ବ୍ରହ୍ମପୁର( ଦ କୁଇଭର ):- ମାଡ଼ ମାରିବା, ଅଶ୍ଳୀଳ ଗାଳି କରିବା,ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗରେ ଅବକାରୀ ଏଏସଆଇ ବଳରାମ ବେହେରାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଗୁରୁବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି l ସୂଚନା ପ୍ରକାରେ,ଅବକାରୀ ବିଭାଗ ଏଏସଆଇ ବଳରାମ ବେହେରା ଏବଂ ତାଙ୍କ କର୍ମଚାରୀମାନେ, ଗତ ସୋମବାର ସନ୍ଧ୍ୟା ସମୟରେ ବ୍ରହ୍ମପୁର ଆଙ୍କୁଲି ପ୍ରଧାନ ସାହିର ସନ୍ତୋଷ ମଣ୍ଡଳ,ବେଆଇନ ଭାବରେ IMFL ପରିବହନ କରୁଥିଲେ, ଯେଉଁଥିରେ ନଂ OD୦୭P ୪୧୧୬ ବିଶିଷ୍ଟ ଏକ ସ୍କୁଟିରେ ୬୦ ବୋତଲ ବିୟର ଥିବା ୫କାର୍ଟନ ସହ ଅଭିଯୁକ୍ତଙ୍କୁ କାବୁ କରି କାର୍ଯ୍ୟାଳୟକୁ ନେଇଥିଲା l
କିଛି ସମୟ ପରେ ଯେତେବେଳେ ଅବକାରୀ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଭିତରେ ଆଇନଗତ କାର୍ଯ୍ୟ କରୁଥିଲେ,ମୁଖ୍ୟ ଅଭିଯୁକ୍ତର ନାରାୟଣ ସାହୁ, ତାଙ୍କ ବଡ଼ ଭାଇ ତୋଫାନ ସାହୁ ଏବଂ ଭଣଜା ସାଗର ସାହୁ ଏବଂ ଜିତୁ ପୂର୍ବ ଯୋଜନାବଦ୍ଧ ଭାବରେ ଜୋର ଜବରଦସ୍ତ ଏକ୍ସାଇଜ୍ ଷ୍ଟେସନ ଭିତରକୁ ପ୍ରବେଶ କରି ଅଧିକାରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ସେମାନଙ୍କ ଉପରକୁ ଅଫିସ ଭିତରେ ଚେୟାର ଫିଙ୍ଗିଥିଲେ, ତା'ସହିତ ଅଟକ ଥିବା ସନ୍ତୋଷ ମଣ୍ଡଳ ଏବଂ ଜବତ ମଦକୁ ବଳପୂର୍ବକ ଛଡ଼ାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।
ଅଭିଯୁକ୍ତମାନେ ଜୋରଜବରଦସ୍ତ କାର୍ଯ୍ୟାଳୟରେ ପ୍ରବେଶ କରି ସରକାରୀ ଅଧିକାରୀଙ୍କୁ ଧମକ ଦେଇଥିଲେ ଯେ ଯଦି ସେମାନେ ଜବତ ସାମଗ୍ରୀ ସହିତ ସନ୍ତୋଷ କୁ ନ ଛାଡିବେ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ। ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ଅଧିକାରୀମାନଙ୍କୁ ଠେଲାପେଲା କରିଥିଲେ ଏବଂ ଜୀବନରେ ମାରିଦେବା ପାଇଁ ଭୟଙ୍କର ଧମକ ମଧ୍ୟ ଦେଇଥିଲେ l ବିବାଦ ଉଗ୍ର ରୂପ ନେବା ସମୟରେ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରି ଅଧିକାରୀଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିବା ବେଳେ ଅଧିକାରୀଙ୍କ ଉଚିତ ବୁଦ୍ଧି ଯୋଗୁଁ ସେ ବଞ୍ଚି ଯାଇଥିଲେ,ଆଉ ଲୁହା ରଡ୍ ଟେବୁଲ କାଚରେ ବାଜି ଅନେକ କ୍ଷୟ କ୍ଷତି ହୋଈଥିଲା l ତେଵେ ପୂର୍ବରୁ ମଧ୍ୟ ସମାନ ଭାବରେ ଅଭିଯୁକ୍ତ ମାନେ ବିଭାଗକୁ ଆସି ଏକ୍ସାଇଜ୍ ଅଧିକାରୀ ଏସଆଇ ସସ୍ମିତା ମଲ୍ଲିକ ଏବଂ ମୋବାଇଲ୍ ସ୍କ୍ୱାର୍ଡର ଇନସ୍ପେକ୍ଟର ମୋନିଷା ଭୋଳାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସୂଚନା ରହିଛି l ତେବେ ଏହି ଦୁଇ ଅଭିଯୁକ୍ତ ତୋଫାନ କୁମାର ସାହୁ ଏବଂ ସାଗର କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l