Banner Ad

ଅପରାଜିତାଙ୍କ ପକ୍ଷପାତ

ଅପରାଜିତାଙ୍କ ପକ୍ଷପାତ
Published by : Jyotshna Kumari
#Politics
Oct 30, 2024, 7:15 PM

ଭୁବନେଶ୍ୱର(ଦ କୁଇଭର): ଜଙ୍ଗଲ ଜମିକୁ ଜବରଦଖଲ କଲେ । ଆଇନକୁ ଭାଙ୍ଗି ଜମି କବଜା କରିନେଲେ । ସରକାରଙ୍କୁ ଟିକସରେ ବି ଚୂନା ଲଗାଇଲେ । ବିଜେଡିରେ ରହି ରାଜନେତା ହେଲେ । ସାରା ବିଶ୍ୱରୁ ପାଣ୍ଠି ଟାଣିଲେ । ସରକାରୀ ସହାୟତାରୁ ଚାଉଳ ଓ ଅନୁଦାନ ନେଇ ଆଦିବାସୀ ପିଲାଙ୍କୁ ପାଠ ପଢ଼ାଇଲେ । ସବୁ ଅନୁଦାନ ଏବଂ ଦାନରେ ଚଳାଇଲେ । ତାହା ଭିତରେ ବି ପୁଳ ପୁଳା ଦୁର୍ନୀତି ଆଉ ଶିକ୍ଷାର ବଡ଼ ବେପାର କରାଯାଉଛି । ଏପରି ଶିକ୍ଷା ମାଫିଆଙ୍କୁ ଏବେ ପ୍ରଶଂସାରେ ପୋତି ପକାଇଛନ୍ତି ଏମପି ଅପରାଜିତା ଷଢ଼ଙ୍ଗୀ । ଦିନେ ପ୍ରଭାକରନଙ୍କ ସରକାରୀ ଜମି ଦଖଲକୁ ବିରୋଧ କରି ବେଶ ଚର୍ଚ୍ଚିତ ହୋଇଥିବା ଅପରାଜିତା ଏବେ ଆଉଜଣେ ଜମି ଲୁଟେରାଙ୍କୁ ପ୍ରଶଂସା କରି ତାଙ୍କ ମହାନତାକୁ ବଳି ଦେଇଛନ୍ତି ନା ଦଳୀୟ ରାଜନୀତିରେ ପକ୍ଷପାତିତା ଥିବା ଦେଖାଇଛନ୍ତି ବୋଲି ପ୍ରଶ୍ନ ଉଠିଛି ।

ଟିକେ ଫେରିଯିବା ନିର୍ବାଚନ ପୂର୍ବର ସ୍ଥିତିକୁ । ନିର୍ବାଚନ ପୂର୍ବରୁ ବେଶ ଗର୍ଜିଥିଲେ ଏମପି ଅପରାଜିତା । ତାମିଲ ବେପାରୀ ପ୍ରଭାକରନଙ୍କ ପତ୍ନୀ କିରୁଥିକାଙ୍କ ଡେରାସ ସ୍ଥିତ ସରକାରୀ ଜମି ଜବରଦଖଲକୁ ନେଇ ଆକାଶ ପାତାଳ ଏକ କରି ଦେଇଥିଲେ । ନିଜେ ବୁଲଡୋଜର ଚଳାଇଥିଲେ । ବେଶ ପ୍ରଭାବ ପକାଇଥିଲା ସାରା ରାଜ୍ୟରେ । ଅପରାଜିତାଙ୍କୁ ସେହିଠାରୁ ଫାୟାରବ୍ରାଣ୍ଡ ନେତ୍ରୀ ବୋଲି କୁହାଗଲା । ସମସ୍ତେ ମାନିଲେ, ଅପରାଜିତା କେବେ ଅନ୍ୟାୟ ଓ ଅନୀତିକୁ ପ୍ରଶ୍ରୟ ଦେବେ ନାହିଁ । ବେଶ ଖ୍ୟାତି ବି ପାଇଲେ, କେବଳ ଭୁବନେଶ୍ୱର ନୁହେଁ ସାରା ରାଜ୍ୟ ତାଙ୍କ ପ୍ରଶଂସାରେ ଶତମୁଖ ହେଲା । ଭାବିଲେ, ସରକାରୀ ଜମି ଜବରଦଖଲକାରୀ ମାନେ ଆଉ ତ୍ରାହି ପାଇବେ ନାହିଁ ।

ବିଜେପିର ଅନେକ ନେତା ନାମ ନନେଲେ ବି ସେତେବେଳର ବିଜେଡି ଏମପି ଅଚ୍ୟୁତ ସାମନ୍ତଙ୍କ ଜମି ଜବରଦଖଲକୁ କେଞ୍ଚିଲେ । କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ବି ଜଙ୍ଗଲ ଜମି ଜବରଦଖଲ ନେଇ ଅଚ୍ୟୁତଙ୍କୁ ନାଲିଆଖି ଦେଖାଇଲା । ଇତିମଧ୍ୟରେ ଅଚ୍ୟୁତ ବିଜେଡି ଛାଡ଼ି ଏବେ ବଗ ଭଳି ହବିଷ କରୁଛନ୍ତି । ରାଜନୀତିରୁ ସନ୍ୟାସ ନେଇ ଯାଇଛନ୍ତି । ତେଣୁ ଆଉ ତାଙ୍କ ଉପରେ କାହାର ଆକ୍ରୋଶ ନାହିଁ । ତାଙ୍କର ସବୁ ଧଳା ଲୁଟ ନଜରକୁ ଆସୁନାହିଁ । ଏତେ ଅଭିଯୋଗରେ ଛନ୍ଦି ହୋଇଥିବା ଅଚ୍ୟୁତଙ୍କୁ ଏବେ ଭଗବାନ ଭଳି କରିଦେଇଛନ୍ତି ଅରାଜିତା । ଲୁଟ କରି ଜନସେବା କଲେ ତାଙ୍କ ଦେହରୁ ଲୁଟେରାର ଛା ଆଉ ଦିଶୁ ନାହିଁ । ଯଦି ସରକାରୀ ଜମି ଜବରଦଖଲ ପାଇଁ ଅପରାଜିତା କିରୁଥିକାଙ୍କୁ ଟାର୍ଗେଟ କଲେ, ତେବେ ଅଚ୍ୟୁତଙ୍କୁ ପ୍ରଶଂସା କେମିତି? ଏହାପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ନା ଆଉ କିଛି? ଏଭଳି ପ୍ରଶ୍ନ ଅପରାଜିତାଙ୍କ ଭାବମୂର୍ତ୍ତୀକୁ ନିଶ୍ଚିତ ପ୍ରଭାବିତ କରୁଛି । ଦେଖାଯାଉ ଅଚ୍ୟୁତଙ୍କ ଭଳି ଆମିଷ ଛଡ଼ା ବଗଙ୍କୁ ବିଜେପି ସରକାର ଆଉ କି କି ମାନପତ୍ର ଦେଉଛି ।ବ୍ୟୁରୋ ରିପୋର୍ଟ, ଦ କୁଇଭର

Leave a Comment

Comments

No comments yet.

Best Biofloc Fish Farming

ad
Read more

State

କାହା ମିଛ ଧରିବେ ରୁପା

Blog Thumbnail

କନ୍ଧମାଳ(ଦ କୁଇଭର): ଚାଉଳ ମିଳିନଥିବାରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଲୋକେ ଆମ୍ବ ଟାକୁଆ ଖାଇଲେ । ଏହାଦ୍ୱାରା ଜୀବନ ଗଲା । ମାତ୍ର ଏହାକୁ ମାନୁ ନାହାନ୍ତି ରାଜ୍ୟ ସରକାର । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏପରି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି । କହୁଛନ୍ତି ଚାଉଳ ଦିଆଯାଇଛି । ଆମ୍ବ ଟାକୁଆ ତାଙ୍କ ପାରମ୍ପରିକ ଖାଦ୍ୟ, ସେମାନେ ଖାଇଛନ୍ତି । ହେଲେ ହିତାଧିକାରୀ ବା ସେହି ଅଞ୍ଚଳର ଲୋକଙ୍କ କହିବା କଥା ଚାଉଳ ମିଳିନାହିଁ, ତେଣୁ ଆମ୍ବ ଟାକୁଆ ଆଣି ଚାଉଳ ସହ ଜାଉ କରି ଖାଉଛୁ । ବାସ୍ତବରେ କାରଣ କ’ଣ ତାକୁ ଖୋଜିବେ ଆରଡିସି ରୁପା ରୋସନ ସାହୁ । କିଏ ମିଛ କହୁଛି? ହିତାଧିକାରୀମାନେ ମିଛ କହୁଛନ୍ତି ନା ଯୋଗାଣ ମନ୍ତ୍ରୀ ମିଛୁଆ? ଏହାକୁ ଧରିବେ । ହେଲେ ପାରିବେ ତ ରୁପା?

କନ୍ଧମାଳ ଦାରିଙ୍ଗବାଡ଼ିରେ ଚାଉଳ ନପାଇ ଆମ୍ବ ଟାକୁଆ ଖାଇବା ପରେ ୨ ମହିଳାଙ୍କ ଜୀବନ ଯାଇଛି । ଆହୁରି ୨ଜଣ ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି । ଏହା ସାରା ବିଶ୍ୱରେ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି । ଏହି ଘଟଣାରେ ସରକାରଙ୍କ ଅପାରଗତା ଜଳ ଜଳ ହୋଇ ଦିଶୁଛି । ଲୋକେ ୩ମାସରେ ଥିରେ ଚାଉଳ ପାଆନ୍ତି । ଚାଉଳ ନଥିବାରୁ ଆମ୍ବ ଟାକୁଆ ଜାଉ କରି ସେମାନେ ଖାଇଥିଲେ । ତାହାକୁ ୨/୩ଦିନ ରଖି ଖାଇବାରୁ ଜୀବନ ଯାଇଛି । ଆମ୍ବ ଟାକୁଆ ସେମାନେ କାହିଁକି ଖାଇଲେ ତାହା ଏବେ ବଡ଼ ପ୍ରଶ୍ନ? ଏହାକୁ ଧରିଲେଣି ବିରୋଧୀମାନେ । ବିଜେଡି ପୂରା ଗର୍ଜିଲାଣି । ସରକାର ଫେଲ ବୋଲି କହିଲେଣି । ଲୋକଙ୍କୁ ଚାଉଳ ଯୋଗାଇ ପାରୁନଥିବାରୁ ଲୋକେ ମରୁଥିବା କହିଛନ୍ତି ।

ମୋହନ ସରକାରଙ୍କ ଇଜ୍ଜତକୁ ଲାଗିଯାଇଛି । ତକ୍ରାଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରଡିସି ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ହେଲେ ଏଥିରେ ସନ୍ତୁଷ୍ଟ ନୁହନ୍ତି ବିରୋଧୀ । କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏହାର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଏପରି ସ୍ଥିତିରେ ସତ ଖୋଜିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଆରଡିସି ରୁପା ରୋସନ ସାହୁ । ହେଲେ ରୁପା କାହାର ମିଛ ଧରିବେ? ଧରିପାରିବେ ତ ମନ୍ତ୍ରୀଙ୍କ ମିଛ? କହିପାରିବେ କି ମନ୍ତ୍ରୀ ମିଛ କହୁଛନ୍ତି? ନା ହିତାଧିକାରୀଙ୍କ ମୁଣ୍ଡରେ ଦୋଷ ଦେବେ । ନା ଡିଲରଙ୍କ ଉପରେ ଦୋଷ ଦେଇ ମନ୍ତ୍ରୀଙ୍କୁ ସୁରକ୍ଷା ଦେବେ । ଏପରି ଅନେକ ପ୍ରଶ୍ନ ଏବେ ରୁପାଙ୍କ ପାରିବା ପଣିଆ ଉପରକୁ ଉଠିଲାଣି । ଦେଖାଯାଉ ରୁପା କାହାକୁ ମିଛୁଆ କରୁଛନ୍ତି?


Politics

ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ମନବୁଝୁନି

Blog Thumbnail

ବ୍ରହ୍ମପୁର(ଦ କୁଇଭର): ବିଧାୟକ ଛାଡ଼ି ଏମପି ହେଲେ । ଭୁବନେଶ୍ୱରରୁ ଯାଇ ଦିଲ୍ଲୀରେ ବସିଲେ । ହେଲେ ସନ୍ତୁଷ୍ଟ ହୋଇ ପାରୁ ନାହାନ୍ତି ଏମପି ପ୍ରଦୀପ ପାଣିଗ୍ରାହୀ । ଦିଲ୍ଲୀ ଯିବା ପରେ ସେ ଯେମିତି ନିଜ ଲୋକଙ୍କ ଠାରୁ ଦୂରେଇ ଯାଇଛନ୍ତି । ଗୋଟେ ଜିଦରେ ସିନା ଲେଖା ଛିଡ଼େଇ ଦେଲେ, ହେଲେ ସେ ତାଙ୍କ ଲୋକଙ୍କ ଠାରୁ ବି ଛିଡ଼ି ଛିଡ଼ି ଯାଉଛନ୍ତି । ତାଙ୍କ ଅଞ୍ଚଳର ଅନେକ ଲୋକ ଆଜି ବି କଷ୍ଟରେ ରହୁଛନ୍ତି । ସେଥିପାଇଁ ସେ ଏବେ ମଇଦାନକୁ ଓହ୍ଲାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜନୈତିକ ସାର୍ ନବୀନ ପଟ୍ଟନାୟକଙ୍କ ଲେଖା ଛିଡ଼େଇବା ପରେ ଏବେ ନୂଆ ଲେଖା ଲେଖିବାକୁ ପାଦ କାଢ଼ିଛନ୍ତି । ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଙ୍କୁଲି ଠାରେ ଜନତାଙ୍କ ସହ ଭେଟିଛନ୍ତି । ସ୍ଥାନୀୟ ବିଧାୟକଙ୍କ ବିନା ପ୍ରଦୀପ ପାଣିଗ୍ରାହୀଙ୍କ ଭ୍ରମଣକୁ ନେଇ ଗଞ୍ଜାମ ଜିଲ୍ଲା ରାଜନୀତି ପୂରା ସରଗରମ ହୋଇ ପଡ଼ିଛି ।

ଗଞ୍ଜାମ ରାଜନୀତିରେ ପ୍ରଦୀପ ପାଣିଗ୍ରାହୀ ବେଶ ଦମ ରଖିଛନ୍ତି । ବିଜେଡିରେ ତ ସେ ଥିଲେ ବଡ଼ ଯୋଗାଡ଼ିଆ । ବିଜେଡିରୁ ତଡ଼ା ଖାଇବା ପରେ ସେ ବିଜେଡି ଲେଖା ଛିଡ଼ାଇବାକୁ ଅଡ଼ି ବସିଲେ । ବିଜେପିକୁ ଯିବେ ଯିବେ ବୋଲି ବହୁ ବିଳମ୍ବ ହେଲା । ଶେଷରେ ଗୋପାଳପୁର ବିଧାନସଭା ଆସନ ଛାଡ଼ିଲେ । ଏହାପରେ ବିଜେପିକୁ ପଶିଲେ । ପୂରା ଦମରେ ଲାଗିଲେ ପ୍ରଦୀପ । ଏମିତି ଲାଗିଲେ ଯେ, ନବୀନଙ୍କ ଲେଖା ଛିଡ଼େଇ ଦେଲେ । ନବୀନଙ୍କ ବିଜେଡି ଗଞ୍ଜାମ ଜିଲ୍ଲାରେ ପ୍ରାୟ ପ୍ରାୟ ଶୂନ ହୋଇଗଲା । ବିଜେଡିକୁ ସିନା ଶୂନ କଲେ, ହେଲେ ସେ ତାଙ୍କ ପ୍ରିୟ ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ଛାଡ଼ିବାକୁ ବାଧ୍ୟ ହେଲେ ।

ଭୁବନେଶ୍ୱର ଛାଡ଼ି ଏମପି ହୋଇ ଦିଲ୍ଲୀ ଗଲେ । ଏପଟେ ତାଙ୍କ ପାରମ୍ପରିକ ବିରୋଧୀ ବିଭୂତି ଭୂଷଣ ଜେନା ଗୋପାଳପୁର ଦଖଲ କରିନେଲେ । ଗୋପାଳପୁର ବିଧାୟକ ହୋଇ ମନ୍ତ୍ରୀ ବି ହେଲେ ବିଭୂତି । ସେପଟେ ପ୍ରଦୀପ ଏମପି ହୋଇ ରହିଲେ । ନା ସରକାରରେ ସାମିଲ ହୋଇ ପାରିଲେ ନା ନିଜ ଅଞ୍ଚଳରେ ରହିପାରିଲେ । ପ୍ରାୟ ୫ମାସ ହେବ ପ୍ରଦୀପ ଗୋପାଳପୁର ଲୋକଙ୍କ ଠୁ ଦୂରେଇ ରହିଲେ । ହେଲେ ଏବେ ମନ ମାନୁନାହିଁ । ଶେଷରେ ପ୍ରଦୀପ ପାଣିଗ୍ରାହୀ ଓହ୍ଲାଇଲେ ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ । ତାଙ୍କୁ ଭବ୍ୟ ସ୍ୱାଗତ ଦିଆଗଲା । ସେ ବି ଗଦ ଗଦ ହୋଇପଡ଼ିଛନ୍ତି । ପ୍ରଦୀପ ସିନା ଆଙ୍କୁଲି ଆସିଲେ, ହେଲେ ସାଙ୍ଗରେ ନଥିଲେ ବିଭୂତି । ଏକା ଏକା ବୁଲି ଲୋକଙ୍କ କଥା ଶୁଣିଲେ । ଲୋକେ ତାଙ୍କର କ୍ଷୋଭ କହୁଥିଲେ । ସେ ଶୁଣୁଥିଲେ । କହିଲେ ଏଥର ଏଠାକାର ବିକାଶ ପାଇଁ ଲେଖା ଆରମ୍ଭ ହେବ । ମନ୍ତ୍ରୀ ଥାଉ ଥାଉ ପ୍ରଦୀପ ବିକାଶର ଲେଖା ଲେଖିବା ନୂଆ ରାଜନୀତି ନୁହେଁ ତ? ଦେଖାଯାଉ ପ୍ରଦୀପଙ୍କ ବିକାଶ ଲେଖାକୁ ବିଭୂତି ସହୁଛନ୍ତି ନା ବିଗାଡ଼ୁଛନ୍ତି?


State

ରକ୍ତମୁଖା ନକ୍ସଲ

Blog Thumbnail

ମାଲକାନଗିରି(ଦ କୁଇଭର): ଛତିଶଗଡ଼ରେ ନକ୍ସଲ କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ ପରେ ନକ୍ସଲ ଦବି ଯାଇଥିଲା । ବେଶ କିଛିଦିନ ନକ୍ସଲ ପ୍ରଭାବ କମିଯାଇଥିଲା । ହେଲେ ଏବେ ପୁଣି ଥରେ ନକ୍ସଲ ଉତପାତ ଆରମ୍ଭ କରିଲେଣି । ଛତିଶଗଡ଼ର ପ୍ରତିଶୋଧ ନେବାକୁ ଓଡ଼ିଶାରେ ରକ୍ତମୁଖା ହୋଇ ବୁଲୁଛନ୍ତି ନକ୍ସଲ । ଲୁଚି ଲୁଚି ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଯବାନଙ୍କ ଛୋଟ ଛୋଟ ଗ୍ରୁପ ଉପରେ ଆକ୍ରମଣ କରିବାକୁ ଯୋଜନା ହୋଇଛି । ଆଜି ଛତିଶଗଡ଼ ସୀମାକୁ ଲାଗି ରହିଥିବା ମାଲକାନଗିରି ଜଗରଗୁଣ୍ଡା ସାପ୍ତାହିକ ହାଟରେ ଡୁ୍ୟଟିରେ ଥିବା ଦୁଇ ଯବାନଙ୍କୁ ନକ୍ସଲମାନେ ଆକ୍ରମଣ କରିଛନ୍ତି । ଗୁରୁତର ଯବାନ ଦ୍ୱୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି ।

ଛତିଶଗଡ଼ରେ ନକ୍ସଲଙ୍କ କ୍ୟାମ୍ପକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା ଅର୍ଦ୍ଧସାମରିକ ବଳ । ନକ୍ସଲଙ୍କ ମେରୁଦଣ୍ଡ ଭାଙ୍ଗିଗଲା ବୋଲି ଦାବି କଲେ ସରକାର । ହେଲେ ଏବେ କାଳେ ପୁଣି ସଳଖିଲେଣି ନକ୍ସଲ । ଏଥର ନକ୍ସଲଙ୍କ ରଣନୀତି ବଦଳିଛି । ଆଉ ପୋଲିସକୁ ସିଧା ଆକ୍ରମଣ ନୁହେଁ, ଟୁକଡ଼ା ଟୁକଡ଼ା ଗ୍ୟାଙ୍ଗ କରି ଆକ୍ରମଣ କରିବେ । ସେମାନେ ତାଙ୍କର ପ୍ରଥମ ପ୍ଲାନ ମାଲକାନଗିରିରେ ଆରମ୍ଭ କରିଥିବା କୁହାଯାଉଛି ।

ଆଜି ସକାଳେ ଜଗରମୁଣ୍ଡା ସାପ୍ତାହିକ ହାଟରେ ଲୋକେ ପହଞ୍ଚିଥିଲେ । ବଜାର ଆରମ୍ଭ ହେବା ବେଳକୁ ନିୟମିତ ସେଠାରେ ଡୁ୍ୟଟି କରୁଥିବା ଦୁଇଜଣ ଯବାନ ପହଞ୍ଚିଥିଲେ । ସେମାନେ ଡୁ୍ୟଟି କରିବା ସମୟରେ ନକ୍ସଲଙ୍କର ଏକ ଛୋଟ ଗ୍ୟାଙ୍ଗ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଛୁରୀ ଭଳି ମାରଣାସ୍ତ୍ରରେ ଆକ୍ରମଣ କରି ସେମାନଙ୍କୁ ଲହୁଲୁହାଣ କରିଦେଇଥିଲେ । ବଜାରର ବେପାରୀମାନେ ଆହତ ଯବାନଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଖବର ପାଇ ଯବାନମାନେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ଏହି ଆକ୍ରମଣ ନକ୍ସଲଙ୍କର କି ଯବାନ ମାନଙ୍କର କିଛି ଶତ୍ରୁତା ପାଇଁ ହୋଇଛି ସେନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ସାପ୍ତାହିକ ହାଟରେ ଅଧିକ ଯବାନ ଜଗି ରହିଛନ୍ତି ।


International

ପୁଣି ଥରେ ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ୍‌

Blog Thumbnail

ଦ କୁଇଭର ବ୍ୟୁରୋ :-:ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜର୍ଜିଆ ଏବଂ ନେବାଡ଼ାରେ ବିଜୟ ଲାଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ଯେଉଁ ୭ଟି ସ୍ବିଙ୍ଗ୍‌ ଷ୍ଟେଟ୍‌ର ଉପରେ ଫଳାଫଳ ନିର୍ଭର କରୁଥିଲା ସେଠାରେ ହିଁ ଟ୍ରମ୍ପ୍‌ ବାଜିମାତ୍‌ କରିଛନ୍ତି। ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ଏନେଇ ଟ୍ରମ୍ପ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ। ମାତ୍ରାଧିକ ଭୋଟ୍‌ ଦେଇ ଜିତାଇଥିବାରୁ ଭୋଟର୍‌ମାନଙ୍କୁ ଟ୍ରମ୍ପ୍‌ ଧନ୍ୟବାଦ ଦେଇଛନ୍ତି।ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଟ୍ରମ୍ପ ଆଉ ଥରେ ରାଷ୍ଟ୍ରପତି ହେବା ପକ୍କା ହେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ହେଲେ ଏହାରି ଭିତରେ କିନ୍ତୁ ଆମେରିକାର ଲୋକପ୍ରିୟ ଗଣମାଧ୍ୟମ ଫକ୍ସ ନ୍ୟୁଜ୍ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ନେଇ ଘୋଷଣା କରିଛି । ତେବେ କମଳା ହ୍ୟାରିସଙ୍କୁ ହରାଇଲେ ଡୋନାଲ୍ଡ ଟ୍ରମ୍ପ।୫୧ଭୋଟ ଅଧିକା ପାଇ ଜିତିଲେ ଟ୍ରମ୍ପ। ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

National

ଦେଶର ପ୍ରଭାବଶାଳୀ ଅଫିସରଙ୍କ ମଧ୍ୟରେ ୨ ଓଡ଼ିଆ

Blog Thumbnail

ନୂଆଦିଲ୍ଲୀ(ଦ କୁଇଭର): ଦେଶର ପ୍ରଶାସନିକ କ୍ଷେତ୍ରରେ ଥିବା ପ୍ରଭାବଶାଳୀ ଅଧିକାରୀଙ୍କ ତାଲିକାରେ ଦୁଇଜଣ ଓଡ଼ିଆ ପ୍ରଭାବୀ ରହିଛନ୍ତି । ଦେଶର ପ୍ରଶାସନିକ ମେରୁଦଣ୍ଡକୁ ସୁଦୃଢ଼ ଓ ସୁଦୂରପ୍ରସାରୀ କରିବାରେ ଜଣେ ଓଡ଼ିଆଙ୍କ ଭୂମିକା ଯଥେଷ୍ଟ ରହିଛି । ସେ ହେଉଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । ସମ୍ବଲପୁର ଅଞ୍ଚଳର ପିକେ ମିଶ୍ର ଏବେ ପିଏମଓରେ ରହିଛନ୍ତି । ଜାତୀୟ ପ୍ରଶାସନିକ ବ୍ୟବସ୍ଥାରେ ସେ ପୁରୁଖା ବୋଲି ଜଣାଶୁଣା । କେନ୍ଦ୍ରୀୟ ଶାସନକଳର ତ୍ରୁଟି ବିଚୁ୍ୟତିକୁ ସୁଧାରିବାରେ ସେ ସିଦ୍ଧହସ୍ତ । ତାଙ୍କୁ ଦ କ୍ୱାଇଟ ଇମ୍ପ୍ଲିମେଣ୍ଟର ବୋଲି କୁହାଯାଇଛି ।

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭେଲ । ବିଦେଶ ସହ ଭଲ ସମ୍ପର୍କ ରଖିବା ଓ ସୀମ ସୁରକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ହିଁ ତାଙ୍କୁ ପ୍ରଭାବ କରାଇଛି । ହେଲେ ଦେଶର ତୃତୀୟ ପାୱାରଫୁଲ ଅଫିସର ଭାବେ ଶକ୍ତିକାନ୍ତ ଦାସ ରହିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଆର୍ଥିକ ପରିଚାଳନାରେ ବେଶ ସୁଧାର ଆଣିଥିବାରୁ ତାଙ୍କର ପ୍ରଭାବ ସାରା ଦେଶରେ ରହିଛି । ଏହା ପଛକୁ ରହିଛନ୍ତି ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି । ସମ୍ବିଧାନ ସୁରକ୍ଷାକାରୀ ଭାବେ ତାଙ୍କର ପ୍ରଭାବ ସାରା ଦେଶରେ ଯଥେଷ୍ଟ ରହିଛି । ତାଙ୍କ ପଛରେ ରହିଛନ୍ତି ଇଡି ଏବଂ ସିବିଆଇର ଦୁଇ ମୁଖ୍ୟ ।



Politics,State

ମୁଣ୍ଡ ବିକିଦେଲେ ମୋହନ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେବଳ ବାକ୍ୟବୀର । କାମ ବୋଲି କହିଲେ ଶୂନ । ଏକଥାଟା ଏବେଠାରୁ ବାରି ହୋଇ ପଡ଼ିଲାଣି । ଦୁର୍ନୀତି ବିରୋଧୀ ଚିକ୍କଣ କଥା କହି ଲୋକଙ୍କ ଆଗରେ ଭଲ ଛବି ରଖୁଛନ୍ତି । ହେଲେ ବାସ୍ତବରେ କାଳେ ଦୁର୍ନୀତିଗ୍ରସ୍ତଙ୍କ ପାଖରେ ନିଜକୁ ବନ୍ଧା ପକାଇ ଦେଇଛନ୍ତି । ପଟିଆର ଏମିତି ଜଣେ ବିଲ୍ଡରଙ୍କ ଆଗରେ ମୋହନ ମୁଣ୍ଡ ବିକି ଦେଇଛନ୍ତି ଯେ, ସରକାରୀ ଜମିରେ ବେଆଇନ ଭାବେ ୧୫ଶହ କୋଟିର ଆପାର୍ଟମେଣ୍ଟ ତିଆରି କରିବାକୁ ଲାଗି ପଡ଼ିଛନ୍ତି ଅର୍ବାନ ମାଜେଷ୍ଟି ବିଲ୍ଡର । ସବୁ ନିୟମ କାନୁନକୁ ଭାଙ୍ଗି ବିଲ୍ଡର ଜଣକ କାମ କରୁଛନ୍ତି । ଗ୍ରାହକ ମାନଙ୍କୁ ଭୂଆଁ ବୁଲାଇ ଟଙ୍କା ଅଗ୍ରୀମ ନେଇଛନ୍ତି । ଏହି ବେଆଇନ ନିର୍ମାଣରେ ମୋହନ ମାଝୀଙ୍କ ସାଧାରଣ ପ୍ରଶାସନ ବିଭାଗ ହିଁ ପୂରା ସହଯୋଗ କରୁଛି । ଏଥିପାଇଁ କାଳେ କିଛି ଅଫିସର ଓ ମନ୍ତ୍ରୀ ବେଶ ଫାଇଦା ନେଉଛନ୍ତି ।

ପଟିଆ ମୌଜାର ପ୍ଲଟ ନଂ ୩୦୯/୧୬୯୪ରେ ୫ଏକର ଜମି ରହିଛି । ଏହି ଜମିଟିକୁ ଶିଳ୍ପ ପାଇଁ ରାଜ୍ୟ ସରକାର ପାଲଟ୍ରୋନିକ୍ସ ଆଲାଏଡ ଇଣ୍ଡଷ୍ଟି୍ରଜର ମାଲିକ ତେଜପାଲ ସିଂହଙ୍କୁ ଲିଜ ଦେଇଥିଲେ । ଲିଜର ଉଦେ୍ଦଶ୍ୟ ଥିଲା ଶିଳ୍ପ କରିବା । ଛୋଟ ଜଙ୍ଗଲ କିସମର ଏହି ଜମିରେ ଶଳ୍ପ ହୋଇଥିଲା । ମାତ୍ର ଏବେ ସେହି ଲିଜ ଜମିର କିସମ ବଦଳାଇ ଦିଆଯାଇଛି । ଜମିର କିସମ ଏବେ ଘରବାଡ଼ି ହୋଇଯାଇଛି । ଜମିର ସ୍ୱତ୍ୱ ବି ଶିଳ୍ପ ପାଇଁ ଲିଜ କାଟି ସ୍ଥିତିବାନ କରାଯାଇଛି । ରାଜସ୍ୱ ବିଭାଗର ଅଧିକାରୀମାନେ ଚଞ୍ଚକତା କରି ଏପରି କରିବା ପରେ ଅର୍ବାନ ମାଜେଷ୍ଟି ବିଲ୍ଡର ବିଭିନ୍ନ ସଂସ୍ଥାରୁ ଅନୁମୋଦନ ପାଇବାରେ ସଫଳ ହୋଇଛନ୍ତି ।

ଏବେ ସେଠାରେ ୧୫୦୦କୋଟିର ଆପାର୍ଟମେଣ୍ଟ ଚାଲିଛି । ଏନେଇ ଅଭିଯୋଗ ହୋଇଥିଲା । ଦ କୁଇଭର ଏପରି ବଡ଼ ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ କରିଥିଲା । ବିଲ୍ଡରଙ୍କ ପଛରେ ଥିବା ପୁରୁଖା ଚାଟାର୍ଡ ଆକାଉଣ୍ଟାଣ୍ଟ କାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧରି ଏହି ବେଆଇନ କାମ କରିବାକୁ ବଳ ପାଇଥିବା କୁହାଗଲା । ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଅଫିସରମାନେ ଏହି ଦୁର୍ନୀତିକୁ କିପରି ନିୟମିତ କରିବେ ସେଥିରେ ଲାଗିଥିଲେ । ଆଉ ତାହା ହିଁ କଲେ । ଜମିର କିସମ ଓ ସ୍ୱତ୍ୱ ପରିବର୍ତ୍ତନରେ ହୋଇଥିବା ବେଆଇନକୁ ନିୟମ ଅନୁଯାୟୀ ରଦ୍ଦ କରିବା ପରିବର୍ତ୍ତେ ହଠାତ ରଦ୍ଦ କରିଦେଲେ । ଯାହାକୁ ନେଇ ବିଲ୍ଡର ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ହାଇକୋର୍ଟ ମାମଲାକୁ ଜିଏକୁ ପଠାଇ ଆଇନ ଅନୁଯାୟୀ ବିଚାର କରିବାକୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏବେ ସାଧାରଣ ପ୍ରଶାସନ ବିଭାଗ ହାତ ଯୋଡ଼ି ବସିଗଲା ।

ଏହାରି ମଧ୍ୟରେ କାଳେ ବିଲ୍ଡର ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଡିଲ ହୋଇଥିବା କୁହାଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ମୁଖ୍ୟମନ୍ତ୍ରୀ ସେହି ବିଲ୍ଡରକୁ ସୁରକ୍ଷା ଦେବାକୁ କାଗଜପତ୍ରରେ କାରସାଦି କରିବାକୁ ବି କହିଥିବା ଚର୍ଚ୍ଚା ହେଉଛି । ଯାହାଫଳରେ ବେଆଇନ ଆପାର୍ଟମେଣ୍ଟ କାମ ପୁଣି ଆରମ୍ଭ ହେଲାଣି । ହାଇକୋର୍ଟଙ୍କ ନିଦେ୍ର୍ଦଶର ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ନୀରବ ବସିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଦୁଇଜଣ ଅଫିସର ସେହି ଆପାର୍ଟମେଣ୍ଟରେ ୪ଟି ବଡ଼ ବଡ଼ ଫ୍ଲାଟ ଯାହାର ମୂଲ୍ୟ ୫କୋଟି ଟଙ୍କା ହେବ ନେବେ ବୋଲି ମୂଲଚାଲ ହୋଇଥିବା ଚର୍ଚ୍ଚା ହେଲାଣି । ଏହାବ୍ୟତୀତ ସାଧାରଣ ପ୍ରଶାସନ ବିଭାଗର କିଛି ବାବୁ ୧୦କୋଟି ଟଙ୍କା ନେବେ ବୋଲି କୁହାଯାଉଛି । ରାଜସ୍ୱ ବିଭାଗର ତହସିଲଦାରଙ୍କ ଠୁ ଜିଲ୍ଲାପାଳ ଓ ରାଜସ୍ୱ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଗ ନେଇ ମୂଲ୍ୟବାନ ସରକାରୀ ଜମି ବିଲ୍ଡରଙ୍କ ହାତରେ ଟେକି ଦେବାକୁ ଯୋଜନା କରାଯାଇଛି । ଯାହାକୁ ନେଇ ମୋହନଙ୍କ ସାଧୁତା ଉପରେ ପ୍ରଶ୍ନ ଉଠିଲାଣି । ଦେଖାଯାଉ ମୋହନ ସରକାର ଏପରି ଦୁର୍ନୀତିଖୋର ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ବିଲ୍ଡରଙ୍କ ଆଗରେ ମୁଣ୍ଡ ମାଡ଼ି ଉଠୁଥିବା ଅଭିଯୋଗ ସତ ବୋଲି ପ୍ରମାଣିତ କରୁଛନ୍ତି?


State

ବ୍ରହ୍ମପୁର ଟ୍ରାଫିକ ପୋଲିସ ଡିୟୁଟି ସମୟରେ ପିନ୍ଧିବେ ବଡ଼ି କ୍ୟାମେରା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଭୁବନେଶ୍ୱର ପରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ପରିଧାନ କରିବେ ବଡ଼ି କ୍ୟାମେରା । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ପୋଲିସ ପକ୍ଷରୁ ୫ ଟି ବଡ଼ି କ୍ୟାମେରା କୁ କାର୍ଯ୍ୟକାରୀ କରାଯାଇଛି । ଏ ନେଇ ବ୍ରହ୍ମପୁର ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରିଛନ୍ତି ଏସପି ଡ଼ା,ଶ୍ରବଣା ବିବେକ ଏମ୍ । ଆଜି ଠାରୁ ଗୋପାଳପୁର ରେ ଗୋଟିଏ ଏବଂ ବ୍ରହ୍ମପୁର ସହରର ୪ ଗୋଟି ସ୍ଥାନରେ ପର୍ଯ୍ୟାୟ କ୍ରମେ କ୍ୟାମେରା ପରିଧାନ କରିଥିବା ଟ୍ରାଫିକ ପୋଲିସ ଯାଞ୍ଚ୍ କରିବ । ଏହି କ୍ୟାମେରା ୧୨୦ ଡିଗ୍ରୀ ପରିସୀମା ମଧ୍ୟରେ ଭିଡିଓ ରେକର୍ଡ କରିବା କ୍ଷମତା ରଖିଛି । ଏହି କ୍ୟାମେରା ରେ ୬ ଘଣ୍ଟା ପର୍ଯ୍ୟନ୍ତ ରେକର୍ଡ ହୋଇପାରିବ ଏବଂ ପ୍ରତି ୩ ଘଣ୍ଟାରେ ଏହାକୁ ଚାର୍ଜ କରିବାକୁ ପଡ଼ିବ ବୋଲି ଏସପି ସୂଚନା ପ୍ରଦାନ କରିଛନ୍ତି । ଯାଞ୍ଚ୍ ସମୟରେ ସ୍ବଚ୍ଛତା ରଖିବାକୁ ବ୍ରହ୍ମପୁର ପୋଲିସ ର ଏହି ପ୍ରୟାସ କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

State

ହିତାଧିକାରୀଙ୍କୁ ୩ମାସର ଚାଉଳ ଆଗୁଆ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ। ରାଜ୍ୟ ସରକାର ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ଇ-ଶ୍ରମିକରେ ପଞ୍ଜୀକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବା ବେଳେ ଆଉ ୧ଲକ୍ଷ ୩୧ ହଜାର ଶ୍ରମିକ ବାକି ରହିଛନ୍ତି। ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ସରକାର ବଦଳିବା ପରେ ଗତ ଅଗଷ୍ଟ ମାସ ଠାରୁ ଇ-କେୱାଇସି ଆରମ୍ଭ ହୋଇଛି। ଏହାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଇ-କେୱାଇସି ନଭରିଲେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳିବନି ବୋଲି ସରକାର ଚେତାବନୀ ଦେଇଛନ୍ତି। ରାଜ୍ୟରେ ଏବେ ଇ-କେୱାଇସି ଜାରି ରହିଛି। ହିତାଧିକାରୀମାନେ ଏଥିପାଇଁ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲାଇନ ଲଗାଉଛନ୍ତି।

Politics

ବ୍ରଜରାଜନଗରକୁ ବରବାଦ କରିଦେବେ

Blog Thumbnail

ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରକୁ ବରବାଦ କରିଦେବେ । ଧାନ କ୍ଷେତରୁ ଜଳାଶୟ, ଭାତ ହାଣ୍ଡିରୁ ଦେଇପିଣ୍ଡି ସବୁଠି ଭରି ଯାଉଛି ପାଉଁଶ ଆଉ ପାଉଁଶ । ରାସ୍ତାରେ ଉଡ଼ୁଛି, ନିଶ୍ୱାସରେ ଦେହକୁ ଯାଉଛି । ପୂରା ବ୍ରଜରାଜନଗରକୁ ବରବାଦ କରିଦେଲାଣି ବେଦାନ୍ତ କମ୍ପାନୀର ପାଉଁଶ । ଏହି ପାଉଁଶ ଢ଼ାଳିବାକୁ କାଳେ ସ୍ଥାନୀୟ ବିଧାୟକ ବା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ହୋଇଛି ବଡ଼ ଡିଲ । ୪ଲକ୍ଷ ଲୋକଙ୍କ ଜୀବନକୁ ବିପନ୍ନ କରିବା ପାଇଁ ସୁରେଶ ତାଙ୍କ ଇମାନକୁ ୧୦୦କୋଟିରେ ବିକିଛନ୍ତି । ୫ବର୍ଷ ପାଇଁ ଏହି ରେଟ ଛିଣ୍ଡିଥିବା କୁହାଯାଉଛି । କମ୍ପାନୀକୁ ସମର୍ଥନ କରିବା ପାଇଁ ଏତେବଡ଼ କାରବାର କରାଯାଇଥିବା କୁହାଯାଉଛି । କାଳେ ସୁରେଶଙ୍କ ଡିଲ ପରେ ସେ ସହମତ ହେବାରୁ ବେଦାନ୍ତର ପାଉଁଶ ବ୍ରଜରାଜନଗରରେ ପଡ଼ୁଛି ।

ବେଦାନ୍ତର ଫ୍ଲାଏ ଆସ ବା ପାଉଁଶ ବେଦାନ୍ତ ପାଇଁ ବୋଝ ହେଲାଣି । ବେଦାନ୍ତର ନିଜସ୍ୱ ଆସପଣ୍ଡରେ ପାଉଁଶ ରଖିବାକୁ ସ୍ଥାନ ନାହିଁ । ବାରମ୍ବାର ପଣ୍ଡ ଭାଙ୍ଗି ଆଖପାଖ ଅଞ୍ଚଳକୁ ନାରଖାର କରୁଛି । ପୂର୍ବରୁ ଝାରସୁଗୁଡ଼ାରେ ପାଉଁଶ ପକାଉଥିଲା ବେଦାନ୍ତ । ପାଉଁଶ ପକାଇବା କାମ କରୁଥିଲା କଲ୍ୟାଣୀ ଟ୍ରାନ୍ସପୋର୍ଟ । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ସହ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ସହ କାଳେ ଡିଲ ଥିବାରୁ ଝାରସୁଗୁଡ଼ାକୁ ବରବାଦ କରାଯାଉଥିଲା । ଏପରିକି ପରେ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ସହ ବି ସେହି ଡିଲ ହୋଇ ଚାଲିଲା । ସେତେବେଳେ ସମୟରେ ବିରୋଧୀ ଦଳରେ ଥିବା ବର୍ତ୍ତମାନର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବି ବେଦାନ୍ତ ସହ ଡିଲ କରି ତୁଣ୍ଡି ବାନ୍ଧିଥିଲେ । ଏବେ ବିଧାୟକ ହେବା ପରେ ସେ ଉଁ ଚୁଁ କରିଛନ୍ତି । ତେଣୁ ଝାରସୁଗୁଡ଼ାରେ ପାଉଁଶ ଫିଙ୍ଗା ବନ୍ଦ କରିଛି କମ୍ପାନୀ ।

ତେଣୁ କଲ୍ୟାଣି ଟ୍ରାନ୍ସପୋର୍ଟ ବ୍ରଜରାଜନଗର ଉପରେ ପକାଇଛି କୁଦୃଷ୍ଟି । ସେଠାରେ ପାଉଁଶ ଗଦା କରିବାକୁ ଯୋଜନା କରିଛି । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ହେଲେ କମ୍ପାନୀ କାଳେ ଡିଲ କରିଛି ସେଠାକାର ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ । ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ କମ୍ପାନୀ ବ୍ରଜରାଜନଗରରେ ପାଉଁଶ ପକାଇବ । ସେଥିପାଇଁ ୧୦୦କୋଟି ଟଙ୍କାର ଡିଲ କରିଛି । ଡିଲ ପରେ ବ୍ରଜରାଜନଗରରେ ପଡ଼ୁଛି ପାଉଁଶ । ନାରଖାର ହେଉଛି ଲୋକଙ୍କ ଜମି ଜମା । ଘରେ ବି ପାଉଁଶ ପଶୁଛି । ଗଛ ଲତା ହେଉ କି ରାସ୍ତା ଘାଟ ସବୁଠି ପାଉଁଶ ଭରି ଯାଉଛି । ଲୋକେ ନିଶ୍ୱାସରେ ନେଉଛନ୍ତି ବିଷ ।

ନେତାଙ୍କୁ ଟଙ୍କା ଦେଇ କମ୍ପାନୀ ବ୍ରଜରାଜନଗର ଅଞ୍ଚଳରେ ବିଷ ଭରି ଚାଲିଛି । ଏହାକୁ ବିରୋଧ କଲେ ବି କେହି ଶୁଣିବାର ନାହିଁ । ଏପରି କାର୍ଯ୍ୟକୁ ନେଇ ଏବେ ତାତିଲେଣି ଲୋକେ । ପରିବେଶ ସହ କମ୍ପାନୀର ଏହି ଖେଳ ସମ୍ପର୍କରେ ଲଗାତର ଖବର ପ୍ରକାଶ କରିବ ଦ କୁଇଭର । ଦେଖାଇବ ନେତା ଓ କମ୍ପାନୀ ମଧ୍ୟରେ ହୋଇଥିବା ଡିଲ । ପାଉଁଶ ପକାଉଥିବା କଲ୍ୟାଣୀ ଟ୍ରାନ୍ସପୋର୍ଟର ସବୁ ଗୁମର ଖୋଲିବୁ । ଖୋଲିବୁ କେଉଁ କେଉଁ ନେତା ଝାରସୁଗୁଡ଼ା ଜିଲ୍ଲା ସହ କରୁଛନ୍ତି ବିଶ୍ୱାସଘାତ । ପରିବେଶ ପାଇଁ ଦ କୁଇଭର ତାର ଲଢ଼େଇ ଜାରି ରଖିବ ।


Politics

ମୁଖ୍ୟମନ୍ତ୍ରୀଙ୍କ ନାକତଳେ ନାରଖାର

Blog Thumbnail

ଭୁବନେଶ୍ୱର(ଦ କୁଇଭର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାକ ତଳେ ଚାଲିଛି ନାରଖାର । ସବୁଜିମାରେ ଭରପୁର ଶିଖରଚଣ୍ଡି ପାହାଡ଼କୁ ଧ୍ୱସ୍ତ ବିଧ୍ୱସ୍ତ କରାଯାଉଛି । ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟସ୍ଥଳୀକୁ ବରବାଦ କରିଦେଇଥିବା ସରକାର ପ୍ରାକୃତିକ ଐତିହ୍ୟସ୍ଥଳୀ ଶିଖରଚଣ୍ଡି ପାହାଡ଼କୁ ବି ଗିଳିଦେବାକୁ ବସିଛନ୍ତି । ଏଠାରେ ପାନୀୟଜଳ ପ୍ରକଳ୍ପ ନାମରେ ଚାଲିଛି ଧ୍ୱଂସଲୀଳା । ଏଏସଆଇ କିମ୍ବା ଐତିହ୍ୟ ସଂରକ୍ଷଣ ସେଲ ଠାରୁ କୌଣସି ଅନୁମୋଦନ ନିଆଯିବା ତ ଦୂରର କଥା ଆବେଦନ ବି କରାଯାଇ ନାହିଁ । ଏକାଧିକ ଏନଓସି ବିନା ଏଠାରେ ପ୍ରକଳ୍ପ କରିବାକୁ କେଉଁ ଅଫିସର ଅନୁମତି ଦେଲେ? କେମିତି ଅର୍ଥ ବିଭାଗ ଖର୍ଚ୍ଚର ଅନୁମୋଦନ ଦେଲା ସେନେଇ ଉଠିଛି ପ୍ରଶ୍ନ । ରାମାୟଣର ସନ୍ତକ ବହନ କରୁଥିବା ଏହି ପାହାଡ଼କୁ ହଜାଇ ଦେବାକୁ ଅଫିସରୀ ଷଡ଼ଯନ୍ତ୍ର ଚାଲିଥିବା କୁହାଯାଉଛି

ଶିଖରଚଣ୍ଡୀ ପାହାଡ଼ ହେଉଛି ଏକ ପ୍ରାକୃତିକ ଐତିହ୍ୟ । କିମ୍ବଦନ୍ତୀ କୁହେ ଏଠାରେ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣ ବନବାସ ସମୟରେ ସେଠାରେ ରାତ୍ରୀ ଯାପନ କରିଥିଲେ । କେବଳ ସେତିକି ନୁହେଁ, ପାହାଡ଼ ନିକଟରେ ଗୁମ୍ଫାରେ ପାଣ୍ଡବ ବନବାସ ସମୟରେ ରହିଥିଲେ । ଏଠାରେ ୬ହାତ ବିଶିଷ୍ଟ ଦେବୀ ପୂଜା ପାଆନ୍ତି । ଏହି ପାହାଡ଼ର ପୌରାଣିକ ଐତିହ୍ୟକୁ ଗଜପତି ମୁକୁନ୍ଦଦେବ ଆବିଷ୍କାର କରିଥିଲେ । ଏହା ଏକ ପୁରାତନ ଐତିହ୍ୟ ବୋଲି ପରିଚିତି ରଖିଛି ।

ଏଠାରେ କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ଏଏସଆଇ ବା ମନୁମେଣ୍ଟ ସେଲର ଅନୁମୋଦନ ଆବଶ୍ୟକ । ହେଲେ ଏଠାରେ ମନଇଚ୍ଛା କାମ ଚାଲିଛି । କେତେବେଳେ ଗଛ କାଟି ପଦା କରିଦିଆଯାଉଛି ତ ଆଉ କେତେବେଳେ ପ୍ରକଳ୍ପ ନାମରେ ପାହାଡ଼ ଭାଙ୍ଗି ନାରଖାର କରାଯାଉଛି । ସରକାରଙ୍କ ମନମୂଖୀ କାର୍ଯ୍ୟ ସେହି ଐତିହ୍ୟକୁ ନିଶ୍ଛିନ୍ନ କରିବା ପାଇଁ ବାଟ କଢ଼ାଉଛି । ସରକାରଙ୍କ ଅଦୂରଦର୍ଶୀତା ଏବଂ ଅଫିସରଙ୍କର ଚାମଚାଗିରି କାମ ଯୋଗୁ ଏହି ପାହାଡ଼ ବରବାଦ ହେବାକୁ ବସିଲାଣି ।

ପ୍ରଥମେ ଏଠାରେ ପ୍ରକଳ୍ପ କରିବାକୁ ଏଏସଆଇର ଅନୁମତି ନିଆଯାଇ ନଥିଲା । ଏବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ମନୁମେଣ୍ଟ ସେଲକୁ ଅନୁମୋଦନ ପାଇଁ ଆବେଦନ ବି କରାଯାଇ ନାହିଁ । ଏକ ଐତିହ୍ୟ ପାହାଡ଼ ଉପରେ ପ୍ରକଳ୍ପ କରିବା ପୂର୍ବରୁ ଅନୁମୋଦନ ନନେବା ପୂର୍ବର ନବୀନ ସରକାରଙ୍କ ଐତିହ୍ୟ ଧ୍ୱଂସ ନୀତିକୁ ସ୍ପଷ୍ଟ କରୁଛି । ପୂର୍ବରୁ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନିର୍ମାଣ ପାଇଁ ଏଏସଆଇ ଏବଂ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନିଆଯାଇ ନଥିଲା । ମନଇଚ୍ଛା ଡିପିଆର ପ୍ରସ୍ତୁତ କରି କାମ ହେଉଥିଲା ।

ଏହାକୁ ଏମପି ଅପରାଜିତା ଷଢ଼ଙ୍ଗୀ ବିରୋଧ କରିବା ପରେ ଡିପିଆର ବଦଳିଲା । ଉପଯୁକ୍ତ ଅନୁମୋଦନ ପରେ କାମ କରାଗଲା । ତଥାପି ଅନେକ ଧ୍ୱଂସ କରିଦିଆଯାଇଥିବା ଏବେ ଚେତୁଛି ବିଜେପି ସରକାର । ଐତିହ୍ୟ ସମ୍ପନ୍ନ ଶିଖରଚଣ୍ଡି ପାହାଡ଼ ଉପରେ ସରକାରୀ ଅତ୍ୟାଚାର ବିରୋଧରେ କିନ୍ତୁ ଏବେ ମୁହଁ ଖୋଲୁ ନାହାନ୍ତି ଏମପି ଅପରାଜିତା । ବିଜେପି ସରକାର ଥିବାରୁ ଅପରାଜିତାଙ୍କ ମୁହଁ ବନ୍ଦ ହୋଇଯାଇଛି କି? ଏପରି ପ୍ରଶ୍ନ ଜୋର ଧରିଲାଣି । ଦେଖାଯାଉ ଏହି ଐତିହ୍ୟପୂର୍ଣ୍ଣ ପାହାଡ଼ ତଥା ପୌରାଣିକ ସନ୍ତକ ବହନ କରୁଥିବା ଶିଖରଚଣ୍ଡି ପାହାଡ଼ର ସୁରକ୍ଷା ପାଇଁ ସରକାର ଆଗକୁ ଆସୁଛନ୍ତି ନା ଅଫିସରଙ୍କ ଗପରେ ଭେଳି ଚୁପ ରହୁଛନ୍ତି?


State

ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା

Blog Thumbnail

ବରଗଡ଼ ( ଦ କୁଇଭର ):- ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ। ଚଳିତ ବର୍ଷ ୮୦ ଲକ୍ଷ ଟନ୍‌ ଧାନ କିଣିବାକୁ ମନ୍ତ୍ରିସ୍ତରୀୟ ବୈଠକରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍‌ ଋତୁରେ ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ।


ଚଳିତ ବର୍ଷ ୮୦ ଲକ୍ଷ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ମୋଟ ୩୧୦୦ ଟଙ୍କାରେ ଧାନ ବିକ୍ରି କରିବେ ଚାଷୀ।ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରକ୍ରିୟା ଶେଷ ହେବାଯାଏଁ ମଣ୍ଡିରେ ରହିବେ ବିଭାଗୀୟ ଅଧିକାରୀ। ୪ରୁ ୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜର ରହିବେ। ସବୁ ମଣ୍ଡିରେ ଧାନର ମାନ ଯାଞ୍ଚ କରିବା ପାଇଁ କ୍ୱାଲିଟି ଟେଷ୍ଟିଂ ମେସିନ ରହିବ। ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥାର ତଦାରଖ କରିବ ପରିବହନ ବିଭାଗ। ସେହିଭଳି ପଡ଼ୋଶୀ ରାଜ୍ୟରୁ ଯେପରି ଧାନ ଓଡ଼ିଶାକୁ ପ୍ରବେଶ ନକରେ, ସେଥିପାଇଁ ପାଟ୍ରୋଲିଂ ଟିମ ମୁତୟନ କରାଯିବ। ଚାଷୀଙ୍କ ସୁରକ୍ଷା ସହ କଟଣିଛଟଣି ମୁକ୍ତ ଧାନ କିଣା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

National

ଗଭୀର ଖାଲକୁ ଖସିଲୀ ବସ୍; ୩୬ରୁ ଉର୍ଦ୍ଧ୍ବ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ :- ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜ୍ୟର ଅଲମୋଡା-ସଲ୍ଟ ଅଞ୍ଚଳରେ ଏକ ବଡ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍ ଟି ମର୍ଚୁଲା ନିକଟ କୁପିରେ ଏକ ଗଭୀର ଖାଲରେ ପଡ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ୩୬ ଯାତ୍ରୀଙ୍କ ମୃତଦେହ ଖାଇରୁ ଉଦ୍ଧାର କରାଯାଇଛି ।


ମିଳିଥିବା ସୂଚନା ଅନୁସାରେ, ଏହି ବସ୍ ଟି ୪୬ ଜଣ ଯାତ୍ରୀମାଙ୍କୁ ନେଇ ପୌଡି ଜିଲ୍ଲାରୁ ରାମନଗର ଅଭିମୁଖେ ଆସୁଥିଲା । ଏହି ସମୟରେ ବସ୍ ଟି କୁପି ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡିଥିଲା ।ଖବରପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ନୈନିତାଲ ଜିଲ୍ଲା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଉଛି ।


ଅନ୍ୟପଟେ ଏହି ଘଟଣାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି – ଅଲମୋଡା ଜିଲ୍ଲାର ମାର୍ଚ୍ଚୁଲାରେ ଘଟିଥିବା ବସ୍ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଶୀଘ୍ର ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।


ଏହା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସାଢେ ୪ ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତଙ୍କ ଚିକିତ୍ସା ନିମନ୍ତେ ଏକ ଲକ୍ଷ ଟଙ୍କା ରାଶି ଘୋଷଣା କରିଛନ୍ତି ।

Shree Jagannath,International

ଅଦିନିଆ ରଥଯାତ୍ରା ବନ୍ଦ କଲା ଇସ୍କନ

Blog Thumbnail

ଦ କୁଇଭର ବ୍ୟୁରୋ :-:ଇସ୍କନ ବନ୍ଦ କଲା ଅଦିନିଆ ରଥଯାତ୍ରା । ପ୍ରବଳ ବିରୋଧ ପରେ ନରମିଲା ‘ଇସ୍କନ’। ଆମେରିକା ହ୍ୟୁଷ୍ଟନରେ ଆସନ୍ତା ୯ ତାରିଖ ହେବାକୁ ଥିବା ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରାରୁ ଓହରିଛି ଇସ୍କନ । ଅଦିନିଆ ରଥଯାତ୍ରା ଆଉ କରିବ ନାହିଁ ବୋଲି କହିଛି । ହେଲେ ଇସ୍କନ ୱେବ ସାଇଟରୁ ଏହା ହଟି ନାହିଁ । ଇସ୍କନର ଆଦିନିଆ ରଥଯାତ୍ରାକୁ ନେଇ ତୀବ୍ର ପ୍ରକାଶ ପାଇଥିଲା । ଭକ୍ତ ମାନେ ଇସ୍କନକୁ ଚେତାବନୀ ଦେଇଥିଲେ । ଗଜପତିଵି ଚିଠି ଲେଖିଥିଲେ,ଆଉ କହିଲେ ବରଦାସ୍ତ କରିବୁନି । ସବୁଠି ପତିକ୍ରିୟା ବଢ଼ିଲା । ଇସ୍କନକୁ ପୁରୀକୁ ପୁରାଇ ନ ଦେବାକୁ ଇସ୍କନ କାଳେ ଡ଼ରିଛି । ପ୍ରସ୍ତାବିତ ଅଦିନିଆ ରଥଯାତ୍ରାକୁ ରଦ୍ଦ କରିଥିବା ସୂଚନା ମିଳିଛି । ଦେଖାଯାଉ ଇସ୍କନ ସୁଧୁରୁଛି ନା ପୁଣି କେଉଁଠି କାଣ୍ଡ ଭିଆଉଛି ।

Sports

ଏକାଠି ନଜର ଆସିବେ କୋହଲି ଆଉ ବାବର

Blog Thumbnail

ଦ କୁଇଭର ବ୍ୟୁରୋ :-:ବର୍ତମାନ ଗୋଟିଏ ଟିମରେ ନଜର ଆସିବେ ଭାରତ ଆଉ ପାକିସ୍ତାନର ଖେଳାଳି । ଭାରତ-ପାକିସ୍ତାନର ଖେଳାଳିଙ୍କୁ ମିଶେଇ ଗଢାଯିବ ଗୋଟିଏ ଟିମ୍ । ଆଉ ଏହି ଟିମ୍ ଅନ୍ୟ ଟିମ୍ ବିରୋଧରେ ଖେଳିବ କ୍ରିକେଟ୍ ମ୍ୟାଚ୍ । କଥାଟି ଆପଣଙ୍କୁ ଅଜବ ଲାଗିଲେ ବି ସତ । ଗୋଟିଏ ଟିମରେ ନଜର ଆସିବେ ଭାରତ ଆଉ ପାକିସ୍ତାନ ଉଭୟ ଦେଶର ଖେଳାଳି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ । ବହୁ ଦିନ ଧରି ବନ୍ଦ ରହିଥିବା ଆଫ୍ରୋ-ଏସିଆ କପକୁ ପୁଣିଥରେ ଆରମ୍ଭ କରିବାକୁ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ ଅଣ୍ଟା ଭିଡିଛି । ଯାହା ପରେ ଏଭଳି କିଛି ଚର୍ଚ୍ଚା ସୋସିଆଲ୍ ମିଡିଆରେ ଜୋର୍ ଧରିଛି ।


ଅନେକ ସମୟରେ ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଆଉ ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ବାବର ଆଜମ୍ ଗୋଟିଏ ଟିମରେ ଖେଳିବା ନେଇ ଚର୍ଚ୍ଚା ହୁଏ । ସେହିପରି ମହମ୍ମଦ ସାମି, ଜଶପ୍ରୀତ ବୁମରାଙ୍କ ସହ ପାକିସ୍ତାନର ଫାଷ୍ଟ ବୋଲର କେବେ ଏକାଠି ହେଇ ଖେଳିବେ ବୋଲି ଅନେକ ପ୍ରଶ୍ନ କରନ୍ତି । ହେଲେ ଏବେ ଏହି ସବୁ ଚର୍ଚ୍ଚା ସତ ହେବାକୁ ଯାଉଛି । ଯଦି ଆଫ୍ରିକା କ୍ରିକେଟ୍ ଆସୋସିଏସନର ଏହି ଉଦ୍ୟମ ସତରେ ପରିଣତ ହୁଏ । ତେବେ ଏକାଠି ନଜର ଆସିବା ସହ ଗୋଟିଏ ଟିମରୁ ମ୍ୟାଚ୍ ଖେଳିପାରନ୍ତି ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ।

State

ଲଷ୍ମୀ ବସ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ

Blog Thumbnail

ରାଜନଗର(ଦ କୁଇଭର): ବିଧାୟକଙ୍କ ସମର୍ଥକ ବୋଲି ବିଚ ରାସ୍ତାରେ କଲେ ଦାଦାଗିରି । କେବଳ ଦାଦାଗିରି ନୁହେଁ, ଲଷ୍ମୀ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ବସରୁ ଭିଡ଼ି ନେଇ ନିସ୍ତୁକ ପିଟିଲେ । ମାଡ଼ ମାରି ଧମକ ବି ଦେଲେ । କିଏ କ’ଣ କରିବ ବୋଲି ବି ଚ୍ୟାଲେଞ୍ଜ କଲେ । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଖାସ ଲୋକ ବୋଲି ଏପରି କରିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କୁ କାଳେ ସ୍ଥାନୀୟ ପୋଲିସ ବି ସୁରକ୍ଷା ଦେଉଛି ।

ରାଜନଗରରୁ ତାଳଚୁଆକୁ ଯାଉଥିଲା ଲଷ୍ମୀ ବସ । ରାଜନଗର ଠାରୁ ୩କିଲୋମିଟର କଣି ଛକ ନିକଟରେ ବସ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକରେ ଦୁଇଜଣ ଯୁବକ ଆସି ବସ ପାଖରେ ଘସି ହୋଇ ଯାଉଥିଲେ । ଏଥିରେ ଗାଡ଼ି ଚାଳକ ତାଙ୍କୁ ବାରଣ କରିଥିଲେ । କାଳେ କିଛି ଅଘଟଣ ହେବ ବୋଲି ତାଙ୍କୁ କହିବା ବେଳେ ସମ୍ପୃକ୍ତ ଯୁବକ ଦୁଇଜଣ ତାଙ୍କ ମାଲିକଙ୍କୁ ଫୋନରେ କହିଲେ । ସେପଟୁ ମାଲିକ ବାବୁ ଆସି ସିଧା ଲଷ୍ମୀ ବସରୁ ଗାଡ଼ି ଚାଳକଙ୍କୁ ଟାଣି ନେଇ ପିଟିଲେ । ଏହାକୁ ନେଇ ଯାତ୍ରୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର ସ୍ଥାନୀୟ ବିଧାୟକଙ୍କ ବାହୁବଳୀ ସମର୍ଥକ ହୋଇଥିବାରୁ ସମସ୍ତେ ନୀରବ ରହିଲେ । ଅନ୍ୟପକ୍ଷରେ ଲଷ୍ମୀ ବସ ଚାଳକ କାଳେ ବେପରୁଆ ଭାବେ ଗାଡ଼ି ଚଳାଉଥିବାରୁ ବାଇକ ଚାଳକ ତାଙ୍କ ମାଲିକଙ୍କୁ କହିବାରୁ ସେ ଆସି ଆକ୍ରମଣ କରିଥିବା କୁହାଯାଉଛି । ଏନେଇ ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ ।


Shree Jagannath

ପାଞ୍ଜି ଦ୍ୱନ୍ଦ୍ୱକୁ ନେଇ ପୁରୀରେ ବସିବ ପଞ୍ଜିକା ସମନ୍ଵୟ ବୈଠକ

Blog Thumbnail

ପୁରୀ, ( ଦ କୁଇଭର ):- ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରେ ବସିବ ଚଳିତବର୍ଷର ପଞ୍ଜିକା ସମନ୍ଵୟ ବୈଠକ। ରାଜ୍ୟର ସମସ୍ତ ପଞ୍ଜିକାରମାନଙ୍କୁ ନିଜର ପାଣ୍ଡୁଲିପି ଦାଖଲ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ସମସ୍ତ ପଞ୍ଜିକାରେ ଶ୍ରୀମନ୍ଦିରରେ ପାଳନ ହେଉଥିବା ପର୍ବ ପର୍ବାଣୀ ସମ୍ପର୍କିତ ତଥ୍ୟରେ ସମନ୍ଵୟ ରଖିବାକୁ ଅନୁରୋଧ କରାଯାଇଅଛି । ସମସ୍ତ ପାଣ୍ଡୁଲିପିର ସମୀକ୍ଷା ପରେ ଆବଶ୍ୟକୀୟ ସଂଶୋଧନ କରାଯିବ । ତେବେ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସମୀକରଣ ବୈଠକ କରାଯାଏ । ଅନେକ ସମୟରେ ଦ୍ଵନ୍ଦ ଦେଖାଯିବା ସହ ତିଥିକୁ ନେଇ ବିଭିନ୍ନ ପଞ୍ଜିକାରେ ଦ୍ୱିମତ ରହୁଛି। ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଓ ଦୀପାବଳିକୁ ନେଇ ଭିନ୍ନଭିନ୍ନ ପାଞ୍ଜିରେ ଭିନ୍ନଭିନ୍ନ ତଥ୍ୟ ରହିଥିଲା । ଯାହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଥିଲା । ଲୋକେ ଦୁଇ ଦିନ ଧରି ପାଳନ କରିଛନ୍ତି ।

National,State

ଚର୍ଚ୍ଚାରେ ଫିଲ୍ମ 'ସିଙ୍ଘମ ଏଗେନ

Blog Thumbnail

ଦ କୁଇଭର ବ୍ୟୁରୋ :- ଚର୍ଚ୍ଚାରେ ଫିଲ୍ମ 'ସିଙ୍ଘମ ଏଗେନ'। ନଭେମ୍ବର ୧ରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ମାତ୍ର ୩ଦିନ ମଧ୍ୟରେ ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ଏପର୍ଯ୍ୟନ୍ତ ଫିଲ୍ମଟି ୧୨୧କୋଟି ଆୟ କରିସାରିଲାଣି।ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସିଙ୍ଘମ ଏଗେନ' ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅକ୍ଷୟ କୁମାର, କରୀନା କପୁର, ରଣବୀର ସିଂ, ଟାଇଗର ଶ୍ରଫ୍, ସଲମାନ ଖାନ, ଦୀପିକା ପାଦୁକୋନ ଏବଂ ଅର୍ଜୁନ କପୁରଙ୍କ ଭଳି ଅନେକ ବଡ ତାରକା ନଜର ଆସିଛନ୍ତି। ଫିଲ୍ମର ଟିଜର ଓ ଟ୍ରେଲର ଦେଖିବା ପ‌ରେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି କୁହାଯାଉଥିବା ବେଳେ ରିଲିଜ୍ ପରେ ତିନି ଦିନ ମଧ୍ୟରେ ଫିଲ୍ମଟି ୧୨୧ କୋଟି ଟଙ୍କା ସଂଗ୍ରହ କରିଛି।'ସିଙ୍ଘମ ଏଗେନ' ରିଲିଜ୍ ଦିନ ୪୩.୫ କୋଟି ଟଙ୍କା ରୋଜଗାର କରିଥିଲା ​​| ହେଲେ ଶନିବାର ଦିନ ଫିଲ୍ମର ଆୟରେ ସାମାନ୍ୟ ହ୍ରାସ ଘଟିଥିଲେ ବି ଫିଲ୍ମଟି ପ୍ରାୟ ୪୨.୫ କୋଟି ଟଙ୍କା ସଂଗ୍ରହ କରିଥିଲା। ତୃତୀୟ ଦିନରେ ଏହି ଫିଲ୍ମଟି ୩୫କୋଟି ଟଙ୍କା ରୋଜଗାର କରି ୧୦୦କୋଟି ଟଙ୍କା ଅତିକ୍ରମ କରିଛି।

State

ବାଂଲାଦେଶୀଙ୍କ ଗୁଣ୍ଡାଗିରି

Blog Thumbnail

ରାଜନଗର(ଦ କୁଇଭର): ଗହୀରମଥା ଓ ଭିତର କନିକା ଅଞ୍ଚଳରେ ମାତିଛନ୍ତି ବାଂଲାଦେଶୀ ମତ୍ସ୍ୟଜୀବୀ । ଓଡ଼ିଶାରେ ଜୋର ଜବରଦସ୍ତ ରହୁଛନ୍ତି, ନିଷିଦ୍ଧାଞ୍ଚଳରେ ମାଛ ଧରୁଛନ୍ତି । ବିରୋଧ କଲେ କରୁଛନ୍ତି ଗୁଣ୍ଡାଗିରି । ଘରେ ପଶି ଉଠାଇ ନେଉଛନ୍ତି । ମାଡ଼ ମାରିବା ସହ କୁମ୍ଭୀର ମୁହଁରେ ପକାଇ ଦେବାକୁ ଉଦ୍ୟମ କରୁଛନ୍ତି । ତାଳଚୁଆରେ ଏପରି ଏକ ସ୍ଥିତି ଏବେ ଚର୍ଚ୍ଚାର ବିଷୟ ହୋଇଛି । କେବଳ ବିରୋଧୀ ନୁହନ୍ତି, ବନ ବିଭାଗର ଅଧିକାରୀମାନେ ଯଦି ସେମାନଙ୍କ ବେଆଇନ ମାଛଧରା ଉପରେ ଆପତ୍ତି ଉଠାଉଛନ୍ତି, ସମୁଦ୍ରରେ ହାତଗୋଡ଼ ବାନ୍ଧି ପକାଇ ଦେବାକୁ ଧମକ ଦେଉଛନ୍ତି । ପୋଲିସକୁ ବଟି ଦେଇ ଚଳାଇଛନ୍ତି ଓଡ଼ିଶା ପ୍ରକୃତିକ ସମ୍ପଦର ଲୁଟପାଟ । ଓଡ଼ିଶାରେ ବାଂଲାଦେଶୀଙ୍କ ଏହି ଆତଙ୍କରାଜରେ ଓଡ଼ିଆଙ୍କ ନୀରବତା ଯେତିକି ଚିନ୍ତାଜନକ ତାହାଠୁ ଗମ୍ଭୀର ପ୍ରଶାସନର ବେପରୁଆଭାବ ।

ଗହୀରମଥା ନିଷିଦ୍ଧାଞ୍ଚଳ ଏବଂ ଭିତର କନିକା ଅଭୟାରଣ୍ୟ ଭିତରେ ବେଆଇନ ଭାବେ ମାଛ ଧରୁଛନ୍ତି ବାଂଲାଦେଶୀ ମତ୍ସ୍ୟଜୀବୀ ମାନେ । ଆଲିମ ଜାଲ ପକାଇ ଯାଁଳ ପର୍ଯ୍ୟନ୍ତ ଛାଣି ନେଉଛନ୍ତି । ଫଳରେ ଭିତର କନିକା ଅଭୟାରଣ୍ୟ ଭିତରକୁ ମାଛ ପଶି ପାରୁ ନାହାନ୍ତି । ଯାହାଦ୍ୱାରା ମାଛ ହ୍ରାସ ପାଉଛନ୍ତି । ନିଷିଦ୍ଧାଞ୍ଚଳରେ ମାଛ ମାରିବା ଉପରେ କଟକଣା ରହିଛି । ମାତ୍ର ସେମାନେ ଜୋର ଜବରଦସ୍ତ ମାଛ ଧରୁଛନ୍ତି । ଏଥିରେ ଶହଶହ ଅଲିଭରିଡଲେ କଇଁଚ ଜାଲରେ ପଡ଼ୁଛନ୍ତି । ସେମାନଙ୍କୁ ମାରି ଫିଙ୍ଗି ଦିଆଯାଉଛି । ବାଂଲାଦେଶରୁ ଆସି ଭିତର କନିକାରେ ଅବୈଧ ବାସ କରୁଥିବା ଏହି ମତ୍ସ୍ୟଜୀବୀ ମାନେ ପୋଲିସ ଏବଂ ସ୍ଥାନୀୟ ନେତା ମାନଙ୍କୁ ହାତ କରି ଏପରି ଲୁଟପାଟ ଚଳାଇଛନ୍ତି ।

ନେତାଙ୍କୁ ଭୋଟ ଲୋଭ, ଆଉ ପୋଲିସକୁ କାଳେ ଟଙ୍କା ଦେଇ ଚଳାଇଛନ୍ତି ତାଙ୍କ ଆତଙ୍କରାଜ । ବନ ବିଭାଗର ଅଧିକାରୀମାନେ ବାରଣ କଲେ ବା ବୋଟ ଜବତ କରିବାକୁ ଲାଗିଲେ, ଦେଉଛନ୍ତି ଧମକ । ହାତଗୋଡ଼ ବାନ୍ଧି ସମୁଦ୍ରରେ ପକାଇ ଦେବାକୁ ସମୁଦ୍ର ମଝିରେ ଦେଉଛନ୍ତି ଧମକ । ସେଥିପାଇଁ ସେମାନେ ବି ଭୟରେ କିଛି କହୁ ନାହାନ୍ତି । ଫଳରେ ବାଂଲାଦେଶୀ ମତ୍ସ୍ୟଜୀବୀମାନେ ବିଶ୍ୱ ପରିବେଶକୁ ଧ୍ୱଂସ କରିବା ସହ ଭିତର କନିକା ଏବଂ ବିଭିନ୍ନ ନଦୀକୁ ପଶୁଥିବା ମାଛ ବଂଶକୁ ଲୋପ କରିବାରେ ଲାଗିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକ ମୁହଁ ଖୋଲିଲେ ଆକ୍ରମଣ କରୁଛନ୍ତି । ତାଳଚୁଆର ସର୍ବେଶ୍ୱର ପ୍ରଧାନ ନାମକ ଜଣେ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ରବିବାର ରାତିରେ ତାଙ୍କୁ ଧମକ ଦେଇଥିଲେ । ସୋମବାର ମଧ୍ୟାହ୍ନରେ ୨୦/୨୫ଜଣ ବାଂଲାଦେଶୀ ଓ ସେମାନଙ୍କ ସହଯୋଗୀ ସର୍ବେଶ୍ୱରଙ୍କ ଘରେ ପଶି ଆତଙ୍କରାଜ ସୃଷ୍ଟି କରିଥିଲେ । ତାଙ୍କୁ ଉଠାଇ ନେଇ କୁମ୍ଭୀର ମୁହଁରେ ପକାଇ ଦେବାକୁ ଉଦ୍ୟମ କରୁଥିଲେ । ତାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଏକ କୁମ୍ଭୀରିଆ ନଦୀ କୂଳରୁ ଉଦ୍ଧାର କରିଥିଲା । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତାଳଚୁଆ ଓ ପରେ ରାଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଂଲାଦେଶୀଙ୍କ ଏହି ଦାଦାଗିରି ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ଦେଖାଯାଉ ଏମାନଙ୍କ ଦୌରାତ୍ମ୍ୟକୁ ପ୍ରଶାସନ ରୋକି ପାରୁଛି ନା ଏମାନେ ବିଶ୍ୱ ପରିବେଶ ସହ ଓଡ଼ିଶାକୁ ବରବାଦ କରିବାରେ ସକ୍ଷମ ହେଉଛନ୍ତି?


Business

ଶିଳ୍ପର ଦେଖା ନାହିଁ, ଯୁକ୍ତିରେ ଗଡ଼ାତଡ଼ା

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବାସ୍ତବରେ ରାଜନେତା ଗୁଡ଼ାକ ଭାରି କୁହାଳିଆ । କାମ ଘର ପୂରା ଶୂନ, କଥାରେ ଏମିତି ପବନ ମାରୁଛନ୍ତି ଯେ, ସତେ ଯେମିତି ଏ ଜଗତଟାକୁ ଓଲଟାଇ ଦେବେ । ଆମେ କୌଣସି ନିର୍ଦ୍ଧିଷ୍ଟ ଦଳର ନେତାଙ୍କ କଥା କହୁନାହୁଁ । କଥାରେ ଅଛି ଲଙ୍କାରେ ଯେତକ, ସଭିଏଁ ଅସୁର । ତେଣୁ ସେ ବିଜେଡିର ହୁଅନ୍ତୁ କି ବିଜେପିର ସବୁ ନେତା କେବଳ ଗାଲୁଆମୀରେ ମାଷ୍ଟରଡିଗ୍ରୀ କରିଛନ୍ତି । ଏକଥା ଆମେ ମୋଫତରେ କହୁନାହୁଁ । ଥରେ ଆମ ରାଜ୍ୟର ନେତା ମାନଙ୍କ କଥାକୁ ଦେଖିଲେ ଏହା ସ୍ୱତଃ ସ୍ପଷ୍ଟ ହୋଇଯିବ । କେଡ଼େ ତୁମ୍ବି ତୁଫାନ ମାରୁଥିବା ଏ ନେତାମାନଙ୍କୁ ବାସ୍ତବତା କଥା ପଚାରିଲେ ପେଣ୍ଟ ଢ଼ିଲା ହୋଇଯାଉଛି । ହେଲେ ମୁହଁ ଫୁଟାଣି ଛାଡ଼ୁ ନାହାନ୍ତି ।

ପ୍ରଥମେ ଆସିବା ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ କଥାକୁ । ପ୍ରତାପ ରବିବାର ସୋସିଆଲ ମିଡିଆ ଏକ୍ସରେ ତାଙ୍କର ମତ ଦେଲେ । ସେ ଆଗ ତ ତାଙ୍କ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ବୁହେ ତେଲ ବୋଳି ଦେଇଛନ୍ତି । ଏହାପରେ କହିଛନ୍ତି ଯେ, ନବୀନଙ୍କ ଉଦ୍ୟମରେ ନିପୁନ ଷ୍ଟିଲ କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଆଗକୁ ଆସିଛି । ତାଙ୍କୁ ସବୁ ସହଯୋଗ କରିବା ପାଇଁ ନିଜେ ନବୀନ ପଟ୍ଟନାୟକ ଜାପାନ ଯାଇ ତାଙ୍କୁ ଭରସା ଦେଇଥିଲେ । ହେଲେ ଏବେ ବିଜେପି ସରକାର ସମୟରେ ସେହି କାରଖାନା ଓଡ଼ିଶାରୁ ଆନ୍ଧ୍ରକୁ ଚାଲିଯିବାକୁ ବସିଲାଣି ।

ଏହା ପୂର୍ବରୁ ଜେଏସଡବ୍ଲୁ୍ୟ ତାର ଇଭି କାରଖାନାକୁ କଟକରୁ ମହାରାଷ୍ଟ୍ରକୁ ନେବା ପାଇଁ ଧାର୍ଯ୍ୟ କରି ସାରିଥିବା ସେ କହିଛନ୍ତି । ଶିଳ୍ପ ଗୁଡ଼ିକ ଓଡ଼ିଶା ଛାଡ଼ୁଥିବା ବିଜେପି ସରକାରର ଓଡ଼ିଆ ଅସ୍ମିତାର ପରିଚୟ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ୫ମାସ ମଧ୍ୟରେ ରାଜ୍ୟର ଅର୍ଥନୈତିକ ସ୍ଥିତି ଦୁର୍ବଳ ହୋଇଥିବା ବି ପ୍ରତାପ କହିଛନ୍ତି ।

ହେଲେ ଏଠି ଗୋଟେ ପ୍ରଶ୍ନ ଆସୁଛି, ନବୀନଙ୍କ ସମୟରେ ପୋସ୍କୋ ପାରାଦୀପରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆସିଥିଲା, ସେ ଗଲା କାହିଁକି? ଜିନ୍ଦଲ ଷ୍ଟିଲ ଜଗତସିଂହପୁରରେ ଇସ୍ପାତ କାରଖାନା କରିବାକୁ ଆସିଥିଲା ଗଲା କୁଆଡ଼େ? କେନ୍ଦୁଝରରେ ୪ଟି କମ୍ପାନୀ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବାକୁ ଆସି ଗଲେ କୁଆଡ଼େ? ନବୀନ ବାବୁ ୨୪ବର୍ଷରେ ଏତେ ପୁଞ୍ଜି ଆଣିବା କଥା କହିଲେ, ହେଲେ କେତୋଟି ଶିଳ୍ପ ଆସିଛି ଓ କେତେ ରୋଜଗାର ସୃଷ୍ଟି ହୋଇଛି ସେ ସମ୍ପର୍କରେ ପ୍ରତାପ କିମ୍ବା ବିଜେଡି ଉତ୍ତର ଦେବ କି?

ବିଜେଡିର ଅନେକ ନେତା ତ କାମ ନକରି କେବଳ ଡମ୍ଫା ମାରିବା ଜଣାଅଛି । ହେଲେ ବିଜେପି ନେତା ବି ସମାନ ଧାଡ଼ିରେ ଚାଲିଛନ୍ତି । ବିଜେପି ରାଜ୍ୟକୁ ପୁଞ୍ଜି ଆଣିବା ପାଇଁ ଆରମ୍ଭରୁ ଲାଗି ଗଲାଣି । ବଡ଼ ବଡ଼ ପୁଞ୍ଜିପତିଙ୍କ ସହ ବୈଠକ କରିବା ଏବେ ବିଦେଶରେ ରୋଡ଼ ସୋ କରିବା ଭଳି ପଦକ୍ଷେପ ନେଲାଣି । ହେଲେ କେଉଁ ଶିଳ୍ପ ବାସ୍ତବରେ ଓଡ଼ିଶା ଆସିବ ଓ କେବେ ଠାରୁ ଶିଳ୍ପ ପ୍ରତିଷ୍ଠା ହେବ ତାହାର ଉତ୍ତର ବିଜେପି ନେତା ତଥା ଶିଳ୍ପମନ୍ତ୍ରୀଙ୍କ ପାଖରେ ନାହିଁ । ସେ ବି ବିଜେଡି ଭଳି ଗପ ଶୁଣାଇବା ଆରମ୍ଭ କରିଦେଲେଣି । ତେଣୁ ରାଜନେତା ମାନେ କେବଳ ହାୱା ମାରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଦେଖାଯାଉ ନେତାମାନଙ୍କ ଭୂଆଁ ବୁଲାକୁ ଲୋକେ ବୁଝି ବିରୋଧ କରୁଛନ୍ତି ନା ପୁଣି ନେତାଙ୍କ ଚାମଚାଗିରି କରୁଛନ୍ତି?