Banner Ad

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ
Published by : Jyotshna Kumari
#State
Mar 15, 2025, 2:45 PM

ଭୁବନେଶ୍ୱର( ଦ କୁଇଭର ):- ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି କାର୍ଯ୍ୟାଳୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଇଚାରାର ପର୍ବ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବନ୍ଧୁ ମିଳନରେ ଓଡିଶା ଗଣମାଧ୍ୟମ ଜଗତର ସାମ୍ବାଦିକ ଓ ସାମ୍ବାଦିକାଙ୍କ ସମେତ ମନ୍ତ୍ରୀ ବିଧାୟକ ସଂସଦ ଓ କର୍ମକର୍ତ୍ତାଙ୍କ ସହ ମିଶି ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ରାଜ୍ୟବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଓ ଶୁଭକାମନା ଦେବା ସହ ଖୁସିର ଏହି ପର୍ବକୁ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଏହି ବନ୍ଧୁ ମିଳନର ହୋଲି ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ଯୋଗ ଦେଇ ସମସ୍ତ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସୁସ୍ତ ଜୀବନ କାମନା କରିଥିଲେ । ଏହା ସହିତ ହୋଲି ଉତ୍ସବ ପାଳନ ଅବସରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୋଲି ଖେଳିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୋଲିସ ଡିଜି ୱାଇବି ଖୁରାନିଆଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୋଲିସ ଡିଜି ୱାଇବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଲି ଖେଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦେହରେ ରଙ୍ଗ ମାରିବା ସହ ମିଠା ଖୁଆଇ ଉତ୍ସବ ପାଳିଛନ୍ତି। "ଭାତୃତ୍ୱ ଓ ସଦ୍‌ଭାବନାର ପର୍ବ ହେଉଛି ହୋଲି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ। ରାଧାଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି," ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଏହି ବନ୍ଧୁ ମିଳନର ହୋଲି ଉତ୍ସବରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ସମସ୍ତ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସୁସ୍ତ ଜୀବନ କାମନା କରିଥିଲେ ।

Leave a Comment

Comments

No comments yet.

Best Biofloc Fish Farming

ad
Read more

Shree Jagannath,State

ରାମକୃଷ୍ଣଙ୍କୁ ଦେଢ ଘଣ୍ଟା ପଚରାଉଚରା

Blog Thumbnail

ପୁରୀ ( ଦ କୁଇଭର):- ପଶ୍ଚିମବଙ୍ଗ ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ କାଠରେ ନିର୍ମାଣକୁ ନେଇ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ପଚରାଉଚରା କରୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା ।2015 ନବକଳେବର ବଳକା ଦାରୁରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ କରି ଦୀଘା ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଥିବା ନେଇ ଏକ ବଙ୍ଗଳା ଟିଭି ଚ୍ୟାନେଲରେ ରାମକୃଷ୍ଣ ଦାସ ମହାପାତ୍ର ଦେଇଥିଲେ ପ୍ରତିକ୍ରିୟା । ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ ପରେ ସମଗ୍ର ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆଇନମନ୍ତ୍ରୀ । ଦାରୁ' ବିବାଦ ନେଇ ପଚରାଉଚରା ଜାରି । ନିଯୋଗ ସଭାପତି ଉପସ୍ଥିତ । ନବକଳେବର ଦାରୁରେ ଦୀଘା ଦିଅଁ ନିର୍ମାଣ ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ତନାଘନା । ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ବଳକା ଦାରୁ ବାବଦରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଚରାଉଚରା । ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ବି ପଚରାଉଚରା ଜାରି ରହିଛି ।


ଅନ୍ୟପଟେପଶ୍ଚିମବଙ୍ଗର ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଓଡ଼ିଶାର ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତଯୋଗ୍ୟ କହିଛନ୍ତି । ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ । ନିମ୍ନସ୍ତରକୁ ଖସି ଯାଇଛନ୍ତି ପଶ୍ଚିମବଙ୍ଗ ସରକାର । ଭାରତରେ ୪ଟି ଧାମ-ପୁରୀ, ଦ୍ବାରିକା, ବଦ୍ରିନାଥ ଓ ରାମେଶ୍ବରମ । ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ବୋଲି ଲେଖିବା ଭୁଲ ବୋଲି ସେସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଶୁଭେନ୍ଦୁ ।ଶ୍ରୀମନ୍ଦିର ଦାରୁ ଗୃହରୁ ଦାରୁ ଚୋରି କରିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି । ଦାରୁ ଚୋରି ଅଭିଯୋଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୁଦ୍ଧରେ ଥାନାରେ ସେନା ପକ୍ଷରୁ ଏତଲା ଦିଆଯାଇଛି । ତେବେ ପୂର୍ବରୁ ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା, ପ୍ରଭୁ ବଳଭଦ୍ର ରଥ ଉପରୁ ଖସି ପଡିବା ଘଟଣାତଦନ୍ତ ଫଳ ଶୂନ । ଏଣୁ ଏହି ଦାରୁ ଚୋରି ଘଟଣା ର ତଦନ୍ତ ଯଦି ଶୂନ ହୁଏ ତେବେ ଆଗାମୀ ଦିନରେ ଏହି ସରକାର ମଧ୍ୟ ଶୂନ ହୋଇଯିବ।ମହାପ୍ରଭୂ କାହାରିକୁ କ୍ଷମା ଦେବେ ନାହିଁ । ଗତ ସରକାର ଏହି ପରିଣାମ ଭୋଗି ସାରିଛି " ବୋଲି ଚର୍ଚ୍ଚା ଜୋର ଧରିଛି l

Sports

୩୭ ରନରେ ଲକ୍ଷ୍ନୌକୁ ହରାଇଲା ପଞ୍ଜାବ

Blog Thumbnail

ଦ କୁଇଭର ବ୍ୟୁରୋ:- ଚଳିତ ଆଇପିଏଲ ସିଜିନର ୫୪ ତମ ମ୍ୟାଚରେ ପଞ୍ଜାବ କିଙ୍କ୍ସ ର ଦମଦାର ବିଜୟ । ୩୭ ରନରେ ଲକ୍ଷ୍ନୌକୁ ହରାଇଲା ପଞ୍ଜାବ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପରଜାଏଣ୍ଟ୍ସ । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌକୁ ୨୩୭ ରନ୍‌ର ଟାର୍ଗେଟ ଦେଇଥିଲା । ପଞ୍ଜାବର ପ୍ରଭସିମରନ ସିଂହ ଧୂଆଁଧାର ବ୍ୟାଟିଂ କରି ୪୮ ବଲରେ ୯୧ ରନ କରିଥିଲେ । ୨୦ ଓଭରରେ ୭ ୱିକେଟ ହରାଇ ୧୯୯ ରନ୍‌ କରି ୩୭ ରନରେ ପଞ୍ଜାବଠାରୁ ପରାଜିତ ହୋଇଛି ଲକ୍ଷ୍ନୌ । ମ୍ୟାଚ ଆରମ୍ଭରୁ ପଞ୍ଜାକୁ ଝଟକା ଲାଗିଥିଲା । ପ୍ରଥମ ଓଭରରେ ହିଁ ପ୍ରିୟାଂଶ ଆର୍ଯ୍ୟଙ୍କୁ ନିଜର ଶିକାର କରିଥିଲେ ଆକାଶ ସିଂହ । ମାତ୍ର ୧ ରନ କରି ଆଉଟ ହୋଇଥିଲେ ଆର୍ଯ୍ୟ । ପରେ ଜୋଶ ଇଙ୍ଗଲିସ୍ ପଡିଆକୁ ଓହ୍ଲାଇଥିଲେ । ପ୍ରଭସିମରନ ସିଂହ ଓ ଇଙ୍ଗଲିସ୍ ମିଳିତ ୪୮ ରନ କରିଥିଲେ । ଆକାଶ ସିଂହ, ୱିକେଟକିପର ବ୍ୟାଟସମ୍ୟାନ୍ ଇଙ୍ଗଲିସ୍‌ଙ୍କୁ ଆଉଟ କରିଥିଲେ । ଇଙ୍ଗଲିସ୍‌ ଗୋଟିଏ ଚୌକା ଏବଂ ୪ ଟି ଛକା ସହାୟତାରେ ୩୦ ରନ କରିବା ପରେ ଆଉଟ ହୋଇଥିଲେ । ଲକ୍ଷ୍ନୌ ପାଇଁ ଆକାଶ ସିଂହ ଏବଂ ଦିଗବେଶ ରାଠି ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପ୍ରିନ୍ସ ଯାଦବଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ରିଷଭ ପନ୍ତ ୧୭ ବଲ୍ ଖେଳି ୨ ଟି ଚୌକା ଓ ଗୋଟିଏ ଛକା ସହ ୧୮ ରନ କରି ଆଉଟ ହୋଇଥିଲେ । ମୋଟ ୨୦ ଓଭର ଖେଳି ୭ ୱିକେଟ ହରାଇ ୩୭ ରନରେ ପଞ୍ଜାବ ଠାରୁ ପରାଜିତ ହୋଇଛି ଲକ୍ଷ୍ନୌ ।

