ଦ କୁଇଭର ବ୍ୟୁରୋ :- ଆସନ୍ତା ମାର୍ଚ୍ଚ ୨୧ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଆଜି ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ବିଧାୟକ, ନେତା କର୍ମୀ ଯୋଗ ଦେଇଥିଲେ l ଅମିତ ଶାହାଙ୍କ ଗସ୍ତ କିପରି ଭବ୍ୟ ଓ ସଫଳ ହୋଇପାରିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି," କେନ୍ଦ୍ର ଗୃହମନ୍ତ୍ରୀ ସମ୍ବଲପୁର ଆସୁଛନ୍ତି l ଯାହା ବର୍ତ୍ତମାନ ସୁଦ୍ଧା ସୂଚନା ମିଳିଛି ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୧ ତାରିଖରେ ବିମାନ ଜରିଆରେ ଝାରସୁଗୁଡାରେ ପହଞ୍ଚିବେ । ସେଠାରୁ ସମ୍ବଲପୁର ଏମସିଏଲ ଗେଷ୍ଟ ହାଉସ ଆସି ରାତ୍ରି ଯାପନ କରିବେ l ତା' ପରଦିନ ଅର୍ଥାତ ୨୨ ତାରିଖ ସକାଳୁ ସମଲେଶ୍ୱରୀ ଦର୍ଶନ କରିବେ l ଏହା ପରେ ସେ ଅଇଁଠାପାଲ୍ଲି ପିଏଚଡ଼ି ପଡିଆରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ l ଏହାପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ସାଢେ ୧୦ ରୁ ସାଢେ ୧୧ ଯାଏଁ ଯୋଗ ଦେବେ l ଏହି କାର୍ଯ୍ୟକ୍ରମ ସରିଲା ପରେ ସେ ବୁର୍ଲା ଏମସିଏଲ ଗେଷ୍ଟ ହାଉସ ଯିବେ ଓ ସେଠାରେ ମଧ୍ୟାହ୍ନ ଭୋଜନ କରି ସରିଲା ପରେ ଅପରାହ୍ନ ୨ ଟାରେ ଭୁବନେଶ୍ୱର ଯିବେ । ଭୁବନେଶ୍ୱରରୁ ସେ ପୁରୀ ଯିବେ ସେଠାରେ ହିଁ ରାତ୍ରି ରହଣି କରିବେ l ତା' ପରଦିନ ସକାଳେ ପୁରୀରେ ପ୍ରଭୁ ଜଗନ୍ନାଥ ଦର୍ଶନ କରି ପରେ ଜଟଣୀରେ ଫରେନସିକ ୟୁନିଭରସିଟିର ଶିଳାନ୍ୟାସ କରିବେ । ଯାହା ଗୁଜୁରାଟ ପରେ ଦେଶର ଦ୍ଵିତୀୟ ୟୁନିଭରସିଟି ଅଟେ l ଏହା ପରେ ଅନ୍ୟ ସବୁ ପ୍ରକଳ୍ପର ଶିଳାନ୍ୟାସ କରିଲା ପରେ ଅପରାହ୍ନରେ ଦିଲ୍ଲୀ ଫେରିଯିବେ" ବୋଲି କହିଛନ୍ତି ମନମୋହନ ।
No comments yet.
State,Politics
ଦ କୁଇଭର ବ୍ୟୁରୋ:- ଦଳର ସଂଗଠନକୁ ନୂଆ ରୂପ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସଂଗଠନର କଳେବର ବୃଦ୍ଧି କରିବା ସହ ବହୁ ଦିଗକୁ ବିଚାର କରି କମିଟି ଗଠନ କରିଛନ୍ତି ନବୀନ। ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିଛନ୍ତି ବିଜେଡି ସଭାପତି। ଦୀର୍ଘ ବର୍ଷ ପରେ ବିଜୁ ଜନତା ଦଳ ସଂଗଠନକୁ ଫେରିଛି, ରାଜନୈତିକ ବ୍ୟାପାର କମିଟି- PAC। ଗଠିତ ହୋଇଛି ବିଜେଡିର ପଲିଟିକାଲ ଆଫାୟାର୍ସ କମିଟି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। କମିଟିରେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର, ସଂତୃପ୍ତ ମିଶ୍ର ପ୍ରମୁଖ ସଦସ୍ୟ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଭିନ୍ନ ଛାମୁଆ ସଂଗଠନର ଆବାହକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଜେଡି ସଭାପତି ୭୧ ଜଣିଆ ରାଜ୍ୟ ସ୍ତରୀୟ ସାଂଗଠନିକ କମିଟି ଗଠନ କରିଛନ୍ତି। ପୂର୍ବରୁ ସଂଗଠନ ସମ୍ପାଦକ ପଦ ଥିବା ବେଳେ ଏହାକୁ ଏଥର ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ପଦରେ ପ୍ରଣବ ପ୍ରକାଶ ଦାସ ଥିବାବେଳେ ନୂଆ ସାଙ୍ଗଠନିକ ଦାୟିତ୍ୱରେ କିନ୍ତୁ ଏହି ପଦ ଆଉ ରହିନାହିଁ। ୭୧ ଜଣିଆ ସାଂଗଠନିକ କମିଟିରେ-୭ ଜଣ ବରିଷ୍ଠ ଉପସଭାପତି,୮ ଜଣ ଉପସଭାପତି
ଜଣେ କୋଷାଧ୍ୟକ୍ଷ,୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ,୩୫ ଜଣ ସାଧାରଣ ସମ୍ପାଦକ ଙ୍କୁ ନିଯୁକ୍ତି ମିଳିଛି l
ବିଜେଡି ସଂଖ୍ୟାଲଘୁ ସେଲକୁ ମଧ୍ୟ ବିଜେଡି ସଭାପତି ପୁନର୍ଗଠନ କରିଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲର ଆବାହକ ନିଯୁକ୍ତ ହୋଇଛନ୍ତି ଦିଲ୍ଲୀପ ତିର୍କୀ। ସେହିପରି ସହ ଆବାହକ ରିଜୱାନା ବେଗମ, ଦକ୍ଷିଣ ଜୋନର ସଂଯୋଜକ ମୁଜିବୁଲ୍ଲା ଖାଁ, ପଶ୍ଚିମ ଜୋନର ସଂଯୋଜକ ଆୟୁବ ଖାଁ, ମଧ୍ୟ ଜୋନର ସଂଯୋଜକ ହୋଇଛନ୍ତି ସେକ୍ ନିଜ୍ଜାମୁଦ୍ଦୀନ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ଏହି ଟିମରେ ପ୍ରଫୁଲ ମଲ୍ଲିକ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ, ନୃସିଂହ ସାହୁଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନାହିଁ ଏବଂ ସେମାନେ ନିରାଶ ହୋଇଥିବା ସାଧାରଣରେ ଚର୍ଚ୍ଚା ଚାଲିଛି l ବିଜେଡି ବଳକା ଥିବା ଆଉ ୬ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ୩୩ ସଂଗଠନ ଜିଲ୍ଲା ମଧ୍ୟରୁ ପୂର୍ବରୁ ଦଳ ୧୮ ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତି ଦେଇଛି। ବଳକା ୧୫ ସାଂଗଠନିକ ଜିଲ୍ଲାରୁ ୬ ଜିଲ୍ଲା ସଭାପତି ଘୋଷଣା ହେବା ପରେ ଆଉ ୯ଟି ଜିଲ୍ଲା ବାକି ରହିଲା। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ୬ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦୁଝର ପାଇଁ ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୁରଭଞ୍ଜ-2 ପାଇଁ ଦେବାଶିଷ ମାର୍ଣ୍ଡି, ସମ୍ବଲପୁର ପାଇଁ ରୋହିତ ପୂଜାରୀ ଓ ବଲାଙ୍ଗିର ପାଇଁ ସରୋଜ କୁମାର ମେହେର ନିର୍ବାଚିତ ହୋଇଥିବା ସୂଚନା ମିଳିଛି l
State
ଗଞ୍ଜାମ ( ଦ କୁଇଭର):- ଆରମ୍ଭ ହେଲା ପୋଲିସ ର ଅପରାଧ ସଫେଇ ଅଭିଯାନ! ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କ କାର୍ଯ୍ଯକଳାପ କୁ ନେଇ ବାରମ୍ବାର ପୋଲିସ ର ସୁରକ୍ଷା ବ୍ଯବସ୍ଥା ଉପରକୁ ଅଙ୍ଗୁଳି ଉଠିବା ପରେ ଏବେ ଆକ୍ସନ ମୋଡ ରେ ପୋଲିସ। ଜିଲ୍ଲାରେ ବନ୍ଧୁକ ଧରି ଆତଙ୍କ ରଚିବା ସହ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେବାର ଯୋଜନା କରୁଥିବା ୧୮ ଅଭିଯୁକ୍ତ କୁ କାବୁ କରି ୧୭ ଟି ବନ୍ଧୁକ ୬୬ ଟି ଅଫୁଟା ଗୁଳି ସହ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗଞ୍ଜାମ ପୋଲିସ ଜିଲ୍ଲାର ଏହି ଅଭିଯାନ ପୋଲିସ କୁ ଆଗକୁ ସାମନ୍ଯ ଆଶ୍ବସ୍ତ ଦେବ ବୋଲି ଅନୁମାନ କରାଯାଉଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏହି ଅଭିଯାନ କେବେ ହାତକୁ ନିଆଯିବ ତାହା ଉପରେ ସମସ୍ତଙ୍କ ନଜର।
Sports
ଦ କୁଇଭର ବ୍ୟୁରୋ:- ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୨ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୨ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ୨୦୧୪ ରନର ପିଛା କରିବାକୁ ଯାଇ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୧ ରନ ହିଁ କରିପାରିଥିଲା । ଦଳ ପକ୍ଷରୁ ଆୟୁଷ ମାହାତ୍ରେ ୯୪ ଓ ରବୀନ୍ଦ୍ର ଜାଦେଜା ୭୭ ରନ କରିଥିଲେ । ଆରସିବି ପକ୍ଷରୁ ଲୁଙ୍ଗି ଏନଗିଡି ୩ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟି କରିଥିବା ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୧୩ ରନ କରିଥିଲା । ଦଳ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ବିରାଟ କୋହଲି ଓ ଜାକବ ବେଥେଲ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୭ ରନ କରିଥିଲେ । କୋହଲି ୬୨ ରନ ଓ ବେଥେଲ ୫୫ ରନ କରିଥିଲେ । ଦେବଦତ୍ତ ପଡ଼ିକଲ ୧୭ କରିଥିବାବେଳେ ରଜତ ପଟିଦାର ୧୧ ରନ କରିଥିଲେ । ତେବେ ଆରସିବି ପାଇଁ ସବୁଠାରୁ ବିସ୍ଫୋରକ ଇନିଂସ ଖେଳିଥିଲେ ରୋମାରିଓ ସେଫାର୍ଡ । ସେ ମାତ୍ର ୧୪ଟି ବଲରେ ୬ ଛକା ଓ ୪ ଚୌକା ସହ ୫୩ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମହିଶ ପଥିରଣା ୩ଟି ଓ୍ବିକେଟ ନେଇଥିବାବେଳେ ସାମ କୁରାନ ଓ ନୁର ଅହମ୍ମଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
State,Education
ପୁରୁଷୋତ୍ତମପୁର, ଗାଙ୍ଗଦହଣୀ ( ଦ କୁଇଭର):- ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚି ମାଁ ଙ୍କୁ ଦର୍ଶନ କରି ମାଁ ତାରା ତାରିଣୀ ଙ୍କ ପୂଜାଅର୍ଚ୍ଚନା କରିବା ପରେ ଆଶିଷ ଲାଭ କରିଥିଲେ ଏବଂ ମାଁ'ଙ୍କୁ ଦର୍ଶନ କରି ପରମ ସୌଭାଗ୍ୟ ଲାଭ କରିଥିବା କହିଥିଲେ । ମାଁ'ଙ୍କ ନିକଟରେ ବିକଶିତ ଓ ସମୃଦ୍ଧ ଓଡିଶା ପାଇଁ ପ୍ରାର୍ଥନା କରିଲି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲୋକଙ୍କ ବିକାଶ ସାଙ୍ଗକୁ ମାଆ'ଙ୍କ ନିକଟରେ ଉନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏହା ସହିତ ଆନୁସାଙ୍ଗିକ ବ୍ୟବସ୍ତା ପୂରଣ ଦିଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମାଁ'ଙ୍କ ଦର୍ଶନ ସାରି ପୁରୁଷୋତ୍ତମପୁର ବ୍ଲକ ଅର୍ନ୍ତଗତ ଗାଙ୍ଗଦହଣୀ ଗ୍ରାମ ରେ ଥିବା ଉନ୍ନୀତ ସରକାରୀ ବିଦ୍ୟାଳୟ ର ଶତବାର୍ଷିକ ସମାରୋହ ରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଅନେକ ଛାତ୍ର ଛାତ୍ରୀ ଙ୍କ ସହ ଉତ୍ତମ ଭବିଷ୍ୟତ ବିଷୟରେ ଚର୍ଚ୍ଚା ପରେ ସାମୁହିକ ସମାରୋହ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ଆସିକା ସାଂସଦ ଅନିତା ଶୁଭଦର୍ଶୀନି,ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠି, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାଏକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତଥା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l
ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ସରକାର ବହୁ ପଦକ୍ଷେପ ଗ୍ରହଣ କରିବେ ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିଦ୍ୟାଳୟ କୁ ଖୁବଶୀଘ୍ର " ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ" ର ମାନ୍ୟତା ଦିଆଯିବ ଏବଂ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି l ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁକମ୍ପା କାନୁନଗୋ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପୁରାତନ ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବିଦ୍ୟାଳୟ ର ଅନେକ ପ୍ରତିଭାବାନ ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ସେମାନଙ୍କର ପ୍ରତିଭା ପାଇଁ ସନମାନିତ କରାଯାଇଥିଲା l
Education
ଦ କୁଇଭର ବ୍ୟୁରୋ:- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆରମ୍ଭ ହୋଇଯାଇଛି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ (NEET UG) ଟେଷ୍ଟ ପରୀକ୍ଷା । ଅପରାହ୍ନ ୨ ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ଯାଏଁ ୩ ଘଣ୍ଟା ଧରି ପରୀକ୍ଷା ଜାରି ରହିବ । ପେନ ଓ ପେପର ଫର୍ମାଟରେ ପରୀକ୍ଷା ଦେଉଛନ୍ତି ଆଶାୟୀ ଛାତ୍ରଛାତ୍ରୀ । ଜୁନ ୧୪ ତାରିଖରେ ଫଳ ପ୍ରକାଶ ପାଇବ । ଚଳିତ ବର୍ଷ ପରୀକ୍ଷା ପାଇଁ ୨୨. ୭ ଲକ୍ଷରୁ ଅଧିକ ଡାକ୍ତରୀ ଆଶାୟୀ ପଞ୍ଜିକରଣ କରିଥିଲେ ।ଓଡ଼ିଶାରୁ ପ୍ରାୟ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନୀଟ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି। ଓଡିଶାରେ ଭୁବନେଶ୍ବର,କଟକ ,ବରଗଡ଼, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ଯାଜପୁର ଜଗତସିଂହପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ଅନୁଗୋଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ମାଲକାନଗିରି, ପୁରୀ ଗଂଜାମ, ରାୟଗଡ଼ା, ପାରଳାଖେମୁଣ୍ଡି, ସୁନରଗଡ ବଲାଙ୍ଗୀର ଓ କଳାହାଣ୍ଡି ଭଳି ଜିଲ୍ଲାରେ ନିଟ ପରୀକ୍ଷା ପାଇଁ କେନ୍ଦ୍ର ରହିଛି। ଏହା ସହିତ ବିଶେଷ ଭାବରେ କେନ୍ଦ୍ରକୁ ଅତ୍ୟାଧୁନିକ ଯନ୍ତ୍ରପାତି, ମୋବାଇଲ ଡିଜିଟାଲ ଘଣ୍ଟା ଓ କାଲକୁଲଟତର ନେବା ପାଇଁ ନିଷେଧ କରାଯାଇଛି।ଦେଶର 5ଶହରୁ ଅଧିକ ସହରରେ ୫୪୫୩ କେନ୍ଦ୍ର ଏବଂ ବିଦେଶର ୧୩ଟି ସହରରେ NEET(UG) ୨୦୨୫ ପରୀକ୍ଷା ଆରମ୍ଭ ହୋଇଛି ।
State,Shree Jagannath,National
ଦ କୁଇଭର ବ୍ୟୁରୋ:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ମାଝୀ ଚିଠି ଲେଖବାର କାରଣ ହେଲା ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ। ପଶ୍ଚିମବଙ୍ଗ ସରକାର ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରୁହନ୍ତୁ। ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ। ପୁରୀ ଜଗନ୍ନାଥଧାମର ସ୍ଥାନ ସ୍ବତନ୍ତ୍ର ଓ ପବିତ୍ର। ଅନ୍ୟ କେଣସି ସ୍ଥାନରେ ‘ଜଗନ୍ନାଥ ଧାମ ବ୍ୟବହାର ଶ୍ରଦ୍ଧାଳୁଙ୍କୁ ଆଘାତ ଦେଉଛି। କୋଟିକୋଟି ଭକ୍ତ, ତୀର୍ଥଯାତ୍ରୀଙ୍କ ଭାବାବେଗକୁ ଏହା କୁଠାରଘାତ କରୁଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହାଯିବା ଏବଂ ପ୍ରଚାରରେ ବ୍ୟବହାର ଦ୍ବନ୍ଦ୍ବ ସୃଷ୍ଟି କରୁଛି।
ସେହିପରି ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଓ ‘ଜଗନ୍ନାଥ ଧାମ’ ନାମକରଣ ପ୍ରସଙ୍ଗରେ ସୋମବାର ବଡ଼ ମନ୍ତବ୍ୟ ଦେଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜା କହିଛନ୍ତି, ପୁରୀ କେବଳ ‘ଜଗନ୍ନାଥ ଧାମ’। ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ। ଏହା ଶାସ୍ତ୍ରସମ୍ମତ ମତ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା ବି ସ୍ପଷ୍ଟ କରିଛି। ଏଣୁ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟି ଏବଂ ପୃଷ୍ଠପୋଷକମାନେ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କିମ୍ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରିବାରୁ ନିବୃତ୍ତ ରହିବାକୁ ଗଜପତି ନିବେଦନ କରିଛନ୍ତି।
National
ଦ କୁଇଭର ବ୍ୟୁରୋ:- ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର । ସବୁ ରାଜ୍ୟକୁ ସୁରକ୍ଷା ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମକଡ୍ରିଲରେ ସାଧାରଣ ଲୋକ ବି ସାମିଲ ହେବେ । ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ ହେବ । ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯିବ । ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ନକ୍ସା ପ୍ରସ୍ତୁତ ସରିଛି। କେବଳ ଠିକ୍ ସମୟକୁ ଅପେକ୍ଷା କରିଛି ସେନା। ଏସବୁ ଭିତରେ ରାଫେଲ ତାର ପରାକ୍ରମ ଦେଖାଇଛି। ଆକାଶ ପଥରୁ ଆକ୍ରମଣ ହେଲେ ସାଇରନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍କାକଆଉଟ ଭଲି ପରିସ୍ଥିତି ସୃଷ୍ଟି ହେଲେ ସେଥିରୁ କେମିତି ବର୍ତ୍ତିଲେ ସେ ନେଇ ବି ତାଲିମ ଦିଆଯିବ । ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାରି ଭିତରେ ଆତଙ୍କବାଦର ଅନ୍ତ କରିବାକୁ ଭାରତକୁ ଖୋଲା ସମର୍ଥନ ଦେଇଛନ୍ତି ଋଷ ଓ ଜାପାନ।
Sports
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ ର ୫୫ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଥିବା ଏହି ମ୍ୟାଚ୍ ସମୟରେ ପ୍ରବଳ ବର୍ଷା ହୋଇଥିଲା । ଅମ୍ପାୟାରଙ୍କ ଦ୍ୱାରା ଦୀର୍ଘ ସମୟ ଅପେକ୍ଷା କରିବା ପରେ, ମ୍ୟାଚ୍ ବାତିଲ ହୋଇଥିଲା । ଉଭୟ ଦଳ ମଧ୍ୟରେ ୧-୧ ପଏଣ୍ଟ ବଣ୍ଟାଯାଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ବର୍ଷା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ IPL 2025ର 55ତମ ମ୍ୟାଚ୍ ବାତିଲ ହୋଇଯାଇଛି । ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା । ଏହା ପରେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ବନ୍ଦ ହେବା ପରେ, ଉଭୟ ଦଳର ଅମ୍ପାୟାର ଏବଂ ଅଧିନାୟକ ଗ୍ରାଉଣ୍ଡ ଯାଞ୍ଚ କରିଥିଲେ । ପରେ ଅମ୍ପାୟାର ମ୍ୟାଚ୍ ବାତିଲ ଘୋଷଣା କରିଥିଲେ ଏବଂ ଦୁଇ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ ହୋଇଥିଲା । ଫଳରେ ୭ ସହ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ଏହି ମ୍ୟାଚ୍ରେ ୧ ପଏଣ୍ଟ ପାଇବା ପରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ପ୍ଲେଅଫ୍ ଯାତ୍ରା ଶେଷ ହୋଇଛି । ହାଇଦ୍ରାବାଦ ଦଳ ଆନୁଷ୍ଠାନିକ ଭାବରେ IPL ୨୦୨୫ ର ପ୍ଲେଅଫରୁ ବାଦ ପଡ଼ିଛି । ଦଳ ୧୧ ଟି ମ୍ୟାଚ୍ ପରେ ମୋଟ ୭ ପଏଣ୍ଟ ପାଇଛି । ଯେଉଁଥିରେ ତିନୋଟି ବିଜୟ, ଗୋଟିଏ ଡ୍ର ଏବଂ ୭ପରାଜୟ ରହିଛି । ହାଇଦ୍ରାବାଦ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୮ମ ସ୍ଥାନରେ ରହିଛି ।
ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୧ ପଏଣ୍ଟ ପାଇଛି । ଏହି ଗୋଟିଏ ପଏଣ୍ଟ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପଥକୁ ଜଟିଳ କରିଦେଇଛି । ୧୧ ଟି ମ୍ୟାଚ୍ ପରେ, ଦିଲ୍ଲୀ ୬ଟି ବିଜୟ, ୪ଟି ପରାଜୟ ଏବଂ ଗୋଟିଏ ଡ୍ର ସହିତ ମୋଟ ୧୩ ପଏଣ୍ଟ ପାଇଛି । ଏବେ, ପ୍ଲେଅଫରେ ସ୍ଥାନ ପାଇବାକୁ ହେଲେ, ଦିଲ୍ଲୀକୁ ପରବର୍ତ୍ତୀ ୩ଟି ମ୍ୟାଚ୍ରୁ ଅତି କମରେ ୨ ଟି ଜିତିବାକୁ ପଡିବ । ଏହା କରିବା ଦ୍ୱାରା ଦଳର ୧୭ ପଏଣ୍ଟ ହେବ ଏବଂ ପ୍ଲେଅଫରେ ପହଞ୍ଚିପାରିବେ । ଦିଲ୍ଲୀ ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ।
International,National
ଦ କୁଇଭର ବ୍ୟୁରୋ:- ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ନିଦ ହଜିଯାଇଛି। ଭାରତର ପ୍ରତିଶୋଧର ଭୟରେ ପାକିସ୍ତାନ ଥରୁଛି। ଅନୁମାନ କରାଯାଉଛି, ଏଥର ପାକିସ୍ତାନ ଭାରତର ପ୍ରତିଶୋଧକୁ କେବେ ଭୁଲିପାରିବ ନାହିଁ। ପହଲଗାମ ଆକ୍ରମଣ ମଧ୍ୟ ପିଓକେରେ ତାଲିମପ୍ରାପ୍ତ ଆତଙ୍କବାଦୀମାନେ କରିଥିଲେ। ତେଣୁ, ଏଥର ଭାରତୀୟ ସେନା କେବଳ ଆତଙ୍କବାଦର ସବୁଠାରୁ ବଡ଼ ଆଡ୍ଡାକୁ ଟାର୍ଗେଟ କରିବ। ଆଶା କରାଯାଉଛି ଏଥର ପାକିସ୍ତାନ ପାଇଁ ଏକ ସ୍ଥାୟୀ ସମାଧାନ କରାଯାଇପାରିବ। ପାକିସ୍ତାନ ଭୟ କରୁଛି ଯେ, ଏଥର ପିଓକେରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ସହିତ, ସେଠାରେ ଭାରତୀୟ ସେନାକୁ ମଧ୍ୟ ମୁତୟନ କରାଯାଇପାରେ। ତେଣୁ, ପିଓକେରେ ଯୁଦ୍ଧ ପାଇଁ ପ୍ରସ୍ତୁତି ନିରନ୍ତର ଚାଲିଛି। ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅସ୍ତ୍ର ବ୍ୟବହାର ପାଇଁ ତାଲିମ ଦିଆଯାଉଛି। ପାକିସ୍ତାନରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ସରକାର ପର୍ଯ୍ୟଟକମାନଙ୍କୁ ପିଓକେ ଯିବାକୁ ନିଷେଧ କରିଛନ୍ତି। ଏହି ନିଷ୍ପତ୍ତି ପଛରେ ଭାରତର କାର୍ଯ୍ୟାନୁଷ୍ଠାନ ମଧ୍ୟ କାରଣ ବୋଲି କୁହାଯାଉଛି। ଏହି କାରଣରୁ ପାକିସ୍ତାନ ଏବେଠାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦେଇଛି। ପହଲଗାମ ଆକ୍ରମଣ ପରଠାରୁ ପାକିସ୍ତାନ ଭୟରେ ବଞ୍ଚୁଛି। ପିଓକେ ହରାଇବାର ଭୟ ଏତେ ପ୍ରବଳ ହୋଇଛି ଯେ, ଲାଉଡସ୍ପିକରରୁ ଆଜାନ ମଧ୍ୟ ବନ୍ଦ କରିଦିଆଯାଇଛି।
ଏଥର ଭାରତର ଟାର୍ଗେଟରେ ଆତଙ୍କବାଦର ସବୁଠାରୁ ବଡ଼ ଆଡ୍ଡାସ୍ଥଳ ବୋଲି ବିଶ୍ୱାସ କରାଯାଉଛି। ଯଦି ପାକିସ୍ତାନ ପିଓକେ ହରାଏ, ତେବେ ସେ ବହୁତ ପଶ୍ଚାତାପ କରିବ। ଏହି ଭୟ ଯୋଗୁ ଲୋକମାନେ ପିଓକେରେ ରାସନ ସଂଗ୍ରହ କରିବା ଆରମ୍ଭ କରିସାରିଛନ୍ତି। ଏପରିକି ସମଗ୍ର ଅଞ୍ଚଳର ସମସ୍ତ ହୋଟେଲ ଏବଂ ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯାଇଛି। ପିଓକେରେ ଅନେକ କଟକଣା ଲାଗୁ କରାଯାଇଛି ଏବଂ ସମଗ୍ର ଅଞ୍ଚଳ ଏକ ବଡ଼ ଯୁଦ୍ଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛି। ପାକିସ୍ତାନ ପିଓକେକୁ ଅବରୋଧ କରିଛି। ଏଠାରେ ଅତ୍ୟାବଶ୍ୟକୀୟ ଔଷଧ, ରାସନ ସାମଗ୍ରୀ ଏବଂ ଗ୍ୟାସ ସିଲିଣ୍ଡର ପହଞ୍ଚାଯାଇଛି। ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ଲୋକମାନେ ରାସନ ଏବଂ ଜରୁରୀ ଔଷଧ ମହଜୁଦ କରୁଛନ୍ତି। ପ୍ରଶାସନ ସମଗ୍ର ଅଞ୍ଚଳରେ ଅନେକ କଟକଣା ଜାରି କରିଛି। ପ୍ରଶାସନ ପ୍ରାୟ ୧୦୦୦ ମଦ୍ରାସାକୁ ବନ୍ଦ କରିଦେଇଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ଏହାକୁ ଆତଙ୍କବାଦୀ ତାଲିମ କେନ୍ଦ୍ର କହି ଆକ୍ରମଣ କରିପାରେ। ଏହା ବ୍ୟତୀତ, ସମସ୍ତ ହୋଟେଲ ଖାଲି ପଡ଼ିଛି ଏବଂ ବନ୍ଦ କରିଦିଆଯାଇଛି। ବିବାହ ଉତ୍ସବ ପାଇଁ ହଲ୍ ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଆତସବାଜି ଉପରେ ମଧ୍ୟ ପ୍ରତିବନ୍ଧକ ଅଛି ଏବଂ ସବୁଠାରୁ ବଡ଼ କଥା ହେଉଛି, ଏବେ ପିଓକେରେ ଲାଉଡସ୍ପିକରରେ ଆଜାନ ଦେବାକୁ ମଧ୍ୟ ନିଷେଧ କରାଯାଇଛି।
ପିଓକେକୁ ନେଇ ପାକିସ୍ତାନ ପୁଣି ଥରେ ଭୟ ଏବଂ ଆତଙ୍କରେ ଅଛି। ଭାରତକୁ ପିଓକେକୁ ପୁଣି ଥରେ ଦଖଲ କରିବାର ସୁଯୋଗ ମିଳିଛି। ପାକିସ୍ତାନ ଦ୍ୱାରା ବଳପୂର୍ବକ ପିଓକେ ଦଖଲ କରାଯାଇଥିଲା। ଏବେ ସେହି ପାକିସ୍ତାନ ଅଧିକୃତ କଶ୍ମୀରରେ ତ୍ରିରଙ୍ଗା ଉଡିବାକୁ ଯାଉଛି। କାରଣ ଏଥର ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିବା ସହିତ, ଏହାକୁ ସବୁଦିନ ପାଇଁ ପୋଛି ଦେବା ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।
State
ଦ କୁଇଭର ବ୍ୟୁରୋ:- ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ଆଗାମୀ ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ । କିନ୍ତୁ ଆଗାମୀ ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ବର୍ଷା ନେଇ ସାରା ରାଜ୍ୟକୁ ସତର୍କ କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ବହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସତର୍କ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରେ ଧିରେଧିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
State
ବ୍ରହ୍ମପୁର( ଦ କୁଇଭର):- ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୧୦. ୦୫. ୨୫ ରିଖ ଶନିବାର ଦିନ ବ୍ରହ୍ମପୁର ଜିଲ୍ଲା ଓ ସିଭିଲ କୋର୍ଟ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ କୋର୍ଟ ଗୁଡିକରେ ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ମକଦ୍ଦମା ଯେପରିକି,ଦୀର୍ଘ ଦିନ ହେବ କୌଣସି ମକଦ୍ଦମା ଯଦି କୋର୍ଟରେ ବିଚାରଧୀନ ଅଛି ଅଥବା କୌଣସି ବିବାଦ ର ସହଜ ତଥା ଆପୋଷ ସମାଧାନ ପାଇଁ ଚାହୁଁଛନ୍ତି, ତା'ହେଲେ ଲୋକ ଅଦାଲତ ର ସାହାର୍ଯ୍ୟ ନେଇପାରିବେ l ଏହା ସହିତ ଦେୱାନୀ, ଫୌଜଦାରୀ (ସାଲିସ୍ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ଏହି ଲୋକ ଅଦାଲତରେ କରାଯିବ ଏବଂ ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବିବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ କରାଯିବ l ସରଳ ଓ ସହଜ ସମାଧାନ ତଥା ଆର୍ଥିକ ଏବଂ ସମୟ ଉପଚୟରୁ ମୁକ୍ତି ପାଇବା ପାଇଁ ଏହି ସୁଯୋଗର ଲାଭ ଉଠାନ୍ତୁ l ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିପାରିବେ l
International,National
ଦ କୁଇଭର ବ୍ୟୁରୋ:- ପିଏମ୍ ଆବାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ର ସମସ୍ତ ଦୃଶ୍ୟକୁ ଦେଖୁଥିଲେ ଏବଂ ସମସ୍ତ ବିଷୟରେ ସୂଚନା ଗ୍ରହଣ କରୁଥିବା ଜଣାଯାଇଛି। ଭାରତୀୟ ସେନା ଲଶ୍କର ମୁଖ୍ୟାଳୟ ଓ ମସୁଦ ଅଜହରର ଶିବିର ଉପରେ ଆକ୍ରମଣ କରିଛି। ଏଥିରେ ପ୍ରାୟ ୫୦ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କରି ଭାରତୀୟସେନାକୁ ଏଭଳି ବଡ଼ ସଫଳତା ମିଳିଛି। ଅଧ ରାତିରେ ‘ଅପରେସନ ସିନ୍ଦୂର’ ଜରିଆରେ ଭାରତ ନେଲା ପହଲଗାମ୍ ପ୍ରତିଶୋଧ । ଅଧ ରାତିରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ । ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କଲେ ଭାରତୀୟ ବାୟୁବୀର । ଭାରତୀୟ ବାୟୁସେନା ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ଆକାଶପଥରୁ ଆକ୍ରମଣ କରାଯାଇଛି । ଭାରତୀୟ ବାୟୁସେନାର ଲଢୁଆ ବିମାନ ଗୁଡିକ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ସେଗୁଡିକୁ ଧ୍ବଂସ କରିଦେଇଥିବା ସୂଚନା ଦିଆଯାଇଛି । ଏହି ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ଅଣ ଆତଙ୍କବାଦୀ କାର୍ଯ୍ୟକଳାପ ସ୍ଥଳୀରେ ଆକ୍ରମଣ କରାଯାଇ ନାହିଁ । ଏହି କାର୍ଯ୍ୟାନୁଷ୍ଠାନପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି - "ନ୍ୟାୟ ହେଲା ଜୟ ହିନ୍ଦ୍"। ଏଣେ ପ୍ରତିରକ୍ଷା ମନ୍ତ୍ରୀ ‘‘ଭାରତମାତାକୀ ଜୟ’ ବୋଲି କହିଛନ୍ତି। ଠିକ୍ ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ‘ଜୟ ହିନ୍ଦ୍"। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ‘ଜୟ ହିନ୍ଦ୍ ‘ଜୟ ହିନ୍ଦ୍ କୀ ସେନା" କହିଛନ୍ତି।
ପାକିସ୍ତାନ ବିରୋଧରେ କଡ଼ା ପ୍ରତିଶୋଧ ନେବାକୁ ଯାଇ, ଭାରତ ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ସଠିକ୍ ଆକ୍ରମଣ କରି 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଛି। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିବାର କିଛି ଦିନ ପରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ।
National
ଦ କୁଇଭର ବ୍ୟୁରୋ:- ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେ କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆଜିଠାରୁ ଦେଶର ଅନେକ ରାଜ୍ୟରେ ମକ୍ ଡ୍ରିଲ୍ ଆରମ୍ଭ ହୋଇଛି। ଦିଲ୍ଲୀ ଓ ପାଟନାଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବ୍ଲାକ୍ଆଉଟ୍ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଦେଶର ୨୪୪ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍ କରାଯାଇଛି। ଏହି ଅପରେସନ୍ର ନାମ ‘ଅପରେସନ୍ ଅଭ୍ୟାସ’ ରଖାଯାଇଛି। ମକ ଡ୍ରିଲ୍ ସମୟରେ ଅନେକ ସ୍ଥାନରେ ସାଇରନ୍ ଶୁଣିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ, ଝାଡ଼ଖଣ୍ଡ, ହରିୟାଣା, ବିହାର, ଆନ୍ଧ୍ରପ୍ରଦେଶ ଭଳି ଅନେକ ରାଜ୍ୟରେ ଏହି ଅଭ୍ୟାସ ବ୍ୟାପକ କରାଯାଉଛି। ଏହି ରାଜ୍ୟଗୁଡ଼ିକ ବ୍ୟତୀତ ଆସାମର ୧୪ଟି ଜିଲ୍ଲା, ଓଡ଼ିଶାର ୧୨ଟି ଜିଲ୍ଲା, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ମିଜୋରାମର ଆଇଜଲରେ ମକ୍ ଡ୍ରିଲ୍ କରାଯାଇଥିଲା। ଏହି ସମୟ ମଧ୍ୟରେ ଏୟାର୍ ଷ୍ଟ୍ରାଇକ୍, ଅଗ୍ନିଶମ ଜରୁରିକାଳୀନ ପରିସ୍ଥିତି, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଭଳି ଅନେକ ପରିସ୍ଥିତିର ଆକଳନ କରାଯାଇଥିଲା। ହରିୟାଣାର ୧୧ଟି ଜିଲ୍ଲାରେ ବି ଏହି ମକ୍ ଡ୍ରିଲ୍ କରାଯାଇଥିଲା। ରାଜ୍ୟର ଗୁରୁଗ୍ରାମ, ପଞ୍ଚକୁଲା, ଅମ୍ବାଲା, ଓ ରୋହତକର ବ୍ୟସ୍ତବହୁଳ ସପିଂ ମଲ୍, ବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍ ବାଜିବା ପରେ ବେସାମରିକ ସୁରକ୍ଷା କର୍ମୀ, ପୁଲିସ, ଅଗ୍ନିଶମ ଓ ଜରୁରିକାଳୀନ ସେବା କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ହାଇଦ୍ରାବାଦର ୪ଟି ସ୍ଥାନରେ ମକ୍ ଡ୍ରିଲ୍ କରାଯାଇଥିଲା। ସିକନ୍ଦରାବାଦ, ଗୋଲକୁଣ୍ଡା, କାଞ୍ଚନବାଗ ଓ ନଚରମ ଏନ୍ଏଫ୍ସି ଅଞ୍ଚଳରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍ ବାଜିଲେ ନାଗରିକମାନଙ୍କୁ ଘର ଭିତରେ ରହିବା, ଆଶ୍ରୟ ନେବା ଓ ଲୁଚି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ତାମିଲନାଡ଼ୁର ଦୁଇଟି ପ୍ରମୁଖ ପ୍ରତିଷ୍ଠାନରେ ମକ୍ ଡ୍ରିଲ୍ କରାଯାଇଥିଲା। କଳ୍ପକମ୍ସ୍ଥିତ ମାଡ୍ରାସ ଆଣବିକ ଶକ୍ତି କେନ୍ଦ୍ର ଓ ଚେନ୍ନାଇ ବନ୍ଦରରେ ଏହି ଅଭ୍ୟାସ କରାଯାଇଥିଲା।
Sports
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ ର ୫୬ ତମ ମ୍ୟାଚ୍ରେ ବାଜି ମାରିଲା ଗୁଜୁରାଟ । ମୁମ୍ବାଇ ଇଣ୍ଡିଆନ୍ସକୁ ଘରୋଇ ମାଟି ୱାଙ୍ଖେଡେ ଷ୍ଟାଡିୟମରେ ହରାଇଛି ଗୁଜରାଟ ଟାଇଟାନ୍ସ । ପ୍ରଥମେ ବ୍ୟାଟିଂ କରି ୧୫୫ ରନ୍ କରିଥିଲା ମୁମ୍ବାଇ । ୧୫୬ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଗୁଜରାଟ ପ୍ଲେୟର୍ସ । ୧୮ ଓଭର ବେଳକୁ ଗୁଜୁରାଟ ୬ ୱିକେଟ ହରାଇ ୧୩୨ ରନ କରିଥିବା ବେଳେ ବର୍ଷା ପାଇଁ ଖେଳ କିଛି ସମୟ ସ୍ଥଗିତ ରହିଥିଲା । ୧୯ ତମ ଓଭରରେ ଗୁଜୁରାଟକୁ ୧୪୭ ରନର ଟାର୍ଗେଟ ଦିଆଯାଇଥିଲା । ୧ ଓଭରେ ୧୫ ରନ ଲକ୍ଷ୍ୟ ରଖି ଖେଳିଥବା ଗୁଜୁରାଟ ୩ ୱିକେଟ ଥାଇ ମ୍ୟାଚ୍କୁ ଜିତି ନେଇଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭରୁ ଖରାପ ପ୍ରଦର୍ଶନ ଥିଲା ପ୍ରଥମ ଓଭରରେ ହିଁ ରିଆନ ରିକେଲଟନ ୨ଟି ବଲ ଖେଳି ମାତ୍ର ୨ ରନ କରି ଆଉଟ ହୋଇଥିଲେ । ସେପଟେ ୧୫୬ ରନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜୁରାଟ । ଟାର୍ଗେଟର ପିଛା କରି, ଗୁଜରାଟ ଟାଇଟାନ୍ସ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା, କିନ୍ତୁ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା । ପରେ ମ୍ୟାଚ୍ ପୁନରାରମ୍ଭ ହେବା ପରେ, ମୁମ୍ବାଇ ଇଣ୍ଡିଆନ୍ସ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଲଗାତାର ଗୁଜରାଟ ଟାଇଟାନ୍ସର ୫ ୱିକେଟ୍ ନେଇଥିଲା । କିନ୍ତୁ ପୁଣିଥରେ ବର୍ଷା ହେବା ଫଳରେ ମ୍ୟାଚ କିଛି ସମୟ ସ୍ଥଗିତ ରହିଥିଲା । ପୁଣିଥରେ ମ୍ୟାଚ୍ ଆରମ୍ଭ ହେବା ପରେ ଗୁଜରାଟକୁ ଗୋଟିଏ ଓଭରରେ ୧୫ ରନ୍ ଆବଶ୍ୟକ ଥିଲା । ଏପରି ପରିସ୍ଥିତିରେ, ଗୁଜରାଟ ଟାଇଟାନ୍ସ ହାର ନ ମାନି ୧ ଓଭରରେ ୧୫ ରନ କରି ୩ ୱିକେଟ ଥାଇ ବିଜୟୀ ହୋଇଛି ।
State
କେନ୍ଦୁଝର ( ଦ କୁଇଭର):- ଜନ୍ମମାଟିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ଲୋକଙ୍କ ସୁବିଧା ପାଇଁ କେନ୍ଦୁଝର ଜିଲ୍ଲାକୁ ଗୋଟିଏ ଦିନରେ ୧ ହଜାର ୧୫୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ରାସ୍ତାଘାଟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜୀବିକା ସୃଷ୍ଟି ଆଦି ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ଏହି ସବୁ ପ୍ରକଳ୍ପଗୁଡ଼ିକ କେନ୍ଦୁଝର ଜିଲ୍ଲାର ଗାଁ ଗାଁରେ ବିକାଶର ଧାରାକୁ ଆଗେଇ ନେବ । କେନ୍ଦୁଝର ଜିଲ୍ଲା ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ରାଜ୍ୟର ବିକାଶକୁ ନେତୃତ୍ୱ ଦେବ । ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । କେନ୍ଦୁଝର ଜିଲ୍ଲାକୁ ୧୧୫୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁ୍ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ ୪୫୦ କୋଟି ଟଙ୍କାରେ ୨୧୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୮୭ କୋଟି ଟଙ୍କାର ୧୦୪ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହାସହ ୬୨୦ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଘୋଷାଣା କରିଛିନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମିଳିବ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମଖ୍ୟମନ୍ତ୍ରୀ । ସେହିପରି ଖଣି କାରବାର ଯୋଗୁଁ ଅଧିକ ଯାନବାହନ ଚଳାଚଳ ହେଉଥିବା କେନ୍ଦୁଝର ଭଳି ଜିଲ୍ଲାରେ ଟ୍ରମା କେୟାର ବ୍ୟବସ୍ଥା ଲୋକଙ୍କ ଜୀବନ ବଞ୍ଚାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ସବୁ ଖଣିଜ ଜିଲ୍ଲାଗୁଡ଼ିକର ମେଡିକାଲ କଲେଜ୍ରେ ଉନ୍ନତ ଟ୍ରମା କେୟାର ବ୍ୟବସ୍ଥା ରହିବ । ଆଗାମୀ ଦିନରେ ୫ ହଜାର ଡାକ୍ତର ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖୁବଶୀଘ୍ର ଆଉ ୪ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ । ସେଗୁଡିକ ହେଲା ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁର l
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଟାଉନରେ ନବ ନିର୍ମିତ ଥାନାଗୃହ ଏବଂ ରିଜର୍ଭ ପୋଲିସ ଅଫିସ ଉଦ୍ଘାଟନ କରିଛନ୍ତି । ସମୁଦାୟ ୩ କୋଟି ୩୪ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଥାନା ଓ ୨ କୋଟି ୭୬ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ନିର୍ମିତ ରିଜର୍ଭ ପୋଲିସ ଅଫିସର ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ନବନିର୍ମିତ ଥାନାରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରୀ, ଆଧୁନିକ ମାଲଖାନା,ଅଭ୍ୟର୍ଥନା କେନ୍ଦ୍ର (Reception Centre) ଏବଂ ମହିଳା ଓ ଶିଶୁ ସହାୟତା ଡେସ୍କ (Help desk) ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ଶିଶୁସଦନ, ଯାନବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଅବସରରେ ପୋଲିସ କର୍ମଚାରୀଙ୍କ ପାଇଁ ୧୭ଟି SUV ଗାଡ଼ି ଏବଂ ୮୦ଟି ମୋଟର ସାଇକେଲକୁ ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।
State
ଦ କୁଇଭର ବ୍ୟୁରୋ:- ରାଜ୍ୟ କ୍ୟାବିନେଟ୍ରେ ବୁଧବାର ୫ଟି ବିଭାଗର ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି, ରାଜ୍ୟ ସରକାର ୫ ବିଭାଗର ୮ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି।
ସୂଚନା ଯୋଗ୍ୟ,ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ୧୦୦୦ କୋଟି ବ୍ୟୟରେ ଆନୁମାନିକ ୫୦୦ କିମି ନୂତନ ରାସ୍ତା ନିର୍ମାଣ ହେବ। ନିର୍ବାଚନ ମଣ୍ଡଳୀରେ ଥିବା ସଡ଼କ ନିର୍ମାଣ ଓ ମରାମତି ପାଇଁ ନୂତନ ଯୋଜନାକୁ ମଞ୍ଜୁରୀ। ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ୧୦୦୦ କୋଟି ବ୍ୟୟରେ ଆନୁମାନିକ ୫୦୦ କିମି ନୂତନ ରାସ୍ତା ନିର୍ମାଣ ହେବ। ନିର୍ବାଚନ ମଣ୍ଡଳୀରେ ଥିବା ସଡ଼କ ନିର୍ମାଣ ଓ ମରାମତି ପାଇଁ ନୂତନ ଯୋଜନାକୁ ମଞ୍ଜୁରୀ।
Sports
ଦ କୁଇଭର ବ୍ୟୁରୋ:- ଚଳିତ ଆଇପିଏଲ ସିଜିନର ୫୪ ତମ ମ୍ୟାଚରେ ପଞ୍ଜାବ କିଙ୍କ୍ସ ର ଦମଦାର ବିଜୟ । ୩୭ ରନରେ ଲକ୍ଷ୍ନୌକୁ ହରାଇଲା ପଞ୍ଜାବ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପରଜାଏଣ୍ଟ୍ସ । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌକୁ ୨୩୭ ରନ୍ର ଟାର୍ଗେଟ ଦେଇଥିଲା । ପଞ୍ଜାବର ପ୍ରଭସିମରନ ସିଂହ ଧୂଆଁଧାର ବ୍ୟାଟିଂ କରି ୪୮ ବଲରେ ୯୧ ରନ କରିଥିଲେ । ୨୦ ଓଭରରେ ୭ ୱିକେଟ ହରାଇ ୧୯୯ ରନ୍ କରି ୩୭ ରନରେ ପଞ୍ଜାବଠାରୁ ପରାଜିତ ହୋଇଛି ଲକ୍ଷ୍ନୌ । ମ୍ୟାଚ ଆରମ୍ଭରୁ ପଞ୍ଜାକୁ ଝଟକା ଲାଗିଥିଲା । ପ୍ରଥମ ଓଭରରେ ହିଁ ପ୍ରିୟାଂଶ ଆର୍ଯ୍ୟଙ୍କୁ ନିଜର ଶିକାର କରିଥିଲେ ଆକାଶ ସିଂହ । ମାତ୍ର ୧ ରନ କରି ଆଉଟ ହୋଇଥିଲେ ଆର୍ଯ୍ୟ । ପରେ ଜୋଶ ଇଙ୍ଗଲିସ୍ ପଡିଆକୁ ଓହ୍ଲାଇଥିଲେ । ପ୍ରଭସିମରନ ସିଂହ ଓ ଇଙ୍ଗଲିସ୍ ମିଳିତ ୪୮ ରନ କରିଥିଲେ । ଆକାଶ ସିଂହ, ୱିକେଟକିପର ବ୍ୟାଟସମ୍ୟାନ୍ ଇଙ୍ଗଲିସ୍ଙ୍କୁ ଆଉଟ କରିଥିଲେ । ଇଙ୍ଗଲିସ୍ ଗୋଟିଏ ଚୌକା ଏବଂ ୪ ଟି ଛକା ସହାୟତାରେ ୩୦ ରନ କରିବା ପରେ ଆଉଟ ହୋଇଥିଲେ । ଲକ୍ଷ୍ନୌ ପାଇଁ ଆକାଶ ସିଂହ ଏବଂ ଦିଗବେଶ ରାଠି ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପ୍ରିନ୍ସ ଯାଦବଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ରିଷଭ ପନ୍ତ ୧୭ ବଲ୍ ଖେଳି ୨ ଟି ଚୌକା ଓ ଗୋଟିଏ ଛକା ସହ ୧୮ ରନ କରି ଆଉଟ ହୋଇଥିଲେ । ମୋଟ ୨୦ ଓଭର ଖେଳି ୭ ୱିକେଟ ହରାଇ ୩୭ ରନରେ ପଞ୍ଜାବ ଠାରୁ ପରାଜିତ ହୋଇଛି ଲକ୍ଷ୍ନୌ ।
Shree Jagannath
ପୁରୀ, ( ଦ କୁଇଭର):- ପଶ୍ଚିମବଙ୍ଗର ଦୀଘାରେ ‘ଜଗନ୍ନାଥ ଧାମ’ ଲେଖିବା ପ୍ରସଙ୍ଗରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ (ପଦ୍ମଶ୍ରୀ) ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି, ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ ପ୍ରଶଂସାଯୋଗ୍ୟ, କିନ୍ତୁ ଏହାକୁ ଜଗନ୍ନାଥ ଧାମ ଲେଖାଯିବା ଆଦୌ ଗ୍ରହଣୀୟ ନୁହେଁ। ଏଣୁ ଏହି ଘଟଣା ପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବା ଲାଗି ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। ଏହାର ଉତରରେ ଗଜପତି କହିଛନ୍ତି କି, ଏନେଇ ଦୋଷ ପ୍ରମାଣିତ ହେବା ପରେ ଉଚିତ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତତନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା କରାଯାଉ। କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଉ ବୋଲି ସେ ଏକ ଚିଠି ଲେଖିଛନ୍ତି।
ଗତ କିଛିଦିନଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛି ଦିନ ଧରି ଦ୍ବନ୍ଦାତ୍ମକ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଚର୍ଚ୍ଚା ବିଷୟ ସଂପୂର୍ଣ୍ଣ ଅଗ୍ରହଣୀୟ ଅଟେ ଏବଂ ଏଭଳି କଥାଗୁଡ଼ିକ ଜଗନ୍ନାଥପ୍ରେମୀ, ଭକ୍ତ ସମାଜ ଓ ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କ ମନରେ କଷ୍ଟ ଦେଇଛି ବୋଲି ଅନୁଭବ ହେଉଛି।
ତେବେ ରବିବାର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ମହାପାତ୍ରଙ୍କୁ ମଧ୍ୟ ପଚରା ଉଚରା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏନେଇ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୂର୍ବାହ୍ନରେ ଉପସ୍ଥିତ ରହିବାକୁ ନୋଟିସ୍ ଦିଆଯାଇଛି ଶ୍ରୀମନ୍ଦିର ପ୍ରଶାସନ ତରଫରୁ । ସେହିଭଳି ସବୁ ସେବାୟତ ନିଯୋଗକୁ ମଧ୍ୟ ନୋଟିସ୍ ଦିଆଯାଇଛି ।
Sports
ଦ କୁଇଭର ବ୍ୟୁରୋ:- ଟେଷ୍ଟ କ୍ରିକେଟରୁ ଅବସର ନେଲେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ହିଟମ୍ୟାନ ରୋହିତ ଶର୍ମା । ଆଜି ଏକ ଅପ୍ରତ୍ୟାଶିତ ଖବରକ୍ରମେ ସେ କ୍ରିକେଟର ଲମ୍ବା ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ପୂର୍ବରୁ ସେ ଟି-୨୦ରୁ ଅବସର ନେଇସାରିଛନ୍ତି। ତେବେ ସେ ଦିନିକିଆ କ୍ରିକେଟ ଖେଳିବେ । ରୋହିତ ଶର୍ମା ବିଗତ କିଛି ସମୟ ପାଇଁ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ତାଙ୍କ ଅଧିନାୟକତ୍ୱରେ, ଭାରତ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ଟେଷ୍ଟ ସିରିଜ୍ ହାରିଥିଲା। ଏହା ପରେ, ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ ଏବଂ ହାରିଗଲା। ସେବେଠାରୁ, ଦଳରେ ତାଙ୍କର ନିରନ୍ତର ଉପସ୍ଥିତି ଉପରେ ପ୍ରଶ୍ନ ଉଠାଯାଉଥିଲା। ଏବେ ରୋହିତ ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହି ନିଷ୍ପତ୍ତି ଏପରି ଏକ ସମୟରେ ନେଇଛନ୍ତି ଯେତେବେଳେ ଭାରତୀୟ ଦଳ ଜୁନ୍ ମାସରେ ଆଇପିଏଲ ୨୦୨୫ ପରେ ଏକ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ।