Join Us To Make A Difference

The Drops💧

କାହା ମିଛ ଧରିବେ ରୁପା

କାହା ମିଛ ଧରିବେ ରୁପା
Published by:Chinmay Pati
#state

କନ୍ଧମାଳ(ଦ କୁଇଭର): ଚାଉଳ ମିଳିନଥିବାରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଲୋକେ ଆମ୍ବ ଟାକୁଆ ଖାଇଲେ । ଏହାଦ୍ୱାରା ଜୀବନ ଗଲା । ମାତ୍ର ଏହାକୁ ମାନୁ ନାହାନ୍ତି ରାଜ୍ୟ ସରକାର । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏପରି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି । କହୁଛନ୍ତି ଚାଉଳ ଦିଆଯାଇଛି । ଆମ୍ବ ଟାକୁଆ ତାଙ୍କ ପାରମ୍ପରିକ ଖାଦ୍ୟ, ସେମାନେ ଖାଇଛନ୍ତି । ହେଲେ ହିତାଧିକାରୀ ବା ସେହି ଅଞ୍ଚଳର ଲୋକଙ୍କ କହିବା କଥା ଚାଉଳ ମିଳିନାହିଁ, ତେଣୁ ଆମ୍ବ ଟାକୁଆ ଆଣି ଚାଉଳ ସହ ଜାଉ କରି ଖାଉଛୁ । ବାସ୍ତବରେ କାରଣ କ’ଣ ତାକୁ ଖୋଜିବେ ଆରଡିସି ରୁପା ରୋସନ ସାହୁ । କିଏ ମିଛ କହୁଛି? ହିତାଧିକାରୀମାନେ ମିଛ କହୁଛନ୍ତି ନା ଯୋଗାଣ ମନ୍ତ୍ରୀ ମିଛୁଆ? ଏହାକୁ ଧରିବେ । ହେଲେ ପାରିବେ ତ ରୁପା?

କନ୍ଧମାଳ ଦାରିଙ୍ଗବାଡ଼ିରେ ଚାଉଳ ନପାଇ ଆମ୍ବ ଟାକୁଆ ଖାଇବା ପରେ ୨ ମହିଳାଙ୍କ ଜୀବନ ଯାଇଛି । ଆହୁରି ୨ଜଣ ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି । ଏହା ସାରା ବିଶ୍ୱରେ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି । ଏହି ଘଟଣାରେ ସରକାରଙ୍କ ଅପାରଗତା ଜଳ ଜଳ ହୋଇ ଦିଶୁଛି । ଲୋକେ ୩ମାସରେ ଥିରେ ଚାଉଳ ପାଆନ୍ତି । ଚାଉଳ ନଥିବାରୁ ଆମ୍ବ ଟାକୁଆ ଜାଉ କରି ସେମାନେ ଖାଇଥିଲେ । ତାହାକୁ ୨/୩ଦିନ ରଖି ଖାଇବାରୁ ଜୀବନ ଯାଇଛି । ଆମ୍ବ ଟାକୁଆ ସେମାନେ କାହିଁକି ଖାଇଲେ ତାହା ଏବେ ବଡ଼ ପ୍ରଶ୍ନ? ଏହାକୁ ଧରିଲେଣି ବିରୋଧୀମାନେ । ବିଜେଡି ପୂରା ଗର୍ଜିଲାଣି । ସରକାର ଫେଲ ବୋଲି କହିଲେଣି । ଲୋକଙ୍କୁ ଚାଉଳ ଯୋଗାଇ ପାରୁନଥିବାରୁ ଲୋକେ ମରୁଥିବା କହିଛନ୍ତି ।

ମୋହନ ସରକାରଙ୍କ ଇଜ୍ଜତକୁ ଲାଗିଯାଇଛି । ତକ୍ରାଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରଡିସି ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ହେଲେ ଏଥିରେ ସନ୍ତୁଷ୍ଟ ନୁହନ୍ତି ବିରୋଧୀ । କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏହାର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଏପରି ସ୍ଥିତିରେ ସତ ଖୋଜିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଆରଡିସି ରୁପା ରୋସନ ସାହୁ । ହେଲେ ରୁପା କାହାର ମିଛ ଧରିବେ? ଧରିପାରିବେ ତ ମନ୍ତ୍ରୀଙ୍କ ମିଛ? କହିପାରିବେ କି ମନ୍ତ୍ରୀ ମିଛ କହୁଛନ୍ତି? ନା ହିତାଧିକାରୀଙ୍କ ମୁଣ୍ଡରେ ଦୋଷ ଦେବେ । ନା ଡିଲରଙ୍କ ଉପରେ ଦୋଷ ଦେଇ ମନ୍ତ୍ରୀଙ୍କୁ ସୁରକ୍ଷା ଦେବେ । ଏପରି ଅନେକ ପ୍ରଶ୍ନ ଏବେ ରୁପାଙ୍କ ପାରିବା ପଣିଆ ଉପରକୁ ଉଠିଲାଣି । ଦେଖାଯାଉ ରୁପା କାହାକୁ ମିଛୁଆ କରୁଛନ୍ତି?


Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

National,Weather

ଉତ୍ତରାଖଣ୍ଡରେ ପୁଣି ଭୂସ୍ଖଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଦଲଫଟା ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ବଡ଼ଧରଣର ବିପର୍ଯ୍ୟୟ ଆଣିଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ନିଖୋଜ ଅଛନ୍ତି। ବାଦଲଫଟା ବର୍ଷା ଯୋଗୁ ଟୋନ୍ସ ଓ ତମସା ନଦୀ ଫୁଲିବା ଫଳରେ ତପୋବନ‌ରେ ଅନେକ ଘର ବୁଡ଼ି ଯାଇଛି ଏବଂ ବ୍ୟାପକ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଉପୁଜିଛି। ଅନେକ ଘର, ଦୋକାନ ବଜାର ଏବଂ ଗାଡ଼ି ମୋଟର ଭାସିଯାଇଛି। ଏକ ପ୍ରମୁଖ ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଛି। ଟୋନ୍ସ ନଦୀରେ ଅନେକ ଶ୍ରମିକ ଭାସି ଯାଇଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲ୍ଲାପାଳ, ଏସ୍‌ଡିଏମ୍‌ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ସହିତ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଙ୍ଗଳବାର ଡେରାଡୁନର ମାଳଦେବତା ଓ କେଶରୱାଲା ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ୨ଟି ଅଞ୍ଚଳ ବନ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି। ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ଡେରାଡୁନରେ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପ୍ରଶାସନ ସହ ଧାମୀ ଯୋଗାଯୋଗରେ ଥିବା ଏବଂ ବ୍ୟକ୍ତିଗତ ଭାବେ ସ୍ଥିତି ସମୀକ୍ଷା କରିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। କଥାବାର୍ତ୍ତା ସମୟ‌ରେ ଧାମୀ ପ୍ରଧାନମନ୍ତ୍ରୀଙ୍କୁ ଘଟଣା ସଂକ୍ରାନ୍ତରେ ବିସ୍ତୃତ ବର୍ଣ୍ଣନା କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଧାମୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ଗୃହ‌ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି। ବର୍ଷା ଲାଗି ରହିଥିବାରୁ ଡେରାଡୁନରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଡେରାଡୁନର ପୌଣ୍ଡା ଅଞ୍ଚଳରେ ଦେବଭୂମି ଶିକ୍ଷାନୁଷ୍ଠାନ ପରିସର ଜଳବନ୍ଦି ହୋଇଯାଇଥିବା ବେଳେ ସେଠାରୁ ପ୍ରାୟ ୨୦୦ ଛାତ୍ରଙ୍କୁ ଏସ୍‌ଡିଆର୍‌ଏଫ୍‌ ଦ୍ବାରା ଉଦ୍ଧାର କରାଯାଇଛି।

City

ହାରିଗଲେ ସୁରଜ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଆତ୍ମାହୁତି ଦେବାକୁ ଯାଇ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଗୁରୁତର ହୋଇଥିବା ପୁରୁଣା ବ୍ରହ୍ମପୁରର ସୁରଜ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ୯ଟା ବେଳେ ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି l ସୂଚନାଯୋଗ୍ୟ, ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଗତ ବୁଧବାର ସନ୍ଧ୍ୟାରେ ସୁରଜ ସାହୁ କୌଣସି କାରଣକୁ କେନ୍ଦ୍ର କରି ନିଜ ଦେହରେ ‌ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ବଡ଼ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରେ ତାଙ୍କୁ ଏମ୍ସ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା। ସୂରଜଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍‌ ପ୍ରବଳ ଉଦ୍ୟମ ମଧ୍ୟ କରିଥ‌ିଲେ, କିନ୍ତୁ ଶୁକ୍ରବାର ଶେଷର ଆଖି ବୁଜିଲେ ସୁରଜ l ସୂଚନାଯୋଗ୍ୟ, ବଡ଼ ପଦକ୍ଷେପ ନେବା ପୂର୍ବରୁ ସୁରଜ ଦୁଃଖଭରା ପୋଷ୍ଟ ମଧ୍ୟ କରିଥିଲେ ନିଜ ସୋସିଆଲ ମିଡିଆର ଷ୍ଟାଟସରେ ଯେ, ମୋର କିଛି ହେଇଗଲେ କେହି ଦାୟୀ ହେବେ ନାହିଁ ବୋଲି ମଧ୍ୟ କହିଥିଲେ। ତେଵେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମେଡିକାଲରେ ସମସ୍ତ ପ୍ରକ୍ରିୟା ସରିବା ପରେ ସୂରଜଙ୍କ ପାର୍ଥିବ ଶରୀର ପୁରୀ ଯିବ,ସେଠାରେ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି l



State

୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, କେନ୍ଦୁଝରର ୧୮ଟି, ଖୋର୍ଦ୍ଧାର ୬୧ଟି, କୋରାପୁଟର ୩୪ଟି, ମାଲକାନଗିରିର ୮ଟି, ମୟୂରଭଞ୍ଜର ୭ଟି, ନବରଙ୍ଗପୁରର ୨୬ଟି, ନୟାଗଡ଼ର ୫୬ଟି, ନୂଆପଡ଼ାର ୧୦ଟି, ପୁରୀର ୬୮ଟି, ରାୟଗଡ଼ାର ୧୮ଟି, ସମ୍ବଲପୁରର ୧୨ଟି, ସୁବର୍ଣ୍ଣପୁରର ୧୬ଟି ଓ ସୁନ୍ଦରଗଡ଼ର ୧୭ଟି ନୂଆ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି।

