ଭୁବନେଶ୍ୱର ( ଦ କୁଇଭର ):- ନବୀନ ପୁଣି ହେଲେ ବିଜେଡ଼ିର ସଭାପତି । ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଠୁ ବିଜେଡ଼ିରେ ସେ ପୁଣି ନିର୍ବିବାଦୀୟ ନବମ ଥର ପାଇଁ ସଭାପତି ଭାବେ କାର୍ଯ୍ୟ ଆରମ୍ଭ କଲେ । ନବୀନ ପୁଣି ସଭାପତି ହେବେ ବୋଲି ଦ କୁଇଭର ଆକଳନ କରିଥିଲା । ଯେଉଁ ଆକଳନ ଆଜି ସତ ହେଲା । ନବୀନଙ୍କ ବିପକ୍ଷରେ ସଭାପତି ପଦ ପାଇଁ ପ୍ରତିଯୋଗୀତା କରିବାକୁ କେହି ନଥିଲେ । ପ୍ରତିଦ୍ୱନ୍ଦି ନଥିବାରୁ ନବୀନ ପୁଣି ଥରେ ସଭାପତି ।
ନବୀନ ସଭାପତି ହେବାପରେ ବିଜେଡ଼ିର ରାଜନୀତି ଟିକେ ତେରଛା ଯିବ ବୋଲି କୁହାଯାଉଛି । ନବୀନଙ୍କର ସ୍ଥିତିକୁ ଦେଖିଲେ ଦଳ ପରିଚାଳନା କରିବା ତାଙ୍କ ପାଖେ ସେତେ ସହଜ ନୁହେଁ । ଏହା ବ୍ୟତୀତ ନବୀନଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଅଛି । ଯାହାକୁ ଦେଖିଲେ ସେ ବିଜେପି ବିରୁଦ୍ଧରେ ସେତେ ଦୃଢ ପଦକ୍ଷେପ ନେଇ ପାରିବେ ନାହିଁ ବା ସରକାରଙ୍କୁ ସେତେ ଚ୍ୟାଲେଞ୍ଜ କରିପାରିବେ ନାହିଁ । ସେଥି ପାଇଁ ଦଳର ନେତାରେ ପରିବର୍ତ୍ତନ ହେବ ବୋଲି ଆଶା ଯୋର ଧରିଲାଣି ।
ନବୀନ ଦଳର ନେତା ପଦରୁ ଓହରିବେ । କେବଳ ସଭାପତି ରହିବେ । ହେଲେ ନବୀନ ଯଦି ନେତାପଦ ଛାଡନ୍ତି, ତାହେଲେ କାହାକୁ କରିବେ ନେତା । ନେତା ତାଲିକାରେ ତ ଅନେକ ଆଶାୟୀ ରହିଛନ୍ତି । ହେଲେ ସମସ୍ତଙ୍କ ଭିତରେ ଦ୍ୱନ୍ଦ ଅଛି । କିଏ ନବୀନଙ୍କର ପ୍ରିୟ ? କାହା ଉପରେ ନବୀନ ଭରସା କରିବେ । ୨୫ ବର୍ଷ ଧରି ନବୀନ ବିଜେଡ଼ି ଗଠନ ଠାରୁ ନବୀନ କାହା ଉପରେ ଭରସା କରପାରି ନାହାନ୍ତି । ବିଜେଡ଼ି ଗଠନର ପ୍ରମୁଖ ଦାୟୀତ୍ୱ ନେଇଥିବା ଦିଲ୍ଲୀପ ରାୟ, ସ୍ୱର୍ଗତ ରାମକୃଷ୍ଣ ପଟନାୟକ, ବିଜୟ ମହାପାତ୍ର, ପ୍ରଫୁଲ୍ଲ ଘଡେଇଙ୍କ ଭଳି ଅନେକ ନେତାଙ୍କୁ ସେ ଗୋଡ଼ରେ ଆଡ଼େଇ ଦେଇଛନ୍ତି । ସେମାନଙ୍କ ଉପରେ ଭରସା କରିପାରି ନାହାନ୍ତି ।
ପରପିଢ଼ିର ନେତା ସଂଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତାଙ୍କୁ ବି ସେ ପୂରା ଭରସି ପାରୁନାହାନ୍ତି । ବଦ୍ରୀ ପାତ୍ର, ପ୍ରତାପ ଦେବଙ୍କ ଉପରେ ଭରସା କରିହେବ ନାହିଁ ବା ତାଙ୍କୁ ଦାୟିତ୍ୱ ଦେବା ସମ୍ଭବ ବି ନୁହେଁ । ଏହାରି ଭିତରେ କାହାକୁ ଦାୟିତ୍ୱ ଦେବେ ବୋଲି ସମସ୍ତଙ୍କ ମଧ୍ୟରେ ଏବେ କଳ୍ପନା ଜଳ୍ପନା ବଢିଯାଇଛି ।
କିଛି ତ ଭିକେ ପାଣ୍ଡିଆନଙ୍କୁ ନେତା କରପାରନ୍ତି ବୋଲି ଆକଳନ କରୁଛନ୍ତି । ଆନ୍ୟ କିଛି ଓଡ଼ିଆ ଝିଅ ସୁଜାତା ରାଉତଙ୍କ ନାଁ କହୁଛନ୍ତି । ଏହାରି ମଧ୍ୟରେ ସଂତୃପ୍ତ ମିଶ୍ରଙ୍କ ନାଁ ବି ମଧ୍ୟ ଅଛି । ଓଡ଼ିଆ ପୁ, ଶିକ୍ଷିତ ଏବଂ ଆଗକୁ ଚିନ୍ତା କରିବା, ଓଡ଼ିଶା ପାଇଁ ସ୍ୱପ୍ନ ଦେଖିବା, ତାଙ୍କର ଆଭିମୁଖ୍ୟ ବି ସ୍ପଷ୍ଟ ଅଛି । ସେ ହୀନ ରାଜନୀତି ନୁହେଁ, ବିକାଶ ଯୁକ୍ତ ରାଜନୀତିକୁ ଗ୍ରହଣ କରନ୍ତି । ସେଥି ପାଇଁ ତାଙ୍କ ନାଁ ବି ଚର୍ଚ୍ଚାକୁ ଆସିଲାଣି । ପ୍ରତାପ ଜେନା, ଅରୁଣ ସାହୁ, ସଂଜୟ ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ ଏମାନେ ମନେ ମନେ କାଳେ ଲଡୁ ଖାଉଛନ୍ତି । ହେଲେ ବାହାରକୁ ଦେଖେଇ ପାରୁନାହାନ୍ତି । ସବୁ ଅପେକ୍ଷା କରିଛନ୍ତି ନବୀନ କାହାକୁ ବାଛିବେ । ଦେଖାଯାଉ ନବୀନ ସଭାପତି ହେଲାପରେ ନେତୃତ୍ୱ କାହାକୁ ଦେବେ, କାହାକୁ ହସ୍ତାନ୍ତର କରିବେ ତାଙ୍କ ପରର ଦାୟିତ୍ୱ ?
No comments yet.
State
ଦ କୁଇଭର ବ୍ୟୁରୋ :- ଡହ ଡହ ଖରାରେ ସିଝୁଛି ଓଡ଼ିଶା। କେଉଁଠି ତାତି ତ ଆଉ କେଉଁଠି ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଛି। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରରେ ଆକାଶରୁ ନିଆଁ ବର୍ଷା ହେଉଛି। ସ୍ଥିତି ଏମିତି ହୋଇଛି ଯେ ଝାରସୁଗୁଡ଼ାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରି ରେକର୍ଡ ସହ ପ୍ରଥମଥର ପାଇଁ ଓଡ଼ିଶାର କୌଣସି ସହର ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିଛି। ଝାରସୁଗୁଡ଼ା ଦେଶର ଦ୍ବିତୀୟ ଉତ୍ତପ୍ତ ସହରରେ ପରିଣତ ହୋଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଆଜି ଦିନର ତାପମାତ୍ରା ୪୫.୬ ଡିଗ୍ରି ରହିବା ସହ ଦେଶର ଉତ୍ତପ୍ତ ସହର ପାଲଟିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଝାରସୁଗୁଡ଼ା ସମେତ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ। ୨୨ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୬ ଡିଗ୍ରି ଛୁଇଁବାର ସମ୍ଭାବନା ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ରାଉରକେଲା ଓ ନୂଆପଡ଼ା ତାପମାତ୍ରା ୪୩ ଡିଗ୍ରି ଉପରେ ରହିପାରେ। ୨୩ ଓ ୨୪ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରି ମୁହାଁ ହେବ। ବଲାଙ୍ଗୀର ଓ ବୌଦ୍ଧରେ ୪୫ ଡିଗ୍ରି ଡେଇଁବାକୁ ଥିବା ବେଳେ ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ଟିଟିଲାଗଡ଼, ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଉପରେ ରହିବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
State
ଦ କୁଇଭର ବ୍ୟୁରୋ:- ଦୀର୍ଘ କାଳୀନ ଭିସାରେ ଓଡିଶାରେ ଅଛନ୍ତି ୧୨ ପାକିସ୍ତାନୀ ନାଗରିକ । ସେମାନଙ୍କୁ ଭାରତ ଛାଡିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଭାରତ ଛାଡିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପହଲଗାମ ଘଟଣା ପରେ ଓଡିଶାରେ ଅନୁପ୍ରବେଶକାରୀଙ୍କୁ ନେଇ ଚ୍ୟାଲେଞ୍ଜ ରହିଛି । ଏ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଦେଶରେ ପାକିସ୍ତାନ ଓ ପାକିସ୍ତାନୀଙ୍କୁ ନେଇ ସମ୍ବେଦନଶୀଳ ସ୍ଥିତି ଥିବାବେଳେ ସେମାନଙ୍କ ନାଁ ଓ ପରିଚୟ ଗୋପନ ରଖିଛନ୍ତି ସରକାର ।
କାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ଅନେକ ପର୍ଯ୍ୟଟକ ଓ ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ପରେ ଏବେ ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟରୁ ରାଜ୍ୟର ସମସ୍ତ ଜିଲ୍ଲା ଏସପି ଓ ଡିସିପି ଓ ସ୍ପେଶାଲ ସିକୁରିଟି ବାଟଲିୟନ ମାନଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି। ଏଥିପାଇଁ ଯଥା ସମ୍ଭବ ଆଗୁଆ ପ୍ରସ୍ତୁତ ରହିବା ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବିଶେଷ କରି ଏନେଇ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୁ ଧ୍ୟାନ ଦେବାକୁ ପରାମର୍ଶ କରାଯାଇଛି। ବିଶେଷ କରି ରାଜ୍ୟକୁ ଆସୁଥିବା ପର୍ଯଟକ ଓ ସେମାନଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସେମାନଙ୍କ ଗନ୍ତବ୍ୟ ସ୍ଥଳ ଓ ରହଣିସ୍ଥଳ ମାନଙ୍କ ଉପରେ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ନିର୍ଦେଶାବଳୀ ଜାରି କରାଯାଇଛି । ବିଶେଷ କରି ପର୍ଯଟନସ୍ଥଳୀ ମାନଙ୍କରେ ହାଇଆଲର୍ଟ ରହିବା ପାଇଁ ନିର୍ଦେଶ ରହିଛି। ସାଧା ପୋଷାକରେ ଅଫିସର ବା ପୋଲିସ କର୍ମଚାରୀ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ସ୍ଥାନୀୟ ପୋଲିସ ସେସବୁ ସ୍ଥାନ ମାନଙ୍କ ପର୍ଯ୍ୟାୟକ୍ରମେ ସୁରକ୍ଷାକୁ ଗୁରୁତ୍ବ ଦେଇ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ନିର୍ଦେଶ ରହିଛି। ଏପରିକି ପର୍ଯଟଙ୍କ ମନରେ ଯେପରି ଭୟ ଓ ଆତଙ୍କ ସୃଷ୍ଟି ହେଲା ଭଳି ପରିସ୍ଥିତି ନ ଉପୁଜେ ସେନେଇ ପୋଲିସ ମୁତୟନ କରିବା ପାଇଁ ଓ ଗୁଇନ୍ଦା ନଜର ରଖିବା ପାଇଁଁ ମଧ୍ୟ କୁହାଯାଇଛି। ଏଥି ସହ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ସଂପି ମଲ ଓ ହସ୍ପିଟାଲ ଓ ସିନେମା ହଲ ଭଳି ଅନେକ ଭିଡଭାଡ ଅଞ୍ଚଳକୁ ମଧ୍ୟ ଫୋକସ ଦେଇ ସେସବୁ ସ୍ଥାନ ଉପରେ ନଜର ଦେବାକୁ ମଧ୍ୟ କୁହାଯାଇଛି। ଅଧିକ ଆତାଯାତ ନଥିବା ବା ଦୂର ଥିବା ପର୍ଯଟନ ସ୍ଥଳୀ ଗୁଡିକରେ ମଧ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି।ପୋଲିସ ବିଟ୍ ପାଟ୍ରୋଲିଂ ବଢାଇବା ପାଇଁ ଫୋକସ ଦିଆଯାଇଛି ।
ଏନେଇ ସମସ୍ତ ଥାନା ମାନଙ୍କରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍ ସହ ଏମରଜେନସି ରେସପ୍ସ ଟିମ୍ ଓ ଥାନା ଷ୍ଟାଫ୍ ମଧ୍ୟ ରାତ୍ରି କାଳୀନ ହେଉ ବା ଦିନରେ ବିଶେଷ କରି ପୋଲିସ ପାଟ୍ରୋଲିଂକୁ କଡାକଡି ପାଇଁ ନିର୍ଦେଶ ଦିଆଯାଇଛି। ଏଥି ସହ ବିଭିନ୍ନ ସମ୍ବେଦନଶୀଳପୂର୍ଣ୍ଣ ସ୍ଥାନ ଜାତୀୟ ସୁରକ୍ଷାକୁ ପ୍ରଧାନ୍ୟ ଦେଉଥିବା ସ୍ଥାନ ସହ ରେଳ ଷ୍ଟେସନ ,ଏୟାରପୋର୍ଟ ଓ ବସଷ୍ଟାଣ୍ଡ ଗୁଡିକ ଆଦି ସ୍ଥାନରେ ମଧ୍ୟ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ କୁହାଯାଇଛି । ଜନଗହଳି ସ୍ଥାନ ଓ ପର୍ଯଟକଙ୍କ ଭିଡ଼ ଥିବା ସ୍ଥାନ ସହ ବିଭିନ୍ନ ହୋଟେଲ ଓ ଅଧିକ ଜନସମାଗମ ସ୍ଥାନ ବା ଲୋକଙ୍କ ସମାଗମ କାର୍ଯକ୍ରମ ଓ ସଭାସ୍ଥଳୀ ଓ ପ୍ରାର୍ଥନାସଭା ବା ସଭାଗୃହ ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ସ୍ଥଳି ଆଦି ସ୍ଥାନ ମାନଙ୍କରେ ପୋଲିସ ପ୍ରହରା ବା ପାଟ୍ରୋଲିଂକୁ ଗୁରୁତ୍ବ ଦେବାକୁ କୁହାଯାଇଛି।ଓଡ଼ିଶାର ସୀମାକୁ ଲାଗିଥିବା ୪ଟି ରାଜ୍ୟ ହେଉଛନ୍ତି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ । ୧୫ ସୀମାବର୍ତ୍ତୀ ଜିଲ୍ଲାରେ ଅନେକ ଚେକ ପୋଷ୍ଟ ରହିଛି। ଚେକ୍ ପୋଷ୍ଟ ଉପରେ କଡା ନଜର ରହିବାକୁ ସୀମାବର୍ତ୍ତୀ ଜିଲ୍ଲାର ଏସପି ମାନଙ୍କୁ କଡ଼ା ନିର୍ଦେଶ ରହିଛି । ସିସିଟିଭି କଭରେଜ ଦ୍ବାରା ନଜର ରଖିବା ସହ ଜିଲ୍ଲା ଗୁଡିକ ଭିତରେ ମଧ୍ୟ ସୀମା ଭିତରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ସୀମାରେ ମଧ୍ୟ ଚେକ ପୋଷ୍ଟ ରହିଛି । ଯେଉଁଠି ଯାନାବାହାନ ତନଖିବା ଓ ଅନ୍ୟ ଦିଗ ପ୍ରତି ନଜର ଦେବାକୁ କୁହାଯାଇଛି। ଏଥି ସହ ରାତ୍ରି କାଳିନ ସହରରେ ବ୍ଲକିଂ ଓ ଚେକିଂ ମଧ୍ୟ କରିବା ପାଇଁ ପ୍ରାଧାନ୍ୟ ଦିଆଯାଇଛି। ବିଶେଷ କରି ସହର ମାନଙ୍କରେ ରାତ୍ରି କାଳିନ ଗାଡି ଯିବାଆସିବା ଉପରେ ନଜର ରଖିବା ସହ ଯଦି କୋୖଣସି ସଂଦେହ ଜନକ ଅବସ୍ଥାରେ କିଛି ଯାତାୟତ ହେଉଥିଲେ ମଧ୍ୟ ସେସବୁ ଦିଗ ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି। ସାଧାରଣ ଲୋକଙ୍କ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ସଜାଗ ହେବାକୁ ମଧ୍ୟ କୁହାଯାଇଛି । ସେମାନଙ୍କର ମୁଖିଆ ଓ ସେମାନଙ୍କର ସଙ୍ଘ କର୍ମକର୍ତା ମାନଙ୍କ ସହ ମଧ୍ୟ ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି। ବିଭିନ୍ନ ହୋଟେଲ ଓ ମୋଟରଯାନ ସଙ୍ଘ ବା ସଂସ୍ଥା ସହ ବିଭିନ୍ନ ସଂଗଠନ ସହ ଭାବରେ ଆଦାନ ପ୍ରଦାନର ମାଧ୍ୟମରେ ଯୋଗାଯୋଗ କରି ବିଭିନ୍ନ ଗତ ବିଧି ଉପରେ ନଜର ରଖିବାକୁ କୁହାଯାଇଛି। ଯଦି କୌଣସି ଅସ୍ବଭାବନୀୟ ଗତିବିଧି ବା ପରିସ୍ଥିତ ନଜରକୁ ଆସେ ପୋଲିସ ସହ ଯୋଗାଯୋଗରେ ରହି କିପରି ସେସବୁ ମୁକାବିଲା କରିହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ଏଥିସହ କୁଇକ ରେସପ୍ସ ଟିମକୁ ଆଲର୍ଟ ରହିବା ସହ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦେଶ ରହିଛି । ଏପରିକି କୋୖଣସି ଅପ୍ରିତୀକର ପରିସ୍ଥିତି ଉପୁଜିଲେ ଆତଙ୍କି ମୁକାବିଲା ପାଇଁ ପ୍ରସ୍ତୁତ ଥିବ ସ୍ବତନ୍ତ୍ର ଟିମ୍ । କୁଇକ ରେସପନ୍ସ ଟିମ୍, କାଉଣ୍ଟର ଟେରୋରିଷ୍ଟ ସ୍କ୍ୱାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ , ବ୍ଲାକ କମାଣ୍ଡ ଭଳି ଦୁଶଧ ଯବାନ ମାନେ ଯେଉଁମାନେ ଏଭଳି ପରିସ୍ଥିତି ମୁକାବିଲା ପାଇଁ ତାଲିମ ପ୍ରାପ୍ତ ସେମାନଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି। ଏଥି ସହ ଜିଲ୍ଲାର ଫୋର୍ସ ଓ ବାଟାଲିୟନ ମାନଙ୍କୁ ମଧ୍ୟ ପୁରା ଆଲର୍ଟ ସହ କୋୖଣସି ପରିସ୍ଥିତିରେ କେଉଁଠିକୁ ଯିବା ପାଇଁ ମଧ୍ୟ ଅସ୍ତ୍ରଶସ୍ତ୍ର ସହ ସବୁ ସଜାଗ ରହିବା ପାଇଁ ଜିଲ୍ଲାର ଆରଆଇ ଓ କମାଣ୍ଡାଟ ମାନଙ୍କୁ ଆଲର୍ଟ ରହିବା ପାଇଁ ଜିଲ୍ଲାର ଏସପି ମାନଙ୍କୁ ନିର୍ଦେଶ କରାଯାଇଛି। ସମସ୍ତ ପ୍ରକାର ଗତିବିଧି ସହ ଗୁଇନ୍ଦା ଆଧାର କରି ବିଭିନ୍ନ ସୂଚନା ଓ ପଡୋଶୀ ଜିଲ୍ଲା ମାନଙ୍କ ସହ ସୂଚନା ଆଦାନ ପ୍ରଦାନ କରି ଆଲର୍ଟ ରହିବା ପାଇଁ ନିର୍ଦେଶ ରହିଛି । ଏଥି ସହ ଏଭଳି ସମୟରେ ସର୍ବଦା ପ୍ରସ୍ତୁତ ଓ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ କରି ସବୁ ପ୍ରକାର ବ୍ୟବସ୍ଥା ପାଇଁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ରାଜ୍ୟ ଆଇନ ଶୃଙ୍ଖଳା ଅତିରିକ୍ତ ଡ଼ିଜିଙ୍କ ପକ୍ଷରୁ ଏନେଇ ମଧ୍ୟ ଜିଲ୍ଲାର ଏସପି ଓ ଡିସିପି ମାନଙ୍କ ସହ ରିତିମତ ଭାବେ ଯୋଗାଯୋଗ ରହିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ପୋଲିସ ଡିଜି କହିଛନ୍ତି ‘‘ଏନେଇ କେନ୍ଦ୍ର ଗୃହ ବିଭାଗ ସହ ଆଲୋଚନା କରାଯାଇଛି। ଯାହା ନିର୍ଦେଶ ରହିଛି ସେନେଇ ପ୍ରକ୍ରିୟା ଚାଲୁ ରହିଛି।
National
ଦ କୁଇଭର ବ୍ୟୁରୋ :- ଆତଙ୍କବାଦୀମାନେ ଅଚାନକ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହା ଏକ ଟାର୍ଗେଟ୍ ଷ୍ଟ୍ରାଇକ୍ ଥିଲା; ଯେଉଁଥିରେ କିଛି ଆତଙ୍କବାଦୀ ଛଦ୍ମବେଶରେ ଥିଲେ ବୋଲି ଅନୁମାନ କରାଯାଉଛି। ଅପରାହ୍ନ ସାଢ଼େ ଦୁଇଟା ବେଳେ ପ୍ରଥମେ ସେମାନେ ଏକ ଉଚ୍ଚସ୍ଥାନରୁ ଲୋକଙ୍କୁ ଗୁଳି ମାରିଥିଲେ। କେତେକ ପର୍ଯ୍ୟଟକ ଘୋଡ଼ାରେ ବୁଲୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଘେରିଯାଇ ଗୁଳିମାଡ଼ କରିଥିଲେ। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଟିଆର୍ଏଫ୍ ଆତଙ୍କବାଦୀ ତନଜିମ୍ର ସମ୍ପୃକ୍ତି ରହିଛି। ୨ରୁ ୩ ଜଣ ଆକ୍ରମଣକାରୀ ପୁଲିସ/ସେନା ପୋଷାକ ପିନ୍ଧିଥିଲେ ଏବଂ ଆଉ ଦୁଇ ଜଣ ସ୍ଥାନୀୟ ପରିଧାନରେ ଥିଲେ। କେତେକ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ‘ତୁମେ ହିନ୍ଦୁ ନା ମୁସଲ୍ମାନ’ ବୋଲି ପଚାରିବା ସହ ପରିଚୟପତ୍ର ଯାଞ୍ଚ କରିଥିଲେ। ହିନ୍ଦୁ ବୋଲି ଜାଣିବା ମାତ୍ରେ ଗୁଳି କରିଥିବା ସଂପର୍କୀୟମାନେ କହିଛନ୍ତି। ଏହି ଆକ୍ରମଣ ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋର୍ଦାର କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଘଟଣାସ୍ଥଳକୁ ସିଆର୍ପିଏଫ୍ର ଅତିରିକ୍ତ କ୍ୱିକ୍ ରିଆକ୍ସନ ଟିମ୍ (କ୍ୟୁଆର୍ଟି) ପଠାଯାଇଛି। ସୁରକ୍ଷା କର୍ମୀ ସେଠାରେ ବିଶାଳ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ସେପଟେ ଏହି ଆକ୍ରମଣ ପାଇଁ ଟିଆର୍ଏଫ୍ (ଦ ରେଜିଷ୍ଟାନ୍ସ ଫୋର୍ସ) ନିଜକୁ ଦାୟୀ କରିଛି। ଏହା ଲସ୍କର-ଏ-ତୋଏବା ସହ ଜଡ଼ିତ ଏକ ଆତଙ୍କବାଦୀ ସଂଗଠନ l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୃଣ୍ୟ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆତଙ୍କବାଦୀଙ୍କୁ ନିପାତ ପାଇଁ ଆମର ପ୍ରତିବଦ୍ଧତା ଅତୁଟ ଏବଂ ସେମାନଙ୍କଏଜେଣ୍ଡା କଦାପି ସଫଳ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେଉଁମାନେ ଏହି ଘୃଣ୍ୟ ଆତଙ୍କୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ଏବଂ ଆକ୍ରମଣକାରୀମାନେ ଏହାର କଠୋରତମ ପରିଣାମ ଭୋଗିବେ। ଶାହ ଘଟଣା ସଂପର୍କରେ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇବା ସହ ଭିଡିଓ କନଫରେନ୍ସିଂ ଜରିଆରେ ସୁରକ୍ଷା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଶାହ ଆଜି ରାତିରେ ଶ୍ରୀନଗର ପହଞ୍ଚି ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆକ୍ରମଣ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବ ବୋଲି ଜଣାପଡ଼ିଛି।
State
ସମ୍ବଲପୁର( ଦ କୁଇଭର ):- ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରାଜଧାନୀ ବାହାରେ ସମ୍ବଲପୁରରେ ହୋଇଛି ତାହା ପୁଣି ୧୦ ମ ପାଳିରେ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ, ସମସ୍ୟା ଶୁଣିଥିଲେ। ଏଥିରେ ଅନ୍ଲାଇନ୍ରେ ୧ ହଜାର ଓ ଅଫ୍ଲାଇନରେ ପ୍ରାୟ ୧୩୬୮ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି। ଦୁରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ଦିଆଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ସମ୍ବଲପୁରରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଗଣତନ୍ତ୍ର ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦେଉଛି। ଆମର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବୃହତ୍ତର ବିକାଶର ଲକ୍ଷ୍ୟ ପୂରଣ ଭିତରେ ଗରିବ, ଅସହାୟ ଲୋକଙ୍କ ଦୁଃଖ ଶୁଣିବା। ଅରକ୍ଷିତକୁ ଦଇବ ସାହା ଭଳି ଗରିବ, ଅସହାୟ ଲୋକଙ୍କୁ ଆମ ସରକାର ସାହା ହୋଇଛନ୍ତି। ପୂର୍ବ ସରକାର ସମୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହୁଥିଲା। ଆମେ କିନ୍ତୁ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଲୋକଙ୍କ ପାଖକୁ ଆସିଛୁ। ଆଜି ସମ୍ବଲପୁରରେ ହେଲା, ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ହେବ। ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀମାନେ ସେମାନଙ୍କ ସ୍ତରରେ ହିଁ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ସଚେତନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ. ଗଣେଶରାମ ସିଂ ଖୁଣ୍ଟିଆ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପମନ୍ତ୍ରୀ ସଂପଦଚନ୍ଦ୍ର ସ୍ୱାଇଁ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ ଗଠନ କରାଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି । ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଗୁରୁତ୍ୱାରୋପ କରି ପଦକ୍ଷେପ ମଧ୍ୟ ନେଉଛନ୍ତି । ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ନୂଆ ପଦକ୍ଷେପ ମାନ ନେଉଛନ୍ତି । ରାଜ୍ୟରେ ଆଉ ଏକ ନୂଆ ବାଟାଲିଅନ ଗଠନକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ନୂଆ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଏକ ବାଟାଲିଅନ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ରାଜ୍ୟରେ OISF ର ଗୋଟିଏ ବାଟାଲିଅନ କାର୍ଯ୍ୟରତ ଅଛି । ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭ । ନୂଆ ବାଟାଲିଅନ ସୃଷ୍ଟି ହେବା ପରେ ଏଥିରେ ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରିବ । ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ହେବ । ଜିଲ୍ଲାସ୍ତରୀୟରେ ୧୯୩୦ ପଦବୀ ସୃଷ୍ଟି ହୋଇଛି । ସେଥିରେ ଡିଏସପି ୫ଟି, ଇନ୍ସପେକ୍ଟର ୪୧ ଟି, ସବଇନ୍ସପେକ୍ଟର ୮୩ ଟି, ଏଏସଆଇ ୮୩ ଟି, ହାବିଲଦାର ୩୧୦ ଓ କନଷ୍ଟେବଲ ପାଇଁ ୧୪୦୮ଟି ପଦବୀ ସୃଷ୍ଟି ହୋଇଛି । ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି ।
State
ଭୁବନେଶ୍ୱର( ଦ କୁଇଭର):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି, ଓଡିଶାର ପୁଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ପୁଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବି ଖାଲି ଥିବାବେଳେ, ଆହୁରି ୧୬,୦୫୯ଟି ନୂଆ ପଦବି ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏସବୁ ପଦବି ପୂରଣ ହେବା ପରେ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୁଲିସର ନିୟୋଜନ ଯଥେଷ୍ଟ ବୃଦ୍ଧି ପାଇବ। ଏହାସହିତ ପୁଲିସ ବାହିନୀକୁ ଅଧିକ ଦକ୍ଷ କରିବା ପାଇଁ ଅଧିକାରୀମାନେ ଅନ୍ୟ ରାଜ୍ୟକୁ ଯାଇ, ସେଠାକାର ପରିଚାଳନା ପଦ୍ଧତିକୁ ଅନୁସରଣ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର କର୍ମକର୍ତ୍ତାମାନଙ୍କୁ ଦକ୍ଷତାର ସହ ଆଗାମୀ ଦିନ ଗୁଡିକରେ କାର୍ଯ୍ୟ କରିବାକୁ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକ ବୈଠକରେ ଉପସ୍ଥିତ ସମସ୍ତ ପୁଲିସ ସେବା କର୍ମଚାରୀ ମାନଙ୍କୁ ରାଜ୍ୟବାସୀଙ୍କ ଆଶା ଓ ଭରସାର ମାନ ରଖି ଓଡ଼ିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବାରେ ନିଜର ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ।
State
ବ୍ରହ୍ମପୁର ( ଦ କୁଇଭର):- ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ସବୁଠି ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସଂଗଠନଙ୍କ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ଏମକେସିଜି ମୁଖ୍ୟ ଫାଟକ ସାମ୍ନାରେ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ଦେଶରୁ ଆତଙ୍କବାଦ ନିପାତ କରିବାକୁ ଦାବି କରାଯାଇଥିଲା। ଏଥିସହ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତୋପ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଥିଲା। ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ, ଗଞ୍ଜାମ ଓକିଲ ସଂଘ ର ଯୁଗ୍ମ ସମ୍ପାଦକ ଅସିତ୍ ସାବତ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ଶ୍ୟାମ ସୁନ୍ଦର ଖାଡଙ୍ଗା, ଟିମ୍ କ୍ଲିନ୍ ସିଟି ସଭାପତି ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ଅଭୟ ପାଢ଼ୀ, ସୁଦୀପ ସାହୁ, ଅସିତ୍ ପଣ୍ଡା,ନରସିଂହ ଡାକୁଆ, ବି.କେ. ବିଶାରଦ, ରାଜେଶ ସାହୁ, ଏସ. ୟୁ. ଜେ ଗଞ୍ଜାମ ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା, ଲଲାଟେନ୍ଦୁ ଚୌଧୁରୀ, ଏସୟୁଜେ ସମ୍ପାଦକ ଦିଗାମ୍ବର ମହାରଣା, କାଳୀ ପ୍ରସାଦ ରଥ ,ଅଭିଜିତ କର , ରଶ୍ମିତା ପାଣିଗ୍ରାହୀ , କପିଳ ପାଢ଼ୀ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ, ପ୍ରେମାନନ୍ଦ ପୂଜାରୀ,ରୂପକ ମହାନ୍ତି, ନିର୍ମଳ ସାହୁ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ ସଞ୍ଜୟ ବିଶ୍ୱାଳ,ଶ୍ରୀକାନ୍ତ ସାହୁ, ଏ. ରାଜା ରାଓ, ଅସ୍ମିତା ମହାନ୍ତିଙ୍କ ସମେତ ବହୁ କାର୍ଯରତ ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରମୁଖ ସାମିଲ ହୋଇଥିଲେ।
National
ଦ କୁଇଭର ବ୍ୟୁରୋ:- ଯେଉଁମାନେ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରରେ ସାମିଲ ଥିଲେ ସେମାନଙ୍କୁ କଳ୍ପନାରୁ ବାହାରେ ମିଳିବ କଠୋର ଦଣ୍ଡ । ଯେଉଁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ ଦେଖାଇଛନ୍ତି ସେମାନଙ୍କୁ ଛଡା ଯିବନି । ମିଳିବ କଠୋର ଦଣ୍ଡ । ସେମାନଙ୍କୁ ମାଟିରେ ମିଶାଇ ଦିଆଯିବାର ସମୟ ଆସିଛି ।’ ବିହାର ମଧୁବନୀରୁ, ପହଲଗାମରେ ନରସଂହାର ରଚିଥିବା ଆତଙ୍କବାଦୀଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମରେ ଆତଙ୍କୀଙ୍କ ନରସଂହାର ପରେ ସାରା ଦେଶ ଆଜି ସ୍ତବ୍ଧ । ଅନନ୍ତନାଗର ମିନି ସ୍ବିଜରଲ୍ୟାଣ୍ଡ କୁହାଯାଉଥିବା ପହଲଗାମରେ ପାକିସ୍ତାନ ଆତଙ୍କୀ ଖେଳିଛନ୍ତି ରକ୍ତ ହୋଲି । ନିରୀହ ପର୍ଯ୍ୟଟକଙ୍କୁ ଖୋଜି ଖୋଜି ଗୁଳି କରିଛନ୍ତି । ଏହି ବର୍ବରକାଣ୍ଡରେ ପୂରା ଦେଶ ଆଜି ସ୍ତବ୍ଧ । ସାରା ଦେଶରୁ ଆତଙ୍କୀଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ସ୍ବର ଉଠୁଥିବା ବେଳେ ଆଜି ଆତଙ୍କୀଙ୍କୁ ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ ଏପ୍ରିଲ ୨୨ ରେ ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ନିରୀହ ଦେଶବାସୀଙ୍କୁ ଯେଉଁଭଳି ନିର୍ଦ୍ଦୟ ଭାବେ ହତ୍ୟା କଲେ । ଏଥିରେ ପୂରା ଦେଶ ବ୍ୟଥିତ । କୋଟି କୋଟି ଦେଶବାସୀ ଦୁଃଖିତ । ସମସ୍ତ ପୀଡିତ ପରିବାର ସହ ଦେଶବାସୀ ଛିଡା ହୋଇଛନ୍ତି । ଯେଉଁମାନଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ । ସରକାର ସେମାନଙ୍କ ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ଏହି ଆକ୍ରମଣରେ କିଏ ନିଜ ପୁଅକୁ ହରାଇଛି ... କିଏ ନିଜ ଭାଇକୁ ହରାଇ ଆଉ ପୁଣି କିଏ ନିଜ ଜୀବନସାଥୀକୁ ହରାଇଛି ।’ ସେମାନଙ୍କ ଭିତରେ କିଏ ବଙ୍ଗାଳୀ କହୁଥିଲା, କିଏ କନ୍ନଡ କହୁଥିଲା, କିଏ ମରାଠୀ ଥିଲା, କିଏ ଓଡ଼ିଶାରୁ ଥିଲା ତ କିଏ ବିହାରର ଲାଲ୍ ଥିଲା । ଆଜି ସେମାନଙ୍କ ମୃତ୍ୟୁ କାର୍ଗିଲଠୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଆମ ସମସ୍ତଙ୍କ ପାଇଁ ଦୁଃଖ । ଆମର ଆକ୍ରୋଶ ଏକା ଭଳି । ଦେଶର ଶତ୍ରୁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ସେମାନଙ୍କୁ ମୁଁ କହିବାକୁ ଚାହୁଁଛି, ଯେଉଁ ଆତଙ୍କୀ ଓ ସେମାନଙ୍କ ଷଡଯନ୍ତ୍ରରେ ସାମିଲ ଥିବା ସମସ୍ତଙ୍କୁ ସେମାନଙ୍କ କଳ୍ପନା ବାହାରେ ମିଳିବ କଠୋର ଦଣ୍ଡ । ଏବେ ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାର ସମୟ ଆସିଛି । ୧୪୦ କୋଟି ଭାରତୀୟଙ୍କ ଇଚ୍ଛା ଶକ୍ତି ଆତଙ୍କୀଙ୍କ ଅଣ୍ଟା ଭାଙ୍ଗି କି ରହିବ ।
ସୂଚନା ପ୍ରକାରେ, ଗତ ଏପ୍ରିଲ 22ରେ ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କୀମାନେ ନରସଂହାର କରିଥିଲେ । ଆଖି ବୁଜା ଗୁଳି ଚଳାଇଥିଲେ । ଯେଉଁଥିରେ ଓଡ଼ିଶାର ୨ ଜଣଙ୍କ ସମେତ ଭାରତର ମୋଟ ୨୮ ଜଣ ପ୍ରାଣ ହରାଇଛନ୍ତି । କିଏ ହନିମୁନରେ ଯାଇଥିଲା ତ କିଏ ପରିବାର ସହ ଛୁଟି କାଟିବାକୁ ଯାଇଥିଲା । ପତ୍ନୀଙ୍କ ସାମ୍ନାରେ ଧର୍ମ ପଚାରି ନିର୍ଦ୍ଦୟ ଭାବେ ଗୁଳି କରିମାରିଥିଲେ ଆତଙ୍କୀ । ଏହି ଆକ୍ରମଣରେ ପୂରା ଦେଶସ୍ତବ୍ଧ ପାଲଟି ଯାଇଛି ।
State
କଟକ( ଦ କୁଇଭର ):- ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅଭାବନୀୟ ଘଟଣା । PCR ଭ୍ୟାନ ଉପରେ ଚଢ଼ିଗଲା ବାଲି ବୋଝେଇ ହାଇୱା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ପୋଲିସ ଅଧିକାରୀଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । କଟକର ଗତିରାଉତପାଟଣାରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି (ମଙ୍ଗଳବାର) ଭୋର ପ୍ରାୟ ସାଢେ ଚାରିଟା ସମୟରେ କଟକ-ପାରାଦ୍ବୀପ ରାସ୍ତା ଗତିରାଉତପାଟଣାରେ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ପୋଲିସ PCR ଭ୍ୟାନକୁ ଉପରେ ଏକ ବାଲି ବୋଝେଇ ହାଇୱା ଚଢ଼ିଯାଇଥିଲା । ପିସିଆର ଗାଡିକୁ ଚାପି ଦେଇ ହାଇୱାଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଓ ଅନ୍ୟଜଣେ କନେଷ୍ଟବଳ ଥିଲେ । ସେହିପରି ଜଣେ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଅଟକ ରହିଛି । ଦୁର୍ଘଟଣାରେ ଜଣେ ହୋମଗାର୍ଡ ଏବଂ ଜଣେ ଓଏପିଏଫ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତୁବରଣ କରିଥିବା ଦୁଇ ପୋଲିସଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ଲୋକନାଥ ଶବର (ଓଏପିଏଫ) ଏବଂ ଜଗବନ୍ଧୁ ମାହାଳି (ହୋମଗାର୍ଡ) । ସେହିପରି ଆହତ ପୋଲିସ ଅଫିସର ହେଉଛନ୍ତି ପବିତ୍ର ମୋହନ ସେଠୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିସିଆର ଗାଡିଟି CRRI ଥାନାର ବୋଲି ଜଣାପଡ଼ିଛି ।
State,National
ଶିମିଳିପାଳ( ଦ କୁଇଭର):- ଦୀର୍ଘ ଦିନର ବ୍ୟବଧାନ ପରେ ଶିମିଳିପାଳକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ଯାହା ଓଡ଼ିଶାର ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ ବୋଲି କହିଛନ୍ତି, ପିସିସିଏଫ ପ୍ରେମ କୁମାର ଝା। ଆମ ଶିମିଳିପାଳ ଯୋଜନା ପାଇଁ ଚଳିତ ବର୍ଷ ୨୦୨୫ ବଜେଟ୍ରେ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିମିଳିପାଳ ଆମ ରାଜ୍ୟର ଗର୍ବ ଓ ଗୌରବ। କେବଳ ଆମ ରାଜ୍ୟ ନୁହେଁ, ଏପରି କି ସମଗ୍ର ଭାରତରେ ଶିମିଳିପାଳ ଏକ ଅନନ୍ୟ ଜୈବବିବିଧତା ସୁନାମ ଆଣି ଦେଇଛି। ୧୯୮୦ ମସିହାରେ ଆରମ୍ଭ ହୋଇଥିବା ଏହି ଦୀର୍ଘକାଳୀନ ପ୍ରସ୍ତାବ ଏବେ ସାକାର ହୋଇଛି। ଏହା ଓଡ଼ିଶାରେ ସଂରକ୍ଷଣ ପାଇଁ ଏକ ବଡ଼ ପଦକ୍ଷେପ" ବୋଲି କହିଛନ୍ତି ପିସିସିଏଫ ପ୍ରେମ କୁମାର ଝା। ଅଞ୍ଚଳ ଜଙ୍ଗଲ କ୍ଷୟ, ବିସ୍ଥାପନ ଏବଂ ସ୍ଥାନୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଉପଲବ୍ଧତାର ଅଭାବ ଆଦି ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେଉଛି।
State
ବ୍ରହ୍ମପୁର( ଦ କୁଇଭର ):- ଶନିବାର ସନ୍ଧ୍ୟାରେ ଟାଉନ ଥାନା ନିକଟରେ ଠିକାଦାର ଧୀରେଶ୍ ଚୌଧୁରୀଙ୍କୁ ହତ୍ୟା ଉଦ୍ୟମ ଘଟଣା ଅଭିଯୋଗ କୁ ନେଇ ଟାଉନ ଥାନା ପୋଲିସ୍ ର ତତକାଳ ଉଦ୍ୟମ ଯୋଗୁଁ ୩ ଅଭିଯୁକ୍ତ ତଥା ପ୍ରକାଶ ରାଓ, ଏମ୍ ନବୀନ ଓ ହରିପ୍ରସାଦ ପ୍ରମୁଖ ଙ୍କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଯୁବକ ମାନେ ନିକଟସ୍ଥ କାମ୍ପ ସାହିର। ସୂଚନା ପ୍ରକାରେ,ଏହି ଅଭିଯୁକ୍ତ ମାନେ ମୀନା ବଜାର ମେଳା ପରିସରରେ ଠିକାଦାର ଚୌଧୁରୀକୁ ଦାଦା ବଟି ମାଗିଥିଲେ ଓ ସେ ମନା କରିବାରୁ ତାକୁ ଭୁଜାଲିରେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡି ଦେଇଥିଲେ। ଏହି ଘଟଣା କୁ ନେଇ ଗୁରୁତର ଠିକାଦାର ଚୌଧୁରୀଙ୍କ ପତ୍ନୀ ରୁକ୍ମିଣୀ ଚୌଧୁରୀଙ୍କ ଏତଲା କ୍ରମେ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ କରି ଅଭିଯୁକ୍ତ ତିନି ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
National,International
ଦ କୁଇଭର ବ୍ୟୁରୋ :- ସବୁଠି ଭୟ, ସବୁଠି ଆତଙ୍କର ବାତାବରଣ । ପହଲଗାମ୍ ଆତଙ୍କୀ ହମଲା ପରେ ଏବେ ଛାନିଆ କାଶ୍ମୀର ବୁଲି ଯାଇଖିବା ପର୍ଯ୍ୟଟକ । କେମିତି ଘରେ ପହଞ୍ଚିବେ ଏବଂ ସେମାନଙ୍କ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖି ନିଜ ଆତ୍ମୀୟଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହେବେ ଏବେ ସମସ୍ତଙ୍କୁ ସେହି ନିଶା ଘାରିଛି । ତେଣୁ ବୁଲା ବୁଲି ବନ୍ଦ କରି ବିଭିନ୍ନ ରାଜ୍ୟର ଲୋକେ ଏବେ ଘର ମୁହାଁ ହେଉଛନ୍ତି ଏବଂ କାଶ୍ମୀର ଛାଡୁଛନ୍ତି । ଦେଶ ବିଦେଶର ବିଭିନ୍ନ ପର୍ଯ୍ୟଟକ କାଶ୍ମୀରର ସୌନ୍ଦର୍ଯ୍ୟ ଉପଭୋକ କରିବାକୁ ଆସିଥିବା ବେଳେ ନିରୀହ ଲୋକଙ୍କ ଉପରେ ଆଖିବୁଲା ଆତଙ୍କୀ ଆକ୍ରମଣ ପରେ ଏବେ ସମସ୍ତେ ଡରିଯାଇଛନ୍ତି । ଆଉ ଘରକୁ ଫେରିବାକୁ ଶ୍ରୀନଗର ବିମାନ ବନ୍ଦରରେ ଭିଡ଼ ଜମାଇଛନ୍ତି । ଭିଡ଼କୁ ଲକ୍ଷ୍ୟ ରଖି ଏୟାର ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ଗତକାଲି ଆଖି ଆଗରେ ପର୍ଯ୍ୟଟକମାନେ ଅନ୍ୟ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ହତ୍ୟା କରିବାର ଦେଖିଛନ୍ତି ତେଣୁ ଯେଉଁମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେମାନେ ଭଗବାନଙ୍କୁ ଧନ୍ୟବାଦ ଦେବା ସହ କାଶ୍ମୀର ଛାଡି ତୁରନ୍ତ ଫେରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେପଟେ ଆକ୍ରମଣସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି ଅମିତ ଶାହା । ପରେ ଆହତଙ୍କୁ ଭେଟିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ପହଲଗାମରୁ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି । ଆକ୍ରମଣରେ ଆତ୍ମୀୟଙ୍କୁ ହରାଇବାର ଦୁଃଖ ଅବର୍ଣ୍ଣନୀୟ, ଏହି ଦୁଃଖକୁ ବଖାଣିବାକୁ ଶବ୍ଦ ନାହିଁ । ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି । ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବନି ଭାରତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।
State
ଦ କୁଇଭର ବ୍ୟୁରୋ:- ଜଳୁଛି ସାରା ଓଡିଶା, ତାତିର ତାଉରେ ସିଜୁଛନ୍ତି ଓଡ଼ିଶାବାସୀ। ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୪ ଦିନ କଲବଳ କରିବ ଅସହ୍ୟ ଗରମ ଓ ଗୁଳୁଗୁଳି। ୨ ଦିନ ଯାଏ ସିଭିୟର ହିଟ ୱେଭକୁ ନେଇ ଝାରସୁଗୁଡା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ତାତିରୁ ନାହିଁ ନିସ୍ତାର । ୪୬ ଡିଗ୍ରୀ ପାର କରିବ ଦିନର ତାପମାତ୍ରା l ସେହିପରି ନୂଆପଡା, ବରଗଡ଼, କଳାହାଣ୍ଡି, ଦେଓଗଡ ଓ ଅନୁଗୁଳ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, କେନ୍ଦୁଝର ,ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଂଜାମ, କେନ୍ଦୁଝର, ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ଅରେଞ୍ଜ ସହ ମୟୁରଭଞ୍ଜ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୭ ତାରିଖ ଯାଏଁ ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ଆଗାମୀ ୪ ଦିନ ଯାଏ ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୭ ପରେ ପାଗରେ ପରିବର୍ତ୍ତନ ସହ ପୁଣି କାଳବୈଶାଖୀ ବର୍ଷାର ସମ୍ଭାବନା ଦେଇଛି ବିଭାଗ ।
Shree Jagannath
ପୁରୀ( ଦ କୁଇଭର):- ପହଲଗାମ୍ରେ ପର୍ଯ୍ୟଟକଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ନିୟୋଜିତ ହେଲେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟଙ୍କ ସହ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନିଜଣ ଆସାଷ୍ଟାଣ୍ଟ କମାଣ୍ଡାଣ୍ଟ । ଆସନ୍ତା ୨୮ ତାରିଖ ପୂର୍ବରୁ ଏମାନଙ୍କୁ ଡ୍ୟୁଟିରେ ଯୋଗଦେବାକୁ ବା ଦାୟିତ୍ୱ ନେବାକୁ ପୋଲିସ ହେଡକ୍ୱର୍ଟରର ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଭାବେ ତାପସ ରଞ୍ଜନ ଦାସଙ୍କୁ ନିୟୋଜିତ କରାଯାଇଛି । ଦିନକୁଦିନ ଶ୍ରମନ୍ଦିରରେ ଭକ୍ତଙ୍କ ସଂଖ୍ୟାବୃଦ୍ଧି ସରକାର ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ତେଣୁ ଆଗକୁ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଯୋଗାଇଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନାଁରେ ସ୍ୱତନ୍ତ୍ର ଟିମ୍ ଶ୍ରୀମନ୍ଦିର ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ରହିବ । ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ ।
ରାଜ୍ୟ ଶସସ୍ତ୍ର କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ, ୮ ଇନ୍ସପେକ୍ଟର, ୩୧ ସବ୍ ଇନ୍ସପେକ୍ଟର , ୨୪ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ନିଯୁକ୍ତ ହେବ।ତେଵେ ଏହି ସୁରକ୍ଷା ବାହିନୀ ଆଣ୍ଟି ଟେରରିଷ୍ଟ ଅପରେସନ ସହ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ,ଶ୍ରୀଗୁଣ୍ଡିଚା ମନ୍ଦିର, ପରିକ୍ରମା ପ୍ରକଳ୍ପ, ମାଉସୀ ମା’ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ । ୧୦୮୩ ଜଣଙ୍କୁ ନିଯୁକ୍ତି ଦେବାକୁ ପୂର୍ବରୁ ଯୋଜନା ହୋଇଥିଲେ ହେଁ ଏବେ ଏହି ସଂଖ୍ୟା ୧୨ ଶହରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଆଗକୁ ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା କରିବାକୁ ଯାଉଥିବା ବେଳେ ଏହି ସଶସ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଫଳପ୍ରଦ ହେବ ବୋଲି ମତ ପ୍ରକାଶ ପାଇଛି ।
State
ଦ କୁଇଭର ବ୍ୟୁରୋ:- ଶିମିଳିପାଳରେ ବଢୁଛି ମହାବଳ ବାଘ ବଂଶ। ବର୍ତ୍ତମାନ ଶିମିଳିପାଳରେ ଅଛନ୍ତି ୪୦ ମହାବଳ। । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି। ବର୍ଷକରେ ମହାବଳ ବାଘ ସଂଖ୍ୟା ୧୦ ବଢିଲା । ଚଳିତ ବର୍ଷ କ୍ୟାମେରା ଟ୍ରାପରୁ ଏହା ସ୍ପଷ୍ଟ ହୋଇଛି। ଜିନତ୍ ଓ ଯମୁନା ବ୍ୟତିତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ ମଧ୍ୟରୁ ଯମୁନା ଓ ଜୀନତ ବ୍ୟତିତ ୧୩ ଟି ପୁରୁଷ ମହାବଳ ଓ ୧୭ ଟି ବାଘୁଣୀ ଅଛନ୍ତି। ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି। ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । ଏନେଇ କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା। ଅନ୍ୟପଟେ ଗୁରୁବାର ମୟୂରଭଞ୍ଜର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଥିଲେ ରାଜ୍ୟ ସରକାର । ଦୀର୍ଘ ୪୫ ବର୍ଷ ପରେ ପୂରଣ ହୋଇଛି ଦାବି । ୧୯୮୦ ମସିହାରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ ନେଇ ପ୍ରସ୍ତାବ ରଖାଯାଇଥିଲା ।
State
କଟକ( ଦ କୁଇଭର ):- ମେଡିକାଲ କଲେଜ ପ୍ରଫେସରଙ୍କ ସ୍ବେଚ୍ଛାକୃତ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡିଶା ହାଇକୋର୍ଟ । ସେହିପରି ତିନି ମାସର ନୋଟିସ୍ ଅବଧି ସଂପୂର୍ଣ୍ଣ ହେବା ତାରିଖରୁ ଆବେଦନକାରୀଙ୍କ ଭିଆରଏସ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୩, ଡିସେମ୍ବର ୨୭ରେ ଆବେଦନକାରୀ ଭିଆରଏସ ପାଇଁ ନୋଟିସ୍ ଦେଇଥିବା ବେଳେ ତିନି ମାସର ଅବଧି ଶେଷ ହେବା ଦିନ ଠାରୁ ଅର୍ଥାତ ୨୦୨୪, ମାର୍ଚ୍ଚ ୨୭ରୁ ନିଯୁକ୍ତିଦାତା ରାଜ୍ୟ ସରକାର ଓ କର୍ମଚାରୀ ଆବେଦନକାରୀଙ୍କ ମଧ୍ୟରେ ସଂପର୍କର ଅନ୍ତ ଘଟିଛି । ଯଦି ଏହି ତାରିଖ ପରେ ଆବେଦନକାରୀ ନିଜ ଦାୟିତ୍ବ ସଂପାଦନ କରିଥାନ୍ତି ତେବେ ତାଙ୍କୁ ଏହି ଅବଧି ପାଇଁ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏଥି ସହିତ ତିନି ମାସ ମଧ୍ୟରେ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ଓ ପେନସନ୍ ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ରବି ନାରାୟଣ ଧରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ, ଚାକିରିରୁ ଭିଆରଏସ ନେବା ପାଇଁ ଆବେଦନକାରୀ ଦାଖଲ କରିଥିବା ଦରଖାସ୍ତ ଖାରଜ କରି ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶ ବେଆଇନ ବୋଲି ହାଇକୋର୍ଟଙ୍କ ରାୟରେ କହିଛନ୍ତି ।
ସୂଚନା ପ୍ରକାରେ,ସରକାରୀ ମେଡିକାଲରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କ ସ୍ବେଚ୍ଛାକୃତ ଅବସର ଦରଖାସ୍ତକୁ ସରକାର ୨୦୨୪, ଫେବ୍ରୁଆରୀ ୮ରେ ଖାରଜ କରିଥିଲେ । ଏନେଇ ପିଜିଆଇଏମଇଆର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ୨୦୨୪, ଫେବ୍ରୁଆରୀ ୯ରେ ଆବେଦନକାରୀଙ୍କୁ ଅବଗତ କରିଥିଲେ । ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଓସିଏସ ପେନସନ ନିୟମାବଳୀ ଅନୁସାରେ ଯଦି ଜଣେ ୨୦ବର୍ଷ କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିବେ ତେବେ ତାଙ୍କୁ ସ୍ବେଚ୍ଛାକୃତ ଅବସର ପାଇଁ ମନା କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ପାର୍ଥନା କରାଯାଇଥିଲା ।
State
ବ୍ରହ୍ମପୁର( ଦ କୁଇଭର ):- ଡିଜିଟାଲ ଆରେଷ୍ଟ ନାଁରେ ୩୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ରାଜସ୍ଥାନର ସୁବାଷକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରାଯାଇଥିଲା । ପରେ ତାକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଏହି ଠକେଇ ମାମଲାରେ ଅନ୍ୟ ଜଣେ ଅଣଓଡ଼ିଆ ଅଭିଯୁକ୍ତ ମଧ୍ୟ ରହିଛି ।
ଗଞ୍ଜାମ କୁକୁଡ଼ାଖଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ ସାଇବର ଠକ । ଏନେଇ ଜାନୁଆରୀ ୨୯ ତାରିଖରେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି । ତଦନ୍ତ ବେଳେ ଗୁଜରାଟ ଭୁଜ ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ଏହି ସାଇବର ଠକେଇରେ ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା ବ୍ରହ୍ମପୁର ପୋଲିସ । ଭୁଜ୍ ପୋଲିସ ଯୋଗାଯୋଗ କରି ସୁବାଷକୁ ରିମାଣ୍ଡରେ ଆଣିଛି ପୋଲିସ । ଅନ୍ୟ ଅଭିଯୁକ୍ତ ଗୋବର୍ଦ୍ଧନରମର ରିମାଣ୍ଡ ପାଇଁ ମଧ୍ୟ ଆବେଦନ କରାଯାଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ କରିଛି ପୋଲିସ । ଦୁଇଟି ଆକାଉଣ୍ଟରେ ପ୍ରାୟ ୨୨ଲକ୍ଷରୁ ଅଧିକ ଟଙ୍କା ରହିଛି ।
State
ଦ କୁଇଭର ବ୍ୟୁରୋ:- ଆଜିଠୁ ୪ ଦିନ କାଳବୈଶାଖୀ ବର୍ଷା । ଆଜି ଅପରାହ୍ଣରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ସେହିପରି ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରକୁ ହିଟୱେଭ ପାଇଁ ୟେଲୋ ଚେତାବନୀ ଜାରି କରାଯାଇଛି । ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି କାଳବୈଶାଖୀ ପାଇଁ ୭ ଜିଲ୍ଲା କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଓ ଭଦ୍ରକକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ବିଜୁଳି, ଘଡ଼ଘଡ଼ି ଓ ପବନ ପାଇଁ ୧୮ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ୨୯ ତାରିଖ ଯାଏ କାଳବୈଶାଖୀ ଆଶଙ୍କା ରହିଛି । ୩ ଦିନରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାପରେ ଦିନ ତାପମାତ୍ରାରେ ୩ରୁ ୫ ଡିଗ୍ରି ସେଲସିୟସ ହ୍ରାସ ହୋଇପାରେ ।
State
ଦ କୁଇଭର ବ୍ୟୁରୋ :- ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ସବୁଠି ପାରଦ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ। ଗୋଟିଏ ଦୁଇଟି ସ୍ଥାନରେ ତାତି ୪୮ ଡିଗ୍ରି ଛୁଇଁପାରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, ନୂଆପଡ଼ା, ବରଗଡ, କଳାହାଣ୍ଡି, ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ପାଗ ରହିବାର ସମ୍ଭାବନା ରହିଛି। ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲାରେ ଉଷ୍ମ ରାତି ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟାରେ ୩୦ରୁ ୪୦ କିମି ବେଗରେ ପବନ ସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପରିସ୍ଥିତିର ଗମ୍ଭୀରତା ଦେଖି ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।