ବ୍ରହ୍ମପୁର(ଦ କୁଇଭର): ଟାଟା ପାୱାର ଗ୍ରାହକ ଶୋଷଣ ବା ଲୁଟ ପାଇଁ ନୂଆ ରାସ୍ତା ବାହାର କରିଛି । ଡିଜିଟାଲ ମିଟର ଠିକ ଥିଲେ ମଧ୍ୟ ଖରାପ କରିଦେଇ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରୁଛି । ଏହାଦ୍ୱାରା ଗ୍ରାହକଙ୍କୁ ଅଧିକ ୨ ଶହରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ବିଜୁଳୀ ସମାନ ଜାଳିବେ, ହେଲେ ବିଲ ଦେବେ ଅଧିକ । ଏହାକୁ ଲୋକେ ବିରୋଧ କରୁଛନ୍ତି । ହେଲେ ଟାଟା ପାୱାର କାଳେ ରାଜ୍ୟ ବିଜେପି ସରକାର ସହ ଚୁକ୍ତି କରିଛି ଏହି ଲୁଟ ପାଇଁ । ତେଣୁ ରାଜ୍ୟ ସରକାର ଚୁପ ବସିଛନ୍ତି ଆଉ ଟାଟା ଲୁଟ ଆରମ୍ଭ କରିଛି । ଏପରି ଲୁଟକୁ ସାନଖେମୁଣ୍ଡିରେ ବିରୋଧ କରାଯାଇଛି । ଟାଟା ଅଧିକାରୀ ମାନଙ୍କୁ ଘେରାଉ କରି ରଖାଯାଇଥିଲା । ସେହିପରି ପୂର୍ବରୁ ପୁରୀ ଜିଲ୍ଲା ଗୋପରେ ମଧ୍ୟ ଗୋଡ଼େଇଥିଲେ । ପୁରୀରେ ଟାଟା ଅଧିକାରୀ ମାନଙ୍କୁ ଚପଲରେ ମାଡ଼ ଦେବାକୁ ବି କୁହାଯାଇଥିଲା । ତଥାପୀ ସେମାନେ ସ୍ମାର୍ଟ ମିଟର ମାଧ୍ୟମରେ ଗ୍ରାହକଙ୍କୁ ଲୁଟିବାକୁ ଲାଗି ପଡ଼ିଛନ୍ତି ।
ଏବେ ଆସିବା ପ୍ରସଙ୍ଗକୁ । ରାଜ୍ୟ ସରକାରଙ୍କ ଭିତ୍ତିଭୂମିକୁ ନେଇ ଟାଟା ପାୱାର ବିଜୁଳୀ କର ଆଦାୟରେ ଲାଗିଛି । ପୂର୍ବରୁ ଥିବା ମିଟରରେ ବିଜୁଳୀ ଚୋରୀ ହେଉଥିବାରୁ ଡିଜିଟାଲ ମିଟର ଲାଗିଲା । ସେହି ମିଟର ବେଶ ଭଲ କାମ କରୁଛି । ପ୍ରାୟତଃ ଚୋରୀର ଅଭିଯୋଗ ନାହିଁ । ଏହାବାଦେ ଟାଟା ପାୱାର ଯଦି ମାସେ କି ଦୁଇମାସ ବିଜୁଳୀ ବିଲ ବାକି ରହିଲା, ବିଜୁଳୀ କାଟି ଦେଉଛନ୍ତି । ସେଥିପାଇଁ ବିଜୁଳୀ ବିଲ ଆଦାୟ ବି ଠିକ ହେଉଛି । ହେଲେ ସେବା ମିଳୁନାହିଁ । ଆଜି ବି ପୂରୁଣା ଭିତ୍ତିଭୂମିରେ ସେବା ଦେଉଛି ଟାଟା । ଯେଉଁଥିରେ ବିଜୁଳୀ ପରିବହନ କ୍ଷତି ବଢ଼ୁଛି ଓ ସେହି କ୍ଷତି ଗ୍ରାହକଙ୍କ ମୁଣ୍ଡରେ ବୋଳୁଛି ।
ସେଥିରେ ମନ ଭରିଲାନି ଟାଟାର । ଏବେ ସ୍ମାର୍ଟ ମିଟର ଲଗାଇବାକୁ ଲାଗି ପଡ଼ିଲାଣି । ଏହା ହେଲେ ଗ୍ରାହକମାନେ ଲୁଟର ଶୀକାର ହେବେ । ସ୍ମାର୍ଟ ମିଟର ବାବଦରେ ତ ଟଙ୍କା ଦେବେ, ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଜୁଳୀ ବିଲ ଲୁଟ ହୋଇ ପାରିବ । ବିଲ ରିଡର ମାନେ କାରସାଦି କରି ସବୁ ବିଗାଡ଼ି ଦେବେ । ଯାହାକୁ ନେଇ ଏବେ ବିରୋଧ ବଢ଼ିଲାଣି । ଯଦି ଡିଜିଟାଲ ମିଟର ଠିକ ଅଛି, ତେବେ ସ୍ମାର୍ଟ ମିଟର କାହିଁକି ବୋଲି ପ୍ରଶ୍ନ କଲେଣି । ପୂର୍ବରୁ ଡିଜିଟାଲ ମିଟର ଲଗାଇବା ବାବଦକୁ ପ୍ରତିମାସ ୪୦ ଟଙ୍କା ଲେଖାଏ ୬୦ମାସ ନେଇଛନ୍ତି । ଏବେ ସ୍ମାର୍ଟ ମିଟର ମୂଲ୍ୟ ୭ହଜାର ଟଙ୍କା । ଡିଜିଟାଲ ମିଟର ଠିକ ଥିବା ବେଳେ ସ୍ମାର୍ଟ ମିଟର ବାବଦରେ ଗ୍ରାହକଙ୍କ ଉପରେ ୭ହଜାର ଟଙ୍କା ବୋଝ ପକାଇବ । ଏହାଦ୍ୱାରା ଟାଟା ପାୱାର ରାଜ୍ୟରୁ ପ୍ରାୟ ୧୫ଶହ କୋଟି ଟଙ୍କା ଲୁଟିନେବ । ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଲ ଶୋଷଣ ବି ସୁବିଧା ହେବ । ଏକଥାକୁ ନେଇ ଆମ ଆଦମୀ ପାର୍ଟି ତାର ଅଭିଯାନ ଚଳାଇଛି । ଟାଟା ବିରୋଧରେ ଆପର ଏହି ଅଭିଯାନ ଦ୍ୱାରା ଲୋକେ ତାତିଲେଣି । ଟାଟା ସିଧା ସଳଖ ଲୁଟ କରୁଛି । ଏହି ଲୁଟ ପଛରେ ବିଜେପି ସରକାରଙ୍କ ହାତ ଥିବା କୁହାଯାଉଛି । ପ୍ରତିମାସ ୩୦୦ ୟୁନିଟ ବିଜୁଳୀ ମାଗଣା ଦେବାକୁ କହି ସରକାରକୁ ଆସିଥିବା ବିଜେପି ମାଗଣା ନଦେଉ ପଛେ ଶୋଷଣ ତ ନକରୁ ବୋଲି ଲୋକେ କହୁଛନ୍ତି । ଦେଖାଯାଉ ବିଜେପି ସରକାର ଟାଟାକୁ ନିୟନ୍ତ୍ରଣ କରୁଛି ନା ଲୋକେ ଟାଟା ଅଧିକାରୀଙ୍କୁ ଗୋଡ଼େଇ ପିଟୁଛନ୍ତି?