Education,State

ବିଦ୍ୟାଳୟର ଶତବାର୍ଷିକୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ : ପ୍ରସ୍ତୁତି ଜୋରଦାର

Blog Thumbnail

ଗଞ୍ଜାମ, ପୁରୁଷୋତ୍ତମପୁର ( ଦ କୁଇଭର):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶତବାର୍ଷିକୀ ସମାରୋହ ଚଳିତ ମାସ ୮ ତାରିଖ ଅର୍ଥାତ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ସମାରୋହରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରିବା ସହ ଦୁଇ ମନ୍ତ୍ରୀ ଏବଂ ଜିଲ୍ଲାର ବିଧାୟକ ତଥା ସାଂସଦ ମାନେ ଯୋଗଦେବାର ସୂଚନା ହସ୍ତଗତ ହୋଇଛି l ଏନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି l



ସୂଚନା ଅନୁସାରେ, ପୁରୁଷୋତ୍ତମପୁର ବ୍ଲକର ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଟି ପ୍ରାକସ୍ବାଧିନତା କାଳରେ ଅର୍ଥାତ ୨୮.୧୦.୧୯୨୫ ମସିହାରେ ସ୍ଥାପନ ହୋଇଥିଲା ଯାହାର ଆଜି ଶହେ ବର୍ଷ ପୂର୍ତ୍ତି ହୋଇସାରିଛି l ତେବେ ଏହି ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେବା ସହ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ଼ା ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ,ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠି, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାଏକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାଏକ, ପଦ୍ମଶ୍ରୀ ଶ୍ରୀ ଗୋପୀନାଥ ସ୍ୱାଇଁ ତଥା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ତେବେ ଏ ନେଇ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତତ୍ୱାବଧାନରେ ବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଯୋଗଦାନ କରିବା ସହ କାର୍ଯ୍ୟକ୍ରମ ସକାଶେ ଭିତ୍ତଭୂମି ଓ ପାରିପାର୍ଶ୍ୱିକ ସ୍ଥିତିର ସମୀକ୍ଷାକରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଜିଲ୍ଲାର ମୁଖ୍ୟ କାର୍ଯ୍ୟନିର୍ବାବାହୀ ଅଧିକାରୀ ମଧୂମିତା, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଏବିଡିଓ ନିରାକାର ଜେନା, ଜିଲା ଶିକ୍ଷା ଅଧିକାରୀ ଅଜୟକୁମାର ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ କିଶୋରକୁମାର ବେହେରା,ଉକ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଅନୁକମ୍ପା କାନୁନଗୋ ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୂରାତନ ଛାତ୍ରଛାତ୍ରୀ ଓ ଜନପ୍ରତିନିଧିଙ୍କ ସମେତ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।



ତେବେ ଗ୍ରାମକୁ ମୁଖ୍ୟମନ୍ତ୍ରୀ ଆସିବେ ତଥା ଅନ୍ୟ ମନ୍ତ୍ରୀଙ୍କ ସହ ସାଂସଦ ଏବଂ ବିଧାୟକଗଣ ଆସିବେ, ଗ୍ରାମରେ ପ୍ରଥମ ଥର ବିରାଟ ବଡ଼ ଆୟୋଜନ ହୋଇଥିବା ଦେଖି ଗ୍ରାମବାସୀମାନେ ଅତ୍ୟନ୍ତ ଖୁସି ହୋଇଥିବା ସହ ବିଦ୍ୟାଳୟର ଉତ୍ସବ ଯେପରି ସୁଚାରୁ ରୁପେ ହୋଇପାରିବ, ସେଥିପାଇଁ ସମସ୍ତ କାର୍ଯ୍ୟ ମିଳିମିଶି କରିବା ସହ କାର୍ଯ୍ୟକ୍ରମରେ ଯେପରି କୌଣସି ବାଧା ନ ଉପୁଜେ ସେଥିପାଇଁ ଅନବରତ ଉଦ୍ୟମ ଜାରିରଖିଛନ୍ତି ଗାଙ୍ଗଦହଣୀ ଗ୍ରାମବାସୀ ଏବଂ ବିଶେଷକରି ଗ୍ରାମର ଯୁବପିଢ଼ି l

State

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲାକୁ ୧,୧୫୫ କୋଟିର ପ୍ରକଳ୍ପର ଭେଟି

Blog Thumbnail

କେନ୍ଦୁଝର ( ଦ କୁଇଭର):- ଜନ୍ମମାଟିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ଲୋକଙ୍କ ସୁବିଧା ପାଇଁ କେନ୍ଦୁଝର ଜିଲ୍ଲାକୁ ଗୋଟିଏ ଦିନରେ ୧ ହଜାର ୧୫୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ରାସ୍ତାଘାଟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜୀବିକା ସୃଷ୍ଟି ଆଦି ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ଏହି ସବୁ ପ୍ରକଳ୍ପଗୁଡ଼ିକ କେନ୍ଦୁଝର ଜିଲ୍ଲାର ଗାଁ ଗାଁରେ ବିକାଶର ଧାରାକୁ ଆଗେଇ ନେବ । କେନ୍ଦୁଝର ଜିଲ୍ଲା ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ରାଜ୍ୟର ବିକାଶକୁ ନେତୃତ୍ୱ ଦେବ । ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । କେନ୍ଦୁଝର ଜିଲ୍ଲାକୁ ୧୧୫୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁ୍‌ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ ୪୫୦ କୋଟି ଟଙ୍କାରେ ୨୧୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୮୭ କୋଟି ଟଙ୍କାର ୧୦୪ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହାସହ ୬୨୦ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଘୋଷାଣା କରିଛିନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।


କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମିଳିବ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମଖ୍ୟମନ୍ତ୍ରୀ । ସେହିପରି ଖଣି କାରବାର ଯୋଗୁଁ ଅଧିକ ଯାନବାହନ ଚଳାଚଳ ହେଉଥିବା କେନ୍ଦୁଝର ଭଳି ଜିଲ୍ଲାରେ ଟ୍ରମା କେୟାର ବ୍ୟବସ୍ଥା ଲୋକଙ୍କ ଜୀବନ ବଞ୍ଚାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ସବୁ ଖଣିଜ ଜିଲ୍ଲାଗୁଡ଼ିକର ମେଡିକାଲ କଲେଜ୍‌ରେ ଉନ୍ନତ ଟ୍ରମା କେୟାର ବ୍ୟବସ୍ଥା ରହିବ । ଆଗାମୀ ଦିନରେ ୫ ହଜାର ଡାକ୍ତର ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖୁବଶୀଘ୍ର ଆଉ ୪ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ । ସେଗୁଡିକ ହେଲା ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁର l


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଟାଉନରେ ନବ ନିର୍ମିତ ଥାନାଗୃହ ଏବଂ ରିଜର୍ଭ ପୋଲିସ ଅଫିସ ଉଦ୍‍ଘାଟନ କରିଛନ୍ତି । ସମୁଦାୟ ୩ କୋଟି ୩୪ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଥାନା ଓ ୨ କୋଟି ୭୬ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ନିର୍ମିତ ରିଜର୍ଭ ପୋଲିସ ଅଫିସର ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ନବନିର୍ମିତ ଥାନାରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରୀ, ଆଧୁନିକ ମାଲଖାନା,ଅଭ୍ୟର୍ଥନା କେନ୍ଦ୍ର (Reception Centre) ଏବଂ ମହିଳା ଓ ଶିଶୁ ସହାୟତା ଡେସ୍କ (Help desk) ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ଶିଶୁସଦନ, ଯାନବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଅବସରରେ ପୋଲିସ କର୍ମଚାରୀଙ୍କ ପାଇଁ ୧୭ଟି SUV ଗାଡ଼ି ଏବଂ ୮୦ଟି ମୋଟର ସାଇକେଲକୁ ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।

State,Politics

ନବୀନଙ୍କ ସଭାପତିତ୍ବରେ ୭୧ ଜଣିଆ ସାଂଗଠନିକ କମିଟି ଗଠନ : ହଟିଛି ସମ୍ପାଦକ ପଦ

Blog Thumbnail

ଦ କୁଇଭର ବ୍ୟୁରୋ:- ଦଳର ସଂଗଠନକୁ ନୂଆ ରୂପ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସଂଗଠନର କଳେବର ବୃଦ୍ଧି କରିବା ସହ ବହୁ ଦିଗକୁ ବିଚାର କରି କମିଟି ଗଠନ କରିଛନ୍ତି ନବୀନ। ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିଛନ୍ତି ବିଜେଡି ସଭାପତି। ଦୀର୍ଘ ବର୍ଷ ପରେ ବିଜୁ ଜନତା ଦଳ ସଂଗଠନକୁ ଫେରିଛି, ରାଜନୈତିକ ବ୍ୟାପାର କମିଟି- PAC। ଗଠିତ ହୋଇଛି ବିଜେଡିର ପଲିଟିକାଲ ଆଫାୟାର୍ସ କମିଟି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। କମିଟିରେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର, ସଂତୃପ୍ତ ମିଶ୍ର ପ୍ରମୁଖ ସଦସ୍ୟ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଭିନ୍ନ ଛାମୁଆ ସଂଗଠନର ଆବାହକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଜେଡି ସଭାପତି ୭୧ ଜଣିଆ ରାଜ୍ୟ ସ୍ତରୀୟ ସାଂଗଠନିକ କମିଟି ଗଠନ କରିଛନ୍ତି। ପୂର୍ବରୁ ସଂଗଠନ ସମ୍ପାଦକ ପଦ ଥିବା ବେଳେ ଏହାକୁ ଏଥର ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ପଦରେ ପ୍ରଣବ ପ୍ରକାଶ ଦାସ ଥିବାବେଳେ ନୂଆ ସାଙ୍ଗଠନିକ ଦାୟିତ୍ୱରେ କିନ୍ତୁ ଏହି ପଦ ଆଉ ରହିନାହିଁ। ୭୧ ଜଣିଆ ସାଂଗଠନିକ କମିଟିରେ-୭ ଜଣ ବରିଷ୍ଠ ଉପସଭାପତି,୮ ଜଣ ଉପସଭାପତି

ଜଣେ କୋଷାଧ୍ୟକ୍ଷ,୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ,୩୫ ଜଣ ସାଧାରଣ ସମ୍ପାଦକ ଙ୍କୁ ନିଯୁକ୍ତି ମିଳିଛି l


ବିଜେଡି ସଂଖ୍ୟାଲଘୁ ସେଲକୁ ମଧ୍ୟ ବିଜେଡି ସଭାପତି ପୁନର୍ଗଠନ କରିଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲର ଆବାହକ ନିଯୁକ୍ତ ହୋଇଛନ୍ତି ଦିଲ୍ଲୀପ ତିର୍କୀ। ସେହିପରି ସହ ଆବାହକ ରିଜୱାନା ବେଗମ, ଦକ୍ଷିଣ ଜୋନର ସଂଯୋଜକ ମୁଜିବୁଲ୍ଲା ଖାଁ, ପଶ୍ଚିମ ଜୋନର ସଂଯୋଜକ ଆୟୁବ ଖାଁ, ମଧ୍ୟ ଜୋନର ସଂଯୋଜକ ହୋଇଛନ୍ତି ସେକ୍ ନିଜ୍ଜାମୁଦ୍ଦୀନ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ଏହି ଟିମରେ ପ୍ରଫୁଲ ମଲ୍ଲିକ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ, ନୃସିଂହ ସାହୁଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନାହିଁ ଏବଂ ସେମାନେ ନିରାଶ ହୋଇଥିବା ସାଧାରଣରେ ଚର୍ଚ୍ଚା ଚାଲିଛି l ବିଜେଡି ବଳକା ଥିବା ଆଉ ୬ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ୩୩ ସଂଗଠନ ଜିଲ୍ଲା ମଧ୍ୟରୁ ପୂର୍ବରୁ ଦଳ ୧୮ ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତି ଦେଇଛି। ବଳକା ୧୫ ସାଂଗଠନିକ ଜିଲ୍ଲାରୁ ୬ ଜିଲ୍ଲା ସଭାପତି ଘୋଷଣା ହେବା ପରେ ଆଉ ୯ଟି ଜିଲ୍ଲା ବାକି ରହିଲା। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ୬ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦୁଝର ପାଇଁ ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୁରଭଞ୍ଜ-2 ପାଇଁ ଦେବାଶିଷ ମାର୍ଣ୍ଡି, ସମ୍ବଲପୁର ପାଇଁ ରୋହିତ ପୂଜାରୀ ଓ ବଲାଙ୍ଗିର ପାଇଁ ସରୋଜ କୁମାର ମେହେର ନିର୍ବାଚିତ ହୋଇଥିବା ସୂଚନା ମିଳିଛି l

State,Shree Jagannath,National

ମମତାଙ୍କୁ ମୋହନଙ୍କ ଚିଠି : ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନ କୁହାଯାଉ

Blog Thumbnail

ଦ କୁଇଭର ବ୍ୟୁରୋ:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ମାଝୀ ଚିଠି ଲେଖବାର କାରଣ ହେଲା ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ। ପଶ୍ଚିମବଙ୍ଗ ସରକାର ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରୁହନ୍ତୁ। ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ। ପୁରୀ ଜଗନ୍ନାଥଧାମର ସ୍ଥାନ ସ୍ବତନ୍ତ୍ର ଓ ପବିତ୍ର। ଅନ୍ୟ କେଣସି ସ୍ଥାନରେ ‘ଜଗନ୍ନାଥ ଧାମ ବ୍ୟବହାର ଶ୍ରଦ୍ଧାଳୁଙ୍କୁ ଆଘାତ ଦେଉଛି। କୋଟିକୋଟି ଭକ୍ତ, ତୀର୍ଥଯାତ୍ରୀଙ୍କ ଭାବାବେଗକୁ ଏହା କୁଠାରଘାତ କରୁଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହାଯିବା ଏବଂ ପ୍ରଚାରରେ ବ୍ୟବହାର ଦ୍ବନ୍ଦ୍ବ ସୃଷ୍ଟି କରୁଛି।


ସେହିପରି ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଓ ‘ଜଗନ୍ନାଥ ଧାମ’ ନାମକରଣ ପ୍ରସଙ୍ଗରେ ସୋମବାର ବଡ଼ ମନ୍ତବ୍ୟ ଦେଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜା କହିଛନ୍ତି, ପୁରୀ କେବଳ ‘ଜଗନ୍ନାଥ ଧାମ’। ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ। ଏହା ଶାସ୍ତ୍ରସମ୍ମତ ମତ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା ବି ସ୍ପଷ୍ଟ କରିଛି। ଏଣୁ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟି ଏବଂ ପୃଷ୍ଠପୋଷକମାନେ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କିମ୍ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରିବାରୁ ନିବୃତ୍ତ ରହିବାକୁ ଗଜପତି ନିବେଦନ କରିଛନ୍ତି।

State

ଆହୁରି ୨ ଦିନ ପ୍ରବଳ ବର୍ଷିବ

Blog Thumbnail

ଦ କୁଇଭର ବ୍ୟୁରୋ:- ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ଆଗାମୀ ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ । କିନ୍ତୁ ଆଗାମୀ ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ବର୍ଷା ନେଇ ସାରା ରାଜ୍ୟକୁ ସତର୍କ କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ବହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସତର୍କ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରେ ଧିରେଧିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

National,International

ପାକିସ୍ତାନରେ ଭାରତର ଏୟାର ଷ୍ଟ୍ରାଇକ୍,ଅପରେସନ ସିନ୍ଦୂର’ର ସଫଳତା : ଟଳିପଡ଼ିଲେ ୫୦ ଆତଙ୍କବାଦୀ

Blog Thumbnail

ଦ କୁଇଭର ବ୍ୟୁରୋ:- ପିଏମ୍ ଆବାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ର ସମସ୍ତ ଦୃଶ୍ୟକୁ ଦେଖୁଥିଲେ ଏବଂ ସମସ୍ତ ବିଷୟରେ ସୂଚନା ଗ୍ରହଣ କରୁଥିବା ଜଣାଯାଇଛି। ଭାରତୀୟ ସେନା ଲଶ୍କର ମୁଖ୍ୟାଳୟ ଓ ମସୁଦ ଅଜହରର ଶିବିର ଉପରେ ଆକ୍ରମଣ କରିଛି। ଏଥିରେ ପ୍ରାୟ ୫୦ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କରି ଭାରତୀୟସେନାକୁ ଏଭଳି ବଡ଼ ସଫଳତା ମିଳିଛି। ଅଧ ରାତିରେ ‘ଅପରେସନ ସିନ୍ଦୂର’ ଜରିଆରେ ଭାରତ ନେଲା ପହଲଗାମ୍ ପ୍ରତିଶୋଧ । ଅଧ ରାତିରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ । ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କଲେ ଭାରତୀୟ ବାୟୁବୀର । ଭାରତୀୟ ବାୟୁସେନା ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ଆକାଶପଥରୁ ଆକ୍ରମଣ କରାଯାଇଛି । ଭାରତୀୟ ବାୟୁସେନାର ଲଢୁଆ ବିମାନ ଗୁଡିକ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ସେଗୁଡିକୁ ଧ୍ବଂସ କରିଦେଇଥିବା ସୂଚନା ଦିଆଯାଇଛି । ଏହି ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ଅଣ ଆତଙ୍କବାଦୀ କାର୍ଯ୍ୟକଳାପ ସ୍ଥଳୀରେ ଆକ୍ରମଣ କରାଯାଇ ନାହିଁ । ଏହି କାର୍ଯ୍ୟାନୁଷ୍ଠାନପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି - "ନ୍ୟାୟ ହେଲା ଜୟ ହିନ୍ଦ୍‌"। ଏଣେ ପ୍ରତିରକ୍ଷା ମନ୍ତ୍ରୀ ‘‘ଭାରତମାତାକୀ ଜୟ’ ବୋଲି କହିଛନ୍ତି। ଠିକ୍ ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ‘ଜୟ ହିନ୍ଦ୍‌"। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ‘ଜୟ ହିନ୍ଦ୍‌ ‘ଜୟ ହିନ୍ଦ୍‌ କୀ ସେନା" କହିଛନ୍ତି।


ପାକିସ୍ତାନ ବିରୋଧରେ କଡ଼ା ପ୍ରତିଶୋଧ ନେବାକୁ ଯାଇ, ଭାରତ ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ସଠିକ୍ ଆକ୍ରମଣ କରି 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଛି। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିବାର କିଛି ଦିନ ପରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ।

State

ଚଳିତ ମାସ ୧୦ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୧୦. ୦୫. ୨୫ ରିଖ ଶନିବାର ଦିନ ବ୍ରହ୍ମପୁର ଜିଲ୍ଲା ଓ ସିଭିଲ କୋର୍ଟ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ କୋର୍ଟ ଗୁଡିକରେ ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ମକଦ୍ଦମା ଯେପରିକି,ଦୀର୍ଘ ଦିନ ହେବ କୌଣସି ମକଦ୍ଦମା ଯଦି କୋର୍ଟରେ ବିଚାରଧୀନ ଅଛି ଅଥବା କୌଣସି ବିବାଦ ର ସହଜ ତଥା ଆପୋଷ ସମାଧାନ ପାଇଁ ଚାହୁଁଛନ୍ତି, ତା'ହେଲେ ଲୋକ ଅଦାଲତ ର ସାହାର୍ଯ୍ୟ ନେଇପାରିବେ l ଏହା ସହିତ ଦେୱାନୀ, ଫୌଜଦାରୀ (ସାଲିସ୍ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ଏହି ଲୋକ ଅଦାଲତରେ କରାଯିବ ଏବଂ ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବିବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ କରାଯିବ l ସରଳ ଓ ସହଜ ସମାଧାନ ତଥା ଆର୍ଥିକ ଏବଂ ସମୟ ଉପଚୟରୁ ମୁକ୍ତି ପାଇବା ପାଇଁ ଏହି ସୁଯୋଗର ଲାଭ ଉଠାନ୍ତୁ l ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିପାରିବେ l



Sports

ପ୍ଲେ-ଅଫରୁ ବାଦ ପଡ଼ିଲା ସନରାଇଜର୍ସ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ ର ୫୫ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଥିବା ଏହି ମ୍ୟାଚ୍ ସମୟରେ ପ୍ରବଳ ବର୍ଷା ହୋଇଥିଲା । ଅମ୍ପାୟାରଙ୍କ ଦ୍ୱାରା ଦୀର୍ଘ ସମୟ ଅପେକ୍ଷା କରିବା ପରେ, ମ୍ୟାଚ୍ ବାତିଲ ହୋଇଥିଲା । ଉଭୟ ଦଳ ମଧ୍ୟରେ ୧-୧ ପଏଣ୍ଟ ବଣ୍ଟାଯାଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ବର୍ଷା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ IPL 2025ର 55ତମ ମ୍ୟାଚ୍ ବାତିଲ ହୋଇଯାଇଛି । ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା । ଏହା ପରେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ବନ୍ଦ ହେବା ପରେ, ଉଭୟ ଦଳର ଅମ୍ପାୟାର ଏବଂ ଅଧିନାୟକ ଗ୍ରାଉଣ୍ଡ ଯାଞ୍ଚ କରିଥିଲେ । ପରେ ଅମ୍ପାୟାର ମ୍ୟାଚ୍ ବାତିଲ ଘୋଷଣା କରିଥିଲେ ଏବଂ ଦୁଇ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ ହୋଇଥିଲା । ଫଳରେ ୭ ସହ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ଏହି ମ୍ୟାଚ୍‌ରେ ୧ ପଏଣ୍ଟ ପାଇବା ପରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ପ୍ଲେଅଫ୍ ଯାତ୍ରା ଶେଷ ହୋଇଛି । ହାଇଦ୍ରାବାଦ ଦଳ ଆନୁଷ୍ଠାନିକ ଭାବରେ IPL ୨୦୨୫ ର ପ୍ଲେଅଫରୁ ବାଦ ପଡ଼ିଛି । ଦଳ ୧୧ ଟି ମ୍ୟାଚ୍ ପରେ ମୋଟ ୭ ପଏଣ୍ଟ ପାଇଛି । ଯେଉଁଥିରେ ତିନୋଟି ବିଜୟ, ଗୋଟିଏ ଡ୍ର ଏବଂ ୭ପରାଜୟ ରହିଛି । ହାଇଦ୍ରାବାଦ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୮ମ ସ୍ଥାନରେ ରହିଛି ।


ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୧ ପଏଣ୍ଟ ପାଇଛି । ଏହି ଗୋଟିଏ ପଏଣ୍ଟ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପଥକୁ ଜଟିଳ କରିଦେଇଛି । ୧୧ ଟି ମ୍ୟାଚ୍ ପରେ, ଦିଲ୍ଲୀ ୬ଟି ବିଜୟ, ୪ଟି ପରାଜୟ ଏବଂ ଗୋଟିଏ ଡ୍ର ସହିତ ମୋଟ ୧୩ ପଏଣ୍ଟ ପାଇଛି । ଏବେ, ପ୍ଲେଅଫରେ ସ୍ଥାନ ପାଇବାକୁ ହେଲେ, ଦିଲ୍ଲୀକୁ ପରବର୍ତ୍ତୀ ୩ଟି ମ୍ୟାଚ୍‌ରୁ ଅତି କମରେ ୨ ଟି ଜିତିବାକୁ ପଡିବ । ଏହା କରିବା ଦ୍ୱାରା ଦଳର ୧୭ ପଏଣ୍ଟ ହେବ ଏବଂ ପ୍ଲେଅଫରେ ପହଞ୍ଚିପାରିବେ । ଦିଲ୍ଲୀ ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ।

National,State

ଟ୍ରେନରୁ କେନ୍ଦ୍ରମନ୍ତ୍ରୀ ନିଖୋଜ’ ଖବରରେ ପୂର୍ଣ୍ଣଚ୍ଛେଦ ଟାଣିଲେ ଜୁଏଲ ଓରାମ: କହିଲେ ମୁଁ ସୁସ୍ଥ ଅଛି, ସ୍ବାସ୍ଥ୍ୟକୁ ନେଇ ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ

Blog Thumbnail

ଦ କୁଇଭର ବ୍ୟୁରୋ:- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋ ସ୍ବାସ୍ଥ୍ୟକୁ ନେଇ ହୋଇଥିବା ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରମାତ୍ମକ। ମୁଁ ସମସ୍ତଙ୍କୁ ସତ୍ୟ ଆଧାରିତ ତଥ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରୁଛି ଏବଂ ମୁଁ ମୋ କାମ ପ୍ରତି ପୂରାପୂରି ସମର୍ପିତ ଅଛି...' କହି ଚଳନ୍ତା ଟ୍ରେନରୁ କେନ୍ଦ୍ରମନ୍ତ୍ରୀ ନିଖୋଜ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଜୁଏଲ ଓରାମ। ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ କହିଛନ୍ତି, ମୁଁ ସୁସ୍ଥ ଅଛି। ତେବେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଶନିବାର ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇଯାଇଥିବା ଏବଂ ତାଙ୍କ ସୁଗାର କମ୍ ହୋଇଯିବାରୁ ଟ୍ରେନରେ ଚଢିବା ବେଳେ ପଡିଯାଇ ଆହତ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ଜୁଏଲ ଓରାମ। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏବଂ ସେ ଜବଲପୁରରେ କାର୍ଯ୍ୟକ୍ରମ ସାରି ଗତକାଲି ରାତିରେ ଦିଲ୍ଲୀ ଫେରିଆସି ନିଜ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି।

International,National

କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି; ୨୪ଟି ବିମାନବନ୍ଦରୁ ହେବନି ବିମାନ ଚଳାଚଳ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ତ୍ରିପୁରା ସୁନ୍ଦରୀ ଏକ୍ସପ୍ରେସରେ ରେଳ ସୁରକ୍ଷା ବଳ ଟିମ୍‌ ଦ୍ୱାରା ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହେବା ପରେ ସମଗ୍ର ରେଳ ନେଟୱାର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେହିପିର ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ବିମାନବନ୍ଦରରୁ ବିମାନ ସେବା ବନ୍ଦ କରାଯାଇଛି । ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଜମ୍ମୁ ଓ କାଶ୍ମୀର ସହ ଚଣ୍ଡିଗଡ଼ ଓ ରାଜସ୍ଥାନର କିଛି ସ୍ଥାନରେ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷା ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି (ଗୁରୁବାର) ତ୍ରିପୁରା ସୁନ୍ଦରୀ ଏକ୍ସପ୍ରେସ ଟ୍ରେନ୍ ବଦରପୁରରୁ ଅଗରତାଲା ଅଭିମୁଖେ ଯାଉଥିଲା । ନିୟମିତ ଯାଞ୍ଚ କରୁଥିବା ଆଲର୍ଟ RPF କର୍ମଚାରୀମାନେ ଏକ ଜେନେରାଲ କୋଚ୍‌ର ଉପର ବର୍ଥରେ ସନ୍ଦେହଜନକ ଭାବରେ ପଡ଼ିଥିବା ଦୁଇଟି ପରିତ୍ୟକ୍ତ ବ୍ୟାକପ୍ୟାକ୍ ଭିତରେ ବେଆଇନ ଅସ୍ତ୍ରଶସ୍ତ୍ରର ଗଚ୍ଛିତ ସ୍ଥାନ ଚିହ୍ନଟ କରିଥିଲେ । ଅଗରତାଲା RPF ପୋଷ୍ଟର ଏକ ଏସ୍କର୍ଟ ଦଳ ଲଗେଜଗୁଡ଼ିକୁ ଦେଖି ତୁରନ୍ତ ଯାଞ୍ଚ କରିବା ଆରମ୍ଭ କରିଥିଲେ । ଯାଞ୍ଚ ସମୟରେ ଆଠଟି ହାତ ତିଆରି ଲୁହା ପିସ୍ତଲ ଏବଂ ୧୬ଟି ମାଗାଜିନକୁ ମାଟିଆ ସେଲୋ ଟେପରେ ସାବଧାନତାର ସହିତ ଗୁଡ଼ାଯାଇଥିବା ପାଇଥିଲେ । ଅବୈଧ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ହଉଥିବା ନେଇ ଅଧିକାରୀମାନେ ସନ୍ଦେହ କରୁଛନ୍ତି । ଏହି ମାମଲାକୁ ଅଧିକ ତଦନ୍ତ ପାଇଁ GRPS ଅଗରତାଲାକୁ ହସ୍ତାନ୍ତର କରାଯାଇଥିବା ରେଳ ଅଧିକାରୀ କହିଛନ୍ତି । ଏହାସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ଯାତ୍ରୀ, କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତର 24ଟି ବିମାନବନ୍ଦରରୁ ବିମାନ ଚଳାଚଳ ଅସ୍ଥାୟୀ ଭାବରେ ବନ୍ଦ କରିଛନ୍ତି । ଏହି ନିଷ୍ପତ୍ତି ନୋଟିସ୍ ଟୁ ଏୟାରମ୍ୟାନ୍ (NOTAM) ଦ୍ୱାରା କାର୍ଯ୍ୟକାରୀ କରାଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ଇଣ୍ଡିଗୋ, ଆକାସା ଏୟାର, ସ୍ପାଇସଜେଟ୍ ଏବଂ ଏୟାର ଇଣ୍ଡିଆ ସମେତ ପ୍ରମୁଖ ଭାରତୀୟ ଏୟାରଲାଇନଦେଶବ୍ୟାପୀ ଯାତ୍ରୀମାନଙ୍କୁ ନିର୍ଦ୍ଧାରିତ ପ୍ରସ୍ଥାନର ଅତି କମରେ ତିନି ଘଣ୍ଟା ପୂର୍ବରୁ ସେମାନଙ୍କ ନିଜ ନିଜ ବିମାନବନ୍ଦରରେ ପହଞ୍ଚିବାକୁ ଅନୁରୋଧ କରି ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି ।


ସେପେଟ ଜମ୍ମୁରେ ପାକିସ୍ତାନ ଦ୍ୱାରା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଯେକୌଣସି ସମ୍ଭାବ୍ୟ ବିପଦକୁ ଏଡାଇବା ପାଇଁ ଗୁରୁବାର ରାତିରେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀ ଶ୍ରୀନଗର ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ, ପ୍ରମୁଖ ଜଙ୍କସନଗୁଡ଼ିକରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଉପସ୍ଥିତି ବୃଦ୍ଧି କରାଯାଇଛି । ଗୁରୁବାର ଜମ୍ମୁ ଏବଂ କାଶ୍ମୀରର ଅନ୍ତର୍ଜାତୀୟ ସୀମାରେ ଜମ୍ମୁ, ପଠାଣକୋଟ ଏବଂ ଉଧମପୁରରେ ସାମରିକ ଷ୍ଟେସନଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନର ଏକାଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସତର୍କତା ବୃଦ୍ଧି କରାଯାଇଛି । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଆକ୍ରମଣରେ କୌଣସି ମୃତାହତ କିମ୍ବା ସାମଗ୍ରୀକ କ୍ଷତିର ରିପୋର୍ଟ ହୋଇନାହିଁ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, କର୍ତ୍ତୃପକ୍ଷ ଶୁକ୍ରବାର ଜମ୍ମୁ ଓ କାଶ୍ମୀରର ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷା ପ୍ରତିଷ୍ଠାନ ବନ୍ଦ କରିଦେଇଛନ୍ତି । ଜମ୍ମୁ ଶିକ୍ଷା ମନ୍ତ୍ରୀ ସକିନା ଇଟିଭି ଭାରତକୁ କହିଛନ୍ତି ଯେ, ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ସେପେଟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ପ୍ରଶାସନ ୯ ଏବଂ ୧୦ ତାରିଖରେ ସମସ୍ତ ସ୍କୁଲ ପାଇଁ ଛୁଟି ଘୋଷଣା କରିଛି । ସ୍କୁଲ ପରିଚାଳନା ଏବଂ ପ୍ରଧାନଶିକ୍ଷକମାନେ ସ୍କୁଲ ହ୍ୱାଟସଆପ୍ ଗ୍ରୁପ୍ ଏବଂ ୱେବସାଇଟ୍ ମାଧ୍ୟମରେ ପରିବାରଗୁଡ଼ିକୁ ସୂଚନା ଦେଇଛନ୍ତି l ପଞ୍ଚକୁଲ ଜିଲ୍ଲାରେ ମଧ୍ୟ, ଡେପୁଟି କମିଶନର ମୋନିକା ଗୁପ୍ତା ସୋମବାର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ସତର୍କ ରୁହନ୍ତୁ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ସୂଚନାକୁ ଅନୁସରଣ କରନ୍ତୁ ଏବଂ ସାବଧାନ ରୁହନ୍ତୁ ।

State

୧୭ ଟି ମାଉଜର ଜବତ, ୧୮ ଅଭିଯୁକ୍ତ ଗିରଫ

Blog Thumbnail

ଗଞ୍ଜାମ ( ଦ କୁଇଭର):- ଆରମ୍ଭ ହେଲା ପୋଲିସ ର ଅପରାଧ ସଫେଇ ଅଭିଯାନ! ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କ କାର୍ଯ୍ଯକଳାପ କୁ ନେଇ ବାରମ୍ବାର ପୋଲିସ ର ସୁରକ୍ଷା ବ୍ଯବସ୍ଥା ଉପରକୁ ଅଙ୍ଗୁଳି ଉଠିବା ପରେ ଏବେ ଆକ୍ସନ ମୋଡ ରେ ପୋଲିସ। ଜିଲ୍ଲାରେ ବନ୍ଧୁକ ଧରି ଆତଙ୍କ ରଚିବା ସହ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେବାର ଯୋଜନା କରୁଥିବା ୧୮ ଅଭିଯୁକ୍ତ କୁ କାବୁ କରି ୧୭ ଟି ବନ୍ଧୁକ ୬୬ ଟି ଅଫୁଟା ଗୁଳି ସହ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗଞ୍ଜାମ ପୋଲିସ ଜିଲ୍ଲାର ଏହି ଅଭିଯାନ ପୋଲିସ କୁ ଆଗକୁ ସାମନ୍ଯ ଆଶ୍ବସ୍ତ ଦେବ ବୋଲି ଅନୁମାନ କରାଯାଉଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏହି ଅଭିଯାନ କେବେ ହାତକୁ ନିଆଯିବ ତାହା ଉପରେ ସମସ୍ତଙ୍କ ନଜର।

National

ସାଇରନ୍‌ ବଜାଇ ଭାରତର ମକ୍ ଡ୍ରିଲ୍

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେ କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆଜିଠାରୁ ଦେଶର ଅନେକ ରାଜ୍ୟରେ ମକ୍ ଡ୍ରିଲ୍ ଆରମ୍ଭ ହୋଇଛି। ଦିଲ୍ଲୀ ଓ ପାଟନାଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବ୍ଲାକ୍ଆଉଟ୍ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଦେଶର ୨୪୪ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍ କରାଯାଇଛି। ଏହି ଅପରେସନ୍‌ର ନାମ ‘ଅପରେସନ୍‌ ଅଭ୍ୟାସ’ ରଖାଯାଇଛି। ମକ ଡ୍ରିଲ୍ ସମୟରେ ଅନେକ ସ୍ଥାନରେ ସାଇରନ୍‌ ଶୁଣିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ, ଝାଡ଼ଖଣ୍ଡ, ହରିୟାଣା, ବିହାର, ଆନ୍ଧ୍ରପ୍ରଦେଶ ଭଳି ଅନେକ ରାଜ୍ୟରେ ଏହି ଅଭ୍ୟାସ ବ୍ୟାପକ କରାଯାଉଛି। ଏହି ରାଜ୍ୟଗୁଡ଼ିକ ବ୍ୟତୀତ ଆସାମର ୧୪ଟି ଜିଲ୍ଲା, ଓଡ଼ିଶାର ୧୨ଟି ଜିଲ୍ଲା, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ମିଜୋରାମର ଆଇଜଲରେ ମକ୍ ଡ୍ରିଲ୍ କରାଯାଇଥିଲା। ଏହି ସମୟ ମଧ୍ୟରେ ଏୟାର୍ ଷ୍ଟ୍ରାଇକ୍, ଅଗ୍ନିଶମ ଜରୁରିକାଳୀନ ପରିସ୍ଥିତି, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଭଳି ଅନେକ ପରିସ୍ଥିତିର ଆକଳନ କରାଯାଇଥିଲା। ହରିୟାଣାର ୧୧ଟି ଜିଲ୍ଲାରେ ବି ଏହି ମକ୍ ଡ୍ରିଲ୍ କରାଯାଇଥିଲା। ରାଜ୍ୟର ଗୁରୁଗ୍ରାମ, ପଞ୍ଚକୁଲା, ଅମ୍ବାଲା, ଓ ରୋହତକର ବ୍ୟସ୍ତବହୁଳ ସପିଂ ମଲ୍, ବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍‌ ବାଜିବା ପରେ ବେସାମରିକ ସୁରକ୍ଷା କର୍ମୀ, ପୁଲିସ, ଅଗ୍ନିଶମ ଓ ଜରୁରିକାଳୀନ ସେବା କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ହାଇଦ୍ରାବାଦର ୪ଟି ସ୍ଥାନରେ ମକ୍ ଡ୍ରିଲ୍ କରାଯାଇଥିଲା। ସିକନ୍ଦରାବାଦ, ଗୋଲକୁଣ୍ଡା, କାଞ୍ଚନବାଗ ଓ ନଚରମ ଏନ୍‌ଏଫ୍‌ସି ଅଞ୍ଚଳରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍‌ ବାଜିଲେ ନାଗରିକମାନଙ୍କୁ ଘର ଭିତରେ ରହିବା, ଆଶ୍ରୟ ନେବା ଓ ଲୁଚି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ତାମିଲନାଡ଼ୁର ଦୁଇଟି ପ୍ରମୁଖ ପ୍ରତିଷ୍ଠାନରେ ମକ୍ ଡ୍ରିଲ୍ କରାଯାଇଥିଲା। କଳ୍ପକମ୍‌ସ୍ଥିତ ମାଡ୍ରାସ ଆଣବିକ ଶକ୍ତି କେନ୍ଦ୍ର ଓ ଚେନ୍ନାଇ ବନ୍ଦରରେ ଏହି ଅଭ୍ୟାସ କରାଯାଇଥିଲା।

Sports

ଚେନ୍ନାଇକୁ ୨ ରନରେ ହରାଇଲା ଆରସିବି

Blog Thumbnail

ଦ କୁଇଭର ବ୍ୟୁରୋ:- ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୨ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୨ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ୨୦୧୪ ରନର ପିଛା କରିବାକୁ ଯାଇ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୧ ରନ ହିଁ କରିପାରିଥିଲା । ଦଳ ପକ୍ଷରୁ ଆୟୁଷ ମାହାତ୍ରେ ୯୪ ଓ ରବୀନ୍ଦ୍ର ଜାଦେଜା ୭୭ ରନ କରିଥିଲେ । ଆରସିବି ପକ୍ଷରୁ ଲୁଙ୍ଗି ଏନଗିଡି ୩ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟି କରିଥିବା ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୧୩ ରନ କରିଥିଲା । ଦଳ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ବିରାଟ କୋହଲି ଓ ଜାକବ ବେଥେଲ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୭ ରନ କରିଥିଲେ । କୋହଲି ୬୨ ରନ ଓ ବେଥେଲ ୫୫ ରନ କରିଥିଲେ । ଦେବଦତ୍ତ ପଡ଼ିକଲ ୧୭ କରିଥିବାବେଳେ ରଜତ ପଟିଦାର ୧୧ ରନ କରିଥିଲେ । ତେବେ ଆରସିବି ପାଇଁ ସବୁଠାରୁ ବିସ୍ଫୋରକ ଇନିଂସ ଖେଳିଥିଲେ ରୋମାରିଓ ସେଫାର୍ଡ । ସେ ମାତ୍ର ୧୪ଟି ବଲରେ ୬ ଛକା ଓ ୪ ଚୌକା ସହ ୫୩ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମହିଶ ପଥିରଣା ୩ଟି ଓ୍ବିକେଟ ନେଇଥିବାବେଳେ ସାମ କୁରାନ ଓ ନୁର ଅହମ୍ମଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Sports

୫୬ ତମ ମ୍ୟାଚ୍‌ରେ ବିଜୟ ସହିତ ପ୍ରଥମ ସ୍ଥାନ ହାସଲ କଲା ଗୁଜୁରାଟ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ ର ୫୬ ତମ ମ୍ୟାଚ୍‌ରେ ବାଜି ମାରିଲା ଗୁଜୁରାଟ । ମୁମ୍ବାଇ ଇଣ୍ଡିଆନ୍ସକୁ ଘରୋଇ ମାଟି ୱାଙ୍ଖେଡେ ଷ୍ଟାଡିୟମରେ ହରାଇଛି ଗୁଜରାଟ ଟାଇଟାନ୍ସ । ପ୍ରଥମେ ବ୍ୟାଟିଂ କରି ୧୫୫ ରନ୍‌ କରିଥିଲା ମୁମ୍ବାଇ । ୧୫୬ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଗୁଜରାଟ ପ୍ଲେୟର୍ସ । ୧୮ ଓଭର ବେଳକୁ ଗୁଜୁରାଟ ୬ ୱିକେଟ ହରାଇ ୧୩୨ ରନ କରିଥିବା ବେଳେ ବର୍ଷା ପାଇଁ ଖେଳ କିଛି ସମୟ ସ୍ଥଗିତ ରହିଥିଲା । ୧୯ ତମ ଓଭରରେ ଗୁଜୁରାଟକୁ ୧୪୭ ରନର ଟାର୍ଗେଟ ଦିଆଯାଇଥିଲା । ୧ ଓଭରେ ୧୫ ରନ ଲକ୍ଷ୍ୟ ରଖି ଖେଳିଥବା ଗୁଜୁରାଟ ୩ ୱିକେଟ ଥାଇ ମ୍ୟାଚ୍‌କୁ ଜିତି ନେଇଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭରୁ ଖରାପ ପ୍ରଦର୍ଶନ ଥିଲା ପ୍ରଥମ ଓଭରରେ ହିଁ ରିଆନ ରିକେଲଟନ ୨ଟି ବଲ ଖେଳି ମାତ୍ର ୨ ରନ କରି ଆଉଟ ହୋଇଥିଲେ । ସେପଟେ ୧୫୬ ରନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜୁରାଟ । ଟାର୍ଗେଟର ପିଛା କରି, ଗୁଜରାଟ ଟାଇଟାନ୍ସ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା, କିନ୍ତୁ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା । ପରେ ମ୍ୟାଚ୍ ପୁନରାରମ୍ଭ ହେବା ପରେ, ମୁମ୍ବାଇ ଇଣ୍ଡିଆନ୍ସ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା ​​ଏବଂ ଲଗାତାର ଗୁଜରାଟ ଟାଇଟାନ୍ସର ୫ ୱିକେଟ୍ ନେଇଥିଲା । କିନ୍ତୁ ପୁଣିଥରେ ବର୍ଷା ହେବା ଫଳରେ ମ୍ୟାଚ କିଛି ସମୟ ସ୍ଥଗିତ ରହିଥିଲା । ପୁଣିଥରେ ମ୍ୟାଚ୍ ଆରମ୍ଭ ହେବା ପରେ ଗୁଜରାଟକୁ ଗୋଟିଏ ଓଭରରେ ୧୫ ରନ୍‌ ଆବଶ୍ୟକ ଥିଲା । ଏପରି ପରିସ୍ଥିତିରେ, ଗୁଜରାଟ ଟାଇଟାନ୍ସ ହାର ନ ମାନି ୧ ଓଭରରେ ୧୫ ରନ କରି ୩ ୱିକେଟ ଥାଇ ବିଜୟୀ ହୋଇଛି ।

Sports

ଅଧାରୁ ବନ୍ଦ ହେଲା PBKS ବନାମ DC ଆଇପିଏଲ ମ୍ୟାଚ

Blog Thumbnail

ଦ କୁଇଭର ବ୍ୟୁରୋ:- ଅଧାରୁ ବନ୍ଦ ହେଲା ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୫ ର ୫୮ ତମ ମ୍ୟାଚ୍ । ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌କୁ ବନ୍ଦ କରାଯାଇଛି । ଧର୍ମଶାଳା ଷ୍ଟାଡିୟମରେ ବ୍ଲାକଆଉଟ୍ ହୋଇଯାଇଛି । ଖେଳାଳି ଓ ଦର୍ଶକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଷ୍ଟାଡିୟମରୁ ବାହାରକୁ ବାହାର କରାଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଭିତରେ ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ମ୍ୟାଚ ଅଧାରୁ ବନ୍ଦ କରାଯାଇଛି । ତେବେ ମ୍ୟାଚ୍ ବନ୍ଦ ହେବା ବେଳକୁ, ପଞ୍ଜାବ ୧୦.୧ ଓଭର ଖେଳି ଗୋଟିଏ ୱିକେଟ ହରାଇ ୧୨୨ ରନ୍‌ କରିଥିଲା । ପିବିକେଏସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ଟସ୍ ପଡ଼ିବା କିଛି ସମୟ ପାଇଁ ବିଳମ୍ବିତ ହୋଇଥିଲା । ବିଳମ୍ବ ସତ୍ତ୍ବେ ଓଭରରେ କୌଣସି ହ୍ରାସ କରାଯାଇ ନଥିଲା । ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ୍ ସିଂହ ଯୋଡି ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରିୟାଂଶ ଆର୍ଯ୍ୟ ୩୪ ବଲ୍ରୁ ୭୦ ରନ କରି ପେସ୍ ବୋଲର ଟି ନଟରାଜଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ପ୍ରଭସିମରନ୍ ସିଂହ ୨୮ ବଲ୍ରୁ ୫୦ ରନ୍‌ କରିଛନ୍ତି । ୧୦.୧ ଓଭର ବେଳକୁ ଖେଳକୁ ଅଧାରୁ ବନ୍ଦ କରାଯାଇଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି । ୧୧ଟି ମ୍ୟାଚ୍ ଖେଳି ପଞ୍ଜାବର ୧୫ ପଏଣ୍ଟ ରହିଛି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍‌ରୁ ୧୩ ପଏଣ୍ଟ ପାଇଛି । ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା । ଏହି ମ୍ୟାଚ୍ ପୂର୍ବରୁ, ଡିସି ୬ଟି ମ୍ୟାଚ୍ରୁ ଚାରି ଥର ପରାଜୟର ସମ୍ମୁଖୀନ ହୋଇଥିଲା ।

Politics,State

ଆଟାଚ ହେବ ରାଜା ଚକ୍ରଙ୍କ ସମ୍ପତ୍ତି : STF

Blog Thumbnail

ଦ କୁଇଭର ବ୍ୟୁରୋ:- ଆଟାଚ ହେବ ରାଜା ଚକ୍ରଙ୍କ ସମ୍ପତ୍ତି । ରାଜା ଚକ୍ରଙ୍କ କ୍ରସର ୟୁନିଟ ଓ ଅନ୍ୟ ଜାଗାରେ STFର ଚଢ଼ାଉ । କେନ୍ଦୁଝର ଓ ଆଖପାଖ ଅଞ୍ଚଳରେ STFର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରୁଛି। ରାଜା ଚକ୍ରଙ୍କ ସମ୍ପତ୍ତି ଆଟାଚ ହେବା ନେଇ ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ।


ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାରେ ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ । ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ରାଜା ଚକ୍ର ସମେତ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ଶୁକ୍ରବାର ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି । ତେବେ କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପଚରା ଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।

State

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Blog Thumbnail

କେନ୍ଦୁଝର( ଦ କୁଇଭର):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ କେନ୍ଦୁଝରକୁ ୨ ଦିନିଆ ଗସ୍ତରେ ଆସୁଛନ୍ତି । ୫ ଓ ୬ ତାରିଖରେ (ସୋମବାର ଓ ମଙ୍ଗଳବାର) ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନ ଧରଣୀଧର ନାଏକଙ୍କ ଜୟନ୍ତୀ ଅବସରରେ କୁସୁମିତାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିପ୍ଳବୀ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ମୁଖ୍ୟମନ୍ତ୍ରୀ । କୁସୁମିତା ଗ୍ରାମରେ ଏକ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଏହାପରେ ଧରଣୀଧର ଭୂୟାଁଙ୍କ ଏନ୍ତୁଡିଶାଳ କୁସୁମିତାକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ନୂଆ ସରକାର ବିପ୍ଳବୀ ମାଟି ଧରଣୀଧରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଧରଣୀଙ୍କ ବିପ୍ଳବ ସମ୍ପର୍କରେ ରାଜ୍ୟ ଓ ରାଜ୍ୟ ବାହାରର ଲୋକେ ଅନେକ ବିଷୟ ଜାଣିନାହାନ୍ତି । ତେଣୁ କୁସୁମିତା ଗ୍ରାମରେ ଏକ ସ୍ମୃତି ସଂଗ୍ରାହଳୟ, ପାଠାଗାର, ଖେଳ ପଡ଼ିଆ ସହିତ ବିପ୍ଳବୀଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଶିଶୁ ଉଦ୍ୟାନ କରାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଧରଣୀଧର ମେଡିକାଲ କଲେଜରେ ଟ୍ରମା କେୟାର ସେଣ୍ଟରର ଶୁଭାରମ୍ଭ କରିବା ସହ ନବ ନିର୍ମିତ ଟାଉନ ଥାନାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଅନୁଷ୍ଠିତ ତିନିଦିନ ବ୍ୟାପୀ ରଙ୍ଗବତୀ ମହୋତ୍ସବକୁ ମଧ୍ୟ ଉଦଘାଟନ କରିବେ ୬ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।