ଦ କୁଇଭର ବ୍ୟୁରୋ :- ମହାରାଷ୍ଟ୍ରରୁ ୫ ବାଘୁଣୀ ଓଡ଼ିଶା ଅଣାଯିବ । ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡା ଯାଇଛି । ଖୁବ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡ଼ା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସହମତିରେ ବାଘୁଣୀ ଛଡ଼ା ଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଶିମିଳିପାଳରେ ଏବେ ୪୦ ବାଘ ଅଛନ୍ତି । ସେମାନଙ୍କ ବଂଶ ବୃଦ୍ଧି ଆବଶ୍ୟକ ହେଉଛି । ତେଣୁ ବାଘୁଣୀକୁ ଅଣାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।ସେପଟେ ଅକ୍ଟୋବର ୨୮ରେ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଯମୁନାକୁ ଶିମିଳିପାଳରେ ଛଡ଼ାଯାଇଥିଲା । ଏହା ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର କରିବା ଦିଗରେ କାମ କରିବ । ସୂଚନା ଅନୁସାରେ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା ।ମହରାଷ୍ଟ୍ରରୁ ଆସିବା ପରେ ଅଢ଼େଇ ବର୍ଷର ବାଘୁଣୀକୁ ଧରି ଅକ୍ଟୋବର ୨୮ରେ ବନବିଭାଗ ଟିମ୍ ଶିମିଳିପାଳ ପହଞ୍ଚିଥିଲେ । ଏହାପରେ ଉକ୍ତ ବାଘୁଣୀକୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା । ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ ।
No comments yet.
State
ଭୁବନେଶ୍ୱର ( ଦ କୁଇଭର ) :-:ବିଜେପି ଶାସନରେ ଓଡ଼ିଶା ବିକାଶ ପଥରେ ଆଗେଇଛି। ସବୁ କ୍ଷେତ୍ରରେ ବିକାଶ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ଆବଶ୍ୟକ। ଏବେ ଓଡ଼ିଶାରେ ୨ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ଚାଲିଥିବାବେଳେ ଆସନ୍ତା ୨ବର୍ଷରେ ୩ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ହେବାକୁ ଯାଉଛି। ଓଡ଼ିଶାର ଜାତୀୟ ରାଜପଥକୁ ଆମେରିକା ଭଳି କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଆଜି ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରୀ ୪୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଖୁବ୍ଶୀଘ୍ର ରାଜ୍ୟରେ ୭୫ହଜାର କୋଟି ଟଙ୍କା ବ୍ୟୟରେ ୨୨୩୦କିମି ରାସ୍ତା ନିର୍ମାଣ ହେବ। ଏନେଇ ଡିପିଆର୍ ପ୍ରସ୍ତୁତ ହୋଇସାରିଛି, କାର୍ଯ୍ୟାଦେଶ ଦିଆଯିବ। ସେହିପରି ଓଡ଼ିଶାରେ ୫ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ବାଇପାସ୍ ରୋଡ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଓଡ଼ିଶା ସରକାର ନୂଆ ଜାତୀୟ ରାଜପଥ, ରାଜପଥ ସମ୍ପ୍ରସାରଣ, ଫ୍ଲାଏଓଭର୍ ନେଇ ଯେତେ ପ୍ରସ୍ତାବ ଦେବେ ସବୁ ମଞ୍ଜୁର କରାଯିବ ବୋଲି ଶ୍ରୀ ଗଡ଼କରୀ କହିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଦେଇଥିବା ୧୩ଟି ପ୍ରକଳ୍ପକୁ ଶ୍ରୀ ଗଡ଼କରୀ ଏହି ମଞ୍ଚରୁ ମଞ୍ଜୁର ହେଲା ବୋଲି ଘୋଷଣା କରିଥିଲେ। ଏଥିପାଇଁ ୯୦୨୩କୋଟି ଖର୍ଚ୍ଚ ହେବ। ସେଗୁଡ଼ିକ ହେଲା ୪ଲେନ୍ ବିଶିଷ୍ଟ ୬୮କିମିର କନକତୋରା-ଝାରସୁଗୁଡ଼ା ରାସ୍ତା, ବଡ଼ରମା ବନ୍ୟପ୍ରାଣୀ କ୍ଷେତ୍ରରେ ୪ ଲେନ୍ ବିଶିଷ୍ଟ ୨୭କିମି ରାସ୍ତା, ପୁରୀ-କୋଣାର୍କ ୨୫କିମିର ଲିଙ୍କ୍ ରୋଡ୍, ଭଞ୍ଜପୁର-ତେଲବଣୀ ୨୫କିମିର ୪ ଲେନ୍ ରାସ୍ତା, ମୋହନାରୁ - କୋରାପୁଟ ୨୦୨କିମିର ୨ଲେନ୍ ରାସ୍ତା, କୋଟାରୁ-ମୋଟୁ ୧୮୬କିମି ରାସ୍ତା, ଦେବଗଡ଼-ଖେରାପଲ୍ଲୀ ୭୧କିମିର ୨ଲେନ୍ ରାସ୍ତା, ଅଙ୍ଗ ନଦୀ ଉପରେ ୨କିମିର ୨ ଲେନ୍ ବିଶିଷ୍ଟ ସେତୁ, ପୋଡ଼ାମାରି-ମୋହନା ୨୯କିମିର ୨ଲେନ୍ ରାସ୍ତା, କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ୨କିମିର ସେତୁ, ସୋନପୁରରେ ୨ ଲେନ୍ ବିଶିଷ୍ଟ ୯କିମିର ବାଇପାସ୍, ଆସ୍କା ସହରରେ ୨ ଲେନ୍ ବିଶିଷ୍ଟ ୧୧କିମିର ବାଇପାସ୍, କୋଲାବିରାରେ ୨ ଲେନ୍ ବିଶିଷ୍ଟ ୫କିମି ବାଇପାସ୍ ରୋଡ୍।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସବୁ ଜିଲ୍ଲାରେ ଶିଳ୍ପ କରିବାକୁ ନିଷ୍ପତ୍ତି ହୋଇଥିବାରୁ ସେହି ଅନୁଯାୟୀ ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯିବ। ଡବଲ୍ ଇଞ୍ଜିନ୍ ସରକାରରେ କେମିତି ବିକାଶ ହୁଏ ରାଜ୍ୟବାସୀ ଦେଖିବେ। ଗତ ସରକାର କେବଳ କାଗଜରେ ଯୋଜନା କରୁଥିଲେ। ଆମେ ଯାହା କହିବୁ, ତାହା କରିବୁ। ରାଜ୍ୟ ରାଜପଥ ପ୍ରାଧିକରଣ ଅଧୀନରେ ଆମେ ୭୦ହଜାର କିମିର ରାସ୍ତା ନିର୍ମାଣ କରିବାକୁ ଯାଉଛୁ। ଭୁବନେଶ୍ବର-ପୁରୀ ରାସ୍ତାକୁ ୮ଥାକିଆ କଲେ ଆମକୁ ୧୦୦ବର୍ଷ ପର୍ଯ୍ୟନ୍ତ ଚିନ୍ତା କରିବାକୁ ପଡ଼ିବନି। କୋଷ୍ଟାଲ୍ ହାଇୱେ ଦୁଇଥାକିଆ ହେବାର ଅଛି, ଏହାକୁ ୪ ଥାକିଆ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତାରେ କହିଥିଲେ, ଆଜି ଲୋକାର୍ପଣ ଓ ଶିଳାନ୍ୟାସ ହୋଇଥିବା ରାଜପଥ ପ୍ରକଳ୍ପ ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସଡ଼କ ସୁରକ୍ଷା ସଚେତନତା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ବାନ ଦେଇଥିଲେ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ଓଡ଼ିଶାରେ ଯେଉଁ ବିକାଶର ଜୟଯାତ୍ରା ଚାଲିଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ସବୁଠୁ ଅଧିକ ଅବଦାନ ନୀତିନ ଗଡ଼କରୀଙ୍କର ଅଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ୟାପିଟାଲ୍ ରିଜିଅନ୍ ରିଂ ରୋଡ୍କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ, ବହୁ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୯୦୫କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଜିଲ୍ଲାରେ ନୂଆ ଜାତୀୟ ରାଜପଥ, ଦୁଇ ଥାକିଆରୁ ଚାରିଥାକିଆ, ଚାରି ଥାକିଆରୁ ୬ ଥାକିଆ ରାସ୍ତା ନିର୍ମାଣ ହେବ। ପ୍ରାୟ ୧୦୫କିମି ରାସ୍ତା ନିର୍ମାଣ ହେବ। ସେହିପରି ୪୨୭କୋଟି ଟଙ୍କାରେ ୪.୮୨କିମିର ୪ଟି ଫ୍ଲାଏଓଭର ପାଇଁ ଶିଳାନ୍ୟାସ, ୮୪୫କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ-୫୯ ଏବଂ ଜାତୀୟ ରାଜପଥ ୧୩୦ ସିଡିର ୪୪କିମି ରାସ୍ତାକୁ ଲୋକାର୍ପଣ କରିଥିଲେ l
National,International
ଦ କୁଇଭର ବ୍ୟୁରୋ :- ୟୁନେସ୍କୋରେ ସ୍ଥାନ ପାଇଲା ଶ୍ରୀମଦ୍ ଭଗବତ ଗୀତା । ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହୋଇଛି ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନୀଙ୍କ ନାଟ୍ୟଶାସ୍ତ୍ର । ୟୁନେସ୍କୋ ଏହାର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ୭୪ଟି ନୂତନ ଡକ୍ୟୁମେଣ୍ଟାରୀ ଐତିହ୍ୟ ସଂଗ୍ରହ ଯୋଡିଛି । ଏଥିରେ ସାମିଲ ରହିଛି ଭଗବତ ଗୀତା ଏବଂ ନାଟ୍ୟଶାସ୍ତ୍ର । ଏହି ଉପଲବ୍ଧି ନେଇ ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ । ଏହି ରେଜିଷ୍ଟର ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜକୁ ସଂରକ୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସ୍ଥାନ ମିଳିଥିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭାରତୀୟ ସଭ୍ୟତା ଓ ଐତିହ୍ୟ ପାଇଁ ଐତିହାସିକ ଦିନ ।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି, ଦେଶବାସୀଙ୍କୁ ଶୁଭେଚ୍ଛା । ଭାରତୀୟଙ୍କ ପାଇଁ ଆଜି ଗର୍ବର ମୁହୂର୍ତ୍ତ । ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି । ଏପରି କରାଯିବା ଅନନ୍ତ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତି ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ମିଳିବା ସହ ସମାନ ।”
State
କଟକ( ଦ କୁଇଭର ):- ମେଡିକାଲ କଲେଜ ପ୍ରଫେସରଙ୍କ ସ୍ବେଚ୍ଛାକୃତ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡିଶା ହାଇକୋର୍ଟ । ସେହିପରି ତିନି ମାସର ନୋଟିସ୍ ଅବଧି ସଂପୂର୍ଣ୍ଣ ହେବା ତାରିଖରୁ ଆବେଦନକାରୀଙ୍କ ଭିଆରଏସ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୩, ଡିସେମ୍ବର ୨୭ରେ ଆବେଦନକାରୀ ଭିଆରଏସ ପାଇଁ ନୋଟିସ୍ ଦେଇଥିବା ବେଳେ ତିନି ମାସର ଅବଧି ଶେଷ ହେବା ଦିନ ଠାରୁ ଅର୍ଥାତ ୨୦୨୪, ମାର୍ଚ୍ଚ ୨୭ରୁ ନିଯୁକ୍ତିଦାତା ରାଜ୍ୟ ସରକାର ଓ କର୍ମଚାରୀ ଆବେଦନକାରୀଙ୍କ ମଧ୍ୟରେ ସଂପର୍କର ଅନ୍ତ ଘଟିଛି । ଯଦି ଏହି ତାରିଖ ପରେ ଆବେଦନକାରୀ ନିଜ ଦାୟିତ୍ବ ସଂପାଦନ କରିଥାନ୍ତି ତେବେ ତାଙ୍କୁ ଏହି ଅବଧି ପାଇଁ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏଥି ସହିତ ତିନି ମାସ ମଧ୍ୟରେ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ଓ ପେନସନ୍ ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ରବି ନାରାୟଣ ଧରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ, ଚାକିରିରୁ ଭିଆରଏସ ନେବା ପାଇଁ ଆବେଦନକାରୀ ଦାଖଲ କରିଥିବା ଦରଖାସ୍ତ ଖାରଜ କରି ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶ ବେଆଇନ ବୋଲି ହାଇକୋର୍ଟଙ୍କ ରାୟରେ କହିଛନ୍ତି ।
ସୂଚନା ପ୍ରକାରେ,ସରକାରୀ ମେଡିକାଲରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କ ସ୍ବେଚ୍ଛାକୃତ ଅବସର ଦରଖାସ୍ତକୁ ସରକାର ୨୦୨୪, ଫେବ୍ରୁଆରୀ ୮ରେ ଖାରଜ କରିଥିଲେ । ଏନେଇ ପିଜିଆଇଏମଇଆର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ୨୦୨୪, ଫେବ୍ରୁଆରୀ ୯ରେ ଆବେଦନକାରୀଙ୍କୁ ଅବଗତ କରିଥିଲେ । ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଓସିଏସ ପେନସନ ନିୟମାବଳୀ ଅନୁସାରେ ଯଦି ଜଣେ ୨୦ବର୍ଷ କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିବେ ତେବେ ତାଙ୍କୁ ସ୍ବେଚ୍ଛାକୃତ ଅବସର ପାଇଁ ମନା କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ପାର୍ଥନା କରାଯାଇଥିଲା ।
National
ଦ କୁଇଭର ବ୍ୟୁରୋ :- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହାଇଦ୍ରାବାଦ ୟୁନିଟ୍ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ୨୭.୫ କୋଟି ଟଙ୍କାର ସେୟାରକୁ ଅସ୍ଥାୟୀ ଭାବେ ଜବତ କରିଛି। ଇଡିର ଏହି କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ଜଗନ ରେଡ୍ଡୀଙ୍କ ତିନିଟି କମ୍ପାନି କାର୍ମେଲ ଏସିଆ ହୋଲ୍ଡିଂସ ଲିମିଟେଡ୍, ସରସ୍ୱତୀ ପାୱାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ହର୍ଷା ଫାର୍ମର ଅଂଶଧନ ଜବତ କରାଯାଇଛି। ଏହି ମାମଲାରେ ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟଙ୍କ ଅଂଶଧନ ସହିତ କେନ୍ଦ୍ରୀୟ ଏଜେନ୍ସି ଡାଲମିଆ ସିମେଣ୍ଟସ୍ (ଭାରତ) ଲିମିଟେଡ୍ (ଡିସିବିଏଲ୍)ର ୩୭୭.୨ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରିଛି। ଡିସିବିଏଲ୍ କହିଛି ଯେ ଜବତ ସମ୍ପତ୍ତିର ମୂଲ୍ୟ ୭୯୩.୩ କୋଟି ଟଙ୍କା। ମାମଲା ରୁଜୁ ହେବାର ୧୪ ବର୍ଷ ପରେ ଏହି ଆଇନଗତ ପଦକ୍ଷେପ ନିଆଯାଇଛି। ଇଡିର ଅସ୍ଥାୟୀ ଜବତ ୨୦୧୧ରେ ସିବିଆଇ ଦ୍ୱାରା ପ୍ରଥମେ ରୁଜୁ ହୋଇଥିବା ଏକ ମାମଲା ସହ ଜଡିତ। ଏହି ମାମଲାରେ ଭାରତୀ ସିମେଣ୍ଟ କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନିରେ ଡିସିବିଏଲ୍ର ପୁଞ୍ଜିନିବେଶ ସମ୍ପୃକ୍ତ। ଡିସିବିଏଲ୍କୁ ଏପ୍ରିଲ ୧୫ରେ ଇଡିର ନୋଟିସ୍ ମିଳିଥିଲା, ଯାହା ମାର୍ଚ୍ଚ ୩୧ରେ ଜାରି ହୋଇଥିଲା। ଡିସିବିଏଲ୍ ଦ୍ୱାରା କିଣାଯାଇଥିବା ଜମିର ମୂଲ୍ୟ ୩୭୭ କୋଟି ଟଙ୍କା ଥିଲା। ସିବିଆଇ ଓ ଇଡି ତଦନ୍ତରୁ ଜଣାପଡିଛି ଯେ ଡିସିବିଏଲ୍ ପୂର୍ବରୁ ଜଗନ ରେଡ୍ଡୀଙ୍କ ସହ ଜଡ଼ିତ କମ୍ପାନି ରଘୁରାମ ସିମେଣ୍ଟସ୍ ଲିମିଟେଡରେ ୯୫ କୋଟି ଟଙ୍କା ନିବେଶ କରିଥିଲା। ବଦଳରେ ଜଗନ ରେଡ୍ଡୀ ତାଙ୍କ ପିତା ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜଶେଖର ରେଡ୍ଡୀଙ୍କ ଉପରେ ନିଜର ପ୍ରଭାବ ପ୍ରୟୋଗ କରି ଡିସିବିଏଲ୍କୁ କଡାପା ଜିଲ୍ଲାରେ ୪୦୭ ହେକ୍ଟର ଖଣି ଲିଜ୍ ସୁରକ୍ଷିତ କରିବାରେ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି।
Politics,State
ବଲାଙ୍ଗୀର ( ଦ କୁଇଭର ):- ବଲାଙ୍ଗୀର ପଟଣାଗଡର ପର୍ଶୁରାମ ଛକରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ନିଆଁ ଲଗାଇ ପୋଡି ଦେଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରିବା ସହ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ଦୁସ୍ଥ ମାନସିକତାର ବ୍ୟକ୍ତି ହୋଇଥିବେ । ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ ହେବ । ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି । ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ବିଜୁ ବାବୁଙ୍କ ପ୍ରତି ମୋର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି । '' ନିକଟରେ ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଏପ୍ରଲ ୧୭ତାରିଖରେ ପାଳନ କରାଯିବ ।
ବିଜୁଙ୍କ ପ୍ରତିମୂର୍ତ୍ତି ଜାଳିବା ଅସହନୀୟ ଓ ଅକ୍ଷମଣୀୟ, ଏହା ଉଦ୍ଦେଶ୍ୟମୂଳକ ଓ ଷଡଯନ୍ତ୍ର ଯୁକ୍ତ, ବିଜୁ ବାବୁଙ୍କ ଅସ୍ତିତ୍ବ, ସ୍ମୃତି ଓ ଇତିହାସ ଲିଭେଇବାକୁ ଚେଷ୍ଟା ଚାଲିଛି', ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ', ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ପୂର୍ବରୁ ପ୍ରତିମୂର୍ତ୍ତି ସ୍ଥାପନ ନେଇ ରହିଛି ବିବାଦ, ପାଟଣାଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ନେଇ ଅନେକ ବିଜେଡି ନେତା ପ୍ରତିକ୍ରିୟା ଦେଇଛନ୍ତି l
State
ବ୍ରହ୍ମପୁର( ଦ କୁଇଭର ):- ଶୁକ୍ରବାର ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ ଠାରେ ଦକ୍ଷିଣ ଓଡିଶା କ୍ରିୟାଅନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଓଡ଼ିଶା କ୍ରିୟାନୁଷ୍ଠାନ କମିଟିର ଆବାହକ ଶ୍ରୀ ସରୋଜ ରଞ୍ଜନ ପଟ୍ଟନାୟକ ବୈଠକ ଆରମ୍ଭରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ମହୋଦୟଙ୍କୁ ସ୍ବାଗତ କରିବା ପୂର୍ବକ ଆମର ସବୁ ଦାବୀ ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁର ଏକ ସର୍ବ ପୁରାତନ ରେଳ ଷ୍ଟେସନ ହେଲେ ମଧ୍ୟ, ଓଡ଼ିଶାର ସବୁ ରେଳ ଷ୍ଟେସନ ଠାରୁ ତୃତୀୟ ସର୍ବାଧିକ ରେଭେନ୍ୟୁ ଆଦାୟ କାରୀ ଷ୍ଟେସନ ର ମାନ୍ୟତା ପାଇ NSG-ll କେଟେଗୋରି ରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ଷ୍ଟେସନ କୁ ଅଣଦେଖା କରିବା, ବ୍ରହ୍ମପୁରରେ 5ମ ଓ 6ଷ୍ଠ ପ୍ଲାଟଫର୍ମ କରିବା, ଇତ୍ୟାଦି ଦାବୀ ଜଣାଇଥିଲେ। ସାଂସଦ ମହୋଦୟ ସେସବୁ ବିଷୟ କୁ ସଙ୍କଳନ କରି ଏକ ଲେଖା ମାଧ୍ୟମରେ ଦେବାକୁ କମିଟିର କର୍ମକର୍ତ୍ତା ମାନଙ୍କୁ କହିଥିଲେ। ତାକୁ ଧରି ସେ ଗୋଟିଏ ଦାବିପତ୍ର ମଧ୍ୟ କର୍ତ୍ତୃପକ୍ଷଙ୍କୁ ଦେବାକୁ କହି, ସମସ୍ତ ପ୍ରକାର ସହ ଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭବିଷ୍ୟତରେ ବୈଠକରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା ରୁ ପ୍ରତିନିଧି ମାନଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ବ୍ରହ୍ମପୁରର ଏମ.ଏଲ୍.ଏ. ଶ୍ରୀ କେ.ଅନୀଲ କୁମାର ମଧ୍ୟ ଅଂଶ ଗ୍ରହଣ କରିଥିଲେ।
State,National
ଦ କୁଇଭର ବ୍ୟୁରୋ :- ଆଜି ( ଗୁରୁବାର ) ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଦିନିକିଆ ଗସ୍ତରେ ଚାରି ହଜାର କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସେଥିମଧ୍ୟରୁ ୧୩ ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ଗଡ଼କରୀ । ଚାରୋଟି CRIF ବ୍ରିଜର ଶିଳାନ୍ୟାସ କରାଯିବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ :- ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ପଶ୍ଚିମଓଡ଼ିଶାରେ ହେଉଛି ନିଆଁ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଜି ମଧ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କାଳବୈଶାଖୀ ବର୍ଷା ପାଇଁ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଟାଣ ଖରା ଅନୁଭୂତ ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୌଦ୍ଧରେ ଆଜି ୪୧ ଡିଗ୍ରୀ ଛୁଇଁପାରେ ପାରଦ । ସେହିପରି ସୋନପୁର, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଆଦି ଜିଲ୍ଲାରେ ୪୦ ଡିଗ୍ରୀ ତାତି ଅନୁଭୂତ ହୋଇପାରେ । ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଏଥର ଦେଶରେ ସ୍ବାଭାବିକ ବର୍ଷା ହେବ । ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରାଯାଇଛି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ରେ ଚାଲିଛି ଦୁଇ ବାର୍ଷିକ ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା l ବ୍ରହ୍ମପୁରର ଆରାଧ୍ୟାଦେବୀ ମା’ ବୁଢ଼ୀସାଆନ୍ତାଣୀ ଠାକୁରାଣୀଙ୍କ ଦ୍ବିଚାର୍ଷିକ ଯାତ୍ରାର ୧୪ ଦିନ ଏବଂ ଘଟ ପରିକ୍ରମାର ୧୨ ଦିନରେ ବାଛୁବାରି ସାହି ଠାରେ ମାଁ ଙ୍କ ସବୁଠାରୁ ପ୍ରିୟ ବିଞ୍ଛଣା ରଥ ଉନ୍ମୋଚିତ ହୋଇଛି । ପରେ କାଳୁପାତ୍ର ସାହିର ଜ୍ବାଳାମୁଖୀ ଓ ଷଣ୍ଢମହାନ୍ତି ମନ୍ଦିର ଶିବାଗୁଡ଼ାକାଳୀ ରଥ ଉନ୍ମୋଚିତ ହୋଇଛି।ପ୍ରତ୍ୟକ ଦିନ ସନ୍ଧ୍ୟାରେ ମାଁ ଠାକୁରାଣୀ ଅସ୍ଥାୟୀ ମନ୍ଦିରରୁ ବାହାରି ଦେଶୀବେହେରା ସାହି ହୋଇ ରାଜବାଟି ଯାଇ ସେଠାରେ ମହୂର ରାଜାଙ୍କୁ ଦର୍ଶନ ଦେଇ ଅନ୍ୟାନ୍ୟ ସାହି ପରିକ୍ରମାରେ ବାହାରନ୍ତି । କିନ୍ତୁ ମାଁ ଙ୍କ ପ୍ରିୟ ବିଞ୍ଛଣା ରଥ ବାହାରିବା ଦିନ ମା’ଙ୍କ ଘଟ ପ୍ରଥମେ ବାଛୁବାରି ସାହି ସ୍ଥିତ ବିଞ୍ଚୁଣା ରଥ ନିକଟକୁ ଯାଇ ସେଠାରେ ରଥର ଶୁଭାରମ୍ଭ କରିବା ପରେ ଦେଶୀବେହେରା ସାହି ଠାରୁ ରାଜବାଟୀରେ ମହୁରୀ ରାଜାଙ୍କୁ ଦର୍ଶନ ଦେଇ ପୁଣି ସାହି ପରିକ୍ରମାରେ ବାହାରିଥିଲେ। ପରେ ଅନ୍ୟ ଦୁଇ ରଥକୁ ଉନ୍ମୋଚିତ କରିବା ପରେ ସାହି ପରିକ୍ରମା କରି ଅସ୍ଥାୟୀ ମଣ୍ଡପକୁ ଫେରିଲେ ମାଁ ବୁଢ଼ୀ ଠାକୁରାଣୀ।
State
ପାରଳାଖେମୁଣ୍ଡି( ଦ କୁଇଭର ):- ଦକ୍ଷିଣାଞ୍ଚଳ ଆଇଜି ନୀତିନ୍ ଶେଖର ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି , ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିଦର୍ଶନ ସହ ନିରୀକ୍ଷଣ କରିଥିବାର ଜଣାପଡିଛି । ମୁଖ୍ୟତଃ ଶିଶୁ, ନାବାଳିକା, ମହିଳା ନିଖୋଜ ମାମଲା ଗୁଡିକୁ ଏକମାସ ମଧ୍ୟରେ ଉଦ୍ଧାର କରି ପର୍ଦ୍ଦାଫାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇଜି । ଏହା ସହ ମାମଲାର ପରିଚାଳନା, ତଦନ୍ତକାରୀ ଅଧିକାରୀ ମାନେ ତଦନ୍ତ ପ୍ରକ୍ରୀୟାକୁ ଅଧିକ କ୍ରିୟାଶୀଳ କରିବା ସହ ତଦନ୍ତକୁ ତ୍ବରାନୀତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚୋରୀ, ଅପହରଣ ମାମଲା ଗୁଡିକୁ ଅଗ୍ରାଧିକାର ଦେଇ ଅଭିଯୁକ୍ତମାନଙ୍କୁ ଧରିବାପାଇଁ କହିଥିବାର ଜଣାଯାଇଛି । ଆଇଜିଙ୍କ ଶ୍ରୀ ଶେଖର ଏହି ନିରୀକ୍ଷଣ ବେଳେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
State
ଭୁବନେଶ୍ୱର( ଦ କୁଇଭର ):- ଆଜି ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ୧୯ ପ୍ରକଳ୍ପର ଉଦଘାଟନ ଶିଳନ୍ୟାସ ସମେତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳାରେ ସାମିଲ ହେବେ । ‘ଭିତ୍ତିଭୂମି ବିକାଶ ଏବଂ ଓଡ଼ିଶା’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ଅପରାହ୍ନରେ ଗଡ଼କରୀ ଭୁବନେଶ୍ୱର ଫେରିବେ। ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଯିବେ । ଅପରାହ୍ନ ୩ଟାରେ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ । ପରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବେ । ଏଥିରେ ୨ହଜାର ୯୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ୪ଟି ସିଆରଆଇଏଫ୍ ବ୍ରିଜ୍ ର ଶିଳାନ୍ୟାସ ରହିଛି । ସେହିପରି ୮୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ଜାତୀୟ ରାଜପଥକୁ ଉଦଘାଟନ କରିବେ । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
State
ଦ କୁଇଭର ବ୍ୟୁରୋ :- ରାସନ କାର୍ଡ କୁ ନେଇ ଆସିଲା ବଡ଼ ଖବର। ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ଯେଉଁମାନେ ପାଇନାହାନ୍ତି ଆବେଦନ କରନ୍ତୁ, ପୋର୍ଟାଲ ଖୋଲା ଅଛି । ଅନେକ ବାଦ୍ ପଡ଼ିଛନ୍ତି, ଆହୁରି ବାଦ୍ ପଡ଼ିବେ । ପ୍ରାୟ ୨୫ ଲକ୍ଷ ଲୋକ E-KYC କରିନାହାନ୍ତି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖୁବଶୀଘ୍ର ମିଳିବ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ । ଏନେଇ ପ୍ରସ୍ତୁତି ସହିତ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରିଣ୍ଟ ସହିତ ଲାମିନେସନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ କୁହାଯାଇଛି । ପରେ ଜିଲ୍ଲାପାଳଙ୍କ ଦ୍ବାରା ନିର୍ଦ୍ଧାରିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାସନ କାର୍ଡ ବଣ୍ଟନ କରାଯିବ । ପୂର୍ବ ସରକାରଙ୍କ ଅମଳରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଉଛି ଓ ଦୁର୍ନୀତି ଅନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ମଧ୍ୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ଢେଙ୍କାନାଳରେ ହିଁ ଏହି ନୂଆ ରାସନ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରାଯାଇ ରାଜ୍ୟବ୍ୟାପୀ ଏକକାଳୀନ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ତେବେ ନୂତନ ରାସନକାର୍ଡ ପାଇଁ www.foododisha.in ୱେବସାଇଟ ରେ ଆବେଦନ କରିବାକୁ ହେବ l
State,International
ଭୁବନେଶ୍ୱର ( ଦ କୁଇଭର ):- ଶନିବାର ଲୋକସେବା ଭବନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ । ଏହି ବୈଠକରେ ସ୍ପେନ ଏବଂ ଓଡିଶା ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସ୍ପେନର ରାଷ୍ଟ୍ରଦୂତ କହିଥିଲେ ଯେ, ରିନିୱେବଲ୍ ଏନର୍ଜି, ମେଟାଲର୍ଜି, ବୟନଶିଳ୍ପ ଏବଂ ଅଟୋମୋବାଇଲ ଭଳି ପ୍ରମୁଖ କ୍ଷେତ୍ରରେ ଓଡିଶା ଓ ସ୍ପେନ ମଧ୍ୟରେ ଅଧିକ ସହଯୋଗ ହୋଇପାରିବ । ଆଲୋଚନାରୁ ଜଣା ଯାଇଛି ଯେ, ସ୍ପେନ ସହିତ ଅଧିକ ସହଭାଗୀତା ପାଇଁ ଦୁଇ ଦେଶ ମଧ୍ୟରେ ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗର ଏକ ନୂତନ ଅଧ୍ୟାୟ ଆରମ୍ଭ କରାଯିବ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
State
ଦ କୁଇଭର ବ୍ୟୁରୋ :-: ରାଜ୍ୟର ବିଭିନ୍ନ ସ୍ଥାନରେ ୫ ଦିନ ଯାଏ କାଳବୈଶାଖୀ ଆଶଙ୍କା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ପବନ ବହିବ । ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲା ସହ ଗଞ୍ଜାମ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୬ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏପଟେ କାଳବୈଶାଖୀ ପ୍ରଭାବ । ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ।
State,National
ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ । ଗତକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିକାନ୍ତ ଦାସ । ଅପରାହ୍ନରେ ଝାରସୁଗଡ଼ାରେ ପହଞ୍ଚିବେ ଡ.ପିକେ ମିଶ୍ର । ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବଙ୍କ ଏକା ସମୟରେ ଓଡ଼ିଶା ଗସ୍ତ । ଶକ୍ତିକାନ୍ତ ଦାସ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଶକ୍ତିକାନ୍ତ ଦାସ ଘଟଗାଁ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବେ,ଅପରାହ୍ନରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । ସମ୍ବଲପୁର IIM ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । IIM କନଭୋକେସନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହାଛଡ଼ା ତାଙ୍କର କିଛି ସରକାରୀ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।
State
ଦ କୁଇଭର ବ୍ୟୁରୋ :- ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ସୁପ୍ରିମ୍କୋର୍ଟର କ୍ଷମତା ଉପରେ କଡ଼ା ମନ୍ତବ୍ୟ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ, ଯେଉଁଠାରେ ଅଦାଲତ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଅନ୍ତି। ସମ୍ବିଧାନର ଧାରା ୧୪୨କୁ ଗାଣତାନ୍ତ୍ରିକ ଶକ୍ତି ବିରୋଧରେ ପରମାଣୁ ଅସ୍ତ୍ର ଭଳି ବ୍ୟବହାର କରାଯାଉଛି ଏବଂ ଏବେ ଏହା ନ୍ୟାୟପାଳିକା ପାଇଁ ୨୪×୭ ଉପଲବ୍ଧ। ବିଚାରପତିମାନେ ବର୍ତ୍ତମାନ ‘ସୁପର୍ ପାର୍ଲାମେଣ୍ଟ’ ଭଳି କାମ କରୁଛନ୍ତି, ଯାହାକି ଚିନ୍ତାଜନକ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ନିକଟରେ ସୁପ୍ରିମ୍କୋର୍ଟ ଏକ ରାୟରେ ରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କୁ ଆଇନକୁ ଅନୁମୋଦନ ଦେବା ପାଇଁ ସମୟସୀମା ଧାର୍ଯ୍ୟ କରିବା ପରେ ଉପରାଷ୍ଟ୍ରପତି ଏଭଳି ମନ୍ତବ୍ୟ ଦେଇଛନ୍ତି। ରାଜ୍ୟସଭାର ଷଷ୍ଠ ବ୍ୟାଚ୍ର ଇଣ୍ଟର୍ନମାନଙ୍କୁ ସମ୍ବୋଧିତ କରି ଧନଖଡ଼ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ସମ୍ପର୍କରେ ମଧ୍ୟ କହିଥିଲେ ଏବଂ ଏହି ବିବାଦ ଉପରେ ନ୍ୟାୟପାଳିକାର ଆଚରଣକୁ ସମାଲୋଚନା କରିଥିଲେ। ‘ମାର୍ଚ୍ଚ ୧୪ ଓ ୧୫ ତାରିଖ ରାତିରେ ନୂଆଦିଲ୍ଲୀରେ ଜଣେ ବିଚାରପତିଙ୍କ ବାସଭବନରେ ଏକ ଘଟଣା ଘଟିଥିଲା। ସାତ ଦିନ ଯାଏଁ ଏ ବିଷୟରେ କେହି ଜାଣି ନ ଥିଲେ। ଆମକୁ ନିଜକୁ ପ୍ରଶ୍ନ ପଚାରିବାକୁ ପଡ଼ିବ l ବିଚାରପତିଙ୍କ ଜାଗାରେ ଅନ୍ୟ କିଏ ଥିଲେ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ମାର୍ଚ୍ଚ ୨୧ ତାରିଖରେ ଏକ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଦେଶର ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ’ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହା ପରେ ଆମକୁ ସୁପ୍ରିମ୍କୋର୍ଟରୁ ଏ ନେଇ ତଥ୍ୟ ମିଳିଥିଲା। ଏହାଦ୍ୱାରା କିଛି ଭୁଲ୍ ହୋଇଛି ବୋଲି ସନ୍ଦେହ କରାଯାଇ ନ ଥିଲା। କିଛି ତଦନ୍ତର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା। ଏବେ ଦେଶ ରୁଦ୍ଧଶ୍ବାସରେ ଅପେକ୍ଷା କରିଛି। ଦେଶ ଅଶାନ୍ତ, କାରଣ ଆମର ଏକ ଅନୁଷ୍ଠାନ, ଯାହାକୁ ଲୋକମାନେ ସର୍ବଦା ସର୍ବୋଚ୍ଚ ସମ୍ମାନର ସହ ଦେଖୁଛନ୍ତି। କିନ୍ତୁ ତା’ ଉପରେ ସନ୍ଦେହ ପ୍ରକାଶ ପାଇଛି।
ଏକ ବିଲ୍ ଅନୁମୋଦନ ଦେବା ପାଇଁ ରାଷ୍ଟ୍ରପତିଙ୍କ ଲାଗି ସୁପ୍ରିମ୍କୋର୍ଟ ସମୟସୀମା ଧାର୍ଯ୍ୟ କରିବା ରାୟକୁ ଉଲ୍ଲେଖ କରିବା ସହ ବିଚାରପତିମାନେ ‘ସୁପର୍ ପାର୍ଲାମେଣ୍ଟ୍’ ଭାବେ କାର୍ଯ୍ୟ କରିବେ କି ବୋଲି ଉପରାଷ୍ଟ୍ରପତି ପ୍ରଶ୍ନ କରିଥିଲେ। ସମ୍ବିଧାନର ଧାରା ୧୪୨ ନ୍ୟାୟପାଳିକା ପାଇଁ ଗାଣତାନ୍ତ୍ରିକ ଶକ୍ତି ବିରୋଧରେ ପରମାଣୁ ଅସ୍ତ୍ରରେ ପରିଣତ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସୁପ୍ରିମ୍କୋର୍ଟ କେଉଁ ଆଧାରରେ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ବୋଲି ପ୍ରଶ୍ନ କରି ଉପରାଷ୍ଟ୍ରପତି କହିଛନ୍ତି, ସମ୍ବିଧାନ ଅଧୀନରେ ଆପଣଙ୍କର ଏକମାତ୍ର ଅଧିକାର ହେଉଛି ଧାରା ୧୪୫(୩) ଅନୁଯାୟୀ ସମ୍ବିଧାନର ବ୍ୟାଖ୍ୟା କରିବା। ସେଠାରେ ୫ ଜଣ କିମ୍ବା ତା’ଠାରୁ ଅଧିକ ବିଚାରପତି ରହିବା ଦରକାର ବୋଲି ଉପରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ସୃଷ୍ଟି ହେଲା ୨ ହଜାର ୫୦୦ ଗୃହରକ୍ଷୀ ପଦବୀ । ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ତ୍ତମାନ ୧୭ ହଜାର ୬୭୫ ଗୃହରକ୍ଷୀ ପଦବୀ ରହିଛି । ନୂଆ ପଦବୀ ସୃଷ୍ଟି ହେବା ପରେ ମୋଟ ୨୦ ହଜାର ୧୭୫ରେ ପହଂଚିଲା ଗୃହରକ୍ଷୀ ପଦବୀ ସଂଖ୍ୟା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨ ହଜାର ପଦବୀ ସୃଷ୍ଟି କରାଯିବ ।
State,Politics
ଭୁବନେଶ୍ୱର ( ଦ କୁଇଭର ):- ନବୀନ ପୁଣି ହେଲେ ବିଜେଡ଼ିର ସଭାପତି । ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଠୁ ବିଜେଡ଼ିରେ ସେ ପୁଣି ନିର୍ବିବାଦୀୟ ନବମ ଥର ପାଇଁ ସଭାପତି ଭାବେ କାର୍ଯ୍ୟ ଆରମ୍ଭ କଲେ । ନବୀନ ପୁଣି ସଭାପତି ହେବେ ବୋଲି ଦ କୁଇଭର ଆକଳନ କରିଥିଲା । ଯେଉଁ ଆକଳନ ଆଜି ସତ ହେଲା । ନବୀନଙ୍କ ବିପକ୍ଷରେ ସଭାପତି ପଦ ପାଇଁ ପ୍ରତିଯୋଗୀତା କରିବାକୁ କେହି ନଥିଲେ । ପ୍ରତିଦ୍ୱନ୍ଦି ନଥିବାରୁ ନବୀନ ପୁଣି ଥରେ ସଭାପତି ।
ନବୀନ ସଭାପତି ହେବାପରେ ବିଜେଡ଼ିର ରାଜନୀତି ଟିକେ ତେରଛା ଯିବ ବୋଲି କୁହାଯାଉଛି । ନବୀନଙ୍କର ସ୍ଥିତିକୁ ଦେଖିଲେ ଦଳ ପରିଚାଳନା କରିବା ତାଙ୍କ ପାଖେ ସେତେ ସହଜ ନୁହେଁ । ଏହା ବ୍ୟତୀତ ନବୀନଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଅଛି । ଯାହାକୁ ଦେଖିଲେ ସେ ବିଜେପି ବିରୁଦ୍ଧରେ ସେତେ ଦୃଢ ପଦକ୍ଷେପ ନେଇ ପାରିବେ ନାହିଁ ବା ସରକାରଙ୍କୁ ସେତେ ଚ୍ୟାଲେଞ୍ଜ କରିପାରିବେ ନାହିଁ । ସେଥି ପାଇଁ ଦଳର ନେତାରେ ପରିବର୍ତ୍ତନ ହେବ ବୋଲି ଆଶା ଯୋର ଧରିଲାଣି ।
ନବୀନ ଦଳର ନେତା ପଦରୁ ଓହରିବେ । କେବଳ ସଭାପତି ରହିବେ । ହେଲେ ନବୀନ ଯଦି ନେତାପଦ ଛାଡନ୍ତି, ତାହେଲେ କାହାକୁ କରିବେ ନେତା । ନେତା ତାଲିକାରେ ତ ଅନେକ ଆଶାୟୀ ରହିଛନ୍ତି । ହେଲେ ସମସ୍ତଙ୍କ ଭିତରେ ଦ୍ୱନ୍ଦ ଅଛି । କିଏ ନବୀନଙ୍କର ପ୍ରିୟ ? କାହା ଉପରେ ନବୀନ ଭରସା କରିବେ । ୨୫ ବର୍ଷ ଧରି ନବୀନ ବିଜେଡ଼ି ଗଠନ ଠାରୁ ନବୀନ କାହା ଉପରେ ଭରସା କରପାରି ନାହାନ୍ତି । ବିଜେଡ଼ି ଗଠନର ପ୍ରମୁଖ ଦାୟୀତ୍ୱ ନେଇଥିବା ଦିଲ୍ଲୀପ ରାୟ, ସ୍ୱର୍ଗତ ରାମକୃଷ୍ଣ ପଟନାୟକ, ବିଜୟ ମହାପାତ୍ର, ପ୍ରଫୁଲ୍ଲ ଘଡେଇଙ୍କ ଭଳି ଅନେକ ନେତାଙ୍କୁ ସେ ଗୋଡ଼ରେ ଆଡ଼େଇ ଦେଇଛନ୍ତି । ସେମାନଙ୍କ ଉପରେ ଭରସା କରିପାରି ନାହାନ୍ତି ।
ପରପିଢ଼ିର ନେତା ସଂଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତାଙ୍କୁ ବି ସେ ପୂରା ଭରସି ପାରୁନାହାନ୍ତି । ବଦ୍ରୀ ପାତ୍ର, ପ୍ରତାପ ଦେବଙ୍କ ଉପରେ ଭରସା କରିହେବ ନାହିଁ ବା ତାଙ୍କୁ ଦାୟିତ୍ୱ ଦେବା ସମ୍ଭବ ବି ନୁହେଁ । ଏହାରି ଭିତରେ କାହାକୁ ଦାୟିତ୍ୱ ଦେବେ ବୋଲି ସମସ୍ତଙ୍କ ମଧ୍ୟରେ ଏବେ କଳ୍ପନା ଜଳ୍ପନା ବଢିଯାଇଛି ।
କିଛି ତ ଭିକେ ପାଣ୍ଡିଆନଙ୍କୁ ନେତା କରପାରନ୍ତି ବୋଲି ଆକଳନ କରୁଛନ୍ତି । ଆନ୍ୟ କିଛି ଓଡ଼ିଆ ଝିଅ ସୁଜାତା ରାଉତଙ୍କ ନାଁ କହୁଛନ୍ତି । ଏହାରି ମଧ୍ୟରେ ସଂତୃପ୍ତ ମିଶ୍ରଙ୍କ ନାଁ ବି ମଧ୍ୟ ଅଛି । ଓଡ଼ିଆ ପୁ, ଶିକ୍ଷିତ ଏବଂ ଆଗକୁ ଚିନ୍ତା କରିବା, ଓଡ଼ିଶା ପାଇଁ ସ୍ୱପ୍ନ ଦେଖିବା, ତାଙ୍କର ଆଭିମୁଖ୍ୟ ବି ସ୍ପଷ୍ଟ ଅଛି । ସେ ହୀନ ରାଜନୀତି ନୁହେଁ, ବିକାଶ ଯୁକ୍ତ ରାଜନୀତିକୁ ଗ୍ରହଣ କରନ୍ତି । ସେଥି ପାଇଁ ତାଙ୍କ ନାଁ ବି ଚର୍ଚ୍ଚାକୁ ଆସିଲାଣି । ପ୍ରତାପ ଜେନା, ଅରୁଣ ସାହୁ, ସଂଜୟ ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ ଏମାନେ ମନେ ମନେ କାଳେ ଲଡୁ ଖାଉଛନ୍ତି । ହେଲେ ବାହାରକୁ ଦେଖେଇ ପାରୁନାହାନ୍ତି । ସବୁ ଅପେକ୍ଷା କରିଛନ୍ତି ନବୀନ କାହାକୁ ବାଛିବେ । ଦେଖାଯାଉ ନବୀନ ସଭାପତି ହେଲାପରେ ନେତୃତ୍ୱ କାହାକୁ ଦେବେ, କାହାକୁ ହସ୍ତାନ୍ତର କରିବେ ତାଙ୍କ ପରର ଦାୟିତ୍ୱ ?
State
ବ୍ରହ୍ମପୁର( ଦ କୁଇଭର ):- ଡିଜିଟାଲ ଆରେଷ୍ଟ ନାଁରେ ୩୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ରାଜସ୍ଥାନର ସୁବାଷକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରାଯାଇଥିଲା । ପରେ ତାକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଏହି ଠକେଇ ମାମଲାରେ ଅନ୍ୟ ଜଣେ ଅଣଓଡ଼ିଆ ଅଭିଯୁକ୍ତ ମଧ୍ୟ ରହିଛି ।
ଗଞ୍ଜାମ କୁକୁଡ଼ାଖଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ ସାଇବର ଠକ । ଏନେଇ ଜାନୁଆରୀ ୨୯ ତାରିଖରେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି । ତଦନ୍ତ ବେଳେ ଗୁଜରାଟ ଭୁଜ ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ଏହି ସାଇବର ଠକେଇରେ ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା ବ୍ରହ୍ମପୁର ପୋଲିସ । ଭୁଜ୍ ପୋଲିସ ଯୋଗାଯୋଗ କରି ସୁବାଷକୁ ରିମାଣ୍ଡରେ ଆଣିଛି ପୋଲିସ । ଅନ୍ୟ ଅଭିଯୁକ୍ତ ଗୋବର୍ଦ୍ଧନରମର ରିମାଣ୍ଡ ପାଇଁ ମଧ୍ୟ ଆବେଦନ କରାଯାଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ କରିଛି ପୋଲିସ । ଦୁଇଟି ଆକାଉଣ୍ଟରେ ପ୍ରାୟ ୨୨ଲକ୍ଷରୁ ଅଧିକ ଟଙ୍କା ରହିଛି ।