶାରୀରିକ ପରୀକ୍ଷା ବେଳେ ଘଟିଥିବା ଏହି ଅଘଟଣକୁ ନେଇ ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା କେବଳ ୧୦ ମିନିଟ୍ ମଧ୍ୟରେ ଯୋଗ୍ୟତା ହାସଲ କରିବା ପାଇଁ ପ୍ରଯୁଜ୍ୟ ଥିଲା। ଦୌଡ଼ ପରୀକ୍ଷା ବେଳେ ପ୍ରତିଯୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରାସ୍ତାରେ ପୁଲିସ, ଆମ୍ବୁଲାନ୍ସ ଓ ଡାକ୍ତର ନିୟୋଜିତ ଥିଲେ। ତଥାପି ପ୍ରତିଯୋଗୀ ଏଭଳି ଅସୁସ୍ଥ ହୋଇପଡ଼ିବା ଏବଂ ଦୁଇଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ମୃତ ସୁଲନ୍ତଙ୍କ ଘରେ ବିଧବା ମା’ ରହିଥିବା ବେଳେ ୧୦ ବର୍ଷ ତଳେ ତାଙ୍କ ବଡ଼ଭାଇଙ୍କର ମୃତ୍ୟୁ ହୋଇଥିଲା। ମା’ ପ୍ରମିଳା ମିଶାଲ ଗାଁ’କୁ ଗାଁ ବୁଲି ଶୁଖୁଆ ବିକ୍ରି କରନ୍ତି। ସୁଲନ୍ତ ସିଲେଇ କାମ କରି ଘର ଚଳାଉଥିବାବେଳେ ଯୁକ୍ତତିନି ପାଠପଢ଼ା ପରେ ଚାକିରି ସନ୍ଧାନରେ ଥିଲେ। ଏବେ ଏକମାତ୍ର ପୁଅକୁ ହରାଇ ପ୍ରମିଳା ନିଃସହାୟ ହୋଇପଡ଼ିଛନ୍ତି।
Sports
ଦ କୁଇଭର ବ୍ୟୁରୋ:- ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଅଷ୍ଟାଦଶ ସଂସ୍କରଣରେ କ୍ବାଲିଫାୟର-୧ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରିବା ସହିତ ଫାଇନାଲରେ ପହଞ୍ଚିଛି। ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ୟାଦାବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ପଂଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବେଙ୍ଗାଲୁରୁ ୧୦ ଓଭରରେ ୨ଟି ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ଜିତିବା ସହିତ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁର ଟିମ୍ ୯ ବର୍ଷ ପରେ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁରୁ ପାଇଁ ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୭ଟି ବଲ୍ ସାମ୍ନା କରିଥିଲେ ଏବଂ ୬ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୬ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୨ ରନ୍ କରିଥିଲେ। ୧୨ଟି ବଲ୍ ଖେଳି ସେ ୨ଟି ଚୌକା ମାରିଥିଲେ। ମୟଙ୍କ ଅଗ୍ରୱାଲ ୧୯ ରନ୍ ଓ ଅଧିନାୟକ ରଜତ ପାଟିଦାର ଅପରାଜିତ ୧୫ ରନ୍ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁର ପ୍ରଭାବଶାଳୀ ବୋଲିଂ ଯୋଗୁଁ ପଂଜାବ ଟିମ୍ ୧୪.୧ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ବେଙ୍ଗାଲୁର ପାଇଁ ସୂୟାଶ ଶର୍ମା ଓ ଜୋସ୍ ହେଜଲଉଡ୍ ସର୍ବାଧିକ ୩-୩ଟି ୱିକେଟ୍ ନେଇଥିଲେ। ବେଙ୍ଗାଲୁରୁ ପାଇଁ ସୂୟାଶ ଶର୍ମା ଓ ହେଜଲଉଡ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୂୟାଶ ୩ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ହେଜଲଉଡ୍ ୩.୧ ଓଭର ବୋଲିଂ କରିଥିଲେ। ସେ ୨୧ ରନ୍ ଖର୍ଚ୍ଚ କରିଥିଲେ। ୟଶ ଦୟାଲଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ରୋମାରିଓ ସିଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
State
ଦ କୁଇଭର ବ୍ୟୁରୋ:- ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ଥିଲା, ଏବେ ଏହାକୁ ୪୨ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବରେ ବୁଧବାର କ୍ୟାବିନେଟ୍ ମୋହର ବାଜିଛି। ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। କେବଳ ସେତିକି ନୁହେଁ, ଏସ୍ସି, ଏସ୍ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା।