ଭୁବନେଶ୍ୱର(ଦ କୁଇଭର): ହାଇକୋର୍ଟଙ୍କ ବେଞ୍ଚ ପ୍ରତିଷ୍ଠା ନେଇ ବାରମ୍ବାର ଆନେ୍ଦାଳନ, ବିରୋଧ ହୋଇଛି । ସମ୍ବଲପୁର, ବଲାଙ୍ଗୀର, ରାଉରକେଲା, ବ୍ରହ୍ମପୁର ଭଳି ସହରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ରାଜନୀତି ଜୋର ହୋଇଛି । ବାଦ ବିବାଦ ବି ହୋଇଛି । ଆଇନଶୃଙ୍ଖଳା ସ୍ଥିତି ବି ହୋଇଛି । ବନ୍ଦ ଡାକରା ଦିଆଯାଇଛି । ଚକାଯାମ ବି ହୋଇଛି । ହେଲେ ଏବେ ଜଣାପଡ଼ିଲା କାହାର ଦାବି ରହିବ ନାହିଁ । କାରଣ ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ପ୍ରସ୍ତାବ କିଛି ନଥିବା ସ୍ପଷ୍ଟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବଲାଙ୍ଗୀରରେ ହାଇକୋର୍ଟ ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ବିଜେଡି ବିଧାୟକ କଲିକେଶ ନାରାୟଣ ସିଂହଦେଓ ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ଉତ୍ତର ଲୋଡ଼ିଥିଲେ । ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ହାଇକୋର୍ଟଙ୍କ ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ହାଇକୋର୍ଟଙ୍କ ରାୟ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ସର୍କିଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତର ପରେ ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ବିଭିନ୍ନ ସମୟରେ ଉଠୁଥିବା ଦାବି ଓ ବିବାଦ ଏକପ୍ରକାର ନିରର୍ଥକ ହୋଇଯାଇଛି । ଦେଖାଯାଉ ଏହାପରେ ଆଉ କୌଣସି ସ୍ଥାନରୁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଆସିବ ନା ବିରୋଧୀମାନେ ଚୁପ ହୋଇଯିବେ ।