Banner Ad

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧
Published by : Jyotshna Kumari
#Education
Jul 19, 2025, 9:00 AM

ଦ କୁଇଭର ବ୍ୟୁରୋ :- ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କଡ଼ାକଡ଼ି ଭାବେ ପାଳନ କରିବା ସହ ଏହି ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଉକ୍ତ କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗଦେବେ । ଏଥିସହ POSH Act, 2013 ର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମଧ୍ୟ ଶପଥ ନେବେ । କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ନିମନ୍ତେ ଚିଠିରେ ଉଲ୍ଲେଖ କରାଯାଇଛି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଜିଲ୍ଲା କୋର୍ଟରେ ଅନୁଷ୍ଠିତ ହେବ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ'

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୨୭ ତାରିଖ ରବିବାର ଦିନ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ହେବ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ' l ଏଥିରେ କେବଳ ବିଚାରାଧୀନ ଚେକ୍ ବାଉନ୍ସ ମାମଲାର ଆପୋଷ ସହମତିରେ ସମାଧାନ କରାଯିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାକୁ ନିଃଶୁଳ୍କ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରିବା ପାଇଁ ଏହା ଏକ ବଡ଼ ସୁଯୋଗ l ସବିଶେଷ ବିବରଣୀ ପାଇଁ ଗଞ୍ଜାମ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ବ୍ରହ୍ମପୁର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ l

Education,State

ବଳଙ୍ଗା ଘଟଣା : ଜଳିଯାଇଛି ୭୦ ପ୍ରତିଶତ ଶରୀର’

Blog Thumbnail

ଦ କୁଇଭର ବ୍ୟୁରୋ :- ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବଳଙ୍ଗାରେ ନିଆଁରେ ପୋଡ଼ି ହୋଇଥିବା ନାବାଳିକାଙ୍କୁ ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। ତାଙ୍କର ୭୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି। ଏପଟେ ଘଟଣା ଘଟିଥିବା ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କ ସହ ଉପଜିଲ୍ଲାପାଳ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୁଲିସ ଡିଜି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରାଯିବ। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା କରାଯାଇପାରିନି।ନାବାଳିକାଙ୍କ ପରିବାରକୁ ପ୍ରଶାସନ ସହାୟତାର ହାତ ବଢ଼ାଇଛି। ପୁରୀ ଉପ ଜିଲ୍ଲାପାଳ ୩୦ ହଜାର ଟଙ୍କାର ଚେକ୍ ଦେବା ସହ ନିମାପଡ଼ା ବିଡିଓ ୧୫ ହଜାର ଟଙ୍କାର ସହାୟତା ଦେଇଛନ୍ତି। ଉଭୟେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।

National

ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ଛାଡପତ୍ରର କାରଣ : ହାଇକୋର୍ଟ

Blog Thumbnail

ମୁମ୍ବାଇ ( ଦ କୁଇଭର ):- ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ କିମ୍ବା ପରକୀୟ ପ୍ରୀତି ନେଇ ସ୍ୱାମୀଙ୍କ ଉପରେ ସନ୍ଦେହ ମଧ୍ୟ ଛାଡପତ୍ରର କାରଣ ହୋଇପାରିବ । ଗୁରୁବାର ମୁମ୍ବାଇ ହାଇକୋର୍ଟ ପରିବାର ଅଦାଲତର ଛାଡପତ୍ର ରାୟ ବିରୋଧରେ ଦାୟର ଆବେଦନକୁ ଖାରଜ କରି ଏହା କହିଛନ୍ତି । ମହିଳାଙ୍କ ଖରାପ ଆଚରଣ ଓ ବ୍ୟବହାରକୁ ମଧ୍ୟ ସ୍ୱାମୀଙ୍କ ଉପରେ ନିଷ୍ଠୁରତା ବୋଲି ଧରି ନିଆଯିବ ବୋଲି କହିଛନ୍ତି ମୁମ୍ବାଇ ହାଇକୋର୍ଟଙ୍କ ଖଣ୍ଡପୀଠ ।ସ୍ୱାମୀଙ୍କ ଆବେଦନକୁ ଭିତ୍ତି କରି ମୁମ୍ବାଇର ପରିବାର ଛାଡପତ୍ର ଆବେଦନକୁ ମଂଜୁରୀ ଦେବା ସହ ସ୍ତ୍ରୀଙ୍କୁ ମାସିକ ୧ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପରିବାର ଅଦାଲତଙ୍କ ରାୟ ବିରୋଧରେ ମହିଳା ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୩ ମସିହାରେ ବିବାହ କରିଥିବା ଦମ୍ପତି ୨୦୧୫ରେ ଛାଡପତ୍ର ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ତ୍ରୀଙ୍କ ବିରୋଧରେ ନିଷ୍ଠୁରତା ଅଭିଯୋଗ ଆଣିଥିଲେ ସ୍ୱାମୀ । ପରିବାର ଅଦାଲତ ଏହି ମାମଲାର ବିଚାର କରି ଛାଡପତ୍ର ଆବେଦନକୁ ମଂଜୁର କରିଥିଲେ ।

State,Education

ଅଧ୍ୟକ୍ଷଙ୍କ ସୁପାରିସ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଲାନି : ସମ୍ବଲପୁର

Blog Thumbnail

ଦ କୁଇଭର ବ୍ୟୁରୋ :- ଅସଦାଚରଣ ଓ ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣେ ଅଧ୍ୟାପକଙ୍କୁ ରାଜନୈତିକ ଚାପରେ ପୁନଃନିଯୁକ୍ତି ମିଳିଥିବାରୁ ଚିତାଳୋ ଡିଗ୍ରି ମହାବିଦ୍ୟାଳୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଯାଜପୁର ସହର ଉପକଣ୍ଠରେ ଥିବା ଚିତାଳୋ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ନିରଞ୍ଜନ ପଣ୍ଡାଙ୍କ ନାମରେ ଏଭଳି ଅଭିଯୋଗ ରହିଛି। ୨୦୨୧ରେ ସେ ଛାତ୍ରମାନଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ପୁଲିସ ଯାଜପୁର ଥାନା କେସ୍‌ ନମ୍ବର ୩୧୧ ରୁଜୁ କରି ୩୦.୦୮.୨୦୨୧ରେ ତାଙ୍କୁ କୋର୍ଟଚାଲାଣ କରିଥିଲା। ସେହିପରି ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ଜାତିକୁ ନେଇ ଆକ୍ଷେପ ଓ ଗାଳିଗୁଲଜ କରିବା ଅଭିଯୋଗରେ ଯାଜପୁର ଥାନାରେ ମାମଲା ରୁଜୁ ହୋଇଛି ଏବଂ ୨୦୨୨ ମାର୍ଚ୍ଚ ୧୫ରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ମାମଲା ଯାଜପୁର ଜିଲ୍ଲା ଦୌରା ଜଜ୍ କୋର୍ଟରେ ବିଚାରାଧୀନ ରହିଛି। ଏହାବ୍ୟତୀତ ବେଆଇନ ନିଯୁକ୍ତିକୁ ନେଇ କେସ୍ ନଂ. ୩୭୯/୨୦୨୪, ଓଡ଼ିଶା ଲୋକାୟୁକ୍ତଙ୍କ ସମେତ କ୍ରାଇମ୍‌ବ୍ରାଞ୍ଚ, ଭିଜିଲାନ୍ସ, ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ପରିସରଭୁକ୍ତ ରହିଛି। ଓଡ଼ିଶା ମାନବାଧିକାର ଆୟୋଗରେ ମଧ୍ୟ (କେସ୍ ନଂ ୩୦୭୨/୨୦୨୪) ରୁଜୁ ହୋଇ ବିଚାରାଧୀନ ରହିଛି।


ମହାବିଦ୍ୟାଳୟର ପରିଚାଳନା ସମିତି ଓ ଉଚ୍ଚଶିକ୍ଷା ବିଭାଗର ବିନା ଅନୁମୋଦନରେ ୨୦୦୮-୦୯ରୁ ୨୦୦୯-୧୦ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଜାଲ୍ କାଗଜପତ୍ର ଦେଇ ସେ ଏମ୍‌ଫିଲ କରିଥିଲେ। ଏହି ସମୟରେ ସେ ଉପସ୍ଥାନ ଖାତାରେ ଦସ୍ତଖତ କରି ଦରମା ମଧ୍ୟ ଉଠାଇଥିଲେ। ଏହାକୁ ନେଇ ପ୍ରବଳ ଅସନ୍ତୋଷ ବଢ଼ିବାରୁ ଯାଜପୁରର ତତ୍କାଳୀନ ଉପଜିଲ୍ଲାପାଳ ତଥା ପରିଚାଳନା ସମିତି ସଭାପତି ତାଙ୍କୁ ୨୦୨୧ ସେପ୍ଟେମ୍ବର ୬ ତାରିଖଠାରୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ। ୨୦୨୩ ଫେବ୍ରୁଆରି ୨୧ରେ ଉଚ୍ଚଶିକ୍ଷା ବିଭାଗ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡବିଧାନ ନିମନ୍ତେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବ ସରକାର ସମୟରେ ସେ ରାଜନୈତିକ ଚାପ ପକାଇ ପୁଣି ଏହି ମହା ବିଦ୍ୟାଳୟରେ ଅବସ୍ଥାପିତ ହୋଇଥିଲେ। ଉଚ୍ଚଶିକ୍ଷା ବିଭାଗ ଏ ନେଇ ନିର୍ଦେଶନାମା ଦେଇଥିଲା। ବଡ଼କଥା ହେଉଛି, ୨୦୨୫ ମାର୍ଚ୍ଚ ୪ ତାରିଖରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ବିବାଦୀୟ ଅଧ୍ୟାପକ ଶ୍ରୀ ପଣ୍ଡାଙ୍କୁ ନିଲମ୍ବିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ମୁଦୁଲି ମଧ୍ୟ ଅଧ୍ୟାପକଙ୍କୁ ତୁରନ୍ତ ବହିଷ୍କାର କରିବା ଲାଗି ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିବା କହିଛନ୍ତି। ଏହା ସତ୍ତ୍ବେ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାଦ୍ବାରା ମହାବିଦ୍ୟାଳୟର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଥିବାରୁ ଅଧ୍ୟାପକଙ୍କୁ ତୁରନ୍ତ ହଟାଇବାକୁ ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ନଚେତ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ଏ ସଂପର୍କରେ ଅଧ୍ୟାପକ ନିରଞ୍ଜନ ପଣ୍ଡା କହିଛନ୍ତି ଯେ ୨୦୨୧ରେ ତାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଫସାଇ ଦିଆଯାଇଥିଲା। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ଏବେ ତାଙ୍କ ନାମରେ ନାନାଦି ମିଛ ଅଭିଯୋଗ ଅଣାଯାଉଛି ବୋଲି ସେ ସଫେଇ ଦେଇଛନ୍ତି।

Health & lifestyle,State

MKCG ରେ ଅନ୍ତରୀଣ କମିଟିର ତଦନ୍ତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଘରୋଇ ମେଡିକଲକୁ ନିଜେ ଏମକେସିଜିର ଡାକ୍ତର ରୋଗୀ ଚାଲାଣ ଘଟଣାରେ ଆରମ୍ଭ ହୋଇଛି ଅନ୍ତରୀଣ କମିଟିର ତଦନ୍ତ । ଆଜି ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ କୋଠରୀରେ ଅନ୍ତରୀଣ କମିଟିର ସଦସ୍ୟଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଏମକେସିଜି ମେଡିକାଲରେ ବରିଷ୍ଠ ଡାକ୍ତର ମାନେ ରହିଥିଲେ । ମୃତ ବଳରାମ କିଭଳି ଅବସ୍ଥାରେ ଏମକେସିଜି ଆସିଥିଲେ ଓ ଅଭିଯୋଗ ପ୍ରକାରେ ଡାକ୍ତର ଦିଲ୍ଲୀପ ପ୍ରଧାନ କାହିଁକି ବଳରାମଙ୍କୁ ନିଜ ଘରୋଇ ମେଡିକାଲକୁ ନେଇଥିଲେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇଥିଲା । ପ୍ରାୟ ୨ ଘଣ୍ଟା ଧରି ବୈଠକରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇଥିଲା । ଘଟଣାର ତଦନ୍ତ ହୋଇଥିବା ବେଳେ ଆସନ୍ତା କାଲି ଅପରାହ୍ନ ୪ଟା ସୁଦ୍ଧା ତଦନ୍ତକାରୀ କମିଟି ଏକ ରିପୋର୍ଟ ଦେବ । ସେହି ରିପୋର୍ଟ ଅନୁସାରେ ସରକାରଙ୍କୁ ଜଣାଇ ଦିଆଯିବ । ଯଦି ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଦୋଷ ରହିଛି ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧିକ୍ଷକ । ତେବେ ଗତ ୧୦ ତାରିଖରେ ବାଘଲଟି ଅଞ୍ଚଳର ବଳରାମ ଗୌଡ଼ ଦୁର୍ଘଟଣାରେ ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏମକେସିଜି ମେଡିକାଲରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ ପ୍ରଧାନ ନିଜର ଘରୋଇ ମେଡିକାଲ ବିନାୟକ ହସପିଟାଲକୁ ରୋଗୀଙ୍କୁ ନେବା ପାଇଁ କହିଥିଲେ । ସେଠାରେ ତିନି ଦିନ ଧରି ରୋଗୀଙ୍କୁ ଚିକାଗୋ କରାଯିବା ପରେ ଗତ ୧୩ ତାରିଖରେ ବଳରାମଙ୍କ ମୃତ୍ୟୁ ହୋଇଥିଲା। ବଳରାମଙ୍କ ମୃତ୍ୟୁ ପାଇଁ ଡାକ୍ତର ଦିଲ୍ଲୀପ ପ୍ରଧାନ ସମ୍ପୂର୍ଣ୍ଣ ଦାୟୀ ରହିଥିବା ନେଇ ତାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ।‌ ଯଦି ଅନ୍ତରୀଣ କମିଟି ନ୍ୟାୟ ନ ଦେବ ତେବେ ବଳରାମଙ୍କ ଦଶାହ କାର୍ଯ୍ୟ ବିନାୟକ ହସପିଟାଲ ସମ୍ମୁଖ, ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଘର ସମ୍ମୁଖ, ଏମକେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୃତ ବଳରାମଙ୍କ ସମ୍ପର୍କୀୟ ।


Education,State

ନାବାଳିକା ଦେହରେ ନିଆଁ ଲଗାଇ ଦେଲେ ୩ ଦୁର୍ବୃତ୍ତ

Blog Thumbnail

ପୁରୀ( ଦ କୁଇଭର ):- ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ୧୫ ବର୍ଷୀୟା ନାବାଳିକା ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଆଜି(ଶନିବାର) ୩ ଦୁର୍ବୃତ୍ତ ନାବାଳିକା ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ନାବାଳିକା ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଞ୍ଚଳରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ୩ ଜଣ ଦୁର୍ବୃତ୍ତ ଜାଳି ଦେବାକୁ ଉଦ୍ୟମ କରିଛନ୍ତି । ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ଏମ୍ସ( AIIMS) ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣଙ୍କୁ ଦୁର୍ବୃତ୍ତ ମାନେ ନିଆଁ ଲଗାଇଲେ କାରଣ ଜଣାପଡିନାହିଁ ।

Education,State

ଏଫଏମ ଛାତ୍ରୀ ଆତ୍ମହୁତି ଘଟଣା : ଏସ୍‌ଆଇଟି ତଦନ୍ତ ପାଇଁ ମାମଲା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଘଟଣାକୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ଦ୍ବାରା ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଏହି ଆବେଦନରେ ଦର୍ଶାଯାଇଛି ଯେ ପୀଡ଼ିତା ଛାତ୍ରୀ ନିର୍ଯାତନାର ଶିକାର ହୋଇଥିଲେ। ତାଙ୍କୁ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ ମଧ୍ୟ ରହିଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଶେଷରେ ଛାତ୍ରୀଙ୍କ ଜୀବନ ଯାଇଥିଲା। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦକ୍ଷ ଅଧିକାରୀଙ୍କୁ ନେଇ ଏସ୍‌ଆଇଟି ଗଠନ କରାଯିବା ଆବଶ୍ୟକ। ହାଇକୋର୍ଟଙ୍କ ତତ୍ତ୍ବାବଧାନ‌ରେ ଏସ୍‌ଆଇଟି ତଦନ୍ତ ହେଲେ ସତ ପଦାକୁ ଆସିବ। ଅଧ୍ୟାପକ, ମହାବିଦ୍ୟାଳୟ ପ୍ରଶାସନ, ଛାତ୍ରୀଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପାଇଁ ରହିଥିବା ୨୦୧୫ର ନିୟମାବଳୀ ପାଳନ ଓ ଅନ୍ୟ ପ୍ରସଙ୍ଗରେ ତଦନ୍ତ କରାଯିବ l ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଶିଶୁ ଓ ମହିଳା ଶାଖା ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଉ। ୟୁଜିସି ପକ୍ଷରୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ରିପୋର୍ଟ ତଲବ କରାଯିବା ସହିତ ଅନୁଷ୍ଠାନର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ୟୁଜିସି ନିୟମାବଳୀ, ୨୦୧୫ ଅନୁସାରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ ଆଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଆବେଦନକାରୀ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ଏପରି ବନ୍ଦ ଡାକରା ଦିଆଯାଉଛି। ଏହା ଦ୍ବାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣା ବିଚାରକୁ ନେଇ ଜାତୀୟ ମାନବାଧିକାର କମିସନ, ମହିଳା କମିସନ, ୟୁଜିସି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି। ଏଭଳି ସ୍ଥିତିରେ ଆଇନଗତ ପଦକ୍ଷେପ ନ ନେଇ ବନ୍ଦ ଡାକରା ଦିଆଯିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି, ୟୁଜିସି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ବିଜୁ ଜନତା ଦଳ ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି।

State

ଆସୁଛି ଆହୁରି ଏକ ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସୁଛି ଆହୁରି ଏକ ଲଘୁଚାପ । ଆସନ୍ତା ୨୪ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ଓଡ଼ିଶାରେ ୨୩ ତାରିଖରୁ ପୁଣି ବର୍ଷା ବଢ଼ିବ । ୨୪ ରୁ ୨୬ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୨୨-୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପଟି ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସଷ୍ଟି ହେବ । ଏହା ପ୍ରଭାବରେ ୨୩ ତାରିଖରୁ ବର୍ଷା ପୁଣି ବଢ଼ିବା ସହ ୨୬ ତାରିଖ ଯାଏଁ ଲାଗି ରହିବ । ସେହିପରି ଆଜିଠାରୁ ୨୨ ତାରିଖ ଯାଏ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ । ଏଯିପାଇଁ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ଆଜି ବି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ । ଏଥିପାଇଁ ଗଜପତି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୌଦ୍ଧ, ସୋନପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ହାଲୁକା ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଭିତରେ ରଖାଯାଇଛି ।

Education,State

ସାମ୍ନାକୁ ଆସିଲା ଅଧ୍ୟାପକଙ୍କ ଚାଞ୍ଚଲ୍ୟକର ଭିଡିଓ

Blog Thumbnail

ଦ କୁଇଭର ବ୍ୟୁରୋ :- ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ଅଭିଯୁକ୍ତ ସମୀର ସାହୁଙ୍କ ଏକ ଭିଡିଓ । ଏ ଭିଡ଼ିଓ ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବରୁ ବୋଲି ଜଣାପଡୁଛି । ସହକାରୀ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ପରେ ସମୀର ସାହୁ ଏକ ବୈଠକରେ ଭୁଲ ମାଗୁଥିବା ଜଣାପଡିଛି । ଭିଡିଓରେ ସମୀର ସାହୁ, ପୀଡ଼ିତାଙ୍କ ପ୍ରତି ଆଉ ଖରାପ ବ୍ୟବହାର ପ୍ରଦର୍ଶନ କରିବେ ନାହିଁ ବୋଲି କହୁଛନ୍ତି । ପୀଡ଼ିତାଙ୍କୁ କ୍ଲାସ୍ ଆସିବାକୁ କହିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।



ଏଫଏମ ବିଶ୍ୱ ବିଦ୍ୟାଳୟ ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଏଚ୍‌ଓଡି ସମୀର ସାହୁ ବାଲେଶ୍ବର ଜିଲ୍ଲା କାରାଗାରରେ ରହିଛନ୍ତି। ଏଚ୍‌ଓଡି କାରାଗାରର ୩ ନମ୍ବର ସେଲ୍‌ରେ ରହିଥିବା ବେଳେ ଅଧ୍ୟକ୍ଷଙ୍କୁ ୧୫ ନମ୍ବର ସେଲ୍‌ରେ ରଖାଯାଇଛି। ଶ୍ରୀ ସାହୁଙ୍କ ସହିତ ୩ ଜଣ କଏଦୀ ରହୁଥିବା ବେଳେ ଶ୍ରୀ ଘୋଷଙ୍କ ସହିତ ୨୯ ଜଣ କଏଦୀ ରହୁଛନ୍ତି । ସେମାନଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କିମ୍ବା ମିଳାମିଶା ନହେବା ପାଇଁ କାରାଗାର ପକ୍ଷରୁ କଡ଼ା ନଜର ରଖାଯାଇଛି । ତେବେ କାରାଗାରକୁ ଆସିବା ପରଠାରୁ ଉଭୟ ଚୁପ୍‌ଚାପ୍‌ ରହୁଥିବା ଜଣାଯାଇଛି ।

Education,State

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ମିସନ୍‌ ଲାଇଫ୍'

Blog Thumbnail

ଦ କୁଇଭର ବ୍ୟୁରୋ :- ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ମିସନ୍‌ ଲାଇଫ୍’। ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିବେ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଛି। ‘ମିସନ୍‌ ଲାଇଫ୍’କୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବା ଦ୍ବାରା ୧୪.୭ ଲକ୍ଷରୁ ଅଧିକ ସ୍କୁଲର ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜନଆନ୍ଦୋଳନ ସୃଷ୍ଟି ହୋଇପାରିବ ବୋଲି ଉଭୟ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସ୍କୁଲ ଶିକ୍ଷାରେ ‘ମିସନ ଲାଇଫ’କୁ ସମନ୍ୱିତ କରି ଏକ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ସ୍କୁଲ ପାଠ୍ୟକ୍ରମରେ ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। ଏହାକୁ ପାଠପଢାର ଅଂଶ ଭାବରେ ନିଆଯାଇ ବାଲ୍‌ବାଟିକାରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରାଯାଇଛି।ସ୍କୁଲ ପାଠ୍ୟକ୍ରମରେ ‘ମିସନ୍‌ ଲାଇଫ୍‌’କୁ ସାମିଲ କରାଗଲେ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହାକି ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ। ସ୍ଥାୟିତ୍ୱ ଏଜେଣ୍ଡାକୁ ଆଗେଇ ନେବା, ପିଲାଙ୍କ ମଧ୍ୟରେ ପରିବେଶ ଅନୁକୂଳ ମାନସିକତା ଏବଂ ବ୍ୟବହାର ବଢ଼ାଇବା ଦିଗରେ ମୂଲ୍ୟବାନ ପରାମର୍ଶ ଦେଇଥିବାରୁ ଶ୍ରୀ ପ୍ରଧାନ ଉଭୟ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଛନ୍ତି। ତୃଣମୂଳ ସ୍ତରରେ ଜଳବାୟୁ ଶିକ୍ଷାକୁ ଗ୍ରହଣ କରିବା, ଗାମିଫିକେସନ୍ ଓ ଡିଜିଟାଲ୍ ପଦ୍ଧତି ମାଧ୍ୟମରେ ପରିବେଶଗତ ଶିକ୍ଷା, ତାଲିମକୁ ପ୍ରୋତ୍ସାହିତ କରିବା, ‘ମିସନ୍ ଲାଇଫ୍‌’ର ଉପାଦାନଗୁଡ଼ିକ ଉପରେ ଶିକ୍ଷକ ହ୍ୟାଣ୍ଡବୁକ୍‌କୁ ବିକଶିତ, ଛାତ୍ରଛାତ୍ରୀ ତଥା ସମସ୍ତ ଅଂଶୀଦାରଙ୍କ ଦ୍ୱାରା ପରିବେଶ-ଅନୁକୂଳ ଆଚରଣକୁ ପ୍ରୋତ୍ସାହିତ କରିବାକୁ ‘ମିସ୍‌ନ ଲାଇଫ୍‌’ର ସକରାତ୍ମକ ଦିଗକୁ କ୍ରେଡିଟ୍ ଫ୍ରେମ୍‌ୱାର୍କରେ ଅନ୍ତର୍ଭୁକ୍ତ କରିବା ପାଇଁ ଡାଏଟ୍‌ଗୁଡ଼ିକୁ ସାମିଲ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

State,Politics

ଓଡ଼ିଶା ସରକାର କେବେ ଗଭୀର ନିଦ୍ରାରୁ ଜାଗିବେ : ନବୀନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବଳଙ୍ଗା ବାୟାବରରେ ନାବାଳିକାଙ୍କୁ ଜାଳିଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ଓ ନିନ୍ଦନୀୟ । ଦିନ ଦିପହରରେ ହତ୍ୟା ଉଦ୍ୟମ ଘଟିଲା । ଏଫଏମ କଲେଜ ଘଟଣାର କିଛି ଦିନ ପରେ ଏପରି ଘଟଣା ଘଟିଛି । ମାସେ ପୂର୍ବରୁ ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏଭଳି ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଚାଲିଛି । ଏହା ଶାସନବ୍ୟବସ୍ଥାର ଗଭୀର ବିଫଳତାକୁ ପ୍ରମାଣିତ କରୁଛି। ଅପରାଧୀମାନେ ସାହସୀ ହୋଇଛନ୍ତି। ଦଣ୍ଡର ଭୟ ନାହିଁ। ସରକାରୀ ଉଦାସୀନତା ଓ ଅପରାଧୀ ପୃଷ୍ଠପୋଷକତା ସେମାନଙ୍କୁ ସୁହାଉଛି। ରାଜ୍ୟ ବର୍ତ୍ତମାନ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ହୋଇଛି। ଓଡ଼ିଶା ସରକାର କେବେ ଗଭୀର ନିଦ୍ରାରୁ ଜାଗିବେ ?। ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ମହିଳା ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ନବୀନ।

Shree Jagannath

ପୁରୀରେ ଖାଁ ଖାଁ

Blog Thumbnail

ପୁରୀ ( ଦ କୁଇଭର ):- ଓଡ଼ିଶା ବନ୍ଦ ଯୋଗୁଁ ପୁରୀରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିଲା । ବସ ଚଳାଚଳ ବନ୍ଦ ରହିଥିଲା ବେଳେ ରେଳୱେ ଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ରହିଛି । ବନ୍ଦର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ମଙ୍ଗଳ ଆଳତି ଦର୍ଶନ ପାଇଁ ପ୍ରତିଦିନ ୧୦ ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଆଜି କିନ୍ତୁ ଭକ୍ତଙ୍କ ଆଗମନ କମ ରହିଥିଲା । ବସ ଚଳାଚଳ ବନ୍ଦ ଥିବାରୁ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଆଗମନ କମ୍ ରହିଛି । କେବଳ ଟ୍ରେନରେ ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ହୋଇଛି। ଓଡ଼ିଶା ବନ୍ଦ ପାଳନ ନେଇ କଂଗ୍ରେସ ଓ ବାମଦଳ କର୍ମୀ ମାନେ ପୁରୀ ବସଷ୍ଟାଣ୍ଡରେ ପ୍ରତିବାଦ ସଭା କରିଥିଲେ। ପୂର୍ବରୁ ଓଡ଼ିଶା ବନ୍ଦ ନେଇ ଘୋଷଣା ଥିବାରୁ କୌଣସି ଅପ୍ରୀତିକର ସ୍ଥିତିକୁ ଦୃଷ୍ଟିରେ ରଖି ବସ ମାଲିକ ମାନେ ବସ ଚଳାଚଳ ବନ୍ଦ ରଖିଛନ୍ତି। ଫଳରେ ବସଷ୍ଟାଣ୍ଡ ସକାଳୁ ଖାଁ ଖାଁ ରହିଥିଲା। କେହି ବି ଯାତ୍ରୀ ବସଷ୍ଟାଣ୍ଡରେ ନଥିଲେ। ଟ୍ରେନ ଚଳାଚଳ କରୁଥିବାରୁ ପୁରୀକୁ ଆସିଥିବା ଯାତ୍ରୀ ଆଶ୍ବସ୍ତ ହୋଇଛନ୍ତି। ଆଜି ସକାଳୁ କଂଗ୍ରେସ୍ ଓ ବାମଦଳ କର୍ମୀ ମାନେ ପୁରୀ କଟକ ସଟଲ ଟ୍ରେନଲୁ କିଛି ସମୟ ଅଟକାଇଥିଲେ। ପରେ ଆରପିଏଫ୍, ଜିଆରପି ଆନ୍ଦୋଳନରତ କର୍ମୀଙ୍କୁ ଟ୍ରେନ ଟ୍ରାକ ରୁ ହଟାଇଥିଲେ। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ପରେ କଂଗ୍ରେସ କର୍ମୀ ମାନେ ବାଇକରେ ପୁରୀ ସହର ବୁଲି ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, କଲେଜ ବନ୍ଦ କରିଥିଲେ। କଚେରୀ ଛକରେ ଟାୟାର ଜାଳି ଉଭୟ କଂଗ୍ରେସ ଓ ବାମଦଳ କର୍ମୀ ରାସ୍ତା ରୋକ୍ କରିଥିଲେ। ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ସହ ଏହି ଘଟଣାରେ ଯେଉଁ ବ୍ୟକ୍ତି ବିଶେଷ ସାମିଲ ଅଛନ୍ତି ସେମାନଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପୁରୀ କଂଗ୍ରେସ ଓ ବାମଦଳ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ ହେବା ନେଇ ଚେନାବନୀ ଦେଇଛନ୍ତି ।

Education,State

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧

Blog Thumbnail

ଦ କୁଇଭର ବ୍ୟୁରୋ :- ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କଡ଼ାକଡ଼ି ଭାବେ ପାଳନ କରିବା ସହ ଏହି ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଉକ୍ତ କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗଦେବେ । ଏଥିସହ POSH Act, 2013 ର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମଧ୍ୟ ଶପଥ ନେବେ । କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ନିମନ୍ତେ ଚିଠିରେ ଉଲ୍ଲେଖ କରାଯାଇଛି ।

Education,State

ମହାମାୟୀ କଲେଜରେ ଛାତ୍ରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ରାଜ୍ୟରେ ସ୍କୁଲ କଲେଜ ଛତ୍ରୀ ଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଆଇସିସି ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଭୟ ଗାନ୍ଧୀନଗର ତଥା ମିନାକ୍ଷୀ ନଗର କାମ୍ପସ୍ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ଆଭ୍ୟନ୍ତରିଣ ସମସ୍ୟା ତଥା ଯୌନ ଉତ୍ପୀଡନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରିଣି ଡ ସୁଜାତା ପଣ୍ଡିତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତୀୟ ମାନବ ଅଧିକାର କମିଶନ, ପୂର୍ବାଞ୍ଚଳ ଭାରତ, ଅଧ୍ୟକ୍ଷା (ନାରୀ) ତଥା ଅଧ୍ୟକ୍ଷା "ଅଗ୍ନି" ଓ ଉତ୍କଳ ମେଲ ଦକ୍ଷିଣ ଓଡିଶା ମୁଖ୍ୟ ଏବଂ ନିଉସ୍ ଏକ୍ସଟ୍ରା ଓ ଚେତା ବନି ର ସମ୍ପାଦିକା ସୁଶ୍ରୀ ରସ୍ମିତା ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ କୌଣସି ଭୂଲ ପଦକ୍ଷେପ ନନେଇ ସମସ୍ୟା କୁ ସାମନା କରିବାକୁ ସଚେତନ କରିଥିଲେ । ମହାବିଦ୍ୟାଳୟର ଆଇସିସି ଆବାହକ ଡ. ଅମିତା କୁମାରୀ ପଣ୍ଡା, ସଦସ୍ୟା ତଥା ଯୁବ ରେଡକ୍ରସ୍ ସଂଯୋଜିକା ଡ.ସ୍ଵର୍ଣ୍ଣଲତା ପଟ୍ଟନାୟକ, ଅଧ୍ୟାପିକା ନୂତନ ମହାରଣା, ସନ୍ଧ୍ୟା ରାଣୀ ବେହେରା, ରିଚା ପାତ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ ।ଆଇସିସି ସଦସ୍ୟା ତଥା ଛାତ୍ରୀ ପ୍ରତିନିଧି ବର୍ଷ | ଲେଙ୍କା, ଭାରତି ବେହେରା ଉପସ୍ଥିତ ଥିବା ବେଳେ ଛାତ୍ରୀ କୁମକୁମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କୁ କଲେଜ ର ଆଭ୍ୟନ୍ତରିଣ ଓ ବିଭାଗୀୟ ସମସ୍ୟା ବିଷୟରେ ଆଇସିସି ସଦସ୍ୟା ମାନଙ୍କୁ ଜଣେଇ ବାକୁ ଅବଗତ କରାଯାଇଥିଲା ।

State

କାଲିଠୁ ବଢିବ ବର୍ଷା : ବହିବ ପବନ, ଖସିବ ବିଜୁଳି

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଜାରି ରହିଛି ମୋସୁମୀ ଜନିତ ବର୍ଷା । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିବା ବେଳେ ଆଗାମୀ ଦୁଇ ଦିନ ଯାଏ ଏହି ଭଳି ବର୍ଷା ଲାଗି ରହିବ,ଆସନ୍ତାକାଲି(ଜୁଲାଇ 19)ରୁ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, ‘ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ କିଛି ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।’ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ବାଲେଶ୍ବର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ବହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ପବନର ଘଣ୍ଟା ପ୍ରତି 30.40 କିଲୋମିଟର ବେଗରେ ବହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।ରାଜ୍ୟର ୫୧ ରୁ ୭୫ପ୍ରତିଶତ ଅଞ୍ଚଳରେ ବର୍ଷା ହେବା ସହ‌ ବର୍ଷାର ପରିମାଣ ଟିକେ ବଢିବ ବିଶେଷ କରି ଦକ୍ଷିଣ ଓଡ଼ିଶା ପାଇଁ ବୋଲି ଭୁବନେଶ୍ବର ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି । ଏନେଇ‌ ୟେଲୋ‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ଗତ ୨୪ ଘଣ୍ଟାରେ ଗଞ୍ଜାମରେ ସର୍ବାଧିକ ୭୪.୨ମିମି ବର୍ଷା ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ଭବାନୀପାଟଣା ୩୫.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଓ ନବରଙ୍ଗପୁରରେ ୨୧.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Health & lifestyle,Education,State

ଏମ୍ସ ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ନିର୍ଦ୍ଦେଶ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଗୁରୁତର ନାବାଳିକାଙ୍କ ଦେହ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କର ଏବେ ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସା ଜାରି ରହିଛି। ହସ୍‌ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କ ଏକତ୍ରିତ ହେବା ଏବଂ ଶବ୍ଦ ସୃଷ୍ଟି କରିବା ଅନୁଚିତ। ଏହା ରୋଗୀଙ୍କ ସେବାରେ ବାଧା ସୃଷ୍ଟି କରିବ ଏବଂ ସଂକ୍ରମଣ ହାର ବୃଦ୍ଧି କରିବ। ତେଣୁ, ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ଏବଂ ହସ୍ପିଟାଲ ଲବି ଭିତରେ ଏକାଠି ନ ହେବାକୁ ଅନୁରୋଧ କରାଯାଉଛି। ଏଥି ସହିତ ଏମ୍ସ ତରଫରୁ ବର୍ଣ୍ଣ ୱାର୍ଡ ବାହାରେ ଏହି ନୋଟିସ୍ ଲଗାଯାଇଛି। ଏଥି ସହିତ ଘଟଣାସ୍ଥଳ ସମ୍ବେଦନଶୀଳ ଥିବାରୁ ନେତା ଓ କର୍ମୀମାନଙ୍କୁ ଏଠାରେ ପ୍ରବେଶ ନଦିଆଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ବ୍ୟାରିକେଡ ବାହାରକୁ ଏବେ ନେତା ଓ କର୍ମୀଙ୍କୁ କଢ଼ାଯିବା ପାଇଁ ଯୋଜନା କରାଯାଇଛି। ବର୍ଣ୍ଣ ୱାର୍ଡ଼ ବାହାରେ ସ୍ବତନ୍ତ୍ର ବ୍ୟରିକେଡ କରାଯାଇଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।


ଅନ୍ୟପଟରେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା ପରେ ଏସ୍‌ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଏକ ସ୍ପେଶାଲ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀ, ସ୍ପର୍ଶକାତର। ତେଣୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛୁ। ଉକ୍ତ ଘଟଣାରେ କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି। ଫୋରେନସିକ୍‌ ଟିମ୍‌ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି। ମାତ୍ର ତାହା କ’ଣ ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣାରେ କେତେଜଣ ଲୋକ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ସେନେଇ ତଦନ୍ତ ଚାଲିଛି। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରି ନାହିଁ। ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

State,Health & lifestyle,Politics

ବିଜେଡିର ଏଣ୍ଡୁଅ ନେତା

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):-

ଏଁ ୟେ କି ଅସୁସ୍ଥତା ? ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ବୋଲି ICU ରେ ଭର୍ତ୍ତି ହୋଇଛନ୍ତି । ଯନ୍ତ୍ରଣାରେ ଛଟପଟ ହେବା ବଦଳରେ ICU ରେ ଚାଲିଛି ହସ ଆଉ ଖୁସି । ଯନ୍ତ୍ରଣା କଣ ହେଉଛି ତାହା କିଏ କହିବ ? ICU ଭଳି ଗମ୍ଭୀର ସ୍ଥାନରେ ବି ହସ ଖୁସିର ଆସର । ଯାହା ଦେଖାଉଛି ବିଜେଡି ନେତାଙ୍କ ଏଣ୍ଡୁଅ ଚରିତ୍ର ।


ମୋହନ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ରତ ବିଜେଡି ନେତାଙ୍କ ଉପରେ ବାଜିଥିଲା ରବର ଗୁଳି । ଜନତାଙ୍କ ପାଇଁ ସବୁ ସହିବାକୁ ଶପଥ ନେଇ ରାଜନୀତିକୁ ଆସିଥିବା ନେତା ମାନେ ରବର ଗୁଳି ଗୋଡ଼ରେ ବାଜିବାରୁ କାଳେ ଗମ୍ଭୀର ହୋଇଗଲା ସ୍ୱାସ୍ଥ୍ୟ ଅବସ୍ଥା । ଏତେ ଗମ୍ଭୀର ଭାବରେ ଆହତ ହେଲେ ଯେ ICU ରେ ଭର୍ତ୍ତି ହୋଇଗଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ICU ରେ ଭର୍ତ୍ତି ହେବା ପରେ ସେଠି ଚିକିତ୍ସା କମ ଚାଲିଛି ଦଳୀୟ ଆସର । ହସ ଖୁସିରେ ଏକ ପ୍ରକାର ମଉଜ ଚାଲିଥିଲା । ଯାହା ଦେଖାଉଛି ଏମାନଙ୍କ ଦୁଇନମ୍ବିରୀ ଆଭିମୁଖ୍ୟ । ଏମାନେ ଆଗକୁ ଦେଖାନ୍ତି ଗୋଟେ ଭିତରେ ଆଉ ଗୋଟେ । ଏକଥା ପ୍ରମାଣ କରିଦେଲେ ଯାଜପୁରିଆ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ପ୍ରୀତି ରଞ୍ଜନ ଘଡେଇ ଓରଫ ଡାନି ।


ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଓ ମୃତ୍ୟୁ ପରେ ତାତିଛି ବିଜେଡି । ବୁଧବାର ଭୁବନେଶ୍ୱରରେ ବେଶ କିଛି ପ୍ରଭାବ ଦେଖାଇଛି । ପିଏମଜିରେ ଆନ୍ଦୋଳନ କରିଥିଲା ବିଜେଡି । ପୋଲିସ ସହ ହୋଇଥିଲା ମୁକାବିଲା । ଏହି ମୁକାବିଲାରେ ପୋଲିସ ବିଜେଡି ଆନ୍ଦୋଳନ କାରୀମାନଙ୍କୁ ଘଉଡେଇବା ପାଇଁ ପାଣି ମାଡ଼ କରିଥିଲା । ପାଣି ମାଡ଼ରେ ବେଶ ବ୍ୟତି ବ୍ୟସ୍ତ ହୋଇପଡିଥିଲେ ବିଜେଡି ନେତା ମାନେ । କାରଣ ସମସ୍ତଙ୍କର କାଳେ ମେକପ ଛାଡି ଯାଇଥିଲା । ପାଣି ମାଡ ସତ୍ୱେ ଆଗକୁ ମାଡ଼ି ଚାଲିଲା ବିଜେଡି ।


ତେଣୁ ପୋଲିସକୁ ରବର ଗୁଳି ଚଳାଇବାକୁ ପଡ଼ିଲା । ଏ ରବର ଗୁଳି ବାଜିଥିଲା ବବି ଓ ଡାନିଙ୍କ ଗୋଡରେ । ଦୁହେଁ ଚିକିତ୍ସା ପାଇଁ ଚାଲି ଚାଲି ଯାଇଥିଲେ । ୬ ନମ୍ବର ହସ୍ପିଟାଲରେ ଦୁହେଁ ଚିକିତ୍ସା ହେଉ ହେଉ ହଠାତ ଏମାନଙ୍କର ଅବସ୍ଥା ଗମ୍ଭୀର ହୋଇଗଲା । ବବି ରହିଲେ ୬ ନମ୍ବର ହସ୍ପିଟାଲ ICU ରେ ଆଉ ଡାନି ଚାଲିଲେ ନିଜ ହସ୍ପିଟାଲର ICU କୁ । ଉଭୟ ICU ରେ ପଡିଲେ । ବବିଙ୍କ ପାଖରେ ଥିବା ବିଜେଡି ନେତା ମାନେ ବେଶ ହସ ଖୁସିରେ ସମୟ କାଟୁଥିଲେ । ଆଉ ଡାନିଙ୍କ ICU ଭିତରେ ବି ଚାଲିଥିଲା ମିଟିଂ ।



Farming,State

ଖରିଫ ଫସଲ ପାଇଁ ୭.୯୪ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଚଳିତ ବର୍ଷ ଖରିଫ ଫସଲ ପାଇଁ ରାଜ୍ୟରେ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ଉପଲବ୍ଧ ହୋଇଛି।‌‌ କଳାବଜାରୀ ଓ ନକଲି ସାର କାରବାର ରୋକିବା ପାଇଁ ମାର୍କଫେଡ୍ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନ କାରବାରକୁ ସୁନିୟନ୍ତ୍ରିତ କରିବାକୁ କୃଷି, ରାଜସ୍ୱ ଏବଂ ପୁଲିସ ବିଭାଗକୁ ନେଇ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ସାର ଖୁଚୁରା ବିକ୍ରେତା ଏବଂ ପାଇକାରୀ ବିକ୍ରେତା ପଏଣ୍ଟଗୁଡ଼ିକର ଅଚାନକ ଯାଞ୍ଚ ଏବଂ ବେଆଇନ କାର୍ଯ୍ୟ ରୋକିବାକୁ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ରାଜ୍ୟରେ ୧୯୯୩ ଖୁଚୁରା ବିକ୍ରେତା ପଏଣ୍ଟ ଯାଞ୍ଚ କରି ୪୨୭ ଖୁଚୁରା ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୮ ଟି ମାମଲାରେ ବିକ୍ରୟ ବନ୍ଦ ନୋଟିସ୍ ଜାରି କରାଯାଇଥିବା ବେଳେ ଏଫ୍‌ସିଓ ନିୟମ ଉଲ୍ଲଂଘନ ପାଇଁ ୨୫ ଟି ଡିଲର ଲାଇସେନ୍ସକୁ ବାତିଲ କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଯୋଜନା କରାଯାଇଛି I ଏଥି ମଧ୍ୟରୁ ୩୪.୯୪ ଲକ୍ଷ ହେକ୍ଟର ଧାନ ଏବଂ ୨୩.୫୬ ଲକ୍ଷ ହେକ୍ଟର ଅଣଧାନ ଅନ୍ତର୍ଭୁକ୍ତ। ଭାରତ ସରକାର ସମଗ୍ର ଖରିଫ ଋତୁ ପାଇଁ ରାଜ୍ୟକୁ ବିଭିନ୍ନ ଗ୍ରେଡ୍‌ର ୯.୫୫ ଲକ୍ଷ ମେଟ୍ରିକ୍‌ ଟନ୍ ସାର ଆବଣ୍ଟନ କରିଛନ୍ତି। ଖରିଫ ଚାଷ ପୂର୍ବରୁ ରାଜ୍ୟ ସରକାର ମାର୍କଫେଡ୍, ପ୍ୟାକ୍ସ, ଲ୍ୟାମ୍ପସ୍‌ ଖୁଚୁରା ଡିଲରମାନଙ୍କ ପାଖରେ ବିଭିନ୍ନ ସାର ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଏବେ ସୁଦ୍ଧା ମୋଟ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ମିଳିଛି। ୩.୬୫ ଲକ୍ଷ ମେଟ୍ରିକ ଟନ୍ ବିଭିନ୍ନ ପ୍ରକାର ସାର ଚାଷୀମାନଙ୍କୁ ବିକ୍ରୟ କରାଯାଇସାରିଛି। ବିଭିନ୍ନ ଜିଲ୍ଲାରେ ୪.୨୪ ଲକ୍ଷ ମେଟ୍ରିକ ଟନ୍ ସାର ଉପଲବ୍ଧ ଅଛି। ଏହା ବ୍ୟତୀତ ୨୩,୫୮୯ ମେଟ୍ରିକ ଟନ୍ ସାର ଖୁବ୍‌ଶୀଘ୍ର ବିଭିନ୍ନ ଜିଲ୍ଲାରେ ପହଞ୍ଚିବା ପାଇଁ ପରିବହନରେ ଅଛି। ମାର୍କଫେଡ୍‌କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ କରିବାକୁ ସାର ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟକ୍ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ / ଲ୍ୟାମ୍ପସଗୁଡ଼ିକୁ ବିଭିନ୍ନ ଗ୍ରେଡ୍‌ର ସାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ମାର୍କଫେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ଖରିଫରେ ଏହି ସମୟ ମଧ୍ୟରେ ରାଜ୍ୟରେ ୭.୭୧ ଲକ୍ଷ ମେଟ୍ରି୍‌କ ଟନ୍ ସାର ଉପଲବ୍ଧ ଥିଲା। ଏହି ବର୍ଷ ଅଧିକ ସାର ଉପଲବ୍ଧ ଅଛି ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

State,Education

ଏସ୍‌ସିବିରେ ଜ୍ୟୋତିପ୍ରକାଶଙ୍କୁ ୩ ଘଣ୍ଟା ପଚରାଉଚରା

Blog Thumbnail

ଦ କୁଇଭର ବ୍ୟୁରୋ :- ସର୍ଜରି ବିଭାଗର ବର୍ଣ୍ଣ ଆଇସିୟୁର ବେଡ୍ ନଂ ୯ରେ ଚିକିତ୍ସିତ ହେଉଥିବା ଜ୍ୟୋତିପ୍ରକାଶଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଘଟଣା ସମ୍ପର୍କରେ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିଛି। କେଉଁ ପରିସ୍ଥିତିରେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇଲେ, ସେ ସଂପର୍କରେ ପଚାରିଥିଲେ। ଏହା ସହିତ ଜ୍ୟୋତିପ୍ରକାଶଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଛି। ଅପରାହ୍‌ଣ ପ୍ରାୟ ୪ଟା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍ ବଡ଼ଡାକ୍ତରଖାନାରୁ ଫେରିଥିଲା। ଜ୍ୟୋତିପ୍ରକାଶଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି।


ସେହିପରି ଗୁରୁବାର କ୍ରାଇମ୍‌ବ୍ରାଞ୍ଚର ଏକ ତିନିଜଣିଆ ଟିମ୍‌ ବାଲେଶ୍ବର ଫକୀରମୋହନ କଲେଜକୁ ଯାଇଥିଲା। ଟିମ୍‌ରେ ଆଇଜି ଏସ୍‌. ସାଇନି, ଡିଏସ୍‌ପି ଇମନ କଲ୍ୟାଣ ନାୟକ, ଇନ୍‌ସ୍ପେକ୍ଟର ପାଞ୍ଚାଳୀ ରାଉତ ଓ ଜଣେ କନେଷ୍ଟବଳ ରହିଥିଲେ। ବାଲେଶ୍ବର ଡିଏସ୍‌ପି ତପସ୍ବିନୀ କୁଅଁର ଓ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଉପସ୍ଥିତ ଥିଲେ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କଲେଜର କର୍ମଚାରୀ ଓ ଆଇସିସି କମିଟିର ସଦସ୍ୟଙ୍କୁ ୫ ଘଣ୍ଟା ଧରି ଗୁଡ଼େଇତୁଡ଼େଇ ପଚରାଉଚରା କରିବା ସହ ଘଟଣାସ୍ଥଳ ତଦାରଖ କରିଥିଲେ। ତେବେ କେହି ଗଣମାଧ୍ୟମକୁ ଅଧିକ କିଛି ସୂଚନା ଦେଇ ନଥିଲେ। ଡିଏସ୍‌ପି ଶ୍ରୀମତୀ କୁଅଁର କହିଥିଲେ, ମାମଲାଟି ସମ୍ବେଦନଶୀଳ। ତେଣୁ ଗୁରୁତ୍ବର ସହ ତଦନ୍ତ କରାଯାଉଛି।