No comments yet.
Crime
ବ୍ରହ୍ମପୁର ( ଦ କୁଇଭର ):- ଗୁରୁବାର ବ୍ରହ୍ମପୁର ସହରର ଏକ ହୋଟେଲରେ ଦେହ ବ୍ୟବସାୟ ରାକେଟ ଚଳାଇବା ଅଭିଯୋଗରେ ଜଣେ ହୋଟେଲ ପରିଚାଳକଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ ପୋଲିସ ଏସଆଇ ସୁଜାତା କନହୋରଙ୍କ ନେତୃତ୍ୱରେ ହୋଟେଲରେ ଚଢାଉ କରାଯାଇଥିଲା । ଏଥିରେ ଚାରି ଜଣଙ୍କୁ ଗିରଫ କରିବା ସହିତ ଘଟଣାସ୍ଥଳରୁ ଜଣେ ପୀଡିତା ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ ।
ବ୍ରହ୍ମପୁର ସହରର ସ୍ଥାନୀୟ ଖଲିକୋଟ କଲେଜ ରୋଡ ସ୍ଥିତ ହୋଟେଲ ମିଡିଟାଉନ୍ରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରି ଦେହ ବ୍ୟବସାୟ ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିଭିନ୍ନ ଆପତିଜନକ ସାମଗ୍ରୀ ଜବତ କରିଥିବା ଏବଂ ଉକ୍ତ ହୋଟେଲରୁ ଜଣେ ପୀଡିତାଙ୍କୁ ଉଦ୍ଧାର କରି ତାଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଥିବା ବ୍ରହ୍ମପୁର ଏସ୍ପି ଡ଼ା.ଶ୍ରବଣା ବିବେକ୍ ଏମ୍ ପ୍ରକାଶ କରିଛନ୍ତି । ଗୁରୁବାର ହୋଟେଲ ମିଡିଟାଉନ୍ର କେତେକ କର୍ମଚାରୀ ଓ ମାଲିକ ଦେହ ବ୍ୟବସାୟ ଚଳାଇଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ୍ଥାନା ପୋଲିସ ଅଚାନକ ଚଢ଼ାଉ କରିଥିଲା । ଉକ୍ତ ଚଢ଼ାଉରେ ହୋଟେଲର ଗୋଟିଏ ରୁମରେ ଜଣେ ଯୁବତୀ ଦେହ ବ୍ୟବସାୟରେ ଲିପ୍ତ ଥିବା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ଏବଂ ବେଆଇନ୍ ଦେହ ବ୍ୟବସାୟରେ ଲିପ୍ତ ଥିବା ଅଭିଯୋଗରେ ହୋଟେଲ ମ୍ୟାନେଜର ଜି.କ୍ରିଷ୍ଣା ପାତ୍ରଙ୍କ ସମେତ ବଡବଜାର ଅଞ୍ଚଳର ଆକାଶ ବିଶୋୟୀ, ଅଜୟ ବେହେରା ଓରଫ ମଣ୍ଡୁ, ଲାଞ୍ଜିପଲ୍ଲୀ ଅଞ୍ଚଳର ଚିନ୍ମୟ ପାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ପୋଲିସ କିଛି ବ୍ୟବହୃତ ଓ ଅବ୍ୟବହୃତ କଣ୍ଡମ୍, ଭାଏଗ୍ରା ଟାବଲେଟ ଆଦି ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇ ଥିବା ସୂଚନା ମିଳିଛି ।
Crime
ବ୍ରହ୍ମପୁର( ଦ କୁଇଭର ):- ମାଡ଼ ମାରିବା, ଅଶ୍ଳୀଳ ଗାଳି କରିବା,ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗରେ ଅବକାରୀ ଏଏସଆଇ ବଳରାମ ବେହେରାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଗୁରୁବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି l ସୂଚନା ପ୍ରକାରେ,ଅବକାରୀ ବିଭାଗ ଏଏସଆଇ ବଳରାମ ବେହେରା ଏବଂ ତାଙ୍କ କର୍ମଚାରୀମାନେ, ଗତ ସୋମବାର ସନ୍ଧ୍ୟା ସମୟରେ ବ୍ରହ୍ମପୁର ଆଙ୍କୁଲି ପ୍ରଧାନ ସାହିର ସନ୍ତୋଷ ମଣ୍ଡଳ,ବେଆଇନ ଭାବରେ IMFL ପରିବହନ କରୁଥିଲେ, ଯେଉଁଥିରେ ନଂ OD୦୭P ୪୧୧୬ ବିଶିଷ୍ଟ ଏକ ସ୍କୁଟିରେ ୬୦ ବୋତଲ ବିୟର ଥିବା ୫କାର୍ଟନ ସହ ଅଭିଯୁକ୍ତଙ୍କୁ କାବୁ କରି କାର୍ଯ୍ୟାଳୟକୁ ନେଇଥିଲା l
କିଛି ସମୟ ପରେ ଯେତେବେଳେ ଅବକାରୀ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଭିତରେ ଆଇନଗତ କାର୍ଯ୍ୟ କରୁଥିଲେ,ମୁଖ୍ୟ ଅଭିଯୁକ୍ତର ନାରାୟଣ ସାହୁ, ତାଙ୍କ ବଡ଼ ଭାଇ ତୋଫାନ ସାହୁ ଏବଂ ଭଣଜା ସାଗର ସାହୁ ଏବଂ ଜିତୁ ପୂର୍ବ ଯୋଜନାବଦ୍ଧ ଭାବରେ ଜୋର ଜବରଦସ୍ତ ଏକ୍ସାଇଜ୍ ଷ୍ଟେସନ ଭିତରକୁ ପ୍ରବେଶ କରି ଅଧିକାରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ସେମାନଙ୍କ ଉପରକୁ ଅଫିସ ଭିତରେ ଚେୟାର ଫିଙ୍ଗିଥିଲେ, ତା'ସହିତ ଅଟକ ଥିବା ସନ୍ତୋଷ ମଣ୍ଡଳ ଏବଂ ଜବତ ମଦକୁ ବଳପୂର୍ବକ ଛଡ଼ାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।
ଅଭିଯୁକ୍ତମାନେ ଜୋରଜବରଦସ୍ତ କାର୍ଯ୍ୟାଳୟରେ ପ୍ରବେଶ କରି ସରକାରୀ ଅଧିକାରୀଙ୍କୁ ଧମକ ଦେଇଥିଲେ ଯେ ଯଦି ସେମାନେ ଜବତ ସାମଗ୍ରୀ ସହିତ ସନ୍ତୋଷ କୁ ନ ଛାଡିବେ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ। ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ଅଧିକାରୀମାନଙ୍କୁ ଠେଲାପେଲା କରିଥିଲେ ଏବଂ ଜୀବନରେ ମାରିଦେବା ପାଇଁ ଭୟଙ୍କର ଧମକ ମଧ୍ୟ ଦେଇଥିଲେ l ବିବାଦ ଉଗ୍ର ରୂପ ନେବା ସମୟରେ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରି ଅଧିକାରୀଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିବା ବେଳେ ଅଧିକାରୀଙ୍କ ଉଚିତ ବୁଦ୍ଧି ଯୋଗୁଁ ସେ ବଞ୍ଚି ଯାଇଥିଲେ,ଆଉ ଲୁହା ରଡ୍ ଟେବୁଲ କାଚରେ ବାଜି ଅନେକ କ୍ଷୟ କ୍ଷତି ହୋଈଥିଲା l ତେଵେ ପୂର୍ବରୁ ମଧ୍ୟ ସମାନ ଭାବରେ ଅଭିଯୁକ୍ତ ମାନେ ବିଭାଗକୁ ଆସି ଏକ୍ସାଇଜ୍ ଅଧିକାରୀ ଏସଆଇ ସସ୍ମିତା ମଲ୍ଲିକ ଏବଂ ମୋବାଇଲ୍ ସ୍କ୍ୱାର୍ଡର ଇନସ୍ପେକ୍ଟର ମୋନିଷା ଭୋଳାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସୂଚନା ରହିଛି l ତେବେ ଏହି ଦୁଇ ଅଭିଯୁକ୍ତ ତୋଫାନ କୁମାର ସାହୁ ଏବଂ ସାଗର କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l
Weather
ଦ କୁଇଭର ବ୍ୟୁରୋ :- ଗୋଟେ ଲଘୁଚାପ ଯିବାର ଦିନ କେଇଟା ବିତିନି,ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଲଘୁଚାପ ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଉଚ୍ଚତା ସହିତ ଦକ୍ଷିଣ ଦିଗ ଆଡକୁ ଢଳି ରହିଛି ।ଏହା ଆଗାମୀ 2 ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ 15 ତାରିଖ ଯାଏଁ ବର୍ଷା ଥିବା ବେଳେ ଆଗାମୀ 48 ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସାରା ରାଜ୍ୟରେ ଝଟକା ପବନ 30-40 କିମି ବେଗରେ ବହିବ ।ଆଜି ୩ ଜିଲ୍ଲା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 14 ତାରିଖରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ଓ 30-40 କିମି ବେଗରେ ଝଟକା ପବନ ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
Crime,State
ପୁରୀ( ଦ କୁଇଭର ):- ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀର ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାର । ବିଚ୍ ରାସ୍ତାରେ ଫୁଲମାଳ ପକାଇ ଥାନା ପର୍ଯ୍ୟନ୍ତ ଚଲାଇ ଚଲାଇ ନେଲେ । ସର୍ବସାଧାରଣରେ ନିଜ ସ୍ତ୍ରୀଙ୍କ ସହ ଦୁର୍ବ୍ୟବହାର ଯୋଗୁଁ ମହିଳାଙ୍କ ସ୍ବାମୀ ନାମରେ ମାମଲା । ନିମାପଡ଼ା ଥାନା ଅଞ୍ଚଳରୁ ଏଭଳି ଘଟଣା ସମ୍ମାନକୁ ଆସିବା ପରେ ମହିଳାଙ୍କ ସ୍ବାମୀ ସହିତ ଜଣେ ସହଯୋଗୀକୁ ବାନ୍ଧିଲା ପୋଲିସ । ଏନେଇ ନିମାପଡ଼ା ଏସ ଡିପିଓ ତଥା ଡିଏସପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି, ଏନେଇ ଏକ କେସ ରୁଜୁ କରାଯାଇଛି । ଦୁଇ ଜଣ ଅଭିଯୁକ୍ତ ସମ୍ପୃକ୍ତ ଭିଡିଓରେ ଏଭଳି ନିନ୍ଦନୀୟ ଆଚରଣ କରୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ସ୍ବାମୀଙ୍କ ସମେତ କାକଟପୁର ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏନେଇ କେସ ନମ୍ବର 281/25ରେ BNSର ଧାରା 126(2), 127(2), 118(1), 115(2), 296, 109, 75, 76, 133, 333, 351(2), 3(5) ଆଧାରରେ ଗିରଫ କରାଯାଇଛି । ଏନେଇ କୋର୍ଟ ଚାଲାଣ କରାଯିବ । ନିମାପଡା ଥାନାଧିକାରୀ କହିଛନ୍ତି ଯେ, ଗିରଫ ହୋଇଥିବା ବ୍ୟକ୍ତି ଓ ତାଙ୍କ ପତ୍ନୀ କିଛି ଦିନ ପୂର୍ବେ କାକଟପୁର ଅଞ୍ଚଳରେ ରହୁଥିଲେ । ସେଠାରେ ଜନୈକ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ । କିନ୍ତୁ ପରେ ଏହି ଦମ୍ପତି ଆସି ନିମାପଡ଼ାରେ ରହୁଥିଲେ । ମହିଳା ଓ ପୂର୍ବ ଘରର ମାଲିକ ଉଭୟ ପେଶାରେ ଶିକ୍ଷକ । ଏପରିକି ମହିଳାଙ୍କ ନିକଟରେ ପୂର୍ବ ଘର ମାଲିକଙ୍କ ପୁଅ ଟିଉସନ ମଧ୍ୟ ନେଉଥିଲେ । ଯେଉଁଥିପାଇଁ ପୂର୍ବ ଘର ମାଲିକ ମହିଳାଙ୍କ ଘରକୁ ଯାତାୟାତ ରହୁଥିଲା । ଗତ କିଛି ଦିନ ଧରି ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଘରକୁ କୌଣସି ବ୍ୟକ୍ତି ଆସୁଥିବାର ସନ୍ଦେହ କରୁଥିଲେ ମହିଳାଙ୍କ ସ୍ବାମୀ । ଗତକାଲି ସନ୍ଧ୍ୟାରେ ମହିଳାଙ୍କ ଘରକୁ ପୂର୍ବ ଘର ମାଲିକ ଆସିଥିଲେ । ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ସନ୍ଦେହ କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହା ପରେ ପୂର୍ବତନ ଘରମାଲିକ ଓ ମହିଳାଙ୍କୁ ଭଡ଼ା ଘରଠୁ ଥାନା ପର୍ଯ୍ୟନ୍ତ ସର୍ବସାଧାରଣରେ ବିଚ ରାସ୍ତାରେ ଚଲାଇ ମାଡ଼ ମାରିଥିଲେ । ଏପରିକି ବେକରେ ଫୁଲମାଳ ପକାଇ ଅତ୍ୟନ୍ତ ଅଶୋଭନୀୟ ବ୍ୟବହାର କରିଥିଲେ । ଏହି ଘଟଣାରେ ମହିଳାଙ୍କ ସ୍ବାମୀଙ୍କ ସହଯୋଗୀ ମଧ୍ୟ ସାମିଲ ଥିଲେ । ଏହି ଘଟଣାକୁ ସଭିଏଁ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ, ବରଂ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କ ସହ ଦୁର୍ବ୍ୟବହାର ଓ ଆଇନ ହାତକୁ ନେବା ଅଭିଯୋଗ ତଥା ମହିଳାଙ୍କ ମାନସମ୍ମାନକୁ ହାନି ପହଞ୍ଚାଇବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଭଳି ଘଟଣା ଘଟାଇଥିବା ମହିଳାଙ୍କ ସ୍ବାମୀ ଓ ତାର ସହଯୋଗୀ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
State,District
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ପୁଲିସ ଜିଲ୍ଲାର ବୈଦ୍ୟନାଥପୁର ଓ ନିମଖଣ୍ଡି ଥାନାରେ ରୁଜୁ ହୋଇଥିବା ୨ଟି ଚର୍ଚ୍ଚିତ ଦୁଷ୍କର୍ମ ମାମଲାର ଉପଯୁକ୍ତ ତଦନ୍ତ, ନିରୀକ୍ଷଣ ଓ ପରିଚାଳନା କରାଯିବା ଫଳରେ ଦୋଷୀଙ୍କୁ ଦଣ୍ଡ ମିଳିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଇପାରିଛି। ଯାହାକୁ ନେଇ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଉଭୟ ମାମଲାର ତଦନ୍ତକାରୀ ଅଧିକାରୀ, ନିରୀକ୍ଷଣ ଅଧିକାରୀ ଓ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୨୪ ଅଗଷ୍ଟରେ ବୈଦ୍ୟନାଥପୁର ଥାନା ଅଞ୍ଚଳର ଜନୈକା ନାବାଳିକା ନିଜ ପରିବାର ବର୍ଗଙ୍କ ସହିତ ହାଇଦ୍ରାବାଦରେ ରହୁଥିଲେ | ତାଙ୍କ ବାପା ମା'କାମକୁ ଚାଲିଯିବାପରେ ତାଙ୍କ ଘର ନିକଟରେ ରହୁଥିବା ବିହାର ବକ୍ସର ଗ୍ରାମର ଅଭିଯୁକ୍ତ ଗୁଡୁ ରାଜଭର, ନାବାଳିକା ସହ ସମ୍ପର୍କ ସ୍ଥାପନ କରି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା। ନାବାଳିକା ଜଣକ ଗର୍ଭବତୀ ହେବାରୁ ପରିବାର ଲୋକେ ବ୍ରହ୍ମପୁର ଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ନାବାଳିକା ୮ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏହାପରେ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଏସ୍ଆଇ କାଜଲ ବାଗ ତଦନ୍ତ କରୁଥିବାବେଳେ ଡିଏସପି ଦେବୀ ଶଙ୍କର ପ୍ରତାପ ଏବଂ ଏସପି ଡ଼ା ସାର୍ଥକ ଷଡଙ୍ଗୀ ନିରୀକ୍ଷଣ କରୁଥିଲେ । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରି କୋର୍ଟରେ ଦାଖଲ କରିଥିଲା । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ | ସ୍ବତନ୍ତ୍ର ପୋକସୋ କୋର୍ଟ ଏହି ମାମଲାର ବିଚାରଣ କରି ଉପଯୁକ୍ତ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ।
ସେହିଭଳି ୨୦୨୪ ନଭେମ୍ବର ୫ରେ ନିମଖଣ୍ଡି ଥାନା ଅଞ୍ଚଳର ଜନୈକା ନାବାଳିକା, ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ରାମ ସାହୁ ଦୁଷ୍କର୍ମ କରିଥିଲା I ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାମ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା | ଏହି ମାମଲାର ତଦନ୍ତ ଅଧିକାରୀ ତଥା ଏସଆଇ ଜ୍ଞାନରଞ୍ଜନ ବେହେରା କୋର୍ଟରେ ଚାର୍ଜସିଟ ଦାଖଲ କରିଥିବା ବେଳେ ବ୍ରହ୍ମପୁର ଏସ୍ପି ଡା ସର୍ବଣା ବିବେକ ଏମ୍ ମାମଲାର ନିରୀକ୍ଷଣ କରୁଥିଲେ ଓ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ | ଏହି ମାମଲାର ବିଚାରଣା କରି ସ୍ବତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ମାମଲାର ତଦନ୍ତ ଓ ଦୋଷୀଙ୍କୁ ତ୍ବରିତ ଦଣ୍ଡବିଧାନ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ବ୍ରହ୍ମପୁରର ତତ୍କାଳୀନ ଡିଆଇଜି ଡା.ସାର୍ଥକ ଷଡଙ୍ଗୀଙ୍କ ସମେତ ବୈଦ୍ୟନାଥପୁର ଥାନାର ଏସଆଇ କାଜଲ ବାଗ, ଡିଏସପି ଦେବୀଶଙ୍କର ପ୍ରତାପ ଏବଂ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ନିମଖଣ୍ଡି ଥାନା ଅଧିନରେ ରୁଜୁ ହୋଇଥିବା ଏକ ନାବାଳିକା ବଳତ୍କାର ମାମଲାର ତଦନ୍ତ ଓ ଦୋଷିକୁ ତ୍ୱରିତ ଦଣ୍ଡବିଧାନରେ ଉତ୍ତମ କାର୍ଯ୍ୟ କରିଥିବା ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ,ଏସଆଇ ଜ୍ଞାନରଞ୍ଜନ ବେହେରା ଓ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ଭାବେ ପ୍ରଚଳିତ ଫୌଜଦାରୀ ଆଇନର ତ୍ବରିତ ନ୍ୟାୟ ବ୍ୟବସ୍ଥାରେ କାର୍ଯ୍ୟ କରିଥିବାରୁ ଉପରୋକ୍ତ ଅଧିକାରୀଙ୍କୁ ମଙ୍ଗଳବାର ଓଡ଼ିଶା ରାଜ୍ୟ ପୁଲିସ ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।
State
ଦ କୁଇଭର ବ୍ୟୁରୋ :- ସୁଭଦ୍ରା ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା l ତୃତୀୟ ପର୍ଯ୍ୟାୟରୁ ବଞ୍ଚିତ ହୋଇଥିବା 2 ଲକ୍ଷ 85 ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର ଟୁ ଡୋର ସର୍ଭେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଆଜି ଏଭଳି କିଛି ସୂଚନା ଦେଇଛନ୍ତି, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ତାଙ୍କ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ, କେୱାଇସି ଅପଡେଟ୍ ହୋଇଛି କି ନାହିଁ, ଏଭଳି ଅନେକ ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ଲୋକସେବା ଭବନରେ ଏନେଇ ସମୀକ୍ଷା ବୈଠକ ହୋଇଥିଲା।ଆଗାମୀ 15 ଦିନ ଭିତରେ ଫିଲଡ୍ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ l ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ l ବାଦ୍ ପଡ଼ିଥିବା ହିତାଧିକାରୀମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରି ପାରିବେ l ଏହାସହ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ମୃତ କି ଜୀବିତ ବୋଲି ଧରାଯିବ ବୋଲି କହିଛନ୍ତି, ପ୍ରଭାତୀ ପରିଡ଼ା l 15 ହଜାର 984 ମୃତ ହିତାଧିକାରୀ ବାଦ ପଡ଼ିଥିବା ବେଳେ 1805 ଜଣ ଜୀବିତ ଅଛନ୍ତି ସେମାନଙ୍କୁ ମଧ୍ୟ ସାମିଲ କରାଯିବ l ଅନ୍ୟପଟେ 36 ହଜାର 702 ହିତାଧିକାରୀ ଗାଡ଼ି କିଣିଥିବା ଯୋଗୁଁ ବାଦ ପଡିଛନ୍ତି l 21 ହଜାର 35 ହିତାଧିକାରୀ ଆୟ କର ଦେବାରୁ ବାଦ ପଡ଼ିଥିବା ବେଳେ 1 ଲକ୍ଷ 33 ହଜାର 691 ଧାନ ବିକ୍ରି ପଞ୍ଜୀକରଣ ଏବଂ କୃଷକ ଭାବେ ପଞ୍ଜୀକରଣ କରି ବାଦ୍ ପଡ଼ିଛନ୍ତି l ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରାଯିବ l
ବୈଠକ ପୂର୍ବରୁ 3 ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଥିଲା ତଥ୍ୟ। ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗା ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା। ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତା’ର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା। ତିନି ବିଭାଗର ରିପୋର୍ଟ ଆଧାରରେ ଆଜି ସୁଭଦ୍ରା ସମୀକ୍ଷା ବୈଠକ କରାଯାଇଛି। ତିନି ବିଭାଗ ଦେଇଥିବା ରିପୋର୍ଟର ଯାଞ୍ଚ ହେବା ପରେ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଯୋଡ଼ାଯିବ।
Politics
ଭୁବନେଶ୍ୱର( ଦ କୁଇଭର ):- ଝଡ଼ି ଯାଉଥିବା ବିଜେଡ଼ିକୁ ଆଜି ଶାବଳ ଭୂଷା ମାରିଛନ୍ତି ବିଜେଡିର ପୂର୍ବତନ ନେତା ତଥାଗତ ଶତପଥି । ଏମିତି ମାରିଛନ୍ତି ଯେ ବିଜେଡ଼ିର କଙ୍କାଳ ବାହାର କରି ଦେଖେଇ ଦେଇଛନ୍ତି । ଅତି ଚତୁରତାର ସହ ବିଜେଡ଼ିର ସବୁ ଖୁଣ କହିଛନ୍ତି । କିନ୍ତୁ କିଛି ନିଜ ଉପରେ ପକେଇ ନାହାନ୍ତି ।
ବିଜେଡିର ଗତ କାଲି ନିଷ୍ପତି, ଅର୍ଥାତ ଉପରାଷ୍ଟ୍ରପତି ନିର୍ବାଚନରୁ ବିଜେଡି ଦୁରେଇ ରହିବା ଘୋଷଣାକୁ ପ୍ରଥମେ ସମାଲୋଚନା କରିଥିଲେ ତଥାଗତ । କହିଲେ ବିଜେଡି ଜାଣି ସାରିଲାଣି ତାର ରାଜନୈତିକ ନିଷ୍ପତି ଦଳର ପତନ ଆରମ୍ଭ କଲାଣି । ସେ ଆହୁରି ଅନେକ କଥା କହିଛନ୍ତି । ସେ କହିଲେ, ଓଡ଼ିଶା ଲୋକ ବଡ଼ ବିଚିତ୍ର ବା ଅଜବ । ସେମାନେ ଯେତେବେଳେ ସୁଯୋଗ ପାଆନ୍ତି ଆଞ୍ଚଳିକ ଦଳକୁ ସମର୍ଥନ କରନ୍ତି । କଂଗ୍ରେସ ଏବେ ଯାଏ ଲୋକଙ୍କ ଆସ୍ଥାଭାଜନ ହୋଇପାରୁ ନାହିଁ, ତେଣୁ କଂଗ୍ରେସକୁ କେହି ଆଦରିବେନି । ସେପଟେ ବିଜେଡିର ଏକ୍ସପାରୀ ଡେଟ୍ ହୋଇଗଲାଣି ।
ପ୍ରତ୍ୟେକ ଜିନିଷର ଏକ୍ସପାରୀ ଡେଟ୍ ଥାଏ । ଆଉ ସେହି ଡେଟ୍ ବିଜେଡିର ଆସିଗଲାଣି । ବିଜେଡି ନୂଆରୂପ ଏବଂ ନୂଆରଙ୍ଗ ଓ ନୂଆଶୈଳୀରେ ଆସିଲେ କ'ଣ ହୋଇପାରେ ? ମାତ୍ର ତାହାର ଚିହ୍ନବର୍ଣ୍ଣ ବି ଦେଖାଯାଉନି । ବିଜେଡିରେ କିଏ ପରବର୍ତ୍ତୀ ନେତା ବୋଲି ପ୍ରଶ୍ନକୁ ସେ ଛିଗୁଲେଇବା ଠାଣିରେ କହିଲେ ସେ ତ ଗୋପରେ ବଢୁଛି । କିଏ ଜାଣେ ? ବିଜେଡ଼ିର ଆଭ୍ୟନ୍ତରୀଣ ମାମଲାରେ କିଛି କହିବେ ନାହିଁ ବୋଲି କହିଥିଲେ । ତଥାଗତ ବାଣ ମାରୁଥିଲା ବେଳେ ଏପଟେ ବିଜେଡି ଧୀରେ ଧୀରେ ଝଡ଼ିବା ଆରମ୍ଭ କରିଛି ।
ବିଜେଡିରେ ଯୁବ ଛାତ୍ର ଗୋଷ୍ଠୀର ବିଦ୍ରୋହ କୁହୁଳିଲାଣି । ମଙ୍ଗଳବାର ରାୟଗଡ଼ାର ଦୁଇଜଣ ପୁରୁଖା ନେତାଙ୍କ ଇସ୍ତଫା ଏବଂ ବିଜେଡି ସଂଗଠନ ଭିତରେ ବାଦ ବିବାଦ ସ୍ପଷ୍ଟ କରିଦେଉଛି ଯେ, ବିଜେଡି ଖୁଣ୍ଟ ଦୋହଲିଲାଣି । ବିଜେଡିର ଆଗାମୀ ନେତା କିଏ ତାକୁ ନେଇ ଚାଲିଛି ବେଶ ଟଣା ଝିଙ୍କା । ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତଙ୍କୁ ଅନେକ ପୁରୁଖା ଦଳର ନେତା ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ପାଣ୍ଡିଆନ ସିଧାସଳଖ ନେତୃତ୍ୱ ନେବା ପାଇଁ ଆସି ପାରୁନାହାନ୍ତି ।
ଏମିତି ଟଣା ଝିଙ୍କା ଭିତରେ ବିଜେଡିର କେତେବେଳେ ଯେ ମୂଳ ହୁଗୁଳୀ ଯିବ ତାହା କିଏ କହିବ । ସେ ଅରୁଣ ସାହୁ ହୁଅନ୍ତୁ କିମ୍ବା ଶ୍ରିମୟୀ ମିଶ୍ର, ବଦ୍ରୀ ପାତ୍ର ହୁଅନ୍ତୁ କିମ୍ବା ପ୍ରଭାତ ତ୍ରିପାଠୀ । ବିଜେଡ଼ିକୁ ପ୍ରତ୍ୟେକ କୋଣରୁ ମାଡ଼ ବାଜିବା ଆରମ୍ଭ ହେଲାଣି । ସେପଟେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଲେଣି ୧୦ ତାରିଖ ଭିତରେ ଯାଜପୁର ବିଜେଡି ଧସି ଯିବ । ଏ ସବୁ ପରିସ୍ଥିତି ଭିତରେ ତଥାଗତ ଏମିତି ବାଣ ମାରିଛନ୍ତି ଯେ, ବିଜେଡିର ଚିତ୍ତ ପଟାଙ୍ଗ ଚିତ୍ର ପଦାକୁ ଆସିଛି । ଦେଖାଯାଉ ବିଜେଡ଼ିକୁ ତାଙ୍କ ନେତା ନବୀନ ପଟ୍ଟନାୟକ ସମ୍ଭାଳି ପାରୁଛନ୍ତି ନା ଲୋକଙ୍କ କହିବା ଅନୁସାରେ ଭିକେ ପାଣ୍ଡିଆନ ବୁଡେଇ ଦେଉଛନ୍ତି ?
Politics,State
ଦ କୁଇଭର ବ୍ୟୁରୋ :- ବିଜେଡିରୁ ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର ରାଉତ । ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ଦେଲେ ହରିଶଙ୍କର । ପାଣ୍ଡିଆନଙ୍କ ଉପରେ ବି ବର୍ଷିଲେ ଛାତ୍ରନେତା । କହିଲେ, ବିଜେଡିରେ ସବୁ ନିଷ୍ପତ୍ତି ପାଣ୍ଡିଆନ ନେଉଛନ୍ତି । ୨୦ ବର୍ଷ ଦଳ ପାଇଁ କାମ କରିଛି କିଛି ମିଳିଲାନି । ଯେଉଁମାନେ ପାଣ୍ଡିଆନଙ୍କ ଗୁଣଗାନ କରିବେ ତାଙ୍କୁ ପଦବୀ ମିଳିବ । ତେବେ ବିଜେଡିରୁ ବାହାରିବା ପରେ ହରିଶଙ୍କରଙ୍କ ଗତି କେଉଁଆଡେ ରହୁଛି ତାହା ଉପରେ ନଜର ରହିଛି ।
Sports
ଦ କୁଇଭର ବ୍ୟୁରୋ :- ଏସିଆ କପ୍ 2025ରେ ବିଜୟ ସହିତ ଆରମ୍ଭ କରିଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଚଳିତ ଟୁର୍ଣ୍ଣାମେଣ୍ଟରେ ସଂଯୁକ୍ତ ଆରବ ଏମିରେଟ୍ସ (UAE)କୁ 9 ୱିକେଟରେ ପରାସ୍ତ କରି ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଟସ୍ ହାରିବା ପରେ UAE ଦଳ ପ୍ରଥମେ ବ୍ୟାଟିଂ କରି 13.1 ଓଭରରେ ମାତ୍ର 57 ରନ୍ କରିପାରିଥିଲା। ଜବାବରେ ଭାରତୀୟ ଦଳ 4.3 ଓଭରରେ ଅର୍ଥାତ୍ ମାତ୍ର 27 ବଲ୍ ରେ ଗୋଟିଏ ୱିକେଟ ବିନିମୟରେ 60 ରନ୍ କରି ମ୍ୟାଚ୍ ଜିତି ନେଇଥିଲା।ଭାରତ ଏସିଆ କପ୍ 2025ରେ ବିଜୟ ସହିତ ଆରମ୍ଭ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସଂଯୁକ୍ତ ଆରବ ଏମିରେଟ୍ସ (UAE) କୁ 9 ୱିକେଟରେ ପରାସ୍ତ କରି ଚଳିତ ଟୁର୍ଣ୍ଣାମେଣ୍ଟରେ ବିଜୟ ସହିତ ସେମାନଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ, UAE ଦଳ 13.1 ଓଭରରେ ମାତ୍ର 57 ରନ କରିପାରିଥିଲା। ଜବାବରେ ଭାରତୀୟ ଦଳ 4.3 ଓଭରରେ ଅର୍ଥାତ୍ ମାତ୍ର 27 ବଲ୍ ରେ ଗୋଟିଏ ୱିକେଟରେ 60 ରନ କରି ମ୍ୟାଚ୍ ଜିତିଥିଲା। ଭାରତ ପାଇଁ ଅଭିଷେକ ଶର୍ମା 16 ବଲ୍ ରେ 30 ରନ୍ କରିଥିଲେ। ଶୁଭମନ ଗିଲ୍ 20 ଏବଂ ସୂର୍ଯ୍ୟକୁମାର ଯାଦବ 7 ରନ୍ କରି ଅପରାଜିତ ରହିଥିଲେ। UAE ପାଇଁ ଜୁନୈଦ ସିଦ୍ଦିକି ଗୋଟିଏ ୱିକେଟ ନେଇଥିଲେ। ଭାରତର ଘାତକ ବୋଲିଂ ଆଗରେ UAE ବ୍ୟାଟସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ ଏବଂ ଦଳ ମାତ୍ର 57 ରନରେ ଅଲଆଉଟ୍ ହୋଇଯାଇଥିଲା। ସେମାନଙ୍କର 8 ଜଣ ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। UAEର ଇନିଂସ ଅଧିନାୟକ ମହମ୍ମଦ ୱାସିମ୍ ଏବଂ ଆଲିଶାନ୍ ଶରାଫୁ ଆରମ୍ଭ କରିଥିଲେ କିନ୍ତୁ ଭାରତୀୟ ବୋଲରମାନେ ଆରମ୍ଭରୁ ଚାପ ସୃଷ୍ଟି କରିଥିଲେ। ଦଳକୁ ପ୍ରଥମ ଝଟକା 26 ରନରେ ଲାଗିଥିଲା, ଯେତେବେଳେ ଜସପ୍ରିତ ବୁମରାହ ଆଲିଶାନ୍ ଶରାଫୁଙ୍କୁ 22 ରନ୍ ରେ ବୋଲ୍ଡ କରିଥିଲେ। ଏହାପରେ ମହମ୍ମଦ ଜୋହେବ 2 ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ୍ ହୋଇଥିଲେ। ନବମ ଓଭରରେ କୁଲଦୀପ ଯାଦବ ତାଙ୍କର ବୋଲିଂର ଯାଦୁ ଦେଖାଇ ଗୋଟିଏ ଓଭରରେ ତିନିଟି ୱିକେଟ ନେଇଥିଲେ। ସେ ରାହୁଲ ଚୋପ୍ରା (୩), ଅଧିନାୟକ ମହମ୍ମଦ ୱାସିମ୍ (୧୯) ଏବଂ ହର୍ଷିତ କୌଶିକ (୨)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ UAE 50 ରନରେ ପାଞ୍ଚଟି ୱିକେଟ ହରାଇଥିଲା। ଶିବମ୍ ଦୁବେ 51 ରନରେ ଆସିଫ୍ ଖାନ (୨)ଙ୍କୁ ଆଉଟ୍ କରି ଷଷ୍ଠ ଝଟକା ଦେଇଥିଲେ। ତା'ପରେ 52 ରନରେ ଅକ୍ଷର ପଟେଲ ସିମରନଜିତ ସିଂହ (1)ଙ୍କୁ ସପ୍ତମ ୱିକେଟ ପାଇଁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଖୁବ୍ ଶୀଘ୍ର ଦୁବେ ଧ୍ରୁବ ପରାଶର (1) ଏବଂ ଜୁନୈଦ ସିଦ୍ଦିକି (2)ଙ୍କୁ ମଧ୍ୟ ଆଉଟ୍ କରିଥିଲେ। ଶେଷ ଝଟକା କୁଲଦୀପ ଯାଦବ ଦେଇଥିଲେ, ଯେତେବେଳେ ହାଇଦର ଅଲି (1) ସଞ୍ଜୁ ସାମସନଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଭାରତ ପାଇଁ କୁଲଦୀପ ଯାଦବ ସର୍ବାଧିକ 4 ୱିକେଟ୍ ନେଇଥିଲେ, ଯେତେବେଳେ ଶିବମ୍ ଦୁବେ 3 ୱିକେଟ୍ ନେଇଥିଲେ। ଜସପ୍ରିତ ବୁମରାହ, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ 1-1 ସଫଳତା ପାଇଥିଲେ। ସମଗ୍ର ୟୁଏଇ ଦଳ ବହୁତ ଶସ୍ତା ସ୍କୋରରେ ଅଲଆଉଟ୍ ହୋଇଯାଇଥିଲା ଏବଂ ସମଗ୍ର ଇନିଂସରେ ଭାରତୀୟ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା।
State
ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବର ଉପକଣ୍ଠସ୍ଥିତ ଗୋଠପାଟଣା, ମଳିପଡ଼ା, ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିରେ ଗଢ଼ି ଉଠିବ ଏକ ନୂଆ ସହର। ଏଥିପାଇଁ ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ସଂସ୍ଥା (ଏସ୍ଜେଆଇ) ମାଷ୍ଟର ପ୍ଲାନ୍ ତିଆରି କରିବା ସହ ଭିତ୍ତିଭୂମି ବିକାଶ ପାଇଁ ପରାମର୍ଶ ଦେବ। ପୂରା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବିଡିଏ ନୋଡାଲ୍ ଏଜେନ୍ସି ଭାବେ ନିଯୁକ୍ତ ହୋଇଛି। ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ବିଡିଏ ୧୫ ବର୍ଷରେ ୮୧୭୯ କୋଟି ଖର୍ଚ୍ଚ କରିବାକୁ ଯୋଜନା କରିଛି। ଯେଉଁଥିରେ ସରକାରୀ ଓ ଘରୋଇ ଅର୍ଥ ମିଶିବ। ପ୍ରଥମ ୫ ବର୍ଷ (୨୦୨୫-୨୬ରୁ ୨୦୨୯-୩୦) ପାଇଁ ରାଜ୍ୟ ବଜେଟ୍ରୁ ୧୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଜମି କିଣା, ରାସ୍ତା ତିଆରି, ମୌଳିକ ସୁବିଧା, ସାର୍ବଜନୀନ ସୁବିଧା ଓ ପ୍ରଶାସନିକ ଖର୍ଚ୍ଚ ହେବ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାବେଳେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପରୋକ୍ତ ପ୍ରସ୍ତାବ ସମେତ ୫ଟି ବିଭାଗର ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଭୁବନେଶ୍ବର ପାଇଁ ‘ନୂଆ ସହର ଉନ୍ନୟନ’ (ନ୍ୟୁ ସିଟି) ଯୋଜନା ଉପରେ ସୂଚନା ଦେଇ କହିଛନ୍ତି ଯେ ଏହା ରାଜ୍ୟର ଦୀର୍ଘକାଳୀନ ବିକାଶ ଯୋଜନା ‘ବିକଶିତ ଓଡ଼ିଶା ୨୦୩୬’ ସହ ଜଡ଼ିତ ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ଭାବେ ନିର୍ମାଣ ହେବ। ‘ନୂଆ ସହର’ ଏକ ପରିବହନ-କେନ୍ଦ୍ରିକ ଯୋଜନା, ଯାହା ସାର୍ବଜନୀନ ପରିବହନ, କମ୍ ଯାତ୍ରା ଦୂରତା ଓ ବିଭିନ୍ନ ଜମି ବ୍ୟବହାରର ସୁଗମ ସଂଯୋଗ ଉପରେ ଧ୍ୟାନ ଦେଇଛି। ଏଥିରେ ସମସ୍ତଙ୍କ ପାଇଁ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ସମସ୍ତ ଆୟ ଶ୍ରେଣୀ ପାଇଁ ସାମର୍ଥ୍ୟ ଓ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ଘର ଉପଲବ୍ଧ ହେବ। ଲୋକଙ୍କ ସାମାଜିକ ଆବଶ୍ୟକତା ପୂରଣ ଓ ସମୁଦାୟରେ ମିଳାମିଶା ବୃଦ୍ଧି ପାଇଁ ସେଣ୍ଟ୍ରାଲ୍ ଫରେଷ୍ଟ ପାର୍କ, ଗେଟ୍ୱେ ପ୍ଲାଜା ଓ ଅନେକ ଖୋଲା ସାର୍ବଜନୀନ ସ୍ଥାନ ତିଆରି ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଏହି ପ୍ରକଳ୍ପ ଜଳବାୟୁ ସହନଶୀଳତା, ପରିବେଶ ସୁରକ୍ଷା ଓ ନାଗରିକଙ୍କ ସମଗ୍ର କଲ୍ୟାଣ ପାଇଁ ସ୍ମାର୍ଟ ଓ ସବୁଜ ଭିତ୍ତିଭୂମି ସମାଧାନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ।
Crime
ଦ କୁଇଭର ବ୍ୟୁରୋ :- ରାଜ୍ୟ ବାହାରକୁ ବେଆଇନ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ, ୫୫ କିଲୋ ଗଂଜେଇ,୧ ସ୍କୁଟି, ୩ଟି ଚାରି ଚକିଆ ଗାଡି, ୮ଟି ମୋବାଇଲ ଫୋନ ଜବତ ସହ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୩୦ ଲକ୍ଷ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ସୂଚନା ଦେଇଛି l
ସୂଚନା ପ୍ରକାରେ,କନ୍ଧମାଳରୁ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଖଲ୍ଲିକୋଟ ଘାଟି ନିକଟରେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ l ବିହାର,ପଶ୍ଚିମବଙ୍ଗ ଅଞ୍ଚଳର ତିନିଜଣ ଏବଂ କନ୍ଧମାଳ ଅଞ୍ଚଳର ତିନିଜଣ(୨ଜଣ ପେଶାଗତ ଗଞ୍ଜେଇ ଚାଲାଣକାରୀ) ମୋଟ ୬ ଜଣଙ୍କୁ କାବୁ କରିଛି ଅବକାରୀ ଗୁଇନ୍ଦା ବିଭାଗ l ଏସବୁ ଗଞ୍ଜେଇ, ବିହାର ଓ ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ପ୍ରସ୍ତୁତି କରାଯାଇଥିଲା l ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନରୁ ଗଂଜେଇ ମାଫିଆଙ୍କ ଟେର ମିଳିଥିବା ବେଳେ ଅଧିକ ତଦନ୍ତ କରୁଛି ଅବକାରୀ ଗୁଇନ୍ଦା ବିଭାଗ l ଯେଉଁଥିରେ ବ୍ରହ୍ମପୁର, କୋଦଳା ଅଞ୍ଚଳର କିଛି ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଜଣା ପଡ଼ିଥିବା ବେଳେ ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୁର୍ତିକାନ୍ତ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
Politics,National
ଦ କୁଇଭର ବ୍ୟୁରୋ :- ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡିଙ୍କୁ ପରାସ୍ତ କରି ନୂଆ ଉପରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଛନ୍ତି । ସେ ୧୫ତମ ଉପରାଷ୍ଟ୍ରପତି ଭାବେ ଦୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ପଦ ପାଇଁ ନିର୍ବାଚନ ହୋଇଛି । ଆଜି ଅନୁଷ୍ଠିତ ନିର୍ବାଚନରେ ୭୬୮ଜଣ ମତଦାତା ତାଙ୍କର ମତଦାନ କରିଛନ୍ତି । ଏହି ନିର୍ବାଚନ ପାଇଁ ବିଧି ମୁତାବକ ୭୮୮ଜଣ ମତଦାତା ରହିବା କଥା । ମାତ୍ର ୭ଟି ଏମପି ଆସନ ଖାଲି ପଡ଼ିଥିବାରୁ ମୋଟ ୭୮୧ଜଣ ମତଦାତା ମତଦାନ କରିବାର ଥିଲା । ହେଲେ ବିଜେଡିର ୭ଜଣ ସଦସ୍ୟ ଏହି ନିର୍ବାଚନରୁ ଦୂରେଇ ରହିଲେ । ବିଜେଡିର ମତ ହେଲା ସମ ଦୂରତା ରଖିବା । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତାରେ ରହି ଭୋଟ ଦେଲା । ଅନ୍ୟପକ୍ଷରେ ବିଆରଏସର ୪ଜଣ ରାଜ୍ୟସଭା ସଦସ୍ୟ ଭୋଟ ବର୍ଜନ କରି ତେଲେଙ୍ଗାନା ଚାଷୀଙ୍କ ସହ ରହିବାକୁ ଘୋଷଣା କରିଛନ୍ତି । ଏହାବ୍ୟତୀତ ଶିରୋମଣୀ ଅକାଳୀଦଳର ଜଣେ ଲୋକସଭା ସଦସ୍ୟ ପଞ୍ଜାବ ବନ୍ୟାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ସହଯୋଗ କରୁନଥିବାରୁ ସେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଲେ ।
ସେପଟେ ଇଣ୍ଡି ମେଣ୍ଟ ତାର ସମସ୍ତ ସଦସ୍ୟ ଭୋଟ ଦେଇଥିବା କହିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଇଣ୍ଡିମେଣ୍ଟର ୩୧୫ରୁ ୩୧୫ଏମପି ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ ଏନଡିଏର ପାଇଁ ୪୫୩ଜଣ ମତଦାତା ଭୋଟ ଦେଇଥିବା ଜଣାପଡ଼ିଛି । ସଂଧ୍ୟାରେ ଭୋଟ ଗଣତି ବେଳେ ଏନଡିଏ ପ୍ରାର୍ଥୀ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ହରାଇ ଉପରାଷ୍ଟ୍ରପତି ହେବାର ସୁଯୋଗ ହାସଲ କରିଛନ୍ତି ।
Crime
ବ୍ରହ୍ମପୁର( ଦ କୁଇଭର ):- ଜଣେ ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫୋଟ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଗିରଫ ଯୁବକ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଦୁର୍ବନ୍ଧ ଗାଁର ଶିବାନନ୍ଦ ରାଉଳ । ଗିରଫ ଶିବାନନ୍ଦ ଠାରୁ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ । ନାବାଳିକାଙ୍କ ନାମରେ ଫେକ୍ ଏକାଉଣ୍ଟ ଖୋଲି ପୋଷ୍ଟ କରିବା ସହ ମୋବାଇଲ ନମ୍ୱର ବ୍ୟବହାର କରି ବିଭିନ୍ନ ମେସେଜ୍ ପଠାଉଥିଲା । ଏଥିଲାଗି ବହୁ ସମୟରେ ନାବାଳିକାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ନାବାଳିକାଙ୍କ ପଡୋଶୀ ଯୁବକ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
State
ଦ କୁଇଭର ବ୍ୟୁରୋ :- ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ ଘରକୁ ସିଲ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ନୋଟିସ ଆଧାରରେ ଗତକାଲି (ଶୁକ୍ରବାର) ସିଲ୍ ଇଡି । ରାଜଧାନୀ ଭୁବନେଶ୍ବର ସତ୍ୟ ବିହାର ସ୍ଥିତ ଆଲିସାନ ଘରକୁ ଯାଇ ପୋଲିସ ମାଧ୍ଯମରେ ରହୁଥିବା ଘର ଲୋକଙ୍କୁ ଓ ବ୍ୟବହାର କରୁଥିବା ଆସବାବ ପତ୍ରକୁ ବାହାର କରି ସିଲ୍ କରିଛି ଲଟକା ଲଗାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଘର ବାହାରେ ଲଗାଯାଇଥିବା ନୋଟିସ ମୁତାବକ, PMLA act 2002 ମୁତାବକ । ୦୩ ଜୁଲାଇ ୨୦୨୩ର OC 1895 ଆଧାରରେ ସତ୍ୟ ବିହାରରେ ୧୩୩୮/୧୫୧୦୫ରେ ଥିବା ଘରକୁ ସିଲ୍ କରାଯାଇଛି । ଧାରା ୮(୪)ଇଡିର ହେପାଜତରେ ରହିଥିବା ଉଲ୍ଲେଖ କରାଯାଇଛି । ଏନେଇ ଇଡି ଅଧିକାରୀ ଓ ପୋଲିସ ଉପସ୍ଥିତିରେ ସିଲ୍ ସମୟରେ ଅର୍ଚ୍ଚନାଙ୍କ ବାପା ଓ ଭଉଣୀ ବିରୋଧ କରିଥିଲେ । କିନ୍ତୁ ନିର୍ଦ୍ଦେଶ କପି ଆଧାରରେ ଘରକୁ ସିଲ୍ କରିଥିଲେ ଇଡି ଅଧିକାରୀ । ସେପଟେ ଇଡି ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପରିନଥିବା ବେଳେ ଅର୍ଚ୍ଚନାଙ୍କ ଭଉଣୀ କହିଛନ୍ତି," ଦିଦି ଘରେ ନଥିବା ସମୟରେ ଏଭଳି ଘରକୁ ସିଲ୍ କରାଯାଉଛି । ଏନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନାହିଁ ।"
ସୂଚନା ପ୍ରକାରେ,ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରୁ ଏକ ବ୍ଲାକମେଲିଂ ଘଟଣାରେ ଅର୍ଚ୍ଚନା ନାଗ ସହ ସ୍ବାମୀ ଜଗବନ୍ଧୁ ଓ ମିଡିଲମ୍ୟାନ ଖଗେଶ୍ବର ଗିରଫ ହୋଇଥିଲେ । ବେଆଇନା ଭାବରେ ଅର୍ଥ ରୋଜଗାର କରିବା ଓ ସେହି ଟଙ୍କାରେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିବା ନେଇ ପ୍ରିଭେସନ ଅଫ ମନି ଲଣ୍ଡରି ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ଋଜୁ କରି ତାନାଘନା କରିଥିଲା । ତେବେ ପୂର୍ବରୁ ଅର୍ଚ୍ଚନାଙ୍କ ଏକ ଦାମୀ ଗାଡ଼ି ଜବତ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଘରକୁ ସିଲ କରିଛି ଇଡି ।
State
ଦ କୁଇଭର ବ୍ୟୁରୋ :- ରାଜଧାନୀରେ ଗଡୁନି ଆମ ବସ୍। ଧାରଣାରେ ଆମ ବସ୍ କର୍ମଚାରୀ। ଦରମା ବିଳମ୍ବ ନେଇ କାର୍ଯ୍ୟବନନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆମ ବସ୍ କର୍ମଚାରୀ। ପୋଖରୀପୁଟ ଡିପୋରୁ ଗୋଟେ ବି ବସ୍ ବାହାରିନି । ଠିକ ସମୟରେ ଦରମା ନମିଳିବା ପ୍ରତିବାଦରେ ଏକାଠି ଷ୍ଟିଅରିଂ ଛାଡିଲେ ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ୍ ଡିପୋର ୪୩ ଟି ବସ ବନ୍ଦ ପଡିଛି । କୌଣସି ସାମାଜିକ ସୁରକ୍ଷା ବିନା ଏହି ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର । ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି। ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ତେବେ କ୍ରୁଟ୍ ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ ଉଠାଇଥନ୍ତି ଏମାନେ।
National,International
ଦ କୁଇଭର ବ୍ୟୁରୋ :- ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି । ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ । ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି ରହିଥିଲେ । ଉକ୍ତ ଘଟଣାଟି ସାମନାକୁ ଆସିବାର ୫ ଘଣ୍ଟା ସମୟ ମଧ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଛି । ୨୩ ଜଣ ଓଡ଼ିଆ ଯାତ୍ରୀ ହେଲେ- ଅଜୟ କୁମାର ପଣ୍ଡା, ମାମିନା ପଣ୍ଡା, ପଙ୍କଜ କୁମାର ଧଳ, ଭରତ କୁମାର ସ୍ୱାଇଁ, କାମିନୀ ସ୍ୱାଇଁ, ଶାରଦା ପ୍ରସନ୍ନ କର, ରିମା କର, ମନୋଜ କୁମାର ମିଶ୍ର, ସୁରେନ ଦଳାଇ, ବିରେନ ଦଳାଇ, ପର୍ଶୁରାମ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦଳାଇ, ପ୍ରସନ୍ନଜିତ ଦଳାଇ, ବ୍ରଜକିଶୋର ମିଶ୍ର, ଲୋପାମୁଦ୍ରା ମିଶ୍ର, ଶ୍ରେୟାନ ସୌରଭ ମିଶ୍ର, ସନ୍ତୋଷ କୁମାର ପାଣି, ସସ୍ମିତା ପାଣି, ବାଗ୍ମୀପ୍ରିୟା ପାଣି, ପ୍ରମୋଦ କୁମାର ମିଶ୍ର, ରାଜଶ୍ରୀ ମିଶ୍ର, ବୈଷ୍ଣବ ସାହୁ ଓ ସୁରେଶ ଚନ୍ଦ୍ର ସାହୁ । ସମସ୍ତ ଓଡ଼ିଆ ଯାତ୍ରୀ ସୁରକ୍ଷିତ ଭାବରେ ଭାରତକୁ ଫେରିଥିବାର ସୂଚନା ମିଳିଛି ।
National
ଦ କୁଇଭର ବ୍ୟୁରୋ :- ଆଜି ଶପଥ ଗ୍ରହଣ କରିବେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ହେବ ଶପଥ ଗ୍ରହଣ ଉତ୍ସବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏନଡିଏର ବରିଷ୍ଠ ନେତାମାନେ ଏଥିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।ସିପି ରାଧାକ୍ରିଷ୍ଣନ NDA ମେଣ୍ଟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ତାଙ୍କୁ ୪୫୨ ଭୋଟ ମିଳିଥିବା ବେଳେ INDIA ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଥିଲା । ମୋଟ ୭୬୭ ଖଣ୍ଡ ଭୋଟ ପଡ଼ିଥିଲା । ଜଗଦୀପ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଥିଲା ।
City
ବ୍ରହ୍ମପୁର ( ଦ କୁଇଭର ):- ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ମେଣ୍ଟୁ ଛକ ଠାରେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି l ତାଙ୍କ ଶରୀରର ୯୦ ଭାଗରୁ ଅଧିକ ପୋଡି ଯାଇଛି l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି l ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ଯୁବକ ଜଣଙ୍କ ହେଲେ ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ସାହିର ସୁରଜ ସାହୁ l କୌଣସି କାରଣକୁ ନେଇ ଆଜି ରାତି ୯ଟା ବେଳେ ସୁରଜ ମେଣ୍ଟୁ ଛକରେ ପହଞ୍ଚି ନିଜ ସହ ଆଣିଥିବା ପେଟ୍ରୋଲକୁ ଶରୀରରେ ଡାଳିବା ପରେ ନିଆଁ ଲଗାଇ ଦେଇଥିଲେ l ସେ ଜଳୁଥିବା ଦେଖି ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କ ଶରୀରରୁ ନିଆଁ ଲିଭାଇଥିଲେ l ଏହାପରେ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଏମକେସିଜି ମେଡିକାଲକୁ ପଠାଯାଇଥିଲା l ତେବେ ସେ କଣ ପାଇଁ ନିଜ ଶରୀରରେ ନିଆଁ ଲଗାଇଲେ ତାହା ଜଣାପଡି ନାହିଁ l ପୁଲିସ ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିବ ବୋଲି କୁହାଯାଇଛି l
Politics
ଦ କୁଇଭର ବ୍ୟୁରୋ :- ୧୬ରେ ସର୍ବଦଳୀୟ ବୈଠକ । ୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ । ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ସୁରୁଖୁରରେ ବିଧାନସଭା ସାରିବା ନେଇ ହେବ ଆଲୋଚନା । ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି ।ଅନ୍ୟପଟେ ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ ଭାବେ ଦିଆଯିବ । ଏ ନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି । ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି । ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।