ଝାରସୁଗୁଡ଼ା(ଦ କୁଇଭର): ପରିବେଶକୁ ଧ୍ୱଂସ କରୁଥିବା ଝାରସୁଗୁଡ଼ାର କଲ୍ୟାଣୀ ଟ୍ରାନ୍ସପୋର୍ଟ କାହା କୋଳରେ ବସିଛି? ମୋହନ ସରକାରଙ୍କର କେଉଁ ମନ୍ତ୍ରୀ ତାଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି? କିଏ ଏହି ବେଆଇନ ଟ୍ରାନ୍ସପୋର୍ଟରକୁ ସୁରକ୍ଷା ଦେଇ ଝାରସୁଗୁଡ଼ାବାସୀଙ୍କୁ ବିଷ ଦେଉଛି? ଜିଲ୍ଳାପାଳ ଓ ପ୍ରଦୂଷଣ ବିଭାଗର ଆଞ୍ଚଳିକ ଅଧିକାରୀଙ୍କ ଉପରେ କାହା ଚାପ ପଡ଼ୁଛି? କଲ୍ୟାଣୀ ଟ୍ରାନ୍ସପୋର୍ଟର ବେଆଇନ ପାଉଁଶ ପରିବହନକୁ ନଧରିବାକୁ ଜିଲ୍ଲାପ୍ରଶାସନକୁ କିଏ ଦେଇଛି ଅଲିଖିତ ନିଦେ୍ର୍ଦଶ? ଏସବୁ ପଛରେ ନାହାନ୍ତି ତ ମୋହନଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମୋହନଙ୍କ ପାଖେପାଖେ ରହି ସରକାରରେ ନିଜର ପତିଆରା ଥିବା ଦର୍ଶାଇ ଫାଇଦା ନେବାକୁ ଚାହୁଁ ନାହାନ୍ତି ତ? କଲ୍ୟାଣୀ ଟ୍ରାନ୍ସପୋର୍ଟ ପଛରେ ଥିବା ସ୍ୱର୍ଗତ ନବଦାସଙ୍କ ପରିବାରର ଆୟ ଉତ୍ସକୁ ସୁରକ୍ଷା ଦେଉ ନାହାନ୍ତି ତ? ନିର୍ବାଚନ ବେଳେ ସ୍ୱର୍ଗତ ନବଙ୍କ ପରିବାର କରିଥିବା ପ୍ରଚୁର ସହାୟତାର ଭରଣା କରୁ ନାହାନ୍ତି ତ?
କଲ୍ୟାଣୀ ଟ୍ରାନ୍ସପୋର୍ଟ ସିଧା ସଳଖ ବିଷ ବୁଣୁଛି । ଲୋକଙ୍କୁ ଧିରେ ଧିରେ ମାରୁଛି । ନିଜେ ତ ହଜାର ହଜାର କୋଟିର ମାଲିକ ହେଉଛି, କିନ୍ତୁ ସାଧାରଣ ଜନତାଙ୍କୁ ମାରୁଛି । ଜନତାଙ୍କ ସୁରକ୍ଷା ପାଇଁ ଥିବା ଅଫିସର ଓ ବିଜେପି ସରକାରର ମନ୍ତ୍ରୀମାନେ କାଳେ ଏହି ଟ୍ରାନ୍ସପୋର୍ଟ କମ୍ପାନୀର ଚାମଚା ସାଜିଛନ୍ତି । ଏକଥା ଆମେ ଜୋର କରି ଏଥିପାଇଁ କହୁଛୁ, କମ୍ପାନୀର କନସେଣ୍ଟ ଟୁ ଅପରେଟ ଲାଇସେନ୍ସ ରଦ୍ଦ ହୋଇଯାଇଛି । ତଥାପି ମଙ୍ଗଳବାର କମ୍ପାନୀ ୭୦ ହାଇୱା ପାଉଁଶ ନେଇ ଫିଙ୍ଗିଛି । କନସେଣ୍ଟ ଟୁ ଅପରେଟ ନଥିଲେ ଜିଲ୍ଲା ପ୍ରଶାସନ ଏହାକୁ ଜବତ କରିବା ସହ ଜରିମାନା ଲାଗୁ କରିପାରିଥାନ୍ତା । ଏହାବ୍ୟତୀତ କମ୍ପାନୀକୁ ସିଲ ବି କରିପାରି ଥାନ୍ତା । ମାତ୍ର ତାହା କଲା ନାହିଁ । କାହା ନିଦେ୍ର୍ଦଶରେ ଜିଲ୍ଲାପାଳ ନୀରବ ରହିଲେ?
ଟିକେ ପଛକୁ ଫେରିଯିବା, ଝାରସୁଗୁଡ଼ାର ପ୍ରାୟ ପ୍ରତ୍ୟେକ ଲୋକ ଜାଣନ୍ତି କଲ୍ୟାଣୀ ଟ୍ରାନ୍ସପୋର୍ଟ ପଛରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହାତ ଥିଲା । ଏହାପରେ ତାଙ୍କ ଝି ପୂର୍ବତନ ବିଧାୟିକା ଦୀପାଳୀ ଦାସ ଓ ପୁଅ ବିଶାଲ ଦାସ ଏହାକୁ ପଛରେ ରହି କାଳେ ଚଳାଉଛନ୍ତି । ସ୍ୱର୍ଗତ ନବ ଦାସ ଓ ତାଙ୍କ ପରିବାର ସହ ଏବେକାର ମୋହନ ସରକାରରେ ଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କର କେତେ ନିବିଡ଼ ସମ୍ପର୍କ ତାହା ବି ସମସ୍ତେ ଜାଣନ୍ତି । ଏବେ କଲ୍ୟାଣୀ ଟ୍ରାନ୍ସପୋର୍ଟକୁ ସବୁ ପ୍ରକାର ସୁରକ୍ଷା ମିଳୁଛି । ବିଜେଡି କ୍ଷମତାରେ ଥିବା ବେଳେ ପ୍ରଶାସନିକ ବାବୁମାନେ ସ୍ୱର୍ଗତ ନବ ଦାସଙ୍କ ପରିବାର ପାଖରେ ଗୋଲାମୀ କରୁଥିବା କୁହାଯାଏ । ହେଲେ ଏବେ ବିଜେଡି ନାହିଁ, ତଥାପି କାହା ଚାପରେ ପ୍ରଶାସନ ଏହି ଟ୍ରାନ୍ସପୋର୍ଟ କମ୍ପାନୀକୁ ଏତେ ଅନୁକମ୍ପା ଦେଖାଉଛି । ଏହା ପଛରେ ସୁରେଶଙ୍କ ଚାପ ରହିଛି କି? ନହେଲେ କଲ୍ୟାଣୀ ଟ୍ରାନ୍ସପୋର୍ଟକୁ ଏତେ ସୁରକ୍ଷା ଦେଉଛି କିଏ?