ଶିମିଳିପାଳ( ଦ କୁଇଭର ):- ବଦଳିଲା ବାଘୁଣୀର ଠିକଣା। ରାଜ୍ୟ ପରେ ରାଜ୍ୟ ଡେଇଁ ମୟୂରଭଞ୍ଜରେ ପହଂଚିଛି ମହାରାଷ୍ଟ୍ରର ବାଘୁଣୀ ଯମୁନା। ମହାବଳ ବଂଶବୃଦ୍ଧି ପାଇଁ ଶିମିଳିପାଳ ଜଙ୍ଗଲ ଭିତରକୁ ଯାଇଛି ବାଘୁଣୀ ବନ୍ୟପ୍ରାଣୀ ବିଭାଗ ଆଶା ରଖିଛି, ଓଡ଼ିଶା ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇପାରେ ଯମୁନା। ଯନ୍ତା ଖୋଲିଲା ମାତ୍ରେ ବାଘୁଣୀ ମୁହଁ କାଢି ଚାରିଆଡେ ଜଙ୍ଗଲକୁ ଦେଖିଲା ଗର୍ଜନ କଲା। ଆଉ ଡିଆଁମାରି ଶିମିଳିପାଳର କୋର ଏରିଆକୁ ଚାଲିଗଲା । ମହାରାଷ୍ଟ୍ରରୁ ୯୦୦ କିଲୋମିଟର ଦୂରତା ଅତିକ୍ରମ କରି ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା । ଏତେ ଦୂରରୁ ଆସିଥିବାରୁ ସେ ଏନକ୍ଲୋଜରରେ ବିଶ୍ରାମ ନେଇଥିଲା । ଯମୁନାର ସ୍ୱାସ୍ଥ୍ୟ ଉପରେ ବନବିଭାଗ ନଜର ରଖିଥଲା । ୨୦୨୩ର ବାଘ ଗଣନା ଅନୁସାରେ ଶିମିଳିପାଳରେ ମୋଟ ୩୯ ମହାବଳ ବାଘ ଅଛନ୍ତି ।ଏଥିମଧ୍ୟରୁ ୫୦ ପ୍ରତିଶତ କେବଳ କଳାବାଘ ଏହି ପ୍ରଜାତିର ମହାବଳଙ୍କ ରୋଗ ପ୍ରତିଷେଧକ ଶକ୍ତି କମ୍ ଏମାନେ ବେଶୀବର୍ଷ ବଞ୍ଚିବା ସମ୍ଭାବନା କମ୍ ଭବିଷ୍ୟତରେ ଶିମିଳିପାଳରେ କଳାବାଘର ପ୍ରଜାତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦୁଇଟି ବାଘୁଣୀ ଆଣିବାକୁ ସ୍ଥିର ହୋଇଛି । ତେଣୁ ବାଘ ସଂଖ୍ୟା ବୃଦ୍ଧି ସହିତ ବାଘର ପ୍ରଜାତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଇଛା ପ୍ରକାଶ କରିଥିଲା ବନବିଭାଗ। ଏନଟିସିଏର ଅନୁମତି ଓ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ଏକ ସ୍ବତନ୍ତ୍ର ଟିମ ମହାରାଷ୍ଟ୍ର ଯାଇଥିଲା । ଆଉ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରୁ ଏକ ମାଈ ମହାବଳ ବାଘ ଯମୁନା ଶିମିଳିପାଳ ଆସିଛି। ଯମୁନାକୁ ନେଇ ବେଶ ଆଶାବାଦୀ ଅଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଏବେ ଆଉ ଏକ ଟିମ ମହାରାଷ୍ଟ୍ରରେ ଅଛି । ଆଉ ଏକ ମାଈ ମହାବଳକୁ ଧରି ଟିମ୍ ଖୁବଶୀଘ୍ର ଓଡିଶା ଆସିବେ ବୋଲି ଜଣାପଡିଛି ।
No comments yet.
National
ନୂଆଦିଲ୍ଲୀ(ଦ କୁଇଭର): ଦେଶର ଶକ୍ତିଶାଳୀ ନେତା ଭାବେ ଏବେ ବି ଛିଡ଼ା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶିତ ପାୱାରଫୁଲ ଲିଷ୍ଟ ଅପ ୨୦୨୪ରେ ସବୁଠୁ ଶୀର୍ଷରେ ରହିଛନ୍ତି ମୋଦି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେ କେବଳ ଶକ୍ତିଶାଳୀ ନୁହନ୍ତି, ପ୍ରଭାବୀ ମଧ୍ୟ । ତାଙ୍କ ପଛରେ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ତିନିଜଣଙ୍କୁ ବାଦ ଦେଲେ ଦେଶର ଚତୁର୍ଥ ଶକ୍ତିଶାଳୀ ବା ପ୍ରଭାବଶାଳୀ ନେତା ହେଉଛନ୍ତି ରାହୁଲ ଗାନ୍ଧି । ତାଙ୍କର ପ୍ରଭାବ ଗତ ୧ବର୍ଷରେ ବେଶ ବଢ଼ିଥିବା ସର୍ଭେ ଦର୍ଶାଇଛି ।
ରାଜନୈତିକ ବର୍ଗରେ ୧୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଏଥର ଓଡ଼ିଶାରୁ କେହି ନାହାନ୍ତି । ଚତୁର୍ଥ ସ୍ଥାନରେ ରାହୁଲ ରହିଥିବା ବେଳେ ୫ମ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡ଼ୁ ରହିଛନ୍ତି । ଏଥର କେନ୍ଦ୍ର ସରକାର ଗଠନରେ ତାଙ୍କର ପ୍ରଭାବ ଯଥେଷ୍ଟ ରହିଛି । ସ୍ୱର୍ଗତ ବାଜପେୟୀଙ୍କ ସରକାର ପରେ ପୁଣି ଥରେ ଚନ୍ଦ୍ରବାବୁ ପ୍ରଭାବଶାଳୀ ହୋଇ ପଡ଼ିଛନ୍ତି । ତାଙ୍କ ପରେ ପ୍ରଭାବଶାଳୀ ରାଜନେତା ତାଲିକାରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ଏନଡିଏ ସରକାର ଗଠନରେ ତାଙ୍କର ଭୂମିକା ହିଁ ତାଙ୍କ ଗୁରୁତ୍ୱକୁ ଏଥର ଜାତୀୟ ରାଜନୀତିରେ ବଢ଼ାଇଛି । ନିତୀଶଙ୍କ ପରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ତାଙ୍କର ପ୍ରଭାବ ଟିକେ କମିବା ଭଳି ଲାଗୁଛି ।
ଯୋଗୀଙ୍କ ପରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନାମ ପ୍ରଭାବଶାଳୀ ରାଜନେତା ତାଲିକାରେ ରହିଛି । ତାଙ୍କ ଭାଷା ପାଇଁ ତାଙ୍କ ମତ ଉତ୍ତର ଭାରତରେ ପ୍ରଭାବ ପକାଇ ପାରି ନଥାଇ ପାରେ । ମାତ୍ର ତାମିଲନାଡ଼ୁ ଓ ଆଖପାଖରେ ତାଙ୍କର ଦବଦବା ବଢ଼ୁଛି । ଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କ ସ୍ୱର ପହଞ୍ଚି ଯାଉଛି । ତାମିଲନାଡ଼ୁରେ ତାଙ୍କର କ୍ଲିନ ସୁଇପ ହିଁ ତାଙ୍କୁ ପ୍ରଭାବଶାଳୀ ତାଲିକାରେ ରଖିଛି । ଷ୍ଟାଲିନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିର ସମସ୍ତ ଉଦ୍ୟମ ସତ୍ତ୍ୱେ ଲୋକସଭା ନିର୍ବାଚନରେ ମମତାଙ୍କ ବାଜିମାତ ତାଙ୍କ ପ୍ରଭାବକୁ ସ୍ପଷ୍ଟ କରୁଛି । ତାଲିକାରେ ଶେଷରେ ରହିଛନ୍ତି ଉତ୍ତରପ୍ରଦେଶ ଯୁବ ନେତା ଅଖିଲେଶ ଯାଦବ । ଯାହା ବିଜେପି ପାଇଁ ବଡ଼ ଚେତାବନୀ ହେଉଥିବା କୁହାଯାଉଛି ।
State
ରାଜନଗର(ଦ କୁଇଭର): ଗହୀରମଥା ଓ ଭିତର କନିକା ଅଞ୍ଚଳରେ ମାତିଛନ୍ତି ବାଂଲାଦେଶୀ ମତ୍ସ୍ୟଜୀବୀ । ଓଡ଼ିଶାରେ ଜୋର ଜବରଦସ୍ତ ରହୁଛନ୍ତି, ନିଷିଦ୍ଧାଞ୍ଚଳରେ ମାଛ ଧରୁଛନ୍ତି । ବିରୋଧ କଲେ କରୁଛନ୍ତି ଗୁଣ୍ଡାଗିରି । ଘରେ ପଶି ଉଠାଇ ନେଉଛନ୍ତି । ମାଡ଼ ମାରିବା ସହ କୁମ୍ଭୀର ମୁହଁରେ ପକାଇ ଦେବାକୁ ଉଦ୍ୟମ କରୁଛନ୍ତି । ତାଳଚୁଆରେ ଏପରି ଏକ ସ୍ଥିତି ଏବେ ଚର୍ଚ୍ଚାର ବିଷୟ ହୋଇଛି । କେବଳ ବିରୋଧୀ ନୁହନ୍ତି, ବନ ବିଭାଗର ଅଧିକାରୀମାନେ ଯଦି ସେମାନଙ୍କ ବେଆଇନ ମାଛଧରା ଉପରେ ଆପତ୍ତି ଉଠାଉଛନ୍ତି, ସମୁଦ୍ରରେ ହାତଗୋଡ଼ ବାନ୍ଧି ପକାଇ ଦେବାକୁ ଧମକ ଦେଉଛନ୍ତି । ପୋଲିସକୁ ବଟି ଦେଇ ଚଳାଇଛନ୍ତି ଓଡ଼ିଶା ପ୍ରକୃତିକ ସମ୍ପଦର ଲୁଟପାଟ । ଓଡ଼ିଶାରେ ବାଂଲାଦେଶୀଙ୍କ ଏହି ଆତଙ୍କରାଜରେ ଓଡ଼ିଆଙ୍କ ନୀରବତା ଯେତିକି ଚିନ୍ତାଜନକ ତାହାଠୁ ଗମ୍ଭୀର ପ୍ରଶାସନର ବେପରୁଆଭାବ ।
ଗହୀରମଥା ନିଷିଦ୍ଧାଞ୍ଚଳ ଏବଂ ଭିତର କନିକା ଅଭୟାରଣ୍ୟ ଭିତରେ ବେଆଇନ ଭାବେ ମାଛ ଧରୁଛନ୍ତି ବାଂଲାଦେଶୀ ମତ୍ସ୍ୟଜୀବୀ ମାନେ । ଆଲିମ ଜାଲ ପକାଇ ଯାଁଳ ପର୍ଯ୍ୟନ୍ତ ଛାଣି ନେଉଛନ୍ତି । ଫଳରେ ଭିତର କନିକା ଅଭୟାରଣ୍ୟ ଭିତରକୁ ମାଛ ପଶି ପାରୁ ନାହାନ୍ତି । ଯାହାଦ୍ୱାରା ମାଛ ହ୍ରାସ ପାଉଛନ୍ତି । ନିଷିଦ୍ଧାଞ୍ଚଳରେ ମାଛ ମାରିବା ଉପରେ କଟକଣା ରହିଛି । ମାତ୍ର ସେମାନେ ଜୋର ଜବରଦସ୍ତ ମାଛ ଧରୁଛନ୍ତି । ଏଥିରେ ଶହଶହ ଅଲିଭରିଡଲେ କଇଁଚ ଜାଲରେ ପଡ଼ୁଛନ୍ତି । ସେମାନଙ୍କୁ ମାରି ଫିଙ୍ଗି ଦିଆଯାଉଛି । ବାଂଲାଦେଶରୁ ଆସି ଭିତର କନିକାରେ ଅବୈଧ ବାସ କରୁଥିବା ଏହି ମତ୍ସ୍ୟଜୀବୀ ମାନେ ପୋଲିସ ଏବଂ ସ୍ଥାନୀୟ ନେତା ମାନଙ୍କୁ ହାତ କରି ଏପରି ଲୁଟପାଟ ଚଳାଇଛନ୍ତି ।
ନେତାଙ୍କୁ ଭୋଟ ଲୋଭ, ଆଉ ପୋଲିସକୁ କାଳେ ଟଙ୍କା ଦେଇ ଚଳାଇଛନ୍ତି ତାଙ୍କ ଆତଙ୍କରାଜ । ବନ ବିଭାଗର ଅଧିକାରୀମାନେ ବାରଣ କଲେ ବା ବୋଟ ଜବତ କରିବାକୁ ଲାଗିଲେ, ଦେଉଛନ୍ତି ଧମକ । ହାତଗୋଡ଼ ବାନ୍ଧି ସମୁଦ୍ରରେ ପକାଇ ଦେବାକୁ ସମୁଦ୍ର ମଝିରେ ଦେଉଛନ୍ତି ଧମକ । ସେଥିପାଇଁ ସେମାନେ ବି ଭୟରେ କିଛି କହୁ ନାହାନ୍ତି । ଫଳରେ ବାଂଲାଦେଶୀ ମତ୍ସ୍ୟଜୀବୀମାନେ ବିଶ୍ୱ ପରିବେଶକୁ ଧ୍ୱଂସ କରିବା ସହ ଭିତର କନିକା ଏବଂ ବିଭିନ୍ନ ନଦୀକୁ ପଶୁଥିବା ମାଛ ବଂଶକୁ ଲୋପ କରିବାରେ ଲାଗିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକ ମୁହଁ ଖୋଲିଲେ ଆକ୍ରମଣ କରୁଛନ୍ତି । ତାଳଚୁଆର ସର୍ବେଶ୍ୱର ପ୍ରଧାନ ନାମକ ଜଣେ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ରବିବାର ରାତିରେ ତାଙ୍କୁ ଧମକ ଦେଇଥିଲେ । ସୋମବାର ମଧ୍ୟାହ୍ନରେ ୨୦/୨୫ଜଣ ବାଂଲାଦେଶୀ ଓ ସେମାନଙ୍କ ସହଯୋଗୀ ସର୍ବେଶ୍ୱରଙ୍କ ଘରେ ପଶି ଆତଙ୍କରାଜ ସୃଷ୍ଟି କରିଥିଲେ । ତାଙ୍କୁ ଉଠାଇ ନେଇ କୁମ୍ଭୀର ମୁହଁରେ ପକାଇ ଦେବାକୁ ଉଦ୍ୟମ କରୁଥିଲେ । ତାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଏକ କୁମ୍ଭୀରିଆ ନଦୀ କୂଳରୁ ଉଦ୍ଧାର କରିଥିଲା । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତାଳଚୁଆ ଓ ପରେ ରାଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଂଲାଦେଶୀଙ୍କ ଏହି ଦାଦାଗିରି ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ଦେଖାଯାଉ ଏମାନଙ୍କ ଦୌରାତ୍ମ୍ୟକୁ ପ୍ରଶାସନ ରୋକି ପାରୁଛି ନା ଏମାନେ ବିଶ୍ୱ ପରିବେଶ ସହ ଓଡ଼ିଶାକୁ ବରବାଦ କରିବାରେ ସକ୍ଷମ ହେଉଛନ୍ତି?
State
ଗୋପାଳପୁର ( ଦ କୁଇଭର ):- ବାଲୁଗାଁରୁ ଗୋପାଳପୁର ବେଳାଭୂମୀ ବୁଲିବାକୁ ଯାଇଥିଲେ ଯୁବକ l ଗୋପାଳପୁର ପ୍ରବେଶ ଦ୍ଵାରରେ ଗାଡ଼ି କାଗଜପତ୍ର ଓ ହେଲମେଟ ଯାଞ୍ଚ ଚାଲିଥିଲା। ସେତିକିବେଳେ ପୋଲିସକୁ ଡରି ଜଣେ ଯୁବକ ଗାଡ଼ି ବୁଲାଇ ଅନ୍ୟ ରାସ୍ତାରେ ଚାଲିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ କର୍ତ୍ତବ୍ୟରତ ସିପାହୀ ତାଙ୍କ ଉପରକୁ ଲାଠି ବାଡି ଫୋପାଡି ଦେଇଥିଲେ। ଯାହା ଫଳରେ ଦିବ୍ୟାଙ୍ଗ ଯୁବକଙ୍କ ମୁଣ୍ଡରେ ବାଜି ଯାଇଥିଲା ଓ ସେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ କଚାଡି ପଡ଼ିଯାଇଥିଲେ।
ପୋଲିସ ତତକ୍ଷଣାତ୍ ୧୦୮ ଆମ୍ବୁଲାନ୍ସ ଡ଼କାଇ ଚିକିତ୍ସା ନିମନ୍ତେ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ। ସୁଚନା ଅନୁଯାୟୀ ଗୁରୁତର ଯୁବକ ୱାଗେନ୍ ସିକିମ ରାଜ୍ୟର ମୁଳ ବାସିନ୍ଦା ଓ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏକ ଦୋକାନ କରିଛନ୍ତି। ପୁର୍ବରୁ କୌଣସି ଆଘାତ ପାଇ ତାଙ୍କର ବାମ ଗୋଡ କଟି ଯାଇଥିବାରୁ ସେ କୃତ୍ରିମ ଗୋଡ଼ ଲଗାଇଛନ୍ତି।ଗତକାଲି ସନ୍ଧ୍ୟାରେ କିଛି ବନ୍ଧୁ ମାନଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସି ଏହି ଭଳି ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡିଛି। ପୋଲିସ ମାଡରେ ଗୁରୁତର ୱାଗେନ୍ ଙ୍କ ଅବସ୍ଥା ଏହି ଭଳି ହୋଇଛି ବୋଲି ପରିବାର ଓ ଅଞ୍ଚଳର କିଛି ଲୋକ କହିଛନ୍ତି।
Politics
ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରକୁ ବରବାଦ କରିଦେବେ । ଧାନ କ୍ଷେତରୁ ଜଳାଶୟ, ଭାତ ହାଣ୍ଡିରୁ ଦେଇପିଣ୍ଡି ସବୁଠି ଭରି ଯାଉଛି ପାଉଁଶ ଆଉ ପାଉଁଶ । ରାସ୍ତାରେ ଉଡ଼ୁଛି, ନିଶ୍ୱାସରେ ଦେହକୁ ଯାଉଛି । ପୂରା ବ୍ରଜରାଜନଗରକୁ ବରବାଦ କରିଦେଲାଣି ବେଦାନ୍ତ କମ୍ପାନୀର ପାଉଁଶ । ଏହି ପାଉଁଶ ଢ଼ାଳିବାକୁ କାଳେ ସ୍ଥାନୀୟ ବିଧାୟକ ବା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ହୋଇଛି ବଡ଼ ଡିଲ । ୪ଲକ୍ଷ ଲୋକଙ୍କ ଜୀବନକୁ ବିପନ୍ନ କରିବା ପାଇଁ ସୁରେଶ ତାଙ୍କ ଇମାନକୁ ୧୦୦କୋଟିରେ ବିକିଛନ୍ତି । ୫ବର୍ଷ ପାଇଁ ଏହି ରେଟ ଛିଣ୍ଡିଥିବା କୁହାଯାଉଛି । କମ୍ପାନୀକୁ ସମର୍ଥନ କରିବା ପାଇଁ ଏତେବଡ଼ କାରବାର କରାଯାଇଥିବା କୁହାଯାଉଛି । କାଳେ ସୁରେଶଙ୍କ ଡିଲ ପରେ ସେ ସହମତ ହେବାରୁ ବେଦାନ୍ତର ପାଉଁଶ ବ୍ରଜରାଜନଗରରେ ପଡ଼ୁଛି ।
ବେଦାନ୍ତର ଫ୍ଲାଏ ଆସ ବା ପାଉଁଶ ବେଦାନ୍ତ ପାଇଁ ବୋଝ ହେଲାଣି । ବେଦାନ୍ତର ନିଜସ୍ୱ ଆସପଣ୍ଡରେ ପାଉଁଶ ରଖିବାକୁ ସ୍ଥାନ ନାହିଁ । ବାରମ୍ବାର ପଣ୍ଡ ଭାଙ୍ଗି ଆଖପାଖ ଅଞ୍ଚଳକୁ ନାରଖାର କରୁଛି । ପୂର୍ବରୁ ଝାରସୁଗୁଡ଼ାରେ ପାଉଁଶ ପକାଉଥିଲା ବେଦାନ୍ତ । ପାଉଁଶ ପକାଇବା କାମ କରୁଥିଲା କଲ୍ୟାଣୀ ଟ୍ରାନ୍ସପୋର୍ଟ । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ସହ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ସହ କାଳେ ଡିଲ ଥିବାରୁ ଝାରସୁଗୁଡ଼ାକୁ ବରବାଦ କରାଯାଉଥିଲା । ଏପରିକି ପରେ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ସହ ବି ସେହି ଡିଲ ହୋଇ ଚାଲିଲା । ସେତେବେଳେ ସମୟରେ ବିରୋଧୀ ଦଳରେ ଥିବା ବର୍ତ୍ତମାନର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବି ବେଦାନ୍ତ ସହ ଡିଲ କରି ତୁଣ୍ଡି ବାନ୍ଧିଥିଲେ । ଏବେ ବିଧାୟକ ହେବା ପରେ ସେ ଉଁ ଚୁଁ କରିଛନ୍ତି । ତେଣୁ ଝାରସୁଗୁଡ଼ାରେ ପାଉଁଶ ଫିଙ୍ଗା ବନ୍ଦ କରିଛି କମ୍ପାନୀ ।
ତେଣୁ କଲ୍ୟାଣି ଟ୍ରାନ୍ସପୋର୍ଟ ବ୍ରଜରାଜନଗର ଉପରେ ପକାଇଛି କୁଦୃଷ୍ଟି । ସେଠାରେ ପାଉଁଶ ଗଦା କରିବାକୁ ଯୋଜନା କରିଛି । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ହେଲେ କମ୍ପାନୀ କାଳେ ଡିଲ କରିଛି ସେଠାକାର ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ । ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ କମ୍ପାନୀ ବ୍ରଜରାଜନଗରରେ ପାଉଁଶ ପକାଇବ । ସେଥିପାଇଁ ୧୦୦କୋଟି ଟଙ୍କାର ଡିଲ କରିଛି । ଡିଲ ପରେ ବ୍ରଜରାଜନଗରରେ ପଡ଼ୁଛି ପାଉଁଶ । ନାରଖାର ହେଉଛି ଲୋକଙ୍କ ଜମି ଜମା । ଘରେ ବି ପାଉଁଶ ପଶୁଛି । ଗଛ ଲତା ହେଉ କି ରାସ୍ତା ଘାଟ ସବୁଠି ପାଉଁଶ ଭରି ଯାଉଛି । ଲୋକେ ନିଶ୍ୱାସରେ ନେଉଛନ୍ତି ବିଷ ।
ନେତାଙ୍କୁ ଟଙ୍କା ଦେଇ କମ୍ପାନୀ ବ୍ରଜରାଜନଗର ଅଞ୍ଚଳରେ ବିଷ ଭରି ଚାଲିଛି । ଏହାକୁ ବିରୋଧ କଲେ ବି କେହି ଶୁଣିବାର ନାହିଁ । ଏପରି କାର୍ଯ୍ୟକୁ ନେଇ ଏବେ ତାତିଲେଣି ଲୋକେ । ପରିବେଶ ସହ କମ୍ପାନୀର ଏହି ଖେଳ ସମ୍ପର୍କରେ ଲଗାତର ଖବର ପ୍ରକାଶ କରିବ ଦ କୁଇଭର । ଦେଖାଇବ ନେତା ଓ କମ୍ପାନୀ ମଧ୍ୟରେ ହୋଇଥିବା ଡିଲ । ପାଉଁଶ ପକାଉଥିବା କଲ୍ୟାଣୀ ଟ୍ରାନ୍ସପୋର୍ଟର ସବୁ ଗୁମର ଖୋଲିବୁ । ଖୋଲିବୁ କେଉଁ କେଉଁ ନେତା ଝାରସୁଗୁଡ଼ା ଜିଲ୍ଲା ସହ କରୁଛନ୍ତି ବିଶ୍ୱାସଘାତ । ପରିବେଶ ପାଇଁ ଦ କୁଇଭର ତାର ଲଢ଼େଇ ଜାରି ରଖିବ ।
National,State
ଦ କୁଇଭର ବ୍ୟୁରୋ :- ଚର୍ଚ୍ଚାରେ ଫିଲ୍ମ 'ସିଙ୍ଘମ ଏଗେନ'। ନଭେମ୍ବର ୧ରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ମାତ୍ର ୩ଦିନ ମଧ୍ୟରେ ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ଏପର୍ଯ୍ୟନ୍ତ ଫିଲ୍ମଟି ୧୨୧କୋଟି ଆୟ କରିସାରିଲାଣି।ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସିଙ୍ଘମ ଏଗେନ' ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅକ୍ଷୟ କୁମାର, କରୀନା କପୁର, ରଣବୀର ସିଂ, ଟାଇଗର ଶ୍ରଫ୍, ସଲମାନ ଖାନ, ଦୀପିକା ପାଦୁକୋନ ଏବଂ ଅର୍ଜୁନ କପୁରଙ୍କ ଭଳି ଅନେକ ବଡ ତାରକା ନଜର ଆସିଛନ୍ତି। ଫିଲ୍ମର ଟିଜର ଓ ଟ୍ରେଲର ଦେଖିବା ପରେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି କୁହାଯାଉଥିବା ବେଳେ ରିଲିଜ୍ ପରେ ତିନି ଦିନ ମଧ୍ୟରେ ଫିଲ୍ମଟି ୧୨୧ କୋଟି ଟଙ୍କା ସଂଗ୍ରହ କରିଛି।'ସିଙ୍ଘମ ଏଗେନ' ରିଲିଜ୍ ଦିନ ୪୩.୫ କୋଟି ଟଙ୍କା ରୋଜଗାର କରିଥିଲା | ହେଲେ ଶନିବାର ଦିନ ଫିଲ୍ମର ଆୟରେ ସାମାନ୍ୟ ହ୍ରାସ ଘଟିଥିଲେ ବି ଫିଲ୍ମଟି ପ୍ରାୟ ୪୨.୫ କୋଟି ଟଙ୍କା ସଂଗ୍ରହ କରିଥିଲା। ତୃତୀୟ ଦିନରେ ଏହି ଫିଲ୍ମଟି ୩୫କୋଟି ଟଙ୍କା ରୋଜଗାର କରି ୧୦୦କୋଟି ଟଙ୍କା ଅତିକ୍ରମ କରିଛି।
Shree Jagannath
ପୁରୀ, ( ଦ କୁଇଭର ):- ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରେ ବସିବ ଚଳିତବର୍ଷର ପଞ୍ଜିକା ସମନ୍ଵୟ ବୈଠକ। ରାଜ୍ୟର ସମସ୍ତ ପଞ୍ଜିକାରମାନଙ୍କୁ ନିଜର ପାଣ୍ଡୁଲିପି ଦାଖଲ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ସମସ୍ତ ପଞ୍ଜିକାରେ ଶ୍ରୀମନ୍ଦିରରେ ପାଳନ ହେଉଥିବା ପର୍ବ ପର୍ବାଣୀ ସମ୍ପର୍କିତ ତଥ୍ୟରେ ସମନ୍ଵୟ ରଖିବାକୁ ଅନୁରୋଧ କରାଯାଇଅଛି । ସମସ୍ତ ପାଣ୍ଡୁଲିପିର ସମୀକ୍ଷା ପରେ ଆବଶ୍ୟକୀୟ ସଂଶୋଧନ କରାଯିବ । ତେବେ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସମୀକରଣ ବୈଠକ କରାଯାଏ । ଅନେକ ସମୟରେ ଦ୍ଵନ୍ଦ ଦେଖାଯିବା ସହ ତିଥିକୁ ନେଇ ବିଭିନ୍ନ ପଞ୍ଜିକାରେ ଦ୍ୱିମତ ରହୁଛି। ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଓ ଦୀପାବଳିକୁ ନେଇ ଭିନ୍ନଭିନ୍ନ ପାଞ୍ଜିରେ ଭିନ୍ନଭିନ୍ନ ତଥ୍ୟ ରହିଥିଲା । ଯାହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଥିଲା । ଲୋକେ ଦୁଇ ଦିନ ଧରି ପାଳନ କରିଛନ୍ତି ।
State
ଝାରସୁଗୁଡ଼ା(ଦ କୁଇଭର): ପରିବେଶକୁ ଧ୍ୱଂସ କରୁଥିବା ଝାରସୁଗୁଡ଼ାର କଲ୍ୟାଣୀ ଟ୍ରାନ୍ସପୋର୍ଟ କାହା କୋଳରେ ବସିଛି? ମୋହନ ସରକାରଙ୍କର କେଉଁ ମନ୍ତ୍ରୀ ତାଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି? କିଏ ଏହି ବେଆଇନ ଟ୍ରାନ୍ସପୋର୍ଟରକୁ ସୁରକ୍ଷା ଦେଇ ଝାରସୁଗୁଡ଼ାବାସୀଙ୍କୁ ବିଷ ଦେଉଛି? ଜିଲ୍ଳାପାଳ ଓ ପ୍ରଦୂଷଣ ବିଭାଗର ଆଞ୍ଚଳିକ ଅଧିକାରୀଙ୍କ ଉପରେ କାହା ଚାପ ପଡ଼ୁଛି? କଲ୍ୟାଣୀ ଟ୍ରାନ୍ସପୋର୍ଟର ବେଆଇନ ପାଉଁଶ ପରିବହନକୁ ନଧରିବାକୁ ଜିଲ୍ଲାପ୍ରଶାସନକୁ କିଏ ଦେଇଛି ଅଲିଖିତ ନିଦେ୍ର୍ଦଶ? ଏସବୁ ପଛରେ ନାହାନ୍ତି ତ ମୋହନଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମୋହନଙ୍କ ପାଖେପାଖେ ରହି ସରକାରରେ ନିଜର ପତିଆରା ଥିବା ଦର୍ଶାଇ ଫାଇଦା ନେବାକୁ ଚାହୁଁ ନାହାନ୍ତି ତ? କଲ୍ୟାଣୀ ଟ୍ରାନ୍ସପୋର୍ଟ ପଛରେ ଥିବା ସ୍ୱର୍ଗତ ନବଦାସଙ୍କ ପରିବାରର ଆୟ ଉତ୍ସକୁ ସୁରକ୍ଷା ଦେଉ ନାହାନ୍ତି ତ? ନିର୍ବାଚନ ବେଳେ ସ୍ୱର୍ଗତ ନବଙ୍କ ପରିବାର କରିଥିବା ପ୍ରଚୁର ସହାୟତାର ଭରଣା କରୁ ନାହାନ୍ତି ତ?
କଲ୍ୟାଣୀ ଟ୍ରାନ୍ସପୋର୍ଟ ସିଧା ସଳଖ ବିଷ ବୁଣୁଛି । ଲୋକଙ୍କୁ ଧିରେ ଧିରେ ମାରୁଛି । ନିଜେ ତ ହଜାର ହଜାର କୋଟିର ମାଲିକ ହେଉଛି, କିନ୍ତୁ ସାଧାରଣ ଜନତାଙ୍କୁ ମାରୁଛି । ଜନତାଙ୍କ ସୁରକ୍ଷା ପାଇଁ ଥିବା ଅଫିସର ଓ ବିଜେପି ସରକାରର ମନ୍ତ୍ରୀମାନେ କାଳେ ଏହି ଟ୍ରାନ୍ସପୋର୍ଟ କମ୍ପାନୀର ଚାମଚା ସାଜିଛନ୍ତି । ଏକଥା ଆମେ ଜୋର କରି ଏଥିପାଇଁ କହୁଛୁ, କମ୍ପାନୀର କନସେଣ୍ଟ ଟୁ ଅପରେଟ ଲାଇସେନ୍ସ ରଦ୍ଦ ହୋଇଯାଇଛି । ତଥାପି ମଙ୍ଗଳବାର କମ୍ପାନୀ ୭୦ ହାଇୱା ପାଉଁଶ ନେଇ ଫିଙ୍ଗିଛି । କନସେଣ୍ଟ ଟୁ ଅପରେଟ ନଥିଲେ ଜିଲ୍ଲା ପ୍ରଶାସନ ଏହାକୁ ଜବତ କରିବା ସହ ଜରିମାନା ଲାଗୁ କରିପାରିଥାନ୍ତା । ଏହାବ୍ୟତୀତ କମ୍ପାନୀକୁ ସିଲ ବି କରିପାରି ଥାନ୍ତା । ମାତ୍ର ତାହା କଲା ନାହିଁ । କାହା ନିଦେ୍ର୍ଦଶରେ ଜିଲ୍ଲାପାଳ ନୀରବ ରହିଲେ?
ଟିକେ ପଛକୁ ଫେରିଯିବା, ଝାରସୁଗୁଡ଼ାର ପ୍ରାୟ ପ୍ରତ୍ୟେକ ଲୋକ ଜାଣନ୍ତି କଲ୍ୟାଣୀ ଟ୍ରାନ୍ସପୋର୍ଟ ପଛରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହାତ ଥିଲା । ଏହାପରେ ତାଙ୍କ ଝି ପୂର୍ବତନ ବିଧାୟିକା ଦୀପାଳୀ ଦାସ ଓ ପୁଅ ବିଶାଲ ଦାସ ଏହାକୁ ପଛରେ ରହି କାଳେ ଚଳାଉଛନ୍ତି । ସ୍ୱର୍ଗତ ନବ ଦାସ ଓ ତାଙ୍କ ପରିବାର ସହ ଏବେକାର ମୋହନ ସରକାରରେ ଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କର କେତେ ନିବିଡ଼ ସମ୍ପର୍କ ତାହା ବି ସମସ୍ତେ ଜାଣନ୍ତି । ଏବେ କଲ୍ୟାଣୀ ଟ୍ରାନ୍ସପୋର୍ଟକୁ ସବୁ ପ୍ରକାର ସୁରକ୍ଷା ମିଳୁଛି । ବିଜେଡି କ୍ଷମତାରେ ଥିବା ବେଳେ ପ୍ରଶାସନିକ ବାବୁମାନେ ସ୍ୱର୍ଗତ ନବ ଦାସଙ୍କ ପରିବାର ପାଖରେ ଗୋଲାମୀ କରୁଥିବା କୁହାଯାଏ । ହେଲେ ଏବେ ବିଜେଡି ନାହିଁ, ତଥାପି କାହା ଚାପରେ ପ୍ରଶାସନ ଏହି ଟ୍ରାନ୍ସପୋର୍ଟ କମ୍ପାନୀକୁ ଏତେ ଅନୁକମ୍ପା ଦେଖାଉଛି । ଏହା ପଛରେ ସୁରେଶଙ୍କ ଚାପ ରହିଛି କି? ନହେଲେ କଲ୍ୟାଣୀ ଟ୍ରାନ୍ସପୋର୍ଟକୁ ଏତେ ସୁରକ୍ଷା ଦେଉଛି କିଏ?
State
କନ୍ଧମାଳ(ଦ କୁଇଭର): ଚାଉଳ ମିଳିନଥିବାରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଲୋକେ ଆମ୍ବ ଟାକୁଆ ଖାଇଲେ । ଏହାଦ୍ୱାରା ଜୀବନ ଗଲା । ମାତ୍ର ଏହାକୁ ମାନୁ ନାହାନ୍ତି ରାଜ୍ୟ ସରକାର । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏପରି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି । କହୁଛନ୍ତି ଚାଉଳ ଦିଆଯାଇଛି । ଆମ୍ବ ଟାକୁଆ ତାଙ୍କ ପାରମ୍ପରିକ ଖାଦ୍ୟ, ସେମାନେ ଖାଇଛନ୍ତି । ହେଲେ ହିତାଧିକାରୀ ବା ସେହି ଅଞ୍ଚଳର ଲୋକଙ୍କ କହିବା କଥା ଚାଉଳ ମିଳିନାହିଁ, ତେଣୁ ଆମ୍ବ ଟାକୁଆ ଆଣି ଚାଉଳ ସହ ଜାଉ କରି ଖାଉଛୁ । ବାସ୍ତବରେ କାରଣ କ’ଣ ତାକୁ ଖୋଜିବେ ଆରଡିସି ରୁପା ରୋସନ ସାହୁ । କିଏ ମିଛ କହୁଛି? ହିତାଧିକାରୀମାନେ ମିଛ କହୁଛନ୍ତି ନା ଯୋଗାଣ ମନ୍ତ୍ରୀ ମିଛୁଆ? ଏହାକୁ ଧରିବେ । ହେଲେ ପାରିବେ ତ ରୁପା?
କନ୍ଧମାଳ ଦାରିଙ୍ଗବାଡ଼ିରେ ଚାଉଳ ନପାଇ ଆମ୍ବ ଟାକୁଆ ଖାଇବା ପରେ ୨ ମହିଳାଙ୍କ ଜୀବନ ଯାଇଛି । ଆହୁରି ୨ଜଣ ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି । ଏହା ସାରା ବିଶ୍ୱରେ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି । ଏହି ଘଟଣାରେ ସରକାରଙ୍କ ଅପାରଗତା ଜଳ ଜଳ ହୋଇ ଦିଶୁଛି । ଲୋକେ ୩ମାସରେ ଥିରେ ଚାଉଳ ପାଆନ୍ତି । ଚାଉଳ ନଥିବାରୁ ଆମ୍ବ ଟାକୁଆ ଜାଉ କରି ସେମାନେ ଖାଇଥିଲେ । ତାହାକୁ ୨/୩ଦିନ ରଖି ଖାଇବାରୁ ଜୀବନ ଯାଇଛି । ଆମ୍ବ ଟାକୁଆ ସେମାନେ କାହିଁକି ଖାଇଲେ ତାହା ଏବେ ବଡ଼ ପ୍ରଶ୍ନ? ଏହାକୁ ଧରିଲେଣି ବିରୋଧୀମାନେ । ବିଜେଡି ପୂରା ଗର୍ଜିଲାଣି । ସରକାର ଫେଲ ବୋଲି କହିଲେଣି । ଲୋକଙ୍କୁ ଚାଉଳ ଯୋଗାଇ ପାରୁନଥିବାରୁ ଲୋକେ ମରୁଥିବା କହିଛନ୍ତି ।
ମୋହନ ସରକାରଙ୍କ ଇଜ୍ଜତକୁ ଲାଗିଯାଇଛି । ତକ୍ରାଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରଡିସି ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ହେଲେ ଏଥିରେ ସନ୍ତୁଷ୍ଟ ନୁହନ୍ତି ବିରୋଧୀ । କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏହାର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଏପରି ସ୍ଥିତିରେ ସତ ଖୋଜିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଆରଡିସି ରୁପା ରୋସନ ସାହୁ । ହେଲେ ରୁପା କାହାର ମିଛ ଧରିବେ? ଧରିପାରିବେ ତ ମନ୍ତ୍ରୀଙ୍କ ମିଛ? କହିପାରିବେ କି ମନ୍ତ୍ରୀ ମିଛ କହୁଛନ୍ତି? ନା ହିତାଧିକାରୀଙ୍କ ମୁଣ୍ଡରେ ଦୋଷ ଦେବେ । ନା ଡିଲରଙ୍କ ଉପରେ ଦୋଷ ଦେଇ ମନ୍ତ୍ରୀଙ୍କୁ ସୁରକ୍ଷା ଦେବେ । ଏପରି ଅନେକ ପ୍ରଶ୍ନ ଏବେ ରୁପାଙ୍କ ପାରିବା ପଣିଆ ଉପରକୁ ଉଠିଲାଣି । ଦେଖାଯାଉ ରୁପା କାହାକୁ ମିଛୁଆ କରୁଛନ୍ତି?
State
ମାଲକାନଗିରି(ଦ କୁଇଭର): ଛତିଶଗଡ଼ରେ ନକ୍ସଲ କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ ପରେ ନକ୍ସଲ ଦବି ଯାଇଥିଲା । ବେଶ କିଛିଦିନ ନକ୍ସଲ ପ୍ରଭାବ କମିଯାଇଥିଲା । ହେଲେ ଏବେ ପୁଣି ଥରେ ନକ୍ସଲ ଉତପାତ ଆରମ୍ଭ କରିଲେଣି । ଛତିଶଗଡ଼ର ପ୍ରତିଶୋଧ ନେବାକୁ ଓଡ଼ିଶାରେ ରକ୍ତମୁଖା ହୋଇ ବୁଲୁଛନ୍ତି ନକ୍ସଲ । ଲୁଚି ଲୁଚି ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଯବାନଙ୍କ ଛୋଟ ଛୋଟ ଗ୍ରୁପ ଉପରେ ଆକ୍ରମଣ କରିବାକୁ ଯୋଜନା ହୋଇଛି । ଆଜି ଛତିଶଗଡ଼ ସୀମାକୁ ଲାଗି ରହିଥିବା ମାଲକାନଗିରି ଜଗରଗୁଣ୍ଡା ସାପ୍ତାହିକ ହାଟରେ ଡୁ୍ୟଟିରେ ଥିବା ଦୁଇ ଯବାନଙ୍କୁ ନକ୍ସଲମାନେ ଆକ୍ରମଣ କରିଛନ୍ତି । ଗୁରୁତର ଯବାନ ଦ୍ୱୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି ।
ଛତିଶଗଡ଼ରେ ନକ୍ସଲଙ୍କ କ୍ୟାମ୍ପକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା ଅର୍ଦ୍ଧସାମରିକ ବଳ । ନକ୍ସଲଙ୍କ ମେରୁଦଣ୍ଡ ଭାଙ୍ଗିଗଲା ବୋଲି ଦାବି କଲେ ସରକାର । ହେଲେ ଏବେ କାଳେ ପୁଣି ସଳଖିଲେଣି ନକ୍ସଲ । ଏଥର ନକ୍ସଲଙ୍କ ରଣନୀତି ବଦଳିଛି । ଆଉ ପୋଲିସକୁ ସିଧା ଆକ୍ରମଣ ନୁହେଁ, ଟୁକଡ଼ା ଟୁକଡ଼ା ଗ୍ୟାଙ୍ଗ କରି ଆକ୍ରମଣ କରିବେ । ସେମାନେ ତାଙ୍କର ପ୍ରଥମ ପ୍ଲାନ ମାଲକାନଗିରିରେ ଆରମ୍ଭ କରିଥିବା କୁହାଯାଉଛି ।
ଆଜି ସକାଳେ ଜଗରମୁଣ୍ଡା ସାପ୍ତାହିକ ହାଟରେ ଲୋକେ ପହଞ୍ଚିଥିଲେ । ବଜାର ଆରମ୍ଭ ହେବା ବେଳକୁ ନିୟମିତ ସେଠାରେ ଡୁ୍ୟଟି କରୁଥିବା ଦୁଇଜଣ ଯବାନ ପହଞ୍ଚିଥିଲେ । ସେମାନେ ଡୁ୍ୟଟି କରିବା ସମୟରେ ନକ୍ସଲଙ୍କର ଏକ ଛୋଟ ଗ୍ୟାଙ୍ଗ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଛୁରୀ ଭଳି ମାରଣାସ୍ତ୍ରରେ ଆକ୍ରମଣ କରି ସେମାନଙ୍କୁ ଲହୁଲୁହାଣ କରିଦେଇଥିଲେ । ବଜାରର ବେପାରୀମାନେ ଆହତ ଯବାନଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଖବର ପାଇ ଯବାନମାନେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ଏହି ଆକ୍ରମଣ ନକ୍ସଲଙ୍କର କି ଯବାନ ମାନଙ୍କର କିଛି ଶତ୍ରୁତା ପାଇଁ ହୋଇଛି ସେନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ସାପ୍ତାହିକ ହାଟରେ ଅଧିକ ଯବାନ ଜଗି ରହିଛନ୍ତି ।
Politics
ଜୟପୁର(ଦ କୁଇଭର): ବିଜେଡିର ସ୍ଥିତି ବଡ଼ ବିଚିତ୍ର ଆଡ଼କୁ ଗଲାଣି । ଖାସ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ରେଜ ନିଜ ଦଳ ଭିତରେ କମିବା ଆରମ୍ଭ କଲାଣି । ଯାହାର ନମୂନା ହେଉଛି ନବୀନଙ୍କ ଆଭିମୁଖ୍ୟ ବିରୋଧୀ କାର୍ଯ୍ୟ ବଢ଼ିବ । ରାଜଧାନୀରେ ନେତାମାନେ ନିଜକୁ ସବଳ ବୋଲି ଦେଖାଇବାକୁ ବେଶ ମୁହଁତୋଡ଼ ମାରୁଛନ୍ତି, ହେଲେ ଗ୍ରାମାଞ୍ଚଳରେ ସ୍ଥିତି ପୂରା କାଳେ ଢ଼ିଲା । ଜିଲ୍ଲା ସଦର ମହକୁମା ଗୁଡ଼ିକରେ ବିଜେଡି ପାଖରେ ବିଜେଡି ନାହିଁ ବୋଲି ଦେଖାଗଲାଣି । ଦୁର୍ନୀତି ପ୍ରସଙ୍ଗରେ ବିଜେଡି ଆନେ୍ଦାଳନ ଡାକରା ଦେଇଛି । ହେଲେ ଆନେ୍ଦାଳନରେ ଜଣେ କେବଳ ଛାମୁଆଁ ନେତା ବସିଛନ୍ତି । ବାକି ନଳର ନେତା ଓ ନେତ୍ରୀମାନେ କେହି ଆସୁନାହାନ୍ତି । ଯାହା ଦେଖାଉଛି ବିଜେଡି ସହ ନାହିଁ ବିଜେଡି ।
ଆମେ ଏଠି ଜୟପୁର ଜିଲ୍ଳା କଥା କହୁଛୁ । ଦକ୍ଷିଣ ଓଡ଼ିଶାର ଜୟପୁର ପୌରପାଳିକା ଅଧିନରେ କାଳେ ହୋଇଛି ବଡ଼ କେଳେଙ୍କାରୀ । ଜଗନ୍ନାଥ ସାଗର ପୁନରୁଦ୍ଧାର କାର୍ଯ୍ୟରେ ଦୁର୍ନୀତି । ବ୍ୟାପକ ଅର୍ଥ ତୋଷାରପାତର ଅଭିଯୋଗ ଆଣିଛି ବିଜେଡି । ଏହା ବିରୋଧରେ ଆନେ୍ଦାଳନ ଡାକରା ବି ଦେଇଛି । ଆନେ୍ଦାଳନ ପାଇଁ ବିଜେଡି ନେତା ରବି ନନ୍ଦ ବସିଛନ୍ତି । ସାଙ୍ଗରେ ହାତ ଗଣତି ସମର୍ଥକ ବସିଛନ୍ତି । ହେଲେ ନାହାନ୍ତି ପୌରପାଳିକାର ଉପାଧ୍ୟକ୍ଷା ଓ ୧୫ଜଣ କାଉନସିଲର । କେବଳ ରବି ନନ୍ଦ ଓ ଆଉ ଜଣେ ଦୁଇଜଣ ବସିଛନ୍ତି ଆନେ୍ଦାଳନରେ ।
ଜୟପୁର ବିଜେଡିର ଏହି ସ୍ଥିତି ଦେଖାଇ ଦେଉଛି ଦଳର ସ୍ଥିତି । ଦଳର ନେତାମାନେ ବିଜେଡି ସହ ରହୁନାହାନ୍ତି । ଦୁର୍ନୀତି ପ୍ରତି ଶୂନ ସହନଶୀଳତା ଡାକରା ଦେଇ ଆସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ଏଠାରେ ଦଳମକଚି ଦେଉଛନ୍ତି ଦଳର ନେତାମାନେ । ଦୁର୍ନୀତିର ଅଭିଯୋଗ ଆଣି ଆନେ୍ଦାଳନ ଡାକରା ତ ଦେଉଛନ୍ତି, ହେଲେ ମଇଦାନକୁ ଆସୁ ନାହାନ୍ତି । ଏଥିରୁ ନବୀନଙ୍କ କ୍ରେଜ ଦଳ ଭିତରେ କମୁଥିବା ସ୍ପଷ୍ଟ ହେଉଛି । ଦେଖାଯାଉ ଜୟପୁରରେ ବିଜେଡିର ସ୍ଥିତି ଭଳି ଆଉ କେଉଁଠି କେଉଁଠି ହେଉଛି?
State
ଭୁବନେଶ୍ୱର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ। ରାଜ୍ୟ ସରକାର ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ଇ-ଶ୍ରମିକରେ ପଞ୍ଜୀକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବା ବେଳେ ଆଉ ୧ଲକ୍ଷ ୩୧ ହଜାର ଶ୍ରମିକ ବାକି ରହିଛନ୍ତି। ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ସରକାର ବଦଳିବା ପରେ ଗତ ଅଗଷ୍ଟ ମାସ ଠାରୁ ଇ-କେୱାଇସି ଆରମ୍ଭ ହୋଇଛି। ଏହାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଇ-କେୱାଇସି ନଭରିଲେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳିବନି ବୋଲି ସରକାର ଚେତାବନୀ ଦେଇଛନ୍ତି। ରାଜ୍ୟରେ ଏବେ ଇ-କେୱାଇସି ଜାରି ରହିଛି। ହିତାଧିକାରୀମାନେ ଏଥିପାଇଁ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲାଇନ ଲଗାଉଛନ୍ତି।
National
ନୂଆଦିଲ୍ଲୀ(ଦ କୁଇଭର): ଦେଶର ପ୍ରଶାସନିକ କ୍ଷେତ୍ରରେ ଥିବା ପ୍ରଭାବଶାଳୀ ଅଧିକାରୀଙ୍କ ତାଲିକାରେ ଦୁଇଜଣ ଓଡ଼ିଆ ପ୍ରଭାବୀ ରହିଛନ୍ତି । ଦେଶର ପ୍ରଶାସନିକ ମେରୁଦଣ୍ଡକୁ ସୁଦୃଢ଼ ଓ ସୁଦୂରପ୍ରସାରୀ କରିବାରେ ଜଣେ ଓଡ଼ିଆଙ୍କ ଭୂମିକା ଯଥେଷ୍ଟ ରହିଛି । ସେ ହେଉଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । ସମ୍ବଲପୁର ଅଞ୍ଚଳର ପିକେ ମିଶ୍ର ଏବେ ପିଏମଓରେ ରହିଛନ୍ତି । ଜାତୀୟ ପ୍ରଶାସନିକ ବ୍ୟବସ୍ଥାରେ ସେ ପୁରୁଖା ବୋଲି ଜଣାଶୁଣା । କେନ୍ଦ୍ରୀୟ ଶାସନକଳର ତ୍ରୁଟି ବିଚୁ୍ୟତିକୁ ସୁଧାରିବାରେ ସେ ସିଦ୍ଧହସ୍ତ । ତାଙ୍କୁ ଦ କ୍ୱାଇଟ ଇମ୍ପ୍ଲିମେଣ୍ଟର ବୋଲି କୁହାଯାଇଛି ।
ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭେଲ । ବିଦେଶ ସହ ଭଲ ସମ୍ପର୍କ ରଖିବା ଓ ସୀମ ସୁରକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ହିଁ ତାଙ୍କୁ ପ୍ରଭାବ କରାଇଛି । ହେଲେ ଦେଶର ତୃତୀୟ ପାୱାରଫୁଲ ଅଫିସର ଭାବେ ଶକ୍ତିକାନ୍ତ ଦାସ ରହିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଆର୍ଥିକ ପରିଚାଳନାରେ ବେଶ ସୁଧାର ଆଣିଥିବାରୁ ତାଙ୍କର ପ୍ରଭାବ ସାରା ଦେଶରେ ରହିଛି । ଏହା ପଛକୁ ରହିଛନ୍ତି ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି । ସମ୍ବିଧାନ ସୁରକ୍ଷାକାରୀ ଭାବେ ତାଙ୍କର ପ୍ରଭାବ ସାରା ଦେଶରେ ଯଥେଷ୍ଟ ରହିଛି । ତାଙ୍କ ପଛରେ ରହିଛନ୍ତି ଇଡି ଏବଂ ସିବିଆଇର ଦୁଇ ମୁଖ୍ୟ ।
National
ଦ କୁଇଭର ବ୍ୟୁରୋ :- ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜ୍ୟର ଅଲମୋଡା-ସଲ୍ଟ ଅଞ୍ଚଳରେ ଏକ ବଡ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍ ଟି ମର୍ଚୁଲା ନିକଟ କୁପିରେ ଏକ ଗଭୀର ଖାଲରେ ପଡ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ୩୬ ଯାତ୍ରୀଙ୍କ ମୃତଦେହ ଖାଇରୁ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଏହି ବସ୍ ଟି ୪୬ ଜଣ ଯାତ୍ରୀମାଙ୍କୁ ନେଇ ପୌଡି ଜିଲ୍ଲାରୁ ରାମନଗର ଅଭିମୁଖେ ଆସୁଥିଲା । ଏହି ସମୟରେ ବସ୍ ଟି କୁପି ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡିଥିଲା ।ଖବରପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ନୈନିତାଲ ଜିଲ୍ଲା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଉଛି ।
ଅନ୍ୟପଟେ ଏହି ଘଟଣାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି – ଅଲମୋଡା ଜିଲ୍ଲାର ମାର୍ଚ୍ଚୁଲାରେ ଘଟିଥିବା ବସ୍ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଶୀଘ୍ର ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସାଢେ ୪ ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତଙ୍କ ଚିକିତ୍ସା ନିମନ୍ତେ ଏକ ଲକ୍ଷ ଟଙ୍କା ରାଶି ଘୋଷଣା କରିଛନ୍ତି ।
Sports
କଟକ( ଦ କୁଇଭର ):- ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ଟିକେଟ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ସେ କହିଛନ୍ତି ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ଷ୍ଟାଡିୟମର ରକ୍ଷଣାବେକ୍ଷଣ, ସାଜସଜ୍ଜା, ଅନ୍ୟ ଖର୍ଚ୍ଚ ବଢ଼ିଛି। ତେଣୁ ସବୁ କଥାକୁ ବିଚାରକରି ଟିକେଟ ଦାମ ସ୍ଥିର ହୋଇଛି ।
ସୂଚନାଥାଉକି, ରବିବାର ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକରେ ମ୍ୟାଚ୍ ପାଇଁ ଟିକେଟ୍ ଦର ନିର୍ଦ୍ଧାରିତ କରାଯାଇଥିଲା। ଯେଉଁଥିରେ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମର ଗ୍ୟାଲେରୀ- ୧, ୩ ଏବଂ ୬ର ଟିକେଟ ଦାମ- ୧୨୦୦ ଟଙ୍କା ରଖାଯାଇଛି। ୨, ୪ ନଂ ଗ୍ୟାଲେରୀର ଦାମ- ୧୦୦୦ ଟଙ୍କା, ୫ ନମ୍ବର ଗ୍ୟାଲେରୀ ଦାମ-୧୫୦୦ ଟଙ୍କା, ସ୍ପେଶାଲ ଏନକ୍ଲୋଜର ଦାମ-୭୦୦୦, ଏସି ଗ୍ୟାଲେରୀ ବକ୍ସ-୯୦୦୦ ଓ କର୍ପୋରେଟ ବକ୍ସ ଦାମ-୨୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ଟିକେଟ ମୂଲ୍ୟ ପୂର୍ବ ତୁଳନାରେ ଅଧିକ ରହିଥିବାରୁ ଅନେକ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ।
Shree Jagannath,International
ଦ କୁଇଭର ବ୍ୟୁରୋ :-:ଇସ୍କନ ବନ୍ଦ କଲା ଅଦିନିଆ ରଥଯାତ୍ରା । ପ୍ରବଳ ବିରୋଧ ପରେ ନରମିଲା ‘ଇସ୍କନ’। ଆମେରିକା ହ୍ୟୁଷ୍ଟନରେ ଆସନ୍ତା ୯ ତାରିଖ ହେବାକୁ ଥିବା ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରାରୁ ଓହରିଛି ଇସ୍କନ । ଅଦିନିଆ ରଥଯାତ୍ରା ଆଉ କରିବ ନାହିଁ ବୋଲି କହିଛି । ହେଲେ ଇସ୍କନ ୱେବ ସାଇଟରୁ ଏହା ହଟି ନାହିଁ । ଇସ୍କନର ଆଦିନିଆ ରଥଯାତ୍ରାକୁ ନେଇ ତୀବ୍ର ପ୍ରକାଶ ପାଇଥିଲା । ଭକ୍ତ ମାନେ ଇସ୍କନକୁ ଚେତାବନୀ ଦେଇଥିଲେ । ଗଜପତିଵି ଚିଠି ଲେଖିଥିଲେ,ଆଉ କହିଲେ ବରଦାସ୍ତ କରିବୁନି । ସବୁଠି ପତିକ୍ରିୟା ବଢ଼ିଲା । ଇସ୍କନକୁ ପୁରୀକୁ ପୁରାଇ ନ ଦେବାକୁ ଇସ୍କନ କାଳେ ଡ଼ରିଛି । ପ୍ରସ୍ତାବିତ ଅଦିନିଆ ରଥଯାତ୍ରାକୁ ରଦ୍ଦ କରିଥିବା ସୂଚନା ମିଳିଛି । ଦେଖାଯାଉ ଇସ୍କନ ସୁଧୁରୁଛି ନା ପୁଣି କେଉଁଠି କାଣ୍ଡ ଭିଆଉଛି ।
State
ବ୍ରହ୍ମପୁର( ଦ କୁଇଭର ):- ଭୁବନେଶ୍ୱର ପରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ପରିଧାନ କରିବେ ବଡ଼ି କ୍ୟାମେରା । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ପୋଲିସ ପକ୍ଷରୁ ୫ ଟି ବଡ଼ି କ୍ୟାମେରା କୁ କାର୍ଯ୍ୟକାରୀ କରାଯାଇଛି । ଏ ନେଇ ବ୍ରହ୍ମପୁର ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରିଛନ୍ତି ଏସପି ଡ଼ା,ଶ୍ରବଣା ବିବେକ ଏମ୍ । ଆଜି ଠାରୁ ଗୋପାଳପୁର ରେ ଗୋଟିଏ ଏବଂ ବ୍ରହ୍ମପୁର ସହରର ୪ ଗୋଟି ସ୍ଥାନରେ ପର୍ଯ୍ୟାୟ କ୍ରମେ କ୍ୟାମେରା ପରିଧାନ କରିଥିବା ଟ୍ରାଫିକ ପୋଲିସ ଯାଞ୍ଚ୍ କରିବ । ଏହି କ୍ୟାମେରା ୧୨୦ ଡିଗ୍ରୀ ପରିସୀମା ମଧ୍ୟରେ ଭିଡିଓ ରେକର୍ଡ କରିବା କ୍ଷମତା ରଖିଛି । ଏହି କ୍ୟାମେରା ରେ ୬ ଘଣ୍ଟା ପର୍ଯ୍ୟନ୍ତ ରେକର୍ଡ ହୋଇପାରିବ ଏବଂ ପ୍ରତି ୩ ଘଣ୍ଟାରେ ଏହାକୁ ଚାର୍ଜ କରିବାକୁ ପଡ଼ିବ ବୋଲି ଏସପି ସୂଚନା ପ୍ରଦାନ କରିଛନ୍ତି । ଯାଞ୍ଚ୍ ସମୟରେ ସ୍ବଚ୍ଛତା ରଖିବାକୁ ବ୍ରହ୍ମପୁର ପୋଲିସ ର ଏହି ପ୍ରୟାସ କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
International
ଦ କୁଇଭର ବ୍ୟୁରୋ :-:ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜର୍ଜିଆ ଏବଂ ନେବାଡ଼ାରେ ବିଜୟ ଲାଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଯେଉଁ ୭ଟି ସ୍ବିଙ୍ଗ୍ ଷ୍ଟେଟ୍ର ଉପରେ ଫଳାଫଳ ନିର୍ଭର କରୁଥିଲା ସେଠାରେ ହିଁ ଟ୍ରମ୍ପ୍ ବାଜିମାତ୍ କରିଛନ୍ତି। ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଏନେଇ ଟ୍ରମ୍ପ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ। ମାତ୍ରାଧିକ ଭୋଟ୍ ଦେଇ ଜିତାଇଥିବାରୁ ଭୋଟର୍ମାନଙ୍କୁ ଟ୍ରମ୍ପ୍ ଧନ୍ୟବାଦ ଦେଇଛନ୍ତି।ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଟ୍ରମ୍ପ ଆଉ ଥରେ ରାଷ୍ଟ୍ରପତି ହେବା ପକ୍କା ହେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ହେଲେ ଏହାରି ଭିତରେ କିନ୍ତୁ ଆମେରିକାର ଲୋକପ୍ରିୟ ଗଣମାଧ୍ୟମ ଫକ୍ସ ନ୍ୟୁଜ୍ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ନେଇ ଘୋଷଣା କରିଛି । ତେବେ କମଳା ହ୍ୟାରିସଙ୍କୁ ହରାଇଲେ ଡୋନାଲ୍ଡ ଟ୍ରମ୍ପ।୫୧ଭୋଟ ଅଧିକା ପାଇ ଜିତିଲେ ଟ୍ରମ୍ପ। ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।
Sports
ଦ କୁଇଭର ବ୍ୟୁରୋ :-:ବର୍ତମାନ ଗୋଟିଏ ଟିମରେ ନଜର ଆସିବେ ଭାରତ ଆଉ ପାକିସ୍ତାନର ଖେଳାଳି । ଭାରତ-ପାକିସ୍ତାନର ଖେଳାଳିଙ୍କୁ ମିଶେଇ ଗଢାଯିବ ଗୋଟିଏ ଟିମ୍ । ଆଉ ଏହି ଟିମ୍ ଅନ୍ୟ ଟିମ୍ ବିରୋଧରେ ଖେଳିବ କ୍ରିକେଟ୍ ମ୍ୟାଚ୍ । କଥାଟି ଆପଣଙ୍କୁ ଅଜବ ଲାଗିଲେ ବି ସତ । ଗୋଟିଏ ଟିମରେ ନଜର ଆସିବେ ଭାରତ ଆଉ ପାକିସ୍ତାନ ଉଭୟ ଦେଶର ଖେଳାଳି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ । ବହୁ ଦିନ ଧରି ବନ୍ଦ ରହିଥିବା ଆଫ୍ରୋ-ଏସିଆ କପକୁ ପୁଣିଥରେ ଆରମ୍ଭ କରିବାକୁ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ ଅଣ୍ଟା ଭିଡିଛି । ଯାହା ପରେ ଏଭଳି କିଛି ଚର୍ଚ୍ଚା ସୋସିଆଲ୍ ମିଡିଆରେ ଜୋର୍ ଧରିଛି ।
ଅନେକ ସମୟରେ ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଆଉ ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ବାବର ଆଜମ୍ ଗୋଟିଏ ଟିମରେ ଖେଳିବା ନେଇ ଚର୍ଚ୍ଚା ହୁଏ । ସେହିପରି ମହମ୍ମଦ ସାମି, ଜଶପ୍ରୀତ ବୁମରାଙ୍କ ସହ ପାକିସ୍ତାନର ଫାଷ୍ଟ ବୋଲର କେବେ ଏକାଠି ହେଇ ଖେଳିବେ ବୋଲି ଅନେକ ପ୍ରଶ୍ନ କରନ୍ତି । ହେଲେ ଏବେ ଏହି ସବୁ ଚର୍ଚ୍ଚା ସତ ହେବାକୁ ଯାଉଛି । ଯଦି ଆଫ୍ରିକା କ୍ରିକେଟ୍ ଆସୋସିଏସନର ଏହି ଉଦ୍ୟମ ସତରେ ପରିଣତ ହୁଏ । ତେବେ ଏକାଠି ନଜର ଆସିବା ସହ ଗୋଟିଏ ଟିମରୁ ମ୍ୟାଚ୍ ଖେଳିପାରନ୍ତି ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ।
Health & lifestyle,State
ଭୁବନେଶ୍ୱର(ଦ କୁଇଭର): ବିକାଶ ଏତେ ହୋଇଛି, ରାଜ୍ୟ ହେଉଛି ବିକଶିତ । ଭୋକର ଭୂଗୋଳ ଏବେ ଭାତହାଣ୍ଡି ଏମିତି କେତେ କ’ଣ କହୁଥିଲେ ପୂର୍ବର ନବୀନ ସରକାର । ବିକାଶର ପ୍ରଚାର ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଦେଉଥିଲେ । ଏବେକାର ମୋହନ ସରକାର ବି ବିକାଶ ରଡ଼ି ପକାଇବାରେ ପଛରେ ନାହିଁ । ହେଲେ ଏମାନଙ୍କ ବିକାଶର କଛା ଖୋଲି ଦେଇଛି କନ୍ଧମାଳ ଦାରିଙ୍ଗବାଡ଼ିର ଟାକୁଆଖିଆ ଘଟଣା । ଏଠାକାର ଦୟନୀୟ ସ୍ଥିତି ଚିକ୍ରାର କରି ୨୪ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛି, ହେ ନବୀନ କି ବିକାଶ କରିଛ? ସମାନ ପ୍ରଶ୍ନ ବି ଉଠିଛି ମୋହନ ସରକାରଙ୍କ ପାଇଁ । ଲୋକେ ଉପଯୁକ୍ତ ଖାଦ୍ୟ ନପାଇ ଆମ୍ବ ଟାକୁଆ ଖାଉଥିବା ଓ ସେହି ଟାକୁଆ ଖାଇ ପ୍ରାଣ ହରାଉଥିବା ଘଟଣା ରାଜ୍ୟ ପାଇଁ ଲଜ୍ଜା ଆଣି ଦେଇଛି ।
କନ୍ଧମାଳ ଦାରିଙ୍ଗବାଡ଼ିରେ ଲୋକେ ଆଜି ବି ଆମ୍ବ ଟାକୁଆ ଖାଉଛନ୍ତି । ଖାଦ୍ୟକୁ ଦିନେ ଦୁଇଦିନ ରଖି ବି ଖାଉଛନ୍ତି । ଆମ୍ବ ଟାକୁଆ ବିଷାକ୍ତ ହୋଇ ୨ଜଣଙ୍କ ଜୀବନ ନେଇଛି । ଅନ୍ୟ ୪ଜଣ ଏବେ ବି ଅସୁସ୍ଥ ଅଛନ୍ତି । ଆମ୍ବ ଟାକୁଆ ଖାଇ ଦୁଇଜଣଙ୍କ ଜୀବନ ଯିବା ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହେଲାଣି । ରାଜେନୈତିକ ଦଳ ଗୁଡ଼ିକ ମଧ୍ୟରେ ଦୋଷ ଲଦାଲଦି ହେଲାଣି । ମୋହନ ସରକାର ମିଛ ବି କହିଲେଣି । ରାଜନୈତିକ ବିବାଦ ଯାହା ବି ହେଉ, ବାସ୍ତବତା ହେଉଛି ଲୋକେ ଆମ୍ବ ଟାକୁଆ ଖାଇଲେ କାହିଁକି?
ଯଦି ଲୋକଙ୍କୁ ପର୍ଯ୍ୟାପ୍ତ ଚାଉଳ ମିଳିଛି, ଠିକ ସମୟରେ ମିଳିଛି ଏବଂ ରାସନ କିଣିବାକୁ ସକ୍ଷମ ଅଛନ୍ତି, ତେବେ ଆମ୍ବ ଟାକୁଆ କିଏ କାହିଁକି ଖାଇବ? ଆମ୍ବ ଟାକୁଆ କ’ଣ ସ୍ୱାଦିଷ୍ଟ ଖାଦ୍ୟ କି? ଏହା କୌଣସି ପବିତ୍ର ଖାଦ୍ୟ କି? ଆଦିବାସୀଙ୍କ କହିବା ଅନୁଯାୟୀ ସେମିତି କିଛି ଏଥିରେ ନାହିଁ । କିନ୍ତୁ ସେମାନେ ଖାଉଛନ୍ତି, କାରଣ ତାଙ୍କ ପାଖରେ ଆବଶ୍ୟକ ଖାଦ୍ୟ ନାହିଁ । ୩ମାସ ହେବ ଚାଉଳ ମିଳିନାହିଁ । ଚାଉଳ ମିଳିଲେ, ତାହା ପର୍ଯ୍ୟାପ୍ତ ହେଉନି । ରାସନ ପାଇଁ ସମ୍ବଳ ନାହିଁ । ହାତରେ କାମ ବି ନାହିଁ । ଏମିତି ଅନେକ ପ୍ରସଙ୍ଗ ସରକାରୀ ବ୍ୟବସ୍ଥାର ମୁଖା ଖୋଲି ଦେଇଛି ।
ଯଦି ଚାଉଳ ଅଛି, ତେବେ ଆମ୍ବ ଟାକୁଆ ଖାଇଲେ କାହିଁକି? ଏହାର ଉତ୍ତର ସରକାରଙ୍କ ପାଖରେ ବି ନାହିଁ । କେବଳ ଦୋଷ ଖସାଇବାକୁ ତାହା ତାଙ୍କର ପାରମ୍ପରିକ ଖାଦ୍ୟ ବୋଲି କହି ହେଉଛନ୍ତି । ଯାହା କେବଳ ମିଛ । ବାସ୍ତବତା ବଖାଣୁଛି ସେଠାକାର ସ୍ଥିତି । ଲୋକେ ଚାଉଳ ପାଇ ନାହାନ୍ତି । ସେମାନଙ୍କ ପାଖରେ ବିକାଶ ଦୂର ଦୂର ପର୍ଯ୍ୟନ୍ତ ନାହିଁ । ସ୍ଥିତିକୁ ଦେଖିଲେ ସବୁ ଚିତ୍ର ବଳେ ବଳେ ବାରି ହେଉଛି । ଏଠିକାର ବିକଳ ସ୍ଥିତି ହିଁ ଚିକ୍ରାର କରି ସରକାରଙ୍କୁ ପ୍ରଶ୍ନ କରୁଛି, କି ବିକାଶ କରିଛ? ସରକାରୀ ଅପାରଗତାକୁ ମାନି ବିକାଶ ପାଇଁ ଅଣ୍ଟା ଭିଡ଼ିବା ପରିବର୍ତ୍ତେ ମୋହନ ସରକାରଙ୍କ ମନ୍ତ୍ରୀ ଓ ନେତାମାନେ ଏବେ ସଫେଇ ଦେବା ଆରମ୍ଭ କରିଛନ୍ତି । ସରକାରୀ ଅଧିକାରୀଙ୍କ ରିପୋର୍ଟ ଦେଖାଇବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ୨୪ବର୍ଷ ଧରି ଶାସନ କରିଥିବା ବିଜେଡି ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନିଶ୍ଚିତ । ଏକଥା ବିଜେଡି ନେତାମାନେ ବି ଜାଣିଛନ୍ତି । ତେଣୁ ସେମାନେ ଏବେ ଆଗୁଆ ବିଜେପି ଉପରକୁ କାଦୁଅ ପକାଇ ନିଜକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି । ହେଲେ ବାସ୍ତବତା ହେଉଛି ଲୋକେ ଖାଇବାକୁ ନପାଇ ବିଷାକ୍ତ ଖାଦ୍ୟ ଖାଇ ମରିଛନ୍ତି । ଯାହା ରାଜ୍ୟ ପାଇଁ ବଡ଼ ଲଜ୍ଜା । ମାତ୍ର ଲଜ୍ଜାହୀନ ନେତା ମାନେ ଗରିବ ଆଦିବାସୀଙ୍କ ଦୁଃସ୍ଥିତିକୁ ବୁଝିବା ପରିବର୍ତ୍ତେ ନାଟକରେ ଲାଗିଛନ୍ତି । ଦେଖାଯାଉ ସରକାର ନିଜ ମୁଖା ବଞ୍ଚାଇବାକୁ ବ୍ୟସ୍ତ ହେଉଛନ୍ତି ନା ଗରିବଙ୍କ ଦୁଃଖ ଦୂର କରିବାକୁ?