ନୂଆଦିଲ୍ଲୀ(ଦ କୁଇଭର): ଇଣ୍ଡି ମେଣ୍ଟର ସଦସ୍ୟମାନେ ଏପର୍ଯ୍ୟନ୍ତ ଏକ ହୋଇ ପାରି ନାହାନ୍ତି । ହରିଆଣା ଓ ଜମ୍ମୁ କାଶ୍ମୀରରେ କଂଗ୍ରେସ ବିରୋଧରେ ଆପ ଲଢ଼େଇ କରିଥିଲା । ଏବେ ଦିଲ୍ଲୀରେ ସିଧା ସିଧା ଆପ ସହ ଲଢ଼େଇ କରିବ କଂଗ୍ରେସ । ଏନେଇ କଂଗ୍ରେସର ଜାତୀୟ ମୁଖପାତ୍ର ଖୋଲାଖୋଲି କହିଦେଲେଣି । ଦିଲ୍ଲୀରେ କଂଗେସ ଏଥର ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିବା ପରେ ବିଜେପି ପାଇଁ ପୁଣି ଏକ ସୁଯୋଗ ହେବ ବୋଲି କୁହାଯାଉଛି ।
ବିଜେପିକୁ ମୁକାବିଲା କରିବା ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚେକ ଦେବା ପାଇଁ କଂଗ୍ରେସ ସହ ମିଶି ଇଣ୍ଡି ମେଣ୍ଟ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ମେଣ୍ଟ ସିନା କରିଛନ୍ତି ହେଲେ ଏକ ହୋଇ ପାରୁନାହାନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ବିରୋଧରେ ଅନେକ ଦଳ ପ୍ରାର୍ଥୀ ଦେଲେ । ଏବେ ହରିଆଣା ଓ ଜମ୍ମୁ କଶ୍ମୀର ନିର୍ବାଚନରେ କଂଗ୍ରେସ ବିରୋଧରେ ଆପ ପ୍ରାର୍ଥୀ ଦେଲା । କଂଗ୍ରେସ ବି ହାରିଲା, ଆପ ବି ବହୁ ପଛରେ ପଡ଼ିଲା । କାଶ୍ମୀରରେ ନେସନାଲ କନଫରେନ୍ସ ସହ ମେଣ୍ଟ ହେଲା । କିନ୍ତୁ ଆପ ମିଶିଲା ନାହିଁ । ଆପ କାଶ୍ମୀରରେ ଗୋଟିଏ ସିଟ ଜିତିଲା ।
ଏବେ ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତି ହେଲାଣି । ଦିଲ୍ଲୀ ପାଇଁ କଂଗ୍ରେସ ତାର କୌଶଳ ଆରମ୍ଭ କରିଦେଲାଣି । ସେଥିପାଇଁ ଦଳର ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଦିଲ୍ଲୀ ଲୋକ ଜାଣିଛନ୍ତି କଂଗ୍ରେସ କେତେ ବିକାଶ କରିଛି । ତେଣୁ ସେହି କାର୍ଯ୍ୟକୁ ନେଇ ଆମେ ଦିଲ୍ଲୀ ନିର୍ବାଚନ ଏକାକୀ ଲଢ଼ିବୁ । ଏକଥା କହି ଆପର କାମ ଉପରେ ବି କଂଗ୍ରେସ ପ୍ରଶ୍ନ ଉଠାଇଛି । ଦିଲ୍ଲୀ ଦଖଲ ପାଇଁ ବିଜେପି ଦୀର୍ଘବର୍ଷରୁ ଲାଗିଛି । ହେଲେ ଆପକୁ କାଟିବା ସମ୍ଭବ ହେଉନାହିଁ । ଏବେ କଂଗ୍ରେସ ଯଦି ତାର ଶକ୍ତି ଖଟାଇବ, ତେବେ ଆପ ଭୋଟ କଂଗ୍ରେସ କାଟିଲେ, ବିଜେପିର ସହଜ ହେବ । ଦେଖାଯାଉ କଂଗ୍ରେସ ଦିଲ୍ଲୀରେ ଆପକୁ ଝଟକା ଦେଉଛି ନା ନିଜେ ଝଟକା ଖାଉଛି?