Crime,State

ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୧୦ ନକ୍ସଲ ନିହତ ହୋଇଥିବା ସୂଚନା

Blog Thumbnail

ମାଲକାନଗିରି,(ଦ କୁଇଭର)- ସୀମାନ୍ତ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାର ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ଆଜି ସକାଳରୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଯବାନ ଗୁଳିରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ, ବାଲକୃଷ୍ଣ ଓରଫ ଭାସ୍କର ଏବଂ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ଏସଜେଡସିଏମ ପ୍ରମୋଦ ଓରଫ ପାଣ୍ଡୁ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଯେହେତୁ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇନାହିଁ। ସୂତ୍ର ଅନୁସାରେ, ମାଓବାଦୀ ମାନେ ଏବେ ବି ଜଙ୍ଗଲ ଭିତରେ ଉପସ୍ଥିତ ଅଛନ୍ତି ଉଭୟଙ୍କ ମଧ୍ୟ ରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ସୂଚନା ମିଳିବା ମାତ୍ରେ ଗାରିଆବନ୍ଦରୁ ଇ-30, ଏସଟିଏଫ ଏବଂ କୋବ୍ରାର ମିଳିତ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ରାଜ୍ୟରେ ନକ୍ସଲ ନିପାତ ଅଭିଯାନ ଦ୍ରୁତ ଗତିରେ ଚାଲିଛି ଏବଂ ଏହି ଏନକାଉଣ୍ଟରକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ରାୟପୁର ଆଇଜି ଅମରେଶ ମିଶ୍ର କହିଛନ୍ତି ଯେ ଜଙ୍ଗଲରେ ଅନେକ ନକ୍ସଲଙ୍କ ମୃତଦେହ ପଡ଼ିଛି। ଅନେକ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି, ସର୍ଚ୍ଚିଙ୍ଗ ଅପରେସନ ରାତି ସମୟରେ କଷ୍ଟକର ରହିଛି। ଯେହେତୁ ଜଙ୍ଗଲ ଭିତରେ ମାଓବାଦୀଙ୍କ ପକ୍ଷରୁ ଅଗ୍ରିମ ଆଇଇଡି ବିଛା ଯାଇଥିବା ଆଶଙ୍କା କରାଯାଉଛି। ପ୍ରାୟ ୧୦ ଜଣ ନକ୍ସଲଙ୍କ ମୃତଦେହ ଜଙ୍ଗଲରେ ପଡ଼ିଛି। ଆଇଇଡି ଯୋଗୁଁ ରାତିରେ ସର୍ଚ୍ଚ ଅପରେସନ୍ କରାଯାଇପାରିବ ନାହିଁ, କିନ୍ତୁ ଏବେ ମଧ୍ୟ ଅପରେସନ ଜାରି ରହିଥିବା କହିଛନ୍ତି।

Crime,State

ମହିଳା ନକ୍ସଲ ସୁଜାତାଙ୍କ ଆତ୍ମସମର୍ପଣ

Blog Thumbnail

ମାଲକାନଗିରି,(ଦ କୁଇଭର୍):-ସୀମାନ୍ତ ଛତିଶଗଡ଼ ତେଲାଙ୍ଗାନା ଦଶନ୍ଧି ,ଦଶନ୍ଧି ଧରି ବସ୍ତରର ରକ୍ତାକ୍ତ କାହାଣୀର ମାଷ୍ଟରମାଇଣ୍ଡ ଏବଂ ଦକ୍ଷିଣ ଉପ ଜୋନାଲ ବ୍ୟୁରୋର ଇନଚାର୍ଜ, ମହିଳା ନକ୍ସଲ ସୁଜାତା ଶେଷରେ ତାଙ୍କ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ଫେରିଛନ୍ତି। ୧ କୋଟି ପୁରସ୍କାର ପାଇଥିବା ସୁଜାତାର ଆତ୍ମସମର୍ପଣକୁ ନକ୍ସଲ ସଂଗଠନ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି।

ଜାଣନ୍ତୁ ସୁଜାତାଙ୍କ ସମ୍ପର୍କରେ ସୁଜାତା - ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ସୁଜାତା ଅନେକ ବଡ଼ ହିଂସାକାଣ୍ଡ ପାଇ ଆକ୍ରମଣ ର ଷଡ଼ଯନ୍ତ୍ର କରିଥିଲେ। ଦୀର୍ଘ ସମୟ ଧରି ବସ୍ତରର ଜଙ୍ଗଲରୁ ରକ୍ତାକ୍ତ ଖେଳ ଖେଳିଥିବା ସୁଜାତା ଏବେ ଆତ୍ମସମର୍ପଣ କରିଛନ୍ତି।ସୁଜାତା ନିମ୍ନୋକ୍ତ ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ୨୦୦୭, ଏରାବୋର (ସୁକମା): CRPF ଏବଂ ଜିଲ୍ଲା ପୋଲିସ ଉପରେ ଆକ୍ରମଣ, ୨୩ ଯବାନ ସହିଦ୍ ।


୨୦୧୦, ତାଡମେଟଲା (ଦାନ୍ତେୱାଡା): ବିସ୍ଫୋରଣ, ୭୬ ଯବାନ ସହିଦ।୨୦୧୦, ଗାଦିରାସ: ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ, ୩୬ ଯବାନ ସହିଦ।୨୦୧୩, ଝିରମ ଉପତ୍ୟକା: କଂଗ୍ରେସ ନେତାଙ୍କ ସମେତ ୩୨ ଯବାନ ସହିଦ।୨୦୧୭, ଚିନ୍ତାଗୁଫା: ଆମ୍ବୁସ୍, ୨୫ ଯବାନ ସହିଦ।୨୦୨୦, କୋରଜାଗୁଡା (ସୁକମା): ଏନକାଉଣ୍ଟର, ୧୭ ଯବାନ ସହିଦ।


୨୦୨୧, ଟେକୁଲଗୁଡେମ (ବିଜାପୁର): ୨୧ ଯବାନ ସହିଦ। ମାଓ ଇତିହାସରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆତ୍ମସମର୍ପଣ ବୋଲି କୁହାଯାଉଛି।ଏପଟେ ମାର୍ଚ୍ଚ ୨୦୨୬ ରେ ସରକାରଙ୍କ ଦ୍ୱାରା ନକ୍ସଲବାଦର ଅନ୍ତ ଘୋଷଣା ପରେ, ସୁରକ୍ଷା ବାହିନୀର ବର୍ଦ୍ଧିତ ଚାପ ଯୋଗୁଁ ଅନେକ ବଡ଼ ନକ୍ସଲ ନେତା ନିହତ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରିଛନ୍ତି। ଏପରି ପରିସ୍ଥିତିରେ, ନକ୍ସଲ ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ନକ୍ସଲ ନେତା ସୁଜାତାଙ୍କ ଆତ୍ମସମର୍ପଣ ନକ୍ସଲ ମୋର୍ଚ୍ଚାରେ ସୁରକ୍ଷା ବାହିନୀର ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ବୋଲି ମଧ୍ୟ କୁହାଯାଉଛି।

State,Weather

କଳିଙ୍ଗା ଘାଟିରେ ବଡ଼ଧରଣର ଭୂସ୍ଖଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ପୂରା ଦେଶରେ ପ୍ରକୃତି ତାଣ୍ଡବ ରଚିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପରିସ୍ଥିତି ଦେଖାଯାଇଛି। କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଆଜି ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଶହଶହ ଯାନବାହନ ଅଟକି ରହିଛି। ଭୂସ୍ଖଳନ ଯୋଗୁଁ ୩ଟି ରାଜ୍ୟ (ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ)କୁ ଯାନବାହନ ଚଳାଚଳ ଅଟକି ଯାଇଛି।ସୂଚନାଯୋଗ୍ୟ, ୧୬୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍‌, ଟ୍ରକ୍‌ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।

Shree Jagannath

ସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଅଳଙ୍କାର

Blog Thumbnail

ପୁରୀ( ଦ କୁଇଭର ):-. ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ। ଏଥି ପାଇଁ ଅମୃତ ବେଳା ସ୍ଥିର କରାଯାଇଛି। ସକାଳ ୭ଟା ୧୭ରୁ ୧୧ଟା ୧୭ ମଧ୍ୟରେ ଅଳଙ୍କାର ସ୍ଥାନାନ୍ତରିତ ହେବ। ଏଥି ପାଇଁ କେବଳ ପାଳିଆ ସେବାୟତ ନିୟୋଜିତ ହେବେ। ସେପ୍ଟେମ୍ବର ୨୩ ତାରିଖ ପୂର୍ବରୁ ଆଲୋକ ବ୍ୟବସ୍ଥା କରାଯିବ। ଅଳଙ୍କାର ସ୍ଥାନାନ୍ତର ସମୟରେ ନାଟ ମଣ୍ଡପ ବନ୍ଦ ରଖାଯିବ। କିନ୍ତୁ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ। ସ୍ଥାନାନ୍ତର ନସରିଲେ ସେପ୍ଟେମ୍ବର ୨୪ରେ ମଧ୍ୟ ସ୍ଥାନାନ୍ତର କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ସମୟରେ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବେ। ରତ୍ନଭଣ୍ଡାରରେ ଅଳଙ୍କାର ରଖା ସରିଲା ପରେ ତାଲା ପଡ଼ିବ। ଏହାର ଚାବି ଟ୍ରେଜେରିରେ ରଖାଯିବ। ସେପ୍ଟେମ୍ବର ୨୩ ତାରିଖ ପୂର୍ବରୁ ଆଲୋକ ବ୍ୟବସ୍ଥା କରାଯିବ।

City,Entertainment,Education

ଜାଭିୟର୍ସ ହାଇ ସ୍କୁଲରେ ହିନ୍ଦୀ ଦିବସ ପାଳନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):-ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶନିବାର ଛାତ୍ରଛାତ୍ରୀ ମାନଙ୍କୁ ନେଇ ହିନ୍ଦୀ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ଡିଏଭି ପବ୍ଲିକ ସ୍କୁଲର ବରିଷ୍ଠ ହିନ୍ଦୀ ଶିକ୍ଷକ ଦିଲ୍ଲୀପ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦୀ ଦିବସ ପାଳନ ସଂପର୍କରେ ସୂଚନା ଦେଇ,ଆଜିର ଯୁଗରେ ହିନ୍ଦୀ ଶିକ୍ଷାର ଆବଶ୍ୟକତା ନେଇ ଆଲୋକ ପାତ କରିଥିଲେ । ପ୍ରତି କ୍ଷେତ୍ରରେ ହିନ୍ଦୀ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିବା ସହ ସମସ୍ତେ ମାତୃଭାଷା ସହ ହିନ୍ଦୀ ଭାଷା ପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ମତ ଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ କେ.ସି ପଣ୍ଡାଙ୍କ ସମେତ ବିଦ୍ୟାଳୟ ଚେୟାରମ୍ୟାନ ଜି.ଏସ.ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l

Politics,City

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ରାଜ୍ୟରେ ଦିନକୁ ଦିନ ମହିଳାମାନଙ୍କ ବିରୋଧରେ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏହି ଅବସରରେ ବୁଧବାର ବ୍ରହ୍ମପୁର ପୁଲିସ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ମହିଳା ବିଜେଡି ଦଳ ।


ବାଲେଶ୍ବରରେ ଛାତ୍ରୀ ଆତ୍ମାହୂତୀ ଦେବା ଠାରୁ ଆରମ୍ଭ କରି ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଓଡ଼ିଶାକୁ ନିନ୍ଦିତ କରିଛି l ତଥ୍ୟ ଅନୁସାରେ ରାଜ୍ୟରେ ଦୈନିକ ୧୫ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି l ଏଣୁ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ତରଫରୁ ତୀବ୍ର ବିରୋଧ ସହ ଦାବି କରାଯାଇଛି। ତେବେ ଆଇଜି କିମ୍ବା ବ୍ରହ୍ମପୁର ଏସ୍.ପି. ଉପସ୍ଥିତ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ପରେ ଆଇଜି ନୀତି ଶେଖର ପହଞ୍ଚିବା ପରେ ସ୍ମାରକପତ୍ର ଗ୍ରହଣ କରିଥିଲେ l


ଏହି କାର୍ଯ୍ୟକ୍ରମର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ମେୟର ସଂଘମିତ୍ରା ଦଳେଇ ନେତୃତ୍ବ ନେଇଥିବା ବେଳେ ଅନୁଷ୍ଠିତ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ସଭାନେତ୍ରୀ ଅଞ୍ଜଳି ସ୍ବାଇଁ, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ମଞ୍ଜୁଳା ସ୍ବାଇଁ, ସୂର୍ଯ୍ୟମଣୀ ବୈଦ୍ୟ, ସୁବାସ ବେହେରା, ରଞ୍ଜିତା ସାହୁ, ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ମମତା କୁମାର ପାତ୍ର ପ୍ରମୁଖଙ୍କ ସହ ବହୁ ମହିଳା ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Crime

ଅବକାରୀ କବଜାରେ ଗଞ୍ଜେଇ ମାଫିଆ,୬ଗିରଫ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟ ବାହାରକୁ ବେଆଇନ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ, ୫୫ କିଲୋ ଗଂଜେଇ,୧ ସ୍କୁଟି, ୩ଟି ଚାରି ଚକିଆ ଗାଡି, ୮ଟି ମୋବାଇଲ ଫୋନ ଜବତ ସହ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୩୦ ଲକ୍ଷ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ସୂଚନା ଦେଇଛି l


ସୂଚନା ପ୍ରକାରେ,କନ୍ଧମାଳରୁ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଖଲ୍ଲିକୋଟ ଘାଟି ନିକଟରେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ l ବିହାର,ପଶ୍ଚିମବଙ୍ଗ ଅଞ୍ଚଳର ତିନିଜଣ ଏବଂ କନ୍ଧମାଳ ଅଞ୍ଚଳର ତିନିଜଣ(୨ଜଣ ପେଶାଗତ ଗଞ୍ଜେଇ ଚାଲାଣକାରୀ) ମୋଟ ୬ ଜଣଙ୍କୁ କାବୁ କରିଛି ଅବକାରୀ ଗୁଇନ୍ଦା ବିଭାଗ l ଏସବୁ ଗଞ୍ଜେଇ, ବିହାର ଓ ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ପ୍ରସ୍ତୁତି କରାଯାଇଥିଲା l ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନରୁ ଗଂଜେଇ ମାଫିଆଙ୍କ ଟେର ମିଳିଥିବା ବେଳେ ଅଧିକ ତଦନ୍ତ କରୁଛି ଅବକାରୀ ଗୁଇନ୍ଦା ବିଭାଗ l ଯେଉଁଥିରେ ବ୍ରହ୍ମପୁର, କୋଦଳା ଅଞ୍ଚଳର କିଛି ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଜଣା ପଡ଼ିଥିବା ବେଳେ ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୁର୍ତିକାନ୍ତ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

International

ସୁଶୀଳା କାର୍କି ହେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ନେପାଳ ସଂସଦ ଭାଙ୍ଗିଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ । ସଂସଦ ଭାଙ୍ଗିବା ସହ ନୂଆ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ୨୦୨୬ ମାର୍ଚ୍ଚ ୫ ତାରିଖରେ ହେବ ନିର୍ବାଚନ । ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନକୁ ନେଇ ଗତ ୮ ତାରିଖରେ ରାଜଧାନୀ କାଠମାଣ୍ଡୁରେ ଜୋରଦାର ପ୍ରତିବାଦ କରିଥିଲେ ଜେନ-ଜି । ପରେ ଏହା ଭୟଙ୍କର ଆନ୍ଦୋଳନର ରୂପ ନେଇଥିଲା । ସଂସଦ ଭବନ ସହ ବିଭିନ୍ନ ସରକାରୀ ଭବନ ଜାଳିଦେଇଥିଲେ ପ୍ରତିବାଦ । ଏଭଳି ପ୍ରତିବାଦ ପରେ ମାତ୍ର ୪ ଦିନରେ ବଦଳିଗଲା ନେପାଳ ସରକାର । ଅଶାନ୍ତ ନେପାଳର ମଙ୍ଗ ଧରିଲେ ସୁଶୀଳା କାର୍କି । ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ କରାଇଛନ୍ତି ଶପଥ ପାଠ । ଜେନ-ଜିଙ୍କ ଆନ୍ଦୋଳନ ପରେ ଓଲି ସରକାରର ପତନ ଘଟିଥିଲା । ପରେ ସେନା ନିୟନ୍ତ୍ରଣରେ ଶାସନ ଭାର ରହିଥିବା ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁଶୀଲା କାର୍କି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏକଜୁଟ ହେବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଆନ୍ଦୋଳନ କରୁଥିବା ଯୁବବର୍ଗଙ୍କ ପ୍ରଥମ ପସନ୍ଦ ନଥିଲେ ସୁଶୀଳା । କାଠମାଣ୍ଡୁର ମେୟର ବାଲେନ୍ ଶାହ ଥିଲେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ, ଯିଏ ଏହି ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଥିଲେ । କିନ୍ତୁ ବାଲେନ୍ ଦାୟିତ୍ବ ନେବାକୁ ସିଧାସଳଖ ମନା କରିଦେଇଥିଲେ । ଯାହା ପରେ ସୁଶୀଳାଙ୍କ ନାଁ ସାମ୍ବାକୁ ଆସିଥିଲା । ତା’ପରେ ବାଲେନ୍ ମଧ୍ୟ ସୁଶୀଳାଙ୍କୁ ନିଜର ସମର୍ଥନ ଦେଲେ । ଆଉ ଏଥିସହ ନେପାଳରେ ରାଜନୈତିକ ସଂକଟରେ ବିରାମ ଲାଗିଛି ।

National,International

ନେପାଳରୁ ଉଦ୍ଧାର ହେଲେ ୨୩ ଓଡ଼ିଆ ପର୍ଯ୍ୟଟକ

Blog Thumbnail

ଦ କୁଇଭର ବ୍ୟୁରୋ :- ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି । ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ । ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି ରହିଥିଲେ । ଉକ୍ତ ଘଟଣାଟି ସାମନାକୁ ଆସିବାର ୫ ଘଣ୍ଟା ସମୟ ମଧ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଛି । ୨୩ ଜଣ ଓଡ଼ିଆ ଯାତ୍ରୀ ହେଲେ- ଅଜୟ କୁମାର ପଣ୍ଡା, ମାମିନା ପଣ୍ଡା, ପଙ୍କଜ କୁମାର ଧଳ, ଭରତ କୁମାର ସ୍ୱାଇଁ, କାମିନୀ ସ୍ୱାଇଁ, ଶାରଦା ପ୍ରସନ୍ନ କର, ରିମା କର, ମନୋଜ କୁମାର ମିଶ୍ର, ସୁରେନ ଦଳାଇ, ବିରେନ ଦଳାଇ, ପର୍ଶୁରାମ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦଳାଇ, ପ୍ରସନ୍ନଜିତ ଦଳାଇ, ବ୍ରଜକିଶୋର ମିଶ୍ର, ଲୋପାମୁଦ୍ରା ମିଶ୍ର, ଶ୍ରେୟାନ ସୌରଭ ମିଶ୍ର, ସନ୍ତୋଷ କୁମାର ପାଣି, ସସ୍ମିତା ପାଣି, ବାଗ୍ମୀପ୍ରିୟା ପାଣି, ପ୍ରମୋଦ କୁମାର ମିଶ୍ର, ରାଜଶ୍ରୀ ମିଶ୍ର, ବୈଷ୍ଣବ ସାହୁ ଓ ସୁରେଶ ଚନ୍ଦ୍ର ସାହୁ । ସମସ୍ତ ଓଡ଼ିଆ ଯାତ୍ରୀ ସୁରକ୍ଷିତ ଭାବରେ ଭାରତକୁ ଫେରିଥିବାର ସୂଚନା ମିଳିଛି ।

National

୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ

Blog Thumbnail

ଦ କୁଇଭର ବ୍ୟୁରୋ :- ଦେଶର ୧୫ତମ ଉପରାଷ୍ଟ୍ରପତି ଭାବରେ ସିପି ରାଧାକୃଷ୍ଣନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାଙ୍କ କ୍ୟାବିନେଟର ଅନେକ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦର ଶପଥ ପାଠ କରାଇଥିଲେ। ତେବେ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ​​ସିପି ରାଧାକ୍ରିଷ୍ଣନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।


ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପୂରା ମନ୍ତ୍ରୀ ମଣ୍ଡଳଙ୍କ ଉପସ୍ଥିତି ରହିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, ପଞ୍ଜାବ ରାଜ୍ୟପାଳ ଏବଂ ଚଣ୍ଡିଗଡ଼ ପ୍ରଶାସକ ଗୁଲାବ ଚାନ୍ଦ କଟାରିଆ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଏବଂ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାମିଲ ହୋଇଥିଲେ ।

District

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଶନିବାର ଗଞ୍ଜାମ ଜିଲ୍ଲା କୋର୍ଟ ପରିସରରେ ବ୍ରହ୍ମପୁର ଓ ଜିଲ୍ଲାର ସମସ୍ତ କୋର୍ଟରେ ୨୦୨୫ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୧ ହଜାର ୩୪୬ଟି ମାମଲାର ସମାଧାନ ହୋଇଥିବାବେଳେ ୧୨ କୋଟି ୮୫ ଲକ୍ଷ ୭୧ ହଜାର ୯୭୯ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ଜାରି କରାଯାଇଛି। ଗଞ୍ଜାମ ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ତୃତୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଡ. ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ବାବଧାନରେ ୭୫ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ସମାଧନ କରାଯାଇ ବୀମା କମ୍ପାନି ଗୁଡ଼ିକୁ ମୋଟ ୫ କୋଟି ୯୮ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା,୯୭ଟି ଏନଆଇ ଆକ୍ଟ ମାମଲାର ସମାଧାନ କରାଯାଇ ୧ କୋଟି ୫୧ ଲକ୍ଷ ୭୧ ହଜାର ୮୫୯ ଟଙ୍କା ପୁନରୁଦ୍ଧାର ହୋଇଥିଲା, ମୋଟ ୮୫ଟି ବିବାହ ସଂପର୍କିତ ମାମଲାର ସମାଧାନ କରାଯାଇଥିଲା, ମୋଟ ୨୨୦ଟି ବ୍ୟାଙ୍କ ସଂପର୍କିତ ମାମଲାର ସମାଧାନ କରାଯାଇ ୨ କୋଟି ୩୩ ଲକ୍ଷ ୧୧ ହଜାର ୧୩ ଟଙ୍କା ଆଦାୟ କରାଯାଇଥିଲା,ଅନ୍ୟାନ୍ୟ ଦେୱାନି ମାମଲା ୧୦୧ଟି ସମାଧାନ କରାଯାଇ ୨ କୋଟି ୧୪ ଲକ୍ଷ ୪୦ ହଜାର୧୫୧ ଟଙ୍କା ଆଦାୟ କରାଯାଇଥିଲା, ସେହିପରି ମୋଟ ୯୫୬୮ଟି ରେଭେନ୍ୟୁ ମାମଲାର ସମାଧାନ କରାଯାଇ ୭୨ ହଜାର ୭୨୬ ଟଙ୍କା ଆଦାୟ କରାଯାଇଥିଲା, ୫୦ଟି ଅପରାଧିକ ମାମଲାର ସମାଧାନ କରାଯାଇଥିବାବେଳେ ୨୩୨ଟି ଟିପିଏସଓଡ଼ିଏଲ୍ ମାମଲାର ସମାଧାନ ହୋଇ ୩୦ ଲକ୍ଷ ୪୨ ହଜାର ୪୦୨ ଟଙ୍କା ଆଦାୟ କରାଯାଇଥିଲା, ମୋଟ ୧୭ଟି ପିୟୁଏସ୍ ମାମଲାରେ ୫୯ ଲକ୍ଷ ୫୮ ହଜାର ୮୩୦ ଟଙ୍କା ଆଦାୟ କରାଯାଇଥିଲା ଏବଂ ଅନ୍ୟାନ୍ୟ ଫୌଜଦାରୀ ମାମଲା ୯୨୮ଟି ସମାଧାନ କରାଯାଇଥିଲା। ଏଥିରେ ଦ୍ବିତୀୟ ଏମଏସିଟି ବିଶ୍ବଜିତ୍ ଦାଶ, ପ୍ରଥମ ଏଡିଜେ ନରେଶ ମହାନ୍ତି, ଦ୍ଵିତୀୟ ଏଡିଜେ ଆୟୁଷମାନ ମହାନ୍ତ, ତୃତୀୟ ଏଡିଜେ ବିବଶ୍ବତ ଗୌତମ ପ୍ରମୁଖ ଦୁର୍ଘଟଣା ସଂପର୍କିତ ମାମଲାରେ ଅଂଶ ଗ୍ରହଣ କରିଥିଲେ । ରେଜିଷ୍ଟ୍ରର ସୌଦାମିନୀ ସିଂ ନୋଡାଲ ଅଫିସର ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ବ୍ରହ୍ମପୁର କୋର୍ଟର ସମସ୍ତ ବିଚାରପତି, ଆଇନଜୀବୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

Sports

୨୧ ସେପ୍ଟେମ୍ବରରେ ପୁଣି ଭାରତ-ପାକିସ୍ତାନ ଲଢ଼େଇ

Blog Thumbnail

ଦ କୁଇଭର ବ୍ୟୁରୋ :- ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ ‘ଏ’ ରୁ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା ହେବା ନିଶ୍ଚିତ ହୋଇଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାରରେ ଦୁବାଇରେ ଖେଳାଯିବ।ବୁଧବାର ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିବା ଏସିଆ କପର ଦଶମ ମ୍ୟାଚ୍‌ରେ ପାକିସ୍ତାନ ୪୧ ରନରେ ବିଜୟୀ ହୋଇଛି । ଏହି ବିଜୟ ସହିତ ପାକିସ୍ତାନ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆୟୋଜକ ୟୁଏଇର ଯାତ୍ରା ଶେଷ ହୋଇଛି ।ସେପ୍ଟେମ୍ବର ୧୪ ରବିବାର ଦିନ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଏକ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଖେଳିଥିଲେ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିଥିଲା ।

State,Shree Jagannath

ଆଜି ବିଶ୍ୱକର୍ମା ପୂଜା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୂରା ଦେଶରେ ବେଶ ଉତ୍ସବର ସହ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଆଜିର ଦିନେରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳ କାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି । ପୌରାଣିକ କଥା ଅନୁଯାୟୀ, ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ । ସବୁଠାରୁ ବଡ ଇଞ୍ଜିନିୟର ଭାବେ ବିଶ୍ୱକର୍ମା ଖ୍ୟାତ । ଶିଳ୍ପ ଜଗତ ପାଇଁ ବିଶ୍ୱକର୍ମାଙ୍କ ଦାନ ଅତୁଳନୀୟ । ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।


ପୌରାଣିକ କଥା ଅନୁସାରେ, ପୂରା ବିଶ୍ୱ ବ୍ରହ୍ମାଣ୍ଡର ରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ଏପିରିକି ଋକବେଦର ୧୦ମ ଅଧ୍ୟାୟର ୧୨୧ତମ ଭାଗରେ ଲେଖାଯାଇଛି ଯେ, ଭଗବାନ ବିଶ୍ୱକର୍ମା ଧରିତ୍ରୀ, ଆକାଶ ଓ ଜଳର ରଚନା କରିଥିଲେ । ବିଶ୍ୱକର୍ମା ପୂରାଣ ଅନୁଯାୟୀ, ସୃଷ୍ଟିର ରଚୟିତା ଆଦି ନାରାୟଣ ସର୍ବପ୍ରଥମେ ବ୍ରହ୍ମା ଓ ପରେ ବିଶ୍ୱକର୍ମାଙ୍କ ରଚନା କରିଥିଲେ ।

National

ଏକ୍ସପ୍ରେସ ଟ୍ରେନରେ ବି ଯାତ୍ରୀ ପାଇ ପାରିବେ ନିଜ ମନପସନ୍ଦର ଖାଦ୍ୟ

Blog Thumbnail

ଦକୁଇଭର ବ୍ୟୁରୋ :- ଦିନକୁ ଦିନ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଟ୍ରେନ ଯାତ୍ରାକୁ ଆରାମଦାୟକ ଏବଂ ସୁବିଧାଜନକ କରିବା ଦିଗରେ ରେଳବାଇ ନିରନ୍ତର ତାର ପ୍ରୟାସ ଜାରି ରଖିଛି। ଏହି କାରଣରୁ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଦୂରଗାମୀ ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ତେଣୁ ଯାତ୍ରା କରିବା ପୂର୍ବରୁ ଖାଦ୍ୟକୁ ନେଇ ଯାତ୍ରୀମାନେ ଚିନ୍ତାରେ ପଡ଼ି ଯାଇଥାଆନ୍ତି। ବର୍ତ୍ତମାନ ଏହି ସମସ୍ୟା ଧୀରେ ଧୀରେ ହ୍ରାସ ପାଇବା ପରି ମନେ ହେଉଛି। ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଏପରି ଏକ ପଦକ୍ଷେପ ନେଇଛି ଯାହାଦ୍ବାରା ଯାତ୍ରାଙ୍କୁ ସହଜ ଏବଂ ସୁବିଧାଜନକ ଭାବେ ମନ ପସନ୍ଦର ଖାଦ୍ୟ ମିଳିପାରିବ।


ଏଣିକି ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଷ୍ଟେସନରେ ଓହ୍ଲାଇବାକୁ ପଡିବ ନାହିଁ କିମ୍ବା ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ରେଳବାଇର ନୂତନ ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନେ ନିଜ ସିଟରେ ହିଁ ତାଜା ଏବଂ ନିଜର ପସନ୍ଦର ଖାଦ୍ୟ ପାଇପାରିବେ। ଏଥିପାଇଁ ଯାତ୍ରୀମାନଙ୍କ ପାଖରେ ଖାଦ୍ୟ ଅର୍ଡର କରିବା ପାଇଁ ଅନେକ ବିକଳ୍ପ ରହିବ। ଯାତ୍ରୀମାନେ ଯାତ୍ରା ସମୟରେ https://www.ecatering.irctc.co.in/ କୁ ଯାଇ ଇ-କେଟରିଂ ସେବା ବ୍ୟବହାର କରିପାରିବେ କିମ୍ବା ଆପଣ ୧୩୨୩ କୁ କଲ୍ କରି ଖାଦ୍ୟ ଅର୍ଡର କରିପାରିବେ। ୱେବସାଇଟ୍ରୁ ଅର୍ଡର କରିବା ପାଇଁ, ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ପିଏନଆର ନମ୍ବର ଆବଶ୍ୟକ ହେବ। ମନ ପସନ୍ଦର ଖାଦ୍ୟ ଅର୍ଡର କରିବା ପରେ ଖାଦ୍ୟ ଆପଣଙ୍କ ସିଟ ନିକଟରେ ଆସି ପହଞ୍ଚିଯିବ।

State

ଆମ ବସ୍ କର୍ମଚାରୀଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜଧାନୀରେ ଗଡୁନି ଆମ ବସ୍। ଧାରଣାରେ ଆମ ବସ୍ କର୍ମଚାରୀ। ଦରମା ବିଳମ୍ବ ନେଇ କାର୍ଯ୍ୟବନନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆମ ବସ୍ କର୍ମଚାରୀ। ପୋଖରୀପୁଟ ଡିପୋରୁ ଗୋଟେ ବି ବସ୍ ବାହାରିନି । ଠିକ ସମୟରେ ଦରମା ନମିଳିବା ପ୍ରତିବାଦରେ ଏକାଠି ଷ୍ଟିଅରିଂ ଛାଡିଲେ ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ୍ ଡିପୋର ୪୩ ଟି ବସ ବନ୍ଦ ପଡିଛି । କୌଣସି ସାମାଜିକ ସୁରକ୍ଷା ବିନା ଏହି ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର । ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି। ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ତେବେ କ୍ରୁଟ୍ ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ ଉଠାଇଥନ୍ତି ଏମାନେ।

Entertainment

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। ସେ ଥଣ୍ଡା, ଜ୍ବରରେ ପୀଡ଼ିତ ହୋଇ କଟକର ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତି କେବଳ ଓଲିଉଡ୍‌ ନୁହେଁ‌; ବଲିଉଡ୍‌ରେ ବି ଏକ ଚିହ୍ନା ନାମ। ପ୍ରଥମେ ହିନ୍ଦୀ ଧାରାବାହିକରେ ଅବତୀର୍ଣ୍ଣ ହୋଇ ସମୟକ୍ରମେ ଓଲଉଡ୍‌କୁ ଆସିଥିଲେ ସେ। ଓଡ଼ିଆ ରିୟାଲିଟି ସୋ’ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପ୍ରିୟ ପାଲଟି ପାରିଛନ୍ତି ଏହି କଳାକାର। ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‌‘ପ୍ରେମ ରୋଗୀ’, ‘ପ‌ଗଳ କରିଛି ପାଉଁଜି ତୋର’ ଆଦି ମନଛୁଆଁ ଚଳଚ୍ଚିତ୍ରରେ ଅଭିନୟ କରି ସେ ପାଲଟି ଯାଇଛନ୍ତି ଓଲିଉଡ୍‌ର ମଉଡ଼ମଣି। ସେ ଆଜି ଅସୁସ୍ଥ ‌ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ।