Banner Ad

ପୁଅ ଜନ୍ମ ହେଲେ ୧୦ ହଜାର, ଝିଅ ହେଲେ ୧୨ ହଜାର

ପୁଅ ଜନ୍ମ ହେଲେ ୧୦ ହଜାର, ଝିଅ ହେଲେ ୧୨ ହଜାର
Published by : Jyotshna Kumari
#State
Feb 12, 2025, 2:41 AM

ଭୁବନେଶ୍ୱର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଲାଗୁ ହେବ ବୋଲି କହିଛନ୍ତି। ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି‌ ଯୋଜନା ଲାଗୁ ହେବ। କନ୍ୟା ସନ୍ତାନକୁ ପ୍ରୋତ୍ସାହନ ପାଇଁ ଏହି ଯୋଜନା ଲାଗୁ କରାଯାଇଛି। ଝିଅ ଜନ୍ମ ହେଲେ ୧୨ ହଜାର ଟଙ୍କା ମିଳିବ। ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମିଳିବ। ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ମଧ୍ୟ ଭଲ ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୧୫.୯୭ କୋଟି ଟଙ୍କା ପ୍ରଦାନ କରିବାବେଳେ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ। ଏହା ଦ୍ୱାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବେ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍

Blog Thumbnail

ଗଞ୍ଜାମ( ଦ କୁଇଭର ):- କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଖମ୍ବେଶ୍ୱରୀ ନାମକ ଘରୋଇ ଯାତ୍ରୀବାହୀ ବସ୍ । ବସ୍ ରେ ଥିଲେ, ୧୭ ରୁ ଉର୍ଦ୍ଧ୍ବ ଯାତ୍ରୀ, ୭ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ, ସେଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାଟି ଗଂଜାମ - କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଖବର ପାଇ ଉଭୟ ଭଂଜନଗର ଓ ଜି.ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ, ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

National

୨୧ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ମାର୍ଚ୍ଚ ୨୧ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଆଜି ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ବିଧାୟକ, ନେତା କର୍ମୀ ଯୋଗ ଦେଇଥିଲେ l ଅମିତ ଶାହାଙ୍କ ଗସ୍ତ କିପରି ଭବ୍ୟ ଓ ସଫଳ ହୋଇପାରିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି," କେନ୍ଦ୍ର ଗୃହମନ୍ତ୍ରୀ ସମ୍ବଲପୁର ଆସୁଛନ୍ତି l ଯାହା ବର୍ତ୍ତମାନ ସୁଦ୍ଧା ସୂଚନା ମିଳିଛି ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୧ ତାରିଖରେ ବିମାନ ଜରିଆରେ ଝାରସୁଗୁଡାରେ ପହଞ୍ଚିବେ । ସେଠାରୁ ସମ୍ବଲପୁର ଏମସିଏଲ ଗେଷ୍ଟ ହାଉସ ଆସି ରାତ୍ରି ଯାପନ କରିବେ l ତା' ପରଦିନ ଅର୍ଥାତ ୨୨ ତାରିଖ ସକାଳୁ ସମଲେଶ୍ୱରୀ ଦର୍ଶନ କରିବେ l ଏହା ପରେ ସେ ଅଇଁଠାପାଲ୍ଲି ପିଏଚଡ଼ି ପଡିଆରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ l ଏହାପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ସାଢେ ୧୦ ରୁ ସାଢେ ୧୧ ଯାଏଁ ଯୋଗ ଦେବେ l ଏହି କାର୍ଯ୍ୟକ୍ରମ ସରିଲା ପରେ ସେ ବୁର୍ଲା ଏମସିଏଲ ଗେଷ୍ଟ ହାଉସ ଯିବେ ଓ ସେଠାରେ ମଧ୍ୟାହ୍ନ ଭୋଜନ କରି ସରିଲା ପରେ ଅପରାହ୍ନ ୨ ଟାରେ ଭୁବନେଶ୍ୱର ଯିବେ । ଭୁବନେଶ୍ୱରରୁ ସେ ପୁରୀ ଯିବେ ସେଠାରେ ହିଁ ରାତ୍ରି ରହଣି କରିବେ l ତା' ପରଦିନ ସକାଳେ ପୁରୀରେ ପ୍ରଭୁ ଜଗନ୍ନାଥ ଦର୍ଶନ କରି ପରେ ଜଟଣୀରେ ଫରେନସିକ ୟୁନିଭରସିଟିର ଶିଳାନ୍ୟାସ କରିବେ । ଯାହା ଗୁଜୁରାଟ ପରେ ଦେଶର ଦ୍ଵିତୀୟ ୟୁନିଭରସିଟି ଅଟେ l ଏହା ପରେ ଅନ୍ୟ ସବୁ ପ୍ରକଳ୍ପର ଶିଳାନ୍ୟାସ କରିଲା ପରେ ଅପରାହ୍ନରେ ଦିଲ୍ଲୀ ଫେରିଯିବେ" ବୋଲି କହିଛନ୍ତି ମନମୋହନ ।

International

ବୁଧବାର ଫେରିବେ ସୁନୀତା

Blog Thumbnail

ଦ କୁଇଭର ବ୍ୟୁରୋ :- ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସବୁ ଉଦ୍ୟମ କରାଯାଉଛି । ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସର ସ୍ପେସ୍‌କ୍ରାଫ୍ଟ ଫାଲକନ ରବିବାର ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟରରେ ପହଞ୍ଚିସାରିଛି । ଏବେ ନାସା ପକ୍ଷରୁ ମହାକାଶଚାରୀଙ୍କ ଫେରିବା ସମୟ ନେଇ ବଡ ସୂଚନା ମିଳିଛି । ସରିବାକୁ ଯାଉଛି ୯ ମାସର ଅପେକ୍ଷା,ବୁଧବାର ପୃଥିବୀକୁ ଫେରିବେ ସୁନୀତା,ଭାରତୀୟ ସମୟ ଅନୁସାରେ ୧୯ ମାର୍ଚ୍ଚ ଭୋର ୩.୨୭ ମିନିଟ୍‌ରେ ଫେରିବେ,୧୯ ମାର୍ଚ୍ଚରେ ଫ୍ଲୋରିଡାରେ ଅବତରଣ କରିବେ,ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସିଧା ପ୍ରସାରଣ କରିବ ନାସା,ସୁନୀତା ୱିଲିୟମ୍ସ ଓ ବେରୀ ବିଲମୋର ଜୁନ ୨୦୨୪ରେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟରକୁ ଯାଇଥିଲେ । କେବଳ ୮ଦିନ ପାଇଁ ଯାଇଥିବା ମହାକାଶଚାରୀ ବୈଷୟିକ ତ୍ରୁଟି ପାଇଁ ୯ମାସ ହେବ ଫସି ରହିଛନ୍ତି । ଏମାନଙ୍କୁ ଫେରାଇ ଆଣିବାକୁ ଆମେରିକା, ଜାପାନ ଓ ରୁଷର ୪ଜଣ ମହାକାଶଚାରୀ ସ୍ପେସ୍‌ ସେଣ୍ଟରରେ ପହଞ୍ଚିଛନ୍ତି ।


ସରିବ ୯ ମାସର ଅପେକ୍ଷା,କ୍ରୁ ସ୍ପେସ୍‌-ଏକ୍ସ ଓ ନାସା ମିଳିତ ଉଦ୍ୟମକୁ ସଫଳତା ମିଳିଛି,ଶୁକ୍ରବାର କ୍ରୁ-୧୦ ମିଶନ ଲଞ୍ଚ୍‌ କରାଯାଇଥିଲା,ନାସା ଓ ସ୍ପେସ୍‌-ଏକ୍ସର ମିଶନକୁ କ୍ରିୟୁ-୧୦ ନାଁ ଦିଆଯାଇଛି,୪ ଜଣ ମହାକାଶଚାରୀ ସ୍ପେସ୍‌ ସେଣ୍ଟରରେ ପହଞ୍ଚିଛନ୍ତି, ନାସାର ଆନ ମ୍ୟାକକ୍ଲେନ୍‌, ନିକୋଲ ଆୟର୍ସ, ଟାକୁୟା ଓନିଶି, କିରିଲ ପେସକୋଭ ପହଞ୍ଚିଛନ୍ତି l ତେବେ ସୁନୀତା ଫେରିବା ନେଇ ସମୟ ଓ ଦିନ ସ୍ଥିର ହେବା ପରେ ଏନେଇ ମହକାଶଚାରୀଙ୍କ ସମେତ ପରିବାର ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ମହାକାଶଚାରୀ ପହଁଚନ୍ତୁ ବୋଲି ସବୁଠି ପ୍ରାର୍ଥନା କରାଯାଉଛି । ତେବେ ଏହି ଲମ୍ବା ପ୍ରକ୍ରିୟାକୁ ସଫଳ କରିବା ବେଶ କାଠିକର ପାଠ । ଛୋଟିଆ ଭୁଲ ମିଶନକୁ କ୍ଷଣିକରେ ବିଫଳ କରିପାରେ । ତେଣୁ ଟିକିନିକ ସବୁ ଦିଗରେ ନଜର ରଖାଯାଇ କିଭଳି ମହାକାଶଚାରୀଙ୍କ ଫେରାଇ ଅଣାଯିବ ସେ ଦିଗରେ ଧ୍ୟାନ ଦିଆଯାଉଛି । ସୂଚନା ଅନୁସାରେ ମହାକାଶଚାରୀ ଫେରିବା ପରେ ଡାକ୍ତରୀ ଯାଞ୍ଚ କରାଯିବ ଓ କିଛି ଦିନ ସେମାନଙ୍କୁ ଆଇସୋଲେସନ ରଖାଯିବ । ପରେ ସ୍ୱାଭାବିକ ହେବ ମହାକାଚାରୀଙ୍କ ଜୀବନଯାପନ । ଅନ୍ୟପଟେ ୮ଦିନ ପାଇଁ ଯାଇଥିବା ମହାକାଶଚାରୀ ୯ମାସ ଫଶି ରହିବା ଯୋଗୁଁ ସେମାନେ ମାନସିକ ଓ ଶାରୀରିକ ସମସ୍ୟା ଦେଇ ଗତି କରିବା ଆଶଙ୍କା ମଧ୍ୟ ରହିଛି ।

State

ଛୁରାମାଡ଼ରେ କଣ୍ଟ୍ରାକ୍ଟର ମୃତ ,ଅଭିଯୁକ୍ତ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଛୁରା ମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ୍ୟୁ ଘଟିଛି । ପପୁନ ସାବତ (୩୨)ଓରଫ ଚନ୍ଦନ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୂଷିଥିବା ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତ ପପୁନକୁ ଗିରଫ କରିଛି । ହୋଲି ଖେଳିବା ପରେ ରାମ ନିଜ ଘରେ ଅନ୍ୟ ଏକ ସାଙ୍ଗସହ ବସି କଥାହେଉଥିବା ବେଳେ ପପୁନ ଆସିଥିଲା । କିଛି ସମୟ ପରେ କୌଣସି କାରଣକୁ ନେଇ ପପୁନ ଓ ରାମ ମଧ୍ୟରେ ବଚସା ହୋଇଥିଲା । ପରେ ପପୁନ ଏକ ଛୁରୀ ସାହାଯ୍ୟରେ ରାମଙ୍କ ବେକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ରାମ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମଦ ପିଇବାକୁ ନ ଦେବାରୁ ପପୁନ ଛୁରୀ ଭୂଷି ଏଭଳି କାଣ୍ଡ କରିଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ଲୋକେ ପପୁନକୁ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଅଭିଯୁକ୍ତ ପପୁନକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ତେବେ ମୃତକ ଓ ହତ୍ୟାକାରୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା କି ନାହିଁ ତାହା ପୁଲିସର ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

State,Shree Jagannath

ଆଜି ଦୋଳ ପୂର୍ଣ୍ଣିମା : କାଲି ହୋଲି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ରାତି ପାହିଲେ ରଙ୍ଗର ପର୍ବ ହୋଲି l ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିାକାନ୍ତି ହେବ। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇବା ସହ ଫଗୁ ଖେଳିବେ। ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେବ ପରିବେଶ। ଆଜି ଭକ୍ତ ଓ ଭଗବାନ ଏକାକାର ହୋଇ ହୋଲି ଖେଳିବେ। ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ। ଆଜି ରତ୍ନସିଂହାସନରୁ ମହାପ୍ରଭୁ ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଆଜି ଦୋଳପୂର୍ଣିମାରେ ଦୋଳବେଦୀରେ ଝୁଲିବେ ଦୋଳଗୋବିନ୍ଦ। ସକାଳ ଧୂପ ପରେ ବିମାନରେ ବିଜେ ହୋଇ ବିରାଟ ଶୋଭାଯାତ୍ରାରେ ଫଗୁ ଅବିର ଭକ୍ତଙ୍କ ସହ ଖେଳି ଦୋଳବେଦୀରେ ବିରାଜମାନ ହେବେ। ଅନ୍ୟପକ୍ଷରେ ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଆସନ୍ତାକାଲି ହୋଲି ଥିବା ବେଳେ ରଙ୍ଗର ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିବେ ଲୋକେ।


ସେହିପରି ଭାଇଚାରାର ପର୍ବ ହେଉଛି ହୋଲି ପର୍ବ। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳଗୋବିନ୍ଦ ଅବିର ଖେଳିଛନ୍ତି। ରାଗ, ରୁଷା ଭୁଲି ସଭିଏଁ ଏକାଠି ହୋଇ ଏହି ପର୍ବକୁ ପାଳନ କରନ୍ତି। ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ଏବଂ ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ ।

State

ବାରିପଦାରେ ହତ୍ୟା

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ଠିକାଦାର ତଥା ବିଜେଡିର ବରିଷ୍ଠ ସଦସ୍ୟ ଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣଙ୍କ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ସ୍ନେହାଶିଷ ପଣ୍ଡା।


ସୂଚନାନୁସାରେ, ସ୍ନେହାଶିଷ ଘରେ ଥିବା ସମୟରେ ଜନୈକ ଯୁବକ ଜଣଙ୍କ ଘରେ ପଶିଥିଲେ। ହଠାତ୍‌ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଯୁବକ ଜଣଙ୍କ ଏକ ବାଇକରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା ଜଣାପଡିଛି। ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସ୍ନେହାଶିଷକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ଅନୁମାନ କରାଯାଉଛି । ତେବେ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

Education,State

ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ୍‌ । ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ ସ୍ବାକ୍ଷରିତ କରାଯାଇଛି । ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟିରେ ହୋଇଛି ଏମଓୟୁ ସ୍ବାକ୍ଷରିତ କରାଯାଇଛି । ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ । ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ଵାରା ଅନେକ ଯୋଜନା କରାଯାଉଛି । ITEP (Integrated teacher education programme) ନାଁରେ ରହିବ ନୂଆ କୋର୍ସ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି । ଯାହା ITEP ସେ ମଧ୍ୟରୁ ଅନ୍ୟତମ ଅଟେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ’ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

National,State

ଆଜି ରଙ୍ଗର ପର୍ବ ହୋଲି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ହେଉଛି ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି । ଗାଁଠୁ ନେଇ ସହର ସବୁଠି ଆନନ୍ଦ, ଉଲ୍ଲାସ ତଥା ଉତ୍ସବର ମାହୋଲ । ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁଙ୍କ ସହ ମିଶି ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବା ପାଇଁ ଉତ୍ସାହିତ । ସବୁଠି ଜମିବ ରଙ୍ଗର ମାହୋଲ । ସଭିଁଏ ହେବେ ରଙ୍ଗେଇ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ଭଳିକି ଭଳି ରଙ୍ଗ ଲଗାଇ ସମସ୍ତେ ନିଜ ଲୋକଙ୍କୁ ଶୁଭେଚ୍ଛା ଜଣାଇବେ। ସ୍ନେହ ଓ ପ୍ରେମ ଭାବରେ ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ୍ କରିବେ। ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ। ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ କୁହନ୍ତି ବୁରା ନା ମାନୋ ହୋଲି ହେ ବା ଖରାପ ଭାବିବନି ଆଜି ହୋଲି। କିଏ କାହାକୁ ମିଠା ଖୁଆଇବ ତ ଆଇ କିଏ କାହାକୁ ଆନନ୍ଦରେ ଅବିର ଲଗାଇ ହୋଲି ପର୍ବ ପାଳନ କରିବ। ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ।


ତେବେ ଏହି ହୋଲି ପର୍ବ ନିର୍ଦ୍ଧିଷ୍ଟ ନିୟମ ଅନୁଯାୟୀ ପାଳନ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି l ମଦ୍ୟ ପାନ କରି ହୋଲି ନ ଖେଳିବା, ଅଯଥା ରାସ୍ତାରେ ଭିଡ଼ ନଜମେଇବା, ମଦ୍ୟ ପାନ କରି ନଦୀ, ସମୁଦ୍ର କିମ୍ବା ପୁଲ କୁ ଗାଧୋଇବାକୁ ନ ଯିବା, କେମିକାଲ ବିକ୍ରି ସହ ବ୍ୟବହାର ନ କରିବା ଆଦି ନିୟମ କଡାକଡି ଭାବେ ପାଳନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l

Politics

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ

Blog Thumbnail

ଦ କୁଇଭର ବ୍ୟୁରୋ :- ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ ? ଏତେ ଦିନ ପରେ ପତ୍ନୀ ମୀନତି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି ? ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିବେ କି ମିନତୀ ? ନା ଆଉ କିଛି ରହସ୍ୟ ଜଣାଇବେ....


ତତ୍କାଳୀନ ଝାରସୁଗୁଡା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସ ହତ୍ୟା କାଣ୍ଡ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି l ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ନବ ଦାସଙ୍କ ପତ୍ନୀ ମୀନତି ଦାସ ଚିଠି ଲେଖି ସମୟ ମାଗିବା ପରେ ପୁଣିଥରେ ଚର୍ଚ୍ଚା ବଢିଛି । ଯଦିଓ ଚିଠିରେ ସେ କ’ଣ ଲେଖିଛନ୍ତି ସେନେଇ ନବଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ, କିନ୍ତୁ ପୂର୍ବରୁ ଝିଅ ଦୀପାଳି ମଧ୍ୟ ଅନେକ ଥର ସିବିଆଇ ତଦନ୍ତ ଲାଗି ଦାବି କରିଥିଲେ । ତା'ପରେ ଆଇନ ମନ୍ତ୍ରୀ ଲିଖିତ ଭାବେ ଜଣାଇବାକୁ କହିବା ଏବଂ ଏବେ ମୀନତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ସମୟ ମାଗିବା କଳ୍ପ,ନା ଜଳ୍ପନା ବଢାଇଛି ।



ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ । ଗତ ୧୧ ତାରିଖରେ ସେ ଏହି ଚିଠି ଲେଖିଛନ୍ତି । ଯାହାକୁ ନେଇ ବଢିଛି ଚର୍ଚ୍ଚା । କିଛି ଦିନ ତଳେ ଝିଅ ଦୀପାଳି ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ଆଇନ ମନ୍ତ୍ରୀ କହିଥିଲେ ପରିବାର ସଦସ୍ୟ ଲିଖିତ ଭାବେ ଜଣାନ୍ତୁ । ଏବେ ଦୀପାଳି କିମ୍ବା ଭାଇ ବିଶାଳଙ୍କ ବଦଳରେ ମା ସାମନାକୁ ଆସିବା କିଛି ରାଜନୈତିକ ଗୋଟି ଚାଳନା ଆଡକୁ ଇସାରା କରୁଥିବା ସାଧାରଣରେ ଚର୍ଚ୍ଚା ହୋଉଛି l ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ବି ବଢ଼ିବାରେ ଲାଗିଛି l

State

ସାଇଡ ନଦେବାରୁ କାର ଚାଳକଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା,୨ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହରରେ ଦିନକୁ ଦିନ ଆତଙ୍କ ରାଜ ବଢ଼ିବାରେ ଲାଗିଛି ଅପରାଧୀଙ୍କ ଅପରାଧ ମାମଲା ଥମିବାର ନାଁ ନେଉନଥିବା ବେଳେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ତେବେ ପୁଣି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ସାଇଡ ନ ଦେବାରୁ କାର ଚାଳକକୁ ଆକ୍ରମଣ କରିବା ଓ ତାଙ୍କ କାରକୁ ଭଙ୍ଗାରୁଜା କରିବା ଭଳି ଅଭିଯୋଗ ହୋଇଛି ବ୍ରହ୍ମପୁର ସହର ରେ l ତେବେ ଏହି ଅଭିଯୋଗରେ ଟାଉନ ଥାନା ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର, ଧର୍ମନଗର ୫ମ ଲାଇନର ଗଣେଷ ଦାସ(୨୧) ଓ ଏ. ରବି ରେଡ୍ଡି(୨୦) । ପୁଲିସ କ୍ଷତିଗ୍ରସ୍ତ ହୋଇଥିବା କାର ସମେତ ଅଭିଯୁକ୍ତଙ୍କ ବାଇକକୁ ମଧ୍ୟ ଜବତ କରିଛି ।


ସୂଚନାଯୋଗ୍ୟ ଯେ, ଶନିବାର ରାତି ସାଢେ ୮ଟା ବେଳେ ଗୋଷାଣୀ ନୂଆଗାଁ ଗୁଣ୍ଡିଚାନଗରର ପ୍ରଦୀପ କୁମାର ଚୌଧୁରୀ ନିଜ କାର ଯୋଗେ ଗୋଲିଲା ଷ୍ଟ୍ରିଟ୍ ଦେଇ ଯାଉଥିଲେ ା ଏହି ସମୟରେ ଉପରୋକ୍ତ ୨ ଅଭିଯୁକ୍ତ ସେହି ରାସ୍ତାରେ ତାଙ୍କ ପଛପଟୁ ଏକ ବାଇକରେ ଆସି ଓଭରଟେକ କରିବାକୁ ସାଇଡ ମାଗିଥିଲେ । ହେଲେ ସେହି ରାସ୍ତାଟି ସଂକୀର୍ଣ୍ଣ ବା ଅଣଓସାରିଆ ହୋଇଥିବାରୁ ପ୍ରଦୀପ ନିଜ କାରକୁ ସାଇଡ କରିପାରିନଥିଲେ କିମ୍ବା ବାଇକକୁ ଆଗକୁ ଯିବାକୁ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉପରୋକ୍ତ ୨ ଅଭିଯୁକ୍ତ ଅଭିଯୋଗ ପ୍ରଦୀପଙ୍କ କାର ସମ୍ମୁଖକୁ ହଠାତ ବାଇକ ଆଣି ଅଟକାଇବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ । ପ୍ରଦୀପ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମୁଥ ମାରିବା ସହ ଆକ୍ରମଣ କରିଥିଲେ,ଏପରିକି ଅଭିଯୁକ୍ତମାନେ କାରର ପଛ ପଟ କାଚକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ଆକ୍ରମଣରେ ଆହତ ପ୍ରଦୀପ ସହର ସ୍ଥିତ ସିଟି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଉପରୋକ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।



State

ଜଳୁଛି ଜଙ୍ଗଲ–ଅଣାୟତ୍ତ ସ୍ଥିତି, ସମୀକ୍ଷା କଲେ ଡି ଏଫ ଓ

Blog Thumbnail

ଗଜପତି( ଦ କୁଇଭର ):- ଜି ଉଦୟଗିରି ବନାଞ୍ଚଳରେ ଜି ଉଦୟଗିରି, କଳିଙ୍ଗା ଓ ପାବୁରିଆ ଅଞ୍ଚଳରେ ଗତ ଚାରିଦିନ ଜଙ୍ଗଲରେ ନିଆଁ ଲାଗି ଅଣଆୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବନ ବିଭାଗର ନିଦ ହଜିଯାଇଛ। ପରିସ୍ଥିଡି ଏଫ୍ ଓ ପ୍ରଶାନ୍ତ କୁମାର ପଟେଲ ଓ ସହକାରୀ ବନ ସଂରକ୍ଷକ ସ୍ପେତଲିନା ସାହୁ ଏହାର ସମୀକ୍ଷା କରିଛନ୍ତି । ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ସହ ନିଆଁ କୁ ଆୟତ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବନ ଅଧିକାରୀମାନେ ନିଆଁ କୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସମାଜର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

Politics

ରାଜା ପରେ ଏବେ କାହାର ପାଳି ?

Blog Thumbnail

ଦ କୁଇଭର ବ୍ୟୁରୋ :-ଏମିତି ଅନେକ ପ୍ରଶ୍ନ ରାଜା ଚକ୍ର ଗିରଫ ପରେ ସୃଷ୍ଟି ହୋଉଛି l ରାଜା ଗିରଫ ପରେ ଧଡ଼ ଧଡ଼ ହେଲାଣି କିଛି ନେତାଙ୍କ ସହ ଅଫିସରଙ୍କ ଛାତି। କାହିଁକି ନା ରାଜା ଚକ୍ରଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ EOW କରିବ ଖୋଳତାଡ। ଏହି ଖୋଳତାଡ଼ ଭିତରେ ରାଜା ଖୋଲିଦେଇପାରନ୍ତି କଳା ସାମ୍ରାଜ୍ୟ ଗୁମର l ଏହି ଚର୍ଚ୍ଚା ମଧ୍ୟରେ କିଛି ନାଁ ମଧ୍ୟ ସାମ୍ନାକୁ ଆସିଛି। ବିଜେଡି ଛତ୍ରଛାୟାରେ ଥିବା ରାଜା ଚକ୍ରଙ୍କୁ କେନ୍ଦୁଝରର ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ର ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ସୁରକ୍ଷା ଦେଉଥିଲେ ବୋଲି ଅଭିଯୋଗ ହେଉଥିଲା। ସେହି ସମୟରେ ଉଭୟ ସବୁ କାମରେ ରାଜାକୁ ସହଯୋଗ କରୁଥିଲେ ବୋଲି ଚର୍ଚ୍ଚା ହେଉଛି ।ଏଥିସହ ରାଜା ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ଭି.କେ ପାଣ୍ଡିଆନଙ୍କ ବଳରେ ବଳିୟାନ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେମାନେ ମଧ୍ୟ ସ୍କାନରକୁ ଆସିପାରନ୍ତି ବୋଲି ଆଲୋଚନା ହେଉଛି l ଅନ୍ୟପକ୍ଷରେ ବବି ଦାସ, ପାଣ୍ଡିଆନଙ୍କ ବଳରେ ରାଜା ଚକ୍ର ହୋଇଥିଲେ ଶକ୍ତିଶାଳୀ । ସେମାନଙ୍କ ହାତ ନଥିଲେ ସେ ଏତେ ଶକ୍ତିଶାଳୀ କେମିତି ହେଲେ ବୋଲି କିଛି ଦିନ ତଳେ ଅଭିଯୋଗ ଆଣିଥିଲେ ସାଂସଦ ମମତା ମହାନ୍ତ ।

National,State

ପଞ୍ଚଭୂତରେ ବିଲୀନ ହେଲେ ଦେବେନ୍ଦ୍ର

Blog Thumbnail

ପୁରୀ( ଦ କୁଇଭର ):- ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ପୁରୀ ସ୍ବର୍ଗଦ୍ବାରରେ ଶେଷ ହୋଇଛି ଶେଷକୃତ୍ୟ,ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ରାଜ୍ୟ ଭାଜପାର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଶୋଭାଯାତ୍ରାରେ ବରିଷ୍ଠ ନେତାଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ସାମିଲ ହୋଇଥିଲେ । ଗତକାଲି ସଂଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିମାନବନ୍ଦରରେ ବିଭିନ୍ନ ଦଳର ରାଜନେତା ପଂହଚିଥିଲେ । ଏହାପରେ ମରଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ରଖାଯାଇଥିଲା ।


ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି । ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ଅଣାଯାଇଥିଲା । ପୁରୀ ସ୍ବର୍ଗଦ୍ବାରରେ ଶେଷ ହୋଇଛି ଶେଷକୃତ୍ୟ,

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ତେବେ ୮୪ ବର୍ଷ ବୟସରେ ନୂଆଦିଲ୍ଲୀରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଥିଲା ।ତାଙ୍କ ପରଲୋକ ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ଜନନେତା ଭାବେ ଦିବଙ୍ଗତ ଦେବେନ୍ଦ୍ର ପ୍ରଧାନ ଚିରକାଳ ପାଇଁ ମନେ ରହିବେ ।

Shree Jagannath

ପୁରୀ ରେ ମହାପ୍ରସାଦ ସେବନ ପାଇଁ ହେବ ଅନ୍ନ କ୍ଷେତ୍ର

Blog Thumbnail

ପୁରୀ( ଦ କୁଇଭର ):- ଖୁବଶୀଘ୍ର ମହାପ୍ରସାଦ ସେବନ ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଅନ୍ନ କ୍ଷେତ୍ର ଓ ଅଭ୍ୟର୍ଥନା କେନ୍ଦ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜା । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମିତ ହେବ ବିଭିନ୍ନ ନୂଆ ପ୍ରକଳ୍ପ । ପ୍ରକଳ୍ପକୁ କିଭଳି ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ ସେନେଇ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ହେବ । ଭକ୍ତମାନଙ୍କ ମହାପ୍ରସାଦ ସେବନ ନିମନ୍ତେ ସେଠାରେ ସମସ୍ତ ବ୍ୟବସ୍ଥା ରହିବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନ୍ନ ଯଜ୍ଞ, ନାମ ଯଜ୍ଞ ଓ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନିର୍ମାଣ କରାଯିବ। ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ହେବ ।


ଶ୍ରୀମନ୍ଦିର ସାଂସ୍କୃତିକ କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁର୍ଣ୍ଣାଙ୍ଗ ରୂପ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ଯଥାଶୀଘ୍ର ଅନୁମୋଦନ ଦେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା ରହିଛି ବୋଲି ଗଜପତି ମହାରାଜା କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ଗୁଣ୍ଡିଚା ମନ୍ଦିରର ରୋଷଘର କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗାମୀ ୨୦୨୬ ରଥଯାତ୍ରା ଭିତରେ ସାରିବାକୁ ଲକ୍ଷ୍ୟ ରହିଥିବା ନେଇ ଗଜପତି ମହାରାଜା କହିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁଯାୟୀ, ଅନେକ ପ୍ରକଳ୍ପ ଏବେ ବି ବାକି ରହିଛି। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

State

ମନ୍ତ୍ରୀଙ୍କ ବଦାନ୍ୟତା, ୩ ଆହତଙ୍କୁ ନିଜ ଗାଡ଼ିରେ ନେଲେ ମେଡିକାଲ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶୁକ୍ରବାର ଦୋଳ ପୂର୍ଣ୍ଣିମା ଦିନ ଏନ.ଏଚ-16 ନିକଟ ବ୍ରହ୍ମପୁର ଗୋପାଳପୁର ଜଙ୍ଗସନ ଠାରେ ସଡକ ଦୁର୍ଘଟଣାରେ ଆହାତ ହୋଇ ରାସ୍ତା ଉପରେ ପଡ଼ି ରହିଥିବା ବ୍ୟକ୍ତି ବିଶେଷଙ୍କୁ ଚିକିତ୍ସା ପାଇଁ ମେଡିକାଲ କୁ ପଠାଇଲେ ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ଗୋପାଳପୁର ଜନସନ ଠାରେ ଏକ ବାଇକ ଦୁର୍ଘଟଣା ଘଟି ତିନି ଜଣ ଯୁବକ ଆହତ ହେବାର ଦେଖି ଥିଲେ। ମନ୍ତ୍ରୀ କାଳ ବିଳମ୍ବ ନକରି ତୁରନ୍ତ ଚିକିତ୍ସା ପାଇଁ ପଠାଇଥିଲେ । ଏପରିକି ନିଜର ପାଇଲଟ୍ ଗାଡିରେ ଆହତଙ୍କୁ ମେଡିକାଲ ପଠାଇ ଥିଲେ।


ତେବେ ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ଅଂଚଳରେ ଭୁରି ଭୁରି ପ୍ରଶଂସା କରାଯାଉଥିବା ବେଳେ ସହର ର ଆଇନ ଶୃଙ୍ଖଳା ଉପରେ ମଧ୍ୟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି lକେମିତି ଗୋଟିଏ ମୋଟର ସାଇକେଲ ଅଥବା ବାଇକ ରେ ତିନିଜଣ ଆରୋହୀ ଯାଇପାରିଲେ..? ରାସ୍ତାରେ କଣ କୌଣସି ଟ୍ରାଫିକ ପୋଲିସ କିମ୍ବା ପେଟ୍ରୋଲିଙ୍ଗ କରୁଥିବା ପୋଲିସ ଙ୍କ ନଜର ପଡିନି କି ୟେ ଆରୋହୀ ମାନଙ୍କ ଉପରେ....? କୌଣସି ପ୍ରଶାସନ କଣ ଏମାନଙ୍କୁ ବାରଣ କରିନାହାନ୍ତି କି....? ନା ଆଇନ ର ଆଖିରେ ଧୂଳି ଦେଇ ଏମାନେ ଖସିଯାଉଥିଲେ... ଦେଖାଯାଉ ସରକାରଙ୍କ ମାଳ ମାଳ ଯୋଜନା ସତରେ କେବେ କାର୍ଯ୍ୟକାରୀ ହେଉଛି ଆଉ ବିଶେଷ କରି ଗଞ୍ଜାମ ରେ ଏ ଦୁର୍ଘଟଣା ହାର କମୁଛି l

State

୨୦ ରୁ ବଦଳିବ ତାତି

Blog Thumbnail

ଦ କୁଇଭର ବ୍ୟୁରୋ :- ସାରା ରାଜ୍ୟରେ ପାରଦ ସ୍ତର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଅନେକ ସହରରେ ଗରମ ହେଉଛି। ଲୋକେ ଦିନରେ ତାତିରେ କଲବଲ ହେଉଛନ୍ତି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି। ରବିବାର ୪୩.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ପ୍ରମୁଖ ସହର ମଧ୍ୟରୁ ଉତପ୍ତ ସହର ରହିଛି ବୌଦ୍ଧ । ବୌଦ୍ଧ ପରେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୨.୦୦ ଡିଗ୍ରୀ, ବଲାଙ୍ଗୀର ୪୧.୭ ଡିଗ୍ରୀ, ଅନୁଗୋଳରେ ୪୧ .୧ ଡିଗ୍ରୀ, ଟିଟିଲାଗଡରେ ୪୦.୫ ଡିଗ୍ରୀ, ସୁନ୍ଦରଗଡରେ ୪୦.୩ ଡିଗ୍ରୀ ଓ ଭବାନୀପାଟଣାରେ ୪୦.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୬ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହଛି ।


ସେପଟେ ୧୯ ପରେ ବଦଳିବ ପାଗ । ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

State

ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର

Blog Thumbnail

ଦ କୁଇଭର ବ୍ୟୁରୋ :- ରାସନକାର୍ଡକୁ ନେଇ ଆସିଲା ବଡ଼ ଅପଡେଟ,ରାଜ୍ୟରେ ହେବ ପୋଷଣ କେନ୍ଦ୍ର । ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଗୁଜୁରାଟ ଏବଂ ଦିଲ୍ଲୀ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର ।ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ରାଜ୍ୟରେ ଖୋଲିବ ପୋଷଣ କେନ୍ଦ୍ର । ଏହି କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ ସରକାର । ପୋଷଣ କେନ୍ଦ୍ରରେ ମିଳିବ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ । ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସବସିଡି ଦେବେ । ଏଥିପାଇଁ ଆଲୋଚନା ଚାଲିଛି । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏହା ସଫଳ ହେଲେ ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି । ଅଧିକାରୀଙ୍କର ଏକ ସ୍ୱତନ୍ତ୍ର ଟିମ ଗୁଜୁରାଟ ଯିବେ । ଅନୁଧ୍ୟାନ କରି ଆସିବେ । ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି ରହିଛି । କୌଣସି ଚୁଡ଼ାନ୍ତ ଘୋଷଣା ହୋଇନାହିଁ ।""ପ୍ରକୃତ ହିତାଧିକାରୀ ଯାଞ୍ଜ ପାଇଁ ହେବ ଫିଜିକାଲ ସର୍ଭେ । ସର୍ଭେ ପରେ ଚୂଡାନ୍ତ ହେବ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା । ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ Ekyc କରିନାହାଁନ୍ତି । ଆସନ୍ତା ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ Ekyc କରିନାହାଁନ୍ତି । ଏହା ପରେ କାହିଁକି ହିତାଧିକାରୀ Ekyc କରି ନାହାନ୍ତି । ସେଥିପାଇଁ ଫିଲଡ ଭିଜିଟ୍ କରି ଦେଖିବେ ବିଭାଗୀୟ ଅଧିକାରୀ । ତେବେ ହଠାତ୍ କାହାର ରାସନକାର୍ଡ କଟା ଯିବନି ନାହିଁ । "ଆଗରୁ ୬ ଲକ୍ଷ ୩୫ ହଜାର ଲୋକ ରାସନ କାର୍ଡ ପୋର୍ଟାଲ ଜରିଆରେ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ । ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି l

State

ପରଲୋକରେ ରମାକାନ୍ତ ରଥ

Blog Thumbnail

ଦ କୁଇଭର ବ୍ୟୁରୋ :- ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଭୁବନେଶ୍ଵର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସାହିତ୍ୟ ଜଗତ ପ୍ରତି ତାଙ୍କର ବିରାଟ ଅବଦାନ ରହିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି । ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।


ତେବେ ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି ହେଉଛନ୍ତି ରମାକାନ୍ତ ରଥ । ସେ ୧୯୩୪ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ସଭାପତି ରହିଥିଲେ। ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ ।

State

ଆରମ୍ଭ ହେଲା ମା‘ ତାରାତାରିଣୀଙ୍କ ଚୈତ୍ର ଯାତ୍ରା,ମହାକାଳୀ ରୂପରେ ଦର୍ଶନ ଦେଉଛନ୍ତି ମା

Blog Thumbnail

ଗଞ୍ଜାମ,ତାରାତାରିଣୀ( ଦ କୁଇଭର ):- ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଆଜିଠୁ ଆରମ୍ଭ ହୋଉଛି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ମାଆଙ୍କ ପୀଠରେ ଚାରୋଟି ମଙ୍ଗଳବାରରେ ପାଳନ ହେବ ଏହି ପର୍ବ । ଶ୍ରଦ୍ଧାଳୁମାନେ ମାଆଙ୍କ ନିକଟରେ ମାନସିକ ରଖିବା ସହିତ ଦର୍ଶନ କରିବେ। ଏନେଇ ଚଳଚଞ୍ଚଳ ମାଆ ତାରାତାରିଣୀଙ୍କ ପୀଠ । ସ୍ଵତନ୍ତ୍ର ରୀତିନୀତି ସହକାରେ ହେଉଛି ମାଆଙ୍କ ପୂଜାର୍ଚ୍ଚନା l ଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଭକ୍ତମାନେ ପାହାଡ ଉପରକୁ ଯିବା ପାଇଁ ୨୦ରୁ ୨୫ଟି ବସ ଚଳାଚଳ କରିବ । ଏଥିସହିତ ମନ୍ଦିର ଉପରେ ଓ ତଳେ ପାନୀୟ ଜଳ , ପାର୍କିଂ ସ୍ଥାନ ,ବ୍ୟାରିକେଡ ଭଳି ବ୍ୟବସ୍ଥା କରାଯାଇଛି। ଅନେକ ମାନସିକଧାରୀ ମୁଣ୍ଡନ କରିବା ନିମନ୍ତେ ଏହି ସମୟରେ ମନ୍ଦିରକୁ ଆସିଥାନ୍ତି । ଏଥିପାଇଁ ୬ଟି ସ୍ଥାନରେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।


ପରମ୍ପରା ଅନୁସାରେ ପବିତ୍ର ଦୋଳପୂର୍ଣ୍ଣିମାରେ ମା’ଙ୍କ ରୀତିନୀତି ଅନୁଯାୟୀ, ପୂଜାର୍ଚ୍ଚନା କରାଯିବା ପରେ ହିନ୍ଦୁ ଧର୍ମର ପଞ୍ଜିକା ମା’ଙ୍କ ପୀଠରେ ପଢ଼ାଯାଇ ତିଥି ଲଗ୍ନ ପ୍ରକାରେ ଯାତ୍ରାଲାଗି ଶୁଭଖୁଣ୍ଟି ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ. ରେଡ୍ଡୀଙ୍କ ତ୍ତତ୍ତ୍ୱାବଧାନରେ ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ୪ଟି ମଙ୍ଗଳବାର ପାଳି ପଡୁଥିବାରୁ ଯେପରି ମା’ଙ୍କ ଯାତ୍ରା ସୂଚାରୁ ରୂପେ ହେବ, ମା’ଙ୍କ ନୀତିକାନ୍ତି ଠିକ୍‌ ସମୟରେ ହେବ,ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ହେବେ ମାଆ, ସମସ୍ତ ଭକ୍ତ ଯେପରି ଭଲରେ ମାଆଙ୍କ ଦର୍ଶନ କରିପାରିବେ ସେ ନେଇ କାର୍ଯ୍ୟ କରିବେ ମାଆଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ । ସେଥିନେଇ ସମସ୍ତ ସେବାୟତ ନିଷ୍ଠାପର ଓ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ କରିଛନ୍ତି l ଏହାସହ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଚଣ୍ଡ ଖରାଦାଉରୁ କିପରି ଭକ୍ତଙ୍କୁ ସୁରକ୍ଷା ଦିଆଯିବ ସେଥିନେଇ ନରସିଂହପୁର ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ଛାଇର ବ୍ୟବସ୍ଥା କରିବା, ଶିଶୁଙ୍କ ମୁଣ୍ଡନଲାଗି ୪ଟି ମୁଣ୍ଡନ ଶାଳା ନିର୍ମାଣ, ଭକ୍ତଙ୍କ ଖାଇବା ଲାଗି ପ୍ରସାଦ ଯୋଗାଇଦେବା, ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନାକୁ ବାହାରେ ଥିବା ଭକ୍ତମାନେ କିପରି ଦେଖିପାରିବେ ସେଥି ଲାଗି ୫ଟି ଏଲ୍‌ସିଡି ବିଭିନ୍ନ ସ୍ଥାନରେ ଲଗାଇବା ଆଦି କାର୍ଯ୍ୟର ବ୍ୟାପକ ବ୍ୟବସ୍ଥା କରାଯାଇଛି ।