ଭୁବନେଶ୍ୱର(ଦ କୁଇଭର): ବିଜେପିରେ ବନ୍ଦ ଥିବା ଗୋଚ୍ଛିକଟା ଅଭିଯାନ ପୁଣି ଆରମ୍ଭ ହୋଇଯାଇଛି । ଏଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କର ଗୋଟି ପୂରା ଦମରେ ଚାଲିଛି । ତାଙ୍କରି ଇଙ୍ଗିତରେ କାଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଆଉ ସଂଗଠନ କାମ କରୁଛି । ଏ ଦୁହିଁଙ୍କୁ କାଳେ ଅପରାଜିତାଙ୍କ ଭୟ ରହିଚି । ତେଣୁ ନିର୍ବାଚନରେ କ୍ଷମତା ହାସଲ ପରେ ଏମପି ଅପରାଜିତା ଷଢ଼ଙ୍ଗୀଙ୍କ ପକ୍ଷ ଛେଦନ ଆରମ୍ଭ କରିଦେଇଛନ୍ତି । ଯେଉଁ ଅପରାଜିତା ବିଜେପିକୁ କ୍ଷମତାସୀନ କରିବା ପାଇଁ ଦିନରାତି ଏକ କରିଦେଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି, ସେହି ଅପରାଜିତାଙ୍କୁ ରାଜନୀତିରେ ହଜାଇ ଦେବାକୁ କାଳେ କସରତ ଆରମ୍ଭ କରିଛନ୍ତି ଏମାନଙ୍କ ଗୋଷ୍ଠୀ । ଶନିବାର ଅପରାଜିତାଙ୍କ ପିଏସଙ୍କ ସମେତ ୫ଜଣଙ୍କୁ ନିଲମ୍ବିତ କରିଛି ଦଳ । ଏପରିକି ଅପରାଜିତାଙ୍କ ଟିମରେ ଥିବା ବିଜେପିର ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଅପରାଜିତାଙ୍କ ସଂଗଠନକୁ ରାଜଧାନୀରେ ହଲଚଲ କରିବାକୁ ପୂରା ଯୋଜନା ପ୍ରସ୍ତୁତ ହୋଇଛି । ବିଜେଡିର ଏଜେଣ୍ଡାକୁ ବିଜେପି ଏବେ କାର୍ଯ୍ୟକାରୀ କରୁଥିବା ଚର୍ଚ୍ଚା ହେଉଛି ।
ଏବେ ଆସିବା ପ୍ରସଙ୍ଗକୁ । ବିଜେପି ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ଖୋଦ ବିଜେପି ମୁଖିଆ ମାନଙ୍କର ଆଶା ନଥିଲା । ସେଥିପାଇଁ ବିଜେଡି ସହ ମେଣ୍ଟ କରିବାକୁ ବସିଥିଲେ । ବିଜେଡିକୁ କୋଳରେ ପୂରାଇ ଫାଇଦା ନେଉଥିବା ବିଜେପିର ଏକ ଦୁର୍ବଳ ମେରୁଦଣ୍ଡ ଗୋଷ୍ଠୀ ନବୀନଙ୍କୁ ସାହାରା କରିବାକୁ ଲାଗିଥିଲେ । ମାତ୍ର ରାଜ୍ୟ ସଭାପତି ମନମୋହନ ସାମଲ ଓ ଅପରାଜିତାଙ୍କ ଜିଦ ଆଗରେ ଅମେରୁଦଣ୍ଡୀଙ୍କର କିଛି ଚାଲିଲା ନାହିଁ । ଶେଷରେ ରାଜ୍ୟରେ ସରକାର ହେଲା । ମାତ୍ର ଏବେ ପୁଣି ଥରେ ଅମେରୁଦଣ୍ଡୀ ସକ୍ରିୟ ହୋଇଛନ୍ତି । ବିଜେଡି ସହ ଚୋରାପିରତୀ ଥିବା ବିଜେପି ନେତାମାନେ ଦିଲ୍ଲୀ ସ୍ତରରୁ ବିଜେଡି ଏଜେଣ୍ଡାରେ କାମ କରିବା ଆରମ୍ଭ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ସ୍ୱାଧୀନ ବା ନିଜ ଇଚ୍ଛାରେ କାମ କାଳେ କରିପାରୁ ନାହାନ୍ତି । ତାଙ୍କୁ ଯାହା କୁହାଯାଉଛି ସେ କରୁଛନ୍ତି । ଦିଲ୍ଲୀ ଇଙ୍ଗିତରେ ପୂରା ତୃତୀୟ ମହଲା ଚାଲିଛି । କାଳେ ଏମପି ଅପରାଜିତା ରାଜଧାନୀରେ ରହି ସଂଗଠନ କରିବେ ଓ ଆଗକୁ ନେତୃତ୍ୱ ନେଇଯିବେ, ସେଥିପାଇଁ ତାଙ୍କ ଗୋଡ଼ରେ କୁରାଢ଼ୀ ମାରିବା ଆରମ୍ଭ କରିଥିବା କୁହାଯାଇଛି ।
ଅପରାଜିତାଙ୍କର ସାରା ରାଜ୍ୟରେ ଗ୍ରହଣୀୟତା ରହିଛି । ଏକଥା ବିଜେପିର କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି ସଂଗଠନ ପ୍ରମୁଖ ସମେସ୍ତ ଜାଣନ୍ତି । ତେଣୁ ଅପରାଜିତାଙ୍କୁ ଦୁର୍ବଳ ନକଲେ ଆଗକୁ ସେ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ପାଇଁ ବିପଦ ହୋଇ ପାରନ୍ତି । ପ୍ରଥମେ ଓଡ଼ିଶାରେ କିଛି ଦାୟିତ୍ୱ ମିଳିଲା ନାହିଁ । କେରଳର ସହପ୍ରଭାରୀ ହେଲେ । ଏବେ କାଳେ ସଂଗଠନରେ ହଲଚଲ କରିବେ, ତେଣୁ ତାଙ୍କୁ ଆଣ୍ଠୁ ମାଡ଼ି ବସାଇ ଦେବାକୁ କସରତ ଚାଲିଛି । ଅପରାଜିତାଙ୍କ ଉପରେ ଏତେ ରାଗ ଯେ, ଅପରାଜିତାଙ୍କ ପିଏସ ଧନେଶ୍ୱର ବାରିକଙ୍କୁ ନିଲମ୍ବିତ କରାଯାଇଛି । ହେଲେ ସେ ବିଜେପିର ପ୍ରାଥମିକ ସଦସ୍ୟ ଅଛନ୍ତି ତ? ନା ଅପରାଜିତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଦର୍ଶାଇବାକୁ ନିଲମ୍ବନ ତାଲିକାରେ ଧନେଶ୍ୱରଙ୍କ ନାମ ରଖାଯାଇଛି? ଏଥିସହ ଅପରାଜିତାଙ୍କ ସହ ରହୁଥିବା ସୁନିତୀ ମୁଣ୍ଡଙ୍କୁ ନିଲମ୍ବିତ କରାଯାଇଛି । ଯେଉଁ ନିକୁଞ୍ଜ ପଟ୍ଟନାୟକଙ୍କୁ ସଭାପତି କରାଯାଇଥିଲା, ତାଙ୍କୁ ନିଲମ୍ବିତ କରାଯାଇଛି । ସମପାଦକ ବିଦୁ୍ୟତ କାଣ୍ଡି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଏମାନେ ସମସ୍ତେ ଅପରାଜିତାଙ୍କ ଗୋଷ୍ଠୀ ବୋଲି ପରିଚୟ ରଖିଛନ୍ତି ।
କେବଳ ସେତିକି ନୁହେଁ, ସାରା ଦେଶରେ ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିଛି । ଏଥିପାଇଁ ସଦସ୍ୟତା ସଂଗ୍ରହ କମିଟି କରାଯାଇଛି । କାର୍ଯ୍ୟକ୍ରମ ମାଧ୍ୟମରେ ସଦସ୍ୟତା ସଂଗ୍ରହ କରାଯାଉଛି । ହେଲେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ହେଉଥିବା କାର୍ଯ୍ୟକ୍ରମରେ ଏମପି ଅପରାଜିତାଙ୍କୁ ବିଧିବଦ୍ଧ ଭାବେ ଡକାଯାଉନାହିଁ । ଅପରାଜିତାଙ୍କୁ କୋଣଠେସା କରାଯାଉଥିବାରୁ ତାଙ୍କ ସମର୍ଥକମାନେ ପ୍ରତିକ୍ରିୟା ପ୍ରକାଶ କଲେ ସେମାନଙ୍କୁ ଏବେ ନିଲମ୍ବନ କରି ଦଳରୁ ଦୂରେଇ ଦିଆଯାଉଛି । ଅପରାଜିତାଙ୍କୁ ଦଳରୁ ତଡ଼ି ଦେବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ଚାଲିଛି । ଏହା ପଛରେ କାଳେ ବିଜେପିର ଅଣଓଡ଼ିଆ ନେତାଙ୍କ ହାତ ଥିବା କୁହାଯାଉଛି । ନିର୍ବାଚନ ପୂର୍ବରୁ ପ୍ରତିଶୋଧନ ଏବେ ନେଉଥିବା ଚର୍ଚ୍ଚା ହେଉଛି । ଦେଖାଯାଉ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ଗୋଷ୍ଠୀ ଅପରାଜିତାଙ୍କୁ ଚାପି ପାରୁଛନ୍ତି ନା ଲୋକେ ଅପରାଜିତାଙ୍କୁ ପୁଣି ଆଗକୁ ଆଣୁଛନ୍ତି ।