ବ୍ରହ୍ମପୁର( ଦ କୁଇଭର ):- ଘଣ୍ଟଘଣ୍ଟା, ଶଙ୍ଖନାଦ, ଢୋଲବାଜା ଓ ମନ୍ତ୍ର ଧ୍ବନିରେ କମ୍ପୁଛି ବ୍ରହ୍ମପୁର ସହର, ବାପ ଘରକୁ ଆସିଛନ୍ତି ମା' ବୁଢୀ ଠାକୁରାଣୀ । ଗୁରୁବାର ରାତିରେ ଆଜ୍ଞାମାଳ ମିଳିବା ପରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଯାଇଛି ସହରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା । ଶାଶୁଘର ଛାଡି ଏବେ ବାପ ଘରେ ପହଞ୍ଚିଛନ୍ତି ମା' । ଗୋଟିଏ ଦିନ ବିଶ୍ରାମ ପରେ ଘଟ ପରିକ୍ରମା କରିବେ । ଗୁରୁବାର ବିଳମ୍ବିତ ରାତିରେ ମା' ଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପରିବାର ପକ୍ଷରୁ ଉଲଚାଙ୍ଗୁଡି ଧରି ମା'ଙ୍କ ମୁଖ୍ୟମନ୍ଦିରରେ ପହଞ୍ଚିଥିଲେ । ଏହାପରେ ବାପଘରକୁ ଯିବା ପାଇଁ ନିମନ୍ତ୍ରଣ ସହିତ ଆବାହନ କରାଯିବା ପରେ ମା'ଙ୍କ ମସ୍ତକରୁ ଆଜ୍ଞାମାଳ ମିଳିଥିଲା । ଏହାପରେ ସେହି ଆଜ୍ଞାମାଳକୁ ନେଇ ଶାଶୁଘର ତଥା ବୁଢୀ ଠାକୁରାଣୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଦେଶୀ ବେହେରା ସାହି ସ୍ଥିତ ନିଜ ବାପ ଘର ଅସ୍ଥାୟୀ ମନ୍ଦିରରେ ପହଞ୍ଚିଥିଲେ ବୁଢୀ ଠାକୁରାଣୀ । ମା' ବାପଘରେ ପହଞ୍ଚିବା ସହିତ ଆରମ୍ଭ ହୋଇଯାଇଛି ଠାକୁରାଣୀ ଯାତ୍ରା । ଗୋଟିଏ ଦିନ ବିଶ୍ରାମ ପରେ ଆରମ୍ଭ ହେବ ଘଟ ପରିକ୍ରମା ।
ସୂଚନା ଅନୁସାରେ ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜ୍ଞାମାଳ ମିଳିବା ପରେ ଶୁଭାରମ୍ଭ ହୋଇଯାଇଛି । ପରମ୍ପରା ଓ ରୀତିନୀତି ମଧ୍ୟରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ଏହି ପ୍ରସିଦ୍ଧ ଯାତ୍ରା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଯାତ୍ରାର ପ୍ରଥମ ଦିବସରେ ମା' ବାପାଘର କୁହାଯାଉଥିବା ଦେଶୀବେହେରାଙ୍କ ପରିବାର ଦିନତମାମ ବିଭିନ୍ନ ପ୍ରକାର ପାରମ୍ପରିକ ରୀତିନୀତିରେ ପୁଜାର୍ଚ୍ଚନା କରାଯିବା ପରେ ରାତ୍ର ସମୟରେ ବାହାରିଥିବା ଶୁଭ ସମୟ ଅନୁଯାୟୀ ଦେଶୀବେହେରାଙ୍କ ପତ୍ନୀ ପି.ଦେବକୀ ମା'ଙ୍କୁ ନିମନ୍ତ୍ରଣ କରି ନିଜ ଘରକୁ ଆଣିବା ପାଇଁ ଏକ ଫୁଲ ଚଙ୍ଗୁଡ଼ି ଧରି ଶୋଭାଯାତ୍ରାରେ ବାହାରିଥିଲେ । ପରେ ମନ୍ଦିରରେ ପହଞ୍ଚିବା ପରେ ରୀତୀନୀତିରେ ପୂଜାର୍ଚ୍ଚନା କରାଯାଇ ମାଟ ଙ୍କୁ ଆଳତୀ କରାଯିବା ସହିତ ଆବାହନ କରାଯାଇଥିଲା । ଏହାପରେ ମା'ଙ୍କର ମସ୍ତକରୁ ଆଜ୍ଞାମାଳ ମିଳିବା ପରେ ଆରମ୍ଭ ହୋଇଥିଲା ଏହି ଯାତ୍ରା । ମା'ଙ୍କ ମସ୍ତକରୁ ଆଜ୍ଞାମାଳ ମିଳିବା ପରେ ଆରମ୍ଭ ହୋଇଥାଏ ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ଆଜ୍ଞାମାଳକୁ ପୁଣି ଶୋଭାଯାତ୍ରାରେ ନେଇ ଖଡୁରା ସାହି, ପେଦିବାରି ସାହି, ଖାସ୍ପାସାହି, ନଡ଼ିଆ ଗୋର୍ଜି ସାହି ଦେଇ ଦେଶୀବେହେରା ସାହିରେ ପହଞ୍ଚିଥିଲା । ଏହାପରେ ସେଠାରେ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ମଣ୍ଡପରେ ମା'ଙ୍କର ଫୁଲଚାଙ୍ଗୁଡିକୁ ସ୍ଥାପନ କରାଯାଇଛି । ଆଜ୍ଞାମାଳକୁ ଦର୍ଶନ କରିବା ପାଇଁ ଦେଶୀ ବେହେରା ସାହିର ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କ ଭିଡ ଜମିବା ଆରମ୍ଭ ହୋଇଯାଇଛି । ମା' ଙ୍କ ଆଗମନ ସମୟର ଦୃଶ୍ୟ ଦେଖିବା ପାଇଁ ସବୁ ସାହିର ରାସ୍ତା ପାର୍ଶ୍ଵରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।
No comments yet.
State,Politics
ଭୁବନେଶ୍ୱର( ଦ କୁଇଭର ):- ନବୀନ ଜଣେ ଭଲ ବାପା । ଏକଥା ହୁଏ ତ, ଅନେକଙ୍କର ହଜମ ହେବ ନାହିଁ, କିନ୍ତୁ ଯଦି ନିରିଖେଇକି ଦେଖିବା ତାହେଲେ ନବୀନ ତାଙ୍କ ପିତୃତ୍ୱର ପରିଚୟ ଦେଇଛନ୍ତି । ତାଙ୍କ ପୁଅର ପିଠି ଥାପୁଡ଼େଇଛନ୍ତି ନବୀନ । ଯେତେ ବି ବାଧା ବିଘ୍ନ ଆସୁ, ସେ ତାଙ୍କ ପୁଅର ସାଥ ଛାଡ଼ି ନାହାନ୍ତି । ଛାଡ଼ିବା ବି ଅନୁଚିତ୍ । କାରଣ ବିପଦ ବେଳର ବନ୍ଧୁ ହିଁ ଅସଲ ବନ୍ଧୁ । ହଁ ଆଜ୍ଞା ଆମେ ଏଠି କହୁଛୁ ଭିକେ ପାଣ୍ଡିଆନ ଓ ନବୀନ ବାବୁଙ୍କ କଥା । ଯାହାକୁ ନେଇ ସବୁଠି ଚର୍ଚ୍ଚା । ନବୀନଙ୍କୁ ବିରୋଧ କରାଯାଇଛି, ଯେ ସେ ପଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି । କିନ୍ତୁ ଥରେ ବାସ୍ତବ ସ୍ଥିତିକୁ ନଜର ପକେଇଲେ ଜଳ ଜଳ ହେଇ ଦିଶୁଛି କାହିଁକି ନବୀନ ପଣ୍ଡିଆନଙ୍କ ପାଖରେ ଦୁର୍ବଳ ।
ଏବେ ଆସିବା ବାସ୍ତବ କଥା କୁ । ନବୀନଙ୍କର ବୟସ ୭୮ ଛୁଇଁଲାଣି । ପରିଣତ ବୟସ । ଏ ବୟସରେ ରାଜନୀତି କରିବା ହୁଏତ ସମ୍ଭବ ନୁହେଁ । ତଥାପି ତାଙ୍କୁ ରାଜନୀତିର ଗୁରୁ ଦାୟିତ୍ୱ ଦିଆଯାଇଛି । ବିଜେଡ଼ି ଦେଇଛି । ନବୀନଙ୍କ ନଜରରେ ଓଡ଼ିଶାକୁ ଶାସନ କରିବା ପାଇଁ ଆଉ ବିଜେଡ଼ିର ମଙ୍ଗ ଧରିବା ପାଇଁ କୌଣସି ଓଡ଼ିଆ ଯୋଗ୍ୟ ନୁହଁନ୍ତି । ଆଯୋଗ୍ୟଙ୍କ ଉପରେ ଶାସନ ଭାର ଦବା ଅପେକ୍ଷା ଜଣେ ଅଣ ଓଡ଼ିଆଙ୍କୁ ସେ ଯୋଗ୍ୟ ବୋଲି ଭାବିଥିଲେ । କିଛି ଦିନ ଶାସନ ଭାର ତାଙ୍କ ହାତରେ ଟେକିବି ଦେଇଥିଲେ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଭିକେ ପାଣ୍ଡିଆନ ।
ଭିକେ ପାଣ୍ଡିଆନ ତାଙ୍କ ପାଇଁ ଶାସନ କେବଳ କରୁନଥିଲେ, ତାଙ୍କ ବ୍ୟକ୍ତି ଗତ ଜୀବନରେ କାଳେ ଅନେକ କିଛି କରୁଥିଲେ । ମନେ ପକେଇବା ୨୦୧୯ ମସିହା କୋଭିଡ କଥା । ସମସ୍ତେ ଜାଣନ୍ତି ନବୀନ ହେଲେ ନିସଙ୍ଗ । ଅର୍ଥାତ ପରିବାର ନାହିଁ, ପିଲା ନାହାଁନ୍ତି । ୨୦୧୯ ମସିହାରେ ତାଙ୍କର ବୟସ ୭୨ ବର୍ଷ, କୋଭିଡର ଯୋଉ କରାଳ ରୂପ, ସେ ସମୟରେ ନବୀନଙ୍କ ପାଖରେ କିଏ ଥିଲେ ? କୋଉ ଓଡ଼ିଆ ନେତା ଥିଲେ କି ନବୀନଙ୍କ ପାଖରେ ? ନବୀନଙ୍କର ସେବା କରିବା ପାଇଁ କିଏ ଯାଇଥିଲେ ? ନବୀନ ଯେତେବେଳେ ଅସୁସ୍ଥ ଥିଲେ ତାଙ୍କ ପାଖରେ ବସିଥିଲେ କିଏ ? କିଏ ତାଙ୍କ ଦେଖାରଖା କରୁଥିଲେ ? ଜଣେ ବୟସ୍କ ଲୋକର ଆବଶ୍ୟକତାକୁ ସହଜେ ମନେ ପକେଇ ପରାନ୍ତିନି ଯୁବକ ଏବଂ ତଥା କଥିତ ସମାଜସେବୀ ମାନେ ।
ଥରେ ମାନେ ପକାନ୍ତୁ ତ କୋଉ ଓଡ଼ିଆ ନେତା କେବେ ନବୀନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କେହି ଜାଣିବାକୁ ଚାହିଁଛନ୍ତି କି ? ହଁ ନବୀନ ହୁଏତ ସୁଯୋଗ ଦେଇ ନ ପାରନ୍ତି, କିନ୍ତୁ କେହି କେବେ ଚେଷ୍ଟା କରିଛନ୍ତି କି ? କିନ୍ତୁ ପାଣ୍ଡିଆନ ତାହା କରିଛନ୍ତି । ସେ ଅସୁସ୍ଥ ହୁଅନ୍ତୁ, ଶାରୀରିକ ଭାବେ ବା ମାନସିକ ଭାବେ । ସେ କୌଣସି କଥା ଆଲୋଚନା କରିବା ପାଇଁ ଚାହାଁନ୍ତି ବା ତର୍ଜମା କରିବା ପାଇଁ । ସବୁବେଳେ ପାଣ୍ଡିଆନ ହିଁ ଉପସ୍ଥିତ ରହୁଥିଲେ । ତେଣୁ ସେ ପଣ୍ଡିଆନଙ୍କୁ ତାଙ୍କର ବନ୍ଧୁ, ଶଖା ଏବଂ ପୁଅ ଭାବରେ ଗ୍ରହଣ କରିଥିବା କୁହାଯାଏ । ପାଣ୍ଡିଆନ ବି ଅନେକ ଜାଗାରେ ତାଙ୍କୁ ପିତୃ ତୁଲ୍ୟ ବୋଲି କହିଛନ୍ତି । ପିତା ପୁତ୍ରର ସମ୍ପର୍କ ଆଉ ପଣ୍ଡାଆନଙ୍କର ଯୋଉ ବ୍ୟକ୍ତି ସ୍ତରରେ ତାଙ୍କର ଯାହା ସେବା ତାକୁ ସେ ଠିକ୍ ଭାବେ ତୁଆଲାଇ ଚାଲିଛନ୍ତି ।
ଏବେ ସମସ୍ତଙ୍କ ନଜର ପଡିଛି ପଣ୍ଡିଆନଙ୍କ ଉପରେ । କେତେ ଜଣ ନବୀନ ବାବୁଙ୍କ ପାଖରେ ରହିଛନ୍ତି ? ରାତି ଅଧରେ ଜଣେ ବୟସ୍କ ତା ପରିଣତ ବୟସରେ ଥିବା ଲୋକଙ୍କର ଆବଶ୍ୟକତା କଥା କିଏ ଚିନ୍ତା କରିଛନ୍ତି ? ଏଇ କଥା ଚିନ୍ତା କରୁଥୁବା ଭିକେ ପଣ୍ଡିଆନଙ୍କ ପାଇଁ ନବୀନଙ୍କ ଦୁର୍ବଳତା ରହିବା ସ୍ଵାଭାବିକ । ଆଉ ନବୀନଙ୍କର ସେ ଦୁର୍ବଳତା ଅଛି । ସେ ଦୁର୍ବଳତାକୁ କେହି କାଟି ପାରିବେ ନାହିଁ । ନବୀନ ସର୍ବସମ୍ମୁଖରେ କହିଛନ୍ତି ପାଣ୍ଡିଆନ ଭଲ କାମ କରିଛନ୍ତି । ପାଣ୍ଡିଆନ କୌଣସି କ୍ଷତି କରିନାହାନ୍ତି ବିଜେଡ଼ିର । ଯେ ୧୦ ମାସ ହେବ ହସ୍ତକ୍ଷେପ କରିନାହାନ୍ତି । ପାଣ୍ଡିଆନଙ୍କ ପ୍ରତି ନବୀନଙ୍କର ଏ ଯୋଉ ସ୍ନେହ ଶ୍ରଦ୍ଧା ସ୍ୱତ ପିତୃ ତୁଲ୍ୟ ।
ସେଥି ପାଇଁ ଆମେ କହୁଛୁ ନବୀନ ଜଣେ ଭଲ ବାପା । ବାକି ବିଚାର ଜନତାଙ୍କର ? ଯେ ନବୀନଙ୍କର ଏ ବୟସରେ ରାଜନୀତିରେ ରହିବା କଥା, ଯଦି ରହିବା କଥା ତାଙ୍କ ସାଙ୍ଗରେ କିଏ ରହିବା କଥା କି ? ଯଦି କିଏ ନ ରହିବା କଥା ତେବେ ସେ କେମିତି ରହିବେ ? ହଁ କେତକ ଏଠି କହିପାରନ୍ତି ବିଜୁ ବାବୁଙ୍କ ଶେଷ ଅବସ୍ଥାରେ ନବୀନ ବାବୁ ନ ଥିଲେ, ଦିଲ୍ଲୀ ପଳାଇଥିଲେ । ତେଣୁ ନବୀନ ବାବୁ ତାଙ୍କ ବାପାଙ୍କ ସହ ଯାହା କରିଥିଲେ ତାଙ୍କ କର୍ମର ଫଳ ପାଉଛନ୍ତି । ସେ ବି ସେମିତି ରହିବେ । ଦେଖାଯାଉ ଏହି ବାପ ପୁଅ ସମ୍ପର୍କ ଭିତରେ ରାଜନୀତି ଆଗକୁ ଯାଉଛି ନା ବାପ ପୁଅଙ୍କ ସମ୍ପର୍କ ?
Sports
ଦ କୁଇଭର ବ୍ୟୁରୋ :- ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସର ଲଜ୍ଜାଜନକ ପରାଜୟ । ପ୍ରଥମ ମ୍ୟାଚ ପରଠୁ ଅଣ୍ଟା ସଳଖି ପାରୁନି ସିଏସକେ । ଧୋନିଙ୍କ ନେତୃତ୍ବରେ ଦଳ ଶୁକ୍ରବାର ପଡିଆକୁ ଓହ୍ଲାଇଥିବା ବେଳେ ବିଜୟ ଟ୍ରକକୁ ଫେରିବା ନେଇ ଫ୍ୟାନ୍ସ ଆଶାବାଦୀ ଥିଲେ । କିନ୍ତୁ ତାହା ଫସର ଫାଟିଯାଇଛି । କୋଲାକାତାର ଘାତକ ବୋଲିଂରେ ଧ୍ବଂସବିଧ୍ବସ୍ତ ହେଲା ଚେନ୍ନାଇର ଟପ ଅର୍ଡର ଓ ମିଡିଲ ଅର୍ଡନ । ଚେପକରେ ଚାଲିପାରିଲାନି କାହାରବି ବଲ୍ଲା । ପୁଣି ଫ୍ୟାନ୍ସକୁ ନିରାଶ କରିଛି ଧୋନି ବାହିନୀ । ଆଇପିଏଲର ୨୫ ତମ ମୁକାବିଲାରେ ଚେନ୍ନାଇକୁ ୮ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ୫୯ ଟି ବଲ ବାକି ଥାଇ ଚେନ୍ନାଇ ବିପକ୍ଷରେ କେକେଆରର ସହଜ ବିଜୟ ହୋଇଛି । ଏହି ମ୍ୟାଚ୍ରେ କୋଲକାତା ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ଦଳ ୨୦ ଓଭରରେ ୧୦ ୱିକେଟ୍ ହରାଇ ୧୦୩ ରନ୍ ସଂଗ୍ରହ କରି କୋଲକାତା ନାଇଟ୍ ରାଇଡର୍ସକୁ ୧୦୪ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ମାତ୍ର ୧୦. ୧ ଓଭରରେ ୨ ୱିକେଟ୍ ହରାଇ ୧୦୭ ରନ୍ ସ୍କୋର କରି କେକେଆର୍ ଏହି ଲକ୍ଷ୍ୟ ହାସଲ କରି ମ୍ୟାଚକୁ ୮ ୱିକେଟ୍ ଜିତିଥିଲା। ୬ ଟି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଏହା ତୃତୀୟ ବିଜୟ ହୋଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସର ୬ଟି ମ୍ୟାଚରେ ପଞ୍ଚମ ପରାଜୟ । ଘରୋଇ ଷ୍ଟାଡିୟମରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ପୁରା ରଣନୀତି ସହ ଧୋନିଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । କିନ୍ତୁ ରାହାଣେଙ୍କ ରଣନୀତି ଆଗରେ ସବୁ କିଛି ଧୋଇ ହୋଇଯାଇଥିଲା । କାମ ଦେଲାନାହିଁ ଧୋନିଙ୍କ କୌଣସିବି ପାଓ୍ବାର । କେକେଆରର ଘାତକ ବୋଲିଂରେ ମାଡି କାମୁଡିଥିଲେ ଚେନ୍ନାଇ ବ୍ୟାଟର । ଦୁବେଙ୍କୁ ଛାଡି ଦେଲେ କେହିବି ବେସି ସମୟ ପଡିଆରେ ତିଷ୍ଠି ପାରିନଥିଲେ ।
Education
ଦ କୁଇଭର ବ୍ୟୁରୋ :- ମେ’ ମାସ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୨୨ ହଜାର ପରୀକ୍ଷାର୍ଥୀ । ୪୫ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍ ପରୀକ୍ଷାର ଖାତା ଦେଖା କାର୍ଯ୍ୟ କରାଯାଇଥିବା ବେଳେ ୧୨ ହଜାର ୮୦୦ ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଥିଲେ ।
ଚଳିତବର୍ଷ ୫ ଲକ୍ଷ ୨୨ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ତେବେ ସାମାଜିକ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ରରେ ଯେଉଁ ତ୍ରୁଟି ରହିଥିଲା ସେଥିପାଇଁ ବୋର୍ଡ ପଦକ୍ଷେପ ନେଇଥିବା ଉପସଭାପତି କହିଛନ୍ତି । କିନ୍ତୁ କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି ସେନେଇ ଏହାକୁ ସାର୍ବଜନୀନ କରାଯିବ ନାହିଁ । ବରଂ ଫଳ ପ୍ରକାଶ ପରେ ଏନେଇ ସୂଚନା ଦିଆଯିବ ବୋଲି ଉପସଭାପତି କହିଛନ୍ତି । ତେବେ ଆସନ୍ତା ମେ’ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇଁ ବୋର୍ଡ ଯୋଜନା ରଖିଛି । ମାଟ୍ରିକ୍ ପରୀକ୍ଷାର୍ଥୀମାନେ ୬ଟି ବିଷୟରେ ୬୦୦ ନମ୍ବରରେ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ୫୦ ନମ୍ବର ସବଜେକ୍ଟିଭ୍ ଓ ୫୦ ନମ୍ବର ଅବଜେକ୍ଟିଭ୍ ପ୍ରଶ୍ନରେ ପରୀକ୍ଷା ଦେଇଥିଲେ । ମାଟ୍ରିକ୍ ସହ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ବା ଏସ୍ଓଏସସି ପରୀକ୍ଷାର ମୂଲ୍ୟାୟନ ମଧ୍ୟ ଏକା ସହିତ କରାଯିବ ।
ତେବେ ମୂଲ୍ୟାୟନ ବ୍ୟବସ୍ଥାରେ ସ୍ବଚ୍ଛତା ବଜାୟ ରଖିବା ଓ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଥିଲେ । ଖାତା ଦେଖା କାର୍ଯ୍ୟ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୧୨ ଦିନ ବ୍ୟାପୀ ମୂଲ୍ୟାୟନ ପାଇଁ ଯୋଜନା କରାଯାଇଥିବା ବେଳେ ଏହା ୧୮ ଦିନ ଲାଗିଥିଲା।
National,International
ନୂଆଦିଲ୍ଲୀ( ଦ କୁଇଭର ):- ୨୬ / ୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ତହୱୁର ହୁସେନ ରାଣା ଭାରତରେ ପହଞ୍ଚିଛନ୍ତି । ୨୦୦୮ ମସିହା ୨୬ / ୧୧ ମୁମ୍ବାଇ ଆକ୍ରମଣରେ ଥିବା ମାଷ୍ଟର ମାଇଣ୍ଡ ରାଣାଙ୍କୁ ବୁଧବାର ଆମେରିକା ଭାରତକୁ ହସ୍ତାନ୍ତର କରିଥିଲା ।ବହୁବର୍ଷର କୂଟନୈତିକ ପ୍ରୟାସ ପରେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଆମେରିକାରୁ ପ୍ରତ୍ୟର୍ପିତ ହୋଇଛି। ତହବୁରକୁ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଛି। ଭାରତୀୟ ଗୁଇନ୍ଦା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ ମିଳିତ ଟିମ୍ ତହବୁରକୁ ଧରି ଦିଲ୍ଲୀ ପାଲାମ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ପହଞ୍ଚିବା ପରେ ସେଠାରେ ତାକୁ ଏନ୍ଆଇଏ ଗିରଫ କରିଥିଲା ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିମାନ ବନ୍ଦରରେ ହିଁ ତହବୁରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ପ୍ରତ୍ୟର୍ପଣ ସଂକ୍ରାନ୍ତ ଔପଚାରିକତା ପୂରଣ କରାଯାଇଥିଲା। ଏହା ପରେ ବୁଲେଟ୍ ପ୍ରୁଫ୍ ଗାଡ଼ି ଓ ସଶସ୍ତ୍ର କମାଣ୍ଡୋଙ୍କ ସୁରକ୍ଷା ବଳୟରେ ତହବରକୁ ସ୍ବତନ୍ତ୍ର ଏନ୍ଆଇଏ ଅଦାଲତରେ ହାଜର କରାଯାଇଥିଲା। ପଟିଆଲା ହାଉସ୍ କୋର୍ଟ ବାହାରେ ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଅଦାଲତ ବାହାରେ ଅର୍ଦ୍ଧସାମରିକ ବାହିନୀ ଏବଂ ଦିଲ୍ଲୀ ପୁଲିସ କମାଣ୍ଡୋ ମୁତୟନ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅନେକ ଯାନବାହନ ଯାଞ୍ଚ କରାଯାଇଥିଲା। ପରେ ବିଳମ୍ବିତ ରାତିରେ କଡା ସୁରକ୍ଷାବଳୟ ମଧ୍ୟରେ ପଟିଆଲା ହାଉସରେ ଏହି ଆତଙ୍କୀକୁ ହାଜର କରାଯାଇଥିଲା । ପୁରା ଘଟଣାର ପଚରାଉଚରା ପାଇଁ ତହବୁରକୁ ରିମାଣ୍ଡରେ ନେବା ଆବଶ୍ୟକ ବୋଲି ତଦନ୍ତକାରୀ ସଂସ୍ଥାର ଅଧିକାରୀ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ବାଢିବା ସହ ୨୦ଦିନର ରିମାଣ୍ଡ ଆବେଦନ କରିଥିଲେ । ତେବେ ୧୮ଦିନର ରିମାଣ୍ଡ ପାଇଁ ଅନୁମତି ଦେବା ପରେ ରାତିରେ ହିଁ ତହବୁରକୁ ଏନଆଇଏ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି । ଏନଆଇଏ ଅଧିକାରୀ ତହବୁର ରାଣାକୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକାକୁ ନେଇ ପଚରାଉଚରା କରିବେ । ଜେରା ବେଳେ ମୁମ୍ୱାଇ ଆକ୍ରମଣକୁ ନେଇ ତହବୁର ରାଣା ମୁହଁରୁ ନୂଆ ତଥ୍ୟ ମିଳିବା ଆଶା କରାଯାଉଛି ।
ଏନ୍ଆଇଏ ଦ୍ବାରା ଆନୁଷ୍ଠାନିକ ଗିରଫ ହୋଇଥିବା ତହବୁରକୁ ତିହାର ଜେଲରେ ରଖାଯିବ ବୋଲି ଜଣାପଡ଼ିଛି। ତହବୁର ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ କାରାଗାର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ୬୪ ବର୍ଷୀୟ ତହବୁର ବିରୋଧରେ ଦିଲ୍ଲୀର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟରେ ଶୁଣାଣି ଚାଲିବ। ସମସ୍ତ ଶୁଣାଣି ଦିଲ୍ଲୀରେ ହିଁ ହେବାକୁ ଥିବାରୁ ତହବୁରକୁ ମୁମ୍ବାଇ ପଠାଯିବ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତହବୁର ବିରୋଧରେ ଏହି ମାମଲାରେ ଏନ୍ଆଇଏ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରସିକ୍ୟୁସନ୍ ଟିମର ନେତୃତ୍ୱ ନେବେ ବରିଷ୍ଠ ଆଇନଜୀବୀ ଦୟାନ୍ କ୍ରିଷ୍ଣନ। ତାଙ୍କ ସହ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର (ଏସ୍ପିପି) ନରେନ୍ଦ୍ର ମାନ୍ ଆଇନଗତ ପ୍ରକ୍ରିୟାର ନେତୃତ୍ବ ନେବେ। ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଭାରତ ଆମେରିକାକୁ ପ୍ରତିଶ୍ରୁତି ଦେଇଛି ଯେ ତହବୁରକୁ ନିର୍ଯାତନା ଦିଆଯିବ ନାହିଁ। ଜେଲ୍ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ଏବଂ କେବଳ ସେହି ଅପରାଧ ପାଇଁ ବିଚାର କରାଯିବ ଯେଉଁଥିପାଇଁ ତାକୁ ପ୍ରତ୍ୟର୍ପଣ କରାଯାଇଛି।
ସୂଚନାଯୋଗ୍ୟ, ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ମାର୍ଗ ଦେଇ ମୁମ୍ବାଇ ସହର ଭିତରକୁ ପ୍ରବେଶ କରିବା ପରେ ମୁମ୍ବାଇର ଏକ ରେଳ ଷ୍ଟେସନ, ଦୁଇଟି ବିଳାସପୂର୍ଣ୍ଣ ହୋଟେଲ ଏବଂ ଏକ ଇହୁଦୀ କେନ୍ଦ୍ର ଉପରେ ସମନ୍ୱିତ ଆକ୍ରମଣ କରିଥିଲେ। ପାଖାପାଖି ୬୦ ଘଣ୍ଟାର ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।
ରାଣା ଭାରତରେ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ସେଥି ପାଇଁ ୨୦୨୩ରେ ଆମେରିକାର ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣରେ ତାଙ୍କର ଭୂମିକା ପାଇଁ ତାଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଅନୁମୋଦନ କରିଥିଲେ, ଏହି ନିଷ୍ପତ୍ତିକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୫ ଫେବୃଆରୀରେ ନିଶ୍ଚିତ କରିଥିଲେ । ସେଥି ପାଇଁ ଅଭିଯୁକ୍ତ ତହୱୁର ହୁସେନ ରାଣା ଆଜି ଭାରତରେ । ଦେଖାଯାଉ ଭାରତର ବିଚାର ବ୍ୟବସ୍ଥା ତହୱୁର ହୁସେନ ରାଣାଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସଫଳ ହେଉଛନ୍ତି ନା କିଛି ବ୍ୟତିକ୍ରମ ହେଉଛି ।
State,National
ନୂଆଦିଲ୍ଲୀ( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ନୂଆଦିଲ୍ଲୀରେ ଦୁଇ ଦିନିଆ ନିବେଶକ ସମ୍ମିଳନୀ କରିଛନ୍ତି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ୧୩ ଟି ଏମଓୟୁ ସ୍ୱାକ୍ଷର କରିଛନ୍ତି। କାର୍ଯ୍ୟକ୍ରମରେ ୧୫ ଟି ନିବେଶ ପ୍ରସ୍ତାବ ପ୍ରସ୍ତାବ ଆସିଛି। ଫଳରେ ସମୁଦାୟ ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୯୫,୯୧୫ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଆଇଓସିଏଲ ସହିତ ଚୁକ୍ତିନାମା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିବେଶ କରିବାକୁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ନିବେଶ କରିବା ପାଇଁ ଏହି ସମୟ ହିଁ, ପ୍ରକୃତ ସମୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ସହିତ ଓଡିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ତାଜ୍ ପ୍ୟାଲେସରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩ଟି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହିତ ୧୫ଟି ନିବେଶ ପ୍ରସ୍ତାବ ଆସିଛି। ଏହି ୧୩ଟି ଚୁକ୍ତିନାମା ଜରିଆରେ ଓଡିଶାକୁ ୯୮,୮୮୦ କୋଟି ଟଙ୍କାର ପୁଞ୍ଜି ଆସିବା ସହିତ ୬୭ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ୧୫ଟି ନିବେଶ ପ୍ରସ୍ତାବ ମଧ୍ୟ ଆସିଛି। ଏହା ଦ୍ୱାରା ସମୁଦାୟ ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୯୫, ୯୧୫ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଚୁକ୍ତିନାମା ମଧ୍ୟରେ ଆଇଓସିଏଲ ସହିତ ଚୁକ୍ତି ଖୁବ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ଏକ ଡୁଆଲ-ଫିଡ୍ ନାଫଥା କ୍ରାକର ପ୍ରକଳ୍ପ କରିବା ପାଇଁ ଏହି ଚୁକ୍ତି କରାଯାଇଛି। ଏହା ଦ୍ୱାରା ଆଇଓସିଏଲ ଓଡ଼ିଶାରେ ୫୮, ୦୪୨ କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଏଥିରେ ୨୪ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ l ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଆଉ ଦୁଇଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଗୋଟିଏ ଚୁକ୍ତିନାମା ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିଅମ ରିଜର୍ଭ୍ସ ଲିମିଟେଡ ସହିତ ହୋଇଥିବା ବେଳେ ଅନ୍ୟ ଚୁକ୍ତିନାମାଟି ପେଟ୍ରୋନେଟ ଏଲଏନଜି ସହିତ ହୋଇଛି। ଠିକ ସେହିପରି ଓଡିଶା ସରକାର କେନ୍ଦ୍ର ସରକାରଙ୍କର ପେଟ୍ରୋଲିୟମ ବିଭାଗର ୩ ଟି ବିଭାଗ ସହ ଚୁକ୍ତି କରିଛନ୍ତି । ସେଗୁଡିକ ହେଉଛି ଆଇଓସିଏଲ, ପେଟ୍ରୋନେଟ ଏଲଏନଜି ଓ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ । ଏଥିସହିତ ଅନ୍ୟ ଶିଳ୍ପ ସଂସ୍ଥା ସହ ମଧ୍ୟ ଚୁକ୍ତି ହୋଇଛି । ସର୍ବ ମୋଟ ୧୩ ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ମୋଟ ୯୬ ହଜାର ୬୮୬ କୋଟି ନିବେଶ ପାଇଁ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ସମ୍ଭାବନାର ରାଜ୍ୟ ଓଡିଶାରେ ପୋର୍ଟ ସଂଯୁକ୍ତ ଶିଳ୍ପ, କେମିକାଲ, ପେଟ୍ରୋକେମିକାଲ, ଏଗ୍ରୋ ଇଣ୍ଡଷ୍ଟ୍ରିଜ, ଟେକ୍ସଟାଇଲ, ଆଇଟି, ସେମିକଣ୍ଡକଟର ଭଳି କ୍ଷେତ୍ରରେ ନିବେଶ ପାଇଁ ଆଜି ଚୁକ୍ତି ହୋଇଛି।"
ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିଅମ ଓ ନେଚୁରାଲ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଓଡିଶାର ଶିଳ୍ପ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
State
ବ୍ରହ୍ମପୁର( ଦ କୁଇଭର ):- ପରମ୍ପରା ଉପରେ ଆଧାରିତ ମା' ବୁଢ଼ୀ ଠାକୁରାଣୀ ଯାତ୍ରା ଆଜି ବି ଏହାର ଗୁରୁତ୍ଵ ବଜାଇ ରଖିଛି। ଯାତ୍ରା ସମୟରେ ପ୍ରଥମେ ଆମନ୍ତ୍ରଣ କରାଯାଉଥିବା ଧର୍ମଝଣ୍ଡା ଯାତ୍ରାର ପଞ୍ଚମ ଦିବସରେ ଲାଗିବାର ବିଧି ରହିଥାଏ । ଯାତ୍ରାର ନିୟମାନୁଯାୟୀ କମଳାବାରୀ ସାହିରୁ ଧର୍ମଝଣ୍ଡା କୁ ଅଣାଯାଇ ସ୍ଥାପନ କରାଯାଉଛି। କିଂବଦନ୍ତୀ ଅନୁଯାୟୀ ଠାକୁରାଣୀ ଯାତ୍ରା ବଂଶାନୁକ୍ରମେ ଚାଲିଆସିଛି। ମା'ଙ୍କ ସ୍ଵପ୍ନାଦେଶ ପରେ ଡେରା ସଂପ୍ରଦାୟର ଜଣେ ଭକ୍ତ ମା'ଙ୍କୁ ଆଣି ଯାତ୍ରା କରିବା ପୂର୍ବରୁ ସମସ୍ତ ଜାତିଭାଇଙ୍କୁ ଜଣାଇ ଆଲୋଚନା କରିଥିଲେ । ସେହି ସମୟରେ ବ୍ରହ୍ମପୁରକୁ ୧୮ଟି ମଣ୍ଡଳରେ ବିଭକ୍ତ କରାଯାଇ ୧୮ଜଣ ସେନାପତି ନିଯୁକ୍ତ ହୋଇ ଜାତିର ସମସ୍ତ ଉନ୍ନୟନ କାର୍ଯ୍ୟ ସଂପାଦନ କରୁଥିଲେ। କମଳବାରୀ ସାହିରେ ଜଣେ ପ୍ରମୁଖ ସେନାପତି ବାସ କରୁଥିଲେ । ଉକ୍ତ ସେନାପତିଙ୍କ ଦାୟିତ୍ଵ ଥିଲା ମା'ଙ୍କ ପ୍ରହରୀ ତଥା ଧର୍ମର ପ୍ରତୀକ ଧର୍ମଝଣ୍ଢାକୁ ନେଇ ଅସ୍ଥାୟୀମଣ୍ଡପରେ ସ୍ଥାପନ କରିବା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ସାହିରୁ ଧର୍ମଝଣ୍ଡା ଅଣାଯାଇ ସ୍ଥାପନ କରାଯାଉଛି। । ଉକ୍ତ ସେନାପତିଙ୍କ ବଂଶଧର ନଥିବା ଯୋଗୁଁ ପ୍ରଥା ଅନୁଯାୟୀ ସାହି ପକ୍ଷରୁ ଧର୍ମଝଣ୍ଡା କାର୍ଯ୍ୟ ପ୍ରସ୍ତୁତ କରାଯାଉଛି। ଧର୍ମଝଣ୍ଡା ସ୍ଥାପନ କରିବା ପଛର ବି ରହିଛି କାରଣ,ପୁରୀ ଶ୍ରୀକ୍ଷେତ୍ର ଧାମରେ ଯେଭଳି ମହାପ୍ରଭୁଙ୍କୁ ସମ୍ମୁଖରେ ରହିଥିବା ଅରୁଣ ସ୍ତମ୍ଭ ନିକଟରେ ରହି ପ୍ରଭୁଙ୍କୁ ଭକ୍ତ ଦର୍ଶନ କରନ୍ତି, ସେହିଭଳି ଧର୍ମଝଣ୍ଡା ନିକଟରେ ରହି ମାଁ'ଙ୍କ ଦର୍ଶନ କରିବାର ବିଧି ରହିଛି। ଝଣ୍ଡା ରେ ଲାଗିଥିବା ଦୁଇଟି ଲାଲ ଓ କଳାରଂଗର ପତାକା ଧର୍ମର ପତାକା ବୋଲି ଅଭିହିତ କରାଯାଇଛି। ଧର୍ମଝଣ୍ଡା ସ୍ଥାପନ ହେବା ପରେ ଭକ୍ତଙ୍କ ପକ୍ଷରୁ ମା'ଙ୍କ ଶୁଙ୍ଖୁଡ଼ି ଭୋଗ ଆରମ୍ଭ ହୋଇଥାଏ | ଅସ୍ଥାୟୀମଣ୍ଡପରେ ମା'ଙ୍କ ଭୋଗ ବେଳେ ଧର୍ମଝଣ୍ଡା ନାମରେ ରାଜଭୋଗ କରାଯାଇଥାଏ । ଅନ୍ୟପକ୍ଷରେ ଧର୍ମଝଣ୍ଡା ହେଉଛି ମା'ଙ୍କ ଭଣ୍ତାର ଗୃହ ବା ଶୀତଳାଦେବୀ। ମା'ଙ୍କ ନିଜସ୍ବ ମନ୍ଦିରରେ ଯେପରି ମା' ଶୀତଳାଦେବୀ ରହି ମା'ଙ୍କ ଭଣ୍ଡାରଗୃହ ଭାବେ ପୂଜା ପାଉଛନ୍ତି ସେଭଳି ଅସ୍ଥାୟୀମଣ୍ଡପରେ ବି ପୂଜା ପାଉଛନ୍ତି । ସୋମବାର ଧର୍ମଝଣ୍ଡା ସ୍ଥାପନ ପରେ ମହିଳା ଶ୍ରଦ୍ଧାଳୁ ମାନେ ଧର୍ମଝଣ୍ଡା କୁ ହଳଦୀ ପାଣି ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ।
State,Business,National
ନୂଆଦିଲ୍ଲୀ( ଦ କୁଇଭର ):- ଓଡ଼ିଶା ପାଇଁ ୩୦ ହଜାର, ୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସୃଷ୍ଟି ହେବାକୁ ଯାଉଛି । ସୃଷ୍ଟି ହେବ ୪୮ ହଜାର ୩୯୦ ନିଯୁକ୍ତି, ଏନେଇ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଚସିଏଲ ଟେକ୍ କମ୍ପାନୀକୁ ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସରକାର। ଓଡ଼ିଶାରେ ଏଚସିଏଲ ବିଶ୍ବବିଦ୍ୟାଳୟ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ୧୧ ଟି କମ୍ପାନୀ ସହ ୨୭ ହଜାର ୫୯୫ କୋଟି ଟଙ୍କାର ନିବେଶ ପାଇଁ ଏମଓୟୁ ହୋଇଥିବା ବେଳେ ଅନ୍ୟ ୧୪ କମ୍ପାନୀ ସହ ୩ ହଜାର କୋଟିର ନିବେଶ ପାଇଁ ଚୁକ୍ତି ହୋଇଛି । ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଓଡିଶାକୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ସୋମବାର ପ୍ରଥମ ଦିନରେ ଦିଲ୍ଲୀ ନୋଏଡାର ଏଚସିଏଲ ଟେକ୍ କ୍ୟାମ୍ପସକୁ ଯାଇଥିଲେ । ଏଠାରେ ଏଚସିଏଲ ଟେକ୍ନୋଲୋଜିର ମୁଖ୍ୟ ରୋଶନୀ ନଦର ମାଲହୋତ୍ରାଙ୍କୁ ଭେଟି ଆଲୋଚନା କରିଥିଲେ ।
State,Health & lifestyle
କଟକ ( ଦ କୁଇଭର ):- ଆୟୁଷ୍ମାନ ଭାରତ ଯୋଜନାରେ ଯୋଡି ହେବ ଓଡ଼ିଶା l ଆଜି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି କଟକରେ ଏହାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଓଡ଼ିଶାରେ ସାଢେ ୩ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ । ବିଜୁ ସ୍ୱାସ୍ଥ୍ୟ କାର୍ଡର ସ୍ଥାନ ନେବ ଏହି ଯୋଜନା । ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ । ଦେଶର ୨୯୦୦୦ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ । କଟକ ବାଲିଯାତ୍ରା ତଳ ପଡିଆରେ ୬ ବର୍ଷ ପରେ ଆରମ୍ଭ ହେବାକୁ ଯାଉଛି ବିଜେପିର ଡ୍ରିମ ପ୍ରୋଜେକ୍ଟ ଆୟୁଷ୍ମାନ ଭାରତ । ଏଠାରେ ଆୟୋଜିତ ବିରାଟ ସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି.ନଡ୍ଡା, ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ମନ୍ତ୍ରୀ, ନେତାଙ୍କ ଉପସ୍ଥିତରେ ଲୋକଙ୍କୁ ବଣ୍ଟାଯିବ ଆୟୁଷ୍ମାନ କାର୍ଡ । ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ୨୦୧୮ରୁ ଏହି ଯୋଜନାକୁ ଲାଗୁ କରୁନଥିଲେ ପୂର୍ବ ବିଜେଡି ସରକାର । ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଚଳାଇଥିଲେ ସରକାର । ଏବେ ଏହି ବିଏସକେୱାଇ ଯୋଜନାର ସ୍ଥାନ ନେବ ଆୟୁଷ୍ମାନ ଯୋଜନା ।
ଆଜି ପ୍ରାଥମିକ ଭାବେ କିଛି ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦେବା ପାଇଁ ନୂଆ କାର୍ଡ ପ୍ରସ୍ତୁତ ହୋଇ ରହିଛି । ଆୟୁଷ୍ମାନ ଯୋଜନାରେ ରାଜ୍ୟରେ ସାଢ଼େ ୩ କୋଟି ୪୬ ଲକ୍ଷ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ଉପକୃତ ହେବେ ୧କୋଟି ୩ ଲକ୍ଷରୁ ଅଧିକ ପରିବାର । ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ଦିଆଯିବ। ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ପରିବାର ପିଚ୍ଛା ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କ ପାଇଁ ପରିବାର ପିଚ୍ଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ ।
State,National,Business
ଦ କୁଇଭର ବ୍ୟୁରୋ :- କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ଦର ୫୦ ଟଙ୍କା କୁ ବୃଦ୍ଧି କରିଛନ୍ତି । ଉଭୟ ସାଧାରଣ ଗ୍ରାହକ ଏବଂ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ୮ ତାରିଖ (ମଙ୍ଗଳବାର)ଠାରୁ ଏହାକୁ ଲାଗୁ କରାଯିବ। ଏଥିଯୋଗୁ ସାଧାରଣ ଗ୍ରାହକ ବ୍ୟବହାର କରୁଥିବା ଘରୋଇ ଏଲ୍ପିଜି ଦର ୮୦୩ ଟଙ୍କାରୁ ବୃଦ୍ଧି ଘଟି ୮୫୩ ଟଙ୍କାରେ ପହଞ୍ଚିଛି। ସେହିଭଳି ଉଜ୍ଜ୍ବଳା ଯୋଜନାରେ ପ୍ରଦାନ କରାଯାଉଥିବା ଏଲ୍ପିଜି ଦର ୫୦୦ ଟଙ୍କା ପରିବର୍ତ୍ତେ ୫୫୦ ଟଙ୍କାରେ ପହଞ୍ଚିଛି। ଏଥିସହିତ ଆଗାମୀ ଦିନରେ ପ୍ରତି ୨ରୁ ୩ ସପ୍ତାହରେ ଏହି ଦରର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ କହିଛନ୍ତି। ଗୋଟିଏ ପଟେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୨ ଟଙ୍କା ବଢ଼ାଇଛନ୍ତି। ଯଦିଓ ଏହାର ବୋଝ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ବୋଲି କୁହାଯାଇଛି ଅନ୍ୟପଟେ କିନ୍ତୁ ଏଲ୍ପିଜି ଦର ବଢ଼ାଇ ସାଧାରଣ ଲୋକଙ୍କ ଉପରେ ଦରଦାମ ବୋଝକୁ ଲଦି ଦେଇଛନ୍ତି। ଗ୍ୟାସ ବିକ୍ରି ବାବଦରେ ତୈଳ କମ୍ପାନିଗୁଡ଼ିକ ସହିଥିବା ୪୩ ହଜାର କୋଟି ଟଙ୍କାର କ୍ଷତିର କିଛି ଅଂଶ ଭରଣା କରିବା ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଗାମୀ ଦିନରେ ରନ୍ଧନ ଗ୍ୟାସ ଦର ବୃଦ୍ଧିର ସମୀକ୍ଷା ପ୍ରତି ୧୫ରୁ ୩୦ ଦିନରେ କରାଯିବ ବୋଲି ସେ କହିଛନ୍ତି।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହର ସ୍ଥିତ ବିଜିପୁର କାଳୀ ମନ୍ଦିର ନିକଟରେ ଯୁବକକୁ ଆକ୍ରମଣ ଘଟଣା,୨ମାସ ଧରି ଫେରାର ଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛିଟାଉନ ଥାନା ପୋଲିସ । ସୂଚନା ପ୍ରକାରେ, ଚଳିତ ବର୍ଷ ଗତ ଜାନୁୟାରୀ ୨୭ ତାରିଖରେ ରାତିରେ ବିଜିପୁର କାଳୀ ମନ୍ଦିର ନିକଟରେ ସୁଜନ ପାତ୍ର ଓ ଅଭିନାଶ ମହାନ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରି ଦୀର୍ଘ ୨ ମାସ ହେଲା ଫେରାର ହୋଇଥିଲେ ୬ ଅଭିଯୁକ୍ତ । ଏହି ସବୁ ଫେରାର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବିଭୁତି ଭୂଷଣ ସେଠୀ ,ରଞ୍ଜିତ କୁମାର ଦାଶ ଓ ଅନ୍ୟ ପୁଲିସ କର୍ମଚାରୀମାନେ କଟକ, ପୁରୀ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବୁଧବାର ୬ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ପୁଲିସ ଅକ୍ଳାନ୍ତ ପରିଶ୍ରମ କରିଛି । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଶାଣୀ ନୁଆଁ ଗ୍ରାମର ହିମାଂଶୁ ସାହୁ,ଆଙ୍କୁଲି ଅଞ୍ଚଳର ଦେବାଶିଷ ସାହୁ, ବୈଦ୍ୟନାଥ ନଗରର ସାର୍ଥକ ମହାନ୍ତି,ଗେଟ ବଜ଼ାର ଅଞ୍ଚଳର ଲିଙ୍କୁନ ନାୟକ,ପ୍ରେମ ନଗର ୭ତମ ଲାଇନର ସୁକେଶ କୁମାର ନାୟକ ଓ ପାଣିଗ୍ରାହୀ ପେଣ୍ଠ ସାହିର, ଆକାଶ ପାଣିଗ୍ରାହୀ । ତେବେ ଗିରଫ ପରେ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଉନ ଥାନା ପୋଲିସ ଗଣମାଧ୍ୟମ କୁ ସୂଚନା ଦେଇଛି l
Business
ଦ କୁଇଭର ବ୍ୟୁରୋ :- ଗତ କିଛି ଦିନ ହେବ ସୁନା ଦର ହ୍ରାସ ପାଇ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲା। ମାତ୍ର ଗତ ଦୁଇ ଦିନ ହେବ ସୁନା ମୂଲ୍ୟ ଲଗାତାର ବଢ଼ି ବଢ଼ି ଚାଲିଛି। ପୂର୍ବ ଦିନ ୨୪ କ୍ୟାରେଟ୍ ସୁନା ପ୍ରତି ୧୦୦ ଗ୍ରାମ ପିଛା ୨୭,୪୦୦ ଟଙ୍କା ବୃଦ୍ଧି ପାଇଥିଲା ଏବଂ ଆଜି ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ୯୫,୦୦୦ ଟଙ୍କା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶିଳ୍ପ ନୀତି ପାଇଁ ଗତ କିଛି ଦିନ ଧରି ସେୟାର ବଜାରରେ ବଡ଼ ହଲଚଲ ଦେଖିବାକୁ ମିଳିଛି।ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୮୭ହଜାର ୪୫୦ ଟଙ୍କା ରହିଛି । ୩ ଦିନରେ ୫ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା । ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି ।
National
ଦ କୁଇଭର ବ୍ୟୁରୋ :- କୋଲକାତାରେ ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ । ବିଜେପିର ଅଭିଯୋଗ ହିନ୍ଦୁଙ୍କୁ କରାଯାଉଛି ଟାର୍ଗେଟ । ଭିଡ଼ିଓ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୋଷ ଦେଇଛି ପଶ୍ଚିମବଙ୍ଗ ବିଜେପି । କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁନ୍ଦର ଅଭିଯୋଗ କରିଛନ୍ତି ହିନ୍ଦୁ ଭକ୍ତଙ୍କୁ ଟାର୍ଗେଟ କରାଯାଇଛି । କୋଲକାତାର ପାର୍କ ସର୍କନ ସେଭେନ ପଏଣ୍ଟ ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରା ଫେରୁଥିବା ବେଳେ ଆକ୍ରମଣ କରାଯାଇଛି । ଶୋଭାଯାତ୍ରାରୁ ଫେରୁଥିବା ସମୟରେ ଗେରୁଆ ରଙ୍ଗର ପତାକା ଥିବା ଗାଡି ଉପରେ ପଥର ବର୍ଷା ହୋଇଛି । ଏହା ଏଭଳି ହୋଇନି, ଟାର୍ଗେଟ କରି ହିସାଂ କରାଯାଇଛି । ଏବଂ ପୋଲିସ ଉପସ୍ଥିତରେ ଏଭଳି କାଣ୍ଡ ଘଟିଥିବା ବେଳେ ପୋଲିସ ଚୁପ ରହିଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ । ପଶ୍ଚିମବଙ୍ଗ ବିଜେପି ଗାଡି ଉପରକୁ ଆକ୍ରମଣ ପରର ଭିଡିଓ ସେୟାର କରିଛି । ବିପୁଳ ମାତ୍ରାରେ ପୋଲିସ ଉପସ୍ଥିତିରେ ଏଭଳି ଘଟିଥିବା କହିଛି ପଶ୍ଚିମବଙ୍ଗ ବିଜେପି । ଏଥିସହ ମମତାଙ୍କ ବହୁ ଦିନର ସ୍ବପ୍ନ ପୁରା ହୋଇଛି ବୋଲି କହିଛି ବିଜେପି । କିନ୍ତୁ କୋଲକାତା ପୋଲିସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି । ସେ ଅଞ୍ଚଳରେ କୌଣସି ରାମ ନବମୀ ଶୋଭାଯାତ୍ରା ହୋଇନଥିବା କହିବା ସହ ଗୁଜବ ଉପରେ ଗୁରତ୍ବ ନଦେବାକୁ ପରାମର୍ଶ ଦେଇଛି ।
State
ବ୍ରହ୍ମପୁର( ଦ କୁଇଭର ):- ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କ ବ୍ରହ୍ମପୁର ମହାନଗର ନିଗମ (BeMC) ର ପ୍ରତିନିଧି ଭାବେ ନିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଶିବ ଶଙ୍କର ନାୟକ l ଏନେଇ ଆଜି ଵିଧି ବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି l
State
ଦ କୁଇଭର ବ୍ୟୁରୋ :- ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ବସ୍ତି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଫଳରେ କାଲି ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ଆକଳନ କରାଯାଇଛି । ଏହି ସମୟରେ ପବନର ବେଗ ୩୦ରୁ ୪୦ ଡିଗ୍ରୀ ରହିବ । ସେହିପରି ୯ ତାରିଖ ଦିନ ୧୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦ ତାରିଖରେ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
State
ଗଞ୍ଜାମ, ତାରାତାରିଣୀ ( ଦ କୁଇଭର ):- ଚୈତ୍ର ମାସର ଶେଷ ମଙ୍ଗଳବାର ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଦର୍ଶନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ମା’ତାରା ତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି l ରାଜ୍ୟ ସରକାର ଶକ୍ତିପୀଠ କରିଡ଼ର ମାଧ୍ୟମରେ ଓଡ଼ିଶାର କିଛି ପୁରାତନ ମନ୍ଦିରର ଗୁରୁତ୍ବ ବଢ଼ାଇବାକୁ ଯାଉଛନ୍ତି । ଏହାରି ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତିପୀଠକୁ ଯୋଡାଯିବ । ସମସ୍ତ ଶକ୍ତିପୀଠ ମଧ୍ୟରେ ସମନ୍ୱୟ ରଖାଯିବ । ଏହି ଶକ୍ତିପୀଠ କରିଡ଼ର ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ । ତେବେ ମଙ୍ଗଳବାର ଏନେଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ଶକ୍ତିପୀଠକୁ ନେଇ ସ୍ବତନ୍ତ୍ର କରିଡର୍ ନିର୍ମାଣ ହେବ। ଏହି କରିଡ଼ରରେ ଗଂଜାମ ଜିଲ୍ଲାର ତାରାତାରିଣୀ, ଭୈରବୀ, ଯାଜପୁରର ବିରଜା, ଖୋର୍ଦ୍ଧା ଜିଲ୍ଲାର ଉଗ୍ରତାରା, ବାଣପୁରସ୍ଥିତ ଭଗବତୀ, ପୁରୀ ଜିଲ୍ଲା କାକଟପୁରସ୍ଥିତ ମଙ୍ଗଳା, ଚିଲିକାର କାଳିଜାଈ ପୀଠକୁ ସାମିଲ କରାଯାଇଛି । ଆଗାମୀ ୨ ବର୍ଷ ଭିତରେ ଶକ୍ତିପୀଠ କରିଡର୍ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ହେଲିକପ୍ଟର ବ୍ୟବସ୍ଥା ନେଇ ଯୋଜନା କରାଯାଇଛି । ରାଜ୍ୟରେ ଥିବା ସମସ୍ତ ଶକ୍ତିପୀଠକୁ ଏଥିରେ ଯୋଡ଼ାଯିବ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ଏହି ଘୋଷଣା l
ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମା' ତାରାତାରିଣୀଙ୍କ ଶକ୍ତିପୀଠ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମା' ତାରାତାରିଣୀଙ୍କ ପୀଠ ଏବଂ ଆଖପାଖ ଅଞ୍ଚଳର ଉନ୍ନତୀକରଣ ନେଇ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ଏବଂ ଆସ୍କା ବିଧାୟକ ସରୋଜ ପାଢ଼ୀ ଉପସ୍ଥିତ ଥିଲେ।
State,National
ଦ କୁଇଭର ବ୍ୟୁରୋ :- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରେ ସେ ରାଜ୍ୟ ସରକାରଙ୍କ ତରଫରୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍), ପେଟ୍ରୋନେଟ ଏଲ୍ଏନ୍ଏଜି ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ ସମେତ ପ୍ରମୁଖ ଉଦ୍ୟୋଗ ସହିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଯାଉଛନ୍ତି l ଏହି ରଣନୈତିକ ସହଯୋଗ ପେଟ୍ରୋକେମିକାଲ ଏବଂ ରାସାୟନିକ ଶିଳ୍ପ ପାଇଁ ଏକ ପ୍ରମୁଖ କେନ୍ଦ୍ର ହେବା ପାଇଁ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି କରିବ। ସେହିପରି ବିଦ୍ୟମାନ ଶିଳ୍ପ ଇକୋସିଷ୍ଟମକୁ ମଜବୁତ କରିବା, ଗୁରୁତ୍ୱପୂର୍ଣ୍ଣ ନିବେଶ ଆକର୍ଷିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ସାମଗ୍ରିକ ଅର୍ଥନୈତିକ ବିକାଶକୁ ବୃଦ୍ଧି କରିବା ଏହି ବୁଝାମଣାପତ୍ରର ଲକ୍ଷ୍ୟ ହେଉଛି l ଦୁଇ ଦିନିଆ କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଂଶୀଦାର ଏବଂ ଶିଳ୍ପ ନେତାଙ୍କ ସହିତଉଚ୍ଚସ୍ତରୀୟ ଆଲୋଚନାରେ ଯୋଗଦେବେ। ସେ ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟର ଦୃଷ୍ଟିକୋଣକୁ ରୂପରେଖ ଦେବେ, ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ରମୁଖ ସଂସ୍କାର ଏବଂ ପଦକ୍ଷେପଗୁଡ଼ିକୁ ଆଲୋକପାତ କରିବେ ବୋଲି ଆଶା କରାଯାଉଛି l
ଶିଳ୍ପ ବୈଠକରେ ଯୋଗଦେବା ସହିତ, ମୁଖ୍ୟମନ୍ତ୍ରୀ ମାଝୀ ନୋଏଡାର ଏଚ୍ସିଏଲ୍ ଟେକ୍ କ୍ୟାମ୍ପସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେ ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟବସାୟିକ ନେତାମାନଙ୍କ ସହିତ ଏକକ ବୈଠକ ମଧ୍ୟ କରିବେ ଏବଂ ଓଡ଼ିଶାର ଶିଳ୍ପ ପରିଦୃଶ୍ୟକୁ ଆହୁରି ଉନ୍ନତ କରିପାରିବ ବୋଲି ସମ୍ଭାବ୍ୟ ସହଭାଗୀତା ଅନୁସନ୍ଧାନ କରିବେ। ବିଭିନ୍ନ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଏପ୍ରିଲ ୯ ତାରିଖରେ ଭୁବନେଶ୍ୱର ଫେରିବାର ଆଶା କରାଯାଉଛି।
National,International
ଦ କୁଇଭର ବ୍ୟୁରୋ :- ଆଜି ଆମେରିକାରୁ ଆସୁଛି ଆତଙ୍କୀ ତହବୁର ରାଣା । ଅଧବାଟରେ ଆଜ୍ଞାତସ୍ଥାନରେ କିଛି ସମୟ ବିଶ୍ରାମ କରିଥିବା ସୂଚନା ରହିଛି । ତେବେ ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଏନଆଇଏ ପଟିଆଲା କୋର୍ଟରେ ହାଜର କରାଯିବ । ତିହାର ଜେଲର ଉଚ୍ଚ ସୁରକ୍ଷା ସମ୍ପନ୍ନ ସେଲରେ ତାକୁ ରଖିବା ନେଇ ବିଚାର ବିମର୍ଷ ଚାଲିଛି । ତେବେ ମୁମ୍ବାଇ ଆକ୍ରମଣ ବାବଦରେ ଅଧିକ ତଥ୍ୟ ତହବୁର ଠାରୁ ମିଳିବା ନେଇ ଆଶା କରାଯାଉଛି । ତେବେ ଦୀର୍ଘ ୧୬ ବର୍ଷ ପରେ ଭାରତର ବଡ କୁଟନୀତି ବିଜୟ ହୋଇଛି l
୨୦୦୮ ନଭେମ୍ବର ୨୬, ଦୋହଲି ଥିଲା ଦେଶର ବାଣିଜ୍ୟ ସହର ମୁମ୍ବାଇ । ଆତଙ୍କୀଙ୍କ ଗୁଳିମାଡ଼ରେ ରକ୍ତପାତ ହୋଇଥିଲା ମାୟାନଗରୀ । ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ରାଣାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ଭାରତ ସରକାର । କଡ଼ା ସୁରକ୍ଷା ଭିତରେ ଆମେରିକାରୁ ଆତଙ୍କୀର ପ୍ରତ୍ୟର୍ପଣ ପ୍ରକିୟା ଆରମ୍ଭ ହୋଇଛି । ଭାରତ ଉପରେ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ପ୍ରତ୍ୟର୍ପଣରୁ ବଞ୍ଚିବାକୁ ବାରମ୍ବାର ଆମେରିକା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି ଫେଲ ମାରିଥିଲା । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ପ୍ରଶାସନ ଆତଙ୍କୀର ପ୍ରତ୍ୟର୍ପଣ ପାଇଁ ଦେଇଥିବା ପ୍ରତିଶ୍ରୁତି ଏବେ ପୂରା ହୋଇଛି ।
Sports
ଦ କୁଇଭର ବ୍ୟୁରୋ :- ଘରୋଇ ଗ୍ରାଉଣ୍ଡରେ ବି ବିଜୟ ଟ୍ରାକକୁ ଫେରିପାରିଲା ନାହିଁ ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲରେ ଖେଳାଯାଇଥିବା ୧୯ ତମ ମୁକାବିଲାରେ ୭ ଓ୍ବିକେଟରେ ଗୁଜୁରାଟ ଟାଇଟନ୍ସ ବିଜୟୀ ହୋଇଛି । ଲଗାତାର ୩ ଟି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ଗୁଜୁରାଟ । ସେପଟେ ଲଗାତାର ଚତୁର୍ଥ ମ୍ୟାଚ ହାରି ପଏଣ୍ଟ ଟେବୁଲର ଶେଷରେ ଏସଆରଏଚ । ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଓ ଗିଲଙ୍କ ଧୂଆଁଧାର ଅର୍ଦ୍ଧଶତକ ଦଳକୁ ବିଜୟ ଭେଟି ଦେଇଛି । ୩. ୨ ଓଭର ବାକି ଥାଇ ଚଳିତ ଆଇପିଏଲରେ ତୃତୀୟ ବିଜୟ ହାସଲ କରିଛି ଜିଟି । ରବିବାର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା। ଅଧିନାୟକ ଶୁଭମନ ଗିଲ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଚମତ୍କାର ଇନିଂସ ଯୋଗୁଁ ଗୁଜୁରାଟ ଦଳ ୧୬. ୪ ଓଭରରେ ୩ ୱିକେଟ୍ ହରାଇ ୧୫୩ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଆଇପିଏଲ୍ ୨୦୨୫ ରେ ୪ଟି ମ୍ୟାଚ ଖେଳି ଗୁଜୁରାଟ ଗୋଟିଏର ପରାଜୟ ହୋଇଥିବା ବେଳେ ୩ଟିରେ ବିଜୟୀ ହୋଇଛି । ଆଜିର ବିଜୟ ସହିତ ଜିଟି ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଯଦି ହାଇଦ୍ରାବାଦ ଦଳ ବିଷୟରେ କହିବା , ତେବେ ୫ ଟି ମ୍ୟାଚରେ ଏହା ସେମାନଙ୍କର ଚତୁର୍ଥ ପରାଜୟ । ଏସଆରହେଚ ଦଳ ୨ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଶେଷ ଦଶମ ସ୍ଥାନରେ ରହିଛି ।
State
ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଓକିଲ ସଂଘ
ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ଅସ୍ଥାୟୀ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କୋର୍ଟ ପରିସରରେ ଥିବା ଅସ୍ଥାୟୀ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ନିର୍ବାଚନ ଅଧିକାରୀ ମୋହନ ସିଙ୍ଗାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ପୂର୍ବତନ ସଂଘ ସଭାପତି ନୟନ ମହାପାତ୍ର, ଉପସଭାପତି ରାମ ପ୍ରସାଦ ପଣ୍ଡା, ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ର ,ଯୁଗ୍ମ ସମ୍ପାଦକ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ତେବେ ନବ ନିର୍ବାଚିତ ସଭାପତି ଭାବେ ମନୋଜ ପଟନାୟକ , ଉପସଭାପତି ରୂପେ ତ୍ରିମୁଲ କୁମାର ରେଡି,ସମ୍ପାଦକ ଟି. ଭେଙ୍କେଟ ରାଓ,ସହ ସମ୍ପାଦକ ରୂପେ ଅଶିତ ସାବତଙ୍କୁ ଶପଥ ପାଠ କରାଇଥିଲେ ନିର୍ବାଚନ ଅଧିକାରୀ ମୋହନ ସିଙ୍ଗାରୀ । ଶପଥ ଗ୍ରହଣ ଉତ୍ସଵ ରେ ବରିଷ୍ଠ ଆଇନଜୀବୀ ଶିଶିର ପାଣିଗ୍ରାହୀ, କିପିଳେଶ୍ୱର ପଟ୍ଟନାୟକ, ନିର୍ମଳ ସାହୁ, ଅଶୋକ ଶୁକ୍ଳ, ପ୍ରଦୀପ କୁମାର ବେହେରା, ତାପସ ସାହୁ ଙ୍କ ସମେତ ଗଞ୍ଜାମ ଓକିଲ ସଙ୍ଘର ବହୁ ଆଇନଜୀବୀ ଉପସ୍ଥିତ ଥିଲେ।