ଦ କୁଇଭର ବ୍ୟୁରୋ :- ଆଜି ନୌସେନା ଦିବସ । ଶ୍ରୀକ୍ଷେତ୍ରରେ ପରାକ୍ରମ ଦେଖାଇବେ ନୌବୀର । ବିଶ୍ବ ଦେଖିବ ଭାରତର ଦମ । କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶାରେ ଆସି ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ରାଜଭବନରେ ରାତ୍ରୀ ଯାପନ ପରେ ଆଜି ସକାଳୁ ପୁରୀ ଯିବେ ମହାମହିମ । ବ୍ଲୁଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ସାମିଲ ହୋଇ ଦେଖିବେ ନୌବୀରଙ୍କ ପରାକ୍ରମ ।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହର୍ସାଲ କରାଯାଇଛି । ପ୍ରବଳ ଭିଡ ହେବାକୁ ଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ଅପରେସନ୍ ଟ୍ରାଇଡେଣ୍ଟ୍ ଆରମ୍ଭ ହେବାର ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି।ଏହି ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନୌସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି। ଭାରତର ତିନି ସେନା, ସ୍ଥଳସେନା, ବାୟୁସେନା ଏବଂ ନୌସେନା ଦେଶକୁ ସୁରକ୍ଷା ଦେବା ପାଇଁ ସର୍ବଦା ପ୍ରସ୍ତୁତ। ଭାରତୀୟ ସେନାର ନାଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି।
No comments yet.
National
ରାଜସ୍ଥାନ ( ଦ କୁଇଭର ):- ଘର ବାହାରେ ହସଖୁସିରେ ଖେଳୁଥିଲା ୩ ବର୍ଷର ଶିଶୁ କନ୍ୟା। ମାତ୍ର ଆଖି ପିଛୁଳାକେ ଘଟିଗଲା ଅଘଟଣ। ଖେଳୁ ଖେଳୁ ଏକ ବୋରୱେଲରେ ଖସି ପଡ଼ିଲା ଶିଶୁ କନ୍ୟା ଚେତନା । ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏପରି ଏକ ଅଘଟଣ ରାଜସ୍ଥାନର କୋଟପୁତଳି ନିକଟ ବଡିୟାଲି ଢାଣି ଗାଁରେ ଘଟିଛି। ସୋମବାର ଅପରାହ୍ନ ସମୟରେ ଶିଶୁ କନ୍ୟା ଚେତନା ଘର ବାହାରେ ଖେଳୁଥିଲା। ଏହି ସମୟରେ ପାଖରେ ଥିବା ଏକ ୧୫୦ ଫୁଟ ଗଭୀର ବୋରୱେଲରେ ସେ ଖସି ପଡ଼ିଥିଲା। ପିଲାଟିର ଚିତ୍କାର ଶୁଣି ତା’ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏନେଇ ତୁରନ୍ତ ସେମାନେ ପୁଲିସ୍ ଓ ପ୍ରଶାସନକୁ ଖବର ଦେଇଥିଲେ, ଅନେକ ସମୟ ବିତିଗଲାଣି ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପ୍ରଶାସନ ଓ ପୁଲିସ୍ ଟିମ୍ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି। ମାତ୍ର ଚେତନାକୁ ଉଦ୍ଧାର କରାଯାଇ ପାରି ନାହିଁ ।
National
ଦକୁଇଭର ବ୍ୟୁରୋ :- କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।ରାଜସ୍ଥାନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଅଣବନ୍ଧିତ ଅନୁଦାନର ଦ୍ବିତୀୟ କିସ୍ତି ଅର୍ଥାତ୍ ୫୬୦.୬୩ କୋଟି ଟଙ୍କା ଏବଂ ୧ମ କିସ୍ତିର ଅଟକି ରହିଥିବା ରାଶି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୫୩.୪୧୨୩ କୋଟି ଟଙ୍କାର ଅଣବନ୍ଧିତ ଅନୁଦାନର କିସ୍ତି ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ୧୦୧୦୫ ଯୋଗ୍ୟ ଗ୍ରାମ ପଞ୍ଚାୟତ, ୩୧୫ ଯୋଗ୍ୟ ବ୍ଲକ ପଞ୍ଚାୟତ ଓ ୨୦ ଜଣ ଯୋଗ୍ୟ ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।ବେତନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠା ଖର୍ଚ୍ଚ ବ୍ୟତୀତ ସମ୍ବିଧାନର ଏକାଦଶ ଅନୁସୂଚୀରେ ଥିବା ଅଣତିରିଶ (୨୯) ବିଷୟ ଅଧୀନରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)/ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି) ଦ୍ୱାରା ସ୍ଥାନ-ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଅଣବନ୍ଧିତ ଅନୁଦାନ ବ୍ୟବହାର କରାଯିବ। (କ) ଓଡିଏଫ ସ୍ଥିତିର ପରିମଳ ଏବଂ ରକ୍ଷଣାବେକ୍ଷଣର ମୌଳିକ ସେବା ପାଇଁ ଅନୁଦାନ ବ୍ୟବହାର କରାଯାଇପାରିବ, ଏବଂ ଏଥିରେ ଘରୋଇ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ବିଶୋଧନ, ବିଶେଷକରି ମାନବ ମଳ ଏବଂ ବର୍ଜ୍ୟ ପରିଚାଳନା ଏବଂ (ଖ) ପାନୀୟ ଜଳ ଯୋଗାଣ, ବର୍ଷା ଜଳ ସଂରକ୍ଷଣ ଏବଂ ଜଳ ପୁନଃବ୍ୟବହାର ଅନ୍ତର୍ଭୁକ୍ତ ହେବ। ପଂଚାୟତିରାଜ ଅନୁଷ୍ଠାନ(ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା(ଆରଏଲବି)କୁ ପ୍ରଦାନ କରାଯାଉଥିବା ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଆର୍ଥିକ ସହାୟତା ଗ୍ରାମୀଣ ସ୍ଥାନୀୟ ଶାସନରେ ଉନ୍ନତି ଆଣିବା, ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ଗ୍ରାମରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି ।
State
ଭୁବନେଶ୍ୱର(ଦ କୁଇଭର): ଡବଲ ଇଞ୍ଜିନ ସରକାରରେ ଜୋରସୋର ହେଲାଣି ଖାଉଟୀ ଶୋଷଣ । ଖୋଲାଖୋଲି ଲୁଟ କରୁଛନ୍ତି ଗ୍ୟାସ ବିତରକମାନେ । ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଗ୍ୟାସ ସଟେଜ ନାମରେ ଗ୍ରାହକଙ୍କୁ ଭୂଆଁ ବୁଲାଉଛନ୍ତି । ଅଧିକ ମୂଲ୍ୟ ନେଇ ଗ୍ୟାସ ବିକୁଛନ୍ତି । ଅନ୍ୟଥା ଘର ଦୂଆରେ ଗ୍ୟାସ ଦେବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ଖାଉଟୀଙ୍କୁ ଗୋଦାମରୁ ଯାଇ ଆଣିବାକୁ ବାଧ୍ୟ କରୁଛନ୍ତି । କେବଳ ସେତିକି ନୁହେଁ, ଗ୍ୟାସ ବୁକିଂର ୪/୫ଦିନ ଯାଏ ଗ୍ୟାସ ନଦେଇ ଖାଉଟୀଙ୍କୁ ହନ୍ତସନ୍ତ କରୁଛନ୍ତି । ପ୍ରଶ୍ନ କଲେ ଲୋଡ଼ ଆସିନାହିଁ, ଗ୍ୟାସ ସଟେଜ ଏମିତି ନାନା ବାହାନା ଦେଖାଉଛନ୍ତି । ଭୁବନେଶ୍ୱର ଯୋଗାଣ ବିଭାଗର ବାବୁମାନେ ଗ୍ୟାସ ବିତରକମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ଗ୍ରାହକ ଶୋଷଣ ପାଇଁ ବାଟ ଖୋଲିଥିବା ଅଭିଯୋଗ ହେଉଛି । ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗ ବୋଲା ଯୋଗାଣ ମନ୍ତ୍ରୀଙ୍କ ନୀରବତା ତାଙ୍କ ସାଧୁତା ନେଇ ପ୍ରଶ୍ନ ଉଠାଇଲାଣି ।
ନିଳାଦ୍ରୀ ବିହାର ସ୍ଥିତ ବୀରସଚି ଗ୍ୟାସ ବିତରକଙ୍କ ନିକଟରେ ଗତ ଶୁକ୍ରବାରରୁ ଗ୍ୟାସ ବୁକିଂ ହୋଇଥିଲା । ନିୟମ ଅନୁଯାୟୀ ରବିବାର ମଧ୍ୟରେ ଏହି ଗ୍ୟାସ ସିଲିଣ୍ଡର ଦିଆଯିବା କଥା । ମାତ୍ର ମଙ୍ଗଳବାର ଯାଏ ଗ୍ୟାସ ମିଳିଲା ନାହିଁ । ଏନେଇ ବିତରକ ନିବେଦିତା ମଲ୍ଲିକଙ୍କୁ ଯୋଗାଯୋଗ କରି ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ବିତରକଙ୍କର ଅଭିଯୋଗ ତାଙ୍କ ପାଖକୁ ଲୋଡ଼ ଆସୁନାହିଁ । ହେଲେ ଯେଉଁ ଗ୍ରାହକ ଅଧିକ କିଛି ପଇସା ଦେଉଛନ୍ତି, ତାଙ୍କୁ ଗ୍ୟାସ ମିଳୁଛି କେମିତି? ଗୋଦାମରୁ ଯାଇ ଆଣିବାକୁ କୁହାଯାଉଛି କେମିତି?
ଇଏ ତ ଗଲା ଇଣ୍ଡେନ ଗ୍ୟାସ କଥା । ସେହିପରି ଏଚପି ଗ୍ୟାସରେ ମଧ୍ୟ ସମାନ ଶୋଷଣ । ଖଣ୍ଡଗିରିରେ ଥିବା ଲିଙ୍ଗରାଜ ଗ୍ୟାସ ଏଜେନ୍ସିରେ ଗ୍ୟାସ ବୁକ କରିବାର ୭ ଦିନ ପର୍ଯ୍ୟନ୍ତ ଗ୍ୟାସ ମିଳୁନାହିଁ । ପ୍ରଶ୍ନ କଲେ ଉତ୍ତର ମିଳୁଛି, ଗ୍ୟାସ ଲୋଡ଼ ଆସୁନାହିଁ । ଏଥିରୁ ସ୍ପଷ୍ଟ ଯେ, ବାସ୍ତବରେ ଗ୍ୟାସ ଲୋଡ଼ ବିତରକଙ୍କୁ ଦିଆଯାଉ ନାହିଁ । ଯାହାଦ୍ୱାରା ଶୋଷଣ ବଢ଼ୁଛି । କେନ୍ଦ୍ରୀୟ କମ୍ପାନୀ ଗୁଡ଼ିକ ଗ୍ୟାସ ଯୋଗାଣରେ ମନମାନୀ କରୁଥିବାରୁ ଶୋଷଣ ବଢ଼ିବାରେ ଲାଗିଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର ହୋଇ ପାରୁନାହିଁ ।
ଗ୍ୟାସ କମ୍ପାନୀର ଏହି କଳାବଜାରୀକୁ ଦେଖିବା ଦାୟିତ୍ୱ ଯୋଗାଣ ବିଭାଗର । ମାତ୍ର ଏହି ବିଭାଗ ଆଳୁ ଓ ଚାଉଳ ଭିତରେ ରହିଛି । ତେଣେ ହଜାର ହଜାର ଗ୍ରାହକ ହନ୍ତସନ୍ତ ହୁଅନ୍ତୁ ସେଥିରୁ ଯାଏ କେତେ ନା ଆସେ କେତେ? ବିଭାଗୀୟ ମନ୍ତ୍ରୀ ପ୍ରତି ଦିନ ଆଳୁ ନହେଲେ ଚାଉଳ କଥା କହୁଛନ୍ତି, ସରକାରୀ ବାବୁମାନେ ବି ସେଥିରେ ବୁଲୁଛନ୍ତି । ଏପଟେ ଗ୍ୟାସ ବିତରକଙ୍କ ଠାରୁ ଚାନ୍ଦା ନେଇ ସରକାରୀ ବାବୁମାନେ ବସିଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ସଂସ୍ଥା ଉପରେ କୌଣସି ପ୍ରଭାବ ପକାଇ ପାରୁନଥିବାରୁ ସମସ୍ୟା ସାଧାରଣ ଖାଉଟୀର ହେଉଛି । ଦେଖାଯାଉ ଯୋଗାଣ ବିଭାଗ ଗ୍ୟାସ ବିତରକ ମାନଙ୍କ ମନମାନୀକୁ ରୋକି ପାରୁଛି ନା ଶୋଷଣକୁ ପ୍ରୋତ୍ସାହିତ କରୁଛି ।
Politics,National,State
ଭୁବନେଶ୍ୱର(ଦ କୁଇଭର): ସରିଲା ମିଶନ, ତେଣୁ ବିଦାୟ ନେଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ତାଙ୍କ ଭଳି ଜଣେ ଅନୁଭବି ବିଜେପି ନେତାଙ୍କୁ ଓଡ଼ିଶାର ରାଜ୍ୟପାଳ କରାଯିବା, ତାହା ପୁଣି ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ତାଙ୍କୁ ଅପସାରଣ କରିନିଆଯିବା ପ୍ରସଙ୍ଗକୁ ନେଇ ଏପରି ଚର୍ଚ୍ଚା ଜୋର ଧରିଛି । ରଘୁବର ରାଜ୍ୟପାଳ କମ ଥିଲେ, ପୂର୍ବତନ ବିଜେଡି ବା ନବୀନ ସରକାରଙ୍କ ପତ୍ତନର ସୂତ୍ରଧର ଥିଲେ । ତାଙ୍କ ମାଧ୍ୟମରେ ବିଜେପିର ସୂତ୍ର କାମ କରିଗଲା । ଆଉ ଦୀର୍ଘବର୍ଷର ବିଜେଡି ଦୁର୍ଗ ଛାରଖାର ହୋଇଗଲା । ଏବେ ବିଜେଡି ନିଜ ସୁରକ୍ଷାରେ ଲାଗିଛି । ବିଜେପି ସରକାର ଗଢ଼ି ଶାସନ ଆରମ୍ଭ କରିଦେଲା । କଂଗ୍ରେସ ପରେ ବିଜେପି ଏକାକୀ ଓଡ଼ିଶାରେ ଶାସନ କରିବା କଷ୍ଟକର ଥିଲା । ହେଲେ ୨୦୨୪ ବିଜେପିର ସମନ୍ୱିତ ରଣନୀତି ହିଁ ସେଥିରେ ଆଣି ଦେଇଛି ସଫଳତା ।
ଝାଡ଼ଖଣ୍ଡର ୬ଷ୍ଠ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜେପିର ଜଣେ ଦକ୍ଷ ନେତା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ଅକ୍ଟୋବର ୨୦୨୩ରେ ସେ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆରମ୍ଭ ହୋଇଥିଲା ତାଙ୍କ କାର୍ଯ୍ୟ । ହଠାତ ରାଜ୍ୟପାଳଙ୍କ ମଧ୍ୟରେ ଏତେ ସକ୍ରିୟତା କେହି ଦେଖି ନଥିଲେ । ରାଜ୍ୟପାଳ ଭାବେ ରାଜଭବନରେ ପହଞ୍ଚିବା ପରେ ପ୍ରଥମେ ରାଜ୍ୟ ବିଷୟରେ ଜାଣିଲେ । ମାତ୍ର ଦିନ କେତେଟାରେ ରଘୁବର ବାହାରିଲେ ରାଜ୍ୟ ଭ୍ରମଣ ।
ଦେଖାଇ ଦେଲେ ସେ ଓଡ଼ିଶାର ରାଜା । ଦୀର୍ଘ ୨୪ବର୍ଷ ଧରି ନିରଙ୍କୁଶ ଶାସନ କରୁଥିବା ଓ ବିକାଶ ପୁରୁଷ ଭାବେ ଗଣା ଯାଉଥିବା ନବୀନଙ୍କ ଦୋଷ ଦୁର୍ବଳତା ଗାଁ ଗଣ୍ଡାରୁ ବାହାର କରି ହାଟ ବଜାରରେ ଥୋଇ ଦେଲେ । ନବୀନ ସରକାର ଆକଟ କରିବାକୁ ବହୁତ ଚାହିଁଲେ, ମାତ୍ର ଏତେ ଦୁର୍ନୀତି ଓ ବିଫଳତା ରହିଛି ଯେ, ରଘୁବର ଜୁଆଡ଼େ ଗଲେ ସେଠୁ ଅନେକ କଥା ଧରି ଆଣିଲେ । ଗାଁ ଗଣ୍ଡାରେ ସରକାରୀ ଯୋଜନା କିପରି ବାଟବଣା ହୋଇଛି, କେନ୍ଦ୍ରର ବିକାଶ ଯୋଜନା କିପରି ହରିଲୁଟ ହୋଇଛି ତାହା ଦେଖାଇ ଦେଲେ ରଘୁବର । ଲୋକଙ୍କ ମଧ୍ୟରେ ଏକ ବାର୍ତ୍ତା ଦେଲେ । ଗଣମାଧ୍ୟମ ବି ରାଜ୍ୟପାଳଙ୍କ ଏହି କାର୍ଯ୍ୟକୁ ବେଶ ପ୍ରଚାର କଲା । ଯୋଜନାବଦ୍ଧ ଭାବେ ଲାଗି ଗଲେ ।
ରଘୁବର ସମସ୍ୟା ଦେଖୁଥିଲେ, ନା ନବୀନ ସରକାରଙ୍କ ବିରୋଧରେ ଥିବା ପ୍ରତିକ୍ରିୟା ପରଖୁଥିଲେ ତାହା ତ ବଡ଼ ପ୍ରଶ୍ନ । କିନ୍ତୁ ଏହି ସମୟରେ ହିଁ ବିଜେପି ଖେଳିଲା ବଡ଼ ଚାଲ । ବିଜେପି ବିଜେଡିକୁ ମେଣ୍ଟ ମେଣ୍ଟ କହି ଝୁଲାଇ ଦେଲା । ଲୋକେ ବିଜେଡିର ଅସହାୟତା ଓ ବିଜେପି ସହ ମେଣ୍ଟ କରି କ୍ଷମତାରେ ରହିବାକୁ ଚାହୁଁଥିବା କଥାକୁ ନେଇ ଚର୍ଚ୍ଚା କଲେ । ଯାହା ବିଜେପିକୁ ସୁହାଇଲା । ସାରା ରାଜ୍ୟ ବିଜେଡିର ମେଣ୍ଟ ଆଗ୍ରହକୁ ନେଇ ଚର୍ଚ୍ଚା କରୁଥିବା ବେଳେ ରାଜ୍ୟ ବିଜେପି ନେତାଏ ମେଣ୍ଟ ନକରିବାକୁ ଅଡ଼ି ବସିଲେ । କେନ୍ଦ୍ର ନେତୃତ୍ୱ ବି ବୁଝିଗଲେ । ମେଣ୍ଟ ଭାଙ୍ଗିଗଲା । ଏମିତି ସମୟରେ ଭାଙ୍ଗିଲା ଯେ, ବିଜେଡି ନା ଘରକା ନା ଘାଟକା । ଏଥିରେ କାଳେ ଅନ୍ୟତମ ସୂତ୍ରଧର ଥିଲେ ରଘୁବର ।
ପୂରା ସ୍ଥିତି ପରଖି ବିଜେପି ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଣକ୍ୟ ଅମିତ ଶାହଙ୍କୁ ରିପୋର୍ଟ ଦେଲେ । ସେହି ରିପୋର୍ଟ ଓ ରାଜ୍ୟ ନେତାଙ୍କ ଦାବିକୁ ନେଇ ନିର୍ବାଚନ ଲଢ଼ିଲା ବିଜେପି । ଆଉ ଶେଷରେ ବାଜି ମାରିନେଲା । ବହୁ ବର୍ଷର ଅପେକ୍ଷାର ଅନ୍ତ ହେଲା । ମିଶନ ୨୦୨୪ ସଫଳ ହେବା ପରେ ରଘୁବର ଏବେ ଫେରିଲେ ତାଙ୍କ ନିଜ ସ୍ଥାନକୁ । ଏଥର ରଘୁବରଙ୍କ ମିଶନ ଝାଡ଼ଖଣ୍ଡ । ୨୦୨୯ରେ ଝାଡ଼ଖଣ୍ଡ ହାତେଇବାକୁ ବିଜେପି କରିଛି ପ୍ଲାନ । ଦେଖାଯାଉ ମିଶନ ଓଡ଼ିଶା ପରେ ମିଶନ ଝାଡ଼ଖଣ୍ଡରେ ରଘୁବର ସଫଳ ହେଉଛନ୍ତି ନା ସୋରେନଙ୍କ ଠୁ ମାଡ଼ ଖାଉଛନ୍ତି?
State
ଭୁବନେଶ୍ୱର( ଦ କୁଇଭର ):- ଓଡିଶାରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ । କମିବ ଡିଜେଲ ବସ ବ୍ୟବହାର , ଗଡିବ ସବୁଜ ହାଇଡ୍ରୋଜେନ ବସ । ଭୁବନେଶ୍ୱର, ପୁରୀ, କଟକ ଗଡିବ 3ଟି ବସ୍ । ଏନେଇ ଏନଟିପିସି ଓ ଗ୍ରୀଡ୍କୋ ସହ ଚୁକ୍ତି କଲା କ୍ରୁଟ । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ । ଖର୍ଚ୍ଚ କମ ସାଙ୍ଗକୁ ଏହା ହେବ ପରିବେଶ ଲାଗି ଉପଯୋଗୀ ।ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ, ଶକ୍ତି ବିଭାଗର ଗ୍ରିଡ଼ କର୍ପୋରେସନ ଅଫ ଓଡ଼ିଶା ଲିମିଟେଡ଼ ବା ଗ୍ରିଡ଼କୋ ଏବଂ ଏନଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଗତକାଲି ଲୋକସେବା ଭବବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ତିରୁମାଲା ନାୟକ, ଏନଟିପିସିର ସିଜିଏମ ଡି ଏମ ଆର ପଣ୍ଡା, ଗ୍ରିଡକୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ । ଆସନ୍ତା 5 ବର୍ଷ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ହାଇଡ୍ରୋଜେନ୍ ଚାଳିତ ବସର ସୁପରିଚାଳନା ଦାୟିତ୍ୱ କ୍ରୁଟକୁ ଦିଆଯାଇଛି । ଏନଟିପିସି ହାଇଡ୍ରୋଜେନ ଉତ୍ପାଦନ ଓ ଗ୍ରିଡ଼କୋ ଅକ୍ଷୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ ।ପ୍ରାଥମିକ ଭାବେ ପ୍ରୋଜେକ୍ଟ ଭୁବନେଶ୍ୱର, ପୁରୀ, କଟକ ଯୋଡ଼ିବାକୁ ଲକ୍ଷ୍ୟ । ପ୍ରଥମେ 3 ଟି ହାଇଡ୍ରୋଜେନ ବସ ଏନଟିପିସି ଦ୍ୱାରା ଚାଲିବ । ସର୍ବସାଧାରଣରେ ଏକ ସ୍ଥାୟୀ ବିକଳ୍ପ ଯୋଗାଇ ଡିଜେଲ ବସ ବଦଳାଇବା ପାଇଁ ଏହି ବସର ଡିଜାଇନ କରାଯାଇଛି । ଏକ କିଲୋଗ୍ରାମ ହାଇଡ୍ରୋଜେନ ପ୍ରତି ବସରେ 12 କିଲୋମିଟର ମାଇଲେଜ ପ୍ରଦାନ କରିବ । ବସ ଗଡିଲେ 50-55 ଟଙ୍କା ପ୍ରତି କିଲୋମିଟର ଖର୍ଚ୍ଚ ହେବ । ଯାହାକି ଦିଲ୍ଲୀ, ଲଦାଖଠୁ ବହୁତ କମ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ହେବ ।
ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଗୋଟିଏ ବସର ଦାମ ପ୍ରାୟ ଅଢେ଼ଇ କୋଟି ଟଙ୍କା ଖର୍ଚ୍ଚ ପଡ଼ିବ । ବସର 58 କେଜି ଇନ୍ଧନ କ୍ଷମତା ରହିଛି । ଥରେ ହାଇଡ୍ରୋଜେନ ଟ୍ୟାଙ୍କ ଭର୍ତ୍ତି ହେଲେ 6 ଶହ କିମି ଯାଇ ପାରିବ ବସ । ଗୋଟିଏ ଅତ୍ୟାଧୁନିକ ବସରେ 42 ଜଣ ଯାତ୍ରା କରି ପାରିବେ । ଫିଲିଂ ଷ୍ଟେସନ ଭୁବନେଶ୍ୱରରେ ହେବ । ଏନ୍ଟିପିସି କ୍ରୁଟର ଗାଡ଼କଣ ଡ଼ିପୋରେ ହାଇଡ୍ରୋଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବ । କ୍ରୁଟ ଡ଼ିପୋରେ ପୁର୍ବରୁ ଥିବା ଇଟିପି ଏବଂ ଏସଟିପି ପ୍ଲାଣ୍ଟକୁ ବ୍ୟବହାର କରି ଏନଟିପିସି ହାଇଡ଼୍ରୋଜେନ ଗ୍ୟାସ ସୃଷ୍ଟି କରିବାରେ ସମର୍ଥ ହେବ । ଶକ୍ତି ବିଭାଗ ପକ୍ଷରୁ ଏନଟିପିସିକୁ 2 ଏକର ଜାଗା ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଅନୁରୋଧ କରାଯାଇଛି । ଗ୍ରିଡ଼କୋ ନିକଟସ୍ଥ ସବଷ୍ଟେସନକୁ 2 ମେଗାୱାଟ ବିଦ୍ୟୁତ ଯୋଗାଇବ ।
ସେ ଆହୁରି ମଧ୍ୟ କହିଛନ୍ତି, "ଇଭି ଚଳାଇବା ଲାଗି ବିଜୁଳି ଗ୍ରୀଡ଼ରୁ ଆସୁଛି । ବିଜୁଳି ଉତ୍ପାଦନ ଲାଗି କୋଲ, ଜଳ ଓ ଅନ୍ୟାନ୍ୟ ଜିନିଷର ବ୍ୟବହାର ହେଉଛି । ବର୍ତ୍ତମାନ ଡିଜାଇନ ହୋଇଥିବା ଇଭି ବସ ଥରେ ଚାର୍ଜ କଲେ 150 କିମି ଚାଲି ପାରିବ । ଏହା ପରେ ପୁନର୍ବାର ଚାର୍ଜ କରିବାକୁ ପଡିବ । ଚାର୍ଜ କରିବାକୁ ଘଣ୍ଟେରୁ 2 ଘଣ୍ଟା ସମୟ ମଧ୍ୟ ଲାଗିବ । ହାଇଡ୍ରୋଜେନ ବସର 58 କେଜି ଟ୍ୟାଙ୍କି କ୍ଷମତା । ଥରେ ଭର୍ତ୍ତି ହେଲେ 600 କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ହାଇଡ୍ରୋଜେନ ବସ ଚାଲିଲେ ପେଟ୍ରୋଲ ଖର୍ଚ୍ଚ କମ ହେବ । ପ୍ରଚୁର ମାତ୍ରାରେ ଅକ୍ସିଜେନ ନିର୍ଗତ ହେବ । ପରିବେଶରୁ ଅଙ୍ଗାରକାମ୍ଳ ମାତ୍ରା କମିବ । ଶକ୍ତି ସମ୍ପଦ ବଞ୍ଚିବ । ସମୟ ମଧ୍ୟ ବଞ୍ଚିବ ।"
National
ଦକୁଇଭର ବ୍ୟୁରୋ :- ଆସନ୍ତା ୨୮ ତାରିଖରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସମ୍ବଲପୁରରେ ପହଞ୍ଚିବା ପରେ ମା’ ସମଲେଇଙ୍କ ଦର୍ଶନ କରିବେ । ବିଏମ୍ କଲେଜ ଅଡିଟୋରିୟମ୍ରେ ସ୍ୱାଧୀନ ସଂଗ୍ରାମୀ କୁଞ୍ଜଲ ସାଏଙ୍କ ରକ୍ତପୀଠ ଉପରେ ଏକ ମାଗାଜିନ୍ ଉନ୍ମୋଚନ କରିବେ । କିଛି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି l
State,National
ପାରାଦ୍ୱୀପ( ଦ କୁଇଭର ):- ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି ପାରାଦୀପ ସାମୁଦ୍ରିକ ଥାନା ପୁଲିସ। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ , ପାରାଦୀପ ବନ୍ଦର PICT ବର୍ଥରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର କରାଯାଇଛି। ସେମାନଙ୍କ ଗୋଡ଼ରେ ବନ୍ଧା ହୋଇଛି ଦୁଇଟି ବେଲ୍ଟ। ଯେଉଁଥିରେ ବିଦେଶୀ ଭାଷାରେ କିଛି ଲେଖା ହୋଇଥିବା ମଧ୍ୟ ଜଣାପଡିଛି। ଏମଭି ଫାଷ୍ଟ ମାଜୁରୋ ଜାହାଜରେ ପାରା ଦୁଇଟି ବସିଥିଲେ। ତେବେ ଏମାନେ ରେସିଂ ପାରା ମଧ୍ୟ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ।
ଏମଭି ଫାଷ୍ଟ ମାଜୁରୋ ଜାହାଜରୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି। ଦୁଇ ପାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଅବଜର୍ଭେସନରେ ରଖାଯାଇଛି ବୋଲି କୁଜଙ୍ଗ ରେଞ୍ଜ ଅଧିକାରୀ କହିଛନ୍ତି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ। ତେବେ ପାରା ଉଦ୍ଧାର ହୋଇଥିବା ଜାହାଜଟି ଚିତାଗଙ୍ଗରୁ ଆସିଛି। ଏହି ଜାହାଜ ଷ୍ଟିଲ ସ୍ଲାବ ନେଇ ବ୍ରିଷ୍ଟଲ ବନ୍ଦରକୁ ଯିବ ବୋଲି ଜଣାପଡ଼ିଛି।ବର୍ଷକ ତଳେ ଏହି PICT ବର୍ଥରେ ଲାଗିଥିବା ‘ଏମଭି ଦେବୀ’ ଜାହାଜରୁ ଜବତ ହୋଇଥିଲା ୨୨୦ କୋଟି ଟଙ୍କାର କୋକେନ୍। ଜାହାଜଟି ୨୦୨୩ ନଭେମ୍ବର ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେସିକରୁ ବାହାରି ନଭେମ୍ବର ୨୮ରେ ପାରାଦୀପ ବନ୍ଦରରେ ଲାଗିଥିଲା। ୩୦ ତାରିଖ ରାତିରେ ସୀମା ଶୁଳ୍କ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସହାୟକାରେ ଜାହାଜରେ ଯାଞ୍ଚ କରିଥିଲେ। ଜାହାଜରୁ ୨୨ ପ୍ୟାକେଟ କୋକେନ୍ ଜବତ କରାଯାଇଥିଲା। ଜବତ କୋକେନର ଆନ୍ତର୍ଜାତିକ ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଜାହାଜ ଜବତ ହୋଇ ଆଙ୍କରେଜରେ ରହିଥିବାବେଳେ ଏଥିରେ ଥିବା କ୍ରିଉ ସଦସ୍ୟମାନେ ମଧ୍ୟ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ଘଟଣାକୁ ବର୍ଷେରୁ ଅଧିକ ସମୟ ପୂରିଥିଲେ ହେଁ ତଦନ୍ତ ଏବେ ସୁଦ୍ଧା ଚାଲିଛି।
State,Politics
ଦ କୁଇଭର ବ୍ୟୁରୋ :- ଆଜି ବିଜେଡି ପାଳୁଛି ୨୮ ତମ ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସକାଳ ୧୧ଟାରେ ଯୋଗ ଦେଇ ଉଦବୋଧନ ଦେବେ । ତାଙ୍କ ଉଦବୋଧନକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ । ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ । ନବୀନଙ୍କ ନେତୃତ୍ବରେ ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନସେବା ଯୋଗାଇ ଆସୁଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବାରେ ନବୀନଙ୍କ ରହିଛି ବଡ଼ ଉଦ୍ୟମ । ଯାହା ବିଜେଡିକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ସହ ସାମାଜିକ ଆନ୍ଦୋଳନରେ ପରିଣତ କରିଛି । ବିକାଶର ଏଜେଣ୍ଡା ନେଇ ନବୀନ ଓଡ଼ିଶାକୁ ଆସିଥିଲେ । ଯାହା ପୂରଣ କରିବାକୁ ସେ ଦିନରାତି ଏକ କରି ଦେଇଥିଲେ । ହେଲେ ନୂଆ ସରକାର ବିକାଶର ନକଲି ମୁଖା ପିନ୍ଧି ଗତ ଛଅ ମାସରେ ରାଜ୍ୟକୁ ବିଫଳତାର ଶୀର୍ଷକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ଅନାହାର ମୃତ୍ୟୁ ପରି କଳଙ୍କ ପୁଣି ଥରେ ଓଡ଼ିଶାକୁ ଫେରୁଥିବା ଅଭିଯୋଗ ଉଠୁଛି । ସରକାରଙ୍କ ଏହି ବିଫଳତା ସହ ନବୀନ ସରକାର ସମୟର ସଫଳତା ନେଇ ଜନସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ । ଏହି ପ୍ରତିଷ୍ଠା ଦିବସ ହେବ ସଂକଳ୍ପର ଦିନ । ବିଜେଡିକୁ ଆହୁରି ଶକ୍ତିଶାଳୀ କରି ଆହୁରି ଲୋକଙ୍କ ପାଇଁ ସମର୍ପିତ ହେବାକୁ ଶପଥ ନେବେ ଦଳୀୟ ନେତା ଓ କର୍ମୀ । ଗତ ୨୭ ବର୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ ହୋଇଛି । ଯେଉଁଥି ପାଇଁ ଗତ ନିର୍ବାଚନରେ ବିରୋଧୀ ଦଳ ଜନାଦେଶ ପାଇଥିବା ସତ୍ତ୍ବେ ୪୨ ପ୍ରତିଶତ ସହ ସର୍ବାଧିକ ଭୋଟ ହାର ପାଇଥିଲା ବିଜେଡି । ସେବା ମନୋବୃତ୍ତି ନେଇ କାମ ହିଁ ଏହି ବିଶ୍ବାସର ମାଧ୍ୟମ ସାଜିଛି ।
Farming
ନୂଆପଡା( ଦ କୁଇଭର ):- ନୂଆପଡା ଜିଲ୍ଲା ଦୁର୍ନୀତି ର ଗନ୍ତା ଘର ସାଜି ସାଜିଥିବାବେଳେ ସାଧାରଣ ଅଭିଯୋଗ କାରୀ କେବଳ ବିକ୍ଷୋଭ ଓ ଆନ୍ଦୋଳନ କୁ ଏକ ମାଧ୍ୟମ ଭାବି ନେଇଛନ୍ତି । ହେଲେ ନାଁ ହେଉଛି ତଦନ୍ତ ନାଁ ହେଉଛି କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ଜିଲ୍ଲା ରେ ଅଶାନ୍ତ ଦେଖା ଦେଉଥିବା ବେଳେ ବିଶେଷ କରି ଶିକ୍ଷା ବିଭାଗର ଏଫ୍.ଏଲ୍. ଏନ ପାଣ୍ଠି ରୁ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ରେ ପ୍ରଶାସନ ର ନିରବତା ବିଶେଷକରି ଆଦିବାସୀ ମାନଙ୍କୁ ବ୍ୟଥିତ କରିଛି । ଏହାକୁ ନେଇ ବାରମ୍ୱାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜିଲ୍ଲା ଆଦିବାସୀ ସଂଘ । ଏଫ୍.ଏଲ.ଏନ ଦୁର୍ନୀତି ସହ ଆହୁରି ଏକୋଇଶି ଦଫା ଦାବି ନେଇ ମଙ୍ଗଳବାର ଜିଲ୍ଲା ଆଦିବାସୀ ସଂଘ୍ ରାଜ ରାସ୍ତା କୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛି ।
ନୂଆପଡ଼ା ଜିଲ୍ଲା ରେ ଶିକ୍ଷା ବିଭାଗ ର ଏଫ୍.ଏଲ. ଏନ. ଦୁର୍ନୀତି ହାଟରେ ପଡି ଦାଣ୍ଡ ରେ ଗଡୁଛି। ଜିଲ୍ଲା ଶିକ୍ଷା ବିଭାଗ ସହ ଜିଲ୍ଲା ପ୍ରଶାସନ ସବୁ ଜାଣି ଶୁଣି ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କୁ ଘଣ୍ଟ ଗୋଡ଼ାଇ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଏହା ସହ ବିଶେଷ କରି ଆଦିବାସୀ ଙ୍କ ବିଭିନ୍ନ ହକ ଓ ଅଧିକାର ପାଇଁ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ନୂଆପଡ଼ା ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ଆଦିବାସୀ ସଂଘ ସଭାପତି ବାଳକୃଷ୍ଣ ଶବର ଓ ଜିଲ୍ଲା ସଭାପତି ଭାନୁପ୍ରତାପ ମାଝୀ ଙ୍କ ନେତୃତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ହଜାର ଆଦିବାସୀ ଯୋଗ ଦେଇଥିଲେ । ଏଫ୍.ଏଲ.ଏନ ରେ ଚାରି କୋଟି ଟଙ୍କା ର ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ର ତିନି ମାସ ବିତି ଯାଇଥିଲେ ହେଁ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ । ଯଦି ଏହାର ଉଚିତ୍ ପଦକ୍ଷେପ ନିଆ ନ ଯାଏ ତେବେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ଆନ୍ଦୋଳନ କାରି ଆଦିବାସୀ ମାନେ ଚେତବନୀ ଦେଇଛନ୍ତି ।
ହକ ଓ ଅଧିକାର ପାଇଁ ମାନେ ଆଦିବାସୀ ବାରମ୍ୱାର ରାଜରାସ୍ତାରେ, ହେଲେ ପ୍ରଶାସନ ନୀରବଦ୍ରଷ୍ଟା । ମଙ୍ଗଳବାର ଆୟୋଜିତ ଆନ୍ଦୋଳନ ରେ ବାଇଶି ହଜାର ଆଦିବାସୀ ଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ, ରାଜସ୍ବ ମାଓ ପ୍ରବଣ ଗାଁ ମାନଙ୍କ ର ବନ୍ଦ ଥିବା ସ୍କୁଲ ଗୁଡ଼ିକ ପୁନଃ ଖୋଲା ଯାଉ, ଆଦିବାସୀ ବହୁଳ ନୂଆପଡ଼ା ବିଧାନସଭା ମଣ୍ଡଳୀ ରେ ୫୦ ପ୍ରତିଶତ ଆଦିବାସୀ ବସବାସ କରନ୍ତି ତେଣୁ ନୂଆପଡ଼ା ବିଧାନସଭା କୁ ଆଦିବାସୀ ଙ୍କ ପାଇଁ ସଂରକ୍ଷଣ କରାଯାଉ, ନୂଆପଡ଼ା ଆଦିବାସୀ ବହୁଳ ଗାଁ ମାନଙ୍କୁ ପେଶା ଆଇନ ଲାଗୁ କରାଯାଉ ବୋଲି ଦୀର୍ଘ ସମୟ ଧରି ଅଡି ବସିଥିଲେ । ଏମିତି କି ଦୀର୍ଘ ପାଞ୍ଚ ଘଣ୍ଟା ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରି ୩୫୩ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ । ଏମିତି କି ନୂଆପଡ଼ା ଏସପି ନିଜ କାର୍ଯ୍ୟାଳୟ ରୁ ବାସଭବନ ଯାଉଥିବା ସମୟ ରେ ଆଦିବାସୀ ଏସପିଙ୍କ ଗାଡ଼ି ତଳେ ଶୋଇ ପଡି ବିକ୍ଷୋଭ ପ୍ରଦର୍ଶନ କରି ଏସପି ଙ୍କୁ ଫେରିବା ପାଇଁ ବାଧ୍ୟ କରିଦେଇଥିଲେ । ଶେଷ ରେ ନୂଆପଡ଼ା ଏସପି ମଧ୍ୟ ବାଧ୍ୟ ହୋଇ ଫେରିବା ପାଇଁ ବାଧ୍ୟ ହୋଇଥିଲେ । ଦୀର୍ଘ ପାଞ୍ଚ ଘଣ୍ଟା ପରେ ଆନ୍ଦୋଳନ ସ୍ଥଳ କୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳ କୁ ପହଞ୍ଚି ଆଦିବାସୀ ମାନଙ୍କ ସହ ଆଲୋଚନା କରି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଅପରପକ୍ଷରେ ଏଫ୍.ଏଲ. ଏନ. ଦୁର୍ନୀତି ଅଭିଯୋଗ ର ତଦନ୍ତ ଚାଲିଛି ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଅନ୍ୟ ଦାବି ସମୂହ କୁ ରାଜ୍ୟ ସରକାର ଙ୍କୁ ଜଣାଇ ଦିଆଯିବ ବୋଲି ଉଭୟ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲା ଆଦିବାସୀ ମହାସଂଘ ର ବାରମ୍ଵାର ଆନ୍ଦୋଳନ ହେଉଥିଲେ ହେଁ ପ୍ରଶାସନ କେବଳ ପ୍ରତିଶ୍ରୁତି ହିଁ ଏକ ମାଧ୍ୟମ ପାଲଟିଛି । ବର୍ତ୍ତମାନ ର ଆନ୍ଦୋଳନ ରେ ମଧ୍ୟ ଦୀର୍ଘ ପାଞ୍ଚ ଘଣ୍ଟା ର ଆନ୍ଦୋଳନ ସାଙ୍ଗ କୁ ନୂଆପଡ଼ା ଏସପି ହଟହଟା ହେବା ଘଟଣା ପରେ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି ସତ ହେଲେ ପ୍ରତିଶ୍ରୁତି କେବେ ପୂରଣ ହୋଇ ଆଦିବାସୀ ଙ୍କୁ ନିଜ ଅଧିକାର ମିଳୁଛି ସେ ଉପରେ ରହିଛି ସମସ୍ତଙ୍କ ନଜର।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା । ଏହାରି ଭିତରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ରାଜ୍ୟରେ ବର୍ଷା କରାଉଛି । ଆଜି ମଧ୍ୟ ରାଜ୍ୟରେ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଜି ୮ଟି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା, ପୁରୀ,ଖୋର୍ଦ୍ଧା,ଗଞ୍ଜାମ,ଗଜପତି,ରାୟଗଡ଼ା,କୋରାପୁଟ,ମାଲକାନଗିରି, ନବରଙ୍ଗପୁର। ଆହୁରି ଚିନ୍ତାଜନକ ବିଷୟ ହେଉଛି ପୁଣି ୨୭ ତାରିଖରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବ ସରିବା ପରେ ପୁଣି ବଢିବ ଶୀତ ।
State
ଭୁବନେଶ୍ୱର(ଦ କୁଇଭର): ଆଜି ରାଜ୍ୟର ପାଣିପାଗ ବଡ଼ ବିଚିତ୍ର । ଏକସଙ୍ଗେ କୁହୁଡ଼ି ପଡ଼ିଛି, ଶୀତର ପ୍ରକୋପ ବଢ଼ିଛି ଆଉ ଝିପି ଝିପି ବର୍ଷା ବି ହେଉଛି । ପ୍ରକୃତିର ତିନିଟି ପ୍ରଭାବ ପୂରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଦେଇଛି । ମଣିଷ ତ ଥର ଥର କମ୍ପୁଛି, ପଶୁପକ୍ଷୀ ବି ରହି ପାରୁ ନାହାନ୍ତି । ପନି ପରିବା ଓ ଧାନ ଭଳି ଫସଲ ନଷ୍ଟ ହେଲାଣି । ଏଭଳି ସ୍ଥିତି ପୂରା ଓଡ଼ିଶାକୁ ଦୋହଲାଇ ଦେଲାଣି ।
ଅଜବ ପାଣିପାଗ । ପାଣିପାଗ ପରିବର୍ତ୍ତନର ସବୁଠୁ ବଡ଼ ପ୍ରଭାବ ଏହିବର୍ଷ ଦେଖାଯାଇଛି ଓଡ଼ିଶାରେ । ଏକ ସମୟରେ ଥଣ୍ଡା ଓ ବର୍ଷା ଲାଗି ରହିଛି । ପୂର୍ବରୁ ଶୀତଦିନେ ବର୍ଷା ହେଲେ ଥଣ୍ଡା କମିଯାଏ । ମାତ୍ର ଏଥର ବର୍ଷା ଲାଗି ରହିଥିବା ବେଳେ ଥଣ୍ଡା ବି କମ ନାହିଁ । ଉପକୂଳରେ ଶୀତ ଜୋର ରହିଛି । ରାତିର ତାପମାତ୍ରା ୧୪/୧୫କୁ ଖସି ଆସୁଛି । ଦିନରେ ତାପମାତ୍ରା ୨୪ରୁ ଉପରକୁ ଉଠୁନାହିଁ । ଶୀତର ପ୍ରକୋପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଜୋର ରହିଛି । ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଉଛି । ପୂରା ଥରାଉଛି ଶୀତ ।
ସେପଟେ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ବର୍ଷା ଲାଗି ରହିଛି । ଗତ ୫ଦିନ ଧରି ପାଗ କୋହଲା ରହିବା ସହ ବର୍ଷା ହେଉଛି । ଏହି ସ୍ଥିତି ଆହୁରି ଦୁଇଦିନ ରହିବ ବୋଲି ପାଣିପାଗ ବିଭାଗ କହିଛି । କୋହଲା ପାଗ, ବର୍ଷା ଓ ଶୀତ ପୂରା ସ୍ଥିତିକୁ ବିଗାଡ଼ି ଦେଲାଣି । ଏହାବାଦେ ବୁଧବାର ସକାଳୁ ଘନ କୁହୁଡ଼ି ସ୍ଥିତିକୁ ଆହୁରି ସଂଗୀନ କରିଦେଇଛି । ବର୍ଷା ଯୋଗୁ ଧାନ କ୍ଷତି ହୋଇଛି । ଲଗାତର ବର୍ଷା ଯୋଗୁ ଏବେ ପନି ପରିବା ବି ନଷ୍ଟ ହେଲାଣି । ମାଟିରେ ଉପଯୁକ୍ତ ଶକ୍ତି ନଥିବାରୁ ସ୍ଥିତି ଗମ୍ଭୀର ହେଲାଣି । କେବଳ ସେତିକି ନୁହେଁ, ମାଛ ଚାଷ ବି ପ୍ରଭାବିତ ହେଲାଣି । ଖରା ନଥିବାରୁ ମାଛ ପୋଖରୀ ଗୁଡ଼ିକରେ ଅମ୍ଳଯାନ ହ୍ରାସ ପାଉଛି । ମାଛ ମଡ଼କ ଆଡ଼କୁ ଆଗଉଛି ସ୍ଥିତି । ଏହାବ୍ୟତୀତ ପଶୁପକ୍ଷୀ ବି ପ୍ରଭାବିତ ହେଲେଣି । ପାଣିପାଗର ବିଚିତ୍ରତା ପୂରା ରାଜ୍ୟକୁ ଥରାଇ ଦେଇଛି । ଦେଖାଯାଉ ପାଣିପାଗ ପରିବର୍ତ୍ତନ ଆଗକୁ କି ପ୍ରକାର ସ୍ଥିତି ସୃଷ୍ଟି କରୁଛି ।
Education,State
ଦ କୁଇଭର ବ୍ୟୁରୋ :- ଏଥର କମ୍ପିବ କଲେଜ୍ କ୍ୟାମ୍ପସ୍ । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ହେବ । ଏଥିପାଇଁ କଲେଜ କ୍ୟାମ୍ପସ୍ ସରଗରମ୍ ହେବ । କଲେଜ ନିର୍ବାଚନକୁ ନେଇ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏବିଭିପି କାର୍ଯ୍ୟକ୍ରମରେ ଯୋଗନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି ।
State
ଭୁବନେଶ୍ୱର( ଦ କୁଇଭର ):- ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା । ଏନେଇ ସରକାର ଚିନ୍ତା କରୁଛନ୍ତି । ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ । ଏକଥା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଛନ୍ତି । କେଉଁଭଳି ଢଙ୍ଗରେ ଏହାକୁ ଉପସ୍ଥାପନ କରାଯିବ ସେନେଇ ମାନସମନ୍ଥନ ଚାଲିଛି । ଏହାସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହେନ । ସିଧାସଳଖ କହିଛନ୍ତି, ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାୟିତ୍ବ ପୂର୍ବ ସରକାରଙ୍କର ଥିଲା । କିନ୍ତୁ ତାହା ସେମାନେ କଲେ ନାହିଁ । ନୂଆ ସରକାର ଟଙ୍କା ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ । ଏସବୁ ଭିତରେ ଦୀର୍ଘଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରସ୍ତକୁ ଅପେକ୍ଷା କରିଛନ୍ତି । କିନ୍ତୁ ଦେଇଥିବା ସତ୍ୟପାଠରେ ଏବେ ଉଇ ଲାଗିଥିବା ବେଳେ କେବେ ଜମାକାରୀଙ୍କୁ ଆଶ୍ବସ୍ତି ମିଳିବ ତାହା ସବୁଠୁ ବଡ ପ୍ରଶ୍ନ ।
Politics
ଭୁବନେଶ୍ୱର(ଦ କୁଇଭର): ବିଜେଡିରେ ବଡ଼ କଣା କରୁଛନ୍ତି ଭୁବନେଶ୍ୱର ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ । ତାଙ୍କର ଆକ୍ସନ ରାଜଧାନୀ ବିଜେଡିକୁ ଖଣ୍ଡଖଣ୍ଡ କରିବାକୁ ବସିଲାଣି । ରାଜଧାନୀର ଗୋଟେ ବଡ଼ ଗୋଷ୍ଠୀ ବିଜେପି ଦୁଆର ମୁହଁରେ ପହଞ୍ଚିଲେଣି । ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୁରକ୍ଷା ପାଇଁ ରାଜଧାନୀ ବିଜେଡିକୁ ଭାଙ୍ଗି ଦେବାକୁ ଯୋଜନା କରାଯାଇଛି । ବୁନୁ ଓ ଅଶୋକଙ୍କ ସପକ୍ଷରେ ଯାଇ ଦଳର ଏକ ପ୍ରମୁଖ ଗୋଷ୍ଠୀଙ୍କୁ କୈଫିୟତ ମାଗି ସେମାନଙ୍କୁ ଦଳ ଠାରୁ ଦୂରେଇଥିବା କୁହାଯାଉଛି । ଏହା ପଛରେ ବିଜେଡିକୁ ଦୁର୍ବଳ କରି ବିଜେପିକୁ ବଳ ଯୋଗାଇବା ଚାଲ ଓ ତାହା ବଦଳରେ ବେଆଇନ ରିୟଲ ଇଷ୍ଟେଟ ବେପାରର ସୁରକ୍ଷା ଯୋଜନା ଥିବା ଚର୍ଚ୍ଚା ହେଉଛି ।
ବିଜେଡିରେ ବାଦ ବିବାଦ ପ୍ରାୟ ସବୁଠି ରହିଛି । ଅନେକ ସ୍ଥାନରେ ଗଡ଼ାତଡ଼ା ତ ଲାଗିଲେଣି । କିଛି ଦଳ ଛାଡ଼ି ବିଜେପିକୁ ଡେଇଁ ପଡ଼ିଲେଣି । ସେହିଭଳି ବିବାଦ ରାଜଧାନୀ ବିଜେଡିରେ ରହିଛି । ରାଜଧାନୀ ବିଜେଡିରେ ବୁନୁ ଓ ଅଶୋକ ଗୋଟିଏ ଗୋଷ୍ଠୀରେ ଥିବା ବେଳେ ଅପର ଗୋଷ୍ଠୀରେ ରହିଛନ୍ତି ଅମରେଶ ଜେନା ଓରଫ ବାଇଁଆ ଓ ତାଙ୍କ ସହଯୋଗୀମାନେ । ସେମାନେ ଖୋଲାଖୋଲି ବୁନୁ ଓ ଅଶୋକଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି । ଅଶୋକ କାଳେ ଅଣ ବିଜେଡି ନେତାଙ୍କୁ ଧରି ଶଙ୍ଖ ଭବନ ପଶିଥିଲେ । ସେଥିପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ଏହାପରେ ଭୁବନେଶ୍ୱର ବିଜେଡି ସଭାପତି ବିଧାୟକ ସୁଶାନ୍ତ ରାଉତ କେବଳ ବାଇଁଆ ଗୋଷ୍ଠୀଙ୍କୁ ନୋଟିସ ଜାରି କରିଥିଲେ । କୈଫିୟତ ମାଗିଥିଲେ । ହେଲେ ବୁନୁ ଓ ଅଶୋକଙ୍କ ଗୋଷ୍ଠୀଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ । ସୁଶାନ୍ତଙ୍କ ଏହି ପଦକ୍ଷେପ ପଛରେ ନିଶ୍ଚିତ ଦଳର ନିଦେ୍ର୍ଦଶ ଥାଇ ପାରେ । ମାତ୍ର ଦଳରୁ ବାଇଁଆ ଗୋଷ୍ଠୀ ଅଲଗା ହେଉଥିବା ସ୍ପଷ୍ଟ ଦିଶୁଥିଲା । ହେଲେ କୌଣସି ପ୍ରକାର ଏକଥାକୁ ପ୍ୟାଚ ପକାଇ ରଖାଯାଇଥିଲା । କୌଣସି ସ୍ଥିତିରେ ଏକଥା ପଦାକୁ ନଆସୁ ବୋଲି ଚହୁଁଥିଲେ ସମସ୍ତେ । ଦଳ ବାଇଁଆଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିବାରୁ ବାଇଁଆ ବି ବିଜେପି ମୁହାଁ ହୋଇଛନ୍ତି ।
ଇତିମଧ୍ୟରେ ବାଇଁଆ ଏକ ସଭାରେ ବିଜେପି ବିଧାୟକ ବାବୁ ସିଂଙ୍କ ସହ ଏକ ହୋଇଛନ୍ତି । ତାଙ୍କ ସମର୍ଥକ ଗୋଷ୍ଠୀ ବି ସାମିଲ ହୋଇଛନ୍ତି । ଏହିଠାରୁ ବାଇଁଆଙ୍କର ବିଜେପି ପ୍ରବେଶ ରାସ୍ତା ଖୋଲିଯାଇଛି । ବାଇଁଆ ଆଗକୁ ତାଙ୍କ ଗୋଷ୍ଠୀ ସହ ବିଜେପି ମୁହାଁ ହେବେ ବୋଲି ଜଳ ଜଳ ହୋଇ ଦିଶିଲାଣି । ବାଇଁଆ ତାଙ୍କ ସମର୍ଥକଙ୍କ ସହ ବିଜେପିକୁ ଗଲେ ରାଜଧାନୀରେ ବିଜେଡିର ସ୍ଥିତି ପୁଣି ଗଡ଼ବଡ଼ ହୋଇଯିବ ବୋଲି କୁହାଯାଉଛି । ଗଲେ ରାଜଧାନୀ ବିଜେଡି ଧୂଳିସାତ ହୋଇଯିବ ବୋଲି ସୂଚନା ମିଳିଛି । ବାଇଁଆଙ୍କ ଦଳ ଛାଡ଼ିବା ପଛରେ ସୁଶାନ୍ତ ଦାୟୀ ବୋଲି କୁହାଯାଉଛି ।
State,Farming
ସାକ୍ଷୀଗୋପାଳ( ଦ କୁଇଭର ):- ଅଦିନିଆ ବର୍ଷାରେ ବୁଡ଼ିଗଲା ଚାଷ । ସୁନାର ଫସଲ ମାଟିରେ ଲୁଟିଲା । ଧାନ ଖଳାକୁ ଆସିବ କଣ ସେଇଠି ହିଁ ଗଜା ହୋଇଗଲା। ନା ଧାନ ବିଲରୁ ଧାନ ଅମଳ ହୋଇପାରିବ । ଏଭଳି ସ୍ଥିତି ଦେଖି ଭାଙ୍ଗି ପଡିଲେ ଚାଷୀ । ଅନେକ ଚିନ୍ତା ଘାରିଲା ମୁଣ୍ଡରେ । ଋଣ ସୁଝିବେ କେମିତି ? ଘର, ପରିବାର ପେଟକୁ ଦାନା ଦେବେ କେମିତି ? ଏମିତି ବୋଝ ମୁଣ୍ଡ ଉପରେ । ସାମ୍ନାରେ ପଚିଯାଉଛି ଧାନ । ଏକଥା ଦେଖି ହଠାତ ନିରବି ଗଲେ, ବିଲ ମୁଣ୍ଡରେ ହିଁ ଚାଲିଗଲା ତାଙ୍କ ଜୀବନ । ଏ ଘଟଣା ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରାମଚନ୍ଦ୍ରପୁର ଗ୍ରାମର ପୁର୍ଣଚନ୍ଦ୍ର ଦଳାଇ ।
କଥାରେ ଅଛି, ଲହ ଲହକା ପତର ବଙ୍କା, ତା ଫଳ ବିକାଏ, ମୁଠାଏ ଟଙ୍କା । ଅର୍ଥାତ, ଧାନ ହେଉଛି ସେହି ଫସଲ, ଯାହାକୁ ବିକିଲେ ଚାଷୀ ପାଏ ଟଙ୍କା । ସେହି ଆଶା ନେଇ ସମସ୍ତେ କରୁଛନ୍ତି ଚାଷ । ଚାଷ କରିବା, ଦି ଓଳି ଦାନା ବି ଖାଇବା, ଆଉ ବିକି କିଛି ଟଙ୍କା ଆଣି ପରିବାର ଚଳାଇବା । ହେଲେ ଏବେ ଦାଉ ସାଜୁଛି ଅଦିନିଆ ବିପର୍ଯ୍ୟୟ । ଲଘୁଚାପ ଯୋଗୁ ଅଦିନିଆ ବର୍ଷା, ଅମଳ ହେବାକୁ ଥିବା ଧାନ ପାଣିରେ ବୁଡ଼ିଗଲା । ଧାନ ଗଛର ପାଣିକୁ ସହିବାର କ୍ଷମତା ନଥିବାରୁ ପଚିଗଲା । ଆଖି ଆଗରେ ଉଜୁଡି ଗଲା ସୁନାର ଫସଲ । ଯାହାକୁ ନେଇ ଚାଷୀ କୁଳ ଏବେ ହତାଶ ।
ବିରାମଚନ୍ଦ୍ରପୁର ଗ୍ରାମର ପୁର୍ଣଚନ୍ଦ୍ର ଦଳାଇ ଚାଷ ବିଲକୁ ଯାଇଥିଲେ । ତିନି ଦିନ ହୋଇଗଲାଣି ଧାନ ବୁଡ଼ି ଯାଇଥିବାରୁ, ଧାନ ଅମଳର ଆଶା ତାଙ୍କର ମଉଳି ଯାଇଥିଲା । ନାନା ଚିନ୍ତାରେ ସେ ପଡ଼ିଥିଲେ । କଣ କରିବି ? ଋଣ କେମିତି ସୁଝିବି ? ଧାନ ମୁଠେ ବିକି ପାରିବିନି ଟଙ୍କା ପାଇବିନି । ଏଥର ଆଶାଥିଲା ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିଛନ୍ତି । ଦୁଇପଇସା ଭଲ ପାଇବେ । ଅନ୍ତତ ବର୍ଷକ ପାଇଁ ଚଳିବେ । ହେଲେ ବର୍ଷା ଉଜାଡି ଦେଲା । ତାହାହିଁ ନେଇଗଲା ତାଙ୍କ ଜୀବନ ।
State
ଚମ୍ପୁଆ ( ଦ କୁଇଭର ):- ଚମ୍ପୁଆ ଥାନା ଅର୍ନ୍ତଗତ ଗୋପୀନାଥ ପୁର ଗ୍ରାମ ରେ ୯ ବର୍ଷ ର ନାବାଳକ କୁ ହତ୍ୟା।ଗତ କାଲି ଠାରୁ ନିଖୋଜ ଥିବା ବାପା ଛେଉଣ୍ଡ ପବନା ମୁଣ୍ଡା ର ମୃତ ଦେହ ଗ୍ରାମ ର ଗୈରାଙ୍ଗ ପାତ୍ର ଙ୍କ ଘର ଆଗରେ ଏକ ବସ୍ତା ଭିତରେ ରଖାଯାଇଥିବା ବେଳେ ଘର ଲୋକେ ଦେଖିଥିବା ପାଇ ରିମୁଳି ଫାଣ୍ଡି କୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବା ଜଣାପଡିଛି। ସୂଚନା ଅନୁସାରେ ଗୋପିନାଥପୁର ଗ୍ରାମ ର ମୃତ ରାସ ମୁଣ୍ଡା ର ୯ ବର୍ଷ ର ପୁଅ ଗତ କାଲି ସନ୍ଧ୍ୟା ରୁ ନିଖୋଜ ଥିବା ବେଳେ ଆଜି ସକାଳେ ଗ୍ରାମ ର ଗୈରାଙ୍ଗ ପାତ୍ର ଙ୍କ ଘର ଆଗରେ ଏକ ଅଖା ବସ୍ତା ଭିତରେ ତାର ମୃତ ଦେହ ଦେଖି ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଓ ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ଘଟଣାସ୍ଥଳ ରେ ପହଞ୍ଚି ଥିବା ଜଣାପଡିଛି। ତେବେ ହତ୍ୟା ର କାରଣ ପଡ଼ିନାହିଁ। ପୋଲିସ ତଦନ୍ତ ଆରମ୍ଭ କରିଛି
National
ଦ କୁଇଭର ବ୍ୟୁରୋ :- ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ। ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ସବୁଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ। ଖ୍ରୀଷ୍ଟମାସ ବା ବଡ଼ଦିନ ଖ୍ରୀଷ୍ଟିୟାନମାନଙ୍କ ପ୍ରମୁଖ ପର୍ବ। ପ୍ରତି ବର୍ଷ ଡିସେମ୍ବର ୨୫ରେ ଯୀଶୁଙ୍କ ଜନ୍ମଦିନ ଅବସରରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଉଥିଲା ବେଳେ ଆଜିକାଲି ପ୍ରାୟତଃ ସବୁ ସ୍ଥାନରେ ଏହି ପବିତ୍ର ଦିବସର ଆଦର ଦେଖାଯାଉଛି।ଧାର୍ମିକ ଓ ପାରମ୍ପରିକ ପର୍ବ ଭାବେ ଏହି ଉତ୍ସବ ୧୨ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ତାଙ୍କର ଶୁଭକାମନା କରିଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ ଟ୍ରି ଓ ସାଣ୍ଟା କ୍ଲସ।ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜାଯାଉଥିବା ବିଶ୍ଵାସ କରାଯାଉଛି।
State,Education
ଭୁବନେଶ୍ୱର ( ଦ କୁଇଭର ):- ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍ରୁ ବାହାର କରାଯାଇପାରିବନି । ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ “ନୋ ଡିଟେନ୍ସନ୍ ପଲିସି” କୁ ବନ୍ଦ କରି କେନ୍ଦ୍ର ସରକାର ଶିକ୍ଷା ନୀତିରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଏହାର ଅର୍ଥ ହେଉଛି ଯେଉଁମାନେ ସେମାନଙ୍କର ବର୍ଷ ଶେଷ ପରୀକ୍ଷାରେ ବିଫଳ ହେବେ, ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ।ବିଫଳ ହୋଇଥିବା ଛାତ୍ରଛାତ୍ରୀମାନେ ଦୁଇ ମାସ ମଧ୍ୟରେ ପୁନଃ ପରୀକ୍ଷା ଦେବାକୁ ସୁଯୋଗ ପାଇବେ । କିନ୍ତୁ ଯଦି ସେମାନେ ପୁଣିଥରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ପଦୋନ୍ନତି ମିଳିବ ନାହିଁ । ତେବେ ବିଫଳ ହୋଇଥିବା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ତରଫରୁ ବହିଷ୍କାର କରାଯିବ ନାହିଁ ବୋଲି କୁହାଯାଇଛି । ଶିକ୍ଷାର ଉନ୍ନତି ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ୍ ସ୍କୁଲ୍ ସମେତ ୩୦୦୦ ରୁ ଅଧିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଏହି ନୂଆ ନିୟମ ପ୍ରଯୁଜ୍ୟ ରହିବ । ନୂଆ ନିୟମ ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବିଫଳ ହୁଅନ୍ତି, ସେମାନେ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାସ୍ କରିବାର ସୁଯୋଗ ପାଇବେ । ଫେଲ୍ ହେଲେ ସମାନ ଶ୍ରେଣୀରେ ରହିବେ ।ଜୁଲାଇ ୨୦୧୮ ରେ, ଲୋକସଭାରେ ଶିକ୍ଷା ଅଧିକାର (RTE) ଅଧିନିୟମରେ ସଂଶୋଧନ ପାଇଁ ଏକ ବିଲ୍ ପାରିତ ହୋଇଥିଲା । ଯାହା ସ୍କୁଲଗୁଡିକରେ “ନୋ ଡିଟେନ୍ସନ୍ ପଲିସି” ଲାଗୁ କରିଥିଲା । ତେବେ ଏହି ସଂଶୋଧନ ଦ୍ୱାରା ପଞ୍ଚମ ଓ ଅଷ୍ଟମ ଶ୍ରେଣୀଗୁଡିକ ପାଇଁ ନିୟମିତ ପରୀକ୍ଷା ଆରମ୍ଭ ହୋଇଥିଲା ।
State
ଗଜପତି( ଦ କୁଇଭର ):- ଗଜପତି ଜ଼ିଲ୍ଲା ଖଜୁରୀପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଷ୍ଟାଫ କ୍ୱାଟରର୍ସ ରୁ ଜଣେ 108 ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ମୃତକ 108 ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ଗଣେଶ ବେହେରା, ଆଜି ସକାଳେ ସହକର୍ମୀ ମାନେ ଗଣେଶ ରହୁଥିବା କ୍ୱାଟରର୍ସ ର କବାଟ ବାଡେଇଥିଲେ କିନ୍ତୁ ଭିତର ପଟୁ କବାଟ ନ ଖୋଲିବା ରୁ କବାଟ କୁ ଭାଙ୍ଗି ଦେଖିବା ବେଳେ ଗଣେଶ ଙ୍କୁ ଝୁଲନ୍ତା ଅବସ୍ଥା ରେ ଦେଖିଥିଲେ, ଖବର ପାଇ ଖଜୁରୀପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି l ତେବେ ପ୍ରେମ ବ୍ୟାପାର କୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି l