No comments yet.
Health & lifestyle,State
ବ୍ରହ୍ମପୁର( ଦ କୁଇଭର ):- ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ ନିମନ୍ତେ ଏବେ ଘନ ଘନ ଏମକେସିଜି ଗସ୍ତ କରୁଛନ୍ତି ଵ୍ରହ୍ମପୁର ବିଧାୟକ କେ.ଅନିଲ କୁମାର। ସୂଚନା ପ୍ରକାରେ, ଦିନକୁ ଦିନ ଵ୍ରହ୍ମପୁର ବଡ଼ ମେଡିକାଲରେ ରୋଗୀ ମାନଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ବ୍ଲଡ ବ୍ୟାଙ୍କରେ ଦେଖା ଯାଉଥିବା ସମସ୍ୟା ,ଆମ୍ବୁଲାନ୍ସ ସେବାରେ ସମସ୍ୟା ଏହିପରି ପ୍ରତିଦିନ ରୋଗୀ ମାନେ ବିଭିନ୍ନ ସ୍ଥାନରୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଆସି ବିଭିନ୍ନ ସମସ୍ୟର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ପରେ ଵ୍ରହ୍ମପୁର ବିଧାୟକ ଦେଖାଇଛନ୍ତି ତତ୍ପରତା। ବାରମ୍ବାର ଗସ୍ତ କରି ମେଡିକାଲ ଡାକ୍ତର ଓ ଅଧିକାରୀଙ୍କୁ ନେଇ କରୁଛନ୍ତି ବୈଠକ ।ଏହି ପରିପ୍ରେକ୍ଷୀରେ ସୋମବାର ଓ ମଙ୍ଗଳବାର ଲଗାତାର ଦୁଇ ଦିନ ଏମକେସିଜି ଗସ୍ତ କରି ସମାଧାନ ନିମନ୍ତେ କତୃପକ୍ଷଙ୍କ ସହଆଲୋଚନା କରିବା ପରେ ଅଚାନକ mkcg ବ୍ଲଡ଼ ବ୍ୟାଙ୍କ, କାଜୁଅଲଟି, ବିଭାଗ ଗସ୍ତ କରି ରୋଗୀଙ୍କ ସମସ୍ୟା ବୁଝିବା ସହ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ତାଗିତ କରିଥିଲେ ଓ ଏହି ଗସ୍ତ ସମୟରେ, କାଜୁଅଲଟି ମେନେଜେରଙ୍କ କାର୍ଯାଳୟ ବନ୍ଦ ଥିବା ଦେଖି ପ୍ରତିକ୍ରିୟା ପ୍ରକାଶ କରିଥିଲେ।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଅଭାବନୀୟ ଘଟଣା l ଗାଁର କନଭେଣ୍ଟ ସାହି କଷ୍ଟାନ୍ତିନ ପରିଛା(୫୫) କୁ ତାଙ୍କ ପତ୍ନୀ ପ୍ରାଣୀ ରଞ୍ଜନି ପରିଚ୍ଛା ଘରେ ତାଲା ପକାଇ କେଉଁଆଡ଼େ ଚାଲି ଯାଇଥିବା ଅଭିଯୋଗ ହୋଇଛି l ଗତ ୩ ଦିନ ହେଲା କସlନ୍ତିନ ଘର ଭିତରେ ଥିବାବେଳେ ବାହାରେ ତାଲା ପଡିଥିବା ଦେଖି ତାଙ୍କ ଭାଇ ପର୍ଶୁରାମ ପରିଚ୍ଛା ଶନିବାର ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇଥିଲେ l ବିରିକୋଟ ସରପଞ୍ଚ ପ୍ରତିନିଧି ମୋଶl ମାଝୀ, ସମିତି ସଭ୍ୟ, ନାଏବ ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷା ବlଲମିନ ଅଧିକାରୀ ଓ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡା ତଥା ପୁଲିସ ଟିମ ପହଞ୍ଚି ଘରେ ଅନୁଧ୍ୟାନ କରିଥିଲେ l ଏନେଇ ଥାନା ଅଧିକାରୀ ଗଜପତି ଏସପି ଙ୍କୁ ଜଣାଇଥିଲେ l ଏସପି ଙ୍କ ନିର୍ଦେଶ କ୍ରମେ ସମସ୍ତ ଜନ ପ୍ରତିନିଧି ଙ୍କ ଉପସ୍ଥିତିରେ ଘର ତାଲା ଭାଙ୍ଗି କଷାନ୍ତିନ ଙ୍କୁ ଉଦ୍ଧାର କରିଥିଲେ l ତେବେ ତାଙ୍କ ଅଵସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବିରିକୋଟ ମେଡିକାଲ ରେ ପ୍ରlଥମିକ ଚିକିତ୍ସା ପରେ ଡାକ୍ତର ମୋହନା ମେଡିକାଲ କୁ ସ୍ଥାନାନ୍ତର କରିଥିଲେ l କସlନ୍ତିନ ଙ୍କ ଭାଇ ପର୍ଶୁରାମ ଏନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, କଷାନ୍ତିନ କୁ ତାଙ୍କ ପତ୍ନୀ ମlଡ ମାରି ଘର ଭିତରେ ରଖି ତାଲା ପକାଇ କେଉଁଆଡ଼େ ଚାଲିଯାଇଛନ୍ତି l କସlନ୍ତିନ ଙ୍କ ଦୁଇଟି ପୁଅ ଥିବାବେଳେ ସେମାନେ ହଷ୍ଟେଲ ରେ ରହି ପାଠ ପଢୁଛନ୍ତି l ଏନେଇ ଅଡବା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଘଟଣା ର କାରଣ କଣ ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି l
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମହାନଗର ନିଗମ କକ୍ଷରେ କାଉନସିଲ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ନିଗମର ସମସ୍ତ ୱାର୍ଡ ର କର୍ପୋରେଟର ଯୋଗ ଦେଇଥିଲେ। କାଉନସିଲ ବୈଠକ ରେ ମହାନଗର ନିଗମର ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ପୋରେଟର ମାନେ ନିଜ ଅଭିଯୋଗ ଉପସ୍ଥାପନା କରିଥିଲେ । ବୈଠକରେ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସର ରାଜସ୍ବ ଆଦାୟ ର ବିବରଣୀ ଉପସ୍ଥାପନା କରାଯାଇଥିଲା । ଏହାସହିତ ସମୁଦାୟ ୧୦ଟି ବିଷୟ ଉପରେ ଆଲୋଚନା ହୋଇଥିଲା। ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସ୍ୱଚ୍ଛ ଆପ ର ବ୍ୟବହାର କରିବା ପାଇଁ ଏକ ଘୋରାଇ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଥିଲା । ଏହି ବୈଠକରେ ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଅଶୋକ ଶୁକ୍ଳା, ମହାନଗର ନିଗମ କମିଶନର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।
Politics
ଭୁବନେଶ୍ୱର(ଦ କୁଇଭର): ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଔକାତ ଦେଖାଇ ଦେଇଛନ୍ତି । ତାଙ୍କରି ଦଳର ସାଂସଦଙ୍କୁ ତାଙ୍କ ଔକାତ ଦେଖାଇ ଏମିତି କଥା କହିଛନ୍ତି ଯେ, ସେମାନଙ୍କ ପାଟି ଆଉ ଖୋଲିବ କି ନାହିଁ ସନେ୍ଦହ । ବଦ୍ରିଙ୍କ କଥାକୁ ଯଦି ତର୍ଜମା କରିବା, ତେବେ ଏମପି ଦେବାଶୀଷ ସାମନ୍ତରାୟ ଓ ମୁନା ଖାଁ ରାଜନୀତିରେ ‘ର’ ଅକ୍ଷର ଜାଣିଛନ୍ତି କି ନାହିଁ ସେନେଇ ସେମାନେ ଚିନ୍ତା କରିବା ଉଚିତ । ରାଜନୀତିର ବାସ୍ତବତାକୁ ନବୁଝିବା ଓ ନିଜ ତୁଣ୍ଡକୁ ନିୟନ୍ତ୍ରଣ ନକରି କହିବା ଉଭୟ ବିଜେଡି ଓ ନବୀନଙ୍କୁ ଲୋକହସା କରାଯାଉଥିବା ବିଧାୟକ ବଦ୍ରିଙ୍କ କଥାରୁ ସ୍ପଷ୍ଟ ହୋଇଯାଉଛି ।
ଆସନ୍ତୁ ଦେଖିବା ଏମପି ମାନଙ୍କ କଥା-ଦେବାଶୀଷ ସାମନ୍ତରାୟଙ୍କ ବାଇଟ
ଶୁଣିଲେ ତ, ସାଂସଦ କିପରି କହୁଛନ୍ତି କଂଗ୍ରେସକୁ ନେଇ ବିଜେଡି ପୁଣି ସରକାରକୁ ଫେରିବ । ଏପରି କଥାକୁ ବିଧାୟକ ହାସ୍ୟାସ୍ପଦ ବୋଲି କହିଛନ୍ତି । କେବଳ ଦେବାଶୀଷ ନୁହନ୍ତି, ସାଂସଦ ମୁନା ଖାଁ ବି ସେମିତି କଥା କହିଛନ୍ତି ।
ମୁନ ଖାଁଙ୍କ ବାଇଟ---
ଏମାନଙ୍କ କଥାକୁ କଡ଼ା ବିରୋଧ କରିଛନ୍ତି ବରିଷ୍ଠ ବିଧାୟକ ବଦି୍ର ପାତ୍ର । ବଦ୍ରି ପାତ୍ରଙ୍କ ବାଇଟ
ଶୁଣିଲେ ତ, ବଦ୍ରି କିପରି ଏମାନଙ୍କୁ ଅପରିପକ୍ୱ ନେତା ବୋଲି ଇଙ୍ଗିତ କରିଛନ୍ତି । ଏପରିକି ଏଭଳି କଥା ବିଜେଡି ଆଭିମୁଖ୍ୟର ପରିପନ୍ଥୀ ବୋଲି ଦର୍ଶାଇବା ସହ ନବୀନ ବାବୁ ଏକଥା ଜାଣିଛନ୍ତି କି ନାହିଁ ତାହା ଉପରେ ମଧ୍ୟ ପ୍ରଶ୍ନ କରି ନବୀନଙ୍କ ଆଡ଼କୁ ବି ଆଙ୍ଗୁଳି ଦେଖାଇଛନ୍ତି । ଦେଖାଯାଉ ଏପରି ସ୍ଥିତିକୁ ନେଇ ନବୀନ ଓ ତାଙ୍କ ପରାମର୍ଶଦାତାମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି?
Shree Jagannath
ଦ କୁଇଭର ବ୍ୟୁରୋ :- ଆଜି ମାର୍ଗଶୀର ମାସର ପ୍ରଥମ ମାଣବସା ଗୁରୁବାର l ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଗାଁ ଠାରୁ ସହର ସବୁଠି ଚଳ ଚଞ୍ଚଳ l ପ୍ରତ୍ୟେକ ଓଡ଼ିଆ ଘରେ ଏହି ମାଣବସା ଗୁରୁବାର ପାଳନ କରାଯାଇଥାଏ l ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ l ପ୍ରତ୍ୟେକ ଓଡ଼ିଆ ଘର ର ବୋହୁ ଭୋର ସମୟରୁ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରି ମାଁ ଲକ୍ଷ୍ମୀ ଙ୍କୁ ନିଷ୍ଠାର ସହିତ ପୂଜା କରିଥାନ୍ତି l ତା ପୂର୍ବ ଦିନ ଅର୍ଥାତ ବୁଧବାର ଦିନ ରାତିରୁ ଘର ଦ୍ୱାର ସଫା ସୁତୁରା କରି ଦେଇଥାନ୍ତି l ମା ଲକ୍ଷ୍ମୀଙ୍କ ପୂଜା ନିଷ୍ଠାର ସହିତ ପାଳନ କଲେ ଧନ ଧାନ୍ୟ ରେ ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି l ମାର୍ଗଶୀର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୋଇଥାଏ l ଚାଷୀ ତାର ଖଳାକୁ ଧାନ ଆଣିଥାଏ l ଧାନ ର ଶିଶାରେ ବେଣୀ ବାନ୍ଧି କରି ଶୁଖାଇ ଯତ୍ନ ସହକାରେ ରଖିଥାଏ l ଧାନକୁ ଲକ୍ଷ୍ମୀ ଙ୍କର ଆଶିଷ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ l ଗାଁ ମାନଙ୍କରେ ମହିଳା ମାନେ ମାଟିଘରକୁ ଗୋବର ରେ ଲିପା ପୋଛା କରି ନୂଆ ଚାଉଳ ( ଅରୁଆ ) ପିଠାଉ ରେ ଝୋଟି ଏବଂ ଲକ୍ଷ୍ମୀ ପାଦ ଚିତ୍ର ଆଙ୍କନ୍ତି l ଏହି ମାଣବସା ଗୁରୁବାର ସମଗ୍ର ଓଡିଶା ସହିତ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ରେ ପାଳନ କରାଯାଉଛି l ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ l ପିଠା ପଣା ଓ ଫଳ ମୂଳ ଭୋଗ ଲକ୍ଷ୍ମୀ ଙ୍କ ପାଖରେ ଲଗାଯାଏ l ବିଭିନ୍ନ ପାଳିରେ ଭିହ୍ନ ଭିହ୍ନ ପିଠା ପଣା ମାଁ ଲକ୍ଷ୍ମୀ ଙ୍କ ପାଖରେ ଭୋଗ ଲଗାଯାଇଥାଏ l ମଧ୍ୟାହ୍ନ ସମୟରେ ଅନ୍ନ ଭୋଗ ଲଗାଯାଏ l ଏହି ଦିନ ମା ଲକ୍ଷ୍ମୀ ଙ୍କ ପାଖରେ ଲକ୍ଷ୍ମୀ ପୁରାଣ ବୋଲାଯାଇଥାଏ l ଏହି ଦିନର ଭୋଗ ଘର ର ସମସ୍ତ ସଦସ୍ୟ ଖାଇଥାନ୍ତି l ଏହା ଅନ୍ୟ କାହାକୁ ଦେବାର ନିୟମ ନାହିଁ l
State
ବ୍ରହ୍ମପୁର( ଦ କୁଇଭର ):- ଦୁଇ ଦଫା ଦାବିକୁ ନେଇ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି ଜୟ ଜଗନ୍ନାଥ କନଷ୍ଟ୍ରକସନ ୱାର୍କସ ସଂଘ ଓ ନିର୍ମାଣ ଶ୍ରମିକ ମାନେ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଚିକିଟି ଓ ବ୍ରହ୍ମପୁରର କାର୍ଯ୍ୟରତ ବହୁ ନିର୍ମାଣ ଶ୍ରମିକ ମାନେ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପାଇଁ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଆବେଦନ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇନାହିଁ । ଅଞ୍ଚଳର ଅନେକ ଲୋକେ ଏଥିପୂର୍ବରୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପାଇଁ ଆବେଦନ କରିଥିବା ବେଳେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ଛାଡ଼ି ଅନ୍ୟମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ପତ୍ର ପ୍ରଦାନ କରାଯାଉଛି । ସେହିପରି ବାର୍ଷିକ ଦେୟ ପୈଠର ରସିଦ ବର୍ତ୍ତମାନ ସୁଦ୍ଧା ଶ୍ରମିକଙ୍କୁ ପ୍ରଦାନ କରାନଯିବା ଏକ ପରିତାପର ବିଷୟ । ତୁରନ୍ତ ଏନେଇ ପଦକ୍ଷେପ ନିଆନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଶ୍ରମିକ ମାନେ । ସଙ୍ଘ ଆବାହକ ରାଜ କୁମାର ମହାପାତ୍ର, ଏଆଇଟିୟୁସି ର ଅଳକନାଥ ମିଶ୍ର ଙ୍କ ନେତୃତ୍ୱରେ ବହୁ ଶ୍ରମିକ ମାନେ ଦୀର୍ଘ ସମୟ ଧରି ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏନେଇ ଏକ ଦାବି ପତ୍ର ଯୁଗ୍ମ ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଛି ସଂଘ । ଏହି ଅବସରରେ ସଂଘର ବହୁ କର୍ମକର୍ତ୍ତାଙ୍କ ସମେତ ଶ୍ରମିକ ମାନେ ସାମିଲ ଥିଲେ । ସେପଟେ ଅଭିଯୋଗର ତଦନ୍ତ କରାଯାଇ ଖୁବଶୀଘ୍ର ଶ୍ରମିକ ମାନଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ।
Politics
ଭୁବନେଶ୍ୱର(ଦ କୁଇଭର): ବିଜେଡିର କାଢ଼ୁଆ ନେତା ତଥା ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ନାମରେ ଏତଲା ଦାଖଲ ହୋଇଛି । ଏବେ ସେ ଗିରଫ ହେବେ । ହେଲେ ଗିରଫ କରିବାର ସାହସ କରିପାରିବେ ତ ମୋହନ ସରକାର? ନା ତଦନ୍ତ ଆଳରେ ଏହାକୁ ଚାପି ଦେବେ । ଅନାମଧ୍ୟେୟ ଚେଲା ଚାମଣ୍ଡାଙ୍କୁ ଗିରଫ କରି ଲୋକଙ୍କୁ ଭକୁଆ କରିବେ ଓ ବବିଙ୍କୁ ଛାଡ଼ି ଦେବେ । ବବିଙ୍କୁ ଗିରଫ କଲେ ରାଜ୍ୟସାରା କାଳେ ବିଜେଡି ତାତିଯିବ । ବିଜେଡି ଯଦି ପୂରା ଦମରେ ମଇଦାନକୁ ଆସିବ ମୋହନ ସରକାର ସମ୍ଭାଳିବା କଷ୍ଟକର ହେବ । ତେଣୁ କାଳେ ମୋହନ ସରକାର କୁନ୍ଥଉଛନ୍ତି । କେବଳ ବଡ଼ ବଡ଼ କଥା କହି ଲୋକଙ୍କୁ ଭକୁଆ କରି ରଖିବେ ବୋଲି କୁହାଯାଉଛି ।
ଜଣେ ବିଧାୟକଙ୍କୁ ରାସ୍ତାରେ ପିଟିଲେ । ରାସ୍ତା ରୋକ ବେଳେ ଅନେକ ଗାଡ଼ି ଥିବା ବେଳେ ତାଙ୍କୁ ବାଡ଼େଇଲେ । ସେ ପୁଣି ବିଜେପି ସମର୍ଥôତ ବିଧାୟକ । ତାଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ଆଶୀର୍ବାଦ ରହିଛି । ପୂରା ଯାଜପୁର ଜିଲ୍ଲାରେ ତାଙ୍କର ଦବଦବା ରହିଛି । ଏପରି ଜଣେ ବିଧାୟକଙ୍କୁ ରାସ୍ତା ଉପରେ ନିସ୍ତୁକ ପିଟିଲେ । ଗାଡ଼ି ଭାଙ୍ଗି ଦେଲେ । ମାଡ଼ ମାରିବା ପରେ ବବିଙ୍କ ସାନ ଭାଇ ଫୋନ କରି କହୁଛନ୍ତି ମୁଁ ଜାଣିନାହିଁ ଘଟଣା । କେବଳ ସେତିକି ନୁହେଁ, ବବି ନିଜେ ଆଗୁଆ ସଫେଇ ଦେଇ କହୁଛନ୍ତି ଆମର କିଛି ସମ୍ପୃକ୍ତି ନାହିଁ । ଠିକ ପ୍ରଣବ ବଳବନ୍ତରାୟଙ୍କୁ ଅଣ୍ଡାମାଡ଼ ପରେ ଯେମିତି ବିଧାୟକ ହିମାଂଶୁ କହିଥିଲେ ।
ପୂରା ସମାନ ରୋଲ କଲେ ବବି । ଦେଖାଇ ଦେଲେ ବିଜେପି ବିଧାୟକ ନାଲି ଆଖି ଦେଖାଇଲେ, ବିଜେଡି ନେତା ଆଖିରେ ଆଙ୍ଗୁଠି ପୂରେଇଦେବେ । ଏତେ ବଡ଼ ଘଟଣାରେ ବିଧାୟକଙ୍କ ପିଏସଓ ଏତଲା ଦେଲେ । ସେହି ଏତଲା ପରେ ପୋଲିସ ଏକ ମାମଲା ରୁଜୁ କରି ୧୦ଜଣଙ୍କୁ ଗିରଫ କରିଛି । ହେଲେ ମୂଳ ଅଭିଯୁକ୍ତ ବବିଙ୍କ ପାଖକୁ ଯାଉ ନାହିଁ ପୋଲିସ । ଦୂରରେ ରହୁଛି । ବବିଙ୍କ ଦେହରେ ହାତ ମାରିବାକୁ ସାହସ ବି କରୁନାହାନ୍ତି ସରକାର । ପୂର୍ବରୁ ବବି ସରକାରୀ କ୍ୱାର୍ଟର ଘଟଣାରେ ବି ସରକାର ନୀରବ ରହିଲେ । ଅପରାଧକୁ ଚାପି ରଖିଲେ । ଏପରିକି ଏବେ ସେହି ସମ୍ପର୍କିତ ତଥ୍ୟ ବି ଦେବାକୁ ପ୍ରସ୍ତୁତ ନୁହନ୍ତି ସରକାର । କେବଳ ସେତିକି ନୁହେଁ, ବ୍ଲାକରୋଜ ଦୁର୍ନୀତିର ତଦନ୍ତ ସିବିଆଇକୁ ଦେବାକୁ ବି ପଛାଉଛନ୍ତି ମୋହନ ସରକାର ।
ପ୍ରତି କଥାରେ ବବିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେଇ ନଥିବାରୁ ଆଜି ମୋହନ ସରକାରଙ୍କ ଅସ୍ତତ୍ୱକୁ ଚ୍ୟାଲେଞ୍ଜ କରିଦେଲେ ବବି । ବିଚ ରାସ୍ତାରେ ବିଜେପି ବିଧାୟକଙ୍କୁ କାଳେ ନିସ୍ତୁକ ପିଟିଲେ । ଏପରି କାରନାମା ପରେ ବି ବବିଙ୍କୁ ହାତ ଲଗାଇବାକୁ ଡରୁଛନ୍ତି ମୋହନ ସରକାର । ଯାହା ବିଜେପି କର୍ମୀଙ୍କୁ ହତୋତ୍ସାହିତ କରିବା ସହ ବିଜେଡି ମହଲରେ ଜୋସ ଭରୁଛି । ଏବେ ତ ମାଡ଼ ଖାଇଥିବା ବିଜେପି ବିଧାୟକଙ୍କୁ ଟାହି ଟାପରା କରୁଛନ୍ତି ବିଜେଡି ସମର୍ଥକମାନେ । ମୋହନ ସରକାରଙ୍କ ଦୁର୍ବଳତା ହିଁ ବିଜେପି ନେତାଙ୍କୁ କୌଣସି କୂଳରେ ରଖୁନାହିଁ । ଯାହାକୁ ନେଇ ଚିନ୍ତା ବଢ଼ିଲାଣି । ବବିଙ୍କୁ ଆଇନ ଫାନ୍ଦରେ ନପକାଇଲେ ମୋହନ ସରକାର ଯେ ଅତି ଦୁର୍ବଳ ତାହା ପଦାରେ ପଡ଼ିଯିବ । ଦେଖାଯାଉ ମୋହନ ମାଝୀ ସରକାର ବବିଙ୍କୁ ଗିରଫ କରିପାରୁଛନ୍ତି ନା ପୁଣି ଥରେ ଲାଙ୍ଗୁଡ଼ ଜାକି ବିଧାୟକ ହିମାଂଶୁଙ୍କୁ ବୋଧ କରୁଛନ୍ତି?
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ର କଂଫେରାନ୍ସ ହଲ ଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ,ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତୁଷାର ରଞ୍ଜନ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଲିସା ବେହେରା,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏ ରାମ ପ୍ରସାଦ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ ଲିଡ଼ ବ୍ୟାଙ୍କ ମେନେଜର ମହେଶ୍ୱର ମଣ୍ଡଳ,ସି ୟୁ ଟି ଏମ୍ ର ଡୀନ୍ ସମ୍ବିତ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ।ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା।ରାୟଗଡ଼ ବ୍ଳକ ମତ୍ସ୍ୟ ଅଧିକାରୀ କିଶୋର ଚନ୍ଦ୍ର ପତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଦିବସର ମୂଳ ଲକ୍ଷ୍ୟ ହେଲା ଜଳ ସମ୍ପଦର ସୁରକ୍ଷା, ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି, ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଏହି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ସଫଳ ମତ୍ସ୍ୟ ଚାଷୀଙ୍କୁ ଉତ୍ସ।ହିତ କରିବା ପାଇଁ ପୁରସ୍କାର ଉପଢୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକର ମତ୍ସ୍ୟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ରହି ନିଜର ସମସ୍ୟା ଉପରେ ପଚାରି ବୁଝିଥିଲେ।ଏହି କାର୍ଯ୍ୟକ୍ରମକୁ ଗୁମ୍ମା ମତ୍ସ୍ୟ ଅଧିକାରୀ ଶ୍ରୀ ଗିରିଧାରୀ ପରିଚାଳନା କରିଥିବାବେଳେ ବିଭାଗର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ରାୟଗଡ ବ୍ଳକର ମତ୍ସ୍ୟ ଅଧିକାରୀ କିଶୋର ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ।
State,Politics
ଭୁବନେଶ୍ୱର(ଦ କୁଇଭର): ରାଜ୍ୟର ପରିଚିତ ପ୍ରଶାସିକା ସୁଜାତା ଆର କାର୍ତ୍ତିକେୟନଙ୍କୁ ନେଇ ଏବେ ବଡ଼ ଚର୍ଚ୍ଚା ଚାଲିଛି । କେବଳ ପାୱାର କରିଡର ନୁହେଁ, ପ୍ରଶାସନିକ ସ୍ତରରେ ବି ଟୁପୁରୁ ଟାପର ଚାଲିଛି । ଆଉ ୭ ଦିନରେ ସୁଜାତାଙ୍କର ଛୁଟି ସରିବ । ଏହାପରେ ସେ କାର୍ଯ୍ୟରେ ଯୋଗଦେବା କଥା । ହେଲେ ସେ ଆସିବେ ତ? ଯଦି ଆସିବେ କେଉଁ ରୁପରେ ପ୍ରଶାସିକା ହୋଇ ଆସିବେ ନା ବିଜେଡିର ଅଫିସିଆଲ ନେତ୍ରୀ ହୋଇ ଆସିବେ? ଏ ଚର୍ଚ୍ଚା ଏବେ ଭିତରେ ଭିତରେ ଗୁମୁରୁଛି ।
ସୁଜାତା ଆର କାର୍ତ୍ତିକେୟନ ବା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ । ଦୀର୍ଘଦିନରୁ ସେ ବେଶ ବିବାଦୀୟ ହୋଇ ରହିଥିଲେ । ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲା ବିଜେପି । ନିର୍ବାଚନ ବେଳେ ସେ ପକ୍ଷପାତିତା କରୁଛନ୍ତି, ତାଙ୍କ ପ୍ରଶାସିକା କ୍ଷମତାକୁ ବିଜେଡି ପାଇଁ ନିୟୋଜିତ କରୁଛନ୍ତି । ଏମିତି ଅନେକ ଅଭିଯୋଗ ଆଣି ସୁଜାତାଙ୍କ ପ୍ରଶାସନିକ ଭାବମୂର୍ତ୍ତୀକୁ କଳଙ୍କମୟ କରିଦେଇଥିଲେ । ଏପରିକି ଅଭିଯୋଗ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ପାଇବା ପରେ ନିର୍ବାଚନ କମିସନ ତାଙ୍କୁ ଦାୟିତ୍ୱରୁ ହଟାଇ ବିନା ଦାୟିତ୍ୱରେ ରଖିଥିଲେ । ମିଶନଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ କରିଦେଲେ ସରକାର ।
ଏହାପରେ ତାଙ୍କ ପ୍ରତି ଅଡ଼ୁଆ ବଢ଼ିବା ସେ ବାସ୍ନା କାଳେ ବାରି ପାରିଲେ । ତେଣୁ ବିନା ବାଦଲରେ ବର୍ଷା ଭଳି ମାଟି୍ରକ ପରୀକ୍ଷା ସମୟ ହୋଇ ନଥିଲେ ମଧ୍ୟ ସେ ତାଙ୍କ ଝିଅର ପରୀକ୍ଷା ପ୍ରସ୍ତୁତି ଦର୍ଶାଇ ୧୮୦ଦିନ ଛୁଟିରେ ଚାଲିଗଲେ । ବିଜେଡି ସରକାର ଥିବା ବେଳେ କେହି କିଛି ଜାଣିବା ପୂର୍ବରୁ ସୁଜାତାଙ୍କର ଛୁଟି ୨୦୨୪ ମେ ୩୧ ତାରିଖ ଠାରୁ ୨୦୨୪ ନଭେମ୍ବର ୨୬ ପର୍ଯ୍ୟନ୍ତ ଅନୁମୋଦିତ ହୋଇଯାଇଥିଲା । ସର୍ବଭାରତୀୟ ସେବା ରୁଲ ୧୯୫୫ର ଧାରା ୧୮-ଘ ଅନୁଯାୟୀ ତାଙ୍କୁ ଏହି ଛୁଟି ଅନୁମୋଦନ କରାଯାଇଥିଲା । ତାଙ୍କ ଛୁଟି ସମ୍ପର୍କରେ ଜଣାପଡ଼ିବା ବେଳକୁ ସେ ଭାରତ ଛାଡ଼ି ଇଟାଲୀରେ ଥିଲେ । ବେଶ ଘଣ୍ଟା ଚକଟା ହେଲା ରାଜ୍ୟରେ । ଗଣମାଧ୍ୟମ ଜୁନ ୭ ତାରିଖ ଖବର ପାଇବା ପରେ ନାନା ଖବର ପ୍ରଚାର ହେଲା ।
ଏବେ ସବୁ କିଛି ଥମି ଯାଇଛି । ଆଉ କିଛି ସୋର ଶବ୍ଦ ନାହିଁ । ଇତିମଧ୍ୟରେ ସୁଜାତାଙ୍କର ଛୁଟି ସରି ସରି ଆସିଲାଣି । ନଭେମ୍ବର ୨୭ ତାରିଖ ଦିନ ସେ ପୁଣି ଓଡ଼ିଶା ପ୍ରଶାସନିକ କ୍ଷେତ୍ରରେ ଯୋଗଦେବେ ବୋଲି ନିଦେ୍ର୍ଦଶନାମା କହୁଛି । ହେଲେ ସେ ଆସିବେ କି ନାହିଁ ସେନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ନବୀନଙ୍କ ସରକାରରେ ଯଦି ଦଳୀୟ ସମର୍ଥନ କରି ସବୁଠୁ ବିବାଦୀୟ ହୋଇଥାନ୍ତି, ତେବେ ସେ ହେଉଛନ୍ତି ସୁଜାତା । ଏବେ ମୋହନ ସରକାରରେ ସେ ଆସି କାର୍ଯ୍ୟରେ ଯୋଗଦେବେ ନା ଭିନ୍ନ ଭିନ୍ନ କାର୍ଯ୍ୟପନ୍ଥା ନେବେ?
ଏମିତି ଚର୍ଚ୍ଚା ଏବେ ଆଇଏଏସ ମହଲରେ ଚାଲିଛି । ପଦ ମର୍ଯ୍ୟାଦାକୁ ଭୁଲି ନବୀନଙ୍କ ପ୍ରତି ଆନୁଗତ୍ୟ ଦେଖାଇଥିବା ଡିଏସ କୁଟ୍ଟେ ଓ ଆଶୀଷ ସିଂଙ୍କ ସ୍ଥିତି ସମସ୍ତେ ଦେଖୁଛନ୍ତି । କେବଳ ସେତିକି ନୁହେଁ ଆହୁରି ଅନେକ ବରିଷ୍ଠ ଅଧିକାରୀଙ୍କ ସ୍ଥିତି ବି ଦେଖାଗଲାଣି । ଅନେକ ଆଇଏଏସ ବି ପଦ ମର୍ଯ୍ୟାଦା ହରାଇ ଏବେ ଘାଣ୍ଟି ହେଉଛନ୍ତି । ଏଭଳି ସ୍ଥିତିରେ ସୁଜାତା ଆସିବେ ନା ନାହିଁ ସେହି ଚର୍ଚ୍ଚା ଚାଲିଛି । ଦୁଇଟି କଥା ଏବେ ଚର୍ଚ୍ଚାରେ ଅଛି, ଭିକେ ପାଣ୍ଡିଆନ ବିଜେପି ସହ ଡିଲ କରି ସୁଜାତାଙ୍କୁ ଭଲ ସ୍ଥାନରେ ରଖି ପାରିବେ, କିମ୍ବା ଭିଆରଏସ ପର୍ଯ୍ୟନ୍ତ ଥଇଥାନ କରିପାରିବେ । ଅନ୍ୟଟି ହେଲା ପୂର୍ବରୁ ସୁଜାତା ବିଜେଡିରେ ଯୋଗଦେବେ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା । ହେଲେ ସବୁ କିଛି ଅଙ୍କ ଓଲଟପାଲଟ କରିଦେଲେ ଓଡ଼ିଶାବାସୀ । ପାଣ୍ଡିଆନଙ୍କୁ ବିରୋଧ କରି ପୂରା ଗେମ ଓଲଟି ଗଲା ।
ଏବେ ବି ବିଜେଡି ପାଖରେ ପରପିଢ଼ୀର ନେତା ନାହାନ୍ତି । ବିଜେଡିକୁ ସମ୍ଭାଳିବା ପାଇଁ ନେତା ମିଳୁ ନାହାନ୍ତି । ପାଣ୍ଡିଆନ କାଳେ ପାଣ୍ଠି ମାଡ଼ି ବସିଛନ୍ତି । ତେଣୁ ଅନ୍ୟ କେହି ଚାହିଁଲେ ବି ଦଳକୁ ଚଳାଇବା କଷ୍ଟ ହେବ । ସୁଜାତା ଯଦି ଚାକିରୀକୁ ନଆସନ୍ତି, ତେବେ ପାଣ୍ଡିଆନ ପଛରେ ରହି ତାଙ୍କୁ ଆଗରେ ରଖି ବିଜେଡି ରାଜନୀତି କରିବେ ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ସୁଜାତାଙ୍କ ଆଗାମୀ ପନ୍ଥା ନେଇ ଆଇଏଏସ ମହଲରେ ଚର୍ଚ୍ଚା ଚାଲିଛି । ସୁଜାତା ଅଫିସର ହେବେ ନା ନେତ୍ରୀ?
State,National
ଭୁବନେଶ୍ୱର(ଦ କୁଇଭର): ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଜଣେ ସାର୍ଟିଫାଏଡ ଲାଞ୍ଚ ଦିଆଳି । ସେ ତାଙ୍କର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇ କାମ କରାନ୍ତି । ପ୍ରକଳ୍ପ ପାଇଁ ଅର୍ଥ ହେଉ କି ଜମି ବା ପ୍ରକଳ୍ପ ପାଇବାକୁ ହେଉ ଲାଞ୍ଚ ଦେଉଥିବା ପ୍ରମାଣ ଦେଇଛି ଆମେରିକା । କେବଳ ପ୍ରମାଣ ନୁହେଁ, ଏପରି କାମ ପାଇଁ ତାଙ୍କ ଉପରେ ଚାର୍ଜଫ୍ରେମ କରାଯାଇଛି ଓ ତାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା । ଏହାକୁ ଦେଖିଲେ ଆଦାନୀ ଓଡ଼ିଶାରେ କାହାକୁ ଓ କେତେ ଲାଞ୍ଚ ଦେଇ ଏତେ ସମ୍ପଦ ହାତେଇଛନ୍ତି ସେନେଇ ପ୍ରଶ୍ନ ଉଠିଲାଣି । କେଉଁ ଅଫିସର ଓ ନେତା କେତେ ଲାଞ୍ଚ ନେଇଛନ୍ତି?
ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ଗ୍ରୀନ ଏନର୍ଜି ଉତ୍ପାଦନ ପ୍ରକଳ୍ପ ପାଇଁ ଆମେରିକାର ଅନେକ ପୁଞ୍ଜିପତିଙ୍କୁ ଲାଞ୍ଚ ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଲାଞ୍ଚ ଦେବା ଘଟଣା ଜଣାପଡ଼ିବା ପରେ ସାରା ଦେଶରେ ହଲଚଲ ସୃଷ୍ଟି ହୋଇଛି । ଆଦାନୀ ପ୍ରକଳ୍ପ ହାତେଇବାକୁ ଲାଞ୍ଚ ଦେଉଥିବା କଥା ଏବେ ସ୍ପଷ୍ଟ ହୋଇଛି । ଆଦାନୀ ଗ୍ରୀନ ପାୱାର ପ୍ରକଳ୍ପ ପାଇଁ ଆମେରିକାରେ ଲାଞ୍ଚ ଦେଇଥିବା କଥା ଜଣାପଡ଼ିବାରୁ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । କେବଳ ସେ ନୁହନ୍ତି, ସାଗର ଆଦାନୀଙ୍କ ବିରୋଧରେ ମଧ୍ୟ ଚାର୍ଜଫ୍ରେମ କରିଛି ଆମେରିକା କୋର୍ଟ । ଏଥିସହ ବୋର୍ଡ ସଦସ୍ୟ ବିନିତ ଜୈନଙ୍କ ନାମରେ ବି ମାମଲା ରୁଜୁ ହୋଇଛି । ଏହାକୁ ଆପ ନେତା ତଥା ଏମପି ସଞ୍ଜୟ ସିଂ କଡ଼ା ସମାଲୋଚନା କରିଛନ୍ତି । ଆଦାନୀ ଭାରତର ଭାବମୂର୍ତ୍ତୀକୁ ବଦନାମ କରିଥିବା ସେ କହିଛନ୍ତି । ଆଦାନୀଙ୍କ ଏହି କାରନାମା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଲାଣି ବିରୋଧୀ ।
ପୂର୍ବରୁ ଅଦାନୀଙ୍କ ସହ ମୋଦିଙ୍କୁ ବିରୋଧୀ ଯୋଡ଼ୁଥିଲେ । ଆଦାନୀ ଗଦା ଗଦା ଦୁର୍ନୀତି କରି ପ୍ରକଳ୍ପ ପରେ ପ୍ରକଳ୍ପ କରୁଥିବା କଥା ବି କହୁଥିଲେ । ଏବେ ଆମେରିକା କୋର୍ଟ ଆଦାନୀଙ୍କ ଉପରେ ମାମଲା କରିବା ପରେ ବିରୋଧୀଙ୍କୁ ଖେରାକ ମିଳିଯାଇଛି ।
ଏବେ ଆସିବା ଓଡ଼ିଶା ପ୍ରସଙ୍ଗକୁ । ଆଦାନୀ ଧାମରା ବନ୍ଦର ସହିତ ଏବେ ଗୋପାଳପୁର ବନ୍ଦର ନେଇଛି । ରାଜ୍ୟରେ ଦୁଇଟି ବନ୍ଦର ହାତେଇବା ସହ ଖଣି ବି ନେଲାଣି । ଶିଳ୍ପ ପ୍ରତିଷ୍ଠା ପାଇଁ ଆଦାନୀ ଓଡ଼ିଶାରେ ଲାଗିଛି । ଏବେ ବଲାଙ୍ଗୀର ଓ ଅନ୍ୟ ଜିଲ୍ଲା ମାନଙ୍କରେ ଜମି ବି କିଣିଲାଣି । ଆଦାନୀର ପରବର୍ତ୍ତୀ ଟାର୍ଗେଟ କାଳେ ଓଡ଼ିଶା । ତେଣୁ ଓଡ଼ିଶା ସମ୍ପଦ ଲୁଟିବାକୁ ଆଦାନୀ କାହା ସହ ଡିଲ କରିଛନ୍ତି ବୋଲି ପ୍ରଶ୍ନ ଉଠିଲାଣି । ଆଦାନୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ସମୟରେ ଓଡ଼ଶାରେ ଏଣ୍ଟି୍ର ମାରିଥିଲା । ତେଣୁ ସେହି ସରକାରରେ କାହାକୁ କେତେ ଲାଞ୍ଚ ଦେଇଛନ୍ତି ଆଦାନୀ ତାହାର ତଦନ୍ତ ହେବା ଆବଶ୍ୟକ । ରାଜ୍ୟରେ ତାର ପାଦ ଥାପିବା ଓ ସମ୍ପଦ ଲୁଟ କରିବା ପାଇଁ କାଳେ ୫ଶହ କୋଟିର ବଡ଼ ଡିଲ ହୋଇଥିବା ଚର୍ଚ୍ଚା ହେଉଛି । ତେବେ କିଏ ଓ କେତେ ନେଇଛନ୍ତି ତାହାରକୁ ନେଇ ଟଣାଓଟରା ଚାଲିଛି । ଏହାର ତଦନ୍ତ କରି ଆଦାନୀଙ୍କୁ ଓଡ଼ିଶାରୁ ତଡ଼ିବାକୁ ଦାବି ହେଲାଣି । ଦେଖାଯାଉ ଲାଞ୍ଚ ଦେଇ ପ୍ରକଳ୍ପ ନେଉଥିବା ଆଦାନୀଙ୍କ ବିରୋଧରେ ମୋହନ ସରକାର ହାତ ମାରି ପାରୁଛନ୍ତି ନା ସେମିତି ଲୋକଙ୍କୁ ଚାପି ଦେଉଛନ୍ତି ।
Politics
ଯାଜପୁର(ଦ କୁଇଭର): ଯାଜପୁର ରାଜନୀତିକୁୁ ବଳି ଗଲାଣି ଗୁଣ୍ଡାଗିରି । ଏଠି କଥାର ଜବାବ ଧମକ, ଆଉ ଏବେ ଅଣ୍ଡାର ଜବାବ ଠେଙ୍ଗାରେ ଦିଆଯାଇଛି । ଆଗକୁ ଠେଙ୍ଗାର ଜବାବ ଖଣ୍ଡା ନହେଲେ ବନ୍ଧୁକରେ ଦିଆଯିବ ବୋଲି ଯାଜପୁରରେ ବେଶ ଜୋରସୋର ଚର୍ଚ୍ଚା ଚାଲିଛି । ଯାଜପୁରର ଏହି ଘଟଣା ରାଜନେତାଙ୍କ ଗୁଣ୍ଡାଗିରି କେବଳ ଦର୍ଶାଉନାହିଁ ପୋଲିସ ଓ ସରକାରଙ୍କ ଦୁର୍ବଳତାକୁ ପଦାକୁ ଆଣିଛି । ଏଥିସହ ଯାଜପୁର ରାଜନେତା ମାନଙ୍କ ମଧ୍ୟରେ ପତିଆରା ପାଇଁ ଥିବା ଅପରାଧ ମନୋଭାବକୁ ବି ସାମ୍ନାକୁ ଟାଣି ଆଣିଛି । ଏପରି ଘଟଣାକୁ ଦେଖିଲେ କେହି କହିବେ କି, ଏମାନେ ରାଜନେତା? ବାସ୍ତବରେ ଏମାନେ ରାଜନୀତି କରୁଛନ୍ତି ନା ଗୁଣ୍ଡାନୀତି? ଏପରି ପ୍ରଶ୍ନ ଏବେ ଜୋର ଧରିଲାଣି ।
୨୪ବର୍ଷ ଧରି ସାରା ଓଡ଼ିଶାରେ ବିଜେଡି ତାର ଦବଦବା ରଖିଥିଲା । ବିଶେଷ କରି ଯାଜପୁର ଜିଲ୍ଲା ବିଜେଡି କବଜାରେ ଥିଲା । ଖଣି ଠୁ ଶିଳ୍ପ, ପଥର ଠୁ ବାଲି ସବୁ କିଛିର ଦଲାଲୀ କାଳେ ବିଜେଡି ନେତାମାନେ କରୁଥିଲେ । ସର୍ବେସର୍ବା ଥିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି, ପ୍ରଣବ ବଳବନ୍ତ ରାୟ ଓରଫ ଜିତୁ ଆଉ ପ୍ରିତୀରଞ୍ଜନ ଓରଫ ଡାନିଙ୍କର ଥିଲା ଅସୀମ କ୍ଷମତା । ଇନ୍ଦ୍ରଚନ୍ଦ୍ର ଏମାନେ ଇନ୍ଦ୍ରଚନ୍ଦ୍ର ମାନୁ ନଥିଲେ । ଏମାନଙ୍କ କଥା ହିଁ ବେଦର ଗାର ଭଳି ଗ୍ରହଣ କରାଯାଉଥିଲା । କ୍ଷମତା ବଳରେ ପୋଲିସ ଓ ପ୍ରଶାସନିକ ବାବୁମାନେ ବି ଏମାନଙ୍କ କଥାରେ ଉଠବସ ହେଉଥିଲେ । ଏମାନଙ୍କ ସାହସରେ ତାଙ୍କ ସମର୍ଥକମାନେ ଧରାକୁ ସରା ମଣୁ ନଥିଲେ । ହେଲେ ହଠାତ ଲାଗିଲା ଝଟକା । କ୍ଷମତା ଚାଲିଗଲା । ଏବେ ଆଇ କେହି ପଚାରୁ ନାହାନ୍ତି । ତେଣୁ କିଲବିଲ ହୋଇଯାଉଛନ୍ତି ଏମାନେ ।
ଏତିକି ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓରଫ ଲିକୁ ଜିତିବା ପରେ ତାଙ୍କର ପତିଆରା ପୂରା ଜିଲ୍ଲାରେ ବଢ଼ାଇଲେ । ସେ ଜଣେ ପୁରୁଖା ନେତା ମଧ୍ୟ । ମୁଣ୍ଡ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ରହିଛି । ତେଣୁ ସେ ଆଉ ଦି ପାଦ ଆଗେଇ ଗଲେ । ଜିଲ୍ଳାପାଳ ମାନଙ୍କୁ ବି ବେଖାତିର କଲେ । ଅବଶ୍ୟ ବବି, ଜିତୁ ଓ ଡାନିଙ୍କ ଦୌରାତ୍ମ୍ୟକୁ ଦାବି ପାଇଁ ତାଙ୍କୁ ଏ ଭୀଷଣ ରୂପ ନେବା ଆବଶ୍ୟକ ବୋଲି ଲୋକେ କହିଲେ । ହେଲେ ବେଳେ ବେଳେ ସେ ସୀମା ପାର କରିଯାଉଥିବା କୁହାଯାଉଛି । ତାଙ୍କ ସମର୍ଥକମାନେ ଧର୍ମଶାଳା ପୂର୍ବତନ ବିଧାୟକ ଜିତୁଙ୍କୁ ଅଣ୍ଡାମାଡ଼ କରିଥିଲେ । ସେହି ଅଣ୍ଡାମାଡ଼ ପରେ ବିଜେଡି ସମର୍ଥକ ମାନେ ତାତିଥିଲେ । ଏପରିକି ବବିଙ୍କୁ କାଳେ ସେ ଅଣ୍ଡାମାଡ଼ ଭାରି ବାଧିଥିଲା ।
ସେହିଦିନ ବବି ମିଟିଂ କରିଥିଲେ । କହିଥିଲେ ବିଜେଡି ଉପରେ ଏପରି ଆକ୍ରମଣକୁ ସହି ହେବନି । ହିଂସାର ଜବାବ ଦିଆଯିବ । ଏହାପରେ ତାଙ୍କ ସମର୍ଥକମାନେ ବିଧାୟକ ଲିକୁଙ୍କୁ ଆକ୍ରମଣ କରିବାକୁ ସୁଯୋଗ ଖୋଜୁଥିଲେ । ତାଙ୍କୁ କାଳେ ଜୀବନରୁ ମାରିଦେଇ ଉପନିର୍ବାଚନ କରିବାକୁ ଯୋଜନା କରିଥିବା ନିଜେ ବିଧାୟକ ଅଭିଯୋଗ ଆଣିଛନ୍ତି । ଅଣ୍ଡାମାଡ଼ର ଜବାବ ଦେବାକୁ ଯାଇ ବବିଙ୍କ ନିଦେ୍ର୍ଦଶକରେ ତାଙ୍କ ଭାଇ ଓ ଅନ୍ୟମାନେ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହାକୁ ନେଇ ତାତିଲେଣି ଲିକୁଙ୍କ ସମର୍ଥକମାନେ । ଏହାର ଜବାବ ଦେବାକୁ ବି କହିଲେଣି । ତେଣୁ ଏହି ରାଜନୈତିକ ହିଂସା ଯେ ଆଗକୁ ନିଶ୍ଚିତ ବଢ଼ିବ ତାହା ସ୍ପଷ୍ଟ ବାରି ହୋଇଯାଉଛି । ଦେଖାଯାଉ ଅଣ୍ଡାର ଜବାବ ଠେଙ୍ଗାରେ ମିଳିବା ପରେ ଏହାର ଜବାବରେ ଲିକୁଙ୍କ ସମର୍ଥକ କ’ଣ ଉଠାଉଛନ୍ତି?
Politics,State
ଯାଜପୁର(ଦ କୁଇଭର): ମୋହନ ସରକାର ଓ ବିଜେପି ଦଳ ତାର ଚାଲ ଖେଳିବା ଆରମ୍ଭ କରିଛି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଭାଇ ଭବଙ୍କୁ police ଗିରଫ କରିଛି । ଏ ପରି action କିଛି ନୂଆ ନୁହେଁ, ବିଜେଡି ରାସ୍ତାରେ ଯାଇ ବିଜେଡିକୁ ଜବାବ ଦେବାକୁ ଯୋଜନା କରିଛି । ବିଜେଡି ଯେମିତି ଆଇନଗତ ବିବାଦରେ ଛନ୍ଦି ଦେଉଥିଲା, ସେହି ରାସ୍ତା ବିଜେପି ଆପଣଉଥିବା କୁହାଯାଉଛି । ଏବେ ବବିଙ୍କ ଭାଇଙ୍କ ନାରେ ହୋଇଛି ମାମଲା । ବିରଜା ହାଟର ଜଣେ ବ୍ୟବସାୟୀଙ୍କୁ ଧଉଳ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ବବି, ତାଙ୍କ ଭାଇ ଓ ତାଙ୍କର ଘନିଷ୍ଠ ମାନଙ୍କ ଉପରେ ବିଜେପି ନଜର ରଖୁଛି । ପୋଲିସ ମଧ୍ୟ ଗୁରୁତର ସହ ନେଇଛି । ଏକାଧିକ ମାମଲାରେ ଛନ୍ଦି ଦେବା ପରେ ପୋଲିସ ଉଠାଇ ନେବାର ଭୟ ଓ ଚାପରେ ବବିଙ୍କୁ କିଲବିଲ କରିବାକୁ ଯୋଜନା ହୋଇଥିବା ଚର୍ଚ୍ଚା ହେଉଛି । ବବିଙ୍କୁ ଟାର୍ଗେଟ କରିବାକୁ ଗୁରୁବାର ଠାରୁ ବିଜେପି କାଳେ ଠାଣି ନେଇଛି ।
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ନାମରେ ଏତଲା ହୋଇଛି । ତାଙ୍କୁ ଗିରଫ କଲେ ବିଜେଡି ବାହାରିବ । ତେଣୁ ବବିଙ୍କ ଉପରେ ଚାପ ପକାଇବାକୁ କାଳେ ଯୋଜନା କରାଯାଇଛି । ବିଜେପିରେ ଯୋଜନା ବେଳକୁ ଠିକ ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ ମାମଲା ରୁଜୁ ହୋଇଛି । ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ବବିଙ୍କ ପାଇଁ ସର୍ବଦା ଆଗକୁ ଗୋଡ଼ ଟେକୁଥିବା ଭବ ଗିରଫ ହେବା ପରେ ବବିଙ୍କ ନାକ କଟିଯାଇଛି । ତେଣୁ ବବି କାଳେ ଚାପରେ ରହିଛନ୍ତି ।
ଅଭିଯୋଗ ଅନୁଯାୟୀ ବିରଜା ହାଟର ବ୍ୟବସାୟୀ ମଦନ ନାୟକଙ୍କୁ ଭବ ଓ ତାଙ୍କ ସହଯୋଗୀମାନେ ମିଶି ଧମକ ଦେଇଥିଲେ । ସକାଳ ୮ଟାରେ ଏହି ଘଟଣା ଘଟିବା ପରେ ଅପରାହ୍ନରେ ସେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣା ପରେ କାଳେ ବବିଙ୍କ ଭାଇ ଭବଙ୍କ ବିରୋଧରେ ତାଙ୍କର କାମ ପାଇଁ ଏତଲା ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି । ଏତେ ଦିନ ପରେ ପୋଲିସ ବବିଙ୍କ ଭାଇଙ୍କୁ ଗିରଫ କରିଛି । ଏପରିକି ବବିଙ୍କ ନାମରେ ବି ମାମଲା ବଢ଼ିବ । ଯାହା ବବିଙ୍କୁ ଅଡ଼ୁଆରେ ପକାଇବ ବୋଲି କୁହାଯାଉଛି ।
ଏଠାରେ ସୂଚନା ଯୋଗ୍ୟ, ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମରେ ଏକାଧିକ ମାମଲା ହୋଇଥିଲା । ସେଥିରୁ ଅନେକ ମାମଲାର ତଦନ୍ତ ଆଜିଯାଏ ଆରମ୍ଭ ହୋଇ ପାରିନାହିଁ । ଏସବୁ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି କୁହାଯାଗଲା । ତଥାପି ଜୟନାରାୟଣଙ୍କୁ ଜେଲ ଯିବାକୁ ପଡ଼ିଥିଲା ଓ ଅନେକ ଚାପରେ ସେ ରହୁଥିଲେ । କୋର୍ଟ କଚେରୀ ଝାମେଲାରେ ପଡ଼ିଥିଲେ । ବେଶ ଦହଗଞ୍ଜ କାଳେ କରିଥିଲା ବିଜେଡି ସରକାର । ଜୟନାରାୟଣଙ୍କୁ ତୁଣ୍ଡି ବାନ୍ଧିବା ପାଇଁ ଏସବୁ କରିଥିବା କୁହାଗଲା । ଏବେ ସେହି ସମାନ ପଇଁତରା ବିଜେପି ସରକାର ଆପଣେଇବେ ବୋଲି ଚର୍ଚ୍ଚା ହେଉଛି । ବିଜେପି ଯେଶା କୁ ତେସା ନୀତି ଆପଣେଇବ ବୋଲି ଦଳ ଭିତରେ ଚର୍ଚ୍ଚା ହେଲାଣି । ଦେଖାଯାଉ ବିଜେପିର ପଇଁତରା ଠିକ କାମ କରୁଛି ନା ବିଜେଡି କିଛି କାରସାଦି କରୁଛି ।
State,Politics
ବ୍ରହ୍ମଗିରି(ଦ କୁଇଭର): ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ କାର୍ଯ୍ୟଶୈଳୀକୁ ନେଇ ଉଠିଲାଣି ପ୍ରଶ୍ନ । ସେ କାହାକୁ ନେଇ କରୁଛନ୍ତି ରାଜନୀତି? ତାଙ୍କ ରାଜନୀତିର ଉତ୍ସ କିଏ? ବିଜେପି କର୍ମୀ, ଦଳର ସଂଗଠନ, ସାଧାରଣ ଜନତା ନା ନିଜର ବୋକଚାବୁହା ଗୋଷ୍ଠୀ? କାହା ସ୍ୱାର୍ଥରେ ଉପାସନା । ନା ନିଜର ପତିଆରା ଓ ଦବଦବା ରଖିବା ପାଇଁ ସେ ବିଜେପି ସଂଗଠନକୁ ବି ଦଳି ମକଚି ଦେଉଛନ୍ତି? ଏଭଳି ଚର୍ଚ୍ଚା ଏବେ ବ୍ରହ୍ମଗିରିରେ ଜୋର ଧରିଲାଣି । କ୍ଷମତାକୁ ଆସିବାର ମାତ୍ର ୬ମାସ ମଧ୍ୟରେ ଉପାସନା ଯେ କେବଳ ବିବାଦୀୟ ହେଉ ନାହାନ୍ତି ବରଂ ଲୋକଙ୍କ ଭରସା ବି ହରାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି ।
ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ହେଉଛନ୍ତି ଜଣେ ଉଦୀୟମାନ ରାଜନେତା । ରାଜନୀତିରେ ଲମ୍ବା ଭବିଷ୍ୟତ ରହିଛି ତାଙ୍କର । ବିଜେପି ଭଳି ଜାତୀୟ ଦଳରେ ସେ ବ୍ରେକ ପାଇବା ସହ ବିଜେଡିକୁ ହରାଇ ଜିତିଥିଲେ । ପୂରା ବିଜେପି ସଂଗଠନ ତାଙ୍କ ପାଇଁ ଲାଗିଥିଲା । ନିର୍ବାଚନ ବେଳେ ବିଜେପି ସଂଗଠନ ଶରଣରେ ଥିବା ଉପାସନା ଜିତିବା ପରେ କାଳେ ନିଜସ୍ୱ ସଂଗଠନ ଆରମ୍ଭ କରିଦେଲେଣି । ତାଙ୍କ ବାପା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର କିଛି ସମର୍ଥକଙ୍କୁ ନେଇ ଗଢ଼ିଥିବା ଗୋଷ୍ଠୀକୁ ନେଇ ଚଳାଇଛନ୍ତି ରାଜନୀତି । ବିଜେପି ସଂଗଠନ ତାଙ୍କ ପାଇଁ ଗୁରୁତ୍ୱ ରଖୁନାହିଁ । ବିଶେଷ କରି ଆରଏସଏସ ମଧ୍ୟ ତାଙ୍କ ପାଇଁ ବ୍ରହ୍ମଗିରିରେ ଉପାସନାଙ୍କ ପାଇଁ ସେପରି ସ୍ଥିତି ରଖୁନାହିଁ । ଯାହାକୁ ନେଇ ଆରଏସଏସ ସଦସ୍ୟମାନେ ବି ତାତିଲେଣି । ହେଲେ ଖାମଖିଆଲି ଉପାସନାଙ୍କର କାଳେ ସେଥିପ୍ରତି ଗୁରୁତ୍ୱ ନାହିଁ ।
କେବଳ ସେତିକି ନୁହେଁ, ନିର୍ବାଚନ ପୂର୍ବରୁ କାହାର ଛୁଆ କାଖଉଥିଲେ ତ କାହା ଘରେ ବସି ଗପୁଥିଲେ । ବୟସ୍କଙ୍କ ସହ କଥା ହୋଇ ସମସ୍ୟା ବୁଝୁଥିଲେ । ହେଲେ ନିର୍ବାଚନ ଜିତିବା ପରେ ଆଉ ଲୋକଙ୍କ ପାଖରେ ତାଙ୍କୁ କାଳେ ଦେଖିବାକୁ ମିଳୁନାହିଁ । ନା ବ୍ରହ୍ମଗିରି ଲୋକେ ଦରକାର ନା ବିଜେପି ସମର୍ଥକମାନେ ଦରକାର । ଏବେ ତାଙ୍କ ଲୁଲୁ ସେନା ହିଁ ବ୍ରହ୍ମଗିରିରେ କାଳେ ସର୍ବେସର୍ବା । ସେମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଉପାସନା ବି ତାଙ୍କରି ପରାମର୍ଶରେ କାମ କରୁଥିବା କୁହାଯାଉଛି । ଏହା କରି ସେ କାଳେ ତାଙ୍କ ବାପାଙ୍କ ସଂଗଠନକୁ ପ୍ରାଧାନ୍ୟ ଦେଇ ବିଜେପିକୁ ତଳକୁ ଠେଲୁଛନ୍ତି ।
ଉପାସନାଙ୍କର ଏହି କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ବଢ଼ିଲାଣି । ବିଜେପି ସରକାରରେ ଲୁଲୁ ଗୋଷ୍ଠୀ ବା ଉପାସନାଙ୍କ ସ୍ୱତନ୍ତ୍ର ଗୋଷ୍ଠୀଙ୍କ ପ୍ରଭାବ ବିଜେପିର ପୁରୁଣା କର୍ମକର୍ତ୍ତା, ସଂଗଠକ ମାନଙ୍କୁ ପ୍ରଭାବିତ କରୁଛି । ମାତ୍ର ଉପାସନା ବିଧାୟିକା ବୋଲି ସମସ୍ତେ ନୀରବ ରହୁଛନ୍ତି । ନିର୍ବାଚନର ୬ମାସ ମଧ୍ୟରେ ଉପାସନାଙ୍କ ଉପରୁ ଲୋକେ ଭରସା ହରାଇଥିବା କହୁଛନ୍ତି । ଏମିତି ଚାଲିଲେ, ବିଜେପି ବ୍ରହ୍ମଗିରିରେ ତାର ସଂଗଠନ ସୁଦୃଢ଼ କରିବ କ’ଣ ଦୁର୍ବଳ ହେବ । ଉପାସନାଙ୍କ ପୂର୍ବରୁ ତାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମୟରେ ବି ବିଜେପି ଦୁର୍ବଳ ହେଉଥିଲା । ଆରଏସଏସ କୌଣସି ପ୍ରକାର ସ୍ଥିତିକୁ ସମ୍ଭାଳି ରଖିଥିଲା । ଏବେ ଏମପି ସମ୍ବିତ ପାତ୍ରଙ୍କ ପ୍ରୋତ୍ସାହନ ଯୋଗୁ ଉପାସନା କାଳେ ଲୋକଙ୍କୁ ଭୁଲିବା ଆରମ୍ଭ କରିଛନ୍ତି ।
ଉପସାନାଙ୍କ ବାପା ସ୍ୱର୍ଗତ ଲୁଲୁ ମହାପାତ୍ର ବ୍ରହ୍ମଗିରି ବାସୀଙ୍କ ପାଇଁ ବେଶ ତତ୍ପର ଥିଲେ । ବକ୍ସିଙ୍କ ପରିବାରର ଦାୟଦ ଭାବେ ଲୁଲୁ ସର୍ବଦା ଲୋକଙ୍କୁ ପ୍ରାଧାନ୍ୟ ଦେଉଥିଲେ । ମାତ୍ର ଏବେ ଉପାସନାଙ୍କ କାମ କାଳେ ଲୁଲୁ ଆଭିମୁଖ୍ୟକୁ ବିରୋଧ କରୁଥିବା କୁହାଯାଉଛି । ଦେଖାଯାଉ ଉପାସନା ବିଜେପିକୁ ସୁଦୃଢ଼ କରୁଛନ୍ତି ନା ନିଜ କ୍ୟାମ୍ପକୁ ବଳ ଦେଇ ଆଗକୁ ପତିଆରା ବଢ଼ାଉଛନ୍ତି ।
State
ଦ କୁଇଭର ବ୍ୟୁରୋ :- ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ତଳମୁହାଁ ରାତି ତାପମାତ୍ରା । ୫ ଡିଗ୍ରୀ ଯାଏଁ ବିଭିନ୍ନ ସ୍ଥାନରେ ହ୍ରାସ ପାଇଛି ବା ତଳମୁହାଁ ହୋଇଛି ତାପମାତ୍ରା । ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତର ପ୍ରକୋପ ବଢ଼ୁଥିବାରୁ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି । ଆଗାମୀ ୪ରୁ ୫ ଦିନ ପଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ପାଗ ମୁଖ୍ୟତ ଶୁଖିଲା ରହିବ । ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ିପାରେ । କୁହୁଡି କିଛି କିଛି ସ୍ଥାନରେ ଦେଖା ଯିବାର ସମ୍ଭାବନା ରହିଛି । ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ବଢିବାର ସମ୍ଭାବନା ରହିଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ସର୍ବନିମ୍ନ ୭.୪ ତାପମାତ୍ରା ରେକର୍ଡ ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ତାପପାତ୍ରା ୩୧.୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୭ ରହିଥିବା ବେଳେ ସର୍ବାଧିକ ତାମମାତ୍ରା ୩୦.୦ ଡିଗ୍ରୀ ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରୀ ହୋଇଥିବା ବେଳେ ସର୍ବାଧିକ ତାମମାତ୍ରା ୨୭.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗିବାଡିରେ ୧୧.୦, କୋରାପୁଟ ୧୧.୫ ଓ ଭବାନୀପାଟଣାରେ ୧୨.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି l
National
ମାଲକାନଗିରି(ଦ କୁଇଭର): ପୋଲାଭରମ ପ୍ରକଳ୍ପକୁ ନେଇ ବେଶ ଉତ୍ସାହୀ ଆନ୍ଧ୍ର । ଉଭୟ ଆନ୍ଧ୍ର ସରକାର ଓ ଜନତା ଏଥିରୁ ପର୍ଯ୍ୟାପ୍ତ ଲାଭ ପାଇବେ ବୋଲି ଖୁସି ହେଉଛନ୍ତି । ହେଲେ ଆନ୍ଧ୍ର ଖୁସିରେ ବଳି ପଡ଼ିଯାଉଛି ଓଡ଼ିଆଙ୍କ ଜୀବନ ଜୀବିକା । ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶାର ୭୩ଖଣ୍ଡ ଗାଁରେ ବିନାଶ ଆସିବା ନିଶ୍ଚିତ । ଏକଥା ଓଡ଼ିଶାର ସବୁ ଦଳର ନେତା ଜାଣନ୍ତି । ତଥାପି ଗରିବ ଆଦିବାସୀଙ୍କ ପାଇଁ ଦରଦ ନାହିଁ । ନା କେହି ପ୍ରଭାବିତ ଗାଁ କଥା ମନେ ପକାଉଛନ୍ତି ନା ପ୍ରତିକାର ପାଇଁ ଚିନ୍ତା କରୁଛନ୍ତି । ନବୀନ ୨୪ବର୍ଷ ଧରି କେବଳ ରାଜନୈତିକ ସୁବିଧା ପାଇଁ ବିରୋଧ ଓ ନୀରବ ରହି ଚାଲିଗଲେ । ଏବେ ମୋହନ ସରକାର ବି ନୀରବ ଅଛନ୍ତି । ଫଳରେ ଆନ୍ଧ୍ର ଉତ୍ସବ ପାଳନ କରୁଛି ଓ ଓଡ଼ିଆ କାନ୍ଧୁଛି ।
ଗୋଦାବରୀ ନଦୀ ଉପରେ ଆନ୍ଧ୍ର ନିର୍ମାଣ କରୁଛି ପୋଲାଭରମ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଗରିବ ଆଦିବାସୀଙ୍କର ବ୍ୟାପକ କ୍ଷତି ହେଉଛି । ଅନେକ ଘରଦ୍ୱାର, ଚାଷ ଜମି ବୁଡ଼ିବା ଥୟ । ଏକଥାକୁ ରାଜ୍ୟ ସରକାର ଜାଣିଛନ୍ତି । ହେଲେ କିଛି କରି ନାହାନ୍ତି । ରାଜ୍ୟରେ ଥିବା ପୂର୍ବତନ ନବୀନ ସରକାରଙ୍କ ନୀରବତା ପାଇଁ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ଜାତୀୟ ପ୍ରକଳ୍ପ ଭାବେ ଅନୁମୋଦନ କରିଦେଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରକଳ୍ପର ପୂରା ଲାଭ କେବଳ ଆନ୍ଧ୍ର ପାଇବାକୁ ଯାଉଛି । ହେଲେ କ୍ଷତି ସହିବ ଓଡ଼ିଶା ।
ଏହି ପ୍ରକଳ୍ପକୁ ନେଇ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡ଼ୁ ବେଶ ଉତ୍ସାହୀ । ଏହି ପ୍ରକଳ୍ପ ଦ୍ୱାରା ଆନ୍ଧ୍ରର ପ୍ରାୟ ସାଢ଼େ ୪ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହେବ । ଏହାବ୍ୟତୀତ ଜଳବିଦୁ୍ୟତ ଉତ୍ପାଦନ ଦ୍ୱାରା ରାଜ୍ୟର ବିଜୁଳୀ ଚାହିଦା ବି ପୂରଣ ହେବ । ଏହି ପ୍ରକଳ୍ପ ଆନ୍ଧ୍ର ବିକାଶର ଚାବିକାଟି ବୋଲି କହିଛନ୍ତି ନାୟିଡ଼ୁ । ଏପରି ପ୍ରକଳ୍ପକୁ ନେଇ ପୂରା ଆନ୍ଧ୍ର ଏବେ ଖୁସି ଅଛି । ସମସ୍ତ ରାଜନୈତିକ ଦଳ ବି ବେଶ ଉତ୍ସାହି । ହେଲେ ଓଡ଼ିଶାର କ୍ଷତି କଥା କେହି ଉଠାଉ ନାହାନ୍ତି ।
କିଛିଦିନ ପୂର୍ବେ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ଭାବେ ଯାଇ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ସମ୍ଭାବ୍ୟ କ୍ଷତିର ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ । ବିଜେଡି ତ ଏତେ ଅଲାଜୁକ ହୋଇଯାଇଥିଲା ଯେ, ୨୪ବର୍ଷ ଧରି ଶାସନ କରିଥିବା ନବୀନଙ୍କୁ ନେଇ ସମ୍ଭାବ୍ୟ କ୍ଷତିର ରିପୋର୍ଟ ପ୍ରଦାନ କରିଥିଲା । କଂଗ୍ରେସ ବି ରିପୋର୍ଟ ପ୍ରସ୍ତୁତ କରି ରଖିଛି । ହେଲେ ଏହି ପ୍ରସଙ୍ଗରେ କିଛି ବି ଆଉ ଆଗଉନାହିଁ । ଆନ୍ଧର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ମାଲକାନଗିରିରେ ଅନେକ ଗାଁ ପାଣିରେ ବୁଡ଼ିଯିବ । ପ୍ରତି ମୁହୂର୍ତ୍ତରେ ବିପଦ ଓଡ଼ିଶା ଉପରେ ରହିବ । ହେଲେ ଲାଭ ପାଇବ ଆନ୍ଧ୍ର । ଏପରି ସ୍ଥିତିରେ ଓଡ଼ିଶାର ସରକାର ଓ ବିରୋଧୀ ନୀରବ ରହିବା ଅତ୍ୟନ୍ତ ଚିନ୍ତାଜନକ ହୋଇ ପଡ଼ିଛି । ଦେଖାଯାଉ ଲୋକଙ୍କ ସରକାର କହୁଥିବା ମୋହନ ସରକାର ଏଦିଗରେ କିଛି କରୁଛନ୍ତି ନା ବିରୋଧୀ ଥିବା ବିଜେଡି ଓ କଂଗ୍ରେସ କିଛି ପଦକ୍ଷେପ ନେଉଛନ୍ତି?
Education
ଦ କୁଇଭର ବ୍ୟୁରୋ :- ଆସିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ତାରିଖ । ଫେବ୍ରୁଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରଖ ଯାଏଁ ଚାଲିବ ଦଶମ ପରୀକ୍ଷା । ସେହିଭଳି ଫେବ୍ରୁଆରୀ ୧୫ରୁ ଅପ୍ରେଲ ୪ ତାରିଖ ଯାଏଁ ଚାଲିବ ଦ୍ୱାଦଶ ପରୀକ୍ଷା । ଏହା ପୂର୍ବରୁ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାଦଶ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇ ସାରିଛି । ଫେବ୍ରୁଆରି ୧୮ ତାରିଖରୁ ବିଜ୍ଞାନ ଛାତ୍ରଙ୍କ ପରୀକ୍ଷା ଆରମ୍ଭ ହେବ । ଫେବ୍ରୁଆରି ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ପରୀକ୍ଷା ଆରମ୍ଭ । ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଥିଓରୀ ପରୀକ୍ଷା । ଜାନୁଆରି ୨ରୁ ୧୨ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା ।
Politics,State
ଯାଜପୁର( ଦ କୁଇଭର ):- ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣା ସ୍ଥଳରେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ତେବେ ଏହି ଆକ୍ରମଣ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ କରିଥିବା ନିଜେ ବିଧାୟକ ଶ୍ରୀ ସାହୁ କହିଛନ୍ତି । ଘଟଣା ସମ୍ପର୍କରେ ବିଧାୟକ ହିମାଂଶୁ ସାହୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।
ଆକ୍ରମଣ ସଂପର୍କରେ ଗଣାମାଧ୍ୟମକୁ ଶ୍ରୀ ସାହୁଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ବିରଜା ହାଟ ଖୋଲିବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଧାରଣା ଓ ରାସ୍ତାରୋକ ଚାଲିଥିଲା । ଏହି ସମୟରେ ମୋ ଗାଡ଼ି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହିଥିଲା । ହଠାତ୍ କିଛି ଲୋକ ଠେଙ୍ଗା ଓ ଟେକା ପଥରରେ ମୋ ଉପରେ ଓ ମୋ କାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ଆକ୍ରମଣକାରୀ ମାନେ ବବି ଦାସଙ୍କ ନାଁ ନେଇ ମୋ ଉପରେ ଆକ୍ରମଣ କରିଥିଲେ’।ପିଏସ୍ଓ ଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ । ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ । ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ’ ।
ଯାଜପୁର ମାଇନର ମିନେରାଲ ବିଭାଗର ଡିଡିଏମ୍ ଅଫିସକୁ କାରରେ ଯାଉଥିଲେ ବିଧାୟକ । ଯାଜପୁର ଏସପି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସଂନ୍ଧନ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଏନେଇ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ଘଟଣା ଘଟିବା ସମୟରେ ମୁଁ ସେ ସ୍ଥାନରେ ନଥିଲି । ବିଧାୟକଙ୍କୁ ବବିଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ।’
State
ବଡ଼ବିଲ( ଦ କୁଇଭର ):- ସରକାରଙ୍କ ପକ୍ଷରୁ ଅବୈଧ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର, ବିକ୍ରି ଉପରେ କଟକଣା ରହିଛି। ଏ ସମ୍ପର୍କରେ ବଡବିଲ ପୌର ପାଳିକା ପକ୍ଷରୁ ସହର ମଧ୍ୟରେ ଏହିସବୁ ଜିନିଷ ବ୍ୟବହାର ତଥା ବିକ୍ରି ପାଇଁ ବାରଣ କରିବାକୁ ପୂର୍ବରୁ ପ୍ରଚାର କରା ଯାଇଥିଲା। ମାତ୍ର ଅତ୍ୟାବଧି ବଡବିଲ ସହର ମଧ୍ୟରେ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ଚାଲୁଥିବା ଖବର ପାଇ ବଡବିଲ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ପୌରପାଳିକାର ଟିମ୍ ମଙ୍ଗଳବାର ଅପରାହ୍ନରୁ ବଡବିଲ ସହରର ମାର୍କେଟ ଅଞ୍ଚଳରେ ଥିବା ପ୍ରାୟ ସମସ୍ତ ଦୋକାନ ଗୁଡ଼ିକରେ ଚଢାଉ କରି ବିପୁଳ ପରିମାଣରେ ଅବୈଧ ପଲିଥିନ,ପ୍ଲାଷ୍ଟିକ ଗ୍ଲାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଏହି କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ଚେତାବନୀ ଦିଆଯାଇଛି, ଯଦି ଆଗକୁ କୌଣସି ଦୋକାନୀ, ବ୍ୟବସାୟୀ ବା ଜନ ସାଧାରଣ ଏହି ଅବୈଧ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ବା ବ୍ୟବହାର କରନ୍ତି ହେଲେ ମୋଟା ଅଙ୍କର ଜରିମାନା ଆଦାୟ ସହ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ପୌରପାଳିକା ପକ୍ଷରୁ ଜଣାଇ ଦିଆ ଯାଇଛି।
National,State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଗୋଇଲୁଣ୍ଡିର ଏକ ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ସ୍ୱାମୀ ସାମୀଦମୋନ କୁ କେରଳରୁ ଠାବ କରିଛି ବ୍ରହ୍ମପୁର ପୋଲିସ l ପୂର୍ବରୁ ସାମୀଦମୋନ ଗଞ୍ଜାଇ ଚାଲାଣ ମାମଲାରେ ଗିରଫ ହୋଇ କେରଳର ତ୍ରିସୁର ସ୍ଥିତ ଭିୟୁର ଜେଲରେ ରହିଥିବା ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଜାଣିବାକୁ ପାଇଥିଲା । ଗୋଇଲୁଣ୍ଡିରେ ମହିଳା ଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କେରଳ ଜେଏମଏଫସି କୋର୍ଟରେ ରିମାଣ୍ଡ ଆବେଦନ କରିଥିଲା l କୋର୍ଟ ସାମୀଦମୋନ କୁ ଦୁଇଦିନିଆ ରିମାଣ୍ଡ ନେବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ l ବୈଦ୍ୟନାଥପୁର ଥାନା ପୁଲିସ ଅଭିଯୁକ୍ତ ସାମୀଦମୋନକୁ ରିମାଣ୍ଡରେ ବ୍ରହ୍ମପୁର ଆଣି ପଚରାଉଚରା କରିଛି l ବର୍ତ୍ତମାନ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ସାମିଦମୋନକୁ ଜେରା କରୁଥିଲେ ହେଁ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ କରିପାରିନଥିବା ଜଣାପଡିଛି l ୨୧ ତାରିଖରେ ରିମାଣ୍ଡ ଅବଧି ଶେଷ ହେବା ପରେ ପୋଲିସ ସାମୀଦମୋନ କୁ କେରଳ କୋର୍ଟରେ ହଜାର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି l ରିମାଣ୍ଡ ଅବଧି ଶେଷ ପୂର୍ବରୁ ପୋଲିସ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟକୁ ତାଙ୍କ ସ୍ୱାମୀଙ୍କ ନିକଟରୁ ହାସଲ କରିବ ବୋଲି ବ୍ରହ୍ମପୁର ଏସ ପି ସୂଚନା ପ୍ରଦାନ କରିଛନ୍ତି l ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୧୯ ତାରିଖରୁ କେରଳରୁ ଏହି ଦମ୍ପତ୍ତି ଗୋଇଲୁଣ୍ଡି ର ଏକ ଲଜରେ ରହି ଆସୁଥିଲେ । କ୍ରୀଷ୍ଣାବେଣୀଙ୍କ ସ୍ବାସ୍ଥ୍ୟ ଭଲ ନଥିବା ଯୋଗୁଁ ଚିକିତ୍ସା ନିମନ୍ତେ ବ୍ରହ୍ମପୁରକୁ ଆସିଥିବା ବେଳେ ଗତ ନଭେମ୍ବର ୨୫ତାରିଖ ରାତିରେ ତାଙ୍କ ମୃତଦେହ ସେହି ଲଜର ଏକ ରୁମରୁ ଠାବ କରିଥିଲା ପୋଲିସ । କ୍ରୀଷ୍ଣାବେଣୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ତାଙ୍କ ସ୍ବାମୀ ସାମିଦମୋନ ଫେରାର ରହିଥିବା ଜଣାପଡିଥିଲା ।