Banner Ad

ମା'ର ଚାଷ ଜମିରେ ପୁଅ ପକାଇଛି ବିଷାକ୍ତ ଔଷଧ

ମା'ର ଚାଷ ଜମିରେ ପୁଅ ପକାଇଛି ବିଷାକ୍ତ ଔଷଧ
Published by : Jyotshna Kumari
#State
Jul 29, 2025, 8:43 PM

କୁକୁଡାଖଣ୍ଡି ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୋହିଗାଁ ପଞ୍ଚାୟତ ନଳିହାଡ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ମା ର ଚାଷଜମି (ତୈଳି କିଆରୀ)ରେ ସାନ ପୁଅ ବିଷାକ୍ତ ଔଷଧ ପକେଇ ତୈଳି କିଆରୀକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନାମୁତାବକ ନଳିହାଡ ଗ୍ରାମର ସୁଦଷ୍ଣା ବିଷୋୟୀଙ୍କ ସାନ ପୁଅ ବାବୁଲା ବିଷୋୟୀ ନିଜ ମା ଉପରେ ରାଗ ହିଂସା ରଖି ମା ର ତୈଳି କିଆରୀ ଜମିରେ ବିଷାକ୍ତ ଔଷଧ ପକେଇ ସଂପୂର୍ଣ୍ଣ କରିଦେଇଛି । ବାବୁଲା ବିଷାକ୍ତ ଔଷଧ ପକେଇବା ସମୟରେ ଗ୍ରାମର କିଛି ମହିଳା ଓ ପୁରୁଷ ତଥା ମଞ୍ଜୁଳା ବିଷୋୟୀ,ନମିତା ଗୌଡ଼, ବୁଦ୍ଧିଆ ପଳେଇ, ସୁଶାନ୍ତ ଜେନା ସହ ବହୁ ମହିଳା ଦେଖିଥିଲେ । ଖବର ପାଇ ସୁଦଷ୍ଣା ଘଟଣା ସ୍ଥଳରେ ପହଞ୍ଚି ଦେଖିବା ପରେ ଘଟଣାକୁ ନେଇ ତୁରନ୍ତ ସାନ ପୁଅ ବାବୁଲାଙ୍କ ବିରୋଧରେ ସଦର ଥାନା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମଙ୍ଗଳବାର ସକାଳେ ସଦର ଥାନା ପୁଲିସ ଏଏସ୍ ଆଇ ଲକ୍ଷ୍ମୀକାନ୍ତ ପ୍ରଧାନ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଦିର୍ଘ ୨୫ବର୍ଷ ଧରି ସାନପୁଅ ବାବୁଲା ମାଁ ସୁଦଷ୍ଣା ଙ୍କୁ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ଜଣାପଡ଼ିଛି । ପୁଅ ବାବୁଲା ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଆ ସୁଦଷ୍ଣା ପୁଲିସ ନିକଟରେ ଦାବି କରିଥିବା ଜଣାପଡ଼ିଛି।




Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଶିମିଳିପାଳରେ ମେଲାନିଷ୍ଟିକ ବାଘର ପ୍ରଜାନନ ପାଇଁ ଗୁରୁତ୍ଵ

Blog Thumbnail

ଦ କୁଇଭର ବ୍ୟୁରୋ :- ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ନାହାନ୍ତି ମହାବଳ ବାଘ । ଦେବ୍ରିଗଡ ବାଘ ପକଳ୍ପକୁ ଆଗକୁ ବଢାଇବା ପାଇଁ ଯୋଜନା କରାଯାଉଛି । କେବଳ ଶିମିଳିପାଳ ବାଘ ଅଭୟାରଣ୍ୟ ଓଡ଼ିଶାରେ ମହାବଳଙ୍କ ସ୍ଥିତିକୁ ବଜାୟ ରଖିଛି । ଅନ୍ୟପଟରେ ଶିମିଳିପାଳରେ କଳା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ସମୟରେ ଏଠାରେ ହାତଗଣତି ବିରଳ କଳା ବାଘ ରହିଥିବା ବେଳେ ମହାବଳ ସଂଖ୍ୟା ବୃଦ୍ଧି ହେଲାଣି । ଯମୁନା ଓ ଜୀନତ ଦୁଇ ବାଘୁଣୀର ଯୋଜନା ସଫଳ ହେଲେ ଆସନ୍ତା ବର୍ଷକୁ ଆହୁରି ବାଘ ଆସିବେ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା । ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, "ଶିମିଳିପାଳକୁ ଜୀନତ ଓ ଯମୁନା ଆସିବା ପରେ ଆହୁରି ବାଘଙ୍କୁ ଆଣିବାକୁ ଯୋଜନା କରାଯାଇଛି । ବର୍ତ୍ତମାନ ସମୟରେ ଶିମିଳିପାଳକୁ ଦୁଇଟି ପୁରୁଷ ବାଘ ଏବଂ ଦୁଇଟି ବାଘୁଣୀ ଆସିବା ନେଇ ଯୋଜନା କରାଯାଉଛି । ଯେହେତୁ ଯମୁନା ଓ ଜୀନତ ଦୁଇ ବାଘୁଣୀ ରହିଛନ୍ତି, ସେମାନଙ୍କର ବ୍ୟବହାର ଓ ପରିବେଶ ସହିତ କିପରି ଖାପ ଖୁଆଇଲା ଭଳି ଆଚରଣ କରୁଛନ୍ତି ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି । ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଦୁଇ ବାଘଙ୍କୁ ଦେଖି ଆଗକୁ ଆହୁରି ଶିମିଳିପାଳକୁ ବାଘ ଆସିବାର ମଧ୍ୟ ଯୋଜନା କରାଯାଉଛି । ଯଦି ଏହା ସଫଳ ହୁଏ ତେବେ ପ୍ରାଥମିକ ପକ୍ରିୟାରେ ଆସନ୍ତା ବର୍ଷ ଗୋଟିଏ ମାତ୍ର ପୁରୁଷ ବାଘ ଆସିବା ନେଇ ଯୋଜନା ରହିଛି । ଏହି ବାଘ ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଉତ୍ତରାଖଣ୍ଡରୁ ଆସିବା ନେଇ ଯୋଜନା କରାଯାଉଛି ।"

Farming,State

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ଅନୁଧ୍ୟାନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଚଳିତ ବନ୍ୟାରେ ୩ ଜିଲ୍ଲାର ୮ଟି ବ୍ଲକ, ୮୧ଟି ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ବନ୍ୟାଞ୍ଚଳରେ ଫସି ରହିଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିପାଇଁ ୩ଟି ଜିଲ୍ଲାରେ ୨୯ଟି ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି । ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮୧ ଗାଁ'ର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାର ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।"

State

ଏମକେସିଜିରେ ଅଚଳ ଲିଫ୍ଟ ବ୍ୟବସ୍ଥା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆସି ହିନସ୍ତା ହେଉଛନ୍ତି ରୋଗୀ । ଏଠାରେ ରହିଥିବା ଲିଫ୍ଟ ଗୁଡ଼ିକ କାମ କରୁନଥିବା ବେଳେ ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି । ଏମକେସିଜି ମେଡ଼ିକାଲରେ ୩୦ରୁ ଅଧିକ ବିଭାଗ ରହିଥିବା ବେଳେ ୧୦ରୁ ଅଧିକ ବଡ଼ କୋଠା ରହିଛି । ଆଉ ଏଥିରେ ମୋଟ ୨୯ଟି ଲିଫ୍ଟ ରହିଥିବା ବେଳେ ସେଥିମଧ୍ୟରୁ ୧୦ଟି ଲିଫ୍ଟ ଅଚଳ ହୋଇ ପଡ଼ିରହିଛି । ଯାହାଫଳରେ ଚାରି ମହଲା କୋଠାକୁ ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ସିଢ଼ି ଚଢ଼ି ଯାଉଛନ୍ତି । ସେପଟେ ଲୋକଙ୍କ ଅସାବଧାନତା ଓ ଭୁଲ ଯୋଗୁଁ ଲିଫ୍ଟ ଗୁଡ଼ିକ ଖରାପ ହୋଇଯାଉଛି । ଏନେଇ ବାରମ୍ବାର ମରାମତି କରାଗଲେ ମଧ୍ୟ ଖରାପ ହେଉଥିବା ବେଳେ ବର୍ତ୍ତମାନ ଅଚଳ ହୋଇ ପଡ଼ି ରହିଥିବା ଲିଫ୍ଟ ଗୁଡ଼ିକୁ ସଚଳ କରିବା ନିମନ୍ତେ କାର୍ଯ୍ୟ ଜାରୀ ରହିଥିବା କହିଛନ୍ତି ମେଡ଼ିକାଲର ଅଧିକ୍ଷକ ।



ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା । ଯାହାକୁ ନେଇ ନାନା ସମସ୍ୟାରେ ଘାଣ୍ଟି ହେଉଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ । ଏମକେସିଜି ମେଡ଼ିକାଲରେ ପ୍ରାୟ ୩୦ରୁ ଅଧିକ ବିଭାଗର ରହିଛି ୧୦ରୁ ଅଧିକ ବଡ଼ ବଡ଼ କୋଠା । ଆଉ ଏହି ୧୦ଟି କୋଠାରେ ଲାଗିଛି ମୋଟ ୨୯ଟି ଲିଫ୍ଟ । ଏହି ୨୯ଟି ଲିଫ୍ଟ ଗୁଡ଼ିକ ମଧ୍ୟରୁ ପ୍ରାୟ ୧୦ଟି ଲିଫ୍ଟ ଗତ କିଛି ମାସ ହେଲା ଅଚଳ ହୋଇ ପଡ଼ିରହିଛି । ୫ ମହଲା ବିଶିଷ୍ଟ ସର୍ଜରୀ ବିଭାଗ କୋଠାରେ ମୋଟ ୪ଟି ଲିଫ୍ଟ ରହିଥିବା ବେଳେ ଏଥିରୁ ୨ଟି ଲିଫ୍ଟ ବନ୍ଦ, ପିଏମଏସଏସଓ୍ବାଇ କୋଠାରେ ୫ଟି ଲିଫ୍ଟ ରହିଥିବା ବେଳେ ୩ଟି ଲିଫ୍ଟ ଅଚଳ, ନୂତନ କ୍ୟାବିନ ବ୍ଲକରେ ୨ଟି ଲିଫ୍ଟ ଖରାପ, ଆଇସିୟୁ କୋଠାରେ ୨ଟି ଲିଫ୍ଟ ମଧ୍ୟରୁ ଗୋଟିଏ ଲିଫ୍ଟ ଅଚଳ, ନିଶା ନିବାରଣ କେନ୍ଦ୍ରର ନୂତନ କୋଠାରେ ୨ଟି ଲିଫ୍ଟ ଅଚଳ, ୪ ମହଲା ବିଶିଷ୍ଟ ପିଏମଆର କୋଠାରେ ୨ଟି ଲିଫ୍ଟ ମଧ୍ୟରୁ ଗୋଟିଏ ଲିଫ୍ଟ ଅଚଳ ହୋଇପଡ଼ିଛି । ମାସ ମାସ ଧରି ଏଭଳି ଲିଫ୍ଟ ଗୁଡ଼ିକ ଅଚଳ ହୋଇ ପଡ଼ିରହିଥିବା ଯୋଗୁଁ ରୋଗୀଙ୍କୁ କେତେବେଳେ ସିଢ଼ିରେ ନିଆଯାଇଥାଏ ତ ଆଉ କେତେବେଳେ ରୋଗୀର ସମ୍ପର୍କୀୟ ମାନେ ଷ୍ଟ୍ରେଚରରେ ସୁଆଇ ରାମ୍ପରେ ନେବାକୁ ପଡ଼ିଥାଏ । ଲିଫ୍ଟ ଅଚଳ ହୋଇ ପଡ଼ିରହିଥିବା ଯୋଗୁଁ ନାନା ସମସ୍ୟା ଉପୁଜୁଥିବା ବେଳେ ତୁରନ୍ତ ଅଚଳ ହୋଇ ପଡ଼ିରହିଥିବା ଲିଫ୍ଟକୁ ସଚଳ କରିବା ନିମନ୍ତେ ଦାବି କରିଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ।




ଏମକେସିଜି ମେଡ଼ିକାଲକୁ ୧୦ଟି ଜିଲ୍ଲା ରୋଗୀ ସମେତ ପୋଡ଼ଶୀ ଆନ୍ଦ୍ରପ୍ରଦେଶର ମଧ୍ୟ ରୋଗୀ ମାନେ ଚିକିତ୍ସା ସେବା ପାଇଁ ଆସିଥାନ୍ତି । ଉତ୍ତମ ଚିକିତ୍ସା ସେବା ପାଇବା ଅପେକ୍ଷା ଏଠାରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହୋଇ ଯିବାକୁ ପଡ଼ୁଛି । ରୋଗୀ ଓ ରୋଗୀର ସମ୍ପର୍କୀୟ ମାନଙ୍କ ସୁବିଧା ନିମନ୍ତେ ମେଡ଼ିକାଲର ବିଭିନ୍ନ କୋଠାରେ ଲିଫ୍ଟ କରାଯାଇଥିବା ବେଳେ ଏହାର ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉନାହିଁ । ଏହାଛଡ଼ା ପରବର୍ତ୍ତୀ ସମୟରେ ଲିଫ୍ଟ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର ସୁବିଧା ନା ରୋଗୀ ପାଉଛନ୍ତି ନା ତାଙ୍କ ସମ୍ପର୍କୀୟ । ଲିଫ୍ଟ ମରାମତି ନିମନ୍ତେ ମଧ୍ୟ ସ୍ବତନ୍ତ୍ର ଭାବେ କର୍ମଚାରୀ ମଧ୍ୟ ରଖାଯାଇଥିବା ବେଳେ କେହି ମଧ୍ୟ ଏହାର ମରାମତି କରିବା ନିମନ୍ତେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଆଉ ଏହି ଲିଫ୍ଟ ମରାମତି ନେଇ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବଧିକାର କର୍ମଚୀ ରବୀନ୍ଦ୍ର ମିଶ୍ର । ସେପଟେ ମେଡ଼ିକାଲର କିଛି କୋଠାରେ ଲିଫ୍ଟ ଗୁଡ଼ିକ ଅଚଳ ହୋଇଥିବା ବେଳେ ଏହାକୁ ମରାମତି କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି । ଯଦିଓ କିଛି ଲିଫ୍ଟ ସ୍ଥାନୀୟ ଇଞ୍ଜିନିୟର ଦ୍ବାରା ମରାମତି ହୋଇପାରୁନାହିଁ ତେଣୁ କିଛି ବାହାରୁ ଇଞ୍ଜିନିୟରଙ୍କୁ ମଧ୍ୟ ଡ଼କାଯାଇଛି । ଯାହାଫଳରେ କିଛି ଲିଫ୍ଟକୁ ମରାମତି କରିବା ନିମନ୍ତେ ବିଳମ୍ବ ହେଉଛି । ଏହାଛଡ଼ା ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ଲିଫ୍ଟର ବ୍ୟବହାର ସଠିକ୍‌ ଭାବେ କରୁନଥିବା ଯୋଗୁଁ ମଧ୍ୟ ଅନେକ ଲିଫ୍ଟ ଖରାପ ହୋଇପଡ଼ୁଛି ବୋଲି କହିଛନ୍ତି ମେଡ଼ିକାଲର ଅଧିକ୍ଷକ।

ଲିଫ୍ଟ ଅଚଳ ହେବା ସମସ୍ୟା ଏମକେସିଜି ମେଡ଼ିକାଲରେ ମାସ ମାସ ଧରି ଲାଗି ରହିଥିବା ବେଳେ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେଉଛି ତାହାକୁ ହିଁ ଅପେକ୍ଷା କରିଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ।

International,National

ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ NISAR

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଆମେରିକୀୟ ସ୍ପେଶ ଏଜେନ୍ସି (NASA) ସଫଳତାର ସହିତ ଐତିହାସିକ ଲଞ୍ଚ ଭାବେ ଆଜି NASA-ISRO ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ଉପଗ୍ରହକୁ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଇସ୍ରୋର ଜିଓସିଙ୍କ୍ରୋନିସ୍‌ ସାଟେଲାଇଟ୍‌ ଲଞ୍ଚ ଯାନ (GSLV-F16) ସାହାଯ୍ୟରେ ଆଜି ସନ୍ଧ୍ୟା 5.40ଟାରେ ଲଞ୍ଚ କରାଯାଇଛି । ଲଞ୍ଚ ହେବାର ପ୍ରାୟ 20 ମିନିଟ୍‌ ମଧ୍ୟରେ ଏହା ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି । ଏହି ଉପଗ୍ରହଟି 743 କିଲୋମିଟର ଉପରେ ରହି ପୃଥିବୀ ଉପରେ ତୀକ୍ଷ୍ଣ ନଜର ରଖିବ । ଦୁଇଟି ମହାକାଶ ସଂସ୍ଥା ଦ୍ବାରା ମିଳିତ ଭାବରେ ବିକଶିତ, ଏହି ଅନନ୍ୟ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ 98.40 ଢଳାଇବା ସହିତ 743 କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥ (SSO)ରେ ପ୍ରବେଶ କରାଯିବ । ଏହି ଉପଗ୍ରହଟି ଦିନକୁ 14 ଥର ପୃଥିବୀ ପରିକ୍ରମା କରିବ ଏବଂ ପ୍ରତି 12 ଦିନରେ ଦୁଇଥର ପ୍ରାୟ ସମସ୍ତ ଗ୍ରହର ଭୂମି ଏବଂ ବରଫ ପୃଷ୍ଠକୁ ସ୍କାନ କରିବ ।

Education,State

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୬ ଜଣ ଗିରଫ

Blog Thumbnail

ଦ କୁଇଭର ବ୍ୟୁରୋ :- ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ । ଏହି ମାମଲାରେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ସମେତ ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଶିକ୍ଷକ ଓ ପେଶାଦାର ଭାଇରାଲକାରୀ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା ହିଁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରାଲ କରିଥିଲା । ରାଜ୍ୟ ବ୍ୟାପି ଏହି ପ୍ରଶ୍ନପତ୍ର ଭରାରାଲ ହୋଇଥିଲା ଏବଂ ବୋର୍ଡ ଅଫିସର ଉପ ସଭାପତି ନିହାର ମହାନ୍ତିଙ୍କ ଲ୍ୟାପଟପରୁ ଏହି ପ୍ରଶ୍ନପତ୍ର ଚୋରି ହୋଇଥିଲା ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ଏଥିରେ ମନିଟ୍ରେଲ ମଧ୍ୟ ହୋଇଛି ।


ଜିତନର ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିଲା ୨ ଲକ୍ଷ ୪୦ ହଜାର ଟଙ୍କା । ଏପରିକି ବିପୁଳ ପରିମାଣର କ୍ୟାସ କାରବାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ଜିତନ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତଙ୍କୁ ଆଜି ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ।ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିବ । ଆବଶ୍ୟକ ପଡିଲେ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ। ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୨୦ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା ।

State

ଜଙ୍ଗଲ ଜମି ପଟ୍ଟା ଦାବିରେ ଆଦିବାସୀ ଓ ଦଳିତଙ୍କ ଧରାକୋଟ ବ୍ଳକ୍ ଘେରାଉ

Blog Thumbnail

ଦ କୁଇଭର ବ୍ୟୁରୋ :- ଭୂମିହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା, ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ତଥା ଗୃହହୀନଙ୍କୁ ବାସଗୃହ ଯୋଗାଇବା ଦାବିରେ ଆଜି ଧରାକୋଟ ବ୍ଳକର ଶହ ଶହ ସଂଖ୍ୟାରେ ଗରିବ ଲୋକ ବ୍ଳକ୍ ଅଫିସକୁ ଘେରାଉ କରିଥିଲେ । ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥାନୀୟ ହସ୍ପିଟାଲ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବ୍ଳକ ଅଫିସ୍ ଠାରେ ପହଞ୍ଚିଥିଲା । ସେଠାରେ ସଂଗଠନର ବ୍ଳକ୍ ସଭାପତି ଯକ୍ଷ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ଓ ରାଜ୍ୟର ବିଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟର ଗରିବ ଲୋକ ବିଶେଷ କରି ଦଳିତ ଓ ଆଦିବାସୀମାନଙ୍କୁ ପ୍ରତାରିତ କରି କେବଳ ଦେଶୀ ବିଦେଶୀ ବଡ କମ୍ପାନୀଙ୍କ ସେବା କରୁଛି ବୋଲି କହିଥିଲେ । ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍ ନିର୍ମାଣର ଉଦାହରଣ ଦେଇ ସରକାର ଆଦାନୀ ଓ ଟାଟା ପରି ବଡ କମ୍ପାନୀଙ୍କୁ ପାଣି ଯୋଗାଇବାକୁ ସେ ଅଞ୍ଚଳର ୨୩ଟି ଆଦିବାସୀ ଗାଁକୁ ଉଜାଡିବାକୁ ଯାଉଛନ୍ତି ବୋଲି କହିଥିଲେ । ସେହିପରି ରାଜ୍ୟରେ ଭୂମିହୀନ ଲୋକଙ୍କୁ ଜମି ଯୋଗାଇଦେବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଗତ ବର୍ଷକ ମଧ୍ୟରେ ଜଣକୁ ବି ଦେବାରେ ସଫଳ ହୋଇନାହାନ୍ତି ବୋଲି ସମାଲୋଚନା କରିଥିଲେ । ନିକଟରେ ଧରାକୋଟ ବ୍ଳକରେ ଗୋ ସୁରକ୍ଷା ନାଁରେ ବଜରଙ୍ଗ ଦଳର ତଥାକଥିତ ଗୋ ରକ୍ଷକମାନେ ଦୁଇ ଜଣ ଦଳିତ ବ୍ୟକ୍ତିଙ୍କୁ ଅମାନୁଷିକ ଅତ୍ୟାଚାର ଓ ନିର୍ଯ୍ୟାତନା ଦେବା ଘଟଣାରେ ଏଠାକାର ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ନୀରବ ରହିବା ଏବଂ ପିଡୀତମାନଙ୍କୁ ଭେଟିବାକୁ ନଯିବା ସେମାନଙ୍କ ଦଳିତ ବିରୋଧି ମାନସିକତାକୁ ଦର୍ଶାଉଛି ବୋଲି କହିଥିଲେ ।


ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଦଳିତ ମହାସଭାର ସମ୍ପାଦକ ସଂଗ୍ରାମ ନାୟକ, ଅରକ୍ଷିତ ଗମାଙ୍ଗ, ଦୟାନିଧି ସେଠୀ, ନରସିଂହ ଦଳବେହେରା, ସଞ୍ଜୟ ନାୟକ, ସନ୍ତୋଷ ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସଂଗଠନ ପକ୍ଷରୁ ୧୪ ଦଫା ସମ୍ବଳିତ ଏକ ସ୍ମାରକପତ୍ର ସେଠାରେ ଉପସ୍ଥିତ ତହସିଲଦାର ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯିବା ସହ ଆଲୋଚନା କରାଯାଇଥିଲା । ଏଥିରେ ଭୂମିହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା ପ୍ରଦାନ, ଜଙ୍ଗଲ ଅଧିକାର ଆଇନ୍ ଅନୁସାରେ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ, ଗୃହହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା, ଏମଜିଏନଆରଇଜିଏ ବା ମନରେଗା ଯୋଜନାରେ କାମ କରିବାକୁ ଚାହୁଥିବା ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇଦେବା, ରାସନ କାର୍ଡରୁ ବଞ୍ଚିତ ଗରିବ ଲୋକଙ୍କୁ ରାସନ୍ କାର୍ଡ ଦେବା ଆଦି ଦାବି କରାଯାଇଥିଲା ।

State

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

Blog Thumbnail

ଦ କୁଇଭର ବ୍ୟୁରୋ :- ତିନି ମାସ ବନ୍ଦ ରହିବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପକ୍ଷୀଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ମାସ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ଅନ୍ୟପଟେ ଶ୍ରାବଣ ମାସର ଦ୍ବିତୀୟାର୍ଦ୍ଧରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ କିଚିରି ମିଚିରି ଶବ୍ଦ ଚଳିତଥର ପର୍ଯ୍ୟଟକଙ୍କ ପାଇଁ ଆନନ୍ଦ ଆଣିଦେବ ବୋଲି ଆଶା କରାଯାଉଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କନିକା ରେଞ୍ଜ ଅଧିନରେ ମଠ ଆଡ଼ିଆ,ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆର ଅରଣ୍ୟ ଏବଂ ବୃକ୍ଷଲତାରେ ପର୍ଯ୍ୟାପ୍ତ ପରିମାଣର ଦେଶୀୟ ପକ୍ଷୀ (Country Bird) ବାସ କରନ୍ତି। ଗେଣ୍ଡାଳିଆ,ବଗ,ଦା ବେଣ୍ଟିଆ, କାପରଖାଇ, ଅଞ୍ଜନା ପ୍ରଭୃତି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ବାସ କରିଥାନ୍ତି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ କିଟ ପତଙ୍ଗ ସମେତ ଉଦ୍ୟାନକୁ ଲାଗିଥିବା ଚାଷ ଜମି ଏବଂ ଚିଙ୍ଗୁଡ଼ି ଘେରି ଗୁଡିକରୁ ଏମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି । ଯେଉଁଥିପାଇଁ ଏହି ପକ୍ଷୀ ଗୁଡିକ ଅନ୍ୟ କୌଣସି ସ୍ଥାନକୁ ନଯାଇ ଜାତୀୟ ଉଦ୍ୟାନକୁ ନିଜର ବାସସ୍ଥାନ ଭାବେ ବାଛି ନେଇଛନ୍ତି। ୨୦୨୪ ମସିହାରେ ଦେଶୀୟ ପକ୍ଷୀ ମାନଙ୍କ ପାଇଁ ଏକ ନୂତନ ସ୍ଥାନ ବାଲିଡ଼ିଆ ଠାବ କରାଯାଇ ମୋଟ ୧,୩୦,୧୨୩ଟି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ଚିହ୍ନଟ ହୋଇଥିବା ବେଳେ ୨୦୨୩ ସେପ୍ଟେମ୍ବର ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ଦେଶୀୟ ପକ୍ଷୀ ଗଣନା ଅନୁଯାୟୀ,ଜାତୀୟ ଉଦ୍ୟାନ ମଧ୍ୟସ୍ଥ ବିଭିନ୍ନ ସ୍ଥାନରୁ ୨୬,୧୧୮ଟି ବସା ଚିହ୍ନଟ ହୋଇଥିଲା । ସେଥିମଧ୍ୟରେ ମୋଟ ୧,୨୩,୮୬୭ ଟି ଦେଶୀୟ ପକ୍ଷୀଙ୍କୁ ଗଣନା କରାଯାଇଥିଲା ଯାହାକି ୨୦୨୨ ମସିହା ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଠାରୁ ୭୭୯୭ଟି ଅଧିକ ଥିଲେ। ୨୦୨୨ ଦେଶୀୟ ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ,୨୪୬୬୪ ଟି ବସାରୁ ମୋଟ ୧,୧୬,୦୭୦ଟି ପକ୍ଷୀଙ୍କୁ ଗଣନା କରାଯାଇଥିଲା।

Shree Jagannath

ପୁରୀ ଶରଧାବାଲି ଦଳାଚକଟା ରିପୋର୍ଟ ଦାଖଲ

Blog Thumbnail

ଦ କୁଇଭର ବ୍ୟରୋ :-: ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶରଧାବାଲିରେ ଦଳାଚକଟା ଘଟଣା । ଦଳାଚକଟା ଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ଦେଇଛି । ଉନ୍ନୟନ କମିସନର ଅନୁ ଗର୍ଗ ନେତୃତ୍ୱରେ ଗଠନ ହୋଇଥିବା କମିଟି ଆଜି ସନ୍ଧ୍ୟାରେ ରିପୋର୍ଟ ଦାଖଲ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ କମିସନର ତଥା ତଦନ୍ତ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ଏହି ରିପୋର୍ଟ ଦାଖଲ କରିଛନ୍ତି । ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ତଦନ୍ତ ରିପୋର୍ଟରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଜୁନମାସ ୨୯ ତାରିଖ ଭୋର ସମୟରେ ଶରଧାବାଲିରେ ଅଟକି ଥିବା ମହାପ୍ରଭୁଙ୍କ ରଥ ସମ୍ମୁଖରେ ଦଳାଚକଟା ହୋଇଥିଲା । ଏହି ଦୁଃଖଦ ଘଟଣାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା । ଅନେକ ‌ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିସନର ଅନୁ ଗର୍ଗଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଟିମ ଗଠନ ହୋଇଥିଲା । କମିଟିରେ ୪ ଜଣ ଓଏଏସ ଅଧିକାରୀଙ୍କୁ ସାମିଲ କରାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ରଶ୍ମି ରଞ୍ଜନ ନାୟକ, ପୁର୍ତ୍ତ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁଙ୍କୁ କମିଟିରେ ସାମିଲ କରାଯାଇଥିଲା । ସେମାନେ ନିଜର ଦାଇତ୍ୱ ସହ ତଦନ୍ତରେ ସହଯୋଗ ପାଇଁ ଅପରାହ୍ନ ୩ରୁ ୫ ପର୍ଯ୍ୟନ୍ତ ଉନ୍ନୟନ କମିଶନରଙ୍କ ଅଫିସରେ ଉପସ୍ଥିତ ରହୁଥିଲେ ।

State

କୋଟିଆରେ ସୁଭଦ୍ରା ତୃତୀୟ କିସ୍ତି ହେବ ବଣ୍ଟନ

Blog Thumbnail

ଦ କୁଇଭର ବ୍ୟୁରୋ :- କୋଟିଆରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ସରକାର । କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା । ୯ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୁର୍ଣ ବୈଠକ । ସୁଭଦ୍ରା ସମ୍ପର୍କିିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି । ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି । ଲୋକଙ୍କ ଫିଡ୍‌ ବ୍ୟାକ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ସୁଭଦ୍ରା ଟଙ୍କା ମହିଳାମାନେ କିପରି ବ୍ୟବହାର କରୁଛନ୍ତି ଏହା ଉପରେ ମତାମତ ନେବାକୁ ଷ୍ଟିଅରିଙ୍ଗ କମିଟିରେ ନିଷ୍ପତ୍ତି ହୋଇଛି । ଏହା ସହ ୨୧ ବର୍ଷ ହେବା ପରେ ନୂଆ ସାମିଲ ହେବେ ଓ ମାର୍ଚ୍ଚ ୩୦ ସୁଦ୍ଧା ୬୦ ବର୍ଷ ଅତିକ୍ରମ କରିଥିଲେ ଯୋଜନାରୁ ବାଦ ପଡ଼ିବେ । ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର । ଯୋଜନାର ତୃତୀୟ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଅଗଷ୍ଟ ୯ ତାରିଖରେ ଦିଆଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏହାସହ ଯୋଜନାର ଲାଭ ପାଇଁ ଆବେଦନ କରି ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ଆବେଦନ ଉପରେ ପୁଣି ସର୍ଭେ କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ସରକାର ।ସୂଚନା ଥାଉ କି ରାଜ୍ୟର ବିଜେପି ସରକାର ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନା ଅଧିନରେ ଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ପ୍ରତି ୬ ମାସରେ ୫ ହଜାର ଟଙ୍କା ପାଉଛନ୍ତି । ଯାହା ରାଜ୍ୟର ମହିଳା ମାନଙ୍କ ବିକାଶରେ ସହାୟକ ହେଉଥିବା ସରକାର କହୁଛନ୍ତି ।

State

ଗିରଫ ହୋଇପାରନ୍ତି ବିଷ୍ଣୁପଦ ସେଠୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ଆବେଦନକୁ ଅଗ୍ରାହ୍ୟ କରିବା ସହ, ହାଇକୋର୍ଟ ଯେଉଁ ଟିପ୍ପଣୀ କରିଛନ୍ତି, ତାହା ଅତି ସାଙ୍ଘାତିକ । କୋର୍ଟ କହିଛନ୍ତି, କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ତେଣୁ ଜାମିନ ପ୍ରଦାନ କଲେ ତଦନ୍ତରେ ବାଧା ସୃଷ୍ଟି ହେବ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣାରେ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ ।ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ ଦେଇଥିବା ରାୟର ନକଲ କପିରେ କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଦୁର୍ନୀତିର କ୍ଷମତା ଛାଇ ପରି । କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ଆବେଦନକାରୀ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ହୋଇଥିବାରୁ ସେ ଖୁବ୍‌ କ୍ଷମତାଶାଳୀ ।


ହାଇକୋର୍ଟ କହିଛନ୍ତି, ରେକର୍ଡରେ ଥିବା ପ୍ରମାଣ ଆଧାରରେ ଆବେଦନକାରୀଙ୍କ ଦୁର୍ନୀତିର ଅବାଧ ତଦନ୍ତ ଜରୁରୀ । ଆବେଦନକାରୀ ଉଚ୍ଚ ପଦବୀରେ ଥିବାରୁ ଅଧିକ ଉତ୍ତରଦାୟୀ ହେବା ଉଚିତ । ଏଭଳି ଗୁରୁତର ମାମଲାରେ ଆବେଦନକାରୀଙ୍କୁ ଆଗୁଆ ଜାମିନ ମିଳିପାରିବନି । ୧୦ ଲକ୍ଷ ଲାଞ୍ଚ କାରବାରରେ ଆବେଦନକାରୀଙ୍କ ସଂପୃକ୍ତି ଥିବା ସିବିଆଇ କହିଛି । ଆବେଦନକାରୀଙ୍କ ଝିଅ ଓ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଛନ୍ତି ଅନ୍ୟତମ ଅଭିଯୁକ୍ତ ଦେବଦତ୍ତ ମହାପାତ୍ର । ବିଷ୍ଣୁପଦଙ୍କ ଝିଅ ମାକ୍‌ ବୁକ୍ ଓ ଲଗଜୁରି ଘଣ୍ଟା ଉପହାରରେ ନେଇଥିବା ସିବିଆଇ କହିଛି । ଦେବଦତ୍ତଙ୍କ ନାଁରେ ରେଜିଷ୍ଟ୍ରେସନ୍‌ ହୋଇଥିବା ମୋବାଇଲରୁ ବିଷ୍ଣୁପଦ ହ୍ୱାଟସ୍‌ଆପ୍‌ ବ୍ୟବହାର କରିଛନ୍ତି । ଅଭିଯୁକ୍ତ ଚଞ୍ଚଲ୍‌ ମୁଖାର୍ଜୀଙ୍କ ଫୋନରୁ ଦେବଦତ୍ତଙ୍କୁ କଲ୍‌ କରିଥିଲେ ବିଷ୍ଣୁପଦ ସେଠୀ । ଏହାର ରେକର୍ଡିଂ ଉପଲବ୍ଧ ଥିବା ସିବିଆଇ ଦାବି କରିଛି । ସିଏଫ୍‌ଏସ୍‌ଏଲ୍‌ ରିପୋର୍ଟରୁ କଣ୍ଠସ୍ୱର ବିଷ୍ଣୁପଦଙ୍କ ସହ ମେଳ ଖାଉଥିବା ଜଣାପଡ଼ିଛି ।୨୦୨୪ ଡିସେମ୍ବର ୭ ତାରିଖ ରାତିରେ ରାଜଧାନୀର ଏକ ତାରକା ହୋଟେଲ୍‌ ସମ୍ମୁଖ ରାସ୍ତାରେ ସିବିଆଇ ଟିମ୍‌ ଦୁଇଟି ଗାଡ଼ିକୁ ଅଟକାଇଥିଲା । ବ୍ରିଜ୍‌ ଆଣ୍ଡ୍‌ ରୁଫ୍ କର୍ପୋରେସନ୍‌ର ଜେନେରାଲ୍‌ ମ୍ୟାନେଜର୍‌ ଚଞ୍ଚଲ୍‌ ମୁଖାର୍ଜୀ, ସ୍ପେଶାଲ୍‌ କ୍ଲାସ୍‌ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା । ଠିକାଦାର ଦେବଦତ୍ତଙ୍କ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା ଓ ସେହି ଗାଡ଼ିରେ ଥିଲେ ଚଞ୍ଚଲ୍‌ ମୁଖାର୍ଜୀ । ନୂଆ ଠିକା କାମ ଓ ପୁରୁଣା କାମର ବିଲ୍‌ ପାସ୍‌ କରାଇବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ବେଳେ ମାଡ଼ି ବସିଥିଲା ସିବିଆଇ । ବିଷ୍ଣୁପଦ ସେଠୀଙ୍କ ନିର୍ଦ୍ଦେଶରେ ଏହି ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ମାମଲା ରୁଜୁ କରିଛି ସିବିଆଇ ।

International

ଅଗଷ୍ଟ ପହିଲାରୁ ଭାରତ ଉପରେ 25% ଶୁଳ୍କ ଘୋଷଣା କଲେ ଟ୍ରମ୍ପ

Blog Thumbnail

ଦ କୁଇଭର ବ୍ୟୁରୋ :- ରୁଷିଆ ସହ ଭାରତର ବନ୍ଧୁତାକୁ ନେଇ ଟ୍ରମ୍ପ୍‌ ଖପ୍ପା । ଭାରତ ଉପରେ 25% ଟାରିଫ୍ ଲଗାଇଲେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା । ରୁଷିଆ ଠାରୁ ଭାରତ ଅଧିକ ପ୍ରତିରକ୍ଷା ସାମଗ୍ରୀ କିଣୁଥିବାରୁ ଖପ୍ପା । ଶକ୍ତି କ୍ଷେତ୍ରରେ ଭାରତ ରୁଷିଆ ଠାରୁ ଅଧିକ କ୍ରୟ କରୁଛି । ରୁଷିଆ ସହ ଭାରତ ବାଣିଜ୍ୟିକ ସମ୍ପର୍କ ପାଇଁ ଟାରିଫ୍ ବୋଲି ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ 25 ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ଅଗଷ୍ଟ ପହିଲାରୁ ଏହି ଟାରିଫ୍ ଲାଗୁ ହେବ । ଟ୍ରମ୍ପ ସୋସିଆଲ ମିଡିଆ ସାଇଟ୍ ଟ୍ରୁଥରେ ଏକ ପୋଷ୍ଟରେ କହିଛନ୍ତି, ଭାରତ ସବୁବେଳେ ରୁଷଠୁ ସାମରିକ ଉପକରଣର ଏକ ବଡ଼ ଅଂଶ କିଣୁଛି । ଏହାସହ ଭାରତ ସର୍ବାଧିକ ଶୁଳ୍କ ଲାଗୁ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ଟ୍ରମ୍ପ ପୁଣି କହିଛନ୍ତି ଯେ, ଭାରତ ଆମର ବନ୍ଧୁ, କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ କିଛି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଭିନ୍ନ ନୀତି ଗ୍ରହଣ କରିଆସୁଛି । "ମନେରଖ, ଭାରତ ଆମର ବନ୍ଧୁ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମେ ସେମାନଙ୍କ ସହିତ ତୁଳନାତ୍ମକ ଭାବରେ କମ୍ ବାଣିଜ୍ୟ କରିଛୁ, କାରଣ ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ ଏବଂ ସେମାନଙ୍କର ଯେକୌଣସି ଦେଶ ତୁଳନାରେ ସବୁଠାରୁ କଠିନ ଏବଂ ଅଣ-ଆର୍ଥିକ ବାଣିଜ୍ୟ ବାଧା ଅଛି," ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଆମେରିକା ରାଷ୍ଟ୍ରପତି କହିଛନ୍ତି, "ଭାରତ, ଋଷ ସହିତ ବାଣିଜ୍ୟ କରୁଛି । ଏହା ସହିତ ସାମରିକ ଏବଂ ଶକ୍ତି ସହଯୋଗ ରହିଛି । ଏହା ସହିତ, ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ସମୟରେ, ବିଶ୍ୱ ସ୍ତରରେ ମସ୍କୋକୁ ଅଲଗା କରିବା ପାଇଁ ଭାରତର ଦୃଷ୍ଟିକୋଣ ଭିନ୍ନ ରହିଛି ।"

Health & lifestyle,State

ଗ୍ୟାସ ସିଲିଣ୍ଡର ଫାଟି ପରିବାର ଆହତ

Blog Thumbnail

ହିଞ୍ଜିଳିକାଟୁ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ୧୧ ନମ୍ବର ସୁନା ଡିମ୍ବିରା ସାହିର ଘଟିଛି ଅଘଟଣ। ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଏହି ଅଘଟଣ ହୋଇଛି । ସୂଚନା ଅନୁସାରେ ଲାଇଟ୍ ସ୍ଵିଚ ଲଗାଇବା ବେଳେ ହଠାତ ହୋଇଥିଲା ବିସ୍ଫୋରଣ ।ତେବେ ଏହି ଦୁର୍ଘଟଣାରେ ବିପ୍ର ମହାରଣା ଓ ସ୍ତ୍ରୀ ସଂଯୁକ୍ତା ମହାରଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି କେବଳ ସେତିକି ନୁହେଁ ଦୁଇ ଝିଅ ପ୍ରିୟା,ପ୍ରାଚୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

State

ରାଖି ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :- ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ପୂର୍ବରୁ ୨ଟି ପୂର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି । ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେ ନେଇ ଯୋଜନାକୁ କ୍ରିୟନ୍ବୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁଭଦ୍ରା ଯୋଜନା ଟଙ୍କା ପହଞ୍ଚାଇବା ନେଇ ପୂର୍ବରୁ ବି ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ ଅଗଷ୍ଟ ୯ ତାରିଖରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି । ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର ।


ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଏବେ ସୁଭଦ୍ରା ପୋର୍ଟାଲ ଖୋଲିବାରେ ସମସ୍ୟା ହେଉଥିବା ଅନେକ ଅଭିଯୋଗ ଆସୁଛି । ସୁଭଦ୍ରା ପୋର୍ଟାଲକୁ ମଧ୍ୟ ଅଗଷ୍ଟ ୯ରେ ପୁଣି ଖୋଲିବାକୁ ଯାଉଛି । ଏବେ ସୁଦ୍ଧା ୨ ଲକ୍ଷ ରିଜେକ୍ସନ୍ ଆସିଛି। ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ ଭରିଛି ତ ଆଉ କିଏ ଗାଡ଼ି କିଣିଥିବା ଜଣା ପଡିଛି। ଏହାର ସର୍ଭେ ହେବ, ତଥ୍ୟ ସଠିକ୍ ଥିଲେ ଆଉ ମିଳିବ ନାହିଁ ସୁଭଦ୍ରା ଟଙ୍କା ବୋଲି କହିଛନ୍ତି ପ୍ରଭାତୀ ପରିଡା । ଆହୁରି ମଧ୍ୟ ୯୩ ହଜାର ମହିଳା, ଯାହାକୁ ୬୦ ବର୍ଷ ହୋଇସାରିଛି ସେମାନେ ସିଧାସଳଖ SSEPD (Social Security & Empowerment of Persons with Disabilities) ଜରିଆରେ ଭତ୍ତା ପାଇଁ ବିବେଚିତ ହୋଇଛନ୍ତି। ତେଣୁ ସେମାନେ ମଧ୍ୟ ଏହି ସରକାରୀ ଯୋଜନାରୁ ବାଦ ପଡିବେ । ନୂଆ ଆବେଦନକାରୀ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ । କିନ୍ତୁ କେବଳ ଯୋଗ୍ୟ ହିତାଧିକାରୀ ହିଁ ପାଇବେ । ଅଯୋଗ୍ୟ ହିତାଧିକାରୀ ଆବେଦନ କରିଲେ ବି ନାଁ କାଟିଦେବେ ସରକାର । ଅତି ସହଜରେ ବୁଝିବାକୁ ଗଲେ, ରାକ୍ଷୀ ପୂର୍ଣ୍ଣିମାରେ ଏକାବେଳେ ୩ଟି କିସ୍ତିର ସୁଭଦ୍ରା ଟଙ୍କା ଅର୍ଥାତ ୧୫ ହଜାର ଟଙ୍କା ସିଧାସଳଖ ଖାତାକୁ ଆସିବ । ଏକାବେଳେ ୩ଟି କିସ୍ତିର ଟଙ୍କା ପାଇବେ ହିତାଧିକାରୀ । ଏମିତି ସୁବିଧା ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂଚନା ଥାଉକି, ସୁଭଦ୍ରା ଯୋଜନାରେ ବର୍ଷକୁ ଦୁଇ ଥର ୫ ହଜାର ଟଙ୍କା ଲେଖାଏ ପଠାଉଛନ୍ତି ରାଜ୍ୟ ସରକାର । ଏହି ଭଳି ଭାବେ ଜଣେ ହିତାଧିକାରୀ ମୋଟି ୧୦ଟି କିସ୍ତି ପାଇବେ । ମୋଟ ୫୦ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ସରକାର ।

National,State

ଆଜିଠୁ ନୂଆ UPI ନିୟମ

Blog Thumbnail

ଦ କୁଇଭର ବ୍ୟୁରୋ :- ଉପୋଭୋକ୍ତା ତେବେ ଏହି ଖବର ଆପଣଙ୍କ ପାଇଁ । ଆଜିଠାରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ନିୟମରେ ବଡ ପରିବର୍ତ୍ତନ । ୟୁପିଆଇ ଟ୍ରାଞ୍ଜକ୍ସନକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ କରିଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) । ନୂତନ ନିୟମରେ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବା, ଅଟୋ ପେମେଣ୍ଟ୍, ବ୍ୟାଙ୍କ ଆକାଉଣ୍ଟ୍ ସୂଚନା ପାଇବା ଏବଂ ପେମେଣ୍ଟ୍ ସ୍ଥିତି ଯାଞ୍ଚ କରିବା ଭଳି ସେବା ଉପରେ ନୂଆ ନିୟମ ହୋଇଛି । NPCI କହିଛି ଯେ, UPIର ସ୍ଥିରତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ନୂତନ ନିୟମ ଅଣାଯାଇଛି।


ଅଗଷ୍ଟ 1ରୁ, UPI ଉପଭୋକ୍ତା ପ୍ରତ୍ୟେକ UPI ଆପରେ ଦିନକୁ କେବଳ 50 ଥର ସେମାନଙ୍କର ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିପାରିବେ। ଏହି ପ୍ରତିବନ୍ଧକଗୁଡ଼ିକ NPCIକୁ ବ୍ୟସ୍ତବହୁଳ ସମୟରେ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API) ସିଷ୍ଟମ ଉପରେ ଚାପ କମ୍‌ କରିବାରେ ସାହାଯ୍ୟ କରିବ। ଯଦିଓ NPCI ବାଲାନ୍ସ ଅନୁରୋଧ ଉପରେ ପ୍ରୟାସ ସଂଖ୍ୟାକୁ ସୀମିତ କରିଛି, ତଥାପି ପ୍ରତ୍ୟେକ ସଫଳ UPI କାରବାର ପରେ ଉପଭୋକ୍ତାମାନେ ଉପଲବ୍ଧ ଆକାଉଣ୍ଟ ବାଲାନ୍ସ ଦେଖିପାରିବେ। ନୂତନ ନିୟମରେ ଦୈନିକ UPI କାରବାର ଉପରେ ବୋଝ କମ କରିବା ପାଇଁ ସ୍ଥିର ସମୟ ମଧ୍ୟରେ ନିର୍ଦ୍ଧାରିତ ବିଲ୍ ପେମେଣ୍ଟ ପ୍ରକ୍ରିୟାକରଣ ମଧ୍ୟ ଅନ୍ତର୍ଭୁକ୍ତ। ବ୍ୟବସାୟୀମାନଙ୍କୁ ଅଟୋ ପେମେଣ୍ଟ କିମ୍ବା OTT, EMI କିମ୍ବା ମ୍ୟୁଚୁଆଲ୍ ଫଣ୍ଡ ନିବେଶ ପାଇଁ ମାସିକ ନିର୍ଦ୍ଧାରିତ ସ୍ଥାନାନ୍ତର ସକାଳ 10ଟା ପୂର୍ବରୁ କିମ୍ବା ରାତି 9:30 ପରେ ଅଣ-ଟ୍ରାଫିକ୍ ଘଣ୍ଟା ମଧ୍ୟରେ ହେବ। ଆଜି ଠାରୁ UPI ଉପଭୋକ୍ତାମାନେ ଦିନକୁ 25 ଥର ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପାଇପାରିବେ । ଉପୋଭୋକ୍ତାଙ୍କ ଯଦି କୌଣସି କାରଣରୁ ପେମେଣ୍ଟ ଅଧାରେ ରହିଯାଏ, ତେବେ ଏହାର ଷ୍ଟାଟସ ଦେଖିବା ଉପରେ ମଧ୍ୟ ପ୍ରତିବନ୍ଧ ଲାଗିବ । ଆପଣ କେବଳ 3 ଥର ହିଁ ପେମେଣ୍ଟର ଷ୍ଟାଟସ୍ ଯାଞ୍ଚ କରିପାରିବେ । ପ୍ରତ ଷ୍ଟାଟସ ଯାଞ୍ଚ ପାଇଁ 90 ସେକେଣ୍ଡର ବ୍ୟବଧାନ ରଖିବାକୁ ହେବ ।

State

ସାଂସଦ ଓ ବିଧାୟକଙ୍କ ଶିକ୍ଷକ ବଦଳି ସୁପାରିସ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ

Blog Thumbnail

କଟକ( ଦ କୁଇଭର ):- ସାଂସଦ ଓ ବିଧାୟକଙ୍କ ଶିକ୍ଷକ ବଦଳି ସୁପାରିସ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ ପାରିବେ ବୋଲି ସରକାର ଘୋଷଣା କରିଥିଲେ । ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି । ସରକାରଙ୍କ ଏପରି ନୀତି ଦ୍ବାରା ଶିକ୍ଷକଙ୍କ ବଦଳି ପ୍ରସଂଗ ପ୍ରଭାବିତ ହୋଇଥିବା ଅଭିଯୋଗ କରି କଳାହାଣ୍ଡିର ଜିଲ୍ଲାର ଦୁଇ ଜଣ ଶିକ୍ଷକ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ।ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଏକତ୍ର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥି ସହିତ ଆବେଦନକାରୀ ଶିକ୍ଷକଙ୍କ ବଦଳି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।ଚାରି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସରକାରୀ ନିଷ୍ପତ୍ତି ଦ୍ବାରା ଆବେଦନକାରୀ ଶିକ୍ଷକ ପ୍ରଭାବିତ ହୋଇଥିବା ଦର୍ଶାଯାଇଥିଲା। ଏଭଳି ନୀତିଗତ ନିଷ୍ପତ୍ତି ନେବା ପାଇଁ ସରକାରଙ୍କ କ୍ଷମତା ନାହିଁ। ଏପରି ନିଷ୍ପତ୍ତି ମଧ୍ୟ ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନରେ ଦର୍ଶଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ପକ୍ଷରୁ ମେ’ ୧୩ରେ ପତ୍ର ମାଧ୍ୟମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏପରି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା।ସାଂସଦ ଓ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାର ଘୋଷଣା କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ମେ’ ୧୩ରେ ଏ ସଂକ୍ରାନ୍ତରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଜାରି କରାଯାଇଥିଲା। ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ବିଧାୟକ ଓ ସାଂସଦଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ବଦଳି ପ୍ରସ୍ତାବ ଦିଆଯିବା ପରେ ଜିଲ୍ଲାସ୍ତରୀୟ କମିଟି ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

State

ବ୍ରହ୍ମପୁର ସହରରେ ସୁଧୁରିବ ଟ୍ରାଫିକ ସମସ୍ୟା : କମିଶନର

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ସହରରେ ସୁଧୁରିବ ଟ୍ରାଫିକ ସମସ୍ୟା । ଟ୍ରାଫିକ ସମସ୍ୟା ସୁଧାରିବା ନେଇ ବିଇଏମସି ନେଇଛି ନୂଆ ପଦକ୍ଷେପ । ସହରରେ ଅଧିକାଂଶ ଉଠା ଦୋକାନୀ ଓ ଠେଲା ଗାଡ଼ିକ ଗୁଡ଼ିକ ରାସ୍ତା ଉପରେ ଆସି ବିଭିନ୍ନ ସାମଗ୍ରୀ ବିକ୍ରିବଟା କରୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ବିଇଏମସି ପକ୍ଷରୁ ନୂତନ ଭାବେ ୬ଟି ଏନଫୋସ୍‌ମେଣ୍ଟ ଟିମ୍‌ ଗଠନ କରାଯାଇଛି । ପ୍ରଥମେ କିଛି ଦିନ ଧରି ଏହି ୬ଟି ଟିମ ଏକାଠି ହୋଇ ସହରର ସମସ୍ତ ସାହି ଗଳିକନ୍ଦି ଓ ମୁଖ୍ୟ ରାସ୍ତାରେ ରହିଥିବା ଉଠା ଦୋକାନୀ ଓ ଠେଲା ଗାଡ଼ି ବ୍ୟବସାୟୀଙ୍କୁ ରାସ୍ତା ଉପରେ ବ୍ୟବସାୟ ନ କରିବା ନେଇ ସଚେତନ କରିବେ । ଏହାର କିଛି ଦିନ ପରେ ତିନୋଟି ଟିମ୍‌ ସକାଳ ଓ ଆଉ ତିନୋଟି ଟିମ୍‌ ସନ୍ଧ୍ୟା ସମୟରେ ସହରରେ ବୁଲି ବୁଲି ବ୍ୟବସାୟୀଙ୍କୁ ସଚେତନ କରାଇବେ । କିଛି ଦିନ ଧରି ସଚେତନ କରାଯିବା ପରେ ମଧ୍ୟ ଯଦି ବ୍ୟବସାୟୀ ମାନେ ନିୟମକୁ ପାଳନ କରିବେ ନାହିଁ । ତେବେ ସେହି ଅମାନିଆ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଏହାଛଡ଼ା ଏହି ୬ଟି ଟିମ୍‌ କିଭଳି କାମ କରୁଛନ୍ତି ସେମାନଙ୍କର କାର୍ଯ୍ୟକୁ ଅନୁଧ୍ୟାନ କରିବା ନିମନ୍ତେ ସ୍ବତନ୍ତ୍ର ଭାବେ ଅଫିସର ମଧ୍ୟ ନିଯୁକ୍ତ ଅଛନ୍ତି । ଦୁଇଟି ନୂତନ ଭାବେ ଏନଫୋସମେଣ୍ଟ ଅଧିକାରୀ ମଧ୍ୟ ନିଯୁକ୍ତି ହୋଇଥିବା ବେଳେ ଏନଫୋସମେଣ୍ଟକୁ ଗୁରୁତ୍ବ ଦିଆଯାଇଛି । ଆସନ୍ତା ଏକ ମାସ ସୁଦ୍ଧା ଠେଲା ଗାଡ଼ି ବ୍ୟବସାୟୀ ଓ ଉଠା ଦୋକାନୀଙ୍କୁ ନେଇ ହେଉଛି ଟ୍ରାଫିକ ସମସ୍ୟାରୁ ସହରବାସୀଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି ବିଇଏମସି କମିଶନର ।



State

ନାବାଳିକାଙ୍କୁ ପିଛା କରିବା ଏବଂ ଅସଭ୍ୟ କଥା କହିବା ଅଭିଯୋଗରେ ଜଣେ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଗୋଶାଣୀ ନୂଆଗାଁ ସ୍ଥିତ ଆମ୍ବ ମାର୍କେଟ ଛକ ବାସିନ୍ଦା ଗୋଶାଣୀ ନୂଆଗାଁ ଥାନାରେ ବୁଧବାର ରାତି ପ୍ରାୟ ୯ ଟା ସମୟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପଡ଼ୋଶୀ ସନ୍ୟାସୀ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ୧୫ ବର୍ଷୀୟା ଝିଅକୁ ନୃତ୍ୟ କ୍ଲାସ ପାଇଁ ଯାଉଥିବା ସମୟରେ ପିଛା କରୁଛନ୍ତି,ପୂର୍ବରୁ ଝିଅର ସାଇକେଲ ରୁ ଟ୍ୟୁବର ଭଲଭ ଖୋଲି ପଞ୍ଚର କରିଥିଲା,ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରନ୍ତି,ଜୀବନରେ ମାରିଦେବା ଭଳି ସଂଗୀନ ଅଭିଯୋଗ କରି ଥାନାରେ ଏତେଲା ଦେଇଛନ୍ତି l ତେବେ ଅଭିଯୋଗକାରୀଙ୍କ ନାମ କୁ ଗୋପନ ରଖିଥିବା ସହ ମାମଲା ନଂ 259/25 ଆଧାରରେ U/S 296/78/351(2) BNS RW ସେକସନ 12 POCSO ଆକ୍ଟ ପଞ୍ଜିକୃତ କରି ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସନ୍ୟାସୀ ପ୍ରଧାନ @ ସାନିଆ (51) ପ୍ରେମନଗରରୁ ଗୁରୁବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଗୋଶାଣୀନୂଆଗାଁ ପୋଲିସ ଥାନା ପକ୍ଷରୁ ସୂଚନା ମିଳିଛି l

State

ଜାଣନ୍ତୁ ପୋଦିନାର ଉପକାରିତା

Blog Thumbnail

ଦ କୁଇଭର ବ୍ୟୁରୋ :- ଆପଣ ଆପଣଙ୍କ ଵାଡ଼ିରେ କିମ୍ବା ଛାତରେ ଥିବା କୁଣ୍ଡରେ ପୋଦିନା ଗଛ ରଖିଛନ୍ତି କି ? ଯଦି ରଖିନାହାନ୍ତି ତେବେ, ତୁରନ୍ତ ଏହି ଉପକାରୀ ଗଛକୁ ଆଣି ନିଜ ଘର ପାଖରେ ରଖନ୍ତୁ । ଏହାକୁ ଆପଣ ବିଭିନ୍ନ ପ୍ରକାରର ଖାଦ୍ୟ ଓ ପାନୀୟରେ ବ୍ୟବହାର କରିପାରିବେ। ପୋଦିନା ପତ୍ର ଚଟଣିରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସରବତରେ ବି ଆପଣ ଏହାକୁ ବ୍ୟବାହାର କରିପାରିବେ । ଏହି ପତ୍ରକୁ ଉଭୟ ଶୁଖିଲା ଓ ସତେଜ ଅବସ୍ଥାରେ ବ୍ୟବହାର କରିହେବ । କେବଳ ଯେ ପାଟି ସୁଆଦ ପାଇଁ, ତାହା ନୁହେଁ । ଏହି ପତ୍ରର ଗୁଡ଼ାଏ ସୁଫଳ ରହିଛି ।

- ପୋଦିନା ପତ୍ର ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। ଫ‌ଳରେ ପେଟ କାଟିବା, ଝାଡ଼ା ନହେବା, ପେଟ ପୋଡ଼ାଜଳା ହେବା ଆଦି ସମସ୍ୟା ହ୍ରାସ ପାଇଥାଏ।


- ଶ୍ବାସ ରୋଗୀଙ୍କ ପାଇଁ ଏହା ଅବ୍ୟର୍ଥ ଔଷଧ ପରି କାମ କରେ। ଏହାକୁ ଦୈନିକ ଖାଇବା ଦ୍ବାରା ଶ୍ବ‌ାସ ରୋଗ ଆୟତ୍ତରେ ରହିଥାଏ।


- ଥଣ୍ଡା, କାଶ, ଜ୍ବର ଆଦି ପାଇଁ ମଧ୍ୟ ଏହି ପତ୍ର ଔଷଧୀୟ କାର୍ଯ୍ୟ କରିଥାଏ। ଯଦି ଆପଣଙ୍କର ଥଣ୍ଡା ଶରୀର ତେବେ ଆପଣ ଏହାକୁ ନିତିଦିନ ଖାଇବାର ଅଭ୍ୟାସ ରଖିପାରନ୍ତି।


- ଏହାକୁ ଖାଇଲେ ମୁଣ୍ଡବିନ୍ଧା ମଧ୍ୟ କମ୍‌ ହୋଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ ବୋଲି ଗବେଷକମାନେ ମତ ରଖିଛନ୍ତି।


- ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ପୋଦିନା ପତ୍ର ଖାଇପାରନ୍ତିି। ଏହା ଶରୀରର ଅତିରିକ୍ତ ଚର୍ବିକୁ କମ୍‌ କରିଥାଏ।


- ପୋଦିନା ପତ୍ର ଖାଇବା ଦ୍ବାରା ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ।


ପୋଦିନାରେ ଥାଏ ଭିଟାମିନ୍ ସି, ଏ ଓ ବି କମ୍ଲେକ୍ସ । ଏହାସହ ଏଥିରୁ ଯଥେଷ୍ଟ ପରିମାଣରେ ଆଇରନ , ପୋଟାସିୟମ ଓ ମାଙ୍ଗାନିଜ ପରି ତତ୍ତ୍ୱ ମଧ୍ୟ ମିଳିଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ।ଖରା ଦିନେ ପୋଦିନା ପେଟକୁ ଥଣ୍ଡା ରଖିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ପେଟରେ ଗ୍ୟାସ , ପେଟ ବ୍ୟଥା, ଓ ଛାତିରେ ଜ୍ୱଳ ପରି ସମସ୍ୟା ଦୂର ହୁଏ ।ପୋଦିନା ପତ୍ର ସେବନ ଦ୍ୱାରା ଶ୍ୱାସ ପାୀ ସମସ୍ୟାରୁ ଉପଶମ ମିଳେ । ଏହା ବ୍ୟତୀତ ଏଥିରେ ଥିବା ମେନ୍ଥଲ ଶ୍ୱାସ ନଳୀକୁ ସଂକ୍ରମଣରୁ ରକ୍ଷା କରିବା ସହ ନିଃଶ୍ୱାସ - ପ୍ରଶ୍ୱାସ ପ୍ରକ୍ରିୟାକୁ ସହଜ କରିଥାଏ । ମୁଣ୍ଡ ବିନ୍ଧା ହେଲେ ମଧ୍ୟ ପୋଦିନା ପତ୍ରର ତେଲ ବେଶ ଲାଭଦାୟୀ ।ଏହାସହ ଥାଇରଏଡ୍ ସମସ୍ୟା ପାଇଁ ପୋତିନା ପତ୍ର ବେଶ ଉପକାରୀ । ପ୍ରତିଦିନ ଖାଲି ପେଟରେ ୨ ଚାମଚ ପୋଦିନା ପତ୍ରର ରସକୁ ସେବନ କଲେ ଥାଇରଏଡ ସମସ୍ୟା ଲାଘବ ହୋଇଥାଏ । ମାସିକ ଧର୍ମ ସମୟରେ ହେଉଥିବା ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ପୋଦିନା ପତ୍ର ରସ । ଏହି ସମୟରେ ପେଟରେ ଯନ୍ତ୍ରଣା ହୁଏ ଓ ମାସପେଶୀ ଟାଇଟ୍ ହୋଇଯାଏ । ଏହି କାରଣୁ ମହିଳାମାନେ ଗମ୍ଭୀର ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି । ଏଥିରୁ କିଛି ମାତ୍ରାରେ ଯନ୍ତ୍ରଣାକୁ କମ୍ କରେ ପୋଦିନା । ଏହା ବ୍ୟତୀତ ଚର୍ମ ପାଇଁ ମଧ୍ୟ ପୋଦିନା ଲାଭକାରୀ ।


ତ୍ୱଚାର କୁଞ୍ଚନକୁ ହ୍ରାସ କରିଥାଏ। ଆଲ୍‌କହଲରେ ପୋଦିନାର ରସକୁ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାର ଦାଗ ମଧ୍ୟ ଦୂର ହୋଇଥାଏ।କୋଡ଼ିଏଟି ପୋଦିନା ପତ୍ର ଏବଂ କୋଡ଼ିଏଟି ତୁଳସୀ ପତ୍ର ନେଇ ସେଥିରେ ଦୁଇକପ୍‌ ପାଣି ମିଶାଇ ତାକୁ ଫୁଟାନ୍ତୁ। ପାଣି ମରି ମରି ଏକ କପ୍‌ ହେଇଗଲେ ତାକୁ ଓହ୍ଲାଇ ଛାଣି ଦିଅନ୍ତୁ। ଏହି କାଢ଼ାକୁ ଦିନକୁ ଦୁଇଥର ପିଇବା ଦ୍ୱାରା ମ୍ୟାଲେରିଆରୁ ଆରୋଗ୍ୟ ମିଳିଥାଏ।ବିଛା କିମ୍ବା କୌଣସି ବିଷାକ୍ତ କୀଟ ଦଂଶନ କରିଥିଲେ ବିଷ ହରଣ ପାଇଁ ଦଂଶନ ସ୍ଥାନରେ ପୋଦିନା ରସ କିମ୍ବା ଚଟଣି ଲଗାଇ ଦିଅନ୍ତୁ ଏବଂ ତିନି ଚାମଚ ପୋଦିନା ରସ ମିଶ୍ରି ମିଶାଇ ପିଇବାକୁ ଦିଅନ୍ତୁ।

State

ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ । ଦିଲ୍ଲୀ ଏମସରେ ସଫଦରଜଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ପାଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା କାହଁରୀଙ୍କୁ ପୀଡ଼ିତା ଦେଇଥିବା ବୟାନରେ ସମ୍ପୂର୍ଣ୍ଣ ତଥ୍ୟା ଜଣାପଡ଼ିଥିବା ସୂଚନା ।


ତେଣୁ ପୁଲିସକୁ ଗୁରୁତ୍ବପୂର୍ଣ ପ୍ରମାଣ ହସ୍ତଗତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ସପ୍ତାହରେ ପୁଲିସ ରହସ୍ୟର ଉନ୍ମୋଚନ କରିବ। ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ୩ ଜଣ ଉଠାଇ ନେଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କୁ ସ କହିନଥିବା ପୁଲିସ ଆଗରେ ବୟାନ ଦେଇଛନ୍ତି ଛାତ୍ରୀ Iଫଳରେ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ବି ପ୍ରଶ୍ନ ଉଠିବା ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତକାରୀ ଅଧିକାରୀ ତଥା ଡିଏସ୍ ପି କଳ୍ପନାଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଗସ୍ତରେ ଯାଇ ଅନ୍ୟ ପ୍ରମାଣ ସଂଗ୍ରହ ଲାଗି ପଚରାଉଚରା କରାଯାଇଛି । ଏବେ ସ୍ଥାନୀୟ ଲୋକ, ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।