ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ । ଗତକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିକାନ୍ତ ଦାସ । ଅପରାହ୍ନରେ ଝାରସୁଗଡ଼ାରେ ପହଞ୍ଚିବେ ଡ.ପିକେ ମିଶ୍ର । ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବଙ୍କ ଏକା ସମୟରେ ଓଡ଼ିଶା ଗସ୍ତ । ଶକ୍ତିକାନ୍ତ ଦାସ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଶକ୍ତିକାନ୍ତ ଦାସ ଘଟଗାଁ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବେ,ଅପରାହ୍ନରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । ସମ୍ବଲପୁର IIM ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । IIM କନଭୋକେସନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହାଛଡ଼ା ତାଙ୍କର କିଛି ସରକାରୀ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।
No comments yet.
Sports,National
ଦ କୁଇଭର ବ୍ୟୁରୋ:- ଭାରତର ତାରକା ଆଥଲେଟ୍ ନୀରଜ ଚୋପ୍ରା ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍ ମିଟିଂରେ ପ୍ରଥମ ଥର ୯୦ମିଟରରୁ ଊର୍ଦ୍ଧ୍ୱ ଜାଭେଲିନ୍ ଥ୍ରୋ କରି ଇତିହାସ ରଚିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ, ଏସିଆର ୩ୟ ଏବଂ ବିଶ୍ୱର ୨୫ତମ ଆଥଲେଟ ହେବାର ଗୌରବ ଅର୍ଜନ କରିଛନ୍ତି। ଚେକ୍ ରିପବ୍ଲିକର ଜାନ୍ ଜେଲେନ୍ଜୀଙ୍କଠାରୁ କୋଚିଂ ନେଉଥିବା ଏହି ୨୭ବର୍ଷୀୟ ଡବଲ ଅଲିମ୍ପିକ ପଦକ ବିଜେତା ତାଙ୍କ ତୃତୀୟ ପ୍ରଚେଷ୍ଟାରେ ୯୦.୨୩ ମିଟର ଜାଭେଲିନ୍ ଫିଙ୍ଗି ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ୫ମ ରାଉଣ୍ଡ ସୁଦ୍ଧା ନୀରଜ ଅଗ୍ରଣୀ ରହିଥିଲେ। ତେବେ ଜର୍ମାନୀର ଜୁଲିଆନ ଓ୍ବେବର ୬ଷ୍ଠ ତଥା ଅନ୍ତିମ ପ୍ରଚେଷ୍ଟାରେ ୯୧. ୦୬ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗ୍ରେନେଡାର ଆଣ୍ଡରସନ ପିଟର୍ସ (୮୫.୬୪ମିଟର) ତୃତୀୟ ହୋଇଥିଲେ। କାତାର ସ୍ପୋଟର୍ସ କ୍ଲବଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର କିଶୋର ଜେନାଙ୍କ ସମେତ ସମଗ୍ର ବିଶ୍ୱରୁ ୧୧ଜଣ ଟପ୍ ଜାଭେଲିନ୍ ଥ୍ରୋୟର ଭାଗ ନେଇଥିଲେ। କିଶୋର ୭୮.୬୦ ମିଟର ସହ ୮ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।
National
ଦ କୁଇଭର ବ୍ୟୁରୋ:- ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆଜି ସକାଳୁ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ନିରୀକ୍ଷଣ ଉପଗ୍ରହ EOS-09 ସାଟେଲାଇଟ୍କୁ ଲଞ୍ଚ କରିଥିଲା, ମାତ୍ର ଏହା ଅସଫଳ ରହିଛି । ଇସ୍ରୋ ରିପୋର୍ଟ ଅନୁସାରେ, ତୃତୀୟ ପର୍ଯ୍ୟାୟର କାର୍ଯ୍ୟଦକ୍ଷତାରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିଶନ ସଫଳ ହୋଇପାରିଲା ନାହିଁ, ଯାହା ଯୋଗୁଁ ମିଶନ ସଫଳ ହୋଇପାରିଲା ନାହିଁ। ଆଜି ଇସ୍ରୋ ସକାଳ ୫. ୫୯ ସମୟରେ ଏକ ପୂର୍ବ ନିର୍ଦ୍ଧାରିତ ସମୟରେ ସାଟେଲାଇଟ୍କୁ ଉତକ୍ଷେପଣ କରିଥିଲା ।ଏ ନେଇ ଇସ୍ରୋ ନିଜ X ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି କହିଛି, "ଆଜି ୧୦୧ତମ ଉତକ୍ଷେପଣ ପ୍ରୟାସ କରାଯାଇଥିଲା, ଦ୍ବିତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ PSLV-C61 କାର୍ଯ୍ୟଦକ୍ଷତା ସ୍ବାଭାବିକ ଥିଲା । ମାତ୍ର ତୃତୀୟ ପର୍ଯ୍ୟାୟରେ ଏକ ପର୍ଯ୍ୟବେକ୍ଷଣ ଯୋଗୁଁ ମିଶନ ସଫଳ ହୋଇପାରିଲା ନାହିଁ ।"ISRO ମୁଖ୍ୟ ନାରାୟଣନ୍ ଲଞ୍ଚ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ EOS-09 ମିଶନ ସଫଳ ହୋଇପାରିଲା ନାହିଁ । ଇସ୍ରୋର ଭରସାଯୋଗ୍ୟ 4-ଷ୍ଟେଜ୍ ରକେଟ୍ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV) ଏହି ସାଟେଲାଇଟ୍କୁ ଲଞ୍ଚ କରିଥିଲା । ପ୍ରଥମ ଦୁଇଟି ପର୍ଯ୍ୟାୟ ସ୍ବାଭାବିକ ଥିଲା । ମାତ୍ର ତୃତୀୟ ପର୍ଯ୍ୟାୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶ୍ରୀହରିକୋଟା କେନ୍ଦ୍ରରୁ ଇସ୍ରୋର ଏହି ୧୦୧ ତମ ମିଶନ ଅସଫଳ ହୋଇଛି ।
National,State
ଭୁବନେଶ୍ୱର ( ଦ କୁଇଭର ):- ରାଜ୍ୟରେ ଆତଙ୍କୀ କାର୍ଯ୍ୟକଳାପ ଉପରେ ରହିବ କଡ଼ା ନଜର। ଏନେଇ ଭୁବନେଶ୍ୱରରେ ଖୋଲିବ NIAର ଏକ ଶାଖା । ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଆରମ୍ଭ ହୋଇଛି ସରକାରୀ ସ୍ତରରେ ବିଧିବଦ୍ଧ ପ୍ରକ୍ରିୟା ଓ ପ୍ରସ୍ତୁତି । ଯାହାର ଅଧିନରେ ରାଜ୍ୟର ସମସ୍ତ ଜିଲ୍ଲା ଅଞ୍ଚଳରେ ଏହାର କର୍ଯ୍ୟକାରୀ କ୍ଷମତା ରହିବ। ସମସ୍ତ ସନ୍ଦେହଜନକ ବା ଜାତୀୟ ନିରାପତ୍ତା ସମ୍ପର୍କିତ ଗତିବିଧି ଉପରେ ରହିବ ନଜର। ଭିଏସ୍ଏସ୍ ନଗରରେ ଜାତୀୟ ତଦନ୍ତ ସଂସ୍ଥାର ଶାଖା କାର୍ଯ୍ୟ କରିବ । ଭୁବନେଶ୍ବରର ବୀର ସୁରନ୍ଦ୍ର ସାଏ ନଗର ଠାରେ ଦେଶର ସର୍ବଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏର ପୋଲିସ ଷ୍ଟେସନ ଖୋଲିବ । ଏଠାରେ ଜଣେ ଏସପି ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ ।
ତେବେ ଜାତୀୟ ତଦନ୍ତ ସଂସ୍ଥା (NIA) ହେଉଛି ଭାରତର ପ୍ରମୁଖ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା। 2008ରେ ଜାତୀୟ ତଦନ୍ତ ସଂସ୍ଥା ଆଇନ ପ୍ରତିଷ୍ଠା କରାଯାଇଥିଲା । ଏହା ଆତଙ୍କବାଦ, ଜାତୀୟ ସୁରକ୍ଷା ଏବଂ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିପଦ ସହିତ ଜଡିତ ଅପରାଧଗୁଡ଼ିକର ତଦନ୍ତ ଏବଂ ମୁକାବିଲା କରିବା ପାଇଁ କାର୍ଯ୍ୟ କରିଥାଏ। ଏହା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରେ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଜାତୀୟ ଏବଂ ସୀମାପାର ପ୍ରଭାବ ଥିବା ଅପରାଧଗୁଡ଼ିକର ତଦନ୍ତ ଏବଂ ଦଣ୍ଡବିଧାନ କରିବା, ବିଶେଷକରି ଆତଙ୍କବାଦ, ବିଦ୍ରୋହ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା। ଏହା ଭାରତର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଅଖଣ୍ଡତା ପ୍ରତି ବିପଦ ଥିବା ମାମଲାଗୁଡ଼ିକର ତଦନ୍ତ କରିବାକୁ କ୍ଷମତାପ୍ରାପ୍ତ। ଏନଆଇଏ ବିନା ୱାରେଣ୍ଟରେ ତଲାସି କରିବା, ଜବତ କରିବା ଏବଂ ଗିରଫ କରିବାର କ୍ଷମତା ରଖିଛି, ଏବଂ ପ୍ରମାଣ ସଂଗ୍ରହ କରିବା , ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କର ସଦସ୍ୟମାନଙ୍କର ଏକ ଡାଟାବେସ୍ ରଖିବାର କ୍ଷମତା ରଖିଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଛି । ଏନଆଇଏ ଆତଙ୍କବାଦ ସହ ଜଡିତ ଅପରାଧ ଓ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ବକୁ ପ୍ରଭାବିତ କୁଥିବା ବିଷୟ ଗୁଡିକ ଉପରେ ତଦନ୍ତ କରେ ।
National,State
ଦ କୁଇଭର ବ୍ୟୁରୋ:- ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା । ବେଙ୍ଗାଲୁରୁରେ ତାଙ୍କ ନାଁରେ ଏତଲା ହୋଇଛି । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା।ବହୁଚର୍ଚ୍ଚିତ ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ନେଇ ଏକ ଗୁରୁତର ବିବାଦ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ସେନସେସନ୍ ଲବ ହାଂସଦା ଭାରତ ସମେତ ବିଭିନ୍ନ ଦେଶ ବୁଲି ଟ୍ରାଭେଲ ଭିଡିଓ କରି ସେସବୁ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁବ୍ କମ୍ ଦିନରେ ଅନେକ ପ୍ରଶଂସା ସାଉଁଟିଛନ୍ତି । ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲବ ହାଂସଦା ଏବେ ବିବାଦକୁ ଆସିଛନ୍ତି ଏବଂ ପ୍ରେମିକାଙ୍କ ମୃତ୍ୟୁ ପରେ ଫସି ଯାଇଛନ୍ତି । ପ୍ରେମିକା ସୋଲୋମୀଙ୍କ ମୃତ୍ୟୁ ପାଇଁ ଲବଙ୍କୁ ତାଙ୍କ ପରିବାର ଦାୟୀ କରିଛନ୍ତି।
ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ସୋଲମୀ ମୁର୍ମୁଙ୍କ ଆତ୍ମହତ୍ୟା ଘଟଣା ପରେ ଲବ ହାଁସଦାଙ୍କ ବିରୋଧରେ ବେଙ୍ଗାଲୁରୁରେ ଏଚଏସଆର ଲେଆଉଟ୍ ଥାନା ରେ ଏକ ଏଫଆଇଆର୍ ରୁଜୁ ହୋଇଛି। ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ, ସୋଲମୀ ମୁର୍ମୁ ୪ ଦିନ ପୂର୍ବେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ପାଇଁ ଥାନାରେ ଲବଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ସୋଲମୀଙ୍କ ଭାଇ । କେତେକ ରିପୋର୍ଟରେ ଦାବି କରାଯାଇଛି ଯେ, ଲବ ହାଁସଦାଙ୍କର ବହୁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଥିଲା, ଯାହା ଏହି ବିବାଦକୁ ଆହୁରି ଜଟିଳ କରିଛି। ତେବେ ଏହି ଘଟଣା ସମ୍ପର୍କରେ ବିସ୍ତୃତ ତଦନ୍ତ ଜାରି ରହିଛି। ପୋଲିସ ଏହି ମାମଲାରେ ଲବ ହାଁସଦାଙ୍କୁ ପଚରାଉଚରା କରୁଛି।
ଲବ ହାଁସଦା ଜଣେ ଲୋକପ୍ରିୟ ଓଡ଼ିଆ ୟୁଟ୍ୟୁବର ଭାବେ ପରିଚିତ, ଯିଏ ତାଙ୍କର ଭିଡିଓ ମାଧ୍ୟମରେ ବହୁ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। କିନ୍ତୁ ଏହି ଅଭିଯୋଗ ତାଙ୍କର ଖ୍ୟାତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତେବେ ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ହୋଇଥିବା ବେଳେ ତାଙ୍କ ଘର ବିହାରରେ ଆଉ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଁସଦାଙ୍କ ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇବା ପରେ ସୋଲମୀ, ଏନେଇ ଲବଙ୍କୁ ପଚାରିବାରୁ ଲବ ବାରମ୍ବାର ତାଙ୍କୁ ନିର୍ଯାତନା ଦେଇଆସୁଥିଲେ । ଆଉ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ସବୁଠାରୁ ବଡ଼ କଥା ହେଲା ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବଙ୍କୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଇ ଏତଲାରେ ଲେଖିଛନ୍ତି ।
ତେବେଏହାରି ଭିତରେ ମୁହଁ ଖୋଲିଛନ୍ତି ଲବ ହାଁସଦାଙ୍କ ବଡ଼ ଭଉଣୀ ଆଶା ମୁର୍ମୁ । ସେ କହିଛନ୍ତି ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ । ମୋ ଭାଇ ଦେଶ ବାହାରେ ଅଛି । ଯିଏ ଜୀବନ ହାରିଲେ ସେ ଦେଶ ଭିତରେ ଥିଲେ. ସେ ହିଁ କହିପାରିବ। ତଦନ୍ତ ରିପୋର୍ଟ ଯାହା ଆସିବ ଆମେ ତାହାକୁ ସତ ମାନିବୁ । ଏଠି ଘରେ ଭାଇ ୩ ଜଣ ଓ ଭାଉଜ ରହୁଛନ୍ତି। ବାପା ଗାଁରେ ରହୁଛନ୍ତି। ଲବ ହାଁସଦା ବିବାହ କରିଛନ୍ତି କି ନାହିଁ ସିଏ ହିଁ କହିପାରିବ । ଏହି ଘଟଣା ଆମେ ନ୍ୟୁଜ ମାଧ୍ୟମରେ ଜାଣିଛୁ, ଆମେ ଚାଁହୁଛୁ ନ୍ୟାୟ । ମୋ ଭାଇ ଯଦି ଠିକ କରିଥିବା ଠିକ ଯଦି ଭୁଲ କରିଥିବ ତାହା ହେଲେ ଭୁଲ। ଭାଇଙ୍କ ସହିତ ମୁଁ କଥା ହୋଇନାହିଁ। ମୋ ଭାଇ ଏଠାକୁ ତିନି ମାସ ପୂର୍ବରୂ ଆସିଥିଲେ । ତେବେ ମୋ ଭାଇ ଉପରେ ମୋର ବିଶ୍ୱାସ ସେ ଏପରି କାମ କରି ନ ଥିବ ବୋଲି କହିଛନ୍ତି ଲବ ହାଁସଦାଙ୍କ ଭଉଣୀ ।
ଅନ୍ୟପଟେ ଲବ ହାଁସଦାଙ୍କର ୨୦୧୪ ମସିହାରେ କୁଆଡେ ବାହାଘର ହୋଇଥିବା ଏବଂ ଗୋଟିଏ ୩ ବର୍ଷର ଛୁଆ ଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି, ଏହା ସହିତ ବାହା ହୋଇଥିବା ସ୍ତ୍ରୀ ଗଣମାଧ୍ୟମ ଆଗରେ ଆସି ନ୍ୟାୟ ଭିକ୍ଷା କରୁଥିବା ନେଇ ଚର୍ଚ୍ଚା ମଧ୍ୟ ରହିଛି l
ତେବେ ଏସବୁ କେତେ ଠିକ, ତେବେ ପ୍ରମାଣ ହେବ ଯେବେ ଲବ ହାଁସଦା ନିଜେ ଗଣମାଧ୍ୟମ ଆଗରେ ଆସି ସତ କହିବେ ଆଉ ଘଟିଯାଇଥିବା ଘଟଣା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବେ ତାହା ପୁଣି ପ୍ରମାଣ ସହିତ l ତେବେ ଦେଖାଯାଉ ଲବ ହାଁସଦା ଏମିତି ଲୁଚି ଲୁଚି ରହୁଛନ୍ତି ନା ସାମ୍ନାକୁ ଆସି ସତ୍ୟ ପ୍ରକାଶ କରୁଛନ୍ତି l
National,State
ଦ କୁଇଭର ବ୍ୟୁରୋ:- ଏସିଆ ମହାଦେଶର ହଂକଂ ଏବଂ ସିଙ୍ଗାପୁରରେ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି। ଏହି ଦୁଇ ସ୍ଥାନରେ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଏନେଇ ମତ ରଖିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଏହା ନୂଆ ଭାରିଆଣ୍ଟ ନୁହେଁ। ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି। ଏଥିଲାଗି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି। ଭୟଭୀତ ହେବାର କୌଣସି କାରଣ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ କୋଭିଡ ନେଇ ରାଜ୍ୟ ସରକାର ଯୋଗାଯୋଗ କରୁଛନ୍ତି। କୌଣସି ଗାଇଡଲାଇନ୍ ଆସିଲେ, ତାକୁ କାର୍ଯ୍ୟକାରୀ କରାଯିବ।ସେ କହିଛନ୍ତି, ଏହା ନୂଆ ଭାରିଆଣ୍ଟ ନୁହେଁ। ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି। ଏଥିଲାଗି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି। ଭୟଭୀତ ହେବାର କୌଣସି କାରଣ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ କୋଭିଡ ନେଇ ରାଜ୍ୟ ସରକାର ଯୋଗାଯୋଗ କରୁଛନ୍ତି। କୌଣସି ଗାଇଡଲାଇନ୍ ଆସିଲେ, ତାକୁ କାର୍ଯ୍ୟକାରୀ କରାଯିବ।
Sports
ଦ କୁଇଭର ବ୍ୟୁରୋ:- ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇ ଦେଇ ପ୍ଲେଅପରେ ନିଜ ସ୍ଥାନ ସୁରକ୍ଷିତ କରିଛି । ୨୦୦ ରନର ଲକ୍ଷ୍ୟକୁ ଗୁଜରାଟ ୧୯ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ୧୦୮ ରନ ଓ ଶୁଭମନ ଗିଲ୍ ୯୩ ରନ କରିଥିଲେ । ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦୁଇ ଓପନର କେଏଲ ରାହୁଲ ଓ ଫାଫ ଡୁପ୍ଲେସିସ୍ ଭଲ ଆରମ୍ଭ କରିଥିଲେ ବି ଡୁପ୍ଲେସିସ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ଏହା ସତ୍ତ୍ବେ ରାହୁଲ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସେ ୬୦ ବଲରେ ନିଜର ଶତକ ପୂରଣ କରିଥିଲେ । ଅଭଷେକ ପୋରେଲ ୩୦ ରନ ଓ ଅଧିନାୟକ ଅକ୍ଷର ପଟେଲ ୨୫ ରନ କରିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୯୯ ରନ କରିଥିଲା ।
National
ଦ କୁଇଭର ବ୍ୟୁରୋ:- ଆସନ୍ତା ୨୮ରେ ପୋଲାଭରମ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ମୋଦୀ କରିବେ ପୋଲାଭରମ ସମୀକ୍ଷା । ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆନ୍ଧ୍ର ପ୍ରଦେଶ , ତେଲେଙ୍ଗାନା , ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ଦ୍ୱାରା ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ଓଡ଼ିଶା ଏହି ବୈଠକରେ କଣ ପକ୍ଷ ରଖିବ ସେ ନେଇ ରାଜ୍ୟ ସରକାର ନିଜକୁ ପ୍ରସ୍ତୁତ କରିଛନ୍ତି । ଦୁଇ ଦିନ ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ।
National,Politics,State
ଦ କୁଇଭର ବ୍ୟୁରୋ:-: ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଯୋଜନା ରହିଛି । ଆସନ୍ତା ଜୁନ 12 ତାରିଖରେ ବିଜେପି ସରକାରଙ୍କ ବର୍ଷେ ପୂର୍ତ୍ତି ସମାରୋହ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇପାରନ୍ତି । ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ମୁଖ୍ୟମନ୍ତ୍ରୀ ଯୋଗାଯୋଗରେ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର । ରିପୋର୍ଟ କାର୍ଡ ଧରି ରାଜ୍ୟର ଏକ କୋଟି ପରିବାର ପାଖରେ ପହଞ୍ଚିବେ । ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ ଚାଲିବ । ରାଜ୍ୟ, ଜିଲ୍ଲା ଠୁ ନେଇ ବ୍ଲକ ଓ ପଞ୍ଚାୟତ ପୌର ସଂସ୍ଥା ଗୁଡ଼ିକରେ କାର୍ଯ୍ୟକ୍ରମ କରାଯିବ । ବର୍ଷ କ ମଧ୍ୟରେ ୧୧ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ।
ତେବେ ୨୦୨୪ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇ ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିଲା ବିଜେପି । ଗତ ବର୍ଷ ଜୁନ ୧୨ ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟ ଶପଥ ନେଇଥିଲେ । ୨୪ ବର୍ଷ ପରେ ଓଡ଼ିଶାକୁ ମିଳିଥିଲା ନୂଆ ମୁଖ୍ୟମନ୍ତ୍ରୀ ।
National
ଦ କୁଇଭର ବ୍ୟୁରୋ:- ବୁଧବାର ସକାଳୁ ଛତିଶଗଡ଼ ନାରାୟଣପୁର ଓ ଦାନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଡିଆରଜି ଯବାନମାନେ ନକ୍ସଲଙ୍କ ବିରୋଧରେ ଏକ ବଡ଼ ଅପରେସନ୍ ଆରମ୍ଭ କରିଛନ୍ତି । ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଓଁ ଜିଲ୍ଲାର DRG ୟୁନିଟ୍ ମିଳିତ ଭାବରେ ଏହି ଅପରେସନରେ ସାମିଲ ହୋଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଜିର ମିଳିତ ଦଳ ନକ୍ସଲଙ୍କ ଶୀର୍ଷ କମାଣ୍ଡରମାନଙ୍କୁ ଘେରି ଯାଇଛନ୍ତି । ଏନକାଉଣ୍ଟରରେ ଅନେକ ନକ୍ସଲ ନିହତ ହୋଇଛନ୍ତି ।ନାରାୟଣପୁର ପୋଲିସ ଅଧିକ୍ଷକ ପ୍ରଭାତ କୁମାର ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି ।ଏନକାଉଣ୍ଟରରେ ଯବାନମାନେ ୨୬ ରୁ ଅଧିକ ନକ୍ସଲଙ୍କୁ ନିହତ କରିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଡିଆରଜି ଯବାନମାନେ ସାହସ ଦେଖାଇଛନ୍ତି । ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଜଣେ ଆହତ ହୋଇଥିବା ଜଣାପଡିଛି l ଅପରେସନ ପ୍ରାୟ ଶେଷ ହୋଇଛି କିନ୍ତୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ପରେ ସମ୍ପୂର୍ଣ୍ଣ ଅପରେସନର ଖୁଲାସା କରାଯିବ ।
National,State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଆଉ ତିଷ୍ଠି ପାରିବେନି ବାଂଲାଦେଶୀ । ଖୋଜି ଖୋଜି ବାଂଲାଦେଶୀଙ୍କୁ କରାଯିବ ବିଦା । ପାକିସ୍ତାନ ସହ ଭାରତର ମୁହାଁମୁହିଁ ପରିସ୍ଥିତି ଘଟଣା ପରେ ଏବେ ନଜର ବାଂଲାଦେଶ ଆଡ଼କୁ ଯାଇଛି। ଦେଶ ଭିତରେ ଅନୁପ୍ରବେଶ ଓ ବାଂଲାଦେଶୀଙ୍କ ଗତିବିଧି ନେଇ ବଡ଼ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଓଡି଼ଶାରୁ ଏବେ ବାଂଲାଦେଶୀଙ୍କୁ ବିଦା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ବିତାଡିତ ପାଇଁ ସରକାରୀ ସ୍ତରରେ ଚାଲିଛି ବଡଧରଣର ପ୍ରସ୍ତୁତି । ଏଥିପାଇଁ ନୋଡାଲ ଏଜେନ୍ସି ଭାବେ ସ୍ପେଶାଲ ଟାସ୍କ ଫୋର୍ସ STF କୁ ରାଜ୍ୟ ସରକାର ଦାୟିତ୍ବ ଦେଇଥିବା ବେଳେ ଖୁବଶୀଘ୍ର SOP ଜାରି କରିବ STF ।
ରାଜ୍ୟର ବିଭିନ୍ନ କନଷ୍ଟ୍ରକ୍ସନ ସାଇଟରେ ଠିକା ଭାବେ କିଏ ସିମେଣ୍ଟ ମିସ୍ତ୍ରୀ ତ କିଏ ଟାଇଲ ମିସ୍ତ୍ରୀ ବା ଲେବର କାମ କରି ବିଭିନ୍ନ ସଂସ୍ଥାର ଅଣ ଆଢୁଆଳରେ ରହିଛନ୍ତି। ସେନେଇ ସେସବୁ ସଂସ୍ଥା ଗୁଡିକ ସହ ସରକାର ଯୋଗାଯୋଗ କରି କାମରେ ନିୟୋଜିତ ନକରିବାକୁ ପରାମର୍ଶ ଦେଇଛନ୍ତି । କେବଳ ସେହି କାମ ନୁହେଁ ବିଭିନ୍ନ ବଡ଼ବଡ଼ ଅଫିସ ବା ବହୁ ତାଲା କୋଠା ମାନଙ୍କରେ ଇଣ୍ଟେରିୟର ଡିଜାଇନ୍ କାମରେ ମଧ୍ୟ କମ ମୂଲ୍ୟରେ ମିସ୍ତ୍ରୀ ଓ ବଢେଇା ଭାବେ ନିୟୋଜିତ ହୋଇଛନ୍ତି । ପ୍ଲାଏ ଓ ଇଣ୍ଟେରିୟର ଡିଜାଇନ ,ପୁଟି ରଙ୍ଗ କାମ ଭଳି କଣ୍ଟ୍ରାକ୍ଟରଙ୍କ ପାଖରେ କାମ କରୁଛନ୍ତି। ସେମାନଙ୍କୁ କାମରେ ନିୟୋଜିତ ନ କରିବାକୁ ସରକାରୀ ନିର୍ଦ୍ଦେଶ ପରେ ସେସବୁ କନଷ୍ଟ୍ରକ୍ସନ ସାଇଟ୍ ଯେଉଁଠି ଲୁଚା ଛପାରେ କାମ ଅଧିକାଂଶ ଚାଲୁଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦାରା ସେସବୁ ଇଣ୍ଟେରିୟର କନଷ୍ଟ୍ରକ୍ସନ ସାଇଟ୍ ମାନଙ୍କରେ ମଧ୍ୟ ରେଡ କରାଯିବ ।
ଦେଶ ବାହାରୁ ବିଭିନ୍ନ ପଟେ ଦେଶ ଭିତରକୁ ତଥା ରାଜ୍ୟ ଭିତରେ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି । ଏହା ଏକ ସଂଗଠିତ ଅପରାଧ। ଏଥିପାଇଁ ଏସବୁ ଉପରେ ନଜର ରଖିବା ପାଇଁଁ STF ଏସଟିଏଫକୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି। ବେଆଇନ ଅନୁପ୍ରବେଶ ନେଇ ଏଭଳି ସଂଗଠିତ ଅପରାଧ ରୋକିବା ପାଇଁ ଏସଟିଏଫ ପ୍ରକ୍ରିୟା ଆରମ୍ଭ କରିଛି। ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ଏସବୁ ଉପରେ ନଜର ରଖିବାକୁ ରିତିମତ ଭାବେ ପ୍ରତି ମାସରେ ଅଡଭାଇଜରୀ ଜାରି କରାଯାଉଛି। ଏବେ ଏନେଇ ଏକ ଏସଓପି ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର ଜାରି ହେବ ବୋଲି ଏସଟିଏଫ ଡିଆଇଜି ସୂଚନା ଦେଇଛନ୍ତି। ଏଇବର୍ଷ ଓଡ଼ିଶାରେ ଏସଟିଏଫ ପାଖରେ ଗତ ମାର୍ଚ୍ଚ ମାସରେ ବେଆଇନ ଅନୁପ୍ରବେଶ ଏକ କେସରେ ମୋଟ ୧୦ଜଣଙ୍କୁ ଗିରଫ କରାଯାଇ କୋର୍ଟ ପଠାଯାଇଛି।ତେବେ ଅନେକ ଅପରାଧିକ ପୃଷ୍ଟଭୂମିରେ ମଧ୍ୟ ସାମିଲ ହେଉଛନ୍ତି ବାଂଲାଦେଶୀ ଯାହା ରାଜ୍ୟ ଓ ଦେଶ ପାଇଁ ମଧ୍ୟ ଜାତୀୟ ସୁରକ୍ଷା ନେଇ ବଡ଼ ବିଷୟ । ସୀମା ବର୍ତ୍ତି ଅଞ୍ଚଳକୁ ଦୂରରେ ଥିବା ବାଂଲାଦେଶୀ ଯେପରି ଅନୁପ୍ରବେଶ ନକରିପରିବେ ସେନେଇ ସୀମା ବର୍ତ୍ତି ତଟ ସୁରକ୍ଷା ମଧ୍ୟ ବଢାଇ ଦିଆଯାଉଛି ।ଏନେଇ ମିଳିତ ଭାବେ ଏକ ପଦକ୍ଷେପ ଆରମ୍ଭ ହୋଇଛି।
National
ଦ କୁଇଭର ବ୍ୟୁରୋ:- ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ଆଗାମୀ ଦିନରେ ୨୦ଟଙ୍କାର ନୂଆ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରଚଳିତ ହେବାକୁ ଥିବା ନୂଆ ୨୦ ଟଙ୍କିଆ ନୋଟରେ କେନ୍ଦ୍ର ସରକାରଙ୍କ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ । ଶନିବାର ଦିନ ଏହି ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ l RBIର ସୂଚନାନୁଯାୟୀ, ନୂଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ନୂଆ ସିରିଜର ରହିବ । ନୂଆ ୨୦ଟଙ୍କିଆ ନୋଟ୍ ପୁରୁଣା ନୋଟ୍ ସହିତ ସମାନ ରହିବ । କେବଳ ସେଥିରେ ଗଭର୍ଣ୍ଣରଙ୍କ ଦସ୍ତଖତ ପରିବର୍ତ୍ତନ ହେବ । ଏହା ସହିତ ଆଉ ଏକ ସୂଚନା ଦେଇଛନ୍ତି ଯେ, ପୁରୁଣା ନୋଟଗୁଡିକ ମଧ୍ୟ ଆଗ ପରି ଚାଲୁ ରହିବ । କିନ୍ତୁ ଏହି ନୂଆ ନୋଟରେ ହାଲକା ରଙ୍ଗ ପରିବର୍ତ୍ତନ ହେବା ସହିତ ଆକାରରେ ସାମାନ୍ୟ ପରିବର୍ତ୍ତନ ହେବ । ଏହା ବ୍ୟତୀତ ନୂଆ ୨୦ ଟଙ୍କିଆ ନୋଟରେ ବେଦନଗରୀ ଲିପିରେ ଲେଖାଯିବ । ମହାତ୍ମା ଗାନ୍ଧୀଙ୍କ ଫଟୋ ପାଖରେ ହିନ୍ଦୀରେ ଭାରତ ବୋଲି ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିବ । ମହାତ୍ମା ଗାନ୍ଧୀଙ୍କ ୱାଟର ମାର୍କ ପାଖରେ ଗଭର୍ଣ୍ଣରଙ୍କ ସିଗନେଚର ମଧ୍ୟ ରହିବ । ଏହା ସହିତ ଏଥିରେ ଏକ ଗୁମ୍ଫାର ଫଟୋ ରହିବ । ଏହି ଉପାୟ ମାଧ୍ୟମରେ ନୂଆ ନୋଟ୍ ଅସଲି ବୋଲି ଜଣାପଡିବ ।
State
ଦ କୁଇଭର ବ୍ୟୁରୋ:- ବଙ୍ଗୋସାଗରରେ ବାତ୍ୟା ଓ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ ସ୍ପଷ୍ଟ କଲା IMD । ଆହୁରି ୭ ଦିନ ଓଡ଼ିଶାରେ କାଳବୈଶାଖୀ ଵର୍ଷା ।ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ବଙ୍ଗୋସାଗରରେ ବାତ୍ୟା ଓ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ IMD ତରଫରୁ କିଛି ଆକଳନ କରାଯାଇ ନାହିଁ । ଆଗାମୀ ୫ ଦିନ ମଧ୍ୟରେ ବାତ୍ୟା ହେବାର କୌଣସି ସମ୍ଭାବନା ନାହିଁ । ବାତ୍ୟାର ନିୟାମକ ସ୍ପଷ୍ଟ ହେଲେ IMD ପକ୍ଷରୁ ଆଗୁଆ ସୂଚନା ଦିଆଯିବ । ବାତ୍ୟା ହେବା ନେଇ ଆସୁଥିବା ଖବରରେ କୌଣସି ସତ୍ୟତା ନାହିଁ । ଏଭଳି ଗୁଜବ ଠାରୁ ଦୂରେଇ ରୁହନ୍ତୁ ।" ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।ସେପଟେ କାଳବୈଶାଖୀ ବର୍ଷା ଆସନ୍ତା ୬ ଦିନ ଯାଏଁ ରାଜ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳରେ ଗୁଳୁଗୁଳି ଅଣାୟତ୍ତ କରିବ । ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ କାଳବୈଶାଖୀ ବର୍ଷା ମଧ୍ୟ ରହିବ । ଫଳରେ ଦିନର ତାପମାତ୍ରାରେ ବିଶେଷ ବୃଦ୍ଧି ହେବ ନାହିଁ । ପଶ୍ଚିମ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲା କାଳବୈଶାଖୀରେ ପ୍ରଭାବିତ ହେବ । ହାଲୁକା ବର୍ଷାର ସମ୍ଭାବନା ସହ କିଛି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।
State
ଗଞ୍ଜାମ( ଦ କୁଇଭର):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ଦୁଇଜଣ ନକଲି ପୋଲିସକୁ ଗିରଫ କରିବାରେ ସଫଳ ହୋଇପାରିଛି । ଗିରଫ ହୋଇଥିବା ନକଲି ପୋଲିସ ଦୁଇଜଣ ସହରର ଚେକଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ଆରୋହୀଙ୍କ ଠାରୁ ଟଙ୍କା ଲୁଟ କରି ଚମ୍ପଟ ମାରିବା ସହ ଦିଲରାଜା ଛାଞ୍ଚଣଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ପାଇଁ ଉଦ୍ୟମ କରିଥିଲେ । ତେବେ ଦିଗପହଣ୍ଡି ପୋଲିସ ପ୍ରଶାସନ ଜାଣିପାରି ନକଲି ପୋଲିସକୁ ଧରିବାରେ ସଫଳ ହୋଇପାରିଛି । ଏଥିସହ ଲକ୍ଷାଧିକ ଟଙ୍କା ଉଦ୍ଧାର କରାଯାଇ ଦିଲରାଜା ଛାଞ୍ଚଣଙ୍କୁ ହସ୍ତାନ୍ତର କରାଯାଇଥିବା ଦିଗପହଣ୍ଡି ପୋଲିସ ପକ୍ଷରୁ ଅ।ଜି ସଂଧ୍ୟା 6 ଘଣ୍ଟ ସମୟରେ ସୂଚନା ପ୍ରଦାନ କରାଯାଇଛି ।
International,National
ଦ କୁଇଭର ବ୍ୟୁରୋ:- ଜ୍ୟୋତିଙ୍କ ପ୍ରାଥମିକ ତଦନ୍ତ ଶେଷ ହୋଇଛି,ପ୍ରାଥମିକ ଜେରାରେ ସତ ମାନିଛନ୍ତି ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା l ପାକିସ୍ତାନୀ ଅଧିକାରୀଙ୍କ ସହ ସମ୍ପର୍କ ଥିବା ସ୍ପଷ୍ଟ କରିଛନ୍ତି l ତେବେ ଜ୍ୟୋତି ଙ୍କର ଏହା 'ଟ୍ରାଭେଲ ୱିଥ୍ ଜୋ' ନାମରେ ୟୁଟ୍ୟୁବ୍ ଚ୍ୟାନେଲ ଅଛି l ୨୦୨୩ରେ ପାକିସ୍ତାନ ଯିବା ପାଇଁ ଭିସା ଆବେଦନ କରିଥିଲେ l ଭିସା ପାଇଁ ପାକିସ୍ତାନ ହାଇକମିସନ୍ କାର୍ଯ୍ୟାଳୟ ଅଫିସ ଯାଇଥିଲେ ଜ୍ୟୋତି l ସେଠାରେ ଅହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ଜ୍ୟୋତିଙ୍କ ଭେଟ ହୋଇଥିଲା l ଦାନିଶ ସହ ଫୋନ୍ ଯୋଗେ ସମ୍ପର୍କ ରଖିଥିଲେ ଜ୍ୟୋତି l ପାକିସ୍ତାନରେ ଦାନିଶଙ୍କ ସହାୟତାରେ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ ଜ୍ୟୋତି l ପାକିସ୍ତାନ ଗୁଇନ୍ଦା ଅଧିକାରୀ ଶାକିରଙ୍କ ଫୋନ୍ ନମ୍ବର ରାଣା ରନ୍ଧାୱା ନାମରେ ସେଭ୍ କରିଥିଲେ l ହ୍ବାଟ୍ସଆପ୍, ଟେଲିଗ୍ରାମ୍ ଓ ସ୍ନାପ୍ ଚାଟ୍ ଜରିଆରେ ପାକ୍ ଗୁଇନ୍ଦା ସହ ସମ୍ପର୍କରେ ଥିଲେ ଜ୍ୟୋତି ମାଲହୋତ୍ରା l ଭାରତ ସୁରକ୍ଷା ସମ୍ପର୍କିତ ତଥ୍ୟ ଏହି ମାଧ୍ୟମରେ ପାକ୍ ଗୁପ୍ତଚରଙ୍କୁ ଦେଇଥିଲେ ଜ୍ୟୋତି l ତେବେ ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଥିବା କଥା ପ୍ରାରମ୍ଭିକ ଜେରା ବେଳେ ସ୍ୱୀକାର କରିଛନ୍ତି ଜ୍ୟୋତି । କେବଳ ସେତିକି ନୁହେଁ ଦେଶ ସୁରକ୍ଷା ନେଇ ଗୁପ୍ତ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ଦେଇଥିବା କଥା ସ୍ୱୀକାର କରିଛନ୍ତି ଜ୍ୟୋତି । ସେ ପାକିସ୍ତାନ ଯିବାଠାରୁ ଆରମ୍ଭ କରି ସେଠାରେ ଗୁଇନ୍ଦା ଅଧିକାରୀଙ୍କ ସମ୍ପର୍କରେ କେମିତି ଆସିଲେ ଓ କେଉଁଭଳି ଭାବେ ସବୁ ଗୁପ୍ତ ତଥ୍ୟ ସେ ସେୟାର କରୁଥିଲେ ସେ କଥା ସ୍ୱୀକାର କରିଛନ୍ତି ଜ୍ୟୋତି ମଲହୋତ୍ରା ।
ସେପଟେ ଫରେନ୍ସିକ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚବେଳେ ଜଣାପଡିଛି । ସାଇରନ୍ ବାଜିବା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇ ଥିବା ବ୍ଲାକ୍ଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରି ଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧିରେ ଧିରେ ଜ୍ୟୋତିଙ୍କ ସବୁ ଷଡ୍ଯନ୍ତ୍ର ଧରାପଡୁଛି ।
International,National,Shree Jagannath
ଦ କୁଇଭର ବ୍ୟୁରୋ:- ପୁଣି ଇସ୍କନର ମନମାନି । ରବିବାର ଲଣ୍ଡନରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ରଥଯାତ୍ରାରେ ଶହ ଶହ ସଂଖ୍ୟାରେ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀ ଆସିବାକୁ ଅନଲାଇନ ମାଧ୍ୟମରେ ସୂଚନା ମଧ୍ୟ ଦିଆଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କୀର୍ତ୍ତନ, ଯୋଗ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଯୋଗାଯୋଗ ନମ୍ବର ଅନଲାଇନରେ ମଧ୍ୟ ଦିଆଯାଇଛି । ଏଥିରେ ୟୁଟ୍ୟୁବର ଗୋବିନ୍ଦ କୃଷ୍ଣ ଦାସ ସ୍ବତନ୍ତ୍ର ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ନେଇ ସୂଚନା ରହିଛି ।ଅଦିନିଆ ରଥଯାତ୍ରାକୁ ବାରମ୍ବାର ବିରୋଧ ସତ୍ତ୍ଵେ ଇସ୍କନ ଏହାକୁ ନ ମାନିବା ଏବଂ ଆଜି ଲଣ୍ଡନରେ ଅଦିନିଆ ରଥଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ନେଇ ପ୍ରସ୍ତୁତ ହେବା ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ପୂର୍ବରୁ ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଅଦିନିଆ ରଥଯାତ୍ରା ଆୟୋଜନ ନ କରିବା ପାଇଁ ଇସ୍କନକୁ ଅନୁରୋଧ କରିଥିଲେ । ଏହା ଉପରେ ଇସ୍କନ ଖୁବଶୀଘ୍ର ପଦକ୍ଷେପ ନେବ ବୋଲି ଇସ୍କନ ପ୍ରତିଶ୍ରୁତି ଦେଇଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଆଳରେ ବିକୃତ କରିଚାଲିଛି ଇସ୍କନ ।ତେବେ ଇସ୍କନ ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ସେବାୟତ, ଭକ୍ତ ଦାବି କରିଛନ୍ତି । ଏପରିକି ଇସ୍କନ ପକ୍ଷରୁ ରଥାରୁଢ଼ ଶ୍ରୀଜିଉଙ୍କର ଭୁଲ୍ ଫଟୋ ବି ଜାରି ହୋଇଛି । ବଳଭଦ୍ରଙ୍କ ତାଳଧ୍ବଜରେ ଶ୍ରୀଜଗନ୍ନାଥଙ୍କ ଫଟୋ ରହିଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନରେ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କ ଫଟୋ ରହିଛି ।
National,International
ଦ କୁଇଭର ବ୍ୟୁରୋ :- ପାକିସ୍ତାନ ସହ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ତୁର୍କୀ ଯେଉଁ ସାହାଯ୍ୟ କରିଥିଲା ତାର ଜବାବ ଦେଉଛି ଭାରତ । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭାରତ ଉପରେ ଡ୍ରୋନ ହମଲା କରିବାକୁ ୪୦୦ ଡ୍ରୋନ୍ ପଠାଇଥିଲା ତୁର୍କୀ । ଖାଲି ଡ୍ରୋନ୍ ସାହାଯ୍ୟ କରିନଥିଲା ବରଂ ତୁର୍କୀର ଡ୍ରୋନ୍ ଅପରେଟର ବି ପାକିସ୍ତାନରେ ରହି ଭାରତ ଉପରେ ହମଲା ପାଇଁ ସୀମା ପାର ପରିଚାଳନା କରୁଥିଲେ । ଯାହା ପ୍ରମାଣିତ ହେବା ପରେ ଏବେ ତୁର୍କୀ ଉପରେ ଆକ୍ସନ ନେବାକୁ ଭାରତ ଅଣ୍ଟା ଭିଡ଼ିଛି । କୂଟନୈତିକ ସ୍ତରରେ ତ ସରକାର ତୁର୍କୀ ଉପରେ ଆକ୍ସନ ନେବେ ହେଲେ ବୈବସାୟିକ କ୍ଷେତ୍ରରେ ଏବେ ବଡ଼ ପ୍ରହାର ଦେଇ ତୁର୍କୀର ଅଣ୍ଟା ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ଭାରତୀୟ ବ୍ୟବସାୟୀ । ତୁର୍କୀରୁ ଆସୁଥିବା ସବୁ ଫଳକୁ ଭାରତ ବଜାର୍ ବ୍ୟାନ୍ କରିବା ଆରମ୍ଭ କରିଛି । ଦୁଇ ତିନି ଦିନ ହେବ ଭାରତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ବ୍ୟବସାୟୀ ତୁର୍କୀ ଫଳକୁ ବ୍ୟାନ୍ କରିଛନ୍ତି । ସେପଟେ ଗତକାଲି ଓଡ଼ିଶାର ଭଦ୍ରକ ସମେତ ଦେଶର ବିଭିନ୍ନ ସ୍ଥାନରେ ତୁର୍କୀ ଫଳ ଉପରେ ରୋକ ଲଗାଇବାର ଚିତ୍ର ଆସିଥିବା ବେଳେ ଦିଲ୍ଲୀରେ ଗତକାଲି ତୁର୍କୀ ଦୂତାବାସ ଅଭିମୁଖେ ଯାତ୍ରା କରି ବିରୋଧ ପ୍ରଦର୍ଶନ କରାଯାଇଛି ।
State
ଦ କୁଇଭର ବ୍ୟୁରୋ:- ଓଡ଼ିଶା ସରକାର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହା ଟ୍ରାନ୍ସଜେଣ୍ଡରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ କାମ କରିବ । ବୋର୍ଡର ଅବଧି ୩ ବର୍ଷ ରହିବ। ୩ ବର୍ଷ ସମାପ୍ତି ପରେ ବୋର୍ଡ ପୁନର୍ଗଠନ ପାଇଁ ବିଭାଗ ପଦକ୍ଷେପ ଗ୍ରହଣ କରିବ । ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ଶିକ୍ଷା, ଚାକିରି, ଗୃହ ଓ ସ୍ୱାସ୍ଥ୍ୟ ସଂପର୍କୀୟ ଯୋଜନାକୁ ବୋର୍ଡ ଦେଖିବ ଓ ସେମାନଙ୍କର ସମ୍ବିଧାନିକ ଓ ମାନବିକ ଅଧିକାର ସୁରକ୍ଷା କରିବ। ସମୟ ସମୟରେ ସର୍ବେକ୍ଷଣ, ଗବେଷଣା ଓ ମୂଲ୍ୟାୟନ ମାଧ୍ୟମରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଆବଶ୍ୟକତା ଓ ଆବଶ୍ୟକ ଚାହିଦା ବୁଝିବ। ପ୍ରଭାବଶାଳୀ ବିକାଶ ଯୋଜନା, କାର୍ଯ୍ୟକ୍ରମ ଓ ନୀତି ଗଠନ କରିବାକୁ ନିଶ୍ଚିତ କରିବ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରି ବିଶେଷ ଫୋକସ୍ ଯୋଜନା ମାଧ୍ୟମରେ ସମୁଦାୟର କୁଶଳତା ବୃଦ୍ଧି ନିଶ୍ଚିତ କରିବ। ବୋର୍ଡରେ ଅଧ୍ୟକ୍ଷଙ୍କ ସମେତ ୧୨ଜଣ ସଦସ୍ୟ ରହିବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଧ୍ୟକ୍ଷ ରହିବେ । ବିଭାଗୀୟ ସଚିବ ବୋର୍ଡ ଉପାଧ୍ୟକ୍ଷ ରହିବେ । ବିଭାଗୀୟ ନିର୍ଦ୍ଦେଶକଙ୍କୁ ବୋର୍ଡ ସଚିବ ଦାୟିତ୍ବ ତୁଲାଇବେ । ବିଭିନ୍ନ ବିଭାଗରୁ ପ୍ରତିନିଧି ବୋର୍ଡରେ ରହିବେ । ୨ ଜଣ ଟ୍ରାନ୍ସଜେଣ୍ଡର ମଧ୍ୟ ବୋର୍ଡରେ ସଦସ୍ୟ ରହିବେ ।
Politics
ଦ କୁଇଭର ବ୍ୟୁରୋ:- ଦଶହରା ପୂର୍ବରୁ କ୍ୟାମ୍ପସ ନିର୍ବାସ ସରିବ ବୋଲି ସୂଚନା ଦେଇଛନ୍ତି ସୁରଜ ସୂର୍ଯ୍ୟବଂଶୀ । ମନ୍ତ୍ରୀ କହିଛନ୍ତି, କଲେଜ୍ ଇଲେକ୍ସନ୍ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ଏଣୁ ସଠିକ୍ ସମୟରେ ସବୁ ଶେଷ କରିବାକୁ ପ୍ରୟାସ ଜାରି ରହିଛି । ପୂର୍ବ ସରକାର ସମୟରୁ କ୍ୟାମ୍ପସ ନିର୍ବାଚନ ବନ୍ଦ ରହିଥିଲା । ବିଭିନ୍ନ ଆଳ ଦେଖାଇ କ୍ୟାମ୍ପସ୍ ନିର୍ବାଚନକୁ କରାଇ ଦିଆଯାଉ ନଥିଲା । ପ୍ରଥମେ କଲେଜରେ ବିଶ୍ରୁଙ୍ଖଳା, ପରେ କରୋନାର ଆଳ ଦେଖାଇ କ୍ୟାମ୍ପସ ନିର୍ବାଚନକୁ ବନ୍ଦ ରଖାଯାଇଥିଲା । ଯାହାକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଛାତ୍ର ସଂସଦ ନିର୍ବାଚନକୁ ନେଇ ସେତେବେଳର ସରକାର ବିଜେଡି ଉପରେ ବିଜେପି ଘନ ଘନ ଆକ୍ରମଣ କରିଥିବା ବେଳେ, ଛାତ୍ରମାନେ ମଧ୍ୟ ପୁଣି କ୍ୟାମ୍ପସ ନିର୍ବାଚନ କରିବାକୁ ଦାବି କରିଆସୁଥିଲେ । ଏବେ ବିଜେପି କ୍ଷମତାକୁ ଆସିଛି, ଆଉ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଗ୍ରିନ୍ ସିଗନାଲ୍ ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଶା ବଢିଛି ।
State
ଦ କୁଇଭର ବ୍ୟୁରୋ:- ଭୁବନେଶ୍ୱରରେ ସକାଳୁ ସକାଳୁ ପ୍ରଚଣ୍ଡ ତାତିର ଆଭାସ ମିଳିସାରିଥିଲା l ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ପରିଲକ୍ଷିତ ହେଉଛି । ୩୭ ଡିଗ୍ରୀ ଅତିକ୍ରମ କଲା ରାଜଧାନୀର ତାତି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୮.୭% ଆଦ୍ରତା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାରେ ତ ଅସହ୍ୟ ହେଲାଣି ତାତି, ନା ଘରେ ରହି ହେଉଛି ନା ବାହାରେ। ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ । ଜରୁରୀ କାମ ଥିଲେ ଚଷମା, ଟୋପି ଓ ଓଦା ଗାମୁଛା ସାହାରା । ଅନ୍ୟପଟେ ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ମେ ୨୧ ତାରିଖ ଅର୍ଥାତ ଆସନ୍ତାକାଲି ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ମେ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।