ଦ କୁଇଭର ବ୍ୟୁରୋ:- ଆରମ୍ଭ ହେଲା ପାକିସ୍ତାନ ଉପରେ ପୁନଶ୍ଚ କୂଟନୈତିକ ପ୍ରହାର କରିବାର ପ୍ରକ୍ରିୟା । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା ନେଇ ଗଠନ ହେଲା ସର୍ବଦଳୀୟ ପ୍ରତିନିଧି ଦଳ । ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଗଠନ ହେଲା ଦଳ । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ । ତେବେ ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବା ନେବେ ।ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଦେଶ ଗସ୍ତକୁ ସଂଯୋଜନା କରୁଥିବା ବେଳେ ଏଥିରେ ସବୁ ଦଳର ସାଂସଦଙ୍କୁ ସାମିଲ କରାଯାଇଛି । ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଗସ୍ତ କରିବେ । ମେ’ ୨୨ ତାରିଖରୁ ଏହି ଗସ୍ତ ଆରମ୍ଭ ହେବାର ସୂଚନା ରହିଛି । ତେବେ କିରଣ ରିଜିଜୁ ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି- ଆତଙ୍କବାଦ ବିରୋଧରେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଭାରତ ଏକାଠି ଠିଆ ହୋଇଛି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ବାର୍ତ୍ତା ବହନ କରି ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଖୁବ୍ ଶୀଘ୍ର ପ୍ରମୁଖ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବେ। ଏହି ଏକତା ରାଜନୀତିର ଉପରେ ଏବଂ ଭିନ୍ନତାର ଉପରେ ବୋଲି କିରଣ ରିଜିଜୁ କହିଛନ୍ତି ।
No comments yet.
Health & lifestyle,National
ଦ କୁଇଭର ବ୍ୟୁରୋ:- ଚାହୁଁ ଚାହୁଁ ହଜାରେ ଟପିଲା ଦେଶର କୋଭିଡ୍ ଆକ୍ରାନ୍ତ ସଂଖ୍ୟା । ସପ୍ତାହେ ହେଲା ଦୈନିକ ଚିହ୍ନଟ ହେଉଛନ୍ତି ଶହେରୁ ଅଧିକ ଆକ୍ରାନ୍ତ । ଚଳିତ ସିଜିନରେ ୭ ଜଣଙ୍କ ଜୀବନ ବି ନେଲାଣି କରୋନା । ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଚିହ୍ନଟ ହୋଇଛି ୧ ହଜାର ୯ଟି କୋଭିଡ୍ ଆକ୍ଟିଭ୍ କେସ୍। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, କେରଳରେ ସର୍ବାଧିକ ୪୩୦ ସଂକ୍ରମିତ ଥିବା ବେଳେ, ମହାରାଷ୍ଟ୍ରରେ ୨୦୯ ଓ ଦିଲ୍ଲୀରେ ଅଛନ୍ତି ୧୦୪ ଜଣ। ଗତ ସପ୍ତାହେ ଭିତରେ ଚିହ୍ନଟ ହେଲେଣି ୭୫୨ ନୂଆ ପଜିଟିଭ୍, ଅର୍ଥାତ୍ ପ୍ରତିଦିନ ହାରାହାରି ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି, ଚଳିତ ସିଜିନରେ କୋଭିଡ୍ ୭ଟି ଜୀବନ ବି ନେଲାଣି। ମହାରାଷ୍ଟ୍ରରେ ୪, କେରଳରେ ୨ ଓ କର୍ଣ୍ଣାଟକରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱେବସାଇଟରେ କୌଣସି ସୂଚନା ଦିଆଯାଇନଥିଲେ ବି, ଓଡ଼ିଶାରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଦିନକ ପରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସବୁ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବାକୁ ଥିବା ବେଳେ, ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ଚୀନ ସମେତ ବିଭିନ୍ନ ଏସୀୟ ଦେଶରେ ଅଚାନକ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କୁହାଯାଉଥିବା କରୋନାର ୨ଟି ନୂଆ ଭାରିଆଣ୍ଟ, ଭାରତରେ ବି ଚିହ୍ନଟ ହୋଇଛି। NB.1.8.1 ଏବଂ LF.7।କରୋନା ଭାରିଆଣ୍ଟ୍ NB.1.8.1 ଗତ ଏପ୍ରିଲରେ ତାମିଲନାଡ଼ୁରେ ଏବଂ LF.7 ମେ ମାସରେ ଗୁଜରାଟରେ ପ୍ରଥମେ ଚିହ୍ନଟ ହୋଇଥିଲା। ଉଭୟକୁ ଭାରିଆଣ୍ଟ ଅଣ୍ଡର୍ ମନିଟରିଂ ବା VUM ବର୍ଗରେ ରଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ପୂର୍ବରୁ ଭାରତରେ କୋଭିଡ୍ ଲହର ଆଣିଥିବା ଓମିକ୍ରନ୍ ଭାରିଆଣ୍ଟର ଏ ଯୋଡ଼ିକ ହେଉଛନ୍ତି ସବଲିନିଏଜ୍ ବା ସବ୍-ଭାରିଆଣ୍ଟ୍। ଏହି ୨ ନୂଆ ଭାରିଆଣ୍ଟ୍ ଅଧିକ ସଂକ୍ରାମକ ହୋଇଥିଲେ ମଧ୍ୟ, ଏଥିରେ ସଂକ୍ରମିତ ହୋଇ କେହି ଅଧିକ ଗୁରୁତର ହେବା ବା ପ୍ରାଣହାନୀ ଘଟିବାର ପ୍ରମାଣ ମିଳିନାହିଁ। ତେଣୁ ଲୋକଙ୍କୁ ଆତଙ୍କିତ ନହେବାକୁ ଏବଂ କରୋନା ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି।
NB.1.8.1 ଭାରିଆଣ୍ଟ୍ ସଂକ୍ରମଣର ଲକ୍ଷଣଗୁଡ଼ିକ ହେଉଛି- ଜ୍ବର, କାଶ, ତଣ୍ଟି ଦରଜ, ହାଲିଆ ଲାଗିବା, ଦେହ ଘୋଳାବିନ୍ଧା, ନାକ ବନ୍ଦ ରହିବା, ମୁଣ୍ଡ ବିନ୍ଧା, ନସିଆ ଓ ଭୋକ ନଲାଗିବା ଇତ୍ୟାଦି। ତେବେ ଲୋକଙ୍କୁ ମାସ୍କ ପିନ୍ଧିବା, ଭ୍ୟାକ୍ସିନ୍ ବୁଷ୍ଟର୍ ଡୋଜ୍ ନେବା ଓ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କୋଭିଡ୍ ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। କୋମର୍ବିଡିଟି, ବୟସ୍କ, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଉଛି। ତେବେ ଲୋକଙ୍କୁ ଆତଙ୍କିତ ନହୋଇ ସଜାଗ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।
State
ପାଟଣାଗଡ଼( ଦ କୁଇଭର ):- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍। ମୃତ୍ୟୁ ଯାଏ ସେ ଜେଲରେ ରହିବେ ବୋଲି ସରକାରୀ ଓକିଲ କହିଛନ୍ତି। ଏହାଛଡ଼ା ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା ବି କରାଯାଇଛି। ସୂଚନା ଯୋଗ୍ୟ,୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା'ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ଫେବ୍ରୁଆରି ୨୩ ତାରିଖରେ ଦଫା ୩୦୨, ୩୦୭ ଏବ˚ ଏକ୍ସପ୍ଲୋସିଭ୍ ସବ୍ଷ୍ଟାନ୍ସ ଆକ୍ଟର ଧାରା ୩ ଓ ୪ରେ ମାମଲା ରୁଜୁ କରିଥିଲା। ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁସା କଲେଜର ଇ˚ରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।
National,State
ବ୍ରହ୍ମପୁର( ଦ କୁଇଭର ):- ହିମାଞ୍ଚଳ ପ୍ରଦେଶରେ ଆୟୋଜିତ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଥିବା ସ୍ୱର୍ଣ୍ଣ ପଦକ ବିଜୟୀ ହର୍ଷବର୍ଦ୍ଧନ ସାହୁଙ୍କୁ ମଙ୍ଗଳବାର ବ୍ରହ୍ମପୁର ଷ୍ଟାଡିୟମ ରେ ସ୍ବାଗତ କରି ଏକ ସମ୍ବର୍ଦ୍ଧନା ସହ ବାଇକ ଶୋଭlଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ବାଇକ ଶୋଭାଯାତ୍ରା ବ୍ରହ୍ମପୁର ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଶଙ୍କରପୁର ସାହି ସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଶେଷ ହୋଇଥିଲା l ତେବେ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ନେତୃତ୍ବରେ , ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଏବଂ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ବଢ଼ୁଛି କୋଭିଡ ମାମଲା l ରାଜ୍ୟରେ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଡରନ୍ତୁ ନାହିଁ କିନ୍ତୁ ସତର୍କ ସହ ସଚେତନ ରୁହନ୍ତୁ,ସାମାଜିକ ଦୂରତା/ଗହଳି ସ୍ଥାନ/ଭୋଜି ଭାତ ଠୁ ଯେତେ ପାରିବେ ଦୁରେଇ ରୁହନ୍ତୁ l ଅନାବଶ୍ୟକ କାର୍ଯ୍ୟ କରନ୍ତୁ ନାହିଁ l ମାସ୍କ ପିନ୍ଧିବା ଆରମ୍ଭ କରିଦିଅନ୍ତୁ l ଶରୀର ର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାନ୍ତୁ l
State
ଗଜପତି ( ଦ କୁଇଭର ):- ଗଜପତିରେ ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ସୁଲନ୍ତ ମିଶାଲଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ତେବେ ସୁଚନା ପ୍ରକାରେ,ଆଜି ସକାଳୁ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିଲୋମିଟର ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଦୈାଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
State
ଦ କୁଇଭର ବ୍ୟୁରୋ:- ବର୍ଷାରୁ ମିଳିବ ଆସ୍ବସ୍ତି ,ଖୁବଶୀଘ୍ର ହେବ ପାଗରେ ପରିବର୍ତ୍ତନ । ରାଜ୍ୟରେ କମିବ ବର୍ଷାର ପରିମାଣ,ବଢିବ ତାପମାତ୍ରା । ଆସନ୍ତାକାଲି ଠାରୁ ଓଡ଼ିଶାରେ କୌଣସି ପାଣିପାଗ ସତର୍କତା ନାହିଁ । ଲଘୁଚାପ ପ୍ରଭାବ ହଟିବା ପରେ ଏଣିକି କମିବ ବର୍ଷା । ଆସନ୍ତା ୧ ତାରିଖରୁ ବର୍ଷାର ପରିମାଣ କମିବ । ଆଗାମୀ ଦୁଇ ଦିନ ପରଠୁ ବଢିବ ତାପମାତ୍ରା । ୨ ରୁ ୪ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସର୍ବାଧିକ ବଡଗଡରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,"ମୌସୁମୀ ଛୁଇଁବା ପରେ ରାଜ୍ୟରେ ବିଗତ ସାତ ଦିନଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଏବେ ଲଗାଣ ବର୍ଷାରେ ଲାଗିବ ବ୍ରେକ । ଏନେଇ ଆଗକୁ ସେଭଳି ବଡ଼ ଧରଣର ବର୍ଷା ସମ୍ଭାବନା ନଥିବା ବେଳେ ମୋସୁମୀ ଜନିତ ବର୍ଷା ପରିମାଣ ମଧ୍ୟ ସେଭଳି ଦେଖିବାକୁ ମିଳିବ ନାହିଁ । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଅଧିକ ବର୍ଷା ବରଗଡ଼ ୫୭ ମିମି ବର୍ଷା ରେକର୍ଡ କରଯାଇଛି । ସେପଟେ ଆସନ୍ତା ୨୪ ଘଣ୍ଟାରେ କାଁଭାଁ କିଛି ସ୍ଥାନରେ ଗୋଟିଏ ବା ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି । ୩୫ରୁ ୪୦ କିମି ବେଗରେ ଝଟକା ଝଟକା ପବନ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।"ସେ ଆହୁରି ମଧ୍ୟ କହିଛନ୍ତି, "ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗୀର, କେନ୍ଦୁଝର, ଦେବଗଡ, ଭଦ୍ରକ କେନ୍ଦ୍ରାପଡା, ଯାଜପୁର, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ନବରଙ୍ଗପୁର ଏବଂ ରାୟଗଡାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ସୁନ୍ଦରଗଡ଼ରେ ସର୍ବାଧିକ ୩୬.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାୟଗଡ଼ାରେ ୨୨.୬ଡିଗ୍ରୀ ସେଲସିୟସରୁ ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ ରୁ ୬ଡିଗ୍ରୀ ସେଲସିୟସ ହ୍ରାସ ପାଇଥିଲା । ଓଡିଶାର କିଛି ସ୍ଥାନରେ ସ୍ବାଭାବିକଠୁ ୫ରୁ ୬ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ରହିଥିବା ବେଳେ ଉପକୂଳ ଜିଲ୍ଲାମାନଙ୍କରେ ସ୍ବାଭାବିକଠାରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମ ରହିଥିଲା ।"
State,Sports
ପାରଳାଖେମୁଣ୍ଡି ( ଦ କୁଇଭର ):- ଗୃହରକ୍ଷୀ ଚାକିରି ପାଇଁ ଶାରୀରିକ ପରୀକ୍ଷା ସମୟରେ ଦୁଇଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଗୁରୁବାର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାଲିଥିବା ଏହି ଯୋଗ୍ୟତା ପରୀକ୍ଷାରେ ୨ କିମି ଦୌଡ଼ ପ୍ରତିଯୋଗିତା ବେଳେ ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ (୨୭) ଓ ନାରାୟଣପୁର ଗ୍ରାମର ଦୀପକ ପଡ଼ାଲ (୨୮)। ଅସୁସ୍ଥଙ୍କ ମଧ୍ୟରେ ଘୁରୁଣି ଗ୍ରାମର ସଞ୍ଜୟ ଶବର, ବାଲକ୍ରିଷ୍ଣା ଲିମା, ଅପ୍ରୀତିକର ଲିମା ଓ ପି.ଶଙ୍କର ଅଛନ୍ତି। ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ତେବେ ସୂଚନା ପ୍ରକାରେ, ଗଜପତି ଜିଲ୍ଲା ନିମନ୍ତେ ୧୪୪ଟି ଗୃହରକ୍ଷୀ ପଦବି ପାଇଁ ମନୋନୟନ ପ୍ରକ୍ରିୟା ଜାରି ରହିଛି। ପର୍ଯ୍ୟାୟ କ୍ରମେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଯୋଗ୍ୟତା ଓ ଚୟନ ପାଇଁ ଗୁରୁବାର ୨ କିଲୋମିଟର ଦୌଡ଼ ପ୍ରତିଯୋଗିତା ରହିଥିଲା। ସକାଳ ପ୍ରାୟ ୬ଟା ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଠସ୍ଥିତ ଏସ୍ପି ଅଫିସ୍ଠାରୁ ପଦ୍ମପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୌଡ଼ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ୧୨ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ବ୍ୟାଚ୍ରେ ୨ କିଲୋମିଟର ରାସ୍ତାକୁ ୧୦ ମିନିଟ୍ ମଧ୍ୟରେ ଅତିକ୍ରମ କରି ଯୋଗ୍ୟତା ହାସଲ କରିଥିଲେ ସୁଲନ୍ତ। ହେଲେ ଦ୍ବିତୀୟ ପର୍ଯ୍ୟାୟକୁ ଯିବା ସମୟରେ ଘଟିଥିଲା ଅଘଟଣ। ହୃଦ୍ସ୍ପନ୍ଦନ ବଢ଼ିଯିବା କାରଣରୁ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସହିତ ଜଣେ ପରେ ଜଣେ ଦୌଡ଼ୁଥିବା ଏଭଳି ୬ ଜଣ ଅସୁସ୍ଥ ହୋଇ ଟ୍ରାକ୍ ଉପରେ ଖସି ପଡ଼ିଥିଲେ। ଯୋଗ୍ୟତା ପରୀକ୍ଷାରେ ଉପସ୍ଥିତ ଥିବା ଡାକ୍ତର ସୁଲନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଅସୁସ୍ଥ ହୋଇଥିବା ଦୀପକ ପଡ଼ାଲଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଯେଉଁ ୪ ଜଣ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।
ତେବେ ଶାରୀରିକ ପରୀକ୍ଷା ବେଳେ ଘଟିଥିବା ଏହି ଅଘଟଣକୁ ନେଇ ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା କେବଳ ୧୦ ମିନିଟ୍ ମଧ୍ୟରେ ଯୋଗ୍ୟତା ହାସଲ କରିବା ପାଇଁ ପ୍ରଯୁଜ୍ୟ ଥିଲା। ଦୌଡ଼ ପରୀକ୍ଷା ବେଳେ ପ୍ରତିଯୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରାସ୍ତାରେ ପୁଲିସ, ଆମ୍ବୁଲାନ୍ସ ଓ ଡାକ୍ତର ନିୟୋଜିତ ଥିଲେ। ତଥାପି ପ୍ରତିଯୋଗୀ ଏଭଳି ଅସୁସ୍ଥ ହୋଇପଡ଼ିବା ଏବଂ ଦୁଇଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ମୃତ ସୁଲନ୍ତଙ୍କ ଘରେ ବିଧବା ମା’ ରହିଥିବା ବେଳେ ୧୦ ବର୍ଷ ତଳେ ତାଙ୍କ ବଡ଼ଭାଇଙ୍କର ମୃତ୍ୟୁ ହୋଇଥିଲା। ମା’ ପ୍ରମିଳା ମିଶାଲ ଗାଁ’କୁ ଗାଁ ବୁଲି ଶୁଖୁଆ ବିକ୍ରି କରନ୍ତି। ସୁଲନ୍ତ ସିଲେଇ କାମ କରି ଘର ଚଳାଉଥିବାବେଳେ ଯୁକ୍ତତିନି ପାଠପଢ଼ା ପରେ ଚାକିରି ସନ୍ଧାନରେ ଥିଲେ। ଏବେ ଏକମାତ୍ର ପୁଅକୁ ହରାଇ ପ୍ରମିଳା ନିଃସହାୟ ହୋଇପଡ଼ିଛନ୍ତି।
State
ଗଞ୍ଜାମ, ଭଞ୍ଜନଗର ( ଦ କୁଇଭର ):- ବେଆଇନ ବନ୍ଧୁକ ରଖିଥିବା ଅପରାଧୀଙ୍କୁ ଦମନ କରିବା ପାଇଁ ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅପରେସନରେ ଆଉ ଏକ ସଫଳତା ମିଳିଛି। ଭଞ୍ଜନଗର ପୁଲିସ ଆଜି ୯ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୫ଟି ବନ୍ଧୁକ, ଦୁଇଟି ଖେଳନା ପିସ୍ତଲ ସହ ବିଭିନ୍ନ ପ୍ରକାରର ୧୬ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିବା ସହ ଗୋଟିଏ ଲେଖାଏଁ କାନ୍ତି ଓ ଖଣ୍ଡା ସମେତ ୫ମୋବାଇଲ ଆଦି ଜବତ ହୋଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଭଞ୍ଜନଗର ପୁଲିସ ପକ୍ଷରୁ ଏଭଳି ବେଆଇନ ବନ୍ଧୁକ ଧରିବା ଦିଗରେ ସ୍ୱତନ୍ତ୍ର ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବା ବେଳେ ଜିଲୁଣ୍ଡି ତାରିଣୀ ମନ୍ଦିର ଭିତରେ ସନ୍ଦେହ ଜନକ ଭାବେ କିଛି ଲୋକ ବସିଥିବା ଖବର ପାଇଥିଲେ। ପୁଲିସ ସେଠାରେ ପହଁଚିବା ପରେ ସେମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ୱର ନୟାପଲ୍ଲୀର ସରୋଜ ଦାସ, ବେଲଗୁଣ୍ଠା ଥାନା ଅଞ୍ଚଳର ବ୍ରଜ ମୋହନ ସାହୁ,କଇଣ୍ଡି ଗ୍ରାମର ଅନୀଲ ବେହେରା, ଲାଲସିଙ୍ଗିର ସନାତନ ପ୍ରଧାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେମାନଙ୍କୁ ପଚରାଉଚରା କରିବା ବେଳେ ଆଉ ୫ଜଣ ଲଣ୍ଡେଇ ସାହିର ଏକ ଭଡ଼ା ଘରେ ରହିଥିବା ସେମାନେ କହିଥିଲେ।ଏହାପରେ ପୁଲିସ ଲଣ୍ଡେଇସାହି ସ୍ଥିତ ଭଡ଼ାଘରେ ଚଢ଼ଉ କରି ଅଗଝୋଳ ଗ୍ରାମର ଦିବ୍ୟାଙ୍ଗ ଆରୁଖ, ଜାମପଲିର ସୁନୀଲ ସାବତ, ଲଣ୍ଡେଇ ସାହିର ସଂଗ୍ରାମ କିଶୋର ଭୂୟାଁ, ଜିଲୁଣ୍ଡିର ବାଦଲ ସାହୁ ଓ ବିଂଝିଗିରୀର ଟୁକୁନା ପାତ୍ରକୁ ଗିରଫ କରିବା ସହ ସମସ୍ତ ଅଭିଯୁକ୍ତକୁ ଯାଞ୍ଚ କରିବା ସମୟରେ ବନ୍ଧୁକ ଗୁଳି ଓ ମାରଣାସ୍ତ୍ର ଆଦି ମିଳିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ। ଏଥିରେ ଅତିରିକ୍ତ ଏସପି ଶ୍ରୀ ଦେଙ୍କ ସମେତ ଏସଡିପିଓ ସୁଜିତ କୁମାର ନାୟକ, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି,ଲିପିନା ବିଶ୍ୱାଳ,ଏଏସଆଇ ସତ୍ୟ ନାରାୟଣ ମଳିକ, ଶରତ ଚନ୍ଦ୍ର ପଣ୍ଡାଙ୍କ ସମେତ ଥାନାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
Farming,State
ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀଙ୍କ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ସମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ପ୍ରସ୍ତାବକୁ ବୈଠକରେ ମଞ୍ଜୁର କରାଯାଇଛି। ଏଥି ସହିତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଚାଷୀମାନେ ନେଉଥିବା ଋଣ ଉପରେ ୧.୫ ପ୍ରତିଶତ ସୁଧ ରିହାତି ସ୍କିମ୍କୁ ୨୦୨୫-୨୬ରେ ମଧ୍ୟ ଜାରି ରଖିବାକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଉଭୟ ସାଧାରଣ ମାନର ଓ ‘ଏ’ ଗ୍ରେଡ୍ ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୬୯ ଟଙ୍କା ବଢ଼ିଛି। ଫଳରେ ସାଧାରଣ ମାନ ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୨୩୬୯ ଟଙ୍କା ହୋଇଛି। ‘ଏ’ ଗ୍ରେଡ୍ ଧାନର ଏମ୍ଏସ୍ପି ୨୩୮୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ହାଇବ୍ରିଡ୍ ଯଅର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୩୨୮ ଟଙ୍କା ବୃଦ୍ଧି ପାଇ ୩୬୯୯ ଟଙ୍କା ଏବଂ ମାଲଦାଣ୍ଡି ମାନର ଯଅ ମୂଲ୍ୟ ୩୭୪୯ ଟଙ୍କାକୁ ବୃଦ୍ଧି ପାଇଛି। ବାଜାରା ଏମ୍ଏସ୍ପି ୧୫୦ ଟଙ୍କା ବଢ଼ି ୨୭୭୫ ଟଙ୍କା, ମାଣ୍ଡିଆ ଦାମ୍ ୫୯୬ ଟଙ୍କା ବୃଦ୍ଧି ପାଇ ୪୮୮୬ ଟଙ୍କା ହୋଇଛି। ମକା ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୧୭୫ ଟଙ୍କା ବୃଦ୍ଧି ସହ ୨୪୦୦ ଟଙ୍କା ହୋଇଛି।
ଅନ୍ୟପଟେ ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂଶୋଧିତ ସୁଧ ରିହାତି ଯୋଜନାକୁ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। କିଷାନ କ୍ରେଡିଟ୍ କାର୍ଡ (କେସିସି)ରେ ଚାଷୀମାନେ ୭ ପ୍ରତିଶତ ସୁଧରେ ଓ ୧.୫ ପ୍ରତିଶତ ସୁଧ ରିହାତି ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଯେଉଁ ଚାଷୀମାନେ ତ୍ବରିତ ଋଣ ପରିଶୋଧ କରିବେ ସେମାନଙ୍କୁ ୩ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିବ। ଫଳରେ କେସିସି ଋଣରେ ସେମାନଙ୍କ ପାଇଁ ସୁଧ ୪ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ। ପଶୁପାଳନ ଓ ମତ୍ସ୍ୟଚାଷ ଉଦ୍ଦେଶ୍ୟରେ ନିଆଯାଉଥିବା ଋଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଲେ, ସେଥିରେ ସୁଧ ରିହାତି ଲାଗୁ ହେବ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ , ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର , ପ୍ରୋବେସନ ପ୍ରଶାସନିକ ଅଧିକାରୀ ମ୍ରିନାଲିକା ରାଠୋର ଙ୍କ ଉପସ୍ଥିତିରେ ଆଜିର ଏହି ଅଭିଯୋଗ ଶୁଣାଣି ହୋଇଥିଲା।ସମୁଦାୟ ୩୫ଟି ଅଭିଯୋଗ ର ଶୁଣାଣୀ କରାଯାଇଥିଲା l ବ୍ୟକ୍ତିଗତ ଅଭିଯୋଗ ୩୨ଟି ଥିବାବେଳେ ସାମୁହିକ ଅଭିଯୋଗ ୨ଟି ରହିଥିଲା ଏବଂ ତ୍ୱରିତ ଦୁଇଟି ଅଭିଯାଗର ଫଇସଲା ହୋଇଥିଲା। ଜଣଙ୍କୁ ରେଡକ୍ରସ ପାଣ୍ଠି ତରଫରୁ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା l ଅଭିଯୋଗ ଗୁଡିକ ମୁଖ୍ୟତଃ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ରାସନ୍ କାର୍ଡ, ଭତ୍ତା,ଶିକ୍ଷା ,ସ୍ଵାସ୍ଥ୍ୟ,ସୁଭଦ୍ରା,ଜଳ ସମସ୍ୟା ଇତ୍ୟାଦି ବିଷୟରେ ରହିଥିଲା l ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ରେ ପ୍ରତ୍ୟେକ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ , ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ତହସିଲଦାର ଏଵଂ ବିଡ଼ିଓ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ରହିଥିଲେ
State
ଦ କୁଇଭର ବ୍ୟୁରୋ:- ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ଥିଲା, ଏବେ ଏହାକୁ ୪୨ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବରେ ବୁଧବାର କ୍ୟାବିନେଟ୍ ମୋହର ବାଜିଛି। ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। କେବଳ ସେତିକି ନୁହେଁ, ଏସ୍ସି, ଏସ୍ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା।
National
ଦ କୁଇଭର ବ୍ୟୁରୋ:- ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ନେଇ ମାଓ ସଙ୍ଗଠନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ୨୧ ତାରିଖ ଏନକାଉଣ୍ଟରରେ ୨୮ ମାଓବାଦୀଙ୍କ ଜୀବନ ଯାଇଛି । ମେ ୧୭ ତାରିଖରୁ ଆରମ୍ଭ ହୋଇ ଥିଲା ଅପରେସନ, ୧୯ ତାରିଖରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା । ସ୍ଥାନ ପରିବର୍ତ୍ତନ କରି ଥିଲେ ବାସବରାଜୁଙ୍କ ଟିମ୍ । ୨୧ ତାରିଖ ଏନକାଉଣ୍ଟରରେ ହୋଇ ଥିଲା ବ୍ୟାପକ କ୍ଷତି । ସେଠାରେ ଥିବା ୩୫ ମାଓବାଦୀଙ୍କ ମଧ୍ୟରୁ ୨୮ ମାଓବାଦୀଙ୍କ ମୃ୍ତ୍ୟୁ ହୋଇଥିଲା । ୬୦ ଘଣ୍ଟାର ଧରି ଭୋକରେ ଥିଲେ ମାଓବାଦୀ । ଲଢ଼ିବାକୁ ଦେହରେ ବଳ ବି ନଥିଲା । ଯାହାର ସୁଯୋଗ ନେଇ ସୁରକ୍ଷାକର୍ମୀମାନେ ଏକକାଉଣ୍ଟର କରିଥିଲେ ବୋଲି ମାଓ ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରି ସୂଚନା ଦିଆଯାଇଛି । ଏବେ ପ୍ରତିକୁଳ ପରିସ୍ଥିତି ଦେଇ ଗତି କରୁଛି ସଙ୍ଗଠନ । ୬୦ ବଦଳରେ ୩୫ ଜଣିଆ ଟିମ ବାସବରାଜୁଙ୍କୁ ସୁରକ୍ଷା ଯୋଗାଉ ଥିଲେ । ଗତ ୬ ମାସ ଧରି ସଙ୍ଗଠନ ଦୁର୍ବଳ ହବାରେ ଲାଗିଛି । ଏନକାଉଣ୍ଟର ପରେ ବାସବରାଜୁଙ୍କ ଦଳରୁ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସଦସ୍ୟଙ୍କ ସୂଚନା ଯୋଗୁଁ ବାସବରାଜୁଙ୍କ ଏନକାଉଣ୍ଟର ହୋଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି ।
Sports
ଦ କୁଇଭର ବ୍ୟୁରୋ:- ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ପରେ ଆସନ୍ତା ରବିବାର ଦିନ ୨ୟ କ୍ବାଲିଫାୟାରରେ ପଂଜାବକୁ ଭେଟିବ ମୁମ୍ବାଇ । ଅନ୍ୟପଟେ ଆଜିର ପରାଜୟ ସହ ଗୁଜରାଟ ଟାଇଟେଲ ଦୌଡରୁ ବାଦ ପଡ଼ିଛି । ୨୨୯ ରନର ପିଛା କରିଥିବା ଗୁଜରାଟ ୨୦ ଓଭରରେ ୨୦୮ ରନ ହିଁ କରିପାରିଥିଲା ।ଦଳ ପକ୍ଷରୁ ସାଇ ସୁଦର୍ଶନ ୮୦ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୪୮ ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜନି ବେୟାରଷ୍ଟୋ ଓ ରୋହିତ ଶର୍ମା ବ୍ୟାଟିଂ ଓପନ କରିଥିଲେ । ବେୟାରଷ୍ଟୋ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିବାବେଳେ ରୋହିତ ଟିକିଏ ସତର୍କତାର ସହ ବ୍ୟାଟିଂ କରିଥିଲେ । ବେୟାରଷ୍ଟୋ ମାତ୍ର ୨୨ ବଲରେ ୪୭ ରନ କରି ଆଉଟ ହୋଇଥିଲେ । ଏହାପରେ ରୋହିତ ଶର୍ମା ମଧ୍ୟ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସୂର୍ଯ୍ୟକୁମାର ଯାଦବ । ରୋହିତ ମାତ୍ର ୫୦ ବଲରେ ୮୧ ରନ କରିଥିବାବେଳେ ସୂର୍ଯ୍ୟକୁମାର ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୫ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୨ ରନ କରିଥିଲେ । ଗୁଜରାଟ ପକ୍ଷରୁ ସାଇକିଶୋର ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ
State
ଦ କୁଇଭର ବ୍ୟୁରୋ:- ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅନୁଗୁଳସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନ ଓ ରାଜ୍ୟର ଅନ୍ୟ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ଅନୁଗୁଳ, ପୁରୀ, କଟକ ଓ ଢେ଼ଙ୍କାନାଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ମିଳିତ ଚଢ଼ଉ କରାଯାଉଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରୁ ଭିଜିଲାନ୍ସ ଟିମ୍ ନଗଦ ୨ କୋଟି ଟଙ୍କା ଜବତ କରିଛି। ତାଙ୍କ ଅନୁଗୁଳ ଘରୁ ୯୦ ଲକ୍ଷ ଓ ରାଜଧାନୀ ବାସଭବନରୁ ୧ କୋଟି ୧୦ ଲକ୍ଷ ଟଙ୍କା ନଗଦ ମିଳିଥିବା ଜଣାଯାଇଛି।ଭିଜିଲାନ୍ସ ଡିଏସପି ଅନୁଷ୍କା ସେନାପତିଙ୍କ ତତ୍ତ୍ଵାବଧାନରେ ଚଢ଼ଉ ଚାଲିଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଆଉ ଦୁଇ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
Sports
ଦ କୁଇଭର ବ୍ୟୁରୋ:- ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଅଷ୍ଟାଦଶ ସଂସ୍କରଣରେ କ୍ବାଲିଫାୟର-୧ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରିବା ସହିତ ଫାଇନାଲରେ ପହଞ୍ଚିଛି। ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ୟାଦାବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ପଂଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବେଙ୍ଗାଲୁରୁ ୧୦ ଓଭରରେ ୨ଟି ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ଜିତିବା ସହିତ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁର ଟିମ୍ ୯ ବର୍ଷ ପରେ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁରୁ ପାଇଁ ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୭ଟି ବଲ୍ ସାମ୍ନା କରିଥିଲେ ଏବଂ ୬ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୬ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୨ ରନ୍ କରିଥିଲେ। ୧୨ଟି ବଲ୍ ଖେଳି ସେ ୨ଟି ଚୌକା ମାରିଥିଲେ। ମୟଙ୍କ ଅଗ୍ରୱାଲ ୧୯ ରନ୍ ଓ ଅଧିନାୟକ ରଜତ ପାଟିଦାର ଅପରାଜିତ ୧୫ ରନ୍ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁର ପ୍ରଭାବଶାଳୀ ବୋଲିଂ ଯୋଗୁଁ ପଂଜାବ ଟିମ୍ ୧୪.୧ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ବେଙ୍ଗାଲୁର ପାଇଁ ସୂୟାଶ ଶର୍ମା ଓ ଜୋସ୍ ହେଜଲଉଡ୍ ସର୍ବାଧିକ ୩-୩ଟି ୱିକେଟ୍ ନେଇଥିଲେ। ବେଙ୍ଗାଲୁରୁ ପାଇଁ ସୂୟାଶ ଶର୍ମା ଓ ହେଜଲଉଡ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୂୟାଶ ୩ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ହେଜଲଉଡ୍ ୩.୧ ଓଭର ବୋଲିଂ କରିଥିଲେ। ସେ ୨୧ ରନ୍ ଖର୍ଚ୍ଚ କରିଥିଲେ। ୟଶ ଦୟାଲଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ରୋମାରିଓ ସିଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Health & lifestyle,State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସ୍ଥିତ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଳବ୍ ତରଫରୁ ନିଜସ୍ୱ କାର୍ଯ୍ୟାଳୟ ଅର୍ଥାତ ଗାନ୍ଧୀ ମାର୍କେଟ୍ ସ୍ଥିତ ସ୍ନେହମ୍ ଠାରେ ୯ ବର୍ଷ ବୟସଠାରୁ ୨୬ ବର୍ଷ ବୟସର ୧୦୦ ଜଣ ଝିଅଙ୍କୁ ଗର୍ଭାଶୟ ଗ୍ରୀବା ବା Cervical Cancer ରୁ ରକ୍ଷା କରିବା ପାଇଁ ପ୍ରତିଷେଧକ ଟୀକା HPVର ପ୍ରଥମ ମାତ୍ରା ନିଃଶୁଳ୍କ ଭାବେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ନଗର ନିଗମର ମେୟର ସଂଘମିତ୍ରା ଦଳାଇ ଉଦ୍ଘାଟନ କରିଥିଲେ। ଗଂଜାମ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡ.ଭବାନୀ ଶଙ୍କର ମିଶ୍ର, N.H.M.ଗଂଜାମ ଜିଲ୍ଲାର ସ୍ମୃତିବର୍ଦ୍ଧନ ଦାସ, M.C.W. ସେଣ୍ଟରର ଡ.ଜୟନ୍ତୀ ରାଓ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ।
ତେବେ ଗର୍ଭାଶୟ ଗ୍ରୀବା କର୍କଟର ମୁଖ୍ୟ କାରଣ ହେଉଛି ଏକ ପ୍ରକାରର ଭୁତାଣୁ ଯାହାକି HPV ବ(Human Papilloma virus) । ଏହି ମାରାତ୍ମକ କର୍କଟରୁ ରକ୍ଷାପାଇବା ପାଇଁ ପ୍ରତିଷେଧକ HPV ଟୀକା ନେବାବ୍ୟତୀତ ଅନ୍ୟପନ୍ଥା ନାହିଁ। ବର୍ତ୍ତମାନ୍ ୯ ବର୍ଷରୁ ୧୪ ବର୍ଷର ଟୀକା ନେଇଥିବା ଝିଅ ମାନଙ୍କୁ ଠିକ୍ ଦୁଇମାସରେ ଏହାର ଦ୍ଵିତୀୟ ଟୀକା ଦିଆଯିବ ଓ ସେହିପରି ଯେଉଁ ୧୫ ବର୍ଷରୁ ୨୬ ବର୍ଷର ଯେଉଁ ଝିଅମାନେ ଟୀକା ନେଇଛନ୍ତି ସେମାନଙ୍କୁ ଠିକ୍ ୨ ମାସରେ ଦ୍ଵିତୀୟ ଟୀକା ଓ ୬ ମାସରେ ୩ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି।
ଏହି ଟିକାଦାନ ପାଇଁ ଟୀକାନେବାକୁ ଉପସ୍ଥିତଥିବା ଇଛୁକ ଝିଅ ଓ ସେମାନଙ୍କ ପିତାମାତା ମାନଙ୍କୁ ଏହି ଟିକାର ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ସଚେତନ କରାଯାଇଥିଲା ଓ ଝିଅ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଯୋଗ୍ୟ ହିତାଧିକାରୀ ବଛାଯାଇଥିଲା।
ତେବେ ଶିଶୁ ବିଶେଷଜ୍ଞ ଡ.T.ପ୍ରକାଶ ରାଓଙ୍କ ନେତୃତ୍ୱରେ , ଶିଶୁ ବିଶେଷଜ୍ଞ ଡ. ଏସ.କେ.ବର୍ମା, ଡ. ରୋଶନ କୁମାର, U.S.ମୂର୍ତ୍ତି, ଡ.ଚକ୍ରଧର ରାଜୁ, ଡ.J.ନାରାୟଣ ରାଓ ଟୀକା ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଶ୍ରୀମତୀ ତନୁଜା ବନାଙ୍ଗୀ,ମହିଳା କର୍ମୀ ଉଷାରାଣୀ ପାଢ଼ି, ସହାୟକ ଏଲିଶା ଓ ନୀଳାଞ୍ଚଳ ପାଢି ସାହାଯ୍ୟ କରିଥିଲେ। ତେବେ ବହୁତ ଖୁସିର କଥା ଏହି ମୂଲ୍ୟବାନ କାର୍ଯ୍ୟପାଇଁ ଇପ୍ପିଲି କେଶବ ରାଓ ଓ ତାଙ୍କ ସହଧର୍ମିଣୀ ଇପ୍ପିଲି ବିଶାଲା ସେମାନଙ୍କ ୭୫ ତମ ବିବାହ ଦିବସ ଉପଲକ୍ଷେ ସମସ୍ତ ଟୀକାର ଖର୍ଚ୍ଚ ପ୍ରଦାନ କରି କିମ୍ବଦନ୍ତୀ ସୃଷ୍ଟି କରିଛନ୍ତି।
ଏହି କାର୍ଯ୍ୟକ୍ରମକୁ କ୍ଳବର ସଭାପତି M.ବିଦ୍ୟାସାଗର, ସମ୍ପାଦକ ସତ୍ୟକାମ୍ ପାତ୍ର, ଉପସଭାପତି ଜମ୍ମୁଲା ସୁରେଶ, କୋଷାଧ୍ୟକ୍ଷ କିରଣ କୁମାର, ପୂର୍ବତନ ସଭାପତି ଇଞ୍ଜିନିୟର. ପ୍ରଶାନ୍ତ କୁମାର ପାତ୍ର , ଏହି ପ୍ରୋଜେକ୍ଟର ଅଧ୍ୟକ୍ଷ Asn ଗୁପ୍ତା , ସଭ୍ୟ ଏ.ରଘୁନାଥମ, ପି.ପ୍ରବୀଣ କୁମାର, ମୋନିଙ୍ଗ ପ୍ରବୀଣ, ପ୍ରଭାକର ଚୌଧୁରୀ, A.ରାମଚନ୍ଦ୍ର ରାଓ, ପି.ଶ୍ରୀନିବାସ ରାଓ, ଇ.ଜଗଦୀଶ୍ୱର ରାଓ ଓ କ୍ଳବର ଶକ୍ତି ବିଭାଗର
ଇପାରି ପ୍ରବୀଣା, ପି.ଅନୁରାଧା, ଇନ୍ଦିରା ଚୌଧୁରୀ, ଭାନୁପ୍ରିୟା, ରେଖା, ଶ୍ରାବଣୀ ଜମ୍ମୁଲା ସାଇଲଜା, ଵି.ବୀଣା, ପି.ଲଷ୍ମୀ, ସହଯୋଗ କରିଥିଲେ l
Shree Jagannath
ଦ କୁଇଭର ବ୍ୟୁରୋ:- ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ ଗଡିବ ବସ । ରଥଯାତ୍ରା ସମୟରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଭକ୍ତଙ୍କ ଯାତାୟତକୁ ସୁବିଧା କରିବା ପାଇଁ ଆଗକୁ ଆସିଲେ ରାଜ୍ୟ ସରକାର । ପୁରୀକୁ ଗଡିବ ୧୦୦୦ ବସ । ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ଦେବେ ସରକାର । ଏହି ସମସ୍ତ ଗାଡ଼ିର ପାର୍କିଂ ବ୍ୟବସ୍ଥା ମାଳତୀ ପାଟପୁର ଠାରେ କରିଯିବ ।ସେଠାରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଗାଡ଼ି । ଆସୁଥିବା ଯାତ୍ରୀଙ୍କ ପାଇଁ ଏକ ମୂଲ୍ୟ ଧାର୍ଯ୍ୟ କରିବେ ସରକାର, ଧାର୍ଯ୍ୟ ମୂଲ୍ୟଠାରୁ କୌଣସି ବସ୍ ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ନିଷ୍ପତି ହୋଇଛି l ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ୍ ପାର୍କିଂ ବ୍ୟବସ୍ଥା । ଯାତ୍ରୀଙ୍କୁ ବସ୍ ରହଣି ସ୍ଥଳରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି । ସେପଟେ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ ।ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ତେବେ ଏହି ବୌଠକରେ ବିଶେଷକରି ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ,ସେ ନେଇ ଆଲୋଚନା କରାଯାଇଥିଲା । ତେବେ ତାଳବଣିଆ ବସ ଷ୍ଟାଣ୍ଟରେ ଯାତ୍ରୀଙ୍କୁ ଦିଆଯିବ 10 ଟଙ୍କାରେ ଖାଦ୍ୟ । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ 30ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ବେପରୁଆ ଗାଡି ଚାଳନା ଉପରେ କଡା ନଜର ରଖାଯିବ । ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି STA କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ସମସ୍ତଙ୍କ ସହଯୋଗ ପୁରୀକୁ ଯାତ୍ରୀ ପରିବହନ ସୁରୁଖୁରୁରେ ହେବ ବୋଲି ଆଶା ପ୍ରକଟ କରିଛନ୍ତି STA କମିଶନର । ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ,କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ ,ଏନଏଚଆଇ କର୍ତ୍ତୃପକ୍ଷ ସାମିଲ ହୋଇଥିଲ।
Health & lifestyle,National
ଦ କୁଇଭର ବ୍ୟୁରୋ:- ଦେଶରେ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ମେ ୨୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ପାଞ୍ଚ ଗୁଣ ବୃଦ୍ଧି ପାଇଛି ଏବଂ ୧୦୦୦ ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ ମାମଲା ରେକର୍ଡ ହୋଇଛି, ତା’ପରେ ମହାରାଷ୍ଟ୍ର ୪୨୪, ଦିଲ୍ଲୀ ୨୯୪ ଏବଂ ଗୁଜରାଟ ୨୨୩ ମାମଲା ରହିଛି। କର୍ଣ୍ଣାଟକ ଏବଂ ତାମିଲନାଡୁରେ ପ୍ରତ୍ୟେକ ୧୪୮ ମାମଲା ରେକର୍ଡ ହୋଇଛି, ଯେତେବେଳେ ପଶ୍ଚିମବଙ୍ଗରେ ୧୧୬ ମାମଲା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଫଳରେ ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ, ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ ଏବଂ ତାମିଲନାଡୁରେ ଗୋଟିଏ ଲେଖାଏ ମୃତ୍ୟୁ ମାମଲା ରେକର୍ଡ ହୋଇଛି। ତଥାପି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
National
ଦ କୁଇଭର ବ୍ୟୁରୋ:- ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ପ୍ରତିମାସ ଶେଷରେ ପାକିସ୍ତାନକୁ ଲାଗି ରାଜ୍ୟ ଗୁଡ଼ିକରେ ମକ୍ଡ୍ରିଲ୍ କରାଯିବ । ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ ସାଧାରଣ ନାଗରିକମାନେ କ’ଣ କରିବେ, କିପରି ସତର୍କ ରହିବେ, ନିଜକୁ କିପରି ସୁରକ୍ଷିତ ରଖିବେ, ଏନେଇ ଅଭ୍ୟାସ କରାଯିବ । ପାକ୍ ସୀମାକୁ ଲାଗିଥିବା ରାଜ୍ୟରେ ହେବ ଶତୃପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତି । ପଞ୍ଜାବ, ଗୁଜରାଟ, ରାଜସ୍ଥାନ ଓ ଜମ୍ମୁ- କାଶ୍ମୀରରେ ୩୧ ମେ’ରେ ଏହି ଅଭ୍ୟାସ କରାଯିବ । ଗୁରୁବାର ଏହି ୪ ରାଜ୍ୟରେ ମକ୍ଡ୍ରିଲ୍ ହେବାର ଥିଲା ହେଲେ ପ୍ରଶାସନିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି, ବଦଳରେ ଶନିବାର ଯୁଦ୍ଧାଭ୍ୟାସ ହେବ ।
ସୂଚନା ପ୍ରକାରେ,୭ ମେ’ରେ ସାରା ଦେଶରେ ଯୁଦ୍ଧାଭ୍ୟାସ କରାଯାଇଥିଲା । ଏହାପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଥିଲା ଭାରତୀୟ ବାୟୁସେନା । ପ୍ରଥମେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା । ଏହାପରେ ପାକିସ୍ତାନ ପଟୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହୋଇଥିଲା । ତେବେ ଭାରତର ଏୟାର ଡିଫେନ୍ସ ଏହାକୁ ବିଫଳ କରିଥିଲା । ତେବେ ପାକିସ୍ତାନର ଡ୍ରୋନ୍ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ । ପାକିସ୍ତାନର ୧୧ଟି ଏୟାରବେସ୍ ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରି ବ୍ୟାପକ କ୍ଷତି ଘଟାଇଥିଲା । ଏହାପରେ ଭୟରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ।