Banner Ad

କାଲିଠୁ ବଢିବ ବର୍ଷା : ବହିବ ପବନ, ଖସିବ ବିଜୁଳି

କାଲିଠୁ ବଢିବ ବର୍ଷା : ବହିବ ପବନ, ଖସିବ ବିଜୁଳି
Published by : Jyotshna Kumari
#State
Jul 18, 2025, 12:52 PM

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଜାରି ରହିଛି ମୋସୁମୀ ଜନିତ ବର୍ଷା । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିବା ବେଳେ ଆଗାମୀ ଦୁଇ ଦିନ ଯାଏ ଏହି ଭଳି ବର୍ଷା ଲାଗି ରହିବ,ଆସନ୍ତାକାଲି(ଜୁଲାଇ 19)ରୁ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, ‘ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ କିଛି ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।’ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ବାଲେଶ୍ବର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ବହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ପବନର ଘଣ୍ଟା ପ୍ରତି 30.40 କିଲୋମିଟର ବେଗରେ ବହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।ରାଜ୍ୟର ୫୧ ରୁ ୭୫ପ୍ରତିଶତ ଅଞ୍ଚଳରେ ବର୍ଷା ହେବା ସହ‌ ବର୍ଷାର ପରିମାଣ ଟିକେ ବଢିବ ବିଶେଷ କରି ଦକ୍ଷିଣ ଓଡ଼ିଶା ପାଇଁ ବୋଲି ଭୁବନେଶ୍ବର ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି । ଏନେଇ‌ ୟେଲୋ‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ଗତ ୨୪ ଘଣ୍ଟାରେ ଗଞ୍ଜାମରେ ସର୍ବାଧିକ ୭୪.୨ମିମି ବର୍ଷା ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ଭବାନୀପାଟଣା ୩୫.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଓ ନବରଙ୍ଗପୁରରେ ୨୧.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

National,State

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ‘ଶ୍ରୀଜଗନ୍ନାଥଙ୍କ ନବକଳେବର'

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ଓଡ଼ିଆ ଫିଲ୍ମ ଇତିହାସରେ ପ୍ରଥମ । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡିଆ ଫିଲ୍ମ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ପ୍ରସ୍ତୁତ ଫିଲ୍ମ 'ଶ୍ରୀଜଗନ୍ନାଥଙ୍କ ନବକଳେବର' ରାଷ୍ଟ୍ରପତି ପ୍ରଦର୍ଶିତ ହୋଇଛି । ପୂରା ଟିମ୍‌ ସହ ଫିଲ୍ମ ଦେଖି ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଶ୍ରୀଜଗନ୍ନାଥଙ୍କ ନବକଳେବର' ଚଳଚ୍ଚିତ୍ରର ସ୍ବତନ୍ତ୍ର ସୋ’ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନର କଲଚରାଲ୍‌ ସେଣ୍ଟରରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ଫିଲ୍ମ ସହ ଜଡିତ ପୂରା ଟିମ୍‌କୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପୂରା ଟିମ୍‌ ଫିଲ୍ମଟିକୁ ଦେଖିଥିଲେ ।ସ୍ୱୟଂ ବଡ଼ଠାକୁରଙ୍କ ଏହି ଫିଲ୍ମ ଦେଖି ସମସ୍ତେ ବହୁତ ଭାବ ବିହ୍ଵଳ ହୋଇଥିଲେ ରାଷ୍ଟ୍ରପତି । ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ । ଏହି ଅବସରରେ ନବକଳେବର ଟିମ୍ ଗଣମାଧ୍ୟମକୁ କହିଛନ୍ତି, ‘ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ଟିମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆଜି ଆମେ ଦର୍ଶକଙ୍କ ଏହି ଭଲପାଇବା ପାଇଥିଲୁ । ଆମ ଓଡିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ କାର୍ଯ୍ୟାଳୟର ଏହି ଫିଲ୍ମ ପ୍ରତି ଭଲପାଇବା ଆମର ମନୋବଳକୁ ଆହୁରି ବଢାଇଛି ।’


ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ସହ ଚଳଚ୍ଚିତ୍ରର ଉପଦେଷ୍ଠା ବିଭୁପ୍ରସାଦ ମହାପାତ୍ର, ମେଜର ଜେନେରାଲ ଭୁଦେବ ପରିଡା, ରାଷ୍ଟ୍ରପତିଙ୍କ ଭିଏସଏମ୍ ସାମରିକ ସଚିବ ବିଜୟ ନାୟକ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ୍ ସଚିବ ଜ୍ଞାନ ରଞ୍ଜନ ନନ୍ଦ, ରାଷ୍ଟ୍ରପତିଙ୍କ ସଚିବ ଦୀପ୍ତି ଉମାଶଙ୍କର, ପ୍ରେସ୍ ସଚିବ ଅଜୟ କୁମାର ସିଂହ, ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ ସୁନୀଲ କୁମାର ତ୍ରିବେଦୀ, କ୍ୟାପ୍ଟେନ୍ ରଭନୀତ ସିଂହ ରନ୍ଧାୱା ନିୟନ୍ତ୍ରକ, କର୍ଣ୍ଣେଲ (ଡକ୍ଟର) କିରଣ କୁମାର କମ୍ପେଲା, ଦେବଶ୍ବେତା ବଣିକ (ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ), ଡକ୍ଟର ସୁନିଶ ଏସ. (ଆଇଫ୍ଏ) । ଓଡ଼ିଶାର ସାଂସଦ ମୁନା ଖାଁଙ୍କ ସହ ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ବିତରକ ପ୍ରକାଶ ଫିଲ୍ମସର ନିର୍ଦ୍ଦେଶକ ସଚ୍ଚିକାନ୍ତ ଜେନା, ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର,କାହାଣୀ ଓ ସଂଳାପକାର ଶଙ୍କର ତ୍ରୀପାଠି ଙ୍କ ସହ ଫିଲ୍ମର ମୁଖ୍ୟ କଳାକାର ବୃନ୍ଦ ଯେପରିକି ସିଦ୍ଧାନ୍ତ ମହାପାତ୍ର,ଜ୍ୟୋତି ରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନୀ ସଙ୍ଗୀତା, ପିଙ୍କି ପ୍ରଧାନ, ଓ ଅଂଶୁମାନ ପ୍ରମୁଖ ।


ତେବେ ଜୁଲାଇ ୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ । ରିଲିଜ ହେବା ଦିନରୁ ଫିଲ୍ମଟି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ପ୍ରେକ୍ଷାଳୟକୁ ଓଡିଆ ଦର୍ଶକ ନିଜେ ଟାଣି ହୋଇ ଆସୁଛନ୍ତି । ରାଷ୍ଟ୍ରପତି ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମ୍କୁ ନିମନ୍ତ୍ରଣ କରିଥିଲେ । ଫିଲ୍ମଟି ଦର୍ଶକଙ୍କୁ ଭାବବିହ୍ବଳ କରୁଛି ।

State

ଆସୁଛି ବଡ଼ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଭିଜିବ ଓଡିଶା। ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଲଘୁଚାପ । ପରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ଥିବାରୁ ପ୍ରଥମେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ପରବତ୍ତୀ ସମୟରେ ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ମୁହାଁ ହେବ। ଫଳରେ ସୀମାନ୍ତବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏବଂ ଅନ୍ୟ ସମସ୍ତ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ୱାର୍ଣ୍ଣି ଜାରି କରାଯାଇଛି । ଆସନ୍ତା କାଲି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆୟ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗକୁ ଲଘୁଚାପ ଥିବାରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Health & lifestyle,State

ବଳଙ୍ଗା ନାବାଳିକା ମାଜିଷ୍ଟ୍ରେଟ୍‌ଙ୍କୁ ଦେଲେ ବୟାନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଦୁର୍ବୃତ୍ତଙ୍କ ଦ୍ବାରା ଦେହରେ ନିଆଁ ଲାଗିଲା ପରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇଛି। ପୁରୀଜିଲ୍ଲା ବଳଙ୍ଗା ଟିମ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନାବାଳିକା ବୟାନ ଦେଇଛନ୍ତି। ୧୮୦ବିଏନ୍‌ଏସ୍‌ଏସ୍‌ରେ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ନାବାଳିକାଙ୍କ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍‌ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି।


ଅଭିଯୋଗରେ ପୀଡ଼ିତାଙ୍କ ମା’ କହିଛନ୍ତି, ଝିଅକୁ ପୋଡ଼ି ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ଆଜି ପୂର୍ବାହ୍‌ଣରେ ଝିଅ ତାର ବଡ଼ବାପାଙ୍କ ଘରକୁ ଯାଉଥିଲା। ଏହି ସମୟରେ ପୂର୍ବରୁ ଟାର୍ଗେଟ କରିଥିବା ଦୁର୍ବୃତ୍ତମାନେ ଅପହେରଣ କରିଥିଲେ। ତିନି ଜଣ ଦୁର୍ବୃତ୍ତ ନାବାଳିକା ଝିଅକୁ ଅପହରଣ କରି ନଦୀବନ୍ଧ ପାଖକୁ ନେଇଯାଇଥିଲେ। ସେଠାରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ। ମାତ୍ର ଝିଅ ଉପସ୍ଥିତ ବୁଦ୍ଧି ଲଗାଇ ସେମାନଙ୍କ ପାଖରୁ ଖସି ଆସିଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଯେଉଁ ୩ ଅଭିଯୁକ୍ତ ଅପହରଣ କରିଥିଲେ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଅଭିଯୁକ୍ତମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

State

କାଲିଠୁ ବଢିବ ବର୍ଷା : ବହିବ ପବନ, ଖସିବ ବିଜୁଳି

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଜାରି ରହିଛି ମୋସୁମୀ ଜନିତ ବର୍ଷା । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିବା ବେଳେ ଆଗାମୀ ଦୁଇ ଦିନ ଯାଏ ଏହି ଭଳି ବର୍ଷା ଲାଗି ରହିବ,ଆସନ୍ତାକାଲି(ଜୁଲାଇ 19)ରୁ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, ‘ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ କିଛି ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।’ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ବାଲେଶ୍ବର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ବହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ପବନର ଘଣ୍ଟା ପ୍ରତି 30.40 କିଲୋମିଟର ବେଗରେ ବହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।ରାଜ୍ୟର ୫୧ ରୁ ୭୫ପ୍ରତିଶତ ଅଞ୍ଚଳରେ ବର୍ଷା ହେବା ସହ‌ ବର୍ଷାର ପରିମାଣ ଟିକେ ବଢିବ ବିଶେଷ କରି ଦକ୍ଷିଣ ଓଡ଼ିଶା ପାଇଁ ବୋଲି ଭୁବନେଶ୍ବର ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି । ଏନେଇ‌ ୟେଲୋ‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ଗତ ୨୪ ଘଣ୍ଟାରେ ଗଞ୍ଜାମରେ ସର୍ବାଧିକ ୭୪.୨ମିମି ବର୍ଷା ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ଭବାନୀପାଟଣା ୩୫.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଓ ନବରଙ୍ଗପୁରରେ ୨୧.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

State

ମାଟିତଳୁ ବାହାରୁଛି ଗରମ ପାଣି

Blog Thumbnail

ଦ କୁଇଭର ବ୍ୟୁରୋ :- ମାଟିତଳୁ ବାହାରୁଛି ଗରମ ପାଣି । ନୂଆଗାଁ ବ୍ଲକ ଦୁରୁଦୁରା ପଂଚାୟତ କିରିଆଲାଞ୍ଜି ଠାରେ ପାର୍କ ନିର୍ମାଣ ପାଇଁ ମାଟି ଖୋଳା ଯାଉଥିବା ବେଳେ ମାଟି ତଳୁ ବାହାରିଲା ଗରମ ପାଣି ।ମାଟି ଖୋଳା ଯାଉଥିବା ବେଳେ ପ୍ରଥମେ ରାସାୟନିକ ପଦାର୍ଥ ଭଳି କିଛି ଗନ୍ଧ ବାହାରିଥିଲା । ଅଧିକ ଟିକେ ମାଟି ଖୋଳାଯିବା ପରେ ଗରମ ପାଣି ବାହାରିଥିଲା । ଗ୍ରାମବାସୀ ଭୟଭୀତ ହୋଇ ଇଲେକ୍ଟ୍ରି ଖୁଣ୍ଟରୁ ବିଦ୍ୟୁତ ସରବରାହ ବନ୍ଦ କରି ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ସେହି ସ୍ଥାନରୁ ଅନବରତ ଗରମ ପାଣି ବାହାରିବା ବେଳେ ମାଟି ଗରମ ହେଉଛି । କିଛି ଲୋକ ସେହି ସ୍ଥାନରେ ପୂଜାର୍ଚ୍ଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।

State,Education

ସାମ୍ନାକୁ ଆସିଲା ଅଧ୍ୟାପକଙ୍କ ଚାଞ୍ଚଲ୍ୟକର ଭିଡିଓ

Blog Thumbnail

ଦ କୁଇଭର ବ୍ୟୁରୋ :- ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ଅଭିଯୁକ୍ତ ସମୀର ସାହୁଙ୍କ ଏକ ଭିଡିଓ । ଏ ଭିଡ଼ିଓ ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବରୁ ବୋଲି ଜଣାପଡୁଛି । ସହକାରୀ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ପରେ ସମୀର ସାହୁ ଏକ ବୈଠକରେ ଭୁଲ ମାଗୁଥିବା ଜଣାପଡିଛି । ଭିଡିଓରେ ସମୀର ସାହୁ, ପୀଡ଼ିତାଙ୍କ ପ୍ରତି ଆଉ ଖରାପ ବ୍ୟବହାର ପ୍ରଦର୍ଶନ କରିବେ ନାହିଁ ବୋଲି କହୁଛନ୍ତି । ପୀଡ଼ିତାଙ୍କୁ କ୍ଲାସ୍ ଆସିବାକୁ କହିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।



ଏଫଏମ ବିଶ୍ୱ ବିଦ୍ୟାଳୟ ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଏଚ୍‌ଓଡି ସମୀର ସାହୁ ବାଲେଶ୍ବର ଜିଲ୍ଲା କାରାଗାରରେ ରହିଛନ୍ତି। ଏଚ୍‌ଓଡି କାରାଗାରର ୩ ନମ୍ବର ସେଲ୍‌ରେ ରହିଥିବା ବେଳେ ଅଧ୍ୟକ୍ଷଙ୍କୁ ୧୫ ନମ୍ବର ସେଲ୍‌ରେ ରଖାଯାଇଛି। ଶ୍ରୀ ସାହୁଙ୍କ ସହିତ ୩ ଜଣ କଏଦୀ ରହୁଥିବା ବେଳେ ଶ୍ରୀ ଘୋଷଙ୍କ ସହିତ ୨୯ ଜଣ କଏଦୀ ରହୁଛନ୍ତି । ସେମାନଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କିମ୍ବା ମିଳାମିଶା ନହେବା ପାଇଁ କାରାଗାର ପକ୍ଷରୁ କଡ଼ା ନଜର ରଖାଯାଇଛି । ତେବେ କାରାଗାରକୁ ଆସିବା ପରଠାରୁ ଉଭୟ ଚୁପ୍‌ଚାପ୍‌ ରହୁଥିବା ଜଣାଯାଇଛି ।

State

ଜିଲ୍ଲା କୋର୍ଟରେ ଅନୁଷ୍ଠିତ ହେବ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ'

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୨୭ ତାରିଖ ରବିବାର ଦିନ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ହେବ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ' l ଏଥିରେ କେବଳ ବିଚାରାଧୀନ ଚେକ୍ ବାଉନ୍ସ ମାମଲାର ଆପୋଷ ସହମତିରେ ସମାଧାନ କରାଯିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାକୁ ନିଃଶୁଳ୍କ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରିବା ପାଇଁ ଏହା ଏକ ବଡ଼ ସୁଯୋଗ l ସବିଶେଷ ବିବରଣୀ ପାଇଁ ଗଞ୍ଜାମ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ବ୍ରହ୍ମପୁର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ l

Health & lifestyle,State

MKCG ରେ ଅନ୍ତରୀଣ କମିଟିର ତଦନ୍ତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଘରୋଇ ମେଡିକଲକୁ ନିଜେ ଏମକେସିଜିର ଡାକ୍ତର ରୋଗୀ ଚାଲାଣ ଘଟଣାରେ ଆରମ୍ଭ ହୋଇଛି ଅନ୍ତରୀଣ କମିଟିର ତଦନ୍ତ । ଆଜି ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ କୋଠରୀରେ ଅନ୍ତରୀଣ କମିଟିର ସଦସ୍ୟଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଏମକେସିଜି ମେଡିକାଲରେ ବରିଷ୍ଠ ଡାକ୍ତର ମାନେ ରହିଥିଲେ । ମୃତ ବଳରାମ କିଭଳି ଅବସ୍ଥାରେ ଏମକେସିଜି ଆସିଥିଲେ ଓ ଅଭିଯୋଗ ପ୍ରକାରେ ଡାକ୍ତର ଦିଲ୍ଲୀପ ପ୍ରଧାନ କାହିଁକି ବଳରାମଙ୍କୁ ନିଜ ଘରୋଇ ମେଡିକାଲକୁ ନେଇଥିଲେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇଥିଲା । ପ୍ରାୟ ୨ ଘଣ୍ଟା ଧରି ବୈଠକରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇଥିଲା । ଘଟଣାର ତଦନ୍ତ ହୋଇଥିବା ବେଳେ ଆସନ୍ତା କାଲି ଅପରାହ୍ନ ୪ଟା ସୁଦ୍ଧା ତଦନ୍ତକାରୀ କମିଟି ଏକ ରିପୋର୍ଟ ଦେବ । ସେହି ରିପୋର୍ଟ ଅନୁସାରେ ସରକାରଙ୍କୁ ଜଣାଇ ଦିଆଯିବ । ଯଦି ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଦୋଷ ରହିଛି ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧିକ୍ଷକ । ତେବେ ଗତ ୧୦ ତାରିଖରେ ବାଘଲଟି ଅଞ୍ଚଳର ବଳରାମ ଗୌଡ଼ ଦୁର୍ଘଟଣାରେ ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏମକେସିଜି ମେଡିକାଲରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ ପ୍ରଧାନ ନିଜର ଘରୋଇ ମେଡିକାଲ ବିନାୟକ ହସପିଟାଲକୁ ରୋଗୀଙ୍କୁ ନେବା ପାଇଁ କହିଥିଲେ । ସେଠାରେ ତିନି ଦିନ ଧରି ରୋଗୀଙ୍କୁ ଚିକାଗୋ କରାଯିବା ପରେ ଗତ ୧୩ ତାରିଖରେ ବଳରାମଙ୍କ ମୃତ୍ୟୁ ହୋଇଥିଲା। ବଳରାମଙ୍କ ମୃତ୍ୟୁ ପାଇଁ ଡାକ୍ତର ଦିଲ୍ଲୀପ ପ୍ରଧାନ ସମ୍ପୂର୍ଣ୍ଣ ଦାୟୀ ରହିଥିବା ନେଇ ତାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ।‌ ଯଦି ଅନ୍ତରୀଣ କମିଟି ନ୍ୟାୟ ନ ଦେବ ତେବେ ବଳରାମଙ୍କ ଦଶାହ କାର୍ଯ୍ୟ ବିନାୟକ ହସପିଟାଲ ସମ୍ମୁଖ, ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଘର ସମ୍ମୁଖ, ଏମକେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୃତ ବଳରାମଙ୍କ ସମ୍ପର୍କୀୟ ।


Health & lifestyle,State

ପ୍ରତ୍ୟେକ୍ଷଦର୍ଶୀଙ୍କ ବୁକୁଫଟା କଥା

Blog Thumbnail

ଦ କୁଇଭର ବ୍ୟୁରୋ :- କେତେ ଯନ୍ତ୍ରଣା ଦାୟକ ଥିଲା ସେ ଦୃଶ୍ୟ । ଛାତି ଫାଟି ଯାଉଥାଏ । ଭୟରେ ଦେହ ଏବେ ବି ଥରୁଛି । ଜିଅନ୍ତା ଜଳୁଛି ଝିଅଟି । ଚିତ୍କାର କରୁଛି ବଞ୍ଚାଅ ବଞ୍ଚାଅ । ପ୍ରାଣ ବିକଳରେ ଦୌଡ଼ୁଛି । କେବଳ କହୁଛି ମୋତେ ପୋଡ଼ି ଦେଲେ । ହୁତୁ ହୁତୁ ହୋଇ ଜଳୁଥିବା ଝିଅଟି ପଡ଼ିଗଲା ପାଣି ପକାଇ ଚେଷ୍ଟା କଲୁ ନିଆଁ ଲିଭାଇବାକୁ । ନିଆଁ ଲିଭାଇବା ପରେ ଡ୍ରେସ ପିନ୍ଧାଇଲି । ଆମ୍ବୁଲାନ୍ସକୁ ଡକାଯାଇଥିଲା । ଆମ୍ବୁଲାନ୍ସ ଆସିବା ମାତ୍ରେ ତତ୍କାଳ ତାଙ୍କୁ ଚିକିତ୍ସା ପାଇଁ ପଠାଇଲୁ । ଏମିତି କିଏ କଲା ବୋଲି ପଚାରିବାରୁ କହିଲା ତିନିଜଣ ମୁହଁରେ ରୁମାଲ ବାନ୍ଧି ଆସିଲେ ମତେ ଉଠାଇନେଲେ । ତା ପରେ....


ପ୍ରାୟ ୭୦ଭାଗ ପୋଡ଼ି ଯାଇଥିବା ନାବାଳିକାର ଜଳୁଥିବା ଶରୀର କଥା ମନେ ପଡ଼ିଲେ ଛାତି ବିଦାରି ହୋଇ ଯାଉଛି । କେତେ ନିର୍ମମ ସେମାନେ ? ଜଲ୍ଲାଦ ଠୁ ତ କମ ନୁହନ୍ତି ? କେମିତି ହାତ ଗଲା, ଜିଅନ୍ତା ଝିଅକୁ ଜାଳି ଦେବାକୁ ? କେମିତି ଏତେ ନୃଶଂସ ଏମାନେ ? ଏମିତି ଗାଁଟା ସାରା ବାହୁନି ହେଉଛନ୍ତି । କ’ଣ ହେବ ସେ ଝିଅର ? ବଞ୍ଚିବ ତ ? ଯଦି ବଞ୍ଚିବ ତେବେ ଭବିଷ୍ୟତ କ’ଣ ? ଏହି ଘଟଣା ସ୍ଥାନୀୟ ପିଲା ମାନଙ୍କ ମନରେ ଆତଙ୍କ ଖେଳାଇ ଦେଇଛି ।


କିଏ ଏମାନେ ? କିଏ ଏହି ଅଭିଯୁକ୍ତ ? କ’ଣ ଏମାନଙ୍କ ସହ ନାବାଳିକାର ଥିଲା ଶତ୍ରୁତା ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ପୋଲିସ ତଦନ୍ତ ଚାଲିଥିବା କହୁଛନ୍ତି । ହେଲେ, ପୋଲିସ ଉପରେ ଭରସା ପାଉନାହିଁ । କାରଣ ପୂର୍ବରୁ ଅନେକ ଏପରି ଘଟଣା ହୋଇଛି, ଯାହାର ତଦନ୍ତ ଫସର ଫାଟିଛି । ତଦନ୍ତ କେବଳ ଧୂଆଁବାଣ ହୋଇ ରହିଛି । ଦେଖାଯାଉ ଏହି ଘଟଣାରେ ପୋଲିସର ତଦନ୍ତ କୁଆଡ଼େ ଯାଉଛି ଓ ସରକାରୀ ପଦକ୍ଷେପର ଗତି କୁଆଡ଼େ ଯାଉଛି ?



Farming,State

ଖରିଫ ଫସଲ ପାଇଁ ୭.୯୪ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଚଳିତ ବର୍ଷ ଖରିଫ ଫସଲ ପାଇଁ ରାଜ୍ୟରେ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ଉପଲବ୍ଧ ହୋଇଛି।‌‌ କଳାବଜାରୀ ଓ ନକଲି ସାର କାରବାର ରୋକିବା ପାଇଁ ମାର୍କଫେଡ୍ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନ କାରବାରକୁ ସୁନିୟନ୍ତ୍ରିତ କରିବାକୁ କୃଷି, ରାଜସ୍ୱ ଏବଂ ପୁଲିସ ବିଭାଗକୁ ନେଇ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ସାର ଖୁଚୁରା ବିକ୍ରେତା ଏବଂ ପାଇକାରୀ ବିକ୍ରେତା ପଏଣ୍ଟଗୁଡ଼ିକର ଅଚାନକ ଯାଞ୍ଚ ଏବଂ ବେଆଇନ କାର୍ଯ୍ୟ ରୋକିବାକୁ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ରାଜ୍ୟରେ ୧୯୯୩ ଖୁଚୁରା ବିକ୍ରେତା ପଏଣ୍ଟ ଯାଞ୍ଚ କରି ୪୨୭ ଖୁଚୁରା ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୮ ଟି ମାମଲାରେ ବିକ୍ରୟ ବନ୍ଦ ନୋଟିସ୍ ଜାରି କରାଯାଇଥିବା ବେଳେ ଏଫ୍‌ସିଓ ନିୟମ ଉଲ୍ଲଂଘନ ପାଇଁ ୨୫ ଟି ଡିଲର ଲାଇସେନ୍ସକୁ ବାତିଲ କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଯୋଜନା କରାଯାଇଛି I ଏଥି ମଧ୍ୟରୁ ୩୪.୯୪ ଲକ୍ଷ ହେକ୍ଟର ଧାନ ଏବଂ ୨୩.୫୬ ଲକ୍ଷ ହେକ୍ଟର ଅଣଧାନ ଅନ୍ତର୍ଭୁକ୍ତ। ଭାରତ ସରକାର ସମଗ୍ର ଖରିଫ ଋତୁ ପାଇଁ ରାଜ୍ୟକୁ ବିଭିନ୍ନ ଗ୍ରେଡ୍‌ର ୯.୫୫ ଲକ୍ଷ ମେଟ୍ରିକ୍‌ ଟନ୍ ସାର ଆବଣ୍ଟନ କରିଛନ୍ତି। ଖରିଫ ଚାଷ ପୂର୍ବରୁ ରାଜ୍ୟ ସରକାର ମାର୍କଫେଡ୍, ପ୍ୟାକ୍ସ, ଲ୍ୟାମ୍ପସ୍‌ ଖୁଚୁରା ଡିଲରମାନଙ୍କ ପାଖରେ ବିଭିନ୍ନ ସାର ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଏବେ ସୁଦ୍ଧା ମୋଟ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ମିଳିଛି। ୩.୬୫ ଲକ୍ଷ ମେଟ୍ରିକ ଟନ୍ ବିଭିନ୍ନ ପ୍ରକାର ସାର ଚାଷୀମାନଙ୍କୁ ବିକ୍ରୟ କରାଯାଇସାରିଛି। ବିଭିନ୍ନ ଜିଲ୍ଲାରେ ୪.୨୪ ଲକ୍ଷ ମେଟ୍ରିକ ଟନ୍ ସାର ଉପଲବ୍ଧ ଅଛି। ଏହା ବ୍ୟତୀତ ୨୩,୫୮୯ ମେଟ୍ରିକ ଟନ୍ ସାର ଖୁବ୍‌ଶୀଘ୍ର ବିଭିନ୍ନ ଜିଲ୍ଲାରେ ପହଞ୍ଚିବା ପାଇଁ ପରିବହନରେ ଅଛି। ମାର୍କଫେଡ୍‌କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ କରିବାକୁ ସାର ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟକ୍ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ / ଲ୍ୟାମ୍ପସଗୁଡ଼ିକୁ ବିଭିନ୍ନ ଗ୍ରେଡ୍‌ର ସାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ମାର୍କଫେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ଖରିଫରେ ଏହି ସମୟ ମଧ୍ୟରେ ରାଜ୍ୟରେ ୭.୭୧ ଲକ୍ଷ ମେଟ୍ରି୍‌କ ଟନ୍ ସାର ଉପଲବ୍ଧ ଥିଲା। ଏହି ବର୍ଷ ଅଧିକ ସାର ଉପଲବ୍ଧ ଅଛି ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

Education,State,Politics

ସୌମ୍ୟାଶ୍ରୀଙ୍କୁ ନିର୍ଯାତନା : ସବୁ ଦଳର ହାତ

Blog Thumbnail

ଦ କୁଇଭର ବ୍ୟୁରୋ :- ସୌମ୍ୟାଶ୍ରୀଙ୍କୁ ନିର୍ଯାତନା ଦେଇଥିବା HOD ଓ ଅଧ୍ୟକ୍ଷଙ୍କ ପଛରେ ସବୁ ଦଳର ନେତାଙ୍କ ହାତ ରହିଛି । ସେ ବିଜେଡି ହେଉ କି କଂଗ୍ରେସ ବା ବିଜେପି, ସମସ୍ତଙ୍କର ସମର୍ଥନରେ HOD ସମୀର ସାହୁ ଓ ଅଧ୍ୟକ୍ଷ ଘୋଷ ନିର୍ଯାତନା ଦେଉଥିଲେ । ଏପରିକି ବିଜେଡି ସହାୟତାରେ ଅଧ୍ୟାପକ ସମୀର ଭୁବନ କଲେଜରୁ ସୁରକ୍ଷା ପାଇ ଫେରିଥିଲେ । ତାଙ୍କର କଳା କାରନାମାକୁ ବିଜେଡି ଲୁଚାଇବା ପଛରେ କାଳେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ହାତ ରହିଛି । ଦେବୀଙ୍କ ପୁଅଙ୍କର କମ୍ପାନୀ ଡିଅନରେ ସମୀରଙ୍କ ବାପା ସମ୍ପୃକ୍ତି ରହିଥିବା କୁହାଯାଉଛି । କେବଳ ସେତିକି ନୁହେଁ, ତାଙ୍କ ଶାଳକ ହେଲେ ବିଜେପିର ଜିଲ୍ଲା ପରିଷଦ ପ୍ରତିନିଧି । କଂଗ୍ରେସ ସହ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କର ଭଲ ସମ୍ପର୍କ ରହିଛି । ତେଣୁ ତିନିଦଳ ମିଶି ଏହି ଦୁଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା କୁହାଯାଉଛି ।


ସୌମ୍ୟାଶ୍ରୀଙ୍କୁ ଏମାନେ ନ୍ୟାୟ ଦେବେ ? ଏମାନଙ୍କର ସେ ନୀତି ନା ନୈତିକତା ଅଛି । ନା ବିରୋଧୀଙ୍କର ଆନ୍ଦୋଳନ କରି ଦାବି କରିବାର ନୈତିକତା ରହିଛି ନା ସରକାରୀ ଦଳର ତଦନ୍ତ କରି ଦୋଷୀଙ୍କୁ ଧରିବାର କ୍ଷମତା ରହିଛି । ସବୁ ଏମାନେ ଚାପି ଦେବାକୁ ବସିଛନ୍ତି । ତଦନ୍ତ କେବଳ ଧୂଆଁ ବାଣ ହେବ । ସବୁ ରଫାଦଫା ହେବ । ଏପରିକି ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଏମାନେ ପ୍ରଲୋଭିତ କରି ଚୁପ କରାଇ ଦେବେ । ଆନ୍ଦୋଳନକାରୀ ସପ୍ତାହେ ମଧ୍ୟରେ ବସିଯିବେ । ସରକାର ବି ଚୁପ ହୋଇଯିବେ । କିଛିବର୍ଷ ପରେ ଅଭିଯୁକ୍ତ ଜାମିନରେ ଆସି ପୁଣି ବୁଲିବେ ଆଉ ଏହାପରେ ଆଉ କେଉଁ ଛାତ୍ରୀଙ୍କ ନିର୍ଯାତନାର କାହାଣୀ ଲେଖାଯିବ ।


ଅଭିଯୁକ୍ତ ସମୀର ସାହୁଙ୍କ ବାପା କାଳେ ଡିଅନ କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି । ତେଣୁ ଦେବୀ ମିଶ୍ରଙ୍କ ସୁରକ୍ଷାରେ ସେ ବହୁ ବର୍ଷରୁ ଥିବା କୁହାଯାଉଛି । କାରଣ ଦେବୀଙ୍କ ପୁଅଙ୍କର କମ୍ପାନୀରେ ସମୀରଙ୍କ ବାପା ବିମ୍ବାଧର ସାହୁ ଭଲଭାବେ ଜଡ଼ିତ ରହିଛନ୍ତି । ଏହାକୁ ଦେବୀ ମିଶ୍ରଙ୍କ ପକ୍ଷରୁ ଅସ୍ୱୀକାର କରାଯାଇଛି । ହେଲେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ତ ? ସେହିପରି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ହେଉଛନ୍ତି ବିଧାୟକ ମାନସ ଦତ୍ତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ଏତେ ସବୁ ରାଜନୈତିକ ଲିଙ୍କ ଥିବା ନେତାଙ୍କର କିଛି କରିବ ତ କ୍ରାଇମବ୍ରାଞ୍ଚ ?


ପୂର୍ବରୁ ଏପରି ଅପରାଧରେ ସାମିଲ ଥିବା ନେତାଙ୍କ ସମର୍ମ୍ପୀୟ ମାନଙ୍କୁ ତଦନ୍ତ ଛୁଇଁ ପାରିନଥିଲା । ଏବେ ସମାନ ସ୍ଥିତି ଦେଖା ଦେଇଛି । ଏଭଳି ସ୍ଥିତିରେ ତଦନ୍ତ କେତେ ଠିକ ହେବ ? କେତେଦୂର ଦମ୍ଭରେ ନ୍ୟାୟ ମାଗିବେ ବିରୋଧୀ ? ଏମିତି ପ୍ରଶ୍ନ ମୋହନ ସରକାରଙ୍କୁ କେବଳ ନୂହେଁ ପୂରା ବ୍ୟବସ୍ଥା ଆଡ଼କୁ ଉଠିଲାଣି । ଯଦି ସବୁ ଚର୍ଚ୍ଚା ଅଭିଯୋଗର ବିଦ୍ଧିବଦ୍ଧ ହେଲା, ବାସ୍ତବ ତଥ୍ୟ ପଦାକୁ ଆସିବ । ଦେଖାଯାଉ ଏଭଳି ସ୍ଥିତିରୁ ମୋହନ ସରକାର ମୃତା ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇ ପାରୁଛନ୍ତି ନା ରାଜନୈତିକ ପଶାପାଲୀରେ ଛନ୍ଦି ହୋଇ ରହିଯାଉଛି ଏହି ଘଟଣା ।


Sports,State

ଚତୁର୍ଥ ଦିନରେ କୋରାପୁଟ ଓ ମୟୁରଭଞ୍ଜ ଦଳ ବିଜୟ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- "ସାହାଣୀ କପ ୨୦୨୫" ଫୂଟବଲ ଚାମ୍ପିୟନସିପ ବ୍ରହ୍ମପୁର ଜୋନ ଚତୁର୍ଥ ଦିନ ରେ ଦୁଇଟି ମ୍ୟାଚ ହୋଇଛି। ପ୍ରଥମ ମ୍ୟାଚ କୋରାପୁଟ ଜିଲ୍ଲା ସହ ମାଲକାନଗିରି ଜିଲ୍ଲା ମଧ୍ୟରେ ହୋଇଥିଲା। କୋରାପୁଟ ୨-୦ ଗୋଲ ରେ ମାଲକାନଗିରି ଠାରୁ ବିଜୟୀ ହାସଲ କରିଛନ୍ତି। ଏହି ମ୍ୟାଚ ରେ ରେଫେରୀ ଶ୍ରୀ ଶିବ ଶଙ୍କର ପଣ୍ଡା , ଶିବ ପ୍ରସାଦ ସାମନ୍ତରାୟ, ଦିଗବିଜୟ ଦାସ, ଶିବ ଦେହୁରୀ ଥିଲେ।ଦ୍ଵିତୀୟ ମ୍ୟାଚ ରାୟଗଡା ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲା ମଧ୍ୟରେ ହୋଇଥିଲା। ମୟୁରଭଞ୍ଜ ଦଳ ୯-୦ ଗୋଲ ରେ ରାୟଗଡା ଦଳ ଠାରୁ ବିଜୟ ହାସଲ କରିଛନ୍ତି । ଦ୍ଵିତୀୟ ମ୍ୟାଚ ରେଫ୍ରି ଥିଲେ ପରେଶ ଭୋଇ, ବଳରାମ ସେ, ଅମିତ ସିଂ, ଜଗନ୍ନାଥ ମାଝୀ ଏବଂ ଉଭୟ ମ୍ୟାଚ କାମସିନର ଶ୍ରୀ ସୁଜିତ କୁମାର ପାତ୍ର ଥିଲେ।ଏହି ମ୍ୟାଚରେ ଅତିଥିଭାବେ ଯୋଗ ଦେଇଥିଲେ ପି. ମନ୍ମଥ ରାଓ, ଡମ୍ବୁରୁ ଗନ୍ତାୟତ, ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ର ଆଜୀବନ ସଦସ୍ୟ ନବକିଶୋର ପ୍ରଧାନ, ଗଞ୍ଜାମ ଜିଲ୍ଲା ଅଥଲେଟିକ ସଙ୍ଘ ର ସହ ସମ୍ପାଦକ ପ୍ରମୋଦ ମହାରଣା, ପୂର୍ବତନ ଫୂଟବଲ ଖେଳାଳି ଓ ପୂର୍ବତନ ଫୂଟବଲ ଖେଳାଳି ଏସ୍‌. ସି ପ୍ରଧାନ ଙ୍କ ସମେତ ଗଞ୍ଜାମ ଜିଲ୍ଲା ର ପୂର୍ବତନ ଫୂଟବଲ ଖେଳାଳି ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, ରାଜେନ୍ଦ୍ର ଗନ୍ତାୟତ, ଜେ. ବି. ପିଟର, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ,ଜି. ଏମ. ବାବୁ, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।

Education,State

ବଳଙ୍ଗା ଘଟଣା : ଜଳିଯାଇଛି ୭୦ ପ୍ରତିଶତ ଶରୀର’

Blog Thumbnail

ଦ କୁଇଭର ବ୍ୟୁରୋ :- ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବଳଙ୍ଗାରେ ନିଆଁରେ ପୋଡ଼ି ହୋଇଥିବା ନାବାଳିକାଙ୍କୁ ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। ତାଙ୍କର ୭୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି। ଏପଟେ ଘଟଣା ଘଟିଥିବା ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କ ସହ ଉପଜିଲ୍ଲାପାଳ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୁଲିସ ଡିଜି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରାଯିବ। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା କରାଯାଇପାରିନି।ନାବାଳିକାଙ୍କ ପରିବାରକୁ ପ୍ରଶାସନ ସହାୟତାର ହାତ ବଢ଼ାଇଛି। ପୁରୀ ଉପ ଜିଲ୍ଲାପାଳ ୩୦ ହଜାର ଟଙ୍କାର ଚେକ୍ ଦେବା ସହ ନିମାପଡ଼ା ବିଡିଓ ୧୫ ହଜାର ଟଙ୍କାର ସହାୟତା ଦେଇଛନ୍ତି। ଉଭୟେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।

Politics,State

ଓଡ଼ିଶା ସରକାର କେବେ ଗଭୀର ନିଦ୍ରାରୁ ଜାଗିବେ : ନବୀନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବଳଙ୍ଗା ବାୟାବରରେ ନାବାଳିକାଙ୍କୁ ଜାଳିଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ଓ ନିନ୍ଦନୀୟ । ଦିନ ଦିପହରରେ ହତ୍ୟା ଉଦ୍ୟମ ଘଟିଲା । ଏଫଏମ କଲେଜ ଘଟଣାର କିଛି ଦିନ ପରେ ଏପରି ଘଟଣା ଘଟିଛି । ମାସେ ପୂର୍ବରୁ ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏଭଳି ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଚାଲିଛି । ଏହା ଶାସନବ୍ୟବସ୍ଥାର ଗଭୀର ବିଫଳତାକୁ ପ୍ରମାଣିତ କରୁଛି। ଅପରାଧୀମାନେ ସାହସୀ ହୋଇଛନ୍ତି। ଦଣ୍ଡର ଭୟ ନାହିଁ। ସରକାରୀ ଉଦାସୀନତା ଓ ଅପରାଧୀ ପୃଷ୍ଠପୋଷକତା ସେମାନଙ୍କୁ ସୁହାଉଛି। ରାଜ୍ୟ ବର୍ତ୍ତମାନ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ହୋଇଛି। ଓଡ଼ିଶା ସରକାର କେବେ ଗଭୀର ନିଦ୍ରାରୁ ଜାଗିବେ ?। ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ମହିଳା ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ନବୀନ।

Education,State

ଜ୍ୟୋତିପ୍ରକାଶ ମେନ ପ୍ଲେୟାର

Blog Thumbnail

ଦ କୁଇଭର ବ୍ୟୁରୋ :- ଆହତ ଜ୍ୟୋତିପ୍ରକାଶଙ୍କ ପାଖରେ ଅଛି ସୌମ୍ୟାଶ୍ରୀଙ୍କ ଆତ୍ମାହୂତିର ଚାବି । କେମିତି ଜଳିଲେ, ପେଟ୍ରୋଲ କେମିତି ପକାଇଲେ ଆଉ ଜଳିବା ପରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଗଲେ ନା ସିଧା ବାହାରକୁ ଦୌଡିଲେ, ସବୁର ଏକମାତ୍ର ପ୍ରମାଣ ଜ୍ୟୋତିପ୍ରକାଶ । ତଦନ୍ତକାରୀ କ୍ରାଇମବ୍ରାଞ୍ଚ ତାଙ୍କୁ ଭରସା କରିଛି । ସେ ଯେମିତି ବୁଲାଇବେ, ସେମିତି ଗଡ଼ିବ ତଦନ୍ତର ଦିଗ । ବାକିସବୁ କଥା ଫେଲ ମାରିବ ।


ସୌମ୍ୟଶ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ପୂରା ଗୋଳି କଲାଣି । କଲେଜ ଆଭ୍ୟନ୍ତରୀଣ କମିଟି ସଦସ୍ୟଙ୍କୁ ଜେରା କରିବ । ପେଟ୍ରୋଲପମ୍ପ ଯାଇ ପେଟ୍ରୋଲ କିଏ ଆଣିଲା ତାହା ବି ଖୋଜୁଛି । ସତେ ଯେମିତି ସେହି ପମ୍ପରୁ ପେଟ୍ରୋଲ ଆସିଛି । ତଦନ୍ତ କମ ପ୍ରହସନ ଅଧିକ ଚାଲିଛି । ହେଲେ କେହି ପ୍ରତ୍ୟକ୍ଷଦର୍ଶୀ ମିଳୁ ନାହାନ୍ତି । ତଦନ୍ତକାରୀ ଟିମ ଏବେ ଜ୍ୟୋତିପ୍ରକାଶଙ୍କ ଉପରେ ନଜର ରଖିଛି । ତାଙ୍କରି ଠାରୁ ଯାହା ମିଳିବ ତାହା ହିଁ ହେବ ତଦନ୍ତର ମଞ୍ଜି ।


ଇତିମଧ୍ୟରେ ବିଭିନ୍ନ ମନ୍ତ୍ରୀ ଯାଇ ଜ୍ୟୋତିପ୍ରକାଶଙ୍କୁ ଭେଟିଛନ୍ତି । ଏହାପରେ ତାଙ୍କ ମତ କେତେ ନିରପେକ୍ଷ ହେବ ତାହା ବି ସନ୍ଦେହରେ ରହିଛି । ଅନ୍ୟପକ୍ଷରେ ତଦନ୍ତକୁ ଭୁଆଁ ବୁଲାଇବାକୁ ଏବେ ନାନା ତଥ୍ୟ ପଦାକୁ ଆସୁଛି । ହେଲେ ବାସ୍ତବ କାରଣକୁ ନଜର ଯାଉନି । HOD ବା ଅଧ୍ୟକ୍ଷଙ୍କ ନିର୍ଯ୍ୟାତନା ସୌମ୍ୟାଶ୍ରୀଙ୍କୁ ମାରିଛି ନା ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ଏମପିଙ୍କ ଅବହେଳା ମାରିଛି ? ନିର୍ଯ୍ୟାତନା ପରେ ସେ ଲଢୁଥିଲେ, ମାତ୍ର ଯେତେବେଳେ ସରକାର ନ୍ୟାୟ ଦେଲେନାହିଁ ସେତେବେଳେ ସେ ଆତ୍ମହୁତି ଦେଲେ ? ଏଦିଗକୁ ଯାଇ ତଦନ୍ତ କରିବ ତ କ୍ରାଇମବ୍ରାଞ୍ଚ ? ନା ପୂର୍ବ ସରକାର ଭଳି ସବୁ ଅବାନ୍ତର ଦିଗକୁ ନେଇ ତଦନ୍ତ ସାରିଦେବ ? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ନଜର ଜ୍ୟୋତିପ୍ରକାଶଙ୍କ ଉପରେ ରହିଛି । ଦେଖାଯାଉ ଜ୍ୟୋତିପ୍ରକାଶ କି ତଥ୍ୟ ଦେଉଛନ୍ତି ଓ ତଦନ୍ତ କେଉଁ ଦିଗକୁ ଯାଉଛି ?



Education,State

ମହାମାୟୀ କଲେଜରେ ଛାତ୍ରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ରାଜ୍ୟରେ ସ୍କୁଲ କଲେଜ ଛତ୍ରୀ ଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଆଇସିସି ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଭୟ ଗାନ୍ଧୀନଗର ତଥା ମିନାକ୍ଷୀ ନଗର କାମ୍ପସ୍ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ଆଭ୍ୟନ୍ତରିଣ ସମସ୍ୟା ତଥା ଯୌନ ଉତ୍ପୀଡନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରିଣି ଡ ସୁଜାତା ପଣ୍ଡିତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତୀୟ ମାନବ ଅଧିକାର କମିଶନ, ପୂର୍ବାଞ୍ଚଳ ଭାରତ, ଅଧ୍ୟକ୍ଷା (ନାରୀ) ତଥା ଅଧ୍ୟକ୍ଷା "ଅଗ୍ନି" ଓ ଉତ୍କଳ ମେଲ ଦକ୍ଷିଣ ଓଡିଶା ମୁଖ୍ୟ ଏବଂ ନିଉସ୍ ଏକ୍ସଟ୍ରା ଓ ଚେତା ବନି ର ସମ୍ପାଦିକା ସୁଶ୍ରୀ ରସ୍ମିତା ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ କୌଣସି ଭୂଲ ପଦକ୍ଷେପ ନନେଇ ସମସ୍ୟା କୁ ସାମନା କରିବାକୁ ସଚେତନ କରିଥିଲେ । ମହାବିଦ୍ୟାଳୟର ଆଇସିସି ଆବାହକ ଡ. ଅମିତା କୁମାରୀ ପଣ୍ଡା, ସଦସ୍ୟା ତଥା ଯୁବ ରେଡକ୍ରସ୍ ସଂଯୋଜିକା ଡ.ସ୍ଵର୍ଣ୍ଣଲତା ପଟ୍ଟନାୟକ, ଅଧ୍ୟାପିକା ନୂତନ ମହାରଣା, ସନ୍ଧ୍ୟା ରାଣୀ ବେହେରା, ରିଚା ପାତ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ ।ଆଇସିସି ସଦସ୍ୟା ତଥା ଛାତ୍ରୀ ପ୍ରତିନିଧି ବର୍ଷ | ଲେଙ୍କା, ଭାରତି ବେହେରା ଉପସ୍ଥିତ ଥିବା ବେଳେ ଛାତ୍ରୀ କୁମକୁମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କୁ କଲେଜ ର ଆଭ୍ୟନ୍ତରିଣ ଓ ବିଭାଗୀୟ ସମସ୍ୟା ବିଷୟରେ ଆଇସିସି ସଦସ୍ୟା ମାନଙ୍କୁ ଜଣେଇ ବାକୁ ଅବଗତ କରାଯାଇଥିଲା ।

State

ପୁରୀ ବଳଙ୍ଗା ଘଟଣାରେ ଏଆଇଡିଏସଓର ପ୍ରତିବାଦ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବର ଅଂଚଳର ଜନୈକା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଦୁର୍ବୁତ୍ତମାନେ ନଦୀବନ୍ଧକୁ ଟେକି ନେଇ ନିଆଁ ଲଗାଇ ମାରି ଦେବାର ଉଦ୍ୟମ ଘଟଣାର ପ୍ରତିବାଦରେ ଏକ ବିକ୍ଷୋଭ ଏଆଡିଏସଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ଏହି ଘଟଣା ଅତ୍ୟନ୍ତ ବେଦନାଦାୟକ ଓ ଚିନ୍ତାଜନକ । ଏହି ଘଟଣା ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଜଣଙ୍କର ଦୁଃଖଦାୟକ ମୃତ୍ୟୁ ଘଟଣାର ସପ୍ତାହେ ନପୁରୁଣୁ ବିଭିନ୍ନ ସ୍ଥାନରେ ଛାତ୍ରୀମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଅମଳରେ ଏହି ଘଟଣା ପ୍ରତିଦିନ ବଢି ବଢି ଚାଲିବା ଅତ୍ୟନ୍ତ ଉଦବେଗଜନକ । ଛାତ୍ରୀମାନଙ୍କ ନିରାପତ୍ତା ବର୍ତ୍ତମାନ ରାଜ୍ୟରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ତୁରନ୍ତ ବାଇଆବର ଅଂଚଳର ଜନୈକା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ପୋଡିମାରିବାକୁ ଉଦ୍ୟମ କରିଥିବା ଅପରାଧିମାନଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ, ରାଜ୍ୟରେ ଘଟି ଚାଲିଥିବା ଏସମସ୍ତ ଘଟଣାରେ ସଂପୃକ୍ତ ଦୋଷୀମାନଙ୍କ ତ୍ୱରିତ ବିଚାର କରି କଠୋର ଦଣ୍ଡ ଦେବା ଓ ଛାତ୍ରୀ ଓ ମହିଳା ମାନଙ୍କର ସର୍ବତ୍ର ନିରାପତ୍ତା ପାଇଁ ଏଆଡିଏସଓ ପକ୍ଷରୁ ଦୃଢ଼ ଦାବି କରାଯାଉଛି । ଆଜିକାର ଏହି କାର୍ଯ୍ୟକ୍ରମ ଏଆଡିଏସଓ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, ଜିଲ୍ଲା କମିଟି ସଭ୍ୟା ସୁଭସ୍ମିତା ପାଣିଗ୍ରାହୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଛି ।

Education,State

ନାବାଳିକା ଦେହରେ ନିଆଁ ଲଗାଇ ଦେଲେ ୩ ଦୁର୍ବୃତ୍ତ

Blog Thumbnail

ପୁରୀ( ଦ କୁଇଭର ):- ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ୧୫ ବର୍ଷୀୟା ନାବାଳିକା ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଆଜି(ଶନିବାର) ୩ ଦୁର୍ବୃତ୍ତ ନାବାଳିକା ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ନାବାଳିକା ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଞ୍ଚଳରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ୩ ଜଣ ଦୁର୍ବୃତ୍ତ ଜାଳି ଦେବାକୁ ଉଦ୍ୟମ କରିଛନ୍ତି । ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ଏମ୍ସ( AIIMS) ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣଙ୍କୁ ଦୁର୍ବୃତ୍ତ ମାନେ ନିଆଁ ଲଗାଇଲେ କାରଣ ଜଣାପଡିନାହିଁ ।

Education,Politics,State

କିଟର ଚାପିଦେଲ, ଏଫଏମର.. ?

Blog Thumbnail

ଦ କୁଇଭର ବ୍ୟୁରୋ :-

ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସରକାରଙ୍କର ଏହି ପଦକ୍ଷେପକୁ ଦଳୀୟ ନେତାମାନେ ପ୍ରଶଂସା କରୁଛନ୍ତି । ତଦନ୍ତ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଛନ୍ତି । ମୋହନ ସରକାର ନବୀନଙ୍କ ଭଳି ନୁହେଁ, ତଦନ୍ତ ପରେ ଚାପି ଦେବେ । ଏମିତି ବି କହି ଡିଣ୍ଡିମ ପିଟୁଛନ୍ତି । ଆମେ କହୁନାହୁଁ ନୀବନଙ୍କ ଭଳି ଶାସନ ମୋହନ କରିବେ, ହେଲେ ଗୋଟିଏ ପ୍ରଶ୍ନ ମୋହନଙ୍କ ଆଭିମୁଖ୍ୟ ଉପରକୁ ଉଠୁଛି । ତାହା ହେଲା କିଟ ଛାତ୍ରୀ ମୃତ୍ୟୁ ଘଟଣା । କୁଆଡ଼େ ଗଲା ସେହି ତଦନ୍ତ ? କାହିଁ ତାହାର ରିପୋର୍ଟ ? କିଟ ବିରୋଧରେ କି ପଦକ୍ଷେପ ନେଲ ମୋହନ ସରକାର ? ଦେଇ ପାରିବ ଉତ୍ତର ? ନା ଉତ୍ତର ଦେଇ ପାରିବେ କିଟକୁ ପ୍ରଶଂସାରେ ପୋତି ପକାଉଥିବା ଏମପି ଅପରାଜିତା ଷଢ଼ଙ୍ଗୀ ଓ କିଟ ପ୍ରତିଷ୍ଠାତାଙ୍କ ସହ ବୈଠକ କରୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନା ଜବାବ ଦେଇ ପାରିବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ? ଏଫଏମ କଥାରେ ତୁମ୍ବି ତୁଫାନ ମାରୁଥିବା ନେତାମାନେ କିଟ ପ୍ରସଙ୍ଗରେ ପାଟି ଖନି ମାରିଯିବ ।

ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋରଦାର ଚାଲିଛି । ବିଜେଡି ଓ କଂଗ୍ରେସ ସରକାରଙ୍କ ଉପରେ ବର୍ଷୁଛନ୍ତି । ବିଜେପି ବିରୋଧୀଙ୍କୁ ଆଙ୍ଗୁଳି ଦେଖାଉଛି । ବିଜେପି ନେତ୍ରୀ ଅରାଜିତା ଷଢ଼ଙ୍ଗୀ କହିଛନ୍ତି, ସରକାର ଯଥାର୍ଥ ପଦକ୍ଷେପ ନେଇଛନ୍ତି । ପୂର୍ବ ସରକାର ତ କିଛି କରୁନଥିଲେ । ସେମାନଙ୍କ ସମୟରେ ନାରୀ ନିର୍ଯାତନା ମାମଲା ହେଉଥିଲା, ଆମ ସମୟରେ ବି ହେଲା । ଆମେ ତଦନ୍ତ କରୁଛୁ ।


ହେଲେ ଅରାଜିତାଙ୍କୁ ଏବେ ବଡ଼ ପ୍ରଶ୍ନ ଯଦି ସରକାରଙ୍କ ପଦକ୍ଷେପ ଭରସାଯୋଗ୍ୟ, ତେବେ କିଟ ଛାତ୍ରୀ ମୃତ୍ୟୁ ଘଟଣାରେ କାହିଁକି ସରକାର ଅସ୍ପଷ୍ଟ ? କାହିଁକି ତଦନ୍ତର ରିପୋର୍ଟ ଏଯାଏ ମିଳିଲା ନାହିଁ ? କିଟ ସହ ଉଚ୍ଚଶିକ୍ଷାମନ୍ତ୍ରୀ ଡିଲ କରିଦେଲେ କି ? ନା ଉଚ୍ଚଶିକ୍ଷା ବିଭାଗର ଡିଲ ଅଛି ? ନା କିଟ ସହ ନିଜେ ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କର ଭଲ ସମ୍ପର୍କ ଅଛି ବୋଲି ତାହାର ତଦନ୍ତ ରିପୋର୍ଟ ବାହାରକୁ ଆସୁନାହିଁ ? ଯଦି ଏସବୁ କିଛି ନୁହେଁ, ତେବେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଜେପିକୁ କିଣି ନେଲେକି ? ନହେଲେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ଗଲା କୁଆଡ଼େ ? କୁଆଡ଼େ ଗଲା ଦାଣ୍ଠୁଆ ଅଫିସର ମାନଙ୍କ ଦମ ? ଏମିତି ଅନେକ ପ୍ରଶ୍ନ ସରକାରଙ୍କ ଆଡ଼କୁ ଉଠୁଥିବା ବେଳେ ଏଫଏମ ଛାତ୍ରୀ ଆତ୍ମାହୂତି ଘଟଣାର ତଦନ୍ତ କେତେ ଭରସାଯୋଗ୍ୟ ତାହାର ଜବାବ କିଏ ଦେବ ? ଦେଖାଯାଉ ସୌମ୍ୟାଶ୍ରୀଙ୍କ ଘଟଣାର ତଦନ୍ତ ପଦାକୁ ଆସୁଛି ନା କିଟ ଭଳି ଚପି ଯାଉଛି ?