ଦ କୁଇଭର ବ୍ୟୁରୋ :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଆମେରିକୀୟ ସ୍ପେଶ ଏଜେନ୍ସି (NASA) ସଫଳତାର ସହିତ ଐତିହାସିକ ଲଞ୍ଚ ଭାବେ ଆଜି NASA-ISRO ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ଉପଗ୍ରହକୁ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଇସ୍ରୋର ଜିଓସିଙ୍କ୍ରୋନିସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV-F16) ସାହାଯ୍ୟରେ ଆଜି ସନ୍ଧ୍ୟା 5.40ଟାରେ ଲଞ୍ଚ କରାଯାଇଛି । ଲଞ୍ଚ ହେବାର ପ୍ରାୟ 20 ମିନିଟ୍ ମଧ୍ୟରେ ଏହା ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି । ଏହି ଉପଗ୍ରହଟି 743 କିଲୋମିଟର ଉପରେ ରହି ପୃଥିବୀ ଉପରେ ତୀକ୍ଷ୍ଣ ନଜର ରଖିବ । ଦୁଇଟି ମହାକାଶ ସଂସ୍ଥା ଦ୍ବାରା ମିଳିତ ଭାବରେ ବିକଶିତ, ଏହି ଅନନ୍ୟ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ 98.40 ଢଳାଇବା ସହିତ 743 କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥ (SSO)ରେ ପ୍ରବେଶ କରାଯିବ । ଏହି ଉପଗ୍ରହଟି ଦିନକୁ 14 ଥର ପୃଥିବୀ ପରିକ୍ରମା କରିବ ଏବଂ ପ୍ରତି 12 ଦିନରେ ଦୁଇଥର ପ୍ରାୟ ସମସ୍ତ ଗ୍ରହର ଭୂମି ଏବଂ ବରଫ ପୃଷ୍ଠକୁ ସ୍କାନ କରିବ ।
No comments yet.
State
ଦ କୁଇଭର ବ୍ୟୁରୋ :- ତିନି ମାସ ବନ୍ଦ ରହିବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପକ୍ଷୀଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ମାସ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ଅନ୍ୟପଟେ ଶ୍ରାବଣ ମାସର ଦ୍ବିତୀୟାର୍ଦ୍ଧରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ କିଚିରି ମିଚିରି ଶବ୍ଦ ଚଳିତଥର ପର୍ଯ୍ୟଟକଙ୍କ ପାଇଁ ଆନନ୍ଦ ଆଣିଦେବ ବୋଲି ଆଶା କରାଯାଉଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କନିକା ରେଞ୍ଜ ଅଧିନରେ ମଠ ଆଡ଼ିଆ,ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆର ଅରଣ୍ୟ ଏବଂ ବୃକ୍ଷଲତାରେ ପର୍ଯ୍ୟାପ୍ତ ପରିମାଣର ଦେଶୀୟ ପକ୍ଷୀ (Country Bird) ବାସ କରନ୍ତି। ଗେଣ୍ଡାଳିଆ,ବଗ,ଦା ବେଣ୍ଟିଆ, କାପରଖାଇ, ଅଞ୍ଜନା ପ୍ରଭୃତି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ବାସ କରିଥାନ୍ତି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ କିଟ ପତଙ୍ଗ ସମେତ ଉଦ୍ୟାନକୁ ଲାଗିଥିବା ଚାଷ ଜମି ଏବଂ ଚିଙ୍ଗୁଡ଼ି ଘେରି ଗୁଡିକରୁ ଏମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି । ଯେଉଁଥିପାଇଁ ଏହି ପକ୍ଷୀ ଗୁଡିକ ଅନ୍ୟ କୌଣସି ସ୍ଥାନକୁ ନଯାଇ ଜାତୀୟ ଉଦ୍ୟାନକୁ ନିଜର ବାସସ୍ଥାନ ଭାବେ ବାଛି ନେଇଛନ୍ତି। ୨୦୨୪ ମସିହାରେ ଦେଶୀୟ ପକ୍ଷୀ ମାନଙ୍କ ପାଇଁ ଏକ ନୂତନ ସ୍ଥାନ ବାଲିଡ଼ିଆ ଠାବ କରାଯାଇ ମୋଟ ୧,୩୦,୧୨୩ଟି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ଚିହ୍ନଟ ହୋଇଥିବା ବେଳେ ୨୦୨୩ ସେପ୍ଟେମ୍ବର ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ଦେଶୀୟ ପକ୍ଷୀ ଗଣନା ଅନୁଯାୟୀ,ଜାତୀୟ ଉଦ୍ୟାନ ମଧ୍ୟସ୍ଥ ବିଭିନ୍ନ ସ୍ଥାନରୁ ୨୬,୧୧୮ଟି ବସା ଚିହ୍ନଟ ହୋଇଥିଲା । ସେଥିମଧ୍ୟରେ ମୋଟ ୧,୨୩,୮୬୭ ଟି ଦେଶୀୟ ପକ୍ଷୀଙ୍କୁ ଗଣନା କରାଯାଇଥିଲା ଯାହାକି ୨୦୨୨ ମସିହା ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଠାରୁ ୭୭୯୭ଟି ଅଧିକ ଥିଲେ। ୨୦୨୨ ଦେଶୀୟ ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ,୨୪୬୬୪ ଟି ବସାରୁ ମୋଟ ୧,୧୬,୦୭୦ଟି ପକ୍ଷୀଙ୍କୁ ଗଣନା କରାଯାଇଥିଲା।
State,Education
ଦ କୁଇଭର ବ୍ୟୁରୋ:- ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନେଇ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଇନ୍ଫ୍ରା ଆପ୍ ‘ୱସମ୍’ (ଅଙ୍ଗନବାଡ଼ି ୱେଲଫେୟାର୍ ଆଣ୍ଡ୍ ସର୍ଭିସ୍ ଓଭର୍ସାଇଟ୍ ମନିଟରିଂ ଏଭ୍ରିହୋୟାର)କୁ ଲୋକାର୍ପଣ କରିଛନ୍ତି। ଅଙ୍ଗନବାଡ଼ି ପରିସରରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖକୁ ସେ ‘ଆସ ଯିବା ଅଙ୍ଗନବାଡ଼ି’ ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନରେ ଲୋକମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡ଼ିର ଭିତ୍ତିଭୂମି, ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ। ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ିର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ସିଡିପିଓ ଓ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ, ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ପବ୍ଲିକ୍ କୋ-ଅପରେସନ୍ ଆଣ୍ଡ୍ ଚାଇଲ୍ଡ ଡେଭେଲପ୍ମେଣ୍ଟ (ଏନ୍ଆଇପିସିସିଡି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା ଓଡ଼ିଶାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟ ହେବ ବୋଲି ଏନ୍ଆଇପିସିସିଡିର ଅତିରିକ୍ତ ନିର୍ଦ୍ଦେଶକ ସଂଘମିତ୍ରା ବାରିକ ମତ ପ୍ରକାଶ କରିଛନ୍ତି। ପ୍ରଥମ ଅଧିବେଶନରେ ବିତ୍ତ ପରାମର୍ଶଦାତା ଓ ସ୍ୱତନ୍ତ୍ର ସଚିବ ଏଲୋରା ମହାନ୍ତି ସିଡିପିଓମାନଙ୍କ ଭୂମିକା ଓ ଡିଡିଓ ହିସାବରେ ସେମାନଙ୍କ ଦାୟିତ୍ୱ, ପ୍ରତିଷ୍ଠାନର କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ଇତିଶ୍ରୀ ଦାସ ପେନ୍ସନ୍ ରୁଲ୍, ଲିଭ୍ ରୁଲ୍ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟଶୈଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ତୃତୀୟ ଅଧିବେଶନରେ ଅତିରିକ୍ତ ସଚିବ ଜ୍ୟୋତିଶଙ୍କର ମହାପାତ୍ର ପୋଶ ଆଇନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଜିଲ୍ଲା ଓ ଦୌରା ଜର୍ଜ ପରିସରରେ ନବନିର୍ମିତ ବିଭିନ୍ନ ଗୃହର ଶୁଭ ଉଦଘାଟନ ହୋଇଛି।ବୁଧବାର ମଧ୍ୟାହ୍ନ ସମୟରେ ଜିଲ୍ଲା ଓ ଦୌରା ଜର୍ଜ ଡ଼ା.ଭାଗ୍ୟଲକ୍ଷ୍ମୀ ରଥ ଶୁଭ ଉଦଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲା ଓକିଲ ସଂଘର ଦୁଇ ବରିଷ୍ଠ ଆଇନଜୀବି ଶିଶିର ପାଢ଼ୀ ଓ କିଶୋର ବିଷୋୟୀ ରିବନ୍ କାଟିଥିଲେ।କୋର୍ଟ ପରିସରକୁ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ତିନୋଟି ବର୍ଗଙ୍କ ପାଇଁ ଶୌଚାଳୟ, ମାଆ- ଶିଶୁ କକ୍ଷର ଶୁଭ ଉଦଘାଟନ ହୋଇଛି। ଏହାଦ୍ଵାରା କୋର୍ଟ ପରିସରର ପରିମଳ ପରିଚ୍ଛନ୍ନତା ରହିବା ସହ ସମସ୍ତେ ଉପକୃତ ହୋଇପାରିବେ ବୋଲି ଆଇନଜିବୀ ମାନେ କହିଛନ୍ତି। ଶୁଭ ଉଦଘାଟନରେ କୋର୍ଟର ସମସ୍ତ ଜର୍ଜଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହାସହ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ସଭାପତି ମନୋଜ କୁମାର ପଟ୍ଟନାୟକ, ସଂପାଦକ ଟି. ଭେଙ୍କଟ ରାଓ, ଉପ ସଭାପତି ଟି.କେ ରେଡ୍ଡୀ, ସହ ସଂପାଦକ ଅସିତ କୁମାର ସାବତଓ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ସଞ୍ଜୀବ ପାଣିଗ୍ରାହିଙ୍କ ସମେତ ବହୁ ଆଇନଜିବୀ ଉପସ୍ଥିତ ରହି ସହଯୋଗ କରିଛନ୍ତି।
State
ଦ କୁଇଭର ବ୍ୟୁରୋ:- ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ DIG ବି ଗଙ୍ଗାଧର । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଛି । ବୋର୍ଡ ଅଫିସ କର୍ମଚାରୀଙ୍କୁ ହୋଇଛି ପଚରାଉଚରା । କେମିତି ପାସ୍ ୱାର୍ଡ ମିଳିଲା ଚାଲିଛି ତଦନ୍ତ । ଏହି ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।୭ ଜଣଙ୍କଠାରୁ କାହାପାଖକୁ ପ୍ରଶ୍ନପତ୍ର ଯାଇଛି ତଦନ୍ତ ହେଉଛି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କ୍ରାଇମବ୍ରାଞ୍ଚ DIG ସୂଚନା ଦେଇଛନ୍ତି ।ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ ହୋଇଥିବା ବେଳେ ଘଟଣାରେ ଗତ ୩୦ ତାରିଖରେ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର । ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ ।
State
ଢେଙ୍କାନାଳ( ଦ କୁଇଭର ):- ଢେଙ୍କାନାଳ ହିନ୍ଦୋଳ ହାତୀ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ନିଲମ୍ବନ କଲେ ଡିଏଫଓ । ରାସୋଳ ସେକ୍ସନ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ । ହାତୀ ଆକ୍ରମଣରେ ହୋଇଛି ୩ଜଣଙ୍କ ମୃତ୍ୟୁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହେବାରେ କଡ଼ା ପଦକ୍ଷେପ ନେଇଛନ୍ତି ଡିଏଫଓ । ଢେଙ୍କାନାଳ ହିନ୍ଦୋଳରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟ ହୋଇଥିଲା । ମୃତକ ହେଲେ ହିନ୍ଦୋଳ ବାଗଧରିଆ ଗାଁର କରୁଣାକର ଦେହୁରୀ ଏବଂ ଝୁଲଣ ଦେହୁରୀ । ସୂଚନା ଅନୁସାରେ, ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହିନ୍ଦୋଳ ସାତମାଇଲ ଛକରେ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଅଟକିଥିଲା ଶହ ଶହ ଗାଡ଼ି । କ୍ଷତିପୂରଣ ସହ ହାତୀ ଆତଙ୍କ ନେଇ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ରାସ୍ତାରୋକ କରାଯାଇଛି । ଫଳରେ କଟକ- ଅନୁଗୁଳ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଡିଏଫଓ ଆସି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
Shree Jagannath
ଦ କୁଇଭର ବ୍ୟରୋ :-: ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶରଧାବାଲିରେ ଦଳାଚକଟା ଘଟଣା । ଦଳାଚକଟା ଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ଦେଇଛି । ଉନ୍ନୟନ କମିସନର ଅନୁ ଗର୍ଗ ନେତୃତ୍ୱରେ ଗଠନ ହୋଇଥିବା କମିଟି ଆଜି ସନ୍ଧ୍ୟାରେ ରିପୋର୍ଟ ଦାଖଲ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ କମିସନର ତଥା ତଦନ୍ତ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ଏହି ରିପୋର୍ଟ ଦାଖଲ କରିଛନ୍ତି । ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ତଦନ୍ତ ରିପୋର୍ଟରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଜୁନମାସ ୨୯ ତାରିଖ ଭୋର ସମୟରେ ଶରଧାବାଲିରେ ଅଟକି ଥିବା ମହାପ୍ରଭୁଙ୍କ ରଥ ସମ୍ମୁଖରେ ଦଳାଚକଟା ହୋଇଥିଲା । ଏହି ଦୁଃଖଦ ଘଟଣାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା । ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିସନର ଅନୁ ଗର୍ଗଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଟିମ ଗଠନ ହୋଇଥିଲା । କମିଟିରେ ୪ ଜଣ ଓଏଏସ ଅଧିକାରୀଙ୍କୁ ସାମିଲ କରାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ରଶ୍ମି ରଞ୍ଜନ ନାୟକ, ପୁର୍ତ୍ତ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁଙ୍କୁ କମିଟିରେ ସାମିଲ କରାଯାଇଥିଲା । ସେମାନେ ନିଜର ଦାଇତ୍ୱ ସହ ତଦନ୍ତରେ ସହଯୋଗ ପାଇଁ ଅପରାହ୍ନ ୩ରୁ ୫ ପର୍ଯ୍ୟନ୍ତ ଉନ୍ନୟନ କମିଶନରଙ୍କ ଅଫିସରେ ଉପସ୍ଥିତ ରହୁଥିଲେ ।
State
ଦ କୁଇଭର ବ୍ୟୁରୋ :- ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ । ଦିଲ୍ଲୀ ଏମସରେ ସଫଦରଜଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ପାଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା କାହଁରୀଙ୍କୁ ପୀଡ଼ିତା ଦେଇଥିବା ବୟାନରେ ସମ୍ପୂର୍ଣ୍ଣ ତଥ୍ୟା ଜଣାପଡ଼ିଥିବା ସୂଚନା ।
ତେଣୁ ପୁଲିସକୁ ଗୁରୁତ୍ବପୂର୍ଣ ପ୍ରମାଣ ହସ୍ତଗତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ସପ୍ତାହରେ ପୁଲିସ ରହସ୍ୟର ଉନ୍ମୋଚନ କରିବ। ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ୩ ଜଣ ଉଠାଇ ନେଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କୁ ସ କହିନଥିବା ପୁଲିସ ଆଗରେ ବୟାନ ଦେଇଛନ୍ତି ଛାତ୍ରୀ Iଫଳରେ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ବି ପ୍ରଶ୍ନ ଉଠିବା ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତକାରୀ ଅଧିକାରୀ ତଥା ଡିଏସ୍ ପି କଳ୍ପନାଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଗସ୍ତରେ ଯାଇ ଅନ୍ୟ ପ୍ରମାଣ ସଂଗ୍ରହ ଲାଗି ପଚରାଉଚରା କରାଯାଇଛି । ଏବେ ସ୍ଥାନୀୟ ଲୋକ, ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।
Education,National
ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ୨୧ ଅଗଷ୍ଟ ଯାଏ ନାମାଙ୍କନପତ୍ର ଦାଖଲ ହେବ । ୨୨ ଅଗଷ୍ଟରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୨୫ ଅଗଷ୍ଟ । ୯ ସେପ୍ଟମ୍ବର ସକାଳ୧୦ରୁ ଅପରାହ୍ଣ ୫ ଯାଏ ଭୋଟିଂ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ସଂଖ୍ୟା ୭୮୮ । ଇଲେକ୍ଟୋରାଲ କଲେଜରେ ଅଛନ୍ତି ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ ଓ ୧୨ ମନୋନିତ ସଦସ୍ୟ ଏବଂ ୫୪୩ ଲୋକସଭାର ନିର୍ବାଚିତ ସଦସ୍ୟ ।କିନ୍ତୁ ରାଜ୍ୟସଭାରେ ୫ ଓ ଲୋକସଭାରେ ଗୋଟିଏ ଆସନ ଖାଲି ପଡିଛି ତେଣୁ ଭୋଟ ଦେବେ ୭୮୨ ଜଣ । ୨୧ ତାରିଖରେ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ । ୨୨ ତାରିଖରେ ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିଥିଲେ । ଏହା ପରେ ଖାଲି ପଡିଛି ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ୯ ତାରିଖରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି ।
State
କଟକ( ଦ କୁଇଭର ):- ସାଂସଦ ଓ ବିଧାୟକଙ୍କ ଶିକ୍ଷକ ବଦଳି ସୁପାରିସ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ ପାରିବେ ବୋଲି ସରକାର ଘୋଷଣା କରିଥିଲେ । ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି । ସରକାରଙ୍କ ଏପରି ନୀତି ଦ୍ବାରା ଶିକ୍ଷକଙ୍କ ବଦଳି ପ୍ରସଂଗ ପ୍ରଭାବିତ ହୋଇଥିବା ଅଭିଯୋଗ କରି କଳାହାଣ୍ଡିର ଜିଲ୍ଲାର ଦୁଇ ଜଣ ଶିକ୍ଷକ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ।ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଏକତ୍ର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥି ସହିତ ଆବେଦନକାରୀ ଶିକ୍ଷକଙ୍କ ବଦଳି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।ଚାରି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସରକାରୀ ନିଷ୍ପତ୍ତି ଦ୍ବାରା ଆବେଦନକାରୀ ଶିକ୍ଷକ ପ୍ରଭାବିତ ହୋଇଥିବା ଦର୍ଶାଯାଇଥିଲା। ଏଭଳି ନୀତିଗତ ନିଷ୍ପତ୍ତି ନେବା ପାଇଁ ସରକାରଙ୍କ କ୍ଷମତା ନାହିଁ। ଏପରି ନିଷ୍ପତ୍ତି ମଧ୍ୟ ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନରେ ଦର୍ଶଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ପକ୍ଷରୁ ମେ’ ୧୩ରେ ପତ୍ର ମାଧ୍ୟମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏପରି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା।ସାଂସଦ ଓ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାର ଘୋଷଣା କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ମେ’ ୧୩ରେ ଏ ସଂକ୍ରାନ୍ତରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଜାରି କରାଯାଇଥିଲା। ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ବିଧାୟକ ଓ ସାଂସଦଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ବଦଳି ପ୍ରସ୍ତାବ ଦିଆଯିବା ପରେ ଜିଲ୍ଲାସ୍ତରୀୟ କମିଟି ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଆର.ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀ ସଚିନ ଗୌଡ଼ଙ୍କୁ ପରିସ୍ରା ପିଆଇବା ଘଟଣାରେ ପୋଲିସର ତଦନ୍ତ । RWSS କାର୍ଯ୍ୟାଳୟର ସସସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା ହେବ । ଘଟଣାରେ ପିଅନ ଶିବ ନାରାୟଣ ନାୟକଙ୍କୁ ପଚରାଉଚରା କରି ଛାଡ଼ିଛି ପୋଲିସ । ଘଟଣାରେ RWSS କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି SDPO ସୁରେଶ ତ୍ରିପାଠୀ କହିଛନ୍ତି ।ସୂଚନା ଅନୁଯାୟୀ, ଗତ ୨୨ତାରିଖ ଦିନ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ ସଚିନ ଗୌଡ଼ ଯୋଗଦେଇଥିଲେ । ୨୩ ତାରିଖ ରାତିରେ ଯନ୍ତ୍ରୀ ତାଙ୍କ ବାସଭବନରେ ଖାଇ ସାରିବା ପରେ ପିଅନ ଶିବ ନାରାୟଣକୁ ପାଣି ମାଗିଥିଲେ । ପିଅନ ଏକ ପ୍ଲାଷ୍ଟିକ ବୋତଲରେ ପାଣି ଆଣି ଦେଇଥିଲେ । ପାଣି ପିଇବା ପରେ ଯନ୍ତ୍ରୀଙ୍କୁ ତାହା ପରିସ୍ରା ଭଳି ଲାଗିବାରୁ ଅଫିସ ଲ୍ୟାବରେ ପରୀକ୍ଷା କରାଇଥିଲେ । ପାଣିରେ ପରିସ୍ରା ନମୁନା ବାହାରିଥିଲା । ପାଣି ବଦଳରେ ତାଙ୍କୁ ପରିସ୍ରା ଦିଆଯାଇଥିବା ଯନ୍ତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ଘଟଣାରେ କୌଣସି ତଦନ୍ତ କରାଯାଇନଥିଲା । ଏନେଇ ଗତ ବୁଧବାର ଦିନ ଯନ୍ତ୍ରୀ ଆର. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।
Farming,State
ଭୁବନେଶ୍ୱର( ଦ କୁଇଭର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଚଳିତ ବନ୍ୟାରେ ୩ ଜିଲ୍ଲାର ୮ଟି ବ୍ଲକ, ୮୧ଟି ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ବନ୍ୟାଞ୍ଚଳରେ ଫସି ରହିଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିପାଇଁ ୩ଟି ଜିଲ୍ଲାରେ ୨୯ଟି ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି । ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮୧ ଗାଁ'ର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାର ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।"
State,National,International
ଦ କୁଇଭର ବ୍ୟୁରୋ :- ଜାପାନରେ ଆୟୋଜିତ ଏସିଆନ୍ କ୍ଲାସିକ୍ ପେସିଭିକ୍ ଆଫ୍ରିକାନ୍ ପାୱାରଲିଫ୍ଟିଙ୍ଗ୍ ଚାମ୍ପିଆନସିପ୍ କ୍ରୀଡା ପ୍ରତିଯୋଗିତାରେ ଚାରୋଟି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁରର ଓଡିଆ ଝିଅ ରଞ୍ଜିତା ମିଶ୍ର । ଶକ୍ତିଉତ୍ତୋଳନ କ୍ଷେତ୍ରରେ ରଞ୍ଜିତା ଜାପାନରେ ଏହି କ୍ରୀଡା କ୍ଷେତ୍ରରେ ରହିଥିବା ସ୍କେର୍ଟ (Squat) ରେ ୧୪୨.୫ କିଲୋ ଉଠାଇଥିବା ବେଳେ ବେଞ୍ଚରେ ୬୫ କିଲୋ ଏବଂ ଡେଡ୍ ଲିଫ୍ଟ (Deadlift) ରେ ୧୬୦ କିଲୋ ଉଠାଇଥବା ବେଳେ ସମୁଦାୟ ୩୬୭.୫ କିଲୋ ଗ୍ରାମ୍ ଉଠାଇ ଏକ ରେକର୍ଡ ସୃଷ୍ଟି କରିଥିଲେ । ରଞ୍ଜିତା ଏଭଳି ପ୍ରଦର୍ଶନୀ କରି ପୂର୍ବରୁ ରହିଥିବା ସମସ୍ତ ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ରଞ୍ଜିତା ଓଭରଅଲରେ ରୌପ୍ୟପଦକ ପାଇଥିଲେ । ତେବେ ୪ଟି ରେକର୍ଡ କରିଥିଲେ ରଞ୍ଜିତା । "ଚାରୋଟି ରେକର୍ଡ କରି ଜଣେ ଓଡିଆ ଝିଅ ତଥା ଭାରତୀୟ ଭାବରେ ବିଦେଶରେ ନିଜର କ୍ରୀଡା ପ୍ରଦର୍ଶନ ପାଇଁ ଗର୍ବିତ । ଏଥିପାଇଁ ବେଶ ଖୁସି ରହିଥିବା ବେଳେ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ," ପ୍ରଦାନ କରିଛନ୍ତି ରଞ୍ଜିତା ମିଶ୍ର । ଏସିଆନ୍ କ୍ରୀଡା ପ୍ରତିଯୋଗିତାରେ ରଞ୍ଜିତା ୫୦ ରୁ ୬୦ ବର୍ଷ ମଧ୍ୟରେ ରହିଥିବା ବୟସ ଗ୍ରୁପରେ ପ୍ରଦର୍ଶନ କରିଥିଲେ । ୮୪ କେଜି ବର୍ଗରେ ସେ ଭାଗ ନେଇଥିଲେ । ଏସିଆନ୍ କ୍ରୀଡାରେ ଓଡ଼ିଆ ଝିଅ ରଞ୍ଜିତାଙ୍କ ସଫଳତା ପାଇବା ପରେ ସେ ବର୍ତ୍ତମାନ କେରଳ ରାଜ୍ୟର କୁଜିକୋଟ ଠାରେ ଆୟୋଜିତ ହେଉଥିବା ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତା -୨୦୨୫ରେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଆସନ୍ତା ଅଗଷ୍ଟ ୪ ତାରିଖ ଠାରୁ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ସଫଳ ହେଲେ ରଞ୍ଜିତା ଚଳିତବର୍ଷ ଡିସେମ୍ୱରରେ ଆୟୋଜିତ ହେବାକୁ ରହିଥିବା ୱାଲର୍ଡ ଚାମ୍ପିଆନସିପ୍ ଓ ପୁଣି ଏସିଆନ୍ ଚାମ୍ପିଆନସିପରେ ଭାଗନେବା ପାଇଁ ଚୟନ ହୋଇପାରିବେ ବୋଲି କହିଛନ୍ତି ।
State
ବ୍ରହ୍ମପୁର ( ଦ କୁଇଭର ):- ବୁଧବାର ବିଏମସି ଅସ୍ଥାୟୀ କର୍ମଚାରୀ ସଂଘ ବ୍ରହ୍ମପୁର ଶାଖା ତରଫରୁ ବିଭିନ୍ନ ଦାବି ନେଇ ବିଏମସି କାର୍ଯ୍ୟାଳୟ ଘେରାଉ କରାଯିବା ସହ କମିସନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି।ଅସ୍ଥାୟୀ କର୍ମଚାରୀଙ୍କ ଇପିଏଫ୍ ସମ୍ପର୍କିତ ସମସ୍ୟାର ସମାଧାନ, ସ୍ବାସ୍ଥ୍ୟ ବିଭାଗରେ ଅବସର ପରେ ପୁନଃ ଥଇଥାନ ନିଯୁକ୍ତି ପାଇଥିବା ବରିଷ୍ଠ କିରାଣିଙ୍କୁ ବହିଷ୍କାର ଓ ଆଉଟସୋସିଂ କର୍ମଚାରୀଙ୍କ ଭଳି ଦୀର୍ଘବର୍ଷ ଧରି ନିଗମରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ରବିବାର ଦିନର ମଜୁରୀ ପ୍ରଦାନ ଭଳି ୩ଦଫା ଦାବିରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ସଂଘ ପକ୍ଷରୁ ବିଇଏମ୍ସି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କମିଶନରଙ୍କୁ ଭେଟି ଆଲୋଚନା କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଛି | ସଂଘର ଦାବି ସମ୍ପର୍କରେ ସମୀକ୍ଷା କରାଯାଇ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବାକୁ କମିଶନର ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି I ବିକ୍ଷୋଭ କାର୍ଯ୍ୟକ୍ରମରେ ସଂଘର ସଭାପତି ତଥା ପୂର୍ବତନ କାଉନସିଲର ଡି. ସୂର୍ଯ୍ୟ ପ୍ରକାଶ ରାଓ, ସାଧାରଣ ସମ୍ପାଦକ ଶୁଭେନ୍ଦୁ ସୁନ୍ଦର ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।
State
ଢେଙ୍କାନାଳ( ଦ କୁଇଭର ):- ଢେଙ୍କାନାଳ ହିନ୍ଦୋଳରେ ହାତୀ ଆତଙ୍କ । ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ହିନ୍ଦୋଳ ବାଗଧରିଆ ଗାଁର କରୁଣାକର ଦେହୁରୀ ଏବଂ ଝୁଲଣ ଦେହୁରୀ । ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ମହିଳା ଜଣଙ୍କ ମଧ୍ୟ ସେହି ଗାଁର ଶଶି ସାହୁ । ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତି କରାଯାଇଛି । ଏବେ ବି ଘଟଣା ସ୍ଥଳରେ ପହଂଚିନି ବନବିଭାଗ । ହିନ୍ଦୋଳ ସାତମାଇଲ ଛକରେ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଅଟକିଛି ଶହ ଶହ ଗାଡ଼ି । କ୍ଷତିପୂରଣ ସହ ହାତୀ ଆତଙ୍କ ନେଇ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ରାସ୍ତାରୋକ କରାଯାଇଛି । ଫଳରେ କଟକ- ଅନୁଗୁଳ ଯାତାୟତ ବାଧାପ୍ରାପ୍ତ ହୋଇଛି ।
State
ଦ କୁଇଭର ବ୍ୟୁରୋ :- ଆପଣ ଆପଣଙ୍କ ଵାଡ଼ିରେ କିମ୍ବା ଛାତରେ ଥିବା କୁଣ୍ଡରେ ପୋଦିନା ଗଛ ରଖିଛନ୍ତି କି ? ଯଦି ରଖିନାହାନ୍ତି ତେବେ, ତୁରନ୍ତ ଏହି ଉପକାରୀ ଗଛକୁ ଆଣି ନିଜ ଘର ପାଖରେ ରଖନ୍ତୁ । ଏହାକୁ ଆପଣ ବିଭିନ୍ନ ପ୍ରକାରର ଖାଦ୍ୟ ଓ ପାନୀୟରେ ବ୍ୟବହାର କରିପାରିବେ। ପୋଦିନା ପତ୍ର ଚଟଣିରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସରବତରେ ବି ଆପଣ ଏହାକୁ ବ୍ୟବାହାର କରିପାରିବେ । ଏହି ପତ୍ରକୁ ଉଭୟ ଶୁଖିଲା ଓ ସତେଜ ଅବସ୍ଥାରେ ବ୍ୟବହାର କରିହେବ । କେବଳ ଯେ ପାଟି ସୁଆଦ ପାଇଁ, ତାହା ନୁହେଁ । ଏହି ପତ୍ରର ଗୁଡ଼ାଏ ସୁଫଳ ରହିଛି ।
- ପୋଦିନା ପତ୍ର ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ପେଟ କାଟିବା, ଝାଡ଼ା ନହେବା, ପେଟ ପୋଡ଼ାଜଳା ହେବା ଆଦି ସମସ୍ୟା ହ୍ରାସ ପାଇଥାଏ।
- ଶ୍ବାସ ରୋଗୀଙ୍କ ପାଇଁ ଏହା ଅବ୍ୟର୍ଥ ଔଷଧ ପରି କାମ କରେ। ଏହାକୁ ଦୈନିକ ଖାଇବା ଦ୍ବାରା ଶ୍ବାସ ରୋଗ ଆୟତ୍ତରେ ରହିଥାଏ।
- ଥଣ୍ଡା, କାଶ, ଜ୍ବର ଆଦି ପାଇଁ ମଧ୍ୟ ଏହି ପତ୍ର ଔଷଧୀୟ କାର୍ଯ୍ୟ କରିଥାଏ। ଯଦି ଆପଣଙ୍କର ଥଣ୍ଡା ଶରୀର ତେବେ ଆପଣ ଏହାକୁ ନିତିଦିନ ଖାଇବାର ଅଭ୍ୟାସ ରଖିପାରନ୍ତି।
- ଏହାକୁ ଖାଇଲେ ମୁଣ୍ଡବିନ୍ଧା ମଧ୍ୟ କମ୍ ହୋଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ ବୋଲି ଗବେଷକମାନେ ମତ ରଖିଛନ୍ତି।
- ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ପୋଦିନା ପତ୍ର ଖାଇପାରନ୍ତିି। ଏହା ଶରୀରର ଅତିରିକ୍ତ ଚର୍ବିକୁ କମ୍ କରିଥାଏ।
- ପୋଦିନା ପତ୍ର ଖାଇବା ଦ୍ବାରା ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ।
ପୋଦିନାରେ ଥାଏ ଭିଟାମିନ୍ ସି, ଏ ଓ ବି କମ୍ଲେକ୍ସ । ଏହାସହ ଏଥିରୁ ଯଥେଷ୍ଟ ପରିମାଣରେ ଆଇରନ , ପୋଟାସିୟମ ଓ ମାଙ୍ଗାନିଜ ପରି ତତ୍ତ୍ୱ ମଧ୍ୟ ମିଳିଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ।ଖରା ଦିନେ ପୋଦିନା ପେଟକୁ ଥଣ୍ଡା ରଖିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ପେଟରେ ଗ୍ୟାସ , ପେଟ ବ୍ୟଥା, ଓ ଛାତିରେ ଜ୍ୱଳ ପରି ସମସ୍ୟା ଦୂର ହୁଏ ।ପୋଦିନା ପତ୍ର ସେବନ ଦ୍ୱାରା ଶ୍ୱାସ ପାୀ ସମସ୍ୟାରୁ ଉପଶମ ମିଳେ । ଏହା ବ୍ୟତୀତ ଏଥିରେ ଥିବା ମେନ୍ଥଲ ଶ୍ୱାସ ନଳୀକୁ ସଂକ୍ରମଣରୁ ରକ୍ଷା କରିବା ସହ ନିଃଶ୍ୱାସ - ପ୍ରଶ୍ୱାସ ପ୍ରକ୍ରିୟାକୁ ସହଜ କରିଥାଏ । ମୁଣ୍ଡ ବିନ୍ଧା ହେଲେ ମଧ୍ୟ ପୋଦିନା ପତ୍ରର ତେଲ ବେଶ ଲାଭଦାୟୀ ।ଏହାସହ ଥାଇରଏଡ୍ ସମସ୍ୟା ପାଇଁ ପୋତିନା ପତ୍ର ବେଶ ଉପକାରୀ । ପ୍ରତିଦିନ ଖାଲି ପେଟରେ ୨ ଚାମଚ ପୋଦିନା ପତ୍ରର ରସକୁ ସେବନ କଲେ ଥାଇରଏଡ ସମସ୍ୟା ଲାଘବ ହୋଇଥାଏ । ମାସିକ ଧର୍ମ ସମୟରେ ହେଉଥିବା ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ପୋଦିନା ପତ୍ର ରସ । ଏହି ସମୟରେ ପେଟରେ ଯନ୍ତ୍ରଣା ହୁଏ ଓ ମାସପେଶୀ ଟାଇଟ୍ ହୋଇଯାଏ । ଏହି କାରଣୁ ମହିଳାମାନେ ଗମ୍ଭୀର ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି । ଏଥିରୁ କିଛି ମାତ୍ରାରେ ଯନ୍ତ୍ରଣାକୁ କମ୍ କରେ ପୋଦିନା । ଏହା ବ୍ୟତୀତ ଚର୍ମ ପାଇଁ ମଧ୍ୟ ପୋଦିନା ଲାଭକାରୀ ।
ତ୍ୱଚାର କୁଞ୍ଚନକୁ ହ୍ରାସ କରିଥାଏ। ଆଲ୍କହଲରେ ପୋଦିନାର ରସକୁ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାର ଦାଗ ମଧ୍ୟ ଦୂର ହୋଇଥାଏ।କୋଡ଼ିଏଟି ପୋଦିନା ପତ୍ର ଏବଂ କୋଡ଼ିଏଟି ତୁଳସୀ ପତ୍ର ନେଇ ସେଥିରେ ଦୁଇକପ୍ ପାଣି ମିଶାଇ ତାକୁ ଫୁଟାନ୍ତୁ। ପାଣି ମରି ମରି ଏକ କପ୍ ହେଇଗଲେ ତାକୁ ଓହ୍ଲାଇ ଛାଣି ଦିଅନ୍ତୁ। ଏହି କାଢ଼ାକୁ ଦିନକୁ ଦୁଇଥର ପିଇବା ଦ୍ୱାରା ମ୍ୟାଲେରିଆରୁ ଆରୋଗ୍ୟ ମିଳିଥାଏ।ବିଛା କିମ୍ବା କୌଣସି ବିଷାକ୍ତ କୀଟ ଦଂଶନ କରିଥିଲେ ବିଷ ହରଣ ପାଇଁ ଦଂଶନ ସ୍ଥାନରେ ପୋଦିନା ରସ କିମ୍ବା ଚଟଣି ଲଗାଇ ଦିଅନ୍ତୁ ଏବଂ ତିନି ଚାମଚ ପୋଦିନା ରସ ମିଶ୍ରି ମିଶାଇ ପିଇବାକୁ ଦିଅନ୍ତୁ।
State
ଦ କୁଇଭର ବ୍ୟୁରୋ :- କୋଟିଆରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ସରକାର । କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା । ୯ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୁର୍ଣ ବୈଠକ । ସୁଭଦ୍ରା ସମ୍ପର୍କିିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି । ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି । ଲୋକଙ୍କ ଫିଡ୍ ବ୍ୟାକ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ସୁଭଦ୍ରା ଟଙ୍କା ମହିଳାମାନେ କିପରି ବ୍ୟବହାର କରୁଛନ୍ତି ଏହା ଉପରେ ମତାମତ ନେବାକୁ ଷ୍ଟିଅରିଙ୍ଗ କମିଟିରେ ନିଷ୍ପତ୍ତି ହୋଇଛି । ଏହା ସହ ୨୧ ବର୍ଷ ହେବା ପରେ ନୂଆ ସାମିଲ ହେବେ ଓ ମାର୍ଚ୍ଚ ୩୦ ସୁଦ୍ଧା ୬୦ ବର୍ଷ ଅତିକ୍ରମ କରିଥିଲେ ଯୋଜନାରୁ ବାଦ ପଡ଼ିବେ । ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର । ଯୋଜନାର ତୃତୀୟ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଅଗଷ୍ଟ ୯ ତାରିଖରେ ଦିଆଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏହାସହ ଯୋଜନାର ଲାଭ ପାଇଁ ଆବେଦନ କରି ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ଆବେଦନ ଉପରେ ପୁଣି ସର୍ଭେ କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ସରକାର ।ସୂଚନା ଥାଉ କି ରାଜ୍ୟର ବିଜେପି ସରକାର ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନା ଅଧିନରେ ଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ପ୍ରତି ୬ ମାସରେ ୫ ହଜାର ଟଙ୍କା ପାଉଛନ୍ତି । ଯାହା ରାଜ୍ୟର ମହିଳା ମାନଙ୍କ ବିକାଶରେ ସହାୟକ ହେଉଥିବା ସରକାର କହୁଛନ୍ତି ।
National,State
ଦ କୁଇଭର ବ୍ୟୁରୋ :- ଉପୋଭୋକ୍ତା ତେବେ ଏହି ଖବର ଆପଣଙ୍କ ପାଇଁ । ଆଜିଠାରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ନିୟମରେ ବଡ ପରିବର୍ତ୍ତନ । ୟୁପିଆଇ ଟ୍ରାଞ୍ଜକ୍ସନକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ କରିଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) । ନୂତନ ନିୟମରେ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବା, ଅଟୋ ପେମେଣ୍ଟ୍, ବ୍ୟାଙ୍କ ଆକାଉଣ୍ଟ୍ ସୂଚନା ପାଇବା ଏବଂ ପେମେଣ୍ଟ୍ ସ୍ଥିତି ଯାଞ୍ଚ କରିବା ଭଳି ସେବା ଉପରେ ନୂଆ ନିୟମ ହୋଇଛି । NPCI କହିଛି ଯେ, UPIର ସ୍ଥିରତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ନୂତନ ନିୟମ ଅଣାଯାଇଛି।
ଅଗଷ୍ଟ 1ରୁ, UPI ଉପଭୋକ୍ତା ପ୍ରତ୍ୟେକ UPI ଆପରେ ଦିନକୁ କେବଳ 50 ଥର ସେମାନଙ୍କର ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିପାରିବେ। ଏହି ପ୍ରତିବନ୍ଧକଗୁଡ଼ିକ NPCIକୁ ବ୍ୟସ୍ତବହୁଳ ସମୟରେ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API) ସିଷ୍ଟମ ଉପରେ ଚାପ କମ୍ କରିବାରେ ସାହାଯ୍ୟ କରିବ। ଯଦିଓ NPCI ବାଲାନ୍ସ ଅନୁରୋଧ ଉପରେ ପ୍ରୟାସ ସଂଖ୍ୟାକୁ ସୀମିତ କରିଛି, ତଥାପି ପ୍ରତ୍ୟେକ ସଫଳ UPI କାରବାର ପରେ ଉପଭୋକ୍ତାମାନେ ଉପଲବ୍ଧ ଆକାଉଣ୍ଟ ବାଲାନ୍ସ ଦେଖିପାରିବେ। ନୂତନ ନିୟମରେ ଦୈନିକ UPI କାରବାର ଉପରେ ବୋଝ କମ କରିବା ପାଇଁ ସ୍ଥିର ସମୟ ମଧ୍ୟରେ ନିର୍ଦ୍ଧାରିତ ବିଲ୍ ପେମେଣ୍ଟ ପ୍ରକ୍ରିୟାକରଣ ମଧ୍ୟ ଅନ୍ତର୍ଭୁକ୍ତ। ବ୍ୟବସାୟୀମାନଙ୍କୁ ଅଟୋ ପେମେଣ୍ଟ କିମ୍ବା OTT, EMI କିମ୍ବା ମ୍ୟୁଚୁଆଲ୍ ଫଣ୍ଡ ନିବେଶ ପାଇଁ ମାସିକ ନିର୍ଦ୍ଧାରିତ ସ୍ଥାନାନ୍ତର ସକାଳ 10ଟା ପୂର୍ବରୁ କିମ୍ବା ରାତି 9:30 ପରେ ଅଣ-ଟ୍ରାଫିକ୍ ଘଣ୍ଟା ମଧ୍ୟରେ ହେବ। ଆଜି ଠାରୁ UPI ଉପଭୋକ୍ତାମାନେ ଦିନକୁ 25 ଥର ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପାଇପାରିବେ । ଉପୋଭୋକ୍ତାଙ୍କ ଯଦି କୌଣସି କାରଣରୁ ପେମେଣ୍ଟ ଅଧାରେ ରହିଯାଏ, ତେବେ ଏହାର ଷ୍ଟାଟସ ଦେଖିବା ଉପରେ ମଧ୍ୟ ପ୍ରତିବନ୍ଧ ଲାଗିବ । ଆପଣ କେବଳ 3 ଥର ହିଁ ପେମେଣ୍ଟର ଷ୍ଟାଟସ୍ ଯାଞ୍ଚ କରିପାରିବେ । ପ୍ରତ ଷ୍ଟାଟସ ଯାଞ୍ଚ ପାଇଁ 90 ସେକେଣ୍ଡର ବ୍ୟବଧାନ ରଖିବାକୁ ହେବ ।
National,Farming,State
ଦ କୁଇଭର ବ୍ୟୁରୋ :- ଅଗଷ୍ଟ ୨ ତାରିଖରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ଉତ୍ତରପ୍ରଦେଶର ବାରଣାସୀରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ପ୍ରଦାନ କରିବେ । ଏହି କିସ୍ତି ମାଧ୍ୟମରେ ଦେଶର ୯.୭ କୋଟିରୁ ଅଧିକ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ୨୦ ହଜାର ୫୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଯିବ । ପିଏମ କିସାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଏହି କିସ୍ତି ଖରିଫ ରୁତୁ ମାଧ୍ୟମରେ ଆସୁଛି । ଯାହା କୃଷକମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସହାୟତା କରିବ । ଏହି ଯୋଜନା ମାଧ୍ୟମରେ ସରକାର ଦେଶର କୃଷି କ୍ଷେତ୍ରରେ ଅର୍ଥନୈତିକ ସ୍ଥିରତା ଏବଂ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆସି ହିନସ୍ତା ହେଉଛନ୍ତି ରୋଗୀ । ଏଠାରେ ରହିଥିବା ଲିଫ୍ଟ ଗୁଡ଼ିକ କାମ କରୁନଥିବା ବେଳେ ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି । ଏମକେସିଜି ମେଡ଼ିକାଲରେ ୩୦ରୁ ଅଧିକ ବିଭାଗ ରହିଥିବା ବେଳେ ୧୦ରୁ ଅଧିକ ବଡ଼ କୋଠା ରହିଛି । ଆଉ ଏଥିରେ ମୋଟ ୨୯ଟି ଲିଫ୍ଟ ରହିଥିବା ବେଳେ ସେଥିମଧ୍ୟରୁ ୧୦ଟି ଲିଫ୍ଟ ଅଚଳ ହୋଇ ପଡ଼ିରହିଛି । ଯାହାଫଳରେ ଚାରି ମହଲା କୋଠାକୁ ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ସିଢ଼ି ଚଢ଼ି ଯାଉଛନ୍ତି । ସେପଟେ ଲୋକଙ୍କ ଅସାବଧାନତା ଓ ଭୁଲ ଯୋଗୁଁ ଲିଫ୍ଟ ଗୁଡ଼ିକ ଖରାପ ହୋଇଯାଉଛି । ଏନେଇ ବାରମ୍ବାର ମରାମତି କରାଗଲେ ମଧ୍ୟ ଖରାପ ହେଉଥିବା ବେଳେ ବର୍ତ୍ତମାନ ଅଚଳ ହୋଇ ପଡ଼ି ରହିଥିବା ଲିଫ୍ଟ ଗୁଡ଼ିକୁ ସଚଳ କରିବା ନିମନ୍ତେ କାର୍ଯ୍ୟ ଜାରୀ ରହିଥିବା କହିଛନ୍ତି ମେଡ଼ିକାଲର ଅଧିକ୍ଷକ ।
ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା । ଯାହାକୁ ନେଇ ନାନା ସମସ୍ୟାରେ ଘାଣ୍ଟି ହେଉଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ । ଏମକେସିଜି ମେଡ଼ିକାଲରେ ପ୍ରାୟ ୩୦ରୁ ଅଧିକ ବିଭାଗର ରହିଛି ୧୦ରୁ ଅଧିକ ବଡ଼ ବଡ଼ କୋଠା । ଆଉ ଏହି ୧୦ଟି କୋଠାରେ ଲାଗିଛି ମୋଟ ୨୯ଟି ଲିଫ୍ଟ । ଏହି ୨୯ଟି ଲିଫ୍ଟ ଗୁଡ଼ିକ ମଧ୍ୟରୁ ପ୍ରାୟ ୧୦ଟି ଲିଫ୍ଟ ଗତ କିଛି ମାସ ହେଲା ଅଚଳ ହୋଇ ପଡ଼ିରହିଛି । ୫ ମହଲା ବିଶିଷ୍ଟ ସର୍ଜରୀ ବିଭାଗ କୋଠାରେ ମୋଟ ୪ଟି ଲିଫ୍ଟ ରହିଥିବା ବେଳେ ଏଥିରୁ ୨ଟି ଲିଫ୍ଟ ବନ୍ଦ, ପିଏମଏସଏସଓ୍ବାଇ କୋଠାରେ ୫ଟି ଲିଫ୍ଟ ରହିଥିବା ବେଳେ ୩ଟି ଲିଫ୍ଟ ଅଚଳ, ନୂତନ କ୍ୟାବିନ ବ୍ଲକରେ ୨ଟି ଲିଫ୍ଟ ଖରାପ, ଆଇସିୟୁ କୋଠାରେ ୨ଟି ଲିଫ୍ଟ ମଧ୍ୟରୁ ଗୋଟିଏ ଲିଫ୍ଟ ଅଚଳ, ନିଶା ନିବାରଣ କେନ୍ଦ୍ରର ନୂତନ କୋଠାରେ ୨ଟି ଲିଫ୍ଟ ଅଚଳ, ୪ ମହଲା ବିଶିଷ୍ଟ ପିଏମଆର କୋଠାରେ ୨ଟି ଲିଫ୍ଟ ମଧ୍ୟରୁ ଗୋଟିଏ ଲିଫ୍ଟ ଅଚଳ ହୋଇପଡ଼ିଛି । ମାସ ମାସ ଧରି ଏଭଳି ଲିଫ୍ଟ ଗୁଡ଼ିକ ଅଚଳ ହୋଇ ପଡ଼ିରହିଥିବା ଯୋଗୁଁ ରୋଗୀଙ୍କୁ କେତେବେଳେ ସିଢ଼ିରେ ନିଆଯାଇଥାଏ ତ ଆଉ କେତେବେଳେ ରୋଗୀର ସମ୍ପର୍କୀୟ ମାନେ ଷ୍ଟ୍ରେଚରରେ ସୁଆଇ ରାମ୍ପରେ ନେବାକୁ ପଡ଼ିଥାଏ । ଲିଫ୍ଟ ଅଚଳ ହୋଇ ପଡ଼ିରହିଥିବା ଯୋଗୁଁ ନାନା ସମସ୍ୟା ଉପୁଜୁଥିବା ବେଳେ ତୁରନ୍ତ ଅଚଳ ହୋଇ ପଡ଼ିରହିଥିବା ଲିଫ୍ଟକୁ ସଚଳ କରିବା ନିମନ୍ତେ ଦାବି କରିଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ।
ଏମକେସିଜି ମେଡ଼ିକାଲକୁ ୧୦ଟି ଜିଲ୍ଲା ରୋଗୀ ସମେତ ପୋଡ଼ଶୀ ଆନ୍ଦ୍ରପ୍ରଦେଶର ମଧ୍ୟ ରୋଗୀ ମାନେ ଚିକିତ୍ସା ସେବା ପାଇଁ ଆସିଥାନ୍ତି । ଉତ୍ତମ ଚିକିତ୍ସା ସେବା ପାଇବା ଅପେକ୍ଷା ଏଠାରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହୋଇ ଯିବାକୁ ପଡ଼ୁଛି । ରୋଗୀ ଓ ରୋଗୀର ସମ୍ପର୍କୀୟ ମାନଙ୍କ ସୁବିଧା ନିମନ୍ତେ ମେଡ଼ିକାଲର ବିଭିନ୍ନ କୋଠାରେ ଲିଫ୍ଟ କରାଯାଇଥିବା ବେଳେ ଏହାର ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉନାହିଁ । ଏହାଛଡ଼ା ପରବର୍ତ୍ତୀ ସମୟରେ ଲିଫ୍ଟ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର ସୁବିଧା ନା ରୋଗୀ ପାଉଛନ୍ତି ନା ତାଙ୍କ ସମ୍ପର୍କୀୟ । ଲିଫ୍ଟ ମରାମତି ନିମନ୍ତେ ମଧ୍ୟ ସ୍ବତନ୍ତ୍ର ଭାବେ କର୍ମଚାରୀ ମଧ୍ୟ ରଖାଯାଇଥିବା ବେଳେ କେହି ମଧ୍ୟ ଏହାର ମରାମତି କରିବା ନିମନ୍ତେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଆଉ ଏହି ଲିଫ୍ଟ ମରାମତି ନେଇ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବଧିକାର କର୍ମଚୀ ରବୀନ୍ଦ୍ର ମିଶ୍ର । ସେପଟେ ମେଡ଼ିକାଲର କିଛି କୋଠାରେ ଲିଫ୍ଟ ଗୁଡ଼ିକ ଅଚଳ ହୋଇଥିବା ବେଳେ ଏହାକୁ ମରାମତି କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି । ଯଦିଓ କିଛି ଲିଫ୍ଟ ସ୍ଥାନୀୟ ଇଞ୍ଜିନିୟର ଦ୍ବାରା ମରାମତି ହୋଇପାରୁନାହିଁ ତେଣୁ କିଛି ବାହାରୁ ଇଞ୍ଜିନିୟରଙ୍କୁ ମଧ୍ୟ ଡ଼କାଯାଇଛି । ଯାହାଫଳରେ କିଛି ଲିଫ୍ଟକୁ ମରାମତି କରିବା ନିମନ୍ତେ ବିଳମ୍ବ ହେଉଛି । ଏହାଛଡ଼ା ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ଲିଫ୍ଟର ବ୍ୟବହାର ସଠିକ୍ ଭାବେ କରୁନଥିବା ଯୋଗୁଁ ମଧ୍ୟ ଅନେକ ଲିଫ୍ଟ ଖରାପ ହୋଇପଡ଼ୁଛି ବୋଲି କହିଛନ୍ତି ମେଡ଼ିକାଲର ଅଧିକ୍ଷକ।
ଲିଫ୍ଟ ଅଚଳ ହେବା ସମସ୍ୟା ଏମକେସିଜି ମେଡ଼ିକାଲରେ ମାସ ମାସ ଧରି ଲାଗି ରହିଥିବା ବେଳେ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେଉଛି ତାହାକୁ ହିଁ ଅପେକ୍ଷା କରିଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